ଭୁବନେଶ୍ୱର : ନିଜ ଜୀବନକୁ ବାଜି ଲଗାଇ କରୋନା ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସାମ୍ବାଦିକମାନଙ୍କୁ ପଶ୍ଚିମବଙ୍ଗ ଢାଞ୍ଚାରେ ବୀମା ସୁରକ୍ଷା ଯୋଗାଇଦେବା ସହ ଅନ୍ୟ ସାମାଜିକ ନିରାପତ୍ତା ଯୋଗାଇ ଦେବାକୁ ଓଡିଶା ସାମ୍ବାଦିକ ୟୁନିଅନ ( ଓୟୁଜେ) ଦାବିକରିଛି। ଏହିମର୍ମରେ ଓୟୁଜେ ସଭାପତି , ଏନ୍ ୟୁ ଜେ ମହାସଚିବ ପ୍ରସନ୍ନ ମହାନ୍ତି ଓ ସାଧାରଣ ସମ୍ପାଦକ ଅଶୋକ ନନ୍ଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଶନିବାରଦିନ ଏକ ଚିଠି ଲେଖି ଜଣାଇଛନ୍ତି ଯେ ରାଜ୍ୟରେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସାମ୍ବାଦିକମାନେ କରୋନା ସମ୍ପର୍କିତ ସମ୍ବାଦ ନିରବଛିର୍ଣ୍ଣ ଭାବେ ପରିବେଷଣ କରି ଆସୁଛନ୍ତି।ଅନ୍ୟମାନଙ୍କ ଭଳି ସେମାନଙ୍କ ଜୀବନ ପ୍ରତି ମଧ୍ୟ ଯଥେଷ୍ଟ ବିପଦ ରହିଛି। ଉଭୟ ଖବରକାଗଜ ଓ ଇଲେକ୍ଟ୍ରୋନିକ୍ସ ଗଣମାଧମରେ କାର୍ଯ୍ୟକରୁଥିବା ସାମ୍ବାଦିକମାନେ ନିଜ ପରିବାରକୁ ଭୁଲି ଖବର ପରିବେଷଣରେ ରାତିଦିନ ଏକ କରିଦେଇଛନ୍ତି। ସେମାନଙ୍କର ଏହି ଭୂମିକାକୁ ଉଭୟ ରାଜ୍ୟସରକାର ଓ କେନ୍ଦ୍ରସରକାର ମଧ୍ୟ ଯଥେଷ୍ଟ ତାରିଫ କରିଛନ୍ତି।କରୋନାର ପ୍ରଭାବ ଏନେକ କ୍ଷେତ୍ରର ଆର୍ଥିକ ଭିତ୍ତିଭୂମିକୁ ଦୋହଲାଇ ଦେଇଥିବାବେଳ ସାମ୍ବାଦିକ ଓ ଗଣମାଧ୍ୟମ ଉପରେ ମଧ୍ୟ ଏହାର ଯଥେଷ୍ଟ ପତିକୂଳ ପ୍ରଭାବ ପଡିଛି। ଆର୍ଥିକ ଓ ବୃତ୍ତିଗତ ଦ୍ରୁଷ୍ଟିରୁ ସାମ୍ବାଦିକମାନଙ୍କ ପାଇଁ ଯଥେଷ୍ଟ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଜୀବନ ପ୍ରତି ମଧ୍ୟ ବିପଦ ଦେଖା ଦେଇଛି। ଏହି ପରିପ୍ରେକ୍ଷୀରେ ପଡୋଶୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ଦିନ ସାମ୍ବାଦିକମାନଙ୍କ ସମସ୍ୟାକୁ ଉପଲବ୍ଧି କରି କରୋନା ଦ୍ରୁଷ୍ଟିରୁ ରାଜ୍ୟର ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବୀମା ସୁରକ୍ଷା ଘୋଷଣା କରିଥିବା ଦର୍ଶାଇ ଓୟୁଜେ ପକ୍ଷରୁ ଆମ ରାଜ୍ୟରେ ମଧ୍ୟ ସାମ୍ବାଦିକମାନଙ୍କୁ ଅନୁରୂପ ସୁରକ୍ଷା ଓ ପ୍ରୋତ୍ସାହନ ଯୋଗାଇଦେବାକୁ ଚିଠି ମାଧ୍ୟମରେ ଦାବି କରାଯାଇଛି। ଏହା ପୂର୍ବରୁ ମଧ୍ୟ ଓୟୁଜେ ପକ୍ଷରୁ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇ ଅନୁରୂପ ଦାବି କରାଯାଇଥଲା।
Home Uncategorized ପଶ୍ଚିମବଙ୍ଗ ଢାଞ୍ଚାରେ ସାମ୍ବାଦିକଙ୍କୁ ମିଳୁ ବୀମା ସୁରକ୍ଷା: ମୁଖ୍ୟମନ୍ତ୍ରୀଙ୍କୁ ଓୟୁଜେର ଚିଠି।