ବନ୍ୟାଞ୍ଚଳ ପରଦର୍ଶନ କରିବେ: ମୁଖ୍ୟମନ୍ତ୍ରୀ..

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଜି ଅପରାହ୍ନ ସାଢେ ତିନିଟା ରେ ଖୁରଧା, ପୁରୀ, କଟକ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିବେ ।

ମୁଖ୍ୟମନ୍ତ୍ରୀ ଙ୍କ ସହିତ ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ ମଧ୍ୟ୍ୟ ବନ୍ୟାଞ୍ଚଳ ବୁଲି ଦେଖିବେ।

ଆଇଆଇଏମ୍‍ସିର ପ୍ରତିଷ୍ଠା ଦିବସ ପାଳିତ : ମୂଲ୍ୟବୋଧକୁ ଅଧିକ ଗୁରୁତ୍ୱ ଦେଉ ଗଣମାଧ୍ୟମ”

ଢେଙ୍କାନାଳ: ଦେଶ ସ୍ୱାଧୀନ ସମୟରୁ ଆଜି ଯାଏ ସାମ୍ବାଦିକତାରେ ବିଭିନ୍ନ ପରିବର୍ତ୍ତନ ହୋଇଛି । ନିର୍ଭୀକ ସାମ୍ବାଦିକତା ହିଁ ଭାରତର ସ୍ୱାଧୀନତା ପ୍ରାପ୍ତିରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲା । ହେଲେ ବର୍ତ୍ତମାନ ସବୁକିଛି ବଦଳିଛି । ଖବରର ବିଷୟବସ୍ତୁ ଓ ମୂଲ୍ୟବୋଧରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଏଣୁ ଗଣମାଧ୍ୟମ ବିଷୟବସ୍ତୁ ଓ ମୂଲ୍ୟବୋଧ ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ ବୋଲି କହିଛନ୍ତି ଖ୍ୟାତନାମା ସାମ୍ବାଦିକ ତଥା ସୁଲେଖକ ବିନୋଦ ଭରଦ୍ୱାଜ ।

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ର ୫୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ସେହିପରି ଆଇଆଇଏମ୍‍ସି ଢେଙ୍କାନାଳର ୩୦ତମ ପ୍ରତିଷ୍ଠା ଦିବସ ଅବସରରେ ‘ସ୍ୱାଧୀନତା ପରବର୍ତ୍ତୀ ସମୟରୁ ଭାରତରେ ଗଣମାଧ୍ୟମର ପରିବର୍ତ୍ତନୀୟ ରୂପରେଖ’ ଶୀର୍ଷକ ପ୍ରତିଷ୍ଠା ଦିବସ ବକ୍ତବ୍ୟ ଅନୁଷ୍ଠିତ ହୋଇଛି । ଏଥିରେ ବକ୍ତା ଭାବେ ଯୋଗଦେଇ ଶ୍ରୀ ଭରଦ୍ୱାଜ କହିଛନ୍ତି, ସ୍ୱାଧୀନତା ପୂର୍ବରୁ ଖବରକାଗଜଗୁଡ଼ିକର ମୁଖ୍ୟ ଲକ୍ଷ୍ୟ ଥିଲା ସ୍ୱାଧୀନତା ପ୍ରାପ୍ତି । ଏଥିପାଇଁ ବହୁ ବ୍ୟକ୍ତି ଖବରକାଗଜ ମାଧ୍ୟମରେ ସ୍ୱାଧୀନତା ଆନ୍ଦୋଳନକୁ ସଂଗଠିତ କରିବା ଲାଗି ପ୍ରଚେଷ୍ଟା କରିଥିଲେ । ତେବେ ସ୍ୱାଧୀନତା ପରେ ଧୀରେ ଧୀରେ ଅଧିକାଂଶ ଗଣମାଧ୍ୟମରେ ବିଷୟବସ୍ତୁ ତା’ର ନୈତିକ ଦିଗ ହରାଇଲା । ସାମ୍ବାଦିକତା ସହ ଯୋଡ଼ି ହୋଇଗଲା ବ୍ୟବସାୟିକ ଓ ରାଜନୈତିକ ମନୋବୃତ୍ତି । ରାଜନୀତି ସହ ସମ୍ପୃକ୍ତ ଅନେକ ଲୋକ ଗଣମାଧ୍ୟମକୁ ଅସ୍ତ୍ର ଭାବେ ବ୍ୟବହାର କରିଲେ । ଆଉ କିଛି ଗଣମାଧ୍ୟମ ବ୍ୟବସାୟକୁ ସବୁଠୁଁ ଅଧିକ ପ୍ରାଧାନ୍ୟ ଦେଲା । ଏମିତି ସ୍ଥିତିରେ ବି ବିଭିନ୍ନ ଆଞ୍ଚଳିକ ଭାଷାର ଖବରକାଗଜରେ ଭଲ ବିଷୟବସ୍ତୁ ରହିଥିଲା । ଅଧିକରୁ ଅଧିକ ପାଠକ ଭାଷାଭିତ୍ତିକ ଖବରକାଗଜ ପଢ଼ିବାକୁ ଲାଗିଲେ । ଆଶା କରାଯାଉଥିଲା କେବଳ ହିନ୍ଦୀ କିମ୍ବା ଇଂରାଜୀ ସମ୍ବାଦପତ୍ର ହିଁ ଅଧକ ଲୋକପ୍ରିୟ ହୋଇପାରିବ । କିନ୍ତୁ ତାହା ହେଲା ନାହିଁ । ବରଂ ପଞ୍ଜାବୀ, ଓଡ଼ିଆ, ଉର୍ଦ୍ଦୁ ପରି ଭାଷାଭିତ୍ତିକ ଖବରକାଗଜର ଆଦୃତି ଅଧିକ ଦେଖିବାକୁ ମିଳିଲା । ଏସବୁ ଭିତରେ ୧୯୭୫ ମସିହାରେ ଜରୁରିକାଳୀନ ସ୍ଥିତି ଭାରତୀୟ ସାମ୍ବାଦିକତାକୁ ଅନେକାଂଶରେ ଦୋହଲେଇ ଦେଇଥିଲା । ପ୍ରେସ୍‍ ଉପରେ କଟକଣା ଲାଗିଲା, ସାମ୍ବାଦିକଙ୍କ ଉପରେ ନଜର ରଖାଗଲା, ସରକାର ବିରୋଧୀ ଖବରର ପ୍ରକାଶନକୁ ନିଷେଧ କରାଗଲା ଇତ୍ୟାଦି । କିନ୍ତୁ ଜରୁରିକାଳୀନ ସ୍ଥିତି ପରଠାରୁ ଅର୍ଥାତ୍‍ ୧୯୭୭ ମସିହାରୁ ବିଭିନ୍ନ ଭାରତୀୟ ଭାଷାରେ ଅନେକ ନୂଆ ପତ୍ରିକା ଆସିଲା ଓ ସେଗୁଡ଼ିକ ଲୋକପ୍ରିୟ ହେବାରେ ଲାଗିଲା । ଖବରକାଗଜର ନୂଆ ପାଠକଙ୍କ ସଂଖ୍ୟା ମଧ୍ୟ ବଢ଼ିଲା । ତେବେ ଧ୍ୟାନର ସହ ଦେଖିଲେ ଗଣମାଧ୍ୟମ କ୍ଷେତ୍ରରେ ସବୁଠୁଁ ବଡ଼ ପରିବର୍ତ୍ତନ ଟେକ୍ନୋଲୋଜି ମାଧ୍ୟମରେ ହୋଇଥିବା ଅନୁଭବ କରାଯାଏ । ଆଧୁନିକ ପ୍ରିଣ୍ଟିଂ ମେସିନ୍‍ ଓ କମ୍ପ୍ୟୁଟରର ପ୍ରୟୋଗ ଖବରକାଗଜ ପ୍ରକାଶନକୁ ସହଜ କରିଦେଲା । ଫଳରେ ଭାଷାଭିତ୍ତିକ ଗଣମାଧ୍ୟମକୁ ବିଜ୍ଞାପନ ମିଳିବାରେ ଲାଗିଲା ଓ ଆୟ ମଧ୍ୟ ଅଧିକ ହେଲା ।

ସେହିପରି ୧୯୯୫ରେ ଇଣ୍ଟରନେଟ୍‍ର ଆଗମନ କେବଳ ଲୋକଙ୍କ ଜୀବନକୁ ସହଜ କରିନଥିଲା ବରଂ ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ବେଶ୍‍ କିଛି ପରିବର୍ତ୍ତନ ହୋଇଥିଲା । ସେ ଯାହାହେଉ, କିଛି ବର୍ଷ ହେବ ସାମାଜିକ ଗଣମାଧ୍ୟମରେ ଯେଉଁ ପ୍ରକାର ଖବର ପରିବେଷଣ ହେଉଛି, ଅନେକ ସମୟରେ ସେଥିରେ ପାଠକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି । ଏଥିସହିତ ବିଭିନ୍ନ କାରଣରୁ ଗଣମାଧ୍ୟମରେ ଅନେକ ଖବରକୁ ଦବେଇ ଦିଆଯାଉଛି । କିଛି ନ୍ୟସ୍ତସ୍ୱାର୍ଥ ଲୋକ ଗଣମାଧ୍ୟମକୁ ଭୁଲ ଭାବରେ ବ୍ୟବହାର କରୁଛନ୍ତି । ଏହାଦ୍ୱାରା ଗଣମାଧ୍ୟମ ଉପରେ ଲୋକଙ୍କର ଏକ ନକାରାତ୍ମକ ଭାବନା ସୃଷ୍ଟି ହେଉଛି । ତେବେ ସାମ୍ବାଦିକତା ମାଧ୍ୟମରେ ରାଜନୀତି କରିବା, ନାଁ କମେଇବା କିମ୍ବା ଅର୍ଥ ଉପାର୍ଜନ କରିବା ସାମ୍ବାଦିକତାର ପ୍ରକୃତ ମାନଦଣ୍ଡ ନୁହେଁ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଆଇଆଇଏମ୍‍ସି, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ଦେଶକୁ ସ୍ୱାଧୀନ କରିବା ପାଇଁ ଖବରକାଗଜ ବାହାର କରିବା ଏକ ମିଶନ ଥିଲା । ପରବର୍ତ୍ତୀ ସମୟରେ ଏ ଭାବନାରେ ପରିବର୍ତ୍ତନ ହୋଇଥିଲା । ସ୍ୱାଧୀନତା ପରେ ଧୀରେ ଧୀରେ କିଛି ଗଣମାଧ୍ୟମରେ ବିଷୟବସ୍ତୁ ତା’ର ନୈତିକ ଦିଗ ହରାଇଥିଲା । ଏଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ସାମ୍ବାଦିକତା ତା’ର ନୈତିକତା ରକ୍ଷା କରିବା ଏକ ବଡ଼ ଆହ୍ୱାନ ବୋଲି ସେ କହିଛନ୍ତି ।

ଏହି ଅବସରରେ ‘ଦେଶୀୟ ଭାଷାର ଆନ୍ତର୍ଜାତିକ ଦଶନ୍ଧି’ ଉପଲକ୍ଷେ ଆଇଆଇଏମ୍‍ସି, ଢେଙ୍କାନାଳ ପକ୍ଷରୁ ‘ଭାଷା, ପରିଚୟ, ସଂସ୍କୃତି’ ଶୀର୍ଷକ ଉପରେ ପ୍ରକାଶିତ ଏକ ମନୋଗ୍ରାଫ୍‍ ଉନ୍ମୋଚିତ ହୋଇଥିଲା । ଆଇଆଇଏମ୍‍ସିର ସହକାରୀ ପ୍ରଫେସର ଭାବନା ଆଚାର୍ଯ୍ୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଧନ୍ୟବାଦ ଦେଇଥିଲେ ସହକାରୀ ପ୍ରଫେସର ଡ. ହରିକୃଷ୍ଣ ବେହେରା ।

ସକାଳେ ଆଇଆଇଏମ୍‍ସିର ପ୍ରତିଷ୍ଠା ଦିବସ ପତାକା ଉତ୍ତୋଳନ କରିଥିଲେ ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ । ଏଥିରେ ସଂସ୍ଥାନର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

ରାଜସ୍ୱ ମନ୍ତ୍ରୀ ଙ୍କ ପ୍ରେସ ମିଟ…

() ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲିକ ଓ ସ୍ୱତନ୍ତ୍ର ରିଲିଫ କମିଶନର ଙ୍କ ପ୍ରେସମିଟ।ରାଜ୍ୟରେ ଆହୁରି ୪ ଦିନ ଏମିତି ବନ୍ୟା ସ୍ଥିତି ଲାଗି ରହିବ । ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ବନ୍ୟା ଦ୍ୱାରା ମହାନଦୀ ସିଷ୍ଟମରେ ଗତକାଲି ଦୁଇଟି ଘାଇ ହୋଇଥିଲା । ଆଜି ଆଉ ଦୁଇଟି ଘାଇ ହୋଇଛି । ମୋଟ 4ଟି ଘାଇ ହୋଇଛି । 2011 ପରେ ରାଜ୍ୟରେ ଏଭଳି ବନ୍ୟା ହୋଇଛି । ବର୍ତ୍ତମାନ ଘଣ୍ଟାକୁ 17 ହଜାର କୁସେକ ପାଣି ମୁଣ୍ଡଳୀରୁ ଖସୁଛି । କିଛି ସମୟ ପରେ ଘଣ୍ଟା କୁ 25 ହଜାର କୁସେକକୁ ଖସିବ । ତେବେ ହୀରାକୁଦ ଡ୍ୟାମର ବନ୍ୟା ଜଳ ମୁଣ୍ଡଳୀଠାରେ କାଲି ସକାଳୁ ପହଂଚିବ । ପ୍ରାୟ 9ରୁ 10ଲକ୍ଷ କୁସେକ ପାଣି ପାସ କରିବ । କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ବନ୍ୟା ଦ୍ୱାର ପ୍ରଭାବିତ । ଜଗତସିଂହପୁର ଓ ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଆଜି ଓଡ୍ରାଫ, NDRF, ଫାୟାର ସର୍ଭିସ ଅତିରିକ୍ତ ଟିମ ପଠାଯାଇଛି ।

ଆସୁଥିବା ବର୍ଷା କୁ ଦେଖି କେନ୍ଦୁଝର, ଭଦ୍ରକ ଓ ଯାଜପୁର କୁ ସତର୍କ ରହିବା ପାଇଁ କୁହାଯାଇଛି । କାରଣ ବ୍ରାହ୍ମଣୀ ଓ ବୈତରଣୀ ବେଲ୍ଟ ରେ ବର୍ଷା ହେବାର ଆକଳନ କରାଯାଉଛି । ସ୍ୱାସ୍ଥ୍ୟ ବିଭାଗ ସହିତ ଲଗାତାର ଭାବେ ଯୋଗାଯୋଗ ରହିଛି । ପାର୍ଯ୍ୟାପ୍ତ କୀଟ ପାଇଁ କୁହାଯାଇଛି । ଏହା ବାଦ ଆଣ୍ଟି ଭେନମ କୀଟ ଅଧିକ ମହଜୁଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ରେସକ୍ୟୁ ଅପରେସନ ଚାଲିଛି।ରନ୍ଧ୍ୟା ଖାଦ୍ୟ ପ୍ରଦାନ କରାଯାଉଛି। ମାଧ୍ୟ୍ୟମ ଧାରଣର ବନ୍ୟା ହୋଇଛି। ଘାଇ ମରାମତି କରାଯାଇଛି।ଘାଳିଆ ମଧ୍ୟ ମରା ଯାଇଛି।

ପ୍ରମିଳା ମଲିକ , ରାଜସ୍ୱ ମନ୍ତ୍ରୀ

ବଢିଲା ଚାଷୀ ପଞ୍ଜିକରଣ ଅବଧି…

() ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଚଳିତ ମାସ ୨୨ ତାରିଖ (୨୨.୦୮.୨୦୨୨)ପର୍ଯ୍ୟନ୍ତ ବଢିଲା..

ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଚଳିତ ମାସ ୨୨ ତାରିଖ (୨୨.୦୮.୨୦୨୨)ପର୍ଯ୍ୟନ୍ତ ବଢିଲା । ପ୍ରକାଶ ଥାଉକି ଏହି ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଗତ ଜୁଲାଇ ମାସ ୧୫ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ମାସ ୧୬ ତାରିଖ ମଧ୍ୟରେ ଦାଖଲ ହେବାକୁ ଥିଲା । ବିଭିନ୍ନ ପରିସ୍ଥିତିକୁ ବିଚାରକୁ ନେଇ ବର୍ତମାନ ରାଜ୍ୟ ସରକାର ଏହାକୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି ।

ଏଣୁ ଚାଷୀମାନେ ସେମାନଙ୍କର ନିକଟସ୍ଥ ଅନୁମୋଦିତ କୃଷୀସମବାୟ ସମିତି ( ପାକ୍ସ,ଲାମ୍ପ୍ସ , ମହିଳା ସ୍ୱୟଂସହାୟକ ଗୋଷ୍ଠି ଓ ପାଣି ପଚାଂୟତ)ରେ ଉକ୍ତ ଅବଧି ମଧ୍ୟରେ ପଞ୍ଜୁକୃତ କରାଇବା ପାଇଁ କୁହାଯାଇଛି ।

ଏ ନେଇ ଖାଦଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ରାଜ୍ୟର ସମସ୍ତ ସମବାୟ ନିବନ୍ଧକ ଏବଂ ଜିଲ୍ଲାପାଳ ମାନଙ୍କୁ ଅବଗତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି ।

 

ସୋଆ ପକ୍ଷରୁ ୭୬ତମ ସ୍ୱାଧୀନତା ଦିବସ ପାଳିତ…

() ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସୋମବାର ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ମୁଖ୍ୟ କାର୍ଯ୍ୟାଳୟରେ ଜାତୀୟ ପତାକା ଉତୋଳନ କରିଥିଲେ । ପତାକା ଉତୋଳନ କରିବା ପରେ ନିଜ ଅଭିଭାଷଣରେ ପ୍ରଫେସର ମହାପାତ୍ର କହିଥିଲେ ଯଦିଓ ଭାରତ ୭୫ ବର୍ଷ ପୂର୍ବରୁ ସ୍ୱାଧୀନତା ହାସଲ କରିଛି ତଥାପି ଲୋକମାନେ ଏବେ ବି ନିଜର ଦାୟିତ୍ୱ ଏବଂ କର୍ତବ୍ୟ ସମ୍ପର୍କରେ ସଚେତନ ନୁହଁନ୍ତି ।

ଦେଶରେ ଜନସଂଖ୍ୟା ବୃଦ୍ଧି ଏବଂ ଯକ୍ଷ୍ମା ରୋଗ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ୩୫ ପ୍ରତିଶତ ଯକ୍ଷ୍ମା ରୋଗୀଙ୍କ “ଡ୍ରଗ୍ ରେଜିଷ୍ଟାଂଟ ଟ୍ୟୁମରକୁଲୋସିସ୍‌”ରେ ଆକ୍ରାନ୍ତ ଅର୍ଥାତ୍ ସେମାନଙ୍କ କ୍ଷେତ୍ରରେ ଔଷଧ କାମ କରୁନାହିଁ ବୋଲି ସେ କହିଛନ୍ତି ।ଦେଶରେ ବର୍ତମାନ ସବୁଠାରୁ ବଡ଼ ସମସ୍ୟା ହେଉଛି ଲୋକମାନେ ସେମାନଙ୍କର ଅଧିକାର ନେଇ ସଚେତନ ଥିବା ବେଳେ ଦାୟିତ୍ୱ ବିଷୟରେ ସଚେତନ ନୁହଁନ୍ତି । ତଥ୍ୟକୁ ଆଧାର କରି ପ୍ରଫେସର ମହାପାତ୍ର କହିଛନ୍ତି ଯେ ସାମାଜିକ ସଚେତନତା କ୍ଷେତ୍ରରେ ଭାରତ ସବୁଠାରୁ ତଳେ ଅଛି । ତେଣୁ ଶିକ୍ଷିତ ଲୋକଙ୍କୁ ଶିକ୍ଷିତ କରାଇବା ଖୁବ୍ କଷ୍ଟକର ବୋଲି ସେ କହିଥିଲେ ।

