ଦ୍ବିତୀୟ ପର୍ଯ୍ୟାୟରେ ୫-ଟି ସ୍କୁଲ ରୂପାନ୍ତରଣ…

() ୫-ଟି ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟରେ ୨୯୦୮ଟି ସ୍କୁଲ ରୂପାନ୍ତରିତ।

ଆଜି ଗୋଟିଏ ଦିନରେ ୫ଟି ଜିଲ୍ଲାର ରେକର୍ଡ ୫୩୨ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ।

ପିଲାମାନଙ୍କୁ ୫-ଟିର ମହତ୍ତ୍ବ ବୁଝାଇଲେ ମୁଖ୍ୟମନ୍ତ୍ରୀ ସ୍କୁଲ ରୂପାନ୍ତର ପିଲାଙ୍କ ସ୍ବପ୍ନରେ ଡେଣା ଯୋଡିଛି। 

ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ରୂପାନ୍ତର ଆଣିଥାଏ, ଜୀବନର ଏ ଗୁରୁତ୍ବପୂର୍ଣ୍ଣ ସମୟକୁ ଠିକ୍‌ ଭାବରେ ଉପଯୋଗ କର – ମୁଖ୍ୟମନ୍ତ୍ରୀ। 

ଭୁବନେଶ୍ୱର ର ସ୍କୁଲ ଠାରୁ ଆମ ସ୍କୁଲ ବି କିଛି କମ ନୁହେଁ..ଛାତ୍ର ଛାତ୍ରୀ ।

{} ଆଜିଠାରୁ ରାଜ୍ୟରେ ଆରମ୍ଭ ହେଲା ଦ୍ବିତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦୭୦ଟି ହାଇସ୍କୁଲର ରୂପାନ୍ତର ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୨୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି । ଆଜି ରାଜ୍ୟର ୫ଟି ଜିଲ୍ଲା – ଖୋର୍ଦ୍ଧା, ବୌଦ, ମାଲକାନଗିରି, ସୋନପୁର ଓ ମୟୁରଭଂଜର ରେକର୍ଡ ୫୩୨ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ପିଲାମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରତ୍ୟେକ ପିଲା ସ୍ବତନ୍ତ୍ର ଏବଂ ତା ଭିତରେ ଭରି ରହିଛି ବିପୁଳ ସମ୍ଭାବନା । ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ବପ୍ନ। ଜୀବନରେ କିଛି ବଡ କରିବାର ସ୍ବପ୍ନ। ସ୍କୁଲ ରୂପାନ୍ତର ପିଲାମାନଙ୍କ ଏ ସ୍ବପ୍ନରେ ଡେଣା ଯୋଡିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ପିଲାମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି । ପିଲାମାନଙ୍କ ସ୍ବପ୍ନ ସାକାର ହେଲେ, ନୂଆ ଓଡିଶାର ଲକ୍ଷ୍ୟ ପୂରଣ ହେବ ଓ ନୂଆ ଓଡିଶା ଗଠନର ଭିତ୍ତି ସ୍ଥାପିତ ହେବ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ଆଜି ଯେଉଁ ନୂଆ ରୂପ ନେଇଛି, ତାହା ପିଲାମାନଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରି ଦେଇଛି । ଏହା ସେମାନଙ୍କ ମଧ୍ୟରେ ନୂଆ ଆଶା ଓ ସଂକଳ୍ପ ସୃଷ୍ଟି କରିଛି । ସ୍କୁଲ ସମୟ ଜୀବନର ଶ୍ରେଷ୍ଠ ସମୟ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ରୂପାନ୍ତର ଆମର ପିଲାମାନଙ୍କୁ ଶ୍ରେଷ୍ଠ କରି ଗଢିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ରୂପାନ୍ତର ଆଣିଥାଏ। ଜୀବନର ଏ ଗୁରୁତ୍ବପୂର୍ଣ୍ଣ ସମୟକୁ ଠିକ୍‌ ଭାବରେ ଉପଯୋଗ କର ଏବଂ ନିଜପାଇଁ, ନିଜ ପରିବାର ପାଇଁ ଓ ପ୍ରିୟ ଓଡିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।ପିଲାମାନଙ୍କୁ ୫-ଟି ମହତ୍ତ୍ବ ବିଷୟରେ ବୁଝାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଟେକ୍ନୋଲୋଜି, ଟିମୱାର୍କ, ଟାଇମ ବା ସମୟ ଏବଂ ଟ୍ରାନ୍ସପ୍ୟାରେନ୍ସି ବା ସ୍ବଚ୍ଛତାର ପ୍ରୟୋଗରେ ଆସେ ରୂପାନ୍ତର । ଟେକ୍ନୋଲୋଜି ଦ୍ବାରା ସେମାନଙ୍କ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର, ଆଧୁନିକ ପରୀକ୍ଷାଗାର ଆଦିର ବ୍ୟବସ୍ଥା ହେବା ସହିତ ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ସୁବିଧା କରାଗଲା । ସେହିପରି ଟିମ୍ୱାର୍କରେ ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ, ପୁରାତନ ଛାତ୍ର ଓ ପ୍ରଶାସନ ଆଦି ସମସ୍ତେ ମିଳିମିଶି ଏ ରୂପାନ୍ତର କାମରେ ସାମିଲ ହୋଇଛନ୍ତି । ସେହିପରି ଟାଇମ ବା ସମୟକୁ ଗୁରୁତ୍ବ ଦିଆଯାଇ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଠିକ୍‌ ସମୟରେ କାର୍ଯ୍ୟ ଶେଷ ହୋଇଛି । ସେହିପରି ଟ୍ରାନ୍‌ସପ୍ୟାରେନ୍‌ସି ବା ସ୍ବଚ୍ଛତାର ପ୍ରୟୋଗ କରାଯାଇ ସବୁ କାମ ସମସ୍ତଙ୍କ ସହ ଆଲୋଚନା କରି କରାଯାଇଛି। ଭିଜନ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି କାମ ତଦାରଖ ପର୍ଯ୍ୟନ୍ତ ସମସ୍ତଙ୍କ ଜ୍ଞାତସାରରେ ସବୁ କାର୍ଯ୍ୟ ହୋଇଛି। ଏହି ସ୍ବଚ୍ଛତା ହେଉଛି ୫-ଟି କାର୍ଯ୍ୟକ୍ରମର ବଡ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏସବୁ ମିଶି ରୂପାନ୍ତର ଆସିଛି ବୋଲି ସେ ମତବ୍ୟକ୍ତ କରିଥିଲେ ।ଏ ରୂପାନ୍ତର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ମ୍ୟାନେଜମେଣ୍ଟ କମିଟି, ପଞ୍ଚାୟତ ପ୍ରତିନିଧି, ପୁରାତନ ଛାତ୍ର ସଂସଦ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି ଅବସରରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ରେ ଉପସ୍ଥିତ ମନ୍ତ୍ରୀ ଶ୍ରୀ ସୁଦାମ mandri ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଓ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସାଂସଦ ଶ୍ରୀ ରମେଶ ମାଝୀ ଓ ବିଧାୟକ ଶ୍ରୀ ପ୍ରଦୀପ ଅମାତ ପ୍ରମୁଖ ଉଦବୋଧନ ଦେଇ 5T school transformation ପିଲାଙ୍କ ଭିତରେ କିପରି ଉତ୍ସାହ ସୃଷ୍ଟି କରିଛି ତା ଉପରେ ଆଲୋକପାତ କରିଥିଲେ ।ମୟୁରଭଞ୍ଜ ରୁ ପୁର୍ଣିମା, ସୋନପୁର ରୁ ମୌସୁମୀ ବୌଦ ରୁ ରାଜଶ୍ରୀ ମାଲକାନଗିରି ରୁ ହିତାକାଂକ୍ଷୀ ଓ ଖୁରଧା ରୁ ପର୍ଶୁରାମ ଆଦି ଛାତ୍ର ଛାତ୍ରୀ ମାନେ ସେମାନଙ୍କ ବକ୍ତବ୍ୟ ରେ ସ୍କୁଲ transformation କିପରି ସେମାନଙ୍କ ମନରେ ଆଶା ଓ ବିଶ୍ୱାସ ଭରି ଦେଇଛି ତାହା ବର୍ଣନା କରିବା ସହିତ ସେମାନଙ୍କ ସ୍କୁଲ ଏବେ ଭୁବନେଶ୍ୱର ର ସ୍କୁଲ ମାନଙ୍କ ଠାରୁ କିଛି କମ ନୁହେଁ ବୋଲି ଆନନ୍ଦ ପ୍ରକାଶ କରିଥିଲେ।ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।ସୂଚନା ଯୋଗ୍ୟ ଯେ ଆଜି ଗୋଟିଏ ଦିନରେ ପାଞ୍ଚ ଟି ଜିଲ୍ଲାର ରେକର୍ଡ 532ଟି ହାଇସ୍କୁଲ ଲୋକାର୍ପିତ ହେଲା।ମୟୁରଭଞ୍ଜ ରେ ସର୍ବାଧିକ 339ଟି ସୋନପୁରରେ 41 ଟି ବୌଦ୍ଧ ରେ 24ଟି ମାଲକାନଗିରି ରେ 47ଟି ଓ ଖୁରୁଧା ରେ 81ଟି ହାଇସ୍କୁଲ ଲୋକାର୍ପିତ ହେଲା. ଏହା ଜୁନ ଦଶ ତାରିଖ ପର୍ଯ୍ୟନ୍ତ ଚାଲିବ.

ଆରମ୍ଭ ହେଲା କଂଗ୍ରେସର ରାଜ୍ୟସ୍ତରୀୟ ନବ ସଂକଳ୍ପ ଶିବିର…

ଆରମ୍ଭ ହେଲା କଂଗ୍ରେସର ରାଜ୍ୟସ୍ତରୀୟ ନବ ସଂକଳ୍ପ ଶିବିର। ଦୁଇ ଦିନିଆ ସମ୍ମିଳନୀରେ ଅଧ୍ୟକ୍ଷତା କରୁଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ପ୍ରଭାରୀ ଚେଲା କୁମାର, ବିଧାୟକ, ସାଂସଦ, ପୂର୍ବତନ ବିଧାୟକ, ବରିଷ୍ଠ ନେତା ପ୍ରମୁଖ ଉପସ୍ଥିତ ଅଛନ୍ତି।

ସଂଗଠନ ସଜାଡୁଛି କଂଗ୍ରେସ…

()ସଂଗଠନ ସଜାଡୁଛି କଂଗ୍ରେସ । ନବ ସଂକଳ୍ପ ଶିବିରରେ ୨୦୨୪ ପାଇଁ ଚାଲିଛି ମାନସ ମନ୍ଥନ । ଗତକାଲିଠୁ ଆରମ୍ଭ ହୋଇଥିବା କଂଗ୍ରେସର ନବ ସଂକଳ୍ପ ଶିବିରର ଆଜି ଦ୍ବିତୀୟ ତଥା ଅନ୍ତିମ ଦିନ । ରାଜସ୍ଥାନ ଜୟପୁର ଚିନ୍ତନ ଶିବିର ଏଜେଣ୍ଡା ନେଇ ବୈଠକରେ ହେଉଛି ପୁଙ୍ଖାନୁପୁଙ୍ଖ ଆଲୋଚନା । ଚିନ୍ତନ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ ଏଆଇସିସି ନିର୍ଦ୍ଦେଶକୁ ଦଳର ମଙ୍ଗୁଆଳଙ୍କୁ ଅବଗତ କରାଯାଇଛି । ପରିବାରରୁ ଜଣକୁ ଟିକେଟ୍, ୫୦ପ୍ରତିଶତ ଯୁବପୀଢିଙ୍କୁ ଟିକେଟ, ଦଳରେ ଶୃଙ୍ଖଳା ବଜାୟ ରଖିବା, ଏକଜୁଟ ହୋଇ କାମ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା । ଚିନ୍ତନ ଶିବିର ନିଷ୍ପତ୍ତିକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ସପକ୍ଷରେ ବରିଷ୍ଠ ନେତା ଯୁକ୍ତି ବାଢିଛନ୍ତି। ତୃଣମୂଳସ୍ତରରୁ ପିସିସି ଯାଏଁ ଏକମନ ହୋଇ କାମ କରିବାକୁ ନେତା ଓ କର୍ମୀଙ୍କୁ ନବ ସଂକଳ୍ପ ଶିବିରରେ ଆହ୍ବାନ ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ତୃଣମୂଳସ୍ତରରେ କଂଗ୍ରେସକୁ ମଜବୁତ କରିବା ପାଇଁ ପ୍ରତି ଜିଲ୍ଲାରେ ୭୫ କିଲୋମିଟର ପଦଯାତ୍ରା କରିବ ଦଳ। ଆସନ୍ତା ଅଗଷ୍ଟ ୯ତାରିଖରୁ ଯାତ୍ରା ଆରମ୍ଭ ହେବ। ଦେଶ ପାଇଁ କଂଗ୍ରେସର ବଳିଦାନ କଣ ସେ ସମ୍ପର୍କରେ ଭୋଟରଙ୍କୁ ବୁଝାଇବ ଦଳ ।

ସୌର୍ଯ୍ୟ ଚକ୍ର ସହ ଦେବାଶିଷଙ୍କ ପରିବାରକୁ ଭବ୍ୟ ସ୍ୱାଗତ କଲେ ବିଧାୟକ ରମେଶ ସାଏ…..

() ସେପ୍ଟେମ୍ବର ୯,୨୦୨୦ କଳାହାଣ୍ଡିର ମଦନପୁରର ରାମପୁର ଠାରେ ମାଓ ଅପରେସନରେ ପ୍ରାଣ ବଳି ଦେଇଥିଲେ ଅନଗୁଳ ଜିଲ୍ଲା ଅଙ୍ଗପଡା ଗାଁର ବିର ଯବାନ ଦେବାଶିଷ ସେଠୀ। ସେଦିନ ସାରା ଜିଲା ଦୁଃଖରେ କାନ୍ଦିଥିଲା। ଆଉ ଆଜି ସାରା ଅଞ୍ଚଳ ଖୁସିରେ କାନ୍ଦୁଛି। କାରଣ ତାଙ୍କୁ ମରଣୋତ୍ତର ସୌର୍ଯ୍ୟ ଚକ୍ର ସମ୍ମାନ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଯାହା କି ତାଙ୍କ ବାପା ମା ଗ୍ରହଣ କରିଛନ୍ତି। ଆଉ ଏତିକି ବେଳେ ଆଠମଲ୍ଲିକ ବିଧାୟକ ରମେଶ ସାଏ ଏ ମୁହୂର୍ତ୍ତକୁ ସ୍ମରଣୀୟ କରିବାକୁ କରିଛନ୍ତି ଭବ୍ୟ ଆୟୋଜନ। ମରଣୋତ୍ତର ସୌର୍ଯ୍ୟ ଚକ୍ର ସହ ଯେତେବେଳେ ଗାଁକୁ ପହଞ୍ଚିଥିଲେ ଦେବାଶିଷଙ୍କ ବାପା ମା ତାଙ୍କୁ ବିଧାୟକଙ୍କ ଦ୍ଵାରା ଭବ୍ୟ ସ୍ୱାଗତ କରାଯାଇଥିଲା । ଶହ ଶହ ଲୋକ ଏକ ଶୋଭାଯାତ୍ରାରେ ତାଙ୍କୁ ତାଙ୍କ ଘର ଯାଏଁ ନେଇଥିଲେ। ଏହାପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ମାର୍ଗ ଦର୍ଶନରେ ବିଧାୟକ ଦେବାଶିଷଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି।

ବିଜେଡି ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା…

() କେନ୍ଦ୍ରୀୟ ଯୋଜନା ଓ ଏହାର ସହାୟତା ରାଜ୍ୟରେ ସଠିକ ସମୟରେ ପହଂଚୁନାହିଁ l ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ ବୃଦ୍ଧି ଗ୍ୟାସ ର ଦର ବୃଦ୍ଧି ଏହା ସହ ପେଟ୍ରୋଲ ଡିଜେଲ ଦର ବୃଦ୍ଧି କରିଛନ୍ତି l NRGS ସ୍କିମ ରେ ଯେଉଁ ପଇସା ଦେବାକଥା କେନ୍ଦ୍ର ତାକୁ ସଠିକ ସମୟରେ ଦେଉନାହାନ୍ତି ଫଳରେ ଲୋକମାନେ 8ମାସ 9ମାସ ଅପେକ୍ଷା କରୁଛନ୍ତି ପଇସା ପାଇଁ, ତେଣୁ ସଠିକ ସମୟରେ ରାଜ୍ୟକୁ କେନ୍ଦ୍ର ସରକାର ସହାୟତା କରୁନାହାନ୍ତି ବୋଲି ପାଲଟା ପ୍ରତିକ୍ରିୟା ରଖିଛନ୍ତି ପ୍ରମିଳା ମଲ୍ଲିକ l କେନ୍ଦ୍ରର କୌଣସି ସ୍କିମକୁ ରାଜ୍ୟ ସରକାର ଅଣଦେଖା କରୁନାହାନ୍ତି l କୌଣସି ଗୋଟିଏ ସଫଳତା ବିଜେପିର ଆସିନି ବରଂ ଲୋକଙ୍କୁ ଯେଉଁ ଆଛା ଦିନ ଆସିବ କହିଥିଲେ ତାହା ଆଜି ଲୋକଙ୍କ ପାଇଁ ବିପଦ ହୋଇଛି l ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ସେମାନେ ସବୁବେଳେ ଚେଷ୍ଟା କରୁଛନ୍ତି ସେଥିରେ ସେମାନେ ସଫଳ ହେବେନାହିଁ ।

ପ୍ରମିଳା ମଲ୍ଲିକ,ସରକାରୀ ଦଳ ମୁଖ୍ୟ ସଚେତକ

ଜନ ସେବାରେ ୨୫ବର୍ଷ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

() ୧୯୯୭ରୁ ୨୦୨୨, ଜନ ସେବାରେ ୨୫ବର୍ଷ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୫ବର୍ଷ ତଳେ ଆଜିର ଦିନରେ ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ନବୀନ । ୧୯୯୭ ଜୁନ ୧ରେ ବିଜୁ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ଆସିକାରୁ ଉପନିର୍ବାଚନରେ ଜିତିଥିଲେ । ଗତ ୨୫ବର୍ଷ ଧରି ନବୀନ ଓଡ଼ିଶାରେ ଅପ୍ରତିଦ୍ୱନ୍ଦ୍ୱୀ ନେତା ରହିଛନ୍ତି । ୨ଥର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ହେବା ପରେ ଓଡ଼ିଶା ଶାସନ ଭାର ସମ୍ଭାଳିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସରେ ଦଳର ବିଧାୟକ ଓ ବରିଷ୍ଠ ନେତାଙ୍କ ଭିଡ଼ ଜମିଛି । ଦଳ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ବିଧାୟକ ମାନେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସରେ ପହଞ୍ଚିଛନ୍ତି । ଭୁବନେଶ୍ବର ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ଜେନା ମଧ୍ୟ ସେଠାରେ ପହଞ୍ଚିଛନ୍ତି । ଦଳର ବରିଷ୍ଠ ନେତା ଓ ମନ୍ତ୍ରୀ ଗଣ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।

ସମ୍ ହସ୍ପିଟାଲ୍‌ର ପୁଣି ଏକ ସଫଳତା ; ଯୁବତୀଙ୍କ ଛାତିରୁ ୩ କେଜିର ଟ୍ୟୁମର ବାହାର କଲେ ଡାକ୍ତର… 

() ହସ୍ପିଟାଲ୍‌କୁ ଆସିବା ବେଳେ ମୁଁ ଆଉ ବଂଚିବି ବୋଲି ଭାବି ନଥିଲି । ଏବେ କିନ୍ତୁ ସୁସ୍ଥ ହୋଇ ଘରକୁ ଫେରୁଛି” । ଆନନ୍ଦଭରା କଣ୍ଠରେ ଏଭଳି କହିଛନ୍ତି ସମ୍ ହସ୍ପିଟାଲ୍‌ରୁ ସୋମବାର ଡିସ୍‌ଚାର୍ଜ ହୋଇ ଘରକୁ ଫେରୁଥିବା ଜଣେ ୨୩ ବର୍ଷର ଯୁବତୀ । ସମ୍ ହସ୍ପିଟାଲ୍ ଡାକ୍ତରଙ୍କ ଚିକିତ୍ସା ଓ ବିରଳ ଟ୍ୟୁମର ଅସ୍ତ୍ରୋପଚାର ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଛନ୍ତି ସୋନାଲୀ ଦଳାଇ ।ସୋନାଲୀଙ୍କ ଉପସ୍ଥିତିରେ ଏହି ସଫଳ ଅସ୍ତ୍ରୋପଚାର ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସମ୍‌ର ଡାକ୍ତର ଓ କର୍ତୃପକ୍ଷ । ଛାତିରେ ଟ୍ୟୁମର ଥିବା ଯୋଗୁଁ ଯନ୍ତ୍ରଣା ଏବଂ ନିଃଶ୍ୱାସ ନେବାରେ ଅସୁବିଧା ନେଇ ସୋନାଲୀ ଅନେକ ଡାକ୍ତରଖାନା ବୁଲିବା ପରେ ଶେଷରେ ସମ୍ ହସ୍ପିଟାଲ୍ ଆସିଥିଲେ । ପ୍ରଥମେ ଅଙ୍କୋଲୋଜି ବିଭାଗର ମୁଖ୍ୟ ଡାକ୍ତର ସୌମ୍ୟ ସୁରଥ ପଣ୍ଡାଙ୍କ ଅଧିନରେ ଚିକିତ୍ସା ଆରମ୍ଭ କରାଯାଇ ତାଙ୍କ ଛାତିରେ ଏକ ବଡ ଟ୍ୟୁମର ଥିବାର ଜଣାପଡ଼ିଥିଲା ଯାହାକି ହୃତ୍‌ପିଣ୍ଡ ଓ ଶ୍ୱାସନଳୀକୁ ଡାହାଣପଟକୁ ଠେଲି ରଖିଥିଲା ଓ ବାମପାଶ୍ୱର୍ ଫୁସ୍‌ଫୁସ୍ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଥିଲା ।

ଏହା ଫଳରେ ତାଙ୍କ ଶରୀରରେ ଅମ୍ଳଜାନ ସ୍ତର କମିଯାଉଥିଲା ଓ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ ବୋଲି କହିଛନ୍ତି ସମ୍ ହସ୍ପିଟାଲ୍‌ର ସିଟିଭିଏସ୍ ବିଭାଗର ମୁଖ୍ୟ ଡାକ୍ତର ଦେବାଶିଷ ସାହୁ । ତାଙ୍କ ଶରୀରରେ ଥିବା ଟ୍ୟୁମରଟି କ୍ୟାନ୍‌ସରସ ନଥିଲା ଓ ଏହାକୁ ଇନ୍‌ଟ୍ରାଥୋରାସିକ୍ ଟ୍ୟୁମର କୁହାଯାଉଥିବା ବେଳେ ଏହାର ଓଜନ ପ୍ରାୟ ୩ କେଜି ଥିଲା ବୋଲି ପରୀକ୍ଷା ନିରୀକ୍ଷାରୁ ଜଣାପଡ଼ିଥିଲା । ଏଥି ସହିତ ତାଙ୍କ ମୁହଁ ଏବଂ ହାତରେ ଅନେକ ଗୁଡ଼ିଏ ନ୍ୟୁରୋଫାଇବ୍ରୋମା ସୃଷ୍ଟି ହୋଇଥିଲା ।ଡାକ୍ତର ସାହୁଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍ ଏହି ଅସ୍ତ୍ରୋପଚାର କରିବାକୁ ନିଷ୍ପତି ନେଇଥିଲେ । ରୋଗୀଟିର ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ଏତେ ବଡ ଟ୍ୟୁମରକୁ ବାହାର କରିବା ଖୁବ୍ କଷ୍ଟକର ଥିଲା । ତେବେ କାର୍ଡିଆକ୍ ଆନେସ୍‌ଥେଟିଷ୍ଟ ଡାକ୍ତର ସୁଶାନ୍ତ କୁମାର ଭୋଇଙ୍କ ସହଯୋଗରେ ଏହି ଅସ୍ତ୍ରୋପଚାର ସମ୍ଭବପର ହୋଇଥିଲା । କ୍ଲାମ୍‌ସେଲ ଥୋରାକ୍ଟୋମି ଓ ମେଡିଆନ୍ ଷ୍ଟେର୍‌ନୋଟୋମି ପଦ୍ଧତିରେ ଗୋଟିଏ ପଟର କାନ୍ଧରୁ ଅନ୍ୟପଟକୁ କଟାଯାଇ ଟ୍ୟୁମରଟିକୁ କଢ଼ା ଯାଇପାରିଥିଲା ବୋଲି ଡାକ୍ତର ସାହୁ କହିଛନ୍ତି ।

ଏହି ଅସ୍ତ୍ରୋପଚାର ଓ ପରବର୍ତୀ ଚିକିତ୍ସା କରିଥିବା ଟିମ୍‌ରେ ଡାକ୍ତର ସାହୁ ଓ ଡାକ୍ତର ଭୋଇଙ୍କ ସମେତ କ୍ରିଟିକାଲ୍ କେୟାର ବିଭାଗର ଡାକ୍ତର ଶକ୍ତିବେଦାନ୍ତ ମିଶ୍ର ଓ ଡାକ୍ତର ସାଗରିକା ପଣ୍ଡା ସାମିଲ ହୋଇ ରୋଗୀର ଯତ୍ନ ନେଇଥିଲେ । ଅସ୍ତ୍ରୋପଚାର ପରେ ରୋଗୀଙ୍କର ସୁସ୍ଥ ହେବା ଗରୁତ୍ୱପୂର୍ଣ୍ଣ ଥିବା ବେଳେ ପ୍ରାୟ ଏକ ମାସ ଧରି ଆଇସିୟୁରେ ତାଙ୍କର ଯତ୍ନ ନିଆଯାଇଥିଲା ବୋଲି ଡାକ୍ତର ପଣ୍ଡା କହିଛନ୍ତି । ସେହିପରି ଅପରେସନ୍ ପରେ ଛାତିର କସ୍‌ମେଟିକ୍ ରିପେୟାର କରିଥିଲେ ପ୍ଲାଷ୍ଟିକ୍ ସର୍ଜନ୍ ଡାକ୍ତର ବିନାୟକ ମିଶ୍ର । ବିଏସ୍‌କେୱାଇ ଯୋଜନାରେ ଏହି ଯୁବତୀଙ୍କର ସମ୍ପୂର୍ଣ୍ଣ ଅସ୍ତ୍ରୋପଚାର ଓ ଚିକିତ୍ସା କରାଯାଇଥିଲା ବୋଲି ସମ୍‌ର ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ସୂଚନା ଦେଇଥିଲେ । ଏହା ଏକ ଡାକ୍ତରୀ ଟିମ୍‌ର ସଫଳତା । ସିଟିଭିଏସ୍‌, କ୍ରିଟିକାଲ କେୟାର, ଥୋରାସିକ୍‌, ଅଙ୍କୋଲୋଜି ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ମିଳିତ ସହଯୋଗରେ ଏହି ଅସ୍ତ୍ରେପଚାର ସଫଳ ହୋଇପାରିଥିବା ମେଡିସିନ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ସୌମ୍ୟ ସୁରଥ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।ଝିଅଟି ସୁସ୍ଥ ହେବା ପରେ ସମ୍ ହସ୍ପିଟାଲ ଓ ଡାକ୍ତର ସାହୁଙ୍କ ସମେତ ସମ୍ପୂର୍ଣ୍ଣ ଡାକ୍ତରୀ ଟିମ୍‌କୁ କୃତଜ୍ଞତା ଜଣାଇଛନ୍ତି ସୋନାଲୀଙ୍କ ମା ଓ ତାଙ୍କ ସମ୍ପର୍କୀୟ ଡାକ୍ତର ଏଲ୍‌.ଏନ୍ ପଣ୍ଡା । ବିଏସ୍‌କେୱାଇ ଯୋଜନାରେ ଏହି ଚିକିତ୍ସା ସମ୍ଭବପର ହୋଇପାରିଥିବାରୁ ରାଜ୍ୟ ସରକାରଙ୍କୁ ମଧ୍ୟ ଡାକ୍ତର ପଣ୍ଡା ଧନ୍ୟବାଦ ଜଣାଇଛନ୍ତି ।

ପିଏମ କେୟାର୍ସ ଯୋଜନା ରେ ସାମିଲ ହେଲେ ଯାଜପୁର ଜିଲ୍ଲାର ୪ ପିଲା…

() କୋଭିଡ ସଂକ୍ରମଣ ଓ ତଦ୍ ଜନିତ ପ୍ରଭାବରୁ ଯାଜପୁର ଜିଲ୍ଲା ରେ ୪ ଜଣ ନାବାଳକ ଓ ପିତୃ ମାତୃ ହୀନ ଶିଶୁ ଚିହ୍ନଟ ହୋଇଥିଲେ। ଏହି ପିଲାମାନଙ୍କୁ ଭାରତ ସରକାରଙ୍କ ପି ଏମ୍ କେୟାର୍ସ କାର୍ଯ୍ୟକ୍ରମ ରେ ଅନ୍ତର୍ଭୁକ୍ତ କରାଯାଇଛି। ସେମାନଙ୍କ ଭବିଷ୍ୟତ କୁ ସୁରକ୍ଷିତ ରଖିବା ଏବଂ ସେମାନଙ୍କ ଯତ୍ନ , ଶିକ୍ଷା ଓ ସୁରକ୍ଷା ଯୋଗାଇ ଦେବା ପାଇଁ ୧୦ ଲକ୍ଷ ଟଙ୍କାର କର୍ପସ ପାଣ୍ଠି ର ବ୍ୟବସ୍ଥା କରାଯାଇଛି। ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ରାଷ୍ଟ୍ରୀୟ ବିଜ୍ଞାନ କେନ୍ଦ୍ର କନଫରେନ୍ସ ହଲରେ ଏହି ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ଅକ୍ଷୟ କୁମାର ମଲ୍ଲିକ ଯୋଗ ଦେଇ ୪ ଜଣ ପିଲାଙ୍କୁ ୧୦ ଲକ୍ଷ ଟଙ୍କା ର ପି ଏମ୍ କେୟାର୍ସ ପାଶ୍ ବୁକ ସହିତ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପତ୍ର, ସାର୍ଟିଫିକେଟ ଓ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିଥିଲେ। ପିଲାମାନଙ୍କୁ ୧୮ ବର୍ଷ ହେବା ପରେ ଏହି ପାଣ୍ଠିର ଉପଯୋଗ କରିପାରିବେ ଓ ୨୩ ବର୍ଷ ପରେ ଏହି ପାଣ୍ଠିର ପୂର୍ଣ୍ଣ ସହାୟତା ଗ୍ରହଣ କରିପାରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ କହିଥିଲେ। ଉକ୍ତ ପିଲା ମାନଙ୍କୁ ଆଶୀର୍ବାଦ ଯୋଜନା ଓ ମଧୁବାବୁ ଯୋଜନା ଆଦିରେ ମଧ୍ୟ ସାମିଲ କରା ଯାଇଛି। ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ୨୩ ବର୍ଷ ପର୍ଯ୍ୟନ୍ତ ୫ ଲକ୍ଷ ଟଙ୍କା ଯାଏଁ ସ୍ବାସ୍ଥ୍ୟ ବୀମା ର ସୁବିଧା ପାଇପାରିବେ।ବୀମା ର ପ୍ରିମିୟମ ରାଶି ପି ଏମ କେୟାର୍ସ୍ ବହନ କରିବ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୨୦ ହଜାର ଟଙ୍କାର ସହାୟତା ମିଳିବ। ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସେହି ପିଲାମାନଙ୍କୁ ୫୦ ହଜାର ଟଙ୍କା ଜିଲ୍ଲା ପ୍ରଶାସନ ପ୍ରଦାନ କରିଛନ୍ତି। ଉଚ୍ଚ ଶିକ୍ଷାରେ ନାମ ଲେଖାଇଲେ ପିଲାମାନେ ବିନା ସୁଧରେ ଋଣ ପାଇ ପାରିବେ । ପିତୃ ମାତୃ ହୀନ ଶିଶୁଙ୍କ ବ୍ୟତୀତ ଆହୁରି ୬୬ଜଣ ଶିଶୁ ବିଭିନ୍ନ କାରଣରୁ ଏହି ସମୟ ମଧ୍ୟରେ ପିତାମାତା ଙ୍କୁ ହରାଇଛନ୍ତି। ୭୩ ଜଣ ଶିଶୁ ଜଣେ ଅଭିଭାବକ ଯିଏକି ପରିବାର ର ମୁଖ୍ୟ ରୋଜଗାରକ୍ଷମ ବ୍ୟକ୍ତି ଅଟନ୍ତି ତାଙ୍କୁ ହରାଇଛନ୍ତି ବୋଲି ସୂଚନା ଦେଇ ଏହି ସମସ୍ତ ପିଲାଙ୍କୁ ରାଜ୍ୟ ସରକାରଙ୍କ ଆଶୀର୍ବାଦ ଯୋଜନାରେ ସାମିଲ କରାଯାଉଛି ବୋଲି ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ସୂଚନା ଦେଇଥିଲେ। ଏହି ଯୋଜନା ଅନ୍ତର୍ଗତ ସେମାନଙ୍କୁ ସିଧାସଳଖ ମାସିକ ଆର୍ଥିକ ସହାୟତା ସହ ଶିକ୍ଷା, ସ୍ୱାସ୍ଥ୍ୟ, ପାରିବାରିକ ସମୃଦ୍ଧି କୁ ପ୍ରାଧାନ୍ୟ ଦିଆଯାଉଛି। ଜିଲ୍ଲାରେ ବର୍ତ୍ତମାନ ୧୪୧୬ ପିଲାଙ୍କୁ ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଅନ୍ୟ ମାନଙ୍କୁ ଶିଘ୍ର ସହାୟତା ପ୍ରଦାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲପାଳ ଶ୍ରୀ ମଲ୍ଲିକ କହିଛନ୍ତି। ପ୍ରାରମ୍ଭରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟ ଅତିଥି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ପିତାମାତାଙ୍କ ସ୍ଥାନ କେହି ପୂରଣ କରିପାରିବେ ନାହିଁ ବୋଲି କହିବା ସହ ପିତୃ ମାତୃ ହୀନ ପିଲା ମାନଙ୍କୁ ଆଗକୁ ବଢିବା ଓ ଭବିଷ୍ୟତ ସୁରକ୍ଷା ରଖିବା ପାଇଁ ପି ଏମ୍ କେୟାର୍ସ ସହାୟତା କରିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଜୁବିନ ଇରାନୀ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ସ୍ତରରେ ଏହି କାର୍ଯ୍ୟକ୍ରମରେ ଶିଶୁ ମଂଗଳ କମିଟି ଅଧ୍ୟକ୍ଷ ରିତା ବେହେରା ,ବରିଷ୍ଠ ସଦସ୍ୟ ଡଃ ରୁଦ୍ର ନାରାୟଣ ପୃଷ୍ଟି , ଶୁଭ୍ରାଂଶୁ ଶେଖର ରାୟ,କିଶୋର ନ୍ୟାୟ ପରିଷଦ ର ସଦସ୍ୟ ସୂର୍ଯ୍ୟ ନାରାୟାଣ ମିଶ୍ର ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶିଧର ସିଂହ ,ଅତିରିକ୍ତ ମଣ୍ଡଳ ଶିକ୍ଷ୍ୟା ଅଧିକାରୀ ନିର୍ମଳ ଚନ୍ଦ୍ର ଜେନା, ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ର ଅଧିକାରୀ ସୁଧାଂଶୁ ମୋହନ ଶତପଥୀ ଶିଶୁ ସୁରକ୍ଷା ୟୁନିଟ ର ତପନ କୁମାର ପଣ୍ଡା, କାଳି ପ୍ରସାଦ ସାହୁ , ଶିଶିର କୁମାର ମଲ୍ଲିକ , ଦୀପକ କୁମାର ସାହୁ ଓ ବିଶ୍ୱନାଥ ଦାସ ପ୍ରମୁଖ ଯୋଗ ଦେଇଥିଲେ।

ଭୁବନେଶ୍ୱର ଇନଷ୍ଟିଚ୍ୟୁଟ୍ ଅଫ ଇଞ୍ଜନିୟରସ ଠାରେ ନବ ସଂକଳ୍ପ ଶିବିର….

() AICC ରାସ୍ତାରେ ପିସିସି। ଚିନ୍ତନ ଶିବିର ଭଳି ଆସନ୍ତା ଜୁନ୍ ୧ ଓ ୨ ଭୁବନେଶ୍ୱର ଇନଷ୍ଟିଚ୍ୟୁଟ୍ ଅଫ ଇଞ୍ଜନିୟରସ ଠାରେ ନବ ସଂକଳ୍ପ ଶିବିର ଅନୁଷ୍ଠିତ ହେବ। ଏଥିରେ ନେତା, ବିଧାୟକ, ସାଂସଦ, ପୂର୍ବତନ ବିଧାୟକ ସାଂସଦ ମାନେ ଯୋଗଦେବେ। ତୃଣମୂଳ ସ୍ତରରୁ କଂଗ୍ରେସକୁ ସୁଦୃଢ଼ କରିବାକୁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ। ଏହା ସହ ଶୃଙ୍ଖଳା ପାଠ ବି ପଢ଼ାଜିବ। ଶୃଙ୍ଖଳା ଭିତରେ ସବୁ ରହିବାକୁ ବାଧ୍ୟ। ରାହୁଲ ଗାନ୍ଧୀ ନିର୍ଦ୍ଦେଶ ଦେଇଛନ୍ତି ଯେ ଆଉ ବିଶୃଙ୍ଖଳା କୁ ବର୍ଦାସ୍ତ କରାଯିବ ନାହିଁ। ଯିଏ ବିଶୃଙ୍ଖଳା କରିବ, ହାଇ କମାଣ୍ଡ ତାଙ୍କ କଥା ବୁଝିବେ। ଅତୀତରେ ବଡ ବଡ଼ ନେତାଙ୍କୁ ସସ୍ପେଣ୍ଡ କରାଯାଇଛି। ତେଣୁ ୨୦୨୪ ରେ ଭଲ ପ୍ରଦର୍ଶନ କରିବାକୁ ହେଲେ ଦୃଢ଼ ରୋଡ ମ୍ୟାପ୍ ଦରକାର। ଶଙ୍କରାଚାର୍ଯ୍ୟ କହିଲେଣି ବିଜେଡ଼ି ଓ ବିଜେପି ମିଶିକି ଅଛନ୍ତି। ଆମେ ଆଗରୁ ଏହା କହିଆସୁଚୁ। ଏବେ ଲୋକ ବୁଝିଲେଣି। ଆଗାମୀ ଦିନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ। ପୁରୁଣା ନେତାଙ୍କୁ ଫେରାଇବାକୁ ବି ପ୍ରୟାସ ଆରମ୍ଭ ହୋଇଛି।

ଶରତ ପଟ୍ଟନାୟକ, ପିସିସି ସଭାପତି

ମଙ୍କି ପକ୍ସ କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ…

() ମଙ୍କି ପକ୍ସ କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଜାରି କରିଛି। ବର୍ତ୍ତମାନ ସୁଧା ୨୦ ରାଷ୍ଟ୍ରରେ ଏହା ବ୍ୟାପି ସାରିଲାଣି।ଏହା ବସନ୍ତ ପରି ଏକ ରୋଗ। ତେଣୁ ଆମ ଦେଶରେ ବ୍ୟାପିବାର ଅନେକ ସମ୍ଭାବନା ରହିଛି। ଏହି ବିଷୟରେ ସତର୍କତା ମୂଳକ ପଦକ୍ଷେପ ପାଇଁ ରୋଗ ଚିହ୍ନଟ ପାଇଁ କଣ ପ୍ରଣାଳୀ ଅବଲମ୍ବନ କରିବାକୁ ହେବ ଏଥିପାଇଁ କେମିତି ଟେଷ୍ଟ କରାଯିବ ଏସବୁ ନିର୍ଧାରଣ କରିବା ପାଇଁ ଡାକ୍ତର ମାନଙ୍କ ସେନସେଟାଇଜେସନ ପ୍ରୋଗ୍ରାମ ୩ ରୁ ୪ ଦିନ ଭିତରେ କରାଯିବ। ବର୍ତ୍ତମାନ ଯାଏଁ ଭାରତରେ କୌଣସି କେଶ ବାହାରି ନାହିଁ। ତେବେ କେଉଁ ମାନଙ୍କୁ ପର୍ୟ୍ଯବେକ୍ଷ ଭିତରେ ରଖାଯିବ ଏଥିପାଇଁ ଡାକ୍ତର ମାନେ ଜାଣିବା ଆବଶ୍ୟକ। ତେଣୁ ଏନେଇ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି।

ନିରଞ୍ଜନ ମିଶ୍ର, ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

Follow us

20,832FansLike
0FollowersFollow
14,700SubscribersSubscribe

Latest news