ଶୈଳବାଳା ମହିଳା କଲେଜର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସୋଆରେ ବିଶେଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ଠାରେ ବିଶ୍ୱବିଦ୍ୟାଳୟ ପକ୍ଷରୁ କଟକସ୍ଥିତ ଶୈଳବାଳା ମହିଳା ସ୍ୱୟଂଚାଳିତ ମହାବିଦ୍ୟାଳୟର ଗୃହ ବିଭାଗ ସ୍ନାତକୋତର ଛାତ୍ରୀମାନଙ୍କ ପାଇଁ ନଭେମ୍ବର ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ହୋଟେଲ ଅପରେସନ ଉପରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ଆଜିର ଯୁବପିଢିକୁ ହୋଟେଲ ଶିଳ୍ପ ର ଚାରିଟି ପ୍ରମୁଖ ବିଭାଗ ଯଥା ଫ୍ରଂଟ ଅଫିସ, ହାଉସ୍ କିପିଙ୍ଗ୍‌, ଫୁଡ୍ ଆଣ୍ଡ ବେଭେରେଜ୍ ସର୍ଭିସ୍ ଓ ପ୍ରଡକ୍ସନ ଉପରେ ପ୍ରଶିକ୍ଷିତ କରାଇ ସେମାନଙ୍କର ଦୃଷ୍ଟିକୋଣ, ଦକ୍ଷତା ଓ ଜ୍ଞାନ ବଢାଇବା ପାଇଁ ଅବସର ପ୍ରଦାନ କରିବା ଏବଂ ଏହି ସଂପୂର୍ଣ୍ଣ କାର୍ଯ୍ୟକ୍ର୍ରମ ମାଧ୍ୟମରେ ସେମାନଙ୍କୁ ଆବଶ୍ୟକୀୟ ଦକ୍ଷତା ଏବଂ କ୍ଷମତା ପ୍ରଦାନ କରିବା । ଏହି କାର୍ଯ୍ୟକ୍ରମରେ ଗ୍ର୍ରାହକ ସେବା, ଯୋଗାଯୋଗ, ସମସ୍ୟା ସମାଧାନ ଏବଂ ସଂଚାଳନ ଭଳି ଅନ୍ୟାନ୍ୟ କ୍ଷେତ୍ର ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଇଥିଲା ।ଏହି ସଂପୂର୍ଣ୍ଣ କାର୍ଯ୍ୟକ୍ରମରେ ପେଶାଦାର ଓ ପ୍ରବୀଣ ବ୍ୟକ୍ତି ବିଶେଷଙ୍କ ତତ୍ୱାବଧାନରେ ଆତିଥ୍ୟ ଓ ପର୍ଯ୍ୟଟନ ଶିଳ୍ପ ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା । ଏଥିରେ ଶୈଳବାଳା ମହିଳା ମହାବିଦ୍ୟାଳୟର ୪୩ ଜଣ ଛାତ୍ରୀ ଓ କିଛି ଅଧ୍ୟାପିକା ଅଂଶ ଗ୍ରହଣ କରିଥିଲେ ।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ର୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ଉପସ୍ଥିତ ରହି ଛାତ୍ରୀମାନଙ୍କର ଜୀବନରେ ଏହି ପ୍ରଶିକ୍ଷଣର ଉପାଦେୟତା ଓ ଗୁରୁତ୍ୱକୁ ବ୍ୟାଖ୍ୟା କରିଥିଲେ ଏବଂ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ ।

ଦକ୍ଷିଣ ଏସିଆ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗସ୍‌-୨୦୨୫ରେ ସମ୍ମାନଜନକ ସ୍ଥାନରେ ସୋଆ*

ଭୁବନେଶ୍ୱର , ୯/୧୧: ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌-୨୦୨୫ (ଅଂଚଳ ଭିତିକ) ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦକ୍ଷିଣ ଏସିଆ ଏବଂ ଏସିଆ ୟୁନିଭର୍ସିଟି ର‌୍ୟାଙ୍କିଂରେ ମହତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି । ଦକ୍ଷିଣ ଏସିଆ ନିମନ୍ତେ ଏସିଆ ୟୁନିଭର୍ସିଟି ର‌୍ୟାଙ୍କିଂରେ ସୋଆ ୨୦୨୪ରେ ୧୪୩ ତମ ସ୍ଥାନ ହାସଲ କରିଥିବା ବେଳେ ୨୦୨୫ରେ ୬୪ ତମ ସ୍ଥାନରେ ପହଂଚିଛି । ସେହିପରି ଏସିଆ ୟୁନିଭର୍ସିଟି ର‌୍ୟାଙ୍କିରେ ୨୦୨୪ରେ ସୋଆ ୫୦୧-୫୫୦ ବ୍ରାକେଟରେ ଥିବାବେଳେ ୨୦୨୫ରେ ଏଥିରେ ଉନ୍ନତି ହୋଇ ୨୭୮ ସ୍ଥାନରେ ପହଂଚିଛି ସୋଆ ।କ୍ୟୁଏସ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଂରେ ୨୦୨୪ରେ ସୋଆ ୧୨୦୧-୧୪୦୦ ବ୍ରାକେଟରେ ଥିବାବେଳେ ନିକଟରେ ପ୍ରକାଶ ପାଇଥିବା ତାଲିକାରେ ଏହି ସ୍ଥିତିକୁ ବଜାୟ ରଖିଛି । ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର‌୍ୟାଙ୍କିଂ ଫ୍ରେମ୍‌ୱାର୍କ (ଏନଆଇଆରଏଫ) ର‌୍ୟାଙ୍କିଂ ୨୦୨୪ ରେ ସୋଆ ଦେଶରେ ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ର‌୍ୟାଙ୍କ ପାଇଥିଲା। ୨୦୧୬ ରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ଏନଆଇଆରଏଫ ର‌୍ୟାଙ୍କିଂରେ ପ୍ରତିଥର ଦେଶର ଶ୍ରେଷ୍ଠ ୨୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜକୁ ସ୍ଥାନୀତ କରିପାରିଛି ସୋଆ ।

ଓଡିଶାରେ ଅନେକ ପୁରୁଣା, ନିଷ୍କ୍ରିୟ ଓ ଅପ୍ରାସଙ୍ଗିକ ଆଇନକୁ ରଦ୍ଦ କରାଯିବ — ମୁଖ୍ୟମନ୍ତ୍ରୀ

()ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କନ୍‌ଭେନ୍‌ସନ ସେଣ୍ଟର ଠାରେ ଆୟୋଜିତ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତା ଜାଗୃତିକରଣ(Sensitization) କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ, ଓଡିଶାରେ ଅନେକ ପୁରୁଣା, ନିଷ୍କ୍ରିୟ ଓ ଅପ୍ରାସଙ୍ଗିକ ଆଇନକୁ ଚିହ୍ନଟ କରାଯାଇ ରଦ୍ଦ କରାଯିବ। ଏ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ନାଗରିକ ସମାଜ (Civil Society)ର ପ୍ରତିନିଧି, ମହିଳା ଓ ଶିଶୁ ବିକାଶ କର୍ମୀ, ସୂଚନା ଅଧିକାର କର୍ମୀ, ପାରା-ଲିଗାଲ ଆକ୍ଟିଭିଷ୍ଟ, ଯୌନଶୋଷଣ ସୁରକ୍ଷା କର୍ମୀ, ଆଇନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅନ୍ୟ ବିଭିନ୍ନ ବର୍ଗର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏହି ଦୁଇ ଯୁଗାନ୍ତକାରୀ ଆଇନର ପ୍ରଣୟନ ସମ୍ଭନ୍ଧରେ ବ୍ୟକ୍ତିଗତ ସ୍ତରରେ ତଥା ସାମାଜିକ ସ୍ତରରେ ସଚେତନତା ସୃଷ୍ଟି ପାଇଁ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭାରତ ସମ୍ବନ୍ଧରେ ଧାରଣା ଅଛି- ‘India is an over-legislated, but under implemented country’. ଆମ ଦେଶରେ ଆଇନ କାନୁନ ବହୁତ ଅଧିକ। ସେଥିରୁ ଅଧିକାଂଶ ଆଉ ପ୍ରାସଙ୍ଗିକ ନୁହେଁ। ଗତ ଦଶ ବର୍ଷରେ ମାନନୀୟ ପ୍ରଧାନମନ୍ତ୍ରୀ ୧,୫୫୦ ରୁ ବି ଅଧିକ ଅପ୍ରାସଙ୍ଗିକ ଆଇନକୁ ରଦ୍ଦ କରିସାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ନ୍ୟାୟ ପ୍ରଣାଳୀ ବା ନ୍ୟାୟ ବ୍ୟବସ୍ଥାର ମେରୁଦଣ୍ଡ ହେଉଛି ଭାରତୀୟ ସମ୍ବିଧାନ ଏବଂ ନ୍ୟାୟ ସଂହିତା। ଏହି ସଂହିତାକୁ ଆଧାର କରି ଆମ ନ୍ୟାୟ ବ୍ୟବସ୍ଥା ପରିଚାଳିତ ହୋଇଥାଏ। କିନ୍ତୁ ୧୮୬୦ ମସିହାରୁ ବ୍ରିଟିଶ ସରକାର ଯେଉଁ ସଂହିତାର ପ୍ରଣୟନ କରିଥିଲେ ତାକୁ ଆମେ ଆଜି ପର୍ଯ୍ୟନ୍ତ ପାଳନ କରୁଥିଲୁ। କିନ୍ତୁ ଭାରତ ପରି ଏକ ବିବିଧତାରେ ପରିପୂର୍ଣ୍ଣ ସମାଜରେ ୧୬୪ ବର୍ଷର ନିୟମ କେତେଦୂର ପ୍ରାସଙ୍ଗିକ ଆପଣମାନେ ଜାଣିଛନ୍ତି। ଏହା ଛଡା ଆଜିର ଦ୍ରୁତ ପରିବର୍ତ୍ତନଶୀଳ ସମାଜରେ ଏତେ ପୁରୁଣା ଆଇନ ଉଚିତ ନ୍ୟାୟ ଦେବାରେ ସଂପୂର୍ଣ୍ଣ ରୂପେ କ୍ଷମତାସମ୍ପନ୍ନ ନ ଥିଲା ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ। ତେଣୁ ଏହାର ସମୟୋପଯୋଗୀ ପରିବର୍ତ୍ତନର ଆବଶ୍ୟକତାକୁ ଉପଲବ୍ଧ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗଠିତ ସରକାର ଏହି ଦୁଇଟି ନୂତନ ଆଇନକୁ ପ୍ରବର୍ତ୍ତନ କଲେ। ଚଳିତ ବର୍ଷ ଜୁଲାଇ ୧ ତାରିଖରୁ ଏହି ତିନୋଟି ଆଇନ କାର୍ଯ୍ୟକାରୀ ହେଉଛି ବୋଲି ସେ କହିଥିଲେ। ନୂତନ ଭାବେ ପ୍ରଣିତ ଏହି ଆଇନକୁ ପୀଡିତ-କୈନ୍ଦ୍ରିକ (Victim-Centric) କରାଯାଇଛି ବୋଲି ମତ ଦେଇ ସେ କହିଲେ ଯେ, ପୂର୍ବରୁ ଏହା ଅପରାଧୀ-କୈନ୍ଦ୍ରିକ (Criminal-Centric) ଥିଲା। ଏହି ମୌଳିକ ପରିବର୍ତ୍ତନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ଵଚ୍ଛ ପ୍ରକ୍ରିୟାରେ ନିରପେକ୍ଷ ଭାବେ ତ୍ଵରିତ ନ୍ୟାୟ ପ୍ରଦାନ।  ଭାରତୀୟ ନାଗରିକ ସୁରକ୍ଷା ସଂହିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନାଗରିକଙ୍କ ମୌଳିକ ଅଧିକାରକୁ ସୁରକ୍ଷିତ କରିବା। ପୋଲିସର କାର୍ଯ୍ୟକୁ ନ୍ୟାୟ ସଙ୍ଗତ, ବିଧି ସଙ୍ଗତ କରିବା ପାଇଁ ମୂଳ ଆଇନ ଅର୍ଥାତ CrPC ରେ ଅନେକ କିଛି ପରିବର୍ତ୍ତନ କରାଯାଇଛି ବୋଲି ସେ କହିଥିଲେ। ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନୂତନ ଆଇନରେ ପୋଲିସ ପାଖରେ ଅଭିଯୋଗ ପଞ୍ଜୀକରଣ ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ରହିଛି । ଇଲେକ୍ଟ୍ରୋନିକ ମାଧ୍ୟମ ସହିତ ଜିରୋ ଏଫଆଇଆର ର ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ସେ କହିଥିଲେ। ସେହିପରି ଭାବେ ୧୫ ବର୍ଷରୁ କମ ଏବଂ ୬୦ ବର୍ଷର ବ୍ୟକ୍ତି, ଶାରୀରିକ ଓ ମାନସିକ ସ୍ତରରେ ଭିନ୍ନକ୍ଷମ ବ୍ୟକ୍ତି ତଥା ମହିଳା ଥାନାକୁ ନଯାଇ ମଧ୍ୟ ବିବୃତ୍ତି ରେକର୍ଡ କରିପାରିବାର ବ୍ୟବସ୍ଥା, ପୋକସୋ ଆଇନରେ ୬୦ ଦିନ ମଧ୍ୟରେ ଫଇସଲାର ପ୍ରାବଧାନ, ସାଇବର କ୍ରାଇମ, ଅର୍ଗାନାଇଜ୍‌ଡ କ୍ରାଇମ ଆଦି ବିଷୟରେ ଏହି ନୂତନ ସଂହିତାରେ ପ୍ରାବଧାନ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବିଭିନ୍ନ ପ୍ରକାରର ଛୋଟ ଛୋଟ ଅପରାଧ ପାଇଁ ଜେଲ କିମ୍ବା ଜୋରିମାନା ବଦଳରେ ସେମାନଙ୍କୁ ଗୋଷ୍ଠୀ ସେବା (Community Service) କରିବା ପାଇଁ ବ୍ୟବସ୍ଥା ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ଦ୍ୱାରା ଜେଲ ଗୁଡିକରୁ ଅତ୍ୟଧିକ ଭିଡ କମିବା ସହିତ ଛୋଟ ଛୋଟ ଅପରାଧ ପାଇଁ ଜଣେ ବ୍ୟକ୍ତିକୁ ଅନ୍ୟ ବଡ ଅପରାଧୀଭାବେ ବିଚାର ନ କରି ପରିବର୍ତ୍ତନ କରିବା ପାଇଁ ସୁଯୋଗ ମିଳିପାରିବ। ଏହା ନିଶ୍ଚିତ ଭାବେ ଅନେକ ଯୁବ ବର୍ଗଙ୍କୁ, ବେଶେଷ ଭାବେ ଯେଉଁମାନେ ପେଷାଦାର ଅପରାଧୀ ନୁହନ୍ତି, ତାଙ୍କୁ ମୁଖ୍ୟ ଧାରାରେ ପ୍ରତ୍ୟବାର୍ତ୍ତନ କରିବା ପାଇଁ ସୁଯୋଗ ମିଳିବ ସେ କହିଥିଲେ। ମବ୍-ଲିଞ୍ଚିଙ୍ଗ, ସଂଗଠିତ ଅପରାଧ, ରାହାଜାନି, ରାଜଦ୍ରୋହ ଆଦି କ୍ଷେତ୍ରରେ ନୂଆ ଆଇନରେ ଥିବା ବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ।ଓଡିଶାରେ ପୂର୍ବ ସରକାରରେ ଆଇନର ଶାସନ କାର୍ଯ୍ୟକାରୀ କରିବାକୁ ଇଚ୍ଛା ଶକ୍ତିର ଅଭାବ ଥିଲା ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଆମ ଦେଶରେ ବିଭିନ୍ନ ଅପରାଧକୁ ସମାଧାନ କରିବା ପାଇଁ ଆଇନର ଅଭାବ ନାହିଁ, ଯଦି ଅଭାବ ଅଛି ସେଇଟା ହେଉଛି କାର୍ଯ୍ୟକାରୀ କରିବାରେ ଢିଲା ମନଭାବ। ଉଦାହରଣ ଦେଇ ସେ କହିଲେ ଯେ ମହିଳା ହିଂସା ସମ୍ପର୍କିତ ମୋକଦମାର ଦଣ୍ଡ ବିଧାନ ହାର ଅଛି single digit ରେ। ୨୦୨୨ ସୁଦ୍ଧା NCRB ତଥ୍ୟ ଅନୁସାରେ ଏହି ହାର କେବଳ ୯.୩ ପ୍ରତିଶତ ଯାହା ଲଜ୍ୟା ଜନକ। ପୂର୍ବ ସରକାର ପ୍ରତିଦିନ ମହିଳା ସଶକ୍ତିକରଣ କଥା କହୁଥିଲେ। ଏହା କି ପ୍ରକାର ମହିଳା ସଶକ୍ତି କରଣ, ବୁଝିବାର ଶକ୍ତି ବାହାରେ ବୋଲି ସେ କହିଥିଲେ। ସେ କହିଥିଲେ ଯେ, ଉତ୍ତର ପ୍ରଦେଶରେ ଦଣ୍ଡ ବିଧାନ ହାର ହେଉଛି ୭୦.୮ ପ୍ରତିଶତ, ମିଜୋରମରେ ହେଉଛି ୬୮ ପ୍ରତିଶତ ଏବଂ ବିହାରରେ ହେଉଛି ୬୦.୯ ପ୍ରତିଶତ। ଆଉ ଗୋଟିଏ ଉଲ୍ଲେଖଯୋଗ୍ୟ ତଥ୍ୟ ହେଉଛି ବର୍ତ୍ତମାନ ଉତ୍ତର ପ୍ରଦେଶରେ ମହିଳା ନିର୍ଯ୍ୟାତନା ଘଟଣାର dispose off ହାର ହେଉଛି ୯୮ ପ୍ରତିଶତରୁ ବି ଅଧିକ। ମୋର କହିବାର ତାତ୍ପର୍ଯ୍ୟ ହେଉଛି ଓଡିଶାର ଏହି ଲଜ୍ୟା ଜନକ ପରିସ୍ଥିତି ପାଇଁ କେବଳ ଦୁଇଟି କାରଣ, ପ୍ରଥମଟି ହେଉଛି ଖାମଖିଆଲି ଢଙ୍ଗରେ ତଦନ୍ତ ଏବଂ ଦ୍ଵିତୀୟଟି ହେଉଛି ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଥିଲା। ସେ କହିଥିଲେ, “କିନ୍ତୁ, ବର୍ତ୍ତମାନ ଏ ସବୁ ଚାଲିବ ନାହିଁ। ମୁଁ ବିଧାନ ସଭାରୁ କହିଥିଲି ଯେ ଅପରାଧୀ ସୁଧୁରି ଯାଅନ୍ତୁ, ନ ହେଲେ ସୁଧାରିବା ପାଇଁ ସରକାରଙ୍କ ପାଖରେ ବହୁତ ବାଟ ଅଛି। ମୁଁ ଗତ ଜିଲ୍ଲାପାଳ ଏବଂ ପୋଲିସ ସମ୍ମିଳନୀରେ କହିଥିଲି ଯେ ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେସନ, ଥାନା ଏବଂ ବିଚାରାଳୟରେ ଲମ୍ବିତ ଥିବା ମହିଳା ହିଂସା ସମ୍ବନ୍ଧୀୟ ସବୁ କେସକୁ ତର୍ଜମା କରାଯାଇ ଦଣ୍ଡ ବିଧାନ କରିବା ପାଇଁ ପଦକ୍ଷେପ ନିଆଯାଉ। ମାନ୍ୟବର ଆଇନ ମନ୍ତ୍ରୀଙ୍କୁ ନିବେଦନ କରିବି ଯେ ଏହି କାମକୁ ଯୁଦ୍ଧକାଳୀନ ଭିତ୍ତିରେ ତଦାରଖ କରନ୍ତୁ ଏବଂ ଆବଶ୍ୟକ ହେଲେ ସ୍ୱତନ୍ତ୍ର କୋର୍ଟ ସ୍ଥାପନା କରିବାକୁ ପଦକ୍ଷେପ ନିଅନ୍ତୁ।” କାର୍ଯ୍ୟକ୍ରରେ ଯୋଗଦେଇ, ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ ଯେ, ବ୍ୟବସ୍ଥାର ସରଳୀକରଣ ପାଇଁ ଆଇନର ପରିବର୍ତ୍ତନ କରାଯାଇଛି। ତେବେ ସାଧାରଣ ଲୋକ ଯେତେବେଳେ ଆଇନକୁ ବୁଝି ପାରିବେ, ସେତେବେଳେ ଆଇନର ଶାସନ ପ୍ରଭାବୀ ହୋଇପାରିବ ବୋଲି ସେ ମତ ଦେଇଥିଲେ। ଆଇନର ସରଳୀକରଣ ଓ ଏହାକୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଏହି ଜାଗୃତିକରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ବୋଲି ସେ କହିଥିଲେ। ଓଡିଶାରେ ଗ୍ରାମ୍ୟ ନ୍ୟାୟାଳୟର ବ୍ୟବସ୍ଥା ଆରମ୍ଭ ହୋଇସାରିଛି ଏବଂ ଏହାକୁ ଆହୁରି ଆଗକୁ ନିଆଯିବ ବୋଲି ସେ କହିଥିଲେ । ଏହା ଦ୍ୱାରା ଗ୍ରାମ୍ୟସ୍ତରରେ ମଧ୍ୟସ୍ଥତା ଜରିଆରେ ଅନେକ ସମସ୍ୟାର ସମାଧାନ କରାଯାଇପାରିବ ବୋଲି ସେ କହିଥିଲେ।ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଲେ ଯେ, ସାଧାରଣ ଲୋକ ନ୍ୟାୟ ପାଇପାରିଲେ, ବ୍ୟବସ୍ଥା ଭଲ ଅଛି ବୋଲି କୁହାଯାଏ। ତେବେ ତୃଣମୂଳ ସ୍ତରରେ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି। ତ୍ୱରିତ ନ୍ୟାୟ ପ୍ରଦାନ ହେଉଛି ଆଇନର ଉଦ୍ଦେଶ୍ୟ। ନୂଆ ଆଇନ ଲାଗୁ ହେଲା ପରେ କେତେକ ଅପରାଧର ତ୍ୱରିତ ନ୍ୟାୟ ପ୍ରଦାନ ହୋଇପାରିଛି ବୋଲି ପ୍ରକାଶ କରି ସେ ଏହାର କେତେକ ଉଦାହରଣ ଦେଇଥିଲେ। ଏହା ଦ୍ୱାରା ଦେଶର ନ୍ୟାୟିକ ଦୃଶ୍ୟପଟ୍ଟ(Legal Landscape)ରେ ପରିବର୍ତ୍ତନ ଆସିବାର ଅୟମାରମ୍ଭ ହୋଇଛି ବୋଲି ସେ କହିଥିଲେ। ପୂର୍ବତନ ସୂଚନା କମିଶନର ତଥା ବିଶିଷ୍ଟ ସୂଚନା ଅଧିକାର ଅକ୍ଟିଭିଷ୍ଟ ଶ୍ରୀ ଜଗଦାନନ୍ଦ କହିଲେ ଯେ, ଏହା ଏକ ଐତିହାସିକ ସମ୍ମିଳନୀ। ଆଇନ ସହିତ ଲୋକଙ୍କୁ ଯୋଡିବାର ପ୍ରୟାସ ସ୍ୱାଗତଯୋଗ୍ୟ ବୋଲି ସେ କହିଥିଲେ। ସମାଜରେ ପରିବର୍ତ୍ତନ ସହିତ ସମାନୁପାତିକ ରୂପରେ ଆଇନର ପରିବର୍ତ୍ତନ ନହେଲେ ତାହା ଲୋକାଭିମୁଖୀ ହୋଇପାରିବ ନାହିଁ ବୋଲି ସେ ମତ ଦେଇଥିଲେ। ଆଇନଗୁଡିକୁ ସରଳ ଓଡିଆ ଭାଷା ସହିତ ବିଭିନ୍ନ ଆଦିବାସୀ ଭାଷାରେ ଆନୁବାଦ କରି ଏହାର ପ୍ରଚାର ପ୍ରସାର କରିବାର ଆବଶ୍ୟକତା ଅଛି ବୋଲି ସେ ମତ ଦେଇଥିଲେ।ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମାନସ ରଞ୍ଜନ ବାରିକ ସ୍ୱାଗତ ଭାଷଣ ଦେଇଥିଲେ।

