ସୋଆ କ୍ୟାମ୍ପସ୍‌ରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ “ମେରୀ ଲାଇଫ୍‌” ଆୟୋଜିତ…

() ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ୪ ଓ କ୍ୟାମ୍ପସ ୫ ରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ “ମେରି ଲାଇଫ୍‌” ଆୟୋଜିତ ହୋଇଯାଇଛି । ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଅଫ୍ ଟେକ୍ନିକାଲ୍‌ ଏଜୁକେସନ୍ (ଏଆଇସିଟିଇ)ର ନିର୍ଦ୍ଦେଶ କ୍ରମେ ଓ “ଆଜାଦୀ କା ଅମୃତ ମହୋତ୍ସବ” ପରିପ୍ରେକ୍ଷୀରେ ତଥା “ମେରି ମାଟି ମେରାଦେଶ” କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଦୁଇଟି କ୍ୟାମ୍ପସ୍‌ରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ‘ୱାନ୍ ଷ୍ଟୁଡେଂଟ, ୱାନ୍ ଟ୍ରି’ ଆୟୋଜିତ ହୋଇଥିଲା ।

ସୋଆ ଗ୍ରୀନ୍ କ୍ଲବ୍ ଓ ସିଟି ଫରେଷ୍ଟ ଡିଭିଜନ୍‌ର ମିଳିତ ସହଯୋଗରେ କ୍ୟାମ୍ପସ ୫ର ଷ୍ଟାଡିୟମ୍ ଓ କ୍ୟାମ୍ପସ ୪ରେ ବିଭିନ୍ନ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଇନ୍‌ଷ୍ଟିୁଚ୍ୟଟ୍ ଅଫ୍‌ଡେଂଟାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ନୀତା ମହାନ୍ତି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଡିନ୍‌ପ୍ରଫେସର ସନ୍ତୋଷ କୁମାର ରାଉତ, ମୁଖ୍ୟ ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ , ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ, ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌)ର ଡିନ୍ ପ୍ରଫେସର ଏସ୍‌.ଏ.କେ.ଆଜାଦ, ସିନିୟର ପ୍ରଫେସରପ୍ରବୀର କୁମାର ପ…ନାୟକ, ପ୍ରଫେସର ମଧୁସୁଦନ ଦାସ, ଫ୍ୟାକଲ୍ଟି, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

ଆଇସିଏଆଇ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସମ୍ବର୍ଦ୍ଧନା….

() ଦ ଇନ୍‌୍‌ଷ୍ଟିୁଚ୍ୟୁଟ୍ ଅଫ୍ ଚାର୍ଟାଡ ଆକାଉନ୍‌ଟାଂଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ)ର ଇଷ୍ଟର୍ନ ଇଣ୍ଡିଆ ରିଜିଓନାଲ୍ କାଉନ୍‌ସିଲ୍ (ଇଆଇଆର୍‌ସି) ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଶନିବାର ଏଠାରେ ସମ୍ବର୍ଦ୍ଧିତ କରାଯାଇଛି । ଗତ ଅଗଷ୍ଟ ୧୭ ତାରିଖ ଦିନ ସୋଆ ପ୍ରେକ୍ଷାଳୟ ଠାରେ ଆଇସିଏଆଇ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଜାତୀୟ ଚାର୍ଟାଡ ଆକାଉନ୍‌ଟାଂଟସ୍ ମାନଙ୍କର ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତି ନିର୍ମଳା ସୀତାରମଣ ମୁଖ୍ୟ ଅତିଥି ଭାବେ ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସମ୍ମିଳନୀକୁ ସଫଳ କରିବା ପାଇଁ ପ୍ରଫେସର ନାୟକ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ତେଣୁ ଆଇସିଏଆଇ ପକ୍ଷରୁ କୃତଜ୍ଞତା ପୂର୍ବକ ସଂଘର ବରିଷ୍ଠ କାର୍ଯ୍ୟକର୍ତା ପ୍ରଫେସର (ଡ) ନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ଆଇସିଏଆଇ ଅନ୍ତର୍ଗତ ଇଆଇଆର୍‌ସିର ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ସାହୁ, ଉପାଧ୍ୟକ୍ଷ ଶ୍ରୀ ଗଗନ ବିହାରୀ ଦାସ, ସଂପାଦକ ଶ୍ରୀ ମହେନ୍ଦ୍ର କୁମାର ସାହୁ, ବରିଷ୍ଠ ସଦସ୍ୟ ତଥା ସୋଆର ଚାର୍ଟାଡ ଆକାଉନ୍‌ଟାଂଟ ଶ୍ରୀ ସରୋଜକାନ୍ତ ସାମଲ, ସଦସ୍ୟ ଶ୍ରୀମତି ଜାହ୍ନବୀ ଦେଓ ଓ ଜାତୀୟ ସିଏ ସମ୍ମିଳନୀର ଅର୍ଥନୈତିକ କମିଟିର ସହ-ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ ଜେନା ସୋଆ ମୁଖ୍ୟ କାର୍ଯ୍ୟାଳୟରେ ପ୍ରଫେସର ନାୟକଙ୍କୁ ସାକ୍ଷାତ କରି ସମ୍ବର୍ଦ୍ଧିତ କରିଥିଲେ ।

