ବାଜିର ନା ବିଜେପୁର…..

- Advertisement -

ଭୁବନେଶ୍ୱର :ରାଜ୍ୟରେ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଲାଣି ବିଜେପୁର ନିର୍ବାଚନ ମଣ୍ଡଳୀ । ଗଲା20 ମାସରେ 3ଥର ବିଧାନସଭା ନିର୍ବାଚନ ହେବା ୟାକୁ ଚର୍ଚ୍ଚା ଭିତରକୁ ଟାଣି ଆଣୁଛି । ଗଲା ଦେଢବର୍ଷ ଧରି ସାରା ରାଜ୍ୟରେ ନିର୍ବାଚନ ମଣ୍ଡଳୀଟି ସମସ୍ତଙ୍କର ଆଲୋଚନାର ବିଷୟବସ୍ତୁ ପାଲଟିଛି ।ଚା ଖଟି ଠାରୁ ଆରମ୍ଭ କରି କ୍ଲବ ଓ ଛକ ମାନଙ୍କରେ ବିଜେପୁର ନିର୍ବାଚନ ବିଷୟରେ ଆଲୋଚନା ଚାଲିଛି ।
ବରଗଡ ଜିଲ୍ଲାର ଏହି ନିର୍ବାଚନ ମଣ୍ଡଳୀଟି 1961 ମସିହାରେ ପ୍ରଥମ ନିର୍ବାଚନ ଦେଖିଥିଲା।ଜିଲ୍ଲାର ବରପାଲି ,ବିଜେପୁର, ଗାଇସିଲଟ ଏବଂ ବରପାଲି ବ୍ଲକର କିଛି ଅଂଶ କୁ ନେଇ ଏହି ନିର୍ବାଚନ ମଣ୍ଡଳୀ ଟି ଗଠିତ ହୋଇଛି ।ପ୍ରଥମ ବିଧାୟକ ଭାବେ କଂଗ୍ରେସର ମୋହନ ନାଗ ଏଠାରୁ ନିର୍ବାଚିତ ହୋଇଥିଲେ ।1977 ମସିହା ଯାଏ ବିଜେପୁର କଂଗ୍ରେସ ଅତିଆର ରେ ରହିଥିଲା । ସେହିବର୍ଷ ଜନତା ଦଳର ନିତ୍ୟାନନ୍ଦ ଗଡତିଆ ଏଠାରୁ ନିର୍ବାଚିତ ହୋଇଥିଲେ । 1980 ମସିହାରେ କଂଗ୍ରେସ ପୁଣିଥରେ ଫେରି ରାଜୀବ ଲୋଚନ ହୋତା ବିଧାୟକ ହୋଇଥିଲେ । 1985 ରୁ 1995 ଜନତା ଦଳ ହାତକୁ କ୍ଷମତା ଯାଇଥିଲା । 1995 ରେ ରିପୁନାଥ ସେଠ କଂଗ୍ରେସରୁ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ । 2000 ମସିହାରେ ଅଶୋକ କୁମାର ପାଣିଗ୍ରାହୀ ଜନତା ଦଳରୁ ପ୍ରାର୍ଥୀ ହୋଇ ବିଜୟ ଲାଭ କଲେ । ତେବେ ତାପରେ ସ୍ଥିତି ବଦଳି ଯାଇଥିଲା । କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ ଲଗାତାର ଭାବେ 2004,2009 ଓ 2014 ରେ ବିଜୟ ଲାଭ କରିଥିଲେ। ସାରା ରାଜ୍ୟରେ କଂଗ୍ରେସର ବିପର୍ଯ୍ୟୟ ହୋଇଥିବା ସମୟ ରେ ସୁବଳ ସାହୁ ନିଜର ବିଜୟ ଧାର।କୁ ବଜାୟ ରଖିଥିଲେ। 2014 ବିଜେଡି ଦଳର ତଥା ପଶ୍ଚିମ ଓଡିଶାର ଟାଣୁଆ ନେତା ପ୍ରସନ୍ନ ଆଚାର୍ଯ୍ୟ ଙ୍କୁ 458 ଖଣ୍ଡ ଭୋଟ୍ ରେ ପରାସ୍ତ କରିଥିଲେ ।2017 ମସିହା ଅଗଷ୍ଟ 22 ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟ ହୋଇଥିଲା ।
ଏଇଠୁ ଆରମ୍ଭ ହୋଇଥିଲା ବିଜେପୁର ଚର୍ଚ୍ଚା । ସେତେବେଳକୁ ସାଧାରଣ ନିର୍ବାଚନ କୁ ଆଉ 19 ମାସ ବାକି ଥାଏ। ତେଣୁ ନିୟମ ଅନୁସାରେ ଏକ ଉପନିର୍ବାଚନ ର ସମ୍ଭାବନା ଦେଖାଦେଲା । ରାଜ୍ୟରେ ସଜସଜ ସରିଥିବା ପଞ୍ଚାୟତ ନିର୍ବାଚନରେ ବିଜେପି ପ୍ରମୁଖ ବିରୋଧୀ ଦଳ ଭାବେ ଉଭା ହୋଇଥାଏ । ପଶ୍ଚିମ ଓଡ଼ିଶାରେ ବିଜେପି କୁ ଭଲ ସଫଳତା ମିଳିଥିଲା । ବିଜେପି ବିଜେଡି ମଧ୍ୟରେ ପ୍ରତିଦିନ କଥା କଟାକଟି ଚାଲିଥାଏ । କେନ୍ଦ୍ର ମନ୍ତ୍ରୀ ମାନଙ୍କର ଘନଘନ ଓଡିଶା ଗ୍ରସ୍ତ ଆଉ ରାଜ୍ୟ ସରକାରଙ୍କୁ ଶାଣିତ ସମାଲୋଚନା ନବୀନ ସରକାରଙ୍କୁ ବେଶ ଅଡୁଆରେ ପକାଉଥିଲା। ସରକାରଙ୍କୁ ପ୍ରତ୍ୟେକ ପ୍ରସଙ୍ଗରେ ସମାଲୋଚନା କରି ଲୋକମାନଙ୍କ ମନରେ ପ୍ରମୂଖ ବିରୋଧି ଦଳର ମାନ୍ୟତା ଲାଭ କରିଥିଲା ବିଜେପି । ଏହି ସମୟରେ ଘୋଷଣା ହୋଇଥାଏ ଉପନିର୍ବାଚନ ତାରିଖ । ଫ୍ରେବୁୟାରୀ ମାସ 24 ତାରିଖରେ ମତଦାନ ହୋଇଦାନ ପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଥିଲେ। ମୁଖ୍ୟ ବିରୋଧି ଦଳର ମାନ୍ୟତା ଲାଭ କରିଥିବା କଂଗ୍ରେସ ନିଜ ଘର କଳିରେ ବ୍ୟସ୍ତ ରହି ଘରକୁ ଆହୁରି ଭାଙ୍ଗି ଚାଲିଥିଲା । ଏହି ସୁଯୋଗ ଭରପୁର ଫାଇଦା ଉଠେଇଥିଲା ବିଜେଡି । ସେତେବେଳକୁ 2014 ନିର୍ବାଚନ ରେ ବିଜେଡିର ପ୍ରାର୍ଥୀ ଥିବା ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇସାରିଥିଲେ। ଦିବଂଗତ ବିଧାୟକ ସୁବଳ ସାହୁ ଙ୍କ ପରିବାର କୁ ନିଜ ଦଳରେ ମିଶାଇ ତାଙ୍କ ପତ୍ନୀ ରୀତା ସାହୁ ଙ୍କୁ ଦଳ ପ୍ରାର୍ଥୀ କଲା । ଅନୁକମ୍ପା ଭୋଟ ହାତେଇବା ପାଇଁ ବିଜେଡିର ଏହିଫଣ୍ଡା ପୂର୍ବରୁ ମଧ୍ୟ କେତେକ ନିର୍ବାଚନରେ କାମ କରିଥିଲା। ନିଜର ଭୋଟ୍ ସହିତ ଅନୁକମ୍ପା ଭୋଟ୍ କୁ ହାତେଇ ନିର୍ବାଚନ ଜିତିବା ଲକ୍ଷରେ ବିଜେଡି ରହିଥିଲା । 2000 ମସିହାର ଜନତା ଦଳର ବିଧାୟକ ତଥା 2014 ରେ ବିଜେଡି ବିଦ୍ରୋହୀ ପ୍ରାର୍ଥି ଅଶୋକ ପାଣିଗ୍ରାହୀ ଏଥିରେ ଅସନ୍ତୁଷ୍ଟ ହୋଇ ବିଜେପିରେ ମିଶିଥିଲେ ଏବଂ ଦଳ ତରଫରୁ ପ୍ରାର୍ଥୀ ମଧ୍ୟ ହୋଇଥିଲେ ।ବିଜେପିରୁ ଟିକେଟ ପାଇଁ ଆଶାୟୀ ଥିବା ଏହାକୁ ବିରୋଧ କରି ବିଜେଡି ରେ ମିଶିଥିଲେ । ତେବେ ୟାରିଭିତରେ ଖୁବ୍ ପଛରେ ପଡିଥିଲା କଂଗ୍ରେସ । ସମସ୍ତଙ୍କ ଠାରୁ ଶେଷରେ ଦଳ ତୃଣମୂଳସ୍ତରର ନେତା ଗାଇସିଲଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ ଙ୍କୁ ପ୍ରାର୍ଥି କରିଥିଲା। ମୁଖ୍ୟତଃ ବିଜେଡି ବିଜେପି ମଧ୍ୟରେ ରେ ଲଢେଇ ଚାଲିଥିଲା। 2018 ଉପନିର୍ବାଚନରେ ବହୁ ନାଟକିୟ ମୋଡ ଦେଖିବାକୁ ମିଳିଥିଲା ।ବିଜେଡି ପ୍ରତି ପଞ୍ଚାୟତରେ ଜଣେ ଲେଖାଏ ବିଧାୟକ ଙ୍କୁ ନିର୍ବାଚନ ଦାୟିତ୍ୱ ଦେଇଥିଲା ବେଳେ ବିଜେପିର ମାଳମାଳ କେନ୍ଦ୍ରମନ୍ତ୍ରୀ ପ୍ରଚାର କରୁଥିଲେ । ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର ରେ ପ୍ରଥମ ଥର ପାଇଁ ବାହାରେ ରାତ୍ରି ବିତାଇବା ଘଟଣା ହେଉ କି ନବୀନ ଙ୍କ ଉପରକୁ ଚପଲ ମାଡ ଓ ବିଜେଡି ଗାଡି ଉପରକୁ ଗୁଳିମାଡ ରେ ଜଣେ ବିଜେଡି କର୍ମୀ ର ମୃତ୍ୟ ଘଟଣା ପୁରା ନିର୍ବାଚନ ର ଗୁରୁତ୍ୱ ବଢାଇ ଦେଇଥିଲା। ସାଧାରଣ ନିର୍ବାଚନ ପୂର୍ବରୁ ଏହି ଉପନିର୍ବାଚନ ବିଜେପି ବିଜେଡି ମଧ୍ୟରେ ସେମିଫାଇନାଲ ବୋଲି କୁହାଯାଉଥିଲା ।ଉଭୟ ବିଜେଡି ଓ ବିଜେପି ପାଇଁ ନିର୍ବାଚନ ସମ୍ମାନ ର ପ୍ରଶ୍ନ ହୋଇଥିବା ବେଳେ କଂଗ୍ରେସ ପାଇଁ ନିଜ ଗଡକୁ ବଞ୍ଚାଇବା କଷ୍ଟସାଧ୍ୟ ଥିଲା। ତେବେ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ 41933 ଖଣ୍ଡ ଭୋଟ୍ ରେ ବିଜେପି ର ଅଶୋକ ପାଣିଗ୍ରାହୀ ଙ୍କୁ ପରାସ୍ତ କରିଥିଲେ । ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ଅମାନତ ହରାଇ ଥିଲେ ।
ଏହାପରେ ଆସିଥିଲା 2019 ସାଧାରଣ ନିର୍ବାଚନ । ଏଥିରେ ବଦଳିଯାଇଥିଲେ 3 ପ୍ରମୁଖ ଦଳର ପ୍ରାର୍ଥୀ । ବିଜେପି ପ୍ରାର୍ଥୀ କରିଥିଲା ଟାଣୁଆ ନେତା ସନତ ଗଡତିଆ ଙ୍କୁ । ପଶ୍ଚିମ ଓଡ଼ିଶାରେ ନିଜର ଭୋଟ୍ ପ୍ରତିଶତ ବଢାଇବା ପାଇଁ ବିଜେଡିରୁ ନିଜେ ପ୍ରାର୍ଥୀ ହୋଇଥିଲେ ନବୀନ ପଟ୍ଟନାୟକ । କଂଗ୍ରେସ ରୁ ପ୍ରାର୍ଥୀ ହୋଇଥିଲେ ପୂର୍ବତନ ବିଧାୟକ ରିପୁନାଥ ସେଠ । ନିର୍ବାଚନରେ 57122 ଭୋଟର ବିପୁଳ ବ୍ୟବଧାନରେ ନବୀନ ବିଜୟ ଲାଭ କରିଥିଲେ। ଉଭୟ ହିଞ୍ଜିଳିକାଟୁ ଓ ବିଜେପୁର ରୁ ନିର୍ବାଚିତ ନବୀନ ଙ୍କୁ ବିଜେପୁର ଆସନକୁ ଛାଡିବାକୁ ପଡିଥିଲା । ଏହାପରେ ପୁଣି ଏକ ଉପନିର୍ବାକୁ ଅପେକ୍ଷା କରିଥିଲା ବିଜେପୁର ।
