ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ….

ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ*

ହାଇଟେକ ହସପିଟାଲ ମାଲିକଙ୍କୁ ଗିରଫ କରାଯାଉ

ଭବନେଶ୍ୱର ତା. ୮.୧- ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଏବଂ ପ୍ରଦେଶ ଯୁବକ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ରଙ୍କ ମିଳିତ ନେତୃତ୍ୱରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀଙ୍କ ସରକାରୀ ବାସଭବନ ଘେରାଉ କରାଯାଇଥିଲା । ହାଇଟେକ ହସପିଟାଲରେ ଚିକିତ୍ସିତ ରୋଗୀଙ୍କୁ ହତ୍ୟା କରାଯାଇଛି ବୋଲି ଉଭୟ ସଂଗଠନ ପକ୍ଷରୁ ଦାବି କରାଯାଇଛି ।

 ଭୁବନେଶ୍ୱର ସ୍ଥିତ ହାଇଟେକ ହସପିଟାଲରେ ଏସି କମ୍ପ୍ରେସରରେ ଗ୍ୟାସ ଭର୍ତି ବେଳେ ହୋଇଥିବା ବିଷ୍ପୋରଣର ମୃତ୍ୟୁ ପାଇଁ ରାଜ୍ୟ ସରକାର ହାଇଟେକ ହସପିଟାଲର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନନେବା ଦୁର୍ଭାଗ୍ୟଜନକ । ହାଇଟେକ ହସପିଟାଲ ମାଲିକ ନରହତ୍ୟାକାରୀ । ହାଇଟେକ ହସପିଟାଲରେ ରୋଗୀଙ୍କୁ ହତ୍ୟା କରାଯାଏ ।

 ଏହି ନିରୀହ ଲୋକଙ୍କର ମୃତ୍ୟୁ ପାଇଁ ଡାକ୍ତରଖାନା କର୍ତୃପକ୍ଷ ଦାୟୀ । ଏହି ଦୁର୍ଘଟଣାରେ ଆହତ ଜ୍ୟୋତିରଞ୍ଜନ ମଲ୍ଲିକଙ୍କର ମୃତ୍ୟୁ ହେଲା । ମାତ୍ର ଶବର ସଠିକ ଚିହ୍ନଟ ନକରି ଡାକ୍ତରଖାନା କର୍ତୃପକ୍ଷ ଏହି ଶବକୁ ଅନ୍ୟତମ ଆହତ ଦିଲ୍ଲୀପ ସାମନ୍ତରାୟଙ୍କ ଶବ ବୋଲି କହି ଦିଲ୍ଲୀପ ସାମନ୍ତରାୟଙ୍କ ପରିବାରକୁ ଧରାଇଦେଲେ । ମୃତଦେହ ସଂସ୍କାର ପରେ ଦିଲ୍ଲୀପଙ୍କ ସ୍ତ୍ରୀ ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଲେ । ହେଲେ ଚିକିତ୍ସା ଶଯ୍ୟାରେ ଦିଲ୍ଲୀପ ଚେତା ଫେରିବା ପରେ ନିଜ ପରିଚୟ ଦେବାରୁ ଏହି ସାଂଘାତିକ ତ୍ରୁଟି ପଦାକୁ ଆସିଲା । କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟକରି ହଠାତ ଶୁକ୍ରବାର ରାତି ତିନିଟାରେ ଦିଲ୍ଲୀପଙ୍କର ମୃତ୍ୟୁ ଘୋଷଣା ହେଲା । ଏହି ଘଟଣାକୁ ସହଜରେ ଗ୍ରହଣ କରିହେଉନାହିଁ । ଦିଲ୍ଲୀପର ପରିବାର ଦାବି କରୁଛନ୍ତି ଯେ ଦିଲ୍ଲୀପଙ୍କୁ ହସପିଟାଲରେ ହତ୍ୟା କରାଯାଇଛି । ଦିଲ୍ଳୀପ ସାମନ୍ତରାୟଙ୍କ ଚିକିତ୍ସାକୁନେଇ ତାଙ୍କ ପରିବାର ମଧ୍ୟ ସଂଦେହ ପ୍ରକାଶ କରିଛନ୍ତି । ବର୍ତମାନ ବିଷ୍ପୋରଣ ଘଟଣା ଓ ପରିଚୟର ଦ୍ୱନ୍ଦ ଆହୁରି ଅଧିକ ରହସ୍ୟମୟ ହୋଇପଡ଼ିଛି । ଦିଲ୍ଲୀପଙ୍କ ପରିବାର ଏବେ ନ୍ୟାୟ ଦାବି କରୁଛନ୍ତି । ସବୁଠାରୁ ବଡ଼ କଥା ହେଉଛି ହସପିଟାଲ ଓ ପୋଲିସର ସୂଚନା ଆଧାରରେ ପ୍ରଥମେ ଜ୍ୟୋତିରଞ୍ଜନଙ୍କ ମୁୃତଦେହକୁ ଦିଲ୍ଲୀପଙ୍କ ମୃତଦେହ ଭାବି ସତ୍କାର କରାଗଲା । ଏଥିରେ ପୋଲିସର ମଧ୍ୟ ତ୍ରୁଟି ରହିଛି । ଦିଲ୍ଲୀପଙ୍କ ପରିବାର ପ୍ରଶ୍ନ କରୁଛନ୍ତି ଯେ ଯଦି ଦିଲ୍ଲୀପଙ୍କ ଅବସ୍ଥା ଶୋଚନୀୟ ଥିଲା ତେବେ ତାଙ୍କୁ ଭେଂଟିଲେଟରରୁ ବାହାରକୁ କାହିଁକି ଅଣାଯାଇଥିଲା ?

 ହାଇଟେକ ହସପିଟାଲରେ ଏ ସଂପୂର୍ଣ୍ଣ ଷଡଯନ୍ତ୍ର ପାଇଁ ହସପିଟାଲ କର୍ତୃପକ୍ଷ ଦାୟୀ । ହସପିଟାଲରେ ରୋଗୀ ସୁରକ୍ଷିତ ନାହାନ୍ତି । ସୁତରାଂ ହାଇଟେକ ହସପିଟାଲର ମାଲିକ ଏବଂ ଏହି ଷଡଯନ୍ତ୍ରରେ ସାମିଲ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଇ ଆଇନ ଅନୁଯାୟୀ ଦଣ୍ଡିତ କରାଯାଉ । ନିଜ ଦାୟୀତ୍ୱ ନିର୍ବାହରେ ଚରମ ଅବହେଳା ଏବଂ ରୋଗୀକୁ ହତ୍ୟା ଅଭିଯୋଗ ଥିବାରୁ ହସପିଟାଲର ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଉ । ନବୀନ ସରକାର କ’ଣ ପାଇଁ ହାଇଟେକ ମାଲିକଙ୍କୁ ସୁରକ୍ଷା ଦେଉଛନ୍ତି?

