ଛେପ ପକାଇ ଢୋକିଲେ ବିଜେପି ବିଧାୟକ

0
172

ବିଧାନସଭାରେ ଅକଳରେ ପଡିଗଲେ ବିଜେପି ବିଧାୟକ ବିଭୂତି ପ୍ରଧାନ। କଥା ଟା ପୁରା ବିଛା ମନ୍ତ୍ର ନଜାଣି ସାପ ଗାତରେ ହାତ ପୁରାଇଲା ପରି। ମୌସୁମୀ ଅଧିବେଶନର ୪ର୍ଥ ଦିନର ଅପରାହ୍ନରେ ବିଜେପି ବିଧାୟକ ବିଭୂତି ପ୍ରଧାନ ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ କମିଟି ଗଠନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦାବି କରି ଅଡୁଆରେ ପଡ଼ିଥିଲେ ।ବିଧାୟକ କହିଥିଲେ ଯେ ପୂର୍ବରୁ ପ୍ରଧାନମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ତଦନ୍ତ ପାଇଁ କହିଥିଲେ । ନବୀନ ପଟ୍ଟନାୟକ ପ୍ରତି ସମସ୍ତଙ୍କ ଭଲ ପାଇବା ଅଛି। ବିଭୂତି ପ୍ରଧାନ ଆହୁରି କହିଥିଲେ, ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି, ତାମିଲ ବାବୁ ସକ୍ରିୟ ହେବା ବେଳେ ନବୀନ ବାବୁ ନିଷ୍କ୍ରିୟ ହୋଇପଡନ୍ତି । ନବୀନ ବାବୁ ସକ୍ରିୟ ହେଲେ ତାମିଲ ବାବୁ ସନ୍ନ୍ୟାସ ନିଅନ୍ତି କହିଥିବା ବେଳେ ଯାହାକୁ ନେଇ ଗୃହରେ ତାତି ଦେଖିବାକୁ ମିଳିଛି । ବିଜେପି ବିଧାୟକଙ୍କ ବୟାନ ଗୃହ ବିବରଣୀରୁ ବାଦ ଦେବାକୁ ଦାବି କରି ପ୍ରତିବାଦ କରିଥିଲା ବିଜେଡି । ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଲେ ଗୃହରେ ଅପସଙ୍ଗକୁ ପ୍ରସଙ୍ଗ କରୁଛନ୍ତି । ଏହା ହେବା ଉଚିତ ନୁହେଁ । ଏଭଳି କଥା ଗୃହରେ ଭୁଲ ପରମ୍ପରା ସୃଷ୍ଟି କରୁଛି । ତେଣୁ ଏହାକୁ ଗୃହ ବିବରଣୀରୁ ବାଦ ଦେବାକୁ ଦାବି କରିଥିଲେ ବିଜେଡି ସଦସ୍ୟ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମଧ୍ୟ ଏ ପ୍ରସଂଗରେ ବିଧାୟକ ଓ ଶାସକ ଦଳକୁ ଟାର୍ଗେଟ କରି ବିଜେପି ବିଧାୟକଙ୍କ ବୟାନକୁ ବିବରଣୀରୁ ବାଦ ଦେବାକୁ ଦାବି କରୁଥିଲେ। ଗୃହ ସ୍ୱାଭାବିକ ଭାବେ ଚାଲୁଥିବା ସମୟରେ ବିଜେପି ବିଧାୟକଙ୍କ ଏପରି ବୟାନ ଗୃହରେ ପୁଣି ହଟ୍ଟଗୋଳ ପରିସ୍ଥିତି ସୃଷ୍ଟି କରିଥିଲା। ବିଜେଡିର ସମସ୍ତ ବିଧାୟକ ମାନେ ନିଜ ଆସନରେ ଛିଡା ହୋଇ ବିଜେପି ବିଧାୟକଙ୍କ ବୟାନକୁ ସମାଲୋଚନା କରିଥଲେ। ଗୃହକୁ ସ୍ବାଭାବିକ ଆଣିବାକୁ ବାଚସ୍ପତି କହିଲେ ବିରୋଧୀ ଦଳ ନେତାଙ୍କ ସ୍ବାସ୍ଥ୍ୟବସ୍ଥା ନେଇ କୌଣସି ତଦନ୍ତ ଆବଶ୍ୟକତା ନାହିଁ । ମୁଁ ଅନୁଭବ କରୁଛି ବିଧାୟକ ଭାବପ୍ରାବଣତାରେ ଏପରି କହି ଦେଇଛନ୍ତି । କିନ୍ତୁ ବିଜେଡି ସଦସ୍ୟଙ୍କ ଜୋରଦାର ପ୍ରତିବାଦ ପରେ ବିଧାୟକ ବିଭୂତି ପ୍ରଧାନ ନିଜ ବୟାନ ପ୍ରତ୍ୟାହାର କରି ନେଇଛନ୍ତି । ସେ କହିଥିଲେ ଯେ ମୁଁ କହୁଥିବା ବୟାନକୁ ମୁଁ ପ୍ରତ୍ୟାହାର କରୁଛି।