ମୋଦିଜୀ ଦେଶକୁ ଯୋଡିବାକୁ ଚାହୁଁଛନ୍ତି :  ଯତୀନ ମହାନ୍ତି

- Advertisement -

ମୋଦିଜୀ ଦେଶକୁ ଯୋଡିବାକୁ ଚାହୁଁଛନ୍ତି :  ଯତୀନ ମହାନ୍ତି

 ‘ଆଇନ ତା ବାଟରେ ଯିବ’ ବୋଲି କହୁଥିବା ନବୀନ ବାବୁଙ୍କ ପ୍ରକୃତରେ ନ୍ୟାୟିକ ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ବିଶ୍ୱାସ ନଥିଲା

 ଅରାଜକତା ଶକ୍ତିମାନଙ୍କୁ ସମର୍ଥନ କରିବାକୁ ଯାଇ ନବୀନ ବାବୁ ତାଙ୍କର ସମସ୍ତ ନୀତି, ନିୟମ ଓ ନୈତିକତାକୁ ଭୁଲିଗଲେ

 ୨୫ ତାରିଖ ଅପରାହ୍ନ ୪ଟାରେ ମୋଦିଜୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ଖୋର୍ଦ୍ଧା ଗସ୍ତ କରି ଆରବିଆଇ ଡାଟା ସେଂଟରର ଉଦଘାଟନ କରିବେ

 ମୋଦିଜୀଙ୍କ ଯୁବବର୍ଗ ଓ ଓଡିଶା ପ୍ରତି ଥିବା ଭଲ ପାଇବାକୁ ସ୍ପଷ୍ଟ ଦର୍ଶାଉଛି

କାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସାମାଜିକ ଗଣମାଧ୍ୟମ ଏକ୍ସରେ ସ୍ପଷ୍ଟ କହିଛନ୍ତି ଯେ, ସିଜେପି ଆନ୍ଦୋଳନର ମୁଖ୍ୟ କର୍ଣ୍ଣଧାର ଦୁଇଜଣ ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କ ଗିରଫଦାରୀକୁ ନିନ୍ଦା କରିବା ସହିତ ସେମାନଙ୍କୁ ମୁକ୍ତ କରିବା ପାଇଁ ଦାବୀ ଜଣାଇଛନ୍ତି। ଏପରିକି ନ୍ୟାୟିକ ପ୍ରକ୍ରିୟାକୁ ଆକ୍ଷେପ କରିବା ସହିତ ପ୍ରଶାସନିକ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ନିଷିଦ୍ଧାଂଚଳରେ ଜାତୀୟ ପତାକା ଉତୋଳନ କରିବା କୌଣସି ଅପରାଧ ନୁହେଁ ବୋଲି ବିଚରାଳୟକୁ ପରାମର୍ଶ ଦେବା ସହ ଉଭୟଙ୍କୁ ଶୀଘ୍ର ମୁକ୍ତ କରିବା ପାଇଁ ପ୍ରଶାସନିକ ବ୍ୟବସ୍ଥାକୁ ଉପଦେଶ ଦେଇଛନ୍ତି । ଏହାଦ୍ୱାରା ଦେଶର ଯୁବଶକ୍ତିର ବିଶ୍ୱାସ ବିଚରାଳୟ ବ୍ୟବସ୍ଥା ଉପରେ ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଗତ ୨୪ ବର୍ଷ ଧରି ‘ଆଇନ ତା ବାଟରେ ଯିବ’ ବୋଲି କହୁଥିବା ନବୀନ ବାବୁଙ୍କ ପ୍ରକୃତରେ ନ୍ୟାୟିକ ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ବିଶ୍ୱାସ ନଥିଲା। ଯଦି ପୂର୍ବରୁ ନ୍ୟାୟିକ ଓ ପ୍ରଶାସନିକ ବ୍ୟବସ୍ଥାରେ ବିଶ୍ୱାସ ଥିଲା ବୋଲି ତାଙ୍କର ହୃଦୟଙ୍ଗମ ହେଉଥିଲା, ତେବେ ଆଜି ଏ ହୃଦୟ ପରିବର୍ତନ କାହିଁକି? ଆଜି କ’ଣ ସେହି ଅରାଜକତା ଶକ୍ତିମାନଙ୍କୁ ସମର୍ଥନ କରିବାକୁ ଯାଇ ନବୀନ ବାବୁ ତାଙ୍କର ସମସ୍ତ ନୀତି, ନିୟମ ଓ ନୈତିକତା ଭୁଲିଗଲେ କି ବୋଲି ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି ପ୍ରଶ୍ନ କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ମହାନ୍ତି କହିଛନ୍ତି ଯେ, ତମ ଉଦ୍ଦେଶ୍ୟ କ’ଣ, କ’ଣ କରିବାକୁ ଚାହୁଁଛ ବୋଲି ଅରାଜକତା ଶକ୍ତିମାନଙ୍କୁ ଗତ କାଲି ମାନ୍ୟବର ଦିଲ୍ଲୀ କୋର୍ଟ ପ୍ରଶ୍ନ କରିଛନ୍ତି । ବର୍ତମାନ ଫ୍ରାନ୍ସଠାରୁ ଆରମ୍ଭ କରି ଇଟାଲୀ, ସ୍ପେନ୍ ପର୍ଯ୍ୟନ୍ତ ବ୍ୟାପିଥିବା ଅନ୍ଦୋଳନରେ ବ୍ୟାପକ ହିଂସା ଏବଂ ଅରାଜକତା ଦେଖିବାକୁ ମିଳୁଛି । ଗଣତନ୍ତ୍ର ଓ ପ୍ରଶାସନିକ ବ୍ୟବସ୍ଥାକୁ ଜୋରଜବରଦସ୍ତ ପରିବର୍ତନ କରି ନିଜର ଅରାଜକତାକୁ ଏଠାରେ ଚଳାଇବାକୁ ପ୍ରଚେଷ୍ଠା କରାଯାଉଛି । ତାଙ୍କ ନେତାମାନେ କହୁଛନ୍ତି ବାଂଲାଦେଶର ଘଟଣା ତାଙ୍କ ପାଇଁ ଆଦର୍ଶ ବା ପ୍ରେରଣା ଅଟେ। ଗତକାଲି ଯେଉଁମାନେ ନିଜକୁ ନିଜେ ଆତ୍ମଘୋଷିତ ଯୁବ ସମାଜର ପ୍ରେରଣା ବୋଲି କହିଛନ୍ତି, ସେମାନଙ୍କୁ ନବୀନ ବାବୁ ସମର୍ଥନ କରିଛନ୍ତି। ଏହା ତାଙ୍କର ଦେବାଳିଆ ମାନସିକତା ସ୍ପଷ୍ଟ କରୁଛି। ନବୀନ ବାବୁ ନିଜ ସାମାଜିକ ଗଣମାଧ୍ୟମ ଏକ୍ସ ପୋଷ୍ଟରୁ ଏହା ସ୍ପଷ୍ଟ ହେଉଛି ଯେ, ଏହା ତାଙ୍କର ବାର୍ଦ୍ଧକ୍ୟ ଜନିତ ସମସ୍ୟା ସହ ତାଙ୍କ ପାର୍ଟିର ଆଭିମୁଖ୍ୟ ମଧ୍ୟ ସମାନ ଅଟେ। ଭାରତକୁ ଭାଗ ଭାଗ କରି ଅରାଜକତାକୁ ଶକ୍ତିକୁ ସମର୍ଥନ କରି ବିଜେଡି ଆଜି ଛିଡା ହୋଇଛି କି, ତାହାର ଜବାବ୍ ବିଜେଡିକୁ ସାଧାରଣ ଜନତାଙ୍କ ସମ୍ମୁଖରେ ଦେବାକୁ ପଡିବ ବୋଲି ଡ.ମହାନ୍ତି କହିଛନ୍ତି ।

ଯେତେବେଳେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଭାରତକୁ ଯୋଡିବାକୁ ଚେଷ୍ଟା କରୁଛନ୍ତି, ସେତେବେଳେ ବିଜେଡି ଭାରତର ବିଭାଜନକାରୀ ନେତାମାନଙ୍କୁ ସମର୍ଥନ କରିବା ଅତ୍ୟନ୍ତ ଲଜ୍ଜାଜନକ । ଯୁବ ସମାଜକୁ ଆଗକୁ ନେବା ପାଇଁ ମୋଦିଜୀ ଯେତେବେଳେ ଅହରହ ପରିଶ୍ରମ କରୁଛନ୍ତି, ସେତେବେଳେ କାହିଁକି ବିଜେଡି ତାର କୁତ୍ସୀତ ଚିନ୍ତାଧାରାକୁ ସଫଳ କରିବା ପାଇଁ ଚେଷ୍ଟା କରୁଛି ବୋଲି ଡ.ମହାନ୍ତି ପ୍ରଶ୍ନ କରିଛନ୍ତି ।

ଗୋଟିଏ ପଟେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦେଶ ବିଭାଜନକାରିଙ୍କ ସପକ୍ଷରେ କହୁଥିବାବେଳେ ଅନ୍ୟପଟେ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶକୁ ଯୋଡିବାକୁ ଏବଂ ଦେଶର ଯୁବ ବର୍ଗଙ୍କ ସ୍ୱାର୍ଥ ପାଇଁ କାମ କରୁଛନ୍ତି । ବିଶେଷ ଭାବେ ଓଡିଶାର ସାମଗ୍ରିକ ଓ ସନ୍ତୁଳିତ ବିକାଶ ପାଇଁ ମୋଦି ସରକାର ପ୍ରତିବଦ୍ଧ । ଆସନ୍ତା ୨୫ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ । ଏହି ଅବସରରେ ୧୭୦ କୋଟି ବ୍ୟୟରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟସ୍ଥ ଆରବିଆଇ ଡାଟା ସେଣ୍ଟର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ । ସମସ୍ତ ଭାରତୀୟଙ୍କ ତଥ୍ୟ କିଭଳି ସୁରକ୍ଷିତ ରହିବ ଏବଂ ସାଇବର ସିକ୍ୟୁରିଟିକୁ ପ୍ରାଧାନ୍ୟ ଦେଇ ଓଡ଼ିଶାରେ ଆରବିଆଇର ଦ୍ୱିତୀୟ ଡାଟା ସେଣ୍ଟର ସ୍ଥାପନା କରାଯାଇଛି । ଡାଟା ସେଂଟର ପୃଥିବୀର ସର୍ବବୃହତ ଶ୍ରେଷ୍ଠ ଆବଶ୍ୟକତା। ଏହି ଡାଟା ସେଂଟର ପାଇଁ ସେ ଓଡିଶାକୁ ବାଛିଛନ୍ତି, ଯାହା ଆମ ପାଇଁ ଗର୍ବ ଓ ଗୌରବ ଅଟେ। ଆରବିଆଇ ଭଳି ପ୍ରତିଷ୍ଠିତ ସଂସ୍ଥାର ଡାଟା ସେଂଟର ପ୍ରତିଷ୍ଠା ଦ୍ୱାରା ଓଡ଼ିଶାର ଡିଜିଟାଲ ଶିଳ୍ପ ବିକାଶ ତ୍ୱରିତ ହେବା ସହିତ ଜାତୀୟ ତଥା ଆର୍ନ୍ତଜାତୀୟ ସ୍ତରରେ ଓଡ଼ିଶାର ଛବି ବଦଳାଇବାରେ ସହାୟକ ହେବ । ଆଇଟି କ୍ଷେତ୍ରରେ ଓଡିଶା ରାଜ୍ୟକୁ ପ୍ରଥମେ ସେମିକଣ୍ଡକ୍ଟର ହବ୍ ଭାବେ ପରିଚୟ ପ୍ରଦାନ କରିବାର ପ୍ରୟାସ ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ମୋଦିଜୀ ବର୍ତ୍ତମାନ ଡାଟା ସେଣ୍ଟର ଭାବେ ଓଡିଶାକୁ ଗୁରୁତ୍ୱ ଦେଇଛନ୍ତି । ଏହା ହେଉଛି ନରେନ୍ଦ୍ର ମୋଦିଙ୍କ ଆଗାମୀ ଦିନରେ ଓଡିଶାର ବିକାଶ ପାଇଁ ଥିବା ସ୍ୱପ୍ନକୁ ସାକାର କରିବାର ଗୋଟିଏ ପଦକ୍ଷେପ । ଯାହାକି ମୋଦିଜୀଙ୍କ ଯୁବବର୍ଗ ଓ ଓଡିଶା ପ୍ରତି ଥିବା ଭଲ ପାଇବାକୁ ସ୍ପଷ୍ଟ ଦର୍ଶାଉଛି ବୋଲି ଡ.ମହାନ୍ତି କହିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ସଂପର୍କରେ ସୂଚନା ଦେଇ ଡ.ମହାନ୍ତି କହିଛନ୍ତି ଯେ, ୨୫ ତାରିଖ ଅପରାହ୍ନ ୪ଟାରେ ମୋଦିଜୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ଖୋର୍ଦ୍ଧା ଗସ୍ତ କରି ଆରବିଆଇ ଡାଟା ସେଂଟରର ଉଦଘାଟନ କରିବେ । ଏହା ପରେ ପୁଣି ଥରେ ଭୁବନେଶ୍ୱର ଫେରି ଆସି ସଂଧ୍ୟା ୭ଟାରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ । ରାଜ୍ୟରେ ଡବଲ ଇଂଜିନ ସରକାର ଗଠନ ହେବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୯ମ ଓଡିଶା ଆଗମନ । ସମସ୍ତ କାର୍ଯ୍ୟକର୍ତ୍ତାମାନେ ଉତ୍ସାହିତ ଅଛନ୍ତି ଏବଂ ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ଅପେକ୍ଷାରତ ଅଛନ୍ତି ବୋଲି ଡ.ମହାନ୍ତି ସୂଚନା ଦେଇଛନ୍ତି । ଏହି ଅବସରରେ ରାଜ୍ୟ ବିଜେପି ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ୍ କୁମାର ଦାସ ଓ ସଞ୍ଜୟ ରଥ ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

Related Articles

Stay Connected

20,832FansLike
0FollowersFollow
22,900SubscribersSubscribe
- Advertisement -spot_img

Latest Articles