ଚାଷୀ ପାଇଁ ବରଗଡରେ ମହା ସମାବେଶ କରିବ ବିଜେଡି

 ବିଜେପି ସରକାରଙ୍କ ଗତ ୧୩ ମାସର ଶାସନ ସମୟରେ ଚାଷୀକୂଳର ସ୍ୱାର୍ଥକୁ ଅଣଦେଖା କରିଛନ୍ତି, ଯେଉଁଥିପାଇଁ ଚାଷୀ ଭାଇମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ୍ନ ହେଉଛନ୍ତି ଓ ସରକାରଙ୍କ ଏହି ଚାଷୀ ମାରଣ ନୀତିକୁ ବିରୋଧ କରି ଆସନ୍ତା ୧୮ ତାରିଖରେ ବରଗଡ଼ ଠାରେ ବିରାଟ ଚାଷୀ ସମାବେଶ କରିବ ବୋଲି ବିଜୁ ଜନତା ଦଳ ଆଜି ଘୋଷଣା କରିଛି ।

  1. ଦଳର କୃଷକ ସେଲ୍ର ଆବାହକତ୍ୱରେ ଆଜି ରାଜ୍ୟସ୍ତରୀୟ ଏକ ବୈଠକ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଥିଲା । ବୈଠକକୁ କୃଷକ ସେଲ୍ର ଆବାହକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବା ବେଳେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାରୁ କୃଷକ ପ୍ରତିନିଧିମାନଙ୍କ ସହିତ ଦଳର ବରିଷ୍ଠ ନେତା ଶ୍ରୀ ଚନ୍ଦ୍ରଶେଖର ସାହୁ, ଶ୍ରୀ ପ୍ରଣବ ପ୍ରକାଶ ଦାସ, ଶ୍ରୀ ସଞ୍ଜୟ କୁମାର ଦାସବର୍ମା, ଶ୍ରୀ ଅରୁଣ ସାହୁ, ଶ୍ରୀ ସୁଦାମ ମାରାଣ୍ଡି, ଶ୍ରୀ ପ୍ରତାପ ଜେନା, ଶ୍ରୀ ପ୍ରଣବ ବଳବନ୍ତରାୟ, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀମତୀ ଟୁକୁନି ସାହୁ, ଶ୍ରୀ ପ୍ରୀତିରଞ୍ଜନ ଘଡେଇ, ଶ୍ରୀ ବଦି୍ର ପାତ୍ର, ଶ୍ରୀ ନିରଞ୍ଜନ ପୂଜାରୀ, ଶ୍ରୀ ଅଶୋକ ପଣ୍ଡା, ଶ୍ରୀ ପ୍ରଫୁଲ୍ଲ ସାମଲ, ଶ୍ରୀ ଅମର ପଟ୍ଟନାୟକ, ଶ୍ରୀମତୀ ଶର୍ମିଷ୍ଠା ସେଠୀ, ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଶ୍ରୀ ରମେଶ ମାଝୀଙ୍କ ସହିତ ଦଳୀୟ ବିଧାୟକଗଣ ଓ ବିଭିନ୍ନ ଜିଲ୍ଲାର ସଭାପତିମାନେ ଅଂଶଗ୍ରହଣ କରିଥିଲେ । ରାଜ୍ୟରେ କୃଷକ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ସବିଶେଷ ଆଲୋଚନା ହୋଇଥିଲା । ରାଜ୍ୟ ବିଜେପି ସରକାରଙ୍କ ଗତ ୧୩ ମାସର ଶାସନକାଳରେ ଚାଷୀମାନଙ୍କ ସମସ୍ୟା ଅହେତୁକ ବୃଦ୍ଧି ପାଇଛି । ରାଜ୍ୟ ସରକାର ଏହି ସମସ୍ୟା ଗୁଡିକର ପ୍ରତିକାର କରିବା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି ।

  2. ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ, ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର କୃଷକ ସେଲ୍ର ଆବାହକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଉପସଭାପତି ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଓ ଶ୍ରୀ ସଞ୍ଜୟ ଦାସବର୍ମା ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତି ଉପରେ ବର୍ଷିଥିଲେ ।

  3. ଶ୍ରୀ ଆଚାର୍ଯ୍ୟ କହିଥିଲେ, ରାଜ୍ୟ ବିଜେପି ସରକାରଙ୍କ ଗତ ୧୩ ମାସର ଶାସନକାଳରେ ଚାଷୀମାନଙ୍କ ସମସ୍ୟା ଅହେତୁକ ବୃଦ୍ଧି ପାଇଛି । ରାଜ୍ୟ ସରକାର ଏହି ସମସ୍ୟା ଗୁଡିକର ପ୍ରତିକାର କରିବା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି । ଏହି କାରଣରୁ, ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟରେ କୃଷି ଉତ୍ପାଦନର ବିକାଶ ହାର ୭.୮% ଥିଲାବେଳେ, ୨୦୨୪-୨୫ ଆର୍ଥିକ ବର୍ଷରେ ଏହା ୩.୮%କୁ ଖସିଆସିଛି । ସେହିପରି, ଡବଲ ଇଞ୍ଜିନ ଓ ଡବଲ ବିକାଶ ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାରଙ୍କ ସମୟରେ କେନ୍ଦ୍ରୀୟ ଅନୁଦାନ କମିଛି । ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ, ୨୦୨୪-୨୫ ଆର୍ଥିକ ବର୍ଷରେ, କେନ୍ଦ୍ରୀୟ ଅନୁଦାନ ୧୮.୧୯% କମିଥିବା ବେଳେ କୃଷି କ୍ଷେତ୍ରରେ ମଧ୍ୟ କେନ୍ଦ୍ରୀୟ ଅନୁଦାନ କମିଛି । ଉଦାହରଣ ସ୍ୱରୂପ, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ୨୦୨୩-୨୪ ଆର୍ଥିକ ବର୍ଷରେ ୧୪୬ କୋଟି ଟଙ୍କାର ଅନୁଦାନ ମିଳିଥିବା ବେଳେ ଏହା ୨୦୨୪-୨୫ ଆର୍ଥିକ ବର୍ଷରେ ୩୨ କୋଟି ଟଙ୍କାକୁ ଖସି ଆସିଛି । ସେହିପରି, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୨୦୨୩-୨୪ ଆର୍ଥିକ ବର୍ଷରେ ଓଡିଶାକୁ ୨୨୩ କୋଟି ଟଙ୍କାର ଆର୍ଥିକ ଅନୁଦାନ ମିଳିଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ କୌଣସି ଅନୁଦାନ ମିଳିଲା ନାହିଁ ।

  4. ଶ୍ରୀ ଆଚାର୍ଯ୍ୟ ଆହୁରି କହିଥିଲେ, ନିକଟରେ ରାଜ୍ୟ ସରକାରଙ୍କ ଦ୍ୱାରା ରବି ଧାନ କିଣା ପାଇଁ ଚାଷୀମାନଙ୍କୁ ପଞ୍ଜିକୃତ କରିବାକୁ ଆହ୍ୱାନ କରାଯାଇଥିବା ବେଳେ ଏହି ପଞ୍ଜିକରଣ ପାଇଁ ଯେଉଁସବୁ ସର୍ତ୍ତ ରଖାଯାଇଛି ତାହା ଅତ୍ୟନ୍ତ ଜଟିଳ ହୋଇଥିବାରୁ ଅଧିକାଂଶ ଚାଷୀମାନେ ପଞ୍ଜିକରଣ କରିବାରେ ସକ୍ଷମ ହୋଇପାରୁ ନାହାନ୍ତି । ଜମିର ମାଲିକାନା ଥିବା ବ୍ୟକ୍ତିଙ୍କ ସମସ୍ତ ପରିବାର ସଦସ୍ୟଙ୍କ ସ୍ୱୀକୃତି ପତ୍ର ଦାଖଲ କରିବା ପାଇଁ କୁହାଯାଇଛି, ଯାହା ଅଧିକାଂଶ ଚାଷୀଙ୍କ କ୍ଷେତ୍ରରେ ସମ୍ଭବ ନୁହେଁ । ରାଜ୍ୟର ଚାଷୀଭାଇ ମାନଙ୍କୁ ଧାନ ବିକ୍ରି ପ୍ରକ୍ରିୟାରୁ ନିବୃତ କରିବା ପାଇଁ ଏହା ରାଜ୍ୟ ସରକାରଙ୍କ ଏକ ଚାଲ୍ । କାରଣ, ଧାନ ପ୍ରତି କୁଇଣ୍ଟାଲ ୮୦୦ ଟଙ୍କା ଇନ୍ପୁଟ୍ ସବ୍ସିଡି ପ୍ରଦାନ ସରକାରଙ୍କ ପ୍ରତିଶ୍ରୁତି ରାଜ୍ୟର ଆର୍ଥିକ ବୋଝକୁ ବଢ଼ାଉଛି । ଏଥିରୁ ମୁକୁଳିବା ପାଇଁ ରାଜ୍ୟ ସରକାର ଏଭଳି ଫନ୍ଦି ବାହାର କରିଛନ୍ତି ।

  5. ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, ବିଜେପି ବିନା କଟ୍ନୀ ଛଟ୍ନୀରେ ଧାନ କିଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ, ଖରିଫ ଧାନ କିଣା ସମୟରେ, ରାଜ୍ୟ ସରକାର ଧାନ କିଣା ସମୟରେ, ଗ୍ରେଡ୍ ଆନାଲାଇଜର ଲଗାଇଲେ ଯାହା ଫଳରେ ଧାନ ପ୍ରତି କୁଇଣ୍ଟାଲରେ ପ୍ରାୟ ଦଶରୁ ପନ୍ଦର କେଜି କଟ୍ନୀ ଛଟ୍ନୀ ହେଲା । ବିଜେପିର ବିନା କଟ୍ନୀ ଛଟ୍ନୀରେ ଧାନ କିଣା ଓ ଦଲାଲ ମୁକ୍ତ ଧାନ କିଣା ପ୍ରତିଶ୍ରୁତି ବାସ୍ତବରେ ଏକ ଧୂଅାଁବାଣରେ ପରିଣତ ହୋଇଛି ।

ଶ୍ରୀ ସଞ୍ଜୟ ଦାସବର୍ମା କହିଥିଲେ, ନିର୍ବାଚନ ସମୟରେ ବିଜେପି ତରଫରୁ ସ୍ୱାମୀନାଥନ କମିସନଙ୍କ ସୁପାରିଶ ଅନୁଯାୟୀ ଧାନର ସର୍ବନିମ୍ନ ମୂଲ୍ୟ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ରାଜ୍ୟ ସରକାର ଇନ୍ପୁଟ୍ ସବ୍ସିଡି ନାମରେ ପ୍ରତି କୁଇଣ୍ଟାଲ ୮୦୦ ଟଙ୍କା ପ୍ରଦାନ କରୁଛନ୍ତି । କିନ୍ତୁ, ଖରିଫ ଓ ରବି ଧାନ କିଣା ସମୟରେ, ଟୋକନ ମିଳିଥିବା ଅଧିକାଂଶ ଚାଷୀମାନଙ୍କ ଧାନ ଉଠିପାରିଲା ନାହିଁ । ଯୋଗାଣ ବିଭାଗର ରିପୋର୍ଟ ଅନୁଯାୟୀ, ପ୍ରାୟ ୧ ଲକ୍ଷ ୫୩ ହଜାର ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇ ପାରିନାହିଁ, ଯେଉଁଥିପାଇଁ ସମଗ୍ର ଓଡିଶାରେ ଚାଷୀମାନେ ହଇରାଣ ହରକତ ହେଉଛନ୍ତି । ସେହି ସମସ୍ୟା ସମାଧାନ ହୋଇନଥିବା ବେଳେ, ଏବେ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଖରିଫ ଧାନ ପାଇଁ ପଞ୍ଜିକରଣ ସମ୍ପୂର୍ଣ୍ଣ ଭାବେ ତ୍ରୁଟିପୂର୍ଣ୍ଣ ଓ ଚାଷୀ ମାରଣ ପାଇଁ ଉଦ୍ଦିଷ୍ଟ । ଏହି ପଞ୍ଜିକରଣ ପ୍ରକ୍ରିୟାକୁ ସରଳ କରିବା ପାଇଁ ବିଜୁ ଜନତା ଦଳ ଦାବି କରୁଛି । ଓଡ଼ିଶାର ଚାଷୀକୂଳ ଆଜି ପ୍ରତାରିତ ହୋଇଛି । ପ୍ୟାକ୍ସ ଜରିଆରେ ଯେଉଁ ସାର ମିଳିବା କଥା ଆଜି ତାହା ମିଳିପାରୁ ନାହିଁ । ଓଡିଶା ସରକାରଙ୍କ ଚାଷୀ ବିରୋଧୀ ନୀତି ବିରୋଧରେ ପ୍ରତିବାଦ କରି ଚଳିତ ମାସ ୧୮ ତାରିଖରେ ବରଗଡ଼ ଠାରେ ବିଜୁ ଜନତା ଦଳ ତରଫରୁ ଏକ ବିରାଟ ଚାଷୀ ସମାବେଶ ଅନୁଷ୍ଠିତ ହେବ, ଯେଉଁଥିରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଚାଷୀ ମାନେ ଯୋଗଦେଇ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ରଣହୁଙ୍କାର ଦେବେ ।

ଓଡ଼ିଶାରେ ଚାଲିଛି ଭୋଟ ଚୋରୀ ସରକାର: କଂଗ୍ରେସ

 ଗତକାଲି ଭାରତୀୟ ଗଣତନ୍ତ୍ରକୁ ପତନରୁ ବଞ୍ଚାଇବା ପାଇଁ ଲୋକସଭା ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ମହାନ ଉଦ୍ୟମ ଥିଲା ଏବଂ ଭାରତୀୟ ଗଣତନ୍ତ୍ରରେ ଏହି ଦିନ ଐତିହାସିକ ହୋଇ ସବୁ ଦିନ ପାଇଁ ସ୍ଥାନ ପାଇବ । ଗତକାଲି ଅଖିଳ ଭାରତ କଂଗ୍ରେସ କମିଟି ଅଫିସଠାରେ ରାହୁଳ ଗାନ୍ଧୀ ଭୋଟ ଚୋରୀ କେମିତି ନିର୍ବାଚନ ଆୟୋଗ କରିଛନ୍ତି ତାହାକୁ ନେଇ ବିସ୍ଫୋରଣ କରିଥିଲେ । ସମସ୍ତ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମଙ୍କ ସମ୍ମୁଖରେ ଭାରତୀୟ ନିର୍ବାଚନ ଆୟୋଗ କିଭଳି “ଭୋଟ ଚୋରୀ” ମାଧ୍ୟମରେ ବିଜେପିକୁ କ୍ଷମତାସୀନ କରିଛନ୍ତି ତାହା ସମ୍ପୂର୍ଣ ତଥ୍ୟ ଏବଂ ପ୍ରମାଣ ସହ ପ୍ରାୟ ୧ ଘଣ୍ଟାରୁ ଉର୍ଧ୍ଵ ସମୟ ଧରି ବର୍ଣ୍ଣନା କରିଥିଲେ । ନିର୍ବାଚନ ଆୟୋଗଙ୍କ ଏହି ଭୋଟ ଚୋରୀ ପରିପେକ୍ଷୀରେ ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ନେତା ବିପକ୍ଷ ରାହୁଳ ଗାନ୍ଧୀଙ୍କ ତଥ୍ୟ ପ୍ରଦର୍ଶନ କରାଯାଇଥିଲା । ଏହି ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ଭୋଟ ଚୋରୀ ବିଷୟରେ ତାର୍କିକ ବିବରଣୀ ପ୍ରଦାନ କରିଥିଲେ ।

ପିସିସି ସଭାପତି ଦାସ କହିଲେ, ଯଦି ଏଭଳି ଭୋଟ ଚୋରୀ ମାଧ୍ୟମରେ ସରକାର ଗଠନ ହୁଏ ତେବେ ଭୋଟର ମର୍ଯ୍ୟାଦା ହାନୀ ହେବା ସହ ସରକାର ଲୋକଙ୍କ ପ୍ରତି ଉତ୍ତରଦାୟୀ ହେବେ ନାହିଁ । ଲୋକମତ ଚୋରୀ କରି କ୍ଷମତାକୁ ଆସିଥିବା ବ୍ୟକ୍ତି କେବେ ଗଣତାନ୍ତ୍ରିକ ବ୍ୟବହାର କରି ପାରିବ ନାହିଁ । ଗତ ଲୋକସଭା ନିର୍ବାଚନରେ ବିଜେପି ସମ୍ପୂର୍ଣ ହାରିବା ସ୍ଥିତିରେ ଥିଲା ଯଦି ବିହାରରେ ଜେଡିୟୁ, ଆନ୍ଧ୍ରରେ ଟିଡିପି ଏବଂ ଓଡିଶାରେ ବିଜେଡି ସୁପ୍ରିମୋ ସାଲିସ କରି ନ ଥାନ୍ତେ ତେବେ ଦିଲ୍ଲୀରେ ଇଣ୍ଡିଆ ଗଟବନ୍ଧନ ସରକାର କ୍ଷମତାକୁ ଅସିଥାନ୍ତା । ମହାରାଷ୍ଟ୍ରରେ ଗୋଟିଏ କୋଟି ଭୋଟ ଚୋରୀ କରାଯାଇଛି । ସମସ୍ତ ଏକଜିଟ ପୁଲ, ଜନମତ ଏବଂ ରାଜନୈତିକ ଗତି ମିଥ୍ୟା ସାବ୍ୟସ୍ତ ହେଲା ଏବଂ ବିଜେପି ମହାରାଷ୍ଟ୍ରରେ ବିଜୟ ଲାଭ କଲା । ଏହା କେବଳ ସମ୍ଭବ ହୋଇଛି ନିର୍ବାଚନ ଆୟୋଗଙ୍କ ଭୋଟ ଚୋରୀ ମାଧ୍ୟମରେ ।

ଓଡିଶା ସଂସଦୀୟ ନିର୍ବାଚନ ପରେ ୪୨ ଲକ୍ଷ ଅଧିକ ଭୋଟ ପଡ଼ିଥିବା କଥା ବିଶିଷ୍ଟ ସାମ୍ବାଦିକ ପୁଣ୍ୟ ପ୍ରସୂନ ବାଜପେୟୀ ବାରମ୍ବାର ଉପସ୍ଥାପନ କରିଥିଲେ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଆୟୋଗ ନେଇ ନଥିଲେ । ଆଶ୍ଚର୍ଯ୍ୟର କଥା ବିଜେଡି ୫୧ ଗୋଟି ବିଧାନସଭା ଆସନ ଜିତିଥିଲେ କିନ୍ତୁ ଗୋଟାଏ ଲୋକସଭା ଆସନ ମଧ୍ୟ ଜିତି ପାରିଲେ ନାହିଁ । ଏହା ଅସମ୍ଭବ । ଧନ୍ୟବାଦ ରାହୁଳ ଗାନ୍ଧୀ ଯିଏ କି ବିଗତ ବର୍ଷ ବର୍ଷ ଧରି ଗଣତନ୍ତ୍ର ଏବଂ ସମ୍ବିଧାନକୁ ବଞ୍ଚାଇବା ପାଇଁ ସତ ସାହସ ଦେଖାଇଛନ୍ତି ଏବଂ ଭୋଟ ଚୋରୀ ରହସ୍ୟ ଜନତାଙ୍କ ଆଗରେ ଉଜାଗର କରିଛନ୍ତି ।

ନିର୍ବାଚନ କମିଶନ କେମିତି ଭୋଟ ଚୋରୀ ମାଧ୍ୟମରେ ଲୋକଙ୍କ ସହିତ ବିଶ୍ୱାସଘାତ କରି ବିଜେପିକୁ କ୍ଷମତାସୀନ କରିଛି ଏସବୁ ବିଷୟରେ କଂଗ୍ରେସ ଆସନ୍ତା ସୋମବାର ପ୍ରତ୍ୟେକ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ କରି ଜଣାଇବା ସହିତ ଗ୍ରାମ ଗ୍ରାମରେ ଭୋଟ ଚୋରୀ ବିଷୟରେ ଲୋକଙ୍କୁ ସଚେତନ କରାଯିବ । ରାହୁଳ ଗାନ୍ଧୀଙ୍କ ଗଣତନ୍ତ୍ର ବଞ୍ଚାଇବା ସତସାହସକୁ ଏକ ବିରାଟ ଆନ୍ଦୋଳନର ରୂପ ଦିଆଯିବ ବୋଲି ସଭାପତି ଦାସ କହିଛନ୍ତି ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ନିଜ ବକ୍ତବ୍ୟରେ କହିଲେ ଯେ, ଆମେ ଜିନିଷ ପତ୍ର ଚୋରୀ ହେବା ଶୁଣିଛୁ ଏବଂ ଦୀର୍ଘ ଦଶନ୍ଧି ହେବ ଗଣତାନ୍ତ୍ରିକ ରାଜନୀତିରେ ଅଛୁ କିନ୍ତୁ ଏଭଳି ଭୋଟ ଚୋରୀ କାର୍ଯ୍ୟ ଆମେ କେବେ ଶୁଣି ନ ଥିଲୁ । ରାହୁଳ ଗାନ୍ଧୀ ତଥ୍ୟ ପ୍ରମାଣ ସହ ନିର୍ବାଚନ ଆୟୋଗଙ୍କ ଭୋଟ ଚୋରୀର ପର୍ଦାଫାଶ ପାଇଁ ଯେଉଁ ସାହାସିକତା ପ୍ରଦର୍ଶନ କରିଛନ୍ତି ସେଥିପାଇଁ ଆମେ ତାଙ୍କୁ ଧନ୍ୟବାଦ ଦେଉଛୁ । ରାହୁଳ ଗାନ୍ଧୀ ନିର୍ବାଚନ ଆୟୋଗଙ୍କୁ ଭୋଟର ଲିଷ୍ଟର ଡିଜିଟାଲ ଡାଟା ଏବଂ ସିସିଟିଭି ଫୁଟେଜ ପ୍ରଦାନ କରିବା ପାଇଁ ଲିଖିତ ଭାବରେ ଅନୁରୋଧ କରିଥିଲେ କିନ୍ତୁ ଆୟୋଗ ପ୍ରଦାନ କରି ନଥିଲେ । ଯଦି ନିର୍ବାଚନ ଆୟୋଗ ଦୋଷୀ ନୁହନ୍ତି ତେବେ ଡାଟା ଏବଂ ଫୁଟେଜ ପ୍ରଦାନ କଲେ ନାହିଁ କାହିଁକି? ପୁଣି ଭୋଟ ଚୋରୀ ପର୍ଦାଫାଶ କରିବା ପରେ ମହାରାଷ୍ଟ୍ର ସମେତ ଚାରି ଗୋଟି ରାଜ୍ୟର ନିର୍ବାଚନ ଆୟୋଗଙ୍କ ୱେବ ସାଇଟରୁ ଭୋଟର ବିଭାଗ ଡିଲିଟ କରି ଦେଲେ କାହିଁକି ? ଏସବୁରୁ ସ୍ପଷ୍ଟ ଜଣାପଡୁଛି ନିର୍ବାଚନ ଆୟୋଗ ଭୋଟ ଚୋରୀ କରି ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମ୍ପୂର୍ଣ ଜଳାଞ୍ଜଳି ଦେଇଛନ୍ତି ।

କଂଗ୍ରେସ ମିଡ଼ିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ସହ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଏବଂ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ ଯୋଗ ଦେଇଥିଲେ ।

ଆଜି ରାକ୍ଷୀ ପୂର୍ଣ୍ଣିମା; ଭାଈର ହାତରେ ସ୍ନେହର ଡୋରି ବାନ୍ଧିବ ଭଉଣୀ…

() ଆଜି ପବିତ୍ର ଗହ୍ମାପୂର୍ଣ୍ଣିମା ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ । ଆଜି ଦିନରେ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମନାସିଥାଏ। ଭାଇ ଭଉଣୀର ସମ୍ପର୍କକୁ ଦୁନିଆର ସବୁଠୁ ପବିତ୍ର ସମ୍ପର୍କ ବୋଲି କୁହାଯାଏ । ଏହି ରାକ୍ଷୀ ପ୍ରତ୍ୟେକ ଭାଇ-ଭଉଣୀ ପାଇଁ ସ୍ନେହ ଓ ଭଲ ପାଇବାର ସାକ୍ଷୀ । ଭାରତୀୟ ପରମ୍ପରା ଅନୁସାରେ ଆଜିର ଦିନକୁ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣମୀ ବୋଲି କୁହାଯାଏ । ତେବେ ଏହି ଦିନଟି ପାଇଁ ଭଉଣୀ ଟିଏ ତା ଭାଇକୁ ରାକ୍ଷୀ ବାନ୍ଧିବ ବୋଲି ଚାତକ ଭଳି ଅନେଇ ବସିଥାଏ ।

ରାକ୍ଷୀର କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥାଏ ପ୍ରସ୍ତୁତି । ବଜାରରେ ବିଭିନ୍ନ ପ୍ରକାର ରାକ୍ଷୀର ସମ୍ଭାର ନେଇ ଖୋଲେ ଦୋକାନ ମାନ । ଆଉ ଭଳିକି ଭଳି ରାକ୍ଷୀ ହୁଏ ବିକ୍ରି । ଆଉ ଆଜି ଏନେଇ ଉତ୍ସବ ମୁଖର ହୋଇଉଠିଛି ଗାଁରୁ ସହର । ଘରେ ଘରେ ପିଠା ପଣାର ଆସର । ପରିବାର ଭିତରେ ବନ୍ଧୁବାନ୍ଧବଙ୍କ ଗହଣରେ ଏହି ଦିନଟି ବିତିଥାଏ । ଆଉ ଭାଇର ଦୀର୍ଘାୟୁ ଏବଂ ସଫଳତା କାମନା କରି ପ୍ରତିଟି ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ । ଆଉ ଭାଇ ତାର ସର୍ବଦା ରକ୍ଷା କବଚ ହେଇ ତା ସହିତ ଜୀବନ ଯୁଦ୍ଧରେ ରହିଥାଉ ବୋଲି ଭଉଣୀ କାମନା କରିଥାଏ।

ଏହି ପର୍ବଟି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରା ସହ ମଧ୍ୟ ଜଡିତ ରକ୍ଷା ବନ୍ଧନ ପର୍ବ।ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଆଜି ମଧ୍ୟାହ୍ନଧୂପ ପରେ ଭଉଣୀ ସୁଭଦ୍ରା ଦୁଇଭାଇ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବେ। ତେବେ ଭାଇ ଭଉଣୀର ପବିତ୍ର ସମ୍ପର୍କର ନିଦର୍ଶନ ସ୍ଵରୁପ ପାଟରା ବିଶୋୟୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳକୁ ମହାପ୍ରଭୁଙ୍କୁ ସିଂହାରୀ ସେବକ ମାନେ ଲାଗି କରାଇବେ। ସେହିପରି ଆଜି ପ୍ରଭୁ ସୁଦର୍ଶନ ଚାରି ଆଶ୍ରମକୁ ବିଜେ କରିବାକୁ ଥିବା ବେଳେ ମାର୍କଣ୍ଡ ପୁଷ୍କରିଣୀ ଠାରେ ବଳଭଦ୍ରଙ୍କ ଜନ୍ମନୀତି ମଧ୍ୟ ଅନୁଷ୍ଠିତ ହେବ। ଏହି ସ୍ୱତନ୍ତ୍ର ନୀତି ଭୋଗମଣ୍ଡପ ପରେ ଦଇତାପତି ସେବାୟତମାନେ ସୁଦର୍ଶନଙ୍କୁ ଚଉଦଳରେ ବିଜେ କରାଇ ନୀତି ସମାପନ କରିବେ।

ଆଜି ଶ୍ରୀମନ୍ଦିରରେ ମଧ୍ୟ ବଳଭଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ ହେବ । ଦ୍ୱିପହର ଧୂପ ପରେ ମଙ୍ଗଳାର୍ପଣ କରାଯାଇ ସ୍ୱତନ୍ତ୍ର ନିତୀ ଅନୁଷ୍ଠିତ ହେବାସହ ଚକ୍ରରାଜ ସୁଦର୍ଶନ ବିମାନରେ ମାର୍କଣ୍ଡ ପୁଷ୍କରଣୀକୁ ବିଜେ କରିବେ । ସେଠାରେ ମାଟିର ବଳଭଦ୍ର ପ୍ରତିମା ନିର୍ମାଣ କରାଯିବ । ପୂଜାପଣ୍ଡା ସେବକ ଜୀବନ୍ୟାସ ଦେବାପରେ ଜାତକର୍ମ ଅନୁଷ୍ଠିତ ହେବ । ପରେ ପଂଚୋପଚାର, ଶୀତଳ ମଣୋହୀ ଓ ବନ୍ଦାପନା କରାଯାଇ ବଳଭଦ୍ରଙ୍କ ମାଟି ପ୍ରତିମାକୁ ମାର୍କଣ୍ଡ ପୁଷ୍କରଣୀରେ ବିସର୍ଜନ କରାଯିବ । ଏହାପରେ ବିମାନବଡୁ ସେବକ ମାନେ ସୁଦର୍ଶନଙ୍କୁ ବିମାନରେ ବସାଇ ଚାରି ଆଶ୍ରମ ଭ୍ରମଣ କରାଇବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ।

ପୂର୍ବତନ ଉପବାଚସ୍ପତି ଓ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ

ପୂର୍ବତନ ଉପବାଚସ୍ପତି ଓ ମନ୍ତ୍ରୀ ତଥା ଖଣ୍ଡପଡ଼ା ଗଡ଼ର ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କର ବୁଧବାର ବିଳମ୍ବିତ ରାତିରେ ପରଲୋକ ପରଲୋକ ହୋଇଯାଇଛି ।ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୭୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ହୃଦ୍ ରୋଗ ଜନିତ ସମସ୍ୟାରେ କିଛି ଦିନ ହେବ ସେ ଅସୁସ୍ଥ ଥିଲେ ।୧୯୮୦, ୧୯୮୫ ଓ ୧୯୯୫ ରେ ତିନି ଥର ସେ ଖଣ୍ଡପଡ଼ା ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ କଂଗ୍ରେସ ଦଳ ସହ ଦୀର୍ଘ ବର୍ଷ ଧରି ଜଡିତ ଥିଲେ ।ମୃତ୍ୟୁ ଖବର ପାଇବା ପରେ ଅନେକ ମାନ୍ୟଗଣ ବ୍ୟକ୍ତି ତାଙ୍କ ଭୁବନେଶ୍ୱର ବାସଭବନରେ ପହଂଚି ଶେଷ ଦର୍ଶନ କରିଥିଲେ ।

ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା ଓ ଶ୍ରୀ ମାନସ ମଙ୍ଗରାଜ ତଥା ଓଡିଶା କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଟୁଇଟ କରି ଶୋକ ପ୍ରକାଶ କରିବା ସହ ମର୍ଦ୍ଧରାଜଙ୍କ ପୁତ୍ର ସିଦ୍ଧାର୍ଥଙ୍କୁ ସମବେଦନା ଜଣାଇଛନ୍ତି ।

ତାଙ୍କ ମର ଶରୀରକୁ ବିଧାନସଭା ପରିସରକୁ ଅଣାଯାଇ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ବିଧାନସଭା ପରିସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପବାଚସ୍ପତି ଶ୍ରୀ ନରସିଂହ ଭୋଇ, ସଂସଦୀୟ ବ୍ୟାପାର ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ, ମତ୍ସ୍ୟ ତଥା ପଶୁ ସମ୍ପଦ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଏବଂ ବିଜେଡିର ବରିଷ୍ଠ ଉପସଭାପତି ଓ ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ତାଙ୍କର ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଜଣେ ଉତ୍ସାହୀ କ୍ରୀଡାବିତ୍, ସଂଗୀତ ପ୍ରେମୀ ଏବଂ ସମାଜସେବୀ ଶ୍ରୀ ସିଂହ ମର୍ଦ୍ଦରାଜ ତିନିଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।ଜାନୁଆରୀ ୪, ୧୯୫୫ରେ ଜନ୍ମଗ୍ରହଣ କରିଥିବା ଶ୍ରୀ ସିଂହ ମର୍ଦ୍ଦରାଜ ଭୁବନେଶ୍ୱରର ବି.ଜେ.ବି. କଲେଜରେ ଶିକ୍ଷା ଗ୍ରହଣ କରିଥିଲେ। ସେ ତାଙ୍କ କଲେଜ ଅଧ୍ୟୟନ ସମୟରେ ଜଣେ ପ୍ରମୁଖ ଛାତ୍ର ନେତା ଭାବରେ ଉଭା ହୋଇଥିଲେ ଏବଂ ୧୯୮୦ରେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଶାସକ କଂଗ୍ରେସ (ଆଇ)ରେ ଯୋଗ ଦେଇଥିଲେ। ସେ ୧୯୮୧-୮୪ ମଧ୍ୟରେ ପୁରୀ ଜିଲ୍ଲା ଯୁବ କଂଗ୍ରେସର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ୧୯୮୦ ମସିହାରେ ୨୫ ବର୍ଷ ବୟସରେ ସବୁଠାରୁ କମନ୍ ନିର୍ବାଚିତ ପ୍ରତିନିଧି ଭାବରେ ସାଧାରଣ ସମ୍ପତ୍ତି ସଂସଦୀୟ ସମ୍ମିଳନୀରେ ପ୍ରତିନିଧିତ୍ୱ କରିଥିଲେ।

ସେ ଏହାପରେ ୧୯୮୫ ଏବଂ ୧୯୯୫ ମସିହାରେ ଖଣ୍ଡପଡ଼ା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବରେ ଦୁଇଥର ଗୃହକୁ ନିର୍ବାଚିତ ହୋଇଥିଲେ। ସେ ୧୯୮୯ ମସିହାରେ ହେମାନନ୍ଦ ବିଶ୍ବାଳ ମନ୍ତ୍ରୀମଣ୍ଡଳରେ ପର୍ଯ୍ୟଟନ ଏବଂ ସଂସ୍କୃତି, ଯୋଜନା ଏବଂ ସମନ୍ୱୟ ବିଭାଗରେ ରାଜ୍ୟମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଭାବରେ କାର୍ଯ୍ୟ କରିଥିଲେ।ଶ୍ରୀ ସିଂହ ମର୍ଦ୍ଦରାଜଙ୍କୁ ୧୯୯୬ ମସିହାରେ ବିଧାନସଭାର ଉପବାଚସ୍ପତି ମନୋନୀତ କରାଯାଇଥିଲା ଏବଂ ଚାରି ବର୍ଷ ପାଇଁ ସେ ଏହି ପଦବୀରେ ରହିଥିଲେ।

ଶ୍ରୀ ମର୍ଦ୍ଦରାଜଙ୍କର ଏକମାତ୍ର ପୁଅ ସିଦ୍ଧାର୍ଥ ଶେଖର ସିଂହ ଓ ଝିଅ ରାଜକୁମାରୀ ଆରାଧନା ଦେବୀ ଅଛନ୍ତି ।ଶ୍ରୀ ସିଦ୍ଧାର୍ଥ ଶେଖର ସିଂହ ୨୦୦୯ ରୁ ୨୦୧୪ ଖଣ୍ଡପଡ଼ାର ବିଧାୟକ ଭାବେ କାର୍ଯ୍ୟ କରିଛନ୍ତି ।ତାଙ୍କର ଫଟୋଗ୍ରାଫି ଏବଂ କ୍ରିକେଟ୍ ରେ ବେଶ ଆଗ୍ରହ ରହିଥିଲା ଏବଂ ସେ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲର ଆଜୀବନ ସଦସ୍ୟ ଥିଲେ। ସେ ଖଣ୍ଡପଡ଼ା ରାଜ୍ୟର ଇତିହାସକୁ ଇଂରାଜୀରେ ମଧ୍ୟ ସଂକଳନ କରିଛନ୍ତି।

ମେଳାପୀ ଏବଂ ମୃଦୁଭାଷୀ, ଶ୍ରୀ ସିଂହ ମର୍ଦ୍ଦରାଜ ରାଜନୈତିକ ମହଲରେ ଲୋକପ୍ରିୟ ଥିଲେ। ସେ ଚିନ୍ମୟ ମିଶନର ଉପାଧ୍ୟକ୍ଷ, ଭୁବନେଶ୍ୱର ପ୍ଲାଣ୍ଟ ଲଭର୍ସ ଆସୋସିଏସନର ଆଜୀବନ ସଦସ୍ୟ ଏବଂ ଭୁବନେଶ୍ୱର କ୍ଲବର ସଦସ୍ୟ ଥିଲେ। ବିଜେବି ଫ୍ରେଣ୍ଡସ୍ ବିଜେବି କଲେଜର ଆଲୁମ୍ନି ଆସୋସିଏସନର ସେ ଜଣେ ପ୍ରମୁଖ ସଦସ୍ୟ ଥିଲେ । ସେ ଥାଇଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ମରିସସ୍, ୟୁକେ, ମାଲେସିଆ, ସିଙ୍ଗାପୁର ଏବଂ ଅନେକ ୟୁରୋପୀୟ ଦେଶ ଗସ୍ତ କରିଥିଲେ। ତାଙ୍କର ଶେଷକୃତ୍ୟ ଖଣ୍ଡପଡ଼ାରେ ଶୁକ୍ରବାର ଦିନ ସମ୍ପନ୍ନ କରାଯିବ ।

ଖଣ୍ଡପଡ଼ା ଗଡ଼ ର ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ ପରଲୋକ

ଖଣ୍ଡପଡ଼ା ମହାରାଜ ସ୍ବାଭିମାନ ରାଜନେତା ଅନନ୍ଯ ଓଡିଶାର ପୂର୍ବତନ ଉପବାଚସ୍ପତି ,ପୂର୍ବତନ ମନ୍ତ୍ରୀ ଓ ବିଧାୟକ ତଥା ଲୋକପ୍ରିୟ ରାଜନେତା ବିଭୂତି ଭୂଷଣ ସିଂ ମର୍ଦ୍ଦରାଜଙ୍କ ପରଲୋକରେ । ତାଙ୍କ ମୃତ୍ୟୁ ଓଡିଶା ରାଜନୀତିରେ ଅପୂରଣୀୟ କ୍ଷତି ହୋଇଛି। ଉପ ବାଚସ୍ପତି ଥିବା ବେଳେ ତାଙ୍କର କାମ ଆଜି ବି ଓଡିଶା ବିଧାନସଭାରେ ଲିପିବଦ୍ଧ ହୋଇ ରହିଛି। ଖଣ୍ଡପଡ଼ା ପାଇଁ ତ୍ଯାଗପୂତ ଜୀବନୀକୁ ଖଣ୍ଡପଡ଼ାବାସୀ କେବେ ଭୁଲିବେ ନାହିଁ। ତାଙ୍କ ବିୟୋଗ ସମଗ୍ର ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ହେବା ସହ ଖଣ୍ଡପଡ଼ା ଅଂଚଳରେ ଦୁଃଖ ର ଛାୟା ଖେଳିଯାଇଛି। ରାଜ୍ୟ ରାଜନୀତିର ବହୁ ବରିଷ୍ଠ ନେତୃବୃନ୍ଦ ନିଜର ଶୋକ ପ୍ରକାଶ କରି ତାଙ୍କର ନେତୃତ୍ବକୁ ମନେ ପକାଇଛନ୍ତି।

ଖଣ୍ଡପଡ଼ା ଗଡ଼ ର ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ ଭୁବନେଶ୍ବର ର ଏକ ଘରୋଇ ହସ୍ପିଟାଲରେ ପରଲୋକ ।। ହୃଦ୍ ଜନିତ ସମସ୍ୟା ରେ କିଛି ଦିନ ହେବ ଅସୁସ୍ଥ ଥିଲେ ମର୍ଦ୍ଦରାଜ । 1980, 1985 ଓ 1995 ରେ ତିନି ଥର ସେ ଖଣ୍ଡପଡ଼ା ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ମୃତ୍ୟୁ ବେଳକୁ ତାଙ୍କୁ 70 ବର୍ଷ ବୟସ ହୋଇଥିଲା । ବୁଧବାର ବିଳମ୍ବିତ ରାତିରେ ପରଲୋକ ।। କଂଗ୍ରେସ ଦଳ ସହ ଦୀର୍ଘ ବର୍ଷ ଧରି ଜନିତ ଥିଲେ

ଦିଲ୍ଲୀରେ ମନ ମିଶିଲା, ମହାମିଳନରେ ମାନଭଞ୍ଜନ 

ଦିଲ୍ଲୀରେ ମିଶିଲା ଡବଲ ଇଞ୍ଜିନ । ଏକାଠି ହେଲେ ଓଡ଼ିଶା ବିଜେପି ମାଙ୍ଗୁଆଳମାନେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନଏକ ହୋଇଥିବା ଚର୍ଚ୍ଚା ହେଉଛି। ୧୩ମାସ ଧରି ଓଡିଶା ରାଜନୀତିରେ ବିଜେପି ଦଳକୁ ନେଇ ହେଉଥିବା ସବୁ ଚର୍ଚ୍ଚାର ପୁର୍ଣ୍ଣଛେଦ ପକାଇଲେ ଦଳର ଶୀର୍ଷ ନେତୃତ୍ଵ। ଏକ ହୋଇ କାମ କରିବାକୁ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦଳର ଦିଲ୍ଲୀର ଶୀର୍ଷ ନେତୃତ୍ଵଗଣ। ଓଡ଼ିଶାର ଚେହେରା ସାଜିଥିବା ନେତାଙ୍କୁ ଏକାଠି କରି ବୈଠକ କଲେ । ଭେଟଘାଟ ବି ହେଲା, ଆଲୋଚନା ବି ହେଲା, ରାଜ୍ୟ ସ୍ବାର୍ଥ କଥା ବି ଉଠିଲା ଓ ଗୋଷ୍ଠୀ ନୁହେଁ ଦଳ ପାଇଁ ସଭିଏ ଏକ ଏ ବାର୍ତ୍ତା ବି ଦେଲା ରାଜ୍ୟ ବିଜେପି। ବେଶ କିଛି ମାସ ହେବ ଓଡ଼ିଶାରୁ ଦିଲ୍ଲୀ ଯାଏ ଗୋଟିଏ ରାଜନୈତିକ ଚର୍ଚ୍ଚା, ବିଜେପି ସରକାର ଗଠନ କଲା ପରେ ଦଳ ଭିତରେ ପାୱାର ଲଢେଇ ଜୋରଦାର ହୋଇଛି।

ରାଜ୍ୟ ସଭାପତି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଚାଲିଛି ପତିଆର ଲଢେଇ। ଆଉ ଏହାକୁ ଖୋରାକ ଯୋଗାଇଥିଲା ଦିଲ୍ଲୀରେ ବିଜେପି ନେତାଙ୍କ ଭିନ୍ନ ଭିନ୍ନ ବୈଠକ ଓ କିଛି ଫୋଟୋ। ସୋସିଆଲ୍ ମିଡିଆରୁ ରାଜନୈତିକ ସମୀକ୍ଷକ ଯାଏ ସଭିଙ୍କ ଗୋଟିଏ ଆକଳନ ଲଢେଇ ଚାଲିଛି, କିଏ ଅଧିକ ଶକ୍ତିଶାଳୀ ଦେଖାଇବାର ପ୍ରତିଯୋଗିତା ଦଳ ଭିତରେ । ସଭାପତିଙ୍କ ଦିଲ୍ଲୀ ବୈଠକରେ ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ଅନୁପସ୍ଥିତ ରହିବା ଓ ପରେ କେନ୍ଦ୍ରମନ୍ତ୍ରୀଙ୍କ ବୈଠକରେ ୩ଜଣ ସାଂସଦ ଆସିଲେନି। ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲା ଯେ ବିଜେପିରେ ସବୁକିଛି ଠିକ ଠାକ୍ ଚାଲିନାହିଁ।।

ଏହି ଚର୍ଚ୍ଚା ଭିତରେ ଏଣ୍ଟ୍ରି କଲା ରାଜ୍ୟ ମନ୍ତ୍ରିମଣ୍ଡଳର ଅଦଳବଦଳ ଚର୍ଚ୍ଚା। ପୁଣି ଚର୍ଚ୍ଚା ହେଲା ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପାଇଁ କାଳେ ଦଳ ଭିତରେ ପୁଣି ପତିଆର ଲଢେଇ ଆରମ୍ଭ ହୋଇଛି। କେନ୍ଦ୍ରମନ୍ତ୍ରି ଅତି ଘନିଷ୍ଠ ମନ୍ତ୍ରିଙ୍କ ବିଭାଗ ଅଦଳବଦଳ କରିବା ଓ କିଛି ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରିବା ଚର୍ଚ୍ଚା ବି ହେଲା। ଆଉ ବେଶୀ ଦିନ ଯାଏ ଯେପରି ଏ ଚର୍ଚ୍ଚା ନହେବ ଓ ସବୁ କଳ୍ପନାକଳ୍ପନାର ଅନ୍ତ ଘଟାଇ ଦିଲ୍ଲୀରେ ରାଜ୍ୟ ବିଜେପିର ମଙ୍ଗୁଆଳ ମାନଙ୍କୁ ଏକାଠି କରି ଦଳର ଶୀର୍ଷ ନେତୃତ୍ଵ ଏକତାର ବନ୍ଧନରେ ବାନ୍ଧିଛନ୍ତି । ଦଳ ଓ ସଂଗଠନକୁ ଏକାସାଙ୍ଗରେ ଚଳାଇବା ପାଇଁ ନେତାଙ୍କୁ ଗୁରୁମନ୍ତ୍ର ଦେବା ସହ ତୃଣମୂଳ ସ୍ତରରେ ବିଜେପି ସଂଗଠନକୁ ଅଧିକ ଶକ୍ତିଶାଳୀ କରିବାକୁ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଶୀର୍ଷ ନେତୃତ୍ଵ।

ସାତଦିନରେ ଦୃର୍ବୁତ୍ତ ଧାରା ନ ପଡ଼ିଲେ ଡିଜିପି ଅଫିସ ଘେରାଉ :- ଭକ୍ତ

 ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ବଳଙ୍ଗା ପୀଡ଼ିତାଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ବୋଲି କହିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ।

ଆଜି ପ୍ରେସ ବାର୍ତ୍ତା ମାଧ୍ୟମରେ ଶ୍ରୀ ଯୁକ୍ତ ଦାସ କହିଛନ୍ତି କି ବଳଙ୍ଗା ପୀଡିତାଙ୍କ ଘଟଣା ଆଜିକୁ ଦୁଇ ସପ୍ତାହ ହେଲା। ଶେଷରେ ତାଙ୍କ ମୃତ୍ୟୁ ହେଲା । ଶନିବାର ଘଟଣା ଘଟିଥିଲା ଏବଂ ଆଜି ସେଇ ଶନିବାର ତାର ମୃତ୍ୟୁ ହେଲା। ଦୀର୍ଘ ୧୫ ଦିନ ହେଲା ଏତେ ବଡ଼ ଚର୍ଚ୍ଚିତ ଘଟଣାର ଅଭିଯୁକ୍ତଙ୍କୁ ଆଧୁନିକ ଯୁଗରେ ପୁଲିସ ଧରି ପାରିଲା ନାହିଁ । ଏଥରୁ ପୁଲିସ ବିଭାଗ କେମିତି ଚାଲିଛି ତାହା ଅନୁମେୟ। ପୀଡ଼ିତାଙ୍କ ବୟାନ ପୁଲିସ ବ ରେକର୍ଡ କରିଛି କିନ୍ତୁ ଲୋକ ଲୋଚନକୁ ଅଣାଯାଉ ନାହିଁ । ଗୋଟିଏ ଗୋଟିଏ ଘଟଣା କେମିତି ଚପାଇ ଦିଆଯାଉଛି ତାହା ସ୍ପଷ୍ଟ ଜଣାପଡ଼ୁଛି। ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦରକାର। ଯଦି ସାତଦିନ ଭିତରେ ପୀଡ଼ିତାଙ୍କୁ ନ୍ୟାୟ ନ ମିଳିଲା ତେବେ ଆମେ ଧରିନେବୁ ସରକାର ପୁଲିସ ବିଭାଗ ଚଳାଇ ପାରୁ ନାହାନ୍ତି । ଆମେ ଡିଜିପି ଅଫିସ ଘେରାଉ କରିବୁ ବୋଲି ଆଜି ଘୋଷଣା କରିଛନ୍ତି ଶ୍ରୀଯୁକ୍ତ ଦାସ।

ଏଫ୍ ଏମ୍ ଛାତ୍ରୀ ପୋଡ଼ି ଘଟଣାରେ ପେଟ୍ରୋଲ କିଏ ଆଣିଲା,ମ୍ୟାଚିସ କିଏ ଦେଲା ଏବଂ କେଉଁମାନେ ଉପସ୍ଥିତ ଥିଲେ କ୍ରାଇମ୍ ବ୍ରାଞ୍ଚ ରିପୋର୍ଟ ଆସିଲା କିନ୍ତୁ ଅପରାଧୀ ମାନେ ଏ ପର୍ଯ୍ୟନ୍ତ ଧରାହେଇ ନାହାନ୍ତି। ସରକାର ସବୁ କ୍ଷେତ୍ରରେ ନିଜେ ଅପରାଧ କଲା ଭଳିଆ ବ୍ୟବହାର କାହିଁକି କରୁଛି ? ଚୋରଙ୍କୁ ନ ଧରି ଚୋରଙ୍କ ଭଳିଆ ହେଉଛି କାହିଁକି ? ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀଯୁକ୍ତ ଦାସ।ଏଭଳି ଦୁର୍ବଳ ପ୍ରଶାସନ ଆମେ କେବେ ଦେଖି ନ ଥିଲୁ, ଆମର ଦୁର୍ଭାଗ୍ୟ ଏଭଳି ଏକ ସରକାର ଆମେ ପାଇଛୁ । ଦୀର୍ଘ ଦିନ ବିତି ଯାଇଥିଲେ ସୁଦ୍ଧା ପୁଲିସ ଅପରାଧୀ ଧରିବାରେ ବିଫଳ । ସରକାରଙ୍କ ଉପରେ ରାଜ୍ୟବାସୀଙ୍କ ସନ୍ଦେହ ଆସିଲାଣି ।କୌଣସି ଷଡ଼ଯନ୍ତ୍ର ଥିବା ଭଳି ଲାଗୁଛି। ଅନ୍ୟ ସାଧାରଣ କେସ ଯେପରି ପୋଲିସ ତତ୍ପରତା ଦେଖାଉଛି।ଏଫ୍ ଏମ୍ କଲେଜ ଏବଂ ବଲଙ୍ଗା କେସ ରେ କାହିଁକି ତତ୍ପରତା ଦେଖାଇଲାନି। ବଳଙ୍ଗା ଛାତ୍ରୀ ଘଟଣା ଉପ ମୁଖ୍ୟମନ୍ତ୍ରୀଙ୍କ ନିଜ ଅଞ୍ଚଳରେ ଘଟିଛି।ଏଭଳି ଅପରାଧୀ ମାନଙ୍କୁ ବାରମ୍ବାର ଛାଡୁଛନ୍ତି ବା ଘଣ୍ଟ ଘୋଡାଉଛନ୍ତି।ତେଣୁ ନାରୀ ଅତ୍ୟାଚାର ବଢ଼ିଚାଲିଛି।ତାହାର ସୀମା ନାହିଁ।ବିଶ୍ଵ ଦରବାରରେ ଆପଣ ଲଜ୍ଜିତ ହେଲେଣି।ଦେଶରେ ଆପଣ ଲଜ୍ଜିତ ହେଲେଣି । ସର୍ବୋଚ୍ଚ ନ୍ୟାୟାଳୟ ଅନୁଭବ କଲା କିନ୍ତୁ ଆପଣ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଲଜ୍ଜିତ ଅନୁଭବ କଲେ ନାହିଁ ବୋଲି ଶ୍ରୀ ଯୁକ୍ତ ଦାସ କ୍ଷଭୋ ପ୍ରକାଶ କରିଛନ୍ତି। ସରକାର ରେ ଅମଣିଷ ମାନେ ବସିଛନ୍ତି।ଯଦି ମନିଷା ପଣିଆ ଥାଏ ତେବେ ଅଭିଯୁକ୍ତକୁ ଗିରଫ କରି ନିଜର ମଣିଷ ପଣିଆ ପ୍ରମାଣିତ କରନ୍ତୁ।

ଭବିଷ୍ୟତରେ ପର୍ଯ୍ୟାପ୍ତ କାର୍ଯ୍ୟ ରହିବ, କିନ୍ତୁ ଚାକିରି ରହିବ ନାହିଁ : ଡକ୍ଟର ଆନନ୍ଦ ଦେଶପାଣ୍ଡେ

ବର୍ତମାନ ସମୟରେ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ (ଏଆଇ)ର ଆବିର୍ଭାବ ଚାକିରି ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଛାତ୍ରଛାତ୍ରୀମାନେ କିନ୍ତୁ ନିଜେ ନିଯୁକ୍ତି ସୃଷ୍ଟି କରି ନିଜର ଭାଗ୍ୟ ନିର୍ଦ୍ଧାରଣ କରନ୍ତୁ ବୋଲି ଶନିବାର କହିଛନ୍ତି ପର୍ସିଷ୍ଟାଂଟ ସିଷ୍ଟମ୍‌ସର ପ୍ରତିଷ୍ଠାତା ଅଧ୍ୟକ୍ଷ ଓ ପରିଚାଳାନା ନିର୍ଦ୍ଦେଶକ ଡକ୍ଟର ଆନନ୍ଦ ଦେଶପାଣ୍ଡେ ।

ଆମେ ବର୍ତମାନ ଏଭଳି ପରିସ୍ଥିତି ଦେଇ ଗତି କରୁଛୁ ଯେଉଁ ସମୟରେ କି କାର୍ଯ୍ୟର ଆବଶ୍ୟକତା ବଢ଼ିବ ମାତ୍ରଚାକିରିର ହାର କମିବ । ତେଣୁ ଚାକିରି ପଛରେ ନ ଗୋଡାଇ ନିଜେ କିଭଳି ନିଯୁକ୍ତି ସୃଷ୍ଟି କରିପାରିବ ସେ ଦିଗରେ ଛାତ୍ରଛାତ୍ରୀମାନେ ଚିନ୍ତା କରିବା ଉଚିତ୍ ବୋଲି କହିଛନ୍ତି ଡକ୍ଟର ଦେଶପାଣ୍ଡେ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର  ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ ଅବସରରେ ଏହା କହିଛନ୍ତି ଡକ୍ଟର ଦେଶପାଣ୍ଡେ । ଏଆଇ ଏବଂ ଏହାର ଭବିଷ୍ୟତ ସମ୍ପର୍କିତ ଏକ ପ୍ରଶ୍ନର ଉତର ଦେଇ ସେ କହିଥିଲେ ଯେ ସମସ୍ୟାର ସମାଧାନ କରିବା ସହ ଉତ୍ପାଦନତା ବୃଦ୍ଧି କରିବା ଦିଗରେ ଏଆଇର ଉଚ୍ଚ ଧରଣର ଦକ୍ଷତା ରହିଛି ।

ବର୍ତମାନ ସମୟରେ ମଣିଷମାନଙ୍କ ଅପେକ୍ଷା ଏଆଇ ଭଲ କୋଡ୍ ଲେଖିପାରୁଛି । କିନ୍ତୁ ଏଆଇ ଅନେକ କିଛି ବିଷୟକୁ ବିକୃତ ମଧ୍ୟ କରିପାରେ ଯାହା ଅନ୍ୟ କେହି କରିପାରିବେ ନାହିଁ ବୋଲି କହିବା ସହ ଦୁଇଟି ଦେଶ ଆମେରିକା ଏବଂ ଚୀନବର୍ତମାନ ଏଆଇ କ୍ଷେତ୍ରରେ ସବୁଠାରୁ ଆଗରେ ଅଛନ୍ତି ବୋଲି ସେ ପ୍ରକାଶ କରିଥିଲେ । ସୋଆ ବିଶ୍ୱବିଦ୍ୟାଳୟ ଏବଂ ଅଟଳ ଇନ୍‌କ୍ୟୁବେସନ୍ ସେଂଟର – ସୋଆ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିଥିଲେ । ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଏବଂ କର୍ପୋରେଟ୍ ରିଲେସନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏନଗେଜମେଂଟ ନିର୍ଦ୍ଦେଶକ ଶ୍ରୀ ରୀପ୍ତି ରଞ୍ଜନ ଦାଶ ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ ।

ପୁନେ ସ୍ଥିତ ବିଶ୍ୱସ୍ତରୀୟ ଡିଜିଟାଲ୍ ଇଞ୍ଜିନିୟରିଂ କମ୍ପାନୀର ମୁଖ୍ୟ ଡକ୍ଟର ଦେଶପାଣ୍ଡେ କହିଥିଲେ ଯେ ଚିକିତ୍ସା ବିଜ୍ଞାନ ଯେଉଁଭଳି ଦ୍ରୁତ ଗତିରେ ଅଗ୍ରଗତି କରୁଛି ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଯେଉଁମାନେ ୨୦୦୦ ମସିହା ପରେ ଜନ୍ମ ଗ୍ରହଣ କରିଛନ୍ତି ସେମାନେ ୧୦୦ ବର୍ଷ ପର୍ଯ୍ୟନ୍ତ ବଂଚି ରହିବାରେ ଅସୁବିଧା ନାହିଁ ଏବଂ ଆଗାମୀ ୬୦ ବର୍ଷ ଧରି ୨୦୮୫ ମସିହା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟକ୍ଷମ ରହିବେ । ଭାରତ ଖୁବ ପ୍ରଗତିଶୀଳ ହୋଇଥିଲେ ମଧ୍ୟ ବର୍ତମାନ ଛାତ୍ରଛାତ୍ରୀମାନେ ଯେଉଁ ଜ୍ଞାନ ଆହରଣ କରୁଛନ୍ତି ତାହା ୬୦ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିବ ନାହିଁ । କାରଣ ବିଶ୍ୱବିଦ୍ୟାଳୟ ଛାଡ଼ିବା ପରେ ସେମାନେ ଯେଉଁ କମ୍ପାନୀରେ ଯୋଗ ଦେବେ ତାହା ଆଗାମୀ ୬ ଦଶନ୍ଧି ଧରି ରହିବ ନାହିଁ ବୋଲି ସେ କହିଥିଲେ ।

ଡକ୍ଟର ଦେଶପାଣ୍ଡେ ଆଇଆଇଟି ଖଡ଼ଗପୁରର ଛାତ୍ର ଯାହା ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ ଯେଉଁଠାରେ କମ୍ପ୍ୟୁଟର ସାଇନ୍‌ସ ପାଠ୍ୟକ୍ରମ ଆରମ୍ଭ କରାଯାଇଥିଲା । ସେ ଆମେରିକାରେ ପାଠ ପଢ଼ି ଚାକିରି କରିବା ପରେ ୧୯୯୦ ରେ ଭାରତ ଫେରି ନିଜର କମ୍ପାନୀ ଆରମ୍ଭ କରିଥିଲେ ।ନିଜ ଲକ୍ଷ୍ୟ ନିର୍ଦ୍ଧାରଣ କରିବାକୁ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେବା ସହ ସେମାନେ କେଉଁ ଦିଗରେ ଯାଉଛନ୍ତି ତାହାଜାଣିବା ଉଚିତ୍ ବୋଲି ସେ କହିଥିଲେ । ନିରନ୍ତର ଜ୍ଞାନ ଆହରଣ ସହ ସଂଗଠିତ କାର୍ଯ୍ୟ ଏବଂ ସଂଯୋଗୀକରଣର ଅନେକ ଆବଶ୍ୟକତା ରହିଛି । ତେବେ ନୈତିକତା ସହ ସାଲିସ୍ ନ କରି ନିଜ ବୃତି ପ୍ରତି ନିଷ୍ଠାବାନ ହେବା ଆବଶ୍ୟକ ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ । ଏକ ପ୍ରଶ୍ନର ଉତରରେ ଭୁଲ କରିବା ଏକ ସାଧାରଣ ଘଟଣା ଓ କିଛି ବଡ଼ କଥା ନୁହେଁ ବୋଲି ଡକ୍ଟର ଦେଶପାଣ୍ଡେ କହିଥିଲେ ।

କାର୍ଯ୍ୟକ୍ରମରେ ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର, ପ୍ରଫେସର ରେଣୁ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ.

ନାରୀ ସୁରକ୍ଷା ଓ ସ୍ୱାଭିମାନ ପାଇଁ ସଂସଦ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ବିଜେଡି ସାଂସଦଙ୍କ ଧାରଣା

 ରାଜ୍ୟରେ ନାରୀ ଓ ଶିଶୁ ନିର୍ଯାତନା ଦିନକୁ ଦିନ ବଢିଚାଲିଛି । ଜଣେ ମହିଳା ଘରୁ ବାହାରିଲେ ତା’ର କର୍ମ କ୍ଷେତ୍ରକୁ ସୁରକ୍ଷିତରେ ଘରକୁ ଫେରିବ ବୋଲି ଏହି ବିଜେପି ସରକାରରେ କୌଣସି ଗ୍ୟାରେଣ୍ଟି ନାହିଁ । ବିଗତ ଦିନରେ ଘଟିଯାଇଥିବା ଘଟଣାଗୁଡିକୁ ଗଭୀରତାର ସହ ନେଇ ବିଜୁ ଜନତା ଦଳର ସାଂସଦମାନେ ଆଜି ସଂସଦ ଭବନର ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ପ୍ଲାକାର୍ଡ ଧରି ଓଡିଶାରେ ନାରୀ ଓ ଶିଶୁମାନଙ୍କୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରତିବାଦ କରିଥିଲେ । ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତୁ୍ୟର ନ୍ୟାୟିକ ତଦନ୍ତ ଦାବି କରିବା ସହ ବଳଙ୍ଗା ଘଟଣାରେ ଦୋଷୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଥିଲେ । ରାଜ୍ୟରେ ନାରୀମାନଙ୍କୁ ସୁରକ୍ଷା ଓ ସ୍ୱାଭିମାନର ସହ ବଞ୍ଚିବା ପାଇଁ ଡବଲ ଇଂଜିନ ସରକାର ଯଥେଷ୍ଟ ପଦକ୍ଷେପ ନେବାର ଆବଶ୍ୟକ ରହିଛି ବୋଲି ପ୍ରତିବାଦ କରୁଥିବା ବିଜେଡି ସାଂସଦମାନେ ଦାବି କରିଥିଲେ ।

ଏହି ଧାରଣାରେ ସାଂସଦ ଡ. ସସ୍ମିତ ପାତ୍ର, ଶ୍ରୀଯୁକ୍ତ ମାନସ ରଂଜନ ମଙ୍ଗରାଜ, ମୁଜିବୁଲ୍ଲା ଖାନ୍(ମୁନା ଖାନ୍), ଶ୍ରୀମତୀ ସୁଲତା ଦେଓ, ଶ୍ରୀଯୁକ୍ତ ନିରଂଜନ ବିଶି ଓ ଶ୍ରୀଯୁକ୍ତ ସୁବାଶିଷ ଖୁଣ୍ଟିଆ ପ୍ରମୁଖ ସାମିଲ ଥିଲେ ।

ଅଗଷ୍ଟ ୧ରୁ ୧୪ ପର୍ୟ୍ୟନ୍ତ ଦୁଇ ପର୍ୟ୍ୟାୟରେ ଛାତ୍ର ଓ ଯୁବ ବିଜେଡିର ଆନ୍ଦୋଳନ

 ରାଜ୍ୟରେ ବିପର୍ୟ୍ୟସ୍ତ ଆଇନ ଶୃଙ୍ଖଳା, ବିଶେଷକରି ଛାତ୍ରୀ ଓ ମହିଳା ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି ଅଭିଯୋଗରେ ବିଜୁ ଜନତା ଦଳ ଆନ୍ଦୋଳନ କରି ଆସୁଥିବା ବେଳେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ତରଫରୁ ଅଗଷ୍ଟ ୧ତାରିଖରୁ ଦ୍ଵିତୀୟ ପର୍ୟ୍ୟାୟ ଆନ୍ଦୋଳନ ଆରମ୍ଭ ହେବ ବୋଲି ଦଳ ତରଫରୁ ସୂଚନା ଦିଆଯାଇଛି। ଶଙ୍ଖ ଭଵନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଯୁବ ବିଧାୟକ ଶ୍ରୀ ବ୍ୟୋମକେଶ ରାୟ ଓ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହିତ ଅଗଷ୍ଟ ୧ ତାରିଖରୁ ବିଜେଡିର ଛାତ୍ର ଓ ଯୁବ ସଂଗଠନ ତରଫରୁ ହେବାକୁ ଥିବା ଆନ୍ଦୋଳନାତ୍ମକ କାର୍ୟ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ।

ଶ୍ରୀ ବ୍ୟୋମକେଶ ରାୟ କହିଥିଲେ, ଗତ ୧୩ ମାସ ବିଜେପି ଶାସନରେ, ରାଜ୍ୟର ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ ହୋଇ ପଡିବା ସହିତ ନାରୀ ନିର୍ୟ୍ୟାତନା ଅହେତୁକ ବୃଦ୍ଧି ପାଇଛି। ରାଜ୍ୟରେ ଛାତ୍ରୀମାନେ ବେଳାଭୂମି ଠାରୁ ଆରମ୍ଭ କରି କଲେଜ କ୍ୟାମ୍ପସରେ ମଧ୍ୟ ସୁରକ୍ଷିତ ନାହାନ୍ତି। ବିଭିନ୍ନ ଛାତ୍ରୀ ନିବାସରେ ନାବାଳିକା ମାନେ ଗର୍ଭବତୀ ହେଉଛନ୍ତି। ଛାତ୍ରୀ ଓ ନାରୀ ମାନେ ଅସୁରକ୍ଷିତ ହୋଇ ପଡିଥିଲା ବେଳେ, ରାଜ୍ୟ ବିଜେପି ସରକାର ନିଘୋଡ଼ ନିଦରେ ଶୋଇଛନ୍ତି। ଗୋପାଳପୁର ବେଳାଭୂମିରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ବାଲେଶ୍ଵର ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମଦାହ ଘଟଣା ଓ ବଳଙ୍ଗା ନାବାଳିକା ପୋଡି ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉଦାସୀନତାର ପ୍ରତିବାଦରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ରାଜ୍ୟବ୍ୟାପୀ କଲେଜ ଷ୍ଟ୍ରାଇକ କରିଥିଲା। ବିଜୁ ଜନତା ଦଳ ତରଫରୁ ବାଲେଶ୍ୱର ବନ୍ଦ, ଲୋକସେବା ଭଵନ ଘେରାଉ କାର୍ୟ୍ୟକ୍ରମ ସହିତ ତିନି ଆରଡିସି ଅଫିସ ଘେରାଉ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା। ଏବେ, ଦ୍ଵିତୀୟ ପର୍ୟ୍ୟାୟରେ, ଅଗଷ୍ଟ ୧ତାରିଖରୁ ୭ ତାରିଖ ପର୍ୟ୍ୟନ୍ତ ରାଜ୍ୟବ୍ୟାପୀ ପ୍ରତିବାଦ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା କରାଯିବ। ଏଥିରେ ଛାତ୍ର ଛାତ୍ରୀ ମାନେ ତାଙ୍କ ଅଞ୍ଚଳର ଥାନା ଓ ଏସପିଙ୍କୁ ଭେଟି ରାଜ୍ୟର ବିପର୍ୟ୍ୟସ୍ତ ଆଇନ ଶୃଙ୍ଖଳା, ଛାତ୍ରୀ ଓ ନାରୀ ସୁରକ୍ଷା ପ୍ରଦାନ ସମ୍ବନ୍ଧରେ, ଡିଜି ପୋଲିସଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିବେ। ସେହିପରି, ଅଗଷ୍ଟ ୮ ତାରିଖରୁ ୧୪ ତାରିଖ ପର୍ୟ୍ୟନ୍ତ ରାଜ୍ୟର ଛାତ୍ର ଛାତ୍ରୀ ମାନେ ରାଜ୍ୟର ଗୃହମନ୍ତ୍ରୀର ଦାୟିତ୍ୱ ତୁଲାଉଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ନିକଟକୁ ଖୋଲା ଚିଠି ପଠାଇବେ। ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଲକ୍ଷାଧିକ ଚିଠି ପଠାଯିବ ବୋଲି ଶ୍ରୀ ରାୟ କହିଥିଲେ।

ସେହିପରି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ କହିଥିଲେ, ନିକଟରେ ଘଟି ଯାଇଥିବା ଘଟଣାମାନଙ୍କୁ ନେଇ ଓଡିଶା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଲଜ୍ଜ୍ୟା ଓ ନିନ୍ଦା ସାଉଁଟିଛି। ଆମେରିକା ରାଷ୍ଟ୍ରପତିଙ୍କ ଅଫିସରୁ ଜାରି କରାଯାଇଥିବା ଏକ ଟ୍ରାଭେଲ ଆଡ଼ଭାଇଜେରିରେ ଓଡିଶା ସମେତ ଦେଶର ଛଅଟି ରାଜ୍ୟକୁ ନଯିବା ପାଇଁ ଏହାର ନାଗରିକ ମାନଙ୍କୁ କହିଥିଲେ। ବିଶେଷକରି ନାରୀ ଅସୁରକ୍ଷିତ ଓ ଉଗ୍ରବାଦ ବୃଦ୍ଧି ଦର୍ଶାଇ ଏହି ବାରଣ କରା ଯାଇଥିବାରୁ, ଓଡିଶା ପାଇଁ ଏହା ଲଜ୍ଜ୍ୟା ଓ ନିନ୍ଦା ଆଣିଥିଲା। ସେହିପରି, ଏଫଏମ କଲେଜ ଛାତ୍ରୀ ଆତ୍ମଦାହ ଘଟଣା ଓ ବଳଙ୍ଗା ନାବାଳିକା ପୋଡି ଘଟଣାରେ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ଲଜ୍ଜ୍ୟା ବୋଲି କହିବା ସହିତ ଏଥିପାଇଁ ବ୍ୟବସ୍ଥାଗତ ବିଫଳତା ଦାୟୀ ବୋଲି କହିଥିଲେ। ଏତେ ନିନ୍ଦା ଓ ଲଜ୍ଜ୍ୟା ସତ୍ତ୍ୱେ, ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିନାହିଁ। ତେଣୁ, ରାଜ୍ୟରେ ଛାତ୍ରୀ ଓ ନାରୀ ମାନଙ୍କୁ ସୁରକ୍ଷିତ କରିବା ପାଇଁ, ରାଜ୍ୟ ସରକାର ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ନେବା ଦରକାର। ନାରୀ ନିର୍ୟ୍ୟାତନାର ପ୍ରତିବାଦରେ, ବିଜୁ ଜନତା ଦଳ ତରଫରୁ ଅଗଷ୍ଟ ୧ ତାରିଖରୁ ଦୁଇ ଥାକିଆ ଆନ୍ଦୋଳନ କରାଯିବ। ରାଜ୍ୟରେ ଛାତ୍ରୀ ଓ ନାରୀ ମାନେ ସୁରକ୍ଷିତ ନହେବା ପର୍ୟ୍ୟନ୍ତ ବିଜୁ ଜନତା ଦଳ ଆନ୍ଦୋଳନ ଜାରି ରଖିବ।

Follow us

20,832FansLike
0FollowersFollow
14,700SubscribersSubscribe

Latest news