ଏହି ଅବସରରେ ସୋଆର ପ୍ରୋ-ଚାନ୍‌ସେଲର ପ୍ରଫେସର (ଡାକ୍ତର) ଅମିତ ବାନାର୍ଜୀ ସୋଆର ୨୫ ବର୍ଷ ପୂରଣ ହେବା ସହ ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିôବାରୁ ଖୁସି ବ୍ୟକ୍ତ କରିଥିଲେ । ଅନ୍ୟ ଏକ ସ୍ୱତନ୍ତ୍ର ଉତ୍ସବରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସୋଆ ପାକ୍ଷିକ ବକ୍ତୃତା ମାଳା (ସୋଫାଲ୍‌)କୁ ନେଇ ପ୍ରସ୍ତୁତ ପୁସ୍ତକକୁ ଉନ୍ମୋଚିତ କରିଥିଲେ । ବିଶିଷ୍ଟ ବ୍ୟକ୍ତି ବିଶେଷ ପ୍ରଦାନ କରିଥିବା ବହୁମୂଲ୍ୟ ବକ୍ତବ୍ୟକୁ ନେଇ ପୁସ୍ତକ ‘ସୋଫାଲ ମାଲା’ ପ୍ରସ୍ତୁତ କରାଯାଇଛି ।

ଏହି ବକ୍ତୃତା ମାଳା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାକୁ ଆଗକୁ ନେବାରେ ସାହାଯ୍ୟ କରିବ ବୋଲି ପ୍ରଫେସର ନାୟକ ଏହି ଅବସରରେ କହିଥିଲେ ।

ବିଶ୍ୱ ବିଦ୍ୟାଳୟ ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମାଙ୍କ ଦ୍ୱାରା ସମ୍ପାଦିତ ଏହି ପୁସ୍ତକର ଉନ୍ମୋଚନ କାର୍ଯ୍ୟକ୍ରମରେ ସୋଆର ଚାନ୍‌ସେଲର ପ୍ରଫେସର ଡି.ପି. ରାୟ, ପ୍ରୋ-ଚାନ୍‌ସେଲ୍‌ର ପ୍ରଫେସର ବାନାର୍ଜୀ, କୁଳପତି ପ୍ରଫେସର ମହାପାତ୍ର, ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଉପଦେଷ୍ଟା ପ୍ରଫେସର ଆର୍‌.ପି. ମହାନ୍ତି, ଉପ-କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଉପ-କୁଳପତି ତଥା ରେଜିଷ୍ଟ୍ରାର ପ୍ରପେସର ବିଭୁତି ଭୂଷଣ ପ୍ରଧାନ, ସୋଆ ଅଧିନସ୍ଥ ବିଭିନ୍ନ ଶିକ୍ଷାନୁଷ୍ଠାନର ଡିନ୍‌, ନିର୍ଦ୍ଦେଶକ ଏବଂ ବରିଷ୍ଠ କର୍ମକର୍ତା ଉପସ୍ଥିତ ଥିଲେ ।

ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ଦୁଇଦିନ ପରେ ପୁଣି ବର୍ଷିବ…

{} ଅଗଷ୍ଟ ୧୮ରୁ ଓଡ଼ିଶାରେ ପୁଣି ଅଧିକ ବର୍ଷା ସମ୍ଭାବନା: ସିଇସି…

() ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅକ୍ଟୋବର ୧୮ ତାରିଖରେ ରାଜ୍ୟର ଉପକୂଳବର୍ତୀ ଉତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ଏହାର ଗୋଟିଏ ଦିନ ପରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ଥିବା ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଲଘୁଚାପ ଅଗଷ୍ଟ ୨୦ ତାରିଖ ସକାଳ ପର୍ଯ୍ୟନ୍ତ ସ୍ଥିର ରହିବା ସହ ଏହା ପରେ ପଶ୍ଚିମ-ଉତର-ପଶ୍ଚିମ ଦିଗ ଆଡକୁ ମୁହଁାଁଇବ ବୋଲି ସିଇସି ବୁଲେଟିନ୍‌ରେ କୁହାଯାଇଛି । ଏହାର ପ୍ରଭାବରେ ଅଗଷ୍ଟ ୧୮ ତାରିଖ ସୁଦ୍ଧା ଓଡ଼ିଶା ଉପକୂଳ ଏବଂ ଏଂହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ଥିବା ବେଳେ ଏହାର ଠିକ୍ ଗୋଟିଏ ଦିନ ପରେ ଉତର ଓଡ଼ିଶା ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ, ନୟାଗଡ଼, କନ୍ଧମାଳ ଏବଂ ଅନୁଗୁଳ ଭଳି ଜିଲ୍ଲା ଗୁଡ଼ିକରେ ଲଘୁଚାପର ପ୍ରଭାବ ରହିବ । ସେହିପରି ଅଗଷ୍ଟ ୧୯ ତାରିଖ ରାତିରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ଯଥା କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ବରଗଡ଼, ସମ୍ବଲପୁର, ସୋନ୍‌ପୁର, ବୌଦ୍ଦ ଏବଂ ଝାରସୁଗୁଡାରେ ପ୍ରବଳ ବର୍ଷା ହେବ ବୋଲି ବୁଲେଟିନ୍‌ରେ କୁହାଯାଇଛି ।

ପଶ୍ଚିମ ଏବଂ ଉତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଏବଂ ମହାନଦୀର ଅପର ଏବଂ ଲୋୟର କ୍ୟାଚ୍‌ମେଂଟ, ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ଅଗଷ୍ଟ ୧୯ ତାରିଖ ରାତିରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଛତିଶଗଡ଼ରେ ଅଗଷ୍ଟ ୧୯ ତାରିଖ ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ସମୟରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବର୍ଷାର ପରିମାଣ ଅଗଷ୍ଟ ୨୧ ତାରିଖରୁ କମିବାର ସମ୍ଭାବନା ରହିଛି ବୋଲି ସିଇସି ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ ହସ୍ପିଟାଲ୍ ପରିସରରେ ପ୍ରଦର୍ଶିତ ହେଲା ଅହିଂସା ରଥ….

() ସ୍ୱାଧୀନତାର ୭୫ ବର୍ଷ ପୂର୍ତୀ ଅବସରରେ ମହାତ୍ମାଗାନ୍ଧୀଙ୍କ ବାର୍ତା ସହ ବହୁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମହାନ ଅବଦାନ ସମ୍ପର୍କରେ ସୂଚନା ପ୍ରଦାନ କରୁଥିôବା ତଥା ସାରା ରାଜ୍ୟରେ ପରିକ୍ରମା କରିବାକୁ ଥିବା ଭ୍ରାମ୍ୟମାଣ ଓ ଭିଡିଓ ରଥ ‘ଅହିଂସା ରଥ‘ର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କରିଥିବା ବେଳେ ଏହି ରଥଟି ସୋଆ ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପରିସରରେ ମଧ୍ୟ ପହଂଚିଥିଲା । ଛାତ୍ରଛାତ୍ରୀ, ଡାକ୍ତର, ନର୍ସ ଏବଂ ହସ୍ପିଟାଲ୍‌ର କର୍ମକର୍ତାଙ୍କ ସମେତ ଏଠାକୁ ଆସିଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନେ ମଧ୍ୟ ଏହି ଭିଡିଓକୁ ଦେଖିଥିଲେ ।

ରାଜ୍ୟରେ ଗମ୍ଭୀର ରହିଛି ବନ୍ୟା ସ୍ଥିତି…

()ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି,ଆସନ୍ତା ୪୮ ରୁ ୭୨ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ : SRC

ବନ୍ୟାର ଏପରି ସ୍ଥିତି ୩ ରୁ ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ ।

{} ରାଜ୍ୟରେ ଉଚ୍ଚ ଓ ମଧ୍ୟମ ଧରଣର ବନ୍ୟା (medium and high flood)ହୋଇଥିବା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା। 10 ଜିଲ୍ଲାକୁ ସତର୍କ କରାଯାଇଛି । ବର୍ତ୍ତମାନ ୧୧ ଲକ୍ଷ ୮୦ ହଜାର କ୍ୟୁସେକ ପାଣି ମୁଣ୍ଡଳୀ ରେ ଯାଉଛି ଯାହା ୧୨ ଲକ୍ଷ ପର୍ଯ୍ୟନ୍ତ ଯାଇପାରେ । ପରବର୍ତ୍ତୀ ସମୟରେ ହୀରାକୁଦ ଡ୍ୟାମ ରୁ ଅଧିକ ଗେଟ ଖୋଲିବା ପରେ ବି ମୁଣ୍ଡଳୀ ଠାରେ ୯ ରୁ ୯ ଲକ୍ଷ ୫୦ ହଜାର କ୍ୟୁସେକ ପାଣି ପାସ କରାଇବା ପାଇଁ ଆମେ ଚେଷ୍ଟା କରିବୁ । 3 ଟା ରେ ବୈଠକ ବସିବା ପରେ ହୀରାକୁଦ ର କେତେ ଗେଟ ଖୋଲିବ ସେ ନେଇ ନିଷ୍ପତ୍ତି ନିଆଯିବ ।

ପାଣି ସହିତ ନ ଖେଳିବା ବନ୍ୟା ଅଞ୍ଚଳର ଲୋକଙ୍କୁ SRC ଙ୍କ ଅନୁରୋଧ।

ବିପଦ ସଙ୍କେତ ଉପରେ ପ୍ରଭାହିତ ହେଉଛି ବନ୍ୟା ଜଳ…

() ପଥରଲା,ଖଇରମାଳ, ବରମୂଳରେ ଜଳ ପ୍ରବାହ କମିଛି । ମୁଣ୍ଡଳୀରେ ଜଳ ସ୍ତର ବଢ଼ିଛି । ବିପଦ ସଙ୍କେତ ଉପରେ ବନ୍ୟା ଜଳ ପ୍ରଭାହିତ ହୋଇଛି । 11 ଲକ୍ଷ 60 ହଜାର କ୍ୟୁସେକ ପାଣି ପାସ କରୁଛି ଏହା 10 ରୁ 20 ହଜାର କ୍ୟୁସେକ ବଢ଼ିପାରେ । ଏବଂ ତା ତା ପରେ ମୁଣ୍ଡଳୀରେ ବି ଜଳ ପ୍ରବାହ କମିବ । ଅପରାହ୍ନରେ ହୀରାକୁଦ ର ଗେଟ ନିଷ୍ପତ୍ତି ନିଆଯିବ । ବର୍ତ୍ତମାନ ତେଲ ବେସିନ ରେ ମଧ୍ୟ ଜଳ ପ୍ରବାହ କମିବା ଆରମ୍ଭ କରିଛି । କିଛି ସ୍ଥାନରେ ଘଳିଆ ହୋଇଛି । ତାହାର ଆବଶ୍ୟକ ପଦକ୍ଷେପ ନିଆଯାଉଛି ।

ବିଜୟ ମିଶ୍ର, ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାସ୍ଥିତି ସମୀକ୍ଷା….

() ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପରିସ୍ଥିତି ସମୀକ୍ଷା ସବୁ ଜୀବନ ମୂଲ୍ୟବାନ ହେଉଛି ଆମର ନୀତି।

ଯେପରି ଗୋଟିଏ ବି ଜୀବନ ହାନୀ ନ ହୁଏ ଓ ଯୋଗାଯୋଗରେ କୌଣସି ଗୁରୁତର ବିଭ୍ରାଟ ନ ହୁଏ, ତାହୁ ସୁନିଶ୍ଚିତ କର – ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

୧୦ଟି ଜିଲ୍ଲାର ଜିଲ୍ଲାପାଳମାନେ ସତର୍କ ରୂହନ୍ତୁ।

{} ବିପଦସଂକୁଳ ସ୍ଥାନ ଗୁଡିକରୁ ଲୋକଙ୍କୁ ସ୍ଥାନାନ୍ତର ସବୁ ପ୍ରକାର ବିପର୍ଯ୍ୟୟରେ ଆମର ନୀତି ହେଉଛି ‘ସବୁ ଜୀବନ ମୂଲ୍ୟବାନ’। ତେଣୁ ଯେପରି କୌଣସି ଗୋଟିଏ ବି ଜୀବନ ହାନୀ ନ ହୁଏ, ଏବଂ ସାଧାରଣ ଜୀବନଯାତ୍ରାରେ କୌଣସି ବ୍ୟାପକ ଅସୁବିଧା ସୃଷ୍ଟି ନ ହୁଏ, ତାକୁ ସୁନିଶ୍ଚିତ କର। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବନ୍ୟା ପରିସ୍ଥିତି ସମୀକ୍ଷା କରି ଅଧିକାରୀ ମାନଙ୍କୁ ଏହି ମର୍ମରେ ନିର୍ଦ୍ଦେଶ ଦେଇଛନ୍ତି ।

ପରିସ୍ଥିତି ସଂପର୍କରେ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନର ନିୟମିତ ଭାବେ ସମୀକ୍ଷା କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କ୍ରମାଗତ ଭାବେ ବର୍ଷା ଲାଗି ରହିଥିବାରୁ ମହାନଦୀ ଅବବାହିକା ଅଞ୍ଚଳର ୧୦ଟି ଜିଲ୍ଲାରେ ବନ୍ୟା ହେବାର ସମ୍ଭାବନା ଦେଖାଦେଇଛି । ତେଣୁ ଏହି ୧୦ଟି ଜିଲ୍ଲାର ଜିଲ୍ଲାପାଳ ମାନେ ସତର୍କ ରହିବା ସହିତ ବନ୍ୟା ପରିସ୍ଥିତିକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ ।

ବିପଦସଂକୁଳ ଅଞ୍ଚଳରେ ଥିବା ଲୋକମାନଙ୍କୁ ପ୍ରାଥମିକତା ଭିତ୍ତିରେ ସ୍ଥାନାନ୍ତର କରି ସେମାନଙ୍କୁ ଆବଶ୍ୟକ ରିଲିଫ ଓ ମୌଳିକ ସୁବିଧା ଯୋଗାଇ ଦେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟସ୍ତରରେ ସଂପୃକ୍ତ ବିଭାଗମାନେ ଜିଲ୍ଲାଗୁଡିକୁ ସମସ୍ତ ପ୍ରକାର ସାହାଯ୍ୟ ତୁରନ୍ତ ଯୋଗାଇ ଦେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।ବିଭିନ୍ନ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇ NDRF, ODRAF ଓ Fire Service Unit ଗୁଡିକୁ ବିଭିନ୍ନ ବିପଦସଂକୁଳ ସ୍ଥାନଗୁଡିକରେ ସଜାଗ ରଖି ଆବଶ୍ୟକସ୍ଥଳେ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ।

ହସ୍‌ପିଟାଲ, ଜଳଯୋଗାଣ ଓ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ପରି ଜୀବନ ରକ୍ଷାକାରୀ ସଂସ୍ଥା ଗୁଡିକ ନିରବଚ୍ଛିନ୍ନ ଭାବରେ ସେବା ଯୋଗାଇ ଦେବା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଗ୍ରାମାଞ୍ଚଳରେ ସ୍ବଚ୍ଛ ପାନୀୟ ଜଳର ବ୍ୟବସ୍ଥା କରିବା, ସ୍ବାସ୍ଥ୍ୟ ବିଭାଗ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।ସେପିପରି ପ୍ରାଣୀଧନର ସୁରକ୍ଷା ପାଇଁ ମତ୍ସ୍ୟ ଓ ପଶୁସଂପଦ ବିଭାଗ ଆବଶ୍ୟକ ସେବା ଯୋଗାଇ ଦେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

ରାସ୍ତାଘାଟର କ୍ଷତି ହୋଇ ଯଦି ଯୋଗାଯୋଗ ବ୍ୟବସ୍ଥା ବ୍ୟାହତ ହୁଏ, ତେବେ ଇଂଜିନିୟରିଂ ବିଭାଗ ଗୁଡିକ ସେଗୁଡିକର ତୁରନ୍ତ ମରାମତି ପାଇଁ ଆଗୁଆ ବ୍ୟବସ୍ଥା କରିବା ଆବଶ୍ୟକ । ସେହିପରି ଶକ୍ତି ବିଭାଗ ମଧ୍ୟ ବିଦ୍ୟାତ ଯୋଗାଯୋଗ ବ୍ୟାହତ କ୍ଷେତ୍ରରେ ତୁରନ୍ତ ପୁନଃ ସଂଯୋଗ ପାଇଁ ଆଗୁଆ ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ବୈଠକରେ ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ ଜେନା ପରିସ୍ଥିତି, ପ୍ରସ୍ତୁତି ଓ ପଦକ୍ଷେପ ସଂପର୍କରେ ଉପସ୍ଥାପନା ରଖି କହିଲେ ଯେ ମହାନଦୀର ଉପର ଓ ତଳମୁଣ୍ଡରେ ବର୍ଷା ହୋଇ ୧୦ଟି ଜିଲ୍ଲାରେ ବନ୍ୟା ପରିସ୍ଥିତିର ସମ୍ଭାବନା ଦେଖାଦେଇଛି। ଗତକାଲି ହୀରାକୁଦର ୮ଟି ଗେଟ୍‌ ବନ୍ଦ କରାଯାଇଛି ଏବଂ ବର୍ତ୍ତମାନ ୨୬ଟି ଗେଟ୍‌ ଖୋଲା ରହିଛି । କୌଣସି ଅବଶ୍ୟକ ନ ହେଲେ, ଆଗାମୀ ୩ ଦିନ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଜାରି ରହିବ। ଏହାଦ୍ବାରା ହୀରାକୁଦର ତଳ ମୁଣ୍ଡରେ ବନ୍ୟା ପରିସ୍ଥିତିର ପ୍ରଭାବ ସାମାନ୍ୟ କମିଛି । ୭ଟି ଜିଲ୍ଲାରେ ୯ଟି ଓଡ୍ରାଫ, ୬ଟି ଜିଲ୍ଲାରେ ୯ଟି NDRF ଟିମ୍‌, ୪୪ଟି ଅଗ୍ନିଶମ ସେବା ୟୁନିଟ୍‌କୁ ସଜାଗ ରଖାଯାଇଛି । ଆଜି ମହାନଦୀର ମୁଣ୍ଡଳୀ ଠାରେ ୧୧.୭୫ ଲକ୍ଷ କ୍ୟୁସେକ ଜଳ ପ୍ରଭାବିତ ହେବ ବୋଲି ସେ ସୂଚନା ଦେଇଥିଲେ।

ସବୁ ଜିଲ୍ଲା ପ୍ରଶାସନକୁ ହାଇ ଆଲର୍ଟରେ ରଖାଯାଇଛି। ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆବଶ୍ୟକ ହେଲେ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ସେଥିପାଇଁ ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକର ସହାୟତା ନେବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ଏହାସହିତ ନଦୀବନ୍ଧ ଗୁଡିକ ଉପରେ ନଜର ରଖିବା ଏବଂ ପ୍ରଭାବିତ ଅଞ୍ଚଳରେ ଆବଶ୍ୟସ୍ଥଳେ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ ରଖିବା ପାଇଁ ମଧ୍ୟ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ସମ୍ବଲପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ CMC Commissioner ଙ୍କ ସହିତ ପରିସ୍ଥିତି ସଂପର୍କରେ ଆଲୋଚନା କରିଥିଲେ । ବର୍ତ୍ତମାନ ସୁଦ୍ଧା ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଭାବରେ ସଜାଗ ରହି ପରିସ୍ଥିତି ଉପରେ ନଜର ରଖିଛି । କେତେକ ସ୍ଥାନରେ ଲୋକଙ୍କୁ ସ୍ଥାନାନ୍ତରିତ ମଧ୍ୟ କରାଯାଉଛି ବୋଲି ଜିଲ୍ଲାପାଳମାନେ ସୂଚନା ଦେଇଥିଲେ ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବ ଏବଂ ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news