ସମ୍ ସିଟିଭିଏସ୍ ଟିମ୍ ଦ୍ୱାରା ଜଟିଳ ହୃଦ ଅସ୍ତ୍ରୋପଚାର ସମ୍ପାଦିତ…

() ଓଡ଼ିଶାରେ ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କାର୍ଡିଓଥୋରାସିକ୍ ଆଣ୍ଡ ଭାସ୍କୁଲାର ସର୍ଜରୀ (ସିଟିଭିଏସ୍‌) ଟିମ୍ ଦ୍ୱାରା ଜୀବନ ପ୍ରତି ବିପଦ ଥିବା ଦୁଇ ଜଣ ରୋଗୀଙ୍କର ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର କରାଯାଇଛି ।ଏହି ଜୀବନ ପ୍ରତି ବିପଦ ଥିବା ଭଳି ବ୍ୟାଧିରେ ମୃତ୍ୟୁ ହାର ଖୁବ୍ ଅଧିକ । ତେଣୁ ଏଭଳି ରୋଗୀମାନଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ରହିଛି ଏବଂ ଅଧିକାଂଶ ରୋଗୀ ଚିକିତ୍ସା ନିମନ୍ତେ ରାଜ୍ୟ ବାହାରକୁ ଯାଉଥିବାରୁ ବିଳମ୍ବ ହେତୁ ସେମାନଙ୍କର ମୃତ୍ୟୁ ଘଟୁଛି ବୋଲି ବୁଧବାର ସମ୍ ହସ୍ପିଟାଲ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଟିଭିଏସ୍ ବିଭାଗର ମୁଖ୍ୟ ଡାକ୍ତର ଦେବାଶିଷ ସାହୁ ସୂଚନା ଦେଇଛନ୍ତି ।

ଆଓର୍ଟିକ୍ ରୁଟ ରିପ୍ଲେସମେଂଟ ଓ ଆର୍ଚ୍ଚ ରିପ୍ଲେସ୍‌ମେଂଟ ଭଳି ଜଟିଳ ହୃଦ ଅସ୍ତ୍ରୋପଚାର ଭାରତର ମାତ୍ର ଅଳ୍ପ କେତୋଟି ସ୍ୱାସ୍ଥ୍ୟାନୁଷ୍ଠାନରେ ଉପଲବ୍ଧ ହେଉଥିବା ବେଳେ ଏହା ଏବେ ସମ୍ ହସ୍ପିଟାଲ୍‌ରେ ମଧ୍ୟ କରାଯାଉଛି ବୋଲି ଡାକ୍ତର ସାହୁ କହିଛନ୍ତି ।ଡାକ୍ତର ସାହୁ କହିଛନ୍ତି ଯେ ସମ୍ ହସ୍ପିଟାଲ୍‌ରେ ଏହି ଅସ୍ତ୍ରୋପଚାର ଦେବଗଡ ଜିଲ୍ଲାର ୨୬ ବର୍ଷିୟ ଯୁବକ ଅନାଦି ଚରଣ ସାହୁଙ୍କ ଶରୀରରେ କରାଯାଇଥିଲା । ୧୫ ଘଂଟାର ଏହି ଅସ୍ତ୍ରୋପଚାରରେ ଆଓର୍ଟିକ୍ ରୁଟ୍ ରିପ୍ଲେସ୍‌ମେଂଟ ଏବଂ ଆର୍ଚ୍ଚ ରିପ୍ଲେସ୍‌ମେଂଟ କରାଯାଇଥିଲା ।ରୋଗୀ ଜଣକ ଶରୀରରେ ମାରଫାନ୍ ସିଣ୍ଡ୍ରୋମ୍ ଭଳି ବଂଶଗତ ତୃଟି ଦେଖାଦେଇଥିଲା ଯେଉଁ କାରଣରୁ ତାଙ୍କ ଶରୀରରେ ତୁରନ୍ତ ଅସ୍ତ୍ରୋପଚାର ଆବଶ୍ୟକ ଥିଲା । ଏହି ରୋଗରେ ମୃତ୍ୟୁ ହେବାର ଖୁବ୍ ଅଧିକ ବୋଲି ସେ କହିବା ସହ ତାଙ୍କ ଟିମ୍ ଦ୍ୱାରା ଦ୍ୱିତୀୟ ରୋଗୀଙ୍କର ମଧ୍ୟ ସଫଳ ଅସ୍ତ୍ରୋପଚାର ହୋଇପାରିଛି ବୋଲି ସେ କହିଛନ୍ତି ।

ସେହିପରି ତାଳଚେର ଅଂଚଳର ୨୨ ବର୍ଷିୟ ବିଶ୍ୱଜିତ୍ ବେହେରା ମଧ୍ୟ ସମାନ୍ ବ୍ୟାଧିରେ ପୀଡ଼ିତ ଥିଲେ ଏବଂ ୮ ଘଂଟାର ଅସ୍ତ୍ରୋପଚାର ପରେ ସେ ସୁସ୍ଥତା ଲାଭ କରିଛନ୍ତି ।
ଏହା ଏକ ଜଟିଳ ବ୍ୟାଧି କାରଣ ଏହା ଦ୍ୱାରା କେବଳ ହୃଦ ରୋଗ ନୁହେଁ ଶରୀରର ଅନ୍ୟାନ୍ୟ ଅଂଗ ଯେପରିକି ମସ୍ତିଷ୍କ ଓ କିଡ୍‌ନୀ କୁ ରକ୍ତ ପ୍ରବାହକୁ ବ୍ୟାହତ କରିଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ଚିକିତ୍ସା ଓ ଅସ୍ତ୍ରୋପଚାର କରାଯାଇଥାଏ ବୋଲି ଡାକ୍ତର ସାହୁ କହିଛନ୍ତି । ଏହି ସମସ୍ୟାରେ ପୀଡ଼ିତ ରୋଗୀମାନଙ୍କର ଛାତି, ଅଂଟା, ତଳିପେଟରେ ଯନ୍ତ୍ରଣା ହେବା ସହ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୁଏ ଏବଂ ଛାତି ଧଡ଼ଧଡ଼ ହେବା ଭଳି ସମସ୍ୟା ଦେଖାଦିଏ ବୋଲି ସେ କହିଛନ୍ତି ।
ଏହି ଦୁଇଟି ଅସ୍ତ୍ରୋପଚାର ଟିମ୍‌ରେ ଡାକ୍ତର ସାହୁଙ୍କ ସମେତ କାର୍ଡିଆକ୍ ଆନେସ୍‌ଥେସିଆ ବିଭାଗର କନ୍‌ସଲଟାଂଟ ଡାକ୍ତର ସୁଶାନ୍ତ କୁମାର ଭୋଇ ଓ କାର୍ଡି÷ଆକ୍ କନ୍‌ସଲଟାଂଟ ଡାକ୍ତର ମାନଭଞ୍ଜନ ଜେନା କହିଥିଲେ ।ଡାକ୍ତର ଭୋଇ କହିଛନ୍ତି ଯେ ଦୁଇଟି ଅସ୍ତ୍ରୋପଚାର ଖୁବ୍ ବିପଦ ସଂକୁଳ ଥିଲା କିନ୍ତୁ ଆମେ ସଫଳତାର ସହ ଏହା ସମ୍ପାଦିତ କରିପାରିଛୁ ।
ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ଦୁଇ ଜଣ ରୋଗୀଙ୍କର ଅସ୍ତ୍ରୋପଚାର ଓ ଚିକିତ୍ସା ବିନା ମୂଲ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କରାଯାଇଛି ଓ ଏହି ପ୍ରକାର ଚିକିତ୍ସା ନିମନ୍ତେ ଏହି ସୁବିଧା ଉପଲବ୍ଧ ଅଟେ ।
ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଦୁଇ ଜଣ ରୋଗୀ ଅନାଦି ଚରଣ ସାହୁ ଓ ବିଶ୍ୱଜିତ ବେହେରା କହିଥିଲେ ଅସ୍ତ୍ରୋପଚାର ପରେ ସେମାନେ ପୂର୍ବାପେକ୍ଷା ସୁସ୍ଥ ଅନୁଭବ କରୁଛନ୍ତି ଏବଂ ନିଜର ଦୈନନ୍ଦିନ କାର୍ଯ୍ୟ କରିବାରେ ସକ୍ଷମ ହୋଇପାରିଛନ୍ତି । “ମୁଁ ଯେତେବେଳେ ହସ୍ପିଟାଲ୍‌କୁ ଆସିଲି ସେତେବେଳେ କଥା କହିପାରୁ ନଥିଲି ଏବଂ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଥିଲି । ବର୍ତମାନ ମୁଁ ଖୁବ୍ ସୁସ୍ଥ ଅନୁଭବ କରୁଛି” ବୋଲି ଅନାଦି ଚରଣ ସାହୁ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଫେସର ସାମନ୍ତସିଂହାର, ଡାକ୍ତର ସାହୁ, ଡାକ୍ତର ଭୋଇ, ଡାକ୍ତର ଜେନାଙ୍କ ସମେତ ବିଏସ୍‌କେୱାଇର କର୍ପୋରେଟ ମୁଖ୍ୟ ଡାକ୍ତର ମାଗୁଣି ବେହେରା ଉପସ୍ଥିତ ଥିଲେ ।

ନକଲି ଔଷଧ ଉପରେ ଆକ୍ସନ…

() ଜୋରଦାର ହେଲା ନକଲି ଓୗଷଧ ଧରପଗଡ,

ରାଜ୍ୟ ବାହାରୁ ଆସୁଥିବା ଓୗଷଧ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ।

{} ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ଓୗଷଧ କାରବାର ଉପରେ ଚଢ଼ଉ ଓ ଧରପଗଡ ଜୋରଦାର କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ଓୗଷଧ ଉପରେ କଡ଼ା ନଜର ରଖିବା ସହ ସମସ୍ତ ସମ୍ବେଦନଶୀଳ ଓ ସନ୍ଦେହାତ୍ମକ ଗୋଦାମ ଉପରେ ସଘନ ଚଢ଼ାଉ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  ଓୗଷଧ ଗୋଦାମ ସହ ଖୁଚୁରା ବ୍ୟବସାୟ କେନ୍ଦ୍ର ଓ ଦୋକାନ ମାନଙ୍କରେ ମଧ୍ୟ ଚଢ଼ାଉ ଜାରି ରହିଛି । ଇତି ମଧ୍ୟରେ କଟକରେ ୬ ଟି, କେନ୍ଦ୍ରାପଡାରେ ୧ ଟି, ଝାରସୁଗୁଡାରେ ୨ ଟି,ଏବଂ ସୁନ୍ଦରଗଡ, ବରଗଡ ଓ ସମ୍ବଲପୁରରେ ୧ ଟି ଲେଖାଏଁ ଯାଗାରୁ ନକଲି ଓୗଷଧ ଧରାଯାଇ ଆଇନଗତ ମକଦ୍ଦମା ରୁଜୁ କରାଯାଇଛି । ଦୋକାନମାନଙ୍କରେ ଥିବା ପ୍ରତି ଓୗଷଧ ଷ୍ଟ୍ରିପ୍କୁ ଯାଞ୍ଚ କରାଯାଉଛି । ଲଗାତର ଭାବେ ଚଢ଼ାଉ ଜାରି ରଖି ନକଲି କାରବାର କରୁଥିବା ଲୋକ ଓ ଦୋକାନୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଶ୍ରୀମତୀ ପଣ୍ଡିତ୍ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରାପ୍ତ ସୂଚନାରୁ ଜଣାପଡିଛି, କଟକର ଭି.ଆର୍.ଏଜେନ୍ସି, ପୁଜା ଏଣ୍ଟରପ୍ରାଇଜରସ୍, କୟାଲ ଏଜେନ୍ସି, ମହାବୀର ପ୍ରସାଦ ରାଧେଶ୍ୟାମ, ଶ୍ରୀ ଡିଷ୍ଟ୍ରିବ୍ୟୁଟରସ୍ ଏବଂ ଶ୍ରୀ ଏମ୍.ଏଚ୍ ଆଦି ଗୋଦାମରୁ ଚଢ଼ଉପରେ ନକଲି ଓୗଷଧ ମିଳିଛି । ସେହିପରି ଝାରସୁଗୁଡା ଜିଲ୍ଲାର ଶ୍ୟାମ ମେଡ଼ିକାଲ ଓ ଅମିତ୍ ଏଜେନ୍ସି, ସୁନ୍ଦ୍ରଗଡ଼ର ପ୍ରକାଶ ମେଡିକାଲ ପ୍ରା.ଲିଃ, ବରଗଡର ଅଶୋକ ମେଡିକାଲ ହଲ୍, ସମ୍ବଲପୁରର ଦୁର୍ଗା ଏଜେନ୍ସି ଏବଂ କେନ୍ଦ୍ରାପଡାର ସାଇ ଆଦି ଗୋଦାମରୁ ଚଢ଼ାଉ ପରେ ନକଲି ଓୗଷଧ ମିଳିଛି । ଏସବୁ ଏଜେନ୍ସି, ଗୋଦାମ ଓ ଦୋକାନ ବିରୁଦ୍ଧରେ ଡ୍ରଗ୍ସ୍ ନିୟନ୍ତ୍ରଣ ଆଇନ୍ ଅନୁସାରେ ମକଦ୍ଦମା ରୁଜୁ କରାଯାଇଛି ।

୨ଲକ୍ଷ ହେବ ବିଧାୟକ ମାନଙ୍କ ଦରମା….

() ବିଧାୟକ ମାନଙ୍କ ଦରମା ବୃଦ୍ଧି ପାଇଁ ବିଧାନସଭା ସ୍ବତନ୍ତ୍ର କମିଟି ବାଚସ୍ପତିଙକୁ ସୁପାରିସ କରିଛି

{} ବଢିବ ବିଧାୟକଙ୍କ ଦରମା l ଦରଦାମ ଓ ଅନ୍ୟ ରାଜ୍ୟ ବିଧାୟକଙ୍କ ଦରମା ଆକଳନ କରି ବିଧାୟକଙ୍କ ଦରମା ଓ ଗସ୍ତ ଖର୍ଚ୍ଚ ବାବଦକୁ ଏଣିକି ୯୯ହଜାର ୮୦୦ ବଦଳରେ ଅଢେଇ ଲକ୍ଷ କରିବାକୁ ବାଚସ୍ପତିଙ୍କୁ ସୁପାରିଶ କରିଛି ବିଧାୟକ କମିଟି । ଦେଶର ୧୯ଟି ରାଜ୍ୟ ତୁଳନାରେ ଓଡ଼ିଶା ବିଧାୟକଙ୍କ ଦରମା ଓ ପେନସପ କମ ଥିବାରୁ ଦରମା ବୃଦ୍ଧି ସପକ୍ଷରେ ଯୁକ୍ତି ବାଢିଛନ୍ତି ଶାସକ ଓ ବିରୋଧୀ । ତେବେ ଏବେ ନଜର ପକାନ୍ତୁ ଓଡ଼ିଶାର ବିଧାୟକମାନେ ଦରମା , ପେନସନ ଓ ଅନ୍ୟାନ୍ୟ ବାବଦରେ କେତେ ଟଙ୍କା ପାଉଛନ୍ତି । ଓଡ଼ିଶାର ବିଧାୟକମାନେ ଦରମା ବାବଦକୁ ୩୫ ହଜାର ଟଙ୍କା ପାଉଥିବା ବେଳେ ବିଭିନ୍ନ ଭତ୍ତା ବାବଦକୁ ୬୫ ହଜାର ଟଙ୍କା । ଯେଉଁଥିରେ କନଭେୟାନସ ପାଇଁ ୧୫ ହଜାର, ମେଡ଼ିକାଲ ୫ହଜାର ଓ ଟେଲିଫୋନ ବାବଦରେ ୮ହଜାର ଟଙ୍କା ପାଉଛନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଏହା ବହୁତ କମ ଥିବାରୁ ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ବିଧାୟକଙ୍କମାନେ ଦରମା ୧ଲକ୍ଷ ଟଙ୍କା ୩ଲକ୍ଷ ଟଙ୍କା ବୃଦ୍ଧି କରିବାକୁ ଦାବି କରିଥିଲେ । ହେଲେ ବାଚସ୍ପତିଙ୍କୁ ଦ୍ବାରା ଗଠନ କରାଯାଇଥିବା କମିଟି ସବୁ ଦିଗକୁ ବିଚାର କରି ବିଧାୟକମାନଙ୍କ ଦରମା ଅଢେଇ ଲକ୍ଷ ଓ ପୂର୍ବତନ ବିଧାୟକଙ୍କ ପେନସନ ୧ଲକ୍ଷ ଟଙ୍କା ବୃଦ୍ଧି କରିବାକୁ ବାଚସ୍ପତିକୁ ସୁପାରିଶ କରିଛି । ଯାହାକୁ ବାଚସ୍ପତି ରାଜ୍ୟ ସରକାରଙ୍କ ପଠାଇଛନ୍ତି । ଦେଶରେ ତିଲେଙ୍ଗାନାରେ ବିଧାୟକଙ୍କ ଦରମା ଓ ଭତ୍ତାକୁ ମିଶାଇଲେ ପ୍ରାୟ ୨ଲକ୍ଷ ୭୫ ହଜାର ଟଙ୍କା । ସେହିପରି ମେଘାଳୟ, ଝାଡ଼ଖଣ୍ଡ ପରି ଅନେକ ରାଜ୍ୟରେ ବିଧାୟକ ଦରମା ୨ଲକ୍ଷ ଟଙ୍କା ଉପରେ ରହିଛି । ଓଡ଼ିଶା ପରି ଦିଲ୍ଲୀ ,ପଞ୍ଜାବ, ପଶ୍ଚିମ ବଙ୍ଗରେ ମଧ୍ୟ ବିଧାୟକଙ୍କ ଦରମା କମ ରହିଛି । ଏସବୁ ତର୍ଜମା କରି କମିଟି ବିଧାୟକଙ୍କକ ଦରମା, ପେନସନ ଓ ମେଡ଼ିକାଲ ଆାଲାଉନସ ବଢାଇବାକୁ ବହୁବାର ଦାବି କରି ଆସୁଛନ୍ତି । ଯେଉଁଥି ପାଇଁ ବିଜେପି ଓ କଂଗ୍ରେସ ବିଧାୟକ ବିଧାୟକଙ୍କ ଦରମା ବୃଦ୍ଧି କରିବାକୁ ସପକ୍ଷରେ ସ୍ଵର୍ ଉଠାଇଥିଲେ l ଶେଷ ଥର ପାଇଁ ୨୦୧୭ରେ ବିଧାୟକ ମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବଢିଥିଲା ।

ଓଏଏସ୍‌ ସ୍ତରରେ ଅଦଳବଦଳ…

() ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି । ଶକ୍ତି ବିଭାଗର ସ୍ୱତନ୍ତ୍ର ସଚିବ ତଥା ଓଏଏସ୍ ସୁରଥ ଚନ୍ଦ୍ର ମଲ୍ଲିକଙ୍କୁ ଅତିରିକ୍ତ ଜେଲ୍ ଆଇଜି ଭାବେ ବଦଳି କରାଯାଇଛି।

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶକ୍ତି ବିଭାଗର ସ୍ୱତନ୍ତ୍ର ସଚିବ ସୁରଥ ଚନ୍ଦ୍ର ମଲ୍ଲିକଙ୍କୁ ଭୁବନେଶ୍ୱରସ୍ଥିତ ଜେଲ୍ ନିର୍ଦ୍ଦେଶାଳୟରେ ଅତିରିକ୍ତ ଜେଲ୍ ଆଇଜି ଭାବେ ବଦଳି ହୋଇଛି । ସେହିପରି ସେଠାରେ ଥିବା ବରିଷ୍ଠ ଓଏଏସ୍ ସୀତାରାମ ପଟେଲଙ୍କୁ ସମ୍ବଲପୁରସ୍ଥିତ ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି । ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି ଓ ସେ ଅତରିକ୍ତ ଭାବେ ଟିଚର୍ସ ଟ୍ରେନିଂ ଆଣ୍ଡ ଏସସିଇଆରଟି ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିବେ।

ସେହିପରି ବରିଷ୍ଠ ଓଏଏସ୍ ବିରଂଚି ନାରାୟଣ ଦରୱାନଙ୍କୁ କଳାହାଣ୍ଡି ଜିଲ୍ଲା ପରିଷଦ ଅତିରିକ୍ତ ଏକଜ୍ୟୁଟିଭ ଅଫିସର ଭାବେ ବଦଳି ହୋଇଛି । ଓଏଏସ୍ ଟୁନା ମେହେରଙ୍କୁ କଳାହାଣ୍ଡି ଜିଲ୍ଲା ଥୂଆମୂଳ ରାମପୁର ଆଇଟିଡିଏ ପ୍ରକଳ୍ପ ଅଧିକାରୀ, ଓଏଏସ୍ ସୁରେନ୍ଦ୍ର ମେହେରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଅତିରିକ୍ତ ଏକଜ୍ୟୁଟିଭ ଅଫିସର, ଓଏଏସ୍ ରାଖାଲ ଚନ୍ଦ୍ର ପରିଡ଼ାଙ୍କୁ ବାରିପଦା ମ୍ୟୁନିସପାଲଟିର ଏକଜ୍ୟୁଟିଭ ଅଫିସର ଏବଂ ଓଏଏସ୍ ଅଶୋକ କୁମାର ଲେଙ୍କାଙ୍କୁ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର ଭାବେ ବଦଳି କରାଯାଇଛି।

ସୋଆ ପକ୍ଷରୁ ଟ୍ରାଫିକ୍ ସଚେତନତା ଅଭିଯାନ…

() ଶିକ୍ଷା ଓ ଅନୁସନ୍ଧାନ (ସୋଆ)ପକ୍ଷରୁ ମଙ୍ଗଳବାର ଏକ ସପ୍ତାହ ବ୍ୟାପୀ ଟ୍ରାଫିକ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) କ୍ୟାମ୍ପସ୍ ସମ୍ମୁଖରେ ଏହି ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।ପ୍ରତ୍ୟେକ ଜୀବନ ମୂଲ୍ୟବାନ । ତେଣୁ ଦୁର୍ଘଟଣାରେ ଘଟୁଥିବା ଅଘଟଣକୁ ରୋକିବା ଦିଗରେ ପ୍ରୟାସ କରି ସିଟ୍‌ବେଲ୍ଟ ଓ ହେଲ୍‌ମେଟର ବ୍ୟବହାର ଦିଗରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ସଚେତନ କରାଇଛନ୍ତି ସୋଆ କର୍ତୃପକ୍ଷ ।

ଏହି ଅବସରରେ ସୋଆର କୁଳାଧିପତି ପ୍ରଫେସର ଦେବୀ ପ୍ରସାଦ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଟିଇଆର୍‌ରେ ପଢ଼ୁଥିବା ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନେ କିଭଳି ଏଭଳି ଅଘଟଣରୁ ରକ୍ଷା ପାଇପାରିବେ ସେ ବିଷୟରେ ସଚେତନ କରାଇଥିଲେ ।
ଏହି ସଚେତନତା ଅଭିଯାନରେ ସୋଆ ପକ୍ଷରୁ ହେଲ୍‌ମେଟ ପିନ୍ଧି ଆସିଥିବା ଛାତ୍ରମାନଙ୍କୁ ହଳଦିଆ ଗୋଲାପ ସହ ଛାତ୍ରୀମାନଙ୍କୁ ହଳଦିଆ ଗୋଲାପ ସହ ଚକଲେଟ୍ ଦେଇ ଧନ୍ୟବାଦ ଦିଆଯାଇଥିଲା ।

ସେହିପରି ହେଲ୍‌ମେଟ ନ ପିନ୍ଧି ଆସିଥିବା ଛାତ୍ରମାନଙ୍କୁ ନାଲି ଗୋଲାପ ସହ ଛାତ୍ରୀମାନଙ୍କୁ ନାଲି ଗୋଲାପ ଓ ଚକ୍‌ଲେଟ୍ ଦେଇ ହେଲ୍‌ମେଟ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ଏହି କାର୍ଯକ୍ରମରେ ଆଇଟିଇଆର୍ ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ, ଡାଇରେକ୍ଟର ରିସୋର୍ସେସ୍ ତଥା ସିଭିଓ ଶ୍ରୀ ଯୁଗଳ କିଶୋର ଦାସ, ଲ’ ଡାଇରେକ୍ଟର ଶ୍ରୀ ସଞ୍ଜୟ କୁମାର ସାହୁଙ୍କ ସମେତ ଆଇଟିଇଆର୍‌ର ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ । ଏହି ସଚେତନତା କାର୍ଯ୍ୟକ୍ରମକୁ ସୋଆର ଆସିଷ୍ଟାଂଟ ମ୍ୟାନେଜର ଶ୍ରୀ ସିଦ୍ଧାର୍ଥ ଦାସ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ଆଇଟିଇଆର୍ କ୍ୟାମ୍ପସରେ ସପ୍ତାହବ୍ୟାପି ଚାଲିବ ।

ଡିଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲିକ…

() ଡିଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେଡି ଉପ ସଭାନେତ୍ରୀ ତଥା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲିକ କହିଛନ୍ତି ଡିଲ ବିଜେଡି ନୁହେଁ ବିଜେପି ହିଁ କରେ । 2014 ରେ ପଦ୍ମପୁରରେ ଡିଲ କରିକି ସେମାନେ ବିଜେପି ପ୍ରାଥି କୁ ଜିତାଇ ଥିଲେ । ଧାମନଗରରେ ବି ରାଜୁ ଦାସ ସହ ଡିଲ କରି ବିଜେଡି ଭୋଟ କାଟିଲେ । 2019 ରେ କଂଗ୍ରେସ ଭୋଟ ସବୁ ବିଜେପି କୁ ଯାଇଛି । ଡିଲ କରିବାରେ ସେମାନେ ମାଷ୍ଟର । ଡିଲ କରି କଂଗ୍ରେସ ଭୋଟ କୁ ସାରା ଓଡିଶାରୁ ସେମାନେ ନେଇଛନ୍ତି । ଆମେ କାହା ସହିତ କେବେ ଡିଲ କରୁନା । ଆମେ ସବୁବେଳେ ବିଜେପି ଓ କଂଗ୍ରେସ ଠୁ ଦୂରରେ ଅଛୁ । କଂଗ୍ରେସ ଭୋଟ ବିଜେଡି କୁ ଯାଇନି ବିଜୁ ଜନତା ଦଳକୁ ଭଲ ପାଉଥିବା ଲୋକ ଆମକୁ ଭୋଟ ଦେଇଛନ୍ତି ।

ଆଗୁଆ ନିର୍ବାଚନ କୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନ୍ତବ୍ୟକୁ ସମର୍ଥନ କଲେ : ବିରୋଧୀ ଦଳ ନେତା…

() ଆଗୁଆ ନିର୍ବାଚନ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନ୍ତବ୍ୟକୁ ସମର୍ଥନ କଲେ ବିରୋଧୀ ଦଳ ନେତା । କହିଲେ ମୁଁ ବି ଶୁଣୁଛି ଆଗୁଆ ନିର୍ବାଚନ ହୋଇଯିବ । ନବୀନ ପଟ୍ଟନାୟକ ନିର୍ବାଚନ କୁ ଆଗୁଆ କରିଦେବେ । ଆଗୁଆ ନିର୍ବାଚନ କହିଁକି ହେବ କଣ ଆବଶ୍ୟକତା ରହିଛି ପ୍ରଶ୍ନରେ ବିରୋଧୀ ଦଳ ନେତାଙ୍କ ଉତ୍ତର ଯେହେତୁ ବିଜେପିର ଗ୍ରୋଥ ହେଉଛି ଏବଂ ତାଙ୍କ ଦଳ ଭିତରେ ଏବଂ ଲୋକ ସମର୍ଥନ କମି କମି ଯାଉଛି ତାକୁ ପ୍ରତିହତ କରିବା ପାଇଁ ଆଗୁଆ ନିର୍ବାଚନ କରି କି ପୁଣି ପାଞ୍ଚ ବର୍ଷ ପାର କରିନେବାକୁ ଚେଷ୍ଟା କରୁଛନ୍ତି ।

ଜୟ ନାରାୟଣ ମିଶ୍ର, ବିରୋଧୀ ଦଳ ନେତା

ପଦ୍ମପୁର ଜିଲ୍ଲା ଗଠନ ନେଇ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ…

() ପଦ୍ମପୁର ଜିଲ୍ଲା ଗଠନ ନେଇ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଜିଲ୍ଲା ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଅନେକ ପ୍ରକ୍ରିୟା ରହିଛି। ତାହାକୁ ଭିତ୍ତି କରି ଜିଲ୍ଲା ଗଠନ ପାଇଁ ପଦକ୍ଷେପ ନିଆଯିବ।

ପ୍ରମିଳା ମଲ୍ଲିକ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଚଳିତ ଶିକ୍ଷା ବର୍ଷାରେ ସାମିଲ ହେବ ନାହିଁ ନୂଆ କୋର୍ସ….

ଚଳିତ ଶିକ୍ଷା ବର୍ଷାରେ ନୂଆ କୋର୍ସ ସାମିଲ ହେବ ନାହିଁ। ଆଗରୁ ଦୁଇଟି ଅଭିଭାବକ ଓ ଶିକ୍ଷକ ବୈଠକ ବସୁଥିଲା ଏବେ ତାହା ବର୍ଷକୁ ଚାରୋଟି ବସିବ।ସମଗ୍ର ରାଜ୍ୟରେ ସବୁ ସ୍କୁଲରେ ଗୋଟିଏ ଦିନରେ ଅଭିଭାବକ ଓ ଶିକ୍ଷକ ବୈଠକ ହେଉଛି। ଗତକାଲି ବି ହୋଇଛି। ମୂଳ ଉଦେଶ୍ୟ ହେଉଛି, ପିଲାମାନେ ସ୍କୁଲରେ ଯେତେ ସମୟ ରହୁଛନ୍ତି ତ ପଢୁଛନ୍ତି, ହେଲେ ଘରେ ଅଧିକ ସମୟ ରହୁଛନ୍ତି। ଯେଉଁମାନେ guardian ଅଛନ୍ତି, ସେମାନେ ଅଧିକ ଭାବେ ପିଲାମାନଙ୍କୁ ଅଧିକ ଫୋକସ ଦେଇ ଘରେ ଶିକ୍ଷାର ବାତାବରଣ ଦେଇପାରିବେ, ତା ପ୍ରଥମ। ପିଲାମାନଙ୍କ ସମସ୍ୟା ଯାହା ରହୁଛି, ତାହା ସ୍କୁଲ ଜଣାଉଛି। ତାହାକୁ guardian ଶୁଣିବା କଥା। ସ୍କୁଲରେ guardian ମାନଙ୍କ involvement ରଖି ପିଲାଙ୍କ ପାଇଁ ଯତ୍ନବାନ ହେବା ଲକ୍ଷ୍ୟ।କେବଳ ସ୍କୁଲ ନୁହେଁ,guardian ମାନଙ୍କ ବି ବଡ଼ ଭୂମିକା ରହୁଛି।

ସମୀର ରଞ୍ଜନ ଦାଶ,ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ।

ସୋଆ ପକ୍ଷରୁ ବାର୍ଷିକ ବିଜ୍‌ନେସ୍ କନ୍‌କ୍ଲେଭ୍ “ସ୍କେଲର୍ଜ ୨୦୨୨” ଆୟୋଜିତ…

() ବିଶ୍ୱବିଦ୍ୟାଳୟରେ କିମ୍ବା କଲେଜରେ ଶିକ୍ଷା ଗ୍ରହଣ କରିବା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଅନିଶ୍ଚିତ ଭବିଷ୍ୟତକୁ ସାମ୍ନା କରିବା ନିମନ୍ତେ ନିଜର ଜ୍ଞାନକୁ ବୃଦ୍ଧି କରିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ନିହାତି ଆବଶ୍ୟକ ବୋଲି ଶନିବାର କେପିଏମ୍‌ଜିର ସିନିୟର ଆସୋସିଏଟ୍ ଡାଇରେକ୍ଟର ଶ୍ରୀ ସାହିଲ ନାୟାର୍ କହିଛନ୍ତି ।ଆମେ ବର୍ତମାନ ଏଭଳି ଏକ ଯୁଗ ଦେଇ ଗତି କରୁଛୁ ଯାହାର ନୂଆ ନାମ ହେଉଛି ଅଘଟଣ ଏବଂ ଏକ ଆଶଙ୍କାମୟ ଭବିଷ୍ୟତ ଆଡ଼କୁ ଆମେ ଯାଉଛୁ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅଡିଟୋରିୟମ୍‌ରେ ସୋଆ ପକ୍ଷରୁ ଆୟୋଜିତ ବାର୍ଷିକ ବିଜନେସ୍ କନ୍‌କ୍ଲେଭ୍ “ସ୍କେଲର୍ଜ ୨୦୨୨”ରେ ବକ୍ତବ୍ୟ ରଖି ଏହା କହିଛନ୍ତି ଶ୍ରୀ ନାୟାର ।

ପ୍ରତ୍ୟେକ ଦିନ ଦେଶରେ ନୂଆ ନୂଆ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଆରମ୍ଭ ହେଉଥିବା ବେଳେ ଏଥିରୁ ବାହାରୁ ଥିବା ଛାତ୍ରଛାତ୍ରୀମାନେ କର୍ମ ନିଯୁକ୍ତି ପାଇପାରୁ ନାହାନ୍ତି । ଚାହିଦା ଓ ଯୋଗାଣ ମଧ୍ୟରେ ତାଳମେଳ ନ ରହିବା ଫଳରେ ଛାତ୍ରଛାତ୍ରୀମାନେ ଉପଯୁକ୍ତ ନିଯୁକ୍ତି ପାଇବାରୁ ବଂଚିତ ହେଉଛନ୍ତି ବୋଲି ସେ କହିଥିଲେ । ବର୍ତମାନ ପରିବେଶ ଖୁବ୍ ଜଟିଳ । ଚାକିରି ଖଣ୍ଡିଏ ପାଇବା ପାଇଁ ଡିଗ୍ରୀ ଆଉ ପାସପୋର୍ଟ ହୋଇ ରହି ନାହିଁ ବୋଲି ସେ କହିଛନ୍ତି । ତେଣୁ ଛାତ୍ରଛାତ୍ରୀମାନେ ଯାହା ଶିକ୍ଷା ଗ୍ରହଣ କରୁଛନ୍ତି ଚାକିରି କ୍ଷେତ୍ରରେ ଉପଯୁକ୍ତ ହେବା ନିମନ୍ତେ ସେମାନେ ନିଜର ଜ୍ଞାନକୁ ପ୍ରସାରିତ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ନାୟାର କହିଥିଲେ ।

ଏହି କନ୍‌କ୍ଲେଭ୍‌ରେ ଛାତ୍ରଛାତ୍ରୀଙ୍କ ସହ ବାର୍ତାଳାପ କରିବା ଅବସରରେ ଶ୍ରୀ ନାୟାର କହିଥିଲେ ଯେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଯେଉଁ ଦକ୍ଷତା ରହିଛି ତାହା ହିଁ ଭବିଷ୍ୟତରେ ଆବଶ୍ୟକ ହେବ । ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ବିଭିନ୍ନ ଲାଇଭ୍ ପ୍ରୋଜେକ୍ଟ ହାତକୁ ନେବା ଉଚିତ୍ ଯାହାଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବୃଦ୍ଧି ପାଇପାରିବ । ଚାକିରୀ କ୍ଷେତ୍ରରେ କ୍ଲାସ୍‌ରୁମ୍ ପାଠପଢ଼ା ମାତ୍ର ୧୦ ପ୍ରତିଶତ ଆବଶ୍ୟକ ପଡୁଥିବା ବେଳେ ବାକି ୯୦ ପ୍ରତିଶତ ନିଜର ଦକ୍ଷତା ଉପରେ ନିର୍ଭର କରେ । ତେଣୁ ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧିର କଳା ବଢ଼ାଇବା ଉଚିତ୍ ବୋଲି ସେ କହିଛନ୍ତି । ଶ୍ରୀ ନାୟାରଙ୍କ ପ୍ରସଙ୍ଗ ଥିଲା “ ଦେୟାର ଇଜ୍ ଏ ବ୍ରାଣ୍ଡ ୱିଦିନ୍ ୟୁ ଆଣ୍ଡ ଫ୍ୟୁଚର ୱାର୍କ ଫୋର୍ସ” । ସେମାନଙ୍କ ମଧ୍ୟରେ ଏକ ବ୍ରାଣ୍ଡ ରହିଛି ବୋଲି ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇ ନିଜର ବ୍ରାଣ୍ଡ ବୃଦ୍ଧି କରିବା ନିମନ୍ତେ ସେମାନେ ଫାଇଭ୍ ସି ଅର୍ଥାତ୍ କ୍ଲାରିଟି, କନ୍‌ଫିଡେନ୍ସ, କମ୍ୟୁନିକେସନ୍‌, କନ୍‌ସିଷ୍ଟାନ୍ସି ଏବଂ କ୍ୟାରେକ୍ଟର ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ଶ୍ରୀ ନାୟାର କହିଥିଲେ । ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର ପ୍ରୋ-ଚାନ୍‌ସେଲର ପ୍ରଫେସର ଅମିତ ବାନାର୍ଜୀ କହିଥିଲେ ବର୍ତମାନ ସମୟରେ ମ୍ୟାନେଜମେଂଟ ଡିଗ୍ରୀ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌)ର ଡିନ୍ ପ୍ରଫେସର ଅନୁପ୍ ସାମନ୍ତରାୟ ଏବଂ ଇଣ୍ଡଷ୍ଟ୍ରୀ ଏନଗେଜ୍‌ମେଂଟର ମୁଖ୍ୟ ଶ୍ରୀ ରିପ୍ତି ରଞ୍ଜନ ଦାସ ମଧ୍ୟ ବକ୍ତବ୍ୟ ରଖିଥିଲେ । ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଉପସ୍ଥିତ ଥିଲେ । ଏଚ୍‌ସିଏଲ୍ ଟେକ୍ ର ୟୁନିଭର୍ସିଟି ରିଲେସନ୍ସ ଆଣ୍ଡ ରିକ୍ର‌୍ୟୁଟ୍‌ମେଂଟର ମୁଖ୍ୟ ଶ୍ରୀ ଆଶିଷ ଭାଲ୍ଲା “ନେଗେଟିଭ୍ ଭର୍ସେସ୍ ପଜିଟିଭ୍ ଫିଡ୍‌ବ୍ୟାକ୍ ଇନ୍ ୱାର୍କପ୍ଲେସ୍ ଆଣ୍ଡ ହାଓ ଟୁ ହ୍ୟାଣ୍ଡେଲ୍‌” ଶୀର୍ଷକକୁ ନେଇ ବକ୍ତବ୍ୟ ରଖିଥିଲେ ।

ଏହି କାର୍ଯ୍ୟକ୍ରମରେ ଟାଟା ଟେକ୍ନୋଲୋଜିଜ୍‌ର ଇଣ୍ଡିଆ ଲିଡ୍ – ୟୁନିଭର୍ସିଟି ରିଲେସନ୍ସ ଶ୍ରୀ ସୁଶାନ୍ତ କୁମାର , ଡାବର ଇଣ୍ଡିଆ ଲିମିଟେଡ୍‌ର ନ୍ୟାସ୍‌ନାଲ୍ ମ୍ୟାନେଜର ଏଚ୍‌ଆର୍ ଶ୍ରୀ ଦେବାର୍ଘ ଦେବ, ଏପିଏସି-ଏବିକ୍ସ ଆଇଏନ୍‌ସିର ଟିଏଜି ଲିଡର ଶ୍ରୀ ହର୍ଷରାଜ ଜୈନ୍‌, ଏରିକ୍ସନ୍‌ର ନିର୍ଦ୍ଦେଶକ, ହେଡ ଅଫ୍ ଟିଏ ଡେଲିଭରି ଶ୍ରୀ ମୃଣାଳ ଦାସ, କ୍ୟୁୟରବେ ଟେକ୍ନୋଲୋଜିସ୍‌ର ପିପୁଲ୍ ଏକ୍ସପେରିଏନ୍ସ ଆର୍କିଟେକ୍ଟ ଶ୍ରୀମତି ଅନିନ୍ଦିତା ମହାପାତ୍ର, ଏଚ୍‌ଟି-ଏଣ୍ଡୋ ଇନ୍‌ଟରନ୍ୟାସ୍‌ନାଲ୍ ପିଏଲ୍‌ସି ଉପସଭାପତି ତଥା ମୁଖ୍ୟ ଡଃ ତନୟା ମିଶ୍ର, ଟିଏ-ୟୁବିଏସ୍‌ର ଆସୋସିଏଟ୍ ଡାଇରେକ୍ଟର ଶ୍ରୀମତି ବୀଣା ରାମଦାଶାନୀ, ଏମ୍ଫାସିସ୍‌ର ଇଣ୍ଡିଆ କ୍ୟାମ୍ପସ୍ ଲିଡ୍ ଶ୍ରୀ ଯଶୁଆ ଡେଭିଡ୍‌, ଟ୍ୟାଲେଂଟ ଆକ୍ୟୁଜିସନ୍ – ଦ ମ୍ୟାଥ କମ୍ପାନୀର ଆସୋସିଏଟ୍ ପ୍ରିନ୍ସିପାଲ୍ ଶ୍ରୀ ରାହୁଲ ପି, ରିଲାଏନ୍ସ ଜିଓର ଡେପୁଟି ଜେନେରାଲ୍ ମ୍ୟାନେଜର, ଏଚ୍‌ଆର୍ ଶ୍ରୀ ଉଜ୍ୱଲ ସେନ୍‌ଗୁପ୍ତା ଏବଂ କେପିଆଇଟି ଟେକ୍ନୋଲୋଜିସ୍‌ର ମୁଖ୍ୟ ଶ୍ରୀ ଅବିନାଶ ମହାପାତ୍ର ଯୋଗ ଦେଇ ପ୍ୟାନେଲ୍ ଆଲୋଚନାରେ ନିଜର ବକ୍ତବ୍ୟ ରଖିଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news