ଦରିଦ୍ରର ଦରଦି ବନ୍ଧୁ ଗୋପବନ୍ଧୁ : ପ୍ରସନ୍ନ କୁମାର ପାଇକରାୟ

ପୁରୀ ଜିଲ୍ଲା ସତ୍ୟବାଦୀର ସୁଆଣ୍ଡୋ ଗ୍ରାମ ଠାରେ ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ ଜଣେ ଯୋଗଜନ୍ମା ସିଦ୍ଧ ପୁରୁଷ ଦିନ ଦରିଦ୍ରର ଦରିଦି ବନ୍ଧୁ ଗୋପବନ୍ଧୁ । ଯୁଗ ଯୁଗ ଧରି ଏହି ଦିନଟି ଓଡ଼ିଆ ଜାତି ପାଇଁ ସ୍ମରଣୀୟ ହୋଇ ରହିଥିବ । ଗୋପବନ୍ଧୁଙ୍କ ଜନ୍ମ ଏକ ରୋଚକ ଘଟଣା । ତାଙ୍କ ବାପାଙ୍କ ନାମ ବୈରାଗୀ ଦାସ ,ଏକ କୁଶଳୀ ବ୍ରାହ୍ମଣ । ମାତା ହେଲେ ସ୍ୱର୍ଣ୍ଣମୟୀ ଦେବୀ । ମାତା ସ୍ୱର୍ଣ୍ଣମୟୀ ଦେବୀ ଗର୍ଭ ଯନ୍ତ୍ରଣା ପାଉଥାନ୍ତି , ବଇଦଙ୍କ ଔଷଧରେ ଯନ୍ତ୍ରଣା ରୁ ଉପଶମ ମିଳୁ ନ ଥାଏ ,ଏହି ସମୟରେ କିଏ ଜଣେ କହିଲେ ସ୍ୱର୍ଣ୍ଣମୟୀଙ୍କୁ ଜଣେ ଗରିବ ଘରକୁ ନେଇଯାଅ, ସେପରି ହେଲା ଗରିବ ଘରକୁ ନିଆଗଲା , କିଛି ସମୟ ମଧ୍ୟରେ ସେ ପୁତ୍ର ସନ୍ତାନ କୁ ଜନ୍ମ ଦେଇଥିଲେ । ସତରେ ଏକ ଗରିବ ଘରେ ଜନ୍ମ ହୋଇ ଗରିବ ମାନଙ୍କର ବନ୍ଧୁ ହୋଇଯାଇଥିଲେ ଗୋପବନ୍ଧୁ । ପିଲାଟି ଦିନରୁ ମା’ଙ୍କୁ ହରାଇ ମାଉସୀଙ୍କ ଦ୍ୱାରା ପାଳିତ ହୋଇଥିଲେ ଗୋପବନ୍ଧୁ । ଜଣେ ସତ୍ୟନିଷ୍ଠ ,ଯୋଗଜନ୍ମା ଓଡ଼ିଶାର ଅନ୍ୟତମ ବରପୁତ୍ର ,ମୁକ୍ତିଯୋଦ୍ଧା ,ସମାଜ ସଂସ୍କାରକ, ମାନବଵାଦୀ ଚିନ୍ତାନାୟକ , କବି , ଜନନାୟକ , ଦିନଦୁଃଖୀ ମଣିଷର ଦରଦୀ ବନ୍ଧୁ , ଭାଗବତ ପୁରୁଷ ଚିରବନ୍ଧ୍ୟ ପଣ୍ଡିତ ଗୋପବନ୍ଧୁ ବାସ୍ତବରେ ଥିଲେ ବିଶ୍ୱବନ୍ଧୁ । ଗୋପବନ୍ଧୁଙ୍କ ଜାତୀୟତାର ଭାବ ଥିଲା ଆକାଶ ପରି ଉଦାର ଓ ମହୋଦଧି ପରି ବ୍ୟାପକ ପୁଣି ସଂକୀର୍ଣ୍ଣତାର ବହୁ ଉର୍ଦ୍ଧ୍ବରେ । ଗୋପବନ୍ଧୁ ଥରେ କହିଥିଲେ ସଂକୀର୍ଣ୍ଣ ସୀମା ମଧ୍ୟରେ ପ୍ରକୃତ ଜାତୀୟତାର ପୂର୍ଣ୍ଣ ବିକାଶ ଅସମ୍ଭବ । ସେ ଯେଉଁ ଜାତିର ହୁଅନ୍ତୁ ସେ ପ୍ରଥମେ ମନୁଷ୍ୟ ,ଈଶ୍ୱରଙ୍କ ସନ୍ତାନ । ଓଡ଼ିଆ ଜାତି ଉପରେ କିଛି ଆଘାତ ଲାଗିଲେ ଯନ୍ତ୍ରଣାରେ ଛଟପଟ ହୁଏ ଗୋପବନ୍ଧୁଙ୍କ ପ୍ରାଣ । ଦେଶରେ ସେତେବେଳେ ଇଂରେଜ ମାନଙ୍କ ଶାସନ ଚାଲିଥିଲା । ସାଧାରଣ ଜନତା ତ୍ରସ୍ତ ଶଙ୍କିତ ଭାବରେ ରହିଥାନ୍ତି । ମହାତ୍ମା ଗାନ୍ଧୀଙ୍କ ଆହ୍ୱାନ କ୍ରମେ ଗୋପବନ୍ଧୁ ଜାତୀୟ

ମୁକ୍ତି ସଂଗ୍ରାମରେ ସାମିଲ ହୋଇ ଓଡ଼ିଶାର ଗାଁ ଗାଁ ବୁଲି ଇଂରେଜ ଶାସନରୁ ମୁକ୍ତି ପାଇଁ ବୁଝାଉଥିଲେ ଏଵଂ ଅସହଯୋଗ ଆନ୍ଦୋଳନରେ ଯୋଗଦେଲେ , ଫଳ ସ୍ଵରୂପ ତାଙ୍କୁ ବାରମ୍ବାର କାରାଦଣ୍ଡ ଭୋଗିବାକୁ ପଡ଼ିଲା । ସ୍ୱାଧୀନ ମତବ୍ୟକ୍ତ କରି ସେ କାରାବରଣ କରିଛନ୍ତି । ସତ୍ୟବାଦୀର ସନ୍ଥ ଜାତୀୟତା ବାଦର ମହମାନ୍ତ୍ରୀକ ଗୋପବନ୍ଧୁ ଏକ ଦେଶଦ୍ରୋହ ଅଭିଯୋଗରେ ଦୁଇ ବର୍ଷ କାରା ଦଣ୍ଡାଦେଶ ପାଇ କଟକରୁ ହଜାରିବାଗ କାରାଗୃହକୁ ଯିବାବେଳେ କଟକ ଷ୍ଟେସନରେ ଜନସମାଗମ ଦେଖି ଇଂରେଜ ସରକାର ଆତଙ୍କିତ ହୋଇପଡିଥିଲେ । ପ୍ରମାଣିତ କରିଥିଲା ଜନମାନସର ପ୍ରିୟ ନେତାକୁ ଦେଖିବା ପାଇଁ ବାଟସାରା ହଜାର ହଜାର ଲୋକ ରୁଣ୍ଡ ହୋଇଥିଲେ । କାରାଗାର ଯିବା ବାଟରେ ଗୋପବନ୍ଧୁ ଯେଉଁ ଯେଉଁ ଦୃଶ୍ୟ ତାଙ୍କର ଦୃଷ୍ଟି ଆକର୍ଷଣ ହୋଇଥିଲା ତାହାକୁ ନେଇ ସେ ଅନେକ କବିତା ରଚନା କରିଥିଲେ । ତାହା ମଧ୍ୟରେ ” ବନ୍ଦିର ଆତ୍ମକଥା ‘ କାରା କବିତା , ଅବକାଶ ଚିନ୍ତା , ଧର୍ମପଦ , ଓ ନଚିକେତା ଇତ୍ୟାଦି । ଗୋପବନ୍ଧୁ କାରାଗୃହରେ ଥାଇ ମହାପ୍ରଭୁଙ୍କୁ ସ୍ମରଣ କରି ଲେଖିଥିଲେ ଜଗନ୍ନାଥ ହିଁ ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ପରିଚୟ ଓ ଓଡ଼ିଆ ଅସ୍ମିତାର ମହାଦ୍ରୁମ । ଓଡ଼ିଆ ଜାତି ସହିତ ଜଗନ୍ନାଥଙ୍କର ଆତ୍ମୀୟ ସମ୍ପର୍କକୁ ପ୍ରକାଶ କରିବାକୁ ଯାଇ ନେତୃତ୍ୱ ସମର୍ପଣ କରି ଲେଖିଥିଲେ – ” ନ ଅଟକେ କର୍ମ ନେତାର ଅଭାବେ / ଧର୍ମ ନବ ଚଳେ ଧର୍ମର ପ୍ରଭାବେ // ବିଶେଷେ ଉତ୍କଳେ ନାହିଁ ପ୍ରୟୋଜନ/ ଉତ୍କଳର ନେତା ନିଜେ ନାରାୟଣ । ( ବନ୍ଦିର ଆତ୍ମକଥା ) । ଗୋପବନ୍ଧୁ ଥିଲେ ସଚ୍ଚା ସମାଜସେବୀ ,ବିଶ୍ଵମୈତ୍ରୀ, ଜାତୀୟତାବାଦ ଓ ସର୍ଵଧର୍ମ ସମନ୍ୱୟର ଉଦଗାତା । ବିଶୁଦ୍ଧ ମାନବପ୍ରେମ ସର୍ତ୍ତ ,ସ୍ୱାର୍ଥ ,ପ୍ରତ୍ୟାଶା ବିଲୀନ ତ୍ୟାଗପୁତ ସେବା ତାଙ୍କର କର୍ମ ପ୍ରେରଣା । ଗୋପବନ୍ଧୁ ଦେଶବାସୀଙ୍କ ମନୋବଳ ବଢାଇବାକୁ ଯାଇ ଲେଖିଥିଲେ-” କାତରତା ସିନା କାପୁରୁଷପଣ / ବୀର ମାରେ ଅବା ମରେ କରି ରଣ / ପଛଘୁଞ୍ଚା ନାହିଁ ବିରର ଜାତକେ / ନ ମରେ କେବେ ପରାଣ ଆତଙ୍କେ । ସେହିପରି ଗୋପବନ୍ଧୁ ନିଜ ପାଇଁ ନୁହେଁ ଜାତି ପାଇଁ ନିଜର ଜୀବନ ସମର୍ପିତ କରି ଦେଇଥିଲେ । ନିର୍ଭୀକ ଭାବେ କହିଥିଲେ – “ମିଶୁ ମୋର ଦେହ ଏ ଦେଶ ମାଟିରେ / ଦେଶବାସୀ ଚାଲି ଯାଆନ୍ତୁ ପିଠିରେ // ସ୍ୱାଧୀନତା ପଥେ ଅଛି ଯେତେ ଗାଡ଼ / ପୂରୁ ତହିଁ ପଡ଼ି ମୋର ମାଂସହାଡ଼ । ତାଙ୍କ କାରୁଣ୍ୟ ବିଜଡିତ ଉଦବୋଧନ ମୂଳକ ଆତ୍ମକଥାର ପ୍ରତିଟି ଶବ୍ଦ ମନେହୁଏ ଯେମିତି ଟୋପାଏ ଟୋପାଏ ଆଶ୍ୱାସନାର ଅଶ୍ରୁବିନ୍ଦୁ । ଆଧୁନିକ ଓଡ଼ିଶାର ଅନ୍ୟତମ ନିର୍ମାତା ଥିଲେ ପଣ୍ଡିତ ଗୋପବନ୍ଧୁ ।(୧୮୭୭-୧୯୨୯) । ୧୯୦୯ ମସିହାରେ ଗୋପବନ୍ଧୁ କିଛି ସହଯୋଗୀଙ୍କ ସହ ସତ୍ୟବାଦୀର ବଉଳ ଓ ଛୁରିଆନା ବଣ ଭିତରେ ସ୍ଥାପନ କରିଥିଲେ ଆଦର୍ଶ ବନ ବିଦ୍ୟାଳୟ । ସତ୍ୟବାଦୀ ବନ ବିଦ୍ୟାଳୟ ଗୋପବନ୍ଧୁଙ୍କର ଥିଲା ପ୍ରବୁଦ୍ଧ , ନିର୍ଭୀକ ସ୍ୱାବଲମ୍ବୀ ନାଗରିକ ନିର୍ମାଣ ସ୍ୱପ୍ନର ଫଳଶୃତି । ଶୈକ୍ଷିକ କ୍ଷେତ୍ରରେ ଏହା ଥିଲା ମହାବିପ୍ଲଵ । ଏଠାରେ ପାଠ ପଢ଼ା ପ୍ରତି ଆକୃଷ୍ଟ ହୋଇ ଚାରିଆଡୁ ବିଦ୍ୟାର୍ଥୀଙ୍କ ସୁଅ ଛୁଟିଲା । ଗୁରୁକୂଳ ଆଶ୍ରମ ପରିବେଶ ମଧ୍ୟରେ ପିଲାମାନଙ୍କୁ ପାଠ ସହିତ ନୈତିକ ମୂଲ୍ୟବୋଧଭିତ୍ତିକ ଶିକ୍ଷା ପ୍ରଦାନ କରାଯାଉଥିଲା । ଓଡ଼ିଆ ଅସ୍ମିତାର ଭୁୟୋବିକାଶ ଓ ଜନ ଜାଗରଣ ପାଇଁ ସେ ପ୍ରତିଷ୍ଠା କରିଥିଲେ “ସତ୍ୟବାଦୀ “ଓ “ସମାଜ” ଯାହା ଥିଲା ଜନ ଜୀବନର ବିଶ୍ୱସ୍ତ ଦର୍ପଣ । ୧୯୧୫ ମସିହାରେ ତାଙ୍କ ସମ୍ପାଦନାରେ ପ୍ରକାଶ ପାଇଲା ଧାରାବାହିକ ସାହିତ୍ୟ ପତ୍ରିକା ସତ୍ୟବାଦୀ । ଓଡ଼ିଆ ଅସ୍ମିତାର ଚାରା ରୋପଣ ପାଇଁ ସେ ପ୍ରତିଷ୍ଠା କରିଥିଲେ ସାପ୍ତାହିକ “ସମାଜ ” । ଜନତାର ମୁଖପତ୍ର ଓଡ଼ିଆ ଅସ୍ମିତାର ମାର୍ଗଦର୍ଶିକା । ଦିନ ଓ ଦରିଦ୍ରର ବନ୍ଧୁ ଗୋପବନ୍ଧୁ ଛାତ୍ରାବସ୍ତାରୁ ଥିଲେ ଜଣେ ବିପ୍ଲବୀ ଉତ୍କଳରେ ନବଜାଗରଣର କର୍ଣ୍ଣଧାରା । ଓଡ଼ିଆ ଭାଷା ଓ ଜାତୀର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ନିଜର ସମ୍ପୂର୍ଣ୍ଣ ଜୀବନକୁ ସମର୍ପିତ କରିଥିଲେ । ସେ ଥିଲେ ଉତ୍କଳର ମହାନିଶାର ଧ୍ରୁବଜ୍ୟୋତି । ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ୍ର ସ୍ୱରୂପ । ଓଡ଼ିଆ ଜାତୀର ସ୍ୱାଭିମାନର ପ୍ରତୀକ । ଦରିଦ୍ର ,ନିଷ୍ପେସିତ, ଅନ୍ନକ୍ଳିଷ୍ଟ , ବନ୍ୟା ଓ ଦୁର୍ଭିକ୍ଷରେ ପ୍ରପୀଡ଼ିତ ଜନଗଣଙ୍କ ସେବାରେ ସେ ନିଜର ଜୀବନ ଉତ୍ସର୍ଗ କରିଦେଇଥିଲେ । ତାଙ୍କ ସରଳ ପ୍ରାଣର ତରଳ ଅଭିବ୍ୟକ୍ତି ଉତ୍କଳୀୟ ଜନମାନସକୁ ବେଶ ପ୍ରଭାବିତ କରିଥିଲା । ଧର୍ମପଦ କବିତାରେ ସେ କହିଛନ୍ତି – ପରହିତେ ପ୍ରାଣ ଉତ୍ସର୍ଗ ପୂରୁବେ କେତେ କେତେ ମହାଜନ / ଲଭିଛନ୍ତି ତ୍ୟାଗେ ପରାଣ ପୂର୍ଣ୍ଣତ ମରଣ ନିତ୍ୟ ଜୀବନ । ଗୋପବନ୍ଧୁଙ୍କ ସମୟରେ ଉତ୍କଳ ଥିଲା ଏକ ଦୁଃଖଦ ଭୂଗୋଳ । ମାତ୍ର ପଚାଶ ବର୍ଷର ନୀତିଦିନ ଜୀବନରେ ସେ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା ଚେଷ୍ଟିତ ରହିଥିଲେ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ, ବନ୍ୟା ,ଦୁର୍ଭିକ୍ଷ ପ୍ରପୀଡ଼ିତ ଦରିଦ୍ର ନାରାୟଣକର ସେବା ଥିଲା ଗୋପବନ୍ଧୁଙ୍କ ଜୀବନର ଶ୍ରେଷ୍ଠ ସାଧନା । ଉତ୍କଳୀୟ ଜନସାଧାରଣଙ୍କର ପ୍ରାଣର ପ୍ରତିନିଧି ଥିଲେ ବୋଲି ବୈଜ୍ଞାନିକ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ ” ଉତ୍କଳମଣି” ସମ୍ବୋଧନ କରି ସମ୍ମାନୀତ କରିଥିଲେ । ଜୀବନ ତମାମ ଅନ୍ୟପାଇଁ ନିଜକୁ ନିୟୋଜିତ କରି ଓଡ଼ିଶାର ପୁର ପଲ୍ଲୀରେ ସମସ୍ତଙ୍କ ହୃଦୟରେ ମଣି ସାଜିଥିଲେ ଉତ୍କଳମଣି । ନିଜ ପରିବାର ଠାରୁ ଅଧିକ ଭଲ ପାଉଥିଲେ ସ୍ନେହ ଶ୍ରଦ୍ଧା କରୁଥିଲେ ଲୋକମାନଙ୍କୁ , ସେଥିପାଇଁ ତ ଥରେ ନିଜ ରୋଗିଣା ପୁଅକୁ ଛାଡ଼ି ମଧ୍ୟ ବନ୍ୟା ଅଞ୍ଚଳକୁ ଚାଲିଯାଇଥିଲେ । ଫେରିଲା ବେଳକୁ ପୁଅ ଆଉ ସଂସାରରେ ନ ଥିଲା । ପ୍ରଚଣ୍ଡ ଆଧ୍ୟାତ୍ମବାଦୀ ଗୋପବନ୍ଧୁ ସବୁବେଳେ କହୁଥିଲେ ମଙ୍ଗଳ ମୟଙ୍କ ସୁମଙ୍ଗଳ ଇଛା /ପୁରୁ ଏ ପରାଣେ ଏହି ଶେଷ ଭିକ୍ଷା । ୧୯୨୮ ଜୁନ ୧୭ ରେ ଏ ଜାତିର ଜନ୍ମ ବେଦୀରେ ଜଳୁଥିବା ଅଖଣ୍ଡ ମହାଦୀପ ନିର୍ବାପିତ ହୋଇଗଲା । ଉତ୍କଳମଣୀଙ୍କ ତିରୋଧାନରେ ଓଡ଼ିଶା ଇତିହାସର ଗୋଟିଏ ଗୌରବମୟ ଇତିହାସର ସତେ ଯେପରିକି ଅବସାନ ଘଟିଲା ।

ଆଜିର ଶୁଭ ଜନ୍ମତିଥିରେ ଓଡ଼ିଶାର ବରପୁତ୍ର ,ଚିରବରେଣ୍ୟ ,ଜାତିର ଗର୍ବ ଗୌରବ ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କର ଆସନ୍ତୁ ସ୍ମୁତିଚାରଣ କରିବା।

ପ୍ରସନ୍ନ କୁମାର ପାଇକରାୟ

ରାଜ୍ୟ ସମ୍ପାଦକ ,ଓୟୁଜେ

୭୦୦୮୯୩୬୩୭୩

୧କୋଟି ସଦସ୍ୟ କରିବାକୁ କାଲିଠୁ ବିଜେଡିର ଅଭିଯାନ…

()  ଆସନ୍ତାକାଲି ଗୋପବନ୍ଧୁ ଜୟନ୍ତୀରୁ  ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ. ତା ପରେ ଜିଲ୍ଲାରେ ହେବ. ଏକ କୋଟି 91 ହଜାର 915 ସଦସ୍ୟ ଗତ ଥର ଥିଲେ. କିଏ ଅଛନ୍ତି, କାହାର ଦେହାନ୍ତ ହୋଇଛି, ସେ ସବୁ ଦେଖି ସେହି କୋଟି ଯାଏଁ ସଦସ୍ୟ କରିବୁ. ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା ଅଧିକାଂଶ ଗାଁରେ ହେବ. ଆଞ୍ଚଳିକ ଦଳ ଭାବେ ସଦସ୍ୟ ସଂଗ୍ରହ କାର୍ଯ୍ୟକ୍ରମକୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛି ବିଜେଡି. ଆସନ୍ତାକାଲି ଗୋପବନ୍ଧୁ ଜୟନ୍ତୀ ପରି ପବିତ୍ର ଦିନରେ ସକାଳ 11 ରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଶଙ୍ଖ ଭବନରେ ଏହାର ଶୁଭାରମ୍ଭ କରିବେ. ଅନେକ କର୍ମୀ ଓ ନେତା ଉପସ୍ଥିତ ରହିବେ. ସଦର ମହକୁମା ଓ ଜିଲ୍ଲାରେ ଏହା ସେହି ସମୟରେ ହେବେ. ଅନଲାଇନରେ ଯୋଡି ହେବ. ପରବର୍ତୀ ସମୟରେ ଅନ୍ୟ ନିର୍ବାଚନ ମଣ୍ଡଳୀରେ ଏହା ଆଗେଇବା. ସଭ୍ୟ ସଂଗ୍ରହ ଅଭିଯାନ କମିଟିରେ 22 ଜଣ ସଦସ୍ୟ ଅଛନ୍ତି. ଫିସିକାଲି ଓ ଡିଜିଟାଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ହେବ. ପୂର୍ବରୁ ଏହି କାର୍ଯ୍ୟକ୍ରମ ସଫଳତା ସହ 1 କୋଟି ପ୍ରାଥମିକ ଓ 3.40 ଲକ୍ଷ ସକ୍ରିୟ ସଦସ୍ୟ ଯୋଡି ହୋଇଥିଲେ. ଛାତ୍ର ଯୁବ ଏହି କାର୍ଯ୍ୟକ୍ରମରେ ଆଗରେ ରହିବେ.  ଅଭିଯାନ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଓଡ଼ିଶାବାସୀଙ୍କ ସେବାରେ ଆମେ ସମର୍ପିତ. ଏବେ ଯେଉଁ ବିରୋଧୀ ଦଳ ଦାୟିତ୍ୱ ଲୋକେ ଦେଇଛନ୍ତି, ଏହାକୁ ସୁଚାରୁ ରୂପ କାର୍ଯ୍ୟକାରୀ କରିବାକୁ ଆମେ ସଂକଳ୍ପବଧ. ତୃଣମୂଳ ସ୍ତରରେ ବିଜେଡିକୁ ମଜଭୁତ କରିବାକୁ ଦୁଇଟି ପର୍ଯ୍ୟାୟରେ ପଦଯାତ୍ରା କରୁଛୁ. ଅଦଭୂତ ସଫଳତା ମିଳିଛି. 22 ଜିଲ୍ଲାରେ ସରିଛି. ଅକ୍ଟୋବର 21 ରୁ ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା କରିବୁ. ନବୀନଙ୍କ ସମୟର ବିକାଶ କାର୍ଯ୍ୟକ୍ରମର ବାର୍ତା ପଠାଇବୁ. ଲୋକଙ୍କ ଆଶା ପୂରଣ ପାଇଁ ପଦଯାତ୍ରା ଜରିଆରେ ଆମେ ଲୋକଙ୍କ ସହ ଯୋଡି ହୋଇଛୁ. ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ପଦଯାତ୍ରାରେ ବି ଏହି କାର୍ଯ୍ୟକ୍ରମ କରାଯିବ. ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଆମ କାର୍ଯ୍ୟକ୍ରମ ଜାରି ରଖିବୁ. ବିଜେଡିର ତୃଣମୂଳ କର୍ମୀଙ୍କୁ ଧନ୍ୟବାଦ ଯେ ସେମାନେ ପଦଯାତ୍ରାକୁ ସଫଳ କରିବେ ବୋଲି ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି l

ରାଜ୍ୟର ସରକାରୀ କର୍ମଚାରୀ ମାନଙ୍କ ଗ୍ରାଚୁଇଟି ସୀମା ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି

() ରାଜ୍ୟର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଗ୍ରାଚୁଇଟିର ସୀମା ୧୫ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି।ଏହି ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ସରକାରୀ କର୍ମଚାରୀ ମାନଙ୍କ ମୃତ୍ୟୁ ତଥା ଅବସର କାଳୀନ ଗ୍ରାଚ୍ୟୁଟି (DCRG)କୁ 15 ଲକ୍ଷ ରୁ 20 ଲକ୍ଷ ଟଙ୍କାକୁ ତା 01.01.2024 ରୁ ପିଛିଲା ଭାବରେ ଲାଗୁ କରାଗଲା । ରାଜ୍ୟର ବିଭିନ୍ନ ସେବା ସଙ୍ଗଠନ ଗୁଡିକ ଏଥିପାଇଁ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରିଥିଲେ ।ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର 01.01.2024ରୁ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ରୀୟ ସିଭିଲ ସର୍ଭିସେସ୍ (ପେନ୍ସନ୍) ନିୟମ ଅନୁଯାୟୀ ମୃତ୍ୟୁ ତଥା ଅବସର କାଳୀନ ଗ୍ରାଚ୍ୟୁଟିକୁ ବୃଦ୍ଧି କରିଛନ୍ତି।

ଚକଧର ଜଳସେଚନ ପ୍ରକଳ୍ପକୁ ଅଯଥା ରାଜନୈତିକ ରୂପ ଦେଉଛନ୍ତି ବିରୋଧୀ ଦଳ: ସତ୍ୟବ୍ରତ ପଣ୍ଡା  

ଭୁବନେଶ୍ୱର, ତା.୦୭/୧୦: ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରଠାରୁ ରାଜ୍ୟବାସୀଙ୍କ ଉନ୍ନତି ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା କରିଚାଲିଛି । ଚକଧର ଜଳସେଚନ ପ୍ରକଳ୍ପକୁ ନେଇ ବିରୋଧୀ ଦଳ ଅଯଥାରେ ରାଜନୀତି କରୁଛନ୍ତି । ଏନେଇ କେନ୍ଦୁଝର ଜିଲ୍ଲାର ତେଲକୋଇ ଅଂଚଳରେ ଜାଣିଶୁଣି ଜନ ଅଶାନ୍ତି ସୃଷ୍ଟି କରାଯାଉଛି । ଏନେଇ ସ୍ଥାନୀୟ ବିଧାୟକ ଡା. ଫକୀର ମୋହନ ନାୟକଙ୍କ ନେତୃତ୍ୱରେ ଏକ ୨୫ ଜଣିଆ ପ୍ରତିନିଧିମଣ୍ଡଳୀ ମାନବ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝିଙ୍କୁ ଭେଟି ଏ ବିଷୟରେ ଅତୀତରେ ଆଲୋଚନା କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ତେଲକୋଇ ସମସ୍ୟାକୁ ଗୁରୁତ୍ୱର ସହ ନେଇ ଏହି ପ୍ରସଙ୍ଗରେ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହାସତ୍ୱେ ଏହି ସମ୍ବେଦନଶୀଳ ସମସ୍ୟାକୁ ରାଜନୈତିକ ରଙ୍ଗ ଦେବା ପାଇଁ ବିରୋଧୀ ଦଳ ଯେଉଁଭଳି ଉଦ୍ୟମ କରୁଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି ।

ଶ୍ରୀ ପଣ୍ଡା କହିଛନ୍ତି ଯେ, ଆଜି ସକାଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝିଙ୍କ ବ୍ୟସ୍ତବହୁଳ ଦିଲ୍ଲୀଗ୍ରସ୍ତ ସମୟରେ ସ୍ଥାନୀୟ ବିଧାୟକ ଡା. ନାୟକ ତାଙ୍କୁ ସାକ୍ଷାତ କରି ପୁନର୍ବାର ଏହି ପ୍ରସଙ୍ଗରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଏହି ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଚକଧର ପ୍ରକଳ୍ପ ଯୋଗୁ ତେଲକୋଇବାସୀଙ୍କୁ ଯେପରି କୌଣସି କ୍ଷତି ନ ପହଂଚିବ ସେଥିପ୍ରତି ବିଶେଷ ଧାନ୍ୟ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେଣୁ ଅଯଥା ଗୁଜବ ଓ ଅପପ୍ରଚାରର ଶୀକାର ନ ହେବା ପାଇଁ ତେଲକୋଇବାସୀଙ୍କୁ ବିନମ୍ର ନିବେଦନ କରିଛୁ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ପଣ୍ଡା କହିଛନ୍ତି ।

ମା ସମଲେଇଙ୍କ ପୀଠରେ କାମ ନ କରି ବାହାବା ନେବାକୁ ଚେଷ୍ଟା କରୁଛି ବିଜେପି ସରକାର : ବିଜେଡି

ଭୁବନେଶ୍ୱର : ରାଜ୍ୟରେ ଥିବା ବିଜେପି ସରକାର ଏକ କପି ପେଷ୍ଟ ସରକାର ଓ କେବଳ ନବୀନ ସରକାରଙ୍କ ଅମଳରେ ହୋଇଥିବା କାର୍ଯ୍ୟକୁ ବା ଯୋଜନା ଗୁଡିକୁ ନାମ ଓ ରଙ୍ଗ ପରିବର୍ତନ କରି ଚଳାଉଛନ୍ତି ବୋଲି ବିଜେଡି ତରଫରୁ ଅଭିଯୋଗ କରାଯାଉଛି । ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ। ଶ୍ରୀ ପୂଜାରୀ କହିଥିଲେ, ଓଡ଼ିଆରେ ଗୋଟେ ଢଗ ଅଛି, ଗାଲୁଆଙ୍କ ବାରବାଟୀ ଚାଷ । ଏହି ଢଗଟି ବର୍ତ୍ତମାନର ବିଜେପି ସରକାରଙ୍କ ପାଇଁ ପ୍ରଯୁଜ୍ୟ । କାରଣ ସରକାରକୁ ଆସିବାର ୧୨୦ ଦିନ ବିତି ଯାଇଥିଲେ ସୁଦ୍ଧା, କୌଣସି ନୂତନ କାମ ନକରି କେବଳ ନବୀନ ସରକାରଙ୍କ କାର୍ଯ୍ୟର ନାମ ଓ ରଙ୍ଗ ପରିବର୍ତ୍ତନ କରି ସରକାର ବାହାଦୁରି ନେବାକୁ ଚେଷ୍ଟା କରୁଛନ୍ତି । ଉଦାହରଣ ସ୍ୱରୂପ, ଗତ ଦୁଇ ଦିନ ହେଲା ସମ୍ବଲପୁରର ମା ସମଲେଇଙ୍କ ମନ୍ଦିର ସମ୍ମୁଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଫଟୋଥୁବା ଏକ ପୋଷ୍ଟର ଲଗାଯାଇଛି ଓ ସମାନ ପୋଷ୍ଟର ମଧ୍ୟ ନେଲସନ ମଣ୍ଡେଲା ଛକରୁ ଛାପୁର ଛକ ପର୍ଯ୍ୟନ୍ତ ରାସ୍ତାର ବ୍ରିଜ ସମ୍ମୁଖରେ ମଧ୍ୟ ଲଗାଯାଇଛି। ସାରା ରାଜ୍ୟବାସୀ ଜାଣନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ମା ସମଲେଶ୍ଵରୀ ପୀଠର ରୁପାନ୍ତିକରଣକୁ ସଫଳତାର ସହିତ ସମ୍ପୂର୍ଣ କରାଯାଇଥିଲା। ସେହିପରି, ଛାପୁର ବ୍ରିଜ ମଧ୍ୟ ତାଙ୍କରି ସମୟରେ ହୋଇଥିଲା। ବର୍ତ୍ତମାନର ବିଜେପି ସରକାର ବ୍ୟାନର ଲଗାଇ ନିଜର ପ୍ରଚାର କରିବାକୁ ଚାହୁଁଛନ୍ତି । ଲୋକଙ୍କ ପାଇଁ କାମ କରି ପୋଷ୍ଟର ବ୍ୟାନର ଲଗାନ୍ତୁ, ସେଥୁରେ ଅସୁବିଧା ନାହିଁ। କାମ ନକରି କେବଳ ପୋଷ୍ଟର ବ୍ୟାନର ଲଗାଇ ବାହାଦୁରି ନେବାକୁ ଚେଷ୍ଟାକଲେ ଲୋକ ଗ୍ରହଣ କରିବେ ନାହିଁ।ସେହିପରି, ପଶ୍ଚିମ ଓଡ଼ିଶାରେ ଉଚ୍ଚ ନ୍ୟାୟାଳୟର ବେଞ୍ଚ ପ୍ରତିଷ୍ଠା ନେଇ ବିଜେପି ସରକାର କୌଣସି ଆନ୍ତରିକତା ଦେଖାଇ ନାହାନ୍ତି । ପ୍ରଥମେ ଏପରି କୌଣସି ପ୍ରସ୍ତାବ ସରକାରଙ୍କ ପାଖରେ ନାହିଁ ବୋଲି କହିଥିଲେ, l ପରେ ଏହା ବିଚାରାଧୀନ ଅଛି ବୋଲି କହିଲେ । ସରକାର ସ୍ପଷ୍ଟ କରନ୍ତୁ, କେବେ ଏହି ବେଞ୍ଚ ପ୍ରତିଷ୍ଠା ହେବ । ସମ୍ବଲପୁର ବିଶ୍ଵବିଦ୍ୟାଳୟକୁ ସେଣ୍ଟ୍ରାଲ ୟୁନିଭରସିଟିର ମାନ୍ୟତା, ଭିସୁଟ୍‌କୁ ଆଇଆଇଟିର ମାନ୍ୟତା ଇତ୍ୟାଦିର କାମ ରହିଛି । ଏହି ସବୁ କାମ କରି ସରକାର ନିଜର ପ୍ରଚାର କରନ୍ତୁ, ମନା ନାହିଁ । କିଛି କାମ ନ‌କରି କେବଳ ପୋଷ୍ଟର ବ୍ୟାନର ମାରିଲେ ଲୋକେ ଗ୍ରହଣ କରିବେ ନାହିଁ। ଛତିଶଗଡ଼ ସରକାରଙ୍କ ଦ୍ୱାରା କରାଯାଇଥିବା ବ୍ୟାରେଜ ଗୁଡିକ ହୀରାକୁଦ ଡ୍ୟାମ ପ୍ରତି ବିପଦ ସୃଷ୍ଟି କରୁଛି । ବର୍ତମାନ ଓଡିଶା ଛତିଶଗଡ଼ ଓ କେନ୍ଦ୍ରରେ ବିଜେପି ସରକାର ଥିବାରୁ ଏହି ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ । ଏହି ସମସ୍ୟାକୁ ସମାଧାନ ପାଇଁ ଉଦ୍ୟମ ନକରି ପ୍ୟାକେଜ ଘୋଷଣା କେବଳ ଧର୍ମକୁ ଆଖୁଠାର ସଦୃଶ୍ୟ ହୋଇଛି ବୋଲି ଶ୍ରୀ ପୂଜାରୀ କହିଥିଲେ।

ସୋଆ ପକ୍ଷରୁ ବିଶ୍ୱ ପ୍ରାଣୀ ଦିବସ ପାଳିତ …

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌), ଓଡିଶା ଲାଇଭଷ୍ଟକ୍ ଡେଭେଲମେଂଟ ସୋସାଇଟି (ଓଏଲ୍‌ଡିଏସ୍‌) ଏବଂ ଓଡିଶା ଭେଟେରିନାରୀ କାଉନ୍‌ସିଲ୍‌ର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଦିନ ସୋଆ କ୍ୟାମ୍ପସ୍‌- ୪ ପରିସରରେ ବିଶ୍ୱ ପ୍ରାଣୀ ଦିବସ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ମନୁଷ୍ୟ ଓ ପ୍ରାଣୀ ଉଭୟ ପରସ୍ପର ସହିତ ଓତଃପ୍ରୋତ ଭାବରେ ଜଡିତ । ବର୍ତମାନ ସବୁ ସ୍ଥାନରେ ଜଳବାୟୁ ପରିବର୍ତନ ଦେଖିବାକୁ ମିଳୁଛି ଏବଂ ପ୍ରାଣୀ ଜଗତରେ ଏହାର ଖୁବ୍ ପ୍ରଭାବ ପଡ଼ୁଛି । ଉଦ୍ୟୋଗୀକରଣ ଏବଂ ଜଙ୍ଗଲ ନଷ୍ଟ ଜଳବାୟୁ ପରିବର୍ତନର ପ୍ରମୁଖ କାରଣ ଭିତରୁ ଅନ୍ୟତମ । ବିକାଶକୁ ଆମେ ବନ୍ଦ କରିପାରିବା ନାହିଁ କିନ୍ତୁ ବିନାଶ ନ ହୋଇ କିଭଳି ବିକାଶ ଏବଂ ପ୍ରଦୂଷଣ ନ ହୋଇ ଉତ୍ପାଦନକୁ ବୃଦ୍ଧି କରାଯାଇ ପାରିବ ସେ ଦିଗରେ ଆମେ ଯତ୍ନବାନ ହେବା ଆବଶ୍ୟକ ବୋଲି ପ୍ରଫେସର ନନ୍ଦ କହିଥିଲେ । ପ୍ରାଣୀମାନେ ମଣିଷମାନଙ୍କ ପାଇଁ ଖୁବ୍ ବିଶ୍ୱସ୍ତ । ସେମାନେ କଥା କହିପାରନ୍ତି ନାହିଁ ସତ କିନ୍ତୁ ନିଜର କାର୍ଯ୍ୟକଳାପ ମାଧ୍ୟମରେ ନିଜର ଭାବନାକୁ ପରିପ୍ରକାଶ କରିଥାଆନ୍ତି । ବର୍ତମାନ ସମୟରେ ପ୍ରାଣୀମାନଙ୍କ ପାଇଁ ବିଭିନ୍ନ ଏନ୍‌ଜିଓ, ସରକାରୀ ଓ ବେସରକାରୀ ସ୍ତରରେ ସେମାନଙ୍କର ଯତ୍ନ ନେବା ନିମନ୍ତେ ବିଭିନ୍ନ ସଂସ୍ଥା ରହିଛି । ପକ୍ଷୀମାନେ ଭଲ ପାଇବା ଓ ଯତ୍ନ ପାଇଲେ ସେମାନେ ମଧ୍ୟ ମଣିଷର ଅତି ନିଜର ହୋଇପଡ଼ନ୍ତି । ଅନେକ ସମୟରେ ଗୃହପାଳିତ ପଶୁ ଗୁଡ଼ିକ ଅନ୍ୟମାନଙ୍କ ଜୀବନ ରକ୍ଷା କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିବାର ନଜିର ରହିଥିବା ସେ କହିଛନ୍ତି । ପ୍ରାଣୀମାନଙ୍କ ଯତ୍ନ ନେବା ମନୁଷ୍ୟମାନଙ୍କର ପ୍ରଥମ କର୍ତବ୍ୟ ହେଉ । ପଶୁ ଏବଂ ପକ୍ଷୀଙ୍କ ଠାରୁ ସେମାନଙ୍କର ଏହି ସକରାତ୍ମକ କଳାକୁ ମନୁଷ୍ୟ ଗ୍ରହଣ କରିବା ଉଚିତ୍ । ସୋଆ ପରିଚାଳିତ ଆଇଭିଏସ୍‌ଏଏଚ୍‌ରେ ବିଭିନ୍ନ ପ୍ରକାର ସୁବିଧା ଓ ଚିକିତ୍ସା ଉପଲବ୍ଧ ରହିଛି ବୋଲି ପ୍ରଫେସର ନନ୍ଦ କହିଥିଲେ ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଆଇଏଏସ୍ ତଥା ନ୍ୟାସ୍‌ନାଲ୍ ଡାଏରୀ ଡେଭେଲମେଂଟ ବୋର୍ଡ (ଏନ୍‌ଡିଡିବି)ର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଦିଲୀପ ରଥ ଯୋଗ ଦେଇ କହିଥିଲେ ଯେ ଆଜିକାଲି ପ୍ରାଣୀ ଜଗତକୁ ସୁରକ୍ଷିତ ପରିବେଶ ଯୋଗାଇ ଦେବାରେ ମାନବ ଜାତି ଯତ୍ନବାନ ହେବା ଦରକାର । କେବଳ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ପ୍ରାଣୀ ପାଳିବା ନୁହେଁ ବରଂ ସେମାନଙ୍କର ଯତ୍ନ ନେବା ନିହାତି ଜରୁରୀ । ମାନବ ଜାତିର ଜୀବନ ପ୍ରକ୍ରିୟା ନିମନ୍ତେ ପଶୁ ଏବଂ ପକ୍ଷୀମାନଙ୍କର ଗୁରୁତ୍ୱ ଖୁବ୍ ଅଧିକ । କାରଣ ଅନେକ ଟୀକାକରଣ ପ୍ରଥମେ ପଶୁମାନଙ୍କ ଉପରେ ର୍ହି ପ୍ରୟୋଗ କରାଯାଇଥାଏ । ଚଳିତ ବର୍ଷର ଥିମ୍ – ‘ ବିଶ୍ୱ ହେଉଛି ପ୍ରାଣୀମାନଙ୍କର ଉତମ ବାସସ୍ଥାନ’ – ଉପରେ ସମଗ୍ର ବିଶ୍ୱରେ ପ୍ରାଣୀମାନଙ୍କର ମଙ୍ଗଳ ସାଧନ ନିମନ୍ତେ ଜନ ସଚେତନତା ସୃଷ୍ଟି କରିବା ଦରକାର ବୋଲି ଡକ୍ଟର ରଥ କହିଥିଲେ ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ଓଡିଶା ଭେଟେରିନାରୀ କାଉନ୍‌ସିଲ୍‌ର ସଭାପତି ଡାକ୍ତର ରୁଦ୍ର ନାରାୟଣ ପଟ୍ଟନାୟକ ଯୋଗ ଦେଇ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ସହିତ ମଣିଷମାନଙ୍କ ପରି ପ୍ରାଣୀମାନଙ୍କର ବଂଚିବା ପାଇଁ ମଧ୍ୟ ମୌଳିକ ଅଧିକାର ରହିଛି ବୋଲି କହିଥିଲେ । ପୃଥିବୀର ସନ୍ତୁଳନ ରକ୍ଷା କରିବାରେ ପ୍ରାଣୀମାନଙ୍କର ଯଥେଷ୍ଟ ଅବଦାନ ରହିଛି । ପୃଥବୀର ସନ୍ତୁଳନ ରକ୍ଷା କରିବାରେ ପ୍ରାଣୀମାନଙ୍କର ଯେପରି ଭୂମିକା ରହିଛି, ମନୁଷ୍ୟମାନଙ୍କର ଅବଦାନ ମଧ୍ୟ ସେହିପରି ରହିଛି । ସମସ୍ତେ ସେମାନଙ୍କ ଖାଦ୍ୟପେୟ, ଚିକିତ୍ସା ଓ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେଲେ ବିଶ୍ୱ ପ୍ରାଣୀ ଦିବସର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେବ ବୋଲି ଡାକ୍ତର ପଟ୍ଟନାୟକ କହିଥିଲେ ।ଏହି ଅବସରରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ବିଭିନ୍ନ କ୍ଷେତ୍ରର ସଫଳ ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା । କ୍ୟାମ୍ପସ୍ ପରିସରରେ ପ୍ରାଣୀଙ୍କ ଚିକିତ୍ସା ନିମନ୍ତେ ଉତମ ମେଡିସିନ୍ ଠାରୁ ଆରମ୍ଭ କରି ସେମାନେ ଆବଶ୍ୟକ କରୁଥିବା ବିଭିନ୍ନ ପ୍ରକାର ସାମଗ୍ରୀ ଗୁଡିକର ଏକ ପ୍ରଦର୍ଶନୀ ମଧ୍ୟ କରାଯାଇଥିଲା ।  ଏହି ଅବସରରେ ଆଇଭିଏସ୍‌ଏଏଚ୍ ର ଅନେକ ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟି ମାନଙ୍କ ଦ୍ୱାରା କ୍ୟାମ୍ପସ୍ ପରିସରରୁ ଏକ ସଚେତନତା ରାଲି ଆରମ୍ଭ ହୋଇ ଏବଂ ସମ୍ ହସ୍ପିଟାଲଠାରେ ଶେଷ ହୋଇଥିଲା । ପ୍ରାଣୀଙ୍କ ସୁରକ୍ଷା ହିଁ ପ୍ରକୃତିର ସୁରକ୍ଷା ବୋଲି ଲୋକମାନଙ୍କ ପାଖରେ ଏହି ସଚେତନତା ବାର୍ତା ପହଂଚେଇବା ଏହି ରାଲି ର ଉଦ୍ଦେଶ୍ୟ ଥିଲା ।ଏହି ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌) ର ଆସୋସିଏଟ୍ ଡିନ୍ ଡାକ୍ତର ସୁଶାନ୍ତ କୁମାର ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଓଏଲ୍‌ଡିଏସ୍‌ର ସେକ୍ରେଟେରୀ ଡକ୍ଟର ବୀର କିଶୋର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସୋଆର ବିଭିନ୍ନ ଇନ୍‌ଷ୍ଟିଚ୍ୟୁଟ୍‌ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରକାର ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ପୋଷଣକୁ ଗୁରୁତ୍ୱ: ସମ୍ ରେ ସୁନୋ ୨.୦ ଆୟୋଜିତ….

ଭୁବନେଶ୍ୱର: ପୋଷଣର ଗୁରୁତ୍ୱ ଏବଂ ଖାଦ୍ୟ ଗ୍ରହଣ ପ୍ରକ୍ରିୟାକୁ ନେଇ ଗତ ଶନିବାର ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ଆୟୋଜିତ ହୋଇଥିବା ଦ୍ୱିତୀୟ ସମ୍ ଅଲ୍ଟିମେଟ ନ୍ୟାସ୍‌ନାଲ ନ୍ୟୁଟ୍ରିସନ୍ ଓରିଏନ୍‌ଟେସନ୍ (ସୁନୋ ୨.୦) କାର୍ଯ୍ୟକ୍ରମରେ ବିସ୍ତୃତ ଭାବେ ଆଲୋଚନା ହୋଇଯାଇଛି । ଏହି ଶୈକ୍ଷିକ କାର୍ଯ୍ୟକ୍ରମରେ ସାରା ଦେଶରୁ ୯ ଜଣ ବିଶେଷଜ୍ଞ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ ସମ୍ମମ୍‌ର ଚିଫ୍ ଏଗ୍‌ଜିକ୍ୟୁଟିଭ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ ଉଦ୍‌ଘାଟନ କରିଥିବା ବେଳେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପୋଷଣର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ । ଚଳିତ ବର୍ଷର ପ୍ରସଙ୍ଗ ‘କ୍ରିଟିକାଲ୍ ନ୍ୟୁଟ୍ରିସନ୍ ଇନ୍ ଆକ୍ସନ୍‌’ ହିଁ ସୂଚାଉଛି ଯେ ସୁସ୍ଥ ହେବା ନିମନ୍ତେ ପୋଷଣ କେତେ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ । ଗୁରୁତର ରୋଗୀଙ୍କ କ୍ଷେତ୍ରରେ ପୋଷଣର ଅନିୟମିତତାକୁ ଚିହ୍ନଟ କରିପାରିଲେ ରୋଗର ଜଟିଳତା କମି ଯାଇଥାଏ ଏବଂ ରୋଗୀ ଶୀଘ୍ର ସୁସ୍ଥ ହୋଇଥାଏ ବୋଲି ସେ କହିଥିଲେ । ଏହି କ୍ଷେତ୍ର ବେଶ ବ୍ୟାପକ । ପୋଷଣ କ୍ଷେତ୍ରରେ ଗବେଷଣାର ଆବଶ୍ୟକତା ରହିଛି ବୋଲି ଡକ୍ଟର ଦାଶ କହିଥିଲେ ।

ଏହି କାର୍ଯ୍ୟକ୍ରମକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ରୋଗୀମାନଙ୍କୁ ଅସାଧାରଣ ରୋଗୀ ସେବା ପ୍ରଦାନ କରିବା ନିମନ୍ତେ ଅତ୍ୟାଧୁନିକ ପୋଷଣ ଜନିତ ଜ୍ଞାନ ଆହରଣ କରିବାର ଆବଶ୍ୟକତା ରହିଥିବା ବେଳେ ସୁନୋ ୨.୦ ଭଳି କାର୍ଯ୍ୟକ୍ରମ ଏହି ଲକ୍ଷ୍ୟ ପୂରଣ ହେବାରେ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଫେସର ନାୟକ କହିଥିଲେ । କାର୍ଯ୍ୟକ୍ରମରେ ସମ୍ମମର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର, ମେଡିସିନ୍ ବିଭାଗର ସିନିୟର କନ୍‌ସଲଟାଂଟ ତଥା ସୁନୋର ଏକାଡେମିକ୍ ଆଡଭାଇଜର ଡାକ୍ତର ଶ୍ରୀକାନ୍ତ କୁମାର ଧର, ଡାଏଟିକ୍ସ ବିଭାଗର ମୁଖ୍ୟ ତଥା କାର୍ଯ୍ୟକ୍ରମର ଅର୍ଗାନାଇଜିଂ ସେକ୍ରେଟାରୀ ଶ୍ରୀମତି ସୁଶ୍ରୀ ସଂଗୀତା ଜେନା ବକ୍ତବ୍ୟ ରଖିଥିଲେ । ବ୍ରିଗେଡିୟର ମିଶ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ଡାଏଟିକ୍ସ କ୍ଷେତ୍ରର ବ୍ୟକ୍ତି ବିଶେଷ ବେଶ ଆଗ୍ରହର ସହ ଭାଗ ନେଇଥିବାରୁ ପ୍ରଶଂସା କରିବା ସହ ସମ୍ମମର ଡାଏଟିକ୍ସ ଟିମ୍ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଅନେକ ସହଯୋଗ କରୁଥିବା ପ୍ରକାଶ କରିଥିଲେ । ଡାକ୍ତର ଧର କହିଥିଲେ ଯେ ଶିଶୁଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ପୋଷଣ କ୍ଷେତ୍ରରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଶ୍ରୀମତି ଜେନା କହିଥିଲେ ଯେ ଭବିଷ୍ୟତରେ ପୋଷଣ ସମ୍ପର୍କିତ ଏକ ଆନ୍ତର୍ଜାତିକ କର୍ମଶାଳା ଆୟୋଜନ କରାଯିବାର ଯୋଜନା ରହିଛି ।କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ କିଡସ ହସ୍ପିଟାଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡାକ୍ତର ଆଲୋକ କାନୁନ୍‌ଗୋ, ହାଇଦ୍ରାବାଦ ସ୍ଥିତ ଏଆଇଜି ହସ୍ପିଟାଲ୍‌ର ଲିଡ୍ କ୍ଲିନିକାଲ୍ ଡାଏଟିସିଆନ୍ ଡାକ୍ତର ରାଧା ରେଡ୍ଡୀ ଚଢ଼ା, କ୍ୟାପିଟାଲ ହସ୍ପିଟାଲର ପୂର୍ବତନ ଚିଫ୍ ମେଡିକାଲ ଅଫିସର ତଥା ଶିଶୁରୋଗ ବିଭାଗର ମୁଖ୍ୟ ଡାକ୍ତର ଶଶିକାନ୍ତ ମିଶ୍ର, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ର ମାନସିକ ରୋଗ ପିଜି ବିଭାଗର ପ୍ରଫେସର (ଡାକ୍ତର) ଶୁଭେନ୍ଦୁ ନାରାୟଣ ମିଶ୍ର, ସମ୍ମମ୍‌ର ଜେରିଆଟ୍ରିକ୍ ମେଡିସିନ୍ ବିଭାଗର କନ୍‌ସଲଟାଂଟ ଡାକ୍ତର ପୁର୍ଣ୍ଣ ଚନ୍ଦ୍ର ଦାସ, କିମ୍ସର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ଶ୍ୱେତା ପରିଡ଼ା ଏବଂ କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ଡାକ୍ତର ଆଲିଶା ଚୌଧୁରୀ ବକ୍ତବ୍ୟ ରଖିଥିଲେ ।

ନବୀନ ରାଜ୍ୟର ସର୍ବାଧିକ ଲୋକପ୍ରିୟ ନେତା….

() ଜନତା ଦଳର ଉପଦେଷ୍ଟା କମିଟିର ବୈଠକ ଦଳର ବରିଷ୍ଠ ନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧକ୍ଷତାରେ ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଯୋଗଦେଇ ଦଳର ବରିଷ୍ଠ ନେତା ତଥା ଉପଦେଷ୍ଟା କମିଟିର ସଦସ୍ୟମାନେ କହିଥିଲେ ଯେ, ବିଜୁ ଜନତା ଦଳ ଗତ ନିର୍ବାଚନରେ କ୍ଷମତାଚ୍ୟୁତ ହୋଇଥିଲେ ହେଁ, ବିଭିନ୍ନ ଦଳ ପାଇଥିବା ଭୋଟ ସଂଖ୍ୟା ହିସାବରେ, ଏବେବି ରାଜ୍ୟର ଏକ ନମ୍ବର ଦଳ ହୋଇ ରହିଛି । ତାଛଡା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବେବି ଓଡିଶାବାସୀଙ୍କ ସବୁଠାରୁ ଅଧିକ ପସନ୍ଦ ନେତାର ମାନ୍ୟତା ବଜାୟ ରଖୁଛନ୍ତି । ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରାଜ୍ୟରେ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମକୁ ବିପୁଳ ଜନ ସମର୍ଥନ ଦେଖୁବାକୁ ମିଳୁଛି। ବର୍ତ୍ତମାନର ବିଜେପି ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ବିଫଳତା ଜନ ସାଧାରଣଙ୍କ ପାଖରେ ପହଁଚିଛି। ବିଜେପି ଦ୍ଵାରା ନିର୍ବାଚନ ସମୟରେ ଦିଆଯାଇଥିବା ବିଭିନ୍ନ ମିଥ୍ୟା ପ୍ରତିଶ୍ରୁତି ମଧ୍ୟ ଜନସାଧାରଣ ଜାଣିଲେଣି। ବିଜେପିର ମିଛ ପ୍ରତିଶ୍ରୁତିକୁ ଲୋକଙ୍କ ନିକଟରେ ସଚେତନ କରିବା ସଙ୍ଗେ ସଙ୍ଗେ ନବୀନଙ୍କ ଲୋକପ୍ରିୟତାକୁ ପାଥେୟ କରି ବିଜୁ ଜନତା ଦଳ ତାର କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବ ବୋଲି ବୈଠକରେ ସ୍ଥିର ହୋଇଥିଲା।

ଏହି ବୈଠକରେ ଉପସ୍ଥିତ ଥିବା ବିଜେଡି ସମନ୍ବୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଦଳ ତରଫରୁ ବିଭିନ୍ନ ପ୍ରସଙ୍ଗ ଉପରେ ନିଆଯାଇଥିବା ପଦକ୍ଷେପ ଗୁଡିକ ଉପରେ ଆଲୋକପାତ କରିଥିଲେ। ସେହିପରି କାର୍ଯ୍ୟକ୍ରମ ରୂପାନ୍ତରୀଣ କମିଟିର ଆବାହକ ଶ୍ରୀ ସଞ୍ଜୟ ଦାସବର୍ମା ଓ ସଭ୍ୟ ସଂଗ୍ରହ ଅଭିଯାନ କମିଟିର ଆବାହକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ସେମାନଙ୍କର କାର୍ଯ୍ୟସୂଚୀ ଉପରେ ଆଲୋକପାତ କରିଥିଲେ । ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡଃ ଲେନିନ୍ ମହାନ୍ତି ଦଳର ମିଡ଼ିଆ ଟିମ୍ ଦ୍ଵାରା ବିଭିନ୍ନ ପ୍ରସଙ୍ଗରେ ନିଆଯାଉଥିବା

ବିଭିନ୍ନ ପଦକ୍ଷେପ ଉପରେ ସୂଚନା ଦେଇଥିଲେ। ଏହି ବୈଠକରେ, ଉପଦେଷ୍ଟା କମିଟିର ସଦସ୍ୟମାନେ ଯଥା, ଶ୍ରୀମତୀ ଉଷା ଦେବୀ, ଶ୍ରୀ ପ୍ରଫୁଲ୍ଲ ସାମଲ, ଶ୍ରୀ ଚନ୍ଦ୍ର ଶେଖର ସାହୁ, ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଶ୍ରୀ ପଦ୍ମନାଭ ବେହେରା, ଶ୍ରୀ ବଦ୍ରି ନାରାୟଣ ପାତ୍ର, ଶ୍ରୀ ଭୂପିନ୍ଦର ସିଂ, ଶ୍ରୀ ମଙ୍ଗଳା କିସାନ, ଶ୍ରୀ ରବି ନାରାୟଣ ନନ୍ଦ, ଆୟୁବ ଖାନ, ଶ୍ରୀ ଶଶୀ ଭୂଷଣ ବେହେରା, ଶ୍ରୀମତୀ ସରୋଜିନୀ ହେମ୍ବ୍ରମ, ଶ୍ରୀ ରଜନୀ କାନ୍ତ ସିଂ, ଶ୍ରୀ ଗଣେଶ୍ଵର ବେହେରା ଇତ୍ୟାଦି ଯୋଗଦେଇ ନିଜର ମତ ରଖୁଥିଲେ।