ସମ୍ ହସ୍ପିଟାଲ୍ ପକ୍ଷରୁ “ବିଶ୍ୱ ଅଲ୍‌ଜାଇମର ଦିବସ” ଅବସରରେ ୱାକାଥନ୍ ଆୟୋଜିତ…

() ବିଶ୍ୱ ଅଲ୍‌ଜାଇମର ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମାନସିକ ରୋଗ ବିଭାଗ ପକ୍ଷରୁ ଗୁରୁବାର ଏକ ୱାକାଥନ୍ ଆୟୋଜିତ ହୋଇଯାଇଛି । ଗୁରୁବାର ସକାଳେ ସମ୍ ହସ୍ପିଟାଲ୍‌ର ବ୍ଲଡ ବ୍ୟାଙ୍କ ସମ୍ମୁଖରୁ ଏହି ୱାକାଥନ ଆରମ୍ଭ ହୋଇ ମୁଖ୍ୟ ଦ୍ୱାରରେ ଶେଷ ହୋଇଥିଲା ।

ଚଳିତ ବର୍ଷ ବିଶ୍ୱ ଅଲ୍‌ଜାଇମର ଦିବସର ଥିମ୍ ରହିଛି “ ନେଭର ଠୁ ଅର୍ଲି , ନେଭର ଠୁ ଲେଟ୍‌” ଅର୍ଥାତ୍ କେବେବି ଆଗୁଆ ନୁହେଁ କିମ୍ବା କେବେ ଅତି ବିଳମ୍ବ ନୁହେଁ । ଏହି ଥିମ୍‌ର ସଚେତନତା ବାର୍ତା ଲୋକଙ୍କ ନିକଟରେ ପହଂଚାଇବା ନେଇ ୱାକାଥନର ଆୟୋଜନ କରାଯାଇଥିଲା । ଏହି ସମସ୍ୟାରେ ଥିବା ବିପଦ, ଚିକିତ୍ସାରେ ବିଳମ୍ବ ଏବଂ ରୋଗକୁ ଆଗକୁ ଅଧିକ ବଢ଼ିବାକୁ ନ ଦେବାର ଲକ୍ଷ୍ୟ ନେଇ ଏହି ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ।

ଏହି ୱାକାଥନରେ ମାନସିକ ରୋଗ ବିଭାଗର ମୁଖ୍ୟ ପ୍ରଫେସର ସୁରଜିତ ସାହୁ, ପ୍ରଫେସର ଶୁଭେନ୍ଦୁ ନାରାୟଣ ମିଶ୍ର ଓ ଆସୋସିଏଟ୍ ପ୍ରଫେସର ଲଗ୍ନଜିତ ଦାଶ ସମେତ ଅନ୍ୟାନ୍ୟ ଫ୍ୟାକଲ୍ଟି ମେମ୍ବର୍ସ, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ ।

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଢେଙ୍କାନାଳ ସହର…

() ଢେଙ୍କାନାଳ ସହରରେ ବଡ ଆଡମ୍ଭର ସହକାରେ ବିଘ୍ନରାଜ ଗଜାନନଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।ଗଣେଶ ପୂଜା ଠାରୁ ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ଆଜି ସହରର ବିଭିନ୍ନ କ୍ଲବ୍ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଗଣେଶ ପୂଜା ଅତି ଧୁମଧାମ ର ସହ ଅନୁଷ୍ଠିତ ହୋଇଯାଇଛି। ପୂଜା ଟିକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲାପ୍ରଶାସନ ପୂର୍ବରୁ ପ୍ରସ୍ତୁତି ବୈଠକରେ ସହରର ବିଭିନ୍ନ ପୂଜା କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ।

ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ନିର୍ଦ୍ଦେଶ କ୍ରମେ ସମସ୍ତ ପୂଜା କମିଟି କର୍ମକର୍ତ୍ତା ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କୁ ମାନି ପୂଜା ଓ ଶାନ୍ତି ଶୃଙ୍ଖଳା କୁ ଗୁରୁତ୍ଵ ଦେଇଥିବା କହିଛନ୍ତି। ଚଳିତବର୍ଷ ଢେଙ୍କାନାଳ ସହରର ୩୮ ମଣ୍ଡପରେ ବିଘ୍ନ ବିନାଶକଙ୍କ ପୂଜା ଅନୁଷ୍ଠିତ ହୋଇଛି।ଦୀର୍ଘ 30 ବର୍ଷ ଧରି ବସଷ୍ଟାଣ୍ଡ ରେ ଥିବା ଅମ୍ଲପଡା ପୂଜାକମିଟି ଗଣେଶ ପୂଜା ଆୟୋଜନ କରିଆସୁଥିବା ବଳେ ଚଳିତ ବର୍ଷ ମଧ୍ୟ ବେଶ୍ ଧୁମ୍ ଧାମରେ ବିଘ୍ନ ବିନାଶକଙ୍କ ପୂଜା ଅନୁଷ୍ଠିତ ହୋଇ ଯାଇଛି। କିମିଟି ର ସଭାପତି ଶ୍ରୀଯୁକ୍ତ ଦେଵୀ ପ୍ରସାଦ ମିଶ୍ର , ସମ୍ପାଦକ ଶିବାଶିଷ ମାନସିଂହ ଓ ତାଙ୍କ କମିଟି ର ସଦସ୍ୟ ମାନେ ମିଳିମିଶି ପୂଜା ଟିକୁ ସମ୍ପନ୍ନ କରିଛନ୍ତି।

‘ରାଜ୍ୟ ଯୋଜନା’ରେ ପାନ ଚାଷକୁ ମିଳିବ ସ୍ବତନ୍ତ୍ର ଆର୍ଥିକ ସହାୟତା

() ପାନବରଜ ଚାଷୀ ଓ କିଆଫୁଲ ଚାଷୀଙ୍କ ପାଇଁ ଖୁସି ଖବର,

ପାନ ଚାଷକୁ ‘ରାଜ୍ୟ ଯୋଜନା’ରେ ମିଳିବ ସ୍ବତନ୍ତ୍ର ଆର୍ଥିକ ସହାୟତା ।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଉଭୟ ଚାଷର,

ପ୍ରକ୍ରିୟାକରଣ ୟୁନିଟ ପାଇଁ ମିଳିବ ସହାୟତା।

ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ କିଆଫୁଲ ଚାଷକୁ ଦିଆଯିବ ସହାୟତା।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ପୁରୀ ଓ ଗଞ୍ଜାମ ଗସ୍ତ ସମୟରେ ସ୍ଥାନୀୟ ପାନବରଜ ଚାଷୀ ଓ କିଆ ଫୁଲ ଚାଷୀ ମାନଙ୍କ ପକ୍ଷରୁ ବିଭିନ୍ନ ଅସୁବିଧା ସଂପର୍କରେ ଅନେକ ଆପତ୍ତି ଅଭିଯୋଗ ଆସିଥିଲା । ସେ ସବୁର ସମାଧାନ ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ସହିତ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଶ୍ରୀ ଅରବିନ୍ଦ ପାଢୀ, ସମବାୟ ବିଭାଗର ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକର ନିଷ୍ପତ୍ତି ଅନୁଯାୟୀ ସବୁ ପାନ ଚାଷୀ ମାନଙ୍କୁ ରାଜ୍ୟ ଯୋଜନାର ସ୍ବତନ୍ତ୍ର ଫଳଭିତ୍ତିକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଅତି କମ୍‌ରେ ୨୦୦ ବର୍ଗମିଟର ପରିଧିର ପାନ ବରଜ ଥିବା ଚାଷୀ ମାନେ ସହାୟତା ପାଇଁ ଯୋଗ୍ୟ ବିବେଚିତ ହେବେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏଥିପାଇଁ ସ୍ବତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରିବ ।

ପାନ ବରଜ ଥିବା ଚାଷୀ ମାନଙ୍କୁ ଏହାର ପରିଚାଳନା ପାଇଁ ୟୁନିଟ ପିଚ୍ଛା ୨୫୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ। ଜଣେ ଚାଷୀକୁ ସର୍ବାଧିକ ଦୁଇଟି ୟୁନିଟ ପାଇଁ ସହାୟତା ମିଳିବ। ପାନ ଚାଷ ପାଇଁ କିଶାନ କ୍ରେଡିଟ କାର୍ଡ ଜରିଆରେ ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ।ପାନ ପତ୍ର ବ୍ୟବସାୟରେ ଜି.ଏସ୍‌.ଟି ଲାଗୁ ସଂପର୍କରେ ଜିଏସଟି କମିଶନରଙ୍କୁ ଠାରୁ ସ୍ପଷ୍ଟୀକରଣ ମଗାଯିବା ସହିତ ଏହା ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ । ପାନ ପତ୍ର ପ୍ରକ୍ରିୟାକରଣ ୟୁନିଟ ଗୁଡିକୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସବ୍‌ସିଡି ଯୋଗାଇ ଦିଆଯିବ। ଏଥିପାଇଁ ଆପିକଲ୍‌ ପକ୍ଷରୁ ଏକ ଡି.ପି.ଆର ପ୍ରସ୍ତୁତ କରାଯିବ।