ଦାବି : ତୁରନ୍ତ ମୃତକଙ୍କ ପରିବାରବର୍ଗଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ । ହାଇଟେକ ମାଲିକଙ୍କୁ ତୁରନ୍ତ ଗିରଫ କରାଯାଇ ଆଇନ ଅନୁଯାୟୀ ଦଣ୍ଡିତ କରାଯାଉ । ହାଇଟେକ ହସପିଟାଲର ଲାଇସେନ୍ସ ରଦ୍ଦ କରାଯାଉ ।

ଆଜିର କାର୍ଯ୍ୟକ୍ରମରେ ପ୍ରକାଶ ମିଶ୍ର, ଆଲୋକ ଲେଙ୍କା, ଅଜୟ ସାହୁ, ସଂକୁନା କହଁର, ନିହାର ବେହେରା, ମହମ୍ମଦ ଗୁଲଫାମ, କାର୍ତିକେଶ୍ୱର କାଣ୍ଡି, ଅଭିଜିତ ଜେନା, ରଣଜିତ ସେନାପତି, ଜଗଦିଶ ଗଜେନ୍ଦ୍ର, ସ୍ପନ୍ଦନ ସ୍ୱାଇଁ, ଉଦିତ ପ୍ରଧାନ, ସୁଦିପ ସାମଲ, ସମିର ରାଉତ, ସୁରଜ ରାଉତ, ବିଂରଚି ବାରିକ, କମଳ ତାଣ୍ଡି, ବିରେନ୍ଦ୍ର ବାଗ, ଅମରେଶ ପରିଡ଼ା, ସାଗର ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ରାଜ୍ୟ ଆଇନଜୀବୀ ପରିଷଦର ଉପାଧ୍ୟକ୍ଷ ଦାୟିତ୍ଵ ଗ୍ରହଣ କଲେ ରାଜୀବ ମହାନ୍ତି…..

()ରାଜ୍ୟ ଆଇନଜୀବୀ ପରିଷଦର ଉପାଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ବରିଷ୍ଠ ଆଇନଜୀବୀ ରାଜୀବ ମହାନ୍ତି l ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ କୋଣରୁ ବହୁ ଆଇନ ଜୀବୀ ତାଙ୍କୁ ଶୁଭେଛା ଜଣାଇଛନ୍ତି l ନିଜ ଦାୟିତ୍ୱ ସଠିକ୍ ଭାବେ ତୁଲାଇ ପରିଷଦ ସବୁବେଳେ ଆଇନଜୀବୀଙ୍କ ମିଶି ସବୁ କାର୍ଯ୍ୟ ଆଗେଇ ନେବାକୁ ସଂକଳ୍ପ ନେଇଥିଲେ l

ଓଡ଼ିଆ ଭାଷାର ଅସ୍ମିତାର ପରିଚୟ ହେବ……

କଳାମଣ୍ଡଳ ସମ୍ମିଳନୀ କେନ୍ଦ୍ର ନିର୍ମାଣ କାମ ର ଅଗ୍ରଗତି ସମୀକ୍ଷା କଲେ 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍. ଚାରି ମାସ ମଧ୍ୟରେ କାମ ଶେଷ କରିବାକୁ ନିର୍ଦ୍ଦେଶ .ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅବସରରେ ଲୋକାର୍ପିତ ହେବ ଅକ୍ଷର ଭୂମି .

ସମ୍ମିଳନୀ ସ୍ମୃତି କୁ ଚିର ସ୍ମରଣୀୟ କରିବଅ କ୍ଷର ଭୂମି

ଓଡ଼ିଆ ଭାଷାର ଅସ୍ମିତାର ପରିଚୟ ହେବ.

()ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ ଭୁବନେଶ୍ଵର ର କଳାମଣ୍ଡଳ ପରିସରରେ ନିର୍ମିତ ରେ ହେଉଛି ଅକ୍ଷରଭୂମି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକୁ ୫-ଟି ତଥା ଆମ ଓଡିଶା ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି. କେ. ପାଣ୍ଡିଆନ ଆଜି ସକାଳେ କଳା ମଣ୍ଡଲ ଯାଇ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ।  ଦୁଇ ହଜାର ସ୍ଥାନ ବିଶିଷ୍ଟ କଳାମଣ୍ଡଳ ସମ୍ମିଳନୀ କେନ୍ଦ୍ର ହେବ ରାଜ୍ୟର ସବୁଠାରୁ ବଡ ସମ୍ମିଳନୀ କେନ୍ଦ୍ର. ଆଗାମୀ ଚାରି ମାସ ମଧ୍ୟରେ ଏହାର ନିର୍ମାଣ କାମ ଶେଷ କରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ . କଳାମଣ୍ଡଳର ଆଭ୍ୟନ୍ତରୀଣ ସାଜସଜା ଓଡ଼ିଆ ସଂସ୍କୃତି ଓ ଐତିହ୍ୟର ପୃଷ୍ଠଭୂମି ଢାଞ୍ଚାରେ କରିବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ. ସୂଚନାଯୋଗ୍ୟ ଯେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ଏହି ସମ୍ମିଳନୀ କେନ୍ଦ୍ର ର ନିର୍ମାଣ ଦାୟିତ୍ଵ IDCO ନେଇଛି. ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ କୁ ଚିର ସ୍ମରଣୀୟ କରିବା ପାଇଁ କଳାମଣ୍ଡଳ ପରିସରରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କରାଯାଉଥିବା ଅକ୍ଷର ଭୂମି କାମ ମଧ୍ୟ ଶ୍ରୀ ପାଣ୍ଡିଆନ୍ ବୁଲି ଦେଖିଥିଲେ . ଖାଣ୍ଡେଲାଇଟ ପଥର ରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ଯ ର ଅପୂର୍ବ ନିଦର୍ଶନ ହେବ . ଏହା .ଆମର ମହାନ୍ ଐତିହ୍ୟ ଓ  ଶାସ୍ତ୍ରୀୟ ଓଡ଼ିଆ ଭାଷାର ଗୌରବ ବିଷୟ ରେ ଅକ୍ଷର ଭୂମି ଭବିଷ୍ୟତ ପୀଢି କୁ ପ୍ରେରଣା ଦେଇଚାଲିବ ଏବଂ ଓଡିଆ ଭାଷା ର ଅସ୍ମିତା ର ପରିଚୟ ହେବ ବୋଲି ଶ୍ରୀ କାର୍ତ୍ତିକ ଆଶା ବ୍ୟକ୍ତ କରିଥିଲେ. ସେଠାରେ ମଧ୍ୟ ଏକ ଓଡ଼ିଆ ଭାଷା ସମ୍ମିଳନୀ ସ୍ମୃତି ତୋରଣ ନିର୍ମାଣ କରାଯାଉଛି ଏହି ଅକ୍ଷର ଭୂମି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ କାର୍ତ୍ତିକ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇ ଥିଲେ ।। ଏହାର ନିର୍ମାଣ କାର୍ଯ୍ୟ ଉଭୟ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଓ ପୂର୍ତ୍ତ ବିଭାଗ ସହଯୋଗରେ କରାଯାଉଛି ଭବିଷ୍ୟତ ସମ୍ପ୍ରସାରଣ କୁ ଦୃଷ୍ଟିରେ ରଖି ଅଧିକ ଖୋଲା ସ୍ଥାନ ରଖିବା ଏବଂ  ଜନସାଧାରଣଙ୍କ ସୁବିଧା କୁ ଦୃଷ୍ଟିରେ ରଖି basement ରେ ପାର୍କିଂ ବ୍ୟବସ୍ଥାର ବିକାଶ ପାଇଁ ସ୍ଥିର କରାଯାଇଥିଲା .Campus ରେ ଅଧିକ ଗଚ୍ଛ ଲଗାଇ ଏହାକୁ ସବୁଜ ସୁନ୍ଦର କରିବା ତଥା ବିଭିନ୍ନ ପରିବେଶ ଅନୁକୂଳ ଜିନିଷ ବ୍ୟବହାର କରିବା ପାଇଁ ଶ୍ରୀ କାର୍ତ୍ତିକ ପରାମର୍ଶ ଦେଇଥିଲେ.

୫-ଟି ଅଧ୍ୟକ୍ଷଙ୍କ ଏହି ଗସ୍ତ ସମୟରେ , ବିଡିଏ ଉପାଧ୍ୟାକ୍ଷ ଶ୍ରୀ ବଲୱନ୍ତ ସିଂ, MD IDCO ଶ୍ରୀ ଭୂପିନ୍ଦର ସିଂ ପୁନିଆ , ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ ନିର୍ଦେଶକ ଶ୍ରୀ ଦିଲୀପ ରାଉତରାୟ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଜିଲ୍ଲା, ବ୍ଲକ ଓ ନଗର କଂଗ୍ରେସ ସଭାପତିମାନଙ୍କ ବୈଠକ ନେଲେ ଡ. ଅଜୟ କୁମାର…

ଭୁବନେଶ୍ୱର –  ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା, ବ୍ଲକ ଓ ନଗର କଂଗ୍ରେସ ସଭାପତିମାନଙ୍କ ବୈଠକରେ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର ଉପସ୍ଥିତ ଥିବା ଜିଲ୍ଲା, ବ୍ଲକ ଓ ନଗର କଂଗ୍ରେସ କମିଟି ସଭାପତି ମାନଙ୍କୁ ସେମାନଙ୍କର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ପଚାରିବା ସହ ସେମାନେ ଜିଲ୍ଲା ଠାରୁ ବୁଥସ୍ତରରେ ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟକ୍ରମ ସବୁ ସମ୍ପନ୍ନ କରିଛନ୍ତି ସେ ବିଷୟରେ ସବିଶେଷ ତଥ୍ୟ ଦେବାକୁ କହିଥିଲେ । ଯଥାଶୀଘ୍ର ଜିଲ୍ଳାଠାରୁ ବୁଥ ସ୍ତର ପର୍ଯ୍ୟନ୍ତ କମିଟିର ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିବାକୁ ସେ କହିଥିଲେ । “ଦେଶପାଇଁ ଦାନ” କାର୍ଯ୍ୟକ୍ରମରେ ସମସ୍ତ କଂଗ୍ରେସ କର୍ମୀ ଯେପରି ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ । କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପି ଏକ ୨୦ ଦିନିଆ ଜନସମ୍ପର୍କ ଯାତ୍ରା କରାଯିବ । ଏକ ସ୍ୱତନ୍ତ୍ର ବସ ଯୋଗେ କଂଗ୍ରେସର ବରିଷ୍ଠ ନେତୃବର୍ଗ ଯାଇ ତୃଣମୂଳ ସ୍ତରର କର୍ମୀମାନଙ୍କ ସହ ଆଲୋଚନା କରିବେ ଏବଂ ମୋଦି ଓ ନବୀନ ସରକାରର ଜନବିରୋଧି ନୀତ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରାଇବେ । ସେ ଭୁବନେଶ୍ୱରରେ ଅଧିକ ଦିନ ରହି ଦଳର କାର୍ଯ୍ୟକ୍ରମକୁ ତଦାରଖ କରିବେ । ସେ ଏଥର ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ, କଂଗ୍ରେସ ସଭାପତି ମାଲିକାର୍ଜ୍ଜୁନ ଖଡ଼ଗେ ଓ ସମ୍ମାନନୀୟ ରାହୁଲ ଗାନ୍ଧୀ ତାଙ୍କୁ ଯେଉଁ ଗୁରୁ ଦାୟୀତ୍ୱ ଦେଇଛନ୍ତି ତାହାକୁ ସେ ନିଷ୍ଠାର ସହ ସମ୍ପାଦନ କରିବେ ବୋଲି କହିଥିଲେ । ସେ କହିଥିଲେ ବୁଥସ୍ତରର ଜଣେ ସାଧାରଣ କର୍ମୀ ମୋତେ ବିନା ଦ୍ୱିଧାରେ ସାକ୍ଷାତ କରି ସଂଗଠନ ସମ୍ପର୍କରେ ଜଣାଇପାରିବେ ।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମୋଦି ଓ ନବୀନ ଶାସନରେ ସାଧାରଣ ଜନତା ଅତିଷ୍ଠ । ୨୦୨୪ ବର୍ଷଟି ପରିବର୍ତନର ବର୍ଷ ହେବ । କଂଗ୍ରେସ ଦଳ ଏ ଦେଶରେ ବ୍ରିଟିଶ ରାଜକୁ ଖତମ କରିଛି । ମୋଦି ରାଜ ଓ ନବୀନ ରାଜର ବେଳକାଳ ସରିଆସୁଛି । ଶ୍ରୀ ପଟ୍ଟନାୟକ ଦୁନିଆରେ ଘଟିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣାବଳୀର ଉଦାହରଣ ଦେଇ କହିଥିଲେ ଯେ ଓଡ଼ିଆ ଲୋକ ବହୁ ଅସମ୍ଭବ କଥାକୁ ସମ୍ଭବ କରିଛନ୍ତି । ଉଦାହରଣସ୍ୱରୂପ ୧୨ ବର୍ଷର ଧର୍ମପଦ କୋଣାର୍କ ମୁଣ୍ଡିମାରିବା ଘଟଣା, ୧୨ ବର୍ଷର ବାଜି ରାଉତର ବିରତ୍ୱ କଥା ସମସ୍ତେ ଜାଣନ୍ତି । ଏଣୁ ଏହି ଭ୍ରଷ୍ଟାଚାରୀ ଶାସନକୁ କ୍ଷମତାଚ୍ୟୁତ କରିବା ବଡ଼କଥା ନୁହେଁ । ନବୀନ ସରକାର ଏ ରାଜ୍ୟରେ ଚାଷୀ, ଯୁବକ, ଛାତ୍ର, ମହିଳା, ଓବିସି, ଆଦିବାସୀ ଓ ଦଳିତ ସମସ୍ତ ବର୍ଗଙ୍କୁ ଉପେକ୍ଷା କରିଛନ୍ତି । ନିର୍ବାଚନ ଅତି ନିକଟତର । ସମସ୍ତଙ୍କୁ ନିଷ୍ଠାର ସହ କାର୍ଯ୍ୟକରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶରତ ରାଉତ, ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ସପ୍ତଗିରି ଉଲ୍ଲାକା, ଶିବାନନ୍ଦ ରାୟ, ରମେଶ ଜେନା, ରାଜନ ଏକ୍କା, ଅଧିରାଜ ମୋହନ ପାଣିଗ୍ରାହୀ, ଦାସରଥି ଗମାଙ୍ଗୋ, ରଣଜିତ ପାତ୍ର, ୟାସିର ନୱାଜ, ଜିଲ୍ଲା କଂଗ୍ରେସ ସଭାପତି ସୁରେଶ କୁମାର ମହାପାତ୍ର, ମାନସ ଚୌଧୁରୀ, ବିଶ୍ୱଜିତ ଦାଶ,ସଂଜୀବ ଗିରି, ହେମନ୍ତ ଦାସ ପ୍ରମୁଖ ଅନ୍ୟାନ୍ୟ ଜିଲ୍ଲା କଂଗ୍ରେସ ସଭାପତି, ବ୍ଲକ କଂଗ୍ରେସ ସଭାପତ, ନଗର କଂଗ୍ରେସ ସଭାପତି ପ୍ରମୁଖ ତୃଣମୂଳସ୍ତରର ସଂଗଠନ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ ।

ରାଜୀବ ମହାନ୍ତି ହେଲେ ରାଜ୍ୟ ବାର କାଉନସିଲର ଉପାଧକ୍ଷ….