ଏବେ ଘୋଷଣା ହୋଇସାରିଛି ଉପନିର୍ବାଚନ ତାରିଖ । ଆସନ୍ତା ଅକ୍ଟୋବର 21 ତାରିଖରେ ଭୋଟ ଗ୍ରହଣ କରାଯିବ । ତେବେ ଏଥିପାଇଁ ସବୁ ଦଳ ସଜବାଜ ଆରମ୍ଭ କରିଦେଲେଣି।ରାଜ୍ୟରେ ପୁର୍ବରୁ ବିଜେଡି କୁ ବିଜେପି ଯେପରି ସମାଲୋଚନା କରୁଥିଲା ଏବେ ଆଉ ସେପରି ସ୍ଥିତି ନାହିଁ। ରାଜ୍ୟସଭା ନିର୍ବାଚନ ରେ ବିଜେପି କୁ ବିଜେପି କୁ ବିଜେଡି ର ସମର୍ଥନ, କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ବିଲ୍ କୁ ନବୀନ ସରକାରଙ୍କ ସମର୍ଥନ, ରାଜନୀତି କୁ ଗୋଳିଆ କରିଦେଇଛି ।ଗଲା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ପ୍ରଣୟ ସାହୁଏବେ ବିଜେଡିରେ । ପୂର୍ବଥର ପ୍ରାର୍ଥି ଦେବାରେ ପଛରେ ଥିବା କଂଗ୍ରେସ ଏଥର ପ୍ରଥମେ ପ୍ରାର୍ଥୀ ଘୋଷଣା କରିସାରିଲାଣି। ଦିଲୀପ କୁମାର ପଣ୍ଡା କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ବିଜେପି ସନତ ଗଡତିଆ ଙ୍କୁ ପୁଣି ଥରେ ପ୍ରାର୍ଥୀ କରିବ ନା ବଦଳାଇବ ।ଗଲା ସାଧାରଣ ନିର୍ବାଚନରେ ନବୀନ ଙ୍କ ବିରୋଧରେ ନିର୍ବାଚନ ଲଢି ସନତ 53482 ଖଣ୍ଡ ଭୋଟ ପାଇଥିଲେ । ପଦ୍ମପୁରର ପୂର୍ବ ବିଧାୟକ ବିଜେପୁର ରେ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିବା କହିଛନ୍ତି।ତେବେ ଏହା ଭିତରେ ବିଜେପି କାହାକୁ ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି। ବିଜେଡି ମଧ୍ୟ ଏଥିରେ ପଛରେ ପଡିନାହିଁ ।ଏକ ନିର୍ବାଚନ କମିଟି ଗଠନ କରି ପ୍ରାର୍ଥୀ ଚୟନରେ ଲାଗିପଡିଛି । 2019 ସାଧାରଣ ନିର୍ବାଚନରେ ବରଗଡ ଲୋକସଭା ରୁ ଟିକେଟ ନପାଇ ବିଜେଡି ରେ ମିଶିଥିବା ସୁବାସ ଚୌହାନ ପଶ୍ଚିମ ଓଡ଼ିଶା ଅଧ୍ୟକ୍ଷ ଭାବେ ନିଯୁକ୍ତ ହେବା ପରେ ଏବେ ରିତା ସାହୁଙ୍କ ବାଟ ସଫା ବୋଲି କୁହାଯାଉଛି ।ତେବେ ଦେଖିବାକୁ ବାକିଅଛି ନବୀନ କାହା ମୁଣ୍ଡରେ ସୁନାକଳସ ଢାଳୁଛନ୍ତି ।ଯେତିକି ଯେତିକି ଦିନ ଗଡିଚାଲିଛି ସେତିକି ସେତିକି ଉତ୍କଣ୍ଠା ବୃଦ୍ଧି ପାଉଛି । ତେବେ ଦେଖିବାକୁ ବାକି ରହିଲା ବିଜେପୁର ପଡିଆରେ କେଉଁ ଦଳ ବାଜି ମାରିବ। ବିଜେଡି ତାର ପୂର୍ବ କୌଶଳରେ ନିର୍ବାଚନ ଜିତୁଛି ନା ବିଜେପି ପୂର୍ବ ଭୁଲକୁ ସୁଧାରି ନିର୍ବାଚନ କୁ ନିଜ ଅକ୍ତିଆରକୁ ନେଉଛି ।ଏପଟେ କଂଗ୍ରେସ ନିଜର ଗଡ କୁ ଫେରି ପାଇବା ପାଇଁ କଣ ପନ୍ଥା ଅବଲମ୍ବନ କରୁଛି ତାହା ଦେଖିବାକୁ ବାକି ରହିଲା ।
ରଜତ କୁମାର ପଣ୍ଡା.. iimc

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles