ଫେରିଯିବାଟା କଣ ସହଜ?

- Advertisement -

AI ଦେଖାଇପାରେ ଅଶୀ ଦଶକର ଲୁକ୍, ହେଲେ ଫେରାଇ ଆଣିପାରିବ କି ସେ ସମୟର ଜୀବନ?

ଏଇ କିଛି ଦିନ ହେବ ସୋସିଆଲ ମିଡିଆରେ ଅଶୀ ଦଶକର ଲୁକ୍‌ରେ ଫଟୋ ପୋଷ୍ଟ କରିବାର ଟ୍ରେଣ୍ଡ ଜୋର ଧରିଛି। ସମାଜର ପ୍ରାୟ ସବୁ ବର୍ଗର ଲୋକ ନିଜକୁ ୮୦ ଦଶକର ପୋଷାକ, ଚେହେରା ଓ ପରିବେଶରେ ଦେଖିବାକୁ ଚାହୁଁଛନ୍ତି। ଆଉ ଏହାକୁ ସମ୍ଭବ କରିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ AI।

କିଛି ସେକେଣ୍ଡରେ ଆମେ ନିଜକୁ ନେଇଯାଇପାରୁଛେ ଏକ ଭିନ୍ନ ସମୟକୁ। ଏମିତି ଏକ ସମୟ, ଯାହା ଆମ ଭିତରେ ଲୁଚି ରହିଥିବା ପୁରୁଣା ସ୍ମୃତିକୁ ହଠାତ୍ ଜାଗ୍ରତ କରିଦିଏ।

ବୋଧହୁଏ ଏହି ଟ୍ରେଣ୍ଡ ହିଁ କହୁଛି ଆଧୁନିକତାର ଦୌଡ଼ରେ ଧାଉଥିବା ମଣିଷଟିଏ ଆଜି ପୁଣି ତା’ର ଅତୀତକୁ ଖୋଜୁଛି। କିନ୍ତୁ ପ୍ରଶ୍ନଟି ହେଉଛି, କେବଳ ଫଟୋରେ ୮୦ ଦଶକକୁ ଫେରିଯିବା ଯଥେଷ୍ଟ କି? ଫେରିଯିବାଟା କଣ ଏତେ ସହଜ? କଥାରେ ଅଛି—ହାତରୁ ଥରେ ଧନୁତୀର ଖସିଗଲେ, ଆଉ ଫେରେନା। ସମୟ ମଧ୍ୟ ସେମିତି। ଯେଉଁ ସମୟ ଚାଲିଗଲା, ତାକୁ ଠିକ୍ ସେହି ରୂପରେ ଫେରାଇ ଆଣିବା ବୋଧହୁଏ ସମ୍ଭବ ନୁହେଁ।ହଁ, AI ଆମ ମୁହଁକୁ ୮୦ ଦଶକର ଲୁକ୍ ଦେଇପାରେ। କିନ୍ତୁ ସେ ସମୟର ମନକୁ ଦେଇପାରିବ କି?

ସନ୍ଧ୍ୟାରେ ଘରର ବାଲକୋନିରେ ବସିଛନ୍ତି ମହାନ୍ତି ବାବୁ। ମୋବାଇଲ୍‌ରେ ଗୋଟିଏ ପରେ ଗୋଟିଏ ୮୦ ଦଶକର ଲୁକ୍‌ର ଫଟୋ ଦେଖୁଛନ୍ତି। ହଠାତ୍ ତାଙ୍କ ମନରେ ପ୍ରଶ୍ନଟିଏ ଉଠୁଛି, “ଆମେ ସତରେ କ’ଣ ସେ ସମୟକୁ ମନେ ପକାଉଛୁ? ନା କେବଳ ସେ ସମୟର ଚେହେରାକୁ?”

ଓଡ଼ିଆ ଘରର କଥା ଭାବନ୍ତୁ। ଆଜି ‘ଓଡ଼ିଆ ଅସ୍ମିତା’ ଶବ୍ଦଟି ବହୁତ ଚର୍ଚ୍ଚାରେ। କିନ୍ତୁ ଅସ୍ମିତା କେବଳ ଗୋଟିଏ ଶବ୍ଦ ନା ଏହା ଗୋଟିଏ ଜୀବନଶୈଳୀ? ଅଶୀ ଦଶକର ଓଡ଼ିଆ ଘରର ଅସ୍ମିତା କେବଳ ଘରର କାନ୍ଥରେ ଟଙ୍ଗା ଥିବା ଫଟୋରେ ନଥିଲା। ଥିଲା ସମ୍ପର୍କରେ, ଆଚରଣରେ ଓ ପରମ୍ପରାରେ। ଗୁରୁଜନଙ୍କ ପ୍ରତି ସମ୍ମାନ ଥିଲା। ଶାଶୁ-ଶ୍ୱଶୁରଙ୍କ ପ୍ରତି ଦାୟିତ୍ୱବୋଧ ଥିଲା। ପରିବାରର ବଡ଼ମାନଙ୍କ କଥାର ଗୁରୁତ୍ୱ ଥିଲା। ଭାଇ, କାକା, ଦାଦା କିମ୍ବା ଗାଁର ଅନ୍ୟ ଗୁରୁଜନଙ୍କ ସାମ୍ନାରେ ଭୁଲ୍ କାମ କରିବା ତ ଦୂରର କଥା, ମୁହଁ ଉଠାଇ ଚାହିଁବାକୁ ବି ଲୋକେ ଭାବୁଥିଲେ।

ସେଠି ଭୟ ଥିଲା, କିନ୍ତୁ ସେ ଭୟରେ ଶୃଙ୍ଖଳା ଥିଲା।

ସେଠି ସଂକୋଚ ଥିଲା, କିନ୍ତୁ ସେ ସଂକୋଚରେ ସମ୍ମାନ ଥିଲା।

ଆଉ ସବୁଠାରୁ ବଡ଼ କଥା—ମଣିଷ ଅଳ୍ପରେ ଖୁସି ହେବା ଜାଣିଥିଲା।

ଆଜି ଆମ ପାଖରେ ସବୁକିଛି ଅଛି। ମୋବାଇଲ୍ ଅଛି, ଇଣ୍ଟରନେଟ୍ ଅଛି, AI ଅଛି, ସୁବିଧା ଅଛି। ଗୋଟିଏ କ୍ଲିକ୍‌ରେ ଦୁନିଆ ଆମ ହାତ ପାହାନ୍ତାରେ। କିନ୍ତୁ ଏତେ ସୁବିଧା ଭିତରେ ଶାନ୍ତି କେତେ ଅଛି? ଅଶୀ ଦଶକରେ ଘର ଛୋଟ ଥିଲା, କିନ୍ତୁ ପରିବାର ବଡ଼ ଥିଲା। ଆଜି ଘର ବଡ଼ ହୋଇଛି, କିନ୍ତୁ ପରିବାର ଛୋଟ ହୋଇଯାଇଛି। ସେତେବେଳେ ଯୌଥ ପରିବାର ଥିଲା। ଆଜି ଅନେକ ସମୟରେ ଗୋଟିଏ ଘର ଭିତରେ ରହୁଥିବା ଲୋକମାନଙ୍କ ମଧ୍ୟରେ ବି ଦୂରତା ଦେଖାଯାଉଛି।

ସେତେବେଳେ ପୂଜାରେ ଭକ୍ତି ଥିଲା, ଆବେଗ ଥିଲା। ପର୍ବପର୍ବାଣୀରେ ସମସ୍ତେ ଏକାଠି ହେବାର ଆନନ୍ଦ ଥିଲା।

ପ୍ରେମରେ ତ୍ୟାଗ ଥିଲା, ନିଃସ୍ୱାର୍ଥତା ଥିଲା। ପିଲାଙ୍କ ପ୍ରତି ସ୍ନେହ ଥିଲା, ଗୁରୁଜନଙ୍କ ପ୍ରତି ଭକ୍ତି ଥିଲା। ସମାଜ ପ୍ରତି କର୍ତ୍ତବ୍ୟ ଥିଲା।

ପ୍ରକୃତିକୁ ଭଲ ପାଇବା ଥିଲା ଏବଂ ପ୍ରକୃତି ସହିତ ବଞ୍ଚିବାର ଅଭ୍ୟାସ ଥିଲା।

କଥା କଥାକେ ଆମ ଗୁରୁଜନମାନେ କହନ୍ତି, ଆମ ସମୟରେ ଏମିତି ନଥିଲା… ସେମିତି ଥିଲା।  ଆମେ ହୁଏତ କହୁଛୁ—

ଆରେ, ଏଇଟା ତ ଏବେ ଟ୍ରେଣ୍ଡ ହେଉଛି  । ଫରକଟା ଏଇଠି।୮୦ ଦଶକର ଟ୍ରେଣ୍ଡ ଆଜି ମଧ୍ୟ ତାଜା ଲାଗୁଛି, କାରଣ ତାହା କେବଳ ଫ୍ୟାଶନ୍ ନଥିଲା—ତାହା ଥିଲା ଏକ ଜୀବନଶୈଳୀ

ଶିକ୍ଷା, ରାଜନୀତି, ସମାଜ ଓ ମଣିଷର ଜୀବନଶୈଳୀ ଆମକୁ ବହୁତ ବଦଳାଇଛି। ପରିବର୍ତ୍ତନ ଖରାପ ନୁହେଁ। ପରିବର୍ତ୍ତନ ଆବଶ୍ୟକ ମଧ୍ୟ। କିନ୍ତୁ ପରିବର୍ତ୍ତନର ଦୌଡ଼ରେ ଆମେ ଯଦି ଆମର ମୂଳକୁ ହିଁ ଭୁଲିଯାଉ, ତେବେ ଆମର ଏହି ଆଧୁନିକତାର ଅର୍ଥ କ’ଣ?

AI ଆମକୁ କେତେ ଦୂର ନେଇପାରିବ ? AI ଆମକୁ ଅଶୀ ଦଶକର ପୋଷାକ ପିନ୍ଧାଇପାରେ।ପୁରୁଣା ଘର ଆଗରେ ଠିଆ କରିପାରେ। ପୁରୁଣା ସାଇକେଲ୍ ଦେଇପାରେ। ପୁରୁଣା ଦିନର ଚେହେରା ଦେଇପାରେ। କିନ୍ତୁ AI କ’ଣ ଆମକୁ ସେ ସମୟର ମନ ଦେଇପାରିବ? ସେ ଯୌଥ ପରିବାର ଦେଇପାରିବ? ସେ ଗୁରୁଜନଙ୍କ ପ୍ରତି ସମ୍ମାନ ଦେଇପାରିବ? ସେ ଅଳ୍ପରେ ଖୁସି ହେବାର ଅଭ୍ୟାସ ଦେଇପାରିବ? ସେ ନିଃସ୍ୱାର୍ଥ ପ୍ରେମ ଦେଇପାରିବ?ସେ ପ୍ରକୃତି ସହ ବଞ୍ଚିବାର ମନ ଦେଇପାରିବ?

ନା। କାରଣ ଏସବୁ କୌଣସି ଆପ୍‌ର ଫିଲ୍ଟର ନୁହେଁ।ଏସବୁ ହେଉଛି ମଣିଷ ଭିତରର ମୂଲ୍ୟବୋଧ। ତେବେ ଚାଲନ୍ତୁ, ଫଟୋ ନୁହେଁ—ଜୀବନକୁ ଫେରାଇବା ଜୀବନ ତ ଥରେ। କେତେବେଳେ ଏହି ଜୀବନରଥ ଅଟକିଯିବ, ତାହା କାହାକୁ ଜଣାନାହିଁ। କାହାର ଇଚ୍ଛା ନାହିଁ ଭଲ ଖାଇବାକୁ? କାହାର ଇଚ୍ଛା ନାହିଁ ଶାନ୍ତିରେ ଶୋଇବାକୁ? କାହାର ଇଚ୍ଛା ନାହିଁ ପରିବାର ସହ ହସିବାକୁ? ସମସ୍ତଙ୍କର ଅଛି।ତେବେ ଯଦି ଆମେ ସତରେ ୮୦ ଦଶକକୁ ଫେରିବାକୁ ଚାହୁଁଛୁ, ତେବେ କେବଳ ଲୁକ୍ କାହିଁକି?

ଚାଲନ୍ତୁ ଫେରିବା— ଯୌଥ ପରିବାରର ଉଷ୍ମତାକୁ। ଅଳ୍ପରେ ଶାନ୍ତିକୁ। ସମସ୍ତଙ୍କ ପ୍ରତି ଦୟାଭାବକୁ। ପୂଜାରେ ଭକ୍ତି ଓ ଆବେଗକୁ। ପ୍ରେମରେ ତ୍ୟାଗ ଓ ନିଃସ୍ୱାର୍ଥତାକୁ। ଗୁରୁଜନଙ୍କ ପ୍ରତି ସମ୍ମାନକୁ। ପିଲାଙ୍କ ପ୍ରତି ସ୍ନେହକୁ। ସମାଜ ପ୍ରତି କର୍ତ୍ତବ୍ୟବୋଧକୁ। ଆଉ ପ୍ରକୃତି ସହ ମିଶି ବଞ୍ଚିବାର ସେହି ପୁରୁଣା ଅଭ୍ୟାସକୁ। ଏହା ସହଜ ନୁହେଁ। କିନ୍ତୁ ଅସମ୍ଭବ ମଧ୍ୟ ନୁହେଁ। କେବଳ ଆମ ଭିତରେ ସେହି ‘ଟ୍ରେଣ୍ଡ’ର ନିଶା ଲାଗିବା ଦରକାର। ଥରେ ଭାବନ୍ତୁ…ଯଦି ସତରେ ଆମେ ସେ ସମୟକୁ ଫେରିଯାଉ, ଆମ ସମାଜ କେମିତି ଦେଖାଯିବ?

ଆଉ ସବୁଠାରୁ ବଡ଼ ପ୍ରଶ୍ନ—ଆପଣ କେମିତି ଦେଖାଯିବେ?ସେତେବେଳେ ବୋଧହୁଏ ଆଉ AIର ଆବଶ୍ୟକତା ପଡ଼ିବନି।କାରଣ ଆପଣଙ୍କ ଚେହେରାରେ ନୁହେଁ, ଆପଣଙ୍କ ଜୀବନରେ ହିଁ ଦେଖାଯିବ ଅଶୀ ଦଶକ। ଫେରିଯିବାଟା ସହଜ ନୁହେଁ…

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_img

Latest Articles