ସେହିପରି ଗଞ୍ଜାମର କିଆଫୁଲ ଚାଷୀ ମାନଙ୍କୁ ମଧ୍ୟ ଜାତୀୟ ଉଦ୍ୟାନ କୃଷି ଅଧୀନରେ ପ୍ରୋତ୍ସାହନ ଦିଆଯିବ। ଉଦ୍ୟାନ କୃଷି ମିଶନର ସହାୟତା ସହିତ ରାଜ୍ୟ ବଜେଟରୁ କିଆଫୁଲ ଚାଷ ପାଇଁ ଅତିରିକ୍ତ ସହାୟତା ମଧ୍ୟ ଦିଆଯିବ। କିଆଫୁଲ ଚାଷ ସ୍ଥାନ ଗୁଡିକର scientific mapping କରାଯାଇ ଏହି ସହାୟତା ଦିଆଯିବ। ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗସ୍ତ ହୋଇଥିବା କିଆଫୁଲ ଫସଲ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ରିପୋର୍ଟ ଭିତ୍ତିରେ ସହାୟତା ଦିଆଯିବ। ଏଥିପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଗଞ୍ଜାମ ଜିଲ୍ଲାପାଳ ମିଳିତ ଭାବେ modality ପ୍ରସ୍ତୁତ କରିବେ ।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କିଆଫୁଲ ପ୍ରକ୍ରିୟାକରଣ ୟୁନିଟକୁ ସାମିଲ କରିବା ପାଇଁ ଯୋଜନାର ନିୟମାବଳୀରେ ଆବଶ୍ୟକ ପରିବର୍ତ୍ତନ କରାଯିବ। ଗଞ୍ଜାମ ଜିଲ୍ଲାରେ କିଆଫୁଲ ଚାଷକୁ ପ୍ରୋତ୍ସାହିତ କରିବାକୁ ବୈଷୟିକ ସହାୟତା ଯୋଗାଇ ଦେବା ପାଇଁ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ କିମ୍ବା ଅନ୍ୟ କୌଣସି ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନର ସହାୟତା ନିଆଯିବ ବୋଲି ନିଷ୍ପତ୍ତି ହୋଇଛି.

ପରଲୋକରେ ନବୀନଙ୍କ ବଡ ଭଉଣୀ ଗୀତା ମେହେଟ୍ଟା…..

() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ଅନ୍ତର୍ଜାତୀୟ ସ୍ତରର ଲେଖିକା ଗୀତା ମେହେଟ୍ଟାଙ୍କ ୮୦ ବୟସରେ ପରଲୋକ। ଶନିବାର ନୂଆଦିଲ୍ଲୀସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ପରଲୋକରେ ସବୁଠି ଶୋକର ଛାୟା ଖେଳି ଯାଇଛି l ଗୀତା ମେହେଟ୍ଟା ହେଉଛନ୍ତି ବିଜୁ ପଟ୍ଟନାୟକଙ୍କ ଏକମାତ୍ର ଝିଅ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ । ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା ଅନେକ ପୁସ୍ତକ ରଚନା କରି ପ୍ରସିଦ୍ଧି ଅର୍ଜନ କରିଥିଲେ। ୨୦୧୯ରେ ପଦ୍ମ ପୁରସ୍କାର ପାଇଁ ସେ ମନୋନୀତ ହୋଇଥିଲେ । କିନ୍ତୁ ତାହାକୁ ପ୍ରତ୍ୟାଖ୍ୟାନ କରି ସେ ପୁରା ଦେଶରେ ଚର୍ଚ୍ଚାକୁ ଆସିଥିଲେ ।

ଗୀତା ମେହେଟ୍ଟା ଇଂଲଣ୍ଡ, ୟୁରୋପ ଏବଂ ଆମେରିକା ପାଇଁ ୧୪ଟି ଦୂରଦର୍ଶନ ପ୍ରାମାଣିକ ଚଳଚ୍ଚିତ୍ରର ନିର୍ମାଣ କରିଥିଲେ । ୧୯୭୦-୧୯୭୧ ମସିହା ମଧ୍ୟରେ ସେ ଆମେରିକା ଦୂରଦର୍ଶନ ଏନ ବି ସି ପାଇଁ ଯୁଦ୍ଧ ସମ୍ବାଦଦାତା ଭାବରେ କାର୍ଯ୍ୟ କରିଥିଲେ । ତାଙ୍କର ଚଳଚ୍ଚିତ୍ର ‘କମ୍ପାଇଲେସନ ଅଫ ଦି ବାଙ୍ଗଲାଦେଶ ରିଭୋଲୁସନ, ଡେଡଲାଇନ ବାଙ୍ଗଲାଦେଶ, ଉଭୟ ଭାରତ ଏବଂ ବିଦେଶର ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିଲା । ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତ କରି ଭଉଣୀଙ୍କୁ ଶେଷ ଦର୍ଶନ କରୁଛନ୍ତି l ଗୀତା ମେହେଟ୍ଟା ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଠାରୁ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନେ ଶୋକ ପ୍ରକାଶ କରିଛନ୍ତି l

ରାଜ୍ୟରେ ଆରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’

() ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମା’, କିଶୋରୀ ଝିଅ ଓ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଥିଲେ।

ଏହି ଯୋଜନାରେ ସାରା ରାଜ୍ୟରେ ୧୫ ରୁ ୧୯ ବର୍ଷ ବୟସର ସମସ୍ତ କିଶୋରୀ ବାଳିକାମାନଙ୍କୁ ପୁଷ୍ଟି ସହାୟତା ସହିତ ଗର୍ଭବତୀ ମହିଳା ଓ ପ୍ରସୂତୀ ମା’ମାନଙ୍କ ପାଇଁ ଅଧିକ ଶୁଖିଲା ଖାଦ୍ୟର ବ୍ୟବସ୍ଥା, ଅତିଶୟ ପୁଷ୍ଟିହୀନ ପିଲାମାନଙ୍କ ପାଇଁ ସମ୍ପୂର୍ଣ୍ଣ ଆହାର, ମଧ୍ୟମ ପୁଷ୍ଟିହୀନ ପିଲା ଏବଂ ଅତିଶୟ କମ୍ ଓଜନର ପିଲାମାନଙ୍କ ପାଇଁ ଭିଟାମିନ୍‌ଯୁକ୍ତ ଛତୁଆ ଓ ଅଣ୍ଡା ପ୍ରଦାନର ବ୍ୟବସ୍ଥା ରହିଛି। ‘ପଡା ପୁଷ୍ଟି’ ଯୋଜନାରେ ଦୁର୍ଗମ ତଥା ଆଦିବାସୀ ଅଞ୍ଚଳର ପିଲାମାନଙ୍କୁ ସେମାନଙ୍କ ପଡା ତଥା ଗ୍ରାମରେ ଉତ୍ତମ ରନ୍ଧା ଖାଦ୍ୟ ଯୋଗାଇଦିଆଯିବ।

ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ପୁଷ୍ଟି ସହିତ ସମୃଦ୍ଧିର ଗଭୀର ସମ୍ପର୍କ ରହିଛି। ତେଣୁ ପୁଷ୍ଟିର ଉନ୍ନତି ଜରିଆରେ ଆମେ ବିକାଶର ଲକ୍ଷ୍ୟ ପୂରଣ କରିପାରିବା। ପରିବାରକୁ ଉପଯୁକ୍ତ ପୁଷ୍ଟି କେବଳ ମା’ ହିଁ ଦେଇ ପାରିବ। ତେଣୁ ଏହି କାର୍ଯ୍ୟକ୍ରମର ସଫଳତା ମା’ମାନଙ୍କ ଉପରେ ନିର୍ଭର କରେ । ଆମ ଅଙ୍ଗନବାଡି କର୍ମୀ ଓ ମିଶନ ଶକ୍ତି ମା’ମାନଙ୍କର ମଧ୍ୟ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଗୁରୁଦାୟିତ୍ୱ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆଦାୟ କରାଯିବ ନାହିଁ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ….

() ଚଳିତ ପାର୍ବଣ ଋତୁରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ,

ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ କରାଯିବ ନାହିଁ।

{} ଚଳିତ ବର୍ଷ ପାର୍ବଣ ସମୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ କ୍ରମେ ଜନସାଧାରଣଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।

ଏହା ଦ୍ୱାରା ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆସନ୍ତା ପାର୍ବଣ ଋତୁ ସମୟରେ ସରକାରୀ ଜାଗାରେ ସାମୟିକ ଭାବରେ ଆୟୋଜିତ ହେଉଥିବା ବିଭିନ୍ନ ପୂଜା ଉତ୍ସବ ପାଇଁ କୌଣସି ଗ୍ରାଉଣ୍ଡ ରେଣ୍ଟ ଆଦାୟ କରାଯିବ ନାହିଁ । ଚଳିତ ବର୍ଷ ଆଗାମୀ ଦିନରେ ଗଣେଶ ପୂଜା, ଦୂର୍ଗା ପୂଜା, କାଳୀ ପୂଜା, ଲକ୍ଷ୍ମୀ ପୂଜା ଓ କାର୍ତ୍ତିକେଶ୍ୱର ପୂଜା ଆଦି ଅନେକ ପୂଜା ଅନୁଷ୍ଠିତ ହେବାର ଅଛି। ଏସବୁ ପୂଜା ପାଇଁ କୌଣସି ଗ୍ରାଉଣ୍ଡ ରେଣ୍ଟ ଭୁବନେଶ୍ୱର ମହାନିଗମ ପକ୍ଷରୁ ଆଦାୟ କରାଯିବ ନାହିଁ।

ବର୍ଷ ବର୍ଷର ସମସ୍ୟାର ହେବ ସମାଧାନ…

() ପୁରୀ ଓ ନୟାଗଡ ଜିଲ୍ଲାର ଅଭିଯୋଗ ସଂପର୍କରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ସମୀକ୍ଷା।

ଉପଯୁକ୍ତ ସର୍ତ୍ତାବଳୀ ଅନୁଯାୟୀ ଦିଆଯାଇଥିବା ପୁରୀ ପୌରପାଳିକା ଲିଜ୍‌ ଜମି ଗୁଡିକ ହେବ ନିୟମିତ।

ବର୍ଷ ବର୍ଷର ସମସ୍ୟାର ହେବ ସମାଧାନ,

୨୦ ଦିନ ମଧ୍ୟରେ ସର୍ଭେ କାମ ସାରିବାକୁ ୫-ଟି ସଚିବଙ୍କ ନିର୍ଦ୍ଦେଶ।

ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାମ ପାଇଁ ଟେଣ୍ଡର ସେପ୍ଟେମ୍ବର ଶେଷ ସୁଦ୍ଧା।

{}  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବଙ୍କ ପୁରୀ ଓ ନୟାଗଡ ଜିଲ୍ଲା ଗସ୍ତ ସମୟରେ ଜନସାଧାରଣଙ୍କ ଠାରୁ ବିଭିନ୍ନ ଅଭିଯୋଗ ମିଳିଥିଲା। ଏ ସଂପର୍କରେ 5-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ, ଆଜି ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିସ୍ତୃତ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପୁରୀ ପୌରପାଳିକା ଜମି ସମସ୍ୟା ସଂପର୍କରେ 5-ଟି ସଚିବଙ୍କ ଗସ୍ତ ସମୟରେ ଜନସାଧାରଣ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୁରୀ ପୌରପାଳିକା ଦ୍ଵାରା ପୌରପାଳିକା ନିୟମ ଓ ଉପଯୁକ୍ତ ଲିଜ୍ ସର୍ତ୍ତାବଳୀ ଅନୁଯାୟୀ ଦିଆଯାଇଥିବା ଲିଜଗୁଡିକୁ ନିୟମିତ କରିବା ପାଇଁ ବୈଠକରେ ନୀତିଗତ ନିଷ୍ପତ୍ତି ନିଆଯାଇଛି ।

ଏହି କାର୍ଯ୍ୟକୁ ଧାର୍ଯ୍ୟ ଅବଧି ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଆବଶ୍ୟକ ସର୍ଭେ କାମକୁ ୨୦ ଦିନ ମଧ୍ୟରେ ଶେଷ କରିବା ପାଇଁ ୫-ଟି ସଚିବ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଜିଲ୍ଲାପାଳଙ୍କୁ ଆବଶ୍ୟକ ଅତିରିକ୍ତ ରାଜସ୍ବ ଅଧିକାରୀ ଯୋଗାଇ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

ପୁରୀ ପୌରପାଳିକା ବହୁ ବର୍ଷ ଧରି ବିଭିନ୍ନ ଅନୁଷ୍ଠାନ ଓ ଲୋକମାନଙ୍କୁ ଲିଜ ସୂତ୍ରରେ ପ୍ରାୟ ୫୦୪ ଏକର ଜମି ଦେଇଛି । ଏହି ଉଚ୍ଚସ୍ତରୀୟ ବୈଠକରେ ଉପଯୁକ୍ତ ଲିଜ୍ ସର୍ତ୍ତାବଳୀ ଓ ପୌରପାଳିକା ନିୟମ ଅନୁସାରେ ଆବଣ୍ଟିତ ଲିଜ୍୍ ନିୟମିତ କରିବା ପାଇଁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମାନଙ୍କ ଉପରେ ଉପଯୁକ୍ତ ଦେୟ ଧାର୍ଯ୍ୟ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି

ନୟାଗଡ ଜିଲ୍ଲାର ମଂଜରୀ ଗ୍ରାମ ନିକଟରେ ବୃତ୍ତଙ୍ଗ ନଦୀ ଉପରେ ଜଳଭଣ୍ଡାର ପ୍ରକଳ୍ପ ନିର୍ମାଣ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା । ପରିବେଶ ତଥା ଅନ୍ୟାନ୍ୟ ଆବଶ୍ୟକ ମଂଜୁରୀ ମିଳିବା ପରେ ପ୍ରକଳ୍ପ ପାଇଁ ତୁରନ୍ତ ଟେଣ୍ଡର ଆହ୍ବାନ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଅଷ୍ଟ୍ରେଲିଆରେ ପାଠ ପଢ଼ିବେ କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜର 5 ଛାତ୍ରଛାତ୍ରୀ…

() ଅଷ୍ଟ୍ରେଲିଆରେ ପାଠ ପଢ଼ିବେ କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜର 5 ଛାତ୍ରଛାତ୍ରୀ

• କର୍ଟିନ୍ ବିଶ୍ୱବିଦ୍ୟାଳୟ ସହ ଜିଲ୍ଲା ପ୍ରଶାସନର ବୁଝାମଣା,

• ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବହନ କରିବ ସମସ୍ତ ଖର୍ଚ୍ଚ।

• ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିଲେ ଛାତ୍ରଛାତ୍ରୀ,

• କଠିନ ପରିଶ୍ରମ କର, ନିଜର କ୍ୟାରିଅର୍ ଲକ୍ଷ୍ୟ ହାସଲ କର: ମୁଖ୍ୟମନ୍ତ୍ରୀ।

{} କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରୁ ମାଇନିଂ ଇଞ୍ଜିନିୟରିଂରେ ସଫଳତାର ସହ ବିଟେକ୍ ପାସ କରିଥିବା 5 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରେଲିଆ ପଠାଯିବ। ସେମାନେ ବିଶ୍ୱର ଅନ୍ୟତମ ସୁନାମଧନ୍ୟ କର୍ଟିନ୍ ବିଶ୍ୱବିଦ୍ୟାଳୟରେ ମାଇନିଂ ଇଞ୍ଜିନିୟରିଂ କ୍ଷେତ୍ରରେ ଉଚ୍ଚଶିକ୍ଷା ଲାଭ କରିବାର ସୁଯୋଗ ପାଇବେ ଓ ଏଥିପାଇଁ ସେମାନଙ୍କ ପାଠପଢ଼ା, ଅଷ୍ଟ୍ରେଲିଆରେ ରହଣୀ ଏବଂ ଯାତାୟାତ ବାବଦକୁ ସମସ୍ତ ଖର୍ଚ୍ଚ କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବହନ କରିବ। ସୋମବାର ଏହି 5ଜଣ ଛାତ୍ରଛାତ୍ରୀ ନବୀନ ନିବାସ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।
ଓଡ଼ିଶାର କେନ୍ଦୁଝର ଜିଲ୍ଲାରୁ ଏହି ଛାତ୍ରଛାତ୍ରୀମାନେ ଅଷ୍ଟ୍ରେଲିଆ ଯାଇ କର୍ଟିନ୍ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ୱେଷ୍ଟ୍ ଅଷ୍ଟ୍ରେଲିଆନ୍ ସ୍କୁଲ୍ ଅଫ୍ ମାଇନ୍ସ, ମିନେରାଲ୍ସ, ଏନର୍ଜି ଆଣ୍ଡ୍ କେମିକାଲ ଇଞ୍ଜିନିୟରିଂ(WASM: MECE)ରେ ଉଚ୍ଚଶିକ୍ଷା ଲାଭ କରିବା ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ନିଜର ଖୁସିବ୍ୟକ୍ତ କରିଥିଲେ। ସେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି ନୂଆ ଯାତ୍ରାପାଇଁ ଶୁଭେଚ୍ଛା ଜଣାଇବା ସାଙ୍ଗକୁ କଠିନ ପରିଶ୍ରମ କରି ନିଜର କ୍ୟାରିଅର୍ ଲକ୍ଷ୍ୟ ହାସଲ କରିବାକୁ ପରାମର୍ଶ ଦେଇଥିଲେ।

ପ୍ରକାଶ ଯେ, ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟର ବିଭିନ୍ନ ଉଦ୍ୟୋଗମାନଙ୍କର ସହ ସମ୍ପର୍କ, ଉଚ୍ଚ-ପ୍ରଭାବ ଅନୁସନ୍ଧାନ ଏବଂ ନବୀନ ପାଠ୍ୟକ୍ରମର ବିସ୍ତୃତ ଶୃଙ୍ଖଳା ପାଇଁ ଏହା ସମଗ୍ର ବିଶ୍ୱରେ ପରିଚିତ। ଏହି ଶିକ୍ଷାନୁଷ୍ଠାନ ଲଗାତାର 7 ବର୍ଷ ଧରି ମିନେରାଲ୍ ଏବଂ ମାଇନିଂ ଇଞ୍ଜିନିୟରିଂ ଶିକ୍ଷାଦାନ କ୍ଷେତ୍ରରେ କ୍ୟୁଏସ୍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଂରେ ଦ୍ୱିତୀୟ ସ୍ଥାନ ଅଧିଗ୍ରହଣ କରିଆସୁଛି। ଏଠାରେ ଅଧ୍ୟୟନ କରିବା ପାଇଁ କେନ୍ଦୁଝର ଜିଲ୍ଲାରୁ ଯେଉଁ 5 ଛାତ୍ରଛାତ୍ରୀଙ୍କ ଚୟନ ହୋଇଛି ସେମାନେ ହେଲେ, ମିନର୍ଭା ସାହୁ, ଅଦ୍ୱିକ କୁମାର, ଆକିବ୍ ଅହମ୍ମଦ, ଗିତିଶ ଶେଖର ନାୟକ ଓ ସରୋଜ କୁମାର ବିଶ୍ୱକର୍ମା। ଏହି ସମସ୍ତ ଛାତ୍ରଛାତ୍ରୀ ପ୍ରଫେସନାଲ୍ ମାଇନିଂ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ ପାଇଁ ଅଷ୍ଟ୍ରେଲିଆ ଯିବେ। ଏଥିପାଇଁ ୱେଷ୍ଟ୍ ଅଷ୍ଟ୍ରେଲିଆନ୍ ସ୍କୁଲ୍ ଅଫ୍ ମାଇନ୍ସ ସହ କେନ୍ଦୁଝର ଜିଲ୍ଲା ପ୍ରଶାସନର ବୁଝାମଣା ହୋଇଛି। ପର୍ଥ ଏବଂ ପଶ୍ଚିମ ଅଷ୍ଟ୍ରେଲିଆର ଐତିହାସିକ ଖଣି ସହର କଲଗୁର୍ଲିରେ ଏହାର କ୍ୟାମ୍ପସ୍ ରହିଛି। ଯେଉଁଠାରେ ଖଣିଭିତ୍ତିକ ଗବେଷଣାର ପର୍ଯ୍ୟାପ୍ତ ସୁଯୋଗ ରହିଛି। ବିଶ୍ୱର ବିଭିନ୍ନ ପ୍ରତିଷ୍ଠିତ ଉଦ୍ୟୋଗମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ନିୟୋଜନ କରିବାରେ ଏହି ସ୍କୁଲର ଭଲ ଟ୍ରାକ୍ ରେକର୍ଡ଼ ମଧ୍ୟ ରହିଛି।

କେନ୍ଦୁଝର ଜିଲ୍ଲା ପ୍ରଶାସନ ଏବଂ ୱେଷ୍ଟ୍ ଅଷ୍ଟ୍ରେଲିଆନ୍ ସ୍କୁଲ୍ ଅଫ୍ ମାଇନ୍ସ ମଧ୍ୟରେ ହୋଇଥିବା ଏହି ବୁଝାମଣା ପଛରେ ଏକ ବଡ଼ ଏବଂ ମହତ ଉଦ୍ଦେଶ୍ୟ ରହିଛି। କେନ୍ଦୁଝର ଏକ ଜନଜାତି ବହୁଳ ଜିଲ୍ଲା ହେବା ସାଙ୍ଗକୁ ଏଠାରେ ଖଣିଜ ସମ୍ପଦର ଭଲ ଉପସ୍ଥିତି ମଧ୍ୟ ରହିଛି। ଏଣୁ ଜିଲ୍ଲାର ଶୈକ୍ଷିତ ବାତାବରଣକୁ ଉତ୍କୃଷ୍ଟତା ପ୍ରଦାନ କରିବା ଏବଂ ଏଠିକାର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଏହା ଜିଲ୍ଲା ପ୍ରଶାସନକୁ ଏକ ସୁଯୋଗ ପ୍ରଦାନ କରିଛି। ଏହି ବୁଝାମଣାର ଉଦ୍ଦେଶ୍ୟ କେବଳ କେନ୍ଦୁଝର ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ଶିକ୍ଷା ସୁବିଧା ଯୋଗାଇଦେବା ନୁହେଁ, କେନ୍ଦୁଝର ଜିଲ୍ଲାର ସ୍ଥାନୀୟ ପ୍ରତିଭାମାନଙ୍କର ପରିପୋଷଣ ମଧ୍ୟ ଏହାର ଲକ୍ଷ୍ୟ। ମାଇନିଂ ଇଞ୍ଜିନିୟରିଂ କ୍ଷେତ୍ରରେ ସେମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ କରାଇ ସେମାନଙ୍କୁ ଭବିଷ୍ୟତରେ ନିଜ ଅଞ୍ଚଳର ବିକାଶରେ ନିୟୋଜନ କରାଇବା ଏବଂ ନେତୃତ୍ୱ ନେବାର ସୁଯୋଗ ଦେବା ହେଉଛି ଜିଲ୍ଲା ପ୍ରଶାସନର ମୂଳ ଉଦ୍ଦେଶ୍ୟ। ଯାହାକି ଶୈକ୍ଷିକ ସଫଳତା ଏବଂ ଦାୟିତ୍ୱପୂର୍ଣ୍ଣ ମାନବ ସମ୍ବଳ ପରିଚାଳନାର ଏକ ଉଜ୍ଜଳ ଉଦାହରଣ ରୂପେ ସାବ୍ୟସ୍ତ ହେବ।
ମୁଖ୍ୟମନ୍ତ୍ରୀଙ୍କ ସହ ଏହି ସାକ୍ଷାତ ସମୟରେ 5T ସଚିବ ଭିକେ ପାଣ୍ଡିଆନ୍ ଓ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଉପସ୍ଥିତ ଥିଲେ।

Follow us

20,832FansLike
0FollowersFollow
14,700SubscribersSubscribe

Latest news