କେନ୍ଦୁପତ୍ର କର୍ମଚାରୀ ଓ ଶ୍ରମିକ ଙ୍କ ଦାବି ପୂରଣ କରିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା…

() ଗତ 16 ତାରିଖରେ ଓଡିଶା ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଂଘ ର ଏକ 50 ଜଣିଆ ପ୍ରତିନିଧି ଦଳ ସଭାପତି ପ୍ରଭାତ ମହାନ୍ତିଙ୍କ ନେତୃତ୍ୱ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଦାବି ଉପରେ ଫଳପ୍ରଦ ଆଲୋଚନା କରିଥିଲେ , ମାନ୍ୟବାର ମୁଖ୍ୟମନ୍ତ୍ରୀ ସମସ୍ତ ଦାବି ଯୁକ୍ତିଯୁକ୍ତ ଓ ଏହା ଶୀଘ୍ର ପୁରାଣ କରାଯିବ ବୋଲି ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶୃତି ଦେଇଥିଲେ । ସେହିକ୍ରମ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ 23 ତାରିଖ ରେ କେନ୍ଦୁପତ୍ର କର୍ମଚାରୀ ଓ ଶ୍ରମିକ ମାନଙ୍କ ପାଇଁ ଯଥାକ୍ରମେ 1500 ଓ 1000 ଟଙ୍କାର ବୋନସ ପ୍ରଦାନ , ଅବସର ନେଇଥିବା ସର୍କଲ ଚେକର ଓ ବାଇଣ୍ଡିଙ୍ଗ ଚେକର ଙ୍କ ଗ୍ରାବ୍ୟୁଇଟି କୁ 15 ଦିନ କୁ ବୃଦ୍ଧି , ସମସ୍ତ କର୍ମବାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ଚିକିତ୍ସା ସୁବିଧା, କର୍ମଚାରୀ ଙ୍କ ପିଲାମାନଙ୍କୁ ବୃତ୍ତି ଇତ୍ୟାଦି ଦାବି ପୂରଣ କରିଛନ୍ତି । ମୁନାସି ଚପରାଶି ଙ୍କ କାର୍ଯ୍ୟ ଦିବସ ବୃଦ୍ଧି ଦାବି ସମ୍ପର୍କରେ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯାଉଥିବାର ସୂଚନା ମ8ଲିଛି । ମୁଖ୍ୟ ମନ୍ତ୍ରୀ ଙ୍କ ଏହି କଲ୍ୟାଣ କାରୀ ଘୋଷଣା ନିମନ୍ତେ ଓଡିଶା ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ପ୍ରଭାତ ମହାନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାନ ଓ କୃତଜ୍ଞନ୍ତା ଜଣାଇ 18000 କର୍ମଚାରୀ ଓ 8 ଲକ୍ଷ ତୋଳାଳୀ ବନ୍ଧାଲି ଙ୍କ ର ତାଙ୍କ ପ୍ରତି ଆଶ୍ରିବାଦ କାମନା କରିଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇ.ଟି. ଡେଭେଲପମେଣ୍ଟ ସେଣ୍ଟର, ଭୁବନେଶ୍ୱର ଶାଖା ଉଦ୍‍ଘାଟିତ…

{} ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇ.ଟି. ଡେଭେଲପମେଣ୍ଟ ସେଣ୍ଟର, ଭୁବନେଶ୍ୱର ଶାଖା ଉଦ୍‍ଘାଟିତ।

ଏକ ହଜାରରୁ ଉର୍ଦ୍ଧ୍ଵ କର୍ମଚାରୀ କ୍ଷମତାସମ୍ପର୍ଣ୍ଣ ଏହି ଡେଭେଲପମେଣ୍ଟ ସେଣ୍ଟର ପ୍ରଯୁକ୍ତି ଉତ୍ସ କେନ୍ଦ୍ର ଭାବରେ ସମଗ୍ର ଭାରତବର୍ଷରେ ଓଡ଼ିଶାର ସ୍ଥିତିକୁ ଆହୁରି ମଜବୁତ୍‍ କରିବ।

() ରାଜ୍ୟରେ ଆଇଟି ଇକୋସିଷ୍ଟମକୁ ଆହୁରି ବିସ୍ତାର କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରର ଫର୍ଚୁନ ଟାୱାରରେ ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇ.ଟି. ଡେଭେଲପମେଣ୍ଟ ସେଣ୍ଟର ଶୁଭ ଉଦ୍‍ଘାଟନ କରିଛନ୍ତି । ଏହି ନୂତନ କେନ୍ଦ୍ର ଭାରତର ପ୍ରଯୁକ୍ତି ଉତ୍ସ କେନ୍ଦ୍ର ଭାବରେ ଓଡ଼ିଶାର ସ୍ଥିତିକୁ ଆହୁରି ମଜବୁତ୍‍ କରିବ ।ଭାରତ ଏବଂ ଭାରତ ବାହାରେ ଥିବା ଗ୍ରାହକଙ୍କ ସେବାପାଇଁ ଉଦ୍ଦିଷ୍ଟ ଏହି ଇନୋଭେସନ୍ ସେଣ୍ଟରରେ ଏକ ହଜାରରୁ (୧୦୦୦) ଅଧିକ କର୍ମଚାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହା ବ୍ୟତୀତ ଆଗାମୀ ବର୍ଷମାନଙ୍କରେ ଓଡ଼ିଶାର ପ୍ରତିଭାବାନ୍‍ ଇଞ୍ଜିନିୟରମାନଙ୍କ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିବ ।

ଏହି କେନ୍ଦ୍ର ଉଦ୍‍ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ବିଗତ କିଛିବର୍ଷ ଧରି ଓଡ଼ିଶା ଆଇଟି କ୍ଷେତ୍ରରେ ଅନେକ ଦୂରଦୃଷ୍ଟିସମ୍ପର୍ଣ୍ଣ ପଦକ୍ଷେପ ନେଉଛି । ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଓଡ଼ିଶା ନିବେଶକଙ୍କ ପ୍ରଥମ ପସନ୍ଦ ହେବା ସହିତ ଆଇଟି କ୍ଷେତ୍ରରେ ରାଜ୍ୟ ଅଭିବୃଦ୍ଧିର ହାର ତ୍ୱରାନ୍ୱିତ ହୋଇପାରିଛି । ବର୍ତ୍ତମାନ ଓଡ଼ିଶା ଦ୍ରୁତଗତିରେ ଭାରତର ପ୍ରଯୁକ୍ତି ବିଜ୍ଞାନ ଉତ୍ସ କେନ୍ଦ୍ର ଭାବରେ ପରିଗଣିତ ହୋଇଛି ଏବଂ ଆମ ଯୁବପିଢ଼ିଙ୍କ ପାଇଁ ଅନେକ ନିଯୁକ୍ତି ସୃଷ୍ଟି କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି।”ଭୁବନେଶ୍ୱରରେ ଉପଲବ୍ଧ ଆଇଟି ଅନୁକୂଳ ଇକୋସିଷ୍ଟମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅନେକ ଆଇଟି କମ୍ପାନୀ ଏଠାରେ ନିବେଶ କରିବା ପାଇଁ ଆଗ୍ରହୀ । ‘‘ଓଡ଼ିଶାର ଅନୁକୂଳ ପରିବେଶ, ସରକାରୀ ସହାୟତା ଏବଂ ବିପୁଳ ମେଧା ନିବେଶକଙ୍କୁ ଅଧିକ ଆକୃଷ୍ଟ କରିଛି । ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇ.ଟି. ଡେଭେଲପମେଣ୍ଟ ସେଣ୍ଟର ଖୋଲିବାଦ୍ୱାରା ଆଇ.ଟି. କ୍ଷେତ୍ରରେ ଆଉ ଏକ ସ୍ଵତନ୍ତ୍ର ଅଧ୍ୟାୟ ଯୋଗ ହୋଇଛି ।’’ ଏହା ରାଜ୍ୟର ସକ୍ରିୟ ଆଇଟି ଇକୋସିଷ୍ଟମର ସୂଚନା ଦେଉଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ସଚିବ, ଶ୍ରୀ ମନୋଜ କୁମାର ମିଶ୍ର କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆମେ ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ଅଭିବୃଦ୍ଧି ସହିତ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ ମଧ୍ୟ ଏକ ଅନୁକୂଳ ପରିବେଶ ଯୋଗାଇବାକୁ ପ୍ରତିବଦ୍ଧ । ଓଡ଼ିଶାର ପରିବର୍ତ୍ତନଶୀଳ କାହାଣୀରେ ଭାଗୀଦାର ହେବାକୁ ନିଷ୍ପତ୍ତି ନେଇଥିବାରୁ ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇ.ଟି. ଡେଭେଲପମେଣ୍ଟ ସେଣ୍ଟରକୁ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ସଚିବ ଏହା ମଧ୍ୟ କହିଥିଲେ ଯେ ଏହି କେନ୍ଦ୍ର ରାଜ୍ୟରେ ଆଇଟି ଇକୋସିଷ୍ଟମକୁ ଆହୁରି ବୃଦ୍ଧି କରିବ ଏବଂ ଓଡ଼ିଶାର ଯୁବକମାନଙ୍କ ପାଇଁ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇ.ଟି. ଡେଭେଲପମେଣ୍ଟ ସେଣ୍ଟରର ନିରବଚ୍ଛିନ୍ନ ଗ୍ରାହକ ଅଭିଜ୍ଞତା, ବ୍ୟବସାୟ ଦକ୍ଷତା ଏବଂ କାର୍ଯ୍ୟକ୍ଷମ ଅନ୍ତର୍ଦୃଷ୍ଟି ଉଦ୍ୟୋଗଗୁଡ଼ିକୁ ଡିଜିଟାଲ୍ ପରିବର୍ତ୍ତନ ସମାଧାନ ବିତରଣ କରିବା ଲାଗି କ୍ଷମତା ବିସ୍ତାର କରିବା ପାଇଁ ଏହି ନୂତନ ଶାଖାକୁ ସକ୍ଷମ କରିବ । କମ୍ପାନୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ବ୍ଲକ୍ ଚେନ୍, କ୍ଲାଉଡ୍, ଡିଜିଟାଲ୍ ପ୍ରକ୍ରିୟା ସ୍ୱୟଂକରଣ, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ, ରୋବୋଟିକ୍ସ/ଡ୍ରୋନ୍, ସୁରକ୍ଷା ଏବଂ ଭର୍ଚୁଆଲ୍/ଅଗ୍‍ମେଣ୍ଟେଡ୍‍ ରିଆଲିଟି କ୍ଷେତ୍ରରେ ନିଜର ବଳୟକୁ ସମୃଦ୍ଧ କରିବା ପାଇଁ ଲକ୍ଷ୍ୟ ରଖିଛି ।ହାପିଏଷ୍ଟ ମାଇଣ୍ଡସ ଟେକ୍ଲୋଲୋଜିର ଅଧ୍ୟକ୍ଷ ଶ୍ରୀ ଅଶୋକ ସୋଟ୍ଟା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କୁ ହାପିଏଷ୍ଟ ମାଇଣ୍ଡସର କେନ୍ଦ୍ର ପ୍ରତିଷ୍ଠା କରିବାରେ ସହାୟତା କରିଥିବାରୁ ଧନ୍ୟବାଦ ଜଣାଇବା ସହ ରାଜ୍ୟର ନୂତନ ଆଇଟି ନୀତିକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏଥିସହ ଖୁବଶୀଘ୍ର ଭୁବନେଶ୍ୱରରେ ଏକ ସ୍ଥାୟୀ ଡେଭେଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଏହି କ୍ୟାମ୍ପସ ରାଜ୍ୟର ଯୁବଗୋଷ୍ଠୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ବେଶ ସହାୟକ ହେବ।

ଆଜିଠୁ ଶୀତ ଅଧିବେଶନ :ସରଗରମ ହେବ ଗୃହ…

0

() ସବୁ କଟକଣା ହଟିବାରେ ପରେ ଏଥର ସ୍ବାଭାବିକ ଭାବେ ଚାଲିବ ବିଧାନସଭା । ନଭେମ୍ବର ୨୪ରୁ ଡ଼ିସେମ୍ବର ୩୧ । ବିଧାନସଭାର ଲମ୍ବା ସମୟର ଶୀତ ଅଧିବେଶନ । ଅଧିବେଶନ ପୂର୍ବରୁ ଦୁଇ ବିରୋଧି ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ କରିଛନ୍ତି । ମୁଖ୍ୟ ବିରୋଧୀ ବିଜେପି ଚିରାଚରିତ ଢଙ୍ଗରେ ବହୁ ପୁରୁଣା ଓ ନୂଆ ପ୍ରସଙ୍ଗକୁ ନେଇ ଗୃହକୁ ଆସିବ । ଚାଷୀ, ଦୁର୍ନୀତି,ବଜେଟ ଅର୍ଥ ଖର୍ଚ୍ଚ ନହେବା ଆଦି ପ୍ରସସଙ୍ଗକୁ ଗୃହରେ ଉଠାଇବ ବିଜେପି । ଏହାକୁ ନେଇ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ବିଧାୟକ ଦଳ ବୈଠକରେ ଦଳ ଉଭୟ ବିଜେଡ଼ି ଓ ବିଜେପିକୁ ଘେରିବାକୁ ରଣନୀତି କରିଛି । ସମାନ ପ୍ରସଙ୍ଗ ସହ କେନ୍ଦ୍ର ଅବେହଳା, ଆଇନ ଶୃଙ୍ଖଳା , ଚାଷୀ, ବେକାରୀ ପରି ସମସ୍ୟା ଦଳ ଗୃହରେ ଉଠାଇବାକୁ ରଣନୀତି ପ୍ରସ୍ତୁତ କରିଛି ।

ଅନ୍ୟପଟେ ଆସନ୍ତା କାଲି ୧୦ଟା ୩୦ ମିନିଟରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡ଼ି ବିଧାୟକ ଦଳ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଦଳ ଗୃହରେ କେଉଁ ପ୍ରସଙ୍ଗ ଉଠାଇବ ଓ ବିରୋଧୀଙ୍କ ସବୁ ଅଭିଯୋଗର ଆଲୋଚନା ମାଧ୍ୟମରେ କିପରି ଜବାବ ଦିଆଯିବ ତାହା ଉପରେ ଆଲୋଚନା ହେବ । ବିଭିନ୍ନ କ୍ଷେତ୍ରରେ ଲଗାତର ଭାବେ ଓଡ଼ିଶାକୁ କେନ୍ଦ୍ର ଯେପରି ଅବହେଳା କରୁଛି ଏ ପ୍ରସଙ୍ଗ ଶାସକ ବିଜେଡ଼ି ଗୃହରେ ଉଠାଇ ରାଜ୍ୟପାଇଁ ହକ ମାଗିବ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ।

ଅଢେତ ବର୍ଷ ପରେ ସମସ୍ତ କଟକଣା ଉଠିବା ପରେ ବିଧାୟକମାନେ ନିଜ ନିଜ ଆସନରେ ବସିବା ସହ ପ୍ରେସ ଗ୍ୟାଲେରୀରେ ସାମ୍ବାଦିକମାନଙ୍କୁ ପୂର୍ବପରି ବସି ଖବର ପରିବେଷଣ କରିବେ । ପ୍ରଥମ ଦିନ ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଉପସ୍ଥାପିତ ହେବ ।

କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ…

() କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ମାନଙ୍କ କଲ୍ଯାଣ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା।

() ଆପଣମାନେ ଜାଣନ୍ତି, ଆମ ରାଜ୍ୟରେ ଆଠ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ଅଛନ୍ତି ଏମାନେ ଗରିବ ଲୋକ ବହୁ ଜନଜାତି ମା ମାନେ ମଧ୍ଯ କେନ୍ଦୁପତ୍ର ତୋଳିବା କାମ କରନ୍ତି।କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ ମୋ ସରକାର ସବୁବେଳେ କାମ କରି ଆସୁଛି।ଓଡିଶା ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ବୋନସ ଦିଆଯାଉଛି।

ଆମର ଏହି ନୀତି ଅନ୍ୟ ରାଜ୍ୟ ମାନଙ୍କ ପାଇଁ ମଡେଲ ହୋଇଛି।ଗତ ସପ୍ତାହ ମଧ୍ୟରେ ମୁଁ କେନ୍ଦୁପତ୍ର ତୋଳାଳୀ ମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ତିନି ତିନିଥର ଆଲୋଚନା କରିଛି ।ଏହି ଆଲୋଚନା ପରେ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ସ୍ବାର୍ଥ କୁ ଦୃଷ୍ଟି ରେ ରଖି ମୁ ଏହି ପ୍ୟାକେଜ ଘୋଷଣା କରୁଛି । ପ୍ରଥମ ପର୍ଯ୍ୟାୟରେ ପ୍ରତି ତୋଳାଳୀଙ୍କୁ ୧୦୦୦ ଟଙ୍କା ଓ ପ୍ରତ୍ୟେକ ସିଜିନାଲ ଷ୍ଟାଫ ଓ binderଙ୍କୁ ୧୫୦୦ ଟଙ୍କା ଲେଖାଏ ଦିଆଯିବ। ସବୁ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ।କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ପିଲା ମାନଙ୍କୁ ବୃତ୍ତି ପ୍ରଦାନ କରାଯିବ।

ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲାସ୍ତରରେ ପୁରସ୍କୃତ କରାଯିବ। ସର୍କଲ ଚେକ୍‌ରସ୍‌ ଓ ବାଇଣ୍ଡିଂ ଚେକର୍‌ସ ମାନଙ୍କ ଗ୍ରାଚୁଇଟି ଦେୟ ସାତ ଦିନ ରୁ ବୃଦ୍ଧି କରି କୁ ୧୫ ଦିନ କରାଯିବ। ସମସ୍ତ ତୋଳାଳୀ ମାନଙ୍କୁ ତୋଳାଳୀ ପରିଚୟ ପତ୍ର ପ୍ରଦାନ କରାଯିବ। କେନ୍ଦୁପତ୍ର ବ୍ୟବସାୟ ଉପରେ କେନ୍ଦ୍ର ସରକାର 18% ଜିଏସଟି ରଖିଛନ୍ତି।

ଏହା ବହୁତ ଅଧିକ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀମାନେ ଏମାନେ ସମସ୍ତେ ଗରିବ ଲୋକ ।ତେଣୁ କେନ୍ଦୁପତ୍ର ଉପରୁ GST ଉଠାଇ ଦେବାପାଇଁ କେନ୍ଦ୍ର ସରକାରଙ୍କୁ ମୁଁ ବାରମ୍ଵାର ଅନୁରୋଧ କରିଛି ।ଗରିବ ଲୋକଙ୍କ ହିତ ଦୃଷ୍ଟି ରୁ ଜିଏସଟି ସମ୍ପୂର୍ଣ୍ଣ ଉଚ୍ଛେଦ କରିବାକୁ ମୁଁ ପୁଣିଥରେ କେନ୍ଦ୍ର ସରକାରଙ୍କ ନିକଟରେ ଦାବୀ କରୁଛି

ମାଲକାନଗିରିରେ ୨୫ କୋଟି ଟଙ୍କାର ୬ଟି ପ୍ରକଳ୍ପ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ…

() ମାଲକାନଗିରିରେ ୨୫ କୋଟି ଟଙ୍କାର ୬ଟି ପ୍ରକଳ୍ପ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ।

ଜିଲ୍ଲାର ସାମାଜିକ ଓ ଆର୍ଥିକ ବିକାଶକୁ ଆହୁରି ମଜବୁତ କରିବ ମାଲକାନଗିରି ସବୁବେଳେ ମୋ ପାଇଁ ସ୍ବତନ୍ତ୍ର– ମୁଖ୍ୟମନ୍ତ୍ରୀ।   

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି ଜିଲ୍ଲା ପାଇଁ ୬ଟି ଗୁରୁତ୍ବପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହିସବୁ ପ୍ରକଳ୍ପଗୁଡିକ ଜିଲ୍ଲାର ସାମାଜିକ ଓ ଆର୍ଥିକ ବିକାଶକୁ ଆହୁରି ଆଗେଇ ନେବ ।   ଭିଡିଓ କନ୍ଫରେନ୍ସିଂ ଜରିଆରେ ପ୍ରକଳ୍ପ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ମାଲକାନଗିରି ସବୁବେଳେ ମୋ ପାଇଁ ସ୍ବତନ୍ତ୍ର ହୋଇ ରହିଛି । ମାଲକାନଗିରିର ବିକାଶ କାମ ମୋତେ ସବୁଠାରୁ ଅଧିକ ଖୁସି ଦେଇଥାଏ। ମୋର ପୂର୍ଣ୍ଣ ବିଶ୍ବାସ, ମାଲକାନଗିରି ପରିଚୟ ଆଗକୁ ଆହୁରି ଉଜ୍ଜଳ ହେବ। ରାଜ୍ୟର ଏକ ଆଗୁଆ ଜିଲ୍ଲା ଭାବରେ ବିକାଶ ମାନଚିତ୍ରରେ ମାଲକାନଗିରି ନିଜର ସ୍ଥିତିକୁ ଆହୁରି ଦୃଢ କରିବ।’

ଆଜି ଉଦ୍ଘାଟିତ ହୋଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି – ଅନ୍ବେଷା କାର୍ଯ୍ୟକ୍ରମରେ ଶିକ୍ଷାଗ୍ରହଣ କରୁଥିବା ଅନୁସୂଚିତ ଜନଜାତି ଓ ଜାତି ପିଲାମାନଙ୍କ ପାଇଁ ଦୁଇଟି ହଷ୍ଟେଲ। ଏଥିରେ ୬୦୦ ପୁଅ ଓ ୬୦୦ ଝିଅ ରହିବପାଇଁ ବ୍ୟବସ୍ଥା କରାଯାଇଛି। ମୋଟୁ ଟ୍ରାଇ ଜଙ୍କସନ୍ଠାରେ ବିଜୁ ପଟ୍ଟନାୟକ ଅନ୍ତଃରାଜ୍ୟ ବସ୍ ଟର୍ମିନାଲ । ଏହା ଜିଲ୍ଲା ସହିତ ଛତିଶଗଡ ଓ ଅନ୍ଧ୍ରପ୍ରଦେଶକୁ ଗମନାଗମନ ସୁଗମ କରିଛି। ଏହାସହିତ ମାଲକାନଗିରି ବଣ୍ଡା ଅଞ୍ଚଳକୁ ଯୋଡୁଥିବା ଏକ ଉଚ୍ଚସ୍ତରୀୟ ସେତୁ ଓ ବାଲିମେଳା ଠାରେ ତମସା ନଦୀ ଉପରେ ବିଜୁ ସେତୁ, କ୍ରୀଡାର ବିକାଶ ପାଇଁ ଏକ ଜୁଡୋ ଏକାଡେମୀ ଓ ପିଲାମାନଙ୍କ ପାଇଁ ଏକ ସ୍ବଧାର ଗୃହ। ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲାରେ ଦ୍ରୁତ ବିକାଶ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ମାଲକାନଗିରିବାସୀ ଆଜି ବିକାଶ ସହ ଯୋଡି ହୋଇ ରହିଛନ୍ତି। ବିକାଶ କାମରେ ଆପଣମାନଙ୍କ ସହଯୋଗ ସବୁବେଳେ ଆମକୁ ଉତ୍ସାହିତ କରି ଆସିଛି । ଜିଲ୍ଲାରେ ଶିକ୍ଷା ଓ ସଚେତନତା ପ୍ରସାର ଘଟିଛି । ଯୋଗାଯୋଗରେ ଉନ୍ନତି ଆସିଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ କଲ୍ୟାଣ ଯୋଜନାର ସୁଯୋଗ ଆପଣମାନେ ନେଉଥିବା ଖୁସିର କଥା । ମାଲକାନଗିରିର ସଫଳ ଚାଷୀ, ମିଶନଶକ୍ତିର ମା ମାନେ, ଛାତ୍ରଛାତ୍ରୀ, ଯୁବବର୍ଗ – ଏ ସମସ୍ତଙ୍କ ସଫଳତା ଆଜି ଜିଲ୍ଲା ପାଇଁ ନୂଆ ପରିଚୟ ଆଣିଛି ବୋଲି ସେ କହିଥିଲେ ।

ବଣ୍ଡା ଘାଟିର ଝିଅ କରମା ମୁଦୁଲି ଭୁବନେଶ୍ବରର ସବୁଠାରୁ ଭଲ ସରକାରୀ ମହିଳା ୟୁନିଭରସିଟିରେ ପାଠ ପଢୁଥିବାର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ହିଁ ସୁଯୋଗ ଆଣିଥାଏ ଓ ଶିକ୍ଷା ହିଁ ଏ ରୂପାନ୍ତର ଆଣିଛି । ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢି ନିଜ ପାଇଁ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।ଏହି ଅବସରରେ ଚିତ୍ରକୁଣ୍ଡା ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବାକା ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରୀ ଟାଙ୍ଗଲୁ ପ୍ରମୁଖ ବକ୍ତବ୍ୟ ରଖି ମାଲକାନଗିରି ଜିଲ୍ଲାରେ ଦ୍ରୁତ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ ।ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବୈଠକରେ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

ବିଧାନସଭାରୁ ହଟିଲା ସମସ୍ତ କଟକଣା…

() ଏଥର ସ୍ୱାଭାବିକ ଭାବେ ଚାଲିବ ବିଧାନସଭା। ବିଧାନସଭାରୁ କୋଭିଡ କଟକଣା ହଟିଲା। ପୂର୍ବପରି ଚାଲିବ ବିଧାନସଭା। ଆସନ୍ତା 24ରୁ ବିଧାନସଭାର ଅଧିବେଶନ ଆରମ୍ଭ। ବିଧାୟକ ମାନେ ନିଜ ନିଜ ଆସନରେ ବସିବେ। ପ୍ରେସ ଗ୍ୟାଲେରୀରେ ମିଡିଆଙ୍କୁ ଅନୁମତି ମିଳିବ। ଲିଖିତ ଭାବେ ଜଣାଇଲେ ସେମାନଙ୍କୁ video conference ମାଧ୍ୟମରେ ବିଧାନସଭାରେ ଯୋଗ ଦେଇପାରିବେ। ସକାଳ ସାଢେ 10ରୁ 1ଟା 30 ଏବଂ ଅପରାହ୍ନ ଅଧିବେଶନରେ 4ଟା ରୁ 7 ପର୍ଯ୍ୟନ୍ତ ବିଧାନସଭା ଚାଲିବ। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସୂଚନା।

ନୂଆ ରୂପ ପାଇବ ଲୋକନାଥ ମନ୍ଦିର ଓ ଅଲାରନାଥ ପୀଠ…

{}ନୂଆ ରୂପ ପାଇବ ପୁରୀର ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠ।

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ମାଷ୍ଟରପ୍ଲାନ ଅନୁମୋଦିତ ବର୍ଷକ ମଧ୍ୟରେ ଉଭୟ କାମ ସଂପୂର୍ଣ୍ଣ ହେବ।

ଉଭୟ ମନ୍ଦିରର ସେବାୟତମାନେ ଖୁସି, ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ।

()ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀର ଶ୍ରୀ ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠର ଉନ୍ନତି ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି। ଶ୍ରୀ ଲୋକନାଥ ମନ୍ଦିରର ବିକାଶ ପାଇଁ ୨୮ କୋଟି ଟଙ୍କା ଅଟକଳ ରଖାଯାଇଥିବା ବେଳେ, ଅଲାରନାଥଙ୍କ ପାଇଁ ୮ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଉଭୟ ମନ୍ଦିରର ପୁନଃ-ଉନ୍ନୟନ କାର୍ଯ୍ୟ ୧ ବର୍ଷ ମଧ୍ୟରେ ସଂପୂର୍ଣ୍ଣ ହେବ।  ଶ୍ରୀ ଲୋକନାଥ ମନ୍ଦିର ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ଶୈବପୀଠ। ପୁରାଣ ଅନୁଯାୟୀ, ପ୍ରଭୁ ଶ୍ରୀରାମଚନ୍ଦ୍ର ମାତା ସୀତାଙ୍କ ଅନ୍ବେଷଣରେ ଆସି ଏଠାରେ ପ୍ରଭୁ ଲୋକନାଥ ସ୍ଥାପନା କରି ପୂଜାଅର୍ଚ୍ଚନା କରିଥିଲେ । ଶ୍ରୀ ଲୋକନାଥଙ୍କୁ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ରକ୍ଷକ ବୋଲି ବିଶ୍ବାସ ରହିଛି ।

ଶ୍ରୀ ଲୋକନାଥ ମନ୍ଦିରର ମାଷ୍ଟରପ୍ଲାନ ଅନୁଯାୟୀ ମନ୍ଦିରର ଭିତର ବେଢା, ବାହାର ବେଢାର ଉନ୍ନତିକରଣ ହେବା ସହିତ ସେବାୟତ ଓ ଭକ୍ତ ମାନଙ୍କ ପାଇଁ ବିଭିନ୍ନ ସୁବିଧାର ବ୍ୟବସ୍ଥା କରାଯିବ । ଏହାବ୍ୟତୀତ ପାର୍କିଂ, ଆଧୁନିକ ଧାଡି ପରିଚଳନା ବ୍ୟବସ୍ଥା, ଆପ୍ରୋଚ ରୋଡର ଉନ୍ନତିକରଣ ଏବଂ ପଶ୍ଚିମ ଦ୍ବାରରେ ସେବାୟତ ମାନଙ୍କ ସୁବିଧା ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ।

ଭିତର ବେଢାରେ ପୁରୁଣା ମାର୍ବଲ ପଥର ସବୁ କଢାଯାଇ ଖଣ୍ଡାଲାଇଟ୍‌ସ ପଥର ଲଗାଯିବ। ମନ୍ଦିରର ବଗିଚାର ଉନ୍ନତିକରଣ କରାଯାଇ ଲ୍ୟାଣ୍ଡ ସ୍ଲେପିଂ କରାଯିବ। ଏହାଛଡା ମନ୍ଦିର ପାଚେରୀର ମରାମତି ସହିତ ଆଲୋକୀକରଣର ବ୍ୟବସ୍ଥା କରାଯିବ। ବାହାର ବେଢାକୁ ସଂପ୍ରସାରିତ କରାଯିବା ସହିତ ଭାଙ୍ଗିଯାଇଥିବା ସ୍ଥାନ ଗୁଡିକର ମରାମତି, ନୂତନ ରାସ୍ତା, ଲ୍ୟାଣ୍ଡ ସ୍କେପିଂ, ଆଲୋକୀକରଣ, ବସାଉଠା କରିବାପାଇଁ ସ୍ଥାନ ଓ ଦୁଇଟି ମୁଣ୍ଡନ ମଣ୍ଡପର ବିକାଶ କରାଯିବ । ଡ୍ରେନେଜ ଏକ ମୁଖ୍ୟ ସମସ୍ୟା ହୋଇଥିବାରୁ, ମନ୍ଦିର ଭିତର ଓ ବାହାର, ଉଭୟ ପାର୍ଶ୍ବରେ ଡ୍ରେନେଜ ବ୍ୟବସ୍ଥାକୁ ସୁଦୃଢ କରାଯିବ।ମନ୍ଦିରର ପୁଷ୍କରଣୀ ପାର୍ବତୀସାଗରର ମଧ୍ୟ ଉନ୍ନତିକରଣ କରାଯିବ। ଏହାର ଚାରିପଟେ ୨୬୭ ମିଟରର ସୁଉନ୍ନତ ପାଚେରୀ, ପୁଷ୍କରଣୀର ବିଶୋଧନ, ପାହାଚ, ଲ୍ୟାଣ୍ଡ ସ୍କେପିଂ, ଆଲୋକୀକରଣ ଓ ବସାଉଠା ପାଇଁ ସ୍ଥାନ ରହିବ । ପାର୍କିଂ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ।

ମନ୍ଦିରକୁ ଯାଇଥିବା ୪୦୦ ମିଟର ଆପ୍ରୋଚ ରୋଡର ଉନ୍ନତିକରଣ କରାଯିବା ସହିତ ୪ଟି ରାସ୍ତାର ବିକାଶ କରାଯିବ। ମନ୍ଦିରକୁ ସଂଯୋଗ ହୋଇଥିବା ୪ଟି ପ୍ରମୁଖ ରାସ୍ତାର ଉନ୍ନତିକରଣ ମଧ୍ୟ କରାଯିବ। ସେହିପରି ବ୍ରହ୍ଣଗିରିର ପ୍ରସିଦ୍ଧ ଅଲାରନାଥ ମନ୍ଦିରର ମଧ୍ୟ ବିକାଶ କରାଯିବ। ପୁରୀ ଠାରୁ ୨୪ କି.ମି ଓ ସାତପଡା ଠାରୁ ୨୫ କି.ମି ଦୂରରେ ଥିବା ଏହି ପୀଠ ପଞ୍ଚଦଶ ଓ ଷୋଡଶ ଶତାଦ୍ଦୀର ନିର୍ମିତ ହୋଇଥିବା ବିଶ୍ବାସ କରାଯାଏ। ଶ୍ରୀ ଅଲାରନାଥଙ୍କୁ ଶ୍ରୀ ଜଗନ୍ନାଥଙ୍କର ପ୍ରତିରୂପ ବୋଲି ବିଶ୍ବାସ ରହିଛି । ଶ୍ରୀ ଜଗନ୍ନାଥଙ୍କ ଅଣସର ସମୟରେ ଅଲାରନାଥ ଦର୍ଶନ ପାଇଁ ଭକ୍ତମାନେ ଯାଇଥାନ୍ତି ।

ମାଷ୍ଟରପ୍ଲାନ ଅନୁଯାୟୀ ଏହାର ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ, ସ୍ଥାନୀୟ ଭିତର ରାସ୍ତା, ଅରୁଣ ସ୍ତମ୍ଭ, ଚନ୍ଦନ ପୋଖରୀ ଆଦିର ବିକାଶ ଓ ସୌନ୍ଦର୍ଯ୍ୟକରଣ ସହିତ ପୁରା ଅଞଳକୁ ବିକଶିତ କରାଯାଇ ଏକ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରାଯିବ।

ଏହାର ପ୍ରବେଶ ଦ୍ବାରକୁ ପ୍ରଶସ୍ତ କରାଯାଇ ୪୦ ଫୁଟ ଚଉଡା ଓ ୧୮ ଫୁଟ ଉଚ୍ଚ କରାଯିବ। ଏଥିରେ ଖଣ୍ଡାଲାଇଟସ ପଥର ଲଗାଯିବ। ମନ୍ଦିରକୁ ଯାଇଥିବା ରାସ୍ତାକୁ ୪୦ ଫୁଟ ଚଉଡା କରାଯାଇ ଏଥିରେ ପେଭର ବ୍ଲକ ଲଗାଯିବ ଏବଂ ଦୁଇପଟେ ଡ୍ରେନର ବ୍ୟବସ୍ଥା ରହିବ । ଏହାସହିତ ୨ ଚକିଆ ଓ ୪ ଚକିଆ ଗାଡି ପାଇଁ ପାର୍କିଂ ବ୍ୟବସ୍ଥା କରାଯିବ। ମନ୍ଦିର ସମ୍ମୁଖ ସ୍ଥାନକୁ ଏକ ସୁନ୍ଦର ପ୍ଲାଜାରେ ପରିଣତ କରାଯାଇ ସେଥିରେ ଖଣ୍ଡାଲାଇଟ୍‌ସ ଓ ପେଭର ବ୍ଲକ ଲଗାଯିବା ସହିତ ଡ୍ରେନର ବ୍ୟବସ୍ଥା ମଧ୍ୟ କରାଯିବ। ମନ୍ଦିରର ସବୁ ସ୍ଥାନରୁ ମାର୍ବଲ କଢାଯାଇ ଖଣ୍ଡାଲାଇଟ୍‌ସ ଲଗାଯିବ। ପୁରୁଣା କବାଟ ବଦଳରେ ନୂଆ କାଠ କବାଟ ଲଗାଯିବ। ଚନ୍ଦନ ପୋଖରୀ ଓ ତୁଳସୀ ବନର ସୌନ୍ଦର୍ଯ୍ୟକରଣ କରାଯାଇ ଲ୍ୟାଣ୍ଡ ସ୍କେପିଂ କରାଯିବ । ଡ୍ରେନ ବ୍ୟବସ୍ଥାକୁ ସୁଦୃଢ କରାଯିବ। ଏହି ପୀଠର ବିକାଶ ପାଇଁ ୮ କୋଟି ଟଙ୍କା ଖର୍ଚ୍ଚ ହେବ ଓ କାମ ସଂପୂର୍ଣ୍ଣ ହେବା ପାଇଁ ୧ ବର୍ଷ ସମୟ ଲାଗିବ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ନିକଟରେ ଉଭୟ ଲୋକନାଥ ମନ୍ଦିର ଓ ଅଲାରନାଥ ମନ୍ଦିର ଗସ୍ତ କରି ଏହାର ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉଭୟ ମନ୍ଦିରର ପୂଜକମାନେ ପୁରୀ ଜିଲ୍ଲାପାଳଙ୍କ ସହିତ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମନ୍ଦିରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ମନ୍ଦିର ଗସ୍ତ କରି ଠାକୁରଙ୍କୁ ଦର୍ଶନ କରିବା ପାଇଁ ନିମନ୍ତ୍ରଣ କରିଥିଲେ । ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଉଭୟ ମନ୍ଦିର ଦର୍ଶନ କରିବେ ବୋଲି କହିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ। ଉଭୟ ମନ୍ଦିର ଗସ୍ତ ସମୟରେ ସେବାୟତ ମାନଙ୍କ ସହିତ ହୋଇଥିବା ତାଙ୍କର ଆଲୋଚନା ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଷୟ ସଂପର୍କରେ ଏହି ବୈଠକରେ ସୂଚନା ଦେଇଥିଲେ ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା ଓ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଆୟୋଜିତ ଏକ ବୈଠକରେ ପୂର୍ତ୍ତ ବିଭାଗ ସଚିବ ଶ୍ରୀ ଭି.ଭି.କେ ଯାଦବ ଏଥିପାଇଁ ଉପସ୍ଥାପନା ରଖିଥିଲେ। ଓଡିଶା ବ୍ରିଜ କନ୍‌ଷ୍ଟ୍ରକସନ କର୍ପୋରେସନ ଦ୍ବାରା ଉଭୟ ମନ୍ଦିରର ଉନ୍ନତିକରଣ କାର୍ଯ୍ୟର କାର୍ଯ୍ୟାନ୍ବୟନ କରାଯିବ ।

ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ଚଳଚିତ୍ର “ଦମନ” ପ୍ରଦର୍ଶିତ…

{} ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ଚଳଚିତ୍ର “ଦମନ” ପ୍ରଦର୍ଶିତ।

ଏହା ଏକ ବାସ୍ତବଧର୍ମୀ ଓ ପ୍ରେରଣାଦାୟୀ ଚଳଚିତ୍ର – ମୁଖ୍ୟ ଶାସନ ସଚିବ।

  ପ୍ରତି ଜିଲ୍ଲାରେ “ଦମନ” ଚଳଚିତ୍ର ପ୍ରଦର୍ଶନ ପାଇଁ ପରାମର୍ଶ।

() ମାଲେରିଆ ନିରାକରଣ ଉପରେ ପର୍ଯ୍ୟବସିତ “ଦମନ” ଚଳଚିତ୍ର ଖୁବ୍ ବାସ୍ତବଧର୍ମୀ ଓ ପ୍ରେରଣାଦାୟୀ ହୋଇଥିବାରୁ ଏହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କରମୁକ୍ତ କରିଛନ୍ତି । ବିଭିନ୍ନ ଅଞ୍ଚଳରେ କଷ୍ଟକର ସ୍ଥିତିରେ କାର୍ଯ୍ୟକରୁଥିବା ଡାକ୍ତର ଓ ଅନ୍ୟ ଅଧିକାରୀମାନଙ୍କୁ ଏହା ଉତ୍ସାହିତ କରିବ । ଚଳଚିତ୍ରର, କାହାଣୀ, ଚରିତ୍ର ଓ ଅଭିନୟ ଦୃଷ୍ଟିରୁ ଏହାର ଲୋକପ୍ରିୟତା ବଢିବାରେ ଲାଗିଛି ଓ ଏହା ହିନ୍ଦୀ ଭାଷାରେ ଡବିଂ ହେବାକୁ ଯାଉଛି । ଫଳରେ ଏହା ଭାରତର ବିଭିନ୍ନ ପ୍ରଦେଶରେ ଲୋକପ୍ରିୟତା ହାସଲ କରିବ । ବିଭିନ୍ନ ଦୁର୍ଗମ ଅଂଚଳରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଆଗାମୀ ଦିନରେ ଏହାକୁ ସବୁ ଜିଲ୍ଲାରେ ପ୍ରଦର୍ଶିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଛନ୍ତି । ଆଜି ଲୋକସେବା ଭବନ ସ୍ଥିତ କନଭେନସନ ସେଣ୍ଟର ଠାରେ ରାଜ୍ୟ ପ୍ରଦର୍ଶିତ “ଦମନ” ଚଳଚିତ୍ର ଦେଖିବା ଅବସରରେ ମୁଖ୍ୟ ଶାସନ ସଚିବ ଏହା କହିଛନ୍ତି ।

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ରାଜ୍ୟ ଚଳଚିତ୍ର ଉନ୍ନୟନ ନିଗମ ସହଯୋଗରେ ଆଜି ଦମନ ଚଳଚିତ୍ର ପ୍ରଦର୍ଶନ ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅରିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଯୋଗଦେଇ ଆଗାମୀ ଦିନରେ ଏହିଭଳି ବାସ୍ତବଧର୍ମୀ ଚଳଚିତ୍ରର ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ । ଓଡିଶା ଚଳଚିତ୍ର ନିଗମର ସହଯୋଗ ତଥା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଚଳଚିତ୍ରର ଲୋକପ୍ରିୟତା ଦୃଷ୍ଟିରୁ ଏହାକୁ ପୁନଶ୍ଚ କନଭେନସନ ସେଣ୍ଟରଠାରେ ପ୍ରଦର୍ଶନ କରାଯିବ ବୋଲି ମଧ୍ୟ ସେ କହିଥିଲେ ।

ଓଡିଶା ଚଳଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀ ସତ୍ୟବ୍ରତ (କୁନା) ତ୍ରିପାଠୀ କହିଲେ ଯେ, ୮୬ ବର୍ଷର ଓଡିଆ ସିନେମା ଇତିହାସରେ ଏଭଳି ସିନେମା ଏକ ଅଭିନବ ପଦକ୍ଷେପ । ଆଗାମୀ ଦିନରେ ଆଗାମୀ ଦିନରେ ଏହା ସବୁ ନିର୍ଦ୍ଦେଶକ, ପ୍ରଯୋଜକ ଓ ଅଭିନେତାମାନଙ୍କୁ ଉତ୍ସାହିତ କରିବ । କାର୍ଯ୍ୟକ୍ରମରେ ଚଳଚିତ୍ରର ମୁଖ୍ୟ ଅଭିନେତା ଶ୍ରୀ ବାବୁସାନ ମହାନ୍ତି, ଯୁଗ୍ମ ରଚୟିତା ଓ ନିର୍ଦ୍ଦେଶକ ବିଶ୍ୱାଳ ମୌର୍ଯ୍ୟା ଏବଂ ଦେବୀ ପ୍ରସାଦ ଲେଙ୍କାଙ୍କ ସହିତ ପ୍ରଯୋଜକ ଶ୍ରୀ ଦୀପେନ୍ଦ୍ର ସାମଲଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମ୍ବର୍ଦ୍ଧିତ କରିଥିଲେ । ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ଚଳଚିତ୍ର ଦେଖିଥିଲେ । ବିଭାଗର ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

ସମ୍ ରେ ପେରି ଅପରେଟିଭ୍ ନର୍ସିଂ ସପ୍ତାହ ପାଳିତ…

()  ସମ୍ ଅଲ୍ଟିମେଟ୍ ମେଡିକେୟାରରେ “ପେରି ଅପରେଟିଭ୍ ନର୍ସିଂ ସପ୍ତାହ” କାର୍ଯ୍ୟକ୍ରମ ପାଳିତ ହୋଇଯାଇଅଛି । ଅପରେସନ୍ ଥିଏଟର ମଧ୍ୟରେ ରୋଗୀ ମାନଙ୍କୁ ଚିକିତ୍ସା ଏବଂ ସେବା କ୍ଷେତ୍ରରେ ପ୍ରୋତ୍ସାହନ, ସଚେତନ ଏବଂ ଅଧିକ ପ୍ରଶିକ୍ଷିତ କରିବା ଲକ୍ଷରେ ପ୍ରତ୍ୟେକ ବର୍ଷ ନଭେମ୍ବର ୧୯ ରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ କରଯାଇଥାଏ । ଏହି ପରିପ୍ରେକ୍ଷିରେ ସମ୍ମମ୍‌ରେ ମଧ୍ୟ ଏହା ପାଳନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ସମ୍ମମ୍‌ର ଚିଫ୍ ନର୍ସିଂ ସୁପରିଟେଣ୍ଡେଂଟ୍ ଶ୍ରୀମତୀ ଏନ.ଆୟଶା ବକ୍ତବ୍ୟ ରଖି ଚଳିତ ବର୍ଷର ପ୍ରସଙ୍ଗ \”\”ସେଫ୍ ସର୍ଜରୀ ଟୁଗେଦର\’\’ ଅର୍ଥାତ୍ ଏକତ୍ରିତ ଭାବେ ସୁରକ୍ଷିତ ଅପରେସନର ପରିଚାଳନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅପରେସନ ପୂର୍ବରୁ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ଉପଯୁକ୍ତ ଭାବେ ବୁଝାଇବା ସହ ଅପରେସନ ନିମନ୍ତେ ଉଭୟ ମାନସିକ ଓ ଡାକ୍ତରୀ ସ୍ତରରେ ପ୍ରସ୍ତୁତ କରିବା ଦିଗରେ ମତ ଦେଇଥିଲେ ।
ଅପରେସନ ଥିଏଟରରେ କିଭଳି ଭାବରେ ରୋଗୀଙ୍କୁ ସଠିକ୍ ଔଷଧ ଦିଆଯିବ ଏବଂ ସଂକ୍ରମଣକୁ ନିୟନ୍ତ୍ରଣରେ ରଖାଯାଇ ପାରିବ ସେ ନେଇ ଆଲୋଚନା କରାଯାଇଥିଲା ।
ଏହି ଅବସରରେ ସମ୍ମମ୍‌ର ଚିଫ ଅଫ ମେଡିକାଲ ସର୍ଭିସେସ୍ ବ୍ରିଗେଡିୟର ଡାକ୍ତର ବିରାଜ ମୋହନ ମିଶ୍ର, ଇନଫେକ୍ସନ କଂଟ୍ରୋଲ୍ ବିଭାଗର ଅଧ୍ୟକ୍ଷ ଡାକ୍ତର ପି.କେ. ପଣ୍ଡା ଓ ନର୍ସିଂ ଇନଚାର୍ଜ ପୂଜା ସାମଲଙ୍କ ସମେତ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଡାକ୍ତର, କାର୍ଯ୍ୟକର୍ତା ଓ ନର୍ସିଂ ବିଭାଗର କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଅବସରରେ କେକ୍ କଟିଂ କରାଯାଇ କାର୍ଯ୍ୟକ୍ରମକୁ ଅତ୍ୟନ୍ତ ଉତ୍ସାହର ସହ ପାଳନ କରଯାଇଥିଲା ।

ପଦ୍ମପୁର ଉପନିର୍ବାଚନ ନିମନ୍ତେ କଂଗ୍ରେସର ତାରକା ପ୍ରଚାରକ ନାମ ତାଲିକା ଘୋଷିତ…

()  ଚଳିତ ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ୪୦ ଜଣିଆ ତାରକା ପ୍ରଚାରକଙ୍କ ନାମ ତାଲିକା ଅଖିଳ ଭାରତ କଂଗ୍ରେସ କମିଟିଙ୍କ ଅନୁମୋଦନ କ୍ରମେ ଘୋଷଣା କରାଯାଇଛି ବୋଲି ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି । ଏହି ତାଲିକାରେ ଓଡ଼ିଶା ପ୍ରଭାରୀ ସାଂସଦ ଡ. ଏ ଚେଲ୍ଲା କୁମାର, ଏଆଇସିସି ସଂପାଦକ ଶ୍ରୀ ଜି ରୁଦ୍ର ରାଜୁ, ପିିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ରଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଚିରଞ୍ଜିବ ବିଶ୍ୱାଳ, ଭକ୍ତଚରଣ ଦାସ, ଶରତ ରାଉତ, ସପ୍ତଗିରି ଉଲ୍ଲାକା, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ତାରା ପ୍ରସାଦ ବାହିନୀପତି, ରମେଶ ଜେନା, ଅଧିରାଜ ମୋହନ ପାଣିଗ୍ରାହୀ, ଦାଶରଥି ଗମାଙ୍ଗୋ, ସିଏସ ରାଜନ ଏକ୍କା, ପଂଚାନନ କାନୁନଗୋ, ଜଗନ୍ନାଥ ପଟ୍ଟନାୟକ, ବିଜୟଲଷ୍ମୀ ସାହୁ,ଗଣେଶ୍ୱର ବେହେରା, ରାମଚନ୍ଦ୍ର ଖୁଂଟିଆ, ସୁଶିଳା ତିରିଆ, ​ ଅନନ୍ତ ପ୍ରସାଦ ସେଠୀ, ସସ୍ମିତା ବେହେରା, ବନ୍ଦିତା ପରିଡ଼ା, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, କିଶୋର ଚନ୍ଦ୍ର ପଟେଲ,ସୁରେନ୍ଦ୍ର ସିଂ ଭୋଇ,ଦେବାଶିଷ ପଟ୍ଟନାୟକ, ସଞ୍ଜୟ ଭୋଇ,ଜଙ୍ଗେଶ୍ୱର ବାବୁ,ପ୍ରକାଶ ଚନ୍ଦ୍ର ଦେବତା,ଅମୀୟ ପଟ୍ଟନାୟକ,ଭୁଜବଳ ମାଝୀ,ବାଙ୍କନିଧି ବେହେରା,ହମିଦ ହୁସେନ, ସ୍ମୃତି ରଞ୍ଜନ ଲେଙ୍କା ଓ ୟାସିର ନୱାଜ ପ୍ରମୁଖ ରହିଛନ୍ତି ବୋଲି ଶ୍ରୀ ବେହେରା ଜଣାଇଛନ୍ତି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news