ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଡାକ୍ତରୀ ଶିକ୍ଷାକୁ ନେଇ କର୍ମଶାଳା ….

() ଡାକ୍ତରୀ ଶିକ୍ଷା ପ୍ରଦାନ କରୁଥିବା ଅଧ୍ୟାପକ – ଅଧ୍ୟାପିକାମାନେ ଅଧିକ ଜ୍ଞାନ ଆହରଣ କରିବା ସହ କିପରି ସେମାନେ ଉତମ ଶିକ୍ଷକ ହୋଇପାରିବେ ସେ ଦିଗରେ ସେମାନଙ୍କୁ ପ୍ରଶିକ୍ଷିତ କରିବା ନେଇ ସୋମବାର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏକ ୩ ଦିନିଆ କର୍ମଶାଳା ଆରମ୍ଭ ହୋଇଛି । ନ୍ୟାସ୍‌ନାଲ୍ ମେଡିକାଲ୍ କାଉନ୍‌ସିଲ୍‌ର ମାର୍ଗଦର୍ଶିକା ଅନୁଯାୟୀ ଏବଂ ଡାକ୍ତରୀ ଶିକ୍ଷା କ୍ଷେତ୍ରକୁ ନେଇ ଆୟୋଜିତ ଏହି କର୍ମଶାଳାକୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଉଦ୍‌ଘାଟନ କରିଥିଲେ ।

ଡାକ୍ତରୀ ଶିକ୍ଷା ପ୍ରଦାନ କରୁଥିବା ଫ୍ୟାକଲ୍ଟିମାନେ ଅଧିକ ପ୍ରଶିକ୍ଷିତ ହେଲେ ସେମାନେ କିଭଳି ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଅଧିକ ଦକ୍ଷ ଓ ଗୁଣବତା ଭିତିକ ଡାକ୍ତର ହେବାରେ ସହାୟକ ହୋଇପାରିବେ ଏବଂ ସମାଜର ଆବଶ୍ୟକତା ଅନୁଯାୟୀ ଉତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବେ ତାହା ହିଁ ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ରହିଛି ।

ଆୟୋଜିତ ଏହି କର୍ମଶାଳାରେ ନ୍ୟାସ୍‌ନାଲ୍ ମେଡିକାଲ୍ କାଉନ୍‌ସିଲ୍‌ର ଅବ୍‌ଜରଭର୍ ପ୍ରଫେସର (ଡାକ୍ତର) ଶ୍ରୀକାନ୍ତ ପଣ୍ଡା, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ମେଡିକାଲ୍ ଏଜୁକେସନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରକାଶ କୁମାର ସାହୁ, ଆଡିସ୍‌ନାଲ୍ ଡିନ୍ ପ୍ରଫେସର (ଡାକ୍ତର) ଅଜୟ ଜେନା, ଡେପୁଟି ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ ଲେଙ୍କା, ପ୍ରଫେସର (ଡାକ୍ତର) ରଚିତା ଷଢ଼ଙ୍ଗୀ ଏବଂ ପ୍ରଫେସର (ଡାକ୍ତର) ଦେବାହୁତି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ବିଭିନ୍ନ ବିଭାଗର ପ୍ରାୟ ୩୦ ଜଣ ଫ୍ୟାକଲ୍ଟି ଏହି କର୍ମଶାଳାରେ ଯୋଗ ଦେଇଥିଲେ ।

ରନ୍ଧନ ଗ୍ୟାସ ଦର ବୃଦ୍ଧି ଓ ଦରଦାମ ବୃଦ୍ଧି ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସ…

{} ରନ୍ଧନ ଗ୍ୟାସ ଦର ବୃଦ୍ଧି ଓ ଦରଦାମ ବୃଦ୍ଧି ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ରାଜ ଭବନ ସମ୍ମୁଖରେ ବିକ୍ଷୋଭ।

() ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ରନ୍ଧନ ଗ୍ୟାସ ଦର ବୃଦ୍ଧି ଓ ଦରଦାମ ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱର ସ୍ଥିତ ରାଜଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରାଯାଇଥିଲା । ସଭାପରେ ଶହ ଶହ ଛାତ୍ର ରାଜଭବନ ଅଭିମୁଖେ ଯାତ୍ରା କରୁଥିବା ବେଳେ ପୋଲିସ ସେମାନଙ୍କୁ ରାସ୍ତାରେ ଅଟକାଇ ଦେଇଥିଲା । ଏହି ପରିପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଥିଲେ ଯେ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ଓ ରନ୍ଧନ ଗ୍ୟାସ ଦର ବୃଦ୍ଧିକରି ମୋଦି ସରକାର ସାଧାରଣ ଜନତାଙ୍କର ରକ୍ତ ଶୋଷଣ କରୁଛନ୍ତି । ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ, ୨୦୧୪ ପୂର୍ବରୁ ଯେତେବେଳେ ମନମୋହନ ସିଂଙ୍କ ସରକାର ଥିଲା ସେତେବେଳେ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ସାମାନ୍ୟ ବୃଦ୍ଧି ଓ ରନ୍ଧନ ଗ୍ୟାସର ସାମାନ୍ୟ ବୃଦ୍ଧିକୁ ନେଇ ତୁମ୍ବି ତୋଫାନ କରୁଥିଲେ । ବିଜେପି ରାଜରାସ୍ତାରେ ଚିତ୍କାର କରୁଥିଲା । ହେଲେ ୨୦୧୪ ପର୍ଯ୍ୟନ୍ତ ୧୪.୨ କିଲୋ ଗ୍ୟାସ ସିଲିଣ୍ଡର ଦର ୪୧୦ ଟଙ୍କା ଥିବା ବେଳେ ୨୦୨୩ ମସିହା ଏହା ୧୧୩୦ ଟଙ୍କା ହୋଇଛି । ନିକଟରେ ଏହା ୫୦ ଟଙ୍କା ବୃଦ୍ଧି ହୋଇଛି । ସେହିପରି କମରସିଆଲ ଗ୍ୟାସ ସିଲିଣ୍ଡର ପିଛା ୨୦୧୪ ରେ ୯୫୭ ଟଙ୍କା ଥିବା ବେଳେ ନିକଟରେ ୩୫୦ ଟଙ୍କା ବଢ଼ି ସିଲିଣ୍ଡର ପିଛା ୧୮୩୦ ଟଙ୍କା ହୋଇଛି । ମୋଦି ସରକାର ମୁଢ଼ି, ଚୂଡ଼ା, ଦହି ଭଳି ସାଧାରଣ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟରେ ଜିଏସଟି ଲଗାଇବା ପଛେଇ ନାହାନ୍ତି । ଗରିବ ଲୋକ ଚଢ଼ା ଦରର ହାଟ ସଉଦା କରି ଆଖିରୁ ଲୁହ ଝରାଉଛନ୍ତି । ସେହିଭଳି ଗ୍ୟାସ ଦରି ବଢ଼ି ହାଣ୍ଡିଶାଳରେ ମହଙ୍ଗା ମାଡ଼ ହୋଇଛି । ୨୦୧୪ ମସିହାରେ ଅଟା,ଡାଲି, ଚିନି, ତେଲ ଭଳି ଦ୍ରବ୍ୟର ଦର ଯାହାଥିଲା ଆଜି ତାହା ତିନି ଚାରିଗୁଣ ହୋଇପଡ଼ିଛି । କରୋନା ପରେ ଲୋକଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି । କୋଟି କୋଟି ଜନସାଧାରଣ ନିଜର ବୃତି ଓ ଜୀବିକା ହରାଇଛନ୍ତି । ଏହି ଯନ୍ତ୍ରଣାମୟ ସମୟରେ ଗ୍ୟାସ ଦର ବୃଦ୍ଧି ଓ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଆକାଶଛୁଆଁ ଦର ବୋଝ ଉପରେ ନଳିତା ବିଡ଼ା ସଦୃଶ । ନରେନ୍ଦ୍ର ମୋଦି ଯେଉଁ ଆଛାଦିନର ସ୍ୱପ୍ନ ଦେଖାଇଥିଲେ, ବିକାଶର ଯେଉଁ ନକ୍ସା ଦେଇଥିଲେ ଆଜି ସାଧାରଣ ଜନତା ତାକୁ ବାସ୍ତବରେ ଦେଖୁଛନ୍ତି । ମୋଦି ମାର୍କା ବିକାଶ ଏବଂ ମୋଦିଙ୍କ ଆଛାଦିନର ରୂପରେଖ ଆଜି ଦେଶର ଜନସାଧାରଣଙ୍କୁ ତଳିତଳାନ୍ତ କରିଦେଇଛି । ସୁତରାଂ ଏ ମହଙ୍ଗାମାଡ଼ ମୋଦି କୃତ । ପ୍ରତି ହାଣ୍ଡିଶାଳରୁ ବିପ୍ଳବ ହେବାକୁ ଶ୍ରୀ ନୱାଜ ଆହ୍ୱାନ ଦେଇଛନ୍ତି । ଶ୍ରୀ ନୱାଜ କହିଛନ୍ତି ଯେ ଯଦି ଦରଦାମ ନିୟନ୍ତ୍ରଣ ନ ହୁଏ ଏବଂ ରନ୍ଧନ ଗ୍ୟାସର ବର୍ଦ୍ଧିତ ଦର ଯଦି କମାନଯାଏ ତେବେ ବିଜେପି କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ଓଡ଼ିଶାରେ ଛାତ୍ର କଂଗ୍ରେସ ଗଣତାନ୍ତ୍ରିକ ପ୍ରକିୟାରେ ବିରୋଧ କରିବ ।

ଏହି ବିକ୍ଷୋଭ ସଭାପରେ ପ୍ରଦେଶ ଛାତ୍ର କଂଗ୍ରେସର ନେତୃବୃନ୍ଦ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ମାନସ ଚୌଧୁରୀ, ରଜତ ଚୌଧୁରୀ, ବିଶ୍ୱଜିତ ଦାଶ, ପ୍ରକାଶ ମିଶ୍ର, ରଜନୀ ମହାନ୍ତି, ସୁବ୍ରତ ମହାପାତ୍ର, ନଳିନୀକାନ୍ତ ନାୟକ, ବିଶ୍ୱଭୂଷଣ ମହାପାତ୍ର, ରଣଜିତ ସେନାପତି, ସାଗର ପଟ୍ଟନାୟକ, କାର୍ତିକେଶ୍ୱର କାଣ୍ଡି, ଶ୍ରୀ ମହାନ୍ତି, ଲିପିକା ପାତ୍ର, ଆର୍ଯ୍ୟାନ ସାସମଲ, ନିତେଶ ବେହେରା, ଉଦିତ୍ ପ୍ରଧାନ, ବିକ୍ରମ ସେନାପତି, ସମିର ରାଉତ, ଜ୍ୟୋତିରଞ୍ଜନ ଦାସ, ସୌମ୍ୟରଞ୍ଜନ ବରାଳ, ଅଭିଷେକ ପାତ୍ର, ଆଶୁତୋଷ ବେହେରା, ସାଇରାମ ପାଣିଗ୍ରାହୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ଦୟାନଦୀ : ଗାୟତ୍ରୀବାଳା ପଣ୍ଡାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର…..

() ଓଡ଼ିଶାର କବି ଓ ଲେଖିକା ଡକ୍ଟର ଗାୟତ୍ରୀବାଳା ପଣ୍ଡା ଗ୍ରହଣ କରିଛନ୍ତି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ନୂଆଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ପୁରସ୍କାର ଗ୍ରହଣ କରିଛନ୍ତି ଡକ୍ଟର ପଣ୍ଡା । କବିତା ସଂକଳନ ଦୟାନଦୀ ଲାଗି ତାଙ୍କୁ ଏହି ସମ୍ମାନ ମିଳିଛି । ପୁରସ୍କାର ସ୍ବରୂପ ତାଙ୍କୁ ୧ ଲକ୍ଷ ଟଙ୍କା ଏବଂ ତାମ୍ର ଫଳକ ପ୍ରଦାନ କରାଯାଇଛି । କଳିଙ୍ଗ ଯୁଦ୍ଧ ଉପରେ ୬୪ଟି କବିତାକୁ ନେଇ ସଂକଳନ ରଚିତ ହୋଇଛି। ୨୦୨୨ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୩ଟି ଭାଷାରେ ପୁରସ୍କାର ପ୍ରଦାନ କରାଯାଇଛି । କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ବାରା ପୁରସ୍କୃତ କବିତା ସଙ୍କଳନ “ଦୟାନଦୀ” ୨୦୧୭ ମସିହାରେ ପକ୍ଷୀଘର ପ୍ରକାଶନ ସଂସ୍ଥା ଦ୍ଵାରା ପ୍ରକାଶିତ ହୋଇଥିଲା । ଏହା ପୂର୍ବରୁ ୨୦୧୧ ରେ ଡ. ଗାୟତ୍ରୀବାଳା ପଣ୍ଡା କବିତା ସଂକଳନ “ଗାଆଁ” ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଥିଲେ । କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ବାରା ଦୁଇ ଥର ପୁରସ୍କୃତ ହେବାରେ ଗାୟତ୍ରୀବାଳା ହେଉଛନ୍ତି ପ୍ରଥମ ଓଡ଼ିଆ କବି l କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ବାରା ପୁରସ୍କୃତ ହେବାରେ ଗାୟତ୍ରୀବାଳା କହିଛନ୍ତି ଯେ ଯୁବ ଲେଖକ କହୁଛନ୍ତି ଯେ ପ୍ରଚୁର ପଢାପଢ଼ି କରିବା ସହ ସାହିତ୍ୟ କ୍ଷେତ୍ରରେ ସାଧନା ଜାରୀ ରଖିବାକୁ l କେବଳ ସେତିକି ନୁହେଁ ଯୁବ ଲେଖକ ମାନେ କବି ଓ ଲେଖକ ଙ୍କ ସହ ସୁସମ୍ପର୍କ ରଖିବା ସହ ସେମାନେ କଣ ଲେଖୁଛନ୍ତି ତାହାକୁ ମଧ୍ୟ ଅନୁକରଣ କରିବା ଦରକାର l ନିଜ ଲେଖା ମାଧ୍ୟମରେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ଓଡିଆ ଭାଷାର ପ୍ରାଚୀନତା ବୁଝିବା ଦରକାର l

ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଭେଟି: ମୁଖ୍ୟମନ୍ତ୍ରୀ…

() ରାଉରକେଲା ୧୦ ମାର୍ଚ୍ଚ ୨୦୨୩; ଶୁକ୍ରବାର ରାଉରକେଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ରାଉରକେଲା ସହରର ବିର୍ସା ଛକ ଠାରେ ନିର୍ମିତ ନୂତନ ବିର୍ସା ମୁଣ୍ଡା ଆଥ‌ଲେଟିକ୍‌ ଷ୍ଟାଡିୟମ୍‌ ସମେତ ବିର୍ସା ମୁଣ୍ଡା ସୁଇମିଂ କମ୍ପ୍ଳେକ୍ସ ଏବଂ ବହୁତଳ କାର ପାର୍କିଂ ସୁବିଧାର ଉଦ‌ଘାଟନ କରିଛନ୍ତି । ୧୫୭. ୨୧ କୋଟି ଟଙ୍କା ମୂଲ୍ୟରେ ୧୦ ଏକର ଜମିରେ ଏହି ଷ୍ଟାଡିୟମ୍‌ ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ନିର୍ମିତ ହୋଇଛି । ପ୍ରାୟ ୧୦ହଜାର ଦର୍ଶକ ଏକକାଳୀନ ଏଠାରେ ବସି ଖେଳ ଉପଭୋଗ କରିପାରିବେ । ଏଠାରେ ଫୁଟବଲ ସମେତ ଡ୍ରାଗ୍‌ ଆଣ୍ଡ ଫିଲ୍ଡ ବିଭାଗର ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇପାରିବ । ଏଥିସହିତ ଏଠାରେ ନିର୍ମିତ ସୁଇମିଂ ପୁଲରେ ସନ୍ତରଣ ନେଇ ପ୍ରଶିକ୍ଷଣ ଦିଆଯିବା ସହ ରାଜ୍ୟ ତଥା ଜାତୀୟସ୍ତରୀୟ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେବ । ଏହା ସହିତ ୨ମହଲା ବିଶିଷ୍ଟ ମଲ୍ଟି ଲେବଲ୍‌ କାର‌ ପାର୍କିଂ ବ୍ୟବସ୍ଥା ମଧ୍ୟ ରହିଛି । ଆଜିର ଏହି ଷ୍ଟାଡିୟମ୍‌ର ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାବାସୀଙ୍କ ପାଇଁ ଏହି ଷ୍ଟାଡିୟମ‌ ଉତ୍ସର୍ଗୀକୃତ କରିବା ସହ ଉପସ୍ଥିତ ହଜାର ହଜାର ଜନସଧାରଣଙ୍କୁ ଷ୍ଟାଡିୟମ‌ର ଉଦ୍‌ଘାଟନ ନେଇ ଆପଣମାନେ ଖୁସି ତୋ ପଚାରିଥିଲେ । ପ୍ରତିତ୍ତ୍ୟୁରରେ ଲୋକମାନେ ବହୁତ ଖୁସି ଥିବା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ଲୋକଙ୍କ ଖୁସିରେ ସେ ଖୁସି ଥିବା କହିଥିଲେ ।

ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲ୍ଲାର ସ୍ବାସ୍ଥ୍ୟ, ଶିକ୍ଷା, ରାସ୍ତା ଘାଟ, ପରିମଳ, କୃଷି ଏବଂ ପର୍ଯ୍ୟଟନ ଇତ୍ୟାଦିର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପର ଉଦ‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଯେପରିକି ୫୩.୫୩ କୋଟି ଟଙ୍କାର ପାନପୋଷଠାରେ ବଜାର ଗୃହ ନିର୍ମାଣ, ୧୧.୭୭ କୋଟି ଟଙ୍କାର ଆସ୍ଥା ଗୃହ (ମାନସିକ ରୋଗଗ୍ରସ୍ତ ମହିଳାଙ୍କ ପାଇଁ), ୨୩୨ କୋଟି ଟଙ୍କାର ୫ଗୋଟି ଉଚ୍ଚ କ୍ଷମତା ସମ୍ପନ୍ନ ଉଠା ଜଳ ସେଚନ ପ୍ରକଳ୍ପ, ଟାଙ୍ଗରପାଲ୍ଲୀ ବ୍ଳକ୍‌ର ଉଜ୍ଜଳପୁର ଠାରେ ୨.୫୫ କୋଟି ଟଙ୍କା ମୂଲ୍ୟର ମାର୍କେଟ ୟାର୍ଡ ଓ ଗୋଦାମ ଗୃହ, ୩୩.୯୦ କୋଟି ଟଙ୍କାର ୧୪ ଗୋଟି ଅନୁସୂଚିତ ଜାତି ଓ ଜନଜାତି / ପଛୁଆ ବର୍ଗଙ୍କ ନିମନ୍ତେ ଛାତ୍ରାବାସ, ୨୩୭.୨୦ କୋଟି ଟଙ୍କାର ୬୬ ଗୋଟି ରାସ୍ତା ପ୍ରକଳ୍ପ, ୧୧.୫୦ କୋଟି ଟଙ୍କାର ୨୭୩ ଗୋଟି ପଞ୍ଚାୟତସ୍ତରୀୟ ବର୍ଜ୍ୟବସ୍ତୁ ପୃଥକୀକରଣ ଓ ଗୋଟିଏ କଠିନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର, ସରଫଗଡ଼ ଠାରେ ୭୫ ଲକ୍ଷ ଟଙ୍କାର ପ୍ରାକୃତିକ ପର୍ଯ୍ୟଟନସ୍ଥଳୀର ଉନ୍ନତିକରଣ, ୬.୪୭ କୋଟି ଟଙ୍କାରେ ନିର୍ମିତ ୨୩ ଗୋଟି ଅଙ୍ଗନଓ୍ବାଡି କେନ୍ଦ୍ର, ୬୩.୨୯ କୋଟି ଟଙ୍କାରେ ନିର୍ମିତ ୪୭ ଗୋଟି ଗୋଷ୍ଠୀ ସଭା ଗୃହ, ୨୫.୩୭ କୋଟି ଟଙ୍କାରେ ନିର୍ମିତ ୮୫ ଗୋଟି ବିଦ୍ୟାଳୟ ଗୃହ, ୧.୩୪ କୋଟି ଟଙ୍କାରେ ନିର୍ମିତ ୩ଟି ଗୋଷ୍ଠୀ ଉପ ସ୍ବାସ୍ଥ୍ୟ କେନ୍ଦ୍ରର ଉଦ୍‌ଘାଟନ କରିଥିଲେ । ଏହା ସହିତ ୬୬.୯୩ କୋଟି ଟଙ୍କାର ବ୍ୟାୟରେ ନିର୍ମିତ ହେବାକୁ ଥିବା ୨୩ ଗୋଟି ରାସ୍ତା, କଲଭର୍ଟ ଏବଂ ଗୃହ ନିର୍ମାଣ କାର୍ଯ୍ୟ , ୮.୭୯ କୋଟି ଟଙ୍କାରେ ହେବାକୁ ଥିବା ୨୯ ଗୋଟି ଗୋଷ୍ଠୀ ସଭା ଗୃହ, ୩୫.୨୬ କୋଟି ଟଙ୍କା ମୂଲ୍ୟରେ ହେବାକୁ ଥିବା ୭୩ ଗୋଟି ସ୍ବାସ୍ଥ୍ୟ ସମ୍ପର୍କିତ ପ୍ରକଳ୍ପ, ୧୬.୧୦ କୋଟି ଟଙ୍କାରେ ଲାଇଙ୍ଗ‌ ଠାରେ ହେବାକୁ ଥିବା ପ୍ରାକୃତିକ ପର୍ଯ୍ୟଟନସ୍ଥଳର ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନ ବୋର୍ଡ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ‌, କ୍ରୀଡ଼ା ଏବଂ ଯୁବ ସେବା ସଚିବ ଆର. ଭିନିଲ୍‌ କ୍ରିଷ୍ଣା, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର, ସୁନ୍ଦରଗଡ଼ ଜିଲ୍ଲା ପରିଷଦର ମୁଖ୍ୟ କର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ ମହାଜନ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ମହିଳାଙ୍କ ପ୍ରଗତିକୁ କାର୍ଯ୍ୟରେ ରୂପାନ୍ତରିତ କରିଛି ବିଶ୍ୱବିଦ୍ୟାଳୟ: ସୋଆ ଉପସଭାପତି ମି…

() ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୪୭ ପ୍ରତିଶତ ଝିଅ ଶିକ୍ଷା ଗ୍ରହଣ କରୁଛନ୍ତି । ଏମାନଙ୍କ ମଧ୍ୟରୁ କେବଳ ଇଞ୍ଜିନିୟରିଂରେ ୩୯ ପ୍ରତିଶତ ଛାତ୍ରୀ ଅଛନ୍ତି । ସେହିପରି ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ମହିଳା ହେଉଛନ୍ତି ୫୧ ପ୍ରତିଶତ । ତେଣୁ ମହିଳାଙ୍କ ପ୍ରଗତିକୁ ବିଶ୍ୱବିଦ୍ୟାଳୟ କାର୍ଯ୍ୟରେ ରୂପାନ୍ତରିତ କରିଛି ବୋଲି କହିଛନ୍ତି ସୋଆ ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ ।

ମଙ୍ଗଳବାର ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ସୋଆରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଶ୍ରୀମତି ଦାସ । କାର୍ଯ୍ୟକ୍ରମରେ ଉପସ୍ଥିତ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଇଚ୍ଛା ଶକ୍ତି ଓ ଦକ୍ଷତା ଯୋଗୁଁ ସେମାନେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ବୋଲି ସେ କହିଛନ୍ତି ।

ଚଳିତ ବର୍ଷ ମହିଳା ଦିବସର ବିଷୟବସ୍ତୁ “ଡିଜିଟାଲ୍‌: ଇନୋଭେସନ୍ ଆଣ୍ଡ ଟେକ୍ନୋଲୋଜି ଫର୍ ଜେଣ୍ଡର ଇକ୍ୱାଲିଟି” ବିଷୟରେ ମତ ରଖି ଶ୍ରୀମତି ଦାସ କହିଛନ୍ତି ଯେ ବିଜ୍ଞାନ ଅନେକ ମାତ୍ରାରେ ଆଗେଇଛି ଓ ପ୍ରଯୁକ୍ତି ବିଦ୍ୟା ଓ ଡିଜିଟାଲ୍ ଜ୍ଞାନ କୌଶଳ ସବୁ କାମକୁ ସହଜ କରିଛି । ଏ ଦିଗରେ ବିଶ୍ୱରେ ନାରୀମାନେ ପଛୁଆ ନୁହଁନ୍ତି । ବିଶ୍ୱର ପ୍ରତିଟି ଗବେଷଣା ଓ ଉଦ୍‌ଭାବନର ପ୍ରଚ୍ଛଦରେ ଡିଜିଟାଲ୍ ଜ୍ଞାନ କୌଶଳର ଅବଦାନ ଯଥେଷ୍ଟ । ଏସବୁ ଉଦ୍ଭାବନରେ କେବଳ ଯେ ପୁରୁଷମାନେ ଭାଗୀଦାର ସେ କଥ।। ନୁହେଁ ବରଂ ବିଶ୍ୱର ପ୍ରତି କୋଣ ଅନୁକୋଣରୁ ନାରୀମାନେ ବି ଉଦ୍‌ଭାବନ, ଆବିଷ୍କାର ତଥା ନୂତନ ଜ୍ଞାନ କୌଶଳରେ ନିଜକୁ ସାବ୍ୟସ୍ତ ଏବଂ ପ୍ରମାଣିତ କରିପାରିଛନ୍ତି ବୋଲି ସେ କହିଛନ୍ତି ।

ଏହି ଅବସରରେ ସୋଆର କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ସ୍ୱାଗତ ଭାଷଣ ରଖିଥିବା ବେଳେ ଆଇଡିଏସ୍‌ର ଡିନ୍ ପ୍ରଫେସର ନୀତା ମହାନ୍ତି ଏବଂ ସୋଆ ପ୍ରାଚୀନ୍‌ର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା ମହିଳାମାନଙ୍କର ସମାନତା ଏବଂ ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ସମାନ ଅଧିକାର ଦେବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ଆଡିସ୍‌ନାଲ ଡିନ୍ (ଷ୍ଟୁଡେଂଟ୍‌ସ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ଉପସଭାପତି ଶ୍ରୀମତି ଦାସ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ହାଉସ୍ କିପିଂ ବିଭାଗର ଆଟେନ୍‌ଡାଂଟ ଶ୍ରୀମତି ମାମୁନି ମହାନ୍ତି, ହାଉସ୍ କିପିଂ ଆସିଷ୍ଟାଂଟ ଶ୍ରୀମତି ଜୟନ୍ତୀ ବେହେରା, ଫାର୍ମାସିଷ୍ଟ କୁମାରୀ ସୁନନ୍ଦିନୀ ମହାପାତ୍ର, ଆସିଷ୍ଟାଂଟ ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ପ୍ରଣତି ବେହେରା, ଡେପୁଟି ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମାନସୀ ଜେନା, ସୋଆ କମ୍ୟୁନିଟି ରେଡିଓ ୯୦.୪ ର ଜୁନିୟର ପ୍ରୋଗ୍ରାମ୍ କୋର୍ଡିନେଟର ଶ୍ରୀମତି ଶୁଭ୍ରସୀମା ମହାନ୍ତି, ଲୋକସମ୍ପର୍କ ବିଭାଗର ଏକ୍‌ଜିକ୍ୟୁଟିଭ୍ କୁମାରୀ ସିପ୍ରା ମହାନ୍ତି, ଏକ୍‌ଜିକ୍ୟୁଟିଭ୍ ଟ୍ରେନି କୁମାରୀ ମୋନାଲିସା ବାରିକ, ପ୍ରମେୟ ଆଣ୍ଡ ନ୍ୟୁଜ୍ ୭ ଡିଜିଟାଲ୍‌ର ସିନିୟର୍ କଂଟେଂଟ ଏଡିଟର୍ ଶ୍ରୀମତି ପ୍ରତିଭା ପ୍ରିୟଦର୍ଶିନୀ, ପ୍ରମେୟ ରିପୋର୍ଟର କୁମାରୀ ସସ୍ମିତା ମଲ୍ଲ ଏବଂ ନ୍ୟୁଜ୍‌୭ ସିନିୟର ରିପୋର୍ଟର ଶ୍ରୀମତି ସମୀକ୍ଷା ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ସମ୍‌ରେ ବିଶ୍ୱ କିଡ୍‌ନୀ ଦିବସ ପାଳିତ…

{} କିଡ୍‌ନୀ ଜନିତ ସମସ୍ୟାରୁ ଦୂରେଇ ରହିବା ପାଇଁ ଜୀବନଶୈଳୀରେ ପରିବର୍ତନ ଆବଶ୍ୟକ ସମ୍‌ରେ ବିଶ୍ୱ କିଡ୍‌ନୀ ଦିବସ ପାଳିତ।

()  ଭାରତରେ ପ୍ରତି ୧ ଲକ୍ଷରେ ୮୦ ଜଣ ବ୍ୟକ୍ତି କିଡ୍‌ନୀ ଜନିତ ସମସ୍ୟାରେ ପୀଡ଼ିତ ଥିବା ବେଳେ ସାରା ବିଶ୍ୱରେ କିଡ୍‌ନୀ ରୋଗୀଙ୍କ ସଂଖ୍ୟା ପ୍ରାୟ ୮୦ କୋଟିରେ ପହଂଚିଛି । ଏମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ରୋଗୀ ଅବସ୍ଥା ଜଟିଳ ହେବା ସମୟରେ ହସ୍ପିଟାଲ୍‌କୁ ଆସିଥାନ୍ତି । ତେଣୁ କିଡ୍‌ନୀ ଜନିତ ସମସ୍ୟାରୁ ନିଜକୁ ଦୂରେଇ ରଖିବା ନିମନ୍ତେ ସଚେତନ ରହିବା ସହ ନିୟମିତ ଚିକିତ୍ସା କରାଇବା ଆବଶ୍ୟକ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ର ନେଫ୍ରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ବିଶ୍ୱରଞ୍ଜନ ମହାନ୍ତି କହିଛନ୍ତି । ବିଶ୍ୱ କିଡ୍‌ନୀ ଦିବସ ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ତଥ୍ୟ ପ୍ରଦାନ କରିଛନ୍ତି ପ୍ରଫେସର ମହାନ୍ତି ।

ଚଳିତବର୍ଷ ଏହି ଦିବସର ଥିମ୍ ରହିଛି “ କିଡ୍‌ନୀ ହେଲ୍‌ଥ ଫର ଅଲ୍‌, ପ୍ରିପେୟାରିଂ ଫର୍ ଦ ଅନ୍‌ଏକ୍ସପେକ୍ଟେଡ୍‌, ସପୋର୍ଟିଙ୍ଗ ଦ ଭଲନରେବଲ୍‌”, ଅର୍ଥାତ୍ ଅପ୍ରତ୍ୟାଶିତ ପରିସ୍ଥିତିରେ ପ୍ରସ୍ତୁତ ରହିବା ଏବଂ ଅସୁରକ୍ଷିତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା । ତେଣୁ ପ୍ରାକୃତିକ ବିପର୍ଯ୍ୟୟ, ଯୁଦ୍ଧ ଏବଂ କୋଭିଡ୍ ଭଳି ମହାମାରୀ ସମୟରେ ଯେଭଳି କିଡ୍‌ନୀ ରୋଗୀଙ୍କ ଡାଏଲିସିସ୍ ଏବଂ ଚିକିତ୍ସାରେ କୌଣସି ସମସ୍ୟା ନ ଉପୁଜେ ଏବଂ ଅନ୍ୟ ପ୍ରପୀଡ଼ିତଙ୍କ ଭଳି ଏହି ରୋଗୀମାନଙ୍କୁ ଯେଭଳି ସଠିକ୍ ଚିକିତ୍ସା ପ୍ରଦାନ କରାଯାଏ ସେ ଦିଗରେ ଚଳିତ ବର୍ଷ ବିଶ୍ୱ କିଡ୍‌ନୀ ଦିବସର ପ୍ରସଙ୍ଗରେ ଗୁରୁତ୍ୱ ଦିଆଯାଇଛି ବୋଲି ପ୍ରଫେସର ମହାନ୍ତି କହିଥିଲେ । ସମ୍ ହସ୍ପିଟାଲ୍‌ରେ ଦିନକୁ ପ୍ରାୟ ୬୦ ରୁ ୭୦ ରୋଗୀ କିଡ୍‌ନୀ ସମସ୍ୟାର ଚିକିତ୍ସା ନିମନ୍ତେ ଆସୁଥିବା ବେଳେ ଏଠାରେ ପ୍ରତ୍ୟେକ ମାସ ପ୍ରାୟ ୨୦୦୦ ଡାଏଲିସିସ୍ କରାଯାଉଥିବା ପ୍ରଫେସର ମହାନ୍ତି କହିଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡ.) ସଂଘମିତ୍ରା ମିଶ୍ର କିଡ୍‌ନୀ ସମସ୍ୟାର ଚିକିତ୍ସା ନିମନ୍ତେ ହସ୍ପିଟାଲ୍‌ର ସମସ୍ତ ବିଭାଗ ସଚେତନ ରହିବା ଆବଶ୍ୟକ ବୋଲି କହିଥିଲେ । ସେହିପରି ଭାରତର ପ୍ରାଚୀନ ଚିକିତ୍ସା ପଦ୍ଧତି କିଡ୍‌ନୀ ସମସ୍ୟାର ପ୍ରତିକାର ନିମନ୍ତେ ଉଦ୍ଦିଷ୍ଟ ଥିଲା ବୋଲି ପ୍ରଫେସର ମିଶ୍ର କହିଥିଲେ ।

ଏହି କାର୍ଯ୍ୟକ୍ରମରେ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କୋଭିଡ୍ ସମୟରେ ସମ୍ ହସ୍ପିଟାଲ୍ ଏବଂ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ୨୪ ଘଂଟା କିଡ୍‌ନୀ ରୋଗୀଙ୍କ ଚିକିତ୍ସା ନିମନ୍ତେ ସଫଳତାର ସହ ଡାଏଲିସିସ୍ କରାଯାଇଥିଲା ବୋଲି କହିଥିଲେ । ଏହାଛଡା ସମ୍ ହସ୍ପିଟାଲ୍‌ରେ ଖୁବ୍ ଶୀଘ୍ର କିଡ୍‌ନୀ ପ୍ରତ୍ୟାରୋପଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି । ନିଜ କିଡ୍‌ନୀକୁ କିଭଳି ସୁସ୍ଥ ରଖିବେ ସେ ନେଇ ସଚେତନତାର ଆବଶ୍ୟକ ରହିଥିବା କହିଛନ୍ତି ୟୁରୋଲୋଜି ବିଭାଗର ପ୍ରଫେସର ଡାକ୍ତର ଦେବବ୍ରତ ସାବତ । କିଡ୍‌ନୀକୁ ସୁସ୍ଥ ରଖିବାକୁ ହେଲେ ପ୍ରଚୁର ପାଣି ପିଇବା ଆବଶ୍ୟକ । ସକାଳୁ ଖାଲି ପେଟରେ ଦୁଇ ଗ୍ଲାସ୍ ପାଣି ପିଇବା ସହ ଦିନକୁ ଅଢ଼େଇରୁ ୩ ଲିଟର ପାଣି ପିଇବା ଦରକାର ଏବଂ କମ୍ ଲୁଣ ଖାଇବା ସହ ଜଙ୍କ ଫୁଡ୍ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ଦରକାର ବୋଲି ସେ କହିବା ସହିତ ଶରୀରରେ ଭିଟାମିନ୍ ଡି’ର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ନେଫ୍ରୋଲୋଜି ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ବିଶ୍ୱଜିତ ମିଶ୍ର ପରିଚାଳନା କରିଥିବା ବେଳେ ଏଥିରେ ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ସୁରେନ୍ ଦାସ, ନେଫ୍ରୋଲୋଜି ବିଭାଗର ପ୍ରଫେସର ତାପସ ରଞ୍ଜନ ବେହେରା, ପ୍ରଫେସର ଦେବପ୍ରସାଦ କର, ଆସୋସିଏଟ୍ ପ୍ରଫେସର ଡାକ୍ତର ପ୍ରିୟଦର୍ଶିନୀ ଦେହୁରୀ, ଶିଶୁରୋଗ ଆଇସିୟୁ ବିଭାଗର ପ୍ରଫେସର ଦେବସ୍ମିତା ରଥ, କ୍ରିଟିକାଲ୍ କେୟାର ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସମୀର ସାମଲ୍‌, ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମିନତୀ ମିଶ୍ର ଏବଂ ଆଡିସ୍‌ନାଲ୍ ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ଶୋଭାରାଣୀ ସାମଲ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ନେଫ୍ରୋଲୋଜି ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ଅମୃତା ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ। ବିଶ୍ୱ କିଡ୍‌ନୀ ଦିବସ ଅବସରରେ ଗୁରୁବାର ସକାଳେ ସମ୍ ହସ୍ପିଟାଲ୍ ସମ୍ମୁଖରୁ ଏକ ସଚେତନତା ର‌୍ୟାଲିର ମଧ୍ୟ ଆୟୋଜନ କରାଯାଇଥିଲା ।

ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ପରାମର୍ଶ : ଅପରାଧିକ ତତ୍ତ୍ଵକୁ ନିୟନ୍ତ୍ରଣ କରନ୍ତୁ, ନହେଲେ ବିଜେପି ଅଧିକ ବଦନାମ ହେବ…

() ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ l ଓଡ଼ିଶାର ଲୋକମାନେ ହିଂସା ରାଜନୀତିକୁ କେବେ ଗ୍ରହଣ କରନ୍ତିନି l ଓଡ଼ିଶାବାସୀ ବିଜେପି  କଣ କରୁଛି ସବୁ ଦେଖୁଛନ୍ତି। ସେଥିପାଇଁ ଗତ ପଞ୍ଚାୟତ ନିର୍ବାଚନରେ ୩୦ରୁ ୩୦ ଜିଲ୍ଲା ପରିଷଦରେ ବିଜେପିକୁ ପ୍ରତ୍ୟାଖ୍ୟାନ କଲେ। ଆମେ ଭାବିଥିଲୁ, ଦଳର ଛବି ଖରାପ କରିଥିବାରୁ ଏହି ଦୁଇ ନେତାଙ୍କ ବିରୋଧରେ ଆପଣ କିଛି କାର୍ଯ୍ୟାନୁଷ୍ଠାନ ନେବେ।ମାତ୍ର ଆଜି ଓଲଟା ଦେଖିବାକୁ ମିଳିଲା। ଆପଣ ଓଡ଼ିଶାରେ ପହଞ୍ଚି ଏଭଳି ହିଂସା ପାଇଁ ସେମାନଙ୍କୁ ଉତ୍ସାହିତ କଲା ପରି କଥା କହୁଛନ୍ତି। ଆପଣଙ୍କୁ ମୋର ଅନୁରୋଧ, ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ଏଭଳି ଅପରାଧିକ ତତ୍ତ୍ଵକୁ ଆପଣ ନିୟନ୍ତ୍ରଣ କରନ୍ତୁ। ନହେଲେ ଭବିଷ୍ୟତରେ ଏ ଦୁଇ ନେତା ଆପଣଙ୍କୁ ଏବଂ ଆପଣଙ୍କ ଦଳକୁ ଆହୁରି ଅଧିକ ବଦନାମ କରିବେ ବୋଲି ଟୁଇଟ କରି ରାଜ୍ୟ ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପରାମର୍ଶ ଦେଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ l ଏହା ସହ ପ୍ରଣବ କେନ୍ଦ୍ର ମନ୍ତ୍ରୀଙ୍କୁ ପୁରୁଣା କଥା ମନେ ପକାଇଦେଇ ଲେଖିଛନ୍ତି ଯେ ଭାଇ, ଆପଣଙ୍କ ଦଳର ଯୁବମୋର୍ଚ୍ଚା ସଭାପତି ଈରାଣିଷ ଆଚାର୍ଯ୍ୟ ଜଣେ ହତ୍ୟା ଅଭିଯୁକ୍ତ । ଏବେ ସେ ଜାମିନରେ ଅଛନ୍ତି। ନିକଟରେ ରାଜଧାନୀରେ ବିକ୍ଷୋଭ ନାଁରେ ତାଙ୍କ ନେତୃତ୍ଵରେ ପୁଲିସ ଉପରେ ମରଣାନ୍ତକ ଆକ୍ରମଣ ହେଲା । ଦେଖନ୍ତୁ ଏହି ଭିଡିଓ । ମୁଁ ଆଗରୁ ମଧ୍ୟ ଏହା ଆପଣଙ୍କୁ ଦେଇଥିଲି। ଆପଣ ନିଶ୍ଚୟ ଦେଖିଥିବେ।ଓଡ଼ିଶା ରାଜନୀତି ପାଇଁ ଏହା ଶୁଭଙ୍କର ନୁହେଁ ବୋଲି ପ୍ରଣବ କହିଛନ୍ତି l କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାମ୍ବାଦିକ ସମ୍ମିଳନୀ କରି ବିଜେଡିକୁ ସମାଲୋଚନା କରିବା ପରେ ଟୁଇଟର ଏପରି ଜବାବ ଦେଇଛନ୍ତି ପ୍ରଣବ l

ବିଜୁ ଏକ୍ସପ୍ରେସ ଓ୍ଵେ ର ଲୋକାର୍ପିତ…

() ବିଜୁବାବୁଙ୍କ ଜୟନ୍ତୀ ଅବସରରେ ବରଗଡ, ନୂଆପଡା ଓ କଳାହାଣ୍ଡି ଜିଲ୍ଲାରେ ୩୦୮୧ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଆରମ୍ଭ ୲

ଆମପାଣିରେ ବିଜୁ ଏକ୍ସପ୍ରେସ ଓ୍ଵେ ଲୋକାର୍ପିତ ୲

ବିଜୁ ଏକ୍ସପ୍ରେସ ଓ୍ଵେ କେବଳ ରାସ୍ତା ନୁହେଁ ,ଏ ଅଞ୍ଚଳ ପାଇଁ
ଜୀବନ ରେଖା ୲

ବିଜୁ ଏକ୍ସପ୍ରେସ ଓ୍ଵେ ବିଜୁ ଅର୍ଥନୈତିକ କରିଡର ରୂପାନ୍ତର ଲକ୍ଷ୍ୟ ହାସଲରେ ମାଇଲଷ୍ଟୋନ ହେବ ୲
ମୁଖ୍ୟମନ୍ତ୍ରୀ।

ମିଶନଶକ୍ତି ମା ମାନଙ୍କୁ ୪୨ କୋଟି ଟଙ୍କାର ସହାୟତା ।

{} ଆଜି ମହାନ ଜନନାୟକ ବିଜୁ ପଟ୍ଟନାୟକ ଜୟନ୍ତୀ ୲ ସାରା ରାଜ୍ୟ ଓଡିଶାର ଏହି ମହାନ ସନ୍ତାନଙ୍କ ଜୟନ୍ତୀକୁ ଶ୍ରଦ୍ଧାର ସହ ପାଳନ କରୁଛି ୲ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ, କଳାହାଣ୍ଡି ଓ ନୁଆପଡା ଜିଲ୍ଲା ଗସ୍ତରେ ଯାଇ ଆମପାଣିଠାରେ ବିଜୁ ଏକ୍ସପ୍ରେସ ଓ୍ଵେ କୁ ଏବଂ ସୋହେଲାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଅର୍ଥନୈତିକ କରିଡର ଲୋକାର୍ପଣ କରିଛନ୍ତି ୲ ଏହା ସହିତ ଏହି ତିନି ଗୋଟି ଜିଲ୍ଲାରେ ୩୦୮୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ୲ ମହିଳା ସଶକ୍ତିକରଣର କର୍ଣ୍ଣଧାର ବିଜୁବାବୁ ଙ୍କ ଜୟନ୍ତୀ ଅବସରରେ ବରଗଡ ନୁଆପଡା ଓ କଳାହାଣ୍ଡି ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ୪୨ କୋଟି ଟଙ୍କାର ଋଣ ସହାୟତା ତଥା ସୁଧ ରିହାତି ମଧ୍ୟ ପ୍ରଦାନ କରିଛନ୍ତି ୲
ଏହି ଅବସରରେ ଆୟୋଜିତ ସମାବେଶ ମାନଙ୍କରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜୁ ଏକ୍ସପ୍ରେସ ଓ୍ଵେ କେବଳ ଏକ ରାସ୍ତା ନୁହେଁ ଏହା ହେଉଛି ଏ ଅଞ୍ଚଳର ଜୀବନ ରେଖା ୲ ଏହି ଏକ୍ସପ୍ରେସ way କେବଳ ଏ ଅଞ୍ଚଳ ନୂହେଁ ସାରା ଓଡ଼ିଶା ପାଇଁ ବିକାଶ ର ନୂଆ ଇତିହାସ
ଲେଖିବ. ବିଜୁ ଏକ୍ସପ୍ରେସ ଓ୍ଵେ ଏ ଅଞ୍ଚଳ ପାଇଁ ଅନେକ ସୁଯୋଗ ଆଣିଛି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଲେ ଯେ , ଚାଷୀ ପାଇଁ ବଜାର ସୁବିଧା ମିଳିବ ୲ ଛାତ୍ରଛାତ୍ରୀମାନଙ୍କ ପାଠପଢା ପାଇଁ ସୁବିଧା, ବ୍ୟବସାୟୀ ମାନଙ୍କୁ ସୁବିଧା, ସ୍ୱାସ୍ଥ୍ୟ ସେବାରେ ଆହୁରି ଉନ୍ନତି ଆସିବ ,ସାଧାରଣ ଲୋକ ମଧ୍ୟ ସୁବିଧାରେ ଯାତାୟତ ରୂପାନ୍ତର କାମ କୁ ମଜଭୁତ କରିବ ।

ସୋହେଲାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସର ଦୁଇପାଖେ ବିଜୁ ଅର୍ଥନୈତିକ କରିଡର ହେବାଦ୍ଵାରା ପୁଞ୍ଜି ବିନିଯୋଗ ବଢିବ ଏବଂ ନୂଆ ନୂଆ ଶିଳ୍ପ ଗଢି ଉଠିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ୲ସେ କଥା ନୂହେଁ କାମ ରେ ବିଶ୍ବାସ କରନ୍ତି ବୋଲି ତାଙ୍କ ଉକ୍ତି କୁ ଦୋହରାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ଅର୍ଥନୈତିକ କରିଡରକୁ ପୁଞ୍ଜିପତିମାନଙ୍କୁ ଆକର୍ଷଣ କରିବା ପାଇଁ ପ୍ରୋତ୍ସାହନ ଭାବରେ ଅତିରିକ୍ତ ୩୦ ପ୍ରତିଶତ ରିହାତି ନିବିଶେକମାନଙ୍କୁ ମିଳିବ ୲

ଶିଳ୍ପ ବିକାଶ କାର୍ଯ୍ୟ ତ୍ଵରାନିତ କରିବା ପାଇଁ ଆଗୁଆ ଜମି ଅଧିଗ୍ରହଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି ୲ ବିଜୁ ଅର୍ଥନୈତିକ କରିଡର ଦ୍ଵାରା ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ନୁଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାବାସୀ ବିଶେଷ ଭାବରେ ଉପକୃତ ହେବେ ୲ ପଶ୍ଚିମ ଓ ଦକ୍ଷିଣ ଓଡିଶା ମଧ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ଘଟିବ ୲ ପର୍ଯ୍ୟଟନର ମଧ୍ୟ ବିକାଶ ଘଟିବ ୲
ଘଟିପଡାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ ଓ୍ଵେର ଚାରିଥାକିଆ ରାସ୍ତା କାମ ରେକର୍ଡ ଏକ ବର୍ଷ ମଧ୍ୟରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଓଡିଶାରେ ଭିତ୍ତିଭୂମି ବିକାଶ ପାଇଁ ଅଗ୍ରଣୀ ଭୁମିକା ନେଇଥିବା ମହାନ ଜନନାୟକ ବିଜୁ ବାବୁଙ୍କୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ବିଜୁ ବାବୁଙ୍କ ଆଦର୍ଶରେ ଏକ ସଶକ୍ତ ଓଡିଶା ଗଠନ ପାଇଁ ସେ କାମ କରି ଚାଲିଛନ୍ତି।ସମ୍ବଲପୁର- ରାଉଲକେଲା ରାସ୍ତା ବିଜୁବାବୁଙ୍କ ପରିକଳ୍ପନା ଥିଲା। L&T ରାସ୍ତାଭାବେ ପରିଚିତ ଏହି ରାସ୍ତାର ଆରମ୍ଭ ସ୍ଵର୍ଗତ ବିଜୁବାବୁ ୧୯୯୩ ମସିହାରେ ଆରମ୍ଭ କରିଥିଲେ ୲ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଓଡିଶା ମାଟି ଓ ଏ ମାଟିର ମଣିଷର ସ୍ଵପ୍ନ ସହ ବିଜୁବାବୁ ସବୁବେଳେ ଯୋଡିହୋଇ ରହିଥିଲେ ବୋଲି ମତ ଦେଇ ତାଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲ ୲
ଏହି ସବୁ କାର୍ଯ୍ୟକ୍ରମରେ ମନ୍ତ୍ରୀ ମଣ୍ଡଳର ସଦସ୍ୟ , ତଥା ବିଧାୟକ ମାନେ ଉପସ୍ଥିତ ଥିଲେ।

ଡାକୋଟା ବିମାନକୁ ଜାତି ଉଦ୍ଦେଶ୍ୟରେ ସମର୍ପଣ କଲେ ମୁଖ୍ୟମନ୍ତ୍ରୀ…

 () ଓଡ଼ିଶା ଐତିହାସିକ ଡାକୋଟା ବିମାନକୁ ଜାତି ଉଦ୍ଦେଶ୍ୟରେ ସମର୍ପଣ କଲେ ମୁଖ୍ୟମନ୍ତ୍ରୀ।

ଯୁଗ ଯୁଗ ପାଇଁ ଅଦମ୍ୟ ସାହସ, ଓ ଅନନ୍ୟ ପରାକାଷ୍ଠାର ବାର୍ତ୍ତା ଦେଇ ଚାଲିବ ବିଜୁ ବାବୁଙ୍କ ଡାକୋଟା ।

ଭୁବନେଶ୍ୱର – ରଙ୍ଗେଇଲୁଣ୍ଡା ବିମାନସେବା ର ଶୁଭାରମ୍ଭ,

ବିଧାନ ସଭାରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ।

{} ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜାତି ଉଦ୍ଦେଶ୍ୟରେ ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନକୁ ସମର୍ପଣ କରିଛନ୍ତି। Dakota DC-3 (VT-AUI) । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏହି ବିମାନକୁ ଆଜି ସର୍ବସାଧାରଣଙ୍କ ପାଇଁ, ଓଡ଼ିଆ ମାନଙ୍କ ପାଇଁ ଓ ସାରା ଦେଶ ବାସୀଙ୍କ ପାଇଁ ସମର୍ପିତ କରିଛନ୍ତି।

ସୂଚନା ଯୋଗ୍ୟ ଯେ ଏହି ବିମାନ କଲିକତା ବିମାନ ବନ୍ଦର ରେ ବର୍ଷ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ଥିଲା। ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହାକୁ ଭୁବନେଶ୍ବର ବିମାନ ବନ୍ଦରକୁ ଅଣା ଯାଇ ମରାମତି କରାଯାଇ ସମ୍ପୂର୍ଣ୍ଣ ନୂଆ ରୂପରେ ପ୍ରଦର୍ଶନ କରାଯାଇଛି।

ଏହି ବିମାନରେ ରହିଛି ବିଜୁ ବାବୁଙ୍କର, ଜଣେ ଅଦମ୍ୟ ସାହସୀ ଓଡ଼ିଆ ଯୁବକଙ୍କର ବିରତ୍ଵ ଓ ପରାକାଷ୍ଠା ର କାହାଣୀ। ଏହି ବିମାନରେ ବିଜୁ ବାବୁ, ତାଙ୍କ ପତ୍ନୀ ଜ୍ଞାନ ପଟ୍ଟନାୟକଙ୍କ ସହିତ Indonesia ଯାଇ ସେଠାକାର ସ୍ଵାଧନତା ସଂଗ୍ରାମୀ ମାନଙ୍କୁ ଡଚ୍ ମାନଙ୍କ କବଳରୁ ମୁକ୍ତ କରି ଭାରତ ଆଣିଥିଲେ। ସେ କାହାଣୀ ଆଜି ସମସ୍ତେ ଜାଣନ୍ତି। କିନ୍ତୁ ଆଜିଠାରୁ ସେହି ଐତିହାସିକ ଘଟଣାର ଜୀବନ୍ତ ସାକ୍ଷୀ କୁ ଦେଖିବାର ସୁଯୋଗ ପାଇବେ ଓଡ଼ିଶା ବାସୀ, ଦେଶ ବାସୀ।ଏହି ଅବସରରେ ମୁଖ୍ୟ ମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହି ବିମାନ ଏବେ ଯୁଗ ଯୁଗ ଧରି ଓଡ଼ିଆ ମାନଙ୍କୁ ସାହସ, ବିରତ୍ୱ ଓ ଦେଶ ପାଇଁ ସମର୍ପଣ ଭାବର ବାର୍ତ୍ତା ଦେଇ ଚାଲିବ। ବିଶ୍ଵ ବାସୀଙ୍କ ସମ୍ମୁଖରେ ଓଡ଼ିଶାର ମର୍ଯ୍ୟାଦାକୁ ପ୍ରତିଷ୍ଠିତ କରିବ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର- ରଙ୍ଗେଇଲୁଣ୍ଡା non scheduled flightର ଶୁଭାରମ୍ଭ ମଧ୍ୟ କରିଛନ୍ତି।

ମୁଖ୍ୟମନ୍ତ୍ରୀ ପ୍ରଥମେ ଆଜି ବିଧାନ ସଭା ଯାଇ ସେଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

“ଓଡ଼ିଶା ୱିମେନ୍ ଇନ୍ ମିଡିଆ”ର ଶୁଭାରମ୍ଭ…

() ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ଓ ଏବଂ ଏହି କ୍ଷେତ୍ର ସହିତ ଜଡ଼ିତ କାର୍ଯ୍ୟରତ ମହିଳାମାନଙ୍କୁ ନେଇ ଗଠନ ହୋଇଥିବା “ଓଡ଼ିଶା ୱିମେନ୍ ଇନ୍ ମିଡିଆ” (ଓଡବ୍ଲୁଏମ୍‌)ର ଶୁଭାରମ୍ଭ ହେବା ସହ ଏହାର ଲୋଗୋ ମଧ୍ୟ ଉନ୍ମୋଚିତ ହୋଇଯାଇଛି । ଏହି କ୍ଷେତ୍ର ସହିତ ଜଡ଼ିତ ମହିଳାମାନଙ୍କ ସୁବିଧା ସୁଯୋଗ, ସ୍ୱାର୍ଥ ଓ ସୁରକ୍ଷାକୁ ନେଇ ଓଡ଼ିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ଫୋରମ୍‌କୁ ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତି ସୁଲୋଚନା ଦାସ ଏବଂ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତି ମିନତୀ ବେହେରା ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିବା ସହ ଏହାର ଲୋଗୋକୁ ମଧ୍ୟ ଉନ୍ମୋଚନ କରିଥିଲେ ।

ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) କ୍ୟାମ୍ପସ ୨ର କନ୍‌ଭେନ୍‌ସନ୍ ହଲ୍‌ରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମେୟର ଶ୍ରୀମତି ଦାସ ନିଜର ଖୁସି ବ୍ୟକ୍ତ କରିବା ସହ ନିଜେ ସାମ୍ବାଦିକତା କ୍ଷେତ୍ରରୁ ଆସିଥିବାରୁ ଏଭଳି ଫୋରମ୍ ଗଠନ ଏବଂ ଟ୍ରଷ୍ଟ ଦ୍ୱାରା ବହୁ ଦିନର ସ୍ୱପ୍ନ ସାକାର ହେଲା ବୋଲି କହିଛନ୍ତି ।

ଏହି ପ୍ଲାଟଫର୍ମରେ କାର୍ଯ୍ୟରତ ମହିଳାମାନେ ନିଜର ବିଭିନ୍ନ ସମସ୍ୟା ଏବଂ ବୃତିଗତ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରିବେ ବୋଲି କହିବା ସହ ସେ ନିଜେ ଏହି ପରିବାରରୁ ଆସିଥିବାରୁ ଗର୍ବିତ ଅନୁଭବ କରୁଛନ୍ତି ବୋଲି ଶ୍ରୀମତି ଦାସ କହିଥିଲେ । ତେବେ ଏହି କ୍ଷେତ୍ରରେ ଥିବା ମହିଳାମାନେ ନୈତିକ ମୂଲ୍ୟବୋଧକୁ ନ ଭୁଲି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

ସେହିପରି ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତି ବେହେରା ଟ୍ରଷ୍ଟର ଶୁଭାରମ୍ଭ ନେଇ ଅଭିନନ୍ଦନ ଜଣାଇବା ସହ ମହିଳାମାନେ ଆହୁରି ଏକତ୍ରିତ ହୁଅନ୍ତୁ ଏବଂ ଏହି ଅନୁଷ୍ଠାନ ତାର କାୟା ବିସ୍ତାର କରୁ ବୋଲି ଆଶା ପ୍ରକାଶ କରିଥିଲେ । ମହିଳା ସାମ୍ବାଦିକାମାନେ ଅଧିକ ମାତ୍ରାରେ ସାମ୍ନାକୁ ଆସିଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଥିଲେ । ସୂଚନାର ଆଦାନ ପ୍ରଦାନ ଏବଂ ଗଣମାଧ୍ୟମର ସଚେତନତା ସୃ୍‌ଷ୍ଟି କରିବା ସହ ନୈତିକ ମୂଲ୍ୟବୋଧକୁ ପ୍ରୋତ୍ସାହନ ଦେବା ଏବଂ ଲିଙ୍ଗଗତ ସମାନତାରେ କାର୍ଯ୍ୟ କରିବା ସହିତ ଗୋଟିଏ ଛାତ ତଳେ ମହିଳାମାନଙ୍କ ଉନ୍ନତି, ସଶକ୍ତିକରଣ ପ୍ରଦାନ କରାଯିବା ଏହି ଓଡ଼ିଶା ୱିମେନ୍ ଇନ୍ ମିଡିଆ ଟ୍ରଷ୍ଟର ଉଦ୍ଦେଶ୍ୟ ରହିଛି । ବିଭିନ୍ନ ଗଣମାଧ୍ୟମ ଏବଂ ଲୋକସମ୍ପର୍କ କ୍ଷେତ୍ରରେ ଓ ଗଣମାଧ୍ୟମ ସହିତ ଜଡ଼ିତ କାର୍ଯ୍ୟରତ ମହିଳାମାନଙ୍କ ଅଧିକାରକୁ ସୁରକ୍ଷା ଦେବା ଏହି ଟ୍ରଷ୍ଟର ଉଦ୍ଦେଶ୍ୟ ।

ଏହି ଅବସରରେ ଟ୍ରଷ୍ଟର ଅଧ୍ୟକ୍ଷା ଶ୍ରୀମତି କସ୍ତୁରୀ ରାୟ, ଉପାଧ୍ୟକ୍ଷା ଶ୍ରୀମତି ଶାରଦା ଲାହଙ୍ଗିର୍‌, ସମ୍ପାଦିକା ଶ୍ରୀମତି ମିନତୀ ସିଂହାଙ୍କ ସହିତ ଟ୍ରଷ୍ଟର ସଦସ୍ୟ ଏବଂ ଶତାଧିକ କାର୍ଯ୍ୟରତ ମହିଳା ଯୋଗ ଦେଇଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news