ଆଜି ପବିତ୍ର ଜନ୍ମାଷ୍ଟମୀ; ମାନବ ରୂପରେ ଧରାବତରଣ କରିବେ ଭଗବାନ…

() ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ। ହିନ୍ଦୁମାନଙ୍କର ଏହା ଏକ ମୂଖ୍ୟ ପର୍ବ। ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ। ଏହା ଥିଲା ତାଙ୍କର ଶ୍ରୀକୃଷ୍ଣ ଅବତାର। କଂସଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଅଷ୍ଟମ ଗର୍ଭରୁ ବନ୍ଦିଶାଳାରେ ଅର୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର-ବୃଷରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମ ଲାଭ କରିଥିଲେ।

ବନ୍ଦିଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ୟ। ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ। କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷାକରି,ସେ ଜନ୍ମ ନେଇଛନ୍ତି। ରାକ୍ଷସ ନିପାତ ପାଇଁ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡ଼ିବ, ତେଣୁ ସେଠାରେ ଜନ୍ମ ନେଇଥିବା ବିଜୁଳୀ କନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ଥୋଇଦେଇ ଆସିବାକୁ ପିତାଙ୍କୁ କହିଲେ। ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାର ହେଇ ଗୋପପୁରକୁ ଗଲେ। ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ବାସୁକି ନିଜର ବିଶାଳ ଫଣା ଢାଙ୍କି ଚାଲିଲେ। ସବୁ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦଘରେ ଛାଡିଥିଲେ ବସୁଦେବ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମ ଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ।

କୃଷ୍ଣ ମଥୁରାରେ ଦେବକୀଙ୍କ ଗର୍ଭରୁ ବନ୍ଦୀଶାଳାରେ ଜନ୍ମ ହୋଇଥିଲେ। ଅତ୍ୟାଚାରୀ କଂସଙ୍କୁ ବଧ କରିବା ପାଇଁ ସେ ମାନବ ଜନ୍ମ ନେଇଥିଲେ। କୃଷ୍ଣ ହିଁ କଂସର ମୃତ୍ୟୁର କାରଣ ହେବ ଏହା କଂସକୁ ଭବିଷ୍ୟବାଣୀ ହୋଇଥିଲା। ଏଥିପାଇଁ ସେ ଜନ୍ମରୁ ହିଁ କୃଷ୍ଣଙ୍କୁ ମାରି ଦେବାକୁ ଚାହୁଁଥିଲା। କୃଷ୍ଣଙ୍କୁ ବଞ୍ଚେଇବା ପାଇଁ ଜନ୍ମ ପରେ କୃଷ୍ଣଙ୍କୁ ପିତା ବସୁଦେବ ଗୋପପୁରରେ ଅର୍ଥାତ ନନ୍ଦ ଓ ଯଶୋଦାଙ୍କ ପାଖରେ ଛାଡ଼ି ଆସିଥିଲେ। ଏହାପରେ ଗୋପପୁରରେ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳିତ ହୋଇଥିଲା। କୃଷ୍ଣଙ୍କ ଜନ୍ମ ପରଦିନ ଗୋପପୁରରେ ଅର୍ଥାତ ନନ୍ଦରାଜାଙ୍କ ଘରେ ଉତ୍ସବ ପାଳିତ ହୋଇଥିଲା। ସେଥିପାଇଁ ଏହାକୁ ନନ୍ଦ ଉତ୍ସବ ବୋଲି କୁହାଯାଏ ଏହା ଜନ୍ମାଷ୍ଟମୀର ପରଦିନ ପାଳିତ ହୋଇଥାଏ।

ରାଜଧାନୀରେ “ଭୋଟ ଚୋର, ଗାଦି ଛାଡ” ମଶାଲ ଶୋଭାଯାତ୍ରା

  ନିର୍ବାଚନ କମିଶନଙ୍କ ଭୋଟ ଚୋରି ମାଧ୍ୟମରେ ବିଜେପିକୁ କ୍ଷମତାକୁ ଆସିବାକୁ ସହାୟତା ପ୍ରସଙ୍ଗରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଶବାସୀଙ୍କ ଆଗରେ ତଥ୍ୟ ଓ ପ୍ରମାଣ ସହ ଜାଲିଆତିର ପର୍ଦ୍ଦାଫାଶ କରି ଦେଶରେ ଆଲୋଡନ ସୃଷ୍ଟି କରିଥିଲେ । ଏହାକୁ ନେଇ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ଦେଶର ସମସ୍ତ ଜିଲ୍ଲା ସଦର ମହକ୍କୁମା ଠାରେ “ଭୋଟ ଚୋର, ଗାଦି ଛାଡ” ମଶାଲ ଶୋଭାଯାତ୍ରା ପାଇଁ ଆହ୍ୱାନ କରିଥିଲେ । ପିସିସି ସଭାପତି ଶ୍ରୀ ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ବିଶ୍ୱଜିତ ଦାସଙ୍କ ତତ୍ୱାବଧାନରେ ଆଜି ଏକ ବିଶାଳ ମଶାଲ ଶୋଭାଯାତ୍ରା ରାଜମହଲ ଛକ ଠାରୁ କଂଗ୍ରେସ ଭବନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି ।
ଏହି ଶୋଭାଯାତ୍ରାରେ ଅଂଶ ଗ୍ରହଣ କରି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରି କହିଥିଲେ ଯେ ବିଜେପିର ଭୋଟ ଚୋରି ଆଜି ସାରା ଦେଶରେ ପ୍ରମାଣିତ । ନିର୍ବାଚନ ଆୟୋଗକୁ ବ୍ୟବହାର କରି ‘ଗଣତନ୍ତ୍ର’ର ହତ୍ୟା ଉଦ୍ୟମ, ବିଜେପିର ହୀନ ମାନସିକତାକୁ ଦର୍ଶାଉଛି । ଭାରତ ବର୍ଷର ଗଣତନ୍ତ୍ର ଆଜି ସଂପୂର୍ଣ୍ଣ ବିପଦ ଗ୍ରସ୍ତ । ନିର୍ବାଚନ କମିଶନ ଭାରତ ବର୍ଷରେ ବିଜେପି ଦଳକୁ କ୍ଷମତାରେ ରଖିବା ପାଇଁ ଗତ ସାଧାରଣ ନିର୍ବାଚନରେ ଭୋଟ୍ ଚୋରି କରି ମୋଦୀଙ୍କୁ କେନ୍ଦ୍ରରେ କ୍ଷମତାସୀନ କରିବା ସହିତ ମହାରାଷ୍ଟ୍ର, ହରିୟାନା, ମଧ୍ୟପ୍ରଦେଶ, ଛତିଶଗଡ ରାଜ୍ୟରେ ବିଜେପିର ସରକାର ପ୍ରତିଷ୍ଠା କରିବାରେ ସହାୟକ ହୋଇଛନ୍ତି । ଏହା ଆମ ସମ୍ବିଧାନ ପ୍ରତି ବଡ଼ ଧୋକା ଏବଂ ଭାରତ ବର୍ଷର ଜନସାଧାରଣଙ୍କ ନିଷ୍ପତ୍ତିକୁ ବଦଳାଇ ଆଜି ନିର୍ବାଚନ କମିଶନ, ମୁଖ୍ୟ କମିଶନର ଓ ଅନ୍ୟ ସଦସ୍ୟମାନେ ଦେଶଦ୍ରୋହ କାର୍ଯ୍ୟରେ ଲିପ୍ତ ଅଛନ୍ତି । ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ସମସ୍ତ ଜନସାଧାରଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ଆପଣମାନଙ୍କ ସହଯୋଗ ଫଳପ୍ରଦ ହେବ ଏବଂ ଗଣତନ୍ତ୍ର ବିରୋଧୀ ନିଶ୍ଚିତ ପରାସ୍ତ ହେବେ । ଭୋଟ ଚୋରି ବନ୍ଦ କରିବା ସହିତ ଆମ୍ଭ ସମ୍ବିଧାନକୁ ସୁରକ୍ଷିତ ରଖିବା ପାଇଁ ଏବଂ ଆମ ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ଏ ମଶାଲ ଶୋଭାଯାତ୍ରା ।
ଆଜିର କାର୍ଯ୍ୟକ୍ରମର ଅନ୍ୟମାନଙ୍କ ମଧ୍ୟରେ ଜୟଦେବ ଜେନା, ଡ. ରାମଚନ୍ଦ୍ର ଖୁଣ୍ଟିଆ, ସୁରେଶ କୁମାର ରାଉତରାୟ, ଜଗନ୍ନାଥ ପଟ୍ଟନାୟକ, ମନୋରଞ୍ଜନ ଦାସ, ଶୁଭେନ୍ଦୁ ମହାନ୍ତି, ସୁବ୍ରତ ମହାପାତ୍ର, ଅରବିନ୍ଦ ଦାସ, ରଜନୀ ମହାନ୍ତି, ପ୍ରଶାନ୍ତ ଚମ୍ପତି, ପ୍ରସନ୍ନ ନାୟକ, ମିହିର ଆଚାର୍ଯ୍ୟ, ଅଶୋକ ଦାସ, ପ୍ରଣତୀ ମିଶ୍ର, ଆଶିଷ ମଲ୍ଲିକ, ରଞ୍ଜିତ ପାତ୍ର, ମୋହନ ଜେନା, ଶ୍ରୀନିବାସ ରାଉତରାୟ, ଚନ୍ମିୟ ସୁନ୍ଦର ଦାସ, ଗୀତାଞ୍ଜଳି ମହାନ୍ତି, ତରୁଣ ମିଶ୍ର, ମାନସ ସେଠୀ, ବଳଦେବ ରଥ, ସଂକୁନା କଅଁର, ସେକ୍ ତାକ୍ୱିମ୍‌, ଏସ୍‌.କେ. କମର ଅଲ୍ଲି, ବ୍ରହ୍ମାନନ୍ଦ ସାହୁ, ଅକ୍ଷୟ ଦାସ, ଦେବାଶିଷ ମହାପାତ୍ର, ଦେବାଶିଷ ରାଉତ, କବିତା ପ୍ରିୟଦର୍ଶନୀ, ପ୍ରଭାତ ପ୍ରତାପ ସିିଂ, ଦିପକ ସାହୁ, ପ୍ରାଚୀ ରାଉତରାୟ, ଶ୍ରୀୟା ମହାନ୍ତି, ଶ୍ରୀୟା ପଣ୍ଡା, କୁସୁମ୍ ପ୍ରଧାନ, ଜୟଶ୍ରୀ ପାତ୍ର, ଲିଙ୍ଗରାଜ ସାହୁ, ତାପସ ସେଠୀ, ମନୋରଞ୍ଜନ ରାଉତରାୟ, ପ୍ରଦ୍ୟୁମ୍ନ ଦାସ, ରାଜ କିଶୋର ବାରିକ, ନାରଣ ଜେନା, ସୁଶାନ୍ତ ତ୍ରିପାଠୀ, ବଳରାମ ନନ୍ଦ, କାର୍ତ୍ତିକ କାଣ୍ଡି, ଦେଓ ପ୍ରସାଦ, ଆତ୍ମାରାମ ପତି, ମଣ୍ଟୁ ମଲ୍ଲିକ, ଜମ୍ବେଶ୍ୱର ମଲ୍ଲିକ, ବେଣୁଧର ପାତ୍ର, ଦେବବ୍ରତ ମହାନ୍ତି, ଦେବୀ ପ୍ରସାଦ ବାହାଲିଆ, ପ୍ରତିକ୍ ଦାସ, ଅନିଲ ଦାସ, ଏମ୍‌ଡି ସାହାଦୁଲ୍ଲା, ଉଷାରାଣୀ ବେହେରା, ଖଗେଶ୍ୱର ମଲ୍ଲିକ, ବୈଲୋଚନ ସାହୁ, ପ୍ରସନ୍ନ ପାଇକରାୟ, ଜ୍ୟୋତିଷ ସାହୁ, ମଧୁସ୍ମିତା ଆଚାର୍ଯ୍ୟ, ଜିତେନ୍ଦ୍ର ପଣ୍ଡା,ଧରିତ୍ରୀ ଜେନା, ସଦାଶିବ ମହାପାତ୍ର, ମନୋଜ ସାହୁ, ମଜିବୁର୍ ରେହେମାନ ଖାନ୍‌, ସଂଜୟ ରାଉତ, ସୁବାସ ପ୍ରଧାନ ପ୍ରମୁଖ ବହୁ ଛାତ୍ର, ଯୁବ ଓ ମହିଳା ଏବଂ ଭୁବନେଶ୍ୱର ଜିଲ୍ଲା କଂ୍େରଗସ କର୍ମକର୍ତ୍ତାମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।
ସୂଚନାଯୋଗ୍ୟ ଆଜି ସଂଧ୍ୟା ୬.୩୦ ରେ ସମସ୍ତ ଜିଲ୍ଲାରେ ୨ କିଲୋମିଟର ପର୍ଯ୍ୟନ୍ତ ‘ଭୋଟ୍ ଚୋର ଗାଦି ଛାଡ଼ ‘ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା।

ଟାଟା ପାୱାର ପାଖରେ ବନ୍ଧା ପଡିଛି ମୋହନ ସରକାର : କାନୁନଗୋ

– ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଓଡ଼ିଶାରେ ବିଦ୍ୟୁତ ବିତରଣ ଦାୟିତ୍ୱ ନେଇଥିବା କମ୍ପାନୀ ଟାଟା ପାୱାର ଏବଂ ରାଜ୍ୟ ବିଜେପି ସରକାରଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟର ସମସ୍ତ ବିଦ୍ୟୁତ ଉପଭୋକ୍ତା ନାହିଁ ନଥିବା ଶୋଷଣର ଶିକାର ହେଉଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି ।

ସମସ୍ତ ବିଦ୍ୟୁତ ଉପଭୋକ୍ତାଙ୍କୁ ନିରବିଛିନ୍ନ ବିଦ୍ୟୁତ ଯୋଗାଣ ବିତରଣ କମ୍ପାନୀ ଟାଟା ପାୱାରର ମୁଖ୍ୟ ଦାଇତ୍ୱ ହୋଇଥିବା ବେଳେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଜନ ଜୀବନକୁ ଦୁର୍ବିସହ କରୁଛି । ଶ୍ରୀ କାନୁନଗୋ ଏକ ହିସାବ ଦେଇ କହିଥିଲେ ଯେ ପ୍ରତ୍ୟେକ ଦିନ ହେଉଥିବା ଅଘୋଷିତ ବିଦ୍ୟୁତ କାଟକୁ ଯଦି ଯୋଗ କରାଯାଏ, ମାସକୁ ଅତି କମରେ ଗୋଟିଏ ଦିନ ସମ୍ପୂର୍ଣ ଭାବେ ଘର ଅନ୍ଧାର ରହୁଛି । ଅର୍ଥାତ ତିରିଶ ଦିନରେ ଗୋଟିଏ ଦିନ ସମ୍ପୂର୍ଣ ରୂପେ ବିନା ବିଜୁଳିରେ ଉପଭୋକ୍ତା ମାନଙ୍କୁ ସମୟ କାଟିବାକୁ ବାଧ୍ୟ କରାଯାଉଛି ଏବଂ ସେହି ମାସରେ ଗୋଟିଏ ଦିନର ବିଦ୍ୟୁତ ବିଲ କମ୍ପାନୀ ଅସୁଲ କରୁଛି ।

ଓଡ଼ିଶାରେ ସରକାର ସବୁଜାଣି ଅଜଣା ଭଳି ବ୍ୟବହାର କରୁଛନ୍ତି, ବର୍ତ୍ତମାନର ବିଜେପି ସରକାର ମଧ୍ୟ ପୂର୍ବ ବିଜେଡି ସରକାର ଭଳିଆ ଟାଟା ପାୱାର ହାତରେ ବନ୍ଧା ପଡିଛି । ଓଡ଼ିଶାରେ ୧ କୋଟିରୁ ଉର୍ଧ୍ଵ ବିଦ୍ୟୁତ ଉପଭୋକ୍ତା ଅଛନ୍ତି ।
ବର୍ଷକୁ ବାର ଦିନ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ବ୍ୟବହାର କରୁ ନଥିବା ବିଦ୍ୟୁତ ଉପରେ ମଧ୍ୟ କମ୍ପାନୀ ବିଜୁଳି ବିଲ ଆଦାୟ କରୁଛି, ଯାହାକି ସମ୍ପୂର୍ଣ ବେଆଇନ ଅଟେ ।

ଆମ ରାଜ୍ୟର କୋଇଲା ଏବଂ ପାଣିରୁ ଉତ୍ପାଦିତ ହେଉଥିବା ବିଦ୍ୟୁତ ଶକ୍ତି ଯୋଗୁଁ ସମଗ୍ର ଦେଶରେ ଦ୍ଵିତୀୟ ସର୍ବାଧିକ ବିଦ୍ୟୁତ ଶକ୍ତି ଉତ୍ପାଦନକାରୀ ରାଜ୍ୟ ଭାବରେ ପରିଗଣିତ ହୋଇଛି । କିନ୍ତୁ ପରିତାପର ବିଷୟ ଓଡିଶା ଏକ ବିଦ୍ୟୁତ ବଳକା ରାଜ୍ୟ ଭାବେ ପରିଗଣିତ ହୋଇଥିଲେ ସୁଦ୍ଧା ଆମ ରାଜ୍ୟର ବିଦ୍ୟୁତ ଦେୟ ସର୍ବ ଭାରତୀୟ ସ୍ତରରେ ସବୁଠୁ ଅଧିକ । ଓଡ଼ିଶାରେ ୟୁନିଟ ପିଛା କ୍ରୟ ଦର ଟ ୨.୪୦ ପଇସା ହୋଇଥିବା ବେଳେ ବିକ୍ରୟ ଦର ଟ ୭.୬୦ ପଇସା ଯାହାକି ଦେଶର ସବୁଠୁ ବେଶୀ ।

ଓଡିଶାରୁ ଉତ୍ପାଦିତ ହେଉଥିବା ବିଦ୍ୟୁତ ଶକ୍ତି ୮୨% କୋଇଲା, ୧୧% ଜଳ ବିଦ୍ୟୁତ, ୪% ଅକ୍ଷୟ ଶକ୍ତି ଏବଂ ୩% ଅନ୍ୟାନ୍ୟ ସୂତ୍ରରୁ ମିଳେ । ଆଜିର ଦିନରେ ଟ୍ରାନ୍ସମିଶନ ଏବଂ ଡିସଟ୍ରିବ୍ୟୁସନ କ୍ଷତି ୪୧% ରୁ କମି ୧୭% ପହଞ୍ଚିବା ସତ୍ୱେ ବିଦ୍ୟୁତ ଦର କମିବାର ନାମ ନେଉନାହିଁ । ରାଜ୍ୟରେ ୯୦୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ଶକ୍ତି ଥିବାବେଳେ ୫୫୦୦ ମେଗାୱାଟ ଉତ୍ପାଦିତ ହେଉଅଛି ଏବଂ ୪୩୦୦ – ୪୭୦୦ ମେଗାୱାଟ ଖର୍ଚ୍ଚ ହେଉଛି । ଏସବୁ ସତ୍ୱେ କମ୍ପାନୀର ଦରବୃଦ୍ଧି ପ୍ରୀତିକୁ ରାଜ୍ୟ ସରକାର ଅନ୍ଧଭଳି ସମର୍ଥନ ଦେଉଥିବାରୁ କଂଗ୍ରେସ ଘୋର ବିରୋଧ କରୁଛି ବୋଲି ଶ୍ରୀ କାନୁନଗୋ କହିଛନ୍ତି ।

ରାଜ୍ୟରେ ୧ କୋଟି ୩ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କ ମଧ୍ୟରୁ ମାତ୍ର ୩୬ ଲକ୍ଷ ଉପଭୋକ୍ତାଙ୍କର ବିଦ୍ୟୁତ ବ୍ୟବହାର ୨ କିଲୋୱାଟରୁ କମ । ଏନର୍ଜି ଚାର୍ଜେସ ନାମରେ କମ୍ପାନୀ ଆଦାୟ କରୁଥିବା ଅତିରିକ୍ତ ଦେୟ ହଟାଇବା ପାଇଁ ଶ୍ରୀ କାନୁନଗୋ ଦୃଢ ଦାବୀ କରିଛନ୍ତି । ସ୍ମାର୍ଟ୍ ମିଟର ନାମରେ ସାଧାରଣ ଲୋକଙ୍କୁ ଶୋଷଣ କରାଯାଇଛି।

ପ୍ରଥମ ଥର ପାଇଁ ବିଦ୍ୟୁତ ସଂଯୋଗ କରୁଥିବା ଉପଭୋକ୍ତାଙ୍କ ଘର ଯଦି ଦୂରରେ ଅଛି ତେବେ ଖୁଣ୍ଟ, ତାର ଏବଂ ଅନୁଷାଙ୍ଗିକ ଜିନିଷ ପାଇଁ ଉପଭୋକ୍ତାଙ୍କ ଠାରୁ ଅର୍ଥ ଆଦାୟ କରାଯାଉଛି । ଯାହା ସେମାନଙ୍କ ଉପରେ ଏକ ଶକ୍ତ ବୋଝ ହେଉଛି । ମୁମ୍ବାଇ ଏବଂ ଦିଲ୍ଲୀ ଭଳି ଢାଞ୍ଚାରେ ରାଜ୍ୟ ସରକାର ୫୦ %, ବିତରଣ କମ୍ପାନୀ ୨୫% ଏବଂ ବିଦ୍ୟୁତ୍ ଉପଭୋକ୍ତା ୨୫% ଅନୁଷାଙ୍ଗିକ ଖର୍ଚ୍ଚ ବହନ କରନ୍ତୁ ବୋଲି ଶ୍ରୀ କାନୁନଗୋ କହିଛନ୍ତି ।

ପ୍ରଦେଶ କଂଗ୍ରେସ ତରଫରୁ ଶ୍ରୀ କାନୁନଗୋ ରାଜ୍ୟ ସରକାରଙ୍କ ନିକଟରେ ୪ ଗୋଟି ଦାବୀ ଉପସ୍ଥାପନ କରିଛନ୍ତି

୧) ଗ୍ରାମାଞ୍ଚଳରେ ଥିବା ସମସ୍ତ ପଞ୍ଚାୟତ, ଅଙ୍ଗନବାଡି କେନ୍ଦ୍ର, ବିଦ୍ୟାଳୟ, ସରକାରୀ ପାଣି ଟାଙ୍କି, ପଞ୍ଚାୟତ ରାସ୍ତା ଆଲୋକୀକରଣ ଆଦିର ବିଦ୍ୟୁତ ଖର୍ଚ୍ଚ ରାଜ୍ୟ ସରକାର ସମ୍ପୂର୍ଣ ବହନକରୁ ।
୨) ସ୍ମାର୍ଟ ମିଟରର ସମସ୍ତ ଖର୍ଚ୍ଚ ସରକାର କିମ୍ବା କମ୍ପାନୀ ବହନ କରୁ।
୩) ସର୍ବନିମ୍ନ ଶକ୍ତି ଦେୟ( ମିନିମମ୍ ଏନର୍ଜି ଚାର୍ଜେସ) କିଲୋୱାଟ ପିଛା ନିଆ ଯାଉଥିବା ୨୦ ଟଙ୍କା ଦରକୁ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରନ୍ତୁ ଏବଂ ଏ ସଂକ୍ରାନ୍ତରେ କମ୍ପାନୀକୁ ସ୍ପଷ୍ଟ ନିର୍ଦେଶନାମା ଦିଅନ୍ତୁ ।
୪) ବିଦ୍ୟୁତ କମ୍ପାନୀର ପରିବହନ
ଏବଂ ବିତରଣ ଖର୍ଚ୍ଚ ୪୧ % ରୁ ୧୭ % କମିଥିବା ହେତୁ ଉପଭୋକ୍ତାଙ୍କ ଠାରୁ ୟୁନିଟ ପିଛା ଦର କମ କରାଯାଉ ।

ବର୍ତ୍ତମାନ ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ପ୍ରଚେଷ୍ଟାରେ କଂଗ୍ରେସ ଆଗେଇ ଚାଲିଛି । ଜନସାଧାରଣଙ୍କୁ କଂଗ୍ରେସ ଶୋଷଣ ହେବାକୁ ଦେବ ନାହିଁ ଏଥିପାଇଁ ଅବିରାମ ସଂଗ୍ରାମ କରିବ । ଏହା କଂଗ୍ରେସର ଲଢେଇ ନୁହଁ ଏହା ଜନସାଧାରଣଙ୍କ ଅଧିକାରର ଲଢେଇ ତେଣୁ ବିଦ୍ୟୁତ କମ୍ପାନୀର ଶୋଷଣ ବିରୁଦ୍ଧରେ ପ୍ରଚାର ପ୍ରସାର କରିବାକୁ ଶ୍ରୀ କାନୁନଗୋ ଗଣମାଧ୍ୟମକୁ ନିବେଦନ କରିଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ସମେତ ପ୍ରଶାନ୍ତ ଶତପଥୀ, ନଳିନୀକାନ୍ତ ନାୟକ, ଦେବାଶିଷ ଭୂୟାଁ ଓ ଅମ୍ରିତା ଦାସ ମୁଖପାତ୍ରଗଣ ଉପସ୍ଥିତ ଥିଲେ । ତେବେ ଏନେଇ ଟାଟା ପାୱାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଅରୁଣଙ୍କ ବେହାଲ ବର୍ଷାରେ ଭିଜିଲେ ଦର୍ଶକ

 ଭୁବନେଶ୍ବରସ୍ଥିତ ଭଞ୍ଜକଳା ମଣ୍ଡପରେ ବୁଧବାର ସନ୍ଧ୍ୟାରେ ସାହିତ୍ୟ ଓ ସଙ୍ଗୀତର ଅନନ୍ୟ ଯୁଗଳବନ୍ଦୀ ଡ଼ ଅରୁଣ କୁମାର ସାହୁଙ୍କ ସଂପାଦିତ ‘ସାଇତା ସତ’ ପୁସ୍ତକ ଏବଂ ‘ବେହାଲ୍ ବର୍ଷା’ ସଙ୍ଗୀତର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସାହିତ୍ୟର ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ଅଭିରାମ ବିଶ୍ଵାଳ ଏବଂ କଳା ଓ ସଙ୍ଗୀତର ଅତିଥି ଭାବେ ବର୍ଷୀୟାନ୍ ଅଭିନେତା ଚୌଧୁରୀ ବିକାଶ ଦାସ ଯୋଗ ଦେଇଥିଲେ l ପ୍ରକାଶକ ବିଜୟ ମହାପାତ୍ରଙ୍କ ବି. କେ. ପବ୍ଲିକେଶନ୍ ପକ୍ଷରୁ ପ୍ରକାଶିତ ପୁସ୍ତକ ‘ସାଇତା ସତ’ରେ ଚମତ୍କାର ଭାବେ ସତ ଓ ମିଛର ପରିଭାଷା ବର୍ଣ୍ଣନା ସହ ଦାର୍ଶନିକ ତତ୍ତ୍ଵ ମାଧ୍ୟମରେ ସାରକଥାଟି କିପରି ଶେଷକୁ ସଂରକ୍ଷିତ ହୋଇ ରହି ‘ସାଇତା ସତ’ ହୋଇଯାଏ, ତାହା ଉପସ୍ଥାପିତ ହୋଇଛି l ସେହିପରି ସଙ୍ଗୀତକାର ଜାପାନୀଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଯୁବ କଣ୍ଠଶିଳ୍ପୀ ଚିରାଗଦୀପ ଗାଇଥିବା ଡ଼ ଅରୁଣ ସାହୁଙ୍କ ରଚିତ ‘ବେହାଲ୍ ବର୍ଷା’ ସଙ୍ଗୀତରେ ପ୍ରେମ, ପ୍ରତିଶ୍ରୁତି ଓ ପ୍ରଣୟର ସୁନ୍ଦର ସଙ୍ଗମ ହୋଇଛି l କାର୍ଯ୍ୟକ୍ରମରେ ଅତିଥି ଦର୍ଶକ ଭାବେ ବରିଷ୍ଠ ରାଜନେତା ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ସୁଶାନ୍ତ ରାଉତ, ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ, ଉମାକାନ୍ତ ସାମନ୍ତରାୟ, ବିଶିଷ୍ଟ ପ୍ରଶାସକ ମନୋରଞ୍ଜନ ପାଣିଗ୍ରାହୀ, କଣ୍ଠଶିଳ୍ପୀ ସୁସ୍ମିତା ଦାସ ପ୍ରମୁଖ କଳା, ସାହିତ୍ୟ, ସଙ୍ଗୀତ ଓ ରାଜନୀତି ଦୁନିଆର ପ୍ରଖ୍ୟାତ ବ୍ୟକ୍ତିବିଶେଷମାନେ ଯୋଗ ଦେଇ ଉପଭୋଗ କରିଥିଲେ l ଚିରାଚରିତ କାର୍ଯ୍ୟକ୍ରମ ଶୈଳୀରୁ ବାହାରି ଡ଼ ଅରୁଣ ସାହୁଙ୍କ ପରିକଳ୍ପନାରେ ସାହିତ୍ୟ ଓ ସଙ୍ଗୀତର ଅପୂର୍ବ ସମନ୍ଵୟରେ ଏପରି କାର୍ଯ୍ୟକ୍ରମ ଓଡ଼ିଶାରେ ନିଆରା ବୋଲି ମତ ପ୍ରକାଶ ପାଇବା ସହ କାର୍ଯ୍ୟସୂଚୀ ଅନୁଯାୟୀ ସମାନ୍ ସନ୍ଧ୍ୟା ୬.୧୮ରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୭.୩୩ରେ ଶେଷ ହେବାକୁ ଉପସ୍ଥିତ ଦର୍ଶକ ଉଚ୍ଛ୍ୱସିତ ପ୍ରଶଂସା କରିଥିଲେ l
ଫେରିଲା ସମୟରେ ସମସ୍ତେ ଗୁଣୁଗୁଣାଉ ଥିଲେ ବେହାଲ୍ ବର୍ଷା, ମତୁଆଲା ମନ…

ବିଜେପିର ସଂକଟ ମୋଚକ ଧର୍ମେନ୍ଦ୍ର

ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭୋଟ ଚୋରୀ ପ୍ରସଂଗରେ କେନ୍ଦ୍ରର ବିଜେପି ସରକରଙ୍କୁ ଟାର୍ଗେଟ କରୁଛନ୍ତି। କିଛି ରାଜ୍ୟରେ କିପରି ଭୋଟ ଗଡବଡ ହୋଇଛି ତାହାର ତଥ୍ୟ ଦେଇ ବିଜେପି ସରକାରକୁ ସିଧାସଳଖ ନିଶାନା କରୁଛି କଂଗ୍ରେସ। ରାହୁଲ ଅଭିଯୋଗ ଦେଶରେ ଚାଲିଛି ଭୋଟ ଚୋରିର ସରକାର । ଭୋଟ କେମିତି ଚୋରୀ ହୋଇଛି ସେ ନେଇ ରାହୁଲ ଗାନ୍ଧିଙ୍କ ଭିଡିଓ ଜାରୀ କରି ବିଜେପି ସରକାରକୁ ଟାର୍ଗେଟ କରୁଛି। ଦେଶର କୋଣ ଅନୁକୋଣରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି। ଏନ୍ ଡିଏ ବିରୋଧୀ ମେଣ୍ଟ ଦଳ ଗୁଡିକ ସଂସଦରୁ ସଡ଼କ ଯାଏ କେନ୍ଦ୍ରର ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଭୋଟ ଚୋରୀ ପ୍ରସଂଗରେ ନିର୍ବାଚନ କମିଶନ ଓ ଶାସକ ଦଳ ହାତ ମିଶାଇ ଭୋଟ ଚୋରୀ କରିଛନ୍ତି ବୋଲି କଂଗ୍ରେସ ସବୁ ରାଜ୍ୟରେ ଅଭିଯୋଗ କରି ବିଜେପିକୁ ସମାଲୋଚନା କରୁଛି। ବିଜେପି ବିରୋଧରେ ଭୋଟ ଚୋରୀ ଅଭିଯୋଗ ରାହୁଲ ଗାନ୍ଧି ଆଣିବା ପରେ କେନ୍ଦ୍ର ସରକାର ପକ୍ଷରୁ କଂଗ୍ରେସକୁ ଟାର୍ଗେଟ କରିବାକୁ ଆଗେଇ ଆସିଛନ୍ତି ମୋଦୀଙ୍କ ସଂକଟ ମୋଚକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ବିଭିନ୍ନ ଉଦାହରଣ ଦେଇ କଂଗ୍ରେସ ଓ ଇଣ୍ଡିମେଣ୍ଟକୁ ଟାର୍ଗେଟ କରିଛନ୍ତି ଓଡିଆ ପୁଅ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଗଣତନ୍ତ୍ରରେ ଅସ୍ଥିରତା ସୃଷ୍ଟି କରିବାକୁ ହେଉଛି ପ୍ରୟାସ ।

ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ଧର୍ମେନ୍ଦ୍ର କହିଛନ୍ତି ଯେ ସମ୍ବିଧାନ ପୁସ୍ତକ ଧରି ବୁଲୁଥିବା ଲୋକ ସାମ୍ବିଧାନିକ ସଂସ୍ଥା ଭାଙ୍ଗିବାକୁ କରୁଛନ୍ତି ପ୍ରୟାସ । ନିର୍ବାଚନ କମିଶନ, ସୁପ୍ରିମକୋର୍ଟ ଉପରେ କାହିଁକି ବିରୋଧୀଙ୍କ ଅବିଶ୍ବାସ ?`ଅନୁପ୍ରବେଶକାରୀଙ୍କୁ ଭୋଟର ତାଲିକାରେ ଯୋଡିବାକୁ ଚାହୁଁଛି ଇଣ୍ଡି ମେଣ୍ଟ’ ବୋଲି କେନ୍ଦ୍ରମନ୍ତ୍ରୀ ରାହୁଲ ଗାନ୍ଧିଙ୍କୁ ପ୍ରଶ୍ନ କରିଛନ୍ତି । କଂଗ୍ରେସ ପାଖରେ କୌଣସି ପ୍ରସଙ୍ଗ ନାହିଁ କି କିଛି ନୀତି ନାହିଁ ବୋଲି କଂଗ୍ରେସ ଏପରି ଅଭିଯୋଗ କରୁଥିବା ଧର୍ମେନ୍ଦ୍ର ବିରୋଧୀଙ୍କୁ ଜବାବ ଦେଇଛନ୍ତି । ଯେତେବେଳ ବି ମୋଦୀ ସରକାରଙ୍କୁ ବିରୋଧୀ ଟାର୍ଗେଟ କରୁଛନ୍ତି ସେତେବେଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗକୁ ଆସି ବିରୋଧୀଙ୍କୁ ଦୃଢ଼ ଜବାବ ଦେବାର ଦେଖିବାକୁ ମିଳୁଛି। ତେଣୁ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ସଂକଟ ମୋଚନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଲି ରାଜନୈତିକ ସମୀକ୍ଷକ କରିଛନ୍ତି ।

ନିର୍ବାଚନରେ ସ୍ୱଚ୍ଛତା ପ୍ରତିପାଦନ କରିବାରେ ନିର୍ବାଚନ କମିସନ ବିଫଳ: ବିଜେଡି

୮ ମାସ ତଳେ ବିଜୁ ଜନତା ଦଳ ତରଫରୁ ଗତ ନିର୍ବାଚନରେ ପରିଲକ୍ଷିତ ଭୋଟ ଅସଙ୍ଗତିକୁ ନେଇ ନିର୍ବାଚନ କମିସନରଙ୍କ ନିକଟରେ ତଥ୍ୟ ପ୍ରଦାନ କରାଯାଇ ଉତ୍ତର ମଗାଯାଇଥିଲା, ଯାହାର ସନ୍ତୋଷଜନକ ଉତ୍ତର ଏପର୍ଯ୍ୟନ୍ତ ମିଳିନାହିଁ । ତେଣୁ, ବିଜୁ ଜନତା ଦଳ ଏହି ମାମଲାକୁ ନେଇ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହେବ ବୋଲି ଆଜି ସୂଚନା ଦେଇଛି ।
ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ପୂର୍ବତନ ରାଜ୍ୟସଭା ସାଂସଦ ତଥା ଦଳର ମୁଖପାତ୍ର ଶ୍ରୀ ଅମର ପଟ୍ଟନାୟକ, ପୂର୍ବତନ ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ ଓ ବିଧାୟକ ଶ୍ରୀ ଧ୍ରୁବ ଚରଣ ସାହୁ ଏହି ସୂଚନା ଦେଇଛନ୍ତି ।
ଶ୍ରୀ ଅମର ପଟ୍ଟନାୟକ କହିଥିଲେ, ଗତ ନିର୍ବାଚନରେ ଭୋଟ ଶେଷ ହେବା ପରେ ନିର୍ବାଚନ କମିସନରଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟକୁ ଅନୁଶୀଳନ କରିବା ପରେ ଅନେକ ତାରତମ୍ୟ ପରିଲକ୍ଷିତ ହୋଇଥିଲା । ଗୋଟିଏ ଦାୟିତ୍ୱସମ୍ପନ୍ନ ରାଜନୈତିକ ଦଳ ହିସାବରେ, ବିଜେଡି ତରଫରୁ ନିର୍ବାଚନ କମିସନରଙ୍କୁ ଏହି ତାରତମ୍ୟ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା । ଏହି ତାରତମ୍ୟ ମୁଖ୍ୟତଃ ତିନୋଟି ବିନ୍ଦୁରେ କେନ୍ଦ୍ରିତ ଥିଲା । ପ୍ରଥମଟି ଥିଲା, ରାଜ୍ୟର ସମସ୍ତ ସଂସଦ କ୍ଷେତ୍ରରେ, ଇଭିଏମରେ ପଡ଼ିଥିବା ଭୋଟ ସଂଖ୍ୟା ଅପେକ୍ଷା ଗଣତି ହୋଇଥିବା ଭୋଟ ସଂଖ୍ୟା ଅଧିକ ଥିଲା । ଦ୍ୱିତୀୟଟି ହେଲା ସଂସଦ କ୍ଷେତ୍ରର ଭୋଟ ସଂଖ୍ୟା ଅପେକ୍ଷା ଏହା ମଧ୍ୟରେ ଆସୁଥିବା ବିଧାନସଭାର ସମୁଦାୟ ଭୋଟ ସଂଖ୍ୟା ମଧ୍ୟରେ ଉଲ୍ଲେଖନୀୟ ତାରତମ୍ୟ ରହିଥିଲା । ତୃତୀୟଟି ହେଲା, ନିର୍ବାଚନ ସମୟ ଶେଷ ହୋଇଯିବା ପରେ ଭୋଟ ପଡିବା ସଂଖ୍ୟା ପ୍ରାୟ ୭ ପ୍ରତିଶତରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ରହିଥିଲା । ପଚାଶ ପ୍ରତିଶତ ବିଧାନସଭା ଆସନରେ ଏହି ତାରତମ୍ୟ ୧୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ରହିଥିଲା ।
ଶ୍ରୀ ପଟ୍ଟନାୟକ କହିଥିଲେ, ୨୦୨୪ ମସିହା ଡିସେମ୍ୱର ୧୯ ତାରିଖରେ ବିଜେଡି ତରଫରୁ ଏହି ସମ୍ୱନ୍ଧରେ ଅଭିଯୋଗ ଦାଖଲ କରାଯାଇ, ଏହାର ଉତ୍ତର ରଖିବାକୁ ଅନୁରୋଧ କରାଯାଇଥିଲା । ଏହାଛଡା, ନିର୍ବାଚନ ପ୍ରକ୍ରିୟାକୁ ଅଧିକ ପାରଦର୍ଶିତା କରିବା ପାଇଁ, ଭୋଟର ଲିଷ୍ଟ ପ୍ରସ୍ତୁତିରୁ ଆରମ୍ଭ କରି ଭୋଟ ଗଣତି ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ ଅଡିଟ୍ କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଥିଲା । ନିର୍ବାଚନ ପ୍ରକ୍ରିୟାର ଏପରି ଅଡିଟ୍ ବ୍ୟବସ୍ଥା ସମସ୍ତ ବିକଶିତ ରାଷ୍ଟ୍ର ମାନଙ୍କରେ ରହିଛି । ସେହିପରି ଭିଭିପ୍ୟାଡ଼ ବ୍ୟବସ୍ଥାରେ, କେବଳ ୫%ରେ ସୀମିତ ନରଖି, ସମସ୍ତ ଭୋଟ ପାଇଁ ଲାଗୁ କରାଯାଉ ବୋଲି ଅନୁରୋଧ କରାଯାଇଥିଲା । ନିୟମ ଅନୁଯାୟୀ ନିର୍ବାଚନ ପରେ, ଫର୍ମ ୧୭ ସି ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରଦାନ କରାଯିବା କଥା, କିନ୍ତୁ, ନିର୍ବାଚନ କମିସନ ତାହା ଦେଉନାହାନ୍ତି । ନିର୍ବାଚନ କମିସନ ଆମର ବିଭିନ୍ନ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି । ଭୋଟ ତାରତମ୍ୟ ସମ୍ପର୍କରେ ନିର୍ବାଚନ କମିସନଙ୍କ ତରଫରୁ କୁହାଯାଇଥିଲା, ଯେଉଁ ଇଭିଏମରେ ତ୍ରୁଟି ଥିଲା ସେହି ବାକ୍ସକୁ ଗଣତି ପାଇଁ ବିଚାର କରାଯାଇ ନଥିଲା । କିଛି ଇଭିଏମ୍ରେ ମକ୍ ପୋଲ ସମୟରେ ପଡ଼ିଥିବା ଭୋଟ ଗୁଡିକୁ ବାଦ୍ ଦିଆଯାଇ ନଥିବା କାରଣରୁ ଭୋଟ ଅଧିକ ହୋଇଥିଲା । କିନ୍ତୁ, ଏହାକୁ ବାଦ୍ ନଦେଇ ଭୋଟ ସଂଗ୍ରହ କରିବା ଏକ ଅପରାଧ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଯେହେତୁ, କିଛି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଫଳାଫଳକୁ ନେଇ ଉଚ୍ଚନ୍ୟାୟାଳୟରେ କେସ୍ ଦାଖଲ ହୋଇଛି, ସେଥିପାଇଁ ଫର୍ମ ୧୭ ସି ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ନିର୍ବାଚନ କମିସନଙ୍କ ଉତ୍ତର ସନ୍ତୋଷଜନକ ନୁହେଁ । କାରଣ, ଓଡିଶାରେ ମାତ୍ର ୨୮ଟି ନିର୍ବାଚନ ମଣ୍ଡଳୀରେ କେସ୍ ହୋଇଛି । ଏହାକୁ ଛାଡି ଅନ୍ୟ ନିର୍ବାଚନ ମଣ୍ଡଳୀ ଗୁଡିକର ଫର୍ମ ୧୭ ସି ପ୍ରଦାନ କରିବା କଥା, କିନ୍ତୁ ନିର୍ବାଚନ କମିସନ ସେଗୁଡିକ ମଧ୍ୟ ପ୍ରଦାନ କରୁନାହାନ୍ତି ।
ଶ୍ରୀ ପଟ୍ଟନାୟକ କହିଥିଲେ, ନିକଟରେ ରାହୁଲ ଗାନ୍ଧୀ ନିର୍ବାଚନରେ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇବା ପରେ ରାଜ୍ୟରେ କଂଗ୍ରେସ ମଧ୍ୟ ପ୍ରଶ୍ନ କରିଛି । କିନ୍ତୁ, ଏହାର ବହୁ ପୂର୍ବରୁ ବିଜୁ ଜନତା ଦଳ ଏହି ପ୍ରସଙ୍ଗ ଉଠାଇଥିଲା । ବିଜେଡି ଦ୍ୱାରା ପୂର୍ବରୁ ଦାବି କରାଯାଇଥିବା ଅଡିଟ୍ ବ୍ୟବସ୍ଥାକୁ ମଧ୍ୟ ରାହୁଲ ଗାନ୍ଧୀ ଦୋହରେଇଛନ୍ତି । ନିର୍ବାଚନ ଫଳାଫଳକୁ ନେଇ ରାଜ୍ୟବାସୀଙ୍କ ମନରେ ନିର୍ବାଚନର ସ୍ୱଚ୍ଛତାକୁ ସୃଷ୍ଟି ହୋଇଥିବା ସନେ୍ଦହକୁ ଦୂର କରିବାରେ ନିର୍ବାଚନ କମିସନ ସକ୍ଷମ ହୋଇପାରି ନାହାନ୍ତି, ଯେଉଁଥିପାଇଁ ବିଜୁ ଜନତା ଦଳ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ଯାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।
ଶ୍ରୀମତୀ ଶର୍ମିଷ୍ଠା ସେଠି କହିଥିଲେ, ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ପରଦିନ ମୁଁ ନିର୍ବାଚନ କମିସନଙ୍କୁ ଯାଜପୁର ସଂସଦ କ୍ଷେତ୍ରର ଫର୍ମ ୧୭ ସି ପାଇଁ ଆବେଦନ କରିଥିଲି । ଏହା ମୋତେ ପ୍ରଦାନ କରା ନ ଯିବାରୁ, ମୁଁ ଭାରତର ନିର୍ବାଚନ କମିସନଙ୍କୁ ଚିଠି ଲେଖିଥିଲି, କିନ୍ତୁ, ମୋତେ ସନ୍ତୋଷଜନକ ଉତ୍ତର ମିଳି ନଥିଲା । ଯାହା ଫଳରେ, ମୁଁ ବାଧ୍ୟହୋଇ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲି । ଏବେ ତାହା ବିଚାରାଧୀନ ରହିଛି ।

ଅନଲାଇନରେ ବିକ୍ରି ହେବ ନାହିଁ ମହାପ୍ରସାଦ : ଆଇନ ମନ୍ତ୍ରୀ

ଅନଲାଇନରେ ବିକ୍ରି ହେବ ନାହିଁ ମହାପ୍ରସାଦ । ବିଭିନ୍ନ ସଂସ୍ଥା ଦେଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାର । ଭାରତର ଅନ୍ୟ ମନ୍ଦିର ତୁଳନାରେ ମହାପ୍ରଭୁଙ୍କ ମହାପ୍ରସାଦର ପବିତ୍ରତା ଓ ମାନ୍ୟତା ସଂପୂର୍ଣ୍ଣ ଅଲଗା । କିଛି ଦିନ ତଳେ କିଛି ସଂସ୍ଥା ମହାପ୍ରଭୁଙ୍କ ଶୁଖିଲା ଭୋଗ ଏବଂ ମହାପ୍ରସାଦ ଅନଲାଇନରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମନ୍ଦିର ପ୍ରଶାସନକୁ ଅନୁରୋଧ କରିଥିଲେ । ଯଦିଓ ମହାପ୍ରସାଦ ଦେଶ ବିଦେଶରେ ଭକ୍ତଙ୍କ ପାଖରେ ପହଞ୍ଚିବା ସୁବିଧା ହେବ । କିନ୍ତୁ ମହାପ୍ରସାଦର ପବିତ୍ରତା ଦୃଷ୍ଟି କୋଣରୁ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ରାଜ୍ୟ ସରକାର ଏ ପ୍ରସ୍ତାବରେ ରାଜି ହୋଇନାହାନ୍ତି । କାରଣ ଅନଲାଇନରେ ମହାପ୍ରସାଦ ନିଆଗଲେ, ତାର ପବିତ୍ରତା ଅକ୍ଷୁର୍ଣ୍ଣ ରଖି ପାରିବେ ନାହିଁ ବୋଲି ସନ୍ଦେହ ରହିଛି । ତେଣୁ ମନ୍ଦିର ପ୍ରଶାସନ ଏବଂ ସରକାର ଅନଲାଇନ ମହାପ୍ରସାଦ ବିକ୍ରିକୁ ନେଇ ସହମତ ନାହାନ୍ତି । ସମସ୍ତ ଭକ୍ତଙ୍କୁ ଅନୁରୋଧ, ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇବାର ସୌଭାଗ୍ୟ ପାଆନ୍ତୁ । ମହାପ୍ରସାଦ ଅନଲାଇନ ବିତରଣ ହେଉନାହିଁ । ଯେଉଁ ଉଦ୍ୟମ ଆରମ୍ଭ ହୋଇଥିଲା, ସେଥିରେ ସରକାର ରାଜି ନାହାନ୍ତି । ଏହା ଅନ୍ୟ ମନ୍ଦିର ପ୍ରଶାସନକୁ ଅନୁରୋଧ ଯେ, ମନ୍ଦିର ପ୍ରସାଦକୁ ଅନଲାଇନରେ ହୋଟେଲ ଖାଦ୍ୟ ଭଳି ବିତରଣ କରନ୍ତୁ ନାହିଁ । ମନ୍ଦିର ଆସି ପ୍ରସାଦ ପାଇବା ହିନ୍ଦୁ ମନ୍ଦିରର ରୀତିନୀତି ।*ଅନ୍ୟପଟେ ଖୁବଶୀଘ୍ର ଅଭଡ଼ା ଦର ରେଟ ଚାର୍ଟ ଲାଗୁ କରାଯିବ । ଏ ବାବଦରେ ବୈଠକ ସରିଛି  ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ସମ ହସ୍ପିଟାଲ-୨ରେ ବିରଳ, ଗୁରୁତ୍ୱପୂର୍ଣ୍ଣ ଶ୍ୱାସନଳୀ ଅସ୍ତ୍ରୋପଚାର: ବଂଚିଲା କର୍କଟ ରୋଗୀଙ୍କ ଜୀବନ

ଆଧୁନିକ  ଚିକିତ୍ସା ଏବଂ ଦଳଗତ କାର୍ଯ୍ୟର ଏକ ଉଲ୍ଲେଖନୀୟ ପ୍ରଦର୍ଶନରେ ଫୁଲନଖରା ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌, କ୍ୟାମ୍ପସ-୨ର ଡାକ୍ତରମାନେ ଜଣେ ୪୦ ବର୍ଷୀୟ କର୍କଟ ରୋଗୀଙ୍କ ରୁଦ୍ଧ ଶ୍ୱାସନଳୀକୁ ସଫଳତାର ସହ ଉନ୍ମୁକ୍ତ କରି ଉଦାହରଣ ସୃଷ୍ଟି କରିଛନ୍ତି ।
ରୋଗୀଙ୍କ ଡାହାଣ ପାଶ୍ୱର୍ ମୁଖ୍ୟ ବ୍ରୋଙ୍କସ ସମ୍ପୂର୍ଣ୍ଣ ଅବରୋଧ ହେତୁ ନିଃଶ୍ୱାସ ନେବାରେ କଷ୍ଟ ହେଉଥିଲା ।
କଟକ ଜିଲ୍ଲା ନିଆଳୀର ବାସିନ୍ଦା ଏହି ରୋଗୀ ୨୦୨୪ ମସିହାରେ ଜିଭ କର୍କଟ ରୋଗ ନିମନ୍ତେ ଅସ୍ତ୍ରୋପଚାର, କେମୋଥେରାପି ଏବଂ ରେଡିଏସନ ୍‌ଥେରାପି ମଧ୍ୟ ଦିଆ ଯାଇଥିଲା । ତେବେ ଗତ ଦୁଇ ମାସ ମଧ୍ୟରେ ତାଙ୍କର ଶ୍ୱାସକ୍ରିୟାରେ କ୍ରମଶଃ ଅସୁବିଧା ଉପୁଜିବା ସହ ଅଧିକ ମାତ୍ରାରେ କାଶ ହେବା ଆରମ୍ଭ ହୋଇଥିଲା । ଅଗଷ୍ଟ ୧ ତାରିଖରେ ତାଙ୍କୁ ହସ୍ପିଟାଲର ପଲମୋନାରୀ ମେଡିସିନ ବିଭାଗରେ ଭର୍ତି କରାଯିବା ସମୟରେ ତାଙ୍କ ଶରୀରରେ ଅମ୍ଳଜାନର ମାତ୍ରା ବିପଦ୍‌ଜନକ ଭାବରେ କମି ଯାଇ ୮୪ ପ୍ରତିଶତକୁ ଖସି ଆସିଥିଲା ।
ଛାତିର ଏକ ସିଟି ସ୍କାନ୍ ଦ୍ୱାରା ବାଇଲେଟରାଲ ହିଲାର୍ ଲଙ୍ଗ ମାସେସ୍ ଥିବା ଜଣାପଡ଼ିଥିଲା । ସେହିପି ଭିଡିଓ ବ୍ରୋଙ୍କୋସ୍କୋପି ରିପୋର୍ଟରେ ଟ୍ୟୁମର ବୃଦ୍ଧି ଦ୍ୱାରା ଡାହାଣ ମୁଖ୍ୟ ବ୍ରୋଙ୍କସ୍ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା ଯାହା ଡାହାଣ ଫୁସ୍‌ଫୁସ୍ ନିମନ୍ତେ ବାୟୁ ପ୍ରବାହକୁ ବନ୍ଦ କରିଦେଇଥିବା ଜଣାପଡ଼ିଥିଲା । ରୋଗୀଙ୍କ ପରିସ୍ଥିତି ଜଟିଳ ହେବାରୁ ଡାକ୍ତରୀ ଦଳ ସେଂଟ୍ରାଲ୍ ଏୟାରୱେ ଟ୍ୟୁମର ଡିବଲକିଂ- ଯାହାକି ଏକ ଅତ୍ୟନ୍ତ ଜଟିଳ ପ୍ରକିୟା କରିବାକୁ ନିଷ୍ପତି ନେଇଥିଲେ ।
ଅସ୍ତ୍ରୋପଚାରର ଦୁଇଟି ପର୍ଯ୍ୟାୟରେ ପ୍ରଥମେ ଅଗଷ୍ଟ ୨ ଏବଂ ଦ୍ୱିତୀୟ ଥର ପାଇଁ ଅଗଷ୍ଟ ୭ ରେ କରାଯାଇଥିଲା । ସାଧାରଣ ଆନେସ୍‌ଥେସିଆ ପ୍ରୟୋଗ ତଥା ଅତ୍ୟାଧୁନିକ କ୍ର୍ରାୟୋ ପ୍ରୋବ୍ ଏବଂ ଇଲେକ୍ଟ୍ରୋସ୍ନେର ଟେକ୍ନୋଲୋଜି ବ୍ୟବହାର କରି ଅତି ସାବଧାନତାର ସହିତ ଏହି ଉପଚାର କରାଯାଇ ଟ୍ୟୁମରକୁ ବାହାର କରାଯିବା ସହ ଶ୍ୱାସନଳୀକୁ ପୁନଃ ଉନ୍ମୁକ୍ତ କରାଯାଇଥିଲା ।
ଅସ୍ତ୍ରୋପଚାର ପରେ ରୋଗୀଙ୍କ ଶରୀରରେ ଅମ୍ଳଜାନର ମାତ୍ର ୯୮ ପ୍ରତିଶତକୁ ବୃଦ୍ଧି ପାଇଥିଲା । ‘ଯେତେବେଳେ ଶ୍ୱାସନଳୀ ସମ୍ପୂର୍ଣ୍ଣ ଭାବରେ ଅବରୋଧିତ ହୋଇଯାଏ, ପ୍ରତ୍ୟେକ ମୁହୂତ୍ୱର୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଅତ୍ୟାଧୁନିକ ଉପକରଣ ବ୍ୟବହାର କରି ଏହିପରି ପାର୍ଥକ୍ୟ ସୃଷ୍ଟିକାରୀ ସଫଳ ଚିକିତ୍ସା କରିବା ସମ୍ଭବପର ଅଟେ’, ବୋଲି ପଲ୍‌ମୋନାରୀ ମେଡିସିନ୍ ବିଭାଗର ସହଯୋଗୀ ପ୍ରଫେସର ଏବଂ ଏହି କ୍ଷେତ୍ରରେ ମୁଖ୍ୟ ସର୍ଜନ ଡାକ୍ତର ସ୍ୱଦେଶ କୁମାର ମହାନ୍ତି କହିଥିଲେ ।
ଡାକ୍ତର ମହାନ୍ତି, ଡାକ୍ତର ରଚିତା ମହାନ୍ତି, ଡାକ୍ତର ସୂର୍ଯ୍ୟ ଶଙ୍କର ମେହେର ଏବଂ ଡାକ୍ତର ରାଜକୃଷ୍ଣ ବେହେରାଙ୍କୁ ନେଇ ଗଠିତ ପଲ୍‌ମୋନାରୀ ମେଡିସିନ୍ ଅସ୍ତ୍ରୋପଚାର ଦଳ ଏବଂ ବିଭାଗୀୟ ମୁଖ୍ୟ ଡାକ୍ତର ସୁଦୀପ ମହାପାତ୍ରଙ୍କ ନେତୃତ୍ୱରେ ପରିଚାଳିତ ଆନେସ୍‌ଥେସିଆ ଦଳ ମଧ୍ୟରେ ଘନିଷ୍ଠ ସହଯୋଗ ଯୋଗୁଁ ଏହି ଅସ୍ତ୍ରୋପଚାର ସଫଳ ଭାବେ ସମ୍ଭବ ହୋଇପାରିଥିଲା । ଦଳର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଡାକ୍ତର ଜଗଦୀଶ ଜେନା, ଡାକ୍ତର ରଞ୍ଜିତା ବକ୍ସି, ଡାକ୍ତର ପ୍ରଜ୍ଞା ନନ୍ଦ, ଡାକ୍ତର ରୋହନ ରୋଶନ ନାୟକ ଏବଂ ଡାକ୍ତର ପ୍ରତ୍ୟାଶା ନାୟକ ରହିଥିଲେ ।
ଏହି ଗୁରୁତ୍ୱପୂର୍ଣ୍ଣ ଏୟାରୱେ ପ୍ରକ୍ରିୟା ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ବିଶେଷଜ୍ଞ ଦଳ ଦ୍ୱାରା ସମ୍ପାଦିତ ହୋଇଥିଲେ ମଧ୍ୟ ଏହା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିଭର୍ସିଟିର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱକୁ ପ୍ରତିଫଳିତ କରିଛି । ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ଭିତିଭୂମି ଏବଂ ପ୍ରଯୁକ୍ତିବିଦ୍ୟାକୁ ଆଗକୁ ବଢ଼ାଇବା ପ୍ରତି ପ୍ରଫେସର ନାୟକଙ୍କ ପ୍ରତିବଦ୍ଧତା ରାଜ୍ୟ ମଧ୍ୟରେ ଏପରି ଜଟିଳ ଏବଂ ଜୀବନ ରକ୍ଷାକାରୀ ହସ୍ତକ୍ଷେପ ଉପଲବ୍ଧ କରିପାରିଛି ।
କାୟୋ ଏବଂ ଇଲେକ୍ଟ୍ରୋସ୍ନେର ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ସେଂଟ୍ରାଲ୍ ଏୟାରୱେ ଟ୍ୟୁମର ଡିବଲକିଂ ଚିକିତ୍ସା ଓଡ଼ିଶାର କେବଳ କିଛି ହାତଗଣିତ କେନ୍ଦ୍ରରେ ଉପଲବ୍ଧ । ଏହି ଚିକିତ୍ସା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ନିମନ୍ତେ ଅତ୍ୟାଧୁନିକ ହସ୍ପକ୍ଷେପକାରୀ ପଲମୋନୋଲଜି ପ୍ରକ୍ରିୟା ବ୍ୟବହାର କରିବା କ୍ଷେତ୍ରରେ ଆଉ ଏକ ମାଇଲଖୁଂଟ ପାଲଟିଛି ।

ସମ୍ମମ୍‌ ପକ୍ଷରୁ ପୁରୁଷ ଯୌନ ଅକ୍ଷମତା ଏବଂ ବନ୍ଧ୍ୟାତ୍ୱ ସମ୍ପର୍କିିତ ସିଏମ୍‌ଇ ଆଣ୍ଡ୍ରୋଏକ୍ସଏଲ୍ ୨୦୨୫ ଆୟୋଜିତ

ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ପୁରୁଷ ଯୌନ ଅକ୍ଷମତା ଏବଂ ବନ୍ଧ୍ୟାତ୍ୱ ସମ୍ପର୍କିତ କର୍ମଶାଳା ଏବଂ ସିଏମ୍‌ଇ ଆଣ୍ଡ୍ରୋଏକ୍ସଏଲ୍ ୨୦୨୫ ସଫଳତାର ସହିତ ଆୟୋଜିତ ହୋଇଯାଇଛି ।ଆୟୋଜିତ ଏହି ଦିନିକିଆ କର୍ମଶାଳାରେ ଓଡିଶାର ବିଭିନ୍ନ ସ୍ଥାନରୁ ପୁରୁଷ ଚିକିତ୍ସାବିଜ୍ଞାନୀ ଉପସ୍ଥିତି ରହିଥିଲେ ।ଏହି କାର୍ଯ୍ୟକ୍ରମରେ ନ୍ୟାସ୍‌ନାଲ୍ ମେଡିକାଲ୍ କମିଶନ (ଏନ୍‌ଏମ୍‌ସି)ର ଅଧ୍ୟକ୍ଷ ଡକ୍ଟର ବିଜୟ ଓଜା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।

ବିଶିଷ୍ଟ ବିଶେଷଜ୍ଞମାନଙ୍କ ମଧ୍ୟରେ ବରିଷ୍ଠ ୟୁରୋଲୋଜିଷ୍ଟ, ଆଣ୍ଡ୍ରୋଲୋଜିଷ୍ଟ ଏବଂ ଟ୍ରାନ୍ସପ୍ଲାଂଟ ସର୍ଜନ, ପ୍ରଫେସର (ଡାକ୍ତର) ଦତେଶ୍ୱର ହୋତା, ସମ୍ ଅଲ୍ଟିମେଟର ମେଡିକେୟାର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର, ସମ୍ ହସ୍ପିଟାଲର ୟୁରୋଲୋଜି ବିଭାଗର ପ୍ରଫେସର (ଡାକ୍ତର) ଦେବବ୍ରତ ସାବତ ଏବଂ ସମ୍ମମ୍‌ର ୟୁରୋଲୋଜି ବିଭାଗର ସିନିୟର୍ କନ୍‌ସଲଟାଂଟ ଡାକ୍ତର ପ୍ରଣବ ପଟ୍ଟନାୟକ ଉପସ୍ଥିତ ଥିଲେ ।

ଭାରତର ବିଭିନ୍ନ ପ୍ରାନ୍ତରୁ ପ୍ରତିଷ୍ଠିିତ ଚିକିତ୍ସା ବିଜ୍ଞାନୀଙ୍କ ଉପସ୍ଥିତି କାର୍ଯ୍ୟକ୍ରମର ଶୋଭା ବୃଦ୍ଧି କରିଥିଲା । ସେମାନଙ୍କ ମଧ୍ୟରେ ଡାକ୍ତର ଦୀପକ ଗୁପ୍ତେ, ଡାକ୍ତର ପ୍ରଶାନ୍ତ ପଟ୍ଟନାୟକ, ଡାକ୍ତର ପ୍ରିୟଙ୍କା କୋଠାରି (ମୁମ୍ବାଇ), ଡାକ୍ତର ପ୍ରିୟରଂଜନ ନନ୍ଦୀ, ଡାକ୍ତର ନିଳାଞ୍ଜନ ମିତ୍ର (କୋଲକାତା), ଡାକ୍ତର ବିନୀତ ମାଲହୋତ୍ରା (ଦିଲ୍ଲୀ), ଡାକ୍ତର କାର୍ତିକେୟାନ୍ ଭି.ଏସ୍ (ଚେନ୍ନାଇ), ଡାକ୍ତର ପୁଭାଇ ମୁରୁଗାନ୍ (କୋଏମ୍ବାଟୁର), ଡାକ୍ତର ହରପ୍ରୀତ ସିଂ (ଜାମସେଦପୁର) ଏବଂ ଡାକ୍ତର ପ୍ୟାରିଲାଲ୍ ତ୍ରିପାଠୀ (ବରଗଡ) ପ୍ରମୁଖ ଉପସ୍ଥିତ ଥିଲେ ।

ଡାକ୍ତର ଓଜା କହିଥିଲେ ଯେ “ ଆଣ୍ଡ୍ରୋଲୋଜି ଆମର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଆମର ଡାକ୍ତରୀ ଶିକ୍ଷା ବ୍ୟବସ୍ଥାରେ ଏହାର ସୀମିତ ଉପସ୍ଥିତି ରହିଛି । ବର୍ଦ୍ଧିତ ପରିସର, ବିଶେଷଜ୍ଞଙ୍କ ଯୋଗ୍ୟତା ଏବଂ କେନ୍ଦ୍ରିତ ତାଲିମ ସହିତ ଏହାକୁ ଅଧିକ ଗୁରୁତ୍ୱ ଦେବା ପାଇଁ ସଂସ୍କାର ଅଣାଯାଉଛି ବୋଲି ଡାକ୍ତର ଓଜା କହିଥିଲେ ।

ପ୍ରଫେସର(ଡାକ୍ତର) ହୋତା ପୁରୁଷ ଯୌନ ସ୍ୱାସ୍ଥ୍ୟ ସମ୍ପର୍କିତ ବିଷୟକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉ ନ ଥିବାରୁ ଏହି ପ୍ରସଙ୍ଗକୁ ସମ୍ମୁଖକୁ ଆଣିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି କହିଥିଲେ । “ଏହା ସ୍ୱାସ୍ଥ୍ୟ ଶିକ୍ଷାରେ ଏକ ଅବହେଳିତ ବିଷୟ ହୋଇ ରହିଛି । ଯେଉଁ କାରଣରୁ ଅନେକଙ୍କୁ ନୀରବରେ କଷ୍ଟ ଭୋଗିବାକୁ ବାଧ୍ୟ କରୁଛି । ଏହି କାର୍ଯ୍ୟକ୍ରମରେ ଡାକ୍ତରମାନଙ୍କୁ ଏପରି ଚିନ୍ତାଧାରାକୁ ପ୍ରଭାବଶାଳୀ ଭାବରେ ଚିହ୍ନଟ କରିବା, ସମାଧାନ କରିବା ଏବଂ ଚିକିତ୍ସା କରିବା ପାଇଁ ଉତ୍ସାହିତ କରିବ । ଏହି କ୍ଷେତ୍ରରେ ଏହା ଏକ ପରିବର୍ତନର ଆରମ୍ଭ ବୋଲି ସେ କହିଥିଲେ ।”

ବ୍ରିଗେଡିୟର (ଡାକ୍ତର) ମିଶ୍ର ଏହି ବିଷୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ “ପୂର୍ବ ଭାରତରେ ପ୍ରଥମ ଥର ପାଇଁ ସମ୍ ଅଲ୍ଟିମେଟ୍ ମେଡିକେୟାର ପୁରୁଷ ଯୌନ ସ୍ୱାସ୍ଥ୍ୟ ପାଇଁ ଉତ୍ସର୍ଗୀକୃତ ଏକ କାର୍ଯ୍ୟକ୍ରମ ଆୟୋଜନ କରିଛି । ଯାହା ପ୍ରମୁଖ ବିଶେଷଜ୍ଞ ଏବଂ ସରକାରୀ ପ୍ରତିନିଧିମାନଙ୍କୁ ଏକତ୍ରିତ କରିଛି । ଆଣ୍ଡ୍ରୋଲୋଜିକୁ ମୁଖ୍ୟଧାରାରେ ସାମିଲ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆମର ପ୍ରତିବଦ୍ଧତାକୁ ସୁଦୃଢ କରିପାରିଛି ବୋଲି ସେ କହିଥିଲେ ।”

ସମ୍ ଅଲ୍ଟିମେଟ ମେଡିକେୟାର ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ, ପ୍ରକୃତ ସ୍ୱାସ୍ଥ୍ୟସେବା ମାନବ କଲ୍ୟାଣର ପ୍ରତ୍ୟେକ ଦିଗକୁ ସମ୍ବୋଧିତ କରେ । ଏପରିକି ଅକଥିତ ବିଷୟଗୁଡିକୁ ମଧ୍ୟ ପୁରୁଷ ଯୌନସ୍ୱାସ୍ଥ୍ୟ ଜୀବନର ଗୁଣବତା ଉପରେ ଗଭୀର ପ୍ରଭାବ ପକାଇଥାଏ ବୋଲି ସେ କହିଛନ୍ତି ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ ସୋଆ ସର୍ବଦା ଚିକିତ୍ସା ଜ୍ଞାନ ଏବଂ ନବସୃଜନକୁ ଆଗକୁ ବଢାଇବାରେ ସହାୟକ ହୋଇଛି । ଆଣ୍ଡ୍ରୋଏକ୍ସେଲ୍ ପୁରୁଷ ଯୌନ ସ୍ୱାସ୍ଥ୍ୟ ଏବଂ ବନ୍ଧ୍ୟାତ୍ୱ ଭଳି ଅଣଦେଖା କ୍ଷେତ୍ରଗୁଡିକୁ ସମାଧାନ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ଏହା ରୋଗୀଙ୍କ ପାଇଁ ଲାଭଦାୟକ ପରିବର୍ତନ ଆଣିଥାଏ । ଡାକ୍ତରମାନଙ୍କୁ ସଶକ୍ତ କରିଥାଏ ଏବଂ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମ୍‌କୁ ସୁଦୃଢ କରିଥାଏ ବୋଲି ପ୍ରଫେସର ନାୟକ କହିଛନ୍ତି ।

କୋରାପୁଟରେ ମୁଖ୍ୟମନ୍ତ୍ରୀ ଦେଲେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି

“ସୁଭଦ୍ରା ଯୋଜନା” ଅନେକ ମହିଳାଙ୍କ ଜୀବନରେ ପ୍ରଗତି ଓ ପରିବର୍ତ୍ତନର ନୂଆ ଅଧ୍ୟାୟ ସୃଷ୍ଟି କରିବାରେ ସଫଳ ହୋଇଛି। ଏହା ସେମାନଙ୍କର ପରିବାରକୁ ଆର୍ଥିକ ଶକ୍ତି ଦେବା ସହିତ ସେମାନଙ୍କୁ  ଉଦ୍ୟମୀ ମହିଳା ଭାବେ ଗଢି ତୋଳିବାରେ ବଳ ଯୋଗାଇଛି ବୋଲି ଆଜି କୋରାପୁଟ ଜିଲ୍ଲାର  ଜୟପୁର ଠାରେ ଓଡ଼ିଶାର ସର୍ବବୃହତ ମହିଳା ସଶକ୍ତିକରଣ ଯୋଜନା “ସୁଭଦ୍ରା”ର ତୃତୀୟ କିସ୍ତି ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ, କୋରାପୁଟ ଜିଲ୍ଲାରେ, ୪୫୨ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ୪୩୬ ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହିତ ୩୦୯.୪୨ କୋଟି ଟଙ୍କା ମୂଲ୍ୟର ୧୨୬ ଟି ନୂତନ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ।

ସୂଚନା ଯୋଗ୍ୟ, ଆଜି ମୁଖ୍ୟମନ୍ତ୍ରୀଙ୍କ କରକମଳରେ କୋରାପୁଟ ଜିଲ୍ଲାରେ ୭୬୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ସେତୁ, ସଡକ, ପର୍ଯ୍ୟଟନ ଭଳି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉନ୍ନୟନମୂଳକ ପ୍ରକଳ୍ପ ରହିଛି । ଏହି ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ ହେଲେ ଜିଲ୍ଲାର ବିକାଶ ଆହୁରି ତ୍ୱରାନ୍ୱିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏଥିସହିତ ଖୁବ ଶୀଘ୍ର ଜୟପୁର ରୁ ଭୁବନେଶ୍ୱର, ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହା ମଧ୍ଯ ଘୋଷଣା କରିଛନ୍ତି ଯେ, ଜୟପୁର ସ୍ଥିତ ପେପର ମିଲ ପୁନର୍ବାର ଚାଲୁ ହେବ ଓ ଜୟପୁର ଠାରେ ଏକ ନୂତନ କଲେଜ ସ୍ଥାପନ ହେବ।

ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ ଯେ, ଆର୍ଥିକ ଅଭାବରୁ ଯେଉଁ ମା’ ମାନେ ନିଜ ସ୍ୱପ୍ନକୁ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି, ସେମାନଙ୍କ ପାଇଁ ଆଶାର କିରଣ ସାଜିଛି ‘ସୁଭଦ୍ରା’। ସରକାରଙ୍କ ଲକ୍ଷ୍ୟ ସେହି ସମସ୍ତ ମହିଳାଙ୍କୁ ସଶକ୍ତ କରି ଆତ୍ମନିର୍ଭର କରିବା ଓ ଆତ୍ମନିର୍ଭର ଭାରତ ଗଢିବାରେ ସାମିଲ ହେବା। ଏହି ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ମା’ ମାନେ ନିଜ ନିଜ ଛୋଟ ବଡ ବ୍ୟବସାୟ ଆରମ୍ଭ କରିପାରିଛନ୍ତି, ଆଉ କିଛି ଅଧିକ ପୁଞ୍ଜି ବିନିଯୋଗ କରି ନିଜ ନିଜର କ୍ଷୁଦ୍ର ବ୍ୟବସାୟକୁ ବୃଦ୍ଧି କରିଛନ୍ତି।

ଆମ ସରକାର ନିଜର ଆନ୍ତରିକ ପ୍ରଚେଷ୍ଟାରେ କୋଟିଆ ଗ୍ରାମ ପଞ୍ଚାୟତ ରେ ବସବାସ କରୁଥିବା ମହିଳା ମାନଙ୍କୁ ସଫଳ ଭାବେ ‘ସୁଭଦ୍ରା’ ଯୋଜନା ସହ ଯୋଡି ପାରିଛନ୍ତି ।
କୋଟିଆ ଗ୍ରାମ ପଞ୍ଚାୟତରେ ମୋଟ ୨୦୭୮ଟି ଆବେଦନ ମଧ୍ୟରୁ ୧୭୯୭ ଜଣ ପ୍ରଥମ କିସ୍ତି ଓ ୧୭୯୫ ଜଣ ଦ୍ୱିତୀୟ କିସ୍ତି ଅର୍ଥ ରାଶି ପାଇଛନ୍ତି । ଆଜି ତୃତୀୟ କିସ୍ତି ବାବଦରେ କୋଟିଆର ୧୭୮୩ ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଏହି ସହାୟତା ରାଶି ସିଧାସଳଖ ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ ପୁଣି କହିଥିଲେ, ଆମ ସରକାରଙ୍କ ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ନୁହେଁ, ସେମାନେ କେବଳ ଏକ ଭୋଟ ବ୍ଯାଙ୍କ ନୁହନ୍ତି। ପ୍ରାୟ ଦୁଇ ଦଶନ୍ଧି ଧରି ମହିଳା ସଶକ୍ତିକରଣ ନାଁ ରେ ରାଜ୍ୟର କୋଟି କୋଟି ମହିଳାଙ୍କୁ କେବଳ ରାଜନୈତିକ ପଶାପାଲିରେ ଗୋଟିଭାବେ ବ୍ୟବହାର କରାଯାଉଥିଲା। ଏହା ସମଗ୍ର ନାରୀ ସମାଜ ପାଇଁ ଅପମାନ। ଆମ ସରକାର ଆସିବାର ପ୍ରାୟ ଏକ ବର୍ଷ ମଧ୍ୟରେ ମହିଳା ସଶକ୍ତିକରଣକୁ ଏକ ନୂତନ ଦିଗନ୍ତ ଦେବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏହାର ଉଦାହରଣ ହେଉଛି, ‘ଲକ୍ଷପତି ଦିଦି’। ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ପରିକଳ୍ପିତ ଏହି ସଶକ୍ତିକରଣ କାର୍ଯ୍ୟକ୍ରମରେ ଆଜି ପର୍ଯ୍ୟନ୍ତ ଆମ ଓଡ଼ିଶାରେ ପ୍ରାୟ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି। ସୁଭଦ୍ରା ଯୋଜନା ଅଧିନରେ ଆମର ମା’ମାନଙ୍କୁ ସଶକ୍ତ କରିବା ପାଇଁ ସୁଭଦ୍ରା ପ୍ଲସ, ଉଦ୍ୟୋଗୀ କରିବା ପାଇଁ ସୁଭଦ୍ରା ଶକ୍ତି ମେଳା କାର୍ଯ୍ୟକାରୀ କରାଯାଇଥିବା ବେଳେ କିଶୋରୀମାନଙ୍କ ପାଇଁ ସୁଭଦ୍ରା କିଶୋରୀ, ସଞ୍ଚୟ ପାଇଁ ସୁଭଦ୍ରା ସଞ୍ଚୟ, ସୁରକ୍ଷା ପାଇଁ ସୁଭଦ୍ରା ସୁରକ୍ଷା ଏବଂ ସାମୁହିକ ନେତୃତ୍ୱର ବିକାଶ ପାଇଁ ସୁଭଦ୍ରା ସଖୀ ଯୋଜନା କାର୍ଯ୍ୟକାରୀ କରାଯାଇଛି।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେଯେ କୋରାପୁଟର କୋଟିଆ ଗ୍ରାମ ପଞ୍ଚାୟତରେ ମୋଟ ୨୦୭୮ଟି ଆବେଦନ ମଧ୍ୟରୁ ୧୭୯୭ ଜଣ ପ୍ରଥମ କିସ୍ତି ଓ ୧୭୯୫ ଜଣ ଦ୍ୱିତୀୟ କିସ୍ତି ଅର୍ଥ ରାଶି ପାଇଛନ୍ତି । ଆଜି ତୃତୀୟ କିସ୍ତି ବାବଦରେ କୋଟିଆର ୧୭୮୩ ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଏହି ସହାୟତା ରାଶି ସିଧାସଳଖ ପ୍ରଦାନ କରାଯାଇଛି। ଖୁସିର କଥା ଆମ ସରକାରଙ୍କ ଆନ୍ତରିକ ପ୍ରଚେଷ୍ଟାରେ କୋଟିଆ ଗ୍ରାମ ପଞ୍ଚାୟତର ମହିଳାମାନେ ମଧ୍ୟ ଆମ ସୁଭଦ୍ରା ଯୋଜନା ସହିତ ଯୋଡି ହୋଇଛନ୍ତି ।

ସୁଭଦ୍ରା ମାଧ୍ୟମରେ ଆମେ କେବଳ ଆର୍ଥିକ ସ୍ୱାଧୀନତା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରୁନାହୁଁ ବରଂ ଶିକ୍ଷା, ଦକ୍ଷତା, ଏବଂ ରୋଜଗାରର ସୁଯୋଗ ମଧ୍ୟରେ ଥିବା ବ୍ୟବଧାନକୁ ମଧ୍ୟ ଦୂର କରୁଛୁ । ସୁଭଦ୍ରା ଯୋଜନାରେ ପ୍ରଦାନ କରାଯାଉଥିବା ସହାୟତାକୁ ପୁଞ୍ଜି ଭାବେ ବ୍ୟବହାର କରି ଆଜି ରାଜ୍ୟର ଲକ୍ଷ ଲକ୍ଷ ମା’ ଓ ଭଉଣୀମାନେ ଛୋଟ ବଡ ବ୍ୟବସାୟ ଆରମ୍ଭ କରି ନିଜ ପରିବାରର ଆର୍ଥିକ ସ୍ଥିତିକୁ ବଦଳାଇ ପାରିଛନ୍ତି ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ନିଜ ଅଭିଭାଷଣରେ କହିଛନ୍ତି।

ଗୋଟିଏ ବର୍ଷ ତଳେ ମହିଳାଙ୍କ ଆଖିରେ ଯେଉଁ ବିଶ୍ୱାସ ଆମେ ଦେଖିଥିଲୁ, ସେ ବିଶ୍ୱାସ ଆଜି ଫଳପ୍ରଦ। ସରକାରଙ୍କ ଲକ୍ଷ୍ୟ ସେହି ସମସ୍ତ ମହିଳାଙ୍କୁ ସଶକ୍ତ କରି ଆତ୍ମନିର୍ଭର କରିବା । ଏହି ଯୋଜନା ମାଧ୍ୟମରେ ସରକାର ମହିଳାମାନଙ୍କ ଜୀବନର ଏକାଧିକ ଦିଗରୁ ଉନ୍ନତ କରିବାର ଲକ୍ଷ୍ୟ ରଖିଛନ୍ତି ଏବଂ  ଏହା ସେମାନଙ୍କ ସାମାଜିକ ଅବସ୍ଥାକୁ ମଜବୁତ କରିବା, ସଫଳତା ପାଇଁ ସାଧନ ଓ ସୁଯୋଗ ଆଦି ଯୋଗାଇବା ଦିଗରେ ସରକାରଙ୍କ ଦୃଢ ସଂକଳ୍ପକୁ  ପ୍ରତିପାଦନ କରୁଅଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏହି ଅବସରରେ କହିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟମନ୍ତ୍ରୀଙ୍କ ହାତରେ ସୁଭଦ୍ରା ରାକ୍ଷୀ ବାନ୍ଧି ଏହି ସମାରୋହକୁ ପାରମ୍ପାରିକ ଭାବେ ଅନୁଷ୍ଠାନ କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଏକ କୋଟି ମହିଳା ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁଭଦ୍ରା ସହାୟତା ରାଶି ପ୍ରଦାନ କରିଥିଲେ। ଏଥି ସହିତ ମଞ୍ଚ ଉପରେ ସୁଭଦ୍ରା ଯୋଜନାରୁ ସଫଳତା ପାଇଥିବା ମହିଳାଙ୍କୁ ଓ ଏହି ଯୋଜନାକୁ ସଫଳ କରାଉଥିବା ମହିଳାଙ୍କୁ ସମ୍ମାନିତ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ, ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ, ଖଣି ଓ ଷ୍ଟିଲ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା, ନବରଙ୍ଗପୁର ସାଂସଦ, ଶ୍ରୀଯୁକ୍ତ ବଳଭଦ୍ର ମାଝି
ବିଧାୟକ ଶ୍ରୀଯୁକ୍ତ ରଘୁରାମ ମାଛ, ନରସିଂହ ମାଡକାମୀ, ଗୌରୀ ଶଙ୍କର ମାଝୀ, ମହିଳା ଓ ଶିଶୁ ବିକାଶ ବିଭାଗ, ପ୍ରମୁଖ ଶାସନ ସଚିବ, ଶ୍ରୀମତୀ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀ ଓ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ୍ ମହାଜନ ପ୍ରମୁଖ ମଂଚାସୀନ ଥିଲେ।

କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ଶ୍ରୀଯୁକ୍ତ ତାରା ପ୍ରସାଦ ବାହିନୀପତି ସ୍ୱାଗତ ଭାଷଣ ଦେଇଥିବା ବେଳେ କୋଟପାଡ଼ ବିଧାୟକ ଶ୍ରୀଯୁକ୍ତ ରୁପୁ ଭତ୍ରା ଧନ୍ୟବାଦ ଦେଇଥିଲେ।

Follow us

20,832FansLike
0FollowersFollow
14,700SubscribersSubscribe

Latest news