ସମସ୍ତ ଓଡ଼ିଆଙ୍କୁ ଅପମାନିତ କରି ଯାଇଛନ୍ତି ନିର୍ମଳା ସୀତାରମଣ :- ଜୟଦେବ ଜେନା…

() ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ବିଜୁ ଜନତା ଦଳ ଆଜି ପର୍ଯ୍ୟନ୍ତ ରାଜନୀତି କରୁଛି । କଂଗ୍ରେସ ପାଇଁ ଏହା ହୋଇପାରିଲା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନେଇ ସର୍ବଦଳୀୟ ପ୍ରସ୍ତାବ ପରିତ ହୋଇଛି । ସମସ୍ତ ଦଳ ସମର୍ଥନରେ ଦାବି କରାଯାଇଛି । କେନ୍ଦ୍ର ସରକାର ଓଡ଼ିଶାର ଦାବିକୁ ସଂସଦରେ ଅସ୍ବୀକାର କରିଥିଲେ । ଓଡିଶା ଆସି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନହେଲେ ନାହିଁ ଫୋକ୍ସ ଷ୍ଟେଟ ବା ସ୍ୱତନ୍ତ୍ର ସହାୟତା କଥା କେନ୍ଦ୍ରମନ୍ତ୍ରୀ କହିପାରିଥାନ୍ତେ । ଏହା ନକହି, ସିଧାସଳଖ ସେ ମନା କଲେ । ଯେହେତୁ ବିଜୁ ଜନତା ଦଳ ନିଜର ସ୍ଥିତି ରଖିବା ଲାଗି କେନ୍ଦ୍ର ସରକାରଙ୍କ ପଛରେ ଚାଲିଛି, ତେଣୁ କେନ୍ଦ୍ରମନ୍ତ୍ରୀ ମନା କରିବା ଲାଗି ସାହସ କରିପାରିଲେ । ପ୍ରଧାନମନ୍ତ୍ରୀଙ୍କୁ ବିଜେଡି ସିଧାସଳଖ ଉତ୍ତର ଦେଇପାରିବ ନାହିଁ । ସେଥିପାଇଁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବ ନାହିଁ ବୋଲି ଓଡ଼ିଶା ମାଟିରେ କେନ୍ଦ୍ରମନ୍ତ୍ରୀ କହିଲେ । ବିଜୁ ଜନତା ଦଳ ଲୋକଙ୍କୁ ଭୂତେଇ ଚାଲିଛି । ସାଂସଦରେ 42 ଟି ଜନବିରୋଧୀ ଓ ସାଧାରଣ ବିଲକୁ ବିଜେଡି ସମର୍ଥନ ଦେଇଛି । ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ଓ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ବିଜେଡି ଦେଇଛି ।

ବିଜେପିକୁ ମାଟି ଆଉ ପାର୍ଟିର ପାଠ ପଢ଼ାଇଲେ ପ୍ରଣବ : କହିଲେ ମାଟି ପାଇଁ ପାର୍ଟି ଆଗରେ ମୁଣ୍ଡ ନ ନୁଆଁଇ ଓଡ଼ିଶାର ହକ୍ ପାଇଁ ଲଢ଼ନ୍ତୁ….

() ରାଜନୀତିରେ ଆଗ ମାଟି ନା ଆଗ ପାର୍ଟି l ଏନେଇ ବିଜେପି ନେତାଂକୁ ପାଠ ପଢ଼ାଉଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ l ପ୍ରଣବ ଟୁଇଟ କରି କହିଛନ୍ତି ଯେ ପ୍ରତିଶ୍ରୁତି ଦେଇ ଓଡ଼ିଶା ବାସୀଙ୍କୁ ପ୍ରତାରଣା କରିଛି ବିଜେପି l ୨୦୧୪ ନିର୍ବାଚନ ଇସ୍ତାହାରରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳିବ ବୋଲି ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲା ବିଜେପି l ଏହାରି ଭିତରେ ୯ବର୍ଷ ହୋଇଯାଇଛି l କେନ୍ଦ୍ରରେ ବିଜେପି ଶାସନ ଚାଲିଛି l ହେଲେ ଏକ୍ଷେତ୍ର ରେ ମଧ୍ୟ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଂକ ବୈମାତୃକ ମନଭାବ ଜଳଜଳ କରି ଦିଶୁଛି l କିନ୍ତୁ ବିଡ଼ମ୍ବନା ହେଲା, ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଓଡ଼ିଶା ମାଟିରେ ଠିଆ ହୋଇ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ରୋକଠୋକ୍ ମନା କରିଦେଲେ । ଏହା ଓଡ଼ିଶାବାସୀଙ୍କୁ ଚକିତ ଏବଂ କ୍ଷୁବ୍ଧ କରିଛି। ଓଡ଼ିଶା ବିଜେପିକୁ ମୁଁ ଆହ୍ଵାନ କରୁଛି, ରାଜ୍ୟବାସୀ ଆପଣଙ୍କୁ ୮ଜଣ ସାଂସଦ ଦେଇଛନ୍ତି। ୩ଜଣ କେନ୍ଦ୍ରମନ୍ତ୍ରୀ ବି ଅଛନ୍ତି। ତେଣୁ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରନ୍ତୁ। ମାଟି ପାଇଁ ପାର୍ଟି ଆଗରେ ମୁଣ୍ଡ ନ ନୁଆଁଇ ଓଡ଼ିଶାର ହକ୍ ପାଇଁ ଲଢ଼ନ୍ତୁ। ପ୍ରତିଶ୍ରୁତି ଦେଇ ଧୋକା ଦେଲେ, ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ।କେନ୍ଦ୍ର ସରକାର ଭଲ ଭାବେ ଜାଣନ୍ତି-ବାତ୍ୟା, ବନ୍ୟା, ମରୁଡ଼ି ଭଳି ପ୍ରାକୃତ୍ରିକ ବିପର୍ଯ୍ୟୟ ଓଡ଼ିଶାର ଚିରସହଚର ସାଜିଥିବାରୁ ସବୁବର୍ଷ ଓଡ଼ିଶାବାସୀ ପ୍ରଭୂତ କ୍ଷତି ସହି ଆସୁଛନ୍ତି। ସେ ଦୃଷ୍ଟିରୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ଆମର ହକ୍। ଏଥିପାଇଁ ବିଜେଡି ଯେଉଁ ସଂଗ୍ରାମ ଜାରି ରଖିଛି, ଆଗାମୀଦିନରେ ତାକୁ ଆହୁରି ଶାଣିତ କରାଯିବ l

ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ପ୍ରଶ୍ନ: କେବେ ନ୍ୟାୟ ଦେବ କର୍ତ୍ତବ୍ୟରତ ମହିଳା ଅଧିକାରୀ ଅନିତା ପ୍ରଧାନଙ୍କୁ?

() ସର୍ବ ସାଧାରଣରେ ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ମାଡ଼ ମାରିଲେ ଓ ଅସଭ୍ୟ ଭାଷାରେ ଗାଳି କଲେ l ତା ପରେ ବି ରାଜ୍ୟ ବିଜେପି ଚୁପ୍ l ଏହାକୁ ନେଇ ପୁଣିଥରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟୁଇଟ କରି କେକେତ ପ୍ରଶ୍ନ ଓଡ଼ିଶାବାସୀଙ୍କ ତରଫରୁ ପଚାରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ l ପ୍ରଣବ ଟୁଇଟରେ ଲେଖିଛନ୍ତି ଯେ,ଭାଇ, ଏହା ସତ, ଶ୍ରୀ ଜୟନାରାୟଣ ମିଶ୍ରଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତା କରିନାହାନ୍ତି। ଆପଣଙ୍କ ପାର୍ଟି କରିଛି। ହେଲେ କର୍ତ୍ତବ୍ୟରତ ମହିଳା ଅଧିକାରୀ ଅନିତା ପ୍ରଧାନ, ଯାହାଙ୍କୁ ଶ୍ରୀ ମିଶ୍ର ଶାରିରୀକ ଆକ୍ରମଣ କଲେ, ତାଙ୍କୁ ଆପଣଙ୍କ ପାର୍ଟି କେବେ ନ୍ୟାୟ ଦେବ? ସାରା ଓଡିଶାବାସୀ ଜାଣିବାକୁ ଚାହୁଁଛନ୍ତି। ତେବେ କେନ୍ଦ୍ର ମନ୍ତ୍ରୀ ଏହାର କୌଣସି ଜବାବ ଦେଇନାହାନ୍ତି l

ସମ୍ ହସ୍ପିଟାଲ୍‌କୁ ଆଇସିଆଇସିଆଇ ଫାଉଣ୍ଡେସନ୍ ପକ୍ଷରୁ ୭ଟି ଡାଏଲିସିସ୍ ମେସିନ୍ ପ୍ରଦାନ….

() ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସହଯୋଗର ହାତ ବଢ଼ାଇବା ଲକ୍ଷ୍ୟରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ଆଇସିଆଇସିଆଇ ଫାଉଣ୍ଡେସନ୍ ପକ୍ଷରୁ ଗୁରୁବାର ୭ଟି ଡାଏଲିସିସ୍ ମେସିନ ଗୁରୁବାର ପ୍ରଦାନ କରାଯାଇଛି । ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଉପସ୍ଥିତିରେ ରୋଗୀ ସେବା ନିମନ୍ତେ ଏହି ୭ଟି ମେସିନ୍‌କୁ ଆଇସିଆଇସିଆଇ ଫାଉଣ୍ଡେସନ୍‌ର ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ଏକ କାର୍ଯ୍ୟକ୍ରମରେ ହସ୍ତାନ୍ତର କରାଯାଇଛି । ଆଇସିଆଇସିଆଇ ବ୍ୟାଙ୍କ ଏବଂ ଆଇସିଆଇସିଆଇ ଫାଉଣ୍ଡେସନ୍ ସର୍ବଦା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଚ୍ଚକୋଟୀର କାର୍ଯ୍ୟ କରୁଛନ୍ତି । କୋଭିଡ ସମୟରେ ମଧ୍ୟ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ଏହି ଅନୁଷ୍ଠାନ ଅନେକ ସହଯୋଗ କରିଥିଲେ ବୋଲି ପ୍ରଫେସର ନାୟକ କହିଥିଲେ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ଅଧିକାଂଶ ସମୟରେ ନେଫ୍ରୋଲୋଜି ବିଭାଗ ଅଧିନରେ ପ୍ରାୟ ୧୬୦୦ ରୋଗୀ ଡାଏଲିସିସ୍ ଆବଶ୍ୟକ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୦୦ରୁଊର୍ଦ୍ଧ୍ୱ ବିଏସ୍‌କେୱାଇ ଯୋଜନା ଅନ୍ତର୍ଭୁକ୍ତ ରୋଗୀ । ତେଣୁ ଏହି ଉନ୍ନତ ଧରଣର ୭ଟି ଡାଏଲିସିସ୍ ମେସିନ୍ ଯାହାକି ଆଇସିଆଇସିଆଇ ଫାଉଣ୍ଡେସନ୍ ଦ୍ୱାରା ପ୍ରଦାନ କରାଗଲା ତାହା ଦ୍ଵାରା ରୋଗୀ ମାନେ ନିଶ୍ଚିତ ଭାବରେ ଉପକୃତ ହେବେ ବୋଲି ପ୍ରଫେସର ସାମନ୍ତସିଂହାର କହିଛନ୍ତି । ସେହିପରି ନେଫ୍ରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ବିଶ୍ୱରଞ୍ଜନ ମହାନ୍ତି କହିଥିଲେ ଯେ ହସ୍ପିଟାଲ୍‌ରେ ପ୍ରତ୍ୟେକ ଦିନ ପ୍ରାୟ ୮୦ରୁ ଊର୍ଦ୍ଧ୍ୱ ରୋଗୀଙ୍କର ଡାଏଲିସିସ୍ କରାଯାଉଛି । ତେଣୁ ଆଇସିଆଇସିଆଇ ଫାଊଣ୍ଡେସନ ର ସାହାଯ୍ୟ ଦ୍ୱାରା ରୋଗୀ ସେବା ଆହୁରି ତ୍ୱାରାନ୍ୱିତ ହେବ ।

ଆଇସିଆଇସିଆଇ ବ୍ୟାଙ୍କର ଟ୍ରାଇସିଟିର ବିଜ୍‌ନେସ୍ ହେଡ୍ ଶ୍ରୀ ପ୍ରଦୋଷ କୁମାର ରାଉତ ଏବଂ ଆଇସିଆଇସିଆଇ ଫାଉଣ୍ଡେସନ୍‌ର ଓଡ଼ିଶା ସେଂଟର ହେଡ୍ ଶ୍ରୀମତି ସଂଯୁକ୍ତା ମହାପାତ୍ର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ସୋଆର ଚାଟାର୍ଡ ଆକାଉନ୍‌ଟାଂଟ ଶ୍ରୀ ସରୋଜକାନ୍ତ ସାମଲ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଓଏସ୍‌ଡି ଶ୍ରୀ ପ୍ରହଲ୍ଲାଦ ମହାନ୍ତି, ନେଫ୍ରୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଦେବପ୍ରସାଦ କର, ଡାକ୍ତର ବିଶ୍ୱଜିତ ମିଶ୍ର ଓ ଡାକ୍ତର ଅମୃତା ଦେଓ, କର୍ପୋରେଟ୍ କମ୍ୟୁନିକେସନ୍‌ସ ବିଭାଗର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ, ଡିଜିଏମ୍ ଅପରେସନ୍ ଶ୍ରୀମତି ପୁଷ୍ପାଞ୍ଜଳୀ ରାଉତ, ବାୟୋମେଡିକାଲ୍ ଇଞ୍ଜିନିୟର୍ ଶ୍ରୀମତି ମନୋରମା ପରିଡା ଏବଂ ଜୁନିୟର ହସ୍ପିଟାଲ୍ ଆଡମିନିଷ୍ଟ୍ରେଟର ଶ୍ରୀ ସରୋଜ ସେନାପତି, ଶ୍ରୀ ସୌମ୍ୟ ରଞ୍ଜନ ମୁଦୁଲି ଏବଂ କୁମାରୀ ତମନ୍ନା ରଥ ପ୍ରମୁଖ ଉପସ୍ଥିତ ଥିଲେ ।

ଜିତେନ୍ଦ୍ର ପଟ୍ଟନାୟକ-ଶୁଭେନ୍ଦୁ ମହାନ୍ତିଙ୍କ ଲିଖିତ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ…

() ଜିତେନ୍ଦ୍ର ପଟ୍ଟନାୟକ-ଶୁଭେନ୍ଦୁ ମହାନ୍ତିଙ୍କ ଲିଖିତ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ।

 ଆନ୍ତର୍ଜାତୀକ ପର୍ଯ୍ୟଟକଙ୍କ ପାଇଁ ବେଶ ଉପଯୋଗୀ : ଗଣେଶୀ ଲାଲ ।

{} ବିଶିଷ୍ଟ ଗବେଷକ ଓ ସାମ୍ବାଦିକ ଜିତେନ୍ଦ୍ର ପଟ୍ଟନାୟକ ଏବଂ ବିଶିଷ୍ଟ ଶିକ୍ଷାବିତ ଓ ଉପସ୍ଥାପକ ଶୁଭେନ୍ଦୁ ମହାନ୍ତିଙ୍କ ଦ୍ୱାରା ଲିଖିତ ‘ଏକ୍ସଟିକ ଇଡେନ-ଦି ଲଭର୍ସ ଡେଷ୍ଟିନେସନ ଅଫ ଓଡ଼ିଶା’ (‘Exotic EDEN-THE LOVERS’ Destination of Odisha’) ପୁସ୍ତକକୁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉନ୍ମୋଚନ କରିଛନ୍ତି I ଅନ୍ତର୍ଜାତୀୟ ସ୍ତରରେ ପର୍ଯ୍ୟଟକମାନଙ୍କ ପାଇଁ ଉକ୍ତ ପୁସ୍ତକ ବେଶ ଉପଯୋଗୀ ହେବ ଏବଂ ଓଡ଼ିଶାକୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆକର୍ଷିତ ହେବେ ବୋଲି ରାଜ୍ୟପାଳ ଏହି ଅବସରରେ ମତବ୍ୟକ୍ତ କରିଛନ୍ତି I

ଗୁରୁବାର ରାଜଭବନରେ ଲୋକାର୍ପିତ ହୋଇଥିବା 140 ପୃଷ୍ଠା ସମ୍ବଳିତ ଉକ୍ତ ପର୍ଯ୍ୟଟନ ଆଧାରିତ ଇଂରାଜୀ ଭାଷାରେ ଲିଖିତ ପୁସ୍ତକଟି ସମ୍ପୂର୍ଣ୍ଣ ରଙ୍ଗୀନ I ଏଥିରେ ଓଡ଼ିଶାର 30ଟି ‘ଗ୍ଲାମର ଟୁରିଷ୍ଟ ସ୍ପଟ’ର ସମ୍ପୂର୍ଣ୍ଣ ବିବରଣୀ ସହ ରଙ୍ଗୀନ ଫଟୋ ଦିଆଯାଇଛି I ଏଇ ଅନାଲୋଚିତ ‘ପ୍ରେମର ପ୍ରତୀକ’ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ମଧ୍ୟରେ- ହନିମୁନ ଆଇଲ୍ୟାଣ୍ଡ, ପୁଟୁଡ଼ି, କୋଇଲି ଘୋଘର, ଫୁର୍ଲିଝରଣ, ରାଜହଂସ, ଦେଓମାଳି, ଦାରିଙ୍ଗବାଡ଼ି, ସରାଫଗଡ଼-ବାଡ଼ୁନଝରିଆ,ତାଳସାରି, ପ୍ରଧାନପାଟ, ଦେବ୍ରୀଗଡ଼, ଚନ୍ଦ୍ରଭାଗା, ଭିତରକନିକା, ହୀରାକୁଦ ଓ ଗୋଲଡେନ ବିଚ ଅନ୍ୟତମ I ଏସବୁ ସ୍ଥାନଗୁଡିକୁ ଦେଶୀୟ ଓ ଆନ୍ତର୍ଜାତିକ ସ୍ତରର ପର୍ଯ୍ୟଟକମାନେ କେମିତି ଯିବେ, କେଉଁଠି ରହିବେ ଓ କଣ ଖାଦ୍ୟ ସେବନ କରିବେ ତାର ସମ୍ପୂର୍ଣ୍ଣ ତଥ୍ୟ ପୁସ୍ତକରେ ସନ୍ନିବିଷ୍ଟ ହୋଇଛି I ବିଶେଷକରି ଓଡ଼ିଶା ସରକାରଙ୍କ ଦ୍ୱାରା ପର୍ଯ୍ୟଟକଙ୍କ ପାଇଁ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା ଏବଂ ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଜାରି ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଟେଲିଫୋନ ନମ୍ବର ଓ ହେଲ୍ପଲାଇନ ଆଦି ବି ଦିଆଯାଇଛି I

 

ଓଡ଼ିଶାକୁ ଆସୁଥିବା ଯେ’କୌଣସି ପର୍ଯ୍ୟଟକ ଏହି ପୁସ୍ତକ ଜରିଆରେ ନିଜ ପର୍ଯ୍ୟଟନ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ପୂର୍ଣ ଅବଗତ ହୋଇପାରିବେ I ଫ୍ଲିପକାର୍ଟ, ଆମଜନ ଭଳି ଅନଲାଇନ ସାଇଟରେ ବି ପୁସ୍ତକଟି ଉପଲବ୍ଧ I ଏଥିସହ ଅନ୍ତର୍ଜାତୀୟ ବିମାନଗୁଡିକରେ ଏହା ଯାତ୍ରୀଙ୍କ ପାଇଁ ଯୋଗାଇଦିଆ ଯିବାର ଯୋଜନା ରହିଛି I ତେଣୁ ମହାମହିମ ରାଜ୍ୟପାଳ ପ୍ରଫେସର ଲାଲ ଉଭୟ ଲେଖକଙ୍କୁ ଆଶୀର୍ବାଦ ଦେବା ସହ ଏଭଳି ସାରସତ୍ୱ ଗବେଷଣା କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି I    ଉଲ୍ଲେଖନୀୟ ଯେ, ପୂର୍ବରୁ ରାଜ୍ୟପାଳ ପ୍ରଫେସର ଲାଲ ଗବେଷକ ତଥା ସାମ୍ବାଦିକ ଜିତେନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ବିରଳ ଜନଜାତି ଡ଼ଙ୍ଗରିଆ କନ୍ଧଙ୍କ ଉପରେ ପର୍ଯ୍ୟବେସିତ ଓ ଗବେଷଣାତ୍ମକ ପୁସ୍ତକ ‘ଡଙ୍ଗରାନ କୁଆଁ’କୁ ରାଜଭବନରେ ଲୋକାର୍ପିତ କରିଥିଲାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଁଣ୍ଡ ଜନଜାତିଙ୍କ ଉପରେ ପୁସ୍ତକ ‘ଡ଼ଙ୍ଗର ଉହାଡ଼େ ଜହ୍ନ’କୁ ଉନ୍ମୋଚନ କରିଥିଲେ I ତେବେ ଶିକ୍ଷାବିତ ଶୁଭେନ୍ଦୁ ମହାନ୍ତିଙ୍କ ଦ୍ୱାରା ଅନୁଦିତ ‘ଡଙ୍ଗରାନ କୁଆଁ’ର ଇଂରାଜୀ ସଂସ୍କରଣ ଖୁବଶୀଘ୍ର ଲୋକାର୍ପିତ ହେବ ବୋଲି ଜଣାପଡ଼ିଛି I

ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିଙ୍କ ତାଲିମ ପାଇଁ ସୋଆ ଏବଂ ଜିଏମ୍‌ଆର୍ ଗ୍ରୁପ୍ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ….

() ପାରସ୍ପରିକ ସହଯୋଗ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଜିଏମ୍‌ଆର୍ କମଳଙ୍ଗା ଏନର୍ଜି ଲିମିଟେଡ୍ (ଜିକେଇଏଲ୍‌), ଢ଼େଙ୍କାନାଳ ମଧ୍ୟରେ ଗୁରୁବାର ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି ।

ଏହି ବୁଝାମଣା ଅନୁଯାୟୀ ଶିଳ୍ପ କ୍ଷେତ୍ରରେ ଅଧିକ ସମ୍ପୃକ୍ତ ହେବା ସହ ଜ୍ଞାନ ଆହରଣ ନିମନ୍ତେ ଜିଏମ୍‌ଆର୍ ସୋଆର ଛାତ୍ରଛାତ୍ରୀ ଏବଂ ଫ୍ୟାକଲ୍ଟିମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବ । ଜିକେଇଏଲ୍ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ପ୍ରତ୍ୟେକ ବର୍ଷ ସ୍ୱଳ୍ପ ଏବଂ ଅଧିକ ସମୟ ମିଆଦି ପ୍ରଶିକ୍ଷଣ ପ୍ରଦାନ କରାଯିବ । ସେହିପରି ଜିକେଇଏଲ୍‌ର ଅଧିକାରୀମାନଙ୍କୁ ମଧ୍ୟ ସୋଆ ପକ୍ଷରୁ ଶୈକ୍ଷିକ ଏବଂ ଗବେଷଣା ଭିତିକ ସାହାଯ୍ୟ ଓ ସହଯୋଗ ପ୍ରଦାନ କରାଯିବ ।

୩୬ ମାସ ପାଇଁ ନିର୍ଦ୍ଧ।ରିତ ଏହି ଏମ୍‌ଓୟୁ ଅନୁଯାୟୀ ସୋଆରେ ମିଳିତ ଭାବେ ଦୁଇଟି ଅନୁଷ୍ଠାନ ପକ୍ଷରୁ ସେମିନାର ଏବଂ କର୍ମଶାଳା ମଧ୍ୟ ଆୟୋଜନ କରାଯିବ । ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଜିକେଇଏଲ୍‌ର ବରିଷ୍ଠ ଅଧିକାରୀ ମାନଙ୍କ ମଧ୍ୟରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଛି।

ଏହି ବୁଝାମଣା ସ୍ୱାକ୍ଷର ହେବା ସମୟରେ ସୋଆର ଚିଫ୍ ଆଡ୍‌ମିନିଷ୍ଟ୍ରେଟିଭ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍‌ସ) ପ୍ରଫେସର ରେଣୁ ଶର୍ମା, ଟ୍ରେନିଙ୍ଗ ଏବଂ ପ୍ଲେସ୍‌ମେଂଟ ମୁଖ୍ୟ ଡକ୍ଟର ସୁଜିତ କୁମାର ଦାଶ, କ୍ୟାରିୟର ଡେଭଲପ୍‌ମେଂଟ ସେଲ୍‌ର ମୁଖ୍ୟ ଶ୍ରୀ ସୁମିତ ମିତ୍ର, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଡକ୍ଟର ସରୋଜ ଆଚାର୍ଯ୍ୟ, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଡକ୍ଟର ବିନୋଦ କୁମାର ସାହୁ, ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଡକ୍ଟର ନିରଞ୍ଜନ ନାୟକ ଏବଂ ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ଶକ୍ତି ପ୍ରସାଦ ଜେନା ଉପସ୍ଥିତ ଥିଲେ ।

ବି.ଏସ୍.କେ.ୱାଇ. କାର୍ଡ଼ରେ ହେଲା ବୋନ୍-ମାରୋ ପ୍ରତିରୋପଣ…

() “ମୁଖ୍ୟମନ୍ତ୍ରୀ ମୋ ମା’ଙ୍କୁ ମରଣ ମୁହଁରୁ ବଞ୍ଚାଇଲେ”

 ବି.ଏସ୍.କେ.ୱାଇ. କାର୍ଡ଼ରେ ହେଲା ବୋନ୍-ମାରୋ ପ୍ରତିରୋପଣ।

{} ଯାଜପୁର ଜିଲ୍ଲା ନାଉବାଙ୍କ ଗ୍ରାମର ସୁମନ୍ତ କୁମାର ସାହୁ କହନ୍ତି “ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୋ ମା’ ଙ୍କୁ ମରଣ ମୁହଁରୁ ବଞ୍ଚାଇଲେ” । ଏ ବିଷୟରେ ଅଧିକ ପଚାରିବାରୁ ସେ କହିଲେ – ଆମର ଛୋଟ ଚାଷ ବନ୍ଦି ପରିବାର । ସିଂଘପୁର ହାଟରେ ଛୋଟ ଜଳଖିଆ ଦୋକାନ କରି ବାପା ଓ ମୁଁ ଘର ଚଳାଉ ।

ମୋ ମା’ ସ୍ନେହଲତା ସାହୁ (୫୨) ଙ୍କୁ ଲଗାତର ଜ୍ୱର ହେଉଥିଲା । ଗୋଡ଼ ଭୀଷଣ ବିନ୍ଧୁଥିଲା । ସେ ସବୁବେଳେ ଅଥୟ ହେଉଥିଲେ । ବିଭିନ୍ନ ପ୍ରାଥମିକ ପରୀକ୍ଷାରୁ ଜଣା ପଡ଼ିଲା ମା’ଙ୍କର ହିମଗ୍ଲୋବିନ୍ କମୁଛି । ପ୍ଲେଟଲେଟ୍ ମଧ୍ୟ କମୁଛି । ତା’ ପରେ ମେଡ଼ିସିନ୍ ସ୍ପେସାଲିଷ୍ଟଙ୍କୁ ଦେଖେଇଲୁ । ବିଭିନ୍ନ ପରୀକ୍ଷାରୁ ଜଣା ପଡ଼ିଲା ଯେ ମା’ଙ୍କର ବ୍ଲଡ୍ କ୍ୟାନସର ହୋଇଛି । ଏଥିରେ ବ୍ୟଥିତ ହୋଇ ବାପା ହାର୍ଟ-ଷ୍ଟ୍ରୋକରେ ୨୦୨୧ ମସିହା ଜାନୁଆରୀ ୧୭ ତାରିଖ ଦିନ ଆରପାରିକୁ ଚାଲିଗଲେ । ଆମେ ଭାଇଭଉଣୀ ତିନିଜଣ । ମୁଁ ବଡ । ପାଠ ପଢୁଥିଲି ଓ ବାପାଙ୍କ ସାଙ୍ଗରେ କାମ କରୁଥିଲି । କ’ଣ କରିବୁ ବୁଦ୍ଧି ଦେଖାଗଲାନି । ଆମକୁ ବି.ଏସ୍.କେ.ୱାଇ. କାର୍ଡ଼ ସାହସ ଦେଲା । ଗାଁ ଲୋକଙ୍କୁ ପଚରା ପଚରି କରି ମା’ଙ୍କ ଚିକିତ୍ସା କଥା ବୁଝିଲୁ ଓ ତାଙ୍କୁ ନେଇ ସମ୍ ହସ୍ପିଟାଲ ଗଲୁ । ଗୋଟେ କାଉଣ୍ଟରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲେଖାଯାଇଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଚିତ୍ର ଥାଇ ବି.ଏସ୍.କେ.ୱାଇ. କାର୍ଡ଼ର ଏକ ଛବି ସେହି କାଉଣ୍ଟରରେ ମରାଯାଇଥିଲା । ସେହି କାଉଣ୍ଟରକୁ ଗଲୁ । କାଉଣ୍ଟର ପାଖରେ ଥିବା ସ୍ୱାସ୍ଥ୍ୟମିତ୍ରମାନେ ସାହାଯ୍ୟ କଲେ । ବି.ଏସ୍.କେ.ୱାଇ. କାର୍ଡ଼ରେ ଆଡ଼ମିଶନ୍ ହେଲା ।

ହେମାଟୋଲୋଜୀ ବିଭାଗର ପ୍ରଫେସର ମାଡ଼ାମ୍ ପ୍ରୀୟଙ୍କା ସାମଲ ମା’ ଙ୍କୁ ଦେଖିଲେ । ପରୀକ୍ଷା ନିରୀକ୍ଷା କରୀ ଚିକିତ୍ସା କଲେ । କେମୋ ଥେରାପି ଓ ଔଷଧ ଆଦି ମାଗଣାରେ ଦେଲେ । ପୁଣି ମା ଙ୍କ ଅବସ୍ଥା ପରୀକ୍ଷା କରି ବୋନମାରୋ ପ୍ରତିରୋପଣ ପାଇଁ ପରାମର୍ଶ ଦେଲେ । ସେତେବେଳକୁ ବି.ଏସ୍.କେ.ୱାଇ. କାର୍ଡ଼ ର ୫ ଲକ୍ଷ ଟଙ୍କା ପ୍ରାୟ ସରିଆସିଲାଣି । ବୋନମାରୋ ପ୍ରତିରୋପଣ ପାଇଁ କେଉଁଠୁ ଏତେ ଟଙ୍କା ଆଣିବୁ ବୋଲି ଆମେ ଭାଇ ଭଉଣୀ ଚିନ୍ତାରେ ପଡ଼ିଲୁ । ହସ୍ପିଟାଲରେ ଥିବା ସ୍ୱାସ୍ଥ୍ୟମିତ୍ରମାନେ ସାହାସ ଦେଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକ ଟଙ୍କା ପାଇଁ ହସ୍ପିଟାଲକୁ ଅନୁମୋଦନ ଦେଲେ । ସେହିଠାରେ ମା’ଙ୍କର ଚିକିତ୍ସା ଚାଲିଲା । ବୋନମାରୋ ପ୍ରତିରୋପଣ ହେଲା । ଡ଼ାକ୍ତର ମାଡ଼ାମ୍ ଏବଂ ନର୍ସମାନେ ମା’ ଙ୍କର ବହୁ ସେବା ଯତ୍ନ କଲେ ।

ଏବେ ଆମେ ମା’ଙ୍କୁ ନେଇ ଘରକୁ ଆସିଲୁଣି । ମା’ ସୁସ୍ଥ ଅଛନ୍ତି । ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଥିବା ପ୍ରାୟ ୧୦ ଲକ୍ଷ ଟଙ୍କା ଓଡ଼ିଶା ସରକାର ବି.ଏସ୍.କେ.ୱାଇ. କାର୍ଡ଼ ମାଧ୍ୟମରେ ଯୋଗାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋ ମା’ଙ୍କୁ ମରଣ ମୁହଁରୁ ବଞ୍ଚାଇଲେ । ଆମେ ସବୁ ଭାଇ ଭଉଣୀ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଚିର କୃତଜ୍ଞ ।

କୃଷି ଓଡିଶା-୨୦୨୩ ଉଦ୍‌ଘାଟିତ..

() କୃଷି ଓଡିଶା-୨୦୨୩ ଉଦ୍‌ଘାଟିତ,

କୃଷି ଯାନ୍ତ୍ରିକୀକରଣ, ଚାଷୀମାନଙ୍କ ରୋଜଗାର ବୃଦ୍ଧି ଉପରେ

ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବାରୋପ ଟେକ୍‌ନୋଲୋଜି ହେଉଛି ବିକାଶର ଆଧାର।

ନୂଆ ନୂଆ ଟେକ୍‌ନୋଲୋଜିର ବ୍ୟବହାର କରିବାକୁ ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ବରମୁଣ୍ଡା ପଡିଆଠାରେ ରାଜ୍ୟସ୍ତରୀୟ ବାର୍ଷିକ କୃଷି ମହୋତ୍ସବ ‘କୃଷି ଓଡିଶା’ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଉପସ୍ଥିତ କୃଷକ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଫାର୍ମ ମେକାନାଇଜେସନ ଓ ଫସଲ ବିବିଧତା ଉପରେ ଗୁରୁତ୍ବ ଆରୋପ କରି ଚାଷୀ ମାନଙ୍କୁ ନୂଆ ନୂଆ ଟେକ୍‌ନୋଲୋଜିର ବ୍ୟବହାର କରିବା ସହିତ ଅଧିକ ପରିମାଣରେ ଅଣଧାନ ଅର୍ଥକରୀ ଫସଲ ଚାଷ କରିବା ପାଇଁ ପରାମର୍ଶ ଦେଇଛନ୍ତି।କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ଆୟୋଜିତ କୃଷି ଓଡିଶା-୨୦୨୩ ଆଜି ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଟେକ୍‌ନୋଲୋଜି ହେଉଛି ବିକାଶର ଆଧାର। କୃଷି କ୍ଷେତ୍ରରେ ମଧ୍ୟ ଟେକ୍‌ନୋଲୋଜିର ବହୁତ ଆବଶ୍ୟକତା ରହିଛି । ଏ ବର୍ଷ ମେଳାରେ କୃଷି କ୍ଷେତ୍ରରେ ନୂଆ ଟେକ୍‌ନୋଲୋଜିର ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଥିବାରୁ ସେ ଖୁସି ପ୍ରକାଶ କରିଥିଲେ । ଚାଷୀମାନେ ସମସ୍ତେ ନୂଆ ନୂଆ ଟେକ୍‌ନୋଲୋଜି ବିଷୟରେ ଜାଣିବେ, ବ୍ୟବହାର କରିବେ ଏବଂ କୃଷି କ୍ଷେତ୍ରରେ ସଫଳ ହୋଇ ନିଜର ଓ ନିଜ ରାଜ୍ୟର ଉନ୍ନତିରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ କୃଷି ଓ କୃଷକମାନଙ୍କ ଉନ୍ନତି ମୋ ସରକାରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ । କୃଷି କ୍ଷେତ୍ରରେ ଓଡିଶା ଆଜି ଏକ ଆଗୁଆ ରାଜ୍ୟ ହୋଇପାରିଛି। ଖାଦ୍ୟରେ ଅଭାବ ଥିବା ଏକ ରାଜ୍ୟରୁ ଆଜି ଆମେ ଖାଦ୍ୟଶସ୍ୟରେ ଏକ ବଳକା ରାଜ୍ୟ ହୋଇ ସାରା ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଇ ପାରୁଛୁ ବୋଲି ସେ କହିଥିଲେ । କାଳିଆ ଯୋଜନା ଦ୍ବାରା ଚାଷୀ ମାନଙ୍କୁ ରୋଜଗାର ସୁରକ୍ଷା ମିଳିପାରିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଫାର୍ମ ମେକାନାଇଜେସନ ଉପରେ ଗୁରୁତ୍ବ ଦିଆଯାଇ ଫସଲ ଉତ୍ପାଦକତା ବଢାଇବା ପାଇଁ ଉଦ୍ୟମ ଜାରି ରହିଛି । ପଣସ ମିଶନ, ଛତୁ ମିଶନ ଆଦି ସ୍ବତନ୍ତ୍ର ମିଶନ ଜରିଆରେ ଚାଷୀଙ୍କ ରୋଜଗାର ସହିତ ପୁଷ୍ଟି ନିରାପତ୍ତା ପାଇଁ ମଧ୍ୟ ଗୁରୁତ୍ବ ଦିଆଯାଉଛି । ଆମର ମିଲେଟ ମିଶନ ଆଜି ସାରା ଦେଶ ଓ ବିଶ୍ବର ଦୃଷ୍ଟି ଆକର୍ଷଣ କରିପାରିଛି ବୋଲି ମତଦେଇ ସେ କହିଥିଲେ ଯେ ଏହା ଆମର ମିଶନ ଶକ୍ତି ମା ମାନଙ୍କର ରୋଜଗାର ବଢାଇବାରେ ମଧ୍ୟ ସହାୟକ ହୋଇପାରିଛି।

‘କୃଷି ଓଡିଶା’ରେ ଉପସ୍ଥିତ ଥିବା WFP, IFAD ଏବଂ FAO ପରି ସଂସ୍ଥାର ପ୍ରତିନିଧି ମାନଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କୃଷି କ୍ଷେତ୍ରରେ ସେମାନଙ୍କ ନିରନ୍ତର ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ କୃଷିମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିଜର ଅଭିଭାଷଣ ରଖି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ କୃଷି ବିଭାଗ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି । କୃଷକ ମାନଙ୍କ ଆୟବୃଦ୍ଧିରେ କୃଷି ଆନୁସଂଗିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦିଆଯାଇ ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡିଶା ମାଛ, ମାଂସ, ଅଣ୍ଡା ଓ ଦୁଗ୍‌ଧ ଉତ୍ପାଦନରେ ସ୍ବାବଲମ୍ବୀ ହୋଇପାରିବା ସହିତ ଚାଷୀ ମାନଙ୍କ ରୋଜଗାର ମଧ୍ୟ ବୃଦ୍ଧି କରାଯାଇପାରିଛି ବୋଲି ସେ କହିଥିଲେ ।

ଓଡିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଶ୍ରୀ ସୁବ୍ରତୋ ବାଗ୍‌ଚୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । କୃଷି ଓ କୃଷକ ସଶକ୍ତିକରଣ ବିକାଶ ପ୍ରମୁଖ ସଚିବ ଡଃ ଅରବିନ୍ଦ ପାଢୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

ବିରୋଧି ଦଳ ନେତାଙ୍କ ବ୍ୟବହାର ଦେଖିଲେ ଦୁଃଖ ଲାଗୁଛି: ପ୍ରଣବ ପ୍ରକାଶ ଦାସ

() ରାଷ୍ଟ୍ରୀୟ ଦଳ ବିଜେପିର ଶୀର୍ଷ ନେତୃତ୍ବଙ୍କୁ ୬ବର୍ଷ ତଳର ଘଟଣା ମନେ ପକାଇ ଦେଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ l ସମ୍ବଲପୁରରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମହିଳା ପୋଲିସ ଅଧିକାରୀଙ୍କୁ ଚାପୁଡ଼ା ମାରିବା ଘଟଣାକୁ ନେଇ ପୁଣି ଥରେ ପ୍ରଣବ ପ୍ରକାଶ ଦାସ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭାଇ ବୋଲି ସମ୍ବୋଧିତ କରି କିଛି କଥା ମନେ ପକାଇଦେଇଛନ୍ତି l ଟୁଇଟ କରି ପ୍ରଣବ କେନ୍ଦ୍ର ମନ୍ତ୍ରୀଙ୍କୁ ଲେଖିଛନ୍ତି ଯେ dpradhanbjp ଭାଇ, ଆପଣଙ୍କର ମନେ ଥିବ ଆପଣଙ୍କ ଦଳର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ବାବୁ ଅତୀତରେ ଆପଣଙ୍କ ରାଜ୍ୟ ସଭାପତିଙ୍କୁ ଚପଲରେ ନିସ୍ତୁକ ପିଟି ରକ୍ତାକ୍ତ କରି ଦେଇଥିଲେ। ଏଥିପାଇଁ ସେ ଦଳରୁ ୬ ବର୍ଷ ପାଇଁ ସସ୍‌ପେଣ୍ଡ ବି ହୋଇଥିଲେlଗୋଟିଏ ପରେ ଗୋଟିଏ ଅପରାଧ କରି ଚାଲିଥିବା ସେଇ ନେତା କାଲି ଜଣେ କର୍ତ୍ତବ୍ୟରତ ମହିଳା ଆଇଆଇସିଙ୍କୁ ମାଡ଼ ମାରିଛନ୍ତି। ବିଡ଼ମ୍ବନା ହେଲା, ଯେଉଁ ଜୟନାରାୟଣଙ୍କ ଠାରୁ ଦିନେ ରାଜ୍ୟ ସଭାପତି ମାଡ଼ ଖାଇଥିଲେ, ସେଇ ଜୟନାରାୟଣଙ୍କ ପାଇଁ ଓକିଲାତି କରିବାକୁ ଆଜି ତାଙ୍କୁ ବାଧ୍ୟ କରାଯାଉଛି।ବିଜେପି ଭଳି ଏକ ରାଷ୍ଟ୍ରୀୟ ଦଳର ରାଜ୍ୟ ସଭାପତିଙ୍କୁ ବିରୋଧୀ ଦଳ ନେତା ଯେଭଳି ବ୍ୟବହାର କରୁଛନ୍ତି, ତାହା ଦେଖି ମୋତେ ଦୁଃଖ ଲାଗୁଛି। ଆପଣଙ୍କ ଦଳର ରାଜ୍ୟ ସଭାପତିଙ୍କ ଏଭଳି ଦୟନୀୟ ଅବସ୍ଥା ଦେଖି ଦୟାକରି ନିରବ ରହନ୍ତୁ ନାହିଁ ସେ କହିଛନ୍ତି l

ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦଯାପନୀ ସମାରୋହ…

() ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦଯାପନୀ ସମାରୋହ – ୨୦୨୩।

ଚାଷୀମାନଙ୍କ ଭାଗିଦାରୀ, ନିଷ୍ଠା ଓ ସହଯୋଗ ଯୋଗୁ ପାଣି ପଞ୍ଚାୟତ ଆଜି ଆନ୍ଦୋଳନରେ ପରିଣତ ହୋଇପାରିଛି – ମୁଖ୍ୟମନ୍ତ୍ରୀ।

ବୃହତ ଉଠା ଜଳସେଚନରେ ମଧ୍ୟ ପାଣି ପଞ୍ଚାୟତ କାର୍ଯ୍ୟକାରୀ ହେବ ଜଳର ସୁବିନିଯୋଗ ଓ ସୁଷମ ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ।

{} ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୩ ଉଦଯାପନ ସମାରୋହ ଆଜି ଲୋକସେବା ଭବନ, କନଭେନସନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଦଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ପାଣି ପଞ୍ଚାୟତ ଆଜି ଏକ ଆନ୍ଦୋଳନରେ ପରିଣତ ହୋଇଛି । ଚାଷୀ ଭାଇ ଭଉଣୀ ମାନଙ୍କ ଭାଗିଦାରୀ, ନିଷ୍ଠା ଓ ସହଯୋଗ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମାତ୍ର ୭୦୦ ପାଣି ପଞ୍ଚାୟତରୁ ଆରମ୍ଭ କରି ଆଜି ରାଜ୍ୟରେ ୩୭ ହଜାର ପାଣି ପଞ୍ଚାୟତ କାର୍ଯ୍ୟ କରୁଛି । ସେହିପରି ୩.୩୨ ଲକ୍ଷ ହେକ୍ଟର ଜମିରେ ଆରମ୍ଭ ହୋଇଥିବା ଏହି ପାଣି ପଞ୍ଚାୟତ ଆଜି ୨୩.୪୬ ଲକ୍ଷ ହେକ୍ଟର ଜମିରେ ପାଣିର ସୁବିଧା ଦେଇପାରୁଛି । ଏହା ବାସ୍ତବରେ ବହୁତ ବଡ ସଫଳତା ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ । ଏଗୁଡିକ ସବୁ ବିଭିନ୍ନ ପ୍ରମୁଖ, ମଧ୍ୟମ, କ୍ଷୁଦ୍ର ଓ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳରେ କାର୍ଯ୍ୟକାରୀ କରାଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ଦିନରେ ବୃହତ ଉଠାଜଳସେଚନ ପ୍ରକଳ୍ପ ଅଞ୍ଚଳରେ ମଧ୍ୟ ପାଣି ପଞ୍ଚାୟତ କାର୍ଯ୍ୟକାରୀ କରାଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଳ ଅମୂଲ୍ୟ । ଜଳବାୟୁ ପରିବର୍ତ୍ତନର ପ୍ରଥମ ପ୍ରଭାବ ପଡିବ ପାଣି ଉପରେ ଓ ଚାଷ ଉପରେ । ତେଣୁ ଜଳ ନଷ୍ଟ ନ କରି, ତାର ସୁବିନିଯୋଗ ଓ ସୁଷମ ବଣ୍ଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ । ସେ କହିଥିଲେ ଯେ Conserve, Reuse ଓ Recycle ଆମର ଲକ୍ଷ୍ୟ ହେବା ଦରକାର।

ଜଳ ସମ୍ପଦ ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଲେ ଯେ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ଦୂରଦୃଷ୍ଟି ରଖି ମୁଖ୍ୟମନ୍ତ୍ରୀ କାମ କରୁଛନ୍ତି। ଏଥିପାଇଁ ଜଳ ଭଳି ଅମୂଲ୍ୟ ସଂପଦ ଉପରେ ଗୁରୁତ୍ବ ଦେଇ ସେ ପାଣି ପଞ୍ଚାୟତ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି । ଗତ କିଛି ବର୍ଷରେ କୋଭିଡ ପାଇଁ ସ୍ଥଗିତ ଥିବା ଏହି ପକ୍ଷ ପାଳନ ସମାରୋହ ଚଳିତ ବର୍ଷ ସେଚ ପରିଚାଳନରେ ସମ୍ପୃକ୍ତ ପାଣି ପଞ୍ଚାୟତ ଓ ଅନ୍ୟାନ୍ୟ ହିତାଧିକାରୀଙ୍କୁ ନେଇ ତୃଣମୂଳ ସ୍ତରରେ ଜଳ ବଣ୍ଟନରେ ସମାନତା ଆଣିବା ଉଦ୍ଧେଶ୍ୟରେ ଅତି ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳନ କରାଯାଇଛି । ଏବେ ଅସମ୍ପୂର୍ଣ୍ଣ ଥିବା ବହୁ ପ୍ରକଳ୍ପ ଗୁଡିକ ସମ୍ପୂର୍ଣ୍ଣ ହେବା ପରେ ପାଣି ପଞ୍ଚାୟତ ମାନେ ଏହାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ ।ସୂଚନାଯୋଗ୍ୟ ଯେ କୋଭିଡ ପରବର୍ତ୍ତୀ ସମୟରେ ଏହି ପାଣି ପଞ୍ଚାୟତ ପକ୍ଷ ୧୧୭ ଟି ଜଳସେଚନ ବିଭାଜନରେ ଏବଂ ୩୦ ଟି ଜିଲ୍ଲାରେ ସହଭାଗୀ ସେଚ ପରିଚାଳନାରେ ସମ୍ପୃକ୍ତ ପାଣି ପଞ୍ଚାୟତ ଓ ଅନ୍ୟାନ୍ୟ ହିତାଧିକାରୀମାନଙ୍କୁ ନେଇ ଏହା ଅତି ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳିତ ହୋଇଯାଇଛି ।

ରାଜ୍ୟରେ ପାଣି ପଞ୍ଚାୟତର ପ୍ରଗତି ଯାତ୍ରାରେ ସେଚ ସହଭାଗିତା, ସେଚ ସହଭାଗିତା ପ୍ରଶିକ୍ଷଣ ସମ୍ବନ୍ଧୀୟ ପୁସ୍ତିକା “ସିଞ୍ଚିତା”, e-CAD ଅଧୀନରେ Infra ଏବଂ MIS Module ପରି application କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ । ଏହି ମୋଡ୍ୟୁଲ ପ୍ରକଳ୍ପଗୁଡିକର ବାସ୍ତବ ଓ ଆର୍ଥିକ ପ୍ରଗତିର ସଠିକ ସମୟରେ ପର୍ଯ୍ୟାଲୋଚନା ପାଇଁ ଉପଯୋଗୀ ସାବ୍ୟସ୍ତ ହେବ । ଆଜିର ଏହି ସମାରୋହରେ ବିଭିନ୍ନ ପ୍ରକଳ୍ପର ୪୦ ଗୋଟି ଶ୍ରେଷ୍ଠ ପାଣି ପଞ୍ଚାୟତ (ବୃହତ, ମଧ୍ୟମ, କ୍ଷୁଦ୍ର ଓ ଉଠାଜଳସେଚନ), ୩୦ ଜଣ ପ୍ରଗତିଶୀଳ କୃଷକ, Essay/ Debate/ Quiz/Painting ପ୍ରତିଯୋଗିତାର ୧୨ ଜଣ ବିଜେତା ତଥା ୧୨ ଟି ଶ୍ରେଷ୍ଠ ପ୍ରକଳ୍ପ ଏବଂ ୧୫ ଜଣ ଶ୍ରେଷ୍ଠ ଅଧିକାରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ବ୍ରହ୍ମଗିରି ମା ଜାଗୁଳାଇ ପାଣି ପଞ୍ଚାୟତର ଶ୍ରୀମତୀ ଗୀତାରାଣୀ ସାହୁ ଓ ଯାଜପୁର ବଡଚଣାର ମା ବ୍ରାହ୍ମଣୀଦେବୀ ପାଣି ପଞ୍ଚାୟତର ଶ୍ରୀ ନଳିନୀକାନ୍ତ ପୃଷ୍ଟି ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରି ପାଣି ପଞ୍ଚାୟତ ଜରିଆରେ ସେମାନେ କିପରି ସଫଳ ଜଳ ପରିଚାଳନା କରି ଚାଷରେ ଉନ୍ନତି ଆଣିପାରିଛନ୍ତି, ସେ ବିଷୟରେ ପ୍ରକାଶ କରିଥିଲେ ।  ସ୍ବାଗତ ଭାଷଣ ଦେଇ ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଲେ ଯେ ମେଗାଲିଫ୍ଟ ପ୍ରକଳ୍ପ ମାନଙ୍କରେ ପାଣି ପଞ୍ଚାୟତ ଗଠନ କରିବା ପାଇଁ ପାଣି ପଞ୍ଚାୟତ ନିୟମରେ ସଂଶୋଧନ କରାଯିବା ସହିତ 5-T ମାଧ୍ୟମରେ ଅନେକ ସଂସ୍କାରମୂଳକ ପଦକ୍ଷେପ ମାନ ନିଆଯାଇଛି ।

ମୁଖ୍ୟଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news