ମଙ୍ଗଳବାର ସାରା ଦେଶରେ ସ୍ବାସ୍ଥ୍ୟ ସେବା କ୍ଷେତ୍ର ନିମନ୍ତେ ୧୨ ହଜାର ୮୫୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ଉପକଣ୍ଠ ଗୋଠପାଟଣା ଠାରେ ଥିବା ଡ୍ରଗ୍ସ ଟେଷ୍ଟିଂ ଲବ୍ରୋଟେରୀ ସେଣ୍ଟରର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାଃ ମୁକେଶ ମହାଲିଙ୍ଗ। ଏହି ଅବସରରେ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲର ଫର୍ମାସୀ ବିଭାଗର କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ଆଇଏମ୍ ଏସ ଆଣ୍ଡ ସମ୍ ହସ୍ପିଟାଲ ଫାର୍ମାସୀ କର୍ମଚାରୀ ଓ ଛାତ୍ରାଛାତ୍ରୀଙ୍କ ସହ କିଛି ସମୟ ବିତାଇଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ସେମାନଙ୍କ ସହ ସ୍ୱାସ୍ଥ୍ୟସେବା ସମ୍ପର୍କିତ ଆଲୋଚନା କରିବାବେଳେ ଫାର୍ମାସୀ ଟେଷ୍ଟିଙ୍ଗ ବିଷୟରେ ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ । ଏହି ଡ୍ରଗ୍ସ ଟେଷ୍ଟିଂ ଲବ୍ରୋଟାରୀ ସେଣ୍ଟର ସେମାନଙ୍କୁ ଅନେକ ସାହାଯ୍ୟ କରିବ ବୋଲି ମଧ୍ଯ କହିବା ସହ ସମ୍ ଫାର୍ମାସୀ କର୍ମଚାରୀ ଓ ଛାତ୍ରାଛାତ୍ରୀଙ୍କ ସହ ବେଶ୍ ଆନନ୍ଦିତ ଭାବେ ଫଟୋ ଉଠାଇଥିଲେ ମୁଖ୍ଯମନ୍ତ୍ରୀ ଶ୍ରୀ ମାଝୀ |
ପ୍ରଖ୍ୟାତ କବି ଡଃ ଫନୀ ମହାନ୍ତିଙ୍କୁ ପଣ୍ଡିତ ଗୋଦାବରୀଶ ମିଶ୍ର ସମ୍ମାନ…
()ପ୍ରଖ୍ୟାତ କବି ଡଃ ଫନୀ ମହାନ୍ତିଙ୍କୁ ପଣ୍ଡିତ ଗୋଦାବରୀଶ ମିଶ୍ର ସମ୍ମାନ ପ୍ରଦାନ। କଟକ ଶାରଳା ଭବନରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ଉତ୍ସବରେ ଓଡ଼ିଶା ହାଇକୋର୍ଟର ମାନ୍ୟବର ବିଚାରପତି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଓଡିଶା ସାହିତ୍ୟ ଏକାଡେମୀ ଓ କେନ୍ଦ୍ର ସାହିତ୍ୟ ଏକାଡେମୀର ପୁରସ୍କାର ପ୍ରାପ୍ତ ପ୍ରଚଣ୍ଡ କବି ଫନୀ ମହାନ୍ତି ଙ୍କ ଅହଲ୍ୟା, ପ୍ରିୟତମା , ମାନଚିତ୍ର ପରି ବହୁ ଉଚ୍ଚ କୋଟିର କବିତା ଓ ପ୍ରବନ୍ଧ ଲେଖି ସେ ଓଡ଼ିଶାର ଘରେ ଘରେ ପରିଚିତ l
ସମ୍ ହସ୍ପିଟାଲରେ ମଲିକ୍ୟୁଲାର ପରୀକ୍ଷଣ ଏବଂ ଜେନୋମିକ୍ସକୁ ନେଇ ସିଏମ୍ଇ ଆୟୋଜିତ
ଭୁବନେଶ୍ୱର: କର୍କଟ ରୋଗର ନିର୍ଣ୍ଣୟ, ପୂର୍ବାନୁମାନ ଓ ଚିକିତ୍ସା କ୍ଷେତ୍ରରେ ବିଶେଷ ଗୁରୁତ୍ୱ ବହନ କରୁଥିବା ମଲିକ୍ୟୁଲାର ହେମାଟୋଲଜି କ୍ଷେତ୍ରରେ ବର୍ତମାନ ଘଟୁଥିବା ଉନ୍ନତି ସଂପର୍କରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ ଠାରେ ଏକ ବିଶେଷ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ‘ମଲିକ୍ୟୁଲାର ହେମାଟୋଲଜି- ଦି ଫ୍ୟୁଚର ୱି ଆର୍ ଲିଭିଂ ଇନ୍’ ଶୀର୍ଷକ ଏହି କଂଟିନ୍ୟୁଇଂ ମେଡିକାଲ୍ ଏଜୁକେସନ୍ (ସିଏମ୍ଇ) କାର୍ଯ୍ୟକ୍ରମ ଗତ ବୁଧବାର ଦିନ ହାଇବ୍ରିଡ୍ ମୋଡ୍ରେ ଆୟୋଜିତ ହୋଇଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଡାକ୍ତର ଓ ବିଶେଷଜ୍ଞ ଏଥିରେ ଯୋଗ ଦେଇଥିଲେ । ସିଏମ୍ଇରେ ଯୋଗ ଦେଇଥିବା ବିଶେଷଜ୍ଞମାନେ ମୁଖ୍ୟତଃ ଆଡ୍ଭାନ୍ସଡ ମଲିକ୍ୟୁଲାର ଟେଷ୍ଟ ସମେତ ପଲିମେରାସ ଚେନ୍ ରିଆକ୍ସନ୍ (ପିସିଆର୍), ଫ୍ଲୁରୋସେନ୍ସ ଇନ୍ ସିଟୁ ହାଇବ୍ରିଡାଇଜେସନ୍ (ଫିସ୍) ସାଇଟୋଜେନେଟିକ୍ସ, ସାଙ୍ଗେର ସିକ୍ୱେନ୍ସିଂ ଏବଂ ନେକ୍ସଟ ଜେନେରେସନ୍ ସିକ୍ୱେନ୍ସିଂ (ଏନ୍ଜିଏସ୍) ଭଳି ପ୍ରକ୍ରିୟା ଯାହାକି ହେମାଟୋଲୋଜି, ଅଙ୍କୋଲୋଜି ଏବଂ ଅନ୍ୟାନ୍ୟ ରୋଗ କ୍ଷେତ୍ରରେ ରୋଗୀ ସେବାର ମେରୁଦଣ୍ଡ ପାଲଟିଛି ସେ ସମ୍ପର୍କରେ ଆଲୋଚନା କରିଥିଲେ ।କର୍କଟ ରୋଗର ପରୀକ୍ଷଣ, ପୂର୍ବାନୁମାନ ଏବଂ ଚିକିତ୍ସା ବିଷୟରେ ନିଷ୍ପତି ନେବା ଦିଗରେ ମଲିକ୍ୟୁଲାର ହେମାଟୋଲଜି ଅନେକ ସହାୟକ ହେଉଛି ବୋଲି ହେମାଟୋଲୋଜି ରିସର୍ଚ୍ଚ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ପ୍ରଫେସର (ଡାକ୍ତର) ହରପ୍ରସାଦ ପତି ଏହି ସିଏମ୍ଇରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଥିଲେ । ଓଡ଼ିଶାର ପ୍ରାୟ ସମସ୍ତ ହସ୍ପିଟାଲ୍ ଏବଂ ଲ୍ୟାବ ଏହି ପରୀକ୍ଷା ନିମନ୍ତେ ଓଡ଼ିଶା ବାହାରର ଲ୍ୟାବରେ ସହାୟତା ନିଆଯାଉଥିବା ବେଳେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ହେଉଛି ରାଜ୍ୟର ପ୍ରଥମ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ଯେଉଁଠାରେ କି ଏନ୍ଜିଏସ୍ ପରୀକ୍ଷଣ ସୁବିଧା ବର୍ତମାନ ଉପଲବ୍ଧ ଅଟେ । ମଲିକ୍ୟୁଲାର ଏବଂ ଜେନୋମିକ୍ସ ପରୀକ୍ଷଣ ଖୁବ୍ ଜଟିଳ ଏବଂ ଏଥିପାଇଁ କେବଳ ଅତ୍ୟାଧୁନିକ ଲାବୋରେଟୋରୀ ବ୍ୟବସ୍ଥା ନୁହେଁ ବରଂ ସ୍ୱତନ୍ତ୍ର ବୈଷୟିକ ଜ୍ଞାନକୌଶଳ ସମ୍ପନ୍ନ ବ୍ୟକ୍ତିବିଶେଷଙ୍କର ଆବଶ୍ୟକତା ରହିଛି । ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଯନ୍ତ୍ର ଦ୍ୱାରା ସ୍ୱାସ୍ଥ୍ୟସେବା ଏବଂ ଗବେଷଣା କ୍ଷେତ୍ରରେ ଚିକିତ୍ସା ନିମନ୍ତେ ଲାଭଜନକ ହେବ ବୋଲି ବକ୍ତାମାନେ କହିଛନ୍ତି । ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସୋଆର ଏକ ପ୍ରମୁଖ ଅଂଗ ହୋଇଥିବା ବେଳେ ଏହାର ମେଡିକାଲ୍ କଲେଜର ଏକାଡେମିକ ବ୍ୟବସ୍ଥା ଖୁବ୍ ଉନ୍ନତ ଯାହାର ସୁବିଧା ଜନସାଧାରଣ ଅନେକ ମାତ୍ରାରେ ପାଇପାରୁଛନ୍ତି । ଆୟୋଜିତ ସିଏମ୍ଇ ହେଉଛି ଏହି ଶିକ୍ଷାନୁଷ୍ଠାନର ଶୈକ୍ଷିକ ଉତ୍କର୍ଷତାର ପ୍ରମାଣ ବୋଲି ପ୍ରଫେସର ପତି କହିଛନ୍ତି ।ଏହି ଅବସରରେ ହସ୍ପିଟାଲ୍ର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମାଇଲ ଖୁଂଟ ପାଲଟିଥିବା ଏହି ହସ୍ପିଟାଲ୍ ହେଉଛି ପ୍ରଥମ ଅନୁଷ୍ଠାନ ଯେଉଁଠାରେ କି ଚିମେରିକ ଆଂଟିଜେନ୍ ରିସେପ୍ଟର-ଟି ସେଲ (କାର-ଟି ସେଲ) ଥେରାପି ବ୍ୟବହାର କରି ଜଣେ ଯୁବ ରକ୍ତକର୍କଟ ରୋଗୀଙ୍କର ସଫଳ ଚିକିତ୍ସା ହୋଇପାରିଛି । ହସ୍ପିଟାଲରେ ଏପର୍ଯ୍ୟନ୍ତ ୭୦ ରୁ ଊର୍ଦ୍ଧ୍ୱ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଂଟେସନ୍ (ବିଏମ୍ଟି) ସଫଳତାର ସହ ହୋଇପାରିଛି ବୋଲି ସେ କହିଥିଲେ । ହସ୍ପିଟାଲ୍ର କ୍ଲିନିକାଲ୍ ହେମାଟୋଲୋଜିର ମୁଖ୍ୟ ଡାକ୍ତର ପ୍ରିୟଙ୍କା ସାମଲ କହିଥିଲେ ଯେ ସଂପୃକ୍ତ ରୋଗୀଙ୍କୁ କାର-ଟି ସେଲ୍ ଚିକିତ୍ସା ଉପଲବ୍ଧ କରିବା କ୍ଷେତ୍ରରେ ହସ୍ପିଟାଲ୍ର ସମସ୍ତ ବିଭାଗର ସହଯୋଗ ମିଳିଥିଲା । ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପ୍ରତ୍ୟେକ ଦିନ ଆମକୁ କିଛି କିଛି ନୂତନ ଶିକ୍ଷା ମିଳୁଛି ବୋଲି ସେ କହିଥିଲେ । ହସ୍ପିଟାଲ୍ର ମଲିକ୍ୟୁଲାର ଜେନୋମିକ୍ସର ଲ୍ୟାବ୍ର ମୁଖ୍ୟ ଡାକ୍ତର ଶିଭାଙ୍ଗୀ ହାରନ୍ଖେଡକର ଏହି କାର୍ଯ୍ୟକ୍ରମର ସଂପାଦକ ଥିଲେ । ସିଏମ୍ଇରେ ହସ୍ପିଟାଲର ଲାବୋରେଟୋରୀର ନିର୍ଦ୍ଦେଶକ ପ୍ରଫେସର (ଡାକ୍ତର) ରାଜଶ୍ରୀ ପାଣିଗ୍ରାହୀ, ମେଡିକାଲ୍ ଅଙ୍କୋଲୋଜିର ମୁଖ୍ୟ ପ୍ରଫେସର (ଡାକ୍ତର) ସୌମ୍ୟ ସୁରଥ ପଣ୍ଡା, ପାଥୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଦେବାହୁତି ମହାପାତ୍ର, ଲ୍ୟାବ ହେମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଭୋଳ ଏବଂ ବିଭିନ୍ନ ବିଭାଗର ଫ୍ୟାକଲ୍ଟିମାନେ ଯୋଗ ଦେଇଥିଲେ ।
ନେତା ସେ ଏମିତି କ୍ଷମତାରେ ଥିଲେ ଯେମିତି, ନଥିଲେ ସେମିତି …..
()ଦାୟିତ୍ବ ଭୂଲି ନାହାନ୍ତି ନେତା। ଶାସନରେ ଥିଲା ବେଳେ ଯେମିତି ତତପର ଓ କର୍ମଠ। କ୍ଷମତାରେ ନଥାଇ ବି ସମାନ ମନୋଭାବ। ଲକ୍ଷ୍ୟ ଜନସେବା ।ବାତ୍ୟା ଦାନାକୁ ନେଇ ପୂର୍ବାନୁମାନ ଓ ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ଲାଗି ଲୋକଙ୍କ ସହାୟତା କରିବା ପାଇଁ ଦଳର ସୁପ୍ରିମୋ ଆହ୍ବାନ ଦେବା ପରେ ଗ୍ରାଉଣ୍ଡକୁ ଓହ୍ଲାଇପଡ଼ିଲେ ବିଜେଡ଼ି ନେତାମାନେ । ବରିଷ୍ଠ ବିଜେଡ଼ି ନେତା ତଥା ବିଜେଡ଼ିର ଦୃଢ ସଂଗଠକ ପ୍ରଣବ ପ୍ରକାଶ ଦାସ (ବବି) ବାତ୍ୟା ପ୍ରଭାବିତ ଅଂଚଳକୁ ବାହାରିପଡ଼ିଲେ । ବିଶେଷକରି ବାତ୍ୟା ଦାନାର ଅଧିକ ପ୍ରଭାବିତ ଜିଲ୍ଲା ଭଦ୍ରକ , ବାଲେଶ୍ବର ବାତ୍ୟାଞ୍ଚଳ ଓ ବାତ୍ୟା ଆଶ୍ର୍ରସ୍ଥଳ ଗୁଡ଼ିକରେ ଲୋକଙ୍କ ସମସ୍ୟା ବୁଝିବାରେ ଲାଗିପଡ଼ିଲେ । ଦଳୀୟ କର୍ମୀ , ନେତାଙ୍କୁ ଏକାଠି କରି ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଅଣ୍ଟା ଭିଡ଼ିଲେ ପ୍ରଣବ। ଜିଲ୍ଲାକୁ ଜିଲ୍ଲା ତୋଫାନି ଗସ୍ତ କରି ବିଜେଡ଼ିର ନିର୍ବାଚିତ ନେତା , କର୍ମୀ ମାନଙ୍କୁ ଏକାଠି କରି ଲୋକଙ୍କ ସମସ୍ୟା ବୁଝିବା ସହ ଏହାର ସମାଧାନ ପାଇଁ ଚେଷ୍ଟା କଲେ । ବାତ୍ୟା ପୂର୍ବରୁ ଲୋକଙ୍କ ନିରାପଦ ସ୍ଥାନକୁ ନେବା ଓ ରିଲିଫ କାର୍ଯ୍ୟରେ ବିଜେଡ଼ି ନେତା ଓ କର୍ମୀ କିପରି ଅଧିକରୁ ଅଧିକ ସାମିଲ ହେବେ ତାକୁ ନେଇ କର୍ମୀ ଓ ନେତାଙ୍କ ସହ ଘନଘନ ବୈଠକ କରିଥିଲେ।
ଭଦ୍ରକର ଭଣ୍ଡାରୀପୋଖରୀ, ଧାମନଗର, ଚାନ୍ଦବାଲି, ବାସୁଦେବପୁର, ଧାମରା କେନ୍ଦ୍ରପଡ଼ାର ରାଜନଗର , ବାଲେଶ୍ବରର ରେମୁଣା, ଜଳେଶ୍ବର ଓୌପଦା ,ସିମୁଳିଆ, ଆଦି ଅଚଂଚଳରେ ବିଜେଡ଼ି ନେତାଙ୍କ ସହ ମିଶି ଜନସେବାରେ ଲାଗିପଡ଼ିଥିଲେ। ବାତ୍ୟା ଉପକୂଳରେ ହେବାକୁ ଯାଉଥିବା ଖବର ଯେମିତି ବିଜେଡ଼ି ପାଇଁ ଆହ୍ବାନ ଥିଲା। ୨୪ ବର୍ଷର ଶାସନ କାଳରେ ବାତ୍ୟାକୁ ଯେମିତି ନବୀନଙ୍କ ନେତୃତ୍ବରେ ମୁକାବିଲା କରାଯାଇଥିଲା ଠିକ ସେହି ଢାଞ୍ଚାରେ ଲୋକଙ୍କ ପାଖକୁ ଯାଇ କାମ କରିବାରେ ଲାଗିଥିଲେ ବିଜେଡ଼ି ନେତା। ଯେଉଁଠି ସମସ୍ୟା ଦେଖିଥିଲେ ସେଠାରେ ତୁରନ୍ତ ପ୍ରଶାସନକୁ ଅବଗତ କରାଇ ସମସ୍ୟାର ସମାଧାନ କରିବାକୁ ବାଟ କାଢିଥିଲେ।
ପୂର୍ବ ଅଭିଜ୍ଞତାକୁ କାମରେ ଲଗାଇ ଲୋକଙ୍କ ବୁଝାସୁଝା କରିବା ସହ ଆବଶ୍ୟକ ସହାୟତା ବି ନିଜନିଜ ସ୍ତରରେ ଯୋଗାଇ ଦେଇଥିଲେ। ୧୯୯୯ ମହାବାତ୍ୟା ପରେ ବିଜେଡ଼ି ଶାସନକୁ ଆସିଲା। ନବୀନ ବାତ୍ୟାକୁ ନେଇ ଓଡ଼ିଶାବାସୀଙ୍କ ମନରେ ଥିବା ଭୟ ଦୂର କରି ସାହସ ଜୁଟାଇଥିଲେ । ୨୪ ବର୍ଷ ଭିତରେ ଫାଇଲିନ, ହୁଡ଼ହୁଡ଼ , ତିତିଲି ଠାରୁ ଆରମ୍ଭ କରି ଫନି ଯାଏ ବଡ଼ବଡ଼ ବାତ୍ୟାକୁ ସଫଳତାର ସହ ମୁକାବିଲା କରିଥଲେ ନବୀନ। ସରକାରୀ ସ୍ତରରୁ ଆରମ୍ଭ କରି ଦଳୀୟ କର୍ମକର୍ତ୍ତା ଯାଏ ସଭିଁଙ୍କୁ ସାଙ୍ଗରେ ନେଇ ସମସ୍ତ ବାତ୍ୟାକୁ ସଠିକ ମୁକାବିଲା କରିଥିଲେ।
ଆଜି ବିଜେଡ଼ି ସରକାରରେ ନାହିଁ। ନିଜ ପରିବାର ସଦସ୍ୟ ଅର୍ଥାତ ସାଢେ ଚାରିକୋଟି ଓଡ଼ିଆଙ୍କ ବିପଦ ସମୟରେ କାନ୍ଧରେ କାନ୍ଧ ମିଶାଇ ବାତ୍ୟା ଦାନାକୁ ମୁକାବିଲା କରିଛନ୍ତି ବିଜେଡ଼ି ନେତାଏ। ଏବେ ସମସ୍ତଙ୍କ ମହିଁରେ ଗୋଟିଏ କଥା କ୍ଷମତାରେ ଥିବା ବେଳେ ବିଜେଡ଼ି ଯେମିତି , କ୍ଷମତାର ନଥିଲେ ବି ସେମିତି ।
ଭୟ କରନ୍ତୁ ନାହିଁ : ନବୀନ ପଟ୍ଟନାୟକ
()ବାତ୍ୟା ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କ ଉଦ୍ଦେଶ୍ୟ ରେ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ ବାତ୍ୟା ଆସୁଥିବା ଖବର ପାଇ ଆମେ ସମସ୍ତେ ଚିନ୍ତିତ.ପୂର୍ବରୁ ଆମେ ସମସ୍ତେ ମିଶି ସଫଳତା ସହ ଅନେକ ବାତ୍ୟା ର ମୁକାବିଲା କରିଛେ.ଆମର ଏକ ବହୁତ effective disaster management policy ଅଛି.ତେଣୁ ଆପଣମାନଙ୍କୁ ମୋର ଅନୁରୋଧ ବାତ୍ୟା ପାଇଁ ଆପଣ ମାନେ ଭୟଭୀତ ହୁଅନ୍ତୁ ନାହିଁ. ସଜାଗ ରୁହନ୍ତୁ. ଜୀବନ ଅମୁଲ୍ୟ. ନିରାପଦ ରୁହନ୍ତୁ.ବାତ୍ୟା ମୁକାବିଲା ରେ ପ୍ରଶାସନ କୁ ପୁରା ସହଯୋଗ ଦିଅନ୍ତୁ.ସବୁ ନିର୍ବାଚିତ ପ୍ରତିନିଧି ମାନଙ୍କୁ ମୋର ଅନୁରୋଧ ଆପଣମାନେ ଏ ବିପଦ ସମୟରେ ଲୋକଙ୍କ ସହ ରୁହନ୍ତୁ.ଲୋକଙ୍କୁ ସାହାଯ୍ୟ କରନ୍ତୁ.ମୋର ଦୃଢ଼ ବିଶ୍ୱାସ ଆମେ ସମସ୍ତେ ଏକାଠି ପୂର୍ବ ପରି ବାତ୍ୟା ଦାନାର ସଫଳ ମୁକାବିଲା କରିପାରିବା .
ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ, ସୁରକ୍ଷିତ ରୁହନ୍ତୁ, ସତର୍କ ରୁହନ୍ତୁ- ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ସେଠାରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଗଣମାଧ୍ୟମ ନିକଟରେ ନିଜର ବିବୃତି ରଖି, ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କୌଣସି ପରିସ୍ଥିତିରେ ଭୟଭୀତ ବା ଆତଙ୍କିତ ନ ହେବାକୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ‘You are in Safe Hands’ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବିପଦ ଟଳିବା ପର୍ଯ୍ୟନ୍ତ ସମସ୍ତେ ସୁରକ୍ଷିତ ଓ ସତର୍କ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ। ପରିସ୍ଥିତିକୁ ତଦାରଖ କରିବା ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ସମସ୍ତେ କ୍ୟାବିନେଟ ବୈଠକ ପରେ ଜିଲ୍ଲାଗସ୍ତରେ ଯାଇଛନ୍ତି। ଏହା ସହିତ ଅଭିଜ୍ଞତା ସମ୍ପନ୍ନ ଅଧିକାରୀମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ଯେଉଁ ସବୁ ଜିଲ୍ଲାରେ ବାତ୍ୟାର ସମ୍ଭାବନା ଅଛି, ସେ ସବୁ ଜିଲ୍ଲାରେ ବିପଦଶଙ୍କୁଳ ଅଞ୍ଚଳରୁ ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି। ବର୍ତ୍ତମାନ ସୁଦ୍ଧା ବିପଦଶଙ୍କୁଳ ଅଞ୍ଚଳରୁ ୩୦ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତର କରାଯାଇସାରିଛି। ରାତି ସାରା ସ୍ଥାନାନ୍ତର କାର୍ଯ୍ୟ ଚାଲିବ ଏବଂ ଆସନ୍ତା କାଲି ସକାଳ ୧୧ଟା ସୁଦ୍ଧା ୯୦ ପ୍ରତିଶତ ସ୍ଥାନାନ୍ତର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ସହ ରନ୍ଧା ଖାଦ୍ୟ ଓ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କଟକ ଓ ପୁରୀ ଜିଲ୍ଲା ଅଧିକ ପ୍ରଭାବିତ ହେବାର ସମ୍ଭାବନା ଥିବାବେଳେ, ଯଦି ଗତିପଥ ବଦଳେ, ତେବେ ଅନ୍ୟାନ୍ୟ ଜିଲ୍ଲା ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି । ସେଥିପାଇଁ ସରକାର ମଧ୍ୟ ପ୍ରସ୍ତୁତ ରହିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବମାନେ ଉପସ୍ଥିତ ଥିଲେ। ବାତ୍ୟା ସମ୍ଭାବନା ଥିବା ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ (Emergency Control Room) ପରିଦର୍ଶନ କରି ସେଠାରେ ବିଭିନ୍ନ ସାଟେଲାଇଟ ସୂଚନା ସମ୍ପର୍କରେ ଅବଗତ ହୋଇଥିଲେ ଏବଂ ଜରୁରୀକାଳୀନ ଯୋଗାଯୋଗ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ।
ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ନିର୍ଦ୍ଦେଶରେ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ନାମଲେଖା ଜାଲିଆତି ହେଇଛି : ଛାତ୍ର କଂଗ୍ରେସ
ଭୁବନେଶ୍ଵର : ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ୍ ପ୍ରଧାନ, ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ ଯେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ନିର୍ଦ୍ଦେଶରେ ଉତ୍କଳ ବିଶ୍ଵ ବିଦ୍ୟାଳୟରେ ନାମ ଲେଖା ଜାଲିଆତି ହୋଇଛି। ଆବେଦନକାରୀ ଛାତ୍ର ଶ୍ରୀ ବିଜୟ ସାହୁଙ୍କ ଭବିଷ୍ୟତ କେବଳ ଶିକ୍ଷାମନ୍ତ୍ରୀଙ୍କ ପାଇଁ ନଷ୍ଟ ହୋଇଯିବ। ଯାହା ଉତ୍କଳ ବିଶ୍ଵ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଠାରୁ ଖବର ମିଳୁଛି, ଏସବୁ ନାଟକର ନିର୍ଦ୍ଦେଶକ ହେଉଛନ୍ତି ନିଜେ ମନ୍ତ୍ରୀ ସୂର୍ଯ୍ୟବଂଶୀ । କିଛି ସାଧୁ କର୍ମଚାରୀ ଏହି ଦୁର୍ନୀତିକୁ ନାପସନ୍ଦ କରିବା ସହ ଗୁପ୍ତରେ ଆମକୁ ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି ।କେଉଁ କାରଣରୁ ଆବେଦନକାରୀ ମେଧାବୀ ଛାତ୍ର ଶ୍ରୀ ସାହୁଙ୍କୁ ଲାଇବ୍ରେରୀ ଆଣ୍ଡ ଇନ୍ଫରମେସନ ସାଇନ୍ସର କୋ-ଅଡ଼ିନେଟର କହିଲେ ଯେ ଚାପର ବଶବର୍ତ୍ତୀ ହୋଇ ସେ ତାଙ୍କର ଆଡ଼ମିସନ୍ କରିପାରୁନାହାନ୍ତି ? ତାଙ୍କର ସ୍ଥାନ ସାମ୍ସ ଗ୍ୟାଙ୍କରେ ୧୩ ନମ୍ବର ସ୍ଥାନରେ ଥିଲେ ବି, ୧୫ ନମ୍ବର ସ୍ଥାନରେ ଥିବା ମିତ୍ରଭାନୁ ବଳଙ୍କୁ ନାମଲେଖ ପାଇଁ ସୁଯୋଗ ଦିଆଯାଇଛି। କୋ-ଅଡ଼ିନେଟର ଶ୍ରୀ ମହାପାତ୍ର କହିଲେ ଯେ ଚାକିରୀକୁ ଭୟକରି ସେ ଅନ୍ୟାୟକୁ ଗ୍ରହଣ କରିଛନ୍ତି । ଛାତ୍ର କଂଗ୍ରେସ ପକ୍ଷରୁ ପି.ଜି. କାଉନ୍ସିଲ ଚେୟାରମ୍ୟାନ ନବନୀତା ରଥ, କୁଳପତି ସବିତା ଆଚାର୍ଯ୍ୟ, ଉଚ୍ଚଶିକ୍ଷା ସଚୀବ ଅରବିନ୍ଦ ଅଗ୍ରୱାଲ ଓ କୁଳାଧୂପତି ମାନ୍ୟବର ରାଜ୍ୟପାଳଙ୍କ ଦୃଷ୍ଟିକୁ ଏହି ସମ୍ବେଦନଶୀଳ ଘଟଣା ବାରମ୍ବାର ଆଣିଲା ପରେ ବି ଫଳ କିଛି ମିଳୁନାହିଁ । ଏହି ନୀରବତା ଉତ୍କଳ ବିଶ୍ଵବିଦ୍ୟାଳୟରେ ଘଟିତ ଦୁର୍ନୀତିକୁ ଏମାନଙ୍କର ସମର୍ଥନ ଅଛି ବୋଲି ଜଣାଉଛି। ଏତଦ୍ୱାରା ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନରେ ଶାସକ ଦଳର ଚାପ, ରାଜନେତାଙ୍କ ଧମକ ଓ ଅର୍ଥକାରବାର ମାଧ୍ୟମରେ ନାମଲେଖା ଚାଲିବ। ଏହାଫଳରେ ମେଧାବୀ ଛାତ୍ରଙ୍କ ସ୍ୱାର୍ଥ ଉପେକ୍ଷିତ ହେବ ଏବଂ ସାମ୍ସ ସଂସ୍ଥା ଏକ ଡ୍ରାମାବାଜୀରେ ପରିଣତ ହେବ। ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ମନ୍ତ୍ରୀ ନିଜ ସରକାରୀ ବାସଭବନରେ ବେଆଇନ ଆଡ଼ମିସନର ଏକ ପ୍ରକୋଷ୍ଠ ଖୋଲିଛନ୍ତି । ସେହି ପ୍ରକୋଷ୍ଠ ମାଧ୍ୟମରେ ଶାସକ ଦଳର ଅନୁଗତ ଛାତ୍ରମାନେ ଯୋଗ୍ୟତା ନଥାଇ ଯେଉଁଠି ଚାହିଁବେ ବିନା ବାଧାରେ ଆଡ଼ମିସନ କରିପାରିବେ।ଯଦି ୟୁନିଭରସିଟି ଖୋଲିବାର ୨ ଦିନ ମଧ୍ୟରେ ଏହି ଦୁର୍ନୀତିରେ ଶିକାର ହୋଇଥିବା ଶ୍ରୀ ସାହୁଙ୍କୁ ଆଡ଼ମିସନ କରାନଯାଏ, ତେବେ ଛାତ୍ର କଂଗ୍ରେସ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରାଯିବ । ବିଚ୍ ରାସ୍ତାରେ ଶିକ୍ଷା ବିଭାଗରେ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଥୁବା ଶିକ୍ଷାମନ୍ତ୍ରୀଙ୍କୁ ଅପମାନିତ କରାଯିବ।ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ଵର ଲୋକସଭା କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ୟାସିର ନୱାଜ, ମନୋଜ ବିଶ୍ଵାଳ, ଅଳେଶ ଯାଦବ, ଆଶିଷ ମହନ୍ତି, ସୌମ୍ୟ ବରାଳ, ରାଜେଶ ଦାସ, ବଳରାମ ଲେଙ୍କା, ପାର୍ଥ ସାରଥୀ ଜେନା ଓ ସନ୍ଦୀପ ଶେଖର ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।
ଲୋକଙ୍କ ପାଖରେ ବିଜେଡି….
