୨୪ପରେ ରାଜନୀତିର ଅକୁହାକଥା

- Advertisement -

 ୨୦୨୪ ସାଧାରଣ ନିର୍ବାଚନ ପରେ ଓଡିଶା ରାଜନୀତିର ପାଣିପାଗ ଗୋଳମାଳିଆ ହୋଇଛି । ବିଜେପି, ବିଜେଡି ଓ କଂଗ୍ରେସ ଶିବିରର ରାଜନୀତି କେତେବେଳେ କେଉଁ ଦିଗ ଦେଇ ଗତିକରୁଛି ତାହା ବୁଝିବା ମୁସ୍କିଲ । ଶାସକ, ଶାସକ ଦଳର ଭୂମିକା ନିଭାଉଛି କି ନାହିଁ ତାହା ସନ୍ଦେହରେ ଥିବା ବେଳେ ମୁଖ୍ୟ ବିରୋଧୀ ବିଜେଡି ବିରୋଧୀ ଭୂମିକାରେ ଅଛି କି ନାହିଁ ତାହା ଜଣାପଡୁନାହିଁ । କଂଗ୍ରେସ ଟିକେ ଜୋସରେ ଥିଲେ ମଧ୍ୟ ଭକ୍ତ ବିରୋଧରେ ଅସନ୍ତୋଷର ନିଆଁ ବି ଦଳ ଭିତରେ କୁହୁଳୁଛି। ଏପରି ସ୍ଥିତିରେ ଓଡିଶାବାସୀଙ୍କ ସ୍ବାର୍ଥ ଓ ସ୍ବପ୍ନ କେତେପୂରଣ ହେଉଛି ବାସ୍ତବରେ ତାହାକୁ ନେଇ ଆରମ୍ଭ ହୋଇଛି ଅବଗଣନା।

ବିଜେପି

୧୩ ମାସର ବିଜେପି ସରକାର ଓଡିଶାରେ। ବିଜେପି ଶାସକ ଦଳରେ ଥିଲେ ମଧ୍ୟ ସରକାରଙ୍କର କାର୍ଯ୍ୟଶୈଳୀ ଲୋକଙ୍କୁ ସେତେଟା ପ୍ରଭାବିତ କରିପାରୁନାହିଁ । ଶାସକ ଦଳର ସଫଳତା ଅପେକ୍ଷା ବିଫଳତା ବେଶି ଲୋକଙ୍କ ପାଖକୁ ଯାଉଛି । ଶାସକ ଦଳ ଲୋକଙ୍କ କଥା କଣ ବୁଝିବ, ଖୋଦ ନିଜ ବିଧାୟକଙ୍କ କଥାକୁ ମନ୍ତ୍ରୀମାନେ ଶୁଣୁନାହାନ୍ତି ବୋଲି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଭିଯୋଗ କରୁଥିବା ଚର୍ଚ୍ଚା ହେଉଛି । ସମାନ ଅଭିଯୋଗ ସାଂସଦମାନେ ଦିଲ୍ଲୀ ବୈଠକରେ ରାଜ୍ୟ ସଭାପତି ଓ ସଂଗଠନ ସମ୍ପାଦକଙ୍କ ପାଖରେ କରିଛନ୍ତି । ଦଳ କ୍ଷମତାରେ ଥିଲେ ମଧ୍ୟ ବିଧାୟକ ଓ ସାଂସଦଙ୍କ କାମ ହେଉନଥିବାରୁ ଦଳରେ ଅସନ୍ତୋଷ ଉଗ୍ରରୂପ ନେଇଛି । କେହି କାହାକୁ ମାନିବାକୁ ନାରାଜ ହୋଇଛନ୍ତି । ଫଳରେ ବିକାଶ କାମ ଧିମେଇ ଯିବା ସହ ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ମଧ୍ୟରେ ତାଳମେଳ ରହୁନାହିଁ । ଦଳ ୩ଗୋଷ୍ଠୀରେ ବିଭକ୍ତ ହୋଇଥିବାରୁ ୧୩ ମାସ ହେବ ଖାଲିପଡିଥିବା ୬ଟି ମନ୍ତ୍ରୀପଦ ପୂରଣ ହୋଇପାରୁଛି ନାଁ ନିଗମ ବଣ୍ଟନ ହୋଇପାରୁଛି । ଲାଗୁଛି ଯେମିତି ବିଜେପର ଶତ୍ରୁର ବିରୋଧୀ ନୁହେଁ, ବିଜେପିର ଶତ୍ରୁ ବିଜେପି । ଯାହାକୁ ନେଇ କେନ୍ଦ୍ରୀୟ ନେତୃତ୍ବ ଚିନ୍ତାରେ ପଡିଛନ୍ତି ।

ବିଜେପି ଓଡିଶାରେ ଚେହେରା ସାଜିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର, ଅପରାଜିତା ଷଢଙ୍ଗୀ, କେନ୍ଦ୍ରମନ୍ତ୍ରୀ ଅଶ୍ବନୀ ବୈଷ୍ଣବ, ଜୁଏଲ ଓରାମ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସଂଗଠନ ସମ୍ପାଦକ ମାନସ । ଏହି ଗୋଷ୍ଠୀର ସ୍ବର ଏକ ହୋଇପାରୁନଥିବାରୁ ବିଜେପିରେ ପ୍ରତ୍ୟେକ ଦିନ ଅନେକ ଅକୁହା କଥା ଘଟୁଛି । ଯାହା ନା ଦଳ ସହିପାରୁଛି ନା କାହାକୁ କହିପାରୁଛି ।

ବିଜେଡି –

୨୪ରେ ବିଜେଡି ପ୍ରଥମଥର ପାଇଁ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି ଓଡିଶା ରାଜନୀତିରେ । ୫୧ଜଣ ବିଧାୟକଙ୍କ ସହ ସଶକ୍ତ ଦଳ ଭାବେ ଉଭା ହୋଇଛି । ୧୩ମାସରେ ବିଜେପି ସରକାର ବିଫଳତା ଚରମସୀମାରେ ପହଞ୍ଚିଥିବା ବେଳେ ମୁଖ୍ୟ ବିରୋଧୀ ଭାବେ ବିଜେଡି ଯେପରି ସରକାରଙ୍କ ବିରୋଧରେ ଆଭିମୁଖ୍ୟ ରଖିବା କଥା ତାହା ରଖିପାରୁନାହିଁ । ବିଜେପି ଉଭୟ କେନ୍ଦ୍ର ଓ ରାଜ୍ୟରେ ଶାସନ କ୍ଷମତାରେ ରହିଥିବାରୁ ବିଜେଡି, ବିଜେପି ସରକାର ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିପାରୁନାହଁମ । ବିଶେଷକରି ବିଜେପି ବିରୋଧରେ ବିଜେଡି ଲଢିବ କି ବୁଝାମଣାରେ ରହିବ ତାହା ବି ଦଳ ସଠିକ ଭାବେ ନିଷ୍ପତି ନେଇପାରୁନାହିଁ । ଯାହା ବିଜେଡି ଦଳ ଭିତରେ ଅସନ୍ତୋଷରେ ନିଆଁ ଲଗାଇଛି । ଓ୍ବାକଫ ବିଲ ତାହାର ସଦ୍ୟ ଉଦାହରଣ । ଏହାସହ କାର୍ତ୍ତିକ ପାଣ୍ଡିଆନ ଓ ସୁଜତା ପାଣ୍ଡିଆନ ବିଜେଡି ରାଜନୀତିରେ ଆଗକୁ କେଉଁ ଭୂମିକାରେ ରହିବେ ତାହା ବି ସସପେନ୍ସ ଦୂର କରୁନାହିଁ ଦଳ । ଯାହା ଦଳକୁ ଅଡୁଆରେ ପକାଇଛି ।

କଂଗ୍ରେସ

ଭକ୍ତ ଦାସ ପିସିସି ସଭାପତି ହେବା ପରେ କଂଗ୍ରେସକୁ ଜୋସକୁ ଆସିଛି । ପିସିସି ସଭାପତିଙ୍କ ଏକଲା ଚାଲୋ ନୀତି ଦଳରେ ଅସନ୍ତୋଷର ଦାନା ବାନ୍ଧିଛି। ଗୁପ୍ତରେ ଭକ୍ତ ବିରୋଧୀ ନେତାମାନେ ଏକଜୁଟ ହୋଇ ଭକ୍ତଙ୍କୁ ପିସିସି ସଭାପତି ଅଭିଯାନରୁ ହଟାଇବା ପାଇଁ ରଣନୀତି କରୁଛନ୍ତି । ଭକ୍ତଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ନେତାଙ୍କ ସହଯୋଗ ସେତେଟା ନଥିବା ବେଳେ ଭାଗ୍ୟବଳରେ ପିସିସି ସଭାପତି ୩ଟି ବଡ ବଡ଼ କାର୍ଯ୍ୟକ୍ରମରେ