ବିଶ୍ବସ୍ତରୀୟ ଶିକ୍ଷା ସୁବିଧା ପାଉଛି ଗାଁ ସ୍କୁଲ..

- Advertisement -

() ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତ

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ

ଉଭୟ ପ୍ରକଳ୍ପରେ ୨୭ ହଜାର ହେକ୍ଟରରୁ ଅଧିକ ଜମିକୁ ମିଳିବ ଜଳସେଚନ ସୁବିଧା, ୨.୫ ଲକ୍ଷରୁ ଅଧିକ ଚାଷୀ ହେବେ ଉପକୃତ।

ଜନଜାତି ପିଲାମାନେ ନିଜ ଦକ୍ଷତା ବଳରେ ଆଜି ଦେଶ ବିଦେଶରେ ସୁନାମ କରୁଛନ୍ତି।

 ପିଲାଟିଏ ଯେତେବେଳେ ଗାଁ ସ୍କୁଲରେ ବିଶ୍ବସ୍ତରୀୟ ଶିକ୍ଷା ସୁବିଧା ପାଉଛି, ସେତେବେଳେ କେବଳ ସେ ପିଲା ନୁହେଁ, ବା ଗାଁ ନୁହେଁ, ସାରା ଓଡିଶାର ଆଗକୁ ବଢିବାର ଚିତ୍ର ସ୍ପଷ୍ଟ ହେଉଛି – ମୁଖ୍ୟମନ୍ତ୍ରୀ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ଜଳସେଚନ ପ୍ରକଳ୍ପ – ଦେଓ ଓ ସୁବର୍ଣ୍ଣରେଖା ପ୍ରକଳ୍ପ – ଲୋକାର୍ପିତ କରିଛନ୍ତି । ଏହାସହିତ ଜିଲ୍ଲାର ଅନେକ ବିକାଶମୂଳକ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଆଜି ମୟୁରଭଞ୍ଜର ରାସଗୋବିନ୍ଦପୁରସ୍ଥିତ ଟିକପଦା ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଦୁଇଟି ପ୍ରକଳ୍ପ ଲୋକାର୍ପିତ କରି କହିଛନ୍ତି ଯେ ଜନଜାତି ଭାଇଭଉଣୀ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଆଜି ସୁଫଳ ଦେବା ଆରମ୍ଭ କରିଛି । ଶିକ୍ଷା ଓ ରୋଜଗାର ଜରିଆରେ ସେମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ବହୁତ ଆଗକୁ ଯାଇପାରିଛି । ଜନଜାତି ପିଲାମାନେ ଆଜି ସେମାନଙ୍କ ଦକ୍ଷତା ବଳରେ ଦେଶ ବିତେଶରେ ସୁନାମ କରିପାରୁଛନ୍ତି ବୋଲି ସେ କହିଥିଲେ ।

ଆଜି ଲୋକାର୍ପିତ ଦୁଇଟି ପ୍ରକଳ୍ପ ମଧ୍ୟରୁ ସୁବର୍ଣ୍ଣରେଖା ପ୍ରକଳ୍ପ ଦ୍ବାରା ମୟୁରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ୧୭,୧୨୧ ହେକ୍ଟର ଅତିରିକ୍ତ ଚାଷ ଜମି ପାଇଁ ଜଳସେଚନର ସୁବିଧା ମିଳିବ। ଏହାଦ୍ବାରା ଉଭୟ ଜିଲ୍ଲାର ୫୫ ହଜାର ଚାଷୀ ଉପକୃତ ହେବେ। ଏତିପାଇଁ ୬୮୫ କୋଟି ଟଙ୍କା ବିନିଯୋଗ କରାଯାଇଛି। ସୂଚନାଯୋଗ୍ୟ ଯେ ସୁବର୍ଣ୍ଣରେଖା ରାଜ୍ୟ ସରକାରଙ୍କ ଏକ ବୃହତ ଜଳସେଚନ ପ୍ରକଳ୍ପ। ଏହାଦ୍ବାରା ସମୁଦାୟ ୭୦ ହଜାର ହେକ୍ଟର ଜମିକୁ ଜଳସେଚିତ କରିବାର ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୫୦ ହଜାର ହେକ୍ଟରରୁ ଅଧିକ ଚାଷ ଜମିକୁ ପାଣି ସୁବିଧା କରାଯାଇପାରିଛି ।

ସେହିପରି ଦେଓ ଜଳସେଚନ ପ୍ରକଳ୍ପ ଦ୍ବାରା ମୟୁରଭଞ୍ଜର ପ୍ରାୟ ୧୦ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିବା ସହିତ ଏହାଦ୍ବାରା ୧୦୦ଟି ଗାଁର ଦୁଇ ଲକ୍ଷ ଲୋକ ଉପକୃତ ହେବେ । ଏଥିପାଇଁ କରଞ୍ଜିଆ ବ୍ଲକ୍‌ର ହାତୀବାରି ଠାରେ ୮୨୩ କୋଟି ଟଙ୍କାରେ ଦେଓ ନଦୀ ଉପରେ ୧୨୮୦ ମିଟର ଦୈର୍ଘ୍ୟର ଏକ ବନ୍ଧ ନିର୍ମାଣ କରାଯାଇଛି ।

କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ବିକାଶ ଓ କଲ୍ୟାଣ ମୂଳକ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ସବୁ କାର୍ଯ୍ୟକ୍ରମ ଲୋକଙ୍କୁ ସଶକ୍ତ କରିଛି ଏବଂ ଲୋକଙ୍କ ଆଦର ଲାଭ କରିଛି ।

୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି କରିଛି । ଯେତେବେଳେ ମୟୁରଭଞ୍ଜର ଗୋଟିଏ ପିଲାଟିଏ ଗାଁ ସ୍କୁଲରେ ବିଶ୍ବସ୍ତରୀୟ ଶିକ୍ଷା ସୁବିଧା ପାଉଛି, ସେତେବେଳେ କେବଳ ସେ ପିଲା ନୁହେଁ, ବା ଗାଁ ନୁହେଁ, ସାରା ଓଡିଶାର ଆଗକୁ ବଢିବାର ଚିତ୍ର ସ୍ପଷ୍ଟ ହେଉଛି ବୋଲି ସେ କହିଥିଲେ ।

ମୟୁରଭଞ୍ଜର କଳା ଓ ସଂସ୍କୃତିର ଉଚ୍ଚପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସାରା ଭାରତରେ ମୟୁରଭଞ୍ଜର ଏକ ସ୍ବତନ୍ତ୍ର ପରିଚୟ ରହିଛି । ମୟୁରଭଞ୍ଜର ଜନଜାତି ଭାଇଭଉଣୀ ମାନଙ୍କର ଏକ ସମୃଦ୍ଧ ପରମ୍ପରା ରହିଛି । ସେ ଗୌରବକୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଜୀ ଆହୁରି ବୃଦ୍ଧି କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ । ତାଙ୍କ ପାଇଁ ଆମେ ସମସ୍ତେ ଗର୍ବିତ ବୋଲି ସେ କହିଥିଲେ ।

ମୟୁରଭଞ୍ଜ ରାଜ୍ୟର ଏକ ବଡ ଓ ଗୁରୁତ୍ବପୂର୍ଣ୍ଣ ଜିଲ୍ଲା ବୋଲି ମତ ଦେଇ ସେ କହିଲେ ଯେ ରାଜ୍ୟର ବିକାଶର ମୟୁରଭଞ୍ଜର ସ୍ବତନ୍ତ୍ର ଅବଦାନ ରହିଛି । ସମସ୍ତେ ମିଶି ଜିଲ୍ଲାର ଓ ସାରା ରାଜ୍ୟର ବିକାଶ ପାଇଁ ହାତ ମିଳାଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ ପାତ୍ର, ମୋରଡା ବିଧାୟକ ଶ୍ରୀ ରାଜକିଶୋର ଦାସ, ବାଙ୍ଗରିପୋଷି ବିଧାୟକ ଶ୍ରୀ ସୁଦାମ ମାର୍ଣ୍ଡି ଓ ମୟୁରଭଞ୍ଜ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଭାରତୀ ହାଂସଦା ପ୍ରମୁଖ ବକ୍ତବ୍ୟ ରଖି ମୟୁରଭଞ୍ଜର ଚାଷୀ ମାନଙ୍କ ପାଇଁ ଏହି ଦୁଇଟି ପ୍ରକଳ୍ପର ଗୁରୁତ୍ବ ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ସବୁଠାରୁ ଲୋକପ୍ରିୟ ଓ ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବୋଲି ବର୍ଣ୍ଣନା କରି ଓଡିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ତାଙ୍କୁ ସମସ୍ତଙ୍କ ପ୍ରିୟଭାଜନ କରିପାରିଛି ବୋଲି ସେମାନେ ମତ ଦେଇଥିଲେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles