ଆସନ୍ତା ସ୍ୱାଧୀନତା ଦିବସରେ ଭାରତରେ ଚାଲିବ ହାଇଡ୍ରୋଜେନ୍ ଟ୍ରେନ୍‌: ଅଶ୍ୱିନୀ ବୈଷ୍ଣବ…

{} ଆସନ୍ତା ସ୍ୱାଧୀନତା ଦିବସ ଅବସରରେ ଭାରତରେ ଗଡିବ ପ୍ରଥମ ସ୍ୱଦେଶୀ ନିର୍ମିତ ହାଇଡ୍ରୋଜେନ୍ ଇନ୍ଧନ ଚାଳିତ ଟ୍ରେନ୍ । ଏହି ଟ୍ରେନ୍‌ଟିକୁ ଭାରତରେ ହିଁ ପ୍ରସ୍ତୁତି, ନିର୍ମାଣ ଓ ରୂପ ଦିଆଯାଉଛି ବୋଲି ଗୁରୁବାର ସୂଚନା ଦେଇଛନ୍ତି କେନ୍ଦ୍ର ରେଳ, ଯୋଗାଯୋଗ ଓ ସୂଚନା ଓ ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ।

ଭାରତ ବିଶ୍ୱର ସବୁଠାରୁୁ ଉତ୍କୃଷ୍ଟ ଧରଣର ଟ୍ରେନ୍ ନିର୍ମାଣ କରିବାରେ ସକ୍ଷମ ହୋଇପାରିଛି ଏବଂ ଆଗାମୀ ୨୦୨୩ ସ୍ୱାଧୀନତା ଦିବସରେ ହାଇଡ୍ରୋଜେନ୍ ଇନ୍ଧନ ଚାଳିତ ଟ୍ରେନ୍ ଭାରତରେ ଗଡ଼ିବା ଆଉ ଏକ ସଫଳ କାହାଣୀ ହେବାକୁ ଯାଉଛି ବୋଲି କହିଛନ୍ତି ଶ୍ରୀ ବୈଷ୍ଣବ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ୨୦ ବର୍ଷର ନେତୃତ୍ୱକୁ ନେଇ ଆୟୋଜିତ କାର୍ଯ୍ୟକ୍ରମ “ମୋଦୀ ଅ ୨୦ – ଡ୍ରିମ୍ସ ମିଟ୍ ଡେଲିଭରୀ”ରେ ବକ୍ତୃତା ଦେଇ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବା ସମୟରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ।

ଚେନ୍ନାଇର ଇନ୍‌ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରିରେ ନିର୍ମିତ ଏକ ଟ୍ରେନ୍ ବିଶ୍ୱର ଶ୍ରେଷ୍ଠ ୫ଟି ଟ୍ରେନ୍ ମଧ୍ୟରୁ ଅନ୍ୟତମ ଏବଂ ଏହା ଘଂଟା ପ୍ରତି ୧୮୦ କିମି ବେଗରେ ଯାତ୍ରା କରି ବିଶ୍ୱକୁ ଆଚମ୍ବିତ କରିଛି ବୋଲି ସେ କହିଛନ୍ତି । ଏହି ଟ୍ରେନ୍‌ଟି ବିଭିନ୍ନ ମାପଦଣ୍ଡରେ ଅନ୍ୟ ଟ୍ରେନ୍‌ଗୁଡିକ ଠାରୁ ଉଚ୍ଚକୋଟୀର ଏବଂ ଅତ୍ୟଧିକ ବେଗରେ ଟ୍ରେନ୍‌ଟି ଯାଉଥିବା ବେଳେ ଡ୍ରାଇଭର୍‌ଙ୍କ କ୍ୟାବିନ୍‌ରେ ଥିବା ଏକ ଗ୍ଲାସ୍ ପାଣି ସ୍ଥିର ରହିବା ଏହି ଟ୍ରେନ୍‌ର ସକ୍ଷମତାକୁ ଦର୍ଶାଉଛି ବୋଲି ସେ କହିଛନ୍ତି ।

ସେହିପରି “ବନ୍ଦେ ଭାରତ ଏକ୍ସପ୍ରେସ୍‌” ଟ୍ରେନ୍ ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ ଏହି ଟ୍ରେନ୍‌ଟି ଶୂନରୁ ୧୦୦ କିମି ବେଗ ପହଂଚିବା ପାଇଁ ମାତ୍ର ୫୨ ସେକେଣ୍ଡ ନେଉଥିବା ବେଳେ ଜାପାନ୍‌ରେ ନିିର୍ମିତ ବୁଲେଟ୍ ଟ୍ରେନ୍ ଏଥି ପାଇଁ ୫୫ ସେକେଣ୍ଡ ନେଉଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମ ଦେଶର ଇଞ୍ଜିନିୟରମାନଙ୍କୁ ବିଶ୍ୱସ୍ତରୀୟ ଟ୍ରେନ୍ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ଟ୍ରେନ୍‌ଗୁଡ଼ିକ ସୁରକ୍ଷିତ ଓ ସ୍ଥିର ହେବା ସହ କମ୍ ଇନ୍ଧନ ବ୍ୟବହାର କରିବା ଆବଶ୍ୟକ ଓ ବେଗ ଖୁବ ଭଲ ହେବା ଦରକାର ବୋଲି ପରାମର୍ଶ ଦେଇଥିଲେ । ପ୍ରାଥମିକ ପର୍ଯ୍ୟାୟରେ ଏହି ଟ୍ରେନ୍‌ର ନକ୍‌ସା ଓ ଆବଶ୍ୟକୀୟ ଉପକରଣ ବିକଶିତ ଦେଶଗୁଡ଼ିକରୁ ଆମଦାନୀ କରିବା ନେଇ ଇଞ୍ଜିନିୟରମାନେ ଚିନ୍ତା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଏହି ଟ୍ରେନ୍‌ଗୁଡ଼ିକ ଆମ ଦେଶରେ ହିଁ ନିର୍ମାଣ କରିବା ନେଇ ଜୋର ଦେଇଥିଲେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।

୨୦୧୯ ମସିହାରୁ ନୂତନ ଭାବେ ବ୍ୟବହୃତ ହେଉଥିବା ଦୁଇଟି ଟ୍ରେନ୍ ଖୁବ୍ ଭଲ କାର୍ଯ୍ୟ କରୁଛି ଏବଂ ଟ୍ରେନ୍‌ଗୁଡ଼ିକ ଏପର୍ଯ୍ୟନ୍ତ ଯେତିକି ଦୂରତା ଅତିକ୍ରମ କରିସାରିଛନ୍ତି ତାହା ପୃଥିବୀ ଚାରିପଟେ ୧୮ ଥର ଘୁରିବା ସହ ସମାନ । ମାତ୍ର ଟ୍ରେନ୍‌ଗୁଡ଼ିକରେ କୌଣସି ତ୍ରୁଟି ପିରଲକ୍ଷିତ ହୋଇନାହିଁ ।

ଏକ ପ୍ରଶ୍ନର ଉତର ଦେଇ ଶ୍ରୀ ବୈଷ୍ଣବ କହିଥିଲେ ଯେ ଆଇଆଇଟି – ମାଡ୍ରାସ୍‌ରେ ହାଇପରଲୁପ୍ ପ୍ରସ୍ତୁତ କରାଯାଉଛି ଏବଂ ପରିବହନ କ୍ଷେତ୍ରରେ ଏହା ବିପ୍ଳବ ସୃଷ୍ଟି କରିବ ବୋଲି ସେ କହିଥିଲେ । ପରିବହନ କ୍ଷେତ୍ରରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଯାନ ସହ ପବନର ଘର୍ଷଣ । ଯଦି ଏକ ଶୂନ୍ୟତା ସୃଷ୍ଟି କରି ଯାନଟିକୁ ତାହା ମାଧ୍ୟମରେ ଗତି କରିବାକୁ ଦିଆଯାଏ ତେବେ ଏଥି ନିମନ୍ତେ କମ୍ ଶକ୍ତି ଆବଶ୍ୟକ ହେବ ଏବଂ ଗତି ଘଂଟା ପ୍ରତି ୭୦୦ କିମିକୁ ବୃଦ୍ଧି ହୋଇପାରିବ ବୋଲି ସେ କହିଥିଲେ ।

ରେଳ ଷ୍ଟେସନ୍‌ଗୁଡ଼ିକର ସ୍ୱଚ୍ଛତା ପ୍ରତି ଅଧିକ ଧ୍ୟାନ ଦିଆଯାଉଛି ବୋଲି କହି କେନ୍ଦ୍ରମନ୍ତ୍ରୀ ଆଗାମୀ ଦିନରେ ଦେଶର ୧୩୨ ଟି ଜିଲ୍ଲା ମୁଖ୍ୟ ସହର ସହ ରେଳ ସଂଯୋଗ କରାଯିବା ନେଇ ଡିଟେଲଡ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରାଯାଉଥିବା ପ୍ରକାଶ କରିଥିଲେ ।

ଦେଶରେ ଟ୍ରେନ୍‌ର ସମୟାନୁବର୍ତିତା ୮୯ ପ୍ରତିଶତ ଥିବା ବେଳେ ଏହାକୁ ୧୦୦ ପ୍ରତିଶତରେ ପରିଣତ କରାଯିବାର ଆବଶ୍ୟକତା ଥିବା ଏକ ପ୍ରଶ୍ନର ଉତର ଦେଇ କେନ୍ଦ୍ରମନ୍ତ୍ରୀ କହିଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ସୋଆର ପ୍ରଫେସର ବସନ୍ତ କୁମାର ପତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ସୂଚନା ଦେଇଥିଲେ । ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ବଙ୍ଗୋପ ସାଗରରେ ପୁଣି ଲଘୁଚାପ ସମ୍ଭାବନା…

{} ବଙ୍ଗୋପ ସାଗରରେ ପୁଣି ଲଘୁଚାପ ସମ୍ଭାବନା, ଆସନ୍ତା ସପ୍ତାହରେ ବର୍ଷା।

() ଉତର-ପଶ୍ଚିମ ବଙ୍ଗୋପ ସାଗର ଉପରେ ଆଉ ଏକ ଲଘୁଚାପ ସେପ୍ଟେମ୍ବର ୨୦ରେ ସୃଷ୍ଟି ହେବା ସମ୍ଭାବନା ରହିଛି ଓଡ଼ିଶାରେ ଆସନ୍ତା ସପ୍ତାହରେ ପୁଣି ବର୍ଷା ହୋଇପାରେ ବୋଲି ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଆସନ୍ତା କାଲି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପ ସାଗର ଓ ଏହା ନିକଟବର୍ତୀ ଅଂଚଳ ଉପରେ ଏକ ଅପର୍ ଏଆର ସର୍କୁଲେସନ୍ ସୃଷ୍ଟି ହେବାକୁ ଯାଉଥିବାରୁ ଏହା ଏହି ଲଘୁଚାପ କ୍ଷେତ୍ର ପ୍ରସ୍ତୁତ କରିବ ବୋଲି କେନ୍ଦ୍ର ପକ୍ଷରୁ ଏକ ବୁଲେଟିନ୍‌ରେ କୁହାଯାଇଛି ।

ଏହି ସିଷ୍ଟମ୍ ସେପ୍ଟେମ୍ବର ୨୧ରେ ଉତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ ଆଡ଼କୁ ମୁହାଁଇବ ମାତ୍ର ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ବର୍ଷା ଅନୁଭୁତ ହେବ ।

ସେପ୍ଟେମ୍ବର ୧୯ ମଧ୍ୟାହ୍ନରୁ ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇ ସେପ୍ଟେମ୍ବର ୨୨ ରାତି ପର୍ଯ୍ୟନ୍ତ ଲାଗି ରହିବ । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାଗୁଡ଼ିକରେ ସେପ୍ଟେମ୍ବର ୧୯ ଓ ୨୦ରେ ମଧ୍ୟମ ଧରଣର ବର୍ଷା ଅନୁଭୁତ ହେବ ଓ ସେପ୍ଟେମ୍ବର ୨୦ ରାତିରୁ ଏହା ଉତର ଓଡ଼ିଶା ଆଡ଼କୁ ଗତି କରିବ ।

ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସେପ୍ଟେମ୍ବର ୨୧ ଓ ୨୨ ରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ ବୋଲି ବୁଲେଟିନ୍ ପ୍ରକାଶ କରିଛି । ସେପ୍ଟେମ୍ବର ୨୦ ଓ ୨୧ରେ ଭୁବନେଶ୍ୱରରେ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଏହା ସୂଚନା ଦେଇଛି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ,ଛ ଜିଲ୍ଲାର ମିଶନ ଶକ୍ତି ମା…

() ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ, ଛ ଜିଲ୍ଲାର ମିଶନ ଶକ୍ତି ମା।

ଆମେ ବି ପାରିବୁ – ମିଶନ ଶକ୍ତି ମା ମାନେ

{} ଜାତୀୟ ପତାକା ତିଆରି କରିବାର ସୁଯୋଗ ପାଇ ଆମେ ଗର୍ବିତ। ମୁଖ୍ୟମନ୍ତ୍ରୀ ଆମ ଉପରେ ଭରସା କରି ଆମକୁ ଏ ମହାନ ସୁଯୋଗ ଦେଇଥିବାରୁ ଆମେ ତାଙ୍କ ନିକଟରେ କୃତଜ୍ଞ। ଆଜି ନବୀନ ନିବାସରେ ୬ଟି ଜିଲ୍ଲାର ମିଶନ ଶକ୍ତିର ମା ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହା କହିଛନ୍ତି।

ଆଜି ସଂଧ୍ୟାରେ ନବୀନ ନିବାସଠାରେ ଗଞ୍ଜାମ, ଗଜପତି, ନୂଆପଡା, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ୮୪ଟି ମିଶନ ଶକ୍ତି ଗୋଷ୍ଠୀର ମା ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ । ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ମା ମାନେ ଜାତୀୟ ପତାକା ତିଆରି ଦାୟିତ୍ବ ନେଇ ଦକ୍ଷତାର ସହ ତୁଲାଇ ଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନଙ୍କ ଉପରେ ମୋର ପୁରା ଭରସା ରହିଛି। ଆପଣମାନଙ୍କ ଭିତରେ ବହୁତ କିଛି କରିବାର ସାମର୍ଥ ରହିଛି । ବହୁତ କମ୍ ସମୟ ପାଇ ମଧ୍ୟ ଆପଣମାନେ ୩୦ ଲକ୍ଷ ଜାତୀୟ ପତାକା ତିଆରି କରି ରାଜ୍ୟ ପାଇଁ ଗୌରବ ଆଣିପାରିଛନ୍ତି। ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।

ମିଶନ ଶକ୍ତିର ମା ମାନେ କହିଥିଲେ ଯେ ଜାତୀୟ ପତାକା ତିଆରି କରିବାର ଆନନ୍ଦ ପାଇ ଆମେ ବହୁତ ଖୁସି। ଆମେ ଏବଂ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ଅଙ୍ଗନବାଡୀ ପିଲାଙ୍କ ଡ୍ରେସ୍ ସିଲେଇ କରିବା, ଇଲ୍କ୍ଟ୍ରି ବିଲ୍ ଆଦାୟ କରିବା ଆଦି କାମ ବହୁତ ଭଲ ଭାବରେ କରିପାରୁଛୁ। ନୂଆପଡାରେ ଆମେ ଡ୍ରାଇଭିଂ ଶିକ୍ଷା ମଧ୍ୟ ନେଉଛୁ। ଆମେ ବି ପାରିବୁ, ଏ ବିଶ୍ବାସ ଆମର ବଢିଛି। ଆମେ ସମସ୍ତେ ଏବେ କିଛି ନା କିଛି ଉପଯୋଗୀ କାର୍ଯ୍ୟରେ ନିୟୋଜିତ ହୋଇପାରିଛୁ ବୋଲି ସେମାନେ କହିଥିଲେ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସ୍ବାଧୀନତାର ୭୫ତମ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ମିଶନ ଶକ୍ତି ମା ମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ବ ଦେଇଥିଲେ।

କଂଗ୍ରେସ ପକ୍ଷରୁ ସ୍ମୃତି ସମ୍ମାନ ସମାରୋହ..

{} ସଂଗ୍ରାମୀ ଦୋଳଗୋବିନ୍ଦ ଥିଲେ ସଂକଳ୍ପସିଦ୍ଧ ମଣିଷ 

କଂଗ୍ରେସ ସେବାଦଳ ପକ୍ଷରୁ ସ୍ମୃତି ସମ୍ମାନ ସମାରୋହ 

() ଭାରତ ଯୋଡ଼ୋ ଯାତ୍ରାର ନେତୃତ୍ୱ ନେଉଥିବା ରାହୁଲ ଗାନ୍ଧୀଙ୍କୁ ସମର୍ଥନ ଜଣାଇ ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ୪ର୍ଥ ସ୍ମୃତି ଚାରଣ ଉତ୍ସବରେ ଓଡ଼ିଶାର ୪ଜଣ ସମର୍ପିତ କଂଗ୍ରେସ କାର୍ଯ୍ୟକର୍ତା ଓ

୧୭ଜଣ ସେବାଦଳ ନିଷ୍ଠାପର କର୍ମୀଙ୍କୁ ସଂଗ୍ରାମୀ ଦୋଳଗୋବିନ୍ଦ ସ୍ମୃତି ସମ୍ମାନ -୨୦୨୨ରେ ସମ୍ବର୍ଦ୍ଧିତ କରାଯାଇଛି ।   ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ କଂଗ୍ରେସ ଭବନ ଠାରେ ରାଜ୍ୟ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଲେ ଯେ ସ୍ୱର୍ଗତ ଦୋଳ ଗୋବିନ୍ଦଙ୍କ ଭଳି ଜଣେ ସଂକଳ୍ପସିଦ୍ଧ ମଣିଷ ଆଜିର ସମାଜରେ ବିରଳ । ତାଙ୍କର ସମଗ୍ର ଜୀବନ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଗଢ଼ା । ବ୍ରହ୍ମପୁର ସ୍ୱତନ୍ତ୍ର କାରାଗାରରୁ ମୁକ୍ତି ପାଇଲା ପରେ, ଜେଲ ଭିତରେ ଶିକ୍ଷା କରିଥିବା ସମସ୍ତ ରଚନାତ୍ମକ କାର୍ଯ୍ୟକୁ ସେ ତାଙ୍କ ଗାଁରୁ ପ୍ରୟୋଗ ଆରମ୍ଭ କରି ସଫଳ ହେଲେ । ଯାହା ଫଳରେ ୱାର୍ଡ ମେମ୍ବରରୁ ମନ୍ତ୍ରୀ ଆସନ ଅଳଙ୍କୃତ କରି ପାରିଥିଲେ । କିନ୍ତୁ ଗର୍ବ ଓ ଅହଂକାର ତାଙ୍କୁ ସ୍ପର୍ଷ କରିପାରିନଥିଲା ।    ନିଖିଳ ଭାରତ କଂଗ୍ରେସ ସେବାଦଳର ଟ୍ରେନିଂ ଅଧିକାରୀ ଅଜିତ କୁମାର ଆଗାମୀ ଭାରତ ଯୋଡ଼ କାର୍ଯ୍ୟକ୍ରମରେ କଂଗ୍ରେସ ସେବାଦଳର ଭୂମିକା ଉପରେ ଆଲୋକପାତ କରିଥିଲେ । ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ସାଂସଦ ଶ୍ରୀ ଅନନ୍ତ ପ୍ରସାଦ ସେଠୀ ସଂଗ୍ରାମୀ ଦୋଳଗୋବିନ୍ଦଙ୍କୁ ଜଣେ କଂଗ୍ରେସ ସମର୍ପିତ ପ୍ରାଣ ବୋଲି ବର୍ଣ୍ଣନା କରିଥିଲେ । ମୁଖ୍ୟ ବକ୍ତା ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର ଗାନ୍ଧୀ ମଣିଷ ଦୋଳଗୋବିନ୍ଦଙ୍କୁ ଜଣେ ଯୋଗୀ ପୁରୁଷ ଭାବେ ତାଙ୍କ କାର୍ଯ୍ୟର ପ୍ରଂଶସା କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ ଉପସଭାପତି ଶ୍ରୀ ଯଜେ୍ଞଶ୍ୱର ବାବୁ, ଶ୍ରୀ ଶିବାନନ୍ଦ ରାୟ, ଶ୍ରୀ ନକୁଳ ଚନ୍ଦ୍ର ମଲ୍ଲିକ, ଶ୍ରୀ ଗଣେଶ୍ୱର ବେହେରା, ଶ୍ରୀ ଜ୍ଞାନଦେବ ବେହୁରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ ପ୍ରମୁଖ ସଂଗ୍ରାମୀ ଦୋଳଗୋବିନ୍ଦ ଛାତ୍ର ଜୀବନରୁ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲେ ବୋଲି ସ୍ମୃତି ଚାରଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ସଂଗ୍ରାମୀ ଦୋଳ ଗୋବିନ୍ଦ ସ୍ମୃତି ସମ୍ମାନ, ଶ୍ରୀ ବିଧାନ ଚନ୍ଦ୍ର ରାୟ, ଶ୍ରୀ କିଶୋର ଜେନା, ଶ୍ରୀ ଅଶୋକ କୁମାର ସିଂହ, ଶ୍ରୀ ଜ୍ୟୋତିଷ କୁମାର ସାହୁ, ଶ୍ରୀ କରୁଣାକର କର, ଶ୍ରୀ ରାମ କୃଷ୍ଣ ପରିଡ଼ା, ଶ୍ରୀ ରବିନ୍ଦ୍ର କୁମାର ରାଉତ, ଶ୍ରୀ ସୀତାବଲ୍ଲଭ ମହାପାତ୍ର, ସୁଶ୍ରୀ ରଞ୍ଜିତା ମଲ୍ଲିକ, ଶ୍ରୀ କିଶୋର କାପୁର, ଶ୍ରୀ ବସନ୍ତ କୁମାର ସାମଲ, ଶ୍ରୀ ପ୍ରଫୁଲ ପାଢ଼ୀ, ଶ୍ରୀ ରବିନ୍ଦ୍ର କୁମାର ସାବୁତ, ଶ୍ରୀ ମୁନୁ ସରାଫ, ଶ୍ରୀ ଲଳିତ କୁମାର ଡାଳୁଆ,ଶ୍ରୀ ବିପିନ ବିହାରୀ ନାୟକ, ଶ୍ରୀ ଜବାହର ଜେନା, ଶ୍ରୀ ଆଶିଷ କୁମାର ପତି, ଶ୍ରୀ ଅବଦୁଲ କୁଦୁସ, ଶ୍ରୀ ମୁନା ତ୍ରିପାଠୀଙ୍କୁ ପ୍ରଦାନ କରାଯାଇଥିଲା । ଶେଷରେ ସେବାଦଳ କାର୍ଯ୍ୟକର୍ତା ଶ୍ରୀ ମହମ୍ମଦ ଶାହାଦୁଲ୍ଲା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପାତ୍ର ପଡ଼ାସ୍ଥ ବନ୍ୟ ଓ ପଶୁ ସଂପଦ ବିଭାଗର ସ୍ମୃତି ବନଠାରେ ସ୍ମୃତି ବୃକ୍ଷର ପୂଜା କରାଯାଇଥିଲା । ଭାରାପ୍ରାପ୍ତ ଅଧିକାରୀ ଶ୍ରୀମତୀ ରଶ୍ମିରେଖା ପରିଡ଼ା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ସଂଗ୍ରାମୀଦୋଳଗୋବିନ୍ଦଙ୍କ ପୁତ୍ର ସର୍ବଶ୍ରୀ ଦେବରାଜ ପ୍ରଧାନ, ପୁଷ୍ପରାଜ ପ୍ରଧାନ, ପୃଥିରାଜ ପ୍ରଧାନ ଓ ପଜ୍ଞାରାଜ ପ୍ରଧାନ ଓ ମୁକେଶ ପ୍ରଧାନ ସହଯୋଗକରିଥିଲେ । କଂଗ୍ରେସ ସେବାଦଳର କାର୍ଯ୍ୟକର୍ତା କୁଳମଣି ସାହୁ, ଛବି ମହାନ୍ତି, ସମାଜସେବୀ ବରୁଣ ରାଜ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

୨୫ ବର୍ଷର ଦୌଡ଼ରେ ଟିକେବି ଥକିନାହାନ୍ତି ନବୀନ …  

() ଜନସେବାର ସାଧକ ନବୀନ ପଟ୍ଟନାୟକ । କଥା କମ କାମ ଅଧିକକୁ ବିଶ୍ବାସ କରନ୍ତି । ୨୪ ଘଣ୍ଟା ଓଡ଼ିଶାବାସୀଙ୍କ ଚିନ୍ତାରେ ସେ । କ୍ଷମତା, ପଦପଦବୀ, ରାଜକୀୟ ଢଙ୍ଗରେ ରେ ଜୀବନ ଜାପନ ନୁହେଁ, ସରଳ ଜୀବନ ବିତାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ପାଇଁ ଲଗାତର ୨୫ ବର୍ଷ ଧରି କାମ କରି ବି ସେ ଥକି ପଡ଼ିନାହାନ୍ତି । କର୍ମୀବୀର ସବୁବେଳେ କର୍ମୀକୁ ବିଶ୍ବାସ କରି କାମ କରନ୍ତି । ଲଗାତର ୨୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ଶାସନର ଡୋରି ଧରିଥିବା ନବୀନ କେବେ ଜନସେବା ଛଡ଼ା ଆଉ କିଛି ଚିନ୍ତା କରିନାହାନ୍ତି । କ୍ଷମତା ନୁହେଁ, ବଂର ଜନସେବା ପାଇଁ ସେ ରାଜନୀତିକୁ ଆସିଛନ୍ତି ତାହା ନବୀନଙ୍କ ୨୫ ବର୍ଷ ରାଜନୈତିକ ଜୀବନରୁ ସ୍ପଷ୍ଟ ପ୍ରମାଣିତ ହୋଇଛି । ଓଡ଼ିଶାବୀସୀଙ୍କ ସେବା କରିବା ପାଇଁ ଉତ୍ସଗୀକୃତ ନବୀନ ସବୁବେଳେ ଗୋଟେ କଥା କହନ୍ତି ଓଡ଼ିଶାବାସୀ ହେଉଛି ତାଙ୍କର ପରିବାର । ସେ ପରିବାରର ମୁରବି ଭାବେ ସେ ଦାୟିତ୍ବ ନେଇଛନ୍ତି । ଅନେକ ଘାତ ଓ ପ୍ରତିଘାତ ଆସିଥିଲେ ମଧ୍ୟ ସେ କେବେ ବି ପଛଘୁଞ୍ଚା ଦେଇନାହାନ୍ତି ରାଜ୍ୟବାସୀଙ୍କ ସେବା କରିବା ପାଇଁ । ବାତ୍ୟା, ବନ୍ୟା, ହେଉ ଅବା ମହାମାରୀ ସବୁବେଳେ ନବୀନ ପାହଡ଼ ଭଳି ଛିଡ଼ାହୋଇଛନ୍ତି ଓଡ଼ିଶାବାସୀଙ୍କ ପାଇଁ । ଯେଉଁଥି ପାଇଁ ଆଜି ସେ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅର୍ଜନ କରିଛନ୍ତି । ରାଜ୍ୟର ଲମ୍ବା ସମୟ ମୁଖ୍ୟମନ୍ତ୍ରୀ ହେବାର ଇତିହାସ ତାଙ୍କ ନାଁରେ ଲେଖାଯିବା ସହ ଲୋକପ୍ରିୟତା ପ୍ରତ୍ୟେକ ଦିନ ମଧ୍ୟ ବଢ଼ି ଚାଲିଛି । ୭୬ ବର୍ଷରେ ମଧ୍ୟ ସେ କେବେ ଥକିପଡ଼ିନାହାନ୍ତି । ନବୀନଙ୍କ ଏପରି ନିଆାରା ଢଙ୍ଗର ରାଜନୈତିକ ଜୀବନ ଆଜି ପ୍ରତ୍ୟେକ ରାଜନେତାଙ୍କ ପାଇଁ ଆଦର୍ଶ ସାଜିଛି । ଜାତୀୟ ଓ ଆନ୍ତଜାତୀୟ ସ୍ତରରେ ନବୀନଙ୍କ ଲୋକପ୍ରିୟତା ବି କିଛି କମ ନୁହେଁ ।

୨୫ ବର୍ଷର କର୍ମବୀର ସାଧକ ନବୀନ ପଟ୍ଟନାୟକ ଏ ନେଇ ପ୍ରଶ୍ନ ର ଉତ୍ତର ଦେବାକୁ ଯାଇ ନବୀନ କହିଥିଲେ ଯେ ଲୋକଙ୍କ ପାଇଁ କାମ କଲେ କଷ୍ଟ ଜଣାପଡ଼େ ନାହିଁ । ଯେତେ କଷ୍ଟ କଲେ ବି ତାଙ୍କୁ କେବେ ଥକା ଲାଗେନି । ନବୀନଙ୍କ ଏହି କେହିପଦ କଥା ଏବେ ତାଙ୍କ ୨୫ ବର୍ଷ ସାଧନାର ମୁଳମନ୍ତ୍ର ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି । କାରଣ ସବୁବେଳେ ମନ୍ତ୍ରୀ , ବିଧାୟକ, ସାଂସଦ, ଜନ ପ୍ରତିନିଧି ଓ କର୍ମୀମାନଙ୍କୁ ନବୀନ କହନ୍ତି ସରଳ ଜୀବନ ବିତାଅ, ଲୋକଙ୍କ ସେବାରେ ଦିନରାତି ଏକ କରି କାମ କର । ନବୀନଙ୍କ ବିଜେଡ଼ି ନେତାଙ୍କୁ ଏହି କେହିପଦ କଥା ଦଳର ନେତାଙ୍କୁ ଏତେମାତ୍ରାରେ ପ୍ରଭାବିତ କରିଛି ଯେ ଦଳୀୟ ନେତାମାନେ ସବୁବେଳେ ଲୋକଙ୍କ ସହ ରହି ସେମାନଙ୍କର ଦୁଃଖ ଓ ସୁଖର ସାଥି ହୋଇଛି l

ଓଡ଼ିଶାରେ ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ…

() ସମ୍ପ୍ରତି ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଶ୍ରୀ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ଼ୋ ଯାତ୍ରା ଚାଲିଛି । ଘୃଣା ଓ ବିଦ୍ୱେଷର ରାଜନୀତିକୁ ପରାହତ କରି ସଦଭାବନା ଓ ସଂପ୍ରତିର ରାଜନୀତିକୁ ପ୍ରତିଷ୍ଠିତ କରିବା ସହିତ ଦେଶରେ ଦେଖା ଦେଇଥିବା ଆକଶ ଛୁଆଁ ଦରଦାମ ଓ ବେକାରୀ ବୃଦ୍ଧିକୁ ମୁଦ୍ଦା କରି ଏହି ଯାତ୍ରା ଚାଲିଛି । ପ୍ରତିଦିନ ହଜାର ହଜାର ଲୋକ ଏଥିରେ ସାମିଲ ହେଉଛନ୍ତି । ଏହି ଯାତ୍ରାର ସଫଳତା ଦେଖି ବିଜେପି ଅତ୍ୟନ୍ତ ଅସହିଷ୍ଣୁ ହୋଇ ଉଠିଛି । ପ୍ରତିଦିନ ମିଥ୍ୟା ଓ ଅବାନ୍ତର କଥା କହି ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରୁଛି । ମାତ୍ର ଦେଶବାସୀ ତାକୁ ପ୍ରତ୍ୟାଖାନ କରୁଛନ୍ତି ଓ ଅଧିକ ରୁ ଅଧିକ ସଂଖ୍ୟାରେ ଏହି ଯାତ୍ରାକୁ ସମର୍ଥନ ଜଣାଇଛନ୍ତି । ଏହି ଅବସରରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦଳର ସମସ୍ତ ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ନେତୃବୃନ୍ଦଙ୍କ ବୈଠକରେ ରାହୁଲ ଗାନ୍ଧୀଙ୍କ ଏହି ପଦଯାତ୍ରାକୁ ସମର୍ଥନ ଜଣାଇବା ସହିତ ଓଡ଼ିଶାରେ ଏହି ଯାତ୍ରା ଆୟୋଜନ କରିବାପାଇଁ ଆଲୋଚନା ହୋଇଛି । ଭାରତ ଯୋଡ଼ୋର ପ୍ରସଙ୍ଗ ସହିତ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ ଏହି ଯାତ୍ରା ଅନୁଷ୍ଠିତ ହେବ । ଆସନ୍ତା ସେପ୍ଟେମ୍ବର ୧୮ ତାରିଖରେ ଭାରତ ଯୋଡ଼ୋ ଯାତ୍ରାର ଆବାହକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଦିଗବିଜୟ ସିଂ, ଏଆଇସିସିର ମୁଖପାତ୍ର ସାଂସଦ ଶ୍ରୀ ଜୟରାମ ରମେଶ, ଓଡ଼ିଶା ପ୍ରଭାରୀ ଡ ଏ ଚେଲ୍ଲା କୁମାର, ସହ ପ୍ରଭାରୀ ଶ୍ରୀ ରୁଦ୍ର ରାଜୁଙ୍କ ଉପସ୍ଥିତିରେ ଏହାର ଚୁଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ ପିସିସି ଉପସଭାପତି ଶ୍ରୀ ଶିବାନନ୍ଦ ରାୟ, ଭାରତ ଯୋଡ଼ୋ ଯାତ୍ରାର ଓଡ଼ିଶା ସଂଯୋଜକ ଶ୍ରୀ ରବି ସେଠୀ, ଯୁଗ୍ମ ସଂଯୋଜକ ଶ୍ରୀ ନକୁଳ ନାୟକ, ସେବାଦଳ ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଟ୍ରେନିଂ ସେଲର ମୁଖ୍ୟ ଶୁଭେନ୍ଦୁ ମହାନ୍ତି, କିଶାନ କଂଗ୍ରେସର ସଭାପତି ଶ୍ରୀ ଅମିୟ ପଟ୍ଟନାୟକ, ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନର ରାଜ୍ୟ ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସ, ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା, ମହିଳା କଂଗ୍ରେସର ସଭାନେତ୍ରୀ ବନ୍ଦିତା ପରିଡ଼ା, ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ, ପିସିସି ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର, ଅଣସଂଗଠିତ ଶ୍ରମିକ କଂଗ୍ରେସ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତି, ମାନବାଧିକାର ବିଭାଗ ଅଧ୍ୟକ୍ଷ ନିଶିକାନ୍ତ ମିଶ୍ର, ସୋସିଆଲ ମିଡିଆର ଅଧ୍ୟକ୍ଷ ଶ୍ରୀ ଅଭିଷେକ ମହାନନ୍ଦ, ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଶ୍ରୀ ବାଙ୍କନିଧି ବେହେରା, ଓବିସି ବିଭାଗର ଉପସଭାପତି ଶ୍ରୀ ବେଣୁଧର ପାତ୍ର, ମତ୍ସ୍ୟ ବିଭାଗ ଅଧ୍ୟକ୍ଷ ହଳଧର ସେଠୀ, ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ଜିଆଉଲ ହକ, ଭିନ୍ନକ୍ଷମ ବିଭାଗ ଅଧ୍ୟକ୍ଷ ଜିତେନ୍ଦ୍ର ବିଶ୍ୱାଳ, ବିସ୍ମୟ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ସୋଆରେ ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କିତ କର୍ମଶାଳା ଆୟୋଜିତ…

() ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କିତ ଏକ ଦିବସୀୟ କର୍ମଶାଳା ଆୟୋଜିତ ହୋଇଯାଇଛି । ଭାରତୀୟ ଜ୍ଞାନ ପରମ୍ପରାର ସଂଯୋଜକ ପ୍ରଫେସର ଜି. ଏସ୍ ମୂର୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପିପିଟି ପ୍ରେଜେନ୍‌ଟେସନ୍ ମାଧ୍ୟମରେ ନିଜର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ପ୍ରଫେସର ମୂର୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।

ଏହି କର୍ମଶାଳାରେ ସୋଆର ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏନ୍‌ଏସ୍‌ଏସ୍‌ର ରିଜିଓନାଲ ଡାଇରେକ୍ଟର ସୁଶ୍ରୀ ସରିତା ପଟେଲ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟ ରଖିଥିଲେ । ପ୍ରଫେସର ବସନ୍ତ ପଣ୍ଡା ଜ୍ଞାନର ପିରଭାଷାକୁ ବିଭିନ୍ନ ସ୍କନ୍ଦ ପୁରାଣର ଶ୍ଳୋକ ମାଧ୍ୟମରେ ବାଖ୍ୟା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରୋଗ୍ରାମ ଅଫିସର ଏବଂ ସୋଆର ଲେକ୍‌ଚର୍ସ ପ୍ରୋଗ୍ରାମ ଅଫିସର ଓ ଆଇକେଏସ୍‌ରେ ଇନ୍‌ଟର୍ନ୍‌ସିପ୍ କରୁଥିବା ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଆଉଟି୍‌ରିଚ୍‌୍ ପ୍ରୋଗ୍ରାମ ନିର୍ଦ୍ଦେଶକ ପ୍ରଫେସର ନଚିକେତା. କେ ଶର୍ମା ପରିଚାଳନା କରିଥିଲେ ।

ମିଶନ ଶକ୍ତି ବଦଳେଇ ଦେଇଛି ଆମ ଜୀବନ ବୋଲି କହିଛନ୍ତି :ମିଶନ ଶକ୍ତି ମା ମାନେ…

() ଜାତୀୟ ପତାକା ପ୍ରସ୍ତୁତି ଦାୟିତ୍ୱ,

ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ୪ ଜିଲ୍ଲାର ମିଶନ ଶକ୍ତି ମା ।

ମିଶନ ଶକ୍ତି ଆମ ଜୀବନ ରେ ବହୁତ ବଡ ପରିବର୍ତନ ଆଣିଛି।

ମିଶନ ଶକ୍ତି ମା ମାନେ।

{} ଆଜି ସଂଧ୍ୟାରେ ନବୀନ ନିବାସଠାରେ ଢେଙ୍କାନାଳ, ମୟୁରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ । ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ମା ମାନେ ଜାତୀୟ ପତାକା ତିଆରି ଦାୟିତ୍ବ ପରି ଗୁରୁ ଦାୟିତ୍ୱ କୁ ସୁନ୍ଦର ଭାବରେ ନିର୍ବାହ କରି ଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ମିଶନ ଶକ୍ତି ମା ମାନଙ୍କ କାର୍ଯ୍ୟର ଉଚ୍ଚପ୍ରଶଂସା କରିବା ସହ ଭଲକାମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ ଙ୍କ ଆସ୍ଥା ସେମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଜୀବନ ରେ ବହୁତ ବଡ ପରିବର୍ତନ ଆଣିଛି ବୋଲି କହିଥିଲେ. ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ସେମାନେ କିପରି ସଫଳ ହୋଇପାରିଛନ୍ତି ତାହା ବର୍ଣନା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଥିଲେ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସ୍ବାଧୀନତାର ୭୫ତମ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ମିଶନ ଶକ୍ତି ମା ମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ବ ଦେଇଥିଲେ।

ଓଡ଼ିଶା ସିଟିଜେନ ଫୋରମ୍ ପକ୍ଷରୁ ପାଳନ ହେବ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ…

() ଓଡ଼ିଶା ସିଟିଜେନ ଫୋରମ୍ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ ହେବ। ଏହି ଅବସରରେ ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯିବ। ଆସନ୍ତା ରବିବାର ବୁଦ୍ଧ ମନ୍ଦିରରେ ପ୍ରତିଯୋଗିତା ହେବ। କୃତି ପ୍ରତିଯୋଗୀ ମାନଙ୍କୁ ଗାନ୍ଧୀ ଜୟନ୍ତୀରେ ପୁରସ୍କୃତ କରାଯିବ। ଗାନ୍ଧୀବାଦ କୁ ପ୍ରଚାର ପ୍ରସାର କରିବାକୁ ଅନୁଷ୍ଠାନ ପକ୍ଷରୁ ଏହି ପ୍ରୟାସ କରାଯାଉଛି।

ଚିନ୍ମୟ ସୁନ୍ଦର ଦାସ, ସଭାପତି, ଓଡ଼ିଶା ସିଟିଜେନ୍ ଫୋରମ୍

ରାଜ୍ୟସ୍ତରୀୟ ହେବ ବାଲିଯାତ୍ରା…

() କଟକର ପ୍ରସିଦ୍ଧ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ଉତ୍ସବଭାବେ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥି ନିମନ୍ତେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତିସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ଏହି ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଉତ୍ସବର ପରିଚାଳନା ଓ ଆର୍ଥିକ ବ୍ୟବସ୍ଥା ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ଚଳିତ ବର୍ଷ ବାଲିଯାତ୍ରା ନଭେମ୍ବର ୮ ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜନ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଅଧିକ ସଂଙ୍ଖ୍ୟକ କଳାକାର ଓ ଶିଳ୍ପୀମାନଙ୍କୁ ସାମିଲ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଯାତ୍ରା ପଡିଆକୁ ରାସ୍ତା ସଂଯୋଗ, ଟ୍ରାଫିକ୍ ନିୟନ୍ତ୍ରଣ, ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ, ଷ୍ଟଲ ପାଇଁ ସ୍ଥାନ ନିର୍ଦ୍ଧାରଣ, ବିଦ୍ୟୁତ ସଂଯୋଗ, ପରିମଳ, ସ୍ୱାସ୍ଥ୍ୟ ସେବା ଓ ଆଇନ୍ ଶୃଙ୍ଖଳା ଆଦି ଉପରେ ଗୁରୁତ୍ୱ ଆରୋପ କରି ଏସବୁର ଉତ୍ତମ ପରିଚାଳନା ନିମନ୍ତେ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ପ୍ରସ୍ତୁତି ସାରିବା ପାଇଁ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାତ୍ରା ପଡିଆରେ ଅଧିକ ସଂଙ୍ଖ୍ୟକ ପାନୀୟ ଜଳ ଟ୍ୟାଙ୍କ, ଅସ୍ଥାୟୀ ବାଇଓ ଟଏଲେଟ୍ ଆଦି ଲଗାଇବାକୁ କଟକ ପୌର ପରିଷଦ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗଙ୍କୁ କୁହାଯାଇଥିଲା ।

ଯାତ୍ରା ପଡିଆରେ କେବୁଲ ମାଧ୍ୟମରେ ବିଦ୍ୟୁତ ସଂଯୋଗ କରିବାକୁ ଶ୍ରୀ ମହାପାତ୍ର ବିତରକ କଂପାନୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାତ୍ରା ସମୟରେ ନଦୀରେ ଜଳ କ୍ରୀଡା ଏବଂ ଡେଜର୍ଟ ବାଇକ୍ ରାଇଡ଼ିଂ ଆଦିର ବ୍ୟବସ୍ଥା ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଥଇଲା । ଏ ବର୍ଷ ଅଧିକ ସଂଙ୍ଖ୍ୟକ ଲୋକ କଳା, ସଂଗୀତ ଏବଂ ନୃତ୍ୟ ଟ୍ରୁପ୍ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ତରଫରୁ ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ କହିଥିଲେ । ଏନ୍.ଜି.ଟି.ର ଗାଇଡ୍ ଲାଇନ୍ ଅନୁସାରେ ଯାତ୍ରାର ଆୟୋଜନ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ଗୃହ ଓ ନଗର ଉନ୍ନୟନ, ପୁର୍ତ୍ତ, ଶକ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଆଦି ବିଭାଗ ମାଧ୍ୟମରେ ଯାତ୍ରାର ପ୍ରସ୍ତୁତି ପାଇଁ କରାଯାଇଥିବା ପ୍ରାୟ ୧୫.୩୫ କୋଟି ଟଙ୍କା ଖର୍ଚ୍ଚ ଆକଳନର ପ୍ରସ୍ତାବିତ ବିନିଯୋଗ ବିଷୟରେ ଆଲୋଚନା ହୋଇଥିଲା ।

କଟକର ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚଇନି, କଟକ ଉନ୍ନୟନ କର୍ତ୍ତୁପକ୍ଷ ଅଧ୍ୟକ୍ଷ ଅନିଲ୍ କୁମାର ସାମଲ, କଟକ ପୌର ପରିଷଦ କମିଶନର ନିଖିଲ ପବନ କଲ୍ୟାଣ, ପ୍ରମୁଖ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳାଇ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news