ଓଡ଼ିଶାରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ନେଇ ଶନିବାର ସୋଆରେ ସମ୍ମିଳନୀ 

ଭୁବନେଶ୍ୱର , ଅକ୍ଟୋବର ୪ : ପ୍ରତିରକ୍ଷା ବିଶେଷଜ୍ଞ, ସରଞ୍ଜାମ ଉତ୍ପାଦନକାରୀ, ନିବେଶକ, ଗବେଷକ ଏବଂ ସେନା ଅଧିକାରୀମାନେ ଓଡ଼ିଶାରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନର ସମ୍ଭାବନାକୁ ନେଇ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଶନିବାର ଏକ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ‘ମିଶନ୍‌: ମେକ୍ ଇନ୍ ଓଡ଼ିଶା ଫର୍ ଡିଫେନ୍ସ ଇଣ୍ଡଷ୍ଟ୍ରୀ-ଅପର୍ଚୁନିଟିଜ୍ ଗାଲୋର’ ଶୀର୍ଷକ ଏହି ସମ୍ମିଳନୀ ଓଡ଼ିଶା କର୍ପୋରେଟ ଫାଉଣ୍ଡେସନ୍‌, ସୋଆ ଏବଂ ସୋଆ ସେଂଟର ଫର୍ ଇନୋଭେସନ୍ ଆଣ୍ଡ ଇନ୍‌କ୍ୟୁବେସନ୍ (ସୋଆ-ସିଆଇଆଇ)ର ମିଳିତ ସହଯୋଗରେ ଆୟୋଜନ କରାଯାଇଛି। ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ‘ଉଦ୍ୟୋଗପତି ଏବଂ ଶିଳ୍ପ କ୍ଷେତ୍ରର ବିଶେଷଜ୍ଞଙ୍କୁ ଗୋଟିଏ ମଂଚରେ ଏକିତ୍ରିତ କରିବା’ ବୋଲି ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓସିଏଫର ଉପଦେଷ୍ଟା ବ୍ରିଗେଡିୟର ଏଲ୍‌.ସି. ପଟ୍ଟନାୟକ ସୂଚନା ଦେଇଛନ୍ତି। ରାଷ୍ଟ୍ରୀୟ ସୁରକ୍ଷା, ଅର୍ଥନୈତିକ ବିକାଶ ଓ ନିଯୁକ୍ତିର ସୁଯୋଗକୁ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି। ଓଡ଼ିଶାରେ ପର୍ଯ୍ୟାପ୍ତ କଂଚାମାଲ, ଭିତିଭୂମି, କୁଶଳୀ ମାନବସମ୍ବଳ ଏବଂ ରପ୍ତାନୀର ସମସ୍ତ ସୁଯୋଗ ରହିଥିବା ବେଳେ ରାଜ୍ୟରେ ଅଧିକ ମାତ୍ରାରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ହୋଇପାରି ନାହିଁ। ଏହି କ୍ଷେତ୍ରରେ ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ରହିଥିବା ବ୍ରିଗେଡିୟର ପଟ୍ଟନାୟକ କହିଛନ୍ତି।ଏହି ସମ୍ମିଳନୀର ପ୍ରମୁଖ ପ୍ରସଙ୍ଗ ରହିଛି ସ୍ଥାନୀୟ ବୁଦ୍ଧିମତାକୁ ନେଇ ସ୍ୱଦେଶୀ ପଦାର୍ଥର ଉତ୍ପାଦନ ଏବଂ ଓଡ଼ିଶାର କୁଶଳୀ ମାନବସମ୍ବଳକୁ ନେଇ ବିଶ୍ୱସ୍ତରୀୟ ପ୍ରତିରକ୍ଷା ଉତ୍ପାଦ, ଅଭିନବ ଉପାୟ ଏବଂ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳକୁ ବ୍ୟବହାର କରି ଓଡ଼ିଶାର ଉନ୍ନତି ସାଧନ କରିବା ବୋଲି ସେ କହିଛନ୍ତି।

ଏଥି ସହିତ ବିଶ୍ୱ ପ୍ରତିରକ୍ଷା ବଜାରରେ ଓଡ଼ିଶାକୁ ପ୍ରତିପାଦିତ କରି ବିଦେଶୀ ନିବେଶକକୁ ଆକର୍ଷିତ କରିବା ମଧ୍ୟ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହିଛି। ସାମ୍ବାଦିକ ସମ୍ମିଳନୀରେ ମେଜର ଜେନେରାଲ୍ (ଅବସରପ୍ରାପ୍ତ) ଆର.ସି.ପାଢ଼ୀ, ଏଭିଏମ୍ (ଅବସରପ୍ରାପ୍ତ) ଏମ୍‌. ମହନ୍ତ, କର୍ଣ୍ଣେଲ୍ (ଡକ୍ଟର) ପି.ସି. ପଟ୍ଟନାୟକ, ଓସିଏଫ୍‌ର ୱିମେନ୍ ୱିଙ୍ଗର ଚେୟାରମ୍ୟାନ୍ ଶ୍ରୀମତି ଉଶଷୀ ରଥ ଏବଂ ଏଗ୍‌ଜିକ୍ୟୁଟିଭ ଡାଇରେକ୍ଟର ତଥା ଉପଦେଷ୍ଟା ଶ୍ରୀ ପ୍ରମୋଦ କୁମାର ଶତପଥୀ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ।

ଜାତି ଜନଗଣନା, ସାମ୍ବିଧାନିକ ସଂରକ୍ଷଣ ନେଇ ଦୃଢ଼ ଦାବି କଲେ ଶ୍ରୀକାନ୍ତ ଓ କାଡାମ….

()ଜାତି ଜନଗଣନା ପ୍ରସଙ୍ଗରେ ସର୍ବଭାରତୀୟ ସ୍ତରରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଏହି ଦାବି କରି ଆସୁଥିବା ବେଳେ ଇଣ୍ଡିଆ ବ୍ଲକ ବି ଦାବି କରି ଆସୁଛି । କିନ୍ତୁ କେନ୍ଦ୍ର ସରକାରଙ୍କ ଜାତି ଜନଗଣନା ନେଇ ସ୍ପଷ୍ଟ ଆଭିମୁଖ୍ୟ ନାହିଁ। ରାଜ୍ୟରେ ଜାତି ଜନଗଣନା ପାଇଁ ଦାବି ରଖିଲା କଂଗ୍ରେସ। ବିଜେପି ଏ କଥା କହିଥିଲେ ମଧ୍ୟ ଏବେ ଚୁପ। ଜାତି ଜନଗଣନା ହେଲେ କାହାର କେତେ ସଂଖ୍ୟା ଜଣାପଡିବା । କେଉଁ ବର୍ଗ କେଉଁ ସ୍ଥିତିରେ ଅଛନ୍ତି ତାହା ସ୍ପଷ୍ଟ ହେବ। ସେମାନଙ୍କ ସାମାଜିକ ଆର୍ଥିକ ସ୍ଥିତି ଜଣାପଡିବ। କେନ୍ଦ୍ର ଓ ରାଜ୍ୟ ସରକାର ସଠିକ ଭାବେ ନୀତିଗତ ନିଷ୍ପତ୍ତି ନେଇପାରିବେ । ରାଜ୍ୟରେ ST-SCଙ୍କ ସଂଖ୍ୟା ୪୦% ଚାକିରୀରେ ସଂରକ୍ଷଣ ୩୮.୭୫%। OBC/SEBCଙ୍କ ସଂଖ୍ୟା ୫୪% ଚାକିରୀରେ ସଂରକ୍ଷଣ ମାତ୍ର ୧୧% କିନ୍ତୁ ଶିକ୍ଷାରେ – 0% । ସାଧାରଣ (GENERAL) ବର୍ଗର ସଂଖ୍ୟା ଓଡ଼ିଶାରେ ମାତ୍ର ୬% କିନ୍ତୁ ସଂରକ୍ଷଣ ଉଭୟ ଚାକିରୀ ଓ ଶିକ୍ଷାରେ (EWS) ୧୦% । ST-SC & OBC/SEBCଙ୍କ ସଂଖ୍ୟା – ୯୪% । କିନ୍ତୁ ବିଜେପି କାହିଁକି ସେମାନଙ୍କ ପ୍ରତି ପାତରଅନ୍ତର କରୁଛି ବୋଲି କଂଗ୍ରେସ ଦଳର ବରିଷ୍ଠ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପ୍ରଶ୍ନ ଉଠାଇଛନ୍ତି । ବିଜେପି ଇସ୍ତାହାରରେ ଏମାନଙ୍କୁ ନ୍ୟାୟ ଦେବାକୁ କହିଥିଲା। କିନ୍ତୁ ଏହା କିଭଳି ନ୍ୟାୟ ବୋଲି ପ୍ରଶ୍ନ କଲା କଂଗ୍ରେସ। ସାରା ରାଜ୍ୟରେ ଜିଲ୍ଲା, ଗାଁ ଓ ପଞ୍ଚାୟତରେ ସାଧାରଣ ଲୋକଙ୍କୁ ସାମିଲ କରାଯିବ। ଆଗାମୀ ଷ୍ଟିୟରିଂ କମିଟି ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଲେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା। “ସଂଖ୍ୟା ଯାହାର ଯେତେ – ଭାଗ ପାଇବେ ସେମାନେ ସେତେ” I ପ୍ରେସମିଟ ନେଇ କଂଗ୍ରେସ ନେତା ଡ଼ ବିଶ୍ୱରଂଜନ ମହାନ୍ତି ପ୍ରାରମ୍ଭିକ ସୂଚନା ଦେଇଥିଲେ l

ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଦାବି :-

• ଜାତିଭିତ୍ତିକ ଜନଗଣନା ତୁରନ୍ତ କରାଯାଉ I

• OBC/SEBC ବର୍ଗଙ୍କ ପାଇଁ ଚାକିରୀ ଓ ଉଚ୍ଚଶିକ୍ଷାରେ ୨୭% ସଂରକ୍ଷଣ ଦିଆଯାଉ I

• ST-SC ଛାତ୍ରଛାତ୍ରୀଙ୍କ ପାଇଁ ବୈଷୟିକ ଶିକ୍ଷାରେ ୩୮.୭୫% ସଂରକ୍ଷଣ ଲାଗୁ କରାଯାଉ I

• ST-SC ଏବଂ OBC/SEBC ବର୍ଗର ୧ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଭୁବନେଶ୍ୱରରେ ଅତ୍ୟାଧୁନିକ ହଷ୍ଟେଲ ନିର୍ମାଣ କରାଯାଉ I

• ପ୍ରାୟ ୨୦ ବର୍ଷ ଧରି ୨୭% ସଂରକ୍ଷଣରୁ ବଞ୍ଚିତ OBC/SEBC ଯୁବ ବର୍ଗଙ୍କ ପାଇଁ ୨ ଲକ୍ଷ ସ୍ୱତନ୍ତ୍ର ନିଯୁକ୍ତି ବ୍ୟବସ୍ଥା ହେଉ I

• ବେକାରୀ ଭତ୍ତା ମାସିକ ୩ ହଜାର ଟଙ୍କା କରାଯାଉ I

• Outsourcing ଏବଂ Contractual ନିଯୁକ୍ତିରେ ସଂରକ୍ଷଣ ଲାଗୁ କରାଯାଉ I

• State Finance Corporationରେ ୫ ହଜାର କୋଟି ଟଙ୍କାର କର୍ପସ ଫଣ୍ଡ କରାଯାଉ ବୋଲି କଂଗ୍ରେସ ଦାବି କରିଛି ।

ସାରା ରାଜ୍ୟରେ ଜାରି ରହିଥିବା ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ଓ ସେମାନଙ୍କ ଦାବି ଯୁକ୍ତିଯୁକ୍ତ ତାହା ତୁରନ୍ତ ପୂରଣ କରାଯାଉ ବୋଲି ଦାବିକଲା କଂଗ୍ରେସ। ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟର ମୁଖ୍ୟମନ୍ତ୍ରୀ କାହିଁକି ଚୁପ ବୋଲି ପ୍ରଶ୍ନ ଉଠାଇଲେ। ସରକାରଙ୍କ ୧୦୦ ଦିନରେ ଚମତ୍କାରକୁ ଅପେକ୍ଷା କରିଥିଲୁ । କ’ଣ ଚମତ୍କାର ହେଉଛି ଆପଣ ଜାଣିଛନ୍ତି ବୋଲି କହି ବିଜେପି ସରକାର ଉପରେ ବର୍ଷିଲା କଂଗ୍ରେସ।

ଜାତିଭିତ୍ତିକ ଜନଗଣନା ଏବଂ ସଂରକ୍ଷଣ ପ୍ରସଙ୍ଗରେ ବିଧାନସଭାରେ କଂଗ୍ରେସ ପ୍ରଶ୍ନ ଉଠାଇଥିଲା I ରାଜ୍ୟରେ ନୂଆ ସରକାର ଆସିବା ପରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ I ପ୍ରତିଦିନ ରାଜ୍ୟର ବିଭିନ ଜିଲ୍ଲାରୁ ମହିଳା ନିର୍ଯାତନା ଓ ଗଣଦୁଷ୍କର୍ମ ଖବର ଆସୁଛି I ଆଗାମୀ ଦିନରେ ରାଜ୍ୟର ଆଇନିଶୃଙ୍ଖଳା ନ ସୁଧୁରିଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବୟାନକୁ ନେଇ ବର୍ଷିଲା କଂଗ୍ରେସ । ମେହବୁବା ମୁଫତି କାହା ସହଯୋଗରେ ମୁଖ୍ୟମନ୍ତ୍ରୀ ହୋଇଥିଲେ? ଫାରୁକ ଅବଦୁଲ୍ଲା ଓ ତାଙ୍କ ପୁତ୍ର ଏନଡିଏରେ ମନ୍ତ୍ରୀ ଥିଲେ କି ନାହିଁ? ବାଜପେୟୀ ପାକିସ୍ଥାନକୁ ବସ ଯାତ୍ରା କରିଥିଲେ କି ନାହିଁ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିନା ନିମନ୍ତ୍ରଣରେ ପାକିସ୍ତାନ ଯାଇ ବିରିୟାନୀ ଖାଇଥିଲେ ନା ନାହିଁ? ତେଣୁ ବିଜେପି ଯେତେବେଳେ ଏ ସବୁ କରୁଥିଲା ଠିକ ଏବେ ଜମ୍ମୁରେ ଶାନ୍ତି ଫେରାଇବା ପାଇଁ ଯଦି କଂଗ୍ରେସ ଉଦ୍ୟମ କରୁଛି ତାହା କେମିତି ଦେଶଦ୍ରୋହ ହେଲା ବୋଲି ପ୍ରଶ୍ନ କଲେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ତେଣୁ ଏଭଳି ମନ୍ତବ୍ୟ ଗୋଟିଏ ଜାତୀୟ ଦଳର ଅଧ୍ୟକ୍ଷଙ୍କ ଠାରୁ ଗ୍ରହଣୀୟ ନୁହେଁ ।

ନଡ୍ଡା ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ ଅଛନ୍ତି । ଏଠି ଷ୍ଟ୍ରାଇକରେ ନର୍ସ ମାନେ । କାହିଁକି ସେ ଏ ପ୍ରସଙ୍ଗରେ ଆଲୋଚନା କଲେନି ବୋଲି ପ୍ରଶ୍ନ କଲା କଂଗ୍ରେସ । ତେଣୁ ଜାମ୍ମୁ ଓ ହରିୟାଣାରେ ପରାସ୍ତ ହେବାର ପୂର୍ବ ସୂଚନା ଆସିଵାରୁ ବିବ୍ରତ ହୋଇ ସେ ଏ କଥା କହୁଛନ୍ତି ବୋଲି କହିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା।

ଏହି ସାମ୍ବାଦିନ ସମିଳନୀରେ କଂଗ୍ରେସ ଷ୍ଟିୟରିଂ କମିଟିର ସଦସ୍ୟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ସାଂସଦ ଅନନ୍ତ ସେଠି, ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ ଏବଂ କଂଗ୍ରେସ ନେତା ଡ଼. ବିଶ୍ୱ ରଞ୍ଜନ ମହାନ୍ତି ଯୋଗ ଦେଇଥିଲେ I

ସରକାରଙ୍କ ବିଫଳତା ଓ ବିଜେପି ର ମିଛ ବିଷୟରେ ଲୋକଙ୍କୁ ସଚେତନ କର. – ନବୀନ ପଟ୍ଟନାୟକ 

()ଦରଦାମ ବୃଦ୍ଧିଠାରୁ ଆରମ୍ଭ କରି ନାରୀ ସୁରକ୍ଷା, ପୁଞ୍ଜି ବିନିଯୋଗ ଆଦି ବିଭିନ୍ନ କ୍ଷେତ୍ରରେ ଓଡିଶାରେ ବିଜେପି ସରକାର ବିଫଳ ହୋଇଛି । ଏ ସରକାର ଶହେ ଦିନ ପୂରଣ କରିସାରିଲାଣି । କିନ୍ତୁ ସରକାରର ବିଫଳତା ଆଜି ସବୁଆଡେ ନିରାଶା ସୃଷ୍ଟି କରିଛି । ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଅହେତୁକ ଦରବୃଦ୍ଧି ସାଧାରଣ ଲୋକଙ୍କୁ ଘର ଚଳାଇବା କଷ୍ଟ କରି ଦେଲାଣି । ମହିଳା ମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ନାରୀ ନିର୍ଯାତନା ବଢି ଚାଲିଛି । ଏପରିକି ସରକାରୀ କର୍ମଚାରୀ ମାନେ ମଧ୍ୟ ନିଜକୁ ସୁରକ୍ଷିତ ମନେକରୁନାହାନ୍ତି । ପୁରୀ ରାଜଭବନରୁ ଆରମ୍ଭ କରି ଭରତପୁର ଥାନା ପର୍ଯ୍ୟନ୍ତ ଏ ସବୁ ଘଟଣା ସରକାରଙ୍କ ବିଫଳତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଓଡିଶାରୁ ପୁଞ୍ଜି ଫେରି ଯାଉଛି । ଶିଳ୍ପପତି ମାନଙ୍କର ଓଡିଶା ସରକାର ଭରସା ନାହିଁ । ଏହିପରି ଅନେକ ବିଫଳତା ଶହେ ଦିନର ସରକାରର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଆଜି ଶଙ୍ଖ ଭବନରେ ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ସଂକ୍ରାନ୍ତୀୟ ପ୍ରସ୍ତୁତି ବୈଠକରେ ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ମିଛ କାହାଣୀ କହି ବିଜେପି ନିର୍ବାଚନରେ ଜିତିଛି । ମିଛ କହି ନିର୍ବାଚନ ଜିତା ଯାଇପାରେ, କିନ୍ତୁ ଲୋକଙ୍କ ହୃଦୟ ନୁହେଁ । ସୁଭଦ୍ରା ଯୋଜନା ହେଉ ବା ମାଗଣା ବିଜୁଳି ବା ଭତ୍ତା ବୃଦ୍ଧି, ବିଜେପିର ମିଥ୍ୟା ପ୍ରତିଶୃତି ଆଜି ସାଧାରଣ ଲୋକଙ୍କୁ ହତଚକିତ କରିଛି ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ବିଜେପି ସରକାରର ବିଫଳତା ଓ ମିଛ ପ୍ରତିଶୃତି ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଆହ୍ୱାନ ଜଣାଇଥିଲେ । ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ ଏକ ଦାୟୀତ୍ୱପୂର୍ଣ୍ଣ ବିରୋଧୀ ଦଳ ଭାବରେ କାମ କରୁଛି । ଆମ ପାଇଁ ସାଧାରଣ ଲୋକର ସମସ୍ୟାର ସମାଧାନ ଓ ଓଡିଶାର ସ୍ୱାର୍ଥ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।

ଗତ ଚବିଶ ବର୍ଷ ଭିତରେ ବିଜେଡି ସରକାରର ସଫଳତା ବିଷୟରେ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଥିଲେ ୨୦୦୦ ରୁ ୨୦୨୪ ମସିହା ମଧ୍ୟରେ ଓଡିଶାର ମୁଣ୍ଡପିଛା ରୋଜଗାର ସର୍ବାଧିକ ବୃଦ୍ଧି ଘଟିଛି ଯାହାକି ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଆସାମ ଆଦି ବିଜେପି ଶାସିତ ଡବଲ ଇଞ୍ଜିନ ରାଜ୍ୟମାନଙ୍କ ଠାରୁ ଅଧିକ । ସେହିପରି ମୁଣ୍ଡପିଛା ଋଣ ପରିମାଣ ମଧ୍ୟ ଡବଲ ଇଞ୍ଜିନ ରାଜ୍ୟମାନଙ୍କ ଠାରୁ କମ୍‌ ରହିଛି ।

ଜନ ସମ୍ପର୍କ ପଦଯାତ୍ରା ସମ୍ପର୍କରେ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପ୍ରତିବର୍ଷ ପରି ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ । ଅକ୍ଟୋବର ୬ ରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଶେଷ ହେବ । ପୂଜା ପରେ ଅକ୍ଟୋବର ୨୧ ରୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା ଜାରି ରହିବ । ସେହିପରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅକ୍ଟୋବର ୯ ତାରିଖରୁ ଡିସେମ୍ବର ୯ ତାରିଖ ଦୁଇ ମାସ ପର୍ଯ୍ୟନ୍ତ ସଭ୍ୟ ସଂଗ୍ରହ ଅଭିଯାନ ଜାରୀ ରହିବ ବୋଲି ଘୋଷଣା କରିଥିଲେ । ସୋସିଆଲ ମିଡିଆକୁ ଅଧିକ ସକ୍ରିୟ କରିବା ସହିତ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନର ବିପୁଳ ସଫଳତା ଦିଗରେ ନିଷ୍ଠାପର ଭାବରେ କାର୍ଯ୍ୟ କରିବା ପାଇଁ ଶ୍ରୀ ପଟ୍ଟନାୟକ ଦଳୀୟ ନେତୃବୃନ୍ଦ ଓ ପଦାଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

ବିଜେଡି ସମନ୍ୱୟ କମିଟିର ମୁଖ୍ୟ ବରିଷ୍ଠ ନେତା ଶ୍ରୀ ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଶ୍ରୀ ସଞ୍ଜୟ ଦାସ ବର୍ମା, ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଶ୍ରୀ ଅରୁଣ ସାହୁ, ଶ୍ରୀ ଗଣେଶ୍ୱର ବେହେରା, ଶ୍ରୀ ଚନ୍ଦ୍ରଶେଖର ସାହୁ, ଶ୍ରୀ ସୁଦାମ ମାର୍ଣ୍ଡି, ଶ୍ରୀ ବିକ୍ରମ ଆରୁଖ, ଶ୍ରୀ ଅଶୋକ ପଣ୍ଡା, ଶ୍ରୀ ବଦ୍ରୀ ପାତ୍ର, ଶ୍ରୀ ଦେବୀରଞ୍ଜନ ମିଶ୍ର, ଦୀପାଳୀ ଦାସ ଓ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର ପ୍ରମୁଖ ଆଗାମୀ ଦିନରେ ସଙ୍ଗଠନକୁ ଆହୁରି ମଜବୁତ୍‌ କରିବା ପାଇଁ ସୁଚିନ୍ତିତ ପରାମର୍ଶ ଦେଇଥିଲେ ।

ବିଜେବି ଫ୍ରେଣ୍ଡ୍ସ ଦ୍ଵାର ମହାତ୍ମାଗାନ୍ଧୀ ଙ୍କ ଉପରେ ରଚନା, ବକୃତା ଓ କୁଇଜ୍ ପ୍ରତିଯୋଗୀତା

ଯୁବ ପିଢୀ ମାନଙ୍କ ମଧ୍ୟରେ ମହାତ୍ମାଗାନ୍ଧୀ ଙ୍କ ବାର୍ତ୍ତା ପହଞ୍ଚାଇବା ଉଦ୍ଦେଶ୍ୟରେ ବିଜେବି କଲେଜ ପୁର୍ବତନ ଛାତ୍ରଛାତ୍ରୀ ସଂଘ *ବିଜେବି ଫ୍ରେଣ୍ଡ୍ସ* ଆନୁକୁଲ୍ୟରେ ବିଜେବି କଲେଜ ରେ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ ଆଦର୍ଶ ଉପରେ ବିଗତ ଦୁଇ ଦିନ ଧରି ଆନ୍ତଃ ମହାବିଦ୍ୟାଳୟ ସ୍ଥରୀୟ ରଚନା, ବକୃତା ଓ କୁଇଜ୍ ପ୍ରତିଯୋଗୀତା ଆୟୋଜିତ ହୋଇ ଯାଇଛି। ଏହି ସବୁ ପ୍ରତିଯୋଗିତାରେ ରେ ରାଜ୍ଯ ର ବିଭିନ୍ନ କଲେଜରୁ ୨୦୦ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।
ରଚନା ର ଓଡିଆ ବିଭାଗରେ ରେଭେନ୍ସା ବିଶ୍ଵବିଦ୍ୟାଳୟ ର ଛାତ୍ର ଦୁର୍ଗା ପ୍ରସାଦ ସାହୁ ୧ମ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ର ଆଶିଷ ପ୍ରତୀକ୍ ବିଶ୍ଵାଳ ୨ୟ ,ବିଜେବି ମହାବିଦ୍ୟାଳୟର ଛାତ୍ରୀ କରୀସ୍ମା ପ୍ରଧାନ ୩ୟ ସ୍ଥାନ ଅଧିକାର କରିଛନ୍ତି।ଇଂରାଜୀ ରଚନା ବିଭାଗ ରେ ରମାଦେବୀ ବିଶ୍ଵବିଦ୍ୟାଳୟର ଅନାମିକା ମହାନ୍ତି ୧ମ, ପ୍ରାଣନାଥ ମହାବିଦ୍ୟାଳୟ ର ଅନିନ୍ଦିତା ରଣସିଂହ ୨ୟ ଓ ବିଜେବି ମହାବିଦ୍ୟାଳୟର ଅନନ୍ଦିତା ମିଶ୍ର ୩ୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଓଡିଆ ବକୃତା ପ୍ରତିଯୋଗୀତାରେ ରେଭେନ୍ସା ବିଶ୍ଵବିଦ୍ୟାଳୟ ର ରଞ୍ଜିତ୍ ସାହୁ ଓ କେଶରୀ ପ୍ରସାଦ ମହାନ୍ତି ଯଥାକ୍ରମେ ୧ମ ଓ ୨ୟ ସ୍ଥାନ ଅଧିକାର କରିଥିବା ବେଳେ ବିଜେବି ମହାବିଦ୍ୟାଳୟର ବିଶ୍ଵଜିତ ସ୍ଵାଇଁ ୩ୟ ସ୍ଥାନ ଅଧିକାର କରିଛନ୍ତି। ଇଂରାଜୀ ବକୃତା ପ୍ରତିଯୋଗୀତାରେ ରେଭେନ୍ସା ବିଶ୍ଵବିଦ୍ୟାଳୟ ର ଶାସ୍ଵତି ସୌମ୍ଯା ସ୍ଵାଇଁ ଓ ବିଜେବି ମହାବିଦ୍ୟାଳୟର ତପସ୍ଵିନୀ ଦାସ ଯୁଗ୍ମ ୧ମ, ବିଜେବି ମହାବିଦ୍ୟାଳୟର ତମନ୍ନା ଭୋଇ ଓ ସଂସ୍କୃତି ମହାପାତ୍ର ଯୁଗ୍ମ ୨ୟ , ରେଭେନ୍ସା ବିଶ୍ଵବିଦ୍ୟାଳୟ ର ଅମନ ବେଉରିଆ ଓ ରମାଦେବୀ ବିଶ୍ଵବିଦ୍ୟାଳୟର ଚୟନୀକା ରାଉତି ଯୁଗ୍ମ ୩ୟ ସ୍ଥାନ ଅଧିକାର କରିଛନ୍ତି। କୁଇଜ୍ ପ୍ରତିଯୋଗୀତା ରେ କିଟ୍ ବିଶ୍ଵବିଦ୍ୟାଳୟ ର ଅନୁରାଗ ସାମନ୍ତରାୟ ଓ ଆଶିଷ ମହାପାତ୍ର ୧ମ, ବିଜେବି ମହାବିଦ୍ୟାଳୟର ସୌଭାଗ୍ୟ ଶୁଭଙ୍କର ପ୍ରଧାନ ଓ ତପସ୍ଵିନୀ ଦାସ ୨ୟ , ରେଭେନ୍ସା ବିଶ୍ଵବିଦ୍ୟାଳୟ ର ଶାଶ୍ଵତି ସୌମ୍ଯା ସ୍ଵାଇଁ ଓ ଶୁଭଶ୍ରୀ ପ୍ରିୟଦର୍ଶିନୀ ୩ୟ ସ୍ଥାନ ଅଧିକାର କରିଛନ୍ତି।
ଆସନ୍ତା ଅକ୍ଟୋବର ୨ ତାରିଖ ଦିନ ଜୟନ୍ତୀ ଅବସରରେ ବିଜେବି ସ୍ଵୟଂ ଶାସିତ ମହାବିଦ୍ୟାଳୟ ରେ ଆୟୋଜିତ ହେବାକୁ ଥିବା ଉତ୍ସବ ରେ ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଛାତ୍ରଛାତ୍ରୀ ମାନଙ୍କୁ ଯଥାକ୍ରମେ ଟ ୧୦୦୦୦, ଟ ୭୦୦୦, ଟ୫୦୦୦ ନଗଦ ଅର୍ଥ, ଟ୍ରଫି ସହ ମାନପତ୍ର ପ୍ରଦାନ କରାଯିବ।
ଉକ୍ତ ଉତ୍ସବରେ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ବହୁ ସଂଖ୍ୟା ରେ ଯୋଗଦେବାକୁ ସଂଘ ର ସଭାପତି ଦେବାଶିଷ ପଟ୍ଟନାୟକ ଓ ସଂପାଦକ ସତ୍ୟବ୍ରତ ଧୂପାଳ ଅନୁରୋଧ କରିଛନ୍ତି।

ଭେଜାଲ୍ ଔଷଧ ପ୍ରତି ଫାର୍ମାସିଷ୍ଟମାନେ ବିଶେଷ ଧ୍ୟାନ ଦିଅନ୍ତୁ: ସୋଆ ଉପସଭାପତି

ଭୁବନେଶ୍ୱର, ୨୫/୦୯: ବର୍ତମାନ ସବୁ କ୍ଷେତ୍ରରେ ଅପମିଶ୍ରଣ ଅଥବା ଭେଜାଲ କାରବାର ପରିଲକ୍ଷିତ ହେଉଛି। କିନ୍ତୁ ଜୀବନ ରକ୍ଷାକାରୀ ଔଷଧରେ ଅପମିଶ୍ରଣ ହେଲେ ଏହା ମାନବ ଜାତି ପ୍ରତି ବିଶ୍ୱାସଘାତକତା ହେବ। ତେଣୁ ଫାର୍ମାସିଷ୍ଟମାନେ ଏଥି ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଫାର୍ମାସୀ ବିଭାଗ ପକ୍ଷରୁ ବୁଧବାର ଆୟୋଜିତ ବିଶ୍ୱ ଫାର୍ମାସିଷ୍ଟସ ଦିବସ ‘ଏଲିକ୍‌ଜର -୨୦୨୪’ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ କହିଥିଲେ ଯେ କରୋନା ପରି ମହାମାରୀ ହୁଏତ ଆଗାମୀ ଭବିଷ୍ୟତରେ ମଧ୍ୟ ବିଶ୍ୱ ସାମ୍ନା କରିପାରେ। ତେଣୁ ଏପରି ବିପତିରୁ ସମାଜକୁ ଉଦ୍ଧାର କରିବା ପାଇଁ ଫାର୍ମାସିଷ୍ଟମାନେ ସଂକଳ୍ପବଦ୍ଧ ହେବା ସହ ଏଭଳି ଔଷଧ ଆବିଷ୍କାର କରିବା ଦରକାର ଯାହାର ଗୁଣବତାରେ କୌଣସି ସନ୍ଦେହ ନଥିବ ଏବଂ ଏହାର କୌଣସି ପାଶ୍ୱର୍ପ୍ରତିକ୍ରିୟା ମଧ୍ୟ ରହିବ ନାହିଁ ବୋଲି ଶ୍ରୀମତି ଦାସ ଫାର୍ମାସିଷ୍ଟମାନଙ୍କୁ ନିବେଦନ କରିଛନ୍ତି। ଏଥି ନିମନ୍ତେ ଫାର୍ମାସିଷ୍ଟମାନେ ସର୍ବଦା ଜିଜ୍ଞାସୁ ହେବା ଆବଶ୍ୟକ ଯାହା ଫଳରେ ଭେଷଜ ବିଜ୍ଞାନରେ ନୂତନ ଦିଗ ଉନ୍ମୋଚିତ ହୋଇପାରିବ। ଏହା ଦ୍ୱାରା ମାନବଜାତିର ମଙ୍ଗଳ ହେବ। ତେଣୁ ଏହି ଦିଗ ପ୍ରତି ଫାର୍ମାସିଷ୍ଟମାନେ ସଜାଗ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟ ବଳରେ ସମଗ୍ର ମାନବସମାଜ ଫାର୍ମାସିଷ୍ଟମାନଙ୍କ ପାଖରେ ସଦା କୃତଜ୍ଞ ହୋଇ ରହିବ ବୋଲି ସେ କହିଛନ୍ତି।

ଚଳିତ ବର୍ଷର ପ୍ରସଙ୍ଗ “ଫାର୍ମାସିଷ୍ଟ: ମିଟିଙ୍ଗ ଗ୍ଲୋବାଲ ହେଲ୍‌ଥ ନିଡ୍ସ”କୁ ଉଲ୍ଲେଖ କରି ଶ୍ରୀମତି ଦାସ କହିଥିଲେ ଯେ ଏହାର ଉଦ୍ଦେଶ୍ୟ ହେଉଛି ଫାର୍ମାସିଷ୍ଟମାନଙ୍କ ଦ୍ୱାରା କିପରି ସାରା ବିଶ୍ୱରେ ଥିବା ସ୍ୱାସ୍ଥ୍ୟ କ୍ଷେତ୍ରର ଆବଶ୍ୟକତାକୁ ପୂରଣ କରିହେବ। ବିଗତ ବର୍ଷରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫାର୍ମାସିଷ୍ଟମାନେ ନିଷ୍ଠାର ସହ ସେବା କରିଥିବାରୁ ଏହି ଅବସରରେ ସୋଆ ଉପସଭାପତି ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମରେ ଫାର୍ମାସୀ ବିଭାଗର ମୁଖ୍ୟ ଡକ୍ଟର ଯସ୍ମୀନ୍ ପଣ୍ଡା ଅତିଥିମାନଙ୍କୁ ସ୍ୱାଗତ କରିବା ଅବସରରେ ବିଶ୍ୱ ଫାର୍ମାସୀ ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ ଓଡ଼ିଶାର ଡ୍ରଗ୍ସ କଂଟ୍ରୋଲର ଶ୍ରୀମତି ମାମିନା ପଟ୍ଟନାୟକ ବକ୍ତା ଭାବେ ଯୋଗ ଦେଇ କରୋନା ମହାମାରୀ ସମୟରେ ଫାର୍ମାସିଷ୍ଟମାନେ ଡାକ୍ତର ଏବଂ ରୋଗୀଙ୍କ ମଧ୍ୟରେ ଏକ ସେତୁ ପରି କାର୍ଯ୍ୟ ତୁଲାଇଥିଲେ ବୋଲି କହିଥିଲେ। ଫାର୍ମାସିଷ୍ଟମାନେ ସମାଜରେ ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟ ତୁଲାଉଥିବା ବେଳେ ଆମ ସମାଜ ସେମାନଙ୍କୁ ସେତିକି ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଥଲେ। ଏହି ଅବସରରେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ -୨, ଫୁଲନଖରାର ଡିନ୍ ପ୍ରଫେସର ଅରକ୍ଷିତ ସ୍ୱାଇଁ, ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଏବଂ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ -୨, ଫୁଲନଖରାର ମେଡିକାଲ୍ ସୁପିରଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ ଲେଙ୍କା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ପ୍ରଫେସର ମିଶ୍ର ହସ୍ପିଟାଲ୍‌ର ଆଇସିୟୁ, ଓଟି ଏବଂ ସବୁ ସ୍ଥାନରେ ଫାର୍ମାସିଷ୍ଟମାନଙ୍କର ଅବଦାନ ଅତୁଳନୀୟ ବୋଲି କହିଥିଲେ। ସେହିପରି ନିଜ ବକ୍ତବ୍ୟରେ ପ୍ରଫେସର ସ୍ୱାଇଁ କହିଥିଲେ ଯେ ହସ୍ପିଟାଲ୍‌ରେ ଫାର୍ମାସିଷ୍ଟ, ପାରାମେଡିକ୍ସ ଏବଂ ଡାକ୍ତର ମିଶିି ଗୋଟିଏ ଟିମ୍ ଭାବେ କାର୍ଯ୍ୟ କରିଥାନ୍ତି। ଔଷଧ ରୋଗୀକୁ ସୁସ୍ଥ କରିଥାଏ ମାତ୍ର ଫାର୍ମାସିଷ୍ଟମାନେ ରୋଗୀର ଯତ୍ନ ନେଇଥାନ୍ତି। ତେଣୁ ସମସ୍ତେ ଗୋଟିଏ ଟିମ୍ ଭାବେ କାର୍ଯ୍ୟ କରିବା ଉଚିତ୍ ବୋଲି ପ୍ରଫେସର ସ୍ୱାଇଁ କହିଥିଲେ। ପ୍ରଫେସର ସାମନ୍ତସିଂହାର ଫାର୍ମାସିଷ୍ଟମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ସେମାନେ ନିଜ ନିଜ ଭିତରେ ସହଯୋଗ ରଖି କାର୍ଯ୍ୟ କରିବା ସହ ଔଷଧ ପ୍ରଦାନରେ ଯେଭଳି କୌଣସି ଭୁଲ ନ ହୁଏ ସେଥିପ୍ରତି ଧ୍ୟାନ ଦେବା ଉଚିତ୍‌। ସେହିପରି ପ୍ରଫେସର ଲେଙ୍କା ନିଜ ବକ୍ତବ୍ୟରେ ଫାର୍ମାସିଷ୍ଟମାନେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରନ୍ତୁ ବୋଲି କହିଥିଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ଫାର୍ମାସିଷ୍ଟମାନଙ୍କୁ ଏବଂ ଏହି ବିଭାଗ ସହିତ ଜଡ଼ିତ ବିଭିନ୍ନ କର୍ମଚାରୀମାନଙ୍କୁ ସୋଆ ଉପସଭାପତି ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଡକ୍ଟର ଯସ୍ମୀନ୍ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ଛାତ୍ର ମୃତ୍ୟୁକୁ ନେଇ ରାଜନୀତି ..

ଛାତ୍ର ମୃତ୍ୟୁକୁ ନେଇ ଆରମ୍ଭ ହୋଇଛି ରଜନ ରାଜନୀତି l  ଏଭଳି  ସମ୍ବେଦନଶୀଳ ଘଟଣା କୁ ନେଇ ହୀନ ରାଜନୀତି ଆରମ୍ଭ ହୋଇଯାଇଛି ନିର୍ବାଚନ ର ଦ୍ଵାର ଦେଶରେ ଥିବା ପଡ଼ୋଶୀ ରାଜ୍ୟ ଝାରଖଣ୍ଡ ରେ. ରାଜନୀତି ଏତେ ଜୋର୍ ଧରିଛି ଯେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ଯ ଏ ରାଜନୀତିରେ ନିଜ ନାକ ଭର୍ତି କରିଛନ୍ତି। ରାଜଧାନୀ ଭୁବନେଶ୍ବର ରେ ଇଂଜିନିୟରିଂ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଜମିଛି ଝାଡ଼ଖଣ୍ଡ ରାଜନୀତି। ରାଂଚିର ଯୁବକ ଅଭିଶେକ ରବିଙ୍କ ରକ୍ତାକ୍ତ ଶରୀର ଗତ ୧୩ ତାରିଖରେ କଲେଜ କାମ୍ପସରୁ ମିଳିଥିଲା। ତୁରନ୍ତ ତାଙ୍କୁ କ୍ୟାମ୍ପସ ର ମେଡିକାଲ ଟିମ୍ ର ସହାୟତା ରେ ଡାକ୍ତରଖାନା ନିଆଯାଇଥିଲେ …ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ଆତ୍ମହତ୍ୟା ବୋଲି ସନ୍ଦେହ ହେଉଥିଲେ ବି ମୃତକଙ୍କ ପରିବାର ରାଗିଙ୍ଗ ଯୋଗୁଁ ଅଭିଶେକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

୧୦ ତାରିଖରେ ହଷ୍ଟେଲରେ ଆଡମିସନ୍ ନେଇଥିଲେ ଅଭିଶେକ। କିନ୍ତୁ ସେହି ହଷ୍ଟେଲରେ ଥିବା ସମସ୍ତ ଛାତ୍ର ରାଞ୍ଚିର ଓ ସମସ୍ତେ ପ୍ରଥମ ବର୍ଷ ଛାତ୍ର ଥିଲେ। ପ୍ରଶ୍ନ ଉଠିଛି, ଅଭିଶେକଙ୍କୁ ରାଗିଙ୍ଗ୍ କରିବା ପ୍ରଶ୍ନ ଉଠିଲା କେଉଁଠି? ଅଭିଶେକଙ୍କ ମୃତ୍ୟୁ ପଛରେ ତାଙ୍କ ପରିବାରର ହାତ ନାହିଁ ତ? ପୁଅର ଜନ୍ମଦିନ ପାଳନ କରୁନଥିବା ପରିବାର ପୁଅକୁ ମାନସିକ ନିର୍ଯାତନା ଦେଉନଥିଲେ ତ? ପରିବାରର ନିର୍ଯାତନା ସହି ନ ପାରି ଛାତରୁ ଡେଇଁ ପଡ଼ିଛନ୍ତି କି ଅଭିଶେକ? ସମ୍ପର୍କୀୟା ଭଉଣୀଙ୍କ ଭୂମିକାକୁ ନେଇ ଉଠିଛି ପ୍ରଶ୍ନ। ରାଜନୀତି ନିଆଁକୁ ତେଜୁଥିବା ସମ୍ପୃକ୍ତ ଭଉଣୀଙ୍କର କି ସ୍ବାର୍ଥ ରହିଛି?

ଗତ ସେପ୍ଟେମ୍ବର ୧୩, ୨୦୨୪ ତାରିଖରେ ଠାରେ ଘଟିଥିବା ଦୁଃଖଦ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ବୋଲି କହିଛନ୍ତି କଲେଜ କର୍ତ୍ତୃପକ୍ଷ। ଏହା ଏକ ଅସ୍ୱାଭାବିକ ଘଟଣା ଓ ଏହା ପୋଲିସ୍ ଦ୍ୱାରା ତଦନ୍ତାଧୀନ ଅଛି।

ଘଟଣା ଘଟିବା ସଂଗେ ସଂଗେ କ୍ୟାମ୍ପସ୍‌ରେ ଥିବା ମେଡିକାଲ୍ ଟିମ୍ ଦ୍ୱାରା ଛାତ୍ରଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ପହଂଚାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ସଂକ୍ରାନ୍ତରେ ପୋଲିସ ତଦନ୍ତ କରୁଛି | ଛାତ୍ରଙ୍କର ଶବକୁ ବ୍ୟବଚ୍ଛେଦ ପାଇଁ ପୋଲିସ୍ ଦ୍ୱାରା ଭୁବନେଶ୍ୱର ଏମ୍ସକୁ ନିଆଯାଇଥିଲା ଓ ବ୍ୟବଚ୍ଛେଦ ପୋଲିସ ଓ ଛାତ୍ରଙ୍କର ପିତାମାତାଙ୍କ ଉପସ୍ଥିତିରେ କରାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ଏ ମଧ୍ୟରେ କିଛି ମନ୍ତବ୍ୟ ପ୍ରକାଶ ପାଇଛି ଯାହା ଛାତ୍ର ଜଣଙ୍କୁ ରାଗିଙ୍ଗ୍ କରାଯାଇଥିବାରୁ ସେ ଏପରି ପଦକ୍ଷେପ ନେଲେ ବୋଲି ଇଙ୍ଗିତ କରୁଛି। ଏହା ସଂପୂର୍ଣ୍ଣ କପୋଳକଳ୍ପିତ ଓ ଭିତିହୀନ। କାରଣ ଛାତ୍ରଙ୍କୁ ଏକ ହଷ୍ଟେଲ୍‌ରେ କୋଠରୀ ଯୋଗାଇ ଦିଆଯାଇଥିଲା। ଯେଉଁଠାରେ କେବଳ ୧ମ ବର୍ଷର ଛାତ୍ର ରହୁଥିଲେ। ତାଙ୍କ ସହ ତଥା ନିକଟବର୍ତୀ କୋଠରୀ ଗୁଡ଼ିକରେ କେବଳ ଝାଡ଼ଖଣ୍ଡରୁ ଆସିଥିବା ୧ମ ବର୍ଷର ଛାତ୍ରମାନେ ରହୁଥିଲେ। ଏହି ଛାତ୍ର ସେପ୍ଟେମ୍ବର ୧୦, ୨୦୨୪ରେ କଲେଜରେ ଯୋଗ ଦେଇଥିଲେ ଓ ପରର୍ବତୀ ସମୟରେ ଅନ୍ୟମାନଙ୍କ ଠାରୁ ଦୂରତ୍ୱ ରକ୍ଷା କରୁଥିଲେ। ତାଙ୍କର ସେହି ସମୟର ମାନସିକ ସ୍ଥିତି ବିଷୟରେ କଲେଜ କର୍ତୃପକ୍ଷଙ୍କ ନିକଟରେ କୌଣସି ସୂଚନା ନଥିଲା। ଏ ବିଷୟଟି ଅନୁସନ୍ଧାନସାପେକ୍ଷ। ପୋଲିସ ପକ୍ଷରୁ ମଧ୍ୟ ଏହି ଛାତ୍ରଙ୍କୁ ରାଗିଙ୍ଗ୍ ହୋଇଥିବାର ସୂଚନା ମିଳି ନାହିଁ ବୋଲି ଗଣମାଧ୍ୟମକୁ କୁହାଯାଇଛି। ଏହିପରି ଉଦ୍ଦେଶ୍ୟ ପ୍ରଣୋଦିତ ଅପପ୍ରଚାର ଦୁଃଖଦାୟକ କାରଣ ଏହାଦ୍ୱାରା ଦେଶର ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜକୁ ଅଯଥାରେ ବଦନାମ କରିବାକୁ ଅପଚେଷ୍ଟା କରାଯାଉଛି। ଏହିପରି ଉଦ୍ୟମରୁ ବିରତ ରହିବାକୁ କଲେଜ କର୍ତୃପକ୍ଷ ଅନୁରୋଧ ଜଣାନ୍ତି।

ଆର୍ନ୍ତଜାତିକ ଗେଟ୍‌ବଲ୍ ଚମ୍ପିୟାନ୍‌ସିପରେ ଭାରତୀୟ ଟିମ୍‌ରେ  ପ୍ରତିନିଧିତ୍ୱ କରିବେ ସୋଆ ପ୍ରଫେସର…

ଭୁବନେଶ୍ୱର, ୧୬/୦୯ : ଆସନ୍ତା ମାସ ତାଓୟୁଆନ୍‌, ତାଇୱାନ ଠାରେ ଆୟୋଜିତ ହେବାକୁ ଥିବା ଦ୍ୱିତୀୟ ଏସିଆ ପାସିଫିକ୍ ଆର୍ନ୍ତଜାତିକ ଗେଟ୍‌ବଲ୍ ଚମ୍ପିୟାନ୍‌ସିପରେ ଭାରତୀୟ ଟିମ୍‌ରୁ ପ୍ରତିନିଧିତ୍ୱ କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଜଣେ ସିନିୟର ପ୍ରଫେସର୍ ମନୋନୀତ ହୋଇଛନ୍ତି । ସୋଆର ଫାକଲ୍ଟି ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକନୋଲଜି, ଇନଷ୍ଟିଚ୍ୟୁଟ୍ ଅଫ ଟେକନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ ଇଣ୍ଡିଆନ୍ ଗେଟ୍‌ବଲ୍ ୟୁନିୟନ ପକ୍ଷରୁ ମନୋନୀତ ହୋଇଥିବା ୭ ଜଣିଆ ଭାରତୀୟ ଟିମ୍‌ରେ ସ୍ଥାନ ପାଇଛନ୍ତି । ଅକ୍ଟୋବର ୪ ରୁ ୭ ତାରିଖ ପର୍ଯ୍ୟନ୍ତ ତାଓୟୁଆନ୍ ଠାରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟ କ୍ଲାସିକ, ଟ୍ରିପିଲ୍ସ ଓ ଡବଲ୍ସ ଭିତିରେ ଖେଳାଯିବ । “ଏହା ଖୁବ୍ ଆକର୍ଷଣୀୟ ଟୁର୍ଣ୍ଣାମେଂଟ ହେବ ଏବଂ ମୋ ପାଇଁ ଗୋଟିଏ ଆର୍ନ୍ତଜାତିକ ପ୍ରତିଯୋଗିତାରେ ଦେଶକୁ ପ୍ରତିନିଧିତ୍ୱ କରିବା ଗର୍ବର ବିଷୟ” ବୋଲି ସିଭିଲ୍ ଇଞ୍ଜିନିୟରିଂ ବିଭାଗର ଏହି ୬୪ ବର୍ଷୀୟ ପ୍ରଫେସର କହିଛନ୍ତି । ଭାରତୀୟ ଦଳରେ ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ରଞ୍ଜନ କୁମାର ପାତ୍ର ଅଧିନାୟକ ଏବଂ ଉମାକାନ୍ତ ପାଣି, ଶରତ କୁମାର ପାତ୍ର, ଦିଲ୍ଲିପ କୁମାର ଷଡ଼ଙ୍ଗୀ, ସର୍ବେଶ୍ୱର ବ୍ରହ୍ମାନନ୍ଦ ମହାପାତ୍ର ଖେଳାଳୀ ଭାବେ ସାମିଲ୍ ହୋଇଥିବାବେଳେ ଦ୍ୱିୟପାୟନ ପଟ୍ଟନାୟକ ଉଭୟ ଖେଳାଳୀ ଓ ମ୍ୟାନେଜର୍ ଦାୟିତ୍ୱ ବହନ କରିବେ ।

କ୍ରୋକେଟ୍ ଦ୍ୱାରା ପ୍ରୋତ୍ସାହିତ ହୋଇଥିବା ଗେଟ୍‌ବଲ୍ ଏକ ଗତିଶୀଳ ନନ୍ କଂଟାକ୍ଟ ଓ ହାଇଲି ଷ୍ଟାଟ୍ରେଜିକ୍ ଦଳଗତ କ୍ରୀଡା ଯାହାକି ଯେ କୌଣସି ବୟସରେ ଉଭୟ ପୁରୁଷ ଓ ମହିଳା ଖେଳି ପାରିବେ । ଏହି କ୍ରୀଡା ଜାପାନ, ଚୀନ, ଇଣ୍ଡୋନେସିଆ, ଦକ୍ଷିଣ କୋରିଆ, ଭିଏତନାମ, ଥାଇଲାଣ୍ଡ ଓ ତାଇୱାନରେ ଖୁବ୍ ଲୋକପ୍ରିୟ ।

ସମ୍ ରେ ଜାତୀୟ ମେଡିକାଲ୍ ରେକର୍ଡ୍ସ ଦିବସ ପାଳିତ

ଭୁବନେଶ୍ୱର, ୧୩/୦୯ : ଡାକ୍ତରଖାନାରେ ରେକର୍ଡଗୁଡ଼ିକୁ ସଠିକ୍ ଭାବେ ସଂରକ୍ଷିତ ରଖିବାର ଆବଶ୍ୟକତାକୁ ନେଇ ସମ୍ ଅଲ୍ଟିମେଟ ମେଡିକେୟାରରେ ଗତ ମଙ୍ଗଳବାର ଜାତୀୟ ମେଡିକାଲ୍ ରେକର୍ଡ୍ସ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଚଳିତ ବର୍ଷର ପ୍ରସଙ୍ଗ ‘ଏମ୍‌ପାୱାରିଂ ହେଲ୍‌ଥ ଥ୍ରୁ ଆକ୍ୟୁରେଟ୍ ରେକର୍ଡ୍ସ’ କୁ ନେଇ ହସ୍ପିଟାଲ୍‌ର କର୍ମଚାରୀଙ୍କ ନିମନ୍ତେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ଏଥିରେ ମେଡିକାଲ୍ ରେକର୍ଡ ଗୁଡ଼ିକର ସଂଗ୍ରହ, ସଂରକ୍ଷଣ ଏବଂ ସଠିକତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । କାର୍ଯ୍ୟକ୍ରମକୁ ସମ୍ମମ୍‌ର ଚିଫ୍ ଏଗ୍‌ଜିକ୍ୟୁଟିଭ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ ଉଦ୍‌ଘାଟନ କରିବା ସହ ଏହି ବିଭାଗଟି ହସ୍ପିଟାଲର କାର୍ଯ୍ୟକୁ ଶୃଙ୍ଖଳିତ ଓ ସୁଚାରୁରୂପେ ତୁଲାଇବା ନିମନ୍ତେ ଏହାର ମେରୁଦଣ୍ଡ ଭାବେ କାର୍ଯ୍ୟ କରିଥାଏ ବୋଲି କହିଥିଲେ ।

ଏହି ଅବସରରେ ହସ୍ପିଟାଲର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜମୋହନ ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡା, ମେଡିକାଲ ରେକର୍ଡ୍ସ ବିଭାଗର ମୁଖ୍ୟ ଡାକ୍ତର ମାନସ ରଞ୍ଜନ ସେଠୀ, ହସ୍ପିଟାଲର ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଡାକ୍ତର ସେଠୀ ମେଡିକାଲ ରେକର୍ଡ ଗୁଡ଼ିକୁ ସଂରକ୍ଷଣ କରିବା ନେଇ ଏହାର ଆଇନ୍‌ଗତ ଦିଗ ଉପରେ ବକ୍ତବ୍ୟ ରଖିବା ସହ ବ୍ରିଗେଡିୟର (ଡ) ମିଶ୍ର ମେଡିକାଲ୍ ରେକର୍ଡର ଡିଜିଟାଲାଇଜେସନ୍ ଉପରେ ଗୁରୁତ୍ୱାରୋପ କରିଥିଲେ ।ଶ୍ରୀ ରତିକାନ୍ତ ବାରିକ ଦୈନନ୍ଦିନ ମେଡିକାଲ୍ ରେକର୍ଡ ସଂରକ୍ଷଣ ଉପରେ ବକ୍ତବ୍ୟ ରଖିଥିଲେ ।

ବନ୍ଦେ ଭାରତ ଟ୍ରେନ୍‌ ଯୋଗେ ବ୍ରହ୍ମପୁରରୁ ଭୁବନେଶ୍ବର ଆସିଲେ ମୁଖ୍ୟମନ୍ତ୍ରୀ….

() ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଭର୍ଚୁଆଲ ମାଧ୍ୟମରେ ଓଡିଶାରେ ତିନୋଟି ନୂତନ ବନ୍ଦେ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଶୁଭାରମ୍ଭ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍‌ସପ୍ରେସ୍‌ରେ ବସି ବ୍ରହ୍ମପୁର ନିକଟସ୍ଥ ଜଗନ୍ନାଥପୁର ଷ୍ଟେସନରୁ ଭୁବନେଶ୍ବର ଫେରିଥିଲେ।ଏହି ଅବସରରେ ଟ୍ରେନ୍‌ରେ ଉପସ୍ଥିତ ଥିବା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ନିଜର ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜିଠାରୁ ଓଡିଶାରେ ରେଳ ବିକାଶର ସୁବର୍ଣ୍ଣ ଯୁଗ ଆରମ୍ଭ ହେଲା ।

ଓଡିଶାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଏବଂ ରେଳମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଓଡିଶାବାସୀଙ୍କ ପକ୍ଷରୁ କୃତଜ୍ଞତା ପ୍ରକାଶ କରିଥିଲେ । ସେ କହିଥିଲେ ଯେ ବର୍ତ୍ତମାନ ଓଡିଶାର ଗୋଟିଏ ଦୁଇଟି ଜିଲ୍ଲାକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ଜିଲ୍ଲାକୁ ରେଳ ସଂଯୋଗ ହୋଇଛି । ଖୁବ ଶୀଘ୍ର ରାଜ୍ୟର ସବୁ ଜିଲ୍ଲା ସଦର ମହକୁମାକୁ ରେଳ ସଂଯୋଗ କରାଯିବ ଏବଂ ଆଗାମୀ ଦିନରେ ସବ୍‌ଡିଭିଜନ ସ୍ତର ପର୍ଯ୍ୟନ୍ତ ରେଳ ସଂଯୋଗୀକରଣ ପାଇଁ ଲକ୍ଷ୍ୟ ରଖାଯାଇଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ଦିଲ୍ଲୀ ଗସ୍ତ ସମୟରେ ସେ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହିତ ଓଡିଶାରେ ରେଳ ବିକାଶ ସଂପର୍କରେ ଆଲୋଚନା କରିଥିଲେ । ରେଳମନ୍ତ୍ରୀ କହିଥିଲେ ଯେ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାର ଓଡିଶାରେ ରେଳ ବିକାଶ ପାଇଁ ସମସ୍ତ ସହଯୋଗ ଜାରି ରଖିବେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୧୪ ମସିହାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶାରେ ରେଳ ବିକାଶ ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯାଉଛି। ଓଡିଶାରେ ରେଳ ଭିତ୍ତିଭୂମି ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ପୂର୍ବ ସରକାରଙ୍କ ସମୟରେ ବିଶେଷ ସହଯୋଗ ମିଳୁ ନ ଥିଲା। ବର୍ତ୍ତମାନ ଯେହେତୁ ଓଡିଶାରେ ଡବଲ ଇଞ୍ଜିନ ସରକାର ଚାଲିଛି, ତେଣୁ ରେଳ ବିକାଶ ପାଇଁ ଉପୁଜୁଥିବା ସମସ୍ତ ପ୍ରତିବନ୍ଧକକୁ ହଟାଯାଇ ରେଳ ବିକାଶ ପ୍ରକ୍ରିୟା ଆହୁରି ତ୍ବରାନ୍ବିତ ହେବ ।ଓଡିଶାରେ ରେଳ ବିକାଶ ହେଲେ ରାଜ୍ୟର ପର୍ଯ୍ୟଟନ, ବାଣିଜ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ଉନ୍ନତି ଆସିବା ସହିତ ଆମର ଅର୍ଥନୀତି ସୁଦୃଢ ହେବ ବୋଲି ଶ୍ରୀ ମାଝୀ ଗଣମାଧ୍ୟମକୁ କହିଥିଲେ ।

ମୁଖ୍ୟମନ୍ତ୍ରୀ ରେଳ ଯୋଗେ ଆସିବା ସମୟରେ ଚିଲିକାର ମନୋରମ ଦୃଶ୍ୟ ଦେଖି ଅଭିଭୂତ ହୋଇଥିଲେ । ବନ୍ଦେ ଭାରତ ଟ୍ରେନ୍‌ରେ ଆସୁଥିବା ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ସହ ବାର୍ତ୍ତାଳାପ କରି ଏହି ଅତ୍ୟାଧୁନିକ ବନ୍ଦେ ଭାରତ ଟ୍ରେନ୍‌ ସଂପର୍କରେ ବୁଝାଇଥିଲେ ଏବଂ କହିଥିଲେ ଯେ ତୁମ ମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଆଜି ଓଡିଶାରେ ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇଛି। ତୁମ ମାନଙ୍କ ପାଇଁ ସବୁ କ୍ଷେତ୍ରରେ ଅତ୍ୟାଧୁନିକ ସୁବିଧା ସୁଯୋଗ ସୃଷ୍ଟି କରାଯାଉଛି । ଏହି ଟ୍ରେନ୍‌ରେ ଥିବା ଅନ୍ୟ ଯାତ୍ରୀ ମାନଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ।ମୁଖ୍ୟମନ୍ତ୍ରୀଙ୍କ ସହିତ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସଂପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ଟ୍ରେନ୍‌ ଯୋଗେ ଭୁବନେଶ୍ବର ଫେରିଥିଲେ । ବାଲୁଗାଁ ଷ୍ଟେସନଠାରେ ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ସାଂସଦ ଶ୍ରୀ ସଂବିଦ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଖୋର୍ଦ୍ଧା ରୋଡ ଷ୍ଟେସନରୁ ମୁଖ୍ୟମନ୍ତ୍ରୀଙ୍କ ସହିତ ଆସିଥିଲେ।

ଗୁରୁ ବ୍ରହ୍ମା,ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର…

() ଗୁରୁ ବ୍ରହ୍ମା,ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର,ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ। ଆଜି ହେଉଛି ପବିତ୍ର ଗୁରୁ ଦିବସ। ଭାରତର ପ୍ରଥମ ଉପ-ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ। ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜନ୍ମ ଦିବସ ଅବସରରେ ତାଙ୍କ ସ୍ମୃତିରେ ସମଗ୍ର ଭାରତରେ ଆଜିର ଦିନକୁ ଗୁରୁ ଦିବସ ରୂପେ ପାଳନ କରାଯାଏ। ଗୁରୁ ଶବ୍ଦର ଅର୍ଥ ହେଉଛି ‘ଗୁ’ ଅର୍ଥ ଅନ୍ଧକାର, ଓ ‘ରୁ’ ଅର୍ଥ ଆଲୋକ। ଅର୍ଥାତ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଆଲୋକ ଭଳି ସଠିକ ରାସ୍ତା ଯିଏ ଦେଖାନ୍ତି ସେ ହେଉଛନ୍ତି ଗୁରୁ । ଗୁରୁ ଚିରକାଳ ନମସ୍ୟ ଓ ପୂଜ୍ୟ। ମା’ ବାପାଙ୍କ ପରେ ଗୁରୁ ହିଁ ଜଣେ ଯିଏ ଆମର ମାର୍ଗଦର୍ଶକ ସାଜନ୍ତି। ଆମକୁ ଅନେକ ଶିକ୍ଷା ଦିଅନ୍ତି ଆଉ ବେଳେବେଳେ ଆମକୁ ଶୃଙ୍ଖଳିତ କରିବା ପାଇଁ କଠୋର ଅନୁଶାସନକୁ ଯିଏ ଆପଣେଇଥାନ୍ତି, ସେ ହେଉଛନ୍ତି ଗୁରୁ।

କେବଳ ପାଠପଢିବା କ୍ଷେତ୍ରରେ ନୁହେଁ ନାଚ, ଗୀତ ହେଉ ଅବା ଖେଳକୁଦ ପରି ଅନେକ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଗୁରୁ ହିଁ ମୁଖ୍ଯ ଭୂମିକା ଗ୍ରହଣ କରିଥାନ୍ତି। ଶିଷ୍ୟର ଚରିତ୍ର ଗଠନ ହେଉ କିମ୍ବା ତାକୁ ଭଲ ମଣିଷ ରୂପେ ଗଢ଼ି ତୋଳିବାରେ ଗୁରୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୯୫୪ ମସିହାରେ ଶିକ୍ଷା ଏବଂ ରାଜନୀତିରେ ନିଜର ଯୋଗଦାନ ପାଇଁ ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କୁ ଭାରତ ସମ୍ମାନରେ ସମ୍ମାନିତ କରଯାଇଥିଲା। ସେ ରାଜନୀତିରେ ଅସୀମ ହେବା ପରେ ହିଁ, ନିଜେ ନିଜକୁ ଶିକ୍ଷକ ରୂପେ ଗ୍ରହଣ କରିଥିଲେ। ଏହି କାରଣରୁ ସେପ୍ଟେମ୍ବର ୫ ତାରିଖକୁ ହିଁ ଗୁରୁ ଦିବସ ରୂପେ ପାଳନ କରାଯାଇଥାଏ। ବିଦ୍ୟାର୍ଥୀମାନଙ୍କ ପାଇଁ ଗୁରୁ ହେଉଛନ୍ତି ବନ୍ଧୁ, ଦାର୍ଶନିକ, ପଥ ପ୍ରଦର୍ଶକ ଏପରିକି ମଧ୍ୟ ସାକ୍ଷାତ ଈଶ୍ୱର ରୂପ, ତେଣୁ ଜଗନ୍ନାଥ ଦାସଙ୍କ ଭାଗବତରେ ଲେଖା ଅଛି ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର।

Follow us

20,832FansLike
0FollowersFollow
14,700SubscribersSubscribe

Latest news