ରାଜ୍ୟର ପ୍ରତ୍ୟେକ ବ୍ଲକକୁ ମିଳିବ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା- ମୁଖ୍ୟମନ୍ତ୍ରୀ…

() ୨୪ଟି ନୂତନ ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ଏବଂ ୨୯୯ଟି ରୂପାନ୍ତରିତ ଅତ୍ୟାଧୁନିକ ଜୀବନରକ୍ଷାକାରୀ ଆମ୍ବୁଲାନ୍ସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ।

ରାଜ୍ୟର ପ୍ରତ୍ୟେକ ବ୍ଲକକୁ ମିଳିବ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା- ମୁଖ୍ୟମନ୍ତ୍ରୀ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ୨୪ଟି ନୂତନ ମୌଳିକ ଜୀବନ ରକ୍ଷାକାରୀ (Basic Life Support) ଆମ୍ବୁଲାନ୍ସ ଏବଂ ୨୯୯ଟି ରୂପାନ୍ତରିତ ଆତ୍ୟାଧୁନିକ ଜୀବନ ରକ୍ଷାକାରୀ (Advanced Life Support) ଆମ୍ବୁଲାନ୍ସ ରାଜ୍ୟବାସୀଙ୍କ ପାଇଁ ଲୋକାର୍ପିତ କରିଛନ୍ତି । ଏହା ଦ୍ୱାରା ରାଜ୍ୟର ପ୍ରତ୍ୟେକ ବ୍ଲକକୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ଯେ, ୨୦୧୩ ମାର୍ଚ୍ଚ ୫ ରେ ରାଜ୍ୟରେ ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା ୬୨୪ଟି ଆମ୍ବୁଲାନ୍ସ ସାରା ରାଜ୍ୟରେ ୩୦ଟି ଜିଲ୍ଲାର ଲୋକଙ୍କୁ ମାଗଣା ସେବା ଯୋଗାଇ ଦେଇ ଆସୁଅଛି । ଏହି ୬୨୪ଟି ଆମ୍ବୁଲାନ୍ସ ମଧ୍ୟରୁ ୫୧୨ଟି ମୌଳିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ଓ ୧୧୨ଟି ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ । ଏହା ସହିତ ୬ଟି ବୋଟ୍ ଆମ୍ବୁଲାନ୍ସ ମଧ୍ୟ କାର୍ଯ୍ୟ କରୁଛି ।

ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ଆହୁରି ଉନ୍ନତି ଆଣିବା ପାଇଁ ୯୨ଟି ନୂଆ ଜରୁରୀକାଳୀନ ଆମ୍ବୁଲାନ୍ସ ପର୍ଯ୍ୟାୟକ୍ରମେ ଯୋଗାଇଦେବାପାଇଁ ବ୍ୟବସ୍ଥା ହୋଇଥିବାବେଳେ ସେଥିମଧ୍ୟରୁ ୨୪ଟି ନୂଆ ଆମ୍ବୁଲାନ୍ସ କିଣାଯାଇ ସାରିଛି । ଏଥି ପାଇଁ ୯.୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହାଛଡା ୨୯୯ଟି ମୌଳିକ ଜୀବନରକ୍ଷାକାରୀ ଆମ୍ବୁଲାନ୍ସକୁ ରୂପାନ୍ତରିତ କରାଯାଇ ଅତ୍ୟାଧୁନିକ ଜୀବନରକ୍ଷାକାରୀ ଆମ୍ବୁଲାନ୍ସ ରେ ପରିଣତ (BLS converted to ALS) କରାଯାଇ ଆଜିଠାରୁ କାର୍ଯ୍ୟକାରୀ କରାଗଲା । ଏହି ଉନ୍ନତିକରଣ ପରେ ରାଜ୍ୟରେ ମୋଟ ଅତ୍ୟାଧୁନିକ ଜାବନରକ୍ଷାକାରୀ ଆମ୍ବୁଲାନ୍ସ ସଂଖ୍ୟା ୪୧୧ ରେ ପହଞ୍ଚିଲା। ଏହି ଉନ୍ନତିକରଣ ପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ମୋଟ ୫୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହା ଦ୍ୱାରା ପ୍ରତ୍ୟେକ ବ୍ଲକରେ ସର୍ବନିମ୍ନ ଗୋଟିଏ ଅତ୍ୟାଧୁନିକ ଜାବନରକ୍ଷାକାରୀ ଆମ୍ବୁଲାନ୍ସ ସେବା ଯୋଗାଇ ଦେଇପାରିବ ।

ଏହା ବ୍ୟତିତ ଗର୍ଭବତୀ ମା ଓ ଅସୁସ୍ଥ ଶିଶୁଙ୍କୁ ଡାକ୍ତରଖାନା ନେବା ଆଣିବା ନିମନ୍ତେ ୫୦୦ଟି ଜନନୀ ଏକ୍ସପ୍ରେସ୍ ଆମ୍ବୁଲାନ୍ସ ମଧ୍ୟ କାର୍ଯ୍ୟ କରୁଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୮୮ଲକ୍ଷ ରୁ ଉର୍ଦ୍ଧ୍ୱ ଲୋକ ବିଭିନ୍ନ ଆମ୍ବୁଲାନ୍ସ ସେବା ଦ୍ୱାରା ଉପକୃତ ହୋଇଛନ୍ତି ।ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ , ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ୍ ,ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ.

ମୋ ସରକାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ…

() ମୋ ସରକାର ସମୀକ୍ଷା ଲୋକଙ୍କ ଫିଡ୍‌ବ୍ୟାକକୁ ଭିତ୍ତିକରି ଭଲ କାମ ପାଇଁ ପ୍ରଶଂସା ଓ ଅବହେଳା ପାଇଁ ଦଣ୍ଡ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ।

ପେନ୍‌ସନ୍‌ ପ୍ରଦାନରେ ବିଳମ୍ବ ଆଦୌ ଗ୍ରହଣୀୟ ନୁହେଁ, ପ୍ରତ୍ୟେକ ବିଭାଗ ସମୀକ୍ଷା କରି ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

ସ୍ବାସ୍ଥ୍ୟ ଓ ରାଜସ୍ବ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା,

୩,୭୦,୦୦୦ ପଟ୍ଟା ୭ ଦିନ ମଧ୍ୟରେ ପ୍ରଦାନ କରାଯାଇଛି।

ସ୍ବାସ୍ଥ୍ୟ ବିଭାଗରେ ୯୯ ପ୍ରତିଶତରୁ ଅଧିକ ଫିଡ୍‌ବ୍ୟାକ ଅତ୍ୟନ୍ତ ଉତ୍ତମ (Outsanding)।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କରି ଅଧିକାରୀ ମାନଙ୍କୁ ନିୟମିତ ଫିଡବ୍ୟାକ ସଂଗ୍ରହ କରିବାକୁ ପରାମର୍ଶ ଦେବା ସହିତ ଭଲ ଫିଡ୍‌ବ୍ୟାକକୁ ଭିତ୍ତିକରି ଅଧିକାରୀ ମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିବା ସହିତ ଅବହେଳା ପାଇଁ ଦଣ୍ଡ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜିର ସମୀକ୍ଷାରେ ସ୍ବାସ୍ଥ୍ୟ, ରାଜସ୍ବ, ଗୃହ, କୃଷି ଓ ଅନ୍ୟାନ୍ୟ ବିଭାଗ ସେମାନଙ୍କ ମୋ ସରକାର କାର୍ଯ୍ୟକ୍ରମ ଉପରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନା ରଖିଥିଲେ।ରାଜସ୍ବ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମ ଦ୍ବାରା କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଛି ବୋଲି ସମୀକ୍ଷାରୁ ଜଣାଯାଇଛି । ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଦେବାର ସମୟ ସୀମା ବହୁତ କମିଯାଇଛି। ପୂର୍ବରୁ ମ୍ୟୁଟେସନ କେସ୍‌ ଗୁଡିକରେ ଫଇସଲା ପାଇଁ ୧୦୦ରୁ ୧୫୦ ଦିନ ଲାଗୁ ଥିବା ବେଳେ, ୨୦୨୩-୨୪ରେ ଏହା ୨୧ ଦିନରୁ କମ୍‌ ସମୟ ଲାଗୁଛି । ଏପରିକି ୩,୭୦,୦୦୦ ପଟ୍ଟା ୭ ଦିନ ମଧ୍ୟରେ ପ୍ରଦାନ କରାଯାଇଛି। ସେହିପରି ବିଭିନ୍ନ ସାର୍ଟିଫିକେଟ ପ୍ରଦାନ କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଉନ୍ନତି ଆସିଛି ବୋଲି ସୂଚନା ଦିଆଯାଇଥିଲା ।

ରାଜସ୍ବ ବିଭାଗରେ ଫିଡବ୍ୟାକ ଭିତ୍ତିରେ ୬ ଜଣ ଓଏଏସ୍‌ ଅଧିକାରୀଙ୍କୁ ସମୟ ପୂର୍ବରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବାବେଳେ, ୩୨ ଜଣ ଓଏଏସ୍‌ ଅଧିକାରୀ ଓ ୧୪ ଜଣ ଓଆରଏସ୍‌ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି । ୪ ଜଣ ଓଏଏସ୍‌ ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି। ୧୧ ଜଣ ଓଏଏସ୍‌ ଅଧିକାରୀଙ୍କ ଗ୍ରାଚ୍ୟୁଇଟି ଓ ପେନ୍‌ସନ୍ ବନ୍ଦ କରାଯାଇଛି । ସେହିପରି ୬୭ ଜଣ ଓଏଏସ୍‌ ଅଧିକାରୀ ଓ ୩୦ ଜଣ ଓଆରଏସ୍‌ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍ବାସ୍ଥ୍ୟ ବିଭାଗର ୯୯ ପ୍ରତିଶତରୁ ଅଧିକ ଫିଡବ୍ୟାକ ଆଉଟଷ୍ଟାଣ୍ଡିଂ ବା ଅତି ଭଲ ଅଛି ବୋଲି ଜଣାଯାଇଛି । ସରକାରୀ ହସ୍‌ପିଟାଲରେ ମାଗଣା ଚିକିତ୍ସା ମିଳୁଥିବା ବେଳେ, ବେସରକାରୀ ହସ୍‌ପିଟାଲ ଗୁଡିକରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ରୂପାୟନ କ୍ଷେତ୍ରରେ ସାମାନ୍ୟ ଅବହେଳା ହେଲେ, ତୁରନ୍ତ ପଦକ୍ଷେପ ନିଆଯାଉଛି । ପେନ୍‌ସନ ପ୍ରଦାନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସବୁ ବ୍ୟବସ୍ଥା ସତ୍ତ୍ବେ ଅବସରପ୍ରାପ୍ତ କର୍ମଚାରୀମାନେ ଠିକ୍‌ ସମୟରେ ପେନ୍‌ସନ୍‌ ପାଉନାହାନ୍ତି। ତେଣୁ ପ୍ରତ୍ୟେକ ବିଭାଗ ଏହାକୁ ସମୀକ୍ଷା କରି ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ପଦୋନ୍ନତି କ୍ଷେତ୍ରରେ ମଧ୍ୟ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ କହିଲେ ଯେଉଁସବୁ କ୍ଷେତ୍ରରେ ନିୟମିତ ଭାବରେ ଭଲ ଫିଡବ୍ୟାକ ମିଳୁନାହିଁ, ସେ ସବୁ କ୍ଷେତ୍ରରେ ଯୋଜନାର ବ୍ୟବସ୍ଥାକୁ ପରିବର୍ତ୍ତନ କରି ସେଥିରେ ଅଧିକ ଉନ୍ନତି ଆଣିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ରାଜ୍ୟ ସରକାରଙ୍କ ସବୁ କାର୍ଯ୍ୟକ୍ରମ ଓ ଯୋଜନାକୁ ଦକ୍ଷ ଭାବରେ କାର୍ଯ୍ୟକାରୀ କରିବାର ଉଦ୍ଦେଶ୍ୟ ନେଇ ମୋ ସରକାର ଫିଡ୍‌ବ୍ୟାକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସେ କହିଥିଲେ । ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିଲେ।

ବି.ଏସ୍.କେ.ୱାଇ. ରେ ଅଗ୍ରଗତି…

() ବି.ଏସ୍.କେ.ୱାଇ. ରେ ଉଲ୍ଲେଖନୀୟ ଅଗ୍ରଗତି।

ସାମିଲ ହେଲେ ୬୮୧ ଘରୋଇ ସୁପର ସ୍ପେସାଲିଟି ହସ୍ପିଟାଲ,

ହସ୍ପିଟାଲସ୍ତରରେ ରୋଗୀମାନଙ୍କ ସହାୟତା ପାଇଁ ୬୬୮ ଛାମୁଆ କର୍ମଚାରୀ।

{} ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ନିମନ୍ତେ ଓଡିଶା ସରକାରଙ୍କ ଅନନ୍ୟ ପ୍ରଚେଷ୍ଟା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ.) ଇତି ମଧ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ଯୋଜନାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ାକ୍ତର ବୃନ୍ଦା ଡ଼ି. ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆନ୍ତରୀଣ ସମୀକ୍ଷାରୁ ଏହା ଜଣାପଡିଛି ।

ଯୋଜନାର କାର୍ଯ୍ୟାୟନ ଅଗ୍ରଗତି ସମୀକ୍ଷା କରି ହସ୍ପିଟାଲ ସ୍ତରରେ ରୋଗୀମାନଙ୍କ ସହାୟତା ନିମନ୍ତେ ସର୍ବଦା ଉତ୍ସଗୀକୃତ ଭାବେ କାର୍ଯ୍ୟ କରିବା ପାଇଁ ଡ଼ଃ ବୃନ୍ଦା ଜିଲ୍ଲା ସଂଯୋଜକ ଓ ସ୍ୱାସ୍ଥ୍ୟ ମିତ୍ର ଆଦି ଛାମୁଆ କର୍ମଚାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ଦାୟୀତ୍ୱ ଦିଆାଯାଇଥିବା ହସ୍ପିଟାଲର ବିଭିନ୍ନ ବିଭାଗ, ନିଦାନ କେନ୍ଦ୍ର, ୱାର୍ଡ, ଆଇ.ସି.ୟୁ. ରୋଗୀ ଓ ସହାୟକମାନଙ୍କ ପାଇଁ ଥିବା ସୁବିଧା କେନ୍ଦ୍ର, ଆନୁସଂଗିକ ସେବା ସୁବିଧା ଆଦି ବିଷୟରେ ସଂପୂର୍ଣ୍ଣ ଅବଗତ ରହି ଲୋକମାନଙ୍କୁ ନିର୍ଭରଯୋଗ୍ୟ ସୂଚନା ଦେବା ସହ ବି.ଏସ୍.କେ.ୱାଇ କାର୍ଡଧାରୀ ରୋଗୀମାନଙ୍କର ପଞୀକରଣ, ଆଡମିଶନ୍, ନିଦାନ ପରୀକ୍ଷା ନିରୀକ୍ଷା ଓ ଚିକିତ୍ସାପରେ ହସ୍ପିଟାଲରୁ ଡ଼ିସଚାର୍ଯ୍ ଆଦି କାମରେ ସିଧାସଳଖ ସହଯୋଗ କରିବା ପାଇଁ ନିର୍ଦେଶ ଦେଇଥିଲେ । ବିଶେଷତଃ ଦୂରଦୁରାନ୍ତ ଗ୍ରାମରୁ ଆସିଥିବା ମହିଳା, ବୃଦ୍ଧ, ଦିବ୍ୟାଙ୍ଗ ଓ ନିଃସହାୟ ବ୍ୟକ୍ତିମାନଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ଡ଼ଃ ବୃନ୍ଦା ନିର୍ଦେଶ ଦେଇଥିଲେ ।

ନୋଡାଲ୍ ଅଫିସରମାନେ ନିୟମିତଭାବେ ତାଲିକାଭୁକ୍ତ ହସ୍ପିଟାଲମାନଙ୍କ ସହ ହ୍ୱାଟସ୍ ଆପ୍ ଗ୍ରୁପ୍ ଓ ଭିଡିଓ କନଫେରନସିଂ ଆଦି ମାଧ୍ୟମରେ ସଂଯୋଜିତ ରହି ବି.ଏସ୍.କେ.ୱାଇ. ର ପ୍ରକ୍ରିୟାଗତ ବୈଷୟିକ ବିଷୟର ଆଶୁ ସମାଧାନ ପାଇଁ ପରାମର୍ଶ ଦେଇଥିଲେ ।  ପ୍ରାପ୍ତ ସୂଚନାରୁ ଜଣାପଡିଛି, ଚଳିତ ମାସ ସୁଦ୍ଧା ଏହି ଯୋଜନାରେ ୬୮୧ ଟି ଘରୋଇ ସୁପର ସ୍ପେସାଲିଟି ହସ୍ପିଟାଲ ସାମିଲ୍ ହୋଇଛନ୍ତି । ତାଲିକାଭୁକ୍ତ ହସ୍ପିଟାଲ୍ ମଧ୍ୟରୁ ୫୫୫ ଟି ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ଅବସ୍ଥିତ ଏବଂ ୧୨୬ ଟି ଓଡ଼ିଶା ବାହାର ରାଜ୍ୟମାନଙ୍କରେ ଅବସ୍ଥିତ । ବିଶେଷତଃ ଆସାମ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମ ବଙ୍ଗଳା, ମହାରାଷ୍ଟ୍ର, ଦିଲ୍ଲୀ, ଗୁଜୁରାଟ, ପଂଜାବ, ତାମିଲନାଡୁ, ହରିୟାଣା, ଉତ୍ତର ପ୍ରଦେଶ, ଝାଡଖଣ୍ଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ଉତ୍ତରାଖଣ୍ଡ ଆଦି ରାଜ୍ୟର ପ୍ରସିଦ୍ଧ ସୁପର ସ୍ପେସାଲିଟି ହସ୍ପିଟାଲମାନେ ବି.ଏସ୍.କେ.ୱାଇ. ଯୋଜନାରେ ଯୋଗ ଦେଇଛନ୍ତି । ଶ୍ରୀ ଶଙ୍କର କ୍ୟାନସର୍ ପ୍ରତିଷ୍ଠାନ, ଟାଟା ମେଡ଼ିକାଲ ସେଣ୍ଟର୍, ଟାଟା ମେମୋରିଆଲ୍ ହସ୍ପିଟାଲ ଗ୍ରୁପ୍, ଫୋର୍ଟିସ୍ ହେଲଥ୍ କେୟାର ଗ୍ରୁପ୍, ଖ୍ରୀଷ୍ଟିୟାନ୍ ମେଡ଼ିକାଲ କଲେଜ ଓ ନାରାୟଣ ହୃଦାଳୟ ପରି ବିଶ୍ୱସ୍ତରୀୟ ହସ୍ପିଟାଲମାନେ ମଧ୍ୟ ବି.ଏସ୍.କେ.ୱାଇ. ଅନ୍ତର୍ଭୁକ୍ତ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ରୋଗୀମାନଙ୍କୁ ସହାୟତା ପାଇଁ ତାଲିକାଭୁକ୍ତ ହସ୍ପିଟାଲ ସ୍ତରରେ ୬୬୮ ଛାମୁଆ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୧୪ ଜଣ ସ୍ୱାସ୍ଥ୍ୟମିତ୍ର ଏବଂ ୬୫ ଜଣ ଜିଲ୍ଲା ସଂଯୋଜକ ଭାବେ କାର୍ଯ୍ୟରତ । ଏହାଛଡା ହସ୍ପିଟାଲରେ ନିର୍ବିଘ୍ନ ରୋଗୀ ସେବାର ପରିଚାଳନା ନିମନ୍ତେ ୧୧୬ ଜଣ ଅଭିଜ୍ଞ ଓ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ କର୍ତ୍ତବ୍ୟରତ ଅଛନ୍ତି । ସମୁଦାୟ ବ୍ୟବସ୍ଥାକୁ ଏକ ଅତ୍ୟାଧୁନିକ ଅନଲାଇନ ୱେବ୍ ପୋର୍ଟାଲ୍ ମାଧ୍ୟମରେ ପ୍ରକୃତ ସମୟ (ରିୟଲ୍ ଟାଇମ୍) ଭିତ୍ତିରେ ତଦାରଖ ଓ ପରିଚାଳନା କରାଯାଉଛି । ତାଲିକାଭୁକ୍ତ ହସ୍ପିଟାଲମାନଙ୍କର ସୂଚନା www.bsky.gov.in ରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସନ୍ନିବଶିତ କରାଯାଇଛି । ବାହାର ରାଜ୍ୟରେ ରହୁଥିବା ବି.ଏସ୍.କେ.ୱାଇ. କାର୍ଡ଼ଧାରୀ ଓଡ଼ିଶା ଲୋକ ଚିକିତ୍ସା ଦରକାର ହେଲେ ଏହି ୱେବ୍ ସାଇଟରେ ବି.ଏସ୍.କେ.ୱାଇ. ତାଲିକାଭୁକ୍ତ ହସ୍ପିଟାଲ ନାମ ଦେଖି ଯିବା ପାଇଁ ପରାମର୍ଶ ଦିଆଯାଇଛି ।

କଲମ୍ବୋରେ ଆୟୋଜିତ ଆଇଆଇଆଇଇ ସିଇଓ ସମ୍ମିଳନୀରେ ସୋଆ ସମ୍ମାନିତ…

() ଜାତୀୟ ସ୍ତରୀୟ ବୃତିଗତ ଅନୁଷ୍ଠାନ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂ (ଆଇଆଇଆଇଇ) ପକ୍ଷରୁ ଶ୍ରୀଲଙ୍କାର କଲମ୍ବୋରେ ନିକଟରେ ଆୟୋଜିତ ଏହାର ୨୩ତମ ସିଇଓ ସମ୍ମିଳନୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ସମ୍ମାନଜନକ “ପରଫର୍ମାନ୍ସ ଏକ୍ସିଲେନ୍ସ ଆୱାର୍ଡ”ରେ ସମ୍ମାନିତ କରାଯାଇଛି ।ସୋମବାର ଆଇଆଇଆଇଇ ଜାତୀୟ କାଉନ୍‌ସିଲ୍‌ର ଅଧ୍ୟକ୍ଷ ଡକ୍ଟର ଅମୀୟ ବେହେରା ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଏଠାରେ ଭେଟି ଏହି ସମ୍ମାନ ପ୍ରଦାନ କରିଛନ୍ତି ।

କାର୍ଯ୍ୟଧାରାରେ ଶ୍ରେଷ୍ଠତା ହାସଲ କରିବାର ଲକ୍ଷ୍ୟ ନେଇ ଅବିରତ ଉଦ୍ୟମ ଜାରି ରଖିଥିବାରୁ ସୋଆକୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଡକ୍ଟର ବେହେରା କହିଛନ୍ତି । ବିଗତ ୬ ଦଶନ୍ଧି ହେବ ଆଇଆଇଆଇଇ ଇଣ୍ଡଷ୍ଟିଆଲ୍ ଇଞ୍ଜିନିୟରିଂ କ୍ଷେତ୍ରକୁ ପରିବ୍ୟାପ୍ତ, ବିକଶିତ ଓ ଉନ୍ନତ କରିବାର ଲକ୍ଷ୍ୟ ନେଇ କାର୍ଯ୍ୟ କରିଆସୁଛି ।

ଏହି ସମ୍ମିଳନୀଟି ମେ’ ୫ ରୁ ୭ ତାରିଖ ପର୍ଯ୍ୟନ୍ତ କଲମ୍ବୋ ଠାରେ ଆୟୋଜିତ ହୋଇଥିବା ବେଳେ ଏହି ସମ୍ମିଳନୀରେ ପ୍ରସଙ୍ଗ ଥିଲା “ସର୍କୁଲାର ଇକୋନୋମି ଆଣ୍ଡ ଷ୍ଟ୍ରାଟେଜିକ୍ ସଷ୍ଟେନେବଲ ଡେଭଲପ୍‌ମେଂଟ” । ବିଶ୍ୱସ୍ତରୀୟ ବ୍ୟବସ୍ଥାକୁ ଆପଣାଇଥିବା ଅନୁଷ୍ଠାନମାନଙ୍କୁ ଚିହ୍ନଟ ଓ ସମ୍ମାନିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା । ଏହି ସମ୍ମିଳନୀରେ ମ୍ୟାନେଜମେଂଟ ଗୁରୁ, ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ନେତୃତ୍ୱ, ରାଷ୍ଟ୍ରଦୂତ, ଶିକ୍ଷାବିତ୍‌, ଗଣମାଧ୍ୟମ ବ୍ୟକ୍ତିବିଶେଷ, କର୍ପୋରେଟ ନେତୃତ୍ୱ ଏବଂ ବିଶ୍ୱର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ସାମିଲ ହୋଇ ସେମାନଙ୍କର ବିଚାରଧାରା ଓ ଗବେଷଣା ସମ୍ପର୍କିତ ମତ ଉପସ୍ଥାପନ କରିଥିଲେ ।

କାଲି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ…

() ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପରିଚାଳିତ ହାଇସ୍କୁଲ ପରିଷଦର ମାଟ୍ରିକ୍ ପରୀକ୍ଷା ଫଳ ଆସନ୍ତା ୧୮ତାରିଖ ପୂର୍ବାହ୍ନ ପ୍ରାୟ ୧୦ଟା ରେ ପ୍ରକାଶ ପାଇବ। ମାଧ୍ୟମିକ ଶିକ୍ଷା ପରିଷଦ ତଥା (ବୋର୍ଡ) ର ମୁଖ୍ୟ କାର୍ଯ୍ୟାଳୟ ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏବଂ ସଚିବଙ୍କ ଦ୍ଵାରା ଉନ୍ମୋଚିତ ହେବ। ମଧ୍ୟାହ୍ନ ପ୍ରାୟ ୧୨ଟାରୁ ବୋର୍ଡ଼ ୱେବସାଇଟ ରେ ଛାତ୍ରଛାତ୍ରୀ ମାନେ ନିଜର ପରୀକ୍ଷା ଫଳ ଜାଣିପାରିବେ । ଛାତ୍ରଛାତ୍ରୀ ମାନେ sms ଦ୍ଵାରା ମଧ୍ୟ ନିଜର ପରୀକ୍ଷା ଫଳ ଜାଣିପାରିବେ। ଏଥିପାଇଁ ସେ ନିଜ ମୋବାଇଲରୁ OR-10 ସହ ନିଜର ରୋଲ୍ ନମ୍ବର ଟାଇପ୍ କରି ୫୬୭୬୫୦ କୁ sms କରି ନିଜ ପରୀକ୍ଷା ଫଳ ଜାଣିପାରିବେ। ପରିକ୍ଷାର୍ଥୀ ପାଇଥିବା ନମ୍ବର ରେ କିଛି ତ୍ରୁଟି ଥିଲେ ସେ ମାନେ ଏହି ନମ୍ବରରେ ୦୬୭୧-୨୪୧୫୪୬୦ ଯୋଗାଯୋଗ କରି ନିଜର ଅସୁବିଧା ଜଣାଇ ପାରିବେ। ଯଦି ଛାତ୍ରଛାତ୍ରୀ ମାନେ ନିଜର ପରୀକ୍ଷା ଖାତା କୁ ପୁନଃ ମୂଲ୍ୟାୟନ କରିବା ପାଇଁ ଚାହିଁଲେ ତେବେ ତାଙ୍କୁ ଏକ ମାସର ସମୟ ଦିଆଯିବ ବୋଲି ବୋର୍ଡ ପକ୍ଷରୁ ଜଣାଯାଇଛି। ବୋର୍ଡ ପକ୍ଷରୁ ଛାତ୍ରଛତ୍ରୀମାନଙ୍କୁ ଗ୍ରେସ ମାର୍କ ପ୍ରଦାନ କରାଯାଇଛି। ତ୍ରୁଟି ଶୂନ୍ୟ ପରୀକ୍ଷା ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ବୋର୍ଡ ଆଶା ବ୍ୟକ୍ତ କରିଛି।

କଂଗ୍ରେସ ଭବନରେ କର୍ଣ୍ଣାଟକ ବିଜୟ ଉତ୍ସବ ପାଳନ..

( ) କର୍ଣ୍ଣାଟକର କଂଗ୍ରେସର ବିପୁଳ ଓ ବୃହତ୍ତ ବିଜୟକୁ ଆନନ୍ଦ ଓ ଉଲ୍ଲାସ ସହ ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପାଳନ କରାଯାଇଥିଲା । ଆଜି ଦିନ ତମାମ କଂଗ୍ରେସର କର୍ମୀ ଓ ନେତୃବର୍ଗ ପରସ୍ପରକୁ ମିଷ୍ଟ୍ରାନ ଦେବା ସହ ବାଜା, ବାଣ ଫୁଟାଇ ଏହି ବିଜୟ ଉତ୍ସବକୁ ମନାଇଥିଲେ । ଏହି ପରିପ୍ରେକ୍ଷିରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଛନ୍ତି ଯେ, କର୍ଣ୍ଣାଟକର ବିପୁଳ ବିଜୟ ସମ୍ମାନନୀୟ ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ କାର୍ଯ୍ୟକ୍ରମର ପ୍ରତିଫଳନ । ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖର୍ଗେ, ସମ୍ମାନନୀୟା ସୋନିଆ ଗାନ୍ଧୀ ଓ ପ୍ରୀୟଙ୍କା ଗାନ୍ଧୀଙ୍କ ନିର୍ବାଚନ ପ୍ରଚାର କର୍ଣ୍ଣାଟକର ସାଧାରଣ ଜନତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଂହକାରଙ୍କୁ ସାଧାରଣ ଜନତା ବୁଝିପାରିଥିଲେ । କର୍ଣ୍ଣାଟକରେ ୪୦ ପ୍ରତିଶତ କମିଶନୀ ସରକାର, ଡବଲ ଇଞ୍ଜିନ୍ ସରକାର ଓ ପ୍ରଧାନମନ୍ତ୍ରୀଙ୍କ ଆଶିର୍ବାଦକୁ କର୍ଣ୍ଣାଟକବାସୀ ପ୍ରତ୍ୟାଖାନ କରିଛନ୍ତି ବୋଲି ଏଥିରୁ ସ୍ପଷ୍ଟ ପ୍ରମାଣିତ । ରାଜ୍ୟରେ ଦୁର୍ନୀତି, କୁଶାସନ, ବେରୋଜଗାର, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଧାର୍ମିକ ଅସହିସ୍ମୃତା ଏହି ନିର୍ବାଚନରେ ପ୍ରସଙ୍ଗ ରହିଥିଲା । ଏହି ବିଜୟ ପାଇଁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କର୍ଣ୍ଣାଟକର ପ୍ରଦେଶ ସଭାପତି ଏବଂ କର୍ଣ୍ଣାଟକର ଅଗଣିତ କର୍ମୀ ଓ ସାଧାରଣ ଜନତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଜିର କର୍ଣ୍ଣାଟକର ବିଜୟ ଉତ୍ସବ କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବିଧାୟକ ସୁରେଶ କୁମାର ରାଉତରାୟ, ସୁରେଶ ମହାପାତ୍ର, କିଶୋର ଜେନା, ବନ୍ଦୀତା ପରିଡ଼ା, ମାନସ ଚୌଧୁରୀ, ଯୁଧିଷ୍ଠିର ଜେନା, ବିଶ୍ୱଜିତ୍ ଦାସ, ମନୋରଞ୍ଜନ ଦାସ, ୟାସିର ନୱାଜ, ଜିୟା ଉଲ୍ ହକ୍‌, ବାଙ୍କନିଧି ବେହେରା, ହଳଧର ସେଠୀ, ବିସ୍ମୟ ମହାପାତ୍ର , ଶ୍ରୀନିବାସ ରାଉତରାୟ, ମାନସ ଆଚାର୍ଯ୍ୟ, ଚିନ୍ମୟ ସୁନ୍ଦର ଦାସ, ମନୋଜ ଜେନା, ରଞ୍ଜିତ ପାତ୍ର, ତରୁଣ ମିଶ୍ର, ଜ୍ଞାନ ପଟ୍ଟନାୟକ, ମିହିର ଆଚାର୍ଯ୍ୟ, ଦୀପକ ମହାପାତ୍ର, ସୁବ୍ରତ ମହାପାତ୍ର, ଅଶୋକ ଦାସ, ସତ୍ୟବ୍ରତ ନାୟକ, ଗୀତାଞ୍ଜଳୀ ମହାନ୍ତି, ପ୍ରଣତୀ ମିଶ୍ର, କୁସୁମ ପ୍ରଧାନ,

ଜୟଶ୍ରୀ ପାତ୍ର, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ଶ୍ରୀୟାସ୍ମିତା ପଣ୍ଡା, ଜୟକୃଷ୍ଣ ମଲ୍ଲିଆ, ସଞ୍ଜୟ ମିଶ୍ର, ଲିଙ୍ଗରାଜ ସାହୁ, ଜୟନାରାୟଣ ପଟ୍ଟନାୟକ, ଅଜୟ ସାହୁ, ସ୍ୱାଗତ କର, ଅଖିଳେଷ ଯାଦବ, ବୁନା ମହାନ୍ତି, ସୁରଜ ରାଉତ, ସାରରୁଖ୍ ଖାଁ, ଖଗେଶ୍ୱର ମଲ୍ଲିକ, ସାଗର ପଟ୍ଟନାୟକ, ନିଜଲ ଇସ୍‌ଲାମ, ମୁନା ପରିଡ଼ା, ଚିତ ନାୟକ, ଅଭିନାଷ ନନ୍ଦ, ରଞ୍ଜିତ ସେନାପତି, ଶ୍ରୀଧର ବଳିଆରସିଂ, ସୁଧାଂଶୁ ମହାନ୍ତି, ରସିକ ପଟ୍ଟନାୟକ, ସରୋଜ ଦାସ, ଉଦିଦ୍ ପ୍ରଧାନ, ବିରଞ୍ôଚ ଦାସ, ଦୁଲାଲ ପ୍ରଧାନ, ଜୟକୃଷ୍ଣ ସୁବୁଧି, ଅକ୍ଷୟ ଦାସ, ବରଦା ଦାସ, ନରୋତ୍ତମ ନାୟକ, ସାଗର ରଞ୍ଜନ ପରିଡ଼ା, ଅମେରଶ ପରିଡ଼ା ପ୍ରମୁଖ ବହୁ ସଂଖ୍ୟାରେ ଛାତ୍ର, ଯୁବ ମହିଳା ଓ କଂଗ୍ରେସ ଶୁଭେଚ୍ଛୁ ଯୋଗ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଉତୁଙ୍ଗ ଉଦ୍ୟମ- ପାହାଡ ରେ ସୁଡ଼ଙ୍ଗ କରି ଦିଆଯିବ ପାଣି …

() ୫-ଟି ସଚିବଙ୍କ ଗଜପତି ଗସ୍ତର ଦ୍ବିତୀୟ ଦିନ

ମୁଖ୍ୟମନ୍ତ୍ରୀଙ୍କ ଉତୁଙ୍ଗ ଉଦ୍ୟମ- ପାହାଡ ରେ ସୁଡ଼ଙ୍ଗ କରି ଦିଆଯିବ ପାଣି  ।

ଛେଳିଗଡ ଜଳସେଚନ ପ୍ରକଳ୍ପ ଖୁବ ଶୀଘ୍ର ଆରମ୍ଭ କରିବାକୁ ୫-ଟି ସଚିବଙ୍କ ପରାମର୍ଶ ।

ଗଞ୍ଜାମ ଓ ଗଜପତିର ୬୬୨୦ ହେକ୍ଟର ଜମିକୁ ମିଳିବ ପାଣି, ବ୍ରହ୍ମପୁର ସହରକୁ ପ୍ରତି ସେକଣ୍ଡରେ ଏକ କ୍ୟୁବିକ ମିଟର ପିଇବା ପାଣି ଖର୍ଚ୍ଚ ହେବ ୯୩୬.୬୩ କୋଟି।

ଚାଳିଶ କୋଟି ଟଙ୍କା ବ୍ୟୟ ରେ ପାରଳାଖେମୁଣ୍ଡି ବାଇପାସ୍ ହେବ ।

ସଂସ୍କୃତି ଭବନ ଓ ଟାଉନ ହଲ୍ ପାଇଁ 6.5 କୋଟି ଖର୍ଚ ହେବ ।

{}  ଜନସାଧାରଣଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ଉଦ୍ୟମ ରତ। ଓଡିଶାର ରୂପାନ୍ତର ପାଇଁ ଅନେକ ପଦକ୍ଷେପ ନେଇ ରାଜ୍ୟର ବିକାଶ ମାନଚିତ୍ରରେ ଆଣିଛନ୍ତି କାୟାକଳ୍ପ । ଗତକାଲି ବିଜୁ ଏକ୍ସପ୍ରେସ ୱେ-୨ ର ନିର୍ମାଣ ପାଇଁ ପାହାଡ କାଟି ଟନେଲ ଜରିଆରେ ରାସ୍ତା ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ଯାହାକି ଦକ୍ଷିଣ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏବେ ଗଞ୍ଜାମ ଓ ଗଜପତିରେ ପାଣି ଯୋଗାଇବା ପାଇଁ ପାହାଡ ଖୋଳି ଟନେଲ ତିଆରି କରି ଛେଳିଗଡ ଜଳସେଚନ ପ୍ରକଳ୍ପ ପାଇଁ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ତୁରନ୍ତ କାମ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି । ଶ୍ରୀ ପାଣ୍ଡିଆନ ଆଜି ତାଙ୍କର ଗଜପତି ଗସ୍ତର ଦ୍ବିତୀୟ ଦିନରେ ଛେଳିଗଡ ଜଳସେଚନ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ଅଧିକାରୀ ମାଆଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ସେ ଟନେଲ କାର୍ଯ୍ୟ ପରିଦର୍ଶନ କରିଥିଲେ । ଜଳସେଚନ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ଶ୍ରୀ ପାଣ୍ଡିଆନ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣଙ୍କ ଅଭିଯୋଗ ଶୁଣି ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଛେଳିଗଡ ଜଳସେଚନ ପ୍ରକଳ୍ପ ଗଜପତି ଜଲ୍ଲାର ଆର. ଉଦୟଗିରି ବ୍ଲକ୍‌ସ୍ଥିତ ଛେଳିଗଡ ଗ୍ରାମରେ କାର୍ଯ୍ୟକାରୀ କରାଯାଉଛି । ଏଥିପାଇଁ ୯୩୬.୬୩ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିପାଇଁ ୧୨୮୦ ମିଟର ଦୀର୍ଘ ଏକ ଲମ୍ବା ଟନେଲ ଖୋଳାଯାଇଛି । ଏହାଦ୍ବାରା ଗଞ୍ଜାମ ଜିଲ୍ଲାକୁ ପାଣି ଯାଇପାରିବ। ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବାପରେ ଏଥିରେ ୫୨୦୧ ହେକ୍ଟର ମିଟର ପାଣି ସଂରକ୍ଷିତ କରି ରଖାଯାଇପାରିବ ଏବଂ ଗଞ୍ଜାମ ଜିଲ୍ଲାର ୫୭୬୦ ହେକ୍ଟର ଓ ଗଜପତିର ୫୦୦ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ । ଏହାଦ୍ବାରା ବ୍ରହ୍ମପୁର ସହରକୁ ପିଇବା ପାଣି ମଧ୍ୟ ଯୋଗାଇ ଦିଆଯିବ। ବ୍ରହ୍ମପୁର ସହରକୁ ପ୍ରତି ସେକେଣ୍ଡରେ ଏକ କ୍ୟୁବିକ୍‌ ମିଟର ( 1 Cumecs) ପାଣି ମିଳିପାରିବ। ଏହାସହିତ ଗଜପତି ଜିଲ୍ଲାର ଶିଆଳି ଲଟି, କନକତା ଓ ଡେକିଲି ଆଦି ୩ଟି ସ୍ଥାନରେ ମିନି ହାଇଡେଲ ପ୍ରକଳ୍ପ ଜରିଆରେ ୩୬ ମେଗାୱାଟ ବିଦ୍ୟୁତ ମଧ୍ୟ ଉତ୍ପାଦନ କରାଯାଇପାରିବ ।ଏଥିରେ ୧୫ଟି ଗାଁର କ୍ଷତିଗ୍ରସ୍ତ ଲୋକମାନଙ୍କ ପାଇଁ ୭ଟି ପୁନର୍ବାସ ଓ ଥଇଥାନ କଲୋନୀ କରାଯିବ ଏବଂ ୩ଟି ଥଇଥାନ କଲୋନୀର କାର୍ଯ୍ୟ ସଂପୂର୍ଣ୍ଣ ହେବା ସହିତ ଏଠାରେ ଲୋକମାନେ ରହିବା ଆରମ୍ଭ କଲେଣି। ବାକି ୪ଟିର ନିର୍ମାଣ କାର୍ଯ୍ୟ ଚାଲିଛି । ଏହାକୁ ଖୁବଶୀଘ୍ର ସଂପୂର୍ଣ୍ଣ କରିବାକୁ ଶ୍ରୀ ପାଣ୍ଡିଆନ ପରାମର୍ଶ ଦେଇଥିଲେ । ୨୦୨୫-୨୬ ସୁଦ୍ଧା ଏହା ପ୍ରକଳ୍ପ ସଂପୂର୍ଣ୍ଣ ହେବ ।

ଏହାପରେ ଶ୍ରୀ ପାଣ୍ଡିଆନ ଗୁମ୍ମାରେ ନିର୍ମାଣାଧୀନ ଏକ ବସଷ୍ଟାଣ୍ଡର କାର୍ଯ୍ୟ ଦେଖିଥିଲେ ଏବଂ ଏହାର କାର୍ଯ୍ୟର ମାନକୁ ଉଚ୍ଚକୋଟୀର କରିବା ପାଇଁ ପରାମର୍ଶ ଦେଇଥିଲେ । ସେଠାରେ ଉପସ୍ଥିତ ମିଶନ ଶକ୍ତି ମହିଳା ମାନଙ୍କ ରୁପାନ୍ତରିତ ଆଲୋଚନା କରି ସେମାନଙ୍କ କାର୍ଯ୍ୟର ଉଚ୍ଚପ୍ରଶଂସା କରିଥିଲେ । ଏହାପରେ ଗୁମ୍ମାରେ ଏକ ରୂପାନ୍ତରିତ ହାଇସ୍କୁଲକୁ ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରିଥିଲେ । ସ୍କୁଲରେ ନିର୍ମିତ ହୋଇଥିବା ନୂତନ ଆସେଟ୍‌ ଗୁଡିକୁ ନିଜର ସଂପତ୍ତି ପରି ସୁରକ୍ଷିତ ରଖିବା ପାଇଁ ସେ ପରାମର୍ଶ ଦେବା ସହିତ ଭଲ ପାଠ ପଢି ଓଡିଶାର ସୁନାମ କରିବାକୁ ପିଲାଙ୍କୁ ଉତ୍ସାହିତ କରିଥିଲେ । ଏହାପରେ ସେ ପ୍ରସ୍ତାବିତ ପାରଳାଖେମୁଣ୍ଡି ବାଇପାସ୍‌ ରୋଡ ଅଞ୍ଚଳକୁ ଯାଇଥିଲେ ଏବଂ ଏହାର କାମ ଯେପରି ଶୀଘ୍ର ଆରମ୍ଭ ହେବ, ସେଥିପାଇଁ ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ । ଏହି ବାଇପାସ୍ ପାଇଁ ଚାଳିଶ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

ପରେ ସେଠାରେ ନିର୍ମାଣାଧୀନ ଏକ ନୂତନ ଟାଉନ ହଲ୍‌କୁ ମଧ୍ୟ ବୁଲି ଦେଖିଥିଲେ । ଟାଉନ ହଲ୍ କାମ ଶେଷ କରିବା ପାଈଁ ଦେଢ଼ କୋଟି ଟଙ୍କା ଯୋଗାଇଦିଆ ଯିବ ବୋଲି ଶ୍ରୀ ପାଣ୍ଡିଆନ୍ ସୂଚନା ଦେଇଥିଲେ। ଗଜପତି ଜିଲ୍ଲା କଳା ଓ ସଂସ୍କୃତି ର ଭୂମି ତେଣୁ ପାରଳାଖେମୁଣ୍ଡି ରେ ପାଞ୍ଚ କୋଟି ଟଙ୍କା ବ୍ୟୟରେ ଏକ ସୁଦୃଶ୍ୟ ସଂସ୍କୃତି ଭବନ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ସମ୍ମତି ପ୍ରଦାନ କରିଛନ୍ତି ବୋଲି 5T ସଚିବ prakas କରିଥିଲେ ।ଶେଷରେ ମଧ୍ୟାହ୍ନରେ ରାମସାଗର ଓ କୃଷ୍ଣସାଗର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଜଳସେଚିତ ଅଞ୍ଚଳର ଚାଷୀ ମାନଙ୍କୁ ସହିତ ଆଲୋଚନା କରି ସେମାନଙ୍କ ପାଇଁ ଅଧିକ ସୁବିଧା କରିବାକୁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ ।

,ରାମ ସାଗର ର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ 10 କୋଟି ଟଙ୍କା ଖର୍ଚ ହେବ .ଏଥିପାଇଁ 15 ଦିନ ଭିତରେ DPR ପ୍ରସ୍ତୁତ କରିବା ପାଇଁ 5T secy ପରାମର୍ଶ ଦେଇଥିଲେ । ସେହିପରି ଗୋସାଣୀ ନୂଆଗାଁ block ର କୃଷ୍ନ ସାଗର ର ପୁନରୁଦ୍ଧାର 15 କୋଟି ଟଙ୍କା ରେ କରାଯିବଏହାଦ୍ୱାରା 2000hecter ଜମି ପାଣି ପାଇପାରିବ ।ଏହି ଯୋଜନା ପାଇଁ 15 ଦିନ ଭିତରେ DPR କରିବାକୁ 5T ସଚିବ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର..

() ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୀତିଶ କୁମାର

ବିହାର ଭବନ ପାଇଁ ପୁରୀରେ ଜମି ଦେବେ ଓଡିଶା ସରକାର।

{} ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାର ଆଜି ମଧ୍ୟାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ।

ପରେ ସାମ୍ବାଦିକମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ପୁରୀରେ ବିହାର ଭବନ ପାଇଁ ଓଡିଶା ସରକାର ବିହାର ସରକାରଙ୍କୁ ଦେଢ ଏକର ଜମି ମାଗଣାରେ ଯୋଗାଇଦେବେ । ଜଗନ୍ନାଥ ଧାମ ପୁରୀକୁ ଆସୁଥିବା ବିହାରର ଲୋକମାନଙ୍କ ରହଣି ସୁବିଧା ପାଇଁ ବିହାର ସରକାର ବିହାର ଭବନ ନିର୍ମାଣ ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଏହି ଘୋଷଣା ପାଇଁ ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ ।ଶ୍ରୀ ନୀତିଶ କୁମାର ଆଜି ମଧ୍ୟାହ୍ନରେ ସିଧା ବିମାନ ବନ୍ଦରକୁ ଆସି ନବୀନ ନିବାସରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିହାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଥିଲେ ।

ଶେଷ ଦିନରେ ୪ଟି ଜିଲ୍ଲାର ୩୩୫ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ…

() ୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଷଷ୍ଠ ତଥା ଶେଷ ଦିବସ।

ଆଜି ଶେଷ ଦିନରେ ୪ଟି ଜିଲ୍ଲାର ୩୩୫ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ।

୫-ଟି ସ୍କୁଲ ରୂପାନ୍ତରଣରେ ଭଲ କାମ କରୁଥିବା ପ୍ରତ୍ୟେକ ଜିଲ୍ଲାକୁ ଦିଆଯିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ – ମୁଖ୍ୟମନ୍ତ୍ରୀଙ୍କ ଘୋଷଣା।

ବ୍ଲକ ,ପଞ୍ଚାୟତ ପୂରାତନ ଛାତ୍ରଛାତ୍ରୀ ,ପ୍ରଧାନ ଶିକ୍ଷକ ସମସ୍ତେ ପୁରସ୍କୃତ ହେବେ।

Let’s Celebrate Education, ଆସନ୍ତୁ ଶିକ୍ଷାକୁ ଏକ ମହୋତ୍ସବ ଭାବେ ପାଳନ କରିବା.. 5T ସଚିବ 

ଯାହା ଆମ ସ୍ବପ୍ନ ବି ନ ଥିଲା, ତାହା ଆଜି ସ୍କୁଲ ରୂପାନ୍ତର ରୁ ଆମେ ପାଇଛୁ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ – ଛାତ୍ରଛାତ୍ରୀ।

{} ଆଜି ଥିଲା ତୃତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣର ଶେଷ ଦିନ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍କୁଲ ରୂପାନ୍ତରଣର ଉଲ୍ଲେଖନୀୟ କାର୍ଯ୍ୟରେ ଖୁସି ପ୍ରକାଶ କରି ଏଥିରେ ଭଲ କାମ କରୁଥିବା ଜିଲ୍ଲା ମାନଙ୍କୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ।ସ୍କୁଲ ରୂପାନ୍ତର ରେ ଭଲ କାମ କରିଥିବା ଜିଲ୍ଲା ମାନଙ୍କ ପାଇଁ । ପ୍ରଥମ ପୁରସ୍କାର ୩ କୋଟି ଟଙ୍କା, ଦ୍ବିତୀୟ ପୁରସ୍କାର ୨ କୋଟି ଟଙ୍କା ଓ ତୃତୀୟ ପୁରସ୍କାର ଭାବେ ୧ କୋଟି ଟଙ୍କା ଦିଆଯିବ ବୋଲି ସେ କହିଥିଲେ । ଏଥିପାଇଁ ରାଜ୍ୟସ୍ତରରେ ଏକ ବର୍ଣ୍ଣାଢ୍ୟ ଉତ୍ସବର ଆୟୋଜନ କରାଯାଇ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ସେ କହିଥିଲେ । ସେହିପରି ଏ କ୍ଷେତ୍ରରେ ଭଲ କାମ କରିଥିବା ବ୍ଲକ ମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଦଶଟି ବ୍ଲକ କୁ ପଚାଶ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଭାବରେ ଦିଆଯିବ ।ଏହି ପୁରସ୍କାରର ବିସ୍ତୃତ ବିବରଣୀ ଦେଇ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ ଯେ ରାଜ୍ୟରେ ଶିକ୍ଷା ଉପରେ ଯେତେ ଅଧିକ ପ୍ରତିଯୋଗୀତା ହେବ, ଶିକ୍ଷାର ଗୁଣାତ୍ମକ ମାନ ସେତେ ବୃଦ୍ଧି ପାଇବ। Let’s celebrate education. ଚାଲନ୍ତୁ ଶିକ୍ଷାକୁ ଆମେ ଏକ ମହୋତ୍ସବ ଭାବେ ପାଳିବା। ପ୍ରତିଯୋଗୀତା ମନୋଭାବ ନେଇ ଶିକ୍ଷାର ଉତ୍କର୍ଷ ଲାଭ କରିବା । ସେ କହିଥିଲେ ଯେ କେବଳ ଜିଲ୍ଲା ନୁହେଁ, ବ୍ଲକ୍‌ ନୂହେଁ , ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ପ୍ରଧାନ ଶିକ୍ଷକ, ପଞ୍ଚାୟତ ପ୍ରତିନିଧି ଏବଂ ସ୍କୁଲ ପରିଚାଳନା କମିଟିର ସଦସ୍ୟ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ ବୋଲି ଶ୍ରୀ ପାଣ୍ଡିଆନ କରିଥିଲେ ।

ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଶେଷ ଦିନରେ ୪ଟି ଜିଲ୍ଲାର ୩୩୫ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ କଟକ ଜିଲ୍ଲାର ୯୮ଟି ହାଇସ୍କୁଲ, କଳାହାଣ୍ଡି ଜିଲ୍ଲାର ୧୧୫ଟି, ମାଲକାନଗିରି ଜିଲ୍ଲାର ୪୯ଟି ଏବଂ ଯାଜପୁର ଜିଲ୍ଲାର ୭୩ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ଏହାଦ୍ବାରା ତୃତୀୟ ପର୍ଯ୍ୟାୟରେ ସମୁଦାୟ ୨୧୫୧ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେଲା। ସୂଚନାଯୋଗ୍ୟ ଯେ ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଥିଲା । ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ରୂପାନ୍ତରର ପ୍ରତ୍ୟେକ ସ୍ତରରେ ଜନସାଧାରଣ ସାମିଲ ହୋଇଛନ୍ତି। ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ରୂପାନ୍ତରିତ ସ୍କୁଲର ପରିକଳ୍ପନା ଠାରୁ ଆରମ୍ଭ କରି ରୂପାୟନର ସବୁ ସ୍ତରରେ ସଂଶ୍ଲିଷ୍ଟ ହୋଇଛନ୍ତି । କେଉଁ କାର୍ଯ୍ୟରେ କେତେ ଖର୍ଚ୍ଚ ହେଉଛି, ସେ ବିଷୟରେ ମଧ୍ୟ ସେମାନେ ଜାଣନ୍ତି। ତେଣୁ ସ୍କୁଲ ରୂପାନ୍ତର ହେଉଛି, ଜନ ଭାଗିଦାରୀର ଏକ ପ୍ରକୃଷ୍ଟ ଉଦାହରଣ । ଆଜି ସ୍କୁଲ ରୂପାନ୍ତରର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ବିଧାୟକଗଣ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ୫-ଟି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ୫-ଟି ହେଉଛି ଟେକ୍‌ନୋଲୋଜି, ଟିମ୍‌ୱାର୍କ, ଟ୍ରାନସ୍‌ପରେନ୍‌ସି ବା ସ୍ବଚ୍ଛତା ଏବଂ ଟାଇମ ବା ସମୟ । ଏସବୁର ପ୍ରୟୋଗରେ ଟ୍ରାନ୍‌ସଫରମେସନ ବା ରୂପାନ୍ତର ଆସିଥାଏ । ମୁଖ୍ୟମନ୍ତ୍ରୀ କହିଲେ ଯେ ଟେକ୍‌ନୋଲୋଜିର ପ୍ରୟୋଗରେ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍‌, କମ୍ପ୍ୟୁଟର ଓ ଆଧୁନିକ ଲାବୋରେଟୋରୀର ବିକାଶ କରାଯାଇଛି । ସେହିପରି ଏହି ରୂପାନ୍ତର କାମକୁ ସମସ୍ତଙ୍କ ମିଳିତ ଉଦ୍ୟମରେ କରାଯାଇଛି, ଯାହା ଟିମ୍‌ୱାର୍କର ପ୍ରତୀକ। ସମୟକୁ ଗୁରୁତ୍ବ ଦିଆଯାଇ ସମସ୍ତ କାମ ମଧ୍ୟ ଠିକ୍‌ ସମୟରେ ଶେଷ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏସବୁ କାମରେ ପ୍ରତି ସ୍ତରରେ ସ୍ବଚ୍ଛତା ବା ଟ୍ରାନ୍‌ସପରେନ୍‌ସି ରକ୍ଷା କରାଯାଇଛି। ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରାଯାଇ କାମ କରାଯାଉଛି। ଭିଜନ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି ପ୍ରତ୍ୟେକ କାର୍ଯ୍ୟ ପାଇଁ ହେଉଥିବା ଖର୍ଚ୍ଚ ସଂପର୍କରେ ସମସ୍ତେ ସବୁ ବିଷୟରେ ଜାଣନ୍ତି । ସ୍ବଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି । ଏସବୁ ଦ୍ବାରା ଆସିଛି ରୂପାନ୍ତର । ଯାହାକୁ ଆମେ ସବୁ ଦେଖିପାରୁଛୁ ଓ ଅନୁଭବ କରିପାରୁଛୁ ।  ଏହି ଅବସରରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଡି ହୋଇଥିବା ସ୍କୁଲ ଗୁଡିକରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ୫-ଟିର ଉପଯୋଗ ସଂପର୍କରେ ବୁଝାଇ କହିଲେ ଯେ ବର୍ତ୍ତମାନ ଯୁଗ ହେଉଛି ଟେକ୍‌ନୋଲୋଜିର ଯୁଗ । ଜୀବନର ସବୁ କ୍ଷେତ୍ରକୁ ଟେକ୍‌ନୋଲୋଜି ପ୍ରଭାବିତ କରୁଛି। ତେଣୁ ପିଲାମାନେ ନୂଆ ନୂଆ ଟେକ୍‌ନୋଲୋଜି ବିଷୟରେ ଜାଣିବାକୁ ଚେଷ୍ଟା କରିବା ଆବଶ୍ୟକ । ଏହାଦ୍ବାରା ସେମାନେ ଆଧୁନିକ ଯୁଗରେ ସବୁ କ୍ଷେତ୍ରରେ ଆଗରେ ରହିପାରିବେ।

ସେହିପରି ସମୟ ଉପରେ ଗୁରୁତ୍ବ ଦେବକୁ ପରାମର୍ଶ ଦେଇ ସେ କହିଲେ ଯେ ସମୟର ଗୁରୁତ୍ବ ସଂପର୍କରେ ସମସ୍ତେ ଜାଣିଛନ୍ତି। ତେଣୁ ପିଲାମାନେ ସମୟର ଉପଯୋଗ ଠିକ୍‌ ଭାବରେ କରିପାରିଲେ, ସବୁକ୍ଷେତ୍ରରେ ନିଶ୍ଚୟ ଆଗରେ ରହିବେ। ନିଜ ନିଜ ଜୀବନରେ ୫-ଟିର ଉପଯୋଗ ପାଇଁ ପିଲାଙ୍କୁ ପରାମର୍ଶ ଦେଇ ସେ କହିଲେ ଯେ ଏହାଦ୍ବାରା ସେମାନେ ଜୀବନର ସବୁ କ୍ଷେତ୍ରରେ ସଫଳ ହୋଇପାରିବେ । ଦ୍ବିତୀୟ ବିଷୟଟି ହେଉଛି ଟିମ୍‌ୱାର୍କ । ପିଲାମାନେ ମିଳିମିଶି କାମ କଲେ, ସଫଳତାର ସମ୍ଭାବନା ବଢିବ। କ୍ରୀଡ଼ା କ୍ଷେତ୍ରରେ ଟିମ୍‌ୱାର୍କ ଅତି ଜରୁରୀ ବୋଲି ସେ କହିଥିଲେ। ସେହିପରି ଜୀବନରେ ସାଧୁତା (Transparency ) ହେଉଛି ଏକ ଜରୁରୀ ଆବଶ୍ୟକତା । ସାଧୁତା ଦ୍ବାରା ମଣିଷର ବିଶ୍ବସନୀୟତା ବୃଦ୍ଧି ପାଏ। ଏସବୁର ପ୍ରୟୋଗ ଦ୍ବାରା ସେମାନଙ୍କ ଜୀବନରେ ଆସିବ ରୂପାନ୍ତର ବା ସଫଳତା।

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଛାତ୍ରଛାତ୍ରୀ ମାନଙ୍କ ସଫଳତା ହେଉଛି ଓଡିଶାର ସଫଳତା । ୫-ଟି ସ୍କୁଲ ଗୁଡିକରେ ପିଲାମାନଙ୍କୁ ସବୁ ପ୍ରକାର ଆଧୁନିକ ସୁବିଧା ଦେବା ପାଇଁ ପ୍ରଚେଷ୍ଟା କରାଯାଇଛି। ପିଲାମାନେ ଏହାର ସୁଯୋଗ ନେଇ ନିଜ ପ୍ରତିଭାର ପରିଚୟ ପ୍ରଦାନ କରିପାରିଲେ, ସେମାନଙ୍କ ନିଜର ଓ ପରିବାରର ଗୌରବ ବୃଦ୍ଧି ହେବା ସହିତ ସାରା ଓଡିଶାର ଗୌରବ ବୃଦ୍ଧି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଆଜି ଶେଷ ଦିନରେ ସୁଦୂର ମାଲକାନଗିରିଠାରୁ ଆରମ୍ଭ କରି କଳାହାଣ୍ଡି, କଟକ ଓ ଯାଜପୁର ଆଦି ଜିଲ୍ଲାରେ ଆଜି ପିଲାମାନଙ୍କ ମଧ୍ୟରେ ଥିଲା ଅଶେଷ ଉତ୍ସାହ । ମାଲକାନଗିରିର ଛାତ୍ରୀ ସୁପ୍ରିୟା ରାୟ କହିଥିଲେ ଯେ ଆମ ଯେତେବେଳେ ସରକାରୀ ସ୍କୁଲରେ ପାଠ ପଢିଲୁ, ଆମେ ଭାବୁଥିଲୁ ଯେ ବଡ ବଡ ସହର ଭଳି ଆମ ସ୍କୁଲରେ କଣ ଆଧୁନିକ ସୁବିଧା ସୁଯୋଗ ମିଳିପାରିବ ? କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମ ସ୍ବପ୍ନରୁ ବାହାରେ ଥିବା ସୁବିଧା ସୁଯୋଗ ଆମକୁ ଦେଇଛନ୍ତି । ଆମ କମ୍ପୁଟର ଓ ଇଣ୍ଟରନେଟ୍‌ରେ ପାଠ ପଢୁଛୁ । ଆଧୁନିକ ପାଠାଗାର ଓ ଲାବୋରେଟୋରୀର ସୁବିଧା ପାଇଛୁ । ତେଣୁ ଆମ ସ୍ବପ୍ନ ମଧ୍ୟ ଆହୁରି ବଡ ହେଉଛି । ମୁଖ୍ୟମନ୍ତ୍ରୀ ଆମ ପାଇଁ ମେଡିକାଲ ଓ ଇଂଜିନିୟରିଂ କଲେଜରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଛନ୍ତି । ଆମେ ଏ ସୁବିଧାର ସୁଯୋଗ ନେବୁ ଓ ଭବିଷ୍ୟତରେ ବଡ ହୋଇ ମୁଖ୍ୟମନ୍ତ୍ରୀଙ୍କ ନବୀନ ଓଡିଶାର ସ୍ବପ୍ନ ପୂରଣ କରିବୁ । ବଡ ହେଲେ ସୁପ୍ରିୟା ଜଣେ ଡାକ୍ତର ହେବେ ବୋଲି ଆଶା ରଖିଛନ୍ତି । ସେହିପରି କଟକର ଜୟଶ୍ରୀ ପଣ୍ଡା ଜଣେ ଆଇ.ଏ.ଏସ ଅଫିସର ଓ ଯାଜପୁରର ବିଶ୍ବଜିତ ବେହେରା ଜଣେ ଆଇ.ପି.ଏସ୍‌ ହେବେ ବୋଲି ଆଶା ରଖିଛନ୍ତି। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଶୀର୍ବାଦ ଦେଇଥିଲେ ।

କଳାହାଣ୍ଡିର ଛାତ୍ରୀ ବର୍ଷା ପ୍ରିୟଦର୍ଶିନୀ ଭବିଷ୍ୟତରେ ପାଇଲଟ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଶତାଦ୍ଦୀର ଶ୍ରେଷ୍ଠ ପାଇଲଟ ବିଜୁ ବାବୁଙ୍କ ସଂପର୍କରେ ପ୍ରକାଶିତ ଏକ ପୁସ୍ତକ ତାଙ୍କୁ ଉପହାର ଦିଆଯିବ ବୋଲି ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ।କାର୍ଯ୍ୟକ୍ରମରେ ଉପସ୍ଥିତ କଟକ ଜିଲ୍ଲାରେ କୃଷି ଓ ପଶୁବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, କଳାହାଣ୍ଡିରେ ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଂକର ମିଶ୍ର, ମାଲକାନଗିରିରେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଶାମାରୀ ଟାଙ୍ଗଲୁ ଓ ଯାଜପୁରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ପ୍ରମୁଖ ସେମାନଙ୍କ ମତାମତ ରଖି କହିଥିଲେ ଯେ ଆଜି ସ୍କୁଲ ରୂପାନ୍ତର ଦ୍ବାରା ଆଜି ପିଲାମାନଙ୍କ ସ୍ବପ୍ନରେ ଡେଣା ଲାଗିଛି। ଶିକ୍ଷା ହିଁ ସବୁ ସମସ୍ୟାର ସମାଧାନ। ତେଣୁ ମୁଖ୍ୟମନ୍ତ୍ରୀ ଆଜି ଶିକ୍ଷା ଜରିଆରେ ଓଡିଶାର ରୂପାନ୍ତର ପାଇଁ ଦୃଢ ପଦକ୍ଷେପ ନେଇଛନ୍ତି ବୋଲି ସେମାନେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ବଥୀ ଏସ୍‌ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ସ୍ବତନ୍ତ୍ର ପ୍ରୋଜେକ୍ଟ ଡାଇରେକ୍ଟର ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ଜେନା, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

୫-ଟି ସଚିବଙ୍କ ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ଓ ଶେରଗଡ ବ୍ଲକ୍ ଗସ୍ତ…

() ୫-ଟି ସଚିବଙ୍କ ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ଓ ଶେରଗଡ ବ୍ଲକ୍ ଗସ୍ତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ ଓ ସମୀକ୍ଷା 

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦ୍ଦେଶ ରେ ୫-ଟି ସଚିବ ଶ୍ରୀ ଭି କାର୍ତ୍ତିକେୟ ପାଣ୍ଡିଆନ୍ ରବିବାର ହିଞ୍ଜିଳି ଓ ଶେରଗଡ଼ ବ୍ଲକ ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଏବଂ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ ଓ ସମୀକ୍ଷା କରିଛନ୍ତି।ରବିବାର ସକାଳୁ ଶ୍ରୀ ପାଣ୍ଡିଆନ୍ ସର୍ବ ପ୍ରଥମେ ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ବୁରୁପଡା ଗ୍ରାମ ପଞ୍ଚାୟତ ସ୍ଥିତ ଶ୍ୟାମଳାଇ ମନ୍ଦିରରେ ପହଞ୍ଚି ମା ଙ୍କ ଆଶୀର୍ବାଦ ଗ୍ରହଣ ପୂର୍ବକ ମନ୍ଦିରର ଉନ୍ନୟନ କମିଟିସଭ୍ୟ ମାନଙ୍କ ସହ ଆଲୋଚନା କରି ଏହାର ଉନ୍ନତି ଦିଗରେ ଆବଶ୍ୟକୀୟ ଡିପିଆର୍ ପ୍ରସ୍ତୁତ କରିବା ନେଇ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇ ଆଗାମୀ ୬ ମାସ ମଧ୍ୟରେ କମିଟିର ଆବଶ୍ୟକତା ଅନୁଯାୟୀ ମାନ୍ୟବର ମୁଖ୍ଯମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅନୁପାଳନ କରି ରୂପାନ୍ତରୀତକରଣ କାର୍ଯ୍ୟ ଶେଷ କରିବାକୁ ଜଣାଇଥିଲେ । ବୁରୁପଡା ଗ୍ରାମ ପଞ୍ଚାୟତର ଜନ ପ୍ରତିନିଧି ଏବଂ ଗ୍ରାମ୍ୟ ଲୋକଙ୍କ ସହିତ ଗ୍ରାମ ପଞ୍ଚାୟତର ଉନ୍ନତିକଳ୍ପେ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।

ଶେରଗଡ ବ୍ଲକ, ପିତ୍ତଳ ଗ୍ରାମ ପଞ୍ଚାୟତର ଉତ୍ତରେଶ୍ବର ମନ୍ଦିର, ଜଗନ୍ନାଥ ମନ୍ଦିର, ପିତ୍ତଳର କରଞ୍ଜାଇ ମନ୍ଦିର, କରଡାକଣା ସ୍ଥିତ ଜଗନ୍ନାଥ ମନ୍ଦିର, ଧବଳପୁର ସ୍ଥିତ ଝିଙ୍କାରିଆ ଶିବ ମନ୍ଦିର, ଗୋଠ ଗାଁ ସ୍ଥିତ ହନୁମାନ ମନ୍ଦିର, ଅଲାରିଗଡ ସ୍ଥିତ ଜଗନ୍ନାଥ ମନ୍ଦିର, କୁରେଇଶୁଣୀ ମନ୍ଦିର ଓ ଘୋଡେଇଶୁଣୀ ମନ୍ଦିର, ଗଣ୍ଡଳା ସ୍ଥିତ ଗୋପୀନାଥ ମନ୍ଦିର, ଇଶାଣେଶ୍ବର ମନ୍ଦିର ପ୍ରଭୃତି ଗସ୍ତ କରି ଠାକୁର ମାନଙ୍କ ଦର୍ଶନ କରିଥିଲେ । ତତ୍ପରେ ସମସ୍ତ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ଗ୍ରାମ୍ୟ ଲୋକଙ୍କ ସହିତ ଆଲୋଚନା କରି ମନ୍ଦିର ପରିସରର ସୌନ୍ଦର୍ଯ୍ୟୀକରଣ ଏବଂ ମନ୍ଦିରର ରୂପାନ୍ତରୀତ କାର୍ଯ୍ୟ ଗୁଡିକ ତ୍ବରାନ୍ବୀତ କରିବା ନେଇ ଡିପିଆର୍ ପ୍ରସ୍ତୁତ କରି କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଉତ୍ତରେଶ୍ବର ମନ୍ଦିର ବୁଣାକାର ଗୋଷ୍ଠୀ ମାନଙ୍କ ଦ୍ବାରା ପ୍ରସ୍ତୁତ ହେଉଥିବା କୁଶଳୀ କାରିଗର ମାନଙ୍କ ଦକ୍ଷତା ବୃଦ୍ଧି, ସେମାନଙ୍କ ଜୀବନ ଜୀବିକାର ଉନ୍ନତି ଓ ବସ୍ତ୍ରର ବିକ୍ରିବଟା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପିତ୍ତଳ ସ୍ଥିତ ଯୁକ୍ତ-୨ ମହାବିଦ୍ୟାଳୟ, ଶେରଗଡ ସ୍ଥିତ ଆଇ.ଟି.ଆଇ ଏବଂ ଯୁକ୍ତ ୨ ମହାବିଦ୍ୟାଳୟ କଞ୍ଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଖମ୍ବେୟା ଦୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ, ଶାସନ ଆମ୍ବ ଗାଁ ଓଡିଶା ଆଦର୍ଶ ମହାବିଦ୍ୟାଳୟ, ବେଲଗାଁ ସ୍ଥିତ ବେଲେଶ୍ବର ଡିଗ୍ରୀ ମହାବିଦ୍ୟାଳୟ ପ୍ରଭୃତି ଗସ୍ତ କରି ମହାବିଦ୍ୟାଳୟର ଅଧ୍ୟକ୍ଷ/ଅଧ୍ୟକ୍ଷା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ପ୍ରଧାନ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକ ମାନଙ୍କ ସହିତ ଆଲୋଚନା କରି ଶିକ୍ଷାର ଉନ୍ନତିକଳ୍ପେ କୋଠାଗୃହ, ଇ- ଲାଇବ୍ରେରୀ, ସ୍ମାର୍ଟ ଶ୍ରେଣୀଗୃହ, ସୌନ୍ଦର୍ଯ୍ୟୀକରଣ ଇତ୍ୟାଦି ସହିତ ଛାତ୍ରଛାତ୍ରୀ ମାନଙ୍କର ଗୁଣାତ୍ମକ ଶିକ୍ଷାର ମାନ କିଭଳି ଉନ୍ନତ ହେବ ସେ ଦିଗରେ ସମସ୍ତ ଭିତ୍ତିଭୂମିର ବିକାଶ ଦିଗରେ ପଦକ୍ଷେପ ନେବାପାଇଁ ଜିଲ୍ଲାପାଳ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଥୁରୁବୁରାଇ ଗ୍ରାମ ପଞ୍ଚାୟତର ବ୍ରାହ୍ମଣଛାଇ, ତହଁର, ଗୋଠଗାଁ, ପିତ୍ତଳ, ଗୋବିନ୍ଦପୁର, ନରେନ୍ଦ୍ରପୁର ଅଞ୍ଚଳର ମହିଳା ସ୍ବୟଂ ସହିୟକ ଗୋଷ୍ଠୀଙ୍କ ଉତ୍ପାଦିତ ବିଭିନ୍ନ ସାମଗ୍ରୀ ଦେଖି ଖୁସି ପ୍ରକଟ କରିବା ସହିତ ସେମାନଙ୍କ କାର୍ଯ୍ୟ ଶୈଳୀକୁ ପ୍ରଶଂସା କରିଥିଲେ । ଜୋନ୍ ୫୮ ର ଲୋକପ୍ରତିନିଧି, ଗ୍ରାମବାସୀ, ମିଶନ୍ ଶକ୍ତିର କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା କରିଥିଲେ । ଉତ୍ପାଦିତ ସାମଗ୍ରୀର ବିକ୍ରିବଟା କିଭଳି ଜିଲ୍ଲା ଓ ରାଜ୍ୟ ସ୍ତରରେ ହୋଇ ପାରିବ ସେ ଦିଗରେ ପଦକ୍ଷେପ ନେବା ପାଇଁ ନେବାପାଇଁ ଜିଲ୍ଲାପାଳ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ, ଡିପିସି ମିଶନ୍ ଶକ୍ତି, ଜିଲ୍ଲା ଯୋଜନା ପରିଚାଳକ, ଓଡିଶା ଜୀବନ ଜୀବିକା ମିଶନ ଙ୍କୁ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ ।

ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଠାରେ ମୋ ହସ୍ପିଟାଲ, ବ୍ଲକ୍ କାର୍ଯ୍ୟାଳୟ, ମିଶନ୍ ଶକ୍ତି କେଫ୍, ମାର୍କେଟ କମ୍ପ୍ଲେକ୍ସ କାର୍ଯ୍ୟ ସମୀକ୍ଷା ଏବଂ ଅଗ୍ରଗତିର ତଦାରଖ କରିଥିଲେ । ଶେରଗଡ ଠାରେ ଚାଲିଥିବା ବସ୍ ଷ୍ଟାଣ୍ଡର କାର୍ଯ୍ୟ ସମୀକ୍ଷା କରିବା ସହିତ ନିର୍ଦ୍ଧାରୀତ ସମୟ ମଧ୍ୟରେ କାର୍ଯ୍ୟ ସମାପନ କରିବା ପାଇଁ ରାସ୍ତା ଓ କୋଠାବାଡି ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନନ୍ଦିକ ଗ୍ରାମ ପଞ୍ଚାୟତର କଳାଗ୍ରାମ ଠାରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ହିତାଧିକାରୀ ମାନଙ୍କ ସହିତ ଆଲେଚନା କରିଥିଲେ ଏବଂ ନନ୍ଦିକ ଛକର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ବୁଲି ଦେଖିଥିଲେ କରିଥିଲେ ।

ଜୋନ୍ ୫୭ ଧନନ୍ତରା ଗ୍ରାମ ପଞ୍ଚାୟତର ଅଲାରିଗଡ, କୁର୍ଲା, ଡେଙ୍ଗାପଦର, ଧବଳପୁର, କୃଷ୍ଣଛାଇ, ତାକରଡା ଜୋନ୍-୬୭ ର ସାରୁ ଗ୍ରାମ ପଞ୍ଚାୟତର କଞ୍ଚୁରୁ, ପୋଚିଲିମା, ବଡଖଣ୍ଡି, ବୁରୁପଡା, ମକରଝୋଳ, ଜୋନ୍ ୬୮ ଦାରୁଭଦ୍ର ଗ୍ରାମ ପଞ୍ଚାୟତ ସ୍ଥିତ ଖରିଡା, ଚାନ୍ଦୁଲି, ଦାରୁଭଦ୍ର, ନନ୍ଦିକ, ରାଳବ, ଶାସନ ଆମ୍ବଗାଁ, ସିକିରି ଏବଂ ଜୋନ୍ ୬୯ ର ସାହାପୁର ଗ୍ରାମ ପଞ୍ଚାୟତ ର ଗଣ୍ଡଳା, ଦୟାପଲ୍ଲୀ, ଦୁର୍ବନ୍ଧ, ଧୋବାଡି, ପୁଟିଆ ପଦର, ବେଲଗାଁ, ଭାବନ୍ଧ, ସାହାପୁର ଅଞ୍ଚଳର ଲୋକପ୍ରତିନିଧି, ଗ୍ରାମବାସୀ, ମିଶନ୍ ଶକ୍ତିର କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ସଂପୃକ୍ତ ସ୍ଥାନ ମାନଙ୍କରେ ଚାଲିଥିବା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ଗ୍ରାମ୍ୟ ପାର୍କ, ମିନି ଷ୍ଟାଡିୟମ୍, ଆଧୁନିକ ଟ୍ୟାଙ୍କ, ଗ୍ରାମ ପଞ୍ଚାୟତ ପାଠାଗାର, ମିଶନ୍ ଶକ୍ତି ଗୃହର ଉନ୍ନୟନମୂଳକ କାର୍ଯ୍ୟ ଗୁଡିକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ପରାମର୍ଶ ଦେଇଥିଲେ ।   ଏହି ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଓ୍ବ କୀର୍ତ୍ତି ଭାସନ ଭି ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଗଣ ଉପସ୍ଥିତ ଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news