()ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ବିୟୋଗରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।ସ୍ବର୍ଗତ ଦାସ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଶ୍ରୀ ପଟନାୟକ କହିଛନ୍ତି ଯେ ସ୍ବର୍ଗତ ଦାସ ଜଣେ ଦକ୍ଷ ସଂଗଠକ ଅଭିଜ୍ଞ ପ୍ରଶାସକ ଥିଲେ ଓ ଲୋକପ୍ରିୟ ରାଜନେତା ଥିଲେ.ଓଡିଶା ସରକାର ର ମନ୍ତ୍ରୀ ଭାବରେ ସେ ଶିଳ୍ପ,ଉଚ୍ଚଶିକ୍ଷା ପରି ଗୁରୁତ୍ୱ ପୂର୍ଣ୍ଣ ବିଭାଗ ର ମନ୍ତ୍ରୀ ଭାବରେ କାର୍ଯ୍ୟ କରି ରାଜ୍ୟ ର ବିକାଶ ରେ ଉଲ୍ଲେଖ ନୀୟ ଯୋଗଦାନ ରଖି ଯାଇଛନ୍ତି. ବିଜୁ ଜନତା ଦଳ ବାଲେଶ୍ୱର ଜିଲ୍ଲା ସଭାପତି ଭାବରେ ମଧ୍ୟ ସେ କାର୍ଯ୍ୟ କରିଥିଲେ. ତାଙ୍କ ବିୟୋଗ ରେ ରାଜ୍ୟ ଜଣେ ଅଭିଜ୍ଞ ରାଜନେତା ଙ୍କୁ ହରାଇଲା ଏବଂ ବିଜୁ ଜନତା ଦଳ ଜଣେ ନିଷ୍ଠାପର ସଂଗଠକ କୁ ହରାଇଲା ବୋଲି ଶ୍ରୀ ପଟନାୟକ କହିଛନ୍ତି। ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ଶ୍ରୀ ପଟନାୟକ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।
ମା ବିରଜାଙ୍କ ସିଂହଦ୍ୱାର ଅନ୍ଧାର…
() ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା।ଦେଶର ୫୧ଟି ଶକ୍ତିପୀଠ ମଧ୍ୟରୁ ମା ବିରଜା ପୀଠ ଅନ୍ୟତମ। ଦେଶର ଶକ୍ତିପୀଠ ମଧ୍ୟରେ ବିରଜା ପୀଠରେ କେବଳ ରଥଯାତ୍ରା ହୁଏ।ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠକୁ ପ୍ରତ୍ୟେକ ଦିନ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁମାନେ ମାଙ୍କ ଦର୍ଶନ କରିବା ପାଇଁ ଛୁଟି ଆସିଛନ୍ତି। ସବୁବେଳେ ମାଙ୍କ ପୀଠ ଚଳଚଂଚଳ। ହେଲେ ବର୍ଷକରୁ ଅଧିକ ସମୟଧରି ବିରଜା ମନ୍ଦିରର ସିଂହଦ୍ୱାର ଷ୍ଟ୍ରିଟ ଲାଇଟ ଖରାପ ହୋଇ ଯାଇଥିବାରୁ ପ୍ରବେଶ ପଥ ଅନ୍ଧାର ରହୁଛି। ଫଳରେ ମାଙ୍କୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ବିରଜା ମନ୍ଦିରର ପୂଜକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରି ପ୍ରବେଶ ପଥ ଅନ୍ଧାର ଥିବାରୁ ଚୋରୀର ଭୟ ମଧ୍ୟ ରହୁଛି। ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ସିଂହଦ୍ଵାର ଲାଇଟ୍ ମରାମତି କରିବାକୁ ସାଧାରଣରେ ଦାବି ହେଉଛି। ସରକାର ବଦଳିବା ପରେ ମା ବିରଜାଙ୍କ ପରିକ୍ରମା ପ୍ରକଳ୍ପ କାମ ମଧ୍ଯ ଠପ୍ ହୋଇଯାଇଥିବାରୁ ଯାଜପୁରବାସୀ ମାନେ ଚିନ୍ତାପ୍ରକଟ କରିଛନ୍ତି। ନିକଟରେ ଆଇନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୂର୍ଥିରାଜ ହରିଚନ୍ଦନ ମା ମନ୍ଦିରର ବିକାଶ କାମ ସମୀକ୍ଷା କରିଥିଲେ। ମନ୍ଦିର ବିକାଶ କାମ ଆରମ୍ଭ ହୋଇନଥିବା ବେଳେ ପ୍ରଵେଶ ପଥ ଅନ୍ଧାର ହେବା ସାଧାରଣରେ ଅସନ୍ତୋଷ ଦେଖାଦେଇଛି। କେବେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିବ, ପ୍ରଵେଶ ପଥରେ ଲାଇଟ ଜଳିବ ତାକୁ ଚାହିଁ ବସିଛନ୍ତି ଶ୍ରଦ୍ଧାଳୁମାନେ।
ମହିଳା ସଶକ୍ତ ହେଲେ ହିଁ ସମାଜ ଆଗକୁ ବଢ଼ିବ: ସୋଆ ଉପସଭାପତି
ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ କାର୍ଯ୍ୟରତ ମହିଳାମାନଙ୍କ ପକ୍ଷରୁ ଶୁକ୍ରବାର ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ ସୋଆର ମହିଳା କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଏହି ଅବସରରେ ଶ୍ରୀମତି ଦାସ ନିଜର ଅଭିଭାଷଣରେ କହିଛନ୍ତି ଯେ ନାରୀ ସମ୍ମାନର ଅଧିକାରିଣୀ । ଆଜି ପୁରୁଷ ସହ ସମସ୍କନ୍ଧ ହୋଇ ଉତୁଙ୍ଗ ଶିଖର ଛୁଇଁବା ସହ ଯୁଦ୍ଧ ବିମାନର ସଫଳ ଚାଳିକା ହୋଇପାରିଛି ନାରୀ । ଉଦ୍ୟୋଗ ଜଗତରେ ସଫଳତା ହାସଲ କରିବା ସହ କଳା, ଭାସ୍କର୍ଯ୍ୟ ଓ ଗବେଷଣା କ୍ଷେତ୍ରରେ ସେ ବେଶ ନିପୁଣା । ଘର ସମ୍ଭାଳିବାରେ ମଧ୍ୟ ନାରୀ ବେଶ ପାରଙ୍ଗମ ବୋଲି କହିଛନ୍ତି ଶ୍ରୀମତି ଦାସ । ମହିଳା ସଶକ୍ତ ହେଲେ ହିଁ ସମାଜ ଆଗକୁ ବଢ଼ିବ । ନାରୀ ସଶକ୍ତୀକରଣ କ୍ଷେତ୍ରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ତା’ର ପ୍ରୟାସ ନିରବଚ୍ଛିନ୍ନ ଭାବେ ଜାରି ରଖିଛି ବୋଲି ଶ୍ରୀମତି ଦାସ କହିଛନ୍ତି ।କେବଳ ଶିକ୍ଷା କିମ୍ବା ସ୍ୱାସ୍ଥ୍ୟ କ୍ଷେତ୍ରରେ ନୁହେଁ ବରଂ ବିଭିନ୍ନ ବିଭାଗରେ ନିଜର ବହୁମୂଲ୍ୟ ଯୋଗଦାନ ଦେଇ ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ଏହି ଦୃଷ୍ଟିରୁ ସେମାନେ ବିଶ୍ୱବିଦ୍ୟାଳୟ ଓ ସାରା ରାଜ୍ୟରେ ଉଦାହରଣ ପାଲଟିଛନ୍ତି ବୋଲି ଆନନ୍ଦ ବ୍ୟକ୍ତ କରିଛନ୍ତି ସୋଆର ଉପସଭାପତି ଶ୍ରୀମତି ଦାସ । ଏହି କାର୍ଯ୍ୟକ୍ରମରେ ଉପକୁଳପତି ପ୍ରଫେସର ନୀତା ମହାନ୍ତି, ସୋଆର କଂଟ୍ରୋଲର ଅଫ୍ ଏଗ୍ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ପ୍ରାଚୀନ୍ର ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡା ନାରୀ ସଶକ୍ତୀକରଣ ଏବଂ ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ । ନିଜ ଅନୁଭୂତି ବଖାଣି ଏହି ପ୍ରମୁଖ ମହିଳାମାନେ ଝିଅମାନଙ୍କ ସମେତ ପୁଅମାନଙ୍କୁ ମଧ୍ୟ ଉପଯୁକ୍ତ ସଂସ୍କାର ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ର ଡିନ୍ ପ୍ରଫେସର ରୁଚି ଭୂୟାଁ, ସମ୍ ନର୍ସିଂ କଲେଜର ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତୀ ତ୍ରିପାଠୀ ଓ ଏସ୍ଏନ୍ସି -୧ର ଡିନ୍ ପ୍ରଫେସର ସସ୍ମିତା ଦାସଙ୍କ ସମେତ ବିଭିନ୍ନ ବିଭାଗୀୟ ମୁଖ୍ୟ, ପ୍ରଫେସର, ଫ୍ୟାକଲି୍ଟ. କାର୍ଯ୍ୟରତ ମହିଳା କର୍ମଚାରୀ ଏବଂ ସୁମା ରିୟଲ୍ ମିଡିଆ ପ୍ରାଇଭେଟ ଲିମିଟେଡ୍ର ମହିଳା ସାମ୍ବାଦିକାମାନେ ଯୋଗ ଦେଇଥିଲେ ।
ସୂଚନା ଯୋଗ୍ୟ ଯେ ସୋଆର ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୫୪ ପ୍ରତିଶତ ଛାତ୍ରୀ ହୋଇଥିବା ବେଳେ ବିଭିନ୍ନ ଅନୁଷ୍ଠାନର ମହିଳା ଫ୍ୟାକଲ୍ଟି ଓ କର୍ମଚାରୀଙ୍କ ସଂଖ୍ୟା ୪୨ ପ୍ରତିଶତ ମହିଳା । ସେହିପରି ୪୬ ଜଣ ମହିଳା ସୋଆର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟରତ ଅଛନ୍ତି ।ଏହି କାର୍ଯ୍ୟକ୍ରମରେ ଆଡିସ୍ନାଲ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିିଆର୍ , ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଆନ୍ତର୍ଜାତିକ ମହିଳା ଦିବସରେ ୧ କୋଟି ମହିଳା ପାଇଲେ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଗଂଜାମ ଜିଲ୍ଲାର ବ୍ରହ୍ମପୁର ସହରର ଆମ୍ବପୁଆ ଠାରେ ରାଜ୍ୟର ୧ କୋଟି ମହିଳାଙ୍କୁ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ୫୧ତମ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ୯ ମାସର ଆମର ନୂଆ ସରକାର ଆଜି ରାଜ୍ୟର ୧ କୋଟିରୁ ଅଧିକ ମା’ଙ୍କ ପାଇଁ ଆର୍ଥିକ ସ୍ୱାଧୀନତାର ରାସ୍ତା ଖୋଲି ପାରିଛି । ସବୁ ମା’ଙ୍କୁ ୨ଟି କିସ୍ତିରେ ୧୦ ହଜାର ଟଙ୍କା ଲେଖାଏଁ ମିଳିଲା। ସେ ଦୃଷ୍ଟିରୁ, ମୁଖ୍ୟମନ୍ତ୍ରୀ ଭାବେ ଆଜି ଦିନଟି ମୋ ପାଇଁ ସବୁଠାରୁ ସନ୍ତୋଷର ଦିନ ଓ ସବୁଠାରୁ ଗୌରବର ଦିନ ।କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କୁ ସମାଲୋଚନା କରି କହିଛନ୍ତିଯେ, ଯେଉଁମାନେ ପଚାରୁଛନ୍ତି ଯେ ଆମ ସରକାର ୯ ମାସରେ କ’ଣ କରିଛି, ସେମାନଙ୍କୁ କୁହନ୍ତୁ ଯେ ୨୪ ବର୍ଷରେ ଯେଉଁ ସରକାର ମହିଳାଙ୍କ ପାଇଁ କେବଳ ସ୍ଲୋଗାନ ଦେଉଥିଲେ, ମୋହନ ସରକାର କ୍ଷମତାକୁ ଆସିବାର ମାତ୍ର ୨୪ ମିନିଟ ମଧ୍ୟରେ ଐତିହାସିକ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଖୁସିର ବିଷୟ ଯେ ତିନିମାସ ମଧ୍ୟରେ କାର୍ଯ୍ୟ ଆରମ୍ଭ କରି ଆଜି ୯ ମାସ ମଧ୍ୟରେ ଏକ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରାର ଦ୍ଵିତୀୟ କିସ୍ତି ପ୍ରଦାନ କରିଛନ୍ତି। ସେ ଆହୁରି ମଧ୍ୟ କହିଥିଲେଯେ, ଆମର ନିନ୍ଦୁକମାନେ ଭୁଲି ଯାଇଛନ୍ତି ଯେ ଶିଶୁଟିଏ ଜନ୍ମ ହେବାକୁ ମଧ୍ୟ ମା’ ଗର୍ଭରେ ୯ ମାସ ବିତେଇବାକୁ ପଡିଥାଏ। ଆମ ସରକାରର ୯ ମାସ ପୂରଣ କରିବାକୁ ଆହୁରି ଚାରିଦିନ ବାକି ଅଛି। କିନ୍ତୁ, ଏହି ସ୍ୱଳ୍ପ ସମୟ ଭିତରେ ଆମେ ଓଡିଶାର ଜନସାଧାରଣଙ୍କ ପାଇଁ ଯେଉଁ କାର୍ଯ୍ୟ କରି ପାରିଛୁ, ତାହା ସେମାନେ ପ୍ରକୃତରେ ବିଶ୍ୱାସ କରିପାରୁ ନାହାନ୍ତି। ସେମାନେ ବିଶ୍ୱାସ କରି ପାରୁନାହାନ୍ତି ଯେ ଚାଷୀଙ୍କୁ ୨୪ ବର୍ଷ ରେ MSP ଠାରୁ କିଛି ଅଧିକ ଟଙ୍କା ଦେଇ ପାରିଲେ ନାହିଁ , କିନ୍ତୁ ଏ ନୂଆ ସରକାର କିପରି ଭାବେ ୨୪ ମିନିଟରେ କୁଇଣ୍ଟାଲ ପିଛା ୧୦୦ ନୁହେଁ, ୮୦୦ ଟଙ୍କା ଦେବା ପାଇଁ ନିଷ୍ଫତ୍ତି ନେଇଗଲେ।ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଜବାବ ରଖି କହିଥିଲେଯେ, ୨୪ ବର୍ଷ ଧରି ଆପଣ ଯାହା କରିବାକୁ ଚିନ୍ତା କରିପାରି ନ ଥିଲେ ଆମେ ତାକୁ କାର୍ଯ୍ୟରେ ପରିଣତ କରିଛୁ। ଗରିବ ପରିବାରଙ୍କ କନ୍ୟା ସନ୍ତାନ ବିବାହ ଏବଂ ରାଜ୍ୟର ଗରିବ ଜନସାଧାରଣଙ୍କୁ ନିଃଶୁଳ୍କ ଜଗନ୍ନାଥ ଦର୍ଶନ କରାଇବାର ନିଷ୍ପତ୍ତି ମଧ୍ୟ ଆମେ ନେଇଛୁ। ସେ ପୁଣି କହିଥିଲେ, ଏହି କାର୍ଯ୍ୟକ୍ରମ ଆଜି ଏକ ବିପ୍ଲବରେ ପରିଣତ ହୋଇଛି, ସୁଭଦ୍ରା ବିପ୍ଲବ। କାରଣ ସୁଭଦ୍ରା ଯୋଜନା କେବଳ ବର୍ଷକୁ ଦୁଇଥର ସହାୟତା ବାଣ୍ଟିବା କାର୍ଯ୍ୟକ୍ରମ ନୁହେଁ। ସୁଭଦ୍ରା ଯୋଜନା ଏକ ବ୍ୟାପକ ଅଭିଯାନର ରୂପ ନେବାକୁ ଯାଉଛି। କିଶୋରୀ ମାନଙ୍କଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ବୟସର ମହିଳାମାନେ ସଶକ୍ତ ଏବଂ ସମୃଦ୍ଧ ହୋଇପାରିବାର ବ୍ୟବସ୍ଥା କରାଯାଉଛି। ଏହା ରାଜ୍ୟର ପ୍ରତ୍ୟେକ ସୁଭଦ୍ରାଙ୍କ ମନରେ ଏକ ନୂତନ ଆଶା ଓ ବିଶ୍ୱାସର ସଂଚାର କରିବ। ମହିଳାଙ୍କ ବିରୁଦ୍ଧରେ ହିଂସା ଏବଂ ଅସଦାଚରଣ କରୁଥିବା ବ୍ୟକ୍ତିଙ୍କ ପାଇଁ କଡା ବାର୍ତ୍ତା ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ମହିଳାଙ୍କ ବିରୁଦ୍ଧରେ ହିଂସାରେ ଲିପ୍ତ ବ୍ୟକ୍ତି ସରକାର, ବିଶେଷଭାବେ ବ୍ୟକ୍ତିଗତ ଭାବେ ମୋ ପାଇଁ କେବଳ ଜଣେ ଜଣେ ଅପରାଧୀ, ଏବଂ ଏହିପରି ଅପରାଧୀଙ୍କ ସ୍ଥାନ ଜେଲର ଚାରିକାନ୍ଥ ମଧ୍ୟରେ, ସଭ୍ୟ ସମାଜରେ ତାଙ୍କର କୌଣସି ସ୍ଥାନ ନାହିଁ। ଏହାକୁ କଡାକଡି ଭାବେ ପାଳନ କରିବା ପାଇଁ ମୁଁ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇସାରିଛି। ସେ ପୁଣି କହିଥିଲେଯେ, ମହିଳା ମାନଙ୍କୁ ଲକ୍ଷପତି କରାଇବା ପାଇଁ ‘ଲକ୍ଷପତି ଦିଦି’ ଯୋଜନା ଆରମ୍ଭ ହୋଇଛି । ସାରା ଦେଶରେ 3 କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି । ଆମ ରାଜ୍ୟ ଲକ୍ଷପତି ଦିଦି ଯୋଜନାକୁ କାର୍ଯ୍ୟକାରୀ କରି ସମଗ୍ର ଭାରତବର୍ଷରେ ଦ୍ଵିତୀୟ ସ୍ଥାନ ହାସଲ କରିଛି; ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରି ସାରିଲୁଣି । ଓଡିଶାରେ ଆମେ ୨୦୨୭ ସୁଦ୍ଧା ଅତି କମ୍ ରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାର କାର୍ଯ୍ୟକ୍ରମ ଜାରି ରଖିଛୁ । ବିଗତ ୨୪ ବର୍ଷରେ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନରେ ରହିଯାଇଥିଲା। କିନ୍ତୁ, ଆମ ସରକାର ମହିଳାଙ୍କୁ ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିକ ସ୍ତରରେ ସଶକ୍ତ କରିବା ପାଇଁ ଶପଥ ନେଇ ବିଭିନ୍ନ କାର୍ଯ୍ୟ ଓ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାରେ ୬୩୮ କୋଟିରୁ ଅଧିକ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ୪୯୩ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିବା ବେଳେ ୧୪୫ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରାଯାଇଛି । ସୂଚନା ଥାଉକି, ଏଥିରେ ଅନେକ ଜଳଯୋଗାଣ ପ୍ରକଳ୍ପ, ସଡ଼କ ଉନ୍ନତିକରଣ, ସେତୁ ନିର୍ମାଣ, ଚେକ୍ ଡ୍ୟାମ୍ ପ୍ରକଳ୍ପ, ସ୍ୱାସ୍ଥ୍ୟସେବା କେନ୍ଦ୍ର ସ୍ଥାପନ, ଇନ୍ଷ୍ଟ୍ରିମ୍ ଷ୍ଟୋରେଜ୍ ପ୍ରକଳ୍ପ ଆଦି ପ୍ରକଳ୍ପ ରହିଛି । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଥିଲେଯେ ସୁଭଦ୍ରା ଆଜି ୧ କୋଟିରୁ ଉର୍ଦ୍ଧ୍ଵ ମହିଳାଙ୍କ ପାଖରେ ପହଂଚିଛି। କଥା ଦେଇ ଆମ ସରକାର ଆଜି କଥା ରଖିଛନ୍ତି। ୮ ମାସ ମଧ୍ୟରେ ଏହି ଯେଉଁ ପ୍ରତିଶ୍ରୁତି ଆମେ ଦେଇଥିଲୁଯେ ମହିଳାଙ୍କୁ ସଶକ୍ତ କରିବୁ ଏବଂ ତାହା ଏହି ଭଳି ଭାବେ ଆଗକୁ ମଧ୍ୟ ଆମେ ପୂର୍ଣ୍ଣ କରିବୁ ।ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ, ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବାଣିଜ୍ୟ, ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା, ବ୍ରହ୍ମପୁର ସାଂସଦ ଶ୍ରୀ ପ୍ରଦୀପ ପାଣିଗ୍ରାହୀ, ଆସିକା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ ଓ ଗଂଜାମ ଜିଲ୍ଲାର ସମସ୍ତ ବିଧାୟକ ମାନେ ଉପସ୍ଥିତ ଥିଲେ।ଉକ୍ତ କାର୍ଯ୍ୟକ୍ରମରେ ମହିଳା ଏବଂ ଶିଶୁବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ, ଗଂଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଧନ୍ୟବାଦ ଦେଇଥିଲେ।
ସମ୍ରେ ପାର୍କିନ୍ସନ୍ ସମସ୍ୟାକୁ ନେଇ ସଫଳ ମସ୍ତିଷ୍କ ଅସ୍ତ୍ରୋପଚାର
() ସୋଆ ପରିଚାଳିତ ସ୍ଥାନୀୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ସ୍ନାୟୁ ଜନିତ ବ୍ୟାଧି ପାର୍କିନ୍ସନ୍ସ ଡିଜିଜ ସମସ୍ୟାରେ ଦୀର୍ଘ ବର୍ଷ ଧରି ପୀଡ଼ିତ ଥିବା ଜଣେ ୩୬ ବର୍ଷୀୟା ମହିଳାଙ୍କର ଡିପ୍ ବ୍ରେନ୍ ଷ୍ଟିମୁଲେସନ୍ (ଡିବିଏସ୍) ମାଧ୍ୟମରେ ସଫଳ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଛି । ଏହି ଅସ୍ତ୍ରୋପଚାର ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିବା ନିମନ୍ତେ ଗତ ମଙ୍ଗଳବାର ସମ ହସ୍ପିଟାଲ୍ରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏଥିରେ ସୂଚନା ଦେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ତଥା ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର କହିଥିଲେ ଯେ ଏହି ସମସ୍ୟା ମସ୍ତିଷ୍କରେ ସଂକ୍ରମଣ ଓ ରକ୍ତପ୍ରବାହରେ ସମସ୍ୟା ଯୋଗୁଁ ଉପୁଜିଥାଏ । ଏପରିକି ପ୍ରଦୁଷଣ ମଧ୍ୟ ଏହି ରୋଗର ଅନ୍ୟ ଏକ ପ୍ରମୁଖ କାରଣ ହୋଇପାରେ । ଏହି ରୋଗରେ ହାତ ଓ ଗୋଡ ଥରିଥାଏ, ପାଟିରୁ ଲାଳ ମଧ୍ୟ ବୋହିଥାଏ । ମଣିଷ ଦୈନନ୍ଦିନ କାର୍ଯ୍ୟ କରିବାରେ ଅକ୍ଷମ ହୋଇପଡ଼େ । ପୂର୍ବରୁ ଏହି ସମସ୍ୟାକୁ କେବଳ ଔଷଧ ମାଧ୍ୟମରେ ଚିକିତ୍ସା କରାଯାଉଥିବା ବେଳେ ଏବେ ଅସ୍ତ୍ରୋପଚାର ମାଧ୍ୟମରେ ଏହାର ଚିକିତ୍ସା କରାଯାଉଥିବା ପ୍ରଫେସର ମହାପାତ୍ର କହିଥିଲେ । ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ଏହି ଡିପ୍ ବ୍ରେନ୍ ଷ୍ଟିମୁଲେସନ୍ ସର୍ଜରୀ ଓଡ଼ିଶାରେ ପ୍ରଥମ ଥର ପାଇଁ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ କରାଯାଇଛି । ଅସ୍ତ୍ରୋପଚାର ପରେ ରୋଗୀ ଜଣକ ସୁସ୍ଥ ଥିବା ସେ କହିଛନ୍ତି । ମହିଳା ଜଣକ ଦୀର୍ଘ ବର୍ଷ ଧରି ପାର୍କିନ୍ସନ୍ସ ବ୍ୟାଧିରେ ପୀଡ଼ିତ ଥିବା ବେଳେ ତାଙ୍କ ସମସ୍ୟା ଗଭୀର ହେବାକୁ ଲାଗିବାରୁ ତାଙ୍କର ମସ୍ତିଷ୍କରେ ଡିପ୍ ବ୍ରେନ୍ ଷ୍ଟିମୁଲେସନ୍ (ଡିବିଏସ୍) ଅସ୍ତ୍ରୋପଚାର କରାଯାଇ ତାଙ୍କ ଜୀବନ ଶୈଳୀକୁ ସରଳ କରାଯିବାର ପ୍ରଚେଷ୍ଟା କରାଯାଇଛି ବୋଲି କହିଛନ୍ତି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତଥା ସମ୍ ହସ୍ପିଟାଲ୍ର ନ୍ୟୁରୋ ମେଡିସିନ୍ ବିଭାଗର ପ୍ରଫେସର (ଡାକ୍ତର) ଲୁଲୁପ୍ କୁମାର ସାହୁ । ରୋଗ ସମ୍ପର୍କରେ ଅଧିକ ସୂଚନା ଦେଇ ପାର୍କିନ୍ସନ୍ସ ଡିଜିଜ୍ ଆଣ୍ଡ ମୁଭ୍ମେଂଟ ଡିଜ୍ଅର୍ଡର ବିଶେଷଜ୍ଞ ପ୍ରଫେସର (ଡାକ୍ତର) ସାହୁ କହିଛନ୍ତି ଯେ ଏହି ସମସ୍ୟା ୪ ଓ ୫ ବର୍ଷ ରୁ ଅଧିକ ସମୟ ରହିଲେ ଔଷଧ ଆଉ କାମ କରି ନଥାଏ । ତେଣୁ ଅସ୍ତ୍ରୋପଚାର କରିବାକୁ ପଡ଼ିଥାଏ । ପ୍ରାୟତଃ ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖାଦେଉଥିବା ବେଳେ ବର୍ତମାନ ଯୁବପିଢ଼ିଙ୍କ ମଧ୍ୟରେ ଏହି ସମସ୍ୟା ପରିଲକ୍ଷିତ ହେଉଛି ବୋଲି ପ୍ରଫେସର (ଡାକ୍ତର) ସାହୁ କହିଛନ୍ତି । ଯଦିଓ ଏହି ଅସ୍ତ୍ରୋପଚାର ଦ୍ୱାରା ରୋଗୀ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇପାରି ନଥାଏ ତେବେ ଏହା ଜୀବନ ଶୈଳୀର ମାନକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ ବୋଲି ସେ କହିଥିଲେ । ଅସ୍ତ୍ରୋପଚାର ସମ୍ପର୍କରେ ସୂଚନା ଦେଇ ସମ୍ ହସ୍ପିଟାଲ୍ର ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସୌଭାଗ୍ୟ ପାଣିଗ୍ରାହୀ କହିଥିଲେ ଯେ ଏହି ଅସ୍ତ୍ରୋପଚାର ପାଇଁ ପ୍ରାୟ ୭ ରୁ ୮ ଘଂଟା ସମୟ ଲାଗିଥାଏ । ଅସ୍ତ୍ରୋପଚାର ସମୟରେ ରୋଗୀ ଜଣକ ସଚେତନ ଥାଏ ବୋଲି ପ୍ରଫେସର (ଡାକ୍ତର) ପାଣିଗ୍ରାହୀ କହିଥିଲେ । ମସ୍ତିଷ୍କର କୋଷିକାରେ ଡୋପାମାଇନ୍ ଉତ୍ପାଦନର ମାତ୍ରା କମିଗଲେ ଏହି ସମସ୍ୟା ଦେଖାଯାଏ ବୋଲି ସେ କହିଛନ୍ତି । ଏହି ସମସ୍ୟାରେ ମଣିଷ ଚାଲିପାରି ନଥାଏ, ଲେଖି ପାରି ନଥାଏ, ହାତ ଏବଂ ଗୋଡ ଥରିଥାଏ ଓ ସ୍ୱର କ୍ଷୀଣ ହୋଇଯାଇଥାଏ ବୋଲି ସେ କହିଥିଲେ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନ୍ୟୁରୋଲଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଶ୍ରୀକାନ୍ତ କୁମାର ସାହୁ ଏବଂ ନ୍ୟୁରୋ ସର୍ଜରୀ ବିଭାଗର ପ୍ରଫେସର (ଡାକ୍ତର) ରାମ ଚନ୍ଦ୍ର ଦେଓ ଉପସ୍ଥିତ ଥିଲେ ।
ଓଡ଼ିଶାର ମହିଳାଙ୍କୁ ନ୍ୟାୟ ଦେବାପାଇଁ କଂଗ୍ରେସ ଦୁର୍ବାର ଆନ୍ଦୋଳନ କରିବ-ଭକ୍ତଚରଣ ଦାସ…
() ଆଜି ପ୍ରଦେଶ କଂଗ୍ରେସ ଏବଂ ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ମିଳିତ ଭାବେ ମାଷ୍ଟରକ୍ୟାଂଟିନ ଛକରେ ବିଶ୍ୱମହିଳା ଦିବସ ପାଳନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଦେଶ ମହିଳା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ମିନାକ୍ଷୀ ବାହିନୀପତି ଅଧ୍ୟକ୍ଷତା କରିଥିଲେ । ମହିଳା କଂଗ୍ରେସର ନେତୃବୃନ୍ଦ, କର୍ମକର୍ତା ଓ କର୍ମୀମାନେ ମୁହଁରେ କଳାପଟି ବାନ୍ଧି ଅଭିନବ ଉପାୟରେ ବିଶ୍ୱମହିଳା ଦିବସ ପାଳନ କରିଥିଲେ । ଓଡ଼ିଶାରେ ମହିଳାମାନଙ୍କର ଦୟନୀୟ ପରିସ୍ଥିତି ଓ ଅସନ୍ତୋଷକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟକ୍ତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ କହିଥିଲେ ଯେ ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ମହିଳା ଉପେକ୍ଷିତ, ନିର୍ଯ୍ୟାତିତ ଓ ଲୁଣ୍ଡିତ । ମହିଳାମାନଙ୍କୁ ସୁରକ୍ଷା ଦେବା ଓ ସ୍ୱାବଲମ୍ବି କରିବାର ପ୍ରତିଶ୍ରୁତି ଦେଇ ବିଜେପି ଦଳ କ୍ଷମତାସୀନ ହେଲା ମାତ୍ର କ୍ଷମତାପ୍ରାପ୍ତ ହେଲାପରେ ମହିଳାଙ୍କୁ ଏବେ ପ୍ରତାରିତ କରୁଛି । ଏଠି “ନରେନ୍ଦ୍ର-ମୋହନ” ସରକାରରେ ମହିଳା ଅତ୍ୟାଚାର ସୀମାଲଙ୍ଘନ କଲାଣି । ମାତ୍ର ସରକାର ନିଷ୍କ୍ରିୟ ଓ ନିଦକ ହୋଇ ବସିଛି । ପୂର୍ବ ସରକାର ସମୟରେ ବିଜେପି ଦଳ ପକ୍ଷରୁ ମହିଳା ଅତ୍ୟାଚାର ପ୍ରସଙ୍ଗରେ ରାଜରାସ୍ତାରେ ଚିତ୍କାର କରାଯାଉଥିଲା । କିନ୍ତୁ କ୍ଷମତାସୀନ ହେଲାପରେ ମହିଳାମାନଙ୍କର ନିର୍ଯ୍ୟାତନା ପ୍ରସଙ୍ଗକୁ ବିଜେପି ଅଣଦେଖା କରୁଛି କାହିଁକି ଶ୍ରୀ ଦାସ କହିଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝର ଆଶ୍ରମ ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଗର୍ଭବତି, ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ମାଲକାନଗିରିର ଚିତ୍ରକୋଣ୍ଡାରେ ଦଶମ ଶ୍ରେଣୀର ଛାତ୍ରୀ ମା’ ହୋଇଛନ୍ତି । ଢ଼େଙ୍କାନାଳରେ ଜଣେ ମହିଳାଙ୍କୁ ୭ଜଣ ପୁରୁଷଙ୍କର ଦୀର୍ଘଦିନ ଧରି ଗଣଦୁଷ୍କର୍ମ, ଯାଜପୁରରେ ମାଟ୍ରିକ ପରିକ୍ଷାର୍ଥୀ କନ୍ୟାଶ୍ରମରେ ଗର୍ଭବତୀ, କଟକରେ ଇଟାଭାଟିରେ ନାବାଳିକାକୁ ଦୁଷ୍କର୍ମ, ଲକ୍ଷ୍ମୀପୁରରେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ, ବଲାଙ୍ଗିରୀରେ ମହିଳାଙ୍କୁ ଦୁଷ୍କର୍ମ ଏବଂ ମଳ ଖୁଆଇବା ଭଳି ଘଟଣା ପ୍ରତିଦିନ ଏ ରାଜ୍ୟରେ ଘଟୁଛି । ନିଳଗିରିରେ ଧର୍ମାନ୍ତରୀକରଣର ମିଥ୍ୟା ଅଭିଯୋଗରେ ଦୁଇଜଣ ନିରୀହ ଆଦିବାସୀ ମହିଳାଙ୍କୁ ଗୈରିକ ସଂଗଠନର ସଭ୍ୟମାନେ ଲଙ୍ଗଳାକରି ଗଛରେ ବାନ୍ଧି ଯୋତାରେ ପଟିଲେ ସେହିପରି ପାଲଲହଡ଼ାରେ ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା, ଭଦ୍ରକରେ ମହିଳାଙ୍କୁ ଦୁଷ୍କର୍ମ ଓ ୭ବର୍ଷର ନାବାଳିକାକୁ ହତ୍ୟା । ପ୍ରତିଦିନ ମହିଳାଙ୍କ ଉପରେ ଅକଥନୀୟ ଅତ୍ୟାଚାର ହେଉଛି । ମୋହନ ସରକାରର ୮ ମାସ ଭିତରେ ୧୬ଶହ ମହିଳା ଅତ୍ୟାଚାରିତ ହୋଇଥିବାର କେସ ଦରଜ ହୋଇଥିବା ବେଳେ ହଜାର ହଜାର ମହିଳା ଅତ୍ୟାଚାର ଘଟଣା ଅନ୍ଧକାରରେ ଲୁଚିଯାଉଛି ।
ସ୍କୁଲ, କଲେଜ, ୟୁନିର୍ଭସିଟି ସବୁଠି ମହିଳା ଅସୁରକ୍ଷିତ । ଏପରିକି କ୍ୟାମ୍ପସ ଭିତରେ ଅକଥନୀୟ ମହିଳା ଅତ୍ୟାଚାର ଚାଲିଛି । ସେଥିପାଇଁ ଛାତ୍ରୀ ଆତ୍ମହତ୍ୟା ବୃଦ୍ଧି ପାଉଛି । ଜନନାୟକ ରାହୁଲ ଗାନ୍ଧୀଙ୍କ “ନାରୀ ନ୍ୟାୟ” କଂଗ୍ରେସର ନିର୍ବାଚନୀ ଇସ୍ତାହାରରେ ସ୍ଥାନୀତ ହୋଇଥିଲା । ରାହୁଲ ଗାନ୍ଧୀଙ୍କର ଆହ୍ୱାନକୁ ସଫଳ କରିବାପାଇଁ ଏବଂ ଓଡ଼ିଶାର ମହିଳାମାନଙ୍କୁ ନ୍ୟାୟ ଦେବାପାଇଁ କଂଗ୍ରେସ ଦୁର୍ବାର ଆନ୍ଦୋଳନ କରିବ । ଏହି ଆନ୍ଦୋଳନରେ ଓଡ଼ିଶାର ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ପ୍ରତ୍ୟେକ ପରିବାରରୁ ମହିଳାମାନେ ଅଂଶଗ୍ରହଣ କରିବାକୁ ଶ୍ରୀ ଦାସ ଆହ୍ୱାନ ଦେଇଛନ୍ତି । ପ୍ରତ୍ୟେକ ଜିଲ୍ଲାରେ କଂଗ୍ରେସ ପକ୍ଷରୁ ଆଗାମୀ ୧୦ ତାରିଖରେ ମହିଳା ଅତ୍ୟାଚାର ପ୍ରସଙ୍ଗରେ ହେଉଥିବା ଆନ୍ଦୋଳନରେ ବିପୁଳ ସଂଖ୍ୟାରେ ଯୋଗଦେବାକୁ ଶ୍ରୀ ଦାସ ନିବେଦନ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ମଲିକାର୍ଜ୍ଜୁନ ଖଡ଼ଗେ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ତଥା ମହିୟସୀ ମହିଳା ଶ୍ରୀମତୀ ସୋନିଆ ଗାନ୍ଧୀ ଦେଶରେ ମହିଳାମାନଙ୍କ ଜାଗରଣ ପାଇଁ ଆହ୍ୱାନ ଦେଇଛନ୍ତି । ଶ୍ରୀ ଦାସ ଆଜି ଏହି ସମାବେଶରେ ମହିଳା ଜାଗରଣ ଏବଂ ମହିଳା ବିପ୍ଳବ ପାଇଁ ସ୍ଲୋଗାନ ଦେଇଥିଲେ । ପ୍ରଦେଶ ମହିଳା କଂଗ୍ରେସର ପୂର୍ବତନ ସଭାନେତ୍ରୀ ଶ୍ରୀମତୀ ବାହିନୀପତି କହିଥିଲେ ଯେ ପିସିସି ସଭାପତିଙ୍କ ନେତୃତ୍ୱରେ ଓଡ଼ିଶାର ପ୍ରତିଟି ଅତ୍ୟାଚାରିତ ମହିଳାମାନଙ୍କ ପଛରେ କଂଗ୍ରେସ ଦୃଢ଼ ଭାବେ ଠିଆ ହେବ ଏବଂ ସେମାନେ ନ୍ୟାୟ ପାଇବା ପର୍ଯ୍ୟନ୍ତ ସେମାନଙ୍କ ସଂଗ୍ରାମରେ ସାମିଲ ଦେବ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀ ଜୟଦେବ ଜେନା, ତାରାପ୍ରସାଦ ବାହିନୀପତି, ରାମଚନ୍ଦ୍ର କାଡାମ, ଜଗନ୍ନାଥ ପଟ୍ଟନାୟକ, ପଂଚାନନ କାନୁନଗୋ, ମାନସ ଚୌଧୁରୀ, ବିଶ୍ୱଜିତ ଦାଶ, ୟାସିର ନୱାଜ, ରଣଜିତ ପାତ୍ର, ଉଦିତ ପ୍ରଧାନ, ସସ୍ମିତା ବେହେରା,ସିଦ୍ଧାର୍ଥ ସ୍ୱରୂପ ଦାଶ, ରାଜନ ଏକ୍କା, ରତ୍ନମଣୀ ଉଲ୍ଲାକା, ନକୁଳ ନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ମନୋଜ ଜେନା, ମନୋଜ ବିଶ୍ୱାଳ, ମହମ୍ମଦ ଇମଦାଦ, ଅମରେଶ ପରିଡ଼ା, ଅମୀୟ ପାଣ୍ଡବ, ସୁଧାଂଶୁ ଦେଓ, ଅଜୟ ସାହୁ,ସିପ୍ରା ମଲ୍ଲିକ, ପ୍ରଣତୀ ମିଶ୍ର, ଶ୍ରୀୟାସ୍ମିତା ପଣ୍ଡା, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ଶିଳ୍ପିଶ୍ରୀ ହରିଚନ୍ଦନ, ସସ୍ମିତା ପଣ୍ଡା, ନଳିନୀ ରଥ, ତୃପ୍ତିମୟୀ ପଟ୍ଟନାୟକ, ଶ୍ରୀୟା ମହାନ୍ତି, ପ୍ରାଚୀ ରାଉତରାୟ, କବିତା ପ୍ରିୟଦର୍ଶିନୀ ଦାସ, ସ୍ୱାଗତିକା ପଟ୍ଟନାୟକ, ନିରୁପମା ପାତ୍ର, ଜୟଶ୍ରୀ ପଟ୍ଟନାୟକ, ଜୟଶ୍ରୀ ପାତ୍ର, କୁସୁମ ପ୍ରଧାନ, ପ୍ରଭାବତି ପଟ୍ଟନାୟକ, କଳ୍ପନା ପଣ୍ଡା, ଜାନକୀ ମଲ୍ଲିକ, ଅମିତା ବଶ୍ୱାଳ, ମୌସୁମି ସାହୁ, ବିନ୍ଧାବିନୀ ସାହୁ,ଦିପ୍ତିମୟୀ ପ୍ରଧାନ, ଉର୍ବଶୀ ମିଶ୍ର, ସୁରଭି ବିଶୋଇ, ମହମ୍ମଦ ଗୁଲଫାମ, ବଟକୃଷ୍ଣ ରାଉତରାୟ, ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଗିତାଞ୍ଜଳି ମହାନ୍ତି ସଭାକାର୍ଯ୍ୟ ପରିଚାଳନା କରିଥିଲେ ।
ସୋଆ ଛାତ୍ରଛାତ୍ରୀଙ୍କୁ ଜୀବନର ସୂତ୍ର ଶିଖାଇଲେ ଅଭିନେତା ଆଶିଷ ବିଦ୍ୟାର୍ଥୀ …
()ପାଠପଢ଼ା ଶେଷ ହେବା ପରେ ପ୍ରକୃତ ଜୀବନ ଆରମ୍ଭ ହୋଇଥାଏ । ତେବେ ଜୀବନ ଯେଉଁ ପ୍ରତିବନ୍ଧକ ଗୁଡ଼ିକ ସମ୍ମୁଖରେ ଆଣି ରଖିବ ତୁମକୁ ତାହାର ସାମ୍ନା କରିବାକୁ ପଡ଼ିବ ବୋଲି ଛାତ୍ରଛାତ୍ରୀମାନଙ୍କୁ କହିଛନ୍ତି ବିଶିଷ୍ଟ ବଲିଉଡ୍ ଅଭିନେତା ତଥା ପ୍ରେରଣାଦାୟୀ ବକ୍ତା ଆଶିଷ ବିଦ୍ୟାର୍ଥୀ ।
ପାଠ୍ୟକ୍ରମରୁ ଶିକ୍ଷା କରିଥିବା ଜ୍ଞାନ ପ୍ରାୟତଃ ଜୀବନରେ ଆବଶ୍ୟକ ହୋଇ ନଥାଏ । ତେଣୁ ନିଜ ଭବିଷ୍ୟତ ନିଜେ ଗଢ଼ିବାକୁ ପଡ଼ିବ ବୋଲି ଶୁକ୍ରବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପକ୍ଷରୁ ଆୟୋଜିତ ଦୁଇ ଦିନିଆ ବାର୍ଷିକ ସୋଆ ଏଚ୍ଆର୍ କନ୍କ୍ଲେଭ୍ ‘ସୋଆ ପ୍ରୋକ୍ସିମା’ର ୬ଷ୍ଠ ସଂସ୍କରଣର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଏହା କହିଛନ୍ତି ବିଦ୍ୟାର୍ଥୀ ।୧୧ଟି ବିଭିନ୍ନ ଭାଷାରେ ୩୫୦ ରୁ ଊର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରିସାରିଥିବା ବିଦ୍ୟାର୍ଥୀ କହିଛନ୍ତି ଯେ ତୁମେ କେଉଁଠାରୁ ଆସିଛ ତାହା କିଛି ଫରକ ପକାଏ ନାହିଁ । କିନ୍ତୁ ତୁମେ କେଉଁ ଦିଗରେ ଗତି କରୁଛ ତାହା ଗୁରୁତ୍ୱ ରଖେ । ୧୯୯୪ ମସିହାରେ ଗୋବିନ୍ଦ ନିହାଲାନୀଙ୍କ ନିର୍ମିତ ଚଳଚ୍ଚିତ୍ର ‘ଦ୍ରୋହ କାଲ’ ନିମନ୍ତେ ପ୍ରଥମଥର ପାଇଁ ଜାତୀୟ ପୁରସ୍କାର ହାସଲ କରିଥିବା ଅଭିନେତା ବିଦ୍ୟାର୍ଥୀ କହିଥିଲେ ଯେ ସେ ଗୋଟିଏ ଅନାମଧେୟ ସ୍ଥାନରୁ ବାହାରି ଆସି ନିଜର ସ୍ୱପ୍ନ ପୂରଣ କରିବାକୁ ଯାତ୍ରା ଆରମ୍ଭ କରିଥିଲେ । “ଯଦି କେହି ବ୍ୟକ୍ତି ତୁମକୁ ଥଟ୍ଟା କରୁଛି ତେବେ ମନ ଦୁଃଖ କର ନାହିଁ । ବରଂ ନମ୍ର ରହି ନିଜକୁ ଅଧିକ ଦୃଢ଼ କର ଓ ତ୍ରୁଟିଗୁଡ଼ିକୁ ସୁଧାରିବାକୁ ଚେଷ୍ଟା କର” ବୋଲି ସେ କହିଥିଲେ । ଟାଇମ୍ସ ନାଓ ସହ ସହଭାଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୫୦୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଫ୍ୟାକଲ୍ଟି ଓ କର୍ପୋରେଟ ଜଗତର ନେତୃବୃନ୍ଦ ଯୋଗ ଦେଇଥିଲେ । ଏହା ବିଦ୍ୟା ଜଗତ ଓ ଶିଳ୍ପ ମଧ୍ୟରେ ଏକ ସେତୁ ସ୍ଥାପନ କରିବା ସହ ଯୁବବର୍ଗଙ୍କ ମଧ୍ୟରେ ନୂତନ ଚିନ୍ତା ଜାଗ୍ରତ କରିବା ତଥା ଜ୍ଞାନର ପ୍ରସାରଣ ନିମନ୍ତେ ଏକ ପ୍ରଚେଷ୍ଟା ଥିଲା । ଏହା ଛଡ଼ା ଏହି କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିଳ୍ପ ଜଗତର ନେତୃବୃନ୍ଦଙ୍କ ସଂସ୍ପର୍ଶରେ ଆସିବାରେ ମଧ୍ୟ ସହାୟକ ହୋଇଥିଲା ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୋଆ ଉପଦେଷ୍ଟା ମଣ୍ଡଳୀ ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ନିଜର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ କର୍ପୋରେଟ ରିଲେସନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏନ୍ଗେଜ୍ମେଂଟ ନିର୍ଦ୍ଦେଶକ ଶ୍ରୀ ରିପ୍ତୀ ରଞ୍ଜନ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଭୁବନେଶ୍ୱର ଟାଟା କନ୍ସଲଟାନ୍ସି ସର୍ଭିସେସ୍ (ଟିସିଏସ୍)ର ଡେଲିଭରି ସେଂଟର ହେଡ ଶ୍ରୀ ବିଭୁ ପଣ୍ଡା ଏବଂ ଟିସିଏସ୍ର ଏକାଡେମିକ ଆଲାୟନ୍ସେସ୍ ଗ୍ରୁପ୍, ଇଣ୍ଡିଆ (ଇଷ୍ଟ)ର ଆଂଚଳିକ ମୁଖ୍ୟ ଶ୍ରୀ ସୈାଭିକ ଦାସ ମଧ୍ୟ ବକ୍ତବ୍ୟ ରଖିଥିଲେ ।
କାର୍ଯ୍ୟକ୍ରମରେ ୨୪ ଜଣ ବିଶିଷ୍ଟ ମାନବ ସମ୍ବଳ ନେତୃବୃନ୍ଦ ବକ୍ତବ୍ୟ ରଖିଥିବା ବେଳେ ୧୨ ଟି ବିଭିନ୍ନ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ସେହିପରି ସୋଆ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ୩୫ଟି ଅଭିନବ ପ୍ରକଳ୍ପକୁ ପ୍ରଦର୍ଶନୀ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବର୍ତମାନ ପରିସ୍ଥିତିରେ ଶିଳ୍ପ କ୍ଷେ୍ତ୍ରର ଆବଶ୍ୟକତା, ପାଠ୍ୟକ୍ରମ ବ୍ୟତୀତ ଆବଶ୍ୟକୀୟ ଦକ୍ଷତା ଏବଂ ଶିକ୍ଷା ଓ ଶିଳ୍ପ ମଧ୍ୟରେ ସଂଯୋଗ ସ୍ଥାପନ କରିବା ଦିଗରେ ଗୁରୁତ୍ୱ ଦିଆଯାଇଥିଲା । ସାରା ଭାରତର ବିଭିନ୍ନ ପ୍ରାନ୍ତରୁ ଆଇଟି ଏବଂ ଶିଳ୍ପ କ୍ଷେତ୍ରର ପ୍ରାୟ ୧୧୭ ଜଣ ମାନବ ସମ୍ବଳ ବିଶେଷଜ୍ଞ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଷ୍ଟାଣ୍ଡ ଅପ୍ କମେଡିଆନ୍ ବିପୁଲ ଗୋୟଲଙ୍କର ପ୍ରଦର୍ଶନ ସୋଆ ଛାତ୍ରଛାତ୍ରୀଙ୍କୁ ବିମୋହିତ କରିଥିଲା । ଏହି ଅବସରରେ ସୋଆର ସବୁଠାରୁ ମହତ୍ୱପୂର୍ଣ୍ଣ କ୍ୟାମ୍ପସ୍ ପାର୍ଟନର ଭାବେ ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍ (ଟିସିଏସ୍)କୁ ମାନ୍ୟତା ପ୍ରଦାନ କରାଯାଇଥିଲା । ୨୦୦୭ ମସିହାରୁ ସୋଆ ସହିତ ଟିସିଏସ୍ର ସମ୍ପର୍କ ରହିଥିବା ବେଳେ ଏହି ଅନୁଷ୍ଠାନ ଏ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ୪୫୦୦ରୁ ଅଧିକ ନିଯୁକ୍ତି ସୁଯୋଗ ଦେଇଛି ।
ସେହିପରି ଏହି କାର୍ଯ୍ୟକ୍ରମରେ ସୋଆ ପକ୍ଷରୁ ୩୦ ଜଣ ମାନବ ସମ୍ବଳ ବିଶେଷଜ୍ଞଙ୍କୁ ଏହି କ୍ଷେତ୍ରରେ ନିଜର ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା ।
ଆଦିବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବିଜେଡିର ଲଢେଇ ଜାରୀ ରହିବ – ନବୀନ ପଟ୍ଟନାୟକ …..
ମାଲକାନଗିରି ମୋଟୁରେ ପୋଲାଭରମ ବିରୋଧୀ ବିଶାଳ ସମାବେଶ ।
ଯୋଗଦେଲେ ଓଡିଶ ସମେତ ଛତିଶଗଡ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ପ୍ରତିନିଧି |
ରାଜନୈତିକ ଦୃଷ୍ଟିକୋଣରୁ କେନ୍ଦ୍ରୀୟ ସମ୍ବଳର ବଣ୍ଟନ ସଙ୍ଘୀୟ ବ୍ୟବସ୍ଥାକୁ ଦୁର୍ବଳ କରିଦେଉଛି ।
ଆଦିବାସୀଙ୍କ ସ୍ୱାର୍ଥ ଅପେକ୍ଷା ବିଜେପି ନିଜ ଦଳର ରାଜନୈତିକ ସ୍ୱାର୍ଥ ଉପରେ ଅଧିକ ଗୁରୁତ୍ୱ ଦେଉଛି ।
ଆଦିବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବିଜେଡିର ଲଢେଇ ଜାରୀ ରହିବ – ନବୀନ ପଟ୍ଟନାୟକ ।
ଗୋଦାବରୀ ନଦୀ ଉପରେ ନିର୍ମିତ ହେବାକୁ ଯାଉଥିବା ପୋଲାଭରମ ପ୍ରକଳ୍ପ ବିରୋଧରେ ଆଜି ମାଲକାନଗିରିର ମୋଟୁଠାରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିରାଟ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜୁ ଜନତା ଦଳ ସମେତ ୧୪ ଟି ଆଦିବାସୀ ସଂଗଠନର ପ୍ରତିନିଧି, ଦଳିତ ସମାଜ, ବହୁଜନ ସମାଜ ପାର୍ଟି ଆଦି ବିଭିନ୍ନ ଦଳ ଓ ସଂଗଠନ ଅଂଶ ଗ୍ରହଣ କରି ପୋଲାଭରମ ପ୍ରକଳ୍ପ ବିରୋଧରେ ଲଢେଇ ଜାରୀ ରଖିବା ପାଇଁ ସଂକଳ୍ପ ଘୋଷଣା କରିଥିଲେ ।
ଭୁବନେଶ୍ୱରରୁ ଏହି ସମାବେଶକୁ ଭିଡିଓ କନ୍ଫରେନସିଂ ଜରିଆରେ ସମ୍ବୋଧିତ କରି ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ପୋଲାଭରମ ପ୍ରକଳ୍ପ ମାଲକାନଗିରିର ଆଦିବାସୀ ଭାଇଭଉଣୀଙ୍କର ସ୍ୱାର୍ଥ ବିରୋଧୀ । ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରିର ବହୁ ଗାଁ ଜଳମଗ୍ନ ହେବ ଏବଂ ହଜାର ହଜାର ଆଦିବାସୀ ସେମାନଙ୍କର ଭିଟାମାଟି ହରାଇବେ । ତେଣୁ ଏହି ପ୍ରକଳ୍ପକୁ ବିଜୁ ଜନତା ଦଳ ବିରୋଧ କରି ଆସୁଛି । ଏଥିପାଇଁ ସୁପ୍ରିମ କୋର୍ଟରେ ମଧ୍ୟ ମୋକଦ୍ଦମା କରାଯାଇଛି । ଏହି ପ୍ରକଳ୍ପ ବିଷୟରେ ଗୋଦାବରୀ ନଦୀ କୂଳସ୍ଥ ରାଜ୍ୟମାନଙ୍କ ସହିତ ଆଲୋଚନା କରି ନିଷ୍ପତ୍ତି ନେବା ପାଇଁ ସୁପ୍ରିମ କୋର୍ଟଙ୍କ ଆଦେଶକୁ ମଧ୍ୟ ଉପେକ୍ଷା କରାଯାଇଛି । ବିଜୁ ଜନତା ଦଳର ବିରୋଧ ଯୋଗୁଁ ପ୍ରକଳ୍ପ କାମ ଧିମେଇ ଯାଇଥିଲା । ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପୋଲାଭରମ ପ୍ରକଳ୍ପ ଦ୍ୱାରା ଓଡିଶାର ଯେଉଁ କ୍ଷତି ହେବ ସେ ସମ୍ପର୍କରେ ବିଭିନ୍ନ ସମୟରେ ସେ ପ୍ରଧାନ ମନ୍ତ୍ରୀ ଓ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ରାଜନୈତିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ପ୍ରକଳ୍ପକୁ ସମର୍ଥନ କରୁଛି । ବିଜେପି ପାଇଁ ତାଙ୍କ ଦଳର ସ୍ୱାର୍ଥ ଆଦିବାସୀଙ୍କ ସ୍ୱାର୍ଥ ଠାରୁ ବଡ ହୋଇଯାଇଛି ।ଶ୍ରୀ ପଟ୍ଟନାୟକ କହିଲେ, ଗତ ଦୁଇ ଦୁଇଟି ବଜେଟ୍ରେ କେନ୍ଦ୍ର ସରକାର ପୋଲାଭରମ ପ୍ରକଳ୍ପ ପାଇଁ ୧୮ ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି ଏବଂ ପ୍ରକଳ୍ପ କାମକୁ ଆଗେଇ ନେବାକୁ ଚାହୁଁଛନ୍ତି । ରାଜନୈତିକ ଦୃଷ୍ଟିକୋଣ ଆଧାରରେ କେନ୍ଦ୍ରୀୟ ସମ୍ବଳର ବଣ୍ଟନ ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରିଦେଉଛି ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇ ପ୍ରକଳ୍ପ ବିରୋଧରେ ବିଜୁ ଜନତା ଦଳର ଲଢେଇ ଜାରୀ ରହିବ ବୋଲି ଘୋଷଣା କରିଥିଲେ ।ପ୍ରକଳ୍ପର ସଂଶୋଧିତ ନକ୍ସାର ଉପଯୁକ୍ତ ସମୀକ୍ଷା, ମୂଲ୍ୟାୟନ ଏବଂ Back Water Computation ନ କରି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବା ଦ୍ୱାରା ଏହା ଆମର ଆଦିବାସୀ ଭାଇଭଉଣୀମାନଙ୍କ ପାଇଁ ବଡ ବିପଦର କାରଣ ହୋଇଛି । ଗୋଦାବରୀ ନଦୀ ଜଳ ବିବାଦ Tribunal ର Award କୁ ଉଲ୍ଲଙ୍ଘନ କରି କେନ୍ଦ୍ର ଓ ଆନ୍ଧ୍ର ସରକାର ପ୍ରକଳ୍ପ କାମକୁ ଆଗେଇ ନେଉଥିବାରୁ ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ । ଓଡିଶାର ଜଣେ ବିଶିଷ୍ଟ ଆଦିବାସୀ ନେତା ବର୍ତ୍ତମାନ କେନ୍ଦ୍ର ଆଦିବାସୀ ବ୍ୟାପାର ବିଭାଗ ଦାୟୀତ୍ୱରେ ଥିବାରୁ ଓଡିଶାର ଆଦିବାସୀ ଭାଇଭଉଣୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସେ ନିଶ୍ଚୟ ଉଦ୍ୟମ କରିବେ ବୋଲି ଶ୍ରୀ ପଟ୍ଟନାୟକ ଆଶା ବ୍ୟକ୍ତ କରିଥିଲେ ।
ଏହି ସମାବେଶରେ ବିଜୁ ଜନତା ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ବିଜେଡିର ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ପୂର୍ବତନ ମନ୍ତ୍ରୀ ଶ୍ରୀ ରମେଶ ମାଝୀ, ବିଜେଡିର ବରିଷ୍ଠ ନେତା ଶ୍ରୀ ଭୃଗୁ ବକ୍ସିପାତ୍ରଙ୍କ ସମେତ ଛତିଶଗଡା, ଆନ୍ଧ୍ର ଓ ତେଲେଙ୍ଗାନାର ନେତାମାନେ ଯୋଗ ଦେଇ ଆଦିବାସୀଙ୍କ ସ୍ୱାର୍ଥର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ପୂର୍ବତନ ସାଂସଦ ଶ୍ରୀ ପ୍ରଦୀପ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।
ବିଧାନସଭାରେ କିଟ୍ ତାତି: ବିଜେଡି _କଂଗ୍ରେସ _ବିଜେପି ଏମିତି କହିଲେ….
()କିଟ୍ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଲୋଚନାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ମନ୍ତବ୍ୟ…
କିଟ୍ ଛାତ୍ରଛାତ୍ରୀ ମାନଙ୍କୁ ମାଡ଼ ମାରଗଲା । ମନ୍ତ୍ରୀ କହିଲେ ରାଜ୍ୟ ସରକାର ନିନ୍ଦା କରୁଛନ୍ତି । କିଟ୍ କର୍ତ୍ତୃପକ୍ଷ ଯାହା କରିଛନ୍ତି ତାକୁ କେବଳ କାଗଜ ପତ୍ରରେ ନିନ୍ଦା କଲେ ହେବ ନାହିଁ । ନେପାଳ ଓ ଭାରତର ସମ୍ପର୍କ ବହୁ ପୁରୁଣା । ପଶୁପତି ଜଗନ୍ନାଥ ଏକ ଅନ୍ତରାତ୍ମା ସମ୍ପର୍କ । ଯେତେବେଳେ ନେପାଳ ମହାରାଜା ଆସନ୍ତି, ସେତେବେଳେ ଓଡ଼ିଶା ସରକାର ସ୍ବାଗତ କରନ୍ତି ଓ ପୁରୀ ମହାରାଜା ତାଙ୍କ ସହ ରୁହନ୍ତୁ । ନେପାଳରୁ ହରିଣର କସ୍ତୁରୀ ଆସିଲେ ପୂଜା ହୁଏ । ଆଦିବାସୀ ପିଲାଙ୍କୁ କିସ୍ ରେ ପାଠ ପଢ଼ାଉଛନ୍ତି । ଏହାକୁ ଆମେ ସ୍ବାଗତ କରୁଛୁ । ସେ ତାଙ୍କ ଜମି ବିକ୍ରି କରି ପଢ଼ାଉନାହାନ୍ତି । ଯେଉଁ ଅର୍ଥ ଆଣୁଛନ୍ତି, ସେ ଉପରେ କିଛି କହିବାକୁ ଚାହୁଁନି । ଯେତେବେଳେ ମାଆ ମାଟିର କଥା ପଡ଼ିଛି । ଜଗନ୍ନାଥ ସଂସ୍କୃତି କଥା ପଡ଼ିଛି । ଗୃହ ସେଠି କାହା ସହ compromise କରିନି । ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଲା, ତୁମ ନେପାଳର ବଜେଟ ଯେତିକି ନାହିଁ, ସେତିକି ଆମେ ତୁମକୁ ଖାଇବାକୁ ଦେଉଛୁ । ବାଉନସର ମାନେ ପିଲା ମାନଙ୍କୁ ବାଡେଇଲେ । କଟକ ଷ୍ଟେସନରେ ନେଇ ପିଲାଙ୍କୁ ଛଡ଼ାଗଲା । ହୃଦୟ ବିଦାରକ କାନ୍ଦଣା ସେମାନଙ୍କର । ଏ ଘଟଣାରେ କେବେ ବି compromise କରାଯାଇ ପାରିବନି । କିଟ୍ ରେ ଆଗରୁ ବହୁତ ଘଟଣା ଘଟିଛି । ଆଗରୁ କେବେ କାର୍ଯ୍ୟନୁଷ୍ଠାନ ହୋଇଛି କି ? ଝିଅ କର୍ତ୍ତୃପକ୍ଷଙ୍କୁ କହିଛି ଯଦି ତାକୁ ବଞ୍ଚାଇ ପାରିଥାନ୍ତେ । କେତେ ଆଇଏଏସ ଓ ଆଇପିଏସ ଅଫିସରଙ୍କ ସ୍ତ୍ରୀ ମାନେ କାମ କରୁଛନ୍ତି । ସିସି ଟିଭି ଯାଞ୍ଚ କରାଯାଉ । ବହୁତ ବିଶ୍ଵ ସ୍ତରୀୟ ଲୋକ ଆୱାର୍ଡ଼ ଆଣୁଛନ୍ତି । ପଇସା ଆଣୁଛନ୍ତି, ଖାଅ ମର । ଜଗନ୍ନାଥଙ୍କ ନାଁରେ ଯିଏ ଅନ୍ୟାୟ କରିବ । ଦିନେ ନା ଦିନ ସେ ଲୋକଲୋଚନକୁ ଆସିବ । ପୁରା କଲେଜକୁ କାହିଁକି ସାଇନ୍ ଏ ଡାଏ କଲେ ନାହିଁ ? କେବଳ ନେପାଳ ପିଲା ମାନଙ୍କୁ ସାଇନ୍ ଏ ଡାଏ ହେଲା । ଜାଣିଶୁଣି ଯେହେତୁ ସେମାନେ ବିଦେଶୀ, ତାଙ୍କୁ ନିର୍ଯାତନା କଲେ । ଭାରତର ଓ ଓଡ଼ିଶାର ପିଲା ମାନେ ବିଦେଶରେ ପାଠ ପଢ଼ୁଛନ୍ତି । ଆମ ପିଲାଙ୍କୁ କିଏ ସୁରକ୍ଷା ଦେବ । ଏହା ଅନ୍ତର୍ଜାତୀୟ ପ୍ରସଙ୍ଗ । ସମସ୍ତ ବିଚାରକ ଓ ବୁଦ୍ଧିଜୀବୀ ମାନଙ୍କୁ ପ୍ରଶ୍ନ ବିଦେଶୀ ପିଲାଙ୍କୁ ଯଦି ଆମେ ସୁରକ୍ଷା ଦିଆଯାଇପାରିବ ନାହିଁ, ତେବେ ଆମ ପିଲାଙ୍କୁ କିଏ ସୁରକ୍ଷା ଦେବ । କେତେ ଲୋକଙ୍କୁ ଗିରଫ କରାଯାଇଛି । ଯେଉଁ ମହିଳା ମାନେ ଭିଡିଓରେ କହୁଥିଲେ, ସେମାନେ ଗିରଫ ହେଲେ କି ? ସେ ବାଉଁସର୍ ମାଡ଼ ମାରୁଥିଲେ ସେମାନେ ଗିରଫ ହେଲେ କି ? ଅଚ୍ୟୁତ ସାମନ୍ତଙ୍କ ଉପରେ କଣ କାର୍ଯ୍ୟନୁଷ୍ଠାନ ହୋଇଛି ? ଯଦି ଜଣେ ଶିକ୍ଷକ ଚାପୁଡେ ମାରିଲେ ତାଙ୍କୁ ଯଦି ଜେଲ ରେ ପୁରାଇ ଦିଆଯାଉଛି । ତାହେଲେ ତାଙ୍କୁ କାହିଁକି ଗିରଫ କରାଯିବନି । ତୁରନ୍ତ ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରାଯାଉ । ବିଚାର ବିଭାଗୀୟ ତଦନ୍ତ କରାଯାଉ ବୋଲି ଦାବି କଲେ ତାରା । ସିସି ଟିଭି ଯାଞ୍ଚ କରାଯାଉ ବୋଲି ଦାବି କଲେ ତାରା ।
କିଟ୍ ଘଟଣାକୁ ନେଇ ମୁଲତବୀ ଆଲୋଚନାରେ ବିଜେଡ଼ି ବିଧାୟକ ଗଣେଶ୍ୱର ବେହେରାଙ୍କ ମନ୍ତବ୍ୟ…
ରାଜ୍ୟ ସରକାର ନିଜ ଭୂମିକା ବାବଦରେ ଆତ୍ମସମୀକ୍ଷା କରିବା ସହ ବିଚାର କରନ୍ତୁ । – ଅପରାଧୀ ଦଣ୍ଡ ପାଉ ଏବଂ ଅପରାଧୀକୁ ପ୍ରଶୟ ଦେଉଥିବା ବ୍ୟକ୍ତି ମଧ୍ୟ ଦଣ୍ଡ ପାଉ । କିନ୍ତୁ ସଂପୂର୍ଣ୍ଣ ବିଶ୍ଵବିଦ୍ୟାଳୟର ସମସ୍ତଙ୍କୁ ଦୋଷୀ ନଭାବନ୍ତୁ । ତଦନ୍ତ କମିଟିର ଦକ୍ଷତା ଉପରେ ସନ୍ଦେହ ନାହିଁ । କିନ୍ତୁ ତଦନ୍ତର ଫଳାଫଳ ଆସିଲା ନାହିଁ । ମନ୍ତ୍ରୀ ଜବାବ ଦିଅନ୍ତୁ, ତଦନ୍ତ କମିଟି ରିପୋର୍ଟ କେତେ ଦିନରେ ଆସିବ। ରିପୋର୍ଟ ସାର୍ବଜନୀନ କରନ୍ତୁ ଏବଂ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ସରକାର ।କିଟ ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଏହାକୁ ବିଶ୍ଳେଷଣ କରିବାକୁ ବ୍ୟଥା ଅନୁଭବ କରୁଛି । ପ୍ରଶ୍ନ ଉଠୁଛି ଏ ଘଟଣା ଘଟିଲା କାହିଁକି ? କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଲା । ପାଞ୍ଚ ସପ୍ତାହ ଧରି ଛାତ୍ରୀ ଜଣଙ୍କ ଅଭିଯୋଗ ଆଣିଲେ ସୁଦ୍ଧା କର୍ତ୍ତୃପକ୍ଷ କିଛି ଶୁଣିଲେ ନାହିଁ । ଦୁଇ ରାଷ୍ଟ୍ର ମଧ୍ୟରେ ଥିବା ନିବିଡ଼ ସମ୍ପର୍କରେ ଆଞ୍ଚ ଆସିଲା । ବିଶ୍ୱବିଦ୍ୟାଳୟ ଏବଂ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି । ଘଟଣା ଅଣାୟତ୍ତ ହୋଇଗଲା, ଦାଇତ୍ୱ ସମ୍ପନ୍ନ ବ୍ୟକ୍ତି କେବେ ଏମିତି କହିବେ ନାହିଁ । ଏହା ଏକ ଅପରାଧ । ତୁମ ଦେଶ ଜିଡିପି ଠାରୁ ଆମ କଲେଜ ବଜେଟ ଅଧିକ, ଏଭଳି ମନ୍ତବ୍ୟ ଆଦୌ କ୍ଷମା ଯୋଗ୍ୟ ନୁହେଁ । ଏଭଳି ମନ୍ତବ୍ୟ ଦେଇଥିବା ପ୍ରଫେସର, ଯେତେବେଳେ ନେପାଳ ପ୍ରଧାନମନ୍ତ୍ରୀ ଟୁଇଟ କଲେ, ରାଜ୍ୟ ସରକାର ହସ୍ତକ୍ଷେପ କଲେ । ବର୍ତ୍ତମାନ ସୁଦ୍ଧା 800 ପିଲା ଫେରି ନାହାନ୍ତି ।
କିଟ୍ ପ୍ରସଙ୍ଗକୁ ନେଇ ମୁଲତବୀ ଆଲୋଚନା ବେଳେ ବିଜେପି ବିଧାୟକ ବାବୁ ସିଂଙ୍କ ମନ୍ତବ୍ୟ…
1991ରେ ଯିଏ ମହର୍ଷି କଲେଜରେ ପାଠ ପଢ଼ାଉଥିଲେ । 800 ଟଙ୍କା ପାଉଥିଲେ । 32 ବର୍ଷ ପରେ 15 ହଜାର କୋଟିର ମାଲିକ ଅଚ୍ୟୁତ ସାମନ୍ତ ।ତାଙ୍କ ଉଦ୍ଦେଶ୍ୟ ମନ୍ଦ ବୋଲି ଜଣା ପଡ଼ୁଛି । ବିଜୁ ପଟ୍ଟନାୟକ ସରକାର ସମୟରେ ITI କରିବାକୁ ଲୋନ ନେଲେ । ଯାହା ଗରିବ ପିଲାଙ୍କ ପାଇଁ ମିଳିବା କଥା । ସେ ପାଇସା AICTE ଦ୍ୱାରା ଆଣି ନିଜ ଲଙ୍କା ସାମ୍ରାଜ୍ୟ କଲେ । ଶିକ୍ଷା ନାଁରେ କଳା କାରନାମା ।ଭଣ୍ଡ ସାରଥୀ ଯେପରି ସମାଜକୁ କଳୁଷିତ କରୁଥିଲେ, ସେପରି ଅଚ୍ୟୁତ ସମାଜକୁ ଲୁଣ୍ଠନ କରି ରାଜ୍ୟ ଓ ଦେଶକୁ ଲଜ୍ଜିତ କରିଛି ।*ଯେତେବେଳେ ସେ ଦୁର୍ନୀତିର ପାହାଡ଼ ଉପରେ ଥିଲେ, ଆଦିବାସୀ ଜମି ମାଡି ବସିଲେ, ସେତେବେଳେ ବିଜେଡି ଏହି ଡକାୟତଙ୍କୁ ସାଂସଦ କଲେ ।*ବିନା BDA ଅନୁମତି, ଜଙ୍ଗଲ ଜମିରେ ବଡ଼ ବଡ଼ ଅଟାଳିକା ନିର୍ମାଣ କଲେ । କେଉଁ ସରକାର ତାଙ୍କୁ ପ୍ରୋତ୍ସାହନ ଦେଲା ? ପ୍ରଦୀପ ପାଣିଗ୍ରାହୀଙ୍କୁ ଧମାକାଇଲେ । ଦୁର୍ନୀତିଗ୍ରସ୍ତଙ୍କ ଢାଲ ହେଲେ, ଖାଲରେ ପଡିବେ । ପଥରଗାଡ଼ିଆ ମୌଜାରେ ଖାତା ନମ୍ବର 420, 891 ଜମି ହଡପ କଲେ । ଯେଉଁ ପୂର୍ବ ସରକାର ଲୋକ ଜମି ନେବାରେ ସାହାଯ୍ୟ କରିଛନ୍ତି, ଉତ୍ତର ଦେବେ କି ? ବରମୁଣ୍ଡା ହାଉସିଂ ବୋର୍ଡରେ ଜଙ୍ଗଲ ଜମି ଥିବାରୁ ମାଲିକାନା ମିଳୁନି । ହେଲେ ବିଜେଡି ସରକାର ସମୟରେ ଅଚ୍ୟୁତ ସାମନ୍ତଙ୍କ ପାଇଁ କିସମ ପରିବର୍ତ୍ତନ କରି ଦେଲେ । କୌଣସି ଦଳର ନେତାଙ୍କ ପିଲା ପଢି ପାରନ୍ତି କି ଚାକିରୀ କରି ପାରନ୍ତି । ହେଲେ ବିଜେପି ସେମାନଙ୍କୁ ଗଣ୍ଡଗୋଳ କି ଜମି ଦଖଲ କରିବକୁ ଶିଖାଏ ନାହିଁ । SC ST ଲୋକଙ୍କୁ କିଟ୍ ରେ ଚାକିରୀ ଦେଉଥିଲେ । ଆଉ ପରେ SC ST ଲୋକଙ୍କୁ କମ ଦାମରେ ଧମକାଇ ଜମି ନେଉଥିଲେ । ଆଦିବାସୀ ପିଲାଙ୍କୁ ପାଠ ପଢାଇ ମସିହା ହୋଇଛନ୍ତି । ହେଲେ CWC ରିପୋର୍ଟ ଅନୁସାରେ 12 କୋଟି କେନ୍ଦ୍ର ଠାରୁ ନେଇଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ଠାରୁ ବର୍ଷକୁ 5 କୋଟି ନେଉଛନ୍ତି । NGO ଠାରୁ 21 କୋଟି 42 ଲକ୍ଷ ଓ ବିଦେଶୀ ସଂସ୍ଥାରୁ 20 କୋଟି ନେଲେ । ଚାଉଳ ବାବଦରେ ରାଜ୍ୟ ସରକାରଙ୍କ ପାଖରୁ 22 କୋଟି 50 ଲକ୍ଷ ଟଙ୍କା ନେଉଛନ୍ତି । ତାହେଲେ ମାଗଣା କେଉଁଠି ପଢ଼ାଇଲେ ।
ଜଗନ୍ନାଥ ମନ୍ଦିର କରି ଦୁର୍ନୀତି କରି ଚାଲିଲେ । ଦୁଇ ଜଣ ମହିଳା ଜୟନ୍ତୀ ନାଥ ଓ ମଞ୍ଜୁଷା ପାଣ୍ଡେ ଯେପରି କହିଲେ ନେପାଳ ବଜେଟରୁ ଅଧିକ ଟଙ୍କା କୀଟ ଖାଇବାକୁ ଦିଏ । କଣ ଘରୁ ଆଣି ଦେଉଥିଲେ ? ଏପରି କଥା ଆଉ ନ କୁହାଯାଉ । ଆମ ପିଲା ବି ବାହାରେ ପଢୁଛନ୍ତି । ଆମ ଅର୍ଥନୀତି କମ ହୋଇପାରେ । ହେଲେ ଆମ ପିଲା ମାନଙ୍କ ଭବିଷ୍ୟତ ଥାଏ ।
କାକଟପୁର ବିଧାୟକ ତୁଷାରକାନ୍ତି ବେହେରାଙ୍କୁ କଡ଼ା କାଉଣ୍ଟର କଲେ ବାବୁ ସିଂ । ବିଜେପିକୁ ଦୁଇ ଭାଗ କହିଲେ । ଆମେ ନୁହେଁ ଆପଣ ଦୁଇ ଭାଗ । କାହା କଥାରେ ଦୁଇ ଦିନ ତଳେ ଗୃହ ବନ୍ଦ କରାଇଲେ । ବିଜେଡିର ଦୁଇ ଜଣ ନିର୍ବାଚନ ପରେ ଲଣ୍ଡା ହୋଇ ସନ୍ୟାସ ନେଲେ । ସେମାନେ କିଏ ?*ମୁଖ୍ୟମନ୍ତ୍ରୀ ନେପାଳ ପିଲାଙ୍କୁ ଫେରିବାକୁ ଅନୁରୋଧ କରିଛନ୍ତି । ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ବାହାର ପିଲା ଏଠି ପଢି ଆମ ଭାଷା ଓ ସଂସ୍କୃତି ସହ ଜଡିତ ହେଉଛନ୍ତି । ମୁଲତବୀ ଆଲୋଚନାରେ ବିଜେପି ବିଧାୟକ ବାବୁ ସିଂଙ୍କ ମନ୍ତବ୍ୟ…
ଜଗନ୍ନାଥଙ୍କ ଆଶୀର୍ବାଦ ଓ ଜନତାଙ୍କ ବିଶ୍ୱାସ କଂଗ୍ରେସକୁ ସୁଦୃଢ଼ କରିବ-ଭକ୍ତ ଚରଣ ଦାସ…
() ଓଡ଼ିଶା ପ୍ରଦେଶ କଂଗ୍ରେସର ନୂତନ ସଭାପତି ଭକ୍ତ ଚରଣ ଦାସ ଦଳର ଦାୟିତ୍ୱ ନେଲାପରେ ସାଢ଼େ ଚାରିକୋଟି ଓଡ଼ିଆଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା ନିମନ୍ତେ ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ସଂକଳ୍ପ ପଦଯାତ୍ରା କରିଥିଲେ । ଲକ୍ଷ ଲକ୍ଷ ସମର୍ଥକଙ୍କ ସହିତ ଲଗାତାର ତିନିଦିନ ଧରି ପାଦରେ ଚାଲିଚାଲି ଶ୍ରୀକ୍ଷେତ୍ରକୁ ଯିବା ବାଟରେ କଂଗ୍ରେସ ନେତା, କର୍ମୀ, କଂଗ୍ରେସ ପ୍ରେମୀ ଓ ଜନସାଧାରଣଙ୍କ ସହ ସମ୍ପର୍କ ଯୋଡ଼ି ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ପାଇଁ ସଂକଳ୍ପ ନେଇଛନ୍ତି । କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଭୁବନେଶ୍ୱରରୁ ପୁରୀ ଯିବା ବାଟରେ, କଂଗ୍ରେସକୁ ଭଲ ପାଉଥିବା ସାଧାରଣ ଜନତାଙ୍କ କଂଗ୍ରେସକୁ ଭଲପାଇବା ଓ ବିପୁଳ ସମର୍ଥନ ଆମ ସମସ୍ତଙ୍କ ମନୋବଳ ବଢ଼ାଇବାରେ ସହାୟକ ହୋଇଛି । ମହାପ୍ରଭୁ ଜଗନ୍ନାଥଙ୍କ କୃପା କରୁଣା କଂଗ୍ରେସ ଉପରେ ରହିଛି । ଓଡ଼ିଶା ଜନସାଧାରଣଙ୍କ ପାଖକୁ ଯାଇ ସେମାନଙ୍କ ବିଶ୍ୱାସ ଜିତିବା ଆମର ପ୍ରଥମ କର୍ତବ୍ୟ ହେବ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି । ଓଡ଼ିଶାର ନୂତନ ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ପୂର୍ବତନ ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡ. ଗିରିଧର ଗମାଙ୍ଗୋ, ପ୍ରାକ୍ତନ ସାଂସଦ ଡଃ ରାମଚନ୍ଦ୍ର ଖୁଂଟିଆ, ଜଗନ୍ନାଥ ପଟ୍ଟନାୟକ, ଅମର ପ୍ରଧାନ, ନକୁଳ ନାୟକ, ପ୍ରାକ୍ତନମନ୍ତ୍ରୀ ବିଜୟଲକ୍ଷ୍ମୀ, ଓଡ଼ିଶା ସହ ପ୍ରଭାରୀ ଶାହାନୱାଜ ଚୌଧୁରୀ, ରୋଜାଲିନ ତିର୍କି, ଅନନ୍ତ ସେଠୀ, ଶରତ ରାଉତ, ପ୍ରାକ୍ତନ ବିଧାୟକ ସନ୍ତୋଷସିଂ ସାଲୁଜା, ଡଃ. ଦେବାଶିଷ ପଟ୍ଟନାୟକ, ନବଜ୍ୟୋତି ପଟ୍ଟନାୟକ, ବିଶ୍ୱିଜିତ ଦାସ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।
ଭୁବନେଶ୍ୱରରୁ ପୁରୀ ଯାତ୍ରା ସମୟରେ କଂଗ୍ରେସର ପୁରୁଖା ନେତାମାନଙ୍କ ନୈତିକ ସମର୍ଥନ ଦଳପାଇଁ କାମକରିବାର ଅପୂର୍ବ ମନୋବଳ ଯୋଗାଇଛି । ପଦଯାତ୍ରା ସମୟରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା ପ୍ରମୁଖ ସାମିଲ ନହୋଇଥିଲେ ମଧ୍ୟ ଜନସମ୍ପର୍କ ଯୋଡ଼ିବାରେ ତାଙ୍କର ସମର୍ଥନ ଜଣାଇଥିଲେ । ଆଜିର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଥିଲେ ଯେ ମାନନୀୟା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଓଡ଼ିଶାରେ କଂଗ୍ରେସକୁ ଅଧିକ ଶକ୍ତିଶାଳୀ କରିବାପାଇଁ ମୋତେ ଦାୟିତ୍ୱ ଦେଇଥିଲା ବେଳେ ପ୍ରଭାରୀ ଭାବେ ଅଜୟ କୁମାର ଲଲ୍ଲୁଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି । ସମସ୍ତଙ୍କୁ ସାଥିରେ ନେଇ କଂଗ୍ରେସ ଦଳକୁ ରାଜ୍ୟରେ ଏକ ଶକ୍ତିଶାଳୀ ଦଳ ରୂପେ ଗଢ଼ିବା ହେଉଛି ମୋର ପ୍ରଥମ କାମ । ମୁଖ୍ୟମନ୍ତ୍ରୀ ହେବା ମୋର କୌଣସି ଇଚ୍ଛା ନାହିଁ । ଦଳକୁ ଗଢ଼ି କ୍ଷମତାକୁ ଆଣିଲେ ମୋର ଜୀବନର ସମସ୍ତ ଇଚ୍ଛା ପୂରଣ ହେବ ବୋଲି ଭାବିବି, ତାହାହିଁ କେବଳ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛି । ଆସନ୍ତା ଦିନରେ ଓଡ଼ିଶାରେ ଚାରିକୋଟି ପଚାଶ ଲକ୍ଷଙ୍କ ଆଶା, ଭାରସା ଓ ଆଶିର୍ବାଦକୁ ପାଥେୟ କରି କଂଗ୍ରେସ ଏ ଅହଂକାରି ଜନବିରୋଧି, ଗଣତନ୍ତ୍ରବିରୋଧି ସରକାର ବିରୋଧରେ ବିଧାନସଭାରୁ ଆରମ୍ଭ କରି ରାଜରାସ୍ତାରେ ଲଢ଼େଇ କରିବ । କୌଣସି ଜନତାଙ୍କ ସ୍ୱାର୍ଥକୁ ରକ୍ଷା କରିବା ପାଇଁ ସବୁକିଛି ବଳିଦାନ ଦେବା ପାଇଁ କଂଗ୍ରେସ ପ୍ରସ୍ତୁତ । ଆସନ୍ତାଦିନ ଛାତ୍ର କଂଗେଅସ, ଯୁବ କଂଗ୍ରେସ ଓ ମହିଳା କଂଗ୍ରେସ ଠାରୁ ଆରମ୍ଭ କରି ସମସ୍ତ ଛାମୁଆଁ ସଂଗଠନକୁ ନେଇ ସାରା ରାଜ୍ୟରେ ଲଢ଼େଇର ଡାକରା ଦିଆଯିବ ।
ରାଜନୈତିକ ଦଳ ଭାବେ ଜନତାଙ୍କ ପାଖରେ ପହଂଚାଇବା ଆମର ମୁଖ୍ୟ ଲକ୍ଷ୍ୟ ରହିବ । ଜଗନ୍ନାଥଙ୍କ ପାଖରେ ସମର୍ପଣ ଭାବ ନେଇ ସଂକଳ୍ପ କରିଛୁ ଯେ ସାଧାରଣ ଜନତାଙ୍କ ସେବାରେ କଂଗ୍ରେସ କାର୍ଯ୍ୟକରିବ । କେବଳ କଂଗ୍ରେସ ଭବନରେ ବସିଲେ କାମ ହେବନାହିଁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ଯାଇ ଦଳର କର୍ମୀ ଓ ସାଧାରଣ ଜନତାଙ୍କ ସହ ସମ୍ପର୍କକୁ ଅଧିକ ମଜବୁତ କରିବାକୁ ଗୁରୁତ୍ୱ ଦିଆଯିବ । ମୋର ହାତ ଭାଙ୍ଗିଲେ ବି ମନୋବଳ ଭାଙ୍ଗି ନାହିଁ । ସମସ୍ତ ପ୍ରତିକୁଳ ପରିସ୍ଥିତିରେ ଦଳକୁ ଆଗକୁ ନେବାପାଇଁ କେବେବି ପଛଘୁଂଚା ଦେବିନାହିଁ । କଂଗ୍ରେସ ପାଖରେ ବିଜେପି ଭଳି ପଇସା ନଥିଲେ ବି ଆମ ପାଖରେ ଆତ୍ମ ବିଶ୍ୱାସ ରହିଛି । ସେହି ବିଶ୍ୱାସ ନେଇ ଆମେ କାମ କରିବୁ । ବିଜେପି କ୍ଷମାତାକୁ ଆସିଲାପରେ ତାର ଚିତ୍ର, ଚରିତ୍ର ପଦାରେ ପଡ଼ିଛି । ବଡ଼ ବଡ଼ କଥା କହି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇବା ଛଡ଼ା ଅନ୍ୟକିଛି ନାହିଁ । ମୁଁ ଡିକ୍ଟେରସିପ ରେ ବିଶ୍ୱାସ କରେ ନାହିଁ ଗଣତନ୍ତ୍ର ଉପରେ ବିଶ୍ୱାସ କରେ । ଲୁହ ଲହୁ ଢ଼ାଳି ଯେତେ କଷ୍ଟ ହେଲେବି ପ୍ରଥମ ଲକ୍ଷ୍ୟ ହେବ ଜନତାଙ୍କ ପାଖରେ ପହଂଚିବି ସେମାନଙ୍କ ସମସ୍ୟାରେ ସାମିଲି ହେବି । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସଂଗ୍ରାମ ଜାରି ରଖିବି । ଗର୍ବ ଅହଂକାର ଅପେକ୍ଷା ଆତ୍ମ ସମର୍ପଣ ଭାବ ନେଇ ଲୋକଙ୍କ ମନଜିତିବା ଆମର ପ୍ରଥମ ଲକ୍ଷ୍ୟ ହେବ । ଓଡ଼ିଶାର କଂଗ୍ରେସର ନୂତନ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ପ୍ରତ୍ୟେକ କଂଗ୍ରେସ କର୍ମୀ ହେଉଛନ୍ତି ଜଣେ ଜଣେ ଯୋଦ୍ଧା । ସେମାନେ ଭୟ କରନ୍ତି ନାହିଁ । କେନ୍ଦ୍ର ଓ ରାଜ୍ୟରେ ଚାଲିଥିବା ଘୃଣା, ହିଂସା ଓ ଭେଦ ଭାବର ଡବଲ ଇଞ୍ଜିନ ସରକାର ପତନ କରାଇବା ମୋର ପ୍ରଥମ କାମ । ଏ ରାଜ୍ୟର ଆଦିବାସୀ, ଅନୁସୂଚିତ ଜାତି ଓ ପଛୁଆବର୍ଗଙ୍କ ପ୍ରତି ଘୋର ଅନ୍ୟାୟ କରାଯାଉଛି । ବିଶେଷ କରି ଆଦିବାସୀ ଓ ଅନୁସୂଚିତ ଜାତି ର ଲୋକମାନଙ୍କର ଜମିକୁ ବଳ ପ୍ରୟୋଗ କରି ଅଧିଗ୍ରହଣ କରି ନିର୍ଦ୍ଧିଷ୍ଟ କତିପୟ ବ୍ୟବସାୟଙ୍କୁ ଦିଆଯାଉଛି । ଖାଲି ସେତିକି ନୁହେଁ ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ସାଂଘାତିକସ୍ଥିତିରେ ଏ ସରକାର ଆସିବା ପରେ ପାଖାପାଖି ୧୧ ଜଣରୁ ଅଧିକ କୃଷକ ଆତ୍ମହତ୍ୟା କରିବା ସହିତ ରାଜ୍ୟର ବିଭିନ୍ନ ଅଂଚଳରେ ଆଦିବାସୀ ମହିଳାମାନଙ୍କ ପ୍ରତି ପାସବିକ ଅତ୍ୟାଚାର କରାଯାଉଛି । ଏପରିକି ସାମଗ୍ରିକ ଭାବରେ ମହିଳାମାନଙ୍କ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ହୋଇଛି । ଏ ସରକାର ଏହାକୁ ଗୁରୁତର ସହ ସମାଧାନ କରୁନାହିଁ । ରାଜ୍ୟର ସମସ୍ତ ଖଣିଜ ସମ୍ପଦ ହରିଲୁଟ ଚାଲିଛି । ଏପରିକି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦକୁ ଆଦାନୀ ହାତରେ ଟେକିଦେବା ପାଇଁ ଚକ୍ରାନ୍ତ ଚାଲିଛି । ଏହାକୁ କଂଗ୍ରେସ ବରଦାସ୍ତ କରିବ ନାହିଁ । ସଡକରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ଆନ୍ଦୋଳନଜାରି ରହିବ । ସାମାଜିକ ନ୍ୟାୟ, ଚାଷୀମାନଙ୍କ ସମସ୍ୟା, ଶ୍ରମିକ ମାନଙ୍କ ଅଧିକାର, ମହିଳମାନଙ୍କ ପ୍ରଗତୀ ଓ ଯୁବକମାନଙ୍କ ନିଯୁକ୍ତି ପାଇଁ ତଥା ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବ୍ୟାପକ ପରିବର୍ତନ ପାଇଁ ଦଳ ଲଢ଼େଇ ଜାରି ରଖିବ । କେନ୍ଦ୍ର ସରକାରଙ୍କ ଦୁର୍ବଳ ଶାସନ ଓ ଗୃହମନ୍ତ୍ରୀଙ୍କ ଅପାରଗତା ବାରମ୍ବାର ପ୍ରମାଣିତ ହୋଇସାରିଛି । ଦରଦାମ ଆଜି ଆକାଶଛୁଆଁ । ଲୋକଙ୍କ ପାଖରେ ସଂଚୟ ନାହିଁ । ଆଦିବାସୀ, ଦଳିତ ଓ ଅବହେଳିତ ବର୍ଗ ପାଇଁ ଦଳ ଯେଉଁ ସଂକଳ୍ପ ନେଇଛି ସେଥିପାଇଁ ଅହରହ ସଂଗ୍ରାମ ଜାରି ରହିବ ବୋଲି ଶ୍ରୀ ଲଲ୍ଲୁ କହିଥିଲେ ।
ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରମୁଖ ବହୁ କଂଗ୍ରେସ ନେତା ଯୋଗଦେଇଥିଲେ । ଶ୍ରୀଜୟଦେବ ଜେନା ସାମ୍ବାଦିକମାନଙ୍କୁ ସମ୍ବୋଦିତ କରି କହିଥିଲେ ଯେ ଓଡ଼ିଶାର ଜନସାଧାରଣ କଂଗ୍ରେସ ଆଡ଼କୁ ମୁହାଁଇଲାଣି । ଏକ ଦକ୍ଷ ଓ ଯୋଗ୍ୟ ବ୍ୟକ୍ତି ଆଜି ପ୍ରଦେଶ କଂଗ୍ରେସ ସଭାପତି ହୋଇଛନ୍ତି । ମୁଁ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଉଛି । ଶ୍ରୀକାନ୍ତ ଜେନା ମଧ୍ୟ କହିଛନ୍ତି ଯେ ରାଜ୍ୟରେ ଏକ ବଡ଼ ସମ୍ଭାବନା ସୃଷ୍ଟି ହୋଇଛି ଏହାକୁ ଆମେ ହାତଛଡା କରିବୁ ନାହିଁ । ଆସନ୍ତା ଦିନରେ କଂଗ୍ରେସ ନିଶ୍ଚିତ ସରକାର କରିବ । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ ତାଙ୍କ ନେତୃତ୍ୱରେ କଂଗ୍ରେସ ଆଗକୁ ଯିବ । ସେ ଜଣେ ଲଢ଼ୁଆ ନେତା ଅଟନ୍ତି ।