ଯାଜପୁର: ଦୁଇ ଦିନ ତଳେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଔଦ୍ଧତ୍ଯ ଆଚରଣ ବିରୁଦ୍ଧରେ ସାରା ଓଡ଼ିଶାର ସାମ୍ବାଦିକମାନେ ସ୍ବର ଉତ୍ତୋଳନ କରୁଥିବା ବେଳେ, ଆଜି ଯାଜପୁରରେ ମଧ୍ୟ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଆଜି ସଖାଳୁ ଜିଲ୍ଲାର ବିଭିନ୍ନ ବ୍ଲକର ସାମ୍ବାଦିକମାନେ ଏକାଠି ହୋଇ ସ୍ଥାନୀୟ ଗାନ୍ଧୀଛକଠାରୁ ଏକ ଶୋଭାଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ଯରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଯାଜପୁର ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍ ର ସଭାପତି ସମରଜିତ୍ ମହାନ୍ତିଙ୍କ ଆହ୍ବାନରେ ଶତାଧିକ ସାମ୍ବାଦିକ ଯାଜପୁର ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିଥିଲେ । ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ଯରେ ଦିଆଯାଇଥିବା ଉକ୍ତ ସ୍ମାରକପତ୍ର ମାଧ୍ୟମରେ ସାଂସଦ ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ, ସାଂସଦ ପଦରୁ ବହିଷ୍କାର ପାଇଁ ଦାବି କରିବା ସହ ସାଂସଦଙ୍କ ଆଚରଣକୁ ତୀବ୍ର ନିନ୍ଦା କରାଯାଇଛି । ଏଥିସହ ରାଜ୍ୟ ସରକାର ଯଥାଶୀଘ୍ର ସାମ୍ବାଦିକ ସୁରକ୍ଷା ନୀତି ପ୍ରଣୟଣ ପାଇଁ ମଧ୍ୟ ସ୍ବର ଉତ୍ତୋଳନ କରାଯାଇଥିଲା । ସରକାର ଯଦି ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ଆଗାମୀ ଦିନରେ ସାରା ଓଡ଼ିଶାର ସାମ୍ବାଦିକମାନେ ରାଜରାସ୍ତାକୁ ଓଲ୍ହାଇବା ସହ ବିଧାନସଭା ଘେରାଉ କରିବାକୁ ପଛାଇବେ ନାହିଁ ବୋଲି ସୂଚନା ଦିଆଯାଇଛି ।