()ବାତ୍ୟା “ଦାନା”ର ମୁକାବିଲା ପାଇଁ ପ୍ରଶାସନକୁ ସଚେତନ କରିବା ଏବଂ ପ୍ରଭାବିତ ଲୋକଙ୍କ ନିକଟରେ ତୁରନ୍ତ ପହଞ୍ଚି ବିଭିନ୍ନ ସେବା ଯୋଗାଇବା ନିମନ୍ତେ ଆଜି ବାଲେଶ୍ଵର ଜିଲ୍ଲା ସ୍ତରରେ ବିଜୁ ଜନତା ଦଳର ଏକ Response Team ଗଠନ କରାଗଲା। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ଏକ ମଡେଲ ରାଜ୍ୟରେ ପରିଣତ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ନେଇ ଦଳର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ଆସିଥିବା ବେଳେ ମୋ ସମେତ ଜିଲ୍ଲାର ସମସ୍ତ ବିଜେଡି ବିଧାୟକ ଓ ପୂର୍ବତନ ବିଧାୟକମାନେ ଏକତ୍ର ହୋଇ ବାତ୍ୟାରେ “ଜିରୋ କାଜୁଆଲିଟି ” ଲକ୍ଷ୍ୟ ହାସଲ ପାଇଁ ସଂକଳ୍ପବଦ୍ଧ ହେଲୁ । ଏହି ମର୍ମରେ ଏକ ସ୍ମାରକପତ୍ର ବାଲେଶ୍ଵର ବାତ୍ୟା ମୁକାବିଲା ଦାୟିତ୍ଵରେ ଥିବା ପୂର୍ବତନ ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ପ୍ରଦାନ କରାଗଲା।
ଅକ୍ଟୋବର ୨୪ ତାରିଖ ସନ୍ଧ୍ୟାରେ କେନ୍ଦ୍ରାପଡ଼ା-ଭଦ୍ରକ ଉପକୂଳ ଅତିକ୍ରମ କରିପାରେ ଘୂର୍ଣ୍ଣିବାତ୍ୟା଼ ‘ଦାନା’: ସୋଆ ସିଇସି
() ଓଡ଼ିଶା ଉପକୂଳ ମୁହାଁ ହୋଇଛି ଦାନା ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ବୁଧବାର ସକାଳେ ଏହି ଘୂର୍ଣ୍ଣିବାତ୍ୟା ପାରାଦ୍ୱୀପର ଦକ୍ଷିଣ ପୂର୍ବରେ ୫୩୦ କିମି ଦୂରରେ ଥିôବାବେଳେ ଏହା ଉତର ପଶ୍ଚିମ ଦିଗରେ ଗତି କରୁଛି । ଗୁରୁବାର ଅପରାହ୍ନ କିମ୍ବା ସନ୍ଧ୍ୟା ସୁଦ୍ଧା ଏହି ବାତ୍ୟା କେନ୍ଦ୍ରାପଡ଼ା-ଭଦ୍ରକ ଉପକୂଳରେ ରାଜନଗର ନିକଟରେ ଅତିକ୍ରମ କରିବ ବୋଲି ସିଇସି ପକ୍ଷରୁ ଏକ ବୁଲେଟିନ୍ରେ କୁହାଯାଇଛି ।ଏହି ବାତ୍ୟାର ପ୍ରଭାବ ଅଧିକ ମାତ୍ରାରେ ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ଅନୁଭୂତ ହେବାର ସମ୍ଭାବନା ଥିବା ବେଳେ ଏହି ସମୟରେ ପବନର ବେଗ ଘଂଟା ପ୍ରତି ୮୦ କିମି ରହିବ । ବୁଧବାର ରାତି ୧୧ଟାରୁ ଏହିସବୁ ଜିଲ୍ଲାଗୁଡ଼ିକରେ ତୀବ୍ର ପବନ ବହିବା ଆରମ୍ଭ ହୋଇପାରେ । ପବନର ବେଗ ଗୁରୁବାର ପୂର୍ବାହ୍ନ ସୁଦ୍ଧା ଘଂଟା ପ୍ରତି ୧୦୦ ରୁ ୧୨୦ କିମି ହେବାର ସମ୍ଭାବନା ରହିଛି । ଘୂର୍ଣ୍ଣିବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁବା ସମୟରେ ଭୁବନେଶ୍ୱର ସହର ଏବଂ ଏହାର ଆଖପାଖ ଅଂଚଳରେ ପବନର ବେଗ ଘଂଟା ପ୍ରତି ୪୫ରୁ ୬୦ କିମି ରହିବାର ସମ୍ଭାବନା ଥିବା ବେଳେ ଯାଜପୁର ଏବଂ ମୟୁରଭଞ୍ଜ ଜିଲ୍ଲାଗୁଡ଼ିକରେ ୭୫ ରୁ ୯୦ କିମି ଏବଂ ଗଞ୍ଜାମ ଜିଲ୍ଲାରେ ୩୫ରୁ ୪୫ କିମି ରହିବାର ସମ୍ଭାବନା ରହିଛି । ଉପକୂଳବର୍ତୀ ଅଂଚଳରେ ବୁଧବାର ରାତିରୁ ସାମାନ୍ୟ ବର୍ଷା ହେବାର ସମ୍ଭାବନା ଥିବା ବେଳେ କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ଯାଜପୁର, ମୟୁରଭଞ୍ଜ, ଖୋର୍ଦ୍ଧା ଏବଂ ଢ଼େଙ୍କାନାଳ ଜିଲ୍ଲାଗୁଡ଼ିକରେ ଗୁରୁବାର ସକାଳୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି ।
ରାଜଧାନୀରେ ନିଆରା ଗଜଲକ୍ଷ୍ମୀ ପୂଜା….
ଦୀର୍ଘ ତିନି ଦଶନ୍ଧି ଧରି ଭୁବନେଶ୍ବର ୟୁନିଟ୍ ୩ ଠାରେ ଅନୁଷ୍ଠିତ ହୋଇଆସୁଥିବା ଗଜଲକ୍ଷ୍ମୀ ପୂଜାର ଏହା ହେଉଛି ୩୧ତମ ପୂଜା ଉତ୍ସବ | ଏଣୁ ଏହାକୁ ସହରର ଅନ୍ୟ ସମସ୍ତ ପୂଜା ଠାରୁ ନିଆରା ଢଙ୍ଗରେ ପାଳନ କରିବା ନିମନ୍ତେ ସଭିଏଁ ତତ୍ପର ହୋଇ ଉଠିଥିବା ବେଳେ ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ଓ ଜୟ ଓଡିଶାର ମିଳିତ ଆନୁକୁଲ୍ୟରେ ଭିନ୍ନ ଭିନ୍ନ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଦେଖଣାହାରୀଙ୍କୁ ବାନ୍ଧି ରଖିଥିଲା।ସାରା ଓଡିଶାରେ ପ୍ରଥମ ଥର ପାଇଁ, ମା’ ଙ୍କର ସମସ୍ତ ପୂଜାବିଧିକୁ ଅନୁସରଣ କରିବା ସହ ପୂଜା ମଣ୍ଡପରେ ମା’ ଙ୍କ ପୂଜା ସଙ୍ଗେସଙ୍ଗେ ଏକ ରକ୍ତଦାନ ଶିବିର ଆୟୋଜନ ସମାଜକୁ ଏକ ସଚେତନତାର ବାର୍ତ୍ତା ଦେବାରେ ସହାୟକ ହୋଇଛି। ଗତ ୧୭, ୧୯ ଓ ୨୧ ତିନିଦିନ ଧରି ବହୁ ସଂଖ୍ୟକ ବ୍ୟକ୍ତି ପହଂଚି ରକ୍ତଦାନ କରିଥିଲେ। ଏହିବର୍ଷ ପୂଜାର ବିଷୟବସ୍ତୁ ମହିଳା ସୁରକ୍ଷା ଓ ସଶକ୍ତିକରଣ ରହିଥିବା ବେଳେ ଏହାକୁ ଆଧାର କରି ଏକ ସୁନ୍ଦର ମୁରୁଜ ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା। ଏହାସହିତ ମା’ ଙ୍କ ଦର୍ଶନ ନିମନ୍ତେ ଆସୁଥିବା ପ୍ରତ୍ୟେକ ମହିଳା ନିଜ ନିଜ ଘରର ଲକ୍ଷ୍ମୀ ହୋଇଥିବାରୁ ତାଙ୍କୁ ମଧ୍ୟ ପୂଜା କରାଯାଇଥିଲା।ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମର ଅଂଶ କରିବା ହେଉଛି, ଜୟ ଓଡିଶାର ପ୍ରତିଷ୍ଠାତା ତଥା ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘର ମୂଖ୍ୟ ଉପଦେଷ୍ଟା ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ଉଦ୍ଦେଶ୍ୟ। ପୂଜାର ପ୍ରତି ସନ୍ଧ୍ୟାରେ ବିଭିନ୍ନ ନିଆରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେପରିକି, ଗୋଟିଏ ଦିନ ସାଂସ୍କୃତିକ ସନ୍ଧ୍ୟାରେ ବିଭିନ୍ନ ମହିଳା ସଂଗଠନ ଦ୍ଵାରା ସଙ୍କୀର୍ତନ, ସଙ୍ଗୀତ କାର୍ଯ୍ୟକ୍ରମ ଦର୍ଶକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବ ଜାଗରଣ କରିଥିଲା। ସେହିଦିନ ମହିଳାମାନଙ୍କ ସୁରକ୍ଷା ନିମନ୍ତେ ‘ହର’ ଟିମ୍ ଦ୍ଵାରା ଏକ ତାଲିମ୍ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ପ୍ରତିଦିନ ୫ ଜଣ ମହିଳାଙ୍କୁ “ଶକ୍ତି ସମ୍ମାନ” ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମର ଅନ୍ୟ ଏକ ସନ୍ଧ୍ୟା ବିଶେଷ ଭାବେ ବରିଷ୍ଠ ନାଗରିକମାନଙ୍କ ପାଇଁ ଉଦ୍ଧିଷ୍ଟ ଥିଲା। ସେହିଦିନ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ନିମନ୍ତେ କମିଶନରେଟ ପୁଲିସ ଦ୍ଵାରା ଏକ “ସାଇବର କ୍ରାଇମ ଟକ୍” ଆୟୋଜନ କରାଯାଇଥିଲା ଓ ଲାଫଟର ବ୍ୟାୟାମ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ଅକ୍ଟୋବର ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ସହ ପ୍ରତ୍ୟେକ ସନ୍ଧ୍ୟା ୬ଟାରୁ ୧୦ଟା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ମନୋରଞ୍ଜନ ମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେବା ସହ ରାଜଧାନୀ ବାସୀ ଗଜଲକ୍ଷ୍ମୀ ମା’ ଙ୍କ ଆଶିର୍ବାଦ ଲାଭ କରିଥିଲେ ।