ବୁଣାକାରଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ନବୀନ….

ଭୁବନେଶ୍ୱର : ରାଜ୍ୟର ବୁଣାକାର ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ।ରାଜ୍ୟରେ କୃଷି ପରେ ହସ୍ତତନ୍ତ ହିଁ ଗ୍ରାମାଞ୍ଚଳରେ ସର୍ବାଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ ।ବର୍ତ୍ତମାନ ରାଜ୍ୟର ଲକ୍ଷାଧିକ ଲୋକ ହସ୍ତତନ୍ତ ଉପରେ ନିର୍ଭର କରନ୍ତି। ବୁଣାକାର ମାନେ ସେମାନଙ୍କ ଦକ୍ଷତା ଦ୍ବାରା ଓଡିଶାର ମହାନ ସାଂସ୍କୃତିକ ପରମ୍ପରାକୁ ହସ୍ତତନ୍ତ ଜରିଆରେ ସାରା ବିଶ୍ବରେ ଉପସ୍ଥାପନ କରିଆସୁଛନ୍ତି ଏବଂ ଓଡିଶାର ତିଆରି ହସ୍ତତନ୍ତର ମଧ୍ୟ ବିଶେଷ ଚାହିଦା ରହିଛି ।

କିନ୍ତୁ ମହାମାରୀ କୋଭିଡ ପରିପ୍ରେକ୍ଷୀରେ ଗତ ଦୁଇବର୍ଷରେ ହସ୍ତତନ୍ତ ବ୍ୟବସାୟ ଗଭୀର ଭାବରେ ପ୍ରଭାବିତ ହୋଇଛି ଏବଂ ଆମର ହଜାର ହଜାର ବୁଣାକାର ମାନଙ୍କ ରୋଜଗାରରେ ମଧ୍ୟ ହ୍ରାସ ଘଟିଛି ।

ଏହି ପ୍ୟାକେଜରେ concrete ହୋଇନଥିବା ୧୫,୦୦୦ loom pit କୁ ପର୍ଯ୍ୟାୟକମେ ଆଗାମୀ ତିନି ବର୍ଷରେ କଂକ୍ରିଟ କରାଯିବ । ପ୍ରତି loom pit କଂକ୍ରିଟ ପାଇଁ ୭୦୦୦ ଟଙ୍କା ଲେଖାଏ ଖର୍ଚ୍ଚ କରାଯିବ।ସୂଚନାଯୋଗ୍ୟ ଯେ ରାଜ୍ୟର ୩୧,୩୪୨ଟି loom pit ମଧ୍ୟରୁ ଏପର୍ଯ୍ୟନ୍ତ ୧୫,୦୭୧ଟି loom pit କୁ କଂକ୍ରିଟ କରାଯାଇଛି ।ସେହିପରି ୩୦୦୦ ବୁଣାକାର ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପ୍ୟାକେଜ ଅଧିନରେ ପ୍ରାଥମିକତା ଭିତ୍ତିରେ House-cum-Work shed ଯୋଗାଇ ଦିଆଯିବ । ସୂଚନାଯୋଗ୍ୟ ଯେ ଏ ପର୍ଯ୍ୟନ୍ତ 11695ଟି House-cum-Work shed ବୁଣାକାର ପରିବାରକୁ ଯୋଗାଇ ଦିଆଯାଇଛି । ଲୁଗାବୁଣା ଏବଂ କୁଟୀର ଶିଳ୍ପ ଉତ୍ପାଦନ ପ୍ରକ୍ରିୟାରେ ପରିବାରର ସଦସ୍ୟମାନେ ମଧ୍ୟ ସହଯୋଗ କରିଥାନ୍ତି। ସେହିପରି ଡିଜାଇନ ପ୍ରସ୍ତୁତି ମଧ୍ୟ ଏକ ଜଟିଳ ପ୍ରକ୍ରିୟା। ତେଣୁ ବୁଣାକାର ମାନଙ୍କ ଆଖି ଉପରେ ଯେପରି ବିଶେଷ ଚାପ ନ ପଡିବ ଏବଂ ସେମାନେ ଦୀର୍ଘ ସମୟ କାମ କରିପାରିବେ, ସେଥିପାଇଁ ସେମାନଙ୍କୁ ଏହି ଯୋଜନା ରେ ବିଜୁଳି ଆଲୁଅ ଓ ବିଜୁଳି ପଙ୍ଖା ଯୋଗାଇ ଦିଆଯିବ।

ସେହିପରି ସମସ୍ତ ଯୋଗ୍ୟ ବୁଣାକାର ପରିବାର କୁ ଅଗ୍ରାଧିକାର ଭିତ୍ତିରେ ବାସଗୃହ ଯୋଗାଇ ଦେବା ପାଇଁ ନିଷ୍ପତ୍ତି କରାଯାଇଛି ।ପଞ୍ଚାୟତ ରାଜ ବିଭାଗ ର guideline ଅନୁସାରେ ଏଥିପାଇଁ ହିତାଧିକାରୀ ଚୟନ କରାଯିବ।ଏହି ପ୍ୟାକେଜ ରେ ବୁଣାକାର ମାନେ ଯେପରି ସୁବିଧା ରେ ଋଣ ପାଇ ପାରିବେ ତା ଉପରେ ଗୁରୁତ୍ୱ ଦିଆଯାଇଛି ।ବୁଣାକାର ମାନଙ୍କୁ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବୁଣାକାର ମାନଙ୍କର ଉତ୍ପାଦନ ସାମଗ୍ରୀ ରଖିବା ନିମନ୍ତେ ବିଭିନ୍ନ ଗୋଷ୍ଠୀ ଭିତ୍ତିଭୂମି ଯଥା – CFC, ଗୋଦାମ ଓ ବିକ୍ରୟ କେନ୍ଦ୍ର ଆଦି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଜରିଆରେ କରାଯିବ।

ଛୋଟ ସହରର ବିକାଶ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି – ମୁଖ୍ୟମନ୍ତ୍ରୀ

ଦିଗପହଣ୍ଡିରେ ତୁଳା ଜିନିଙ୍ଗ ମିଲ୍‌ ଓ ବସ୍‌ ଟର୍ମିନାଲ 

ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଜିନିଙ୍ଗ ମିଲ୍‌ ଦ୍ବାରା କୃଷକମାନେ ଫସଲର ବିବିଧକରଣ ପାଇଁ ପ୍ରୋତ୍ସାହିତ ହେବେ

ଛୋଟ ସହରର ବିକାଶ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି – ମୁଖ୍ୟମନ୍ତ୍ରୀ
ଦିଗପହଣ୍ଡିରେ ହେବ ଇନ୍‌ଡୋର ଷ୍ଟାଡିଅମ

ଭୁବନେଶ୍ୱର : ଛୋଟ ଛୋଟ ସହରର ବିକାଶ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଦିଗପହଣ୍ଡି ଠାରେ ଏକ Cotton Ginning & Pressing Mill ଏବଂ ଏକ ନୂଆ ବସ୍‌ ଟର୍ମିନାଲ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଛୋଟ ଛୋଟ ଟାଉନ୍‌ରେ ଲୋକଙ୍କ ରୋଜଗାର ବୃଦ୍ଧି ସହ ବିଭିନ୍ନ ନାଗରିକ ସୁବିଧାର ବିକାଶ ପାଇଁ ଆମେ କାମ କରୁଛୁ । ରାସ୍ତାଘାଟ, ଡ୍ରେନେଜ୍‌ ସୁବିଧା ସହିତ ପିଇବା ପାଣିର ସୁବିଧା ଉପରେ ଆମେ ଗୁରୁତ୍ବ ଦେଉଛୁ । ଦିଗପହଣ୍ଡିର ସବୁ ପରିବାରକୁ ପାଇପ ପାଣି ସଂଯୋଗ ଦିଆଯାଇଛି । ଆଜି ବସ୍‌ ଟର୍ମିନାଲ ମଧ୍ୟ ଉଦ୍‌ଘାଟିତ ହେଲା । ଏହିସବୁ ସୁବିଧା ଦିଗପହଣ୍ଡି ଜନସାଧାରଣଙ୍କ ଜୀବନଯାପନର ମାନରେ ଗୁଣାତ୍ମକ ଉନ୍ନତି ଆଣିବ ବୋଲି ସେ ଆଶା ପ୍ରକାଶ କରିଥିଲେ ।ତୁଳା ଜିନିଙ୍ଗ ମିଲ୍‌ ରାଜ୍ୟର ସମବାୟ କ୍ଷେତ୍ରରେ ଏକ ନୂଆ ପଦକ୍ଷେପ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଆମର କପା ଚାଷୀ ମାନଙ୍କ ରୋଜଗାର ବୃଦ୍ଧିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହାସହିତ ଅନ୍ୟ ଚାଷୀମାନଙ୍କୁ ମଧ୍ୟ ଫସଲର ବିବିଧକରଣ (crop diversification) ପାଇଁ ପ୍ରେରଣା ଦେବ। ଚାଷୀମାନଙ୍କ ରୋଜଗାର ବୃଦ୍ଧି ପାଇଁ ଆମର ଲକ୍ଷ୍ୟ ପୂରଣ କରିବାରେ ଏହା ବହୁତ ସହାୟକ ହେବ ବୋଲି ସେ କହିଥିଲେ।

ରାଜ୍ୟର କ୍ରିଡା ଭିତ୍ତିଭୂମି ଉପରେ ଆଲୋକପାତ କରି ସେ କହିଲେ ଯେ ନିକଟରେ ରାଜ୍ୟ ସରକାର କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ନିଷ୍ପତ୍ତି କରିଛନ୍ତି । ଏଥିରେ ସାରା ରାଜ୍ୟରେ ୮୯ଟି Multipurpose Indoor Stadium ନିର୍ମାଣ କରାଯିବ। କ୍ରୀଡା ସହିତ ବାତ୍ୟା ଆଶ୍ରୟସ୍ଥଳ ଠାରୁ ଆରମ୍ଭ କରି ଡାକ୍ତରଖାନା ପରି ମଧ୍ୟ ଏହା କାମ କରିବ। ଦିଗପହଣ୍ଡିରେ ମଧ୍ୟ ଗୋଟିଏ Multipurpose Indoor Stadium କରିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି ସେ କହିଥିଲେ। ଏହା ଆମର ପିଲାମାନଙ୍କର କ୍ରୀଡା ପ୍ରତିଭାକୁ ବିକଶିତ କରିବାରେ ବିଶେଷ ସହାୟକ ହେବ ।
ରାଜ୍ୟର କ୍ରୀଡା ବିକାଶରେ ଆଜି ଏକ ନୂଆ ଯୁଗ ଆରମ୍ଭ ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ କ୍ରୀଡା ହିଁ ଯୁବସମାଜର ଦକ୍ଷତା ଓ ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିଥାଏ। ନିକଟରେ ଭାରତୀୟ ହକି ଦଳ ଦୀର୍ଘ ୪୦ ବର୍ଷ ପରେ ଅଲମ୍ପିକ୍‌ରେ ମେଡାଲ ଜିତିପାରିଛି । ଆମ ଓଡିଶାର ଦୁଇ ଜଣ ଖେଳାଳୀ ମଧ୍ୟ ଏହି ଟିମ୍‌ରେ ଅଛନ୍ତି । ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର କଥା ବୋଲି ସେ କହିଥିଲେ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ଆମର ଯୁବ ସମାଜ ଉପରେ ମୋର ବହୁତ ଭରସା ଅଛି। ମୋର ପୁରା ବିଶ୍ବାସ, ଯୁବ ସମାଜ ହିଁ ଆଗାମୀ ଦିନରେ ସବୁ କ୍ଷେତ୍ରରେ ଉତ୍କର୍ଷ ହାସଲ କରି, ଆମ ଓଡିଶା ପାଇଁ, ସାରା ଦେଶ ପାଇଁ, ସୁନାମ ଆଣିବେ।’

ଏହି କାର୍ଯ୍ୟକ୍ରମରେ ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଲେ ଯେ ଏହି ଦୁଇଟିଯାକ ପ୍ରକଳ୍ପ ଦିଗପହଣ୍ଡିର ସାମଗ୍ରୀକ ବିକାଶ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଦିଗପହଣ୍ଡି ଓ ଗଞ୍ଜାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ସେ ଆଲୋକପାତ କରିଥିଲେ ।ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

ସୂଚନାଯୋଗ୍ୟ ଯେ ଦିଗପହଣ୍ଡି ଅଞ୍ଚଳରେ ପୂର୍ବରୁ ମାତ୍ର ୫୦୦ ହେକ୍ଟର ଜମିରେ କପା ଚାଷ କରାଯାଉଥିବା ବେଳେ ଏବେ ଏହା ୫୦୦୦ ହେକ୍ଟରେ ପହଞ୍ଚିଛି । ପୂର୍ବରୁ ୪ କ୍ବିଣ୍ଟାଲ ତୁଳା ଅମଳ ହେଉଥିବା ବେଳେ, ଏବେ ୪୪ କ୍ବିଣ୍ଟାଲ ତୁଳା ଅମଳ ହେଉଛି । Cotton Ginning Mill ପାଇଁ ୩.୨୮ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ଏହା ଉଭୟ ଗଞ୍ଜାମ ଓ ଗଜପତି ଜିଲ୍ଲାର କପା ଚାଷୀ ମାନଙ୍କ ପାଇଁ ଏକ ବଡ ବଜାର ସୃଷ୍ଟି କରିପାରିବ।

ସେହିପରି ବସ୍‌ ଟର୍ମିନାଲ ଯୋଗୁ ଦିନକୁ ପ୍ରାୟ ୧୦୦ ରୁ ୧୫୦ ବସ୍‌ ଚଳାଚଳ ହୋଇପାରିବ ଏବଂ ଏହାଦ୍ବାରା ଲୋକଙ୍କ ଯାତାୟତରେ ଅନେକ ସୁବିଧା ଆସିପାରିବ ବୋଲି ଜଣାଯାଇଛି ।

ପଂଚାୟତ ପରେ ମନ୍ତ୍ରୀମଣ୍ଡଳ ଅଦଳବଦଳ…

() ପଂଚାୟତ ନିର୍ବାଚନ ପରେ ହେବ ମନ୍ତ୍ରୀମଣ୍ଡଳ ଅଦଳବଳଦ । ଅତି ବିଶ୍ୱସ୍ତ ସୂତରୁ ଏହାଜଣାପଡିଛି । କେନ୍ଦ୍ରମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପରେ ରାଜ୍ୟମନ୍ତ୍ରୀଳ ଅଦଳବଦଳ ନେଇ ଯେଉଁ ଚର୍ଚ୍ଚା ହେଉଛଛି ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ପଂଚମପାଳିର ୨ବର୍ଷ ପରେ ଅନେକ ନବୀନ ମନ୍ତ୍ରୀମଣ୍ଡଳ ଅଦଳବଦଳ କରିବେ ବୋଲି ସାମାଜିକ ଗଣମାଧ୍ୟମରେ ଏକ ଗୁଜବ ପ୍ରଚାରିତ ହେଲା । ଏପରିକି ଏହି ଗୁଜବକୁ ପ୍ରଚାର ପ୍ରସାର କରିବା ପାଇଁ ଏକ ତାଲିକା ପ୍ରସ୍ତୁତ କରି ସୋସିଆଲ ମିଡ଼ିଆରେ ବୁଲିଲା । ଏଥିରେ କିଏ ମନ୍ତ୍ରୀ ହେବ କିଏ କେଉଁ ବିଭାଗ ପାଇବ । କିଏ ଉପ ମୁଖ୍ୟମନ୍ତ୍ରୀ ହେବ କିଏ ବାଚସ୍ପତି ହେବ ତାହା ବି ଲେଖାଯାଇଥ୍‌ଲା । ଯାହା ବେଶ କିଛି ଦିନ ଧରି ସୋସିଆଲ ମିଡ଼ିଆରେ ଜୋରଦାର ଚର୍ଚ୍ଚା ହେଲା । କିଛି ପ୍ରମୁଖ ଗଣମାଧ୍ୟମରେ ମଧ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚାର ଖବର ବି ପ୍ରମୁଖ ଖବର ପାଲଟିଗଲା । ଆଜିଯାଏ ସେହି ଗୁଜବ ବେଳେ ବେଳେ ଖଟିରେ ଆଲୋଚନା ହେଉଛି । ହେଲେ ନବୀନ କେତେବେଳେ କେଉଁ ନିଷ୍ପତି ନେବେ ତାହା ତାଙ୍କୁ ଜଣା ।

ବିଭିନ୍ନ ସ୍ଥାନରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଜନ୍ମଦିବସ ପାଳିତ

  • ଭୁବନେଶ୍ୱର ତା ୧୦.୮- ବିଭିନ୍ନ ସ୍ଥାନରେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ଜନ୍ମଦିବସ ପାଳିତ ।ଆଜି ପୂର୍ବାହ୍ନ ୭ଘଂଟା ସମୟରେ ଜଟଣୀ ବିଧାୟକ ଶ୍ରୀ ରାଉତରାୟ ଲିଙ୍ଗରାଜ ମନ୍ଦିର, ଦକ୍ଷୀଣଚଣ୍ଡି ମନ୍ଦିର, ସୁନ୍ଦରପଦା ମସ୍‌ଜିଦ ଓ ସତ୍ୟନଗର ଚର୍ଚ୍ଚଠାରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ପୁରୁଣା ଭୁବନେଶ୍ୱର ଏବଂ ଜଟଣୀ ସ୍ଥିତ ଡାକ୍ତରଖାନାରେ ଫଳ ଓ ମାସ୍କ ବଂଟନ କରାଯାଇଥିଲା । ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ବସ୍ତ୍ରଦାନ କରାଯାଇଥିଲା । ମାଉସୀମା ଛକଠାରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଶ୍ରୀ ରାଉତରାୟଙ୍କ ବାସଭବରେ ଜୟନ୍ତୀ କମିଟି ପକ୍ଷରୁ ମିଷ୍ଟାନ୍ନ ବଂଟନ ଏବଂ ଖାଦ୍ୟପେୟର ବ୍ୟବସ୍ଥା ହୋଇଥିଲା । ଅପରାହ୍ନରେ ଇଡକଲ ହଲରେ ବିଧାୟକ ଶ୍ରୀ ରାଉତରାୟଙ୍କର ଦୀର୍ଘ ଛଅଦଶନ୍ଦିର ରାଜନୈତିକ ଜୀବନ, ଛାତ୍ର ରାଜନୀତି, ସମାଜସେବା ଓ ଘଟଣାବହୁଳ ଜୀବନ ଉପରେ ଆଧାରିତ “ମାଡ଼ିଚାଲ” ନାମକ ଏକ ପୁସ୍ତକର ଲୋକାର୍ପଣ ଉତ୍ସବ ଆୟୋଜିତ ହୋଇଥିଲା । ଏହି ଲୋକାର୍ପଣ ଉତ୍ସବରେ ପଦ୍ମଶ୍ରୀ କବି ହଳଧର ନାୟକ, ପଦ୍ମଶ୍ରୀ ଦିଲ୍ଲିପ ତିର୍କୀ, ଦଉଡ଼ରାଣୀ ଦୂତି ଚାନ୍ଦ, ପଦ୍ମଶ୍ରୀ ଦେବୀପ୍ରଶନ୍ନ ପଟ୍ଟନାୟକ, ଶିଳ୍ପୀ ସୁଦର୍ଶନ ସାହୁ, ଶିଳ୍ପି ପ୍ରଭାକର ମହାରଣା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀ ରାଉତରାୟଙ୍କର ଘଟଣାବହୁଳ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ରାଉତରାୟ ତାଙ୍କର ସୁଦୀର୍ଘ ରାଜନୈତିକ ଜୀବନ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କ ସହ ତାଙ୍କର ସମ୍ପର୍କ ଏବଂ ନିସ୍ୱାର୍ଥପର ସମାଜସେବା ଉପରେ ଅବତାରଣା କରିଥିଲେ । ଏହାପରେ ୮ନମ୍ବରରେ କେବିଏନ ଗ୍ରୁପ ଏବଂ ଛାତ୍ର କଂଗ୍ରେସ ପକ୍ଷରୁ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେୃତ୍ୱରେ ଶ୍ରୀ ରାଉତରାୟଙ୍କ ଜନ୍ମଦିବସ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ରାଉତରାୟ ଛାତ୍ର ଓ ଯୁବକମାନଙ୍କୁ କହିଥିଲେ ଯେ ସମାଜସେବାକୁ ଜୀବନର ପରମ ଧର୍ମ ଭାବରେ ଗ୍ରହଣ କର । ଦୟାନଦୀ କୂଳ ଧଉଳି ପାହାଡ଼ ନିକଟସ୍ଥ ଲିଙ୍ଗିପୁର ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା ଏବଂ ପରିଶେଷରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦଳୀୟ ନେତା ଓ କର୍ମୀମାନେ ଶ୍ରୀ ରାଉତରାୟଙ୍କ ଜନ୍ମଦିବସ ପାଳନ କରିଥିଲେ । କେଦାର ଗୌରୀ ନିକଟସ୍ଥ ଗୁଆଝର ଠାରେ ଗୁଆଝର ସଂଗଠନ ପକ୍ଷରୁ ମଧ୍ୟ ଶ୍ରୀ ରାଉତରାୟଙ୍କ ଜନ୍ମ ଦିବସ ପାଳନ କରାଯାଇଥିଲା । ବିଭିନ୍ନ ଦଳର ରାଜନେତା, ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକ, ପୂର୍ବତନ ବିଧାୟକ, ସମାଜସେବୀ, ଲେଖକ, କବି, ଛାତ୍ର ନେତା, ଯୁବ ନେତା, ନାରୀ ନେତ୍ରୀ, ବୁଦ୍ଧିଜିବୀ ଓ ଶ୍ରମିକ ନେତା ପ୍ରମୁଖ ସୁରେଶ କୁମାର ରାଉତରାୟଙ୍କ ବାସସ୍ଥାନକୁ ଯାଇ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ।

ଆଦିବାସୀ ଓ ଜନଜାତିଙ୍କ ପାଇଁ ନବୀନ ସରକାର :ପ୍ରଣବ

() ଆଦିବାସୀ ଜନଜାତିଙ୍କ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ସହ ଆଗକୁ ନେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ପ୍ରଚେଷ୍ଟା ଜାରି ରଖିଛନ୍ତି । ୨୪ ଘଣ୍ଟା ସେମାନଙ୍କ ପାଇଁ କାମ କରିବା ପାଇଁ ରାଜ୍ୟ ସରକାର ସଙ୍କଳ୍ପବଦ୍ଧ l ଜନଜାତି ମାନଙ୍କର ବିକାଶ ଉପରେ ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ସେମାନଙ୍କର ଶିକ୍ଷା ସ୍ଵାସ୍ଥ୍ୟ ଓ ଜୀବନ ଜୀବିକା ପାଇଁ ରାଜ୍ୟ ସରକାର ଅନେକ ଯୋଜନା ମଧ୍ୟ କରିଛନ୍ତି । କେବଳ ସେତିକି ନୁହେଁ ସେମାନଙ୍କ ଉନ୍ନତି ପାଇଁ ନବୀନ ସରକାର ନିରନ୍ତର ପ୍ରୟାସ ଜାରିରଖିଛନ୍ତି । ଏହାସହ ଅନେକ ଯୋଜନା ମଧ୍ୟ କାର୍ଯ୍ୟକାରୀ କରିଛନ୍ତି । ବିଶେଷ କରି ଶିକ୍ଷା ଓ କ୍ରିଡା କ୍ଷେତ୍ରରେ ସେମାନେ କିପରି ଆଗକୁ ବଢିବେ ସେନେଇ ମଧ୍ୟ ସରକାର ସ୍ଵତନ୍ତ୍ର ବ୍ୟବସ୍ଥା କରିଛନ୍ତି ।ଜୀବନ ଓ ଜୀବିକାରର ମାନବୃଦ୍ଧି ପାଇଁ ସରକାର ମଧ୍ୟ ଅନେକ ସୁଫଳ ଯୋଜନା ପ୍ରଣୟନ କରିଛନ୍ତି ।

ବିଶ୍ଵ ଆଦିବାସୀ ଦିବସ ଅବସରରେ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ (ବବି) ମୟୂରଭଞ୍ଜରେ ବିଶ୍ଵ ଆଦିବାସୀ ଦିବସରେ ନିଜକୁ ସାମିଲ କରିଥିଲେ ।

ଆଦିବାସୀ ହୋ ସମାଜର କଲଚୁରାଲ ଆସୋସିଏସନର ବଣାଇ ଓ କରଞ୍ଜିଆରେ ନୂତନ କାର୍ଯ୍ୟାଳୟର ଭୂମିପୂଜନ କରାଯାଇଛି ।ଏହାସହ ୫ଟି କମ୍ୟୁନିଟି ହଲର ଶୁଭାରମ୍ଭ କରାଯାଇଛି l ଏହି ଅବସରରେ ବିଜେଡି ସଂଗଠନ ସମ୍ପାଦକଙ୍କୁ ଭିନ୍ନ ରୂପରେ ଦେଖିବାକୁ ମିଳିଛି ।ମୁଣ୍ଡରେ ପୋଲାସ ପତ୍ରର ଟୋପି ଗାମୁଛା ବାନ୍ଧି ବିଶ୍ଵ ଆଦିବାସୀ ଦିବସ ପାଳିଥିଲେ ପ୍ରଣବ ପ୍ରକାଶ ଦାସ ।

ସାହାସିକତାର ପ୍ରତୀକ ବିଜୁ ,ଆଗକୁ ଚାଲ….

() ବିଜୁପଟ୍ଟନାୟକ ସାହାସିକତା ର ପ୍ରତୀକ ,ରାଜ୍ୟ କି ଦେଶ ନୁହେଁ ବିଦେଶରେ ମଧ୍ୟ ତାଙ୍କର ସାହାସିକତା ପରିଚୟ ଦେଇଛନ୍ତି ।ଯୁବ ବୟସରେ ବିଜୁ କଟକରୁ ପାକିସ୍ତାନର ପେସାଓ୍ଵାର ପାଖାପାଖି ୪୫୦୦ ମାଇଲ୍ ଯାତ୍ରା କରିଛନ୍ତି ।ଯେଉଁ ସମୟରେ ସୁଗମ ରାସ୍ତା ନଥିଲା ସେତେବେଳେ ବିଜୁ ଏଭଳି ଦୁସାହସିକ ଯାତ୍ରା କରିଥିଲେ ବିଜୁ ପଟ୍ଟନାୟକ ।କେବଳ ସେତିକି ନୁହେଁ ପ୍ରବାଦ ପୂରୁଷ ବିଜୁପଟ୍ଟନାୟକଙ୍କ ଗାଥା ବର୍ଣ୍ଣନା କଲେ ସରିବ ନାହିଁ । ସବୁବେଳେ ଲୋକଙ୍କ ସେବା ତାଙ୍କର ଥିଲା ମୁଳମନ୍ତ୍ର ।ତାଙ୍କ ନାମରେ ନାମିତ ହୋଇଥିବା ବିଜୁ ଜନତା ଦଳର ପ୍ରତ୍ୟେକ ଛାତ୍ରମାନେ ସାହାସୀ ଓ ସେବା ମନଭାବ ରହିବା ଆବଶ୍ୟକ ।ଯାଜପୁରରେ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀଣୀ ବୈଠକରେ ଏପରି କହିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦଳ ପ୍ରଣବ ପ୍ରକାଶ ଦାସ (ବବି )। ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ କରିବାରେ ଛାତ୍ରମାନଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଆଉ ସେ ଦାୟିତ୍ୱକୁ ଛାତ୍ରମାନେ ଜୀବନର ମୂଳମନ୍ତ୍ର ଭାବରେ ଗ୍ରହଣ କରିବା ଉଚିତ ବୋଲି କହିଛନ୍ତି ପ୍ରଣବ । ନିଜ ଗାଁ, ନିଜ ସହର, ନିଜ ଜିଲ୍ଲାର ଉନ୍ନତିକରଣ ପାଇଁ ପ୍ରତ୍ୟେକ ଛାତ୍ର ଆଗେଇ ଆସିବା ଦରକାର ବୋଲି ପ୍ରଣବ ତାଙ୍କର ଏହି ଅଭିଭାଷଣ ରେ କହିଥିଲେ । ଯାଜପୁରର ସଂସ୍କୃତି ଭବନରେ ଅନୁଷ୍ଠିତ ବୈଠକରେ ଯାଜପୁର ବିଜେଡିର ଯୁବନେତା ଭବପ୍ରସାଦ ଦାସ କହିଛନ୍ତି ଯେ ଯୁବକମାନେ କେବଳ ରାଜନୀତି ନୁହେଁ ସାମାଜିକ କାର୍ଯ୍ୟରେ ଯୋଗଦେଇ ଲୋକମାନଙ୍କ ସୁଖଦୁଃଖର ସାଥି ହେବା ଉଚିତ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଓଡ଼ିଶାର ଯେଉଁ ସ୍ଵପ୍ନ ଦେଖିଛନ୍ତି ତାକୁ ଛାତ୍ରମାନେ ସେଥିରେ ହନୁମାନର ଭୂମିକା ନେବା ଦରକାର ବୋଲି ଭଵ କହିଥିଲେ l ରକ୍ତ ସଂଗ୍ରହ, ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ସହ ଜନ ସେବାକୁ ଛାତ୍ର ସମାଜ ଗୁରୁତ୍ୱ ଦେବା ଦରକାର । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଛାତ୍ର ନେତା ରାଜେଶ ସ୍ଵାଇଁ, ବିଜୟ ବସନ୍ତିଆ ,ପାର୍ଥସାରଥୀ ମହାପାତ୍ର ଛାତ୍ର ନେତା ମାନେ ସାମିଲ ହୋଇ ଜିଲ୍ଲା ରେ ବିଜୁ ଛାତ୍ର ନେତାମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି ।

ଦେଶବିଦେଶରେ ମହକିବ ‘କୋରାପୁଟ କଫି’

ଦେଶବିଦେଶରେ ମହକିବ ‘କୋରାପୁଟ କଫି’

‘କୋରାପୁଟ କଫି’ର ବିକ୍ରିବଟା ପାଇଁ ‘ଟାଟା କଫି’ର ସହମତି ପ୍ରକାଶ

କୋରାପୁଟ କସମପଦର ଗାଁର ସଫଳ କଫି ଚାଷୀ ସୁଲୋଚନା ଖରଙ୍କ ଉଚ୍ଚ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

“କୋରାପୁଟର କଫି ଚାଷୀଙ୍କ ସମୃଦ୍ଧି ପାଇଁ ଏକ ନୂଆ ଆଶାର କିରଣ। କଫି ଚାଷୀଙ୍କ ସାମାଜିକ-ଆର୍ଥିକ ଉନ୍ନତିରେ ଏହା ବଡ଼ ଭୂମିକା ନିର୍ବାହ କରିବ।” – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆମ କୋରାପୁଟ ଜିଲ୍ଲାର ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଉତ୍ପାଦନ ହେଉଥିବା ‘କୋରାପୁଟ କଫି’ ଦେଶବିଦେଶର କୋଣଅନୁକୋଣରେ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଛି। ରାଜ୍ୟର କଫି ଚାଷୀଙ୍କ ଉନ୍ନତି ଓ ସମୃଦ୍ଧି ପାଇଁ ଟିଡିସିସିଓଏଲର ପ୍ରୟାସରେ ‘କୋରାପୁଟ କଫି’ର ବିକ୍ରିବଟା ପାଇଁ ‘ଟାଟା କଫି’ ସହମତି ପ୍ରକାଶ କରିଛି। ଏହାର ସ୍ୱତନ୍ତ୍ରତାକୁ ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇ ‘ଟାଟା କଫି’ ପ୍ରଥମ ଥର ପାଇଁ ଓଡ଼ିଶାରୁ କଫି କ୍ରୟ କରିବାକୁ ଯାଉଛି।

କୋରାପୁଟରେ କଫି ଚାଷକୁ ବ୍ୟାପକ ଏବଂ ସମୃଦ୍ଧ କରିବାରେ କଫି ଚାଷୀଙ୍କ ଅବଦାନକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କସମପଦର ଗାଁର ସୁଲୋଚନା ଖରଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ଟିଡିସିସିଓଏଲକୁ ୨୦୦ କେଜିରୁ ଊର୍ଦ୍ଧ୍ଵ କଫି ଫଳ ବିକ୍ରି କରି ସୁଲୋଚନା ଖର ସଫଳ କଫି ଚାଷୀ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି। ‘କୋରାପୁଟ କଫି’ର ଚାହିଦା ପୂରଣରେ ତାଙ୍କ ପରି ଚାଷୀଙ୍କ ନିଷ୍ଠା ଓ ପ୍ରତିବଦ୍ଧତା ଅତ୍ୟନ୍ତ ପ୍ରଶଂସନୀୟ।”

“କଫି ଚାଷୀଙ୍କ ଆର୍ଥିକ-ସାମାଜିକ ଉନ୍ନତି ପାଇଁ ରାଜ୍ୟ ସରକାର କରୁଥିବା ପ୍ରୟାସରେ ‘ଟାଟା କଫି’ର ସହଯୋଗ ସେମାନଙ୍କ କଲ୍ୟାଣରେ ସହାୟକ ହେବ। କୋଭିଡ ସଙ୍କଟ ସମୟରେ ଆଦିବାସୀଙ୍କ ଜୀବନଜୀବିକା ସୁରକ୍ଷିତ କରିବାରେ ଏହା ବଡ଼ ଗୁରୁତ୍ୱ ବହନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କୋରାପୁଟ କଫି ଜରିଆରେ ଆଦିବାସୀଙ୍କ ଜୀବିକା ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ଜୁନ ୨୦୨୧ ସୁଦ୍ଧା ୩୦,୦୦୦ ପରିବାରକୁ ୪୬,୦୦୦ ଏକରର ଜଙ୍ଗଲ ଜମି ଅଧିକାର ପ୍ରଦାନ କରାଯାଇଛି। ୨୦୨୦-୨୧ରେ କୋରାପୁଟ ଜିଲ୍ଲାର ‘ଲକ୍ଷ୍ମୀପୁର’, ‘କାଶିପୁର’, ‘ଦସମନ୍ତପୁର’, ‘ନନ୍ଦପୁର’, ‘ଲମଟାପୁଟ’, ‘କୋରାପୁଟ’ ଓ ‘ପଟ୍ଟାଙ୍ଗି’ ବ୍ଲକର ୧୯୩ ଜଣ ଆଦିବାସୀ କଫି ଚାଷୀଙ୍କଠାରୁ ଟିଡିସିସିଓଏଲ ୨୮,୭୯୦ କେଜି କଫି ଚେରୀ ସଂଗ୍ରହ କରିଛି। ୨୧-୨୨ ବର୍ଷରେ ଅଧିକ ୮୦ ହେକ୍ଟର ଜମିରେ କଫି ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି। ଚଳିତ ବର୍ଷ କଫି ଉତ୍ପାଦନକାରୀଙ୍କୁ ଦକ୍ଷତା ବୃଦ୍ଧି ତାଲିମ ଦିଆଯାଇଥିବାରୁ ଗତ ବର୍ଷ ଅପେକ୍ଷା ଅଧିକ କଫି ଉତ୍ପାଦନ ହେବ ବୋଲି ଆଶା ରଖାଯାଇଛି।

ନ୍ୟାସନାଲ ଏକାଡେମୀ ଅଫ ମେଡିକାଲ ସାଇନ୍ସେସର ସଦସ୍ୟ ଭାବେ ସମ ପ୍ରଫେସର ମନୋନୀତ*

ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲର ଗାଷ୍ଟ୍ରୋଏନଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡ଼ଃ ) ମନୋଜ କୁମାର ସାହୁ ନ୍ୟାସନାଲ ଏକାଡେମୀ ଅଫ ମେଡିକାଲ ସାଇନ୍ସେସ (ଭାରତ)ର ସଭ୍ୟ ଭାବେ ମନୋନୀତ ହେବାର ଗୌରବ ଅର୍ଜନ କରିଛନ୍ତି |

ଅତ୍ୟାଧୁନିକ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଡ଼ଃ ସାହୁଙ୍କର ଅତୁଳନୀୟ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି |ଶନିବାର ନୂଆଦିଲ୍ଲୀ ଠାରେ ଏକାଡେମୀର ୬୦ତମ ସମାବର୍ତ୍ତନ ଉତ୍ସବ ଅବସରରେ ଏକାଡେମୀ ର ଅଧ୍ୟକ୍ଷ ଡ଼ଃ ସରୋଜ ଚୂଡ଼ାମଣି ଗୋପାଳ ଡ଼ଃ ସାହୁଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି | ନୀତି ଆୟୋଗର ସଦସ୍ୟ ତଥା ନ୍ୟାସନାଲ କୋଭିଡ ଟାସ୍କ ଫୋର୍ସ ର ଅଧ୍ୟକ୍ଷ ଡ଼ଃ ଭି. କେ ପଲ ଓ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ର ପୂର୍ବତନ ଡ଼ାଇରେକ୍ଟର ଜେନେରାଲ ଡ଼ଃ ନିର୍ମଳ କୁମାର ଗାଙ୍ଗୁଲିଙ୍କ ଉପସ୍ଥିତିରେ ଡ଼ଃ ସାହୁଙ୍କୁ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା |

ଏହା ମୋ ପାଇଁ ଏକ ବଡ ସମ୍ମାନର ପ୍ରସଂଗ ଏବଂ ଏଥିନିମନ୍ତେ ମୁଁ ମୋର ଦାୟିତ୍ୱ ସୁଚାରୁରୂପେ ନିର୍ବାହ କରିବି ଓ ଓଡିଶାରେ ରୋଗୀସେବାକୁ ଆହୁରି ଉନ୍ନତ କରିବା ସହ ଗବେଷଣା କ୍ଷେତ୍ରକୁ ଅଧିକ ସୁଦୃଢ କରିବାକୁ ଚେଷ୍ଟା କରିବି ବୋଲି ପ୍ରଫେସର ସାହୁ କହିଛନ୍ତି |