ଦୌଡୁଛି ବିଜେପି, ଉଠିଛି ବିଜେଡି, ଶୋଇଛି କଂଗ୍ରେସ

୨୦୨୪ ସାଧାରଣ ନିର୍ବାଚନ ୩ ମାସ ପରେ ରାଜ୍ୟ ରାଜନୀତି ଚିତ୍ରପଟ ବଦଳିଛି l ୨୪ ବର୍ଷରେ ପରେ ବିଜେଡି ହାତରୁ କ୍ଷମତା ଯାଇଛି l ବିଜେପି ପ୍ରଥମ ଥର ଲାଗି ଏକାକୀ ଓଡ଼ିଶାରେ ସରକାର ଗଠନ କରିଛି l କଂଗ୍ରେସର ଭୋଟ ପ୍ରତିଶତ କମିଥିଲେ ମଧ୍ୟ ଦଳର ବିଧାୟକ ସଂଖ୍ୟା ବଢ଼ିଛି l ନିର୍ବାଚନ ୩ ମାସ ପରେ ବିଜେଡି ଓ ବିଜେପି ମଧ୍ୟରେ ଥିବା ସମ୍ପର୍କ ଟିକେ ଫିକା ପଡ଼ିଥିବା ବେଳେ କଂଗ୍ରେସ ଓ ବିଜେଡି ସମ୍ପର୍କ ଆଗକୁ କଣ ହେବ ତାକୁ ନେଇ ବି ଚର୍ଚ୍ଚା କିଛି କମ ନୁହେଁ l ବିଜେପି ଓଡ଼ିଶାରେ ଶାସନ କରୁଥିଲେ ମଧ୍ୟ ନବୀନ ପଟ୍ଟନାୟକଙ୍କ ପ୍ରତି ଓଡ଼ିଶାବାସୀଙ୍କ ଭଲ ପାଇବା ଅତୁଟ ରହିଛି l ବିରୋଧୀ ଦଳରେ ରହି ମଧ୍ୟ ବିଜେଡ଼ି ପାଇଁ ଏହା ବଡ ପୁଞ୍ଚି ସାଜିଛି l ଅନ୍ୟପଟେ ମୋହନ ସରକାର ବି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଉଦ୍ୟମ ଜାରି ରଖିଛି l ସଶକ୍ତ ବିରୋଧୀ ଦଳ ଭାବେ ବିଜେଡି ବିଭିନ୍ନ ପ୍ରସଙ୍ଗ ଉଠାଇ ଶାସକ ବିଜେପିକୁ କଡା ସମାଲୋଚନା କରୁଥିବା ବେଳେ ବିଜେଡିର ୨୪ ବର୍ଷ ଶାସନକୁ ସବୁ ପ୍ରସଂଗରେ ବଡ ଅସ୍ତ୍ର କରିଛି ଶାସକ ବିଜେପି l ଯାହାକୁ ନେଇ ବିଜେଡି ଓ ବିଜେପିର ଆକ୍ଷେପ ଓ ପ୍ରତି ଆକ୍ଷେପ ରାଜନୀତି ୫୦/୫୦ ରହିଛି l ଏହାରୀ ଭିତରେ ବିଜେଡି ଓ ବିଜେପି ୧କୋଟି ନୂଆ ସଭ୍ୟ ଦଳରେ ସାମିଲ୍ କରିବାକୁ ଅଣ୍ଟା ଭିଡିଛନ୍ତି l

ଅନ୍ୟପଟେ ୨୪ ବର୍ଷ ଧରି କ୍ଷମତା ବାହାରେ ଥିବା କଂଗ୍ରେସ ୧୦ ବର୍ଷ ହେବ ରାଜ୍ୟରେ ତୃତୀୟ ସ୍ଥାନରେ ରହିଛି l ଦଳର ଭୋଟ ହାର ୧୩ ପ୍ରତିଶତରେ ପହଂଚିଛି l କିନ୍ତୁ ବଡ଼ କଥା ହେଉଛି ୨୦୨୪ ନିର୍ବାଚନ ଫଳାଫଳର ୭୫ ଦିନ ପରେ ମଧ୍ୟ ବିନା ମୁଖିଆରେ ରାଜ୍ୟରେ କଂଗ୍ରେସ ଚାଲିଛି l ଯାହା କଂଗ୍ରେସ ଇତିହାସରେ ପ୍ରଥମ ଘଟଣା l ଦଳ ବାରମ୍ୱାର ନିର୍ବାଚନରେ ପରାଜୟ କରିବା ପରେ କର୍ମୀମାନେ ତୃଣମୂଳ ସ୍ତରରେ ବିନା ମୁଖିଆରେ ଦଳର ଭବିଷ୍ୟତ ପାଇଁ ଚିନ୍ତାରେ ଅଛନ୍ତି l ଓଡ଼ିଶାରେ କଂଗ୍ରେସ ସଂଗଠନ ମୁଖିଆ ବିନା ଯେମିତି ପୁରା ଶୋଇପଡ଼ିଛି l

ଗୋଟେପଟେ ଶହେ ଦିନର ମୋହନ ସରକାର ସଫଳତା ପର୍ବ ପାଳନ କରୁଥିବା ବେଳେ ବିଜେଡି ୨୪ ବର୍ଷର ବିକଶିତ ଓଡ଼ିଶାର ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ ଅଣ୍ଟା ଭିଡ଼ିଛି l କଂଗ୍ରେସ କିନ୍ତୁ ବିଜେଡି ଓ ବିଜେପି ସହ ଲଢିବ କଣ ନିଜେ ରାଜନୀତିର ନିଦରେ ଶୋଇ ପଡ଼ିଛି l ଉଭୟ ବିଜେଡି ଓ ବିଜେପିରେ ଗୋଷ୍ଠୀ କନ୍ଦଳ ଦିନକୁ ଦିନ ପଦାକୁ ଆସୁଥିବା ବେଳେ ହାତ ଦଳ କିନ୍ତୁ ଚୌକି ଚିନ୍ତାରେ ଘାଣ୍ଟି ହେଉଛି l

ୟୁଥ୍ ଏକ୍ସଚେଞ୍ଜ ପ୍ରୋଗ୍ରାମ ମାଧ୍ୟମରେ କିର୍ଗିଜ୍ ରିପବ୍ଲିକ୍ ବୁଲିଲେ ସୋଆ ଏନ୍‌ସିସି କ୍ୟାଡେଟ 

ଭୁବନେଶ୍ୱର : ୟୁଥ୍ ଏକ୍ସଚେଞ୍ଜ ପ୍ରୋଗ୍ରାମ (ୱାଇପି) ମାଧ୍ୟମରେ ଏନ୍‌ସିସି ପ୍ରତିନିଧି ଦଳରେ ସାମିଲ ହୋଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଛାତ୍ର ଅଭିନାଶ ନନ୍ଦ କିର୍ଗିଜ୍ ରିପବ୍ଲିକ୍ ବୁଲିବା ସହ ଅନେକ ଅନୁଭୂତି ସାଉଁଟି ଭାରତ ଫେରିଛନ୍ତି । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର କମ୍ପ୍ୟୁଟର ସାଇନ୍‌ସ ବିଭାଗର ଛାତ୍ର ଅଭିନାଶ ଭାରତ କିର୍ଗିଜ୍ ସମ୍ପର୍କ ଓ ଶୈକ୍ଷିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଏକ ସପ୍ତାହବ୍ୟାପୀ ସେଠାରେ ବୁଲିବା ପରେ ସେପ୍ଟେମ୍ବର ୩୦ ତାରିଖରେ ଭାରତ ଫେରିଛନ୍ତି । ଭାରତୀୟ ଏନ୍‌ସିସି ପ୍ରତିନିଧି ଦଳର ୫ ଜଣିଆ ସଦସ୍ୟଙ୍କ ସହ ଅଭିନାଶ ସାମିଲ ହୋଇଥିବା ବେଳେ ସେପ୍ଟେମ୍ବର ୨୪ ତାରିଖରେ ବିସ୍କେକ୍ ପହଂଚିଥିଲେ ।

ସେଠାରୁ ଫେରିବା ପରେ ଅଭିନାଶ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଭେଟି ନିଜ ଅନୁଭୂତି ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ । ଏହି ପ୍ରତିନିଧି ଦଳ ସଂପୃକ୍ତ ଦେଶର ପ୍ରତିନିଧିଙ୍କ ସହ ଶିକ୍ଷା, ପ୍ରତିରକ୍ଷା ଓ ପର୍ଯ୍ୟଟନ ସମ୍ପର୍କରେ ଆଲୋଚନା କରିଥିଲେ । ସେମାନେ ବିସ୍କେକ୍‌ରେ ଅବସ୍ଥିତ ମିଲିଟାରୀ ଇନ୍‌ଷ୍ଟିଚ୍ୟୁଟ୍‌ର ପାସିଂ ଆଉଟ୍ ପରେଡ୍‌ରେ ଭାଗ ନେବା ସହ ଭାରତୀୟ ଦୂତାବାସ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news