ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ…

() ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ୫୦୦ ଘରୋଇ ହସ୍ପିଟାଲ ତାଲିକାଭୁକ୍ତ, ସେଥିମଧ୍ୟରୁ ୯୮ଟି ରାଜ୍ୟ ବାହାରେ।

ଯୋଜନା ଆରମ୍ଭରୁ ଆଜି ପର୍ଯ୍ୟନ୍ତ ୫,୪୫,୩୩୯ ହିତାଧିକାରୀଙ୍କ ପାଇଁ ୧୧୯୧ କୋଟି ଟଙ୍କା ଖର୍ଚ୍ଚ ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସମୀକ୍ଷା କରି ଏହି କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର ପ୍ଲାଟଫର୍ମରେ ଏହି ଯୋଜନା ସଂପର୍କରେ ବହୁତ ଭଲ ଫିଡ୍ବ୍ୟାକ ମିଳିଛି। ସାମାଜିକ ସୁରକ୍ଷା କ୍ଷେତ୍ରରେ ଏହା ଏକ ଭଲ ଯୋଜନା ଏବଂ ରାଜ୍ୟର ଲୋକଙ୍କୁ ବିନା ପଇସାରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା କ୍ଷେତ୍ରରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ସେ କହିଥିଲେ।

ସମୀକ୍ଷାରୁ ଜଣାଯାଇଛି ଯେ ରାଜ୍ୟର ୯୬.୫ ଲକ୍ଷ ପରିବାରକୁ ଏହି ଯୋଜନାରେ ସ୍ମର୍ଟ ହେଲ୍ଥ କାର୍ଡ ଯୋଗାଇ ଦିଆଯାଇଛି। ଏହାଦ୍ବାରା ରାଜ୍ୟର ୩.୩୦ କୋଟି ଲୋକ ଉପକୃତ ହେଉଛନ୍ତି। ହିତାଧିକାରୀ ମାନଙ୍କ ଚିକିତ୍ସା ପାଇଁ ଘରୋଇ ହସପିଟାଲ ମାନଙ୍କୁ ତାଲିକାଭୁକ୍ତ କରାଯାଇଛି। ଏଥିରେ ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଦିଆଯାଉଛି ଏବଂ ମହିଳା ହିତାଧିକାରୀଙ୍କ କ୍ଷେତ୍ରରେ ଏହି ସୁବିଧା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିପାରୁଛି ।

ବର୍ତ୍ତମାନ ସୁଦ୍ଧା ୫୦୦ଟି ଘରୋଇ ହସପିଟାଲକୁ ତାଲିକାଭୁକ୍ତ କରାଯାଇଛି ଏବଂ ସେଥିମଧ୍ୟରୁ ୯୮ଟି ହସପିଟାଲ ରାଜ୍ୟ ବାହାରେ ଅଛନ୍ତି। ରାଜ୍ୟ ବାହାରେ ଥିବା ହସପିଟାଲ ଗୁଡିକ ମଧ୍ୟରେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଟାଟା ମେମୋରିଆଲ ହସପିଟାଲ, ସିଏମସି ଭେଲୋର, ଶ୍ରୀ ଶଂକର କ୍ୟାନସର ହସପିଟାଲ ବାଙ୍ଗାଲୋର, ନାରାୟଣ ହୃଦୟାଳୟ ହସପିଟାଲ, ଫର୍ଟିସ ହସପିଟାଲ, ଆପୋଲ ହସପିଟାଲ ଇତ୍ୟାଦି ରହିଛନ୍ତି । ୧୭ଟି ରାଜ୍ୟରେ ଏହି ହସପିଟାଲ ଗୁଡିକ BSKY ଯୋଜନାରେ ସେବା ଯୋଗାଇ ଦେଉଛନ୍ତି। ସିଏମସି ଭେଲୋରରେ ୭୬ ଜଣ ଓ ଟାଟା ମେମୋରିଆଲ ହସପିଟାଲ ମୁମ୍ବାଇରେ ୯୭୯ ଜଣ ହିତାଧିକାରୀ ଚିକିତ୍ସା ସୁବିଧା ପାଇଛନ୍ତି।୨୦୨୧ ସେପ୍ଟେମ୍ବର ୧ ରେ ଏହି ଯୋଜନା ଆରମ୍ଭ ହେବା ଠାରୁ ଆଜି ପର୍ଯ୍ୟନ୍ତ ୫,୪୫,୩୩୯ ଜଣ ହିତାଧିକାରୀ ୧୨୯୧ କୋଟି ଟଙ୍କାର ଚିକିତ୍ସା ସୁବିଧା ପାଇଛନ୍ତି। ଏଥିମଧ୍ୟରୁ ରାଜ୍ୟ ବାହାର ହସ୍‌ପିଟାଲ ଗୁଡିକରେ ୨୩,୧୧୯ ଜଣ ହିତାଧିକାରୀ ୬୪.୨୫ କୋଟି ଟଙ୍କାର ଚିକିତ୍ସା ସୁବିଧା ପାଇଛନ୍ତି। ଘରୋଇ ହସପିଟାଲ ଗୁଡିକର ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ବହନ କରୁଛନ୍ତି।

ସମୁଦାୟ ୫,୪୫,୩୩୯ ହିତାଧିକାରୀଙ୍କ ମଧ୍ୟରୁ ଅଢେଇ ଲକ୍ଷ ହିତାଧିକାରୀ ପ୍ରତ୍ୟେକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇଥିବା ବେଳେ ୨୨୫ ଜଣ ମହିଳା ରୋଗୀ ପ୍ରତ୍ୟେକ ୫ ଲକ୍ଷ ଟଙ୍କାରୁ ଅଧିକ ଚିକିତ୍ସା ସୁବିଧା ପାଇଛନ୍ତି। ୨୭ ଜଣ ମହିଳା ପ୍ରତ୍ୟେକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଗ୍ରହଣ କରିଛନ୍ତି। ବର୍ତ୍ତମାନ ମାସକୁ ପ୍ରାୟ ୭୩ ହଜାର ରୋଗୀ ତାଲିକାଭୁକ୍ତ ହସପିଟାଲ ଗୁଡିକରେ ଚିକିତ୍ସା ପାଉଥିବା ବେଳେ, ଏଥିପାଇଁ ରାଜ୍ୟ ସରକାର ମାସକୁ ୧୬୫ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।

ବିଭିନ୍ନ ତାଲିକାଭୁକ୍ତ ଡାକ୍ତରଖାନାରେ ଚିକିତ୍ସାଧୀନ ହିତାଧିକାରୀ ମାନଙ୍କ ସହିତ BSKY କର୍ତ୍ତୃପକ୍ଷ ସଂପୂର୍ଣ୍ଣ ଯୋଗାଯୋଗରେ ଅଛନ୍ତି। ରୋଗୀଙ୍କ ସନ୍ତୋଷ ହାର ୯୭ ପ୍ରତିଶତ ରହିଛି ବୋଲି ଜଣାଯାଇଛି । ଏହାସହିତ ରୋଗୀମାନଙ୍କ ଆଡମିଶନ ତଥା ଅନ୍ୟାନ୍ୟ ସହାୟତା ପାଇଁ ଏହି ଘରୋଇ ହସ୍‌ପିଟାଲ ଗୁଡିକରେ ସ୍ବାସ୍ଥ୍ୟମିତ୍ର ମାନଙ୍କୁ ରଖାଯାଇଛି।

ଜଳସାଥୀ ମାନଙ୍କ ଯାତାୟତର ସୁବିଧା ପାଇଁ ସେମାନଙ୍କୁ ସାଇକେଲ ପ୍ରଦାନ କରାଯିବ – ମୁଖ୍ୟମନ୍ତ୍ରୀ…

{} ଜଳସାଥୀ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ୮୫ଟି ସହରରେ ଶତପ୍ରତିଶତ ପାଇପ ଜଳ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଓଡିଶା ଦେଶର ଏକମାତ୍ର ରାଜ୍ୟ।

ଜଳସାଥୀ ମାନେ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ବିଶ୍ବାସର ସେତୁ ହୋଇଛନ୍ତି।

ଜଳସାଥୀ ମାନଙ୍କ ଯାତାୟତର ସୁବିଧା ପାଇଁ ସେମାନଙ୍କୁ ସାଇକେଲ ପ୍ରଦାନ କରାଯିବ – ମୁଖ୍ୟମନ୍ତ୍ରୀ।

() ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ ସେଣ୍ଟରରେ ଜଳସାଥୀ ମାନଙ୍କ ପାଇଁ ଆୟୋଜିତ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କ ଯାତାୟତର ସୁବିଧା ପାଇଁ ସାଇକେଲ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।

ଜଳସାଥୀ ମାନେ ସରକାରଙ୍କ ଜଳଯୋଗାଣ ବିଭାଗ ଓ ଉପଭୋକ୍ତାମାନଙ୍କ ମଧ୍ୟରେ ସେତୁ ସାଜି ଉଭୟଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବାରେ ସହାୟକ ହୋଇଛନ୍ତି। ସେମାନଙ୍କ କାର୍ଯ୍ୟ ଦକ୍ଷତା ଦ୍ବାରା ଜଳଯୋଗାଣର ଗୁଣବତ୍ତା ଓ ନିର୍ଭରଶୀଳତା ପ୍ରତିପାଦିତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ସୂଚନାଯୋଗ୍ୟ ଯେ ସହରାଞ୍ଚଳ ପାନୀୟ ଜଳ ଯୋଗାଣ ଓ Water Treatment Plant କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମା ଏବଂ ତୃତୀୟ ଲିଙ୍ଗର ଭଉଣୀ ମାନଙ୍କୁ ଦାୟିତ୍ବ ଦିଆଯାଇଛି। ସେମାନେ ମିଟର ରିଡିଂ, ଜଳର ମାନ ପରୀକ୍ଷା, ନୂତନ ସଂଯୋଗ ଓ ବେନିୟମ ସଂଯୋଗ ଦୂର କରିବା କ୍ଷେତ୍ରରେ କାମ କରୁଛନ୍ତି। ଏଥିପାଇଁ ସେମାନଙ୍କୁ ତାଲିମ ଦିଆଯାଇଛି।

ବିକେନ୍ଦ୍ରୀକରଣ ଓ ଜନ ଭାଗିଦାରୀ (Community Partnership) ରାଜ୍ୟ ସରକାରଙ୍କ ସହରାଞ୍ଚଳ ପରିଚାଳନା ମଡେଲର ଦୁଇ ଆଖି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଳସାଥୀ ମାନେ ଏହି ଉଭୟ ଆଖିକୁ ପ୍ରତିନିଧିତ୍ବ କରୁଛନ୍ତି। ୩ ବର୍ଷ ତଳେ ୫-ଟି ଉପକ୍ରମରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଜି ସାରା ଓଡିଶାର ସହରାଞ୍ଚଳରେ ଜଳସାଥୀ ମାନେ ଜଳଯୋଗାଣ କାର୍ଯ୍ୟକ୍ରମକୁ ସଫଳତାର ପରିଚାଳନା କରୁଛନ୍ତି ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ୧୧୪ଟି ସହରରୁ ୮୫ଟି ସହରରେ ଶତପ୍ରତିଶତ ପାଇପ ଜଳଯୋଗାଣର ବ୍ୟବସ୍ଥା କରାଯାଇପାରିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୪୦ ଜଣ ଜଳସାଥୀ ୮.୪୦ ଲକ୍ଷ ଉପଭୋକ୍ତାଙ୍କ ଜଳଯୋଗାଣ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏବଂ ଏ ବାବଦରେ ୬୭ କୋଟି ଟଙ୍କା ଜଳକର ଆଦାୟ କରିପାରିଛନ୍ତି । ସେମାନଙ୍କ ଦ୍ବାରା ମିଟର ରିଡିଂ, ଜଳକର ଆଦାୟ ଓ ବେନିୟମ ପାଇପ ସଂଯୋଗ ଦୂର କରିବା କାର୍ଯ୍ୟରେ ବହୁତ ଉନ୍ନତି ଆସିଛି ବୋଲି ସେ କହିଥିଲେ।ଜଳସାଥୀ କାର୍ଯ୍ୟକ୍ରମ ସଫଳତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମିଶନ ଶକ୍ତି ଗୋଷ୍ଠୀଙ୍କୁ ସମ୍ପତ୍ତି କର ଆଦାୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଦ୍ବାରା ସହରାଞ୍ଚଳରେ ରାଜସ୍ବ ବୃଦ୍ଧି ହେବା ସହିତ ମିଶନ ଶକ୍ତି ମା ମାନଙ୍କର ଆର୍ଥିକ ଅଭିବୃଦ୍ଧି ସହିତ ସଶକ୍ତିକରଣ ହୋଇପାରିବ ବୋଲି ସେ କହିଛନ୍ତି।

ରାଜ୍ୟ ସରକାରଙ୍କ ଡ୍ରିଙ୍କ ଫ୍ରମ ଟ୍ୟାପ୍‌ କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ମାନର ପାନୀୟ ଜଳ ଦିନରାତି ୨୪ ଘଣ୍ଟା ଯୋଗାଇ ଦିଆଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି କାର୍ଯ୍ୟକ୍ରମ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଓ ଅନୁକରଣୀୟ ହୋଇପାରିଛି । ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ଓ ଜଳସାଥୀ କାର୍ଯ୍ୟକ୍ରମକୁ ଜାତୀୟ ସ୍ତରରେ ପ୍ରାଥମିକତା ଦିଆଯାଇ ଅମୃତ ୨.୦ କାର୍ଯ୍ୟକ୍ରମରେ ସବୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ଜାଗା ମିଶନ ଓ ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ପରି କାର୍ଯ୍ୟକ୍ରମ ଓଡିଶାର ସହରାଞ୍ଚଳ ପାଇଁ ଏକ ସଫଳତାର କାହାଣୀ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଳସାଥୀ ପରି ଜନଭାଗିଦାରୀ କାର୍ଯ୍ୟକ୍ରମ ବିନା ଏହା ସଫଳ ହୋଇପାରି ନଥାନ୍ତା।

ମିଶନ ଶକ୍ତିର ବିଭିନ୍ନ ଗୋଷ୍ଠୀ ଓ ଜଳସାଥୀ ମାନଙ୍କ ସହିତ ଭାଗିଦାରୀ ପାଇଁ ରାଜ୍ୟ ସରକାର ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଜନଭାଗିଦାରୀ କାର୍ଯ୍ୟକ୍ରମ ଦ୍ବାରା ପ୍ରଶାସନିକ ବ୍ୟବସ୍ଥାରେ ନାଗରିକ ମାନେ ଉତ୍କୃଷ୍ଟ ସେବା ପାଇପାରିଥାନ୍ତି ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଏକ ସଶକ୍ତ ଓଡିଶା ଗଠନ ଦିଗରେ ଆମକୁ ଆଗେଇ ନେବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ କହିଲେ ଯେ ମା ମାନଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଆଜି ସଫଳତାର ସହ କାର୍ଯ୍ୟକାରୀ ହୋଇଛି। ମହିଳା ସଶକ୍ତିକରଣ ଦିଗରେ ଏହା ଏକ ଅନନ୍ୟ ଉଦାହରଣ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀ ଜି. ମାଥିଭାତନନ ସ୍ବାଗତ ଭାଷଣ ଦେଇ କହିଲେ ଯେ ରାଜ୍ୟର ସହରାଞ୍ଚଳର ୯୭ ଭାଗ ଲୋକ ଏବେ ପାଇପ ଜଳ ପାଇପାରୁଛନ୍ତି। ରାଜ୍ୟର ୮୫ଟି ସହରରେ ଶତପ୍ରତିଶତ ପାଇପ ଜଳଯୋଗାଣ ହୋଇଥିବା ବେଳେ, ବାକି ୨୦ଟି ସହରରେ ଡିସେମ୍ବର ୨୦୨୩ ସୁଦ୍ଧା ପାଇପ ଜଳର ବ୍ୟବସ୍ଥା ସଂପୂର୍ଣ୍ଣ ହେବ ବୋଲି ସେ କହିଥିଲେ। ବିଭାଗୀୟ ସ୍ବତନ୍ତ୍ର ସଚିବ ଶ୍ରୀମତୀ ସାଗରିକା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।କୋହ ଓ ଆନନ୍ଦାଶ୍ରୃରେ ଭରିଲା ଜଳସାଥୀ ମା ମାନଙ୍କର ଆଖିମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଆମେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛୁ – ମିଶନ ଶକ୍ତିର ଜଳସାଥୀ

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜଳସାଥୀ ମାନଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ମିଶନ ଶକ୍ତିର କିଛି ମା ମାନେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ପୁରୀର ଶ୍ରୀମତୀ ମହାପାତ୍ର ଓ ଭୁବନେଶ୍ବରର ସୁଜାତା ପଟ୍ଟନାୟକ ପ୍ରମୁଖଙ୍କ ଆଖିରେ ଥିଲା ଆନନ୍ଦର ଅଶ୍ରୁ। କୋହଭରା କଣ୍ଟରେ ସେମାନେ କହିଲେ ଯେ ଘର ଭିତରେ ଗୃହିଣୀ ହେବା ଛଡା ଆମର ଆଉ କିଛି କରିବାର ଶକ୍ତି ଅଛି ବୋଲି ଆମେ ଜାଣି ନ ଥିଲୁ। ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଆମେ ଏକ ସ୍ବତନ୍ତ୍ର ପରିଚୟ ପାଇପାରିଛୁ। ଜୀବନର ସାର୍ଥକତା ପାଇଛୁ।

ସେହିପରି କଟକ ଓ ଭୁବନେଶ୍ବରରେ Water Treatment Plant ଓ Septage Treatment Plant ପରିଚାଳନା କରୁଥିବା ତୃତୀୟ ଲିଙ୍ଗର ସଦସ୍ୟା ତନୁଶ୍ରୀ ବେହେରା ଓ ମେଘନା ପ୍ରମୁଖ କହିଥିଲେ ଯେ ଆମ ପରିବାରରେ ବି ଆମର ସମ୍ମାନ ନ ଥିଲା। ଥିଲା କେବଳ ତିରସ୍କାର। ସମାଜ ଆମକୁ ଗ୍ରହଣ କରୁନଥିଲା। ଆଜି ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଆମେ ଆମ ନିଜର ମୂଲ୍ୟ ଅଛି ବୋଲି ଅନୁଭବ କରୁଛୁ । ନିଜର ଏକ ସ୍ବତନ୍ତ୍ର ପରିଚୟ ପାଇପାରିଛୁ । ମୁଖ୍ୟମନ୍ତ୍ରୀଙ୍କୁ କୋଟି କୋଟି ପ୍ରଣାମ।

ଉପନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି….

() ଆସନ୍ତା କାଲି ଧାମନଗର ଉପନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବୁଥ ରେ ସବୁ ପ୍ରକାର ପୋଲିଂ ପର୍ସନ ନିୟୋଜିତ ହୋଇ ସାରିଛନ୍ତି । 1008 ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ବର୍ତ୍ତମାନ ସାଇଲେଣ୍ଟ ପିରିୟଡ଼ ଚାଲିଛି । ଏହି ସମୟରେ ଚେକିଂ କଡାକଡି କରାଯାଉଛି। ଆସନ୍ତା କାଲି ସକାଳ 7 ରୁ 6.30 ପର୍ଯ୍ୟନ୍ତ ସମସ୍ତ ଏକ୍ସିଟ ପୋଲ କୁ ବ୍ୟାଣ୍ଡ କରାଯାଇଛି । ବୁଥର 100 ମିଟର ମଧ୍ୟରେ କେହି ବି କଥା ବାର୍ତ୍ତା ହୋଇ ପାରିବେ ନାହିଁ । ଯଦି କେହି ନିୟମ ଉଲଂଘନ କଲା ତେବେ ତାଙ୍କୁ ଆରେଷ୍ଟ କରାଯିବ । ଭୋଟର ପରିଚୟ ପତ୍ର ଛଡା 12 ଟି ଅନ୍ୟ ଡ଼କ୍ୟୁ ମେଣ୍ଟ ଦେଖାଇ ବି ଭୋଟ ଦେଇ ପାରିବେ । ସକାଳ 7 ରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ଏହା ପୂର୍ବରୁ ମକପୋଲ ହେବ। ମୋଟ 252 ବୁଥ ରହିଛି । ତାହା ମଧ୍ୟରୁ 110 ସମ୍ବେଦନଶୀଳ ବୁଥ ରହିଛି । ଆଉ ସେଥି ମଧ୍ୟରୁ 126 ଟି ୱେବ କାଷ୍ଟିଂ ହେବ । 25 ଟି ମାଇକ୍ରୋ ଅଵଜରର୍ଭର ରହିଛନ୍ତି। 15 ଟି ମଡେଲ ବୁଥ ଓ 5 ଟି ପିଙ୍କ ବୁଥ କରାଯାଇଛି । ସାଇଲେଣ୍ଟ ପିରିୟଡ଼ ଠୁ ନେଇ ଭୋଟ ପର୍ଯ୍ୟନ୍ତ ମଦ ବିକ୍ରି ମନା । 4 ଟି ସେଣ୍ଟ୍ରାଲ ଟିମ ଓ 1000 ଜଣ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି ।

3 ଟି ରାଜନୈତିକ ଦଳ ପ୍ରଚାର ସମୟରେ କିଛି ଅଭିଯୋଗ ଆଣିଥିଲେ । ସାଧାରଣ ଅଭିଯୋଗ ପାଇଁ ଆମେ ଜିଲ୍ଲା ପ୍ରଶାସନ କୁ ମାର୍ଗ ଦର୍ଶୀକା ଦେଇଚୁ । 5 ଟି କେସ ରେ ପୋଲିସ କେସ ହୋଇଛି । ଆଉ ଗୋଟିଏ କେସ ରେ ଜଣେ ଉଚ୍ଚପଦସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା ଆମେ ତାକୁ ଜାତୀୟ ନିର୍ବାଚନ ଆୟୋଗ ଙ୍କ ନିକଟକୁ ପଠାଇଛୁ ।

ବାଇଟ – ସୁଶୀଲ ଲୋହାନି, ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି…

() ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି।

 14 ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ,4 ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର, 4 ଜଣଙ୍କୁ ବାଧ୍ୟତାମୂଳକ ଅବସର ଓ 6 ଜଣଙ୍କ ପେନ୍‌ସନ୍‌ ସ୍ଥାୟୀଭାବେ ସ୍ଥଗିତ।

ଜଣେ ସୁପରିନ୍‌ଟେଣ୍ଡିଂ ଇଞ୍ଜିନିୟର, 2ଜଣ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜଣେ ଡି.ଏସ୍‌.ପି., ଜଣେ ସିଡିପିଓ, ଜଣେ ଫରେଷ୍ଟ ରେଞ୍ଜ ଅଫିସର, ଜଣେ ତହସିଲଦାର, ଜଣେ ବି.ଡି.ଓ, ଜଣେ ସିନିଅର ମ୍ୟାନେଜର, ଜଣେ ଟ୍ୟାକ୍ସ କଲେକ୍ଟର, ଜଣେ ସପ୍ଲାଇ ଇନ୍ସପେକ୍ଟର ଓ ୩ ଜଣ ଜୁନିଅର ଇଞ୍ଜିନିୟର ଅନ୍ତର୍ଭୁକ୍ତ।

5T ଓ ମୋ ସରକାର ବ୍ୟବସ୍ଥା ରୁ ମିଳିଥିବା feedback ଭିତ୍ତିରେ କାର୍ଯ୍ୟାନୁଷ୍ଠାନ। 

ଏପର୍ଯ୍ୟନ୍ତ ୧୮୭ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି।ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ 14 ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏଥିରେ ୪ ଜଣଙ୍କୁ ଚାକିରୀରୁ ବହିଷ୍କାର କରାଯାଇଥିବା ବେଳେ, ୪ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଓ ଅନ୍ୟ ୬ ଜଣଙ୍କ ପେନ୍‌ସନ୍‌ ସ୍ଥାୟୀଭାବେ ସ୍ଥଗିତ କରାଯାଇଛି। ଏଥିରେ ବିଭିନ୍ନ କ୍ଷେତ୍ରରେ ଥିବା ଅଧିକାରୀ, ଯଥା – ଜଣେ ସୁପରିନ୍‌ଟେଣ୍ଡିଂ ଇଞ୍ଜିନିୟର, ୨ ଜଣ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜଣେ ଡି.ଏସ୍‌.ପି., ଜଣେ ସିଡିପିଓ, ଜଣେ ଫରେଷ୍ଟ ରେଞ୍ଜ ଅଫିସର, ଜଣେ ତହସିଲଦାର, ଜଣେ ବି.ଡି.ଓ, ଜଣେ ସିନିଅର ମ୍ୟାନେଜର, ଜଣେ ଟ୍ୟାକ୍ସ କଲେକ୍ଟର, ଜଣେ ସପ୍ଲାଇ ଇନସପେକ୍ଟର ଓ ୩ ଜଣ ଜୁନିଅର ଇଞ୍ଜିନିୟର ଅନ୍ତର୍ଭୁକ୍ତ। ପୂର୍ବରୁ ୧୭୩ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ, ଏହି ୧୪ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୮୭ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।5T ଓ ମୋ ସରକାର ଉପକ୍ରମ ଜରିଆରେ ମିଳିଥିବା feedback ଭିତ୍ତି ରେ ଏହି କଠୋର ପଦକ୍ଷେପ ନିଆଯାଇଛି।

କଟକ ପି.ଏଚ.ଡିଭିଜନର ସୁପରିଟେଣ୍ଡିଂ ଇଞ୍ଜିନିୟର ଶ୍ରୀ ନବକିଶୋର ସାମଲଙ୍କ ନାମରେ ଟେଣ୍ଡର ଓ ଚୁକ୍ତି ପରିଚାଳନା ପ୍ରକ୍ରିୟାରେ ଅନିୟମିତତା ଓ ନିଜ ପଦବୀର ଅପବ୍ୟବହାର ଆଦି ଗମ୍ଭୀର ଅଭିଯୋଗ ଥିଲା। ତାଙ୍କୁ ପୂର୍ବରୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

କୋରାପୁଟ ଲମତାପୁଟ ବ୍ଲକ୍‌ର ପୂର୍ବତନ ସିଡିପିଓ ଶ୍ରୀମତୀ ସ୍ବର୍ଣ୍ଣଭା ଦାସଙ୍କ ନାମରେ ଲାଞ୍ଚ ଗ୍ରହଣ ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲା ଥିଲା। ସେଥିରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅସାଧୁତା ଓ ଅପାରଗତା କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ବୌଦ ଜିଲ୍ଲା କଣ୍ଟାମାଳ ବ୍ଲକ୍ର ପୂର୍ବତନ ବିଡିଓ ଶ୍ରୀ ଦାମୋଦର ମହାଲିକ ଏକ ଲାଞ୍ଚ ଗ୍ରହଣ ତଥା ନିଜ ପଦବୀର ଅପବ୍ୟବହାର ଆଦି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଅସାଧୁତା ଓ ଅପାରଗତା କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି।

ନୟାଗଡ ଖଣ୍ଡପଡା ତହସିଲର ପୂର୍ବତନ ତହସିଲଦାର ଶ୍ରୀ ପଞ୍ଚାନନ ବାରିକ ଗୋଟିଏ ଲାଞ୍ଚ ଗ୍ରହଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅସାଧୁତା କାରଣରୁ ତାଙ୍କ ପେନ୍‌ସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି। ଢେଙ୍କାନାଳ IUCAWର (ମହିଳା ମାନଙ୍କ ଉପରେ ଅପରାଧ ଘଟଣାର ତଦନ୍ତ କରୁଥିବା ୟୁନିଟ) ପୂର୍ବତନ ଡିଏସ୍‌ପି ଶ୍ରୀ ମଳୟ କିଶୋର ନାୟକଙ୍କ ନାମରେ ଲାଞ୍ଚ ଗ୍ରହଣର ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲା ଥିଲା। ତାଙ୍କ ନାମର ଦୁଇଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ କରାଯାଇଥିଲା । ଅସାଧୁତା ଓ ଅପାରଗତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

 

ଗଜପତି ଜିଲ୍ଲା ମୋହନା ବ୍ଲକ୍ର ପୂର୍ବତନ ସପ୍ଲାଇ ଇନ୍ସପେକ୍ଟର ଶ୍ରୀ ପ୍ରକାଶ ଚନ୍ଦ୍ର ପାତ୍ର ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅସାଧୁତା କାରଣରୁ ତାଙ୍କ ପେନ୍‌ସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି।

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍‌ର ପୂର୍ବତନ ଜୁନିଅର ଇଞ୍ଜିନିୟର ତଥା ବର୍ତ୍ତମାନ ଦଶମନ୍ତପୁର ବ୍ଲକ୍‌ର ଜୁନିଅର ଇଞ୍ଜିନିୟର ଶ୍ରୀ ମନୋଜ କୁମାର ବେଉରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅସାଧୁତା ଓ ଅପାରଗତା କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି।

ସୁନ୍ଦରଗଡ ମ୍ୟୁନିସ୍ପାଲଟିର ଆସିଷ୍ଟାଣ୍ଟ ଇଞ୍ଜିନିୟର ଶ୍ରୀ ଜୟନ୍ତ ନାରାୟଣ ପଣ୍ଡାଙ୍କୁ ଅପାରଗତା କାରଣରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ।

ଢେଙ୍କାନାଳ RWSS Divisionର ପୂର୍ବତନ ଆସିଷ୍ଟାଣ୍ଟ ଇଞ୍ଜିନିୟର ଶ୍ରୀ ପ୍ରସନ୍ନ କୁମାର ପାଣି। ଅର୍ଥ ଆତ୍ମସାତ ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲାରେ ସେ ଦୋଷୀସାବ୍ୟସ୍ତ ହୋଇଛନ୍ତି। ଅସାଧୁତା କାରଣରୁ ତାଙ୍କ ପେନ୍‌ସନ ଓ ଗ୍ରାଚ୍ୟୁଇଟିକୁ ସ୍ଥଗିତ ରଖାଯାଇଛି।

କୋରାପୁଟ ନନ୍ଦପୁର ବ୍ଲକ୍‌ର ଦାୟିତ୍ବରେ ଥିବା ପୂର୍ବତନ ଜୁନିଅର ଇଞ୍ଜିନିୟର ଶ୍ରୀ ଦୁଷ୍ମନ୍ତ କୁମାର ନାୟକ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅସାଧୁତା କାରଣରୁ ତାଙ୍କ ପେନ୍‌ସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି।   ସେହିପରି ଭୁବନେଶ୍ବର ଓବିସିସିର ପୂର୍ବତନ ସିନିଅର ମ୍ୟାନେଜର(ଟେଣ୍ଡର) ଶ୍ରୀ ସୋମନାଥ ପଣ୍ଡା ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅସାଧୁତା କାରଣରୁ ତାଙ୍କ ପେନ୍‌ସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି।

ଭୁବନେଶ୍ବର ଆଇଆରସି ଭିଲେଜ ମେଣ୍ଟେନାନ୍‌ସ ସେକ୍‌ସନର ପୂର୍ବତନ ଜୁନିଅର ଇଞ୍ଜିନିୟର ଶ୍ରୀ କୁଞ୍ଜବିହାରୀ ମହାପାତ୍ରଙ୍କ ନାମରେ ଅର୍ଥ ଆତ୍ମସାତ ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲା ଥିଲା। ସେଥିରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅସାଧୁତା କାରଣରୁ ତାଙ୍କ ପେନ୍‌ସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି।

ତାଳଚେର ମ୍ୟୁନିସପାଲ୍ଟିର ପୂର୍ବତନ ଟ୍ୟାକ୍ସ କଲେକ୍ଟର ଶ୍ରୀ କ୍ଷୀରୋଧ ଚନ୍ଦ୍ର ରାଉତଙ୍କୁ ଅପାରଗତା କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଫରେଷ୍ଟ ଡିଭିଜନର ପୂର୍ବତନ ରେଞ୍ଜ ଅଫିସର ତଥା ବର୍ତ୍ତମାନ ସୁନ୍ଦରଗଡ ବଡଗାଁ ରେଞ୍ଜରେ ଅବସ୍ଥାପିତ ଫରେଷ୍ଟ ରେଞ୍ଜର ଶ୍ରୀ ଦିଲ୍ଲିପ କୁମାର ଦିଗଲ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସେ ଦୋଷୀସାବ୍ୟସ୍ତ ହୋଇଛନ୍ତି। ଅସାଧୁତା ତଥା ଅପାରଗତା କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି।ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୮୭ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି କିମ୍ବା ପେନ୍‌ସନକୁ ସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି।

ଧାମନଗର ନିର୍ବାଚନ ମଣ୍ଡଳୀର ବିକାଶ ଦାୟିତ୍ବ ମୋର: ମୁଖ୍ୟମନ୍ତ୍ରୀ…

() ବିଜୁ ଜନତା ଦଳ ସୁଖଦୁଃଖ ସବୁବେଳେ ଆପଣଙ୍କ ସାଥିରେ ଅଛି।

ମା’ମାନେ ସଶକ୍ତ ହେଉଛନ୍ତି, ମିଶନ ଶକ୍ତି ସେମାନଙ୍କ ନୂଆ ପରିଚୟ।

 ମୁଁ ଜଣେ ମା’ଙ୍କୁ ଆପଣଙ୍କ ବିଧାୟିକା ଭାବେ ଦେଖିବାକୁ ଚାହେଁ।

ଏଇ ୧୮ ମାସ ଭିତରେ ଆମେ ୫ ବର୍ଷର କାମ କରିପାରିବା।

ବିଜେଡିକୁ ବିପୁଳ ସମର୍ଥନ ଦେଇଥିବାରୁ ମୁଁ ଆପଣଙ୍କ ନିକଟ‌େର ଋଣୀ।

ଏକାଥରେ ୧୩ ଜନସଭାରେ ଆଭାସୀ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ।

କମ୍ପିଲା ଧାମନଗର, ପ୍ରତ୍ୟେକ ସଭାରେ ବିପୁଳ ଜନ ସମାଗମ

{}  ଧାମନଗର ହେଉଛି ଶାନ୍ତି, ସଦ୍‌ଭାବ ଓ ଭାଇଚାରାର ଭୂମି। ଏହା ଧାମନଗରର ସବୁଠାରୁ ବଡ଼ ପରିଚୟ। ଏହି ପରିଚୟର ସୁରକ୍ଷା ପାଇଁ ଆମେ ସମସ୍ତେ କାମ କରୁଛୁ । ବିଜୁ ଜନତା ଦଳ ସୁଖଦୁଃଖ ସବୁବେଳେ ଆପଣମାନଙ୍କ ପାଖରେ ଅଛି । ସବୁବର୍ଗର ଲୋକଙ୍କ କଲ୍ୟାଣ ପାଇଁ କାମ କରୁଛି । ଆପଣମାନଙ୍କ ସହଯୋଗରେ ଓଡ଼ିଶା ଆଜି ବିକାଶ କ୍ଷେତ୍ରରେ ସାରା ଦେଶରେ ସୁନାମ କରିଛି । ଧାମନଗରର ବିକାଶ ମଧ୍ୟ କେମିତି ଆଗକୁ ବଢ଼ିବ, ତାହା ମୁଁ ନିଜେ ଦେଖିବି। ଧାମନଗର ନିର୍ବାଚନ ମଣ୍ଡଳୀର ବିକାଶ ଦାୟିତ୍ବ ମୋର। ସାଧାରଣ ନିର୍ବାଚନକୁ ଆଉ ମାତ୍ର ୧୮ ମାସ ରହିଲା । ଏ ସମୟ ଭିତରେ ଆମେ ପାଞ୍ଚ ବର୍ଷର କାମ କରିପାରିବା। ଆଜି ଧାମନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଜନସଭାକୁ ସମ୍ବୋଧିତ କରି ‌ଧାମନଗରବାସୀଙ୍କୁ ଏଭଳି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଗାମୀ ୩ ତାରିଖରେ ଧାମନଗର ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ଅବନ୍ତି ଦାସଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ଧାମନଗର ନିର୍ବାଚନ ମଣ୍ଡଳୀର ୧୩ଟି ସ୍ଥାନରେ ଆୟୋଜିତ ଏହିସବୁ ନିର୍ବାଚନୀ ସଭାରେ ବିପୁଳ ଜନ ସମାଗମ ହୋଇଥିଲା। ପ୍ରତ୍ୟେକ ସଭାରେ ଧାମନଗରର ଅଞ୍ଚଳର ହଜାର ହଜାର ମହିଳା ଏବଂ ଆବାଳବୃଦ୍ଧବନିତା ନିଜ ହୃଦୟରେ ସ୍ଥାନ ଦେଇଥିବା ସେମାନଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ମୁହଁରୁ ପଦେ ଭାଷଣ ଶୁଣିବା ପାଇଁ ଉତ୍କଣ୍ଠାର ସହ ‌ଅପେକ୍ଷା କରିଥିଲେ। ନାଚ, ଗୀତ, ବାଜା ଓ ସ୍ଳୋଗାନରେ ସମଗ୍ର ଅଞ୍ଚଳ କମ୍ପି ଉଠିଥିଲା। ଶେଷରେ ସବୁ ପ୍ରତୀକ୍ଷାର ଅବସାନ ଘଟାଇ ସନ୍ଧ୍ୟା ଠିକ୍ ସାଢ଼େ ୫ଟାବେଳେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ।

ଏହି ଅବସରରେ ଖୁସି ବ୍ୟକ୍ତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ କାଳିଆ ଯୋଜନା ହେଉ, ବା ମିଶନ ଶକ୍ତି, ବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା – ସବୁ ଯୋଜନାର ସୁବିଧା ଆପଣମାନଙ୍କ ପାଖରେ ପହଞ୍ଚି ପାରିଛି । ମା’ ମାନେ ସଶକ୍ତ ହେଉଛନ୍ତି। ମିଶନ ଶକ୍ତି ସେମାନଙ୍କୁ ନୂଆ ପରିଚୟ ହୋଇଛି । ମା’ମାନଙ୍କ ଭଲ କାମ ହିଁ ମୋତେ ବହୁତ ଖୁସି ଦେଇଛି। ମା’ମାନେ ସବୁ ଦାୟିତ୍ବକୁ ସୁନ୍ଦର ଭାବରେ ନିର୍ବାହ କରିପାରୁଛନ୍ତି। ତେଣୁ ଜଣେ ମା’ଙ୍କୁ ମୁଁ ଆପଣଙ୍କ ବିଧାୟିକା ଭାବରେ ଦେଖିବାକୁ ଚାହେଁ, ଯାହା ଆପଣମାନେ ବି ଚାହାନ୍ତି। ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଯେ ୨୦୧୯ ନିର୍ବାଚନରେ ଆପଣମାନେ ଯେଉଁ ମତ ରଖିଥିଲେ, ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନରେ ସେଥିରେ ପରିବର୍ତ୍ତନ କରିଛନ୍ତି। ଶଙ୍ଖ ଚିହ୍ନରେ ବିଶ୍ବାସ ରଖିଛନ୍ତି। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଆପଣମାନେ ବିଜୁ ଜନତା ଦଳକୁ, ଶଙ୍ଖ ଚିହ୍ନକୁ ଯେଭଳି ବିପୁଳ ସମର୍ଥନ ଦେଇଛନ୍ତି ଏବଂ ସେବାର ସୁଯୋଗ ଦେଇଛନ୍ତି, ସେଥିପାଇଁ ମୁଁ ଋଣୀ। ଧାମନଗରର ୬ଟି ଯାକ ଜିଲ୍ଲା ପରିଷଦ ଆସନରେ ଆପଣମାନେ ବିଜୁ ଜନତା ଦଳକୁ ସେବାର ସୁଯୋଗ ଦେଇଛନ୍ତି। ସେହିପରି ଧାମନଗର ଏନ.ଏ.ସିର ୧୧ଟି ୱାର୍ଡରୁ ୯ଟି ୱାର୍ଡ ସହିତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଦାୟିତ୍ବ ମଧ୍ୟ ଆପଣମାନେ ବିଜେଡିକୁ ଦେଇଛନ୍ତି। ତେଣୁ ମୋର ପୂରା ବିଶ୍ବାସ, ଏ ନିର୍ବାଚନରେ ବି ସେ ଧାରା ଜାରି ରହିବ ଏବଂ ଧାମନଗରର ବିକାଶ ଆହୁରି ଆଗକୁ ବଢ଼ିବ।

ଶେ‌ଷରେ ଧାମନଗରର ବିକାଶ କାର୍ଯ୍ୟ ସେ ନିଜେ ଦେଖିବେ ଏବଂ ଆଗାମୀ ୧୮ ମାସ ଭିତରେ ଧାମନଗରରେ ୫ ବର୍ଷର କାର୍ଯ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଦୃଢ଼ତା ଓ ପ୍ରତିବଦ୍ଧତାର ସହ କହିଥିଲେ ଏବଂ ବିଜୁ ଜନତା ଦଳର ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ନିବେଦନ କରିଥିଲେ।

ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେବା ପୂର୍ବରୁ ଏହିସବୁ ଜନସଭାରେ ବିଜୁ ଜନତା ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ଅଶୋକ ପଣ୍ଡା, ପ୍ରମିଳା ମଲ୍ଲିକ, ପ୍ରତାପ କେଶରୀ ଦେବ, ରଣେନ୍ଦ୍ର ପ୍ରତାପ ସ୍ବ‌ାଇଁ, ପ୍ରୀତିରଞ୍ଜନ ଘଡ଼େଇ, ସାଂସଦ ମୁନ୍ନା ଖ‌ାଁ, ସୁଲତା ଦେଓ, ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ ପ୍ରମୁଖ ବରିଷ୍ଠ ନେତୃବନ୍ଦ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ।

ସୋଆ ଆଇ.ଏ.ଏସ.ରେ ଚିନାବାଦମ ଚାଷ ନେଇ ତାଲିମ ଶିବିର…

() ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ଏବଂ ଲାଇଭ୍ଲିହୁଡ ଅଲଟରନେଟିଭର ମିଳିତ ଆନୁକୂଲ୍ୟରେ ଗତ ଶନିବାର ଦିନ ଚିନାବାଦାମ ଚାଷୀଙ୍କ ନିମନ୍ତେ ଏକ ତାଲିମ ପ୍ରଶିକ୍ଷଣ କର୍ମାଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ରାଜ୍ୟର ୧୫ଟି ଜିଲ୍ଲାର ଚିନାବାଦାମ ଚାଷୀଙ୍କୁ ତାଲିମ ଦେବା ନିମନ୍ତେ ତାଲିମ ଦାତା ମାନଙ୍କର ଚିନାବାଦାମ ଚାଷ ସମ୍ପର୍କିତ ଥିବା ଜ୍ଞାନକୁ ନେଇ ଏକ ତାଲିମ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଲାଇଭ୍ଲିହୁଡ ଅଲଟରନେଟିଭ ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସମ୍ବିତ ତ୍ରିପାଠୀ କାର୍ଯ୍ୟକ୍ରମ ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ ।

ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଦିଲ୍ଲୀସ୍ଥିତି ସଫଲ୍ ଡାଏ ର ସିଇଓ ଶ୍ରୀଯୁକ୍ତ ପ୍ରଦୀପ୍ତ ସାହୁ ଓ ସମ୍ମାନିତ ଅତିଥି ଭାବେ ଆଇଏଏସ୍ ଡିନ୍‌ର ପ୍ରଫେସର ଡଃ ବିଜୟ କୁମାର ସାହୁ , ଲାଇଭ୍ଲିହୁଡ ଅଲଟରନେଟିଭର ଡାଇରେକ୍ଟର ଶ୍ରୀଯୁକ୍ତ ରତ୍ନାକର ପାଣିଗ୍ରାହୀ, ପ୍ରଫେସର ଡଃ ପ୍ରିୟବତ୍ର ପଟ୍ଟନାୟକ, ନାଫେଡ୍‌ର ଅଧିକାରୀ ଶ୍ରୀ ଗୋବିନ୍ଦ ମୁର୍ମୁ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିବା ସହିତ ଆଗାମୀ ଦିନରେ ଭାରତ କିଭଳି ଚିନାବାଦାମ ପରି ତୈଳବୀଜର ଅଧିକ ଉତ୍ପାଦନ କରି ଆତ୍ମନିର୍ଭରଶୀଳ ହୋଇପାରିବ ଓ ୟୁକ୍ରେନ୍ ଇଣ୍ଡୋନୋସିଆ, ମାଲେସିଆ ପରି ଦେଶ ଉପରେ ଆଉ ଭାରତକୁ ନିର୍ଭର କରିବାକୁ ପଡ଼ିବ ନାହିଁ ସେଥିପ୍ରତି ସଚେତନତା ସୃଷ୍ଟି କରିଥିଲେ ।ଆଗ୍ରୋନୋମିର ପ୍ରଫେସର ଡଃ ବାସୁଦେବ ବେହେରା, ପ୍ଲାଂଟ୍ ପାଥୋଲୋଜିର ସହକାରୀ ପ୍ରଫେସର ଅଂଶୁମାନ ଖଣ୍ଡୁଆଲ, ଏଟୋଂମୋଲୋଜିର ସହକାରୀ ପ୍ରଫେସର ଡଃ ସତ୍ୟ ନାରାୟଣ ଶତପଥୀ ଆଦି ଏହି କର୍ମଶାଳାକୁ ପରିଚାଳନା କରିଥିଲେ ।

ସମସ୍ତ ତାଲିମଦାତାମାନେ ସୋଆର ଫାର୍ମରେ କ୍ଷେତ୍ର ସ୍ତରୀୟ ଅଭିଜ୍ଞତା ମଧ୍ୟ ହାସଲ କରିଥିଲେ । ଲାଇଭ୍ଲିହୁଡ ଅଲଟରନେଟିଭ ର ମୁଖ୍ୟ ଅପରେଟିଙ୍ଗ ଅଫିସର ଶ୍ରୀ କେଦାର ଚନ୍ଦ୍ର ପ୍ରଧାନ ତାଲିମ ଦାତାମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ ଓ ପରିଶେଷରେ ପ୍ରଫେସର ଡଃ ଶୁଭପ୍ରଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

ଭୁବନେଶ୍ବର ରୁ ଜୟପୁର କୁ ଉଡ଼ିଲା ବିମାନ;ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ…

() ଭୁବନେଶ୍ବର ରୁ ଜୟପୁର କୁ ଉଡ଼ିଲା ବିମାନ, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ। ସକାଳ ସାଢ଼େ 10 ଟା ସମୟରେ ଭୁବନେଶ୍ବରରୁ ଜୟପୁରକୁ ବିମାନ ଚଳାଚଳର ଶୁଭାରମ୍ଭ ହୋଇଛି। ଏହି ବିମାନ ଚାଳଚଳକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇଣ୍ଡିଆ ୱାନ ଏୟାର ସପ୍ତାହକୁ ୬ଦିନ ଉଡାଣ ଭାରିବ। ପ୍ରତ୍ୟେକ ଦିନ ପୂର୍ବାହ୍ନ 11 ଟା 35 ମିନିଟ ରେ ଭୁବନେଶ୍ଵର ବିଜୁ ପଟନାୟକ ବିମାନ ବନ୍ଦରରୁ ଜୟପୁରକୁ ଉଡାଣ ଭରିବ। ଅପରାହ୍ନ 1 ଟା 20 ମିନିଟ ରେ ଜୟପୁରରେ ପହଞ୍ଚିବ। ଜୟପୁରରୁ ଏହା 1 ଟା 40 ମିନିଟ ରେ ଛାଡିବ ଓ 2 ଟା 30ରେ ବିଶାଖାପାଟଣାରେ ପହଞ୍ଚିବ । ଏହା ଅପରାହ୍ଣ 3 ଟାରେ ବିଶାଖାପାଟଣାରୁ ବାହାରି 3 ଟା 50 ମିନିଟ ରେ ଜୟପୁର ରେ ପହଞ୍ଚିବ। 4ଟା 5 ମିନିଟ ରେ ଜୟପୁରରୁ ବାହାରି 5 ଟା 50 ମିନିଟ ରେ ଭୁବନେଶ୍ୱରରେ ପହଞ୍ଚିବ। ଜୟପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଉଡ଼ିବା ପାଇଁ ଗତ 20 ତାରିଖରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଲାଇସେନ୍ସ ଦିଆଯାଇଥିଲା ।

ତେବେ ଅନ୍ୟପଟେ ଆଗାମୀ ଦିନରେ ଉଡାଣ ସ୍କିମ ଅଧିନରେ କଳାହାଣ୍ଡିର ଉତକେଲା ବିମାନବନ୍ଦରକୁ ବିମାନ ଚଳାଚଳ ପାଇଁ ରୁଟ ମିଳିଛି । ଏଥିଲାଗି DGCA ଅନୁମୋଦନ ମିଳିବା ପରେ ଭୁବନେଶ୍ୱରରୁ ଉତକେଲା ଓ ଉତକେଲାରୁ ରାୟପୁର ଯାଏଁ ବିମାନ ଚଳାଚଳ କରିବ। ୱାଇଲ୍ଡ କପ ପୂର୍ବରୁ ଭୁବନେଶ୍ବର ରୁ ରାଉରକେଲାକୁ ବିମାନ ଚଳାଚଳ କରିବ। ଏହି ରୁଟରେ ଭୁବନେଶ୍ୱର ରୁ ରାଉରକେଲା, ରାଉରକେଲାରୁ କୋଲକାତା ବିମାନ ଚଳାଚଳ କରିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ନୂଆ ବର୍ଷ ରୁ ଭୁବନେଶ୍ବର ରୁ ଗୁଆହାଟି କୁ ବିମାନ ଚଳାଚଳ କରିବା ନେଇ ସୂଚନା ମିଳିଛି। ଏହି ବିମାନ ସପ୍ତାହକ ରେ 4 ଦିନ ଉଡାଣ କରିବ । ରବିବାର ସୋମବାର ବୁଧବାର ଓ ଶୁକ୍ରବାର । ତେବେ କରୋନା ମହାମାରୀ କୁ ଦୃଷ୍ଟିରେ ରଖି 2020 ମସିହାରେ ଭୁବନେଶ୍ବର ରୁ ଗୁଆହାଟି କୁ ବିମାନ ବନ୍ଦ ରହିଥିଲା।

ମନୋଜ ମିଶ୍ର, ସ୍ଵତନ୍ତ୍ର ସଚିବ, ପରିବହନ ବିଭାଗ

ଅବନ୍ତୀଙ୍କ ପାଇଁ ଆଜି ନବୀନ କରିବେ ପ୍ରଚାର : ହଲଚଲ ଧାମନଗର ରାଜନୀତି….

() ଆଜି ଧାମନଗର ଉପ ନିର୍ବାଚନ ପାଇଁ ଜୋରଦାର ହେବ ପ୍ରଚାର । ପ୍ରଚାର ମଇଦାନକୁ ଓହ୍ଲାଇବେ ଓଡ଼ିଶା ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଚାରକୁ ଆଉ ୩ ଦିନ ବାକି ଥିବା ବେଳେ ପଂଚାୟତ ଓ ଓ୍ବାର୍ଡ଼ରେ ୩ ପ୍ରମୁଖ ରାଜନୈତିକ ହେବିଓ୍ବେଟ ନେତାମାନଙ୍କ ମଧ୍ୟରେ ଗ୍ରାଉଣ୍ଡରେ ଲଢେଇ ଚାଲିଛି l ବାଲେଶ୍ବର, ବ୍ରଜରାଜନଗର ଉପ ନିର୍ବାଚନ ପରି ଧାମନଗରରେ ବିଜେଡ଼ି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ଭୋଟଭିକ୍ଷା କରିବେ ନବୀନ। ଏଥିପାଇଁ ଧାମନଗର ବିଭିନ୍ନ ପଂଚାୟତ ଓ ଓ୍ବାର୍ଡ଼ରେ ଏଲିଡ଼ି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ସହ  ଭୋଟର ଯୋଡି ହେବେ l ଏଥିଲାଗି ବିଜେଡ଼ି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ବିଜେଡ଼ି ପ୍ରାର୍ଥୀଙ୍କ ଧରି ଶାସକ ଦଳର ନେତା ଓ ମନ୍ତ୍ରୀମାନେ ଘରଘର ବୁଲି ଭୋଟ ଭିକ୍ଷା କରୁଛନ୍ତି , ଯେଉଁଥିରେ ବିପୁଳ ମାତ୍ରାରେ ଜନ ସମର୍ଥନ ମିଳୁଛି । ବିକାଶ ଓ ଧାମନଗର ପ୍ରଗତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ବାସ କରି ଭୋଟର ବିଜେଡ଼ି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ବଡ଼ ବିଜୟ ବ୍ୟବଧାନରେ ଜିତାଇବାକୁ ଅଣ୍ଟା ଭିଡ଼ିଛନ୍ତି । ଯାହା କାଲି ପରେ ଧାମନଗରବାସୀ ନିଜର ମତସାବ୍ୟସ୍ତ କରି ଦେଖାଇବେ ବୋଲି ଶାସକ ଦଳ କହିଛି । ୨୫ ବର୍ଷର ଜନସେବା ଓ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବକୁ ସବୁବେଳେ ରାଜ୍ୟବାସୀଙ୍କ ଆର୍ଶୀବାଦ ମିଳିଛି । ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କ ଆସନରେ ନବୀନ ପଟ୍ଟନାୟକଙ୍କୁ ବସାଇ ପ୍ରମାଣିତ କରିଛନ୍ତି । ନିର୍ବାଚନର ମାହୋଲ ଯାହା ଥାଉ ମୁଖ୍ୟମନ୍ତ୍ରୀ ପ୍ରଚାର ପରେ ଏକ ପାଖିଆ ଭାବେ ବିଜେଡ଼ି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଯିବ ବୋଲି ରାଜନୈତିକ ସମୀକ୍ଷକ ମାନେ କହିଛନ୍ତି । ୨୦୧୯ ପରେ ଯେତେ ଗୁଡ଼ିଏ ଉପ ନିର୍ବାଚନ ହୋଇଛି ସବୁଠି ବିଜେଡ଼ି ପ୍ରାର୍ଥୀ ବଡ଼ ବ୍ୟବଧାନରେ ବିଜୟ ହୋଇଛନ୍ତି । ବାଲେଶ୍ବର ପରି ଧାମନଗରରେ ମଧ୍ୟ ବିଜେଡ଼ି ତାର ଗଡ଼ ଦଖଲ କରିବ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି । ଆଉ ୪୮ଘଣ୍ଟା ପ୍ରଚାରକୁ ବାକି ଥିବା ବେଳେ ଧାମ ନଗରରେ ଏବେ ବିରୋଧି ଓ ଶାସକ ଦଳ ଶେଷ କସରତ ଜାରୀ ରଖିଛନ୍ତି l ଧାମନଗରରେ ମୋଟ ୪୪ପଂଚାୟତ ଓ ୧୧ୱାଡ ରହିଛି l ସବୁଠି ବିଜେଡି ପାଲା ଭାରୀ ରହିଛି l ଯଦି ପଂଚାୟତ ଓ ପୌର ନିର୍ବାଚନ ଫଳାଫଳକୁ ସମୀକ୍ଷା କରାଯିବା ତେବେ ବିଜେଡି ଏବେ ବି ଧାମ ନଗରେ ୧୫ହଜାର ଭୋଟ ରେ ଆଗରେ ରହିଛି l

ଧାମନଗର ଗଣିତ : ଅପପ୍ରଚାର ବନାମ ବିକାଶ

()ଧାମନଗର ଉପ ନିର୍ବାଚନ ପାଇଁ ମଙ୍ଗଳବାର ସରିବ ପ୍ରଚାର । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଗଡ଼ ଦଖଲ କରିବାକୁ ଜୋରଦାର କସରତ ଆରମ୍ଭ କରିଦେଇଛନ୍ତି ।ମତଦାନ ତାରିଖ ଯେତିକି ପାଖେଇ ଆସୁଛି ଧାମନଗରରେ ପ୍ରଚାର ଉଷ୍ମତା ମଧ୍ୟ ସେତେ ମାତ୍ରାରେ ବଢିବଢି ଚାଲିଛି । ଭୋଟରଙ୍କ ମନ ଜିଣିବା ପାଇଁ ବିଜେଡ଼ି-ବିଜେପି ଓ କଂଗ୍ରେସ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗ୍ରାଉଣ୍ଡରେ ଲଢେଇ ହେଉଛି । ସ୍ୱାଧିନ ପ୍ରାର୍ଥୀ କିନ୍ତୁ ପ୍ରସଙ୍ଗ ନୁହେଁ, ଅନୁକମ୍ପାକୁ ମୁଖ୍ୟ ନିର୍ବାଚନୀ ସାହାରା କରିଛି । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ଭୋଟ ବ୍ୟବଧାନ ୪ହଜାର ୬୨୫ ଖଣ୍ଡ ଭୋଟ । ଉପ ନିର୍ବାଚନ ଏହି ବ୍ୟବଧାନକୁ ହଟାଇବା ପାଇଁ ଉଭୟ ବିଜେଡ଼ି ଓ ବିଜେପି ନୂଆ ନୂଆ ରଣନୀତିକୁ ଆପଣାଇଛନ୍ତି । ଧାମନଗରର ମୋଟ ୪୪ ପଂଚାୟତ ଓ ୧୧ଟି ୱାର୍ଡର ଭୋଟର ମୁଡ଼ କାହା ସପକ୍ଷରେ କେତେ ରହୁଛି ତାହା ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ସେତେ ମନରେ ଉତ୍ସାହ ବଢ଼ି ବଢ଼ି ଚାଲିଛି ।

ଏବେ ଆସନ୍ତୁ ଗ୍ରାଉଣ୍ଡର ସ୍ଥିତିକୁ ପରଖିବା । ପ୍ରକୃତରେ ଧାମନଗରରେ ରାଜନୈତିକ ପ୍ରସଙ୍ଗ କାମ କରୁଛି କି ନାହିଁ ନା ଚତୁର ଧାମନଗରବାସୀ ଅଢେଇ ବର୍ଷ ପାଇଁ କାହାକୁ ବିଧାନସଭାକୁ ପଠାଇବେ ତାହା ମନସ୍ଥ କରି ସାରିଛନ୍ତି । ଧାମନଗରରେ ଏବେ ମାଳମାଳ ନେତା, ମନ୍ତ୍ରୀ, ବିଧାୟକ, ସାମ୍ବାଦିକ, ରାଜନୈତିକ ସମୀକ୍ଷକ, ବୃଦ୍ଦିଜୀବିଙ୍କ ଭିଡ଼ ଜମୁଛି । ସଭିଁଙ୍କ ଆକଳନ କିନ୍ତୁ ଭିନ୍ନ ଭିନ୍ନ । କିଏ କିଏ କହୁଛନ୍ତି ଧାମନଗର ବାସୀ ସ୍ୱାଭିମାନୀ । ସେମାନେ କାହା କଥାରେ ଭାସିବେ ନାହିଁ କି ଅନୁକମ୍ପା ପ୍ରେମରେ ପଡ଼ିବେ ନାହିଁ । ଯାହା ଏଯାଏ ଧାମନଗର ପ୍ରଚାରରୁ ସ୍ପଷ୍ଟ ସଙ୍କେତ ମିଳିଛି । ମୁଖ୍ୟତ ବିଜେଡ଼ି ଓ ବିଜେପି ଧାମନଗରରେ ଟକ୍କର ହେବାକୁ ଯାଉଛି । ଉଭୟ ଦଳ ପାଇଁ ରାଜୁ ଦାସ ମୁଖ୍ୟ ଫ୍ୟାକ୍ଟର । ଯାହାର ବେଶୀ ଫାଇଦା ନିର୍ବାଚନ ମଇଦାନରେ ଉଠାଉଛନ୍ତି ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସ । ଧାମନଗର ଉପ ନିର୍ବାଚନରେ ବିରୋଧୀ ଅପପ୍ରଚାରକୁ ମୁଖ୍ୟ ମାଧ୍ୟମ କରି ବିଜେଡ଼ିକୁ ଚେକ୍ ଦେବାକୁ ଅଣ୍ଟା ଭିଡ଼ିଛନ୍ତି । ଅନ୍ୟପଟେ ବିଜେଡ଼ି କିନ୍ତୁ ବିକାଶ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ସହ ସାଂଗଠନିକ ମାଇକ୍ରୋ ମ୍ୟାନେଜମେଣ୍ଟ ଜରିଆରେ ଗଡ଼ ଦଖଲ କରିବାକୁ ଲକ୍ଷ୍ୟ ରଖିଛି । ଯାହାକୁ ନେଇ ସରଗରମ ହୋଇଛି ଧାମନଗର ରାଜନୀତି l ଭୋଟ ସମୟରେ ବିଭିନ୍ନ ମିଛ ପ୍ରଚାର ହେବା ସ୍ୱାଭାବିକ l ତାହା ମଧ୍ୟ ଧାମନଗର ର ବିଭିନ୍ନ ପଂଚାୟତ ଓ ପୌର ପରିଷଦ ରେ ଜୋରଦାର ହେଉଛି l ହେଲେ ଏ ସବୁ କେବଳ ଦଳୀୟ ସମର୍ଥକ ଓ ଗଣ ମାଧ୍ୟମରେ ଚର୍ଚ୍ଚା l ହେଲେ ଧାମନଗର ଭୋଟରଙ୍କ ମତ କିନ୍ତୁ ଅନ୍ୟଆଡ଼େ l

ଉପ ନିର୍ବାଚନରେ କାହାକୁ ଭୋଟ ଦେଲେ ଧାମନଗର ଉନ୍ନତି ଓ ବିକାଶ ହେବ ତାହା ଏବେ ଧାମନଗର ଭୋଟର ଆକଳନ କରି ମନସ୍ଥ କଲେଣି l ଧୀରେ ଧୀରେ ଧାମନଗରେ ଅପପ୍ରଚାର ଫମ୍ଫା ସ୍ଵର ଭୋଟର ଜାଣି ସାରିଲେଣି l ଯେଉଁଥିପାଇଁ ଧାମନଗରର ରାଜନୈତିକ ପାଣିପାଗରେ ବହୁତ ପରିବର୍ତ୍ତନ ହୋଇଛି l ଆସନ୍ତା ୩୧ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବେ l ଏହାପରେ ଧାମ ନଗର ରାଜନୀତି ଆହୁରି ଅଧିକ ବଦଳିବ ବୋଲି ରାଜନୈତିକ ସମୀକ୍ଷକ ମାନେ କହିଛନ୍ତି l ବିଜେପି ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନ ଧରି ମାରାଥନ ପ୍ରଚାର କରିଥିବା ବେଳେ ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ୍ ବିଧାୟକ ସୁରେଶ ରାଉତରାୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି l ଆସନ୍ତା ୩ ତାରିଖରେ ଧାମ ନଗର ବାସୀ ଭୋଟ ଦେଇ ନିଜ ନେତା ବାଛିବେ l ୬ତାରିଖରେ ଫଳାଫଳ ପ୍ରକାଶ କରିବ ଧାମନଗର ବାସୀ କାହାକୁ ବାଛିଛନ୍ତି l

ମଟର କର୍ମଚାରୀମାନଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ନୂଆ ପ୍ରଚେଷ୍ଟା…

{} ଅଣ-ସଂଗଠିତ ସେକ୍ଟରରେ କାମ କରୁଥିବା ମଟର କର୍ମଚାରୀମାନଙ୍କ କଲ୍ୟାଣ ନିମନ୍ତେ ସରକାରୀ ଉଦ୍ୟମ ଆରମ୍।

ଖୁବ୍ ଶିଘ୍ର ଚିଠା-କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ। 

() ଅଣ-ସଂଗଠିତ କ୍ଷେତ୍ରରେ କାମ କରୁଥିବା ମଟର ଚାଳକ ଏବଂ ମଟର କର୍ମଚାରୀମାନଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ନୂଆ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ଏଥି ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଲୋକସେବା ଭବନ ସଭାଗୃହରେ ଆୟୋଜିତ ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଏ ସମ୍ବନ୍ଧିତ ଆର୍ଥିକ ଓ ଆଇନଗତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ବୈଠକରେ ଉପସ୍ଥିତ ପ୍ରସ୍ତାବଗୁଡିକୁ ବିଚାରକରି ମଟର କର୍ମଚାରୀ କଲ୍ୟାଣ ସମଗ୍ରିକ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ । ଏଥି ପାଇଁ ଓଡ଼ିଶା ମୋଟର ଟ୍ରାନ୍ସ୍ପୋର୍ଟ କର୍ମଚାରୀ ନିୟମ ପରିପ୍ରେକ୍ଷୀରେ ଏକ ସବିଶେଷ ଚିଠା-କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ମଟର କର୍ମଚାରୀମାନଙ୍କ କଲ୍ୟାଣ କାର୍ଯ୍ୟକ୍ରମ ନିମନ୍ତେ ଆବଶ୍ୟକ ହେଲେ ପ୍ରଚଳିତ ପୁରୁଣା ନିୟାମକରେ ଆବଶ୍ୟକୀୟ ସଂଶୋଧନ ଆଣିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ କହିଥିଲେ । ଆଇନ୍ ବିଭାଗ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ସମନ୍ୱିଭାବେ ପ୍ରସ୍ତାବ ସହ ସଂପୃକ୍ତ ଆଇନଗତ, ପ୍ରଶାସନିକ ଏବଂ ଆର୍ଥିକ ଦିଗକୁ ଅନୁଧ୍ୟାନ କରି ଆସନ୍ତା ଏକ ସପ୍ତାହ ମଧ୍ୟରେ ଚିଠା-ପ୍ରସ୍ତାବ ପ୍ରସ୍ତୁତ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ଘରୋଇ ଓ ଅଣ-ସଂଗଠିତ ପରିବହନ ସଂସ୍ଥା ପ୍ରଭୃତିରେ କାମ କରୁଥିବା ଚାଳକ ଓ କର୍ମଚାରୀମାନଙ୍କର ସଂଙ୍ଖ୍ୟା ଆକଳନ କରିବା ପାର୍ଇ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ପରିବହନ ଆୟୁକ୍ତ ଶ୍ରୀ ଅରୁଣ ବୋଥ୍ରାଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶ୍ରମ ଓ କର୍ମଚାରୀ ରାଜ୍ୟ-ବୀମା ବିଭାଗ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ୍, ଶ୍ରମ ଆୟୁକ୍ତ ଡ଼ାକ୍ତର ଥିରୁମାଲା ନାୟକ ମଧ୍ୟ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ଆଲୋଚନାରେ ଭାଗ ନେଇଥିଲେ ।

 

Follow us

20,832FansLike
0FollowersFollow
14,700SubscribersSubscribe

Latest news