ରୂପାନ୍ତର ହେବ ନନ୍ଦନକାନନ….

() 5-ଟି ଉପକ୍ରମରେ ନନ୍ଦନକାନନ ର ହେବ ରୂପାନ୍ତର, ଦୁଇଟି ପର୍ଯ୍ୟାୟରେ ରୂପାନ୍ତର ହେବ।

୨୦୨୩-୨୫ ଓ ୨୦୨୫-୨୮

ପ୍ରଥମ ପର୍ଯ୍ୟାୟରେ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ୍‌ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଚୂଡଙ୍ଗ ଜଙ୍ଗଲ ଅଞ୍ଚଳର ବିକାଶ କରାଯିବ।

ପିଲାଙ୍କ ପାଇଁ ପ୍ରକୃତି ଶିକ୍ଷା ଉପରେ ଏକ ଆକର୍ଷଣୀୟ କେନ୍ଦ୍ର ହେବ,

ନନ୍ଦନକାନନରେ ପ୍ଲାଷ୍ଟିକ ବ୍ୟବହାର ସଂପୂର୍ଣ୍ଣ ନିଷେଧ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

() ନନ୍ଦନକାନନର ହେବ ରୂପାନ୍ତର । ୫-ଟି ଉପକ୍ରମରେ ଏହାକୁ ଏକ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନ ଭାବେ ଏହାର ରୂପାନ୍ତର କରାଯିବ। ଚୂଡଙ୍ଗ ଜଙ୍ଗଲ ଅଞ୍ଚଳକୁ ଏଥିରେ ସାମିଲ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ରାଜ୍ୟ ବନ ବିଭାଗ ପକ୍ଷରୁ ନନ୍ଦନକାନନର ରୂପାନ୍ତର ପାଇଁ ଏକ ଉପସ୍ଥାପନା ରଖାଯାଇଥିଲା। ଏଥିରେ ନନ୍ଦନକାନନର କାୟାରେ ପରିବର୍ତ୍ତନ ପାଇଁ ଏକ ବିସ୍ତୃତ ଓ ଭବିଷ୍ୟମୁଖୀ ପ୍ରସ୍ତାବ ରଖାଯାଇଛି ।ଏ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହିତ ନନ୍ଦନକାନନରେ ପ୍ଲାଷ୍ଟିକର ବ୍ୟବହାର ସଂପୂର୍ଣ୍ଣ ନିଷେଧ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାମ ସଂପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତ ମଇ ୨୩ ତାରିଖରେ ଜଙ୍ଗଲ ବିଭାଗ ସମୀକ୍ଷା ସମୟରେ ନନ୍ଦନକାନନର ରୂପାନ୍ତର ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ନୂଆ ଯୋଜନାରେ ପରିଦର୍ଶକ ମାନଙ୍କ ପାଇଁ ଅତିରିକ୍ତ ଉନ୍ନତ ସୁବିଧା, ଆଧୁନିକ ଫ୍ରଣ୍ଟେଜ ଓ ଲ୍ୟାଣ୍ଡସ୍କେପିଂ, ଟନେଲ ଆକ୍ବାରିଅମ, ୱାଟର ବାର୍ଡ ଆଭିଆରୀ (Water Bird Aviary) ଦେଶ ବିଦେଶରୁ ନୂତନ ପ୍ରାଣୀ, Emersive Enclosures ଓ ପିଲାମାନଙ୍କ ପାଇଁ ପ୍ରକୃତି ଶିକ୍ଷାର ଏକ ସ୍ବତନ୍ତ୍ର ହବ୍‌ ଭାବରେ ବିକାଶ କରିବା ପାଇଁ ବ୍ୟବସ୍ଥା ରହିଛି।ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ରୂପାନ୍ତର କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ୨୦୨୩ ରୁ ୨୦୨୫ ଓ ଦ୍ବିତୀୟ ପର୍ଯ୍ୟାୟ ୨୦୨୫ ରୁ ୨୦୨୮ ମଧ୍ୟରେ କାର୍ଯ୍ୟକାରୀ ହେବ। ପ୍ରଥମ ପର୍ଯ୍ୟାୟରେ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନର ବିକାଶ ହେବାକୁ ଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ଚୂଡଙ୍ଗ ଜଙ୍ଗଲ ଅଞ୍ଚଳର ବିକାଶ କରାଯିବ । ଏଥିରେ ରାତ୍ରୀ ସଫାରୀ ଓ ସଫାରୀ କମ୍ପଲେକ୍ସର ବିକାଶ କରାଯିବ।

ନନ୍ଦନକାନନକୁ ପିଲାମାନଙ୍କ ପାଇଁ ପ୍ରକୃତି ଶିକ୍ଷା ଉପରେ ଏକ ଆକର୍ଷଣୀୟ ହବ୍‌ ଭାବରେ ବିକାଶ କରିବା ପାଇଁ ଯୋଜନା ରହିଛି । ଏଥିରେ ଆକ୍ଟିଭିଟି ଭିତ୍ତିକ ପ୍ରାଣୀ ଉଦ୍ୟାନ, ପ୍ରକୃତି ଶିକ୍ଷା ସହିତ କେତେକ ସ୍ବତନ୍ତ୍ର ସ୍କୁଲରେ ‘ନନ୍ଦନକାନନ କ୍ଲବ’ ଓ ‘ଜୁ ଆମ୍ବାସାଡର’ ଆଦି କାର୍ଯ୍ୟକ୍ରମ ରହିଛି। ଏହାସହିତ Citizen Science, Know Your Trees ଆଦି ବିଭିନ୍ନ ଆକ୍ଟିଭିଟି କରାଯିବ। ପିଲାମାନଙ୍କ ପାଇଁ ସ୍ବତନ୍ତ୍ର ଇଣ୍ଟର୍ନସିଭ ଓ ଜୁ ଭଲ୍ୟୁଣ୍ଟିଅର ଆଦି କାର୍ଯ୍ୟକ୍ରମ କରାଯିବ।

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ନନ୍ଦନକାନନରେ ୪୮ଟି ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୭୭ଟି ପ୍ରଜାତିର ପକ୍ଷୀ, ୩୦ଟି ପ୍ରଜାତିର ସରୀସୃପ ଓ ୬ଟି ପ୍ରଜାତିର ଉଭୟଚର ପ୍ରାଣୀ ଅଛନ୍ତି। ସମୁଦାୟ ୧୬୧ ପ୍ରଜାତିର ୪୦୧୨ଟି ପ୍ରାଣୀ ଅଛନ୍ତି । ବର୍ତ୍ତମାନ ଦେଶ ବିଦେଶର ବିଭିନ୍ନ ସ୍ଥାନରୁ ଅଧିକ ପ୍ରାଣୀ ଆଣିବା ପାଇଁ ଯୋଜନା କରାଯାଇଛି । ଦେଶର ଉତ୍ତରପୂର୍ବ ଅଞ୍ଚଳରୁ Hoolock Gibbon, Pig tailed Macaque, One horned Rhinoceros, Capped Langur, Spectacled Monkey, Clouded Leopard ଆଦି ଆଣିବାର ପ୍ରସ୍ତାବ ରହିଛି । ସେହିପରି ଅଷ୍ଟ୍ରେଲିଆରୁ Cassowary, Kangaroo, Wallby ଆଦି ଆଣିବାର ପ୍ରସ୍ତାବ ମଧ୍ୟ ରହିଛି ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ । ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପ୍ରାରମ୍ଭିକ ସୂଚନା ଦେଇଥିଲେ । ନନ୍ଦନକାନନର ନିର୍ଦ୍ଦେଶକ ଉପସ୍ଥାପନା ରଖିଥିଲେ ।

ରାଜ୍ୟ ଆହାର ସୋସାଇଟିକୁ ମୁଖ୍ୟମନ୍ତ୍ରୀ ଙ୍କ ଭେଟି…

() ରାଜ୍ୟ ଆହାର ସୋସାଇଟିକୁ ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ।

{} ରାଜ୍ୟର ବିଭିନ୍ନ ସ୍ଥାନରେ ଆହାର କେନ୍ଦ୍ର ପରିଚାଳନା ପାଇଁ ଗଠିତ ରାଜ୍ୟସ୍ତରୀୟ ଆହାର କମିଟିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଟିରୁ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।ସୂଚନାଯୋଗ୍ୟ ଯେ ୨୦୧୫-୧୬ରୁ ୨୦୨୧-୨୨ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆହାର କାର୍ଯ୍ୟକ୍ରମ ପାଇଁ ୨୨୮.୭୬ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ଏକ ଅତ୍ୟନ୍ତ ଲୋକପ୍ରିୟ କାର୍ଯ୍ୟକ୍ରମ । ସହର ମାନଙ୍କରେ ହସ୍‌ପିଟାଲ, ବସଷ୍ଟାଣ୍ଡ ଏବଂ ଅନ୍ୟାନ୍ୟ ଗହଳି ସ୍ଥାନରେ ଜରୁରୀ କାର୍ଯ୍ୟ ପାଇଁ ଯାଇଥିବା ଗରିବ ଲୋକମାନେ ଏହାଦ୍ବାରା ମାତ୍ର ୫ ଟଙ୍କାରେ ସୁଷମ ଓ ସ୍ଵାସ୍ଥ୍ୟପ୍ରଦ ଆହାର ପାଇପାରୁଛନ୍ତି ।

ବଦଳିବ ବାହାନଗା ହାଇସ୍କୁଲ,ପଞ୍ଚଲିଙ୍ଗେଶ୍ୱର ଓ କ୍ଷୀରଚୋରା ଗୋପୀନାଥ ମନ୍ଦିର ରୂପରେଖ…

() ବାହାନଗା ହାଇସ୍କୁଲରେ 5T ସଚିବ, ଲୋକଙ୍କୁ କଲେ ଅଜସ୍ର ପ୍ରଶଂସା,

ସାରା ରାଜ୍ୟ ଆପଣଙ୍କ ନିକଟରେ ଋଣୀ- ଶ୍ରୀ ପାଣ୍ଡିଆନ ବାହାନଗା ହେବ ଦେଶର ମଡେଲ ପଞ୍ଚାୟତ,

ବାହାନଗା ହାଇସ୍କୁଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨.୫୦ କୋଟି ଟଙ୍କା ମଂଜୁର।

ବାଲେଶ୍ବର ଜିଲ୍ଲାର 128ଟି ଉଚ୍ଚ ମାଧ୍ୟମିକ ସ୍କୁଲ ଓ କଲେଜର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ 128 କୋଟି ଟଙ୍କା,

5T ରୂପାନ୍ତରରେ ବାହାନଗା ପ୍ରାଥମିକ ବିଦ୍ୟାଳୟ ରାଜ୍ୟର ପ୍ରଥମ, କାମ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ।

ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ଓ କ୍ଷୀରଚୋରା ଗୋପୀନାଥ ମନ୍ଦିର ହେବ କାୟା ପରିବର୍ତ୍ତନ ଡିସେମ୍ବର ସୁଦ୍ଧା ସରିବ ଶାଳନ୍ଦି କେନାଲ ନିର୍ମାଣ।

‘ଏକ ପଞ୍ଚାୟତ, ଏକ ଉତ୍ପାଦ’କୁ ପ୍ରୋତ୍ସାହନ…

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଦୁଇ ଦିନିଆ ବାଲେଶ୍ୱର ଗସ୍ତରେ ଯାଇ ଜିଲ୍ଲାର ଅନେକ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି ।

5T ଆଜି ବାହାନଗା ଯାଇ ସ୍ଥାନୀୟ ହାଇସ୍କୁଲଠାରେ ସାଧାରଣ ଲୋକ, ଅଭିଭାବକ, ଶିକ୍ଷକ ଓ ସ୍କୁଲ କମିଟିର ସଦସ୍ୟମାନଙ୍କୁ ଭେଟିଥିଲେ । ଟ୍ରେନ ଦୂର୍ଘଟଣା ସମୟରେ, ସେଦିନର କାଳ ରାତ୍ରୀ କଥା ମନେ ପକାଇ ଶ୍ରୀ ପାଣ୍ଡିଆନ କହିଲେ ଯେ, ସେମାନେ ଯେପରି ସ୍ୱତଃସ୍ଫୁର୍ତ୍ତ ଭାବରେ ଯେଭଳି ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆଗେଇ ଆସିଥିଲେ, ଜୀବନ ବଞ୍ଚାଇବାକୁ ରକ୍ତଦାନ ପାଇଁ ଲାଇନ୍ ଲଗାଇଥିଲେ, ତା’ର ତୁଳନା ନାହିଁ । ସେମାନେ ମାନବିକତାର ଚରମ ନିଦର୍ଶନ ଦେଖାଇ ସାରା ଦେଶରେ ଓଡିଶା ପାଇଁ ପ୍ରଶଂସା ଆଣିଛନ୍ତି ବୋଲି ପ୍ରକାଶ କରିବା ସହିତ ସେ କହିଥିଲେ ଯେ ଆପଣମାନଙ୍କ ନିକଟରେ ସାରା ରାଜ୍ୟ ଚୀର ଋଣୀ।

ବାହାନଗା ପଞ୍ଚାୟତକୁ ଦେଶର ଏକ ମଡେଲ ପଞ୍ଚାୟତ ଭାବେ ବିକଶିତ କରାଯିବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ । 5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ବାହାନଗା ହାଇସ୍କୁଲର ରୂପାନ୍ତର କରାଯିବ ବୋଲି ପ୍ରକାଶ କରି ଶ୍ରୀ ପାଣ୍ଡିଆନ ଏଥିପାଇଁ ମୁଖ୍ୟମନ୍ତ୍ରୀ ୨.୪୯ କୋଟି ଟଙ୍କା ମଂଜୁର କରିଛନ୍ତି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ମଂଜୁରୀ ପତ୍ରକୁ ସେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ସେ ଅଞ୍ଚଳର ବିଭିନ୍ନ ଧାର୍ମୀକ ଅନୁଷ୍ଠାନ ପାଇଁ ଲୋକଙ୍କ ନିବେଦନ ଉପରେ ମତ ଦେଇ ସେ କହିଥିଲେ ଯେ ଆସନ୍ତା ସପ୍ତାହ ଭିତରେ ଖୁସି ଖବର ମିଳିବ । ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଥିଲେ ।

5T ରୂପାନ୍ତର କାର୍ଯ୍ୟକ୍ରମରେ ବାହାନଗାରେ ନିର୍ମାଣ ହେଉଥିବା ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟ ସମୀକ୍ଷା କରି ଏହାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ ଯେ, 5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ଏହା ହେଉଛି ରାଜ୍ୟର ପ୍ରଥମ ପ୍ରାଥମିକ ବିଦ୍ୟାଳୟ । ବାଲେଶ୍ବର ଜିଲ୍ଲାରେ ଥିବା 128ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ କଲେଜର ରୂପାନ୍ତର ପାଇଁ 5-ଟି ଉପକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ 128 କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ଶ୍ରୀ ପାଣ଼୍ଡିଆନ ସୂଚନା ଦେଇଥିଲେ ।ରେମୁଣାରେ ଫକୀର ମୋହନ ମେଡିକାଲ କଲେଜ ଠାରେ ଶ୍ରୀ ପାଣ୍ଡିଆନ, କଲେଜର କର୍ମଚାରୀ ଓ ଦୂର୍ଘଟଣା ସମୟରେ ରକ୍ତଦାନ କରିଥିବା ଯୁବକମାନଙ୍କୁ ଭେଟି ସେମାନଙ୍କ ନିସ୍ୱାର୍ଥପର ସେବା କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ ।

ବାଲେଶ୍ୱରର ଓଉପଦା ବ୍ଲକରେ ଥିବା ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ଓ ରେମୁଣା ବ୍ଲକରେ ସ୍ଥିତ କ୍ଷୀରଚୋରା ଗୋପୀନାଥ ମନ୍ଦିର ପରିଦର୍ଶନ କରି ଏହାର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ସମ୍ପର୍କରେ ଶ୍ରୀ ପାଣ୍ଡିଆନ ମନ୍ଦିର କମିଟି, ସ୍ଥାନୀୟ ଲୋକ ଓ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏଥିପାଇଁ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।ଓଉପଦା ବ୍ଲକରେ ଶାଳନ୍ଦି କେନାଲର ନିର୍ମାଣ କାମ ପରିଦର୍ଶନ କରି ଏହି କାମର ବିଭିନ୍ନ ଦିଗ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଚଳିତ ବର୍ଷ ଡିସେମ୍ବର ସୁଦ୍ଧା କେନାଲ ନିର୍ମାଣ ସମ୍ପୂର୍ଣ୍ଣ ହେବ ବୋଲି ସମୀକ୍ଷାରୁ ଜଣାଯାଇଛି ।

ସିମୁଳିଆ ବ୍ଲକର ଜାମଝଡି ଓ ଓଉପଦା ବ୍ଲକର ବଉଳଗଡିଆ ପଞ୍ଚାୟତ ପରିଦର୍ଶନ କରି 5T ସଚିବ ସେଠାରେ ‘ଏକ ପଞ୍ଚାୟତ, ଏକ ଉତ୍ପାଦ’ ପ୍ରତ୍ସୋହାନ କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକଙ୍କ ବିଭିନ୍ନ କାର୍ଯ୍ୟ ବୁଲି ଦେଖିଥିଲେ । ଜାମୁଝଡିରେ ମିଶନ ଶକ୍ତି ସଦସ୍ୟା ମାନଙ୍କ ଦ୍ୱାରା ବାଉଁଶରୁ ନିର୍ମିତ ବିଭିନ୍ନ ଉତ୍ପାଦର ଉଚ୍ଚ ପ୍ରଶଂସା କରିଥିଲେ। ବଉଳଗାଡିଆର ବାବା ରଘୁନାଥ ଜିଉ ଷ୍ଟୋନ୍‌ କାର୍‌ଭିଂ କେନ୍ଦ୍ର ପରିଦର୍ଶନ କରି ସେଠାରେ ହସ୍ତଶିଳ୍ପୀ ମାନଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କ କୌଶଳ ଓ କାର୍ଯ୍ୟଦକ୍ଷତା ଓଡିଶାର ଗୌରବ ବୋଲି ପ୍ରକାଶ କରି ଏହାର ମାର୍କେଟିଂ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସୁବିଧା ଯୋଗାଇ ଦେବେ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ସାମିଲ ହସ୍ତଶିଳ୍ପୀ ମାନଙ୍କୁ ବଜାର ସୁବିଧା ଯୋଗାଇଦେବା ପାଇଁଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ସୋର ବ୍ଲକର ୟୁ.ଏନ୍ କଲେଜ, ଖଇରା ବ୍ଲକରେ କୁପାରି ପଞ୍ଚାୟତ ପଡିଆ, ପଞ୍ଚଲିଙ୍ଗେଶ୍ୱର ମନ୍ଦିର, ଫକିର ମୋହନ ମେଡିକାର କଲେଜ, ରେମୁଣାର ବାମପଡାସ୍ଥିତ ନୋସି ଠାରେ ସ୍ଥାନୀୟ ଲୋକ, ମିଶନ ଶକ୍ତି ସଦସ୍ୟା ଓ ବିଭିନ୍ନ ସଂଗଠନମାନଙ୍କ ସହ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଶୁଣିଥିଲେ । ଜିଲ୍ଲା ସ୍ତରରେ ଯେଉଁ ସବୁ ସମସ୍ୟାର ସମାଧାନ ହୋଇପାରିବ ତା’ର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବା ସହିତ ବାକି ସବୁ ବିଷୟଗୁଡିକୁ ରାଜ୍ୟ ସରକାରଙ୍କ ପାଖକୁ ପଠାଇବାକୁ ପରାମର୍ଶ ଦେଇଥିଲେ । ସୋରର ସମସ୍ତ ସ୍କୁଲ ଓ କଲେଜ 5T ଉପକ୍ରମରେ ରୂପାନ୍ତରିତ ହେବ ବୋଲି ସେ କହିଥିଲେ ।ସୋରର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି 5-ଟି ସଚିବ ସେଠାରେ ‘ଆମ ହସ୍୍ପିଟାଲ’ କାର୍ଯ୍ୟକ୍ରମ ବୁଲି ଦେଖିଥିଲେ । ରୋଗୀ ଓ ସେମାନଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ । ଅଧିକାରୀ ମାନଙ୍କୁ ଆମ ହସ୍‌ପିଟାଲ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ଲୋକଙ୍କୁ ଆହୁରି ଉନ୍ନତ ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ ।

ପଞ୍ଚଲିଙ୍ଗେଶ୍ୱରଠାରେ ଏକ ମିଶନ ଶକ୍ତି କେଫ୍ ପରିଦର୍ଶନ କରି ଏହାର ପରିଚାଳନା, ଖାଦ୍ୟ ଓ ଅନ୍ୟାନ୍ୟ ବିଷୟ ସମ୍ପର୍କରେ 5T ସଚିବ ବୁଝି ଥିଲେ । ଲୋକଙ୍କ ଚାହିଦା ଅନୁଯାୟୀ ଖାଦ୍ୟ ପ୍ରସ୍ତୁତ କରି ବିଜିନେସ୍ କୁ ଆଗକୁ ନେବା ପାଇଁ ସେ ପରାମର୍ଶ ଦେଇଥିଲେ ।

ବିକାଶ ପଥରେ କନ୍ଧମାଳ ଜିଲ୍ଲା…

() 5ଟି ସଚିବଙ୍କ କନ୍ଧମାଳ ଗସ୍ତ

ମା ବରାଳଦେବୀ ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ,

୫.୨୯ କୋଟି ଟଙ୍କାର ଫୁଲବାଣୀ ବସ ଷ୍ଟାଣ୍ଡ ପ୍ରକଳ୍ପର ନିର୍ମାଣ ଠିକ୍ ସମୟରେ ସାରିବାକୁ ନିର୍ଦ୍ଦେଶ।

କନ୍ଧମାଳ ପର୍ଯ୍ୟଟନର ସାମଗ୍ରୀକ ବିକାଶ ପାଇଁ ଭିତ୍ତିଭୂମି ନିର୍ମାଣ କରାଯିବ।

ହଜାର କୋଟି ଟଙ୍କାରେ ନିର୍ମାଣାଧୀନ କନ୍ଧମାଳ ମେଡିକାଲ କଲେଜ ଓ ହସ୍ପିଟାଲ କାମ ୨୦୨୩ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବ ।

ପ୍ରାୟ ୫୦୦ କୋଟି ଟଙ୍କାରେ କାର୍ଯ୍ୟକାରୀ ହେବ ମେଗା ପାଇପ ଜଳ ପ୍ରକଳ୍ପ ।

ଜିଲ୍ଲାର ୩୬ଟି ଶିକ୍ଷାନୁଷ୍ଠାନ 5T ରୂପାନ୍ତର ଉପକ୍ରମରେ ସାମିଲ, 

୧୧ଟି ଡିଗ୍ରୀ କଲେଜ ଓ ୨୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଖର୍ଚ୍ଚ ହେବ ୧୮.୭୫ କୋଟି।

{}  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି ଏବଂ ଛାତ୍ରଛାତ୍ରୀ ଓ ସାଧାରଣ ଲୋକମାନଙ୍କ ସହ ମିଶି ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଶୁଣିବା ସହିତ ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି । ଶ୍ରୀ ପାଣ୍ଡିଆନ ପ୍ରଥମେ ଖଜୁରିଆପଡା ବ୍ଲକସ୍ଥିତ ମା ବରାଳଦେବୀ ମନ୍ଦିର ପରିଦର୍ଶନ କରି ମା’ଙ୍କ ପୂଜାର୍ଚ୍ଚନା କରିଥିଲେ । ମନ୍ଦିରର ପରିଚାଳନା କମିଟି ସଦସ୍ୟମାନଙ୍କ ସହିତ ମନ୍ଦିରର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଏଥିପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବା ପାଇଁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଫୁଲବାଣୀରେ ନିର୍ମାଣାଧୀନ ବସ ଷ୍ଟାଣ୍ଡ ପ୍ରକଳ୍ପ ପରିଦର୍ଶନକରି ଏହାର ନିର୍ମାଣ କାମ ସମୀକ୍ଷା କରିଥିଲେ । ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିଭିନ୍ନ ଭିତ୍ତିଭୂମିର ଉପଯୁକ୍ତ ନିର୍ମାଣ ଉପରେ ଶ୍ରୀ ପାଣ୍ଡିଆନ ଗୁରୁତ୍ୱ ଦେଇଥିଲେ । ଏହି ପ୍ରକଳ୍ପ ପାଇଁ ୫.୨୯ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ସମସ୍ତ ପ୍ରକଳ୍ପ କାମ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।ଏହାପରେ ୫T ସଚିବ ଶ୍ରୀ ପାଣ୍ଡିଆନ ଫୁଲବାଣୀ ସ୍ପୋର୍ଟ୍‌ସ୍ କମ୍ପ୍ଲେକ୍ସ ଠାରେ ସାଧାରଣ ଜନତା, ନାଗରିକ ସମାଜ ଓ ବିଭିନ୍ନ ସଂଘର ପ୍ରତିନିଧିମାନଙ୍କ ସହିତ ଜିଲ୍ଲାର ସାମଗ୍ରୀକ ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। କନ୍ଧମାଳରେ ପର୍ଯ୍ୟଟନର ବିକାଶ ପାଇଁ ସମସ୍ତେ ଗୁରୁତ୍ୱ ଦେଇଥିଲେ । ଜିଲ୍ଲାରେ ପର୍ଯ୍ୟଟନର ସାମଗ୍ରିକ ବିକାଶ ପାଇଁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅବସରରେ ନିଜର ଅଭିଭାଷଣ ରଖି 5T ସଚିବ ଶ୍ରୀ ପାଣ୍ଡିଆନ କହିଥିଲେ ଯେ କନ୍ଧମାଳରେ ଏକ ଅତ୍ୟାଧୁନିକ ମେଡିକାଲ କଲେଜ ଓ ହସ୍ପିଟାଲର ନିର୍ମାଣ କରାଯାଉଛି । ଏହାର କାମ ଚଳିତ ବର୍ଷ ଡିସେମ୍ବର ମାସ ଶେଷ ସୁଦ୍ଧା ସରିବ ବୋଲି ସେ କହିଥିଲେ । ଏକ ହଜାର କୋଟି ଟଙ୍କାରେ ନିର୍ମିତ ଏହି କଲେଜ ଓ ହସ୍ପିଟାଲ ଦ୍ୱାରା କନ୍ଧମାଳ ଓ ଆଖପାଖ ଜିଲ୍ଲାର ଲୋକମାନେ ଉନ୍ନତମାନର ଚିକିତ୍ସା ପାଇପାରିବେ ବୋଲି ସେ କହିଥିଲେ । ଏହି ଅବସରରେ ସେ କହିଥିଲେ ଯେ କନ୍ଧମାଳ ଜିଲ୍ଲାରେ ଲୋକଙ୍କୁ ଭଲ ପିଇବା ପାଣି ଯୋଗାଇ ଦେବା ପାଇଁ ୪୯୯.୯୧ କୋଟି ଟଙ୍କାରେ ଏକ ମେଗା ପାଇପ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ବୌଦ୍ଧ ଜିଲ୍ଲାରେ ପ୍ରବାହିତ ମହାନଦୀରୁ ପାଇପ ଯୋଗେ ପାଣି ଅଣାଯିବ । ଏହା ଦ୍ୱାରା ଫୁଲବାଣୀ, ଖଜୁରିଆପଡା, ଫିରିଙ୍ଗିଆ ଓ ଚକାପାଦ ଆଦି ବ୍ଲକ ଅଞ୍ଚଳର ଲୋକମାନେ ସ୍ୱଚ୍ଛ ପାନୀୟ ଜଳ ପାଇପ ଯୋଗେ ପାଇ ପାରିବେ ।

ଫୁଲବାଣୀ ରିଜର୍ଭ ପୋଲିସ୍‌ ପଡିଆରେ ସେ ଜିଲ୍ଲାର କଲେଜ ଛାତ୍ରଛାତ୍ରୀମାନଙ୍କୁ ଭେଟିଥିଲେ । ୫T ସଚିବ କହିଥିଲେ ଯେ ଜିଲ୍ଲାର ସମସ୍ତ ୩୬ଟି ଶିକ୍ଷାନୁଷ୍ଠାନକୁ 5T ରୂପାନ୍ତର କାର୍ଯ୍ୟକ୍ରମରେ ଗ୍ରହଣ କରାଯାଇଛି ଏବଂ ଏସବୁଗୁଡିକର ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯାଇଛି ଏବଂ ଏଥିପାଇଁ ୧୮.୭୫ କୋଟି ଟଙ୍କା ବିନିଯୋଗ କରାଯିବ । ଜିଲ୍ଲାର ୧୧ଟି ଡିଗ୍ରୀ କଲେଜ ପାଇଁ ୭.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ୨୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୧୧.୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି ସମସ୍ତ ଶିକ୍ଷାନୁଷ୍ଠାନଗୁଡିକରେ ୨୩,୭୭୭ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି । କାର୍ଯ୍ୟଗୁଡିକର ନିୟମିତ ସମୀକ୍ଷା କରି ଠିକ୍‌ ସମୟରେ କାର୍ଯ୍ୟ ଶେଷ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଫୁଲବାଣୀ ଜିଲ୍ଲାର ଅଭିଷେକ ପଡିଆରେ ମିଶନ ଶକ୍ତି ସଦସ୍ୟା, ବ୍ୟାଙ୍କ ମିତ୍ର ଏବଂ ଅନ୍ୟାନ୍ୟ ପ୍ରତିନିଧିମାନଙ୍କ ସହିତ ମିଶନ ଶକ୍ତି କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ସମାଜର ପରିବର୍ତ୍ତନ ଓ ମହିଳା ସଶକ୍ତିକରଣ ଦିଗରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଏକ ବଳିଷ୍ଠ ପ୍ଲାଟଫର୍ମ ଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ସେ କହିଥିଲେ । ମିଶନ ଶକ୍ତି ସଦସ୍ୟାମନଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ କାର୍ଯ୍ୟକ୍ରମର ପ୍ରଶଂସା କରି ଏଥିରେ ଆହୁରି ଉନ୍ନତି ଆଣିବା ପାଇଁ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ କ୍ରୀଡା ସଚିବ ଶ୍ରୀ ଭିନିଲ୍ କ୍ରୀଷ୍ଣା ଓ ଜିଲ୍ଲାପାଳ ଉପସ୍ଥିତ ଥିଲେ ।

ବ୍ରହ୍ମପୁରର ମଙ୍ଗ ଧରିଲେ ମାନସ ମଙ୍ଗରାଜ…

() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଡ ଦାୟିତ୍ୱରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ l ସାଂସଦ ମାନସ ମଙ୍ଗରାଜ ବ୍ରହ୍ମପୁର ସାଂସଦ କ୍ଷେତ୍ର ପାଇଁ ନୂଆ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି Iବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଅନୂମୋଦନ ଦେବା ପରେ ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି l ସେହିପରି ଆଉ 5 ଜଣ ନେତାଂକୁ ମଧ୍ଯ ନୂଆ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି l

ବଦଳିବ ଯୋରନ୍ଦା ମହିମାଗାଦି ପୀଠର ରୂପରେଖ….

() ମହିମା ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର,

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଜିଲ୍ଲାପାଳ ଦେଲେ 112 କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ।

ମଇ ୨୯ରେ 5T ସଚିବ ଗସ୍ତ କରି ଦେଇଥିଲେ ନିର୍ଦ୍ଦେଶ।

{} ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର। କାୟାକଳ୍ପ ରେ ଆସିବ ପୁରା ପରିବର୍ତ୍ତନ। ଗତ ମେ 29 ତାରିଖ ଦିନ ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ସାଧୁ ସନ୍ଥ ଓ ଭକ୍ତ ମାନଙ୍କ ସହିତ ପୀଠର ସମ୍ପୂର୍ଣ୍ଣ ରୁପାନ୍ତର ବିଷୟରେ ଆଲୋଚନା କରିଥିଲେ ଏବଂ 15 ଦିନ ଭିତରେ ପ୍ରକଳ୍ପ report ଦେବା ପାଇଁ ପରାମର୍ଶ ଦେଇଥିଲେ ।

ଏହି ପରାମର୍ଶ ଅନୁସାରେ ଜିଲ୍ଲାପାଳ ଆଜି 112 କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରିଛନ୍ତି ।ଏଥିରେ ପୀଠର ସର୍ବାଙ୍ଗୀନ ବିକାଶ ସହିତ ଭକ୍ତ ମାନଙ୍କ ପାଇଁ ବିଭିନ୍ନ ସୁବିଧା ଉପରେ ଗୁରୁତ୍ଵ ଦିଆଯାଇଛି ।

ଏଥିରେ ସମାଧି ମନ୍ଦିରର ପୁନଃ ନିର୍ମାଣ, ପ୍ରାର୍ଥନା ଗୃହ, ପାଚେରୀ, ପୁଷ୍କରିଣୀ ପୁନରୁଦ୍ଧାର, ବସ ଷ୍ଟାଣ୍ଡ, କୌପୀନ ଧାରି ମହିମା ସମାଜ ପୀଠ ପୁନ ନିର୍ମାଣ, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଆଦି ନିର୍ମାଣ କରାଯିବ।

ପୀଠ ଭିତରେ ଆଭ୍ୟନ୍ତରୀଣ ସଡ଼କ ସହିତ ପୁରା ସ୍ଥାନର ଆଲୋକି କରଣ କରାଯିବ। ଜଗନ୍ନାଥ ମନ୍ଦିର ଠାରୁ ସ୍କୁଲ ପଡିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ।ସୌନ୍ଦର୍ଯ୍ୟ କରଣ ପାଇଁ ପୂର୍ବ ପଟ ବଡ ପୋଖରୀର ପୁନରୁଦ୍ଧାର ସହିତ ୨୦୦ ତାଳ ଗଛ ଓ ୨୦୦ ବର ଗଛ ଲଗାଯିବ। ଆଲୋକିକରଣ ସହିତ ପ୍ରମନେଡ ତିଆରି କରାଯିବ। ସାଧୁ ଓ ଭକ୍ତ ମାନଙ୍କ ପାଇଁ ୨୦୦ toilet ନିର୍ମାଣ କରାଯିବ।

ପୁରା ପ୍ରକଳ୍ପରେ ସାଧୁ ସନ୍ଥ, ଭକ୍ତ, ଓ ଅତିଥି ମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ରହିବ। ସୌନ୍ଦର୍ଯ୍ୟ କରଣ ସହିତ ଏହା ଜିଲ୍ଲାର ଏକ ପ୍ରମୁଖ ତୀର୍ଥସ୍ଥଳୀ ଓ ପର୍ଯ୍ୟଟନ କେନ୍ଦ୍ର ହେବା ପାଇଁ ସବୁ ପଦକ୍ଷେପ ନିଆଯିବ।

ପହିଲି ରଜ…

() ଆଜି ହେଉଛି ରଜ ପର୍ବ, ରଜ ଓଡ଼ିଶାର ଗଣପର୍ବ। ଏହା ରାଜ୍ୟର ଏକ ପାରମ୍ପରିକ ପର୍ବ ହୋଇଥିବା ବେଳେ ଏହାକୁ ଚାରିଦିନ ଧରି ପାଳନ କରାଯାଇଥାଏ। ଏହି ପର୍ବଟି ହେଉଛି ଝିଅ ବୋହୂ ମାନଙ୍କ ପର୍ବ। ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିନ ବସୁମତୀ ସ୍ନାନ ଭାବେ ପାଳନ ହୁଏ।

ତେବେ ରଜ ପୂର୍ବ ଦିନଟିକୁ ସଜବାଜ ବୋଲି କୁହାଯାଏ।  ଏହିଦିନ ଝିଅମାନେ ରଜ ପର୍ବ ପାଇଁ ସଜବାଜ ହୁଅନ୍ତି। ତେଣୁ ରଜ ୩ ଦିନ ଝିଅମାନେ କାମ କରନ୍ତି ନାହିଁ। ଘରେ ଘରେ ନାନାପ୍ରକାର ସୁସ୍ଵାଦୁ ଖାଦ୍ୟ ସହ, ବିଭିନ୍ନ ପ୍ରକାର ପିଠାପଣାର ଆୟୋଜନ କରାଯାଇଥାଏ। ସଜବାଜ ଦିନ ପୋଡ଼ପିଠା ପ୍ରସ୍ତୁତି ହେଉଛି ରଜପର୍ବ ର ବିଶେଷ ଆକର୍ଷଣ। ପହିଲି ରଜଦିନ ସକାଳୁ ସକାଳୁ ଝିଅ ଓ ବୋହୂମାନେ ନିଜର ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରଧାନ କରିଥାନ୍ତି। ରଜରେ ଦୋଳି ଖେଳ ହେଉଛି ବିଶେଷ ଆକର୍ଷଣ। ଝିଅମାନେ ଦୋଳି ଖେଳିବା ପାଇଁ ସତେ ଯେପରି ଅନେଇ ବସିଥାନ୍ତି ଏହି ପର୍ବକୁ ସେଥିପାଇଁ ଗାଁର ପ୍ରତିଟି ଗଛରେ ରଜଦୋଳି ଲଗାଯାଏ। ଝିଅ ବୋହୂମାନେ ମନ ଆନନ୍ଦରେ ଗାଁ ଗାଁ ବୁଲି ଦୋଳି ଖେଳି ରଜପର୍ବର ଆନନ୍ଦ ଉଠାଇଥାନ୍ତି।

ସେହିପରି ପୃଥିବୀ ମାତା ବର୍ଷାର ଆଗମନରେ ରଜସ୍ୱଳା ହୁଏ ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରେ। ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି। ରଜରେ ପୋଡ଼ ପିଠା ଓ ପାନଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ୍‌, ବାଗୁଡ଼ି ଆଦି ଖେଳି ସହିତ ଏହା ପାଳନ କରାଯାଏ। ଗାଁମାନଙ୍କରେ ଧୁମଧାମରେ ପାଳନ କରାଯାଏ ଏହି ପର୍ବ।

ବିତରଣ କମ୍ପାନୀକୁ ମୁଖ୍ୟ ଶାସନ ସଚିବଙ୍କ ତାଗିତ: ଯୁଦ୍ଧ କାଳୀନ ଭିତ୍ତିରେ ବିଜୁଳି କାଟର ସମାଧାନ କର….