() ଓଡ଼ିଶା ବାର କାଉନସିଲର ଉପାଧକ୍ଷ ହେଲେ ବରିଷ୍ଠ ଆଇନଜୀବି ରାଜୀବ କୁମାର ମହାନ୍ତି l ଜଣେ ଲୋକପ୍ରିୟ ଆଇନଜୀବି ଭାବେ ପୁରା ରାଜ୍ୟରେ ସୁନାମ ଅର୍ଜନ କରିଥିବା ରାଜୀବ ମହାନ୍ତି ରାଜ୍ୟ ବାର କାଉନସିଲର ଉପାଧକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି l ନିର୍ବାଚିତ ହେବା ପରେ ସବୁଆଡୁ ଶୁଭେଛାର ସୁଅ ଛୁଟିଛି l

ଓଡ଼ିଶାରେ କଂଗ୍ରେସର ସମ୍ଭାବନା ଉଜ୍ଜଳ – ଡ. ଅଜୟ କୁମାର  

ଓଡ଼ିଶାରେ କଂଗ୍ରେସର ସମ୍ଭାବନା ଉଜ୍ଜଳ – ଡ. ଅଜୟ କୁମାର

ନବନିଯୁକ୍ତ ଓଡ଼ିଶା ପ୍ରଭାରୀଙ୍କୁ ପିସିସି ପକ୍ଷରୁ ଭବ୍ୟ ସମ୍ଭର୍ଦ୍ଧନା

ଭୁବନେଶ୍ୱର ତା. ୬-୧- ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସର ନବନିଯୁକ୍ତ ପ୍ରଭାରୀ, ପୂର୍ବତନ ସାଂସଦ ତଥା ଝାଡଖଣ୍ଡର ପୂର୍ବତନ ପିସିସି ସଭାପତି ଡ. ଅଜୟ କୁମାରଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ବିମାନବନ୍ଦର ଠାରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଭାପତି ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ବାଦ୍ୟ, ନୃତ୍ୟ ମାଧ୍ୟମରେ ବିମାନ ବନ୍ଦରଠାରେ ସ୍ୱାଗତ କରାଯାଇଥିଲା । କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀଙ୍କ ସଂଯୋଜନାରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଓ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ରଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରାରେ ବିମାନ ବନ୍ଦର ଠାରୁ ଡ. କୁମାରଙ୍କୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ନିଆଯାଇଥିଲା ଏବଂ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଓ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କ ନେତୃତ୍ୱରେ ଶିଶୁଭବନ ଛକ, ରାଜମହଲ ଛକ ଠାରେ ଡ. ଅଜୟ କୁମାରଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରେ ସେବାଦଳ ପକ୍ଷରୁ ସେବାଦଳ ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏବଂ ସେବାଦଳ କର୍ମୀମାନେ ଡ. କୁମାରଙ୍କୁ ଗାର୍ଡଅଫ ଅନର ପ୍ରଦାନ କରାଯାଇଥିଲା ।

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ କମିଟି ଓ କର୍ମକର୍ତା ବୈଠକରେ ଉଦବୋଧନ ଦେଇ ପ୍ରଭାରୀ ଡ. ଅଜୟ କୁମାର କହିଥିଲେ ଯେ ଅଗାମୀ ୨୦୨୪ ସାଧାରଣ ନିର୍ବଚନରେ କଂଗ୍ରେସ ବିଜୟର ଯଥେଷ୍ଟ ସମ୍ଭାବନା ରହିଛି । ଓଡ଼ିଶାରେ କଂଗ୍ରେସ ଆଜି ଯେଉଁ ସ୍ଥିତିରେ ଅଛି ତେଲେଙ୍ଗାନାରେ ମଧ୍ୟ ସମାନ ସ୍ଥିତିରେ ଥିଲା । କଂଗ୍ରେସ କର୍ମୀ ଓ ନେତୃବର୍ଗ ସଂକଳ୍ପ ନେଇ ସେଠାରେ ଯଦି କଂଗ୍ରେସକୁ ପୁନଃ କ୍ଷମତାସୀନ କରିପାରିଲେ ଓଡ଼ିଶାରେ ତାହା ନିଶ୍ଚୟ ହୋଇପାରିବ । ସେ ତାଙ୍କ ଅଭିଭାଷଣରେ ଦଳୀୟ ଶୃଙ୍ଖଳାକୁ ଅଧିକ ଗୁରୁତ୍ୱ ଦେଇଥିଲେ । ତେଲେଙ୍ଗାନା ନିର୍ବାଚନୀ ସଫଳତାରେ ସାମାଜିକ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଓଡ଼ିଶା କଂଗ୍ରେସରେ ସାମାଜିକ ଗଣମାଧ୍ୟମକୁ ଅଧିକ କ୍ରିୟାଶୀଳ କରବାକୁ ସେ ପରାମର୍ଶ ଦେଇଥିଲେ । କଂଗ୍ରେସ ପକ୍ଷରୁ “ଦେଶପାଇଁ ଦାନ” ଅଭିଯାନରେ ବ୍ୟାପକ ଭାବରେ ଲୋକମାନଙ୍କୁ ସାମିଲ କରିବାପାଇଁ ସେ କହିଥିଲେ । ଯେଉଁମାନେ କଂଗ୍ରେସ ଦଳ ଛାଡ଼ିଯାଇଛନ୍ତି ସେମାନେ ଫେରିଆସିବାପାଇଁ ଡ. କୁମାର ଆହ୍ୱାନ ଦେଇଥିଲେ । ସେ ଦୃଢ଼ ଭାବରେ କହିଥିଲେ ଯେ ଓଡ଼ିଶା ଓଡ଼ିଆମାନଙ୍କ ପାଇଁ । ଏହି ପ୍ରସଙ୍ଗରେ କୌଣସି ପ୍ରକାର ବ୍ୟତିକ୍ରମକୁ ବରଦାସ୍ତ କରାଯିବା ଉଚିତ ନୁହେଁ ।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ କରି କହିଲେଯେ ଦୀର୍ଘବର୍ଷ ଧରି କଂଗ୍ରେସ ଶାସନରେ ନଥିଲେ ମଧ୍ୟ ଆପଣମାନେ ତୃଣମୂଳସ୍ତରରେ ପାହାଡ଼ ଭଳି ଦୃଢ଼ ଭାବରେ ଛିଡାହୋଇଥିବାରୁ ହିଁ କଂଗ୍ରେସ ତିଷ୍ଠି ରହିଛି । ପ୍ରଦେଶ କଂଗ୍ରେସ ପକ୍ଷରୁ ନିକଟରେ ଆୟୋଜିତ ତୁଳସୀ ଯାତ୍ରା, ସଂକୀର୍ତନ ସତ୍ୟାଗ୍ରହ, କଳିଙ୍ଗନଗର ଆଦିବାସୀ ଗଣହତ୍ୟାର ପ୍ରତିବାଦରେ ମହମତୀ ଶୋଭାଯାତ୍ରା ଓ ରାଜ୍ୟବ୍ୟାପୀ ଶ୍ରଦ୍ଧାଞ୍ଜଳୀ ସମାରୋହ ଭାରତଯୋଡ଼ ଓଡ଼ିଶା ପରିବର୍ତନ ଯାତ୍ରା, ହାତସେ ହାତ ଯୋଡ଼ ଯାତ୍ରା, ରାଜ୍ୟବ୍ୟାପି ଜନସମ୍ପର୍କ ପଦଯାତ୍ରା, ଦରଦାମ ବୃଦ୍ଧି ପ୍ରତିବାଦରେ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଇତ୍ୟାଦିର ଅଦ୍ଭୁତପୂର୍ବ ସଫଳତା କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ସାଧାରଣ ଜନତାଙ୍କ ସହଯୋଗରେ ସମ୍ଭବ ହୋଇପାରିଛି । ଆଗାମୀ ଦିନରେ ଡ. ଅଜୟ କୁମାରଙ୍କ ଦିଗଦର୍ଶନରେ ଏହି ୨୪ ବର୍ଷର ଭ୍ରଷ୍ଟାଚାରୀ ବିଜେଡ଼ି ସରକାରକୁ ହଟାଇବାକୁ ସମସ୍ତେ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ ।

ବୈଠକ ପ୍ରାରମ୍ଭରେ ପରଲୋକ ଗମନ କରିଥିବା ପୂର୍ବତନ ବିଧାୟକ ସନ୍ତୋଷ ପ୍ରଧାନ, ରମେଶ ଜେନା, ରବିନ୍ଦ୍ର କୁମାର ଦାସ, ସତ୍ୟବାଦୀ ସ୍ୱାଇଁ, ପ୍ରମିଳା ଆଚାର୍ଯ୍ୟ ପ୍ରମୁଖଙ୍କ ବିୟୋଗରେ ପିସିସି ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ ପ୍ରସ୍ତାବ ଆଗତ କରିଥିଲେ ଏବଂ ଦିବଗଂତ ଆତ୍ମାର ସଦଗତି କାମନା ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା ।

ବୈଠକରେ ରାଜନୈତିକ ପ୍ରସ୍ତାବ ଶ୍ରୀ ସୁରେଶ ମହାପାତ୍ର ଆଗତ କରିଥିବା ବେଳେ କିଶୋର ଜେନା ସମର୍ଥନ କରିଥିଲେ । ଅର୍ଥନୈତିକ ପ୍ରସ୍ତାବ ପଂଚାନନ କାନୁନଗୋ ଆଗତ କରିଥିବା ବେଳେ ଅନନ୍ତ ପ୍ରସାଦ ସେଠୀ ସମର୍ଥନ କରିଥିଲେ । ସେହିଭଳି ବିଜେପି ଓ ବିଜେଡ଼ି ସରକାରଙ୍କ ଦୁର୍ନୀତି ଓ ବିଫଳତା ପ୍ରସ୍ତାବ ସୁଶିଳା ତିରିଆ ଆଗତ କରିଥିବା ବେଳେ ମନଜା ମଞ୍ଜରୀ ଦେବୀ ସମର୍ଥନ କରିଥିଲେ । ଶେଷରେ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ଆଜିର କାର୍ଯ୍ୟକାରିଣୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଜୟ ପଟ୍ଟନାୟକ, ରାମଚନ୍ଦ୍ର ଖୁଂଟିଆ, ସପ୍ତଗିରି ଉଲ୍ଲାକା, ଶରତ ରାଉତ, ସୁଶ୍ରୀ ସୁଶିଳା ତିରିଆ, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ରମେଶ ଜେନା, ଡଃ ଦେବାଶିଷ ପଟ୍ଟନାୟକ, ଦାସରଥି ଗମାଙ୍ଗୋ, ଅଧିରାଜ ପାଣିଗ୍ରାହୀ, କିଶୋର ପଟେଲ, ଅନନ୍ତ ପ୍ରସାଦ ସେଠୀ, ରାଜନ ଏକା, ସୁରେନ୍ଦ୍ର ସିଂ ଭୋଇ, ବିଶ୍ୱ ରଞ୍ଜନ ମହାନ୍ତି, ବିଜୟଲକ୍ଷ୍ମୀ ସାହୁ, ଭୁଜବଳ ମାଝୀ, ସଶ୍ମିତା ବେହେରା, ଜାନକୀ ବଲ୍ଲଭ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ପୃଥିବୀବଲ୍ଲଭ ପଟ୍ଟନାୟକ, ସୁଚରୀତା ମହାନ୍ତି, ରଶ୍ମି ମହାପାତ୍ର, ବେଣୁଧର ପାତ୍ର, କୁମାର ଚିରଞ୍ଜୀବ, ରତ୍ନମଣୀ ଉଲ୍‌କା, ଲିଙ୍ଗରାଜ ଚୌଧୁରୀ, ରାଜକିଶୋର ଷଡଙ୍ଗୀ, ହିମାଂସୁ ଦାସ, ସନତ ଦାସ, ଅମ୍ବିକା ଭଟ୍ଟ, ନକୁଳ ନାୟକ, ହେମନ୍ତ ଦାସ, ଜୟଦେବ ନାୟକ, ବାଙ୍କନିଧି ବେହେରା, ସୁବ୍ରତ ମହାପାତ୍ର, ଅମୀୟ ପଟ୍ଟନାୟକ, ରାଜକିଶୋର ସାହୁ, ବିସ୍ମୟ ମହାପାତ୍ର, ପ୍ରକାଶ ମିଶ୍ର, ମନୋଜ ବିଶ୍ୱାଳ, ତରୁଣ ମିଶ୍ର, ମିନାକ୍ଷୀ ବାହିନୀପତି, ରଶ୍ମି ମହାପାତ୍ର, ଜ୍ଞାନ ପଟ୍ଟନାୟକ, ବିଧୁଭୂଷଣ ତ୍ରିପାଠୀ, ଲଲାଟେନ୍ଦୁ ଦାସ, ଶ୍ରିନିବାସ ରାଉତରାୟ, ମଧୁସ୍ମିତା ଆଚାର୍ଯ୍ୟ, ମହମ୍ମଦ ଗୁଲଫାମ, ନିହାର ବେହେରା, ନିରୁପମା ପାତ୍ର, ସରସ୍ୱତୀ ହେମ୍ବ୍ରମ, ବିଶ୍ୱଭୂଷଣ ଦାସ, ରବିନ୍ଦ୍ର ମଲ୍ଲିକ, ପଦ୍ମାକର ଗୁରୁ, ମଧୁସ୍ମିତା ସେଠୀ, ଚିନ୍ମୟ ସୁନ୍ଦର ଦାସ, ହରଦ୍ୱୀପ ସିଂ, ଦୁର୍ଗାପ୍ରସାଦ ପଣ୍ଡା, ଶଶିକାନ୍ତ ଲେଙ୍କା, ନିପନ ଦାସ, ନାରାୟଣ ଜେନା (ପେନ୍‌ମ୍ୟାନ) ଅମିତା ବିଶ୍ୱାଳ, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ସାନ୍ତାୟନ ମିଶ୍ର, ସଂଗ୍ରାମ ଦାସ, ସୀମାଚଂଳଗିରି ଉଲ୍ଲାକା, ନିରୁପମା ଦାସ, କୁସୁମ ପ୍ରଧାନ, ଶ୍ରୀୟା ମହାନ୍ତି, ଅଜିତ ଜେନା, ବିଳାସିନୀ ନାୟକ, ଦେଓ ପ୍ରସାଦ, ସୁଶାନ୍ତ ବେହେରା, କୈଳାସ ସାହୁ, ତୁଳେଶ୍ୱର ନାୟକ, ଶିଳ୍ପଶ୍ରୀ ହରିଚନ୍ଦନ, ବୁଲ୍‌କି ସେଠ, ଜୟକୃଷ୍ଣ ମଲ୍ଲିଆ,ଜୟଶ୍ରୀ ପାତ୍ର, ହାରାବତି ଗଣ୍ଡ, ପୁଷ୍ମିତା ଦାସ, ଦୀପକ କୁମାର ସାହୁ, ମିତ୍ରଭାନୁ ମହାପାତ୍ର, ରଞ୍ଜିତା ହେମ୍ବ୍ରମ୍‌, ସୁକାନ୍ତ ଦିଗଲ, ଆକବର ଖାଁ ପ୍ରମୁଖ ଯୋଗ ଦେଇଥିଲେ।

କାଲିଠୁ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବଲୋକସେବା ଭବନ ଉଦ୍ୟାନ

ଜାନୁଆରୀ ମାସ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ
ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ
ଆସନ୍ତାକାଲି ରବିବାରରୁ ଆରମ୍ଭ
()ସର୍ବସାଧାରଣଙ୍କ ନିମନ୍ତେ ଚଳିତ ଜାନୁଆରୀ ମାସର ରବିବାର ସମେତ ସମସ୍ତ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ଖୋଲା ରହିବ। ଜନସାଧାରଣ ଏହି ଦିନମାନଙ୍କରେ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଦୁଇ ଘଣ୍ଟା ପାଇଁ ଲୋକସେବା ଭବନକୁ ଆସି ଉଦ୍ୟାନ ପରିଦର୍ଶନ କରିପାରିବେ।

ଜାନୁଆରୀ ୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ

ଜାନୁଆରୀ ୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ

ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଟ୍ରଷ୍ଟ ବୋର୍ଡ ଓ ସେବାୟତଗଣ

ମା’ଙ୍କ ପାଇଁ ପ୍ରତି ଘରୁ ଆସିବ ସିନ୍ଦୁର

ମା’ଙ୍କ କାମରେ ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ

ମା’ଙ୍କ ଆଶୀର୍ବାଦରୁ ସବୁ କାମ ଭଲରେ ହେବ – 5T ଅଧ୍ୟକ୍ଷ

()ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ପୀଠର ଚାଲିଛି ରୂପାନ୍ତରଣ। ଆଗାମୀ ୨୭ ତାରିଖରେ ହେବ ପ୍ରକଳ୍ପର ଲୋକାର୍ପଣ।ଏହି ପରିପ୍ରେକ୍ଷୀରେ ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ ପୂଜାରୀ ମାନେ ନବୀନ ନିବାସ ଆସି ମଙ୍ଗଳାଷ୍ଟକ ଗାନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିଥିଲେ ଏବଂ ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ ଦେଇଥିଲେ ।ମା ଙ୍କ ପୀଠର ରୂପାନ୍ତର ପାଇଁ ସେମାନେ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇଥିଲେ। ସେମାନେ କହିଥିଲେ ଯେ ଲୋକାର୍ପଣ ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସବୁ ଘରକୁ ନଡିଆ ଦିଆଯିବ ଏବଂ ସବୁ ଘରୁ ମା’ଙ୍କ ପାଇଁ ସିନ୍ଦୁର ଆସିବ। ମା’ଙ୍କ କାମରେ ସମସ୍ତଙ୍କ ସହଯୋଗ କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା’ଙ୍କ ପୀଠ ଓ ସମ୍ବଲପୁର ସହରର ଉନ୍ନତି ପାଇଁ ସେ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି କାର୍ଯ୍ୟ ଜାରି ରହିବ।5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମା’ଙ୍କ ଆଶୀର୍ବାଦରୁ ସବୁ କାମ ଭଲରେ ଭଲରେ ଚାଲିଛି ଏବଂ ଆଗକୁ ମଧ୍ୟ ସବୁ କାମ ଭଲରେ ହେବ। ସମସ୍ତଙ୍କ ସହଯୋଗରେ ରୂପାନ୍ତର କାମ ଜାରି ରହିବ।  ସୂଚନାଯୋଗ୍ୟ ଯେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିର ଷୋଡଶ ଶତାଦ୍ଦୀର ଏକ ପ୍ରସିଦ୍ଧ ପୀଠ। ଏହାର ଉନ୍ନତି ପାଇଁ ୨୦୨୧ ମସିହାରେ ମୁଖ୍ୟମନ୍ତ୍ରୀ ସମଲେଇ (Samaleswari Temple Area Management and Local Economy Initiatives) ପ୍ରକଳ୍ପ ଆରମ୍ଭ କରିଛନ୍ତି । ଏଥିପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ଭକ୍ତ ମାନଙ୍କ ପାଇଁ ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି । ମନ୍ଦିର ସହିତ ମହାନଦୀ ଘାଟର ମଧ୍ୟ ଉନ୍ନତିକରଣ କରାଯାଉଛି । ଏହି ପ୍ରକଳ୍ପର ସଠିକ କାର୍ଯ୍ୟାନ୍ବୟନ ପାଇଁ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ ଅନେକ ଥର ସମ୍ବଲପୁର ଯାଇ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିଛନ୍ତି ।ମୁଖ୍ୟମନ୍ତ୍ରୀ ଙ୍କୁ ନିମନ୍ତ୍ରଣ ପୂର୍ବରୁ ସେମାନେ ମା ସମଲେଶ୍ବରୀ ଙ୍କୁ ପୂଜା କରି ମା ପାଟଣେଶ୍ୱରୀ ମା ଦଶମତୀ ମା ବାଟ ମଙ୍ଗଳା ବାବା ସୋମନାଥ ଙ୍କୁ ଏବଂ ଭୁବନେଶ୍ଵର ରେ ଲିଙ୍ଗରାଜ ମହାପ୍ରଭୁ ଙ୍କୁ ନିମନ୍ତ୍ରଣ କରିଥିଲେ.

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ : ଫେବୃଆରୀ ୩ ରୁ ୫

ଫେବୃଆରୀ ୩ ରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

ସମ୍ମିଳନୀର ବିପୁଳ ସଫଳତା ପାଇଁ ସବୁ ସଂପୃକ୍ତ ବିଭାଗ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହିତ ସମନ୍ବୟ ରକ୍ଷା କରି କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ରୂପରେଖ ସଂପର୍କରେ ଆଲୋଚନା ହେବ

ଏହି ସମ୍ମିଳନୀକୁ ଆଧାର କରି ଓଡିଆ ଭାଷାର ଉନ୍ନତି ଓ ଲୋକପ୍ରିୟତା ବୃଦ୍ଧି ପାଇଁ ସରକାର ନେବେ ପଦକ୍ଷେପ

()ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ। ଏହି ସମ୍ମିଳନୀ ଆୟୋଜନ କରାଯିବା ନିମନ୍ତେ ଗତ ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।ଏହି ସମ୍ମିଳନୀ ଯେପରି ବିପୁଳ ସଫଳତା ହାସଲ କରିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଆରୋପ କରିଛନ୍ତି । ଏଥିପାଇଁ ସବୁ ସଂପୃକ୍ତ ବିଭାଗ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହିତ ସମନ୍ବୟ ରକ୍ଷା କରି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ଏହି ଭାଷା ସମ୍ମିଳନୀ ଓଡ଼ିଆ ଅସ୍ମିତାର ପରିଚୟ ହେବ। ଶାସ୍ତ୍ରୀୟ ଭାଷା ଓଡ଼ିଆକୁ ଆହୁରି କିପରି ଲୋକପ୍ରିୟ କରାଯିବ ଏ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରାଯିବ । ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତି ଓ ପ୍ରଯୁକ୍ତି ବିଦ୍ୟା ଯୁଗରେ ଏହି ଭାଷା ସମ୍ମିଳନୀ ଯୁବପିଢ଼ିଙ୍କୁ ଓଡ଼ିଆ ଭାଷା ପ୍ରତି ଆକର୍ଷିତ କରିବ । ଏହି ସମ୍ମିଳନୀରେ ଓଡ଼ିଆ ଭାଷାର ପ୍ରାଚୀନତା ଓ ଭବିଷ୍ୟତର ପ୍ରାସଙ୍ଗିକତା ଉପରେ ଅନେକ ତର୍କ ଭିତ୍ତିକ ଓ ମାର୍ମିକ ତର୍ଜମା କରାଯିବ । ଦେଶ ବିଦେଶରେ ରହୁଥିବା ଓଡ଼ିଆ ଭାଷାବିତ୍‌ ମାନେ ଯୋଗ ଦେଇ ଓଡ଼ିଆ ଭାଷାର Antiquity (ସର୍ବ ପ୍ରାଚୀନତା) ଓ Continuity (ନିରନ୍ତରତା) ସମ୍ପର୍କରେ ବିଭିନ୍ନ ପର୍ଯ୍ୟାୟ ଭିତ୍ତିକ ଆଲୋଚନା କରିବେ । ଏଥିରେ ଓଡ଼ିଆ ଭାଷାର ଉତ୍ପତ୍ତି, କ୍ରମବିକାଶ ଓ ଲୋକପ୍ରିୟତା ଉପରେ ସାରଗର୍ଭକ ଆଲୋଚନାମାନ ଅନୁଷ୍ଠିତ ହେବ । ଏଥିସହ ବିଶେଷଜ୍ଞ ମାନେ ଏହି ତିନି ଦିନରେ ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ରୂପରେଖ ଉପରେ ତଥ୍ୟ ଭିତ୍ତିକ ଉପସ୍ଥାପନ କରିବେ । ସମ୍ମିଳନୀରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ ତଥା ସବୁ ବର୍ଗର ବ୍ୟକ୍ତିବିଶେଷ ଯୋଗଦେବେ। ଓଡ଼ିଆ ଭାଷାକୁ ଅଭିନବ ଭାବେ କିଭଳି ଶିଖି ହେବ ଏ ସମ୍ପର୍କରେ ମଧ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଏହି ସମ୍ମିଳନୀ ବିଶ୍ୱର କଣ ଅନୁକୋଣରେ ରହୁଥିବା ଓଡ଼ିଆ ଭାଷାଭାଷୀ ମାନଙ୍କ ନିମନ୍ତେ ଏକ ନୂତନ ଆଲୋକବର୍ତ୍ତିତା ହେବ ।

ବଲାଙ୍ଗୀରର ବିକାଶରେ ନୂଆ ଇତିହାସ :ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀରର ବିକାଶରେ ନୂଆ ଇତିହାସ

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଓଡିଶାର ନବମ ସର୍ବବୃହତ ବନ୍ଧ

୨୦୧୯ରୁ 5T ଉପକ୍ରମରେ ପ୍ରକଳ୍ପ ତ୍ବରାନ୍ବିତ କରାଯାଇ କାମ ସଂପୂର୍ଣ୍ଣ କରାଯାଇଛି

ବଲାଙ୍ଗୀର, ସୋନପୁରର ୨୦୩ଟି ଗାଁର ଏକ ଲକ୍ଷ ଏକର ଚାଷ ଜମି ଜଳସେଚିତ ହେବ, ୮୦ ହଜାର ଚାଷୀ ଉପକୃତ ହେବେ, ପାନୀୟ ଜଳର ସୁବିଧା ମଧ୍ୟ ମିଳିବ

ଭୂତଳ ପାଇପ ଲାଇନ ଜରିଆରେ ଜଳସେଚନ କରାଯିବ, ଜଳସେଚନ ପାଇଁ କୌଣସି ବିସ୍ଥାପନ ହେବ ନାହିଁ

ବିସ୍ଥାପିତ ୨୯ଟି ଗାଁର ଲୋକଙ୍କ ତ୍ୟାଗକୁ ମୁଁ ସମ୍ମାନ ଜଣାଉଛି, ସେମାନଙ୍କ ତ୍ୟାଗ ସବୁଦିନ ମନେ ରହିବ

୨୫୨୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ

୨୨୨୦ କୋଟି ଟଙ୍କା – ୧୧୨ଟି ପ୍ରକଳ୍ପ – ଭିତ୍ତିପ୍ରସ୍ତର ସ୍ଥାପିତ

୩୦୫ କୋଟି ଟଙ୍କା – ୬୯ଟି ପ୍ରକଳ୍ପ – ଉଦ୍‌ଘାଟିତ

5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ଅଗଷ୍ଟ ମାସରେ ବଲାଙ୍ଗୀର ଆସି ବିକାଶ କାମ ତ୍ବରାନ୍ବିତ କରିବା ପାଇଁ ଲୋକଙ୍କ ସହିତ ଆଲୋଚନା କରିଥିଲେ

ବଲାଙ୍ଗୀରର ଜଳସେଚନ, କୃଷି କ୍ଷେତ୍ରରେ ଆସିବ ରୂପାନ୍ତର, ଜିଲ୍ଲାର ବିକାଶରେ ନୂଆ ଯୁଗ ଆସିବ – ମୁଖ୍ୟମନ୍ତ୍ରୀ

() ନୂଆ ବର୍ଷରେ ମୋର ପ୍ରଥମ ଗସ୍ତ ବଲାଙ୍ଗୀରରୁ ଆରମ୍ଭ କରି ମୁଁ ବହୁତ ଖୁସି। ଆପଣମାନେ ଖୁସି ତ?…… ଲୋକଙ୍କ ଉତ୍ସସିତ ଧ୍ବନି, କରତାଳି ଓ ହୁଳହୁଳି ମଧ୍ୟରେ ମୁଖ୍ୟମନ୍ତ୍ରୀ ଆଜି ବଲାଙ୍ଗୀରରେ ଲୋୟର ସୁକତେଳ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋୟର ସୁକତେଲ ପ୍ରକଳ୍ପ ଦ୍ବାରା ବଲାଙ୍ଗୀରର ଚାଷୀଭାଇ ମାନଙ୍କର ଜଳ କଷ୍ଟ ଦୂର ହେଲା । ସୁକତେଲ ପ୍ରକଳ୍ପ ବଲାଙ୍ଗୀରର ଜଳସେଚନ କ୍ଷେତ୍ରରେ, କୃଷି କ୍ଷେତ୍ରରେ ରୂପାନ୍ତର ଆଣିବ ବୋଲି ସେ ମତ ଦେବା ସହିତ କହିଥିଲେ ଯେ ଚାଷୀର ବିକାଶରେ ରାଜ୍ୟର ବିକାଶ। ବଲାଙ୍ଗୀର ଜିଲ୍ଲାର ବିକାଶରେ ଏହି ପ୍ରକଳ୍ପ ନୂଆ ଯୁଗ ଆଣିବ।ସଚନାଯୋଗ୍ୟ ଯେ ଏହି ପ୍ରକଳ୍ପ ରାଜ୍ୟର ନବମ ସର୍ବବୃହତ ବନ୍ଧ । ଏହାର ଉଚ୍ଚତା ୩୧ ମିଟର। ଏହାଦ୍ବାରା ବଲାଙ୍ଗୀର ଓ ସୋନପୁର ଦୁଇ ଜିଲ୍ଲାର ୨୦୩ଟି ଗାଁ ର ଏକ ଲକ୍ଷ ଏକର ଜମିକୁ ପାଣି ମିଳିବ। 80ହଜାର ରୁ ଅଧିକ ଚାଷୀ ଉପକାର ପାଇବେ । ଜିଲ୍ଲାର 70ହଜାର ରୁ ଅଧିକ ଲୋକ ପିଇବା ପାଣି ସୁବିଧା ମଧ୍ୟ ପାଇବେ |  ୨୦୧୯ ମସିହାରୁ 5T ଉପକ୍ରମରେ ପ୍ରକଳ୍ପ ତ୍ବରାନ୍ବିତ କରାଯାଇ କାମ ସଂପୂର୍ଣ୍ଣ କରାଯାଇଛି । Technologyର ବ୍ୟବହାର କରାଯାଇ Pressurised Underground Pipeline ଜରିଆରେ ଜଳସେଚନର ବ୍ୟବସ୍ଥା କରାଯାଉଛି। ଏହାଦ୍ବାରା ଜଳସେଚନ ପାଇଁ କୌଣସି ବିସ୍ଥାପନ ହେବ ନାହିଁ ।ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ କୃଷକ ରାଜ୍ୟ ଅର୍ଥନୀତିର ସାରଥି । ଚାଷୀ ଭାଇ ମାନଙ୍କୁ ସାଥିରେ ଧରି ଆମେ ଆଗକୁ ବଢୁଛୁ । ମୁଁ ସବୁବେଳେ ଚାଷୀ ଭାଇମାନଙ୍କ ସାଥିରେ ଅଛି । ସେମାନଙ୍କ ପାଇଁ କାଳିଆ, ଏକ ଲକ୍ଷ ଟଙ୍କାର ବିନା ସୁଧରେ ଋଣ, ମାଗଣା ଫସଲ ବୀମା ଚାଷୀ ଘର ପିଲାଙ୍କ ପାଇଁ scholarship ଏବଂ ଆହୁରି ଅନେକ ଯୋଜନା ଜାରି ରହିଛି।ବିସ୍ଥାପିତ ଗାଁର ଲୋକମାନଙ୍କ ତ୍ୟାଗକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ପ୍ରକଳ୍ପ ପାଇଁ ୨୯ଟି ଗାଁର ଲୋକମାନେ ବହୁତ ବଡ ତ୍ୟାଗ କରିଛନ୍ତି। ସେମାନଙ୍କ ତ୍ୟାଗକୁ ମୁଁ ସମ୍ମାନ ଜଣାଉଛି। ବଲାଙ୍ଗୀର ବିକାଶ ପାଇଁ ସେମାନଙ୍କ ତ୍ୟାଗ ସବୁଦିନ ମନେ ରହିବ।  ଆଜି ମଧ୍ୟ ବଲାଙ୍ଗୀର ଜିଲ୍ଲାର ବିକାଶ ପାଇଁ ଅନେକ କାମ ଆରମ୍ଭ ହେଲା । ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି, tourismର ଉନ୍ନତି, communicationର ଉନ୍ନତି, କ୍ରୀଡାର ଉନ୍ନତି ସହିତ heritageର ବିକାଶ ଓ ସୁରକ୍ଷା ପାଇଁ ଅନେକ ପ୍ରକଳ୍ପ ଆରମ୍ଭ ହେଲା ବୋଲି ସେ କହିଥିଲେ। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ପାଇଁ ୨୫୨୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ୨୨୨୦ କୋଟି ଟଙ୍କା ବ୍ୟୟରେ ୧୧୨ଟି ଭିତ୍ତିଭୂମି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିବା ବେଳେ, ୩୦୫ କୋଟି ଟଙ୍କା ବ୍ୟୟରେ ୬୯ଟି ଭିତ୍ତିଭୂମି ପ୍ରକଳ୍ପର ଉଦ୍‌ଘାଟନ କରାଯାଇଥିଲା ।ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ 5T ଅଧ୍ୟକ୍ଷ ମୋ ନିର୍ଦ୍ଦେଶରେ ଅଗଷ୍ଟ ମାସରେ ଆସିଥିଲେ। ଆପଣମାନଙ୍କୁ ଭେଟିଥିଲେ। ଆପଣମାନଙ୍କ ସହିତ ବିକାଶ କାମ ବିଷୟରେ ଆଲୋଚନା କରିଥିଲେ। ଆପଣମାନଙ୍କ ମତକୁ ସମ୍ମାନ ଜଣାଇ ଆମେ କାମ କରୁଛୁ।ବଲାଙ୍ଗୀରର ବିକାଶ ଉପରେ ଆଲୋକପାତ କରି ସେ କହିଲେ ଯେ, ଏବେ ବଲାଙ୍ଗୀର ଜିଲ୍ଲା ଶିକ୍ଷା, ସ୍ବାସ୍ଥ୍ୟ ଓ ଭିତ୍ତିଭୂମି କ୍ଷେତ୍ରରେ ଜୋରଦାର ଉନ୍ନତି କରୁଛି । ହରିଶଙ୍କର ପୀଠ ସହିତ ଜିଲ୍ଲାର ମଠ ମନ୍ଦିରର ରୂପାନ୍ତର କାମ ଚାଲିଛି। ଏବେ କୃଷି କ୍ଷେତ୍ରରେ ଉନ୍ନତି ସହିତ ଜିଲ୍ଲାରେ ରୂପାନ୍ତରର ଏକ ନୂଆ ଯୁଗ ଆସିବ। ମୋର ବିଶ୍ବାସ, ଆପଣମାନଙ୍କ ସହଯୋଗରେ, ବଲାଙ୍ଗୀର ରାଜ୍ୟର ବିକାଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ସେ କହିଥିଲେ। ଏହି ଅବସରରେ ଜଳସଂପଦ ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଲେ ଯେ ବଲାଙ୍ଗୀର ଜିଲ୍ଲାର ଜନସାଧାରଣଙ୍କ ବହୁ ଦିନର ସ୍ବପ୍ନକୁ ମୁଖ୍ୟମନ୍ତ୍ରୀ ଆଜି ପୂରଣ କରିଛନ୍ତି । ଲୋୟର ସୁକତେଲ ଆଜି ବଲାଙ୍ଗୀରବାସୀଙ୍କ ପାଇଁ ସୁଖର ସୁକତେଲରେ ପରିଣତ ହୋଇଛି । ଏହି ପ୍ରକଳ୍ପ କାର୍ଯ୍ୟାନ୍ବୟନକୁ ତ୍ବରାନ୍ବିତ କରିବା କ୍ଷେତ୍ରରେ 5T ଅଧ୍ୟକ୍ଷଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ ।ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ବଲାଙ୍ଗୀର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ, ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, ବଲାଙ୍ଗୀର ବିଧାୟକ ଶ୍ରୀ ନରସିଂହ ମିଶ୍ର, ପାଟଣାଗଡ ବିଧାୟକ ତଥା ବଲାଙ୍ଗୀର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ସରୋଜ ମେହେର, ଲୋଇସିଂଘା ବିଧାୟକ ଶ୍ରୀ ମୁକେଶ ମହାଲିଙ୍ଗ, ରାଜ୍ୟ ଗୃହ ନିର୍ମାଣ ବୋର୍ଡର ଅଧ୍ୟକ୍ଷ ଶ୍ରୀ କଲିକେଶ ନାରାୟଣ ସିଂହଦେଓ, ବଲାଙ୍ଗୀର ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ ।ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news