ବିଜେପି ବେପାରୀଙ୍କ ଦଳ; ଲୋକଙ୍କଠୁ ଶୋଷିବା ଏମାନଙ୍କ କାମ: ଭକ୍ତ
*ବିଜେପି ବେପାରୀଙ୍କ ଦଳ; ଲୋକଙ୍କଠୁ ଶୋଷିବା ଏମାନଙ୍କ କାମ: ଭକ୍ତ*
*ମୋଦୀ-ଶାହ ଲୋକଙ୍କ ପକେଟମାର କରିବାରେ ବ୍ୟସ୍ତ: ଲାଲଜୀ*
> *ସଂସଦରେ ମିଛ କହିବା ବିଜେପି ମନ୍ତ୍ରୀମାନଙ୍କ ଅଭ୍ୟାସ*
> *୬ ଓ ୧୦ ଅଗଷ୍ଟରେ ଅର୍ଥମନ୍ତ୍ରୀ ସୀତାରମଣ କିଛି ହେଉନି କହିଲେ; ଅଥଚ ୫ ସପ୍ତାହ ଭିତରେ ବିଜ୍ଞପ୍ତି ପ୍ରକାଶ କଲେ*
> *ବ୍ୟାଙ୍କମାନଙ୍କର ଚଳିବାରେ ଅସୁବିଧା ନାହିଁ, ପୁଣି ଟିକସ କାହିଁକି?*
> *ତୁରନ୍ତ ଏହି ମୋଦୀ-ଟିକସକୁ ପ୍ରତ୍ୟାହାର କର*
ୟୁପିଆଇ ବ୍ୟବହାର ଉପରେ ଟ୍ୟାକ୍ସକୁ ନେଇ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ଓଡିଶା ପ୍ରଭାରୀ ଲାଲଜୀ ଦେଶାଇ, ଓପିସିସି ସଭାପତି ଭକ୍ତ ଚରଣ ଦାସ ଗଣମାଧ୍ୟମ ସାମ୍ନାରେ ନିଜ ମତବ୍ୟକ୍ତ କରିଛନ୍ତି l
ସଭାପତି ଶ୍ରୀ ଦାସ ସାମ୍ବାଦିକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ ବା ୟୁପିଆଇ (UPI) ଆଜିକାଲି ସାଧାରଣ ଲୋକଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଛି, ହେଲେ ଏହା ସହିତ ଜଡ଼ିତ ସାମ୍ପ୍ରତିକ ସମସ୍ୟା ଗରିବ ଓ ମଧ୍ୟବିତ୍ତ ଶ୍ରେଣୀ ପାଇଁ ବଡ଼ ଚିନ୍ତାର କାରଣ ସାଜିଛି। ସରକାର ପ୍ରଥମେ ନଗଦମୁକ୍ତ କାରବାରର ପ୍ରତିଶ୍ରୁତି ଦେଇ ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହନ ଦେଇଥିଲେ, କିନ୍ତୁ ଏବେ ବିଭିନ୍ନ ୱାଲେଟ୍ ଓ ପ୍ଲାଟଫର୍ମ କାରବାର ଉପରେ ଲୁକ୍କାୟିତ ଚାର୍ଜ ଓ ଅତିରିକ୍ତ ଶୁଳ୍କ ଲଗାଯାଉଥିବାରୁ ଏହା ଛୋଟ ଦୋକାନୀ, ପରିବା ବିକ୍ରେତା ଏବଂ ସାଧାରଣ ଗ୍ରାହକଙ୍କ ଆର୍ଥିକ ବୋଝ ବଢ଼ାଇ ଦେଇଛି। ଏହାଛଡ଼ା, ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଇଣ୍ଟରନେଟ୍ ସେବା ଏବଂ ବ୍ୟାଙ୍କ ସର୍ଭର ବାରମ୍ବାର ଡାଉନ୍ ରହିବା ଯୋଗୁଁ ଟଙ୍କା କଟିଯାଇ ମଧ୍ୟ କାରବାର ବିଫଳ (Transaction Fail) ହେଉଛି, ଯାହାଦ୍ୱାରା ଦିନ ମଜୁରିଆ ଓ ଖୁଚୁରା ବ୍ୟବସାୟୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ସବୁଠାରୁ ମାରାତ୍ମକ ବିଷୟ ହେଉଛି, ବର୍ତ୍ତମାନ ସମୟରେ ବଢ଼ି ଚାଲିଥିବା ୟୁପିଆଇ ସାଇବର ଠକେଇ ଓ ଫିସିଂ ସ୍କାମର ଶିକାର ଗ୍ରାମାଞ୍ଚଳର ଅପାଠୁଆ ଏବଂ ସରଳ ଲୋକମାନେ ହିଁ ହେଉଛନ୍ତି। ବ୍ୟାଙ୍କ କିମ୍ବା ପ୍ରଶାସନ ତରଫରୁ ତୁରନ୍ତ ସହାୟତା ବା ଅଭିଯୋଗର ସମାଧାନ ନ ମିଳିବା କାରଣରୁ ଜଣେ ସାଧାରଣ ନାଗରିକ ତାର ରକ୍ତଝାଳ ବୁହା ଧନ ହରାଇ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ୁଛି l
*ଏହା ସାଧାରଣ ଜନତାଙ୍କ ସହ ଏକ ବଡ଼ ବିଶ୍ୱାସଘାତକତା!* ମନେ ପକାନ୍ତୁ ସେଇ ଦିନଗୁଡ଼ିକ କଥା, ଯେତେବେଳେ ଏହି ସରକାର ବଡ଼ ବଡ଼ ଭାଷଣ ଦେଇ, ଛାତି ପିଟି କହୁଥିଲେ- “ଡିଜିଟାଲ୍ ପେମେଣ୍ଟ ଆପଣାନ୍ତୁ, ଦେଶ ବଦଳିବ, କାରବାର ସହଜ ହେବ।” ସେତେବେଳେ ଡିଜିଟାଲ୍ ଇଣ୍ଡିଆର କେତେ ବାହାବା ମାରୁଥିଲେ! ଆମର ଗରିବ ଚାଷୀ, ଛୋଟ ଦୋକାନୀ, ପରିବା ବେପାରୀ ଆଉ ମଧ୍ୟବିତ୍ତ ଲୋକମାନେ ସରକାରଙ୍କ କଥାକୁ ବିଶ୍ୱାସ କଲେ। ପକେଟ୍ରୁ ନଗଦ ଟଙ୍କା ଛାଡ଼ି ସମସ୍ତେ ମୋବାଇଲ୍ରେ ୟୁପିଆଇ (UPI) ବ୍ୟବହାର କରିବା ଶିଖିଲେ।କିନ୍ତୁ ଆଜି କଣ ହେଉଛି? ସାରା ଦେଶକୁ ଅଭ୍ୟାସ କରାଇ ସାରିବା ପରେ, ଏବେ ଏହି ‘ବେପାରୀ ପାର୍ଟି’ ନିଜର ଅସଲ ରୂପ ଦେଖାଇଛି। ଏବେ ସେମାନେ ୟୁପିଆଇ କାରବାର ଉପରେ ଟିକସ (Taxation) ଲଗାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିସାରିଲେଣି!
ମୁଁ ପଚାରିବାକୁ ଚାହେଁ, ଏହା କେଉଁ ପ୍ରକାରର ନୀତି?ପ୍ରଥମେ ମାଗଣାର ପ୍ରଲୋଭନ ଦେଖାଇ ଲୋକଙ୍କୁ ଜାଲରେ ଫସାଅ, ଆଉ ତା’ପରେ ସେମାନଙ୍କ ରକ୍ତଝାଳ ବୁହା ଧନ ଉପରେ ଟ୍ୟାକ୍ସ ବସାଅ! ଏହି ଜନବିରୋଧୀ ନିଷ୍ପତ୍ତି ଯୋଗୁଁ ଆମର ସାଧାରଣ ଗ୍ରାହକ ଏବଂ ଖୁଚୁରା ବ୍ୟବସାୟୀମାନେ ହିଁ ସବୁଠାରୁ ବେଶୀ ହଇରାଣ ହେବେ, ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯିବ। କଂଗ୍ରେସ ଦଳ ଏହି ‘ବେପାରୀ ନୀତି’ କୁ କଦାପି ବରଦାସ୍ତ କରିବ ନାହିଁ। ଆମେ ଗରିବଙ୍କ ହକ୍ ପାଇଁ ରାଜପଥକୁ ଓହ୍ଲାଇବୁ ବୋଲି ସଭାପତି ଶ୍ରୀ ଦାସ ଚେତାବନୀ ଦେଇଛନ୍ତି l
ଏହି ସରକାର ଏକ ମିଛୁଆ ସରକାର। ଖୋଦ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଗଷ୍ଟ ୬ ଓ ୧୦ରେ ଦୁଇଥର ପାର୍ଲାମେଣ୍ଟରେ କହିଥିଲେ, ସେପରି କିଛି ନାହିଁ। ଅଥଚ ୫ ସପ୍ତାହ ଗଲାନି, ସେପ୍ଟେମ୍ବର ୧୪ରେ ବିଜ୍ଞପ୍ତି ପ୍ରକାଶ କରିଦେଲେ ଯେ ଅକ୍ଟୋବର ୧୫ରୁ ଏଣୁଏଣିକି ୨୦୦୦ ଟଙ୍କାରୁ ଊର୍ଦ୍ଧ୍ବ ୟୁପିଆଇ କାରବାରରେ ଟ୍ୟାକ୍ସ ଲାଗିବ। ଏହା ମିଛୁଆ ସରକାରର ଆଉ ଏକ ମିଛ।
ଏଆଇସିସି ଓଡିଶା ପ୍ରଭାରୀ ଶ୍ରୀ ଦେଶାଇ କହିଛନ୍ତି ଯେ, ମୋଦୀ ଶାହା ଏବଂ ଅର୍ଥମନ୍ତ୍ରୀ ଲୋକଙ୍କ ପକେଟକୁ ଟଙ୍କା ଆସିବ ବୋଲି ଭୁତାଇ ପକେଟମାର କରୁଛନ୍ତି l ସେମାନେ ଏହି ଟ୍ୟାକ୍ସ ଦ୍ୱାରା ଲୋକେ ଲାଭବାନ ହେବେ ବୋଲି କହୁଛନ୍ତି ତାହା ସମସ୍ତଙ୍କ ବୁଝିବା ଶକ୍ତି ବାହାରେ l ବିଭିନ୍ନ ଉପାୟ ଅବଲମ୍ବନ କରି ଏମାନେ କେବଳ ଅର୍ଥ ଲୁଟ କରୁଛନ୍ତି l ଏମଏମଡିଆର ଏହାର ଏକ ନିଚ୍ଛକ ଉଦାହରଣ l କିନ୍ତୁ କଂଗ୍ରେସ ସବୁବେଳେ ଜନତାଙ୍କ ସାଥିରେ ଅଛି ଓ ଏହି ଡବଲ ଇଞ୍ଜିନ ସରକାରକୁ ଯେତେଦିନ ପର୍ଯ୍ୟନ୍ତ ହଟାଇବେ ନାହିଁ ସେତେଦିନ ପର୍ଯ୍ୟନ୍ତ ଏମାନେ ଜନତାଙ୍କ ରକ୍ତ ଚୋଷୁଥିବେ ବୋଲି ଶ୍ରୀ ଦେଶାଇ ମତବ୍ୟକ୍ତ କରିଥିଲେ l
- Advertisement -
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy