ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିଙ୍କ ତାଲିମ ପାଇଁ ସୋଆ ଏବଂ ଜିଏମ୍‌ଆର୍ ଗ୍ରୁପ୍ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ….

() ପାରସ୍ପରିକ ସହଯୋଗ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଜିଏମ୍‌ଆର୍ କମଳଙ୍ଗା ଏନର୍ଜି ଲିମିଟେଡ୍ (ଜିକେଇଏଲ୍‌), ଢ଼େଙ୍କାନାଳ ମଧ୍ୟରେ ଗୁରୁବାର ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି ।

ଏହି ବୁଝାମଣା ଅନୁଯାୟୀ ଶିଳ୍ପ କ୍ଷେତ୍ରରେ ଅଧିକ ସମ୍ପୃକ୍ତ ହେବା ସହ ଜ୍ଞାନ ଆହରଣ ନିମନ୍ତେ ଜିଏମ୍‌ଆର୍ ସୋଆର ଛାତ୍ରଛାତ୍ରୀ ଏବଂ ଫ୍ୟାକଲ୍ଟିମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବ । ଜିକେଇଏଲ୍ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ପ୍ରତ୍ୟେକ ବର୍ଷ ସ୍ୱଳ୍ପ ଏବଂ ଅଧିକ ସମୟ ମିଆଦି ପ୍ରଶିକ୍ଷଣ ପ୍ରଦାନ କରାଯିବ । ସେହିପରି ଜିକେଇଏଲ୍‌ର ଅଧିକାରୀମାନଙ୍କୁ ମଧ୍ୟ ସୋଆ ପକ୍ଷରୁ ଶୈକ୍ଷିକ ଏବଂ ଗବେଷଣା ଭିତିକ ସାହାଯ୍ୟ ଓ ସହଯୋଗ ପ୍ରଦାନ କରାଯିବ ।

୩୬ ମାସ ପାଇଁ ନିର୍ଦ୍ଧ।ରିତ ଏହି ଏମ୍‌ଓୟୁ ଅନୁଯାୟୀ ସୋଆରେ ମିଳିତ ଭାବେ ଦୁଇଟି ଅନୁଷ୍ଠାନ ପକ୍ଷରୁ ସେମିନାର ଏବଂ କର୍ମଶାଳା ମଧ୍ୟ ଆୟୋଜନ କରାଯିବ । ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଜିକେଇଏଲ୍‌ର ବରିଷ୍ଠ ଅଧିକାରୀ ମାନଙ୍କ ମଧ୍ୟରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଛି।

ଏହି ବୁଝାମଣା ସ୍ୱାକ୍ଷର ହେବା ସମୟରେ ସୋଆର ଚିଫ୍ ଆଡ୍‌ମିନିଷ୍ଟ୍ରେଟିଭ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍‌ସ) ପ୍ରଫେସର ରେଣୁ ଶର୍ମା, ଟ୍ରେନିଙ୍ଗ ଏବଂ ପ୍ଲେସ୍‌ମେଂଟ ମୁଖ୍ୟ ଡକ୍ଟର ସୁଜିତ କୁମାର ଦାଶ, କ୍ୟାରିୟର ଡେଭଲପ୍‌ମେଂଟ ସେଲ୍‌ର ମୁଖ୍ୟ ଶ୍ରୀ ସୁମିତ ମିତ୍ର, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଡକ୍ଟର ସରୋଜ ଆଚାର୍ଯ୍ୟ, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଡକ୍ଟର ବିନୋଦ କୁମାର ସାହୁ, ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଡକ୍ଟର ନିରଞ୍ଜନ ନାୟକ ଏବଂ ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ଶକ୍ତି ପ୍ରସାଦ ଜେନା ଉପସ୍ଥିତ ଥିଲେ ।

ବି.ଏସ୍.କେ.ୱାଇ. କାର୍ଡ଼ରେ ହେଲା ବୋନ୍-ମାରୋ ପ୍ରତିରୋପଣ…

() “ମୁଖ୍ୟମନ୍ତ୍ରୀ ମୋ ମା’ଙ୍କୁ ମରଣ ମୁହଁରୁ ବଞ୍ଚାଇଲେ”

 ବି.ଏସ୍.କେ.ୱାଇ. କାର୍ଡ଼ରେ ହେଲା ବୋନ୍-ମାରୋ ପ୍ରତିରୋପଣ।

{} ଯାଜପୁର ଜିଲ୍ଲା ନାଉବାଙ୍କ ଗ୍ରାମର ସୁମନ୍ତ କୁମାର ସାହୁ କହନ୍ତି “ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୋ ମା’ ଙ୍କୁ ମରଣ ମୁହଁରୁ ବଞ୍ଚାଇଲେ” । ଏ ବିଷୟରେ ଅଧିକ ପଚାରିବାରୁ ସେ କହିଲେ – ଆମର ଛୋଟ ଚାଷ ବନ୍ଦି ପରିବାର । ସିଂଘପୁର ହାଟରେ ଛୋଟ ଜଳଖିଆ ଦୋକାନ କରି ବାପା ଓ ମୁଁ ଘର ଚଳାଉ ।

ମୋ ମା’ ସ୍ନେହଲତା ସାହୁ (୫୨) ଙ୍କୁ ଲଗାତର ଜ୍ୱର ହେଉଥିଲା । ଗୋଡ଼ ଭୀଷଣ ବିନ୍ଧୁଥିଲା । ସେ ସବୁବେଳେ ଅଥୟ ହେଉଥିଲେ । ବିଭିନ୍ନ ପ୍ରାଥମିକ ପରୀକ୍ଷାରୁ ଜଣା ପଡ଼ିଲା ମା’ଙ୍କର ହିମଗ୍ଲୋବିନ୍ କମୁଛି । ପ୍ଲେଟଲେଟ୍ ମଧ୍ୟ କମୁଛି । ତା’ ପରେ ମେଡ଼ିସିନ୍ ସ୍ପେସାଲିଷ୍ଟଙ୍କୁ ଦେଖେଇଲୁ । ବିଭିନ୍ନ ପରୀକ୍ଷାରୁ ଜଣା ପଡ଼ିଲା ଯେ ମା’ଙ୍କର ବ୍ଲଡ୍ କ୍ୟାନସର ହୋଇଛି । ଏଥିରେ ବ୍ୟଥିତ ହୋଇ ବାପା ହାର୍ଟ-ଷ୍ଟ୍ରୋକରେ ୨୦୨୧ ମସିହା ଜାନୁଆରୀ ୧୭ ତାରିଖ ଦିନ ଆରପାରିକୁ ଚାଲିଗଲେ । ଆମେ ଭାଇଭଉଣୀ ତିନିଜଣ । ମୁଁ ବଡ । ପାଠ ପଢୁଥିଲି ଓ ବାପାଙ୍କ ସାଙ୍ଗରେ କାମ କରୁଥିଲି । କ’ଣ କରିବୁ ବୁଦ୍ଧି ଦେଖାଗଲାନି । ଆମକୁ ବି.ଏସ୍.କେ.ୱାଇ. କାର୍ଡ଼ ସାହସ ଦେଲା । ଗାଁ ଲୋକଙ୍କୁ ପଚରା ପଚରି କରି ମା’ଙ୍କ ଚିକିତ୍ସା କଥା ବୁଝିଲୁ ଓ ତାଙ୍କୁ ନେଇ ସମ୍ ହସ୍ପିଟାଲ ଗଲୁ । ଗୋଟେ କାଉଣ୍ଟରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲେଖାଯାଇଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଚିତ୍ର ଥାଇ ବି.ଏସ୍.କେ.ୱାଇ. କାର୍ଡ଼ର ଏକ ଛବି ସେହି କାଉଣ୍ଟରରେ ମରାଯାଇଥିଲା । ସେହି କାଉଣ୍ଟରକୁ ଗଲୁ । କାଉଣ୍ଟର ପାଖରେ ଥିବା ସ୍ୱାସ୍ଥ୍ୟମିତ୍ରମାନେ ସାହାଯ୍ୟ କଲେ । ବି.ଏସ୍.କେ.ୱାଇ. କାର୍ଡ଼ରେ ଆଡ଼ମିଶନ୍ ହେଲା ।

ହେମାଟୋଲୋଜୀ ବିଭାଗର ପ୍ରଫେସର ମାଡ଼ାମ୍ ପ୍ରୀୟଙ୍କା ସାମଲ ମା’ ଙ୍କୁ ଦେଖିଲେ । ପରୀକ୍ଷା ନିରୀକ୍ଷା କରୀ ଚିକିତ୍ସା କଲେ । କେମୋ ଥେରାପି ଓ ଔଷଧ ଆଦି ମାଗଣାରେ ଦେଲେ । ପୁଣି ମା ଙ୍କ ଅବସ୍ଥା ପରୀକ୍ଷା କରି ବୋନମାରୋ ପ୍ରତିରୋପଣ ପାଇଁ ପରାମର୍ଶ ଦେଲେ । ସେତେବେଳକୁ ବି.ଏସ୍.କେ.ୱାଇ. କାର୍ଡ଼ ର ୫ ଲକ୍ଷ ଟଙ୍କା ପ୍ରାୟ ସରିଆସିଲାଣି । ବୋନମାରୋ ପ୍ରତିରୋପଣ ପାଇଁ କେଉଁଠୁ ଏତେ ଟଙ୍କା ଆଣିବୁ ବୋଲି ଆମେ ଭାଇ ଭଉଣୀ ଚିନ୍ତାରେ ପଡ଼ିଲୁ । ହସ୍ପିଟାଲରେ ଥିବା ସ୍ୱାସ୍ଥ୍ୟମିତ୍ରମାନେ ସାହାସ ଦେଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକ ଟଙ୍କା ପାଇଁ ହସ୍ପିଟାଲକୁ ଅନୁମୋଦନ ଦେଲେ । ସେହିଠାରେ ମା’ଙ୍କର ଚିକିତ୍ସା ଚାଲିଲା । ବୋନମାରୋ ପ୍ରତିରୋପଣ ହେଲା । ଡ଼ାକ୍ତର ମାଡ଼ାମ୍ ଏବଂ ନର୍ସମାନେ ମା’ ଙ୍କର ବହୁ ସେବା ଯତ୍ନ କଲେ ।

ଏବେ ଆମେ ମା’ଙ୍କୁ ନେଇ ଘରକୁ ଆସିଲୁଣି । ମା’ ସୁସ୍ଥ ଅଛନ୍ତି । ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଥିବା ପ୍ରାୟ ୧୦ ଲକ୍ଷ ଟଙ୍କା ଓଡ଼ିଶା ସରକାର ବି.ଏସ୍.କେ.ୱାଇ. କାର୍ଡ଼ ମାଧ୍ୟମରେ ଯୋଗାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋ ମା’ଙ୍କୁ ମରଣ ମୁହଁରୁ ବଞ୍ଚାଇଲେ । ଆମେ ସବୁ ଭାଇ ଭଉଣୀ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଚିର କୃତଜ୍ଞ ।

କୃଷି ଓଡିଶା-୨୦୨୩ ଉଦ୍‌ଘାଟିତ..

() କୃଷି ଓଡିଶା-୨୦୨୩ ଉଦ୍‌ଘାଟିତ,

କୃଷି ଯାନ୍ତ୍ରିକୀକରଣ, ଚାଷୀମାନଙ୍କ ରୋଜଗାର ବୃଦ୍ଧି ଉପରେ

ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବାରୋପ ଟେକ୍‌ନୋଲୋଜି ହେଉଛି ବିକାଶର ଆଧାର।

ନୂଆ ନୂଆ ଟେକ୍‌ନୋଲୋଜିର ବ୍ୟବହାର କରିବାକୁ ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ବରମୁଣ୍ଡା ପଡିଆଠାରେ ରାଜ୍ୟସ୍ତରୀୟ ବାର୍ଷିକ କୃଷି ମହୋତ୍ସବ ‘କୃଷି ଓଡିଶା’ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଉପସ୍ଥିତ କୃଷକ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଫାର୍ମ ମେକାନାଇଜେସନ ଓ ଫସଲ ବିବିଧତା ଉପରେ ଗୁରୁତ୍ବ ଆରୋପ କରି ଚାଷୀ ମାନଙ୍କୁ ନୂଆ ନୂଆ ଟେକ୍‌ନୋଲୋଜିର ବ୍ୟବହାର କରିବା ସହିତ ଅଧିକ ପରିମାଣରେ ଅଣଧାନ ଅର୍ଥକରୀ ଫସଲ ଚାଷ କରିବା ପାଇଁ ପରାମର୍ଶ ଦେଇଛନ୍ତି।କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ଆୟୋଜିତ କୃଷି ଓଡିଶା-୨୦୨୩ ଆଜି ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଟେକ୍‌ନୋଲୋଜି ହେଉଛି ବିକାଶର ଆଧାର। କୃଷି କ୍ଷେତ୍ରରେ ମଧ୍ୟ ଟେକ୍‌ନୋଲୋଜିର ବହୁତ ଆବଶ୍ୟକତା ରହିଛି । ଏ ବର୍ଷ ମେଳାରେ କୃଷି କ୍ଷେତ୍ରରେ ନୂଆ ଟେକ୍‌ନୋଲୋଜିର ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଥିବାରୁ ସେ ଖୁସି ପ୍ରକାଶ କରିଥିଲେ । ଚାଷୀମାନେ ସମସ୍ତେ ନୂଆ ନୂଆ ଟେକ୍‌ନୋଲୋଜି ବିଷୟରେ ଜାଣିବେ, ବ୍ୟବହାର କରିବେ ଏବଂ କୃଷି କ୍ଷେତ୍ରରେ ସଫଳ ହୋଇ ନିଜର ଓ ନିଜ ରାଜ୍ୟର ଉନ୍ନତିରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ କୃଷି ଓ କୃଷକମାନଙ୍କ ଉନ୍ନତି ମୋ ସରକାରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ । କୃଷି କ୍ଷେତ୍ରରେ ଓଡିଶା ଆଜି ଏକ ଆଗୁଆ ରାଜ୍ୟ ହୋଇପାରିଛି। ଖାଦ୍ୟରେ ଅଭାବ ଥିବା ଏକ ରାଜ୍ୟରୁ ଆଜି ଆମେ ଖାଦ୍ୟଶସ୍ୟରେ ଏକ ବଳକା ରାଜ୍ୟ ହୋଇ ସାରା ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଇ ପାରୁଛୁ ବୋଲି ସେ କହିଥିଲେ । କାଳିଆ ଯୋଜନା ଦ୍ବାରା ଚାଷୀ ମାନଙ୍କୁ ରୋଜଗାର ସୁରକ୍ଷା ମିଳିପାରିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଫାର୍ମ ମେକାନାଇଜେସନ ଉପରେ ଗୁରୁତ୍ବ ଦିଆଯାଇ ଫସଲ ଉତ୍ପାଦକତା ବଢାଇବା ପାଇଁ ଉଦ୍ୟମ ଜାରି ରହିଛି । ପଣସ ମିଶନ, ଛତୁ ମିଶନ ଆଦି ସ୍ବତନ୍ତ୍ର ମିଶନ ଜରିଆରେ ଚାଷୀଙ୍କ ରୋଜଗାର ସହିତ ପୁଷ୍ଟି ନିରାପତ୍ତା ପାଇଁ ମଧ୍ୟ ଗୁରୁତ୍ବ ଦିଆଯାଉଛି । ଆମର ମିଲେଟ ମିଶନ ଆଜି ସାରା ଦେଶ ଓ ବିଶ୍ବର ଦୃଷ୍ଟି ଆକର୍ଷଣ କରିପାରିଛି ବୋଲି ମତଦେଇ ସେ କହିଥିଲେ ଯେ ଏହା ଆମର ମିଶନ ଶକ୍ତି ମା ମାନଙ୍କର ରୋଜଗାର ବଢାଇବାରେ ମଧ୍ୟ ସହାୟକ ହୋଇପାରିଛି।

‘କୃଷି ଓଡିଶା’ରେ ଉପସ୍ଥିତ ଥିବା WFP, IFAD ଏବଂ FAO ପରି ସଂସ୍ଥାର ପ୍ରତିନିଧି ମାନଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କୃଷି କ୍ଷେତ୍ରରେ ସେମାନଙ୍କ ନିରନ୍ତର ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ କୃଷିମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିଜର ଅଭିଭାଷଣ ରଖି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ କୃଷି ବିଭାଗ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି । କୃଷକ ମାନଙ୍କ ଆୟବୃଦ୍ଧିରେ କୃଷି ଆନୁସଂଗିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦିଆଯାଇ ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡିଶା ମାଛ, ମାଂସ, ଅଣ୍ଡା ଓ ଦୁଗ୍‌ଧ ଉତ୍ପାଦନରେ ସ୍ବାବଲମ୍ବୀ ହୋଇପାରିବା ସହିତ ଚାଷୀ ମାନଙ୍କ ରୋଜଗାର ମଧ୍ୟ ବୃଦ୍ଧି କରାଯାଇପାରିଛି ବୋଲି ସେ କହିଥିଲେ ।

ଓଡିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଶ୍ରୀ ସୁବ୍ରତୋ ବାଗ୍‌ଚୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । କୃଷି ଓ କୃଷକ ସଶକ୍ତିକରଣ ବିକାଶ ପ୍ରମୁଖ ସଚିବ ଡଃ ଅରବିନ୍ଦ ପାଢୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

ବିରୋଧି ଦଳ ନେତାଙ୍କ ବ୍ୟବହାର ଦେଖିଲେ ଦୁଃଖ ଲାଗୁଛି: ପ୍ରଣବ ପ୍ରକାଶ ଦାସ

() ରାଷ୍ଟ୍ରୀୟ ଦଳ ବିଜେପିର ଶୀର୍ଷ ନେତୃତ୍ବଙ୍କୁ ୬ବର୍ଷ ତଳର ଘଟଣା ମନେ ପକାଇ ଦେଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ l ସମ୍ବଲପୁରରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମହିଳା ପୋଲିସ ଅଧିକାରୀଙ୍କୁ ଚାପୁଡ଼ା ମାରିବା ଘଟଣାକୁ ନେଇ ପୁଣି ଥରେ ପ୍ରଣବ ପ୍ରକାଶ ଦାସ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭାଇ ବୋଲି ସମ୍ବୋଧିତ କରି କିଛି କଥା ମନେ ପକାଇଦେଇଛନ୍ତି l ଟୁଇଟ କରି ପ୍ରଣବ କେନ୍ଦ୍ର ମନ୍ତ୍ରୀଙ୍କୁ ଲେଖିଛନ୍ତି ଯେ dpradhanbjp ଭାଇ, ଆପଣଙ୍କର ମନେ ଥିବ ଆପଣଙ୍କ ଦଳର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ବାବୁ ଅତୀତରେ ଆପଣଙ୍କ ରାଜ୍ୟ ସଭାପତିଙ୍କୁ ଚପଲରେ ନିସ୍ତୁକ ପିଟି ରକ୍ତାକ୍ତ କରି ଦେଇଥିଲେ। ଏଥିପାଇଁ ସେ ଦଳରୁ ୬ ବର୍ଷ ପାଇଁ ସସ୍‌ପେଣ୍ଡ ବି ହୋଇଥିଲେlଗୋଟିଏ ପରେ ଗୋଟିଏ ଅପରାଧ କରି ଚାଲିଥିବା ସେଇ ନେତା କାଲି ଜଣେ କର୍ତ୍ତବ୍ୟରତ ମହିଳା ଆଇଆଇସିଙ୍କୁ ମାଡ଼ ମାରିଛନ୍ତି। ବିଡ଼ମ୍ବନା ହେଲା, ଯେଉଁ ଜୟନାରାୟଣଙ୍କ ଠାରୁ ଦିନେ ରାଜ୍ୟ ସଭାପତି ମାଡ଼ ଖାଇଥିଲେ, ସେଇ ଜୟନାରାୟଣଙ୍କ ପାଇଁ ଓକିଲାତି କରିବାକୁ ଆଜି ତାଙ୍କୁ ବାଧ୍ୟ କରାଯାଉଛି।ବିଜେପି ଭଳି ଏକ ରାଷ୍ଟ୍ରୀୟ ଦଳର ରାଜ୍ୟ ସଭାପତିଙ୍କୁ ବିରୋଧୀ ଦଳ ନେତା ଯେଭଳି ବ୍ୟବହାର କରୁଛନ୍ତି, ତାହା ଦେଖି ମୋତେ ଦୁଃଖ ଲାଗୁଛି। ଆପଣଙ୍କ ଦଳର ରାଜ୍ୟ ସଭାପତିଙ୍କ ଏଭଳି ଦୟନୀୟ ଅବସ୍ଥା ଦେଖି ଦୟାକରି ନିରବ ରହନ୍ତୁ ନାହିଁ ସେ କହିଛନ୍ତି l

ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦଯାପନୀ ସମାରୋହ…

() ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦଯାପନୀ ସମାରୋହ – ୨୦୨୩।

ଚାଷୀମାନଙ୍କ ଭାଗିଦାରୀ, ନିଷ୍ଠା ଓ ସହଯୋଗ ଯୋଗୁ ପାଣି ପଞ୍ଚାୟତ ଆଜି ଆନ୍ଦୋଳନରେ ପରିଣତ ହୋଇପାରିଛି – ମୁଖ୍ୟମନ୍ତ୍ରୀ।

ବୃହତ ଉଠା ଜଳସେଚନରେ ମଧ୍ୟ ପାଣି ପଞ୍ଚାୟତ କାର୍ଯ୍ୟକାରୀ ହେବ ଜଳର ସୁବିନିଯୋଗ ଓ ସୁଷମ ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ।

{} ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୩ ଉଦଯାପନ ସମାରୋହ ଆଜି ଲୋକସେବା ଭବନ, କନଭେନସନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଦଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ପାଣି ପଞ୍ଚାୟତ ଆଜି ଏକ ଆନ୍ଦୋଳନରେ ପରିଣତ ହୋଇଛି । ଚାଷୀ ଭାଇ ଭଉଣୀ ମାନଙ୍କ ଭାଗିଦାରୀ, ନିଷ୍ଠା ଓ ସହଯୋଗ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମାତ୍ର ୭୦୦ ପାଣି ପଞ୍ଚାୟତରୁ ଆରମ୍ଭ କରି ଆଜି ରାଜ୍ୟରେ ୩୭ ହଜାର ପାଣି ପଞ୍ଚାୟତ କାର୍ଯ୍ୟ କରୁଛି । ସେହିପରି ୩.୩୨ ଲକ୍ଷ ହେକ୍ଟର ଜମିରେ ଆରମ୍ଭ ହୋଇଥିବା ଏହି ପାଣି ପଞ୍ଚାୟତ ଆଜି ୨୩.୪୬ ଲକ୍ଷ ହେକ୍ଟର ଜମିରେ ପାଣିର ସୁବିଧା ଦେଇପାରୁଛି । ଏହା ବାସ୍ତବରେ ବହୁତ ବଡ ସଫଳତା ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ । ଏଗୁଡିକ ସବୁ ବିଭିନ୍ନ ପ୍ରମୁଖ, ମଧ୍ୟମ, କ୍ଷୁଦ୍ର ଓ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳରେ କାର୍ଯ୍ୟକାରୀ କରାଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ଦିନରେ ବୃହତ ଉଠାଜଳସେଚନ ପ୍ରକଳ୍ପ ଅଞ୍ଚଳରେ ମଧ୍ୟ ପାଣି ପଞ୍ଚାୟତ କାର୍ଯ୍ୟକାରୀ କରାଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଳ ଅମୂଲ୍ୟ । ଜଳବାୟୁ ପରିବର୍ତ୍ତନର ପ୍ରଥମ ପ୍ରଭାବ ପଡିବ ପାଣି ଉପରେ ଓ ଚାଷ ଉପରେ । ତେଣୁ ଜଳ ନଷ୍ଟ ନ କରି, ତାର ସୁବିନିଯୋଗ ଓ ସୁଷମ ବଣ୍ଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ । ସେ କହିଥିଲେ ଯେ Conserve, Reuse ଓ Recycle ଆମର ଲକ୍ଷ୍ୟ ହେବା ଦରକାର।

ଜଳ ସମ୍ପଦ ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଲେ ଯେ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ଦୂରଦୃଷ୍ଟି ରଖି ମୁଖ୍ୟମନ୍ତ୍ରୀ କାମ କରୁଛନ୍ତି। ଏଥିପାଇଁ ଜଳ ଭଳି ଅମୂଲ୍ୟ ସଂପଦ ଉପରେ ଗୁରୁତ୍ବ ଦେଇ ସେ ପାଣି ପଞ୍ଚାୟତ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି । ଗତ କିଛି ବର୍ଷରେ କୋଭିଡ ପାଇଁ ସ୍ଥଗିତ ଥିବା ଏହି ପକ୍ଷ ପାଳନ ସମାରୋହ ଚଳିତ ବର୍ଷ ସେଚ ପରିଚାଳନରେ ସମ୍ପୃକ୍ତ ପାଣି ପଞ୍ଚାୟତ ଓ ଅନ୍ୟାନ୍ୟ ହିତାଧିକାରୀଙ୍କୁ ନେଇ ତୃଣମୂଳ ସ୍ତରରେ ଜଳ ବଣ୍ଟନରେ ସମାନତା ଆଣିବା ଉଦ୍ଧେଶ୍ୟରେ ଅତି ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳନ କରାଯାଇଛି । ଏବେ ଅସମ୍ପୂର୍ଣ୍ଣ ଥିବା ବହୁ ପ୍ରକଳ୍ପ ଗୁଡିକ ସମ୍ପୂର୍ଣ୍ଣ ହେବା ପରେ ପାଣି ପଞ୍ଚାୟତ ମାନେ ଏହାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ ।ସୂଚନାଯୋଗ୍ୟ ଯେ କୋଭିଡ ପରବର୍ତ୍ତୀ ସମୟରେ ଏହି ପାଣି ପଞ୍ଚାୟତ ପକ୍ଷ ୧୧୭ ଟି ଜଳସେଚନ ବିଭାଜନରେ ଏବଂ ୩୦ ଟି ଜିଲ୍ଲାରେ ସହଭାଗୀ ସେଚ ପରିଚାଳନାରେ ସମ୍ପୃକ୍ତ ପାଣି ପଞ୍ଚାୟତ ଓ ଅନ୍ୟାନ୍ୟ ହିତାଧିକାରୀମାନଙ୍କୁ ନେଇ ଏହା ଅତି ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳିତ ହୋଇଯାଇଛି ।

ରାଜ୍ୟରେ ପାଣି ପଞ୍ଚାୟତର ପ୍ରଗତି ଯାତ୍ରାରେ ସେଚ ସହଭାଗିତା, ସେଚ ସହଭାଗିତା ପ୍ରଶିକ୍ଷଣ ସମ୍ବନ୍ଧୀୟ ପୁସ୍ତିକା “ସିଞ୍ଚିତା”, e-CAD ଅଧୀନରେ Infra ଏବଂ MIS Module ପରି application କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ । ଏହି ମୋଡ୍ୟୁଲ ପ୍ରକଳ୍ପଗୁଡିକର ବାସ୍ତବ ଓ ଆର୍ଥିକ ପ୍ରଗତିର ସଠିକ ସମୟରେ ପର୍ଯ୍ୟାଲୋଚନା ପାଇଁ ଉପଯୋଗୀ ସାବ୍ୟସ୍ତ ହେବ । ଆଜିର ଏହି ସମାରୋହରେ ବିଭିନ୍ନ ପ୍ରକଳ୍ପର ୪୦ ଗୋଟି ଶ୍ରେଷ୍ଠ ପାଣି ପଞ୍ଚାୟତ (ବୃହତ, ମଧ୍ୟମ, କ୍ଷୁଦ୍ର ଓ ଉଠାଜଳସେଚନ), ୩୦ ଜଣ ପ୍ରଗତିଶୀଳ କୃଷକ, Essay/ Debate/ Quiz/Painting ପ୍ରତିଯୋଗିତାର ୧୨ ଜଣ ବିଜେତା ତଥା ୧୨ ଟି ଶ୍ରେଷ୍ଠ ପ୍ରକଳ୍ପ ଏବଂ ୧୫ ଜଣ ଶ୍ରେଷ୍ଠ ଅଧିକାରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ବ୍ରହ୍ମଗିରି ମା ଜାଗୁଳାଇ ପାଣି ପଞ୍ଚାୟତର ଶ୍ରୀମତୀ ଗୀତାରାଣୀ ସାହୁ ଓ ଯାଜପୁର ବଡଚଣାର ମା ବ୍ରାହ୍ମଣୀଦେବୀ ପାଣି ପଞ୍ଚାୟତର ଶ୍ରୀ ନଳିନୀକାନ୍ତ ପୃଷ୍ଟି ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରି ପାଣି ପଞ୍ଚାୟତ ଜରିଆରେ ସେମାନେ କିପରି ସଫଳ ଜଳ ପରିଚାଳନା କରି ଚାଷରେ ଉନ୍ନତି ଆଣିପାରିଛନ୍ତି, ସେ ବିଷୟରେ ପ୍ରକାଶ କରିଥିଲେ ।  ସ୍ବାଗତ ଭାଷଣ ଦେଇ ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଲେ ଯେ ମେଗାଲିଫ୍ଟ ପ୍ରକଳ୍ପ ମାନଙ୍କରେ ପାଣି ପଞ୍ଚାୟତ ଗଠନ କରିବା ପାଇଁ ପାଣି ପଞ୍ଚାୟତ ନିୟମରେ ସଂଶୋଧନ କରାଯିବା ସହିତ 5-T ମାଧ୍ୟମରେ ଅନେକ ସଂସ୍କାରମୂଳକ ପଦକ୍ଷେପ ମାନ ନିଆଯାଇଛି ।

ମୁଖ୍ୟଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଜେପିର ଅସଲ ଚେହେରା ଓଡିଶାବାସୀ ଦେଖିଲେ: ପ୍ରଣବ ପ୍ରକାଶ ଦାସ….

() ରାଜ୍ୟ ବିଜେପି ଅସଲ ଚେହେରା ଓଡିଶାବାସୀ ଦେଖିଲେ l ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର ଜଣେ ମହିଳା ଆଇଆଇସିଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ଓ ଠେଲା ପେଲ କରିବା ସର୍ବ ସାଧାରଣ ସ୍ଥାନରେ ତାହା ପ୍ରମାଣିତ କରିଛି l କ୍ଷମତା ଲୋଭୀ ବିଜେପିର ଅସଲ ଚେହେରା ରାଜ୍ୟ ବାସୀ ଦେଖିଲେ ବୋଲି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି l ମହିଳା ଆଇଆଇସିଙ୍କୁ ଜୟନାରାୟଣ ମିଶ୍ରଙ୍କ ଅଶାଳୀନ ବ୍ୟବହାର ଓ ବର୍ବରୋଚିତ ଶାରୀରିକ ଆକ୍ରମଣକୁ ପ୍ରଣବ ନିନ୍ଦା କରିବା ସହ ଜଣେ କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ଆକ୍ରମଣ ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଛନ୍ତି । ଓଡ଼ିଶାବାସୀ ଏହାକୁ କଦାପି ଗ୍ରହଣ କରିବେନି ସେ କହିଛନ୍ତି l ନାରୀ ସୁରକ୍ଷା ଓ ସଶକ୍ତିକରଣ ନେଇ ଓଡ଼ିଶା ବିଜେପି ଡିଣ୍ଡିମ ପିଟୁଥିବାବେଳେ ବିରୋଧୀ ଦଳ ନେତା ନାରୀଙ୍କ ପ୍ରତି ଏପରି ସମ୍ମାନ ଦେଉଛନ୍ତି ପ୍ରଣବ ପ୍ରଶ୍ନ କରିଛନ୍ତି l

 

ଟୁଇଟରେ ପ୍ରଣବ ସମ୍ବଲପୁର ଘଟଣାକୁ ସମାଲୋଚନା କରିବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରି କହିଛନ୍ତି, ଜଣେ କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ବିରୋଧୀ ଦଳ ନେତା ବର୍ବରୋଚିତ ଶାରୀରିକ ଆକ୍ରମଣ କରିଛନ୍ତି । ଆପଣ ନିଶ୍ଚିତ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଆଶା କରୁଛୁ ବୋଲି ବୋଲି ପ୍ରଣବ କହିଛନ୍ତି । ଓଡ଼ିଶାବାସୀ ଆପଣଙ୍କ ଠାରୁ ଏହି ଆଶା କରୁଛନ୍ତି ବୋଲି ସେ କହିଛନ୍ତି l

ଯାଜପୁର ବ୍ରାଣ୍ଡ : ଷ୍ଟେଜ ସୋ ରେ ବିଶ୍ଵସ୍ତରୀୟ ଅନୁଭୂତି ନେଲେ ବଲିଉଡ ଷ୍ଟାର: ପ୍ରତ୍ୟେକ ଦିନ ଝୁମିଲେ ୫୦ ହଜାର ଦର୍ଶକ…. ଆଖିଝଲସାଇ ଦେଲା ଉଦଯାପନୀ ଉତ୍ସବ…….

() ଫିଲ୍ମସିଟିର ମାହୋଲ l ବିଶ୍ବସ୍ତରୀୟ ଷ୍ଟେଜ, ଝିଲମିଲ ଆଲୋକରେ ଆଲୋକିତ ପୁରା ପରିବେଶ l ପ୍ରତ୍ୟେକ ଦିନ ୫୦ ହଜାରରୁ ଅଧିକ ଦର୍ଶକ ଉପସ୍ଥିତ l ସଂଜ ନଇଁଲେ ନାଚଗୀତରେ ଦୁଲୁକୁଥିଲା ଯାଜପୁର ସହର ବୈତରଣୀ ନଦୀ ପଠା l ଉଭୟ ବଲିଉଡ ଓ ଓଲିଉଡ କଳାକାର ୬ ଦିନ ଧରି ଦର୍ଶକଙ୍କୁ ନିଜର ଜଲୱା ଦେଖାଇ ମତୁଆଲା କରିଥିଲେ l ଯିଏ ଆସିଲା ମହୋତ୍ସବ, ସେ କହିଲା ଆୟୋଜନ ବିଶ୍ଵସ୍ତରୀୟ l ବଲିଉଡ୍‌ର ଜଣକ ପରେ ନାମୀଦାମୀ କଣ୍ଠଶିଳ୍ପୀ ଷ୍ଟେଜ ଦେଖି ଆଚର୍ଯ୍ୟ ପ୍ରକାଶ କରୁଥିଲେ । କାରଣ ଆଗରୁ ରାଜ୍ୟରେ ଏମିତି ଆୟୋଜନ କୌଣସି ଜିଲ୍ଲା ମହୋତ୍ସବରେ ଦେଖିବାକୁ ମିଳିନଥିଲା । ଓଡ଼ିଶାରେ ଏପରି ଭବ୍ୟ ଆୟୋଜନ ଓ ସ୍ଵାଗତକୁ ସବୁ ମହଲରେ ଭୂୟସୀ ପ୍ରଶଂସା କରିଛନ୍ତି ଆସିଥିବା ରାଜ୍ୟ ବାହାରର ଅତିଥୀ l

୬ ଦିନ ଧରି ପୁରା ସୋସିଆଲ ମିଡ଼ିଆରେ ଛାଇ ଯାଇଥିଲା ଯାଜପୁର ଜିଲ୍ଲା ମହୋତ୍ସବ ଝଲକ l ପୁରା ଓଡିଶା କାହିଁକି ଦେଶରେ ଯାଜପୁର ମହୋତ୍ସବ ଏବେ ବ୍ରାଣ୍ଡ ସାଜିଛି l ଐତିହ୍ୟ, ସଂସ୍କୃତିର ସହରର ଏହି ଭବ୍ୟ ଆୟୋଜନ ଏବେ ସଭିଙ୍କ ମୁହଁରେ ଚର୍ଚ୍ଚା ପାଲଟିଛି l ଫେବୃଆରୀ ୮ ତାରିଖରୁ ୧୩ ତାରିଖ, ୬ ଦିନ ଧରି ଯାଜପୁର ଜିଲ୍ଲା ମହୋତ୍ସବ ବେଶ୍ ଜମିଥିଲା l ସୋମବାର ଉଦଯାପିତ ହୋଇଛି ଯଯାତୀ ୨୦୨୩ l ସବୁ ଦିଗରୁ ‌ଉତ୍ସବକୁ ମ‌ନୋରମ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରବାସୀଙ୍କ ସହଯୋଗ ଲୋଢ଼lଯାଇଥିଲା । ଯାଜପୁର ସହରବାସୀ ମଧ୍ୟ ସହଯୋଗ କରିଥଲେ l

 

ବଲିଉଡ କଣ୍ଠଶିଳ୍ପୀ ସୁନିଧି ଚୌହାନ, ଜାଭେଦ ଅଲ୍ଲୀ, ଆୟୁସମାନ ଖୁରାନା, ଶ୍ରେୟା ଘୋଷାଲ, ସାରିକା ସିଂହଙ୍କ ପରି ପ୍ରମୁଖ ବଲିଉଡ୍ କଳାକାର ବିରାଟ ଷ୍ଟେଜ ଓ ହଜାର ହଜାର ଦର୍ଶକ ଦେଖି ମତୁଆଲା ହୋଇଥିଲେ l ସଭିଙ୍କ ମୁହଁରେ ଗୋଟାଏ କଥା ଯାଜପୁରରେ ବିଶ୍ଵସ୍ତରୀୟ ପ୍ରୋଗ୍ରାମରେ ସାମିଲ ହୋଇ ସେମାନେ ବହୁତ ଖୁସି l ଲାଗୁଥିଲା ଯେମିତି ଯାଜପୁର ୬ଦିନ ପୁରା ବଲିଉଡ୍ ଜଗତ ପାଇଁ ନିଜର ଶ୍ରେଷ୍ଠ କଳା ପ୍ରଦର୍ଶନର ସ୍ଥାନ ପାଲଟିଛି l ଆଉ ଏ ସବୁ ସମ୍ଭବ ହୋଇପାରିଛି ନୂତନ ଯାଜପୁର ବିନ୍ଧାଣୀ ଜନପ୍ରିୟ ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ବଡ ଉଦ୍ୟମ ପାଇଁ l ମହୋତ୍ସବରେ ଯାଜପୁର ଜିଲ୍ଲାବାସି ନୁହେଁ, ପୁରା ଓଡ଼ିଶାରୁ ଲୋକମାନେ ସାମିଲ ହୋଇଥିଲେ l ପ୍ରତ୍ୟେକ ଦିନ ସଂଧ୍ୟାରେ ଗୋଟିଏ ସ୍ଥାନରେ ଏକାଠି ହୋଇଥିଲେ ସାଧାରଣ ଲୋକ, ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ରାଜନେତା, ପ୍ରଶାସକ, ସାମ୍ବାଦିକ, କବି, ଲେଖକ, ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ବିଶେଷ ମାନେ l ଅସମ୍ଭାଳ ଭିଡ଼କୁ ଜିଲ୍ଲା ପୋଲିସ ପ୍ରଶାସନ ନିୟନ୍ତ୍ରଣ କରିବାରେ ନାକେଦମ୍ ହୋଇଥିଲା l ଯାଜପୁରର ସମସ୍ତ ନିର୍ବାଚିତ ପ୍ରତିନିଧି ପ୍ରତ୍ୟେକ ଦିନ ସଂଧ୍ୟାରେ ଲୋକଂକ ସହ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l ପ୍ରଣବ ପ୍ରକାଶ ଦାସ (ବବି )ସବୁ ଦିନ ଉପସ୍ଥିତ ରହି ପୁରା କାର୍ଯ୍ୟକ୍ରମର ତଦାରଖ କରିଥିଲେ l ଜିଲ୍ଲା ମହୋତ୍ସବ ଯଯାତିକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ଜିଲ୍ଲା ଓଡ଼ିଶାର ୧ ନମ୍ବର ଜିଲ୍ଲା ହେବ ବୋଲି କହିଛନ୍ତି l ପ୍ରଣବ ପ୍ରକାଶ, ନବୀନଙ୍କ ଦିଗ ଦର୍ଶନରେ ଯାଜପୁର ଛବିକୁ ପୁରା ବଦଳାଇ ଦେଇଛି l ପୁରା ଦେଶକୁ ଯାଜପୁର ବିକାଶର ବାଟ ଦେଖାଇଛି l

ଚାଷୀ, ମହିଳା ଓ ଯୁବସମାଜ ଆମର ତ୍ରିଶକ୍ତି, ଆମ ପ୍ରଗତିର ସାରଥୀ – ମୁଖ୍ୟମନ୍ତ୍ରୀ…

() କେନ୍ଦୁଝରରେ ଧରଣୀଧର ମେଡିକାଲ କଲେଜ ଓ ହସ୍‌ପିଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ।

ପିଲାମାନଙ୍କୁ ଦେଲେ ଧରଣୀଧର ବିଶ୍ବବିଦ୍ୟାଳୟର ଅନୁମୋଦନ ପତ୍ର।

୪୭୦୩ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ ରାଜ୍ୟର ବିକାଶରେ କେନ୍ଦୁଝରର ରହିଛି ଗୁରୁତ୍ବପୂର୍ଣ୍ଣ ଅବଦାନ।

ଚାଷୀ, ମହିଳା ଓ ଯୁବସମାଜ ଆମର ତ୍ରିଶକ୍ତି, ଆମ ପ୍ରଗତିର ସାରଥୀ – ମୁଖ୍ୟମନ୍ତ୍ରୀ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ଗସ୍ତ କରି ସେଠାରେ ନବନିର୍ମିତ ଧରଣୀଧର ମେଡିକାଲ କଲେଜ ଓ ହସ୍‌ପିଟାଲର ଲୋକାର୍ପଣ କରିଛନ୍ତି। ହଜାର ହଜାର ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ଆନନ୍ଦ ଉଲ୍ଲାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏହା ଉଦ୍‌ଘାଟନ କରି ଯେତେବେଳେ ପଚାରିଲେ ‘ଆପଣମାନେ ଖୁସି ତ ?’ ସେତେବେଳେ ବହୁଗୁଣିତ ଉତ୍ସାହର ସହ ପ୍ରତିଧ୍ବନିତ ହୋଇଥିଲା ‘ହଁ’ । ତା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ମୁଁ ବି ବହୁତ ଖୁସି ।ଏହାପରେ ଧରଣୀଧର କଲେଜକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଶ୍ବବିଦ୍ୟାଳୟ ମାନ୍ୟତା ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ସ୍ବୟଂ ଏହି ମାନ୍ୟତା ପତ୍ର ପିଲାମାନଙ୍କୁ ଦେବାକୁ ଚାହାନ୍ତି ବୋଲି ଶ୍ରୀ ପାଣ୍ଡିଆନ ପ୍ରକାଶ କରିଥିଲେ। ଆନନ୍ଦ, ଉଲ୍ଲାସ ମଧ୍ୟରେ ଛାତ୍ରଛ୍ରତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ବିଶ୍ବବିଦ୍ୟାଳୟ ମାନ୍ୟତାର ନିର୍ଦ୍ଦେଶନାମା ଦେଖାଇଥିଲେ ।

କେନ୍ଦୁଝରରେ ମେଡିକାଲ କଲେଜ ସହ ଏକ କ୍ୟାନସର ଚିକିତ୍ସା କେନ୍ଦ୍ର ଓ ନର୍ସିଂ କଲେଜ ପାଇଁ ଭିତ୍ତିଭୂମି ଦିଆଯାଇଛି ଏବଂ ଏହା ଖୁବଶୀଘ୍ର ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାଦ୍ବାରା ଡାକ୍ତର ଅଭାବ ଦୂର ହେବା ସହିତ ଜିଲ୍ଲାରେ ଉନ୍ନତମାନର ଚିକିତ୍ସା ସୁବିଧା ମିଳିପାରିବ ଏବଂ ଜିଲ୍ଲାବାସୀ ଆଉ କଟକ-ଭୁବନେଶ୍ବର ଯାଇ ହଇରାଣ ହେବାକୁ ପଡିବ ନାହିଁ ବୋଲି ସେ କହିଥିଲେ । ସବୁ ଜୀବନ ମୋ ପାଇଁ ମୂଲ୍ୟବାନ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ନୀତିରେ ରାଜ୍ୟର ସ୍ବାସ୍ଥ୍ୟସେବାର ବିକାଶ କରାଯାଉଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାରା ରାଜ୍ୟରେ ୮ ଲକ୍ଷ ୩୦ ହଜାର ୭୭୩ ଲୋକ ଉପକୃତ ହୋଇଥିବା ବେଳେ ଏଥିପାଇଁ ୧୮୨୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି । କେବଳ କେନ୍ଦୁଝରରେ ୨୪ ହଜାର ଲୋକ ଉପକାର ପାଇଛନ୍ତି ଏବଂ ୪୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ପାଇଁ ୪୭୦୩ କୋଟି ଟଙ୍କାର ୨୫୯ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ୧୧୦୩ କୋଟି ଟଙ୍କାର ୧୩୮ଟି ପ୍ରକଳ୍ପ ପାଇଁ ଭିତ୍ତିଭୂମି ଦିଆଯାଇଥିବା ବେଳେ, ୮୬୮ କୋଟି ଟଙ୍କାର ୯୮ଟି ପ୍ରକଳ୍ପ ଉଦ୍‌ଘାଟନ କରାଯାଇଥିଲା ଏବଂ ୨୭୩୧ କୋଟି ଟଙ୍କାର ୨୩ଟି ନୂଆ ପ୍ରକଳ୍ପ ପାଇଁ ଘୋଷଣା ରହିଛି ।  ଜିଲ୍ଲାରେ ୧୪,୩୭୨ ମିଶନ ଶକ୍ତି ଗୋଷ୍ଠୀ ଜରିଆରେ ୧.୬୦ ଲକ୍ଷ ମହିଳା ସ୍ବାବଲମ୍ବୀ ହୋଇପାରିଛନ୍ତି । ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୩୭୮ କୋଟି ଟଙ୍କାର ସୁଧବିହୀନ ଋଣ ପ୍ରଦାନ ବ୍ୟବସ୍ଥା କରାଯାଇଛି । ବାଂଶପାଳର ବଣପୁଷ୍ପ ସ୍ବୟଂ ସହାୟକ ଗୋଷ୍ଠୀକୁ ମୁଖ୍ୟମନ୍ତ୍ରୀ ୨୦ ଲକ୍ଷ ଟଙ୍କାର ଋଣ ଚେକ୍‌ ଆକାରରେ ପ୍ରଦାନ କରିଥିଲେ ଏବଂ ଘଷିପୁରାର ବିଜୟା ସ୍ବୟଂ ସହାୟକ ଗୋଷ୍ଠୀକୁ ୨୫,୭୫୭ ଟଙ୍କାର ସୁଧ ରିହାତି ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତିର ମା ମାନେ ରାଜ୍ୟର ସୁନାମ ବୃଦ୍ଧି କରିଛନ୍ତି । ସେମାନଙ୍କୁ ଉଦ୍ୟୋଗୀ କରିବା ମୋର ଲକ୍ଷ୍ୟ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ଯେ ଏହି ଅର୍ଥରେ ସେମାନେ ଭଲ ବିଜିନେସ୍‌ କରି ନିଜର, ନିଜ ପରିବାରର ଓ ନିଜ ଅଞ୍ଚଳର ଆର୍ଥିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିବେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ, ମହିଳା ଓ ଯୁବସମାଜ ଆମ ରାଜ୍ୟର ତ୍ରିଶକ୍ତି । ଏମାନେ ହିଁ ଆମ ରାଜ୍ୟର ପ୍ରଗତୀର ସାରଥୀ ଏବଂ ଏକ ବିକଶିତ ଓଡିଶାର ସ୍ବପ୍ନକୁ ପୂରଣ କରିବାରେ ଏହି ତ୍ରିଶକ୍ତି ହିଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ ।ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ନୂଆ ମେଡିକାଲ କଲେଜର ଅଡିଟୋରିଅମରେ ଛାତ୍ରଛାତ୍ରୀ ମାନଙ୍କ ସହ ଭାବ ଆଦାନପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅର୍ଥ ତଥା ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନିରଞ୍ଚନ ପୂଜାରୀ, କେନ୍ଦୁଝର ସାଂସଦ ଶ୍ରୀମତୀ ଚନ୍ଦ୍ରାଣୀ ମୁର୍ମୁ, ଘଷିପୁରା ବିଧାୟକ ଶ୍ରୀ ବଦ୍ରୀ ନାରାୟଣ ପାତ୍ର, କେନ୍ଦୁଝର ବିଧାୟକ ଶ୍ରୀ ମୋହନ ଚରଣ ମାଝୀ, ଆନନ୍ଦପୁର ବିଧାୟକ ଶ୍ରୀ ଭାଗିରଥୀ ସେଠୀ ଓ ତେଲକୋଇ ବିଧାୟକ ଶ୍ରୀ ପ୍ରେମାନନ୍ଦ ନାଏକ, ଚମ୍ପୁଆ ବିଧାୟକ ଶ୍ରୀମତୀ ମିନାକ୍ଷୀ ମହନ୍ତ, କେନ୍ଦୁଝର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ଜଗନ୍ନାଥ ନାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସାଗରିକା ସାହୁ ପ୍ରମୁଖ ଯୋଗ ଦେଇ ନିଜ ନିଜର ଅଭିଭାଷଣ ରଖିଥିଲେ ।

ସମ୍‌ରେ ଷ୍ଟେମ୍‌ସେଲ୍ ପ୍ରତ୍ୟାରୋପଣ ଦ୍ୱାରା ଜଟିଳ ରକ୍ତ କର୍କଟ ରୋଗର ସଫଳ ଚିକିତ୍ସା…

() ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତରମାନେ ମଲ୍ଟିପଲ୍ ମାଇଲୋମା ଭଳି ଏକ ଜଟିଳ ରକ୍ତ କର୍କଟ ରୋଗରେ ପୀଡ଼ିତ ଥିବା ଜଣେ ୫୨ ବର୍ଷୀୟା ମହିଳାଙ୍କୁ ଷ୍ଟେମ୍‌ସେଲ୍ ପ୍ରତ୍ୟାରୋପଣ ମାଧ୍ୟମରେ ସୁସ୍ଥ କରିବାରେ ସଫଳ ହୋଇଛନ୍ତି ।

ଦୀର୍ଘ ଅଠର ମାସ ପୂର୍ବେ ରୋଗୀ ଜଣକ ମଲ୍ଟିପଲ ମାଇଲୋମା ରୋଗରେ ପୀଡ଼ିତା ବୋଲି ଚିହ୍ନଟ ହେବା ପରେ ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର କେମୋଥେରାପି ଚିକିତ୍ସା ଚାଲିଥିଲା । ତେବେ ଷ୍ଟେମ୍‌ସେଲ୍ ପ୍ରତ୍ୟାରୋପଣ ନିମନ୍ତେ ତାଙ୍କୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେବାକୁ କୁହାଯାଇଥିଲା । ସମ୍ ହସ୍ପିଟାଲ୍‌ର ହେମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ପ୍ରିୟଙ୍କା ସାମଲ ଶୁକ୍ରବାର ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏହି ରୋଗୀଙ୍କର ପୂର୍ବ ଚିକିତ୍ସା ଦ୍ୱାରା ବିଶେଷ ଉନ୍ନତି ପରିଲକ୍ଷିତ ହୋଇ ନଥିବାରୁ ତାଙ୍କର ଚିକିତ୍ସା ଭିନ୍ନ ପ୍ରକ୍ରିୟାରେ ହୋଇଥିଲା । ଷ୍ଟମ୍ ସେଲ୍ ପ୍ରତ୍ୟାରୋପଣ ଚିକିତ୍ସା ପୂର୍ବରୁ ସମ୍ପୃକ୍ତ ରୋଗୀଙ୍କର ପରିବାର ଓ ରୋଗୀଙ୍କ ସହିତ ଏହି ବିଷୟରେ ଆଲୋଚନା କରାଯାଇ ନିଷ୍ପତି ନିଆଯାଇଥିଲା ।

ସମ୍ପୃକ୍ତ ରୋଗୀଙ୍କର ରୋଗ ଚିହ୍ନଟ ହେଲା ବେଳେ ତାଙ୍କର କିଡ୍‌ନୀ ଜନିତ ସମସ୍ୟା ମଧ୍ୟ ଥିଲା । ତେଣୁ ଅତି ସତର୍କତାର ସହ ତାଙ୍କର ଚିକିତ୍ସା କରାଯାଇଥିଲା । ଷ୍ଟେମ୍‌ସେଲ୍ ପ୍ରତ୍ୟାରୋପଣ ପରେ ସୁସ୍ଥ ଅବସ୍ଥାରେ ରୋଗୀଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିଲା ବୋଲି ପ୍ରଫେସର ସାମଲ କହିଥିଲେ । ସ୍ନେହଲତା ସାହୁ ନାମକ ଏହି ରୋଗୀଙ୍କର ଚିକିତ୍ସା ବିଷୟରେ ତଥ୍ୟ ପ୍ରଦାନ କରି ପ୍ରଫେସର ସାମଲ କହିଥିଲେ ଯେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଉପରେ ଧ୍ୟାନ ରଖି କେମୋଥେରାପି ଦ୍ୱାରା ତାଙ୍କର ଅବସ୍ଥାରେ କିଛିଟା ସୁଧାର ଆସିବା ପରେ ଏବଂ ଅନ୍ୟାନ୍ୟ ବିଭାଗରୁ ଅନୁମତି ମିଳିବା ପରେ ତାଙ୍କ ଶରୀରରେ ଏହି ଷ୍ଟେମ୍‌ସେଲ୍ ପ୍ରତ୍ୟାରୋପଣ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଫେସର ସାମଲଙ୍କ ବ୍ୟତୀତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଗିରିଜାନନ୍ଦିନୀ କାନୁନ୍‌ଗୋ ଏବଂ ହେମାଟୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ପ୍ରୀତିଶ ଚନ୍ଦ୍ର ପାତ୍ର ଉପସ୍ଥିତ ଥିଲେ ।

ସମ୍ ହସ୍ପିଟାଲ୍‌ରେ ମଲ୍ଟି ଡିସିପ୍ଲିନାରୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପଲବ୍ଧ ଥିବାରୁ ହେମାଟୋଲୋଜି ବିଭାଗ ଏବଂ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ମିଳିତ ସହଯୋଗରେ ଏହି ଚିକିତ୍ସା କରାଯାଇଥିଲା । ଏହି ପ୍ରକ୍ର୍ରିୟା ବିଷୟରେ ପ୍ରକାଶ କରି ପ୍ରଫେସର ସାମଲ କହିଥିଲେ ଯେ ରୋଗୀଙ୍କ ଶରୀରରେ କର୍କଟ ଆକ୍ରାନ୍ତ କୋଷଗୁଡ଼ିକ ପ୍ରାୟ ନଷ୍ଟ ହୋଇ ସାରିବା ପରେ ହାଇଡୋଜ କେମୋଥେରାପି ଦ୍ୱାରା ଶରୀରର କୋଷଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରାଯାଇଥିଲା । ଏହା ପରେ ରୋଗୀଙ୍କ ଶରୀରରୁ ସଂଗ୍ରହ କରାଯାଇଥିବା ସୁସ୍ଥ କୋଷଗୁଡ଼ିକୁ ଶରୀର ମଧ୍ୟକୁ ଛଡ଼ା ଯାଇଥିଲା । ଏହି ପ୍ରକ୍ରିୟା ହସ୍ପିଟାଲ୍‌ର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗ ଦ୍ୱାରା କରାଯାଇଥିଲା ।ଏହା ଏକ କଷ୍ଟସାଧ୍ୟ ପ୍ରକ୍ରିୟା ଯାହା ଯତ୍ନର ସହିତ ପରିଚାଳନା ହୋଇଥିଲା ଏବଂ ଏହି ପ୍ରକିୟା ନିମନ୍ତେ ସମସ୍ତ ସୁବିଧା ସମ୍ ହସ୍ପିଟାଲ୍‌ରେ ଉପଲବ୍ଧ ଅଛି ବୋଲି ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର କାନୁନ୍‌ଗୋ କହିଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ ରୋଗୀ ସ୍ନେହଲତା ସାହୁ ଉପସ୍ଥିତ ରହି ସୁସ୍ଥ ହେବା ପରେ ଦୀର୍ଘ ୬ ମାସ ଧରି ଡାକ୍ତରମାନେ ନିୟମିତ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ଧ୍ୟାନ ରଖିଛନ୍ତି ବୋଲି କହିଥିଲେ । ଆର୍ôଥକ ସମସ୍ୟା ଯୋଗୁଁ ଅନେକ ଦିନ ଧରି ନିଜର ଚିକିତ୍ସା କରିପାରି ନଥିଲେ ମଧ୍ୟ ସ୍ନୋହଲତାଙ୍କ ଚିକିତ୍ସା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସଂପୂର୍ଣ୍ଣ କରାଯାଇପାରିଥିଲା ବୋଲି କହିଥିଲେ ।ପ୍ରଫେସର ସାମନ୍ତସିଂହାର କହିଥିଲେ ଯେ ସମ୍ ହସ୍ପିଟାଲ୍‌କୁ ଆସୁଥିବା ୭୫ ପ୍ରତିଶତ ରୋଗୀ ବିଏସ୍‌କେୱାଇ ଯୋଜନା ମାଧ୍ୟମରେ ଚିକିତ୍ସିତ ହେଉଛନ୍ତି ।

ପୁନଃବିକଶିତ ହେବ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ….

() ଆଗାମୀ ୨୩ ତାରିଖରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋର ପୁନଃବିକଶିତ ଜନ୍ମ ପୀଠର ଲୋକାର୍ପଣ କରିବେ।

5T ସଚିବଙ୍କ ସୁଆଣ୍ଡୋ ପରିଦର୍ଶନ ଉତ୍କଳମଣି ଙ୍କ ଗାଁ ଶିବ ମନ୍ଦିର ର ପୁନରୁଦ୍ଧାର ଓ ପ୍ରତିଷ୍ଠା ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଆଜି ପୁରୀ ଜିଲ୍ଲାର ସୁଆଣ୍ଡୋସ୍ଥିତ ଗୋପବନ୍ଧୁଙ୍କ ଜନ୍ମପୀଠର ପରିଦର୍ଶନ କରି ଏହାର ପୁନଃବିକାଶ କାର୍ଯ୍ୟ ତଦାରଖ କରିଥିଲେ ।

ଉତ୍କଳମଣି ଙ୍କ ଗାଁ ଶିବ ମନ୍ଦିର ଲୋକେଶ୍ୱର ଶିବ ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା। ସୁଆଣ୍ଡୋ ବାସୀଙ୍କ ଅନୁରୋଧ କ୍ରମେ ଲୋକେଶ୍ୱର ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ପନ୍ନ କରାଯାଇଛି।ଏହାର ପ୍ରତିଷ୍ଠା ଉତ୍ସବ ଆଜି ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଶ୍ରୀ ପାଣ୍ଡିଆନ ଯୋଗ ଦେଇ ପୂର୍ଣ୍ଣାହୁତିରେ ମଧ୍ୟ ଅଂଶଗ୍ରହଣ କରିଥିଲେ ।

ପରେ ଶ୍ରୀ ପାଣ୍ଡିଆନ ଉତ୍କଳମଣିଙ୍କ ଷଠୀଘର, ଢିଙ୍କିଶାଳ ଆଦିର ସଂରକ୍ଷଣ କାର୍ଯ୍ୟ ପରିଦର୍ଶନ କରିବା ସହିତ ଗାଁ ପୋଖରୀର ପୁର୍ନରୁଦ୍ଧାର କାର୍ଯ୍ୟ ତଥା ସଂଗ୍ରହାଳୟ କାର୍ଯ୍ୟ ବୁଲି ଦେଖିଥିଲେ ଏବଂ କାର୍ଯ୍ୟର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରିଥିଲେ ।ସେବା ଓ ସଂଗ୍ରାମର ପ୍ରତୀକ ଉତ୍କଳମଣି ଓଡିଆ ଜନମାନସର ଅଦ୍ବିତୀୟ ନେତା । ଦେଶ ପାଇଁ, ଜାତି ପାଇଁ ତାଙ୍କର ତ୍ୟାଗ ଆଜି ତାଙ୍କୁ ଅମର କରି ରଖିଛି। ଗୋପବନ୍ଧୁଙ୍କ ଜନ୍ମସ୍ଥାନ ଏବଂ ସୁଆଣ୍ଡୋ ର ବିକାଶ କାର୍ଯ୍ୟ ପଣ୍ଡିତ ଗୋପବନ୍ଧୁଙ୍କ ପରିବାର ତଥା ସୁଆଣ୍ଡୋ ଜନସାଧାରଣଙ୍କ ସହଯୋଗରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି।

Follow us

20,832FansLike
0FollowersFollow
14,700SubscribersSubscribe

Latest news