() ସାମାନ୍ୟ କାଳବୈଶାଖୀରେ ୪ରୁ ୫ ଘଣ୍ଟା ପାୱାର କଟ l ଉପାନ୍ତ ଅଞ୍ଚଳରେ ନୁହେଁ, ରାଜ୍ୟ ରାଜଧାନୀ ଏପରି ଅବସ୍ଥା l ଲାଗୁଛି ଯେମିତି ଅଶୀ ଦଶକ ସମୟ ଫେରିଆସିଛି l ପୁଣି ବିଜୁଳି ସମସ୍ୟା ନେଇ ସାଧାରଣ ରେ ପୁରୁଣା ସ୍ଲୋଗାନ ତାଜା ହୋଇଛି l ବିଜୁଳି ଶାସନ ଗଲାଣି ହୁଗୁଳି l ହ ଏକଥା ଅପ୍ରିୟ ହେଲେ ମଧ୍ୟ ସତ l ଏକଥାକୁ ମଧ୍ୟ ରାଜ୍ୟ ସରକାର ଓ ଶାସକ ଦଳର ବଡପଣ୍ଡା ମାନେ ମଧ୍ୟ କହିଲେଣି l ସାମାନ୍ୟ କାଳ ବୈଶାଖୀ ବର୍ଷା ପରେ ବିଜୁଳି ଆସିବା ଯେମିତି ସାତ ସପନ ହୋଇଗଲାଣି ଲୋକଙ୍କ ପାଇଁ l ୨୩ବର୍ଷ ର ସରକାର ଙ୍କୁ ସାଧାରଣରେ ଏପରି ବଦନାମ କରିଛନ୍ତି କି କିଛି ବିତରଣ କମ୍ପାନୀ l ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ l
ପ୍ରଚଣ୍ଡ ଖରା ସାଙ୍ଗକୁ , ଅସହ୍ୟ ଗୁଳିଗୁଳିରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ l ଆଉ ଠିକ୍ ଏତିକି ବେଳେ ବୋଝ ଉପରେ ଲଳିତାବିଡା ସାଜିଛି ତ୍ରୁଟି ପୁର୍ଣ୍ଣ ବିଜୁଳି ପରିଚାଳନା l ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ର ନିଆ କୁହୁଳୁଛି ବ୍ୟବସ୍ଥାକୁ ନେଇ l ସାମାନ୍ୟ ବର୍ଷା ଓ ପବନ ଆସିଲେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ହେବାରୁ ଲୋକେ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି l ବିଜୁଳି ସମସ୍ୟାର ସମାଧାନ ନେଇ ମୁଖ୍ୟ ଶାସନ ସଚିବ ଆଜି ସମୀକ୍ଷା କରିଛନ୍ତି l ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେଶକ୍ତି ବିଭାଗ ଓ ୪ଟି ବିତରଣ କମ୍ପାନୀ ଏହି ବୈଠକରେ ସାମିଲ ହୋଇ ବିଜୁଳି ବିଭ୍ରାଟ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । କାଳବୈଶାଖୀ ପରେ ପୁନରୁଦ୍ଧାର କାର୍ଯ୍ୟ କିପରି ଶୀଘ୍ର ହୋଇ ପାରିବ ଏବଂ ଯେଉଁଠି ବିଦ୍ୟୁତ ସମସ୍ୟା ହେଉଛି ତାକୁ ତୁରନ୍ତ ସମାଧାନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଡିସକମ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତିl
ସୁଚନାକଣ୍ଟ୍ରୋଲ ରୁମ କୁ ଆସୁଥିବା ଅଭିଯୋଗକୁ ଗୁରୁତ୍ଵ ଦେଇ ବିଦ୍ୟୁତ ସେବା ଯୋଗାଇ ଦେବାକୁ ମୁଖ୍ୟ ଶାସନ ସଚିବ ତାଗିତ କରିଛନ୍ତି l ବିଦ୍ୟୁତ କାଟ ସମସ୍ୟାକୁ ଦୂର ପାଇଁ ତତକାଳ ପଦକ୍ଷେପ ନେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟଶାସନ ସଚିବ। ଶକ୍ତି ବିଭାଗ ଓ ବିତରଣ କମ୍ପାନୀ ମଧ୍ୟରେ ସମନ୍ୱୟ ରକ୍ଷା କରି ବିଦ୍ୟୁତ୍ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି l ଏହାସହ ସବ ଷ୍ଟେସନ ଓ ଷ୍ଟେସନ ସହ ଯୋଗାଯୋଗ କରି ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ lଅଘୋଷିତ ବିଦ୍ୟୁତ କାଟ କୁ ଟାଟା ପାୱାର ନାଁ ରେ ସୋସିଆଲ ମିଡିଆ ବହୁ ଅଭିଯୋଗ ଆସୁଛି l ଏପରି ବିଦ୍ୟୁତ ସେବା ଯୋଗାଇ ଦେବାରେ ଟାଟା ପାୱାର ମନମୁଖି କାର୍ଯ୍ୟକଳାପକୁ ନେଇ ମଧ୍ୟ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି l ହେଲେ ନେଇ କିନ୍ତୁ ପୁରା ନିରବ ଟାଟା ପାୱାର ଅଧିକାରୀ l ଚୋରା ଗଲା ପରେ ଟାଟା ପାୱାର ର ଚେତା ପଶିଛି l କର୍ମଚାରୀଙ୍କ ଛୁଟି ବାତିଲ କରିବା ସହ ବିଜୁଳି ସମସ୍ୟା ଦୂର କରିବା ଅଧିକ କର୍ମଚାରୀଙ୍କୁ ନିୟୋଜିତ କରିଛି କମ୍ପାନୀ l

ସୋଆରେ ବିଦେଶୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ ସେରିମୋନି ଆୟୋଜିତ…

()  ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ୩୬ ଜଣ ବିଦେଶୀ ଛାତ୍ରଛାତ୍ରୀଙ୍କୁ ରବିବାର ଏକ ବିଶେଷ ଗ୍ରାଜୁଏସନ୍ ସେରିମୋନିରେ ସେମାନଙ୍କର ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।ସିରିଆ, ଉଗାଣ୍ଡ, ଭୁଟାନ ଓ ନେପାଳରୁ ଆସିଥିବା ଏହି ଛାତ୍ରଛାତ୍ରୀମାନେ ସୋଆରେ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ , ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ ଏବଂ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ ର ୪ବର୍ଷ ଅଧ୍ୟୟନ ସମାପ୍ତ କରିଛନ୍ତି । ବିଶ୍ୱବିଦ୍ୟାଳୟରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା କୁଳାଧିପତି ପ୍ରଫେସର ଅମିତ ବାନାର୍ଜୀ ଏହି ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ ।

ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, କନ୍‌ଟ୍ରୋଲର ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଫ୍ୟାକଲ୍ଟି ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି, ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଫ୍ୟାକଲ୍ଟି ଅଫ୍ ଏଗ୍ରିକଲଚରାଲ ସାଇନ୍‌ସେସ୍‌ର ଆଡିସ୍‌ନାଲ୍ ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଏବଂ ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମ ନିର୍ଦ୍ଦେଶକ ପ୍ରଫେସର ନିଚକେତା କେ. ଶର୍ମା ଉପସ୍ଥିତ ଥିଲେ ।ଛାତ୍ରଛାତ୍ରୀମାନଙ୍କୁ ଉପଢୌକନ ଦେଇ ପ୍ରଫେସର ବାନାର୍ଜୀ ସେମାନେ ଅଧ୍ୟୟନ ନିମନ୍ତେ ସୋଆକୁ ମନୋନୀତ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସୋଆ ନିକଟରେ ଭାରତ ସରକାରଙ୍କ ର‌୍ୟାଙ୍କିଙ୍ଗ୍‌ରେ ଦେଶରେ ବିଶ୍ୱବିଦ୍ୟାଳୟ ଗୁଡିକ ମଧ୍ୟରେ ୧୫ତମ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କର ଶିକ୍ଷା ଗ୍ରହଣ ଉତମ ହୋଇଅଛି ବୋଲି ସେ କହିଥିଲେ ।କୁଳପତି ପ୍ରଫେସର ନନ୍ଦ ଉତିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ସୋଆର ଅଂଶ ଭାବେ ରହିବା ସହିତ ସେମାନଙ୍କ ନିଜ ଦେଶରେ ବିଶ୍ୱବିଦ୍ୟାଳୟର ପରିଚୟ ହେବେ ବୋଲି କହିଥିଲେ । ଏହି ଛାତ୍ରଛାତ୍ରୀମାନେ ସେମାନଙ୍କର ଉତରୋତର ଅଧ୍ୟୟନ ମଧ୍ୟ ସୋଆରେ କରିପାରିବେ ବୋଲି ପ୍ରଫେସର ନନ୍ଦ ଉଲ୍ଲେଖ କରିଥିଲେ ।

ଏହାର ଉତରରେ ନେପାଳରୁ ଆସିଥିବା ଜଣେ ଛାତ୍ରୀ ଜଇନୀବ ମୁସିର ଇରାକୀ ସୋଆ ସେମାନଙ୍କ ଜୀବନ ଯାତ୍ରାରେ ଏକ ଅଭୁଲା ସ୍ୱୁତି ହୋଇ ରହିବ ବୋଲି କହିଥିଲେ । “ ଆମର ୪ ବର୍ଷ ର ଯାତ୍ରା ଆଜି ଶେଷ ହେଲେ ମଧ୍ୟ ସମାଜ ପ୍ରତି ଆମର ପ୍ରତିବଦ୍ଧତାର ଆରମ୍ଭ ହୋଇଛି । ଏହି ଅଧ୍ୟୟନ ସମୟରେ ଆମେ ବିଭିନ୍ନ ବିଷୟକୁ ଗ୍ରହଣ କରିବା, ସହିଷ୍ଣୁ ହେବା ଓ ଶିକ୍ଷାକୁ ଅଗ୍ରାଧିକାର ଦେବା ଶିକ୍ଷା କରିପାରିଛୁ” ବୋଲି ସେ କହିବା ସହିତ ଏହି ସୁଯୋଗ ନିମନ୍ତେ ଭାରତ ସରକାର ତଥା ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ ।
ସିରିଆରୁ ଆସିଥିବା ଛାତ୍ର ଅହମ୍ମଦ ଇସ୍‌କନ୍ଦର ମଧ୍ୟ ସେମାନଙ୍କୁ ମାର୍ଗଦର୍ଶନ କରାଇଥିବାର ସୋଆକୁ କୃତଜ୍ଞତା ଜଣାଇଥିଲେ । ଭାରତ ତଥା ଓଡ଼ିଶାବାସୀ ବିଦେଶୀ ହୋଇଥିଲେ ମଧ୍ୟ ସେମାନଙ୍କ ପ୍ରତି ଆତ୍ମିୟତା ପ୍ରଦର୍ଶନ କରିଥିବାରୁ ସେ ଧନ୍ୟବାଦ ଦେଇଥିଲେ । ପ୍ରଫେସର ଶର୍ମା ଏହି ଛାତ୍ରଛାତ୍ରୀମାନେ ସେମାନଙ୍କ ନିଜ ଦେଶରେ ସୋଆର ପ୍ରତିନିଧି ଭାବେ କାର୍ଯ୍ୟ କରିବେ ବୋଲି କହିଥିଲେ । ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ଘନ ବିଦ୍ୟୁତ କାଟ ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଶକ୍ତିମନ୍ତ୍ରୀଙ୍କ ସରକାରୀ ବାସଗୃହ ଆଗରେ ବିକ୍ଷୋଭ…

{} ଘନ ବିଦ୍ୟୁତ କାଟ ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଶକ୍ତିମନ୍ତ୍ରୀଙ୍କ ସରକାରୀ ବାସଗୃହ ଆଗରେ ବିକ୍ଷୋଭ ଶକ୍ତିମନ୍ତ୍ରୀ ଟାଟା ପାୱାରର ସ୍ଥାବକ ସାଜିଛନ୍ତି- ୟାସିର

() ଆଜି ପୂର୍ବାହ୍ନ ୧୧ ଘଂଟା ସମୟରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସର ନୱାଜଙ୍କ ନେତୃତ୍ୱରେ ବାରମ୍ବାର ବିଦ୍ୟୁତ କାଟ ପ୍ରତିବାଦରେ ଶକ୍ତିମନ୍ତ୍ରୀ ଶ୍ରୀ ପ୍ରତାପ ଦେବଙ୍କ ସରକାରୀ ବାସଭବନ ସମ୍ମୁଖରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଛାତ୍ର କଂଗ୍ରେସର କର୍ମକର୍ତାମାନେ ହାତରେ ଲଣ୍ଠନ ଓ ବିଂଚଣା ଧରି ଅଭିନବ ଉପାୟରେ ସେଠାରେ ପ୍ରତିବାଦ ଜଣାଇଥିଲେ । ଛାତ୍ରକଂଗ୍ରେସର କର୍ମକର୍ତମାନେ ଶକ୍ତିମନ୍ତ୍ରୀଙ୍କୁ ଏ ସଂକ୍ରାନ୍ତରେ ପ୍ରଶ୍ନ କରିବା ପାଇଁ ତାଙ୍କ ବାସଗୃହ ଆଡକୁ ଧସେଇ ପଶୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । ପ୍ରାୟ ଏକ ଘଂଟା କାଳ ଛାତ୍ରକଂଗ୍ରେସର କର୍ମକର୍ତାମାନଙ୍କ ସହ ପୋଲିସର ଧସ୍ତାଧସ୍ତି ଚାଲିଥିଲା । ଏହି ପରିପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଛନ୍ତି ଯେ ଶକ୍ତିମନ୍ତ୍ରୀ ଶ୍ରୀ ପ୍ରତାପ ଦେବ ଜଣେ ଜନପ୍ରତିନିଧି ହୋଇ ସାଧାରଣଙ୍କ ଜନତାଙ୍କର ସମସ୍ୟାକୁ ଉପେକ୍ଷା କରି ଟାଟା ପାୱାର କମ୍ପାନୀ ସପକ୍ଷରେ ଯୁକ୍ତି ବାଢ଼ୁଛନ୍ତି । ସତେ ଯେପରି ସେ ଟାଟା ପାୱାର କମ୍ପାନୀର ସେ ଜଣେ ସ୍ତାବକ । ବିଦ୍ୟୁତ କାଟକୁ ଶକ୍ତିମନ୍ତ୍ରୀ ଅସ୍ୱୀକାର କରୁଛନ୍ତି । ଏହାକୁ ଟ୍ରିପ ହେଉଛି କହି ଉପଭୋକ୍ତମାନଙ୍କୁ ଭୁଆଁ ବୁଲାଉଛନ୍ତି । ଏବେ କାଳବୈଶାଖିର କ୍ଷତିଗ୍ରସ୍ତ ଯୋଗୁଁ ବିଦ୍ୟୁତ ସରବରାହରେ ବ୍ୟାଘତ ହେଉଛି ବୋଲି ନୂଆ କାହାଣୀ ଲେଖୁଛନ୍ତି ।

ଛାତ୍ରମାନେ ପାଠ ପଢ଼ିବା ପାଇଁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ମାତ୍ର ସରକାରଙ୍କର ସେଥିପ୍ରତି ନିଘା ନାହିଁ ।
ନିର୍ବାଚନ ପୂର୍ବରୁ ସବୁବେଳେ ୨୪ ଘଂଟିଆ ବିଦ୍ୟୁତ ଯୋଗାଣ ପ୍ରତିଶ୍ରୁତି ବିଜୁ ଜନତା ଦଳ ଦେଇଥାଏ । ମାତ୍ର ନିର୍ବାଚନ ପରେ ଏହି ପ୍ରତିଶ୍ରୁତି ପାଣିର ଗାର ହୋଇଯାଇଥାଏ । ଓଡ଼ିଶା ସରକାର ବିଗତ ୧୦ ବର୍ଷ ଭିତରେ ବିଦ୍ୟୁତ ବ୍ୟବସ୍ଥାର ସୁଧାର ପାଇଁ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି କହୁଥିବା ସ୍ଥଳେ ଏଥିରେ ୨୦ ଟଙ୍କା ଖର୍ଚ୍ଚ ହେଲା ଭଳି ଉପଲବ୍ଧି ହେଉନାହିଁ । ତାର, ଖୁଂଟି ଓ ଟ୍ରାନ୍‌ସ୍‌ଫରମରର ବ୍ୟାପକ ପରିବର୍ତନ ହେବା ପରିଦୃଷ୍ଟ ହେଉନାହିଁ । ଏଣୁ ଏଥିରେ ପ୍ରାୟ କୋଟି କୋଟି ଟଙ୍କା ଆତ୍ମସାତ ହେଉଛି ବୋଲି ଅଭିଯୋଗ ହେଉଛି । ଭୁବନଶ୍ୱେର ଓ କଟକରେ ଭୂତଳ ବିଦ୍ୟୁତକରଣ ବ୍ୟବସ୍ଥା ହେବାର ଘୋଷଣା କରାହେଲା । ଭୁବନେଶ୍ୱର ପାଇଁ ୨ ହଜାର କୋଟି ଟଙ୍କା ବ୍ୟବସ୍ଥା କଲେ । ମାତ୍ର ଫଳ ଶୂନ । ୧୫ ମାସ ଭିତରେ ହକି ଷ୍ଟାଡ଼ିୟମ ହୋଇଗଲା ବୋଲି ୫ଟି ସଚିବ ଗର୍ଜନ କରୁଥିବାବେଳେ ୧୦ ବର୍ଷ ଭିତରେ ବିଦ୍ୟୁତ ବ୍ୟବସ୍ଥାର ସୁଧାର କାହିଁ ହୋଇପାରିଲା ନାହିଁ ତା’ର ଉତର ଦେବେ କି? ସାରା ଭାରତ ବର୍ଷରେ ଓଡ଼ିଶା ଏକ ବଳକା ବିଦ୍ୟୁତ ରାଜ୍ୟ ପରିଗଣିତ ହେଉଥିବାବେଳେ ଏଠାରେ ଉପଭୋକ୍ତାମାନେ ଚଢ଼ା ଦରରେ ବିଦ୍ୟୁତ କିଣୁଛନ୍ତି ।

ଟାଟା ପାୱାର ବିଦ୍ୟୁତ ବଂଟନ ଦାୟିତ୍ୱ ନ ନେବେ ଆଗରୁ ପ୍ରଥମ ସ୍ଲାବ୍‌କୁ ଶୂନ ରୁ ୧୦୦ ୟୁନିଟ୍ ଭିତରେ ରଖାଯାଉଥିବାବେଳେ ଏବେ ପ୍ରଥମ ସ୍ଲାବ ୟୁନିଟକୁ ୦ ରୁ ୫୦ ୟୁନିଟ୍ ଭିତରେ ରଖାଯାଉଛି । ଉପଭୋକ୍ତାଙ୍କ ତଂଟି ଚିପି ଟାଟା ପାୱାର ରକ୍ତ ଶୋଷଣ କରୁଥିବାବେଳେ ଶକ୍ତିମନ୍ତ୍ରୀ, ଶକ୍ତିସଚିବ, ଓଇଆରସି, ନୀରବ ଦ୍ରଷ୍ଟା ସାଜିଛନ୍ତି । କାରଣ ନବୀନ ସରକାର ଟାଟା ପାୱାର ଦ୍ୱାରା ଉପକୃତ ହେଉଛି । ଏଣୁ ସାଧାରଣ ଲୋକଙ୍କ ସ୍ୱାର୍ଥ ବଳି ପଡ଼ିଲେ ବି ଏହି ଅଧିକାରୀମାନେ ଏବଂ ଜନପ୍ରତିନିଧି ଚୁପ୍ ବସିଛନ୍ତି ।
କେବଳ ଯେ ଚୁପ୍ ବସିନାହାନ୍ତି ବରଂ ଟାଟା କମ୍ପାନୀ ସପକ୍ଷରେ ଚୁକ୍ତି ବାଢ଼ୁଛନ୍ତି । ନିକଟରେ କର୍ଣ୍ଣାଟକ ଗରୀବ ଲୋକଙ୍କୁ ୨୦୦ ୟୁନିଟ୍ ବିଦ୍ୟୁତ ମାଗଣା ଯୋଗାଉଥିବାବେଳେ ଆମ ରାଜ୍ୟ ବିପିଏଲ କାର୍ଡ଼ଧାରୀଙ୍କୁ ୨୦୦ ୟୁନିଟ୍ ମାଗଣା ଦିଆଯିବା ପାଇଁ ଛାତ୍ର କଂଗ୍ରେସ  ଦାବୀ କରୁଛି । ଅନ୍ୟପକ୍ଷରେ ଟାଟା କମ୍ପାନୀର ଦାଦାଗିରି ବଢ଼ିଯାଇଛି । ମିଟର ରିଡ଼ିଂ ଓ ତ୍ରୁଟିପୂର୍ଣ୍ଣ କରି ଉପଭୋକ୍ତାଙ୍କ ଠାରୁ  ଅସଦ୍‌ଉପାୟରେ ଅର୍ଥ  ଆଦାୟ କରାଯାଉଛି । ପ୍ରତିବାଦ କଲେ ବିଦ୍ୟୁତ ସଂଯୋଗ କାଟି ଦିଆଯାଉଛି ।

ସୁପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନିରବଚ୍ଛିନ୍ନ  ବିଦ୍ୟୁତ ଯୋଗାଣ ପାଇଁ ଦାବୀ କରାଯାଉଛି । ତୁରନ୍ତ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ବିଦ୍ୟୁତ ବ୍ୟବସ୍ଥାର ସୁଧାର ଆଣିବା ସହ ଟାଟା କମ୍ପାନୀ  ଉପରେ ଅଙ୍କୁଶ ଲଗାଇବା ପାଇଁ ମଧ୍ୟ ଦାବୀ କରାଯାଉଛି । ଶକ୍ତିମନ୍ତ୍ରୀ ଟାଟାର ସ୍ଥାବନ ନ ହୋଇ ଜନସାଧାରଣଙ୍କର ସ୍ୱାର୍ଥର ସୁରକ୍ଷା କରନ୍ତି । ଆଜିର କାର୍ଯ୍ୟକ୍ରମରେ ରଜତ ଚୌଧୁରୀ, ପ୍ରକାଶ ମିଶ୍ର, ରଣଜିତ ପାତ୍ର, ଅଜୟ ସାହୁ, ସ୍ୱାଗତ କର, ସୁରଜ ରାଉତ, ସାଗର ପଟ୍ଟନାୟକ, ବିଶ୍ୱଭୂଷଣ ମହାପାତ୍ର, କାର୍ତିକ କାଣ୍ଡି, ଉଦିତ୍ ପ୍ରଧାନ, ଶ୍ରୀ ମହାନ୍ତି, ଦୀପିକା ପାତ୍ର, ସାହାରୁଖ ଖାନ, ଆର୍ଯ୍ୟନ ସାସମଲ,  ଅଭିନାଷ ନନ୍ଦ, ସୌମ୍ୟ ବରାଳ, ରାଜଦୀପ ବେହେରା, ଅହମଦ ଖାନ, ମହମ୍ମଦ ମନୱାର ଓ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news