ଗଣତାନ୍ତ୍ରିକ ମୂଲ୍ୟବୋଧ ନ ବୁଝି ବରିଷ୍ଠଙ୍କୁ ବିଜେପି ଆକ୍ଷେପ କରିବା ଦୁର୍ଭାଗ୍ୟଜନକ: ବିଜେଡି
ନ୍ୟାୟ, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ବ୍ୟକ୍ତିର ଅଧିକାରର ସୁରକ୍ଷା ପ୍ରତି ନବୀନ ବାବୁଙ୍କ ପ୍ରତିବଦ୍ଧତାକୁ ସାରା ଦେଶ ସମ୍ମାନ ଜଣାଉଛିବୟସକୁ ନେଇ କାଦୁଆପିଙ୍ଗା ରାଜନୀତି ଅସହିଷ୍ଣୁ ବିଜେପି ନେତାଙ୍କ ବିକୃତ ମାନସିକତାର ପରିଚୟନିର୍ବାଚନ ପ୍ରତିଶ୍ରୁତି ପୂରଣ କରନ୍ତୁ, ଲୋକଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତୁ
ବିଜେଡି ଜନତା ଦଳର ମିଡିଆ ସଂଯୋଜକ ଡ. ଲେନିନ ମହାନ୍ତି ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ବିଜେପି ନେତାଙ୍କ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ଏବଂ ବିଭିନ୍ନ କ୍ଷେତ୍ରରେ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇ ବିଜେପି ହତାଶ ହୋଇପଡ଼ିଛି । ନିଜର ବିଫଳତାକୁ ସ୍ୱୀକାର କରିବା ଓ ଲୋକଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ବିଜେପି ବର୍ତ୍ତମାନ ବରିଷ୍ଠ ରାଜନୈତିକ ନେତାମାନଙ୍କ ବିରୋଧରେ ବ୍ୟକ୍ତିଗତ ଆକ୍ଷେପ ଓ ଅନୁଚିତ ମନ୍ତବ୍ୟ ଦେବାରେ ଲାଗିଛି ।
ଡ. ମହାନ୍ତି କହିଛନ୍ତି ଯେ, ବିକାଶ ପୁରୁଷ ଶ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ସ୍ୱାର୍ଥ ସହ ଜଡ଼ିତ ପ୍ରସଙ୍ଗରେ ନିଜର ମତ ରଖି ଜଣେ ପ୍ରକୃତ ରାଷ୍ଟ୍ରନାୟକଙ୍କ ସାହସ ଓ ଦୃଢ଼ତାର ପରିଚୟ ଦେଇଛନ୍ତି । ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କ ନ୍ୟାୟିକ ହାଜତ ପ୍ରସଙ୍ଗରେ ନବୀନ ବାବୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କ ନ୍ୟାୟିକ ହାଜତର ସମୀକ୍ଷା କରାଯିବା ଆବଶ୍ୟକ ଏବଂ ସେମାନଙ୍କୁ ତୁରନ୍ତ ମୁକ୍ତ କରାଯିବା ଉଚିତ । ନ୍ୟାୟ, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ବ୍ୟକ୍ତିର ଅଧିକାରର ସୁରକ୍ଷା ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଲକ୍ଷ ଲକ୍ଷ ଭାରତୀୟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ୱାନକୁ ସମର୍ଥନ କରିଥିଲେ । ଯୁବ ନେତାମାନଙ୍କ ସ୍ୱାଧୀନତା ଏବଂ ବ୍ୟକ୍ତିଗତ ମୁକ୍ତି ସହ ଜଡ଼ିତ ପ୍ରସଙ୍ଗରେ ଉଚିତ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ଦେଶବାସୀ ଅନୁଭବ କରିଥିଲେ । ଶ୍ରୀ ନବୀନ ପଟ୍ଟନାୟକଙ୍କ ପୋଷ୍ଟର ୨୪ ଘଣ୍ଟା ମଧ୍ୟରେ ଉଭୟ ଯୁବ ନେତା ମୁକ୍ତ ହୋଇଥିଲେ । ଏହି ଘଟଣା ବିଜେଡି ସଭାପତି ଉଠାଇଥିବା ପ୍ରସଙ୍ଗର ଗୁରୁତ୍ୱ ଏବଂ ତାଙ୍କ ଆହ୍ୱାନ ଦ୍ୱାରା ସୃଷ୍ଟି ହୋଇଥିବା ବ୍ୟାପକ ଜନଆକ୍ରୋଶକୁ ପ୍ରତିଫଳିତ କରୁଛି । ବୟସକୁ ନେଇ ବିଜେପି ନେତାମାନଙ୍କ ସାମ୍ପ୍ରତିକ ମନ୍ତବ୍ୟକୁ ତୀବ୍ର ବିରୋଧ କରିଛି ବିଜେଡି । ରାଜନୈତିକ ମତଭେଦ କେବେହେଲେ ବ୍ୟକ୍ତିଗତ ଆକ୍ଷେପ କିମ୍ୱା ବରିଷ୍ଠ ନେତାଙ୍କ ପ୍ରତି ଅସମ୍ମାନର କାରଣ ହେବା ଉଚିତ ନୁହେଁ । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ଅନ୍ୟ ବିଜେପି ନେତାମାନେ ଜନନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ବୟସକୁ ନେଇ ପ୍ରତିକି୍ରୟା ଦେବା ଦୁର୍ଭାଗ୍ୟଜନକ ଏବଂ ଅସହିଷ୍ଣୁତାର ପରିଚୟ ।
ଡ. ମହାନ୍ତି ଆହୁରି କହିଛନ୍ତି ଯେ, ଦାୟିତ୍ୱପୂର୍ଣ୍ଣ ସାର୍ବଜନୀନ ପଦବୀରେ ଥିବା ବ୍ୟକ୍ତିଙ୍କ ପକ୍ଷରୁ ଏଭଳି ମନ୍ତବ୍ୟ ଆଦୌ ଶୋଭନୀୟ ନୁହେଁ । ଦଶକ ଦଶକ ଧରି ଜନସେବାରେ ନିଜ ଜୀବନ ଉତ୍ସର୍ଗ କରିଥିବା ବରିଷ୍ଠ ନେତାମାନେ ରାଜନୈତିକ ମତଭେଦ ନିର୍ବିଶେଷରେ ସମ୍ମାନ ପାଇବାକୁ ହକ୍ଦାର । ପୂଜ୍ୟପୂଜା କଥା କହୁଥିବା ବିଜେପି ନେତାମାନେ ବରିଷ୍ଠ ନେତାଙ୍କୁ ସମ୍ମାନ ଦେବା ଶିଖିବା ଉଚିତ । ଗଣତନ୍ତ୍ରରେ କୌଣସି ରାଜନୈତିକ ନେତାଙ୍କ ମତ ବା ନିଷ୍ପତ୍ତି ସହ ଅସହମତ ହେବା ସ୍ୱାଭାବିକ । କିନ୍ତୁ ବାରମ୍ୱାର ଜଣେ ନେତାଙ୍କ ବୟସକୁ ଆଧାର କରି ତାଙ୍କୁ ଟାର୍ଗେଟ କରିବା ରାଜନୈତିକ ପରିପକ୍ୱତା କିମ୍ୱା ସୁସ୍ଥ ଗଣତାନ୍ତ୍ରିକ ସଂସ୍କୃତିର ପରିଚୟ ନୁହେଁ । ୮୦ ବର୍ଷ ବୟସ୍କ ଶ୍ରୀ ନବୀନ ପଟ୍ଟନାୟକଙ୍କ ବୟସ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଆରଏସଏସ ମୁଖ୍ୟ ଶ୍ରୀ ମୋହନ ଭାଗବତଙ୍କଠାରୁ ମାତ୍ର ତିନି ବର୍ଷ ଅଧିକ । ଯଦି ବିଜେଡି ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ଆରଏସ୍ଏସ୍ ମୁଖ୍ୟଙ୍କ ବୟସକୁ ନେଇ ପ୍ରଶ୍ନ ଉଠାଇବ, ତେବେ ବିଜେପି ଏହାକୁ ଉଚିତ ବୋଲି ଗ୍ରହଣ କରିବ କି? ନିଜ ଦଳର ବରିଷ୍ଠ ନେତାଙ୍କ ବିରୋଧରେ ଏଭଳି ବ୍ୟକ୍ତିଗତ ମନ୍ତବ୍ୟକୁ ବିଜେପି ସହ୍ୟ କରିବ କି? ଶ୍ରୀ ନବୀନ ପଟ୍ଟନାୟକ ଏପରି ଜଣେ ରାଷ୍ଟ୍ରନାୟକ, ଯାହାଙ୍କ ସାର୍ବଜନୀନ ଜୀବନ ସରଳତା, ମର୍ଯ୍ୟାଦା ଏବଂ ଓଡ଼ିଶାବାସୀଙ୍କ ସେବା ପ୍ରତି ସମର୍ପଣ ଭାବନାରେ ପରିପୂର୍ଣ୍ଣ ।
ନିର୍ବାଚନ ପୂର୍ବରୁ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହେବାରୁ ଓଡ଼ିଶାର ବିଜେପି ସରକାର କ୍ରମଶଃ କାଦୁଅ ଫିଙ୍ଗା ରାଜନୀତିର ଆଶ୍ରୟ ନେଉଛି । ଓଡ଼ିଶାବାସୀ ପରିବର୍ତ୍ତନର ଆଶା, ପ୍ରଭାବଶାଳୀ ଶାସନ, ଆର୍ଥିକ ସୁଯୋଗ ଏବଂ ବିଜେପି ଦେଇଥିବା ପ୍ରତିଶ୍ରୁତିଗୁଡ଼ିକର ପୂରଣ ଆଶାରେ ଦଳକୁ ଭୋଟ ଦେଇଥିଲେ । କିନ୍ତୁ ବିଜେପି ସରକାର ସବୁ କ୍ଷେତ୍ରରେ ସଂପୂର୍ଣ୍ଣ ବିଫଳ ହୋଇଛି । ତେଣୁ ବିଜେପି ସରକାର ଶାସନ ଉପରେ ଧ୍ୟାନ ଦିଅନ୍ତୁ, ଜନସାଧାରଣ ଉଠାଉଥିବା ପ୍ରଶ୍ନର ଉତ୍ତର ଦିଅନ୍ତୁ ଏବଂ ନିର୍ବାଚନୀ ପ୍ରତିଶ୍ରୁତିଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ବିଜେଡି ଦାବି କରିଛି ।
- Advertisement -
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy