ପେନ୍‌ସନ୍, ପ୍ରୋଟେକ୍‌ସନ୍ ଓ ଆକ୍ରିଡ଼େସନ୍ ଦାବିରେ ବିଧାନସଭା ସମ୍ମୁଖରେ ଓୟୁଜେର ଧାରଣା

0
155

ପେନ୍‌ସନ୍, ପ୍ରୋଟେକ୍‌ସନ୍ ଓ ଆକ୍ରିଡ଼େସନ ଦାବିରେ ବିଧାନସଭା ସମ୍ମୁଖ ଲୋୟର ପିଏମ୍‌ଜିରେ ଓୟୁଜେ ପକ୍ଷରୁ ଗଣଧାରଣା ଦିଆଯାଇଛି ମୋହନ ସରକାର ବିରୋଧରେ । ଏଥିରେ ୩୦ଟି ଜିଲ୍ଲା ଶାଖାରୁ ପ୍ରାୟ ପାଞ୍ଚଶହରୁ ଊର୍ଦ୍ଧ୍ବ ସାମ୍ବାଦିକ ଯୋଗଦେଇ ଦାବି ସପକ୍ଷରେ ସ୍ଲୋଗାନ୍ ଦେଇଥିଲେ । ପ୍ରତିଶ୍ରୁତି ଦେଇ ବିଜେପି ସରକାର କିପରି ସାମ୍ବାଦିକଙ୍କ ଗୋଟିଏ ବି ଦାବି ପୂରଣ କରିନାହାନ୍ତି ତାହାକୁ ପ୍ରତିବାଦ ସଭାରେ ବଖାଣିଥିଲେ ଓଡ଼ିଶାର ବିଭିନ୍ନ କୋଣରୁ ଆସିଥିବା ସାମ୍ବାଦିକମାନେ। ବିରୋଧୀ ବିଜେଡ଼ି ଓ କଂଗ୍ରେସର ବିଧାୟକମାନେ ସମାବେଶରେ ଯୋଗଦେଇ ସାମ୍ବାଦିକଙ୍କ ଦାବି ସପକ୍ଷରେ ମତ ରଖିଥିଲେ। ବିଜେଡି ବିଧାୟକ ଅରୁଣ ସାହୁ କହିଥିଲେ ଯେ ସାମ୍ବାଦିକଙ୍କ ଦାବିକୁ ଆମ ଦଳ ସମର୍ଥନ କରୁଛି। ରାଜ୍ୟର ଆଜି ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ଯେଉଁ ଧାରଣା ସ୍ଥଳରେ ସାମ୍ବାଦିକମାନେ ଅନ୍ୟ ସଙ୍ଗଠନ ସମସ୍ୟାକୁ ସରକାରଙ୍କ ପାଖରେ ପହଞ୍ଚାଇବା କଥା ସେମାନେ ଆଜି ଆନ୍ଦୋଳନ କରୁଛନ୍ତି । ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ ସରକାର ତୁରନ୍ତ ସାମ୍ବାଦିକଙ୍କ ଦାବିକୁ ପୂରଣ କରନ୍ତୁ। କଂଗ୍ରେସ ଦଳ ସବୁବେଳେ ସାମ୍ବାଦିକଙ୍କ ଦାବି ସହ ଅଛି ଓ ରହିବ। ଓୟୁଜେର ସଭାପତିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଗଣସମାବେଶରେ ବରିଷ୍ଠ କଂଗ୍ରେସ ନେତା, ବିଧାୟକ ତାରାପ୍ରସାଦ ବାହିନୀପତି, ବିଜେଡ଼ି ବିଧାୟକ ଅରୁଣ ସାହୁ, ଅନନ୍ତ ନାରାୟଣ ଜେନା, ସଞ୍ଜୀବ ମଲ୍ଲିକ, ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଶାରଦା ଜେନା, ପ୍ରଦୀପ ସାହୁ, ମାଧବ ଧଡ଼ା ଓ ରୂପେଶ ପାଣିଗ୍ରାହୀ ପ୍ରମୁଖ ଉଦ୍‌ବୋଧନ ଦେଇ ଓୟୁଜେ ପକ୍ଷରୁ ଉପସ୍ଥାପିତ ଦାବି ଯଥାର୍ଥ ଓ ଏହାକୁ ବିଧାନସଭାରେ ପ୍ରଭାବୀ ଢଙ୍ଗରେ ଉତ୍‌ଥାପନ କରାଯିବା ବୋଲି ପ୍ରତିଶ୍ରୁତି ଦେଇଥିଲେ।ସେହିପରି ବରିଷ୍ଠ ସାମ୍ବାଦିକ ରବି ଦାସ, ଓୟୁଜେ ଉପସଭାପତି ରାଜେଶ ପଟ୍ଟନାୟକ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ କିଶାନ ରାଉତ, ପ୍ରମୋଦ ସାମନ୍ତରାୟ, ସମ୍ପାଦକ ପ୍ରସନ୍ନ ପାଇକରାୟ, କୋଷାଧ୍ୟକ୍ଷ ଅମୂଲ୍ୟ ସ୍ୱାଇଁ, ସଂଯୋଜକ ସନ୍ତୋଷ ସିଂଦେଓ, ଦେବପ୍ରସାଦ ଦାସ, ବଦ୍ରିନାରାୟଣ ମିଶ୍ର, ଆଦିତ୍ୟ ମେକାପ, ରୂପେଶ ସାହୁ ଓ ରାମନାରାୟଣ ଶତପଥୀ ପ୍ରମୁଖ ବକ୍ତବ୍ୟ ରଖି ସାମ୍ବାଦିକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ତୁରନ୍ତ ପାଳନ କରାଯାଉ ବୋଲି ଦାବି କରିଥିଲେ। ଶେଷରେ ସଭାପତି ଶ୍ରୀ ମହାନ୍ତି ଗଣଧାରଣାର ଏହିଭଳି ବ୍ୟାପକ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହାପରେ ଓୟୁଜେର ଏକ ପ୍ରତନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟି ଦାବିପତ୍ର ଦେଇଥିଲେ। ମୁଖ୍ୟମନ୍ତ୍ରୀ ଦାବି ପ୍ରତି ଅବଗତ ଥିବା କହିଥିବା ଓୟୁଜେ ପ୍ରେସ ବାର୍ତ୍ତା ରେ ଜଣାଇଛି।