ସିଆଇଆଇ ଦ୍ଵାରା ସମ ଅଲଟିମେଟ ମେଡ଼ିକେଆର ନର୍ସିଂ ଟିମ୍ ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୭/୮ : କୋଭିଡ ମହାମାରୀ ସମୟରେ ପ୍ରକୃତ କୋଭିଡ ଯୋଦ୍ଧା ଭାବେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସମାଜ ପାଇଁ ଅତୁଳନୀୟ କାର୍ଯ୍ୟ କରିଥିବା ଦୃଷ୍ଟିରୁ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ ) ପକ୍ଷରୁ ସମ ଅଲ୍ଟିମେଟ ମେଡ଼ିକେୟାର (ସମମ ) ର ନର୍ସିଂ ଟିମ କୁ ସମ୍ବର୍ଦ୍ଧିତ କରାଯାଇଛି | କରୋନା ମହାମାରୀ ବିପକ୍ଷ ଯୁଦ୍ଧରେ ସାମିଲ ହୋଇ ୨୪ ଘଣ୍ଟା ଅତ୍ୟନ୍ତ ନିଷ୍ଠା ଓ ଯତ୍ନ ର ସହ ରୋଗୀ ସେବା କରୁଥିବା ସମମ ର ନର୍ସିଂ ଟିମ କୁ ସମ୍ମାନିତ କରିଛି ସିଆଇଆଇ |

ନିଜ ପରିବାର ଓ ସମ୍ପର୍କୀୟଙ୍କ ଠାରୁ ଦୂରରେ ରହି ପ୍ରତ୍ୟେକ ଦିନ ନିସ୍ଵାର୍ଥପର ଭାବେ ନର୍ସ ମାନେ ତାଙ୍କ ଦାୟିତ୍ୱ ତୁଲାଉଥିଲେ | ସମାଜ ଓ ମାନବଜାତି ର ଉନ୍ନତି ନିମନ୍ତେ ସେମାନଙ୍କର ତ୍ୟାଗ ଅତୁଲ୍ୟ |ନିଷ୍ଠାପର ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ଅନେକ ପ୍ରାଣ ମଧ୍ୟ ହରାଇଛନ୍ତି |

କରୋନା ମହାମାରୀ ଆରମ୍ଭ ହେବା ପରେ ସମ ଅଲ୍ଟିମେଟ୍ ମେଡିକେୟାର, ଏକ ମଲ୍ଟି ସ୍ପେସିଆଲିଟି କ୍ଵାଟରନାରୀ କେୟାର ହସ୍ପିଟାଲ ର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଓ ନର୍ସିଂ ଟିମ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଭୟ କୋଭିଡ ଓ କୋଭିଡ ହୋଇ ନଥିବା ଚିକିତ୍ସା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସୁଛନ୍ତି | ଏହାର ଅତ୍ୟାଧୁନିକ ଭିତ୍ତିଭୂମି ଓ ବିଶେଷଜ୍ଞ ଡାକ୍ତରୀ ଟିମ ଓ କର୍ମଚାରୀ ଅନେକ ଜଟିଳ ରୋଗର ଚିକିତ୍ସା କରିବାରେ ସଫଳ ହୋଇଛନ୍ତି |

ଓଡିଶାରେ ବ୍ଲାକ ଫଙ୍ଗସ ରୋଗକୁ ଚି଼ହ୍ନଟ କରିବାରେ ପ୍ରଥମ ହସ୍ପିଟାଲ ହେଉଛି ସମମ |

ବିଶ୍ୱସ୍ତରୀୟ, ସୁଲଭ ଓ ସବୁ କ୍ଷେତ୍ରର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ର ସ୍ବପ୍ନ କୁ ସାକାର କରିବା ଦିଗରେ ସମ ଆଲଟିମେଟ ମେଡିକେୟାର ନିର୍ମାଣ କରାଯାଇଛି। ଏହା ସୋଆ ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କ ଏକ ସ୍ବପ୍ନ ଥିଲା ବୋଲି ସମ ଆଲଟିମେଟ ମେଡିକେୟାର ର ସିଇଓ ଡ଼ଃ ଶ୍ୱେତପଦ୍ମା ଦାଶ କହିଛନ୍ତି |
ସିଆଇଆଇ ଓଡିଶା କାଉନସିଲ ର ପାଷ୍ଟ ଚେୟାରମ୍ୟାନ ତଥା ଏସାର ମୀନମେଟ ଲିମିଟେଡ଼ ର ନିର୍ଦେଶକ (ଖଣି ) ଶ୍ରୀ ସଞ୍ଜୟ ପଟନାୟକ ସମ୍ବର୍ଦ୍ଧନା ପତ୍ର ସମ ଆଲଟିମେଟ ମେଡିକେୟାର ର ସିଇଓ ଡ଼ଃ ଶ୍ୱେତପଦ୍ମା ଦାଶ, ଚିଫ ଅଫ ମେଡିକାଲ ସର୍ଭିସେସ ଡ଼ଃ (ବ୍ରିଗେଡିୟର ) ବିରାଜ ମୋହନ ମିଶ୍ର, ମାନବସମ୍ବଳ ବିଭାଗ ମୁଖ୍ୟ ଶ୍ରୀ ମଳୟ ରଞ୍ଜନ ମିଶ୍ର, ଚିଫ ଅଫ ନର୍ସିଂ ସର୍ଭିସେସ ଶ୍ରୀମତୀ ଆୟେଶା ଏନ ଓ ହସ୍ପିଟାଲର ସମସ୍ତ ନର୍ସିଂ ଟିମ କୁ ପ୍ରଦାନ କରିଥିଲେ |

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସିଆଇଆଇ ଆଇଡବ୍ଲୁଏନ ଓଡିଶା ଶାଖାର ଚେୟାରଉମେନ ଓ ଲୁମିନାସ ଇନଫୋୱେସ ପ୍ରାଇଭେଟ ଲିମିଟେଡ଼ ର ଅଧ୍ୟକ୍ଷା ଶ୍ରୀମତୀ ଜୟଶ୍ରୀ ମହାନ୍ତି ଏବଂ ସିଆଇଆଇ ଆଇଡବ୍ଲୁଏନ ଓଡିଶା ଶାଖାର ଭାଇସ ଚେୟାରଉମେନ ଓ ଇନଲାଇନ କଣ୍ଟ୍ରୋଲସ ଆଣ୍ଡ ଇକଉଇପମେଣ୍ଟ ର ପରିଚାଳନା ନିର୍ଦେଶିକା ପ୍ରମୁଖ ଉପସ୍ଥିତ ଥିଲେ |

ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ଶତପ୍ରତିଶତ ରେଜଲ୍ଟ..

ଭୁବନେଶ୍ୱର : କୋଭିଡ କଟକଣା । ଜୀବନ ଓ ଜୀବିକା ବଞ୍ଚାଇବା ଚିନ୍ତାରେ ଥିଲେ ଅବିଭାବକ । ଏସବୁ ଭିତରେ କିନ୍ତୁ ଗ୍ରାମାଞ୍ଚଳର ଛାତ୍ର ଛାତ୍ରୀ ମାନେ ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ ବେଶ ଭଲ କରିଛନ୍ତି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ଖଣ୍ଡସାହି ଭଳି ଗାଁରେ ଥିବା ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରଛାତ୍ର ଛାତ୍ରୀ ମାନେ ବେଶ ସଫଳତା ପାଇଛନ୍ତି । ଚଳିତ ବର୍ଷ ପ୍ରକାଶ ପାଇଥିବା ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟରେ ସ୍କୁଲର ଶତ ପ୍ରତିଶତ ଛାତ୍ର ଛାତ୍ରୀ ପାସ କରିଛନ୍ତି । ଯାହା ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ଅନ୍ୟ ସିବିଏସ୍‌ଇ ସ୍କୁଲ ମାନଙ୍କ ତୁଳନାରେ ରେକଡ । ସେହିଭଳି ସ୍କୁଲର ୨୭ ଜଣ ଛାତ୍ର ଛାତ୍ରୀ ଏଥର ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଉତିର୍ଣ୍ଣ ହୋଇଛନ୍ତି । ୩୦ ପ୍ରତିଶତ ଛାତ୍ର ଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବାବେଳେ ପାଖା ପାଖି ୫୦ ପ୍ରତିଶତରୁ ଅଧିକ ଛାତ୍ର ଛାତ୍ରୀ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖି ପାସ କରିଛନ୍ତି । ଗ୍ରାମାଞ୍ଚଳର ମଧ୍ୟ ବିତ୍ତପରିବାର ଏହି ଛାତ୍ର ଛାତ୍ରୀ ମାନେ ସିବିଏସଇ ପରୀକ୍ଷାରେ ଏଭଳି ରେଜଲ୍ଟ କରିବା ପଛରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଡକ୍ଟର ଦେବ ମହାନ୍ତିଙ୍କ ମାର୍ଗ ଦର୍ଶନ ଓ ଗାଁ ପରିବେଶରେ ଜାତୀୟ ସ୍ତରର ସ୍କୁଲର ଭିତ୍ତିଭୂମି ଓ ଗୁରୁକୂଳ ଭଳି ପରିବେଶ ଓ ପରିଶେଷରେ ସ୍ତୁଲର ଶିକ୍ଷକ ଶିକ୍ଷୟତ୍ରୀଙ୍କ ପରିଶ୍ରମ ରହିଛି ବୋଲି ଅବିଭାବକ ମାନେ ପ୍ରକାଶ କରିଛନ୍ତି । କୋଭିଡ କଟକଣା ଭିତରେ ପାଠ ପଢା ସମସ୍ୟା ଥିଲା । ହେଲେ ସ୍କୁଲ ପକ୍ଷରୁ ଅଫଲାଇନ ପରୀକ୍ଷା ଲାଗି ଛାତ୍ର ଛାତ୍ରୀଙ୍କୁ ପୁରା ପ୍ରସ୍ତୁତ କରାଯାଇଥିଲା । ଅନଲାଇନ ପାଠ ପଢା ସହ ଛାତ୍ର ଛାତ୍ରୀଙ୍କ ଡାଉଟ କ୍ଲିଅର ଉପରେ ଶିକ୍ଷକ ଶିକ୍ଷତ୍ରୀମାନେ ଗୁରୁତ୍ୱ ଦେଉଥିଲେ । ଅଫଲାଇନ ପରୀକ୍ଷା ହୋଇଥିଲେ ବି ଆମ ପିଲାମାନେ ଆହୁରି ଭଲ ରେଜଲ୍ଟ କରିଥାନ୍ତେ ବୋଲି ଅବିଭାବକ ମାନେ କହିଛନ୍ତି ।
ସପେଟେ ସ୍କୁଲର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ କହିଛନ୍ତି କରୋନା କଟକଣା ରହିଥିଲା । ଏସବୁ ଭିତ୍ତରେ ବି ଅନଲାଇନରେ ଛାତ୍ର ଛାତ୍ରୀ ମାନେ କିପରି ପାଠ ପଢିପାରିବେ ତାର ବ୍ୟବସ୍ଥା ସ୍କୁୁଲ ପକ୍ଷରୁ ହୋଇଥିଲା । ଛାତ୍ର ଛାତ୍ରୀମାନଙ୍କ ସହ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସବୁବେଳେ ଯୋଗା ଯୋଗରେ ରହୁଥିଲେ । ସେମାନଙ୍କର ଡାଉଟ କ୍ଲିଅର ଉପରେ ସବୁବେଳେ ଗୁରୁତ୍ୱ ଦିଆଯାଉଥିଲା । ପରୀକ୍ଷା ହୋଇଥିଲେ ଅନେକ ଛାତ୍ର ଛାତ୍ରୀ ଆହୁରି ଭଲ କରିପାରିଥାନ୍ତେ । ଆମ ପିଲାମାନଙ୍କ ଭିତରେ ଆତ୍ମ ବିିଶ୍ୱାସ ଥିଲା ଓ ସେମାନେ ଅଫଲାଇନ ପରୀକ୍ଷା ଲାଗି ପୁରା ପ୍ରସ୍ତୁତ ଥିଲେ ବୋଲି କହିଛନ୍ତି ସ୍କୁଲର ପ୍ରତିଷ୍ଠାତା ଡକ୍ଟର ଦେବ୍ ମହାନ୍ତି । ଶତପ୍ରତିଶତ ରେଜଲ୍ଟ ଲାଗି ସମସ୍ତ ଛାତ୍ର ଛାତ୍ରୀ, ଅଭିବାବକ, ଶିକ୍ଷକ ଶିକ୍ଷୟତ୍ରୀ ଓ ପରିଚାଳନା ପରିଷଦକୁ ସେ ଚେୟାରମ୍ୟାନ ଡକ୍ଟର ଦେବ୍ ମହାନ୍ତି ଧନ୍ୟବାଦ ଦେଇଛନ୍ତି । ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲର ଜାୟୀୟ ସ୍ତରୀୟ ଭିତ୍ତିଭୂମି ସହ ଶକ୍ଷିକ ପରିବେଶକୁ ଦେଖି ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ସିବିଏସଇ କତ୍ତୃପକ୍ଷ ଅନୁମତି ପ୍ରଦାନ କରିଛନ୍ତିା ଚଳିତ ବର୍ଷ ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀଲାଗି ନାମଲେଖା ହେବ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news