ଆମର ବାର ବର୍ଷର ତପସ୍ୟା କୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରିଦେଲା: ନବୀନ ପଟ୍ଟନାୟକ 

()ଶଙ୍ଖ ଭବନ ରେ ଛାତ୍ର ମାନଙ୍କ ପାଇଁ ସ୍ୱତନ୍ତ୍ର ସଭ୍ୟ ସଂଗ୍ରହ କର୍ମଶାଳା ଓ Digital volunteer କର୍ମଶାଳା ଦଳ ସଭାପତି ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଉଦଘାଟିତ. ଏହି ଅବସରରେ ନବୀନ ପଟନାୟକ କହିଥିଲେ ଯେ ଆମର ବାର ବର୍ଷର ତପସ୍ୟା କୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରିଦେଲାl  ଗରିବ ଲୋକ ଙ୍କ ଚାଉଳ ସରକାର ବିନା କାରଣରେ ବନ୍ଦ କଲେ ତେଣୁ ସେମାନଙ୍କୁ ଆମ୍ବ ଟାକୁଆ ଖାଇବାକୁ ପଡିଲା.l ଯୁବ ଶକ୍ତି ବିଜୁ ଜନତା ଦଳ ର ଭବିଷ୍ୟତ. ବିଜେଡି ସରକାର ସମୟରେ ଛାତ୍ର ମାନଙ୍କ ପାଇଁ ଆରମ୍ଭ ହୋଇଥିବା କଲ୍ୟାଣ କାର୍ଯ୍ୟକ୍ରମ ବନ୍ଦ କରାଯିବା କୁ ନବୀନ ପଟ୍ଟନାୟକଙ୍କ ନାପସନ୍ଦ.l ଆଜି ଛାତ୍ର ମାନଙ୍କ ପାଇଁ ବିଜୁ ଜନତା ଦଳର ସ୍ୱତନ୍ତ୍ର ସଭ୍ୟ ସଂଗ୍ରହ ଅଭିଯାନ Orientation Programme କୁ ଆରମ୍ଭ କରି ମୁଁ ବହୁତ ଖୁସି। I am also happy to launch the two days digital volunteer workshop for all 30 districts. ଆନନ୍ଦର କଥା ଅକ୍ଟୋବରରୁ ଆରମ୍ଭ ହୋଇଥିବା ଆମର ସଭ୍ୟ ସଂଗହ ଅଭିଯାନ ବହୁତ ଭଲ ଚାଲିଛି । ସ୍ୱତସ୍ପୁର୍ତ୍ତ ଭାବରେ ବହୁ ଲୋକ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ସମସ୍ତଙ୍କୁ ମୁଁ ଦଳକୁ ସ୍ୱାଗତ କରୁଛି ।

ଆହୁରି ଖୁସିର କଥା ଯେ ଆମ Student Wing ଏଥିପାଇଁ ନେତୃତ୍ୱ ନେଉଛନ୍ତି । ଆମର Student ମାନେ, ଆମ ଯୁବକ ମାନେ, ହେଉଛନ୍ତି ମୋ ଦଳର ଭବିଷ୍ୟତ। ମୁଁ ସବୁବେଳେ କହି ଆସିଛି ଏବଂ ଆଜି ମଧ୍ୟ ଅନୁରୋଧ କରୁଛି ଯେ ଆପଣମାନେ Social Media ରେ ସକ୍ରିୟ ରୁହନ୍ତୁ। ବିରୋଧୀଙ୍କ ଅପପ୍ରଚାରର କଡା ଜବାବ ଦିଅନ୍ତୁ। ସଭ୍ୟ ସଂଗ୍ରହ ଅଭିଯାନ , ଗୋଟେ ରାଜନୈତିକ ଦଳ ର, ଏକ ଗୁରୁତ୍ୱପୂର୍ଣ କାର୍ଯ୍ୟକ୍ରମ। ପ୍ରତି ସଭ୍ୟ ହେଉଛନ୍ତି ଦଳର ଗୋଟିଏ ଗୋଟିଏ ସ୍ତମ୍ଭ । ଆପଣ ଜାଣନ୍ତି, ବିଜୁ ଜନତା ଦଳ ସରକାର ସମୟରେ, ବହୁତ ଭଲ କାମ ହୋଇଛି । ଆମ ସରକାରଙ୍କ ଯୋଜନା, ଅନ୍ୟ ମାନଙ୍କ ପାଇଁ, ଆଦର୍ଶ ହୋଇଛି । ଭାରତ ସରକାର ବି, ଆମର ଅନେକ ଯୋଜନା, ଗ୍ରହଣ କରିଛନ୍ତି । ଭୋଟ ବ୍ୟାଙ୍କ ସୃଷ୍ଟି କରିବା, କେବେ ବି, ଆମର ଲକ୍ଷ୍ୟ ନ ଥିଲା ।ବିଜେଡି ସରକାର ଅମଳ ରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆରମ୍ଭ ହୋଇଥିବା ବିଭିନ୍ନ ଭଲ ଭଲ ଯୋଜନା କୁ ବନ୍ଦ କରି ଦିଆଯାଇଥିବାରୁ ପିଲାମାନଙ୍କ ଭିତରେ କ୍ରୋଧ ଓ ଅସନ୍ତୋଷ ସୃଷ୍ଟି ହୋଇଛି.l ବିକାଶ ଓ କଲ୍ୟାଣ ହେଉଛି, ଆମର ଲକ୍ଷ୍ୟ । ଆମ ସରକାର ଆରମ୍ଭ କରିଥିବା ବିକାଶ ଓ କଲ୍ୟାଣ ଯୋଜନା ଲୋକଙ୍କୁ ସ୍ୱାଭିମାନର ସହ ବଞ୍ଚିବାକୁ ଶକ୍ତି ଦେଇଥିଲା । ଏବେ ବିନା କାରଣରେ ଗରିବ ଆଦିବାସୀ ଭାଈ ଭଉଣୀ ମାନଙ୍କ ଚାଉଳ କୁ ବିଜେପି ସରକାର ବନ୍ଦ କରିଦେଇଛନ୍ତି. ତେଣୁ ସେମାନଙ୍କୁ ଆମ୍ବ ଟାକୁଆ ଖାଇବାକୁ ପଡୁଛି । ବହୁତ ଦୁଃଖର କଥା ଏଥିପାଇଁ ଦୁଇଜଣ ଆଦିବାସୀ ମହିଳା ପ୍ରାଣ ହରାଇଛନ୍ତି ଓ ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି । ଆମର ବାର ବର୍ଷର ତପସ୍ୟାକୁ ଏମାନେ ଶୁଖୁଆ ପୋଡାରେ ସାରିଦେଲେ । ବିଜେଡି ସରକାର ସମୟରେ ନଫାସା ରୁ ବାଦ ପଡ଼ିଥିବା ସବୁ ଗରିବ ଲୋକଙ୍କ ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ ହୋଇଥିଲା ଆଶା କରୁଛି ବର୍ତମାନ ର ସରକାର ଲୋକଙ୍କୁ ଅବହେଳା ନ କରି ଏହାକୁ ଚାଲୁ ରଖିବେ.ଗରିବ ଲୋକଙ୍କ ଖାଦ୍ୟ ନିରାପତ୍ତା ସହ କୌଣସି ସାଲିସ କରାଯାଇପାରିବ ନାହିଁ. ପ୍ରତି ଜୀବନ ମୂଲ୍ୟବାନ.l ବିଜୁ ଜନତା ଦଳ, ଓଡିଶାର Number one ଦଳ । ଗତ ନିର୍ବାଚନ ରେ, ଆମେ ଅଧିକ ଭୋଟ ପାଇଛୁ । ଆମର vote percentage ମଧ୍ୟ ଅଧିକ ।  ବିଜୁ ଜନତା ଦଳ, ଓଡିଶାବାସୀଙ୍କ, ହୃଦୟରେ ଅଛି । ମୋର ଅନୁରୋଧ ଆପଣମାନେ ଓଡିଆ ସ୍ୱାଭିମାନର ସୁରକ୍ଷା ତଥା ଓଡିଆ ପରିଚୟକୁ ଉଜ୍ଜଳ କରିବା ପାଇଁ କାମ ଜାରି ରଖନ୍ତୁ ।

ସରକାରଙ୍କୁ କଂଗ୍ରେସର ଦାବି : ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ

()ପ୍ରତି ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ – ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳକୁ ଜୁଲାଇରୁ ଅକ୍ଟୋବର ଯାଏଁ ମୁଣ୍ଡ ପିଛା 15 କେଜିକୁ ବୃଦ୍ଧି କରାଯାଉ l ଏଥି ସହିତ ଅନ୍ତର୍ଡୋୟ ଅର୍ଣ୍ଣ ଯୋଜନାରେ ପରିବାର ପିଛା 35 କିଲୋ ଚାଉଳ ପ୍ରଦାନ କରା ଯାଉ l – – ସେହି ଅଞ୍ଚଳର ଟେଲି ଯୋଗାଯୋଗ ବ୍ୟବସ୍ଥା ସୁଦୃଢ କରାଯାଉ – ଯୁଦ୍ଧକାଳୀନ ଭିତ୍ତିରେ ସ୍ବାସ୍ଥ୍ୟ ସେବା ଭିତ୍ତିଭୂମି ସଜଡ଼ା ଯାଉ l ବ୍ରାହ୍ମଣୀ ଗାଁ ଅଞ୍ଚଳକୁ ସ୍ଵତନ୍ତ୍ର ବ୍ଲକ କରାଯାଉ – ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ତୁରନ୍ତ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଉ l ମୃତକଙ୍କ ପରିବାରକୁ ନ ଭେଟି, ସେହି ଗ୍ରାମକୁ ନ ଯାଇ ମନ ଗଢା ମନ୍ତବ୍ୟ ଦେବା ନିରୀହ ଆଦିବାସୀ ମାନଙ୍କ ପ୍ରତି ଅପମାନ – ସାମଗ୍ରିକ ପ୍ରଶାସନିକ ଅବହେଳା ପାଇଁ ସ୍ଥାନୀୟ କନ୍ଧମାଳ ଜିଲ୍ଲାପାଳଙ୍କୁ ତୁରନ୍ତ ହଟା ଯାଉ l – ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ପ୍ରଦାନ ଏକ ମାସ ବିଳମ୍ବ ହେବା ଧର୍ତ୍ତବ୍ୟ ଅପରାଧ l ତେଣୁ ଏହି ଅପରାଧର ଭାଗୀଦାର ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ l – ରାଜ୍ୟ ସରକାର ତୁରନ୍ତ ଜାତୀୟ ଖାଦ୍ୟ ବୈଷୟିକ ଅନୁସନ୍ଧାନ ସଂସ୍ଥାକୁ ଆମ୍ବ ଟାକୁଆ ଉପରେ ଗବେଷଣା କରିବାକୁ ପ୍ରସ୍ତାବ ଦିଅନ୍ତୁ l ଆମ୍ବ ପାଇଁ ସହାୟକ ମୂଲ୍ୟ ସ୍ଥିରୀକୃତ କରାଯାଉ l

ଗୁଜବକୁ ନବୀନଙ୍କ କଡା ଜବାବ…..

()ମୋର କଣ୍ଟାବାଞ୍ଜି ଓ ହିଞ୍ଜିଳିକାଟୁରୁ ନିର୍ବାଚନ ଲଢ଼ିବା ନେଇ କିଛି ହୀନ ଓ ନ୍ୟସ୍ତ ସ୍ୱାର୍ଥ ଥିବା ବ୍ୟକ୍ତିଙ୍କ ଦ୍ଵାରା ସାମାଜିକ ଗଣମାଧ୍ୟମରେ କରାଯାଉଥିବା ଗୁଜବ ଓ ମିଥ୍ୟା ପ୍ରଚାରର ଦୃଢ଼ ନିନ୍ଦା କରୁଛି।ଏମାନେ ହେଉଛନ୍ତି ସେହି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଯେଉଁମାନେ ଗତ ନିର୍ବାଚନ ସମୟରେ ବିଭିନ୍ନ ବିଷୟରେ ମିଛ କାହାଣୀ ଶୁଣାଇ ଥିଲେ। ଏପରି କି ରାଜନୈତିକ ଫାଇଦା ପାଇଁ ବିଭିନ୍ନ ବିଷୟକୁ ନେଇ ଗୁଜବ କରିବାକୁ ପଛାଇ ନଥିଲେ।ଏପରି ବିଭ୍ରାନ୍ତ ସୃଷ୍ଟି କରୁଥିବା ବ୍ୟକ୍ତିମାନେ ସମସ୍ତେ କିଏ ଓଡ଼ିଶାବାସୀ ଏବେ ଠିକ୍ ବୁଝିଲେଣି। ପ୍ରଭୁ ଜଗନ୍ନାଥ ଏପରି ଗୁଜବ ତଥା ଅପପ୍ରଚାରରୁ ଦୂରେଇ ରହିବା ପାଇଁ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ l

ହିତାଧିକାରୀ ପିଛା ୧୫ କିଲୋ ଲେଖାଏ ତିନିମାସର ଆଗୁଆ ଚାଉଳ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି ହିତାଧିକାରୀ ମାନଙ୍କୁ ତିନି ମାସର ଚାଉଳ ଆଗୁଆ ପ୍ରଦାନ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ହିତାଧିକାରୀ ତିନି ମାସ (ଅକ୍ଟୋବରରୁ ଡିସେମ୍ବର) ପାଇଁ ୧୫ କିଲୋ ଲେଖାଏ ଚାଉଳ ପାଇବେ । ସୂଚନା ଯୋଗ୍ୟ ଯେ ଏହି ପ୍ରକ୍ରିୟା ଅକ୍ଟୋବର ପହିଲା ଠାରୁ ଆରମ୍ଭ ହୋଇଥିଲେ ମଧ୍ୟ ୪୦ ଲକ୍ଷ ପରିବାର ଏ ପର୍ଯ୍ୟନ୍ତ ଚାଉଳ ପାଇ ନାହାନ୍ତି। ତେଣୁ ଏହି ପରିବାର ଗୁଡ଼ିକୁ ତୁରନ୍ତ ଚାଉଳ ବଣ୍ଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବୈଠକର ଆଲୋଚନାରୁ ଜଣାଯାଇଛି ଯେ ରାଜ୍ୟ ସରକାର ଇ-ଶ୍ରମିକ ଭାବରେ ପଞ୍ଜୀକରଣ କରିଥିବା ସବୁ ଶ୍ରମିକ ମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଛନ୍ତି। ଇ-ଶ୍ରମିକରେ ପଞ୍ଜୀକୃତ ହୋଇଥିବା ୧କୋଟି ୩୦ଲକ୍ଷ ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ସାମିଲ ହୋଇଥିବା ବେଳେ ଆଉ ୧ଲକ୍ଷ ୩୧ ହଜାର ଶ୍ରମିକ ବାକି ରହିଛନ୍ତି। ସେମାନଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ତୁରନ୍ତ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ବୈଠକରେ ୱାନ ନେସନ୍ ୱାନ ରେସନ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଅନ୍ୟ ରାଜ୍ୟରେ ରହୁଥିବା ପ୍ରବାସୀ ଓଡିଆ ମାନଙ୍କର ଇ-କେ.ୱାଇ.ସି ବ୍ୟବସ୍ଥାକୁ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।

ସୋଆରେ ଶିଳ୍ପ ଏବଂ ସାମୁଦ୍ରିକ ଜୈବପ୍ରଯୁକ୍ତିବିଦ୍ୟା ଉପରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଆରମ୍ଭ

ଭୁବନେଶ୍ୱର: କୋଭିଡ ମହାମାରୀରେ ଭାରତରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଜୀବନର ରକ୍ଷାକାରୀ ସାଜିଥିଲା ଜୀବାଣୁକୁ ଅକାମୀ କରୁଥିବା ଆଂଟିବାୟୋଟିକ । ତେଣୁ ଏଭଳି ଆଂଟିବାୟୋଟିକ୍‌ଗୁଡ଼ିକୁ ଅଧିକ ମାତ୍ରାରେ ବିକଶିତ କରିବା ପାଇଁ ସମାଜର ସହଯୋଗର ଆବଶ୍ୟକତା ରହିଛି । ଏହା ଜାତୀୟ ସୁରକ୍ଷା ନିମନ୍ତେ ଆବଶ୍ୟକ ବୋଲି ଶିଳ୍ପ ଏବଂ ସାମୁଦ୍ରିକ ଜୈବପ୍ରଯୁକ୍ତିବିଦ୍ୟା ଉପରେ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆରମ୍ଭ ହୋଇଥିôବା ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ବିଶେଷଜ୍ଞ ମତ ଦେଇଛନ୍ତି ।ନଭେମ୍ବର ୪ ଓ ୫ ଦୁଇ ଦିନ ଧରି ‘ରିସର୍ଚ୍ଚ ଆଣ୍ଡ ଇନୋଭେସନ୍‌ସ ଇନ୍ ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ ମେରାଇନ୍ ବାୟୋଟେକ୍ନୋଲେଜି: ଏ ସର୍କୁଲାର ଇକୋନୋମି’ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ କରାଯାଇଥିବାବେଳେ ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଚେନ୍ନାଇର ବି.ଏସ୍‌. ଅବ୍‌ଦୁର ରହେମାନ୍ କ୍ରେସେଂଟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲେଜି (ଡିମ୍‌ଡି ଟୁ ବି ୟୁନିଭର୍ସିଟି)ର ଉପକୁଳପତି ପ୍ରଫେସର ଏନ୍‌. ତାଜୁଦ୍ଦିନ କହିଥିଲେ ଯେ ବିଶ୍ୱରେ ବର୍ତମାନ ପରିବେଶର ପ୍ରଦୂଷଣ ଏବଂ ପୁଷ୍ଟିହୀନତା ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଏଥି ନିମନ୍ତେ ଜୈବବିଜ୍ଞାନର ସହଯୋଗର ଅନେକ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।ଏହି ଅବସରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ କୃଷି କ୍ଷେତ୍ରକୁ ବିକଶିତ କରିବା ପାଇଁ ଜୈବବିଜ୍ଞାନ ହିଁ ଏକ ମାତ୍ର ଆଶାର ଆଲୋକ । କୃଷି ଏବଂ ଜୈବବିଜ୍ଞାନ ହାତ ମିଶାଇଲେ ହିଁ ବିଜ୍ଞାନ ବିକଶିତ ହେବ ବୋଲି ସେ କହିଛନ୍ତି । ଜୈବବିଜ୍ଞାନ ହିଁ ଭବିଷ୍ୟତର ବୈଷୟିକ ଜ୍ଞାନକୌଶଳ ବୋଲି ସେ କହିଥିବା ବେଳେ ଭାରତରେ ବର୍ତମାନ ଜୈବବିଜ୍ଞାନ କ୍ଷେତ୍ରରେ ୬୦୦୦ଷ୍ଟାର୍ଟଅପ୍‌, ୭୬୦ଟି କମ୍ପାନୀ ଏବଂ ୮୦୦ଟି ଉତ୍ପାଦ ଉପଲବ୍ଧ ବୋଲି ସେ ସୂଚନା ଦେଇଥିଲେ ।ପ୍ରତ୍ୟେକ ପଦାର୍ଥର ପୁନଃବ୍ୟବହାର ଏବଂ ପୁନଃପରିଚାଳନା ହେଉଛି ଜୈବବିଜ୍ଞାନର ପ୍ରକୃତ ଉଦ୍ଦେଶ୍ୟ ବୋଲି ପ୍ରଫେସର ରାଉଳ କହିଛନ୍ତି ।ସୋଆ ପରିଚାଳିତ ସେଂଟର ଫର୍ ଇଣ୍ଡଷ୍ଟ୍ରିଆଲ୍ ବାୟୋଟୋକ୍ନୋଲୋଜି ରିସର୍ଚ୍ଚ (ସିଆଇବିଆର) ଏହି କର୍ମଶାଳାର ଆୟୋଜନ କରିଥିବାବେଳେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅଧିନସ୍ଥ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ରିସର୍ଚ୍ଚ ବୋର୍ଡ ଏହାର ପୃଷ୍ଠପୋଷକ ରହିଛି । ଏହା ବ୍ୟତୀତ ନ୍ୟାସ୍‌ନାଲ୍ ରିସର୍ଚ୍ଚ ଡେଭଲପ୍‌ମେଂଟ କର୍ପୋରେସନ୍ (ଏନଆରଡିସି) ଓ ବାୟୋଟୋକ୍ନୋଲୋଜି ରିସର୍ଚ୍ଚ ସୋସାଇଟି ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ଏହା ଆୟୋଜିତ ହେଉଛି ।କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ୨୦୨୫ ନଭେମ୍ବର ମାସରେ ସୋଆ ପକ୍ଷରୁ ଜୈବବିଜ୍ଞାନକୁ ନେଇ ଏକ ଆନ୍ତର୍ଜାତିକ କର୍ମଶାଳାର ଆୟୋଜନ କରାଯାଉଥିବା ବେଳେ ଏହା ପୂର୍ବରୁ ଏହି ସମ୍ମିଳନୀର ଗୁରୁତ୍ୱ ରହିଛି । ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ସୋଆରେ ୧୯ଟି ଗବେଷଣା କେନ୍ଦ୍ର ରହିଥିବା ବେଳେ ସିଆଇବିଆର୍ ଏହାର ୧୮ତମ ଗବେଷଣା କେନ୍ଦ୍ର ବୋଲି ପ୍ରଫେସର ନନ୍ଦ କହି ଏହି ବିଷୟକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା କହିଥିଲେ ।
କାର୍ଯ୍ୟକ୍ରମରେ କୋଲକାତା ସ୍ଥିତ ୟୁଜିସି-ଡିଏଇ ସିଏସ୍‌ଆର୍‌ର ପ୍ରମୁଖ ବୈଜ୍ଞାନିକ ଡକ୍ଟର ଅନିନ୍ଦିତା ଚକ୍ରବର୍ତୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଯୁକ୍ତିବିଦ୍ୟା ବିନା ବିଜ୍ଞାନର ଅସ୍ତିତ୍ୱ ନାହିଁ ବୋଲି କହିବା ସହ ସୋଆର ଏହି ପଦକ୍ଷେପ ଖୁବ୍ ପ୍ରଶଂସନୀୟ ବୋଲି କହିଥିଲେ ।କାର୍ଯ୍ୟକ୍ରମରେ ସୋଆ ସିଆଇବିଆର୍‌ର ନିର୍ଦ୍ଦେଶକ ତଥା ଏହି ଜାତୀୟ ସମ୍ମିଳନୀର ଆବାହକ ପ୍ରଫେସର ହୃଦୟନାଥ ଥାଟ୍ଟୋଇ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସଂପୃକ୍ତ କେନ୍ଦ୍ର ସମ୍ପର୍କରେ ବିସ୍ତୃତ ସୂଚନା ଦେଇôଥିଲେ । ବର୍ତମାନ ପରିସ୍ଥିତିରେ ବିଶ୍ୱରେ ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲଜି ଓ ମେରାଇନ୍ ବାୟୋଟେକ୍ନୋଲଜିର ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତନ ଭଳି ଜଟିଳ କ୍ଷେତ୍ରରେ ବିଶେଷ ଭୂମିକା ରହିଛି । ଏହି ବିଷୟ ବସ୍ତୁକୁ ନେଇ ହିଁ ସମ୍ମିଳନୀର ଆୟୋଜନ କରାଯାଇଥିବା ପ୍ରଫେସର ଥାଟ୍ଟୋଇ କହିଥିଲେ ।ସମ୍ମିଳନୀରେ ବିଶିଷ୍ଟ ଗବେଷକ, ଶିଳ୍ପ ବିଶେଷଜ୍ଞ ଏବଂ ନୀତି ନିର୍ଦ୍ଧାରକ ଯୋଗ ଦେଇଛନ୍ତି ।
୨୦୨୩ ମସିହାରେ ସୋଆ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ସିଆଇବିଆର୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମୁଦ୍ର, କୃଷି, ପରିବେଶ, ଫାର୍ମାସ୍ୟୁଟିକ୍ସ ଏବଂ ମେଡିକାଲ୍ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣାକୁ ଅଧିକ ପ୍ରୋତ୍ସାହିତ କରିବା ବୋଲି ପ୍ରଫେସର ଥାଟ୍ଟୋଇ କହିଛନ୍ତି ।
ବର୍ତମାନ ବିଶ୍ୱରେ ପରିବେଶକୁ ନେଇ ଉଦ୍‌ବେଗ ସୃଷ୍ଟି ହେଉଥିବା ବେଳେ ହ୍ୱାଇଟ୍ ବାୟୋଟେକ୍ନୋଲୋଜି ଏବଂ ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲୋଜିର ଅନେକ ଗୁରୁତ୍ୱ ରହିଛି ବୋଲି ସେ କହିଛନ୍ତି । କାର୍ଯ୍ୟକ୍ରମରେ ଡକ୍ଟର ଶୀବାନି ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅର୍ଗାନାଇଜିଂ ସେକ୍ରେଟାରୀ ଡକ୍ଟର ଅମ୍ରିତା ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ । ଡକ୍ଟର ସସ୍ମିତା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ସୌରଶକ୍ତିକୁ ନେଇ ଟିପିସିଓଡିଏଲ୍ ପକ୍ଷରୁ ସୋଆରେ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ 

