ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର…

() ଭାରତ ହେଉଛି ଦେବଭୂମି। ଏହି ଭୂମି ଅନେକ ଦେବଦେବୀଙ୍କୁ ଜନ୍ମ ଦେଇଛି। ସମସ୍ତଙ୍କ ମଧ୍ୟରେ ସୁରବୀର, ବିଷ୍ଣୁ ଅବତାରୀ ଶ୍ରୀରାମ ଅନ୍ୟତମ। ରାମଙ୍କୁ ନେ‍ଇ ଅନେକ ପ୍ରଥା, ପରମ୍ପରା ଓ ପର୍ବ-ପର୍ବାଣୀ ଯୋଡି ହୋଇ ରହିଛି। ସେଥିରୁ ‘ରାମ ନବମୀ’ ହେଉଛି ଗୋଟିଏ। ପୌରାଣିକ କଥାବସ୍ତୁ ଅନୁସାରେ ଖ୍ରୀ:ପୂ: ୫୧୧୪ରେ ଭଗବାନ ଶ୍ରୀରାମ ଚୈତ୍ରମାସ ଶୁକ୍ଳ ପ‍‍‍‍କ୍ଷ ନବମୀ ତିଥିରେ ଅଯୋଧ୍ୟାରେ ଦଶରଥ ଓ କୌଶଲ୍ୟାଙ୍କ ପୁତ୍ର ଭାବେ ଜନ୍ମ ନେଇଥିଲେ। ଏହି ଦିନଟିକୁ ସ୍ମୃତି କରିବା ନେ‍ଇ ସାରା ଭାରତରେ ‘ରାମ ନବମୀ’କୁ ଉତ୍ସାହର ସହ ପାଳନ କରାଯାଏ।

‘ରାମ’ ଶବ୍ଦଟି ଯେତେ ସୁନ୍ଦର ଏହା ଠାରୁ କେତେ ମହତ୍ତ୍ଵପୂର୍ଣ୍ଣ ଏହି ନାମର ଉଚ୍ଚାରଣ। ‘ରାମ’ କହିବା ମାତ୍ରେ ଶରୀର ଓ ମନରେ ଆସେ ଅଲଗା ପ୍ରତିକ୍ରିୟା ଯାହା ଆମ ଆତ୍ମାକୁ ଶାନ୍ତି ଦେଇଥାଏ I ହିନ୍ଦୁ ଧର୍ମର ଚାରୋଟି ଆଧାରର ସ୍ତମ୍ଭ ମଧ୍ୟରୁ ପ୍ରଭୁ ଶ୍ରୀରାମ ହେଉଛନ୍ତି ଅନ୍ୟତମ। ଭଗବାନ ଶ୍ରୀରାମ ଆଦର୍ଶ ଚରିତ୍ର ଭାବରେ ସମାଜକୁ ଏକ ସୂତ୍ରରେ ବାନ୍ଧିଥିଲେ । ଧାର୍ମିକ ପୁରାଣ ଗୁଡ଼ିକ ଅନୁସାରେ ତ୍ରେତୟା ଯୁଗରେ ରାବଣର ଅତ୍ୟାଚାର ଗୁଡ଼ିକୁ ସମାପ୍ତ କରି ଧର୍ମର ପୁନଃ ସ୍ଥାପନା କରିବା ପାଇଁ ଚୈତ୍ର ଶୁକ୍ଳ ପକ୍ଷର ନବମୀ ତିଥିରେ ଭଗବାନ ରାମ ଅଯୋଧ୍ୟା ଠାରେ ଜନ୍ମଗ୍ରହଣ କରିଥିଲେ।

ଏହିଦିନ ପ୍ରତ୍ୟେକ ହିନ୍ଦୁ ଘରେ ଓ ରାମ ମନ୍ଦିରରେ ରାମାୟଣ ପାଠ କରିବା ସହ ପୂଜା, ହୋମ ଆଦି କରିଥାନ୍ତି। ଅନେକ ମହିଳା ଓ ଶିଶୁ ରାମଙ୍କ ମୂର୍ତ୍ତିକୁ ସ୍ନାନ କରାଇ, ନୂତନ ବସ୍ତ୍ର ପିନ୍ଧାଇ ଦୋଳରେ ଝୁଲାନ୍ତି। କିଛି ସଂସ୍ଥା ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରିଥାନ୍ତି। ଏହିଦିନ ମହିଳାମାନେ ବ୍ରତ ରଖି ଉପବାସ ମଧ୍ୟ କରିଥାନ୍ତି। ‘ରାମ ନବମୀ’ କେବଳ ଭାରତ ନୁହେଁ। ବରଂ, ବିଦେଶରେ ରହୁଥିବା ହିନ୍ଦୁ ସମୁଦାୟ ମଧ୍ୟ ମହାଆନନ୍ଦର ସହିତ ପାଳନ କରିଥାନ୍ତି। ବିଶ୍ୱାସ ରହିଛି ଯେ, ଏହିଦିନ ଯେଉଁମାନେ ଉପବାସ ରୁହନ୍ତି ସେମାନଙ୍କ ଉପରେ ଖୁସି ଓ ସୌଭାଗ୍ୟ ବର୍ଷା ବରଷି ଯାଏ। ସେମାନଙ୍କ ଧୈର୍ଯ୍ୟର ବିକାଶ ହୋଇଥାଏ। ଏହା ସହିତ ବିଚାର ଶକ୍ତି, ବୁଦ୍ଧି, ଶ୍ରଦ୍ଧା, ଭକ୍ତି ଓ ପବିତ୍ରତାର ମଧ୍ୟ ବିକାଶ ହୋଇଥାଏ।

ଚାଲନ୍ତୁ ପବିତ୍ର ଶ୍ରୀରାମନବମୀ ଅବସରରେ ଆମେ ସମସ୍ତେ  ଶପଥ ନେବା । ପ୍ରଭୁ ଶ୍ରୀରାମ ଯେପରି ପିତୃସତ୍ୟ ପାଳନ କରିଥିଲେ ଓ ସ୍ବାମୀର କର୍ତ୍ତବ୍ୟ ପାଳନ କରି ସୀତାଙ୍କୁ ଉଦ୍ଧାର କରିଥିଲେ, ଆମ୍ଭେମାନେ ସେହିପରି ଭାବରେ କର୍ତ୍ତବ୍ୟ ସମ୍ପାଦନ କଲେ ଆମ ସମାଜର ପରବର୍ତ୍ତୀ ପିଢ଼ି ସୁସ୍ଥ ସମାଜ ଗଠନ କରି ଉନ୍ନତ ପରମ୍ପରା ସୃଷ୍ଟି କରିବ।

ନୟାଗଡ଼ରୁ ବିଶ୍ଵ ଦରବାର….

() ଓଡ଼ିଶାର ଏକ ସ୍ବତନ୍ତ୍ର ତଥା ସୁଆଦିଆ ମିଠା ହେଉଛି ଛେନାପୋଡ଼। ଛେନାପୋଡ଼ର ଆକ୍ଷରିକ ଅର୍ଥ ହେଉଛି ପୋଡ଼ା ଯାଇଥିବା ଛେନା ବା ପୋଡ଼ିକରି ତିଆରି କରାଯାଇଥିବା ଛେନାରେ ତିଆରି ଏକ ମିଠା। ବାଦାମୀ ହେବାଯାଏଁ ଏହାକୁ ପୋଡ଼ାଯାଇ ତିଆରି କରାଯାଇଥାଏ । ଘରେ ଘରେ ପରିଚିତ ଏହି ମିଠାକୁ ସବୁ ବର୍ଗର ଲୋକେ ପସନ୍ଦ କରିଥାନ୍ତି। ଓଡ଼ିଆଙ୍କ ପ୍ରିୟ ମିଠାର ସ୍ବାଭିମାନକୁ ବଞ୍ଚାଇବାକୁ ପ୍ରତିବର୍ଷ ଏପ୍ରିଲ ୧୧ ତାରିଖକୁ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି। ଏହି ଦିନଟି ହେଉଛି ଛେନାପୋଡ଼ର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମଦିନ। ନୟାଗଡ଼ ମାଟିରୁ ଜନ୍ମ ନେଇଥିବା ଛେନାପୋଡ଼ ଆଜି ବିଶ୍ୱ ଦରବାରରେ ନିଜର ପରିଚୟ ସୃଷ୍ଟି କରିଛି। ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଛେନାପୋଡ଼ ପଛରେ ନୟାଗଡ଼ର ଏକ ସ୍ୱତନ୍ତ୍ର ଅବଦାନ ରହିଛି। ସ୍ୱାଧୀନତା ପୂର୍ବରୁ ନୟାଗଡ଼ ଛେନାପୋଡ଼ ଜନ୍ମ ନେଇଥିଲା। ଛେନାପୋଡ଼ ପଛରେ ରହିଛି ଏକ ରୋଚକ କାହାଣୀ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ସାତପାଟଣା ଗ୍ରାମରେ ୧୯୩୧ ଏପ୍ରିଲ୍‌‌ ୧୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଛେନାପୋଡ଼ର ଜନ୍ମଦାତା ସୁଦର୍ଶନ ସାହୁ। ଥରେ ସେ ତାଙ୍କ ଦୋକାନରେ ବଳକା ଛେନାକୁ ଗୁଡ଼ ମିଶାଇ ତାହାକୁ ସାରା ରାତି ଚୁଲି ଉପରେ ରଖି ଦେଇଥିଲେ। ଯାହା ତାହା ପର ଦିନ ସକାଳେ ଛେନାପୋଡ଼ ରୂପ ନେଇଥିଲା। ନୟାଗଡ଼ କଚେରୀ ବଜାରରେ ଦଶପଲ୍ଲା ହୋଟେଲ ଆରମ୍ଭ କରିଥିଲେ। ଥରେ କିଛି ବଳକା ଛେନାକୁ ନେଇ ତିଆରି କରିଥିଲେ ନୂଆ ପ୍ରକାରର ଏକ ମିଠା ଦ୍ରବ୍ୟ। ଯାହାକୁ ସେ ଛେନାପୋଡ଼ ନାମ ଦେଇଥିଲେ। ୨୦୨୨ ମସିହାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ହେଲପିଙ୍ଗହ୍ୟାଣ୍ଡ’ ପ୍ରଥମ ଥର ପାଇଁ ସୁଦର୍ଶନଙ୍କ ଜନ୍ମଦିନ ଏପ୍ରିଲ ୧୧କୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ ଆରମ୍ଭ କରିଥିଲା।

ସାଧାରଣ ସୁବିଧାରୁ ବଂଚିତ ଶିଶୁମାନଙ୍କର ସୋଆ କମ୍ୟୁନିଟି ରେଡ଼ିଓ ପରିଦର୍ଶନ

ଭୁବନେଶ୍ୱର, ଏପ୍ରିଲ୍ ୯: ସାଧାରଣ ମାନର ଜୀବନଯାପନ ଅଧିକାରରୁ ବଂଚିତ ପନ୍ଦର ଜଣ ଶିଶୁ ଗତ ଶନିବାର ଦିନ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ବୁଲି ଦେଖିବା ସହ ରେଡ଼ିଓ ମାଧ୍ୟମରେ ନିଜର ଜୀବନର ଅନୁଭୂତି ବଖାଣିବା ସହ ନିଜର ଉତମ ଭବିଷ୍ୟତ ନେଇ ଆଶା ପ୍ରକାଶ କରିଛନ୍ତି । ପ୍ରଥମ ଥର ପାଇଁ କୌଣସି ରେଡ଼ିଓ ଷ୍ଟେସନ୍‌କୁ ଆସି ଅଭିଭୁତ ହୋଇପଡ଼ିବା ସହ ଦୈନନ୍ଦିନ ଜୀବନରେ ସେମାନେ କିଭଳି ରାଜରାସ୍ତାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ସମ୍ମାନର ସହ ସାଧାରଣ ଜୀବନ ବଂଚିବା ପାଇଁ କିଭଳି ସଂଘର୍ଷ କରୁଛନ୍ତି ସେ ନେଇ ଏହି କାର୍ଯ୍ୟକ୍ରମରେ ନିଜ ଅନୁଭୂତି ବଖାଣି ଥିଲେ ।

ଦଶମ ଶ୍ରେଣୀରେ ପଢ଼ୁଥିବା ୧୫ ବର୍ଷୀୟା ଲକ୍ଷ୍ମୀ ରେଡ୍ଡୀ ଜଣେ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ୧୨ ବର୍ଷର କାହ୍ନା ସିଂ କିଭଳି ନିଶାଗ୍ରସ୍ତ ହୋଇ ପରେ ଏହି ରାକ୍ଷାସ କବଳରୁ ମୁକୁଳି ପାରିଥିଲେ ତାହା ବର୍ଣ୍ଣନା କରିଥିଲେ ।

ଏହି ପିଲାମାନେ ରେଡ଼ିଓ ଜକି (ଆର୍‌ଜେ)ଙ୍କ ସାମ୍ନାରେ ନିଶା ଆସକ୍ତି, ବାଲ୍ୟ ବିବାହ, ଯୌନ ନିର୍ଯ୍ୟାତନା ଏବଂ ଶିଶୁ ଶ୍ରମିକ ଭାବେ ସେମାନଙ୍କ ଅନୁଭୂତି ଓ ଚିନ୍ତାଧାରା ବଖାଣି ଥିଲେ । ଆମେ ଆମ ଇଚ୍ଛାରେ ଏହା କରିନାହୁଁ ମାତ୍ର ପରିସ୍ଥିତି ଆମକୁ ଏଭଳି ଅବସ୍ଥାକୁ ଆଣିଛି ବୋଲି ଜଣେ କହିଥିଲେ ।

ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ର ଅଫିସର ଇନ୍‌ଚାର୍ଜ ଶ୍ରୀମତି ହନୀ ପଟ୍ଟନାୟକ କହିଛନ୍ତି ଯେ ଏଭଳି ରେଡ଼ିଓ କାର୍ଯ୍ୟକ୍ରମରେ ଭାଗ ନେବା ଦ୍ୱାରା ଏହି ପିଲାମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ବଢ଼ିବ । ଏହି ମାଧ୍ୟମ ଦ୍ୱାରା ଆମେ ଏଭଳି ପିଲାମାନଙ୍କୁ ଉତମ ମଣିଷ ହେବାରେ ସାହାଯ୍ୟ କରିବାକୁ ଚେଷ୍ଟା କରୁଛୁ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ପିଲାମାନଙ୍କୁ ଏକ ସ୍ୱେଚ୍ଛାସେବୀ ସଂଗଠନ ସାହାଯ୍ୟ କରିଥିଲେ ।

ସମ୍ ହସ୍ପିଟାଲ୍‌ରେ ଯକ୍ଷ୍ମା ରୋଗ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ୨୯ ମାର୍ଚ୍ଚ: ଯକ୍ଷ୍ମା ଅର୍ଥାତ ଟ୍ୟୁବରକ୍ୟୁଲୋସିସ୍ ସମ୍ପୂର୍ଣ୍ଣ ଆରୋଗ୍ୟସାଧ୍ୟ ଓ ଉପଯୁକ୍ତ ଚିକିତ୍ସା ଦ୍ୱାରା ରୋଗୀ ସୁସ୍ଥ ହୋଇପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଯକ୍ଷ୍ମା ଦିବସ ପରିପ୍ରେକ୍ଷୀରେ ଏକ ସପ୍ତାହ ବ୍ୟାପୀ ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠିତ ସିଏମ୍‌ଇରେ ଯକ୍ଷ୍ମାରେ ପୀଡ଼ିତ ବ୍ୟକ୍ତିବିଶେଷଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ଚିକିତ୍ସା ଓ ଔଷଧ ସେବନ ଉପରେ ଗୁରୁତ୍ୱ ଦେଇଛନ୍ତି ହସ୍ପିଟାଲ୍‌ର ପିଜି ଡିପାର୍ଟମେଂଟ ଅଫ୍ ରେସ୍‌ପିରେଟୋରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ବନାନୀ ଜେନା ।

ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେବା ଅବସରରେ ପ୍ରଫେସର ଜେନା କହିଛନ୍ତି ଯେ ମଧୁମେହ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଯକ୍ଷ୍ମା ସମସ୍ୟା ଦେଖାଦେଇଥାଏ । ତେଣୁ ଏହି ଦୁଇଟି ସମସ୍ୟାର କିଭଳି ଚିକିତ୍ସା କରାଯାଇପାରିବ ସେ ନେଇ ସଚେତନତା ସୃଷ୍ଟି କରିବା ହିଁ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ପ୍ରଫେସର ଜେନା କହିଛନ୍ତି ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର ହସ୍ପିଟାଲ୍‌ରେ ଖୁବ୍ ଶୀଘ୍ର ଯକ୍ଷ୍ମା ରୋଗର ଚିହ୍ନଟ ନିମନ୍ତେ ଏକ ଜେନମ୍ ସିକ୍ୱେନ୍ସି ଲ୍ୟାବ୍ ପ୍ରସ୍ତୁତ କରାଯିବା ସହ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏକ ମଲ୍ଟି ଡ୍ରଗ୍ ରେଜିଷ୍ଟାନ୍ସ ଟିବି ୱାର ଆରମ୍ଭ କରାଯିବ ବୋଲି କହିଥିଲେ । ଏଥି ସହିତ ଟିବିକୁ ରୋକିବାରେ ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସଚେତନତା କାର୍ଯ୍ୟକ୍ରମ ଉପଯୁକ୍ତ ପନ୍ଥା ପ୍ରସ୍ତୁତ କରାଗଲେ ଟିବି ହାରିବ ଓ ଦେଶ ଜିତିବ ବୋଲି କହିଥିଲେ ।

ଏହି ଅବସରରେ ରାଜମହେନ୍ଦ୍ରୀ ସ୍ଥିତ ଜିଏସ୍‌ଏଲ୍ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍‌ର ଟିବି ଆଣ୍ଡ ଚେଷ୍ଟ ଡିଜିଜେସ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସୋମନାଥ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଟିବି ଓ ଡାଇବିଟିସ୍ କିଭଳି ଜଣେ ରୋଗୀ ଉପରେ ଭାରି ପଡ଼େ ଓ ଏହାକୁ ନିରାକରଣ କରିବା ନେଇ ଉପଯୁକ୍ତ ଚିକିତ୍ସା ଓ ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ ।

ଆୟୋଜିତ ସିଏମ୍‌ଇରେ ଏଣ୍ଡୋକ୍ରାଇନୋଲୋଜି ଆଣ୍ଡ ମେଟାବୋଲିଜିମ୍ ବିଭାଗର ପ୍ରଫେସର ଜୟଶ୍ରୀ ସ୍ୱାଇଁ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ହେଡ କ୍ୱାର୍ଟର୍‌ର ଏନ୍‌ଟିଇପି କନ୍‌ସଲ୍‌ଟାଂଟ ଡାକ୍ତର ସୁବ୍ରତ ପଣ୍ଡା ମଧ୍ୟ ଯକ୍ଷ୍ମା ସମ୍ପର୍କିତ ତଥ୍ୟ ଉପସ୍ଥାପନା କରିଥିଲେ ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଓଏସ୍‌ଡି ଶ୍ରୀ ପ୍ରହଲ୍ଲାଦ ମହାନ୍ତି, ସୋଆର ଚିଫ୍ ଫାସିଲିଟେଟିଂ ଅଫିସର ଶ୍ରୀମତି ପ୍ରତିମା ରାଉତରାୟ, ଫାୟାର ଅଫିସର ଶ୍ରୀ ଏ.ଟି ବସ୍ତିଆ, ଏଓ, ସିକ୍ୟୁରିଟି ଶ୍ରୀ ପି.ସି ପଣ୍ଡା, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଏଏନ୍‌ଏସ୍ ଶ୍ରୀମତି ରଶ୍ମିତା ସ୍ୱାଇଁ, ଏଏନ୍‌ଏମ୍ ସୁଶ୍ରୀ ଶୁଭସ୍ମିତା ସାହୁ, ଷ୍ଟାଫ୍ ନର୍ସ ସୁଶ୍ରୀ ନମିତା ନାୟକ ଓ ଶ୍ରୀମତି ଶୁଭଲକ୍ଷ୍ମୀ ଖୁଂଟିଆ ପ୍ରମୁଖଙ୍କୁ ସମ୍ମାନତ କରାଯାଇଥିଲା ।

ଆୟୋଜିତ କାର୍ଯ୍ୟକ୍ରମରେ ଆସୋସିଏଟ ପ୍ରଫେସର ଡାକ୍ତର ପ୍ରୀତମ ଛୋଟରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

ହସ୍ପିଟାଲ୍‌ର ପଲ୍‌ମୋନାରୀ ବିଭାଗର ପ୍ରଫେସର ରାଖି ଲୁଦାମ୍‌, ପ୍ରଫେସର ପ୍ରିୟଦର୍ଶିନୀ ବେହେରା, ଆସୋସିଏଟ୍ ପ୍ରଫେସର, ଡାକ୍ତର ସଂଗୀତା ଜେନା, ଡାକ୍ତର ସୋନାଲୀ ପରିଡ଼ା, ଡାକ୍ତର ପ୍ରୀତମ୍ ଛୋଟରାୟ ଏବଂ ଆସିଷ୍ଟାଂଟ ପ୍ରଫେସର, ଡାକ୍ତର କେ.ସି. ସାହୁ, ଡାକ୍ତର ସୋନାଲୀ ମଲ୍ଲିକ୍‌, ଡାକ୍ତର ପ୍ରଜ୍ଞା ରାଉତ, ଡାକ୍ତର ଅମ୍ଳାନ୍ ମିଶ୍ର ଓ ଡାକ୍ତର ସୌରଭ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ବିଶ୍ୱ ଯକ୍ଷ୍ମା ଦିବସ ପରିପ୍ରେକ୍ଷୀରେ ହସ୍ପିଟାଲ୍ ପକ୍ଷରୁ ସଚେତନତା ର‌୍ୟାଲି ଓ ପଥପ୍ରାନ୍ତ ନାଟକ ମଧ୍ୟ ଆୟୋଜିତ ହୋଇଥିଲା ।

୨୧ରେ କଂଗ୍ରେସର ମହିଳା ସମାବେଶ : ନବୀନ ନିବାସ ଘେରାଉ।

୨୧ରେ କଂଗ୍ରେସର ମହିଳା ସମାବେଶ। ନବୀନ ନିବାସ ଘେରାଉ। ଶକ୍ତି ପ୍ରଦଶନ କରିବେ ନୂଆ ମହିଳା ସଭାନେତ୍ରୀ ମିନାକ୍ଷୀ। ମହିଳା ସଭାନେତ୍ରୀ ହେଲା ପରେ ମିନାକ୍ଷୀଙ୍କ ପ୍ରଥମ ବଡ଼ କାର୍ଯ୍ୟକ୍ରମ। ମହିଳା ସମାବେଶରେ ଯୋଗ ଦେବେ କଂଗ୍ରେସର ରାଷ୍ଟ୍ରୀୟ ମହିଳା ସଭାନେତ୍ରୀ ଅଳକା ଲାମ୍ବା। କଂଗ୍ରେସ ଭବନ ବାହାରେ ହେବ ମହିଳା ସମାବେଶ। ସମସ୍ତ ସାଙ୍ଗଠନିକ ଜିଲ୍ଲାରୁ ମହିଳା ମାନେ ଆସି ଯୋଗ ଦେବ l

କଂଗ୍ରେସର ୭୦ଟି ଟିକେଟ ଫାଇନାଲ…….

ରାଜ୍ୟ କଂଗ୍ରେସର ଟିକେଟ କସରତ। ଆଗୁଆ ଟିକେଟ ଦେବା ପାଇଁ କଂଗ୍ରେସର ବସିଲା ପ୍ରଦେଶ ନିର୍ବାଚନ କମିଟି(ପିଇସି) ବୈଠକ। ବୈଠକ ରେ ପିସିସି ସଭାପତିଙ୍କ ସହ ପ୍ରଦେଶ ନିର୍ବାଚନ କମିଟିର ୨୩ ଜଣ ସଦସ୍ୟ ଉପସ୍ଥିତ ଅଛନ୍ତି। ପ୍ରଗମନ ଆପରେ ଟିକେଟ ଆବେଦନ କରିଥିବା ପ୍ରାଥୀଙ୍କ ଉପରେ ବୈଠକ ରେ ଆଲୋଚନା କରାଯିବ। ଏହା ପରେ ସ୍କ୍ରିନଂ କମିଟିକୁ ପ୍ରାଥୀଙ୍କ ତାଲିକା ପଠା ଯିବ।

ପ୍ରଗମନ ଆପରେ ବିଧାୟକ ପାଇଁ ୩୦୦୦ ଓ ସାଂସଦ ପାଇଁ ୭୦୦ଜଣ ଆଶାୟୀ ଆବେଦନ କରିଛନ୍ତି। ପ୍ରଥମ ପ୍ରଯ୍ୟାୟରେ ପ୍ରାୟ ୭୦ଟି ଟିକେଟ ଘୋଷଣା କରିବ କଂଗ୍ରେସ। ମାର୍ଚ୍ଚ ପହିଲା ସୁଦ୍ଧା ପ୍ରଥମ ପ୍ରଯାୟ ଟିକେଟ ଘୋଷଣା ହେବ।

୬ଟି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ନୟାଗଡ ଜିଲ୍ଲାରେ

ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

5T ଉପକ୍ରମରେ ଚାଲିଛି ଲକ୍ଷ୍ମୀ ବସ୍‌,

ଫେବୃଆରୀ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଚାଲିବ

୬ଟି ଜିଲ୍ଲାର ୧୩୬୩ଟି ପଞ୍ଚାୟତରେ ୧୯୮ଟି ବସ୍‌, ୭୫ ଲକ୍ଷରୁ ଅଧିକ ଲୋକ ଉପକାର ପାଇଲେ

ଖୋର୍ଦ୍ଧାର ୧୫୪ଟି ପଞ୍ଚାୟତରେ ୨୨ଟି ବସ୍‌, ୧୫.୫୦ଲକ୍ଷ ଲୋକ ଉପକୃତ

ପୁରୀର ୪୩୩ଟି ପଞ୍ଚାୟତରେ ୪୪ଟି ବସ୍‌, ୧୪ ଲକ୍ଷ ୬୦ ହଜାର ଲୋକ ଉପକୃତ

କେନ୍ଦ୍ରାପଡାର ୧୯୬ଟି ପଞ୍ଚାୟତରେ ୩୭ଟି ବସ୍‌, ୧୧ ଲକ୍ଷ ୩୭ ହଜାର ଲୋକ ଉପକୃତ

ଭଦ୍ରକର ୧୫୮ଟି ପଞ୍ଚାୟତରେ ୨୫ଟି ବସ୍‌, ୧୦ ଲକ୍ଷ ୮୦ ହଜାର ଲୋକ ଉପକୃତ

ଯାଜପୁରର ୨୩୩ଟି ପଞ୍ଚାୟତରେ ୩୯ଟି ବସ୍‌, ୧୩ ଲକ୍ଷ ୭୦ ହଜାର ଲୋକ ଉପକୃତ

ନୟାଗଡର ୧୮୯ଟି ପଞ୍ଚାୟତରେ ୩୧ଟି ବସ୍‌, ୯ ଲକ୍ଷ ୩୪ ହଜାର ଲୋକ ଉପକୃତ

ଗାଁ ଲୋକମାନେ ଲକ୍ଷ୍ମୀ ବସ୍‌ ଜରିଆରେ ସୁବିଧାରେ,

କମ ଖର୍ଚ୍ଚରେ ଦୈନନ୍ଦିନ କାର୍ଯ୍ୟ କରିପାରିବେ,

ଆମର ଜୀବନ ଯାତ୍ରାକୁ ସହଜ କରିବ, ଘରେ ଘରେ ସମୃଦ୍ଧି ଆଣିବ

ଲକ୍ଷ୍ମୀ ବସ୍‌ ସାରା ରାଜ୍ୟର ସମ୍ପତ୍ତି, ଆପଣମାନଙ୍କ ସମ୍ପତ୍ତି,

ଏହା ଆପଣମାନଙ୍କ ସମୃଦ୍ଧିର ବାହକ,

ନିଜ ସମ୍ପତ୍ତିର ଆପଣ ଯେପରି ରକ୍ଷଣାବେକ୍ଷଣ କରନ୍ତି,

ଠିକ୍‌ ସେହିପରି ଲକ୍ଷ୍ମୀ ବସର ମଧ୍ୟ ଯତ୍ନ ନିଅନ୍ତୁ

ଲୋକଙ୍କୁ 5T ଅଧ୍ୟକ୍ଷଙ୍କ ଅନୁରୋଧ

()ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ନୟାଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗାଁ ଲୋକମାନେ ଲକ୍ଷ୍ମୀ ବସ୍‌ ଜରିଆରେ ସୁବିଧାରେ ଏବଂ କମ ଖର୍ଚ୍ଚରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ କରିପାରିବେ। ଲକ୍ଷ୍ମୀ ବସ୍‌ ଆମର ଜୀବନ ଯାତ୍ରାକୁ ସହଜ କରିବ, ଘରେ ଘରେ ସମୃଦ୍ଧି ଆଣିବ।ମୋ ସରକାର ହେଉଛି ଲୋକଙ୍କ ସରକାର । ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ଓଡିଶା ସରକାର ଯୋଜନା କରନ୍ତି । 5T ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଲୋକଙ୍କ ଅସୁବିଧାକୁ ଅନୁଭବ କରିଥିଲୁ ଏବଂ ଲୋକଙ୍କ ପ୍ରସ୍ତାବକୁ ଅନୁଶୀଳନ କରି ଗାଁ ଲୋକଙ୍କର ଯୋଗାଯୋଗ ସମସ୍ୟା ଦୂର କରିବା ପାଇଁ ଲକ୍ଷ୍ମୀ ବସ୍‌ ଯୋଜନା ପ୍ରସ୍ତୁତ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ଆଜିର ଶୁଭାରମ୍ଭ ପରେ ୬ଟି ଜିଲ୍ଲାର ୧୩୬୩ଟି ପଞ୍ଚାୟତରେ ୧୯୮ଟି ବସ୍‌ ଚାଲିଲା। ଏହା ଦ୍ୱାରା ୭୫ ଲକ୍ଷରୁ ଅଧିକ ଲୋକ ଉପକାର ପାଇଲେ । ଖୋର୍ଦ୍ଧାର ୧୫୪ଟି ପଞ୍ଚାୟତରେ ୨୨ଟି ବସ୍‌ ଚାଲିଲା ଏବଂ, ୧୫.୫୦ଲକ୍ଷ ଲୋକ ଉପକୃତ ହେଲେ । ପୁରୀର ୪୩୩ଟି ପଞ୍ଚାୟତରେ ୪୪ଟି ବସ୍‌ ଚାଲିଲା ଏବଂ ୧୪ ଲକ୍ଷ ୬୦ ହଜାର ଲୋକ ଉପକୃତ ହେଲେ । କେନ୍ଦ୍ରାପଡାର ୧୯୬ଟି ପଞ୍ଚାୟତରେ ୩୭ଟି ବସ୍‌ ଚାଲିଲା ଏବଂ ୧୧ ଲକ୍ଷ ୩୭ ହଜାର ଲୋକ ଉପକୃତ ହେଲେ । ଭଦ୍ରକର ୧୫୮ଟି ପଞ୍ଚାୟତରେ ୨୫ଟି ବସ୍‌ ଚାଲିଲା ଏବଂ ୧୦ ଲକ୍ଷ ୮୦ ହଜାର ଲୋକ ଉପକୃତ ହେଲେ। ଯାଜପୁରର ୨୩୩ଟି ପଞ୍ଚାୟତରେ ୩୯ଟି ବସ୍‌ ଚାଲିଲା ଏବଂ ୧୩ ଲକ୍ଷ ୭୦ ହଜାର ଲୋକ ଉପକୃତ ହେଲେ। ସେହିଭଳି ନୟାଗଡର ୧୮୯ଟି ପଞ୍ଚାୟତରେ ୩୧ଟି ବସ୍‌ ଚାଲିଲା ଏବଂ ଏହା ଦ୍ୱାରା ୯ ଲକ୍ଷ ୩୪ ହଜାର ଲୋକ ଉପକୃତ ହେଲେ।ଏହି ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। 5T ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନା ଦାୟିତ୍ୱ ଦିଆଯାଇଛି।  ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଲକ୍ଷ୍ମୀ ବସ୍‌ ଗାଁର ଅର୍ଥନୀତିକୁ ମଜବୁତ କରିବାରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ । ସେ ପୁଣି କହିଥିଲେ ଯେ ପଞ୍ଚାୟତକୁ ବିକାଶର କେନ୍ଦ୍ର କରିବା ଆମର ଲକ୍ଷ୍ୟ ରହିଛି। ଗାଁର ଅର୍ଥନୀତିକୁ ମଜବୁତ କରିବା ଆମର ଲକ୍ଷ୍ୟ। ଲକ୍ଷ୍ମୀ ବସ୍‌ ଏଥିରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ। ଏହି ଯୋଜନାରେ ନିକଟରେ ଆରମ୍ଭ ହୋଇଥିବା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ସେବା ବିଷୟରେ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଭବ ନେବା ପାଇଁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ସେବା ଆରମ୍ଭ କରାଯାଇଛି। ଏଥିରେ ମା’ମାନଙ୍କ ପାଇଁ ବସ୍‌ ଟିକେଟ ମୂଲ୍ୟ ଅଧା କରାଯାଇଛି ବୋଲି ସେ କହିଥିଲେ।ଗାଁର ରୂପାନ୍ତର ପାଇଁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଜାରି ରହିଛି ବୋଲି କହି ଏକ ନୂଆ ଓଡିଶା ଗଢିବା ପାଇଁ, ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।ଲକ୍ଷ୍ମୀ ବସ୍‌ ସେବା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ବସ୍‌ ଲୋକଙ୍କୁ ଲୋକଙ୍କ ସହିତ ଯୋଡିବ। ସାମାଜିକ ଓ ଆର୍ଥିକ ଜୀବନକୁ ମଜବୁତ କରିବ। ପିଲାଙ୍କୁ ସ୍କୁଲ କଲେଜ ନେବ। ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ। ମା’ମାନେ ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କା ମୂଲ୍ୟରେ ଏହି ବସ୍‌ ରେ ଯିବା ଆସିବା କରିପାରିବେ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ଯାଜପୁରଠାରେ ଉପସ୍ଥିତ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, କେନ୍ଦ୍ରାପଡାରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଖୋର୍ଦ୍ଧାରୁ ‘ଆମ ଓଡିଶା, ନବୀନ ଓଡିଶା’ ସଂଯୋଜକ ଶ୍ରୀମୟୀ ଶ୍ୱେତସ୍ନିଗ୍ଧା ମିଶ୍ର, ବିଧାୟକ ଶ୍ରୀ ରାଜେନ୍ଦ୍ର କୁମାର ସାହୁ, ପୁରୀରୁ ବିଧାୟକ ଶ୍ରୀ ରୁଦ୍ର ପ୍ରତାପ ମହାରଥୀ, ପୂର୍ବତନ ବିଧାୟକ ଶ୍ରୀ ସଞ୍ଜୟ କୁମାର ଦାସବର୍ମା, କେନ୍ଦ୍ରାପଡାରୁ ବିଧାୟକ ଶ୍ରୀ ଧ୍ରୁବ ଚରଣ ସାହୁ, ଭଦ୍ରକରୁ ‘ଆମ ଓଡିଶା, ନବୀନ ଓଡିଶା’ ସଂଯୋଜକ ଡ. ସଞ୍ଜୟ ଦାସ, ବିଧାୟକ ଶ୍ରୀ ବିଷ୍ଣୁବ୍ରତ ରାଉତରାୟ, ନୟାଗଡରୁ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା ଓ ବିଧାୟକ ଡ. ଅରୁଣ କୁମାର ସାହୁ, କହିଥିଲେ ଯେ ଲକ୍ଷ୍ମୀ ବସ୍‌ ଯୋଜନା, ଗ୍ରାମାଞ୍ଚଳ ପରିବାରର ଆର୍ଥିକ ସ୍ଥିତିକୁ ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି। ଏହା ମାଧ୍ୟମରେ ଗରୀବ ପରିବାର ଆର୍ଥିକ ଖର୍ଚ୍ଚାନ୍ତରୁ ମୁକ୍ତ ହୋଇ ସଂଚୟ କରିପାରିବେ। ଲକ୍ଷ୍ମୀ ଯୋଜନା ପଞ୍ଚାୟତର ବିକାଶକୁ ଗତିଶୀଳ କରିବ। ଗ୍ରାମାଞ୍ଚଳ ଜନଜୀବନରେ ଉନ୍ନତି ଆଣିବ। ଏକ ଉତ୍ତରଦାୟୀ ସରକାର ଭାବରେ ଓଡିଶା ସରକାରଙ୍କ ରାଜ୍ୟବାସୀଙ୍କ ପାଖରେ ସୁନାମ ରହିଛି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଆଜି ରାଜ୍ୟରେ ମା’ମାନେ ସବୁ କ୍ଷେତ୍ରରେ ଆଗକୁ ବଢି ଗତିଶୀଳ ହୋଇଛନ୍ତି ବୋଲି ସେମାନେ କହିଥିଲେ।5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ପୁରୀରେ ଉପସ୍ଥିତ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସମସ୍ତ ଜିଲ୍ଲାରେ ବହୁ ଜନ ସମାଗମ ହୋଇଥିଲା।

ବିଶ୍ୱର ଅନ୍ୟତମ ବୃହତ ଷ୍ଟିଲ କାରଖାନାର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ :୩୫,୦୦୦ ନିଯୁକ୍ତି ସୁଯୋଗ

ବିଶ୍ୱର ଅନ୍ୟତମ ବୃହତ ଷ୍ଟିଲ କାରଖାନାର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ :୩୫,୦୦୦ ନିଯୁକ୍ତି ସୁଯୋଗ

ଏହି ଶିଳ୍ପାନୁଷ୍ଠାନ ଦ୍ୱାରା ଅଞ୍ଚଳର ସବୁ ପରିବାର ଉପକାର ପାଇବେ,

5T ଉପକ୍ରମରେ ଓଡିଶାର ବିକାଶ ଧାରା ଆହୁରି ଉଜ୍ଜ୍ୱଳ ହୋଇଛି,

ପାରାଦୀପ ସାରା ପୂର୍ବ ଭାରତରେ ଏକ ପ୍ରମୁଖ ପୁଞ୍ଜି ନିବେଶ ସ୍ଥଳୀ- ମୁଖ୍ୟମନ୍ତ୍ରୀ

JSW ଦ୍ୱାରା ବର୍ଷକୁ ୧୩.୨ ମିଲିଅନ ଟନ୍ ଷ୍ଟିଲ ଉତ୍ପାଦନ ଲକ୍ଷ୍ୟ,

ବିଜୁ ବାବୁଙ୍କ ସ୍ୱପ୍ନ ଆଜି ନବୀନ ପଟ୍ଟନାୟକ ପୂରଣ କରିଛନ୍ତି,

ଓଡିଶା ଆଜି ପୁଞ୍ଜି ନିବେଶର ପ୍ରମୁଖ ରାଜ୍ୟ ହୋଇପାରିଛି- ସଜ୍ଜନ ଜିନ୍ଦ

()ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯାଇ ପାରାଦୀପର ଢିଙ୍କିଆଠାରେ ବିଶ୍ୱର ଅନ୍ୟତମ ବୃହତ ଷ୍ଟିଲ କାରଖାନାର ଭିତ୍ତିପ୍ରସ୍ତର ଦେଇଛନ୍ତି। ଏହି ପ୍ରକଳ୍ପ ହେଉଛି JSW Utkal Steel Limited ର ୬୫ ହଜାର କୋଟି ଟଙ୍କା ପୁଞ୍ଜି ନିବେଶରେ ୧୩.୨ MTPA ଇଣ୍ଟିଗ୍ରେଟେଡ ଷ୍ଟିଲ କାରଖାନା। ଏହା ମାଧ୍ୟମରେ ପ୍ରାୟ ୩୦,୦୦୦ ଯୁବ ବର୍ଗଙ୍କୁ କର୍ମନିଯୁକ୍ତି ମିଳିବ।

ଏଥି ସହିତ ReNew E-Fuels Private Ltd.ର ୨୨ ହଜାର କୋଟି ଟଙ୍କା ପୁଞ୍ଜି ନିବେଶରେ ୧.୨୦ MPTA ଗ୍ରୀନ ଆମୋନିଆ କାରଖାନା, Silox India Private Limited ର ୫୦୦ କୋଟି ଟଙ୍କା ପୁଞ୍ଜି ନିବେଶରେ ୨୫ ହଜାର MPTA ଅତ୍ୟାଧୁନିକ ରସାୟନିକ କାରଖାନା ପାଇଁ ମଧ୍ୟ ଭିତ୍ତି ଦିଆଗଲା। ଏହି ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାରାଦୀପ ଆସିଲେ ମୋର ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସ୍ମୃତି ମନକୁ ଆସେ । ୬୦ ମସିହାର ପ୍ରାରମ୍ଭରେ ବିଜୁ ବାବୁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନେଇ ପାରାଦୀପ ବନ୍ଦର ସ୍ଥାପନ କରିଥିଲେ। ଓଡିଶା ବିକାଶରେ ଏହା ମାଇଲଷ୍ଟୋନ ଥିଲା। ଆଜି ପାରାଦୀପ ସାରା ପୂର୍ବ ଭାରତରେ ଏକ ପ୍ରମୁଖ ପୁଞ୍ଜି ନିବେଶ ସ୍ଥଳୀ ହୋଇ ପାରିଛି। ଏକ ବନ୍ଦର ନଗରୀ ଭାବେ ପାରାଦୀପର ସୁନାମ ମଧ୍ୟ ବୃଦ୍ଧି ପାଇଛି। ଖୁସିର କଥା ଆଜି ଏଠାରେ JSW ର ମେଗା ଇସ୍ପାତ କାରଖାନା ପାଇଁ ଭିତ୍ତି ଦିଆଗଲା। ଏଥି ସହିତ ଗ୍ରୀନ ଆମୋନିଆ କାରଖାନା ଓ ଅତ୍ୟାଧୁନିକ ରସାୟନିକ କାରଖାନା ପାଇଁ ମଧ୍ୟ ଭିତ୍ତି ଦିଆଗଲା। ଏ ସବୁ ଶିଳ୍ପାନୁଷ୍ଠାନ ଓଡିଶା ପାଇଁ ପ୍ରାୟ ୯୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆଣିଛି। ତା ସହିତ ଏ ସବୁ ପ୍ରକଳ୍ପ ମାଧ୍ୟମରେ ୩୫ ହଜାର ନିଯୁକ୍ତି ସୃଷ୍ଟି ହେବ। ମୁଖ୍ୟମନ୍ତ୍ରୀ ଏ ସବୁ ପୁଞ୍ଜି ନିବେଶ କରୁଥିବା ଶିଳ୍ପପତିମାନଙ୍କୁ ଏଥି ପାଇଁ ଧନ୍ୟବାଦ ଦେଇଥିଲେ।ଓଡିଶାରେ ଶିଳ୍ପ ଅଭିବୃଦ୍ଧି ପାଇଁ ଜିନ୍ଦଲ ଗ୍ରୁପର ସହଯୋଗ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଧନ୍ୟବାଦ ଦେଇ କହିଥିଲେ ଯେ ଓଡିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପାଞ୍ଚଳରେ ପରିଣତ କରିବା ପାଇଁ ଆମର ଯାତ୍ରାରେ ଜିନ୍ଦଲ ଗ୍ରୁପର ମହତ୍ୱପୂର୍ଣ୍ଣ ସହଭାଗିତା ରହିଛି।ଏଥି ସହିତ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକାଶ ଆଜି ଓଡିଶାର ପରିଚୟ ହୋଇଛି। ଶିଳ୍ପ, ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ ସବୁ କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି। 5T ଉପକ୍ରମରେ ଓଡିଶାର ବିକାଶ ଧାରା ଆହୁରି ଉଜ୍ଜ୍ୱଳ ହୋଇଛି। ସାଧାରଣ ଲୋକ, ଚାଷୀ, ମା’ମାନେ, ଯୁବକ ମାନେ ଆମ ବିକାଶର ପାର୍ଟନର ହୋଇଛନ୍ତି। ନୂଆ ଓଡିଶା ଗଠନ ପାଇଁ ଆମ କାର୍ଯ୍ୟକ୍ରମକୁ ଆଗକୁ ନେଉଛନ୍ତି।ପାରାଦୀପର ଶିଳ୍ପ ବିକାଶ ପାଇଁ ପାରାଦୀପ ଓ ଜଗତସିଂହପୁର ଜିଲ୍ଲାର ଲୋକମାନଙ୍କ ସହଯୋଗ ପାଇଁ ସେମାନଙ୍କୁ ଧନ୍ୟବାଦ ଦେଇ ଏହି ଶିଳ୍ପାନୁଷ୍ଠାନ ଦ୍ୱାରା ଅଞ୍ଚଳର ସବୁ ପରିବାର ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।କାର୍ଯ୍ୟକ୍ରମରେ ବାଲିକୁଦା-ଏରସମା ବିଧାୟକ ଶ୍ରୀ ରଘୁନନ୍ଦନ ଦାସ, ପାରାଦୀପ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ, ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଏବଂ ସାଂସଦ ଡ. ରାଜଶ୍ରୀ ମଲ୍ଲିକ ଯୋଗ ଦେଇ ଏହି ସବୁ ପ୍ରକଳ୍ପ ସମଗ୍ର ଜଗତସିଂହପୁର ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇ ଜିଲ୍ଲାକୁ ସମୃଦ୍ଧ କରିବ ଏବଂ ରାଜ୍ୟ ଯୁବଗୋଷ୍ଠୀ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ଆଣିବ ବୋଲି କହିବା ସହିତ ପାରାଦୀପ ତଥା ସମଗ୍ର ଓଡିଶାର ରୂପାନ୍ତର ପାଇଁ ସାରା ଭାରତ ବର୍ଷର ବିକାଶ ପୁରୁଷ ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସବୁଦିନ ମନେ ରଖିବ ସମଗ୍ର ଦେଶ ବୋଲି ସେମାନେ କହିଥିଲେ।ଅନ୍ୟତମ ଅତିଥି ଭାବେ JSW ର ମୁଖ୍ୟ ଶ୍ରୀ ସଜ୍ଜନ ଜିନ୍ଦଲ ତାଙ୍କ ଉଦ୍‌ବୋଧନରେ କହିଥିଲେ ଯେ ବହୁ ବର୍ଷ ପୂର୍ବେ ରାଷ୍ଟ୍ର ନାୟକ ବିଜୁ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ଯୋଜନା କରିଥିଲେ। ପ୍ରକୃତରେ ଏହା ଥିଲା ବିଜୁବାବୁଙ୍କ ସ୍ୱପ୍ନ। ଆଜି ତାଙ୍କ ସୁପୁତ୍ରଙ୍କ ଦ୍ୱାରା ଏହି ସ୍ୱପ୍ନ ସାକାର ହୋଇଥିବା ଦେଖି ସେ ଖୁସି ଅନୁଭବ କରୁଥିବେ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାରେ ଆଜି ପ୍ରକୃତ ବିକାଶ ଘଟିଛି ଏବଂ ଓଡିଶାରେ ଶିଳ୍ପାୟନ ପ୍ରକ୍ରିୟା ଦ୍ରୁତ ହୋଇଛି ବୋଲି କହି JSW ପାଇଁ ଓଡିଶା ହେଉଛି ପ୍ରମୁଖ ନିବେଶ ସ୍ଥଳୀ। ଓଡିଶାର ଅର୍ଥନୈତିକ ଅଭିବୃଦ୍ଧିରେ ଆମେ ସବୁଦିନ ସହଯୋଗ କରିବୁ ବୋଲି ସେ କହିଥିଲେ।ମୁଖ୍ୟମନ୍ତ୍ରୀଙ୍କୁ ଏହି ଅବସରରେ ଜିନ୍ଦଲ ପରିବାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି. କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ।ସୂଚନାଯୋଗ୍ୟ ଯେ 5T ଓ ନବୀନ ଓଡିଶା ର ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍ ଏହି iconic ପ୍ରକଳ୍ପ ର ତ୍ଵରିତ କାର୍ଯ୍ୟକାରିତା ପାଇଁ ପ୍ରତି ପନ୍ଦର ଦିନରେ ଥରେ ସମୀକ୍ଷା କରୁଥିଲେଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

ଆରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା : ୮୦ ବର୍ଷରୁ ଉର୍ଦ୍ଧ୍ବ ହୋଇଥିଲେ ମାସକୁ ୨୫୦୦:

ବରିଷ୍ଠ ବୁଣାକାର, ବୁଣା ସହାୟକ ଓ ହସ୍ତଶିଳ୍ପ କାରିଗରଙ୍କ କଲ୍ୟାଣ ପାଇଁ ନୂଆ ଯୋଜନା

ଆରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା’

ବୁଣାକାର, ବୁଣା ସହାୟକ ଓ ହସ୍ତଶିଳ୍ପ କାରିଗର ପାଇବେ ମାସକୁ ୨୦୦୦ ଟଙ୍କା ଲେଖାଏ ସହାୟତା

୮୦ ବର୍ଷରୁ ଉର୍ଦ୍ଧ୍ବ ହୋଇଥିଲେ ମାସକୁ ୨୫୦୦

ପୂର୍ବରୁ ବରିଷ୍ଠ ବୁଣାକାର ମାନେ ମାସକୁ ୫୦୦ ଟଙ୍କା ସହାୟତା ପାଉଥିବା ବେଳେ, ବରିଷ୍ଠ ହସ୍ତଶିଳ୍ପ କାରିଗର ମାନଙ୍କ ପାଇଁ କୌଣସି ସହାୟତା ନ ଥିଲା 

ବର୍ତ୍ତମାନର ବୁଣାକାର ହିତାଧିକାରୀ ମାନେ ଚଳିତ ଫେବୃଆରୀ ମାସ ୨୦ ରୁ ୨୫ ତାରିଖ ମଧ୍ୟରେ ବର୍ଦ୍ଧିତ ସହାୟତା ପାଇବେ,

ନୂଆ ହିତାଧିକାରୀ ଖୁବ୍ ଶୀଘ୍ର ଚୟନ କରାଯାଇ ସହାୟତା ପ୍ରଦାନ କରାଯିବ

5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ବୁଣାକାର ଓ କାରିଗର ମାନେ ଦେଇଥିଲେ ପ୍ରସ୍ତାବ

()ରାଜ୍ୟର ବରିଷ୍ଠ ବୁଣାକାର ଓ ହସ୍ତ ଶିଳ୍ପ କାରିଗର ମାନଙ୍କ ପାଇଁ ଖୁସି ଖବର।ସମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ନୂଆ ଯୋଜନା । ମଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା’।ଏହି ଯୋଜନାରେ ୪୦ ବର୍ଷରୁ ୮୦ ବର୍ଷ ବୟସ ମଧ୍ୟରେ ଥିବା ମହିଳା ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର, ଏବଂ ୫୦ ରୁ ୮୦ ବର୍ଷ ବୟସ ମଧ୍ୟରେ ଥିବା ପୁରୁଷ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର ମାନଙ୍କୁ ମାସିକ ୨୦୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ।  ୮୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ବରିଷ୍ଠ ହସ୍ତଶିଳ୍ପ କାରିଗରମାନଙ୍କୁ (ଉଭୟ ମହିଳା ଓ ପୁରୁଷ) ମାସିକ ୨୫୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇଦିଆଯିବ ।  ସୂଚନା ଯୋଗ୍ୟ ଯେ ରାଜ୍ୟର ବୁଣାକାର ଓ ହସ୍ତଶିଳ୍ପ କାରିଗର ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଦକ୍ଷତା ବିକାଶ ଓ କଲ୍ୟାଣ ମୂଳକ ଯୋଜନା କାର୍ଯ୍ୟକାରୀ କରିଆସୁଛନ୍ତି ।ରାଜ୍ୟର ସମୃଦ୍ଧ ଐତିହ୍ୟର ପ୍ରଦର୍ଶନ ଏବଂ ସଂରକ୍ଷଣ ପାଇଁ ବୁଣାକାର ଓ ହସ୍ତ ଶିଳ୍ପ କାରିଗର ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।ରାଜ୍ୟରେ ୧,୨୫,୦୦୦ ରୁ ଅଧିକ ବୁଣାକାର ତଥା ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଥିବା ବେଳେ ୧,୫୦,୦୦୦ ରୁ ଅଧିକ ହସ୍ତଶିଳ୍ପ କାରିଗର ଅଛନ୍ତି।ତେବେ, ପରିଣତ ବୟସରେ ବୁଣାକାର ମାନଙ୍କ ସହାୟତା ପାଇଁ ରାଜ୍ୟ ସରକାରଙ୍କ “ବରିଷ୍ଠ ବୁଣାକାର ସହାୟତା ଯୋଜନା “ ଥିବା ବେଳେ ବରିଷ୍ଠ ହସ୍ତ ଶିଳ୍ପ କାରିଗର ମାନଙ୍କ ପାଇଁ କୌଣସି ଯୋଜନା ନାହିଁ।  ବୁଣାକାର ମାନେ ୬୦ ରୁ ୮୦ ବର୍ଷ ବୟସ ମଧ୍ୟରେ ମାସିକ ୫୦୦ ଟଙ୍କାର ସହାୟତା ପାଉଥିବା ବେଳେ ୮୦ ବର୍ଷ ବଯସରୁ ଅଧିକ ବୟସରେ ମାସିକ ୭୦୦ ଟଙ୍କାର ସହାୟତା ପାଉଥିଲେ ।ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳର ବୁଣାକାର ଓ ହସ୍ତଶିଳ୍ପ କାରିଗରମାନେ ଏ ସମ୍ପର୍କରେ ଅନୁରୋଧ କରିଥିଲେ। ଏହି ଅନୁରୋଧକୁ ବିଚାରକୁ ନେଇ ରାଜ୍ୟ ସରକାର ରାଜ୍ୟର ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର ମାନଙ୍କର କଲ୍ଯାଣ ନିମନ୍ତେ ଏକ ନୂତନ ଯୋଜନା “ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା“ ପ୍ରଣୟନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନାରେ ଯୋଗ୍ୟ ବିବେଚିତ ହେବାପାଇଁ ନିମ୍ନଲିଖିତ ଯୋଗ୍ୟତା ଥିବା ଆବଶ୍ୟକ।

କ ) ହିତାଧିକାରୀଙ୍କ ନାମ ବୟନଶିଳ୍ପ ନିର୍ଦ୍ଦେଶକ ଓ ହସ୍ତଶିଳ୍ପ ନିର୍ଦ୍ଦେଶକ ଙ୍କ ଦ୍ଵାରା କରାଯାଇଥିବା ସର୍ବେକ୍ଷଣ ତାଲିକା ରେ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର ଭାବରେ ପଞ୍ଜିକୃତ ହୋଇଥିବ ।

 

ଖ ) ତାଙ୍କର ପରିବାରର ବାର୍ଷିକ ଆୟ ୧ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହୋଇନଥିବ I

 

ଗ) ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର ଙ୍କ ଦ୍ଵାରା କୌଣସି ଅନୁରୂପ ଯୋଜନାର ଲାଭାର୍ଥୀ ହୋଇନଥିବେ I

 

ଘ) ହିତାଧିକାରୀ ସରକାରୀ କର୍ମଚାରୀ, ଆୟକରଦାତା କିମ୍ବା କେନ୍ଦ୍ର ଅଥବା ରାଜ୍ୟ ସରକାରଙ୍କ ପେନସନଭୋଗୀ ହୋଇନଥିବେ I

 

ଙ) ଗୋଟିଏ ପରିବାରରୁ ଜଣେ ମାତ୍ର ଏହି ଯୋଜନାରେ ଲାଭ ପାଇପାରିବେ।

 

ଚ) ଏହି ଯୋଜନାର ସହାୟତା ରାଶି ଯୋଗ୍ୟ ବିବେଚିତ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର ମାନଙ୍କ Aadhaar ସଂଯୁକ୍ତ ବ୍ଯାଙ୍କ ସଞ୍ଚୟ ଖାତାକୁ ସିଧା ସଳଖ DBT ଦ୍ଵାରା ପ୍ରଦାନ କରାଯିବ I

 

 

୬. ଏହି ଯୋଜନା ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ଵାରା କାର୍ଯ୍ୟକାରୀ କରାଯିବ ।ଏଥିନିମନ୍ତେ ଆବଶ୍ଯକୀୟ ମାର୍ଗଦର୍ଶିକା ବିଭାଗ ତରଫରୁ ଜାରି କରାଯିବ। ବରିଷ୍ଠ ବୁଣାକାର ସହାୟତା ଯୋଜନାରେ ସହାୟତା ପାଉଥିବା ହିତାଧିକାରୀ ମାନଙ୍କୁ ବର୍ଦ୍ଧିତ ହାରରେ ସହାୟତା ରାଶି ଫେବୃଆରୀ ମାସ ୨୦ ରୁ ୨୫ ତାରିଖ ମଧ୍ୟରେ ପ୍ରଦାନ କରାଯିବ। ପରବର୍ତ୍ତୀ ସମୟରେ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗରମାନଙ୍କ ମଧ୍ୟରୁ ଉପଯୁକ୍ତ ହିତାଧିକାରୀ ଚୟନ କରାଯାଇ ସହାୟତା ରାଶି ଯଥାଶୀଘ୍ର ପ୍ରଦାନ କରାଯିବ।

କଳାକାର ମାନଙ୍କ ସହାୟତା ରାଶିରେ ବୃଦ୍ଧି : ଉପକୃତ ହେବେ ୮୦ ହଜାର କଳାକାର

କଳାକାର ମାନଙ୍କ ସହାୟତା ରାଶିରେ ବୃଦ୍ଧି

କଳାକାର ମାନେ ପାଇବେ ମାସକୁ ୨୦୦୦ ଟଙ୍କା ସହାୟତା, ୮୦ ବର୍ଷରୁ ଅଧିକ ହୋଇଥିଲେ ମାସକୁ ୨୫୦୦

ଉପକୃତ ହେବେ ୮୦ ହଜାର କଳାକାର

ଚଳିତ ଫେବୃଆରୀ ୨୦ରୁ ୨୫ ତାରିଖ ମଧ୍ୟରେ ମିଳିବ ବର୍ଦ୍ଧିତ ସହାୟତା

5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ଆସିଥିଲା ଅନୁରୋଧ ଓ ପ୍ରସ୍ତାବ

()ଆମର ଲୋକକଳା ଆମର ଅସ୍ମିତା ଏବଂ କଳାକାର ମାନେ ଭାଷା, ସାହିତ୍ଯ ଓ ସଂସ୍କୃତିର ପ୍ରଚାର ପ୍ରସାରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । କଳାକାର ମାନଙ୍କ ହିତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି “ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା”ରେ କଳାକାର ମାନଙ୍କ ସହାୟତା ରାଶି ବୃଦ୍ଧି ଘୋଷଣା କରିଛନ୍ତି ।ଏହି ନୂଆ ଘୋଷଣା ଅନୁଯାୟୀ, ଏହି ଯୋଜନାର ହିତାଧିକାରୀ ମାନେ ଏବେ ମାସକୁ ୧୨୦୦ ପରିବର୍ତ୍ତେ ୨୦୦୦ ଟଙ୍କା ସହାୟତା ପାଇବେ। ୮୦ ବର୍ଷରୁ ଉର୍ଦ୍ଧ କଳାକାର ମାସକୁ ୨୫୦୦ ଟଙ୍କା ସହାୟତା ପାଇବେ।ଏହାଦ୍ବାରା ରାଜ୍ୟର ୮୦ ହଜାର କଳାକାର ଉପକାର ପାଇବେ।।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ କଳାକାରମାନେ ସହାୟତା ରାଶି ବୃଦ୍ଧି ନିମିତ୍ତ ଅନୁରୋଧ କରିଥିଲେ ଏବଂ ସେମାନଙ୍କର ସଂଗଠନ ମାନେ ଦାବି ଉପସ୍ଥାପନ କରିଥିଲେ । ଏହା ବ୍ଯତୀତ ଲୋକସେବା ଭବନର କନଭେନସନ କେନ୍ଦ୍ରରେ 5T ଅଧ୍ୟକ୍ଷଙ୍କ ସହିତ ଯୋଗାଯୋଗ ସମୟରେ କଳାକାରମାନେ ସହାୟତା ରାଶି ବୃଦ୍ଧି ନିମିତ୍ତ ଅନୁରୋଧ ମଧ୍ୟ କରିଥିଲେ । ପୂର୍ବରୁ ଏହି ଯୋଜନାର ୫୦,୦୦୦ କଳାକାର ମାନଙ୍କୁ ମାସିକ ଟ୧୨୦୦/-ଙ୍କା(ବାରଶହ) ଆଧାରରେ ସହାୟତା ରାଶି ପ୍ରଦାନ କରାଯାଉଥିଲା । ମାତ୍ର ବର୍ତ୍ତମାନ ଏହି ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ୮୦,୦୦୦ କୁ ବୃଦ୍ଧି କରାଯାଇଅଛି ଯାହାଦ୍ୱାରା ଆହୁରି ରାଜ୍ୟର ୩୦,୦୦୦ କଳାକାର ଏଥିରେ ଉପକୃତ ହୋଇପାରିବେ ।ଏହି କ୍ରମରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ନିୟମାବଳୀର ନିୟମ ୪, ଉପ ନିୟମ (ii)ରେ ଉଲ୍ଲେଖଥିବା କଳାକାରମାନଙ୍କର ବାର୍ଷିକ ଆୟର ସୀମାକୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ନିର୍ବିଶେଷରେ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଅଛି ।ଅଶି ବର୍ଷ ପର୍ଯ୍ୟନ୍ତ କଳାକାରମାନଙ୍କର କଳାକାର ସହାୟତା ରାଶି ଟ୧୨୦୦/-ଙ୍କା (ବାରଶହ ଟଙ୍କା)ରୁ ଟ୨୦୦୦/-ଙ୍କା (ଦୁଇ ହଜାର ଟଙ୍କା)କୁ ଓ ଅଶି ବର୍ଷରୁ ଊର୍ଦ୍ଧ୍ଵ କଳାକାରମାନଙ୍କର କଳାକାର ସହାୟତା ରାଶି ଟ୧୨୦୦/-ଙ୍କା (ବାରଶହ ଟଙ୍କା)ରୁ ଟ୨୫୦୦/-ଙ୍କା (ଦୁଇ ହଜାର ପାଞ୍ଚଶହ ଟଙ୍କା)କୁ ବୃଦ୍ଧି କରାଯାଇଅଛି । ଉକ୍ତ ବର୍ଦ୍ଧିତ ସହାୟତା ରାଶି ଚଳିତ ଫେବୃଆରୀ ମାସରୁ ଲାଗୁ କରାଯିବ ଏବଂ DBT ମାଧ୍ୟମରେ ଫେବୃଆରୀ ମାସ ୨୦ତାରିଖରୁ ୨୫ତାରିଖ ମଧ୍ୟରେ ପ୍ରଦାନ କରାଯିବ ।ଏହି ଯୋଜନାରେ ସହାୟତା ରାଶି ବୃଦ୍ଧି ଯୋଗୁଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଅନେକ କଳାକାରମାନେ ଉପକୃତ ହେବେ । ଏହା ଦ୍ଵାରା ଆମର କଳାର ସଂରକ୍ଷଣ, ବିକାଶ, ପ୍ରଚାର ଓ ପ୍ରସାର ହେବା ସହିତ ଓଡ଼ିଶାର କଳା ଓ ସଂସ୍କୃତିକୁ ଏହା ଋଦ୍ଧିମନ୍ତ କରିବ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news