ଜନସାଧାରଣଙ୍କ ଭାଗିଦାରୀର ପ୍ରକୃଷ୍ଟ ଉଦାହରଣ ହେଉଛି ସ୍କୁଲ ରୂପାନ୍ତର -ମୁଖ୍ୟମନ୍ତ୍ରୀ…

() ୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନ,

ଆଜି ଚତୁର୍ଥ ଦିନରେ ୫ଟି ଜିଲ୍ଲାର ୩୫୯ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ।

ଜନସାଧାରଣଙ୍କ ଭାଗିଦାରୀର ପ୍ରକୃଷ୍ଟ ଉଦାହରଣ ହେଉଛି ସ୍କୁଲ ରୂପାନ୍ତର -ମୁଖ୍ୟମନ୍ତ୍ରୀ।

ଆମେ ସବୁଥିରେ ଶ୍ରେଷ୍ଠ ହେବୁ, ମୁଖ୍ୟମନ୍ତ୍ରୀଙ୍କ ଆଶା ଭରସାକୁ ପୂରଣ କରିବୁ – ଗଭୀର ଆତ୍ମବିଶ୍ବାସ ପ୍ରକାଶ କଲେ ଛାତ୍ରଛାତ୍ରୀ।

{} ସ୍କୁଲ ରୂପାନ୍ତରର ପ୍ରତ୍ୟେକ ସ୍ତରରେ ଜନସାଧାରଣ ସାମିଲ ହୋଇଛନ୍ତି। ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ରୂପାନ୍ତରିତ ସ୍କୁଲର ପରିକଳ୍ପନା ଠାରୁ ଆରମ୍ଭ କରି ରୂପାୟନର ସବୁ ସ୍ତରରେ ସଂଶ୍ଲିଷ୍ଟ ହୋଇଛନ୍ତି । କେଉଁ କାର୍ଯ୍ୟରେ କେତେ ଖର୍ଚ୍ଚ ହେଉଛି, ସେ ବିଷୟରେ ମଧ୍ୟ ସେମାନେ ଜାଣନ୍ତି। ତେଣୁ ସ୍କୁଲ ରୂପାନ୍ତର ହେଉଛି, ଜନ ଭାଗିଦାରୀର ଏକ ପ୍ରକୃଷ୍ଟ ଉଦାହରଣ । ଆଜି ସ୍କୁଲ ରୂପାନ୍ତରର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ଆଜି ୫ଟି ଜିଲ୍ଲାର ୩୫୯ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ ଭଦ୍ରକ ଜିଲ୍ଲାର ୧୨୪ଟି ହାଇସ୍କୁଲ, କନ୍ଧମାଳ ଜିଲ୍ଲାର ୭୭ଟି, ଢେଙ୍କାନାଳ ଜିଲ୍ଲାର ୩୫ଟି, ଗଜପତି ଜିଲ୍ଲାର ୮୦ଟି ହାଇସ୍କୁଲ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ୪୩ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ଏହାଦ୍ବାରା ତୃତୀୟ ପର୍ଯ୍ୟାୟରେ ଚତୁର୍ଥ ଦିନରେ ସମୁଦାୟ ୧୪୯୩ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେଲା। ସୂଚନାଯୋଗ୍ୟ ଯେ ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି । ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ବିଧାୟକଗଣ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ୫-ଟି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ୫-ଟି ହେଉଛି ଟେକ୍‌ନୋଲୋଜି, ଟିମ୍‌ୱାର୍କ, ଟ୍ରାନସ୍‌ପରେନ୍‌ସି ବା ସ୍ବଚ୍ଛତା ଏବଂ ଟାଇମ ବା ସମୟ । ଏସବୁର ପ୍ରୟୋଗରେ ଟ୍ରାନ୍‌ସଫରମେସନ ବା ରୂପାନ୍ତର ଆସିଥାଏ । ମୁଖ୍ୟମନ୍ତ୍ରୀ କହିଲେ ଯେ ଟେକ୍‌ନୋଲୋଜିର ପ୍ରୟୋଗରେ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍‌, କମ୍ପ୍ୟୁଟର ଓ ଆଧୁନିକ ଲାବୋରେଟୋରୀର ବିକାଶ କରାଯାଇଛି । ସେହିପରି ଏହି ରୂପାନ୍ତର କାମକୁ ସମସ୍ତଙ୍କ ମିଳିତ ଉଦ୍ୟମରେ କରାଯାଇଛି, ଯାହା ଟିମ୍‌ୱାର୍କର ପ୍ରତୀକ। ସମୟକୁ ଗୁରୁତ୍ବ ଦିଆଯାଇ ସମସ୍ତ କାମ ମଧ୍ୟ ଠିକ୍‌ ସମୟରେ ଶେଷ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏସବୁ କାମରେ ପ୍ରତି ସ୍ତରରେ ସ୍ବଚ୍ଛତା ବା ଟ୍ରାନ୍‌ସପରେନ୍‌ସି ରକ୍ଷା କରାଯାଇଛି। ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରାଯାଇ କାମ କରାଯାଉଛି। ଭିଜନ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି ପ୍ରତ୍ୟେକ କାର୍ଯ୍ୟ ପାଇଁ ହେଉଥିବା ଖର୍ଚ୍ଚ ସଂପର୍କରେ ସମସ୍ତେ ସବୁ ବିଷୟରେ ଜାଣନ୍ତି । ସ୍ବଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି । ଏସବୁ ଦ୍ବାରା ଆସିଛି ରୂପାନ୍ତର । ଯାହାକୁ ଆମେ ସବୁ ଦେଖିପାରୁଛୁ ଓ ଅନୁଭବ କରିପାରୁଛୁ ।ଏହି ଅବସରରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଡି ହୋଇଥିବା ସ୍କୁଲ ଗୁଡିକରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ୫-ଟିର ଉପଯୋଗ ସଂପର୍କରେ ବୁଝାଇ କହିଲେ ଯେ ବର୍ତ୍ତମାନ ଯୁଗ ହେଉଛି ଟେକ୍‌ନୋଲୋଜିର ଯୁଗ । ଜୀବନର ସବୁ କ୍ଷେତ୍ରକୁ ଟେକ୍‌ନୋଲୋଜି ପ୍ରଭାବିତ କରୁଛି। ତେଣୁ ପିଲାମାନେ ନୂଆ ନୂଆ ଟେକ୍‌ନୋଲୋଜି ବିଷୟରେ ଜାଣିବାକୁ ଚେଷ୍ଟା କରିବା ଆବଶ୍ୟକ । ଏହାଦ୍ବାରା ସେମାନେ ଆଧୁନିକ ଯୁଗରେ ସବୁ କ୍ଷେତ୍ରରେ ଆଗରେ ରହିପାରିବେ।

ସେହିପରି ସମୟ ଉପରେ ଗୁରୁତ୍ବ ଦେବକୁ ପରାମର୍ଶ ଦେଇ ସେ କହିଲେ ଯେ ସମୟର ଗୁରୁତ୍ବ ସଂପର୍କରେ ସମସ୍ତେ ଜାଣିଛନ୍ତି। ତେଣୁ ପିଲାମାନେ ସମୟର ଉପଯୋଗ ଠିକ୍‌ ଭାବରେ କରିପାରିଲେ, ସବୁକ୍ଷେତ୍ରରେ ନିଶ୍ଚୟ ଆଗରେ ରହିବେ। ନିଜ ନିଜ ଜୀବନରେ ୫-ଟିର ଉପଯୋଗ ପାଇଁ ପିଲାଙ୍କୁ ପରାମର୍ଶ ଦେଇ ସେ କହିଲେ ଯେ ଏହାଦ୍ବାରା ସେମାନେ ଜୀବନର ସବୁ କ୍ଷେତ୍ରରେ ସଫଳ ହୋଇପାରିବେ । ଦ୍ବିତୀୟ ବିଷୟଟି ହେଉଛି ଟିମ୍‌ୱାର୍କ । ପିଲାମାନେ ମିଳିମିଶି କାମ କଲେ, ସଫଳତାର ସମ୍ଭାବନା ବଢିବ। କ୍ରୀଡ଼ା କ୍ଷେତ୍ରରେ ଟିମ୍‌ୱାର୍କ ଅତି ଜରୁରୀ ବୋଲି ସେ କହିଥିଲେ। ସେହିପରି ଜୀବନରେ ସାଧୁତା (Transparency ) ହେଉଛି ଏକ ଜରୁରୀ ଆବଶ୍ୟକତା । ସାଧୁତା ଦ୍ବାରା ମଣିଷର ବିଶ୍ବସନୀୟତା ବୃଦ୍ଧି ପାଏ। ଏସବୁର ପ୍ରୟୋଗ ଦ୍ବାରା ସେମାନଙ୍କ ଜୀବନରେ ଆସିବ ରୂପାନ୍ତର ବା ସଫଳତା। ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଛାତ୍ରଛାତ୍ରୀ ମାନଙ୍କ ସଫଳତା ହେଉଛି ଓଡିଶାର ସଫଳତା । ୫-ଟି ସ୍କୁଲ ଗୁଡିକରେ ପିଲାମାନଙ୍କୁ ସବୁ ପ୍ରକାର ଆଧୁନିକ ସୁବିଧା ଦେବା ପାଇଁ ପ୍ରଚେଷ୍ଟା କରାଯାଇଛି। ପିଲାମାନେ ଏହାର ସୁଯୋଗ ନେଇ ନିଜ ପ୍ରତିଭାର ପରିଚୟ ପ୍ରଦାନ କରିପାରିଲେ, ସେମାନଙ୍କ ନିଜର ଓ ପରିବାରର ଗୌରବ ବୃଦ୍ଧି ହେବା ସହିତ ସାରା ଓଡିଶାର ଗୌରବ ବୃଦ୍ଧି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

କାର୍ଯ୍ୟକ୍ରମରେ ୫-ଟି ସ୍କୁଲ ରୂପାନ୍ତର ସଂପର୍କରେ ନିଜର ଅଭିଜ୍ଞତା ବର୍ଣ୍ଣନା କରି ଭଦ୍ରକର ଛାତ୍ରୀ ଆୟୁଷା ମଲ୍ଲିକ, କନ୍ଧମାଳର ଛାତ୍ରୀ ପ୍ରମୋଦିନୀ ନାୟକ, ଢେଙ୍କାନାଳର ଭାଗ୍ୟଶ୍ରୀ ବେହେରା, ଗଜପତିର ମମତା ଗମାଙ୍ଗୋ ଓ ସୁବର୍ଣ୍ଣପୁରର ବର୍ଷା ସାହୁ ପ୍ରମୁଖ କହିଲେ ଯେ ୫-ଟି ସ୍କୁଲ ରୂପାନ୍ତର କେବଳ ଆମ ବିଦ୍ୟାଳୟର ଭୌତିକ ଓ ଶୈକ୍ଷିକ ପରିବେଶକୁ ଉନ୍ନତ କରିନାହିଁ, ତା ସହିତ ଆମର ଆତ୍ମବିଶ୍ବାସ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଛି । ନିଜ ଉପରେ ଆମର ଭରସା ବଢିଛି। ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ରହିଛି ଓଡିଶାକୁ ସବୁ କ୍ଷେତ୍ରରେ ଶ୍ରେଷ୍ଠ କରିବା ପାଇଁ । ଆମେ ଆଜି କଥା ଦେଉଛୁ ଯେ ଆମେ ପଢିବୁ, ବଢିବୁ ଓ ସବୁ କ୍ଷେତ୍ରରେ ଶ୍ରେଷ୍ଠ ହୋଇ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବୁ ।

ଏହାସହିତ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ପାଇଁ ମେଡିକାଲ ଓ ଇଂଜିନିଅରିଂ କଲେଜରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିବାରୁ, ସେମାନଙ୍କ ସାକାର ହେବା ଆହୁରି ସହଜ ହୋଇଛି ବୋଲି ସେମାନେ କହିଥିଲେ। ସେମାନେ ସମସ୍ତେ ବଡ ହେଲେ ଡାକ୍ତର, ଶିକ୍ଷକ, ଇଂଜିନିଅର ଓ ବୈଜ୍ଞାନିକ ଆଦି ହେବାପାଇଁ ସ୍ବପ୍ନ ଦେଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଶୀର୍ବାଦ ଦେଇଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ଭଦ୍ରକ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ଡଃ ବ୍ୟୋମକେଶ ରାଏ, କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନନ୍ଦିନୀ ମଲ୍ଲିକ, ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ, ଗଜପତିରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଏବଂ ସୁବର୍ଣ୍ଣପୁରରେ ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ପ୍ରମୁଖ ସେମାନଙ୍କ ମତାମତ ରଖି କହିଥିଲେ ଯେ ସ୍କୁଲ ରୂପାନ୍ତର ଆଗାମୀ ପୀଢିର ଭବିଷ୍ୟତକୁ ଉଜ୍ଜଳ କରିଛି। ଏହା ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ପ୍ରକୃଷ୍ଟ ନିଦର୍ଶନ। ଓଡିଶାକୁ ସବୁ କ୍ଷେତ୍ରରେ ଆଜି ନମ୍ବର ୱାନ କରିବା ସହିତ ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟର ଭବିଷ୍ୟତକୁ ମଧ୍ୟ ସୁରକ୍ଷିତ କରିବା ପାଇଁ ବଳିଷ୍ଠ ପଦକ୍ଷେପ ନେଇଛନ୍ତି ବୋଲି ସେମାନେ କହିଥିଲେ।

କାର୍ଯ୍ୟକ୍ରମକୁ ପରିଚାଳନା କରି ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ ଯେ ସ୍କୁଲ ରୂପାନ୍ତରରେ ଯେଉଁ ସବୁ ସମ୍ପତ୍ତି ବା ଆସେଟ୍‌ ସୃଷ୍ଟି ହୋଇଛି, ସେ ସବୁ ସାରା ଓଡିଶାବାସୀଙ୍କ ଟଙ୍କାରେ ନିର୍ମିତ ହୋଇଛି ବୋଲି ପ୍ରକାଶ କରି ସେ କହିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍କୁଲର ଆସେଟ୍‌ ଗୁଡିକର ରକ୍ଷଣାବେକ୍ଷେଣ ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରନ୍ତି । ତେଣୁ ଆପଣମାନେ ନିଜର ସମ୍ପତ୍ତି ଭଳି ସ୍କୁଲର ସମ୍ପତ୍ତିର ରକ୍ଷଣାବେକ୍ଷଣ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଆଶା ଓ ଭରସା ରହିଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ବଥୀ ଏସ୍‌ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ସ୍ବତନ୍ତ୍ର ପ୍ରୋଜେକ୍ଟ ଡାଇରେକ୍ଟର ଧନ୍ୟବାଦ ଅର୍ପଣ କରିଥିଲେ । ଉଚ୍ଚଶିକ୍ଷା ବିଭାଗ, ସାମାଜିକ ସୁରକ୍ଷା ବିଭାଗ ଓ ଅନ୍ୟାନ୍ୟ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

ବିକାଶ ହେବ ରଘୁନାଥ ମୁର୍ମୁଙ୍କ ସମାଧି ପୀଠ…

() ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ।

{} ଅଲଚିକି ଲିପିର ଉଦ୍‌ଭାବକ ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୦ କୋଟି ଟଙ୍କା ମଂଜୁର କରିଛନ୍ତି ।ସାନ୍ତାଳି ସମାଜ ଓ ସାନ୍ତାଳୀ ଭାଷା ଓ ସାହିତ୍ୟ ପ୍ରତି ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନ ସର୍ବଜନ ବିଦିତ। ପଣ୍ଡିତ ମୁର୍ମୁ ଅଲଚିକି ଲିପି ଉଦ୍‌ଭାବନ କରି ସାନ୍ତାଳି ସମାଜର ସାଂସ୍କୃତିକ ପରିଚୟକୁ ସୁଦୃଢ କରିଯାଇଛନ୍ତି । ସାନ୍ତାଳି ଲିପି ଏକ ବିଜ୍ଞାନ ସମ୍ମତ ଲିପି ଭାବରେ ମଧ୍ୟ ସ୍ବୀକୃତି ପାଇଛି। ସାନ୍ତାଳି ଭାଷାରେ ଅଲିଚିକି ଲିପିରେ ସେ ଅନେକ କାଳଜୟୀ ସାହିତ୍ୟ ସୃଷ୍ଟି କରିଛନ୍ତି । ତାଙ୍କର କାଳଜୟୀ କୃତୀ ପାଇଁ ସେ କେବଳ ସାନ୍ତାଳି ସମାଜ ନୁହେଁ, ସମଗ୍ର ଭାରତୀୟ ସାହିତ୍ୟ ଜଗତରେ ସ୍ମରଣୀୟ ହୋଇ ରହିଛନ୍ତି । ସାନ୍ତାଳି ସମାଜ ପାଇଁ ତାଙ୍କର ମହାନ ଅବଦାନ ତାଙ୍କୁ ସବୁବେଳେ ପୂଜନୀୟ କରି ରଖିଛି । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସ୍ମୃତିରେ ରାଜ୍ୟ ସରକାର ବାରିପଦା ମେଡିକାଲ କଲେଜକୁ ତାଙ୍କ ନାମରେ ନାମିତ କରିଛନ୍ତି । ସାନ୍ତାଳି ଜାତି ପ୍ରତି ପଣ୍ଡିତ ମୁର୍ମୁଙ୍କ ଅବଦାନକୁ ସମ୍ମାନ ଜଣାଇ ରାଜ୍ୟ ସରକାର ତାଙ୍କ ଜୟନ୍ତୀ ବୁଦ୍ଧ ପୂର୍ଣ୍ଣିମାକୁ ମଧ୍ୟ ସରକାରୀ ଛୁଟି ଭାବରେ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଗତ ମାର୍ଚ୍ଚ ୨ ଓ ୩ ଦୁଇ ଦିନ ଧରି ମୟୁରଭଂଜ ଗସ୍ତରେ ଯାଇଥିବା ବେଳେ ଦାଣ୍ଡବୋସ ଯାଇ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପରିଦର୍ଶନ କରିଥିଲେ ଏବଂ ବାରିପଦାସ୍ଥିତ ପଣ୍ଡିତ ମୁର୍ମୁଙ୍କ ବାସଭବନକୁ ମଧ୍ୟ ଯାଇଥିଲେ । ତାଙ୍କ ସ୍ମୃତି ପୀଠର ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ସେ ସାନ୍ତାଳି ଭାଇଭଉଣୀଙ୍କ ସହ ଆଲୋଚନା ବେଳେ ଶ୍ରୀ ପାଣ୍ଡିଆନ ପ୍ରତିଶୃତି ଦେଇଥିଲେ। ତଦ୍‌ନୁଯାୟୀ ସେଥିପାଇଁ ଏକ ବିସ୍ତୁତ ଯୋଜନା ପ୍ରସ୍ତୁତ କରିବା ପାଇଁ ସେ ପ୍ରଶାସନକୁ ପରାମର୍ଶ ଦେଇଥିଲେ ।

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ଅଞ୍ଚଳର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଯୋଜନାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ପ୍ରଦାନ କରିଛନ୍ତି । ତଦନୁଯାୟୀ ଦାଣ୍ଡବୋସ-କାପିବୁରୁ ଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ସମାଧୀ ପୀଠର ବିକାଶ ପାଇଁ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ସେହିପରି ଆଉ ୭୫ ଲକ୍ଷ ଟଙ୍କା ଖର୍ଚ୍ଚରେ ସେଠାରେ ଧ୍ୟାନକେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ। ଏତଦ୍‌ବ୍ୟତୀତ କାପିବୁରୁର ପାଚେରୀ ଓ ସଂଯୋଗ ରାସ୍ତାର ବିକାଶ ପାଇଁ ୩ କୋଟି ଟଙ୍କା ଖର୍ଚ୍ଚ କରିବାର ଯୋଜନା ଥିବାବେଳେ, ସେଠାରେ ଏକ ଅଡିଟୋରିମ ଓ ଗବେଷଣା କେନ୍ଦ୍ର ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେଠାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ Dormitory ଓ ଅନ୍ୟାନ୍ୟ ସୁବିଧା ପାଇଁ ୧ କୋଟି ଟଙ୍କା ଖର୍ଚ୍ଚ କରାଯିବ। କାପିବୁରୁର ସୌନ୍ଦର୍ଯ୍ୟକରଣ ଓ ସ୍ବାଗତତୋରଣ ପାଇଁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଦାଣ୍ଡବୋସ, ବିଦୁ ଚାନ୍ଦାନ ବାହାଗାଳର ବିକାଶ ତଥା ମାରାଙ୍ଗ-ଆହାରା ପୁଷ୍କରିଣୀ ପାଇଁ ୧ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏତଦ୍‌ବ୍ୟତୀତ ପାନୀୟ ଜଳ, ବିଦ୍ୟୁତକରଣ ପାଇଁ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ସ୍ଥିର କରାଯାଇଛି ।

୫-ଟି ଉପକ୍ରମରେ ଏ ସମସ୍ତ କାର୍ଯ୍ୟ ପୂର୍ତ୍ତ ବିଭାଗ ଦ୍ବାରା ସଂପାଦନ କରାଯିବ । ଖୁବଶୀଘ୍ର କାମ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

୭ରେ ଦୀପାଳିଙ୍କ ପାଇଁ ପ୍ରଚାର କରିବେ ନବୀନ…

() ମେ ୧୦ତାରିଖ ଝାରସୁଗୁଡ଼ା ଉପ ନିର୍ବାଚନ l ଉପ ନିର୍ବାଚନ ପାଇଁ ଜୋରଦାର ହୋଇଛି ପ୍ରଚାର l ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଙ୍କ ପାଇଁ ଭୋଟ ମାଗିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକl ଆଉ ସେହିଦିନ ଝାରସୁଗୁଡାରେ ହେବ ହାଇ ଭୋଲ୍ଟେଜ ପ୍ରଚାର l ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇଲେ ବିଜେଡି ସପକ୍ଷରେ ଏକ ପାଖିଆ ଭୋଟ ହେବ ତାହା ଆକଳନ କରିଛନ୍ତି ରାଜନୈତିକ ସମୀକ୍ଷକ l ଏବେ ଗ୍ରାଉଣ୍ଡରେ ବିଜେଡି ର ବରିଷ୍ଠ ନେତା ମାନେ ଘର ଘର୍ ବୁଲି ଦିପାଳୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି l 7 ତାରିଖରେ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ବ୍ଲକରେ ନିର୍ବାଚନୀ ସଭା କରିବାର କାର୍ଯ୍ୟକ୍ରମ ରହିଛି l

ଆଇଆଇଏମ୍‍ସିରେ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ…..

() ଆଇଆଇଏମ୍‍ସିରେ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ,

ଆବେଦନର ଶେଷ ତାରିଖ ମେ ୨୨…

{} ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ଓଡ଼ିଆ, ଉର୍ଦ୍ଦୁ, ମରାଠୀ ଓ ମାଲାୟଲମ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୩-୨୪ ଶିକ୍ଷା ବର୍ଷରେ ନାମଲେଖା ପାଇଁ ଇଚ୍ଛୁକ ଶିକ୍ଷାର୍ଥୀମାନେ ମେ ୨୨ ତାରିଖ ପୂର୍ବରୁ ଆବେଦନ କରିପାରିବେ । ଆଇଆଇଏମ୍‍ସିର ୱେବ୍‍ସାଇଟ୍‍ iimc.gov.inରେ ଆବେଦନ ପତ୍ର ଉପଲବ୍ଧ ରହିଛି । ଜୁନ ୧୮ ତାରିଖରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସଂସ୍ଥାନ ପକ୍ଷରୁ ସୂଚନା ଦିଆଯାଇଛି । ଆଇଆଇଏମ୍‍ସିର ଆଡ୍‍ମିଶନ ଇନ୍‍ଚାର୍ଜ ପ୍ରଫେସର ରାକେଶ କୁମାର ଗୋସ୍ୱାମୀ କହିଛନ୍ତି, ଆଇଆଇଏମ୍‍ସି ଢେଙ୍କାନାଳରେ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା, ନୂଆଦିଲ୍ଲୀ କ୍ୟାମ୍ପସ୍‍ରେ ଉର୍ଦ୍ଦୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା, କୋଟ୍ଟାୟମ୍‍ କ୍ୟାମ୍ପସ୍‍ରେ ମାଲାୟଲମ୍‍ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ଓ ଅମରାବତୀ କ୍ୟାମ୍ପସ୍‍ରେ ମରାଠୀ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରାଯାଉଛି । ଏସବୁ ପାଠ୍ୟକ୍ରମରେ ନାମଲେଖା ପାଇଁ ଜୁନ ୧୮ ତାରିଖ ପୂର୍ବାହ୍ଣ ୧୧ଟାରୁ ୨ଟା ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ପ୍ରବେଶିକା ପରୀକ୍ଷାରେ ସାଧାରଣ ଜ୍ଞାନ ସହ ଗଣମାଧ୍ୟମ ଓ ଗଣ ଯୋଗାଯୋଗ ସମ୍ପର୍କିତ ପ୍ରଶ୍ନ ଆସିବ । ସେହିପରି ଜୁନ୍‍ ୩୦ରେ ପ୍ରବେଶିକା ପରୀକ୍ଷାର ଫଳାଫଳ ବାହାରିବାର ଅଛି । ତା’ପରେ ନାମଲେଖାର ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ ହେବ ।

ପ୍ରଫେସର ଗୋସ୍ୱାମୀ ଆହୁରି କହିଛନ୍ତି, ଯେଉଁ ପ୍ରାର୍ଥୀମାନେ ମଞ୍ଜୁରୀପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କୌଣସି ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ସେମାନେ ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିପାରିବେ । ସେହିପରି ସ୍ନାତକ ଶେଷ ବର୍ଷ ବା ଶେଷ ସେମିଷ୍ଟରର ଶିକ୍ଷାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ । ଯଦି ସେମାନେ ନାମଲେଖା ପାଇଁ ଚୟନ ହୁଅନ୍ତି, ତେବେ ସେମାନଙ୍କୁ ୨୦୨୩ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ବିଶ୍ୱବିଦ୍ୟାଳୟ ବା ମହାବିଦ୍ୟାଳୟରୁ ଅରିଜିନାଲ ପ୍ରୋଭିଜିନାଲ୍‍ ମାର୍କ-ସିଟ୍‍ ବା ସାର୍ଟିଫିକେଟ୍‍ ଦେବାକୁ ହେବ । ଆଇଆଇଏମ୍‍ସି କାର୍ଯ୍ୟାଳୟରେ ଯାଞ୍ଚ ପାଇଁ ଅରିଜିନାଲ୍‍ ଡିଗ୍ରୀ ସାର୍ଟିଫିକେଟ୍‍ ଯଦି ଦାଖଲ କରନ୍ତି, ତେବେ ସେମାନଙ୍କୁ ଡିପ୍ଲୋମା ଉପାଧି ପ୍ରଦାନ କରାଯିବ ନହେଲେ ସେମାନଙ୍କ ନାମଲେଖାକୁ ଗ୍ରହଣ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

୧୯୯୩ ମସିହାରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନର ପ୍ରଥମ ଶାଖା ଢେଙ୍କାନାଳରେ ଖୋଲିଥିଲା । ସେହିଦିନଠାରୁ ଢେଙ୍କାନାଳ କ୍ୟାମ୍ପସ୍‍ରେ ଇଂରାଜୀ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରାଯାଉଛି । ସେହିପରି ୨୦୦୧-୨୦୦୨ ଶିକ୍ଷାବର୍ଷଠାରୁ ପ୍ରଥମ ଆଞ୍ଚଳିକ ଭାଷା ଭାବେ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ଦିଆହୋଇ ଆସୁଛି । ଏହାସହ ବିଭିନ୍ନ ସମୟରେ ସୂଚନା ସେବା ଅଧିକାରୀ ଓ ଲୋକସମ୍ପର୍କ ଅଧିକାରୀଙ୍କ ପାଇଁ ମଧ୍ୟ ତାଲିମ୍‍ କାର୍ଯ୍ୟକ୍ରମ ଆୟୋଜନ କରୁଛି ସଂସ୍ଥାନ । ଦେଶର ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ଆଇଆଇଏମ୍‍ସିର ଏକ ଉଲ୍ଲେଖନୀୟ ଭୂମିକା ରହିଛି । ଏଠାରୁ ଉତ୍ତୀର୍ଣ୍ଣ ହୋଇଥିବା ଶିକ୍ଷାର୍ଥୀମାନେ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଗଣ ଯୋଗାଯୋଗ, ଗଣମାଧ୍ୟମ, ଲୋକସମ୍ପର୍କ ଓ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନରେ କାର୍ଯ୍ୟ କରୁଛନ୍ତି ।

ଅଗ୍ରିଆ ସମାଜ ପାଇଁ ଅଧ ଏକର ଜମି ଓ ତିନି କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ…

{} ଅଗ୍ରିଆ ସମାଜ ପାଇଁ ଅଧ ଏକର ଜମି ଓ ତିନି କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ।

() ଅଗ୍ରିଆ ସମାଜ ପଶ୍ଚିମ ଓଡିଶାର ଏକ ପ୍ରମୁଖ ଗୋଷ୍ଠୀ । କୃଷି ଉପରେ ନିର୍ଭର କରୁଥିବା ଏହି ସମାଜର ଲୋକମାନେ ମୁଖ୍ୟତଃ ବରଗଡ, ସମ୍ବଲପୁର, ଝାରସୁଗୁଡା,ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗୀର ଓ ଦେବଗଡ ଆଦି ଜିଲ୍ଲାମାନଙ୍କରେ ବସବାସ କରିଥାନ୍ତି ।ସେମାନେ ନିକଟରେ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ସେମାନେ ଭୁବନେଶ୍ୱର ଆସୁଥିବା ସମୟରେ ରହିବାରେ ଅସୁବିଧା ହେଉଥିବାରୁ ଭୁବନେଶ୍ୱର ନିକଟରେ ଏକ ଜାଗା ଦେବା ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ସେମାନଙ୍କ ଅନୁରୋଧ ତଥା ଅଗ୍ରିଆ ସମାଜର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ନିକଟରେ ଅଗରିଆ ସମାଜ ପାଇଁ ଅଧ ଏକର ଜମି ଯୋଗାଇବା ଦିଆଯିବ ବୋଲି ଘୋଷଣା କରିଛନ୍ତି।ଏଥିପାଇଁ ଜମି ଚିହ୍ନଟ ଦିଗରେ ପଦକ୍ଷେପ ନେବା ପାଇଁ ମୁଖ୍ଯଶାସନ ସଚିବ ଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଅଗ୍ରିଆ ସମାଜ ଭବନ ନିର୍ମାଣ ପାଇଁ ତିନି କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସହାୟତା ପାଣ୍ଠି ରୁ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ।

ମହାନଦୀ ଆମର ଜୀବନ ଧାରା : ବିଜେଡି..

()ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲ ଟିମ କଲମା ଅଞ୍ଚଳ ବୁଲିବା ନେଇ ବିଜେଡିର ବିଧାୟକ ଶଶୀ ଭୂଷଣ ବେହେରା ପ୍ରତିକ୍ରିୟା ରଖିଛନ୍ତି l ସେ କହିଛନ୍ତି ଯେ ମହାନଦୀ ଆମର ଜୀବନ ଧାରା । ଓଡ଼ିଶାର ସ୍ୱାର୍ଥ ପାଇଁ ଟ୍ରିବ୍ୟୁନାଲ ଆମ ପ୍ରତି ନ୍ୟାୟ କରନ୍ତୁ । ଯେଉଁ କଲମା ରେ ଆଜି ଟ୍ରିବ୍ୟୁନାଲ ବୁଲୁଛନ୍ତି ଛତିଶଗଡ଼ ଯେବେ ସେଠି ବ୍ୟାରେଜ କଲା ସେବେ କେନ୍ଦ୍ର ଚୁପ ରହି ପକ୍ଷ ପତିତା କରିଛନ୍ତି । ଏବେ ଆଶା କଲମା ହେଉ କି ଛତିଶଗଡ଼ ର ସେ ବେଆଇନ କାମ କୁ ବୁଝି ଆମ ପ୍ରତି ନ୍ୟାୟ କରିବେ ଟ୍ରିବ୍ୟୁନାଲ ଏବଂ ତାକୁ ସୁଧାରିବା ପାଇଁ ପରାମର୍ଶ ରଖିବେ । କେନ୍ଦ୍ର ସରକାରଙ୍କ ଦାୟିତ୍ୱ ଏହି ସମସ୍ୟା4 ସମାଧାନ କରିବା । କେନ୍ଦ୍ର ସରକାର ଛତିଶଗଡ଼ ସ୍ୱାର୍ଥ ଦେଖୁ ଥିବା ବେଳେ ଓଡିଶାର ସ୍ୱାର୍ଥ ପ୍ରତି ଆଖି ବୁଝି ଦେବା କେଉଁ ସଂଘୀୟ ବ୍ୟବସ୍ଥା ରେ ଅଛି ବୋଲି ପ୍ରଶ୍ନ କଲା ବିଜେଡି ।

47ଜଣ ଟ୍ରାଫିକ ପୋଲିସ କୁ ନିଯୁକ୍ତ ଦେଲେ ମୁଖ୍ୟମନ୍ତ୍ରୀ…

() ଖୋର୍ଦ୍ଧା ରେ ଶିଳ୍ପାଞ୍ଚଳ ପୁଲିସ ଷ୍ଟେସନ ଓ କେଉଁଝର ବଡବିଲ ରେ ଟ୍ରାଫିକ ପୋଲିସ ଷ୍ଟେସନ କୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ।

47 ନୂଆ ପଦବୀ ସୃଷ୍ଟି ।

{} ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଆଉଟପୋଷ୍ଟ ହେଲା “ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ ପୋଲିସ ଷ୍ଟେସନ”, ୨୩ଟି ଅତିରିକ୍ତ ପଦବୀ ସୃଷ୍ଟି କେନ୍ଦୁଝର ଓ ବଡବିଲରେ ହେବ ଦୁଇଟି ଟ୍ରାଫିକ ପୋଲିସ ଷ୍ଟେସନ, ୨୪ଟି ଅତିରିକ୍ତ ପଦବୀ ସୃଷ୍ଟି ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଆଉଟପୋଷ୍ଟକୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ପୋଲିସ ଷ୍ଟେସନ ଭାବେ ଉନ୍ନୀତ କରାଯାଇଛି ଏବଂ ଏଥିପାଇଁ ୨୩ଟି ଅତିରିକ୍ତ ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ଏ ସଂପର୍କୀୟ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ।ଏହି ପୋଲିସ ଷ୍ଟେସନରେ ସୃଷ୍ଟି ହୋଇଥିବା ୨୩ଟି ନୂତନ ପଦବୀ ମଧ୍ୟରେ ଗୋଟିଏ ଇନ୍‌ସପେକ୍ଟର, ୬ଟି ସବ୍‌ ଇନିସପେକ୍ଟର, ୩ଟି ଆସିଷ୍ଟାଣ୍ଟ ସବ୍‌ ଇନିସପେକ୍ଟର , ୨ଟି ହାବିଲଦାର ଏବଂ ୧୧ଟି କନେଷ୍ଟବଳ ପଦବୀ ରହିଛି । ସେହିପରି ରାଜ୍ୟ ସରକାର କେନ୍ଦୁଝର ଓ ବଡବିଲ ସହରରେ ଦୁଇଟି ଟ୍ରାଫିକ ପୋଲିସ ଷ୍ଟେସନ ମଧ୍ୟ ସୃଷ୍ଟି କରିଛନ୍ତି ଏବଂ ଏଥିପାଇଁ ୨୪ଟି ନୂତନ ପଦବୀ ମଂଜୁର କରାଯାଇଛି । ଏ ସଂପର୍କୀୟ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି। ଏହାଦ୍ଵାରା ଏହି ଦୁଇଟି ସହରରେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଏହି ଦୁଇଟି ଟ୍ରାଫିକ ପୋଲିସ ଷ୍ଟେସନ ପାଇଁ ସୃଷ୍ଟି ହୋଇଥିବା ୨୪ଟି ପଦବୀ ମଧ୍ୟରେ ୨ଟି ଇନ୍‌ସପେକ୍ଟର, ୬ଟି ଆସିଷ୍ଟାଣ୍ଟ ସବ୍‌ଇନସ୍‌ପେକ୍ଟର ଓ ୧୬ଟି କନେଷ୍ଟବଳ ପଦବୀ ରହିଛି ।

ବଙ୍ଗପୋସାଗରରେ ବାତ୍ୟା ଆଶଙ୍କା…

() ଗ୍ରୀଷ୍ମ ଋତୁ ବାତ୍ୟା (Summer Cyclone) ର ଗତି ଜଟିଳ।

ସେଥିପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

{} ଦକ୍ଷିଣ ବଙ୍ଗପୋସାଗରରେ ଏକ ଲଘୁଚାପ ଓ ପରବର୍ତ୍ତୀ ସମୟରେ ବାତ୍ୟା ସୃଷ୍ଟି ହେବା ସମ୍ଭାବନା ଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମ୍ଭାବ୍ୟ ଗ୍ରୀଷ୍ମ ଋତୁ ବାତ୍ୟା ର ଗତି ଜଟିଳ। ଫନି ବାତ୍ୟା ସମ୍ପର୍କରେ ସ୍ମରଣ କରି ପ୍ରଶାସନ ଆଗୁଆ ପ୍ରସ୍ତୁତ ରହିବାକୁ ଦୃଢ ନିର୍ଦ୍ଦେଶ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗ୍ରୀଷ୍ମ ଋତୁରେ ଯେଉଁ ବାତ୍ୟା ଆସେ, ତାର ଆକଳନ ବହୁତ ଜଟିଳ। ୨୦୧୯ରେ ଫନି ବାତ୍ୟା ମଧ୍ୟ ଏହିପରି ଅଚାନକ ଆସି ବ୍ୟାପକ କ୍ଷୟକ୍ଷତି କରିଥିଲା । ଆମ ପାଇଁ ସବୁ ଜୀବନ ମୂଲ୍ୟବାନ। ତେଣୁ ଏଥିରେ କୌଣସି ବିଳମ୍ବ ନ କରି ଆମକୁ ଆଗୁଆ ପ୍ରସ୍ତୁତ ରହିବାକୁ ପଡିବ।

ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସହିତ NDRF, ODRAF ଓ ଅଗ୍ନିଶମ ସେବା ଆଦି ଆଗୁଆ ରହିବାକୁ ସେ ପରାମର୍ଶ ଦେବା ସହିତ ଆବଶ୍ୟକ ସହିତ ଉପକୂଳ ଓ ତଳୁଆ ଅଞ୍ଚଳରୁ ଅସୁରକ୍ଷିତ ସ୍ଥାନରେ ଥିବା ସବୁ ଲୋକଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳରେ ସୁରକ୍ଷିତ ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ । ସବୁ ଅତ୍ୟାବଶ୍ୟକ ମେସିନ୍‌ ଓ ଯନ୍ତ୍ରପାତିକୁ ପ୍ରସ୍ତୁତ ରଖିବାକୁ ସେ କହିଥିଲେ। ବାତ୍ୟା ପରେ ମଧ୍ୟ ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟକ୍ରମ ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ ।ମୁଖ୍ୟ ଶାସନ ସଚିବ ବାତ୍ୟା ସଂପର୍କରେ ନିୟମିତ ସମୀକ୍ଷା କରିବା ସହିତ ସ୍ବତନ୍ତ୍ର ରିଲିଫ କମିଶନର ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖି ସମସ୍ତ ବିଭାଗ ସହିତ ସମନ୍ବୟ ରଖି କାମ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା କହିଥିଲେ ଯେ ସବୁ ବାତ୍ୟା ମଧ୍ୟରେ ଗ୍ରୀଷ୍ମ ଋତୁର ବାତ୍ୟାର ପ୍ରଭାବ ବହୁତ ବେଶି ହୋଇଥାଏ। ଗତ କିଛି ବର୍ଷ ଧରି ଆମେ ରାଜ୍ୟରେ ଜିରୋ କାଜୁଆଲ୍‌ଟି ନୀତି ଅବଲମ୍ବନ କରି ସଫଳତା ପାଇଛୁ । ଏ କ୍ଷେତ୍ରରେ ମଧ୍ୟ ଆମର ନିୟମିତ ସମୀକ୍ଷା ଜାରି ରହିଛି ଏବଂ ସବୁ ସଂପୃକ୍ତ ବିଭାଗ ମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ ମାନଙ୍କୁ ମଧ୍ୟ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛ। ପ୍ରାୟ ୧୦୦୦ଟି ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ଅଛି ଏବଂ ଅନ୍ୟାନ୍ୟ ସ୍କୁଲ ଓ ସୁରକ୍ଷିତ ଆଶ୍ରୟସ୍ଥଳକୁ ଚିହ୍ନଟ କରାଯାଇଛି।

ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ସତ୍ୟବ୍ରତ ସାହୁ କହିଲେ ଯେ ୧୮ଟି ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇ କଣ୍ଟ୍ରୋଲ ରୁମ୍‌ ପ୍ରସ୍ତୁତ କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳ ଗୁଡିକୁ କାର୍ଯ୍ୟକ୍ଷମ କରାଯାଉଛି। ୧୭ଟି NDRF ଓ ୨୦ଟି ODRAF ଟିମ୍‌କୁ ପ୍ରସ୍ତୁତ ରଖାଯାଇଛି। ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ସୁନିଲ ବଂସଲ, ଉନ୍ନୟନ କମିଶନର (ଜଳସଂପଦ) ଶ୍ରୀମତୀ ଅନୁ ଗର୍ଗ, ଗ୍ରାମ୍ୟ ଉନ୍ନୟନ ଓ ଶକ୍ତି ବିଭାଗ ଶ୍ରୀ ସଂଜୟ ସିଂ, କୃଷି ବିଭାଗ ସଚିବ ଶ୍ରୀ ଅରବିନ୍ଦ ପାଢୀ ପ୍ରମୁଖ ନିଜ ନିଜ ବିଭାଗର ପ୍ରସ୍ତୁତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ ।

ଉନ୍ନୀତ ହେଲେ ୨୮୩୬ ମିନି ଅଙ୍ଗନବାଡି କେନ୍ଦ୍ର…

() ଅଙ୍ଗନବାଡି କେନ୍ଦ୍ରକୁ ଉନ୍ନୀତ ହେଲେ ୨୮୩୬ ମିନି ଅଙ୍ଗନବାଡି କେନ୍ଦ୍ର।

ବାର୍ଷିକ ଅତିରିକ୍ତ ୧୮.୭୫ କୋଟି ଟଙ୍କା ବହନ କରିବେ ରାଜ୍ୟ ସରକାର।

{} ରାଜ୍ୟର ୨୮୩୬ ମିନି ଅଙ୍ଗନବାଡି କୁ ଉନ୍ନୀତ (upgrade) କରାଯାଇ ଅଙ୍ଗନବାଡି କେନ୍ଦ୍ରରେ ରାଜ୍ୟ ସରକାର ପରିଣତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କୀତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ରାଜ୍ୟରେ ଶିଶୁ ଓ ମହିଳା ମାନଙ୍କ ସ୍ବାସ୍ଥ୍ୟ ଓ ସଚେତନତା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ ଯେ ରାଜ୍ୟରେ ବର୍ତ୍ତମାନ 74154 ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ 10416 ମିନି ଅଙ୍ଗନବାଡି ଥିଲା । ତନ୍ମଧ୍ୟରୁ 2836 ମିନି ଅଙ୍ଗନବାଡି ଏବେ ଉନ୍ନୀତ ହେଲା ।

ଏହାସହିତ ଏହି ଅଙ୍ଗନବାଡି କେନ୍ଦ୍ର ଗୁଡିକର ବିଭିନ୍ନ କାର୍ଯ୍ୟ ପରିଚାଳନା ପାଇଁ ଯଥା – ଔଷଧ, ଆସବାବପତ୍ର ଓ ପ୍ରଶାସନିକ ଖର୍ଚ୍ଚ ତୁଲାଇବା ପାଇଁ ଅଧିକ ପାଣ୍ଠିର ବ୍ୟବସ୍ଥା ମଧ୍ୟ କରାଯିବ । ଏଥିପାଇଁ ସାରା ରାଜ୍ୟରେ ୧୧୪ଟି ସୁପର ଭାଇଜର ପଦବୀ ସୃଷ୍ଟି କରାଯାଇଛି । ଏହି ଅପଗ୍ରେଡେସନ ସହିତ ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀଙ୍କୁ (Anganwadi Worker) ସହାୟତା କରିବା ପାଇଁ ଜଣେ ଜଣେ ଅଙ୍ଗନବାଡି ସହାୟକ (Anganwadi Helper) ନିଯୁକ୍ତ କରାଯିବ। ଏହିପରି ୨୮୩୬ ଅଙ୍ଗନବାଡି ସହାୟକଙ୍କୁ ନିଯୁକ୍ତ କରାଯିବ ଏବଂ ଏହାସହିତ, ୨୮୩୬ ମିନି ଅଙ୍ଗନବାଡି କର୍ମୀ ପଦବୀକୁ ଉନ୍ନୀତ (upgrade) କରାଯାଇ ଅଙ୍ଗନବାଡି କର୍ମୀ ପଦବୀ ସୃଷ୍ଟି କରାଯିବ। ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ଅତିରିକ୍ତ ୧୮,୭୫,୪୧,୪୪୦ ଟଙ୍କା ଖର୍ଚ୍ଚ କରିବେ ।

ମହାନଦୀ ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ବିଜେଡି..

() ବ୍ୟାରେଜ ନିର୍ମାଣରେ ଛତିଶଗଡକୁ ସହାୟତା କରିଥିଲେ ଓଡିଆ କେନ୍ଦ୍ରମନ୍ତ୍ରୀ।

ଛତିଶଗଡର ବିଜେପି ସରକାର ବିରୁଦ୍ଧରେ ଗର୍ଜୁଥିବା ନେତା ଏବେ ନିରବ ।

 ଛତିଶଗଡ ବନ୍ଧ ବାନ୍ଧୁଥିବାବେଳେ ମୂକ ଦର୍ଶକ ସାଜିଥିଲା ରାଜ୍ୟ ବିଜେପି।

ଉଭୟ ଦଳ କେନ୍ଦ୍ର ଓ ଛତିଶଗଡ ଉପରେ ଚାପ ପକାନ୍ତୁ।

{} ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା ଏବଂ କୋଟି କୋଟି ଚାଷୀ ଏବଂ ମତ୍ସ୍ୟଜୀବୀ ସେମାନଙ୍କ ଜୀବନ ଏବଂ ଜୀବିକା ପାଇଁ ଏହା ଉପରେ ନିର୍ଭରଶୀଳ । ମହାନଦୀ ଓଡିଶାର ଅଧା ଜିଲ୍ଲା ଦେଇ ପ୍ରବାହିତ ହେଉଛି ଏବଂ ଓଡିଶାର ପ୍ରାୟ ୨.୫ କୋଟି ଲୋକଙ୍କୁ ଏହା ପ୍ରଭାବିତ କରିଥାଏ । ଓଡିଶା ଏବଂ ମହାନାଦୀର ଇତିହାସ ପରସ୍ପର ସହ ଜଡିତ । ହେଲେ ଛତିଶଗଡର ବେଆଇନ୍‍ କାର୍ଯ୍ୟ ଯୋଗୁଁ ମହାନଦୀ ଶୁଖିଲା ପଡିଥିବାବେଳେ ଉଭୟ କଂଗ୍ରେସ ଓ ବିଜେପି ଏହାକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରମୟୀ ମିଶ୍ର ଏବଂ ପ୍ୟାନେଲିଷ୍ଟ ସ୍ୱୟଂ ପ୍ରକାଶ ମହାପାତ୍ର ।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ମିଶ୍ର ଓ ଶ୍ରୀ ମହାପାତ୍ର କହିଛନ୍ତି ଯେ ଓଡିଶାର ସମୃଦ୍ଧତା ମଧ୍ୟ ମହାନାଦୀର ସମୃଦ୍ଧତା ସହିତ ସିଧାସଳଖ ଜଡିତ । ମହାନଦୀକୁ କେବଳ ଓଡିଶାର ଏକ ନଦୀ ଭାବରେ ବିବେଚନା କରାଯାଏ ନାହିଁ ବରଂ ଏହାକୁ ଓଡିଶାର ଅଭିବୃଦ୍ଧି ଏବଂ ପ୍ରଗତିର ଏକ ପ୍ରମୁଖ ଉପାଦାନ ଭାବରେ ବିବେଚନା କରାଯାଏ । କୃଷି, ସାମାଜିକ ଚଳଣୀ ଏବଂ ଶିଳ୍ପ ଠାରୁ ସହର ସବୁକିଛି ମହାନଦୀ ଚାରିପାଖରେ ବୃଦ୍ଧି ପାଇଛି । ଓଡିଶାର ଜନଜୀବନ ଏବଂ ସାମାଜିକ ଭାବଧାରା ମହାନାଦୀର ପ୍ରବାହରେ ଗଢି ଉଠିଛି । ଏହି ନଦୀ କେବଳ ଏକ ନଦୀ ମଧ୍ୟରେ ସୀମିତ ନୁହେଁ, ଏହା ଓଡିଶାର ଅସ୍ମିତା, ଓଡିଶାର ଐତିହ୍ୟ ଏବଂ ସମୃଦ୍ଧ ଉତ୍ତରାଧିକାରୀ ଏବଂ ୪.୫ କୋଟି ଓଡିଆଙ୍କ ସହିତ ଜଡିତ ।

୨୦୧୭ରେ ଏହା ଦେଖିବାକୁ ମିଳିଥିଲା ଯେ ଛତିଶଗଡ ମହାନଦୀର ଉପରମୁଣ୍ଡରେ ବେଆଇନ ବ୍ୟାରେଜ ନିର୍ମାଣ କରିଛି । ବିଜେଡି ନେତୃତ୍ତ୍ୱାଧିନ ଓଡିଶା ସରକାର ଛତିଶଗଡ଼ର ଏହି ବେଆଇନ କାର୍ଯ୍ୟକଳାପକୁ ବନ୍ଦ କରିବାକୁ ଦାବି କରୁଥିଲେ ମଧ୍ୟ ଛତିଶଗଡ଼ ତାହା କରୁ ନାହିଁ । ଏହା ପରେ ବିଜେଡି ନେତୃତ୍ୱାଧିନ ସରକାର ଏଥିରେ ହସ୍ତକ୍ଷେପ କରିବା ସହିତ ଏବଂ ଛତିଶଗଡ ସରକାରଙ୍କୁ ନେଇ ଦିଲ୍ଲୀରେ ଏକ ତ୍ରିପାକ୍ଷିକ ବୈଠକ ଜରିଆରେ ମହାନଦୀ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ଉପରେ ଚାପ ପକାଇଥିଲେ ।

ଯେତେବେଳେ ଓଡିଶା ସରକାର ଚାହୁଁଥିଲେ ଯେ କେନ୍ଦ୍ର ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବ, ସେତେବେଳେ ଜଣେ ଓଡିଆ କେନ୍ଦ୍ରମନ୍ତ୍ରୀ ମହାନଦୀ ପ୍ରସଙ୍ଗରେ ଓଡିଶାର ଲୋକଙ୍କ ସ୍ୱାର୍ଥ ପାଇଁ ଛିଡା ହେବା ପରିବର୍ତ୍ତେ ଛତିଶଗଡକୁ ସମର୍ଥନ କରିଥିଲେ ଏବଂ ଛତିଶଗଡ଼କୁ ସହଯୋଗ କରିବାକୁ ଓଡିଶା ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରିଥିଲେ । ଏହାପରେ ଓଡିଶା ସରକାର ମାନ୍ୟବର ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇ ଛତିଶଗଡ଼ର ମହାନଦୀ ଉପରେ ହୋଇଥିବା ଏହି ବେଆଇନ ବ୍ୟାରେଜ କାର୍ଯ୍ୟ ବନ୍ଦ କରିବାକୁ ଦାବି କରିଥିଲେ । କିନ୍ତୁ କେନ୍ଦ୍ରରେ ଥିବା ବିଜେପି ନେତୃତ୍ୱାଧିନ ସରକାର ଓଡ଼ିଶାକୁ ସମର୍ଥନ କରିବା ପରିବର୍ତ୍ତେ ଏହି ବିବାଦକୁ ବିରୋଧ କରିଥିଲା ଏବଂ ଛତିଶଗଡକୁ ସମର୍ଥନ କରିଥିଲା ।

ଶେଷରେ ମାନ୍ୟବର ସୁପ୍ରିମକୋର୍ଟରେ ଓଡିଶା ସରକାରଙ୍କ ହସ୍ତକ୍ଷେପ ଯୋଗୁଁ ମାନ୍ୟବର ସର୍ବୋଚ୍ଚ ଅଦାଲତ ୨୩ ଜାନୁୟାରୀ, ୨୦୧୮ର ଆଦେଶ ମାଧ୍ୟମରେ ଆନ୍ତଃ ରାଜ୍ୟ ନଦୀ ଜଳ ବିବାଦ ଅଧିନିୟମ, ୧୯୫୬ ଅନୁଯାୟୀ ବିଚାର ପାଇଁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ସରକାର ମହାନଦୀ ଏବଂ ଓଡିଶାର ଲୋକଙ୍କ ପାଇଁ ଜୋରଦାର ଲଢୁଥିବାବେଳେ ଓଡିଶା ବିଜେପି ନେତାମାନେ ମୂକ ଦର୍ଶକ ସାଜିଥିଲେ ଏବଂ ସେମାନଙ୍କ ଦଳ ଦ୍ୱାରା ପରିଚାଳିତ ଛତିଶଗଡ ସରକାର ବିରୋଧରେ କହିବାକୁ ସାହସ କରିପାରିନଥିଲେ । ୨୦୧୮ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ ହେବାର ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ଅଗ୍ରଗତି ହୋଇନାହିଁ । ଓଡିଶା ସରକାର ୪.୫ କୋଟି ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହାର ଶୀଘ୍ର ସମାଧାନ ପାଇଁ ଦାବି କରିଆସୁଥିବାବେଳେ ମହାନଦୀ ଜଳ ପ୍ରବାହ ଏବଂ ଓଡିଶାବାସୀଙ୍କ ଉପରେ ଏହାର ପ୍ରତିକୂଳ ପ୍ରଭାବକୁ ନେଇ ଓଡିଶା ବିଜେପି ନେତାମାନେ ଆଦୌ ଚିନ୍ତିତ ନାହାନ୍ତି ।

ବର୍ତ୍ତମାନ ଛତିଶଗଡ କଂଗ୍ରେସ ଦଳ ଦ୍ୱାରା ପରିଚାଳିତ ହେଉଛି । ଓଡିଶା କଂଗ୍ରେସ ନେତା, ଯେଉଁମାନେ ପୂର୍ବ ବର୍ଷଗୁଡିକରେ ବିଜେପି ନେତୃତ୍ୱାଧୀନ ଛତିଶଗଡ ବିରୋଧରେ ମହାନଦୀ ଉପରେ ସ୍ଲୋଗାନ ଦେଉଥିଲେ, ସେମାନେ ବର୍ତ୍ତମାନ ଚୁପ୍ ରହିଛନ୍ତି । ସେମାନଙ୍କର ନିରବତା ଦର୍ଶାଉଛି ଯେ ଓଡିଶା ବିଜେପି ପାଇଁ ଏହା ହେଉଛି ପ୍ରଥମେ ପାର୍ଟି ଏବଂ ପରେ ମାଟି । ଓଡିଶା କଂଗ୍ରେସ ନେତାମାନେ ମଧ୍ୟ ଦିଲ୍ଲୀ ଏବଂ ଛତିଶଗଡ଼ରେ ସେମାନଙ୍କ ଦଳ ସହ ହସ୍ତକ୍ଷେପ କରିବା ଉଚିତ ଏବଂ ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ର ଏହି ବେଆଇନ କାର୍ଯ୍ୟକଳାପ ବନ୍ଦ କରିବାକୁ ଦାବି କରିବା ଉଚିତ । ଉଭୟ କଂଗ୍ରେସ ଏବଂ ବିଜେପି ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ । ଉଭୟ ଓଡିଶାବାସୀଙ୍କ ଆଗରେ ଡ୍ରାମା କରୁଛନ୍ତି ଯେ ସେମାନେ ଓଡିଶାର ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛନ୍ତି । ବାସ୍ତବରେ କିନ୍ତୁ ସେମାନେ ଓଡିଶାବାସୀଙ୍କ ସ୍ୱାର୍ଥ ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି । ମହାନଦୀ ପ୍ରସଙ୍ଗ ସେମାନଙ୍କର ଉଦ୍ଦେଶ୍ୟକୁ ପଦାରେ ପକାଇଛି ।

ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ଦୁର୍ଭାଗ୍ୟଜନକ ଯେ ମହାନଦୀର ବୃହତ ସ୍ୱାର୍ଥ ତଥା କୋଟି କୋଟି ଓଡିଆଙ୍କ ଉପରେ ପ୍ରଭାବ ପକାଉଥିବା ମହାନଦୀ ପ୍ରସଙ୍ଗରେ ଓଡିଶା ବିଜେପି ଏବଂ ଓଡିଶା କଂଗ୍ରେସ ନେତାମାନେ ନିଜ ନିଜ ଦଳକୁ ଯଥାକ୍ରମେ ଛତିଶଗଡ ଏବଂ କେନ୍ଦ୍ର ସ୍ତରରେ ହସ୍ତକ୍ଷେପ କରିବାକୁ କହୁ ନାହାଁନ୍ତି । ଏହା ଓଡିଶା ବିଜେପି ଏବଂ ଓଡିଶା କଂଗ୍ରେସର ଦୋ ମୁହାଁ ନୀତିକୁ ପ୍ରକାଶ କରୁଛି । ଗୋଟିଏ ପଟେ ସେମାନେ ଓଡିଶାର ଲୋକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଏବଂ ଅନ୍ୟ ପଟେ ଛତିଶଗଡକୁ ଚୁପଚାପ୍ ସମର୍ଥନ କରୁଛନ୍ତି ।

ବିଜୁ ଜନତା ଦଳ ଓଡିଶା ବିରୋଧୀ, ଓଡିଆ ବିରୋଧୀ, ଓଡିଶା କଂଗ୍ରେସ ଓ ଓଡିଶା ବିଜେପିର ଲୋକ ବିରୋଧୀ ମନୋଭାବକୁ ଦୃଢ ନିନ୍ଦା କରୁଛି ଏବଂ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଏବଂ ମହାନଦୀ ସମସ୍ୟାର ସମାଧାନ କରିବାକୁ ଦାବି କରିଛି । ଯଦି ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡିଶା ବିଜେପି ଏବଂ ଓଡିଶା କଂଗ୍ରେସ ନୀରବ ରହି ଏକ ପ୍ରକାର ମୂକ ଦର୍ଶକ ସାଜିବେ ଏବଂ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ଏହାର ସମାଧାନ ପାଇଁ ଯଥାକ୍ରମେ ସେମାନଙ୍କ ଦଳ ପରିଚାଳିତ କେନ୍ଦ୍ର ତଥା ଛତିଶଗଡ ସରକାରକୁ କହିବେ ନାହିଁ, ତେବେ ତାହା ଓଡିଶାବାସୀଙ୍କୁ ଜଣାଇଦେବ ଯେ ଓଡିଶା ବିଜେପି ଏବଂ ଓଡିଶା କଂଗ୍ରେସର ଏହି କୁମ୍ଭୀର କାନ୍ଦଣା କେବଳ ଶସ୍ତା ରାଜନୀତି ପାଇଁ ଉଦ୍ଦିଷ୍ଟ ଏବଂ ଓଡିଶାର ଲୋକଙ୍କ କଲ୍ୟାଣ ପାଇଁ ନୁହେଁ ବୋଲି ଶ୍ରୀମତୀ ମିଶ୍ର ଏବଂ ଶ୍ରୀ ମହାପାତ୍ର କହିଛନ୍ତି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news