ଭୁବନେଶ୍ୱର: ଶକ୍ତି ଉତ୍ପାଦନ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ କରିବା କ୍ଷେତ୍ରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ‘ଗ୍ରୀଡ୍ କନେକ୍ଟେଡ୍ ରୁଫ୍ ଟପ୍ ସୋଲାର ସିଷ୍ଟମ୍‌’ ଉପରେ ଏକ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗତ ଅକ୍ଟୋବର ୨୮ ଓ ୨୯ ତାରିଖରେ ଆୟୋଜିତ ହୋଇଯାଇଛି ।ଟାଟା ପାୱାର ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ପ୍ରାୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଛି କେନ୍ଦ୍ର ସରକାରଙ୍କ ‘ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜ୍‌ଲି ଯୋଜନା’ କାର୍ଯ୍ୟକ୍ରମକୁ ସଫଳ କରିବା । ଏହାର ମୂଳ ଲକ୍ଷ୍ୟ ହେଉଛି ସାରା ଦେଶରେ ସବୁଜ ଶକ୍ତିକୁ ପ୍ରୋତ୍ସାହନ ଦେଇ ସୌରଶକ୍ତିରୁ ବିଦ୍ୟୁତ୍ ଉତ୍ପାଦନ କରିବା । ନ୍ୟୁ ଆଣ୍ଡ ରିନ୍ୟୁବଲ୍ ଏନର୍ଜି (ଏମ୍‌ଏନ୍‌ଆରଇ) ମନ୍ତ୍ରଣାଳୟ ପକ୍ଷରୁ ମନୋନୀତ ନ୍ୟାସ୍‌ନାଲ୍ ପାୱାର ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍ (ଏନ୍‌ପିଟିଆଇ) ସହଭାଗିତାରେ ଓଡ଼ିଶାରେ ଏହି ପ୍ରଶିକ୍ଷଣ କାର୍ଯ୍ୟ କରାଯାଉଛି । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ରେ ଏହା ଆୟୋଜିତ ହୋଇଥିଲା । କର୍ମଶାଳାର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଆଇଟିଇଆର୍‌ର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମା, ଓଡ଼ିଶା ଡିଷ୍ଟକମ୍‌ସ ଏଲ୍ ଆଣ୍ଡ ଡି ମୁଖ୍ୟ ତଥା ସିନିୟର ଜେନେରାଲ ମ୍ୟାନେଜର (ଏଚ୍‌ଆର୍‌) ଶ୍ରୀ ବୁଦ୍ଧିଶ କୁମାର ବେହେରା ଏବଂ ଦୁର୍ଗାପୁର ସ୍ଥିତ ଏନ୍‌ପିଟିଆଇର ଡେପୁଟି ଡାଇରେକ୍ଟର ଶ୍ରୀ ମୋତିଲାଲ୍ ସେନାପତି ଉପସ୍ଥିତ ଥିଲେ ।

ସୋଆ ଫାର୍ମାସୀର ନୂତନ ବର୍ଷ ଛାତ୍ରଛାତ୍ରୀଙ୍କର ପାଠ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ (ଏସ୍‌ପିଏସ୍‌)ର ୨୦୨୪ ବ୍ୟାଚର ବି.ଫାର୍ମ ଓ ଏମ୍‌.ଫାର୍ମ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବୁଧବାର ଏକ ସ୍ୱତନ୍ତ୍ର ସ୍ୱାଗତ କାର୍ଯ୍ୟକ୍ରମ ସହ ପାଠ୍ୟକ୍ରମ ଆରମ୍ଭ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଏସ୍‌ପିଏସ୍‌ର ଡିନ୍ ପ୍ରଫେସର (ଡକ୍ଟର) ସୁଦାମ ଚନ୍ଦ୍ର ସି ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କୁ ଏହି ବୃତିଗତ ଶିକ୍ଷାକୁ କିପରି ଆପଣେଇ ସେଥିରେ ଉତ୍କର୍ଷ ଲାଭ କରିପାରିବେ ସେ ବିଷୟରେ ମତ ରଖିଥିଲେ । ସେମାନେ ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବାକୁ ସୁଯୋଗ ପାଇଛନ୍ତି ବୋଲି ସେ କହିଥିଲେ । ସେମାନେ ଏହି ବିଶ୍ୱବିଦ୍ୟାଳୟର ଗର୍ବ ଓ ଗୌରବ । ଶୃଙ୍ଖଳା, ସଚ୍ଚୋଟତା, ନୈତିକତା ଓ ସମୟାନୁବର୍ତିତା ଉପରେ ସବୁବେଳେ ଗୁରୁତ୍ୱ ଦେବା ଛାତ୍ରଛାତ୍ରୀମାନଙ୍କ କର୍ତବ୍ୟ ବୋଲି ପ୍ରଫେସର ସି କହିଥିଲେ ।ଏସ୍‌ପିଏସ୍‌ର ଆଡିସ୍‌ନାଲ୍ ଡିନ୍ ପ୍ରଫେସର (ଡକ୍ଟର) ଦିବ୍ୟଜ୍ୟୋତି ଦାସ କହିଥିଲେ ଯେ ଜ୍ଞାନ ଆହରଣ ଓ ଶିକ୍ଷା ଗ୍ରହଣ ନିମନ୍ତେ ଏକ ଉଦ୍ଦେଶ୍ୟ ରହିବା ଉଚିତ୍ । କେବଳ ଶିକ୍ଷା ଗ୍ରହଣ କରିବା ଛାତ୍ରଛାତ୍ରୀ ମାନଙ୍କର ମୂଳ ଲକ୍ଷ୍ୟ ହେବା ଜରୁରୀ ନୁହେଁ ବରଂ ସେମାନେ ଏହି ବୃତିଗତ ଶିକ୍ଷା ବିଷୟରେ ଅବଗତ ହେବା ଜରୁରୀ । ଫାର୍ମାସି ଓ ବାୟୋଟେକ୍‌ନୋଲୋଜି ସ୍ୱାସ୍ଥ୍ୟକ୍ଷେତ୍ର ସହିତ ଓତଃପ୍ରୋତ ଭାବେ ଜଡିତ । କୌଣସି କାରଣ ବଶତଃ ଫାର୍ମାସିଷ୍ଟ ଭୁଲ୍ କଲେ ତାର ପ୍ରଭାବ ସମାଜ ଓ ସ୍ୱାସ୍ଥ୍ୟକ୍ଷେତ୍ରରେ ପଡିଥାଏ । ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଏସ୍‌ପିଏସ୍‌ର ଫାର୍ମାସ୍ୟୁଟିକ୍ ବିଭାଗ ର ମୁଖ୍ୟ ପ୍ରଫେସର (ଡକ୍ଟର) ସୁବ୍ରତ ମଲ୍ଲିକ ଯୋଗ ଦେଇ କହିଥିଲେ ଯେ ଏହି ନୂତନ ବର୍ଷର ଫାର୍ମାସୀ ଛାତ୍ରଛାତ୍ରୀମାନେ ସ୍ୱାସ୍ଥ୍ୟକ୍ଷେତ୍ରର ଆଗାମୀ ଭବିଷ୍ୟତ । ସେମାନେ ନିଜର ନୂତନ ଚିନ୍ତାଧାରା ଓ ଜ୍ଞାନକୌଶଳକୁ ପ୍ରୟୋଗ କରି ବହୁତ କିଛି ନୂତନ ଉଦ୍ଭାବନ କରିପାରିବେ । ସେମାନେ ଏହି ବୃତିଗତ ଶିକ୍ଷାକୁ ଚୟନ କରିଥିବାରୁ ସେମାନଙ୍କୁ ସେ ଧନ୍ୟବାଦ ଜ୍ଞାପନ କରିଥିଲେ । ଏସ୍‌ପିଏସ୍‌ର ଫାର୍ମାକୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡକ୍ଟର )ଦୁର୍ଗାମାଧବ କର କାର୍ଯ୍ୟକ୍ରମର ବିଶେଷ ବିବରଣୀ ପ୍ରଦାନ କରିଥିଲେ । ଏହି ବୃତିଗତ ଶିକ୍ଷା ଓ ପରୀକ୍ଷା ଇତ୍ୟାଦି ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ ଏସ୍‌ପିଏସ୍‌ର ଆସୋସିଏଟ୍ ପ୍ରଫେସର (ଡକ୍ଟର)ସୁଜାତା ମହାପାତ୍ର । ଏହି ଅବସରରେ ଏସ୍‌ପିଏସ୍‌ର ପ୍ରଫେସର (ଡକ୍ଟର ) ଲକ୍ଷ୍ମୀଧର ମହାରଣା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ଏସ୍‌ପିଏସ୍‌ର ଆସୋସିଏଟ୍ ପ୍ରଫେସର (ଡକ୍ଟର) ଶକ୍ତି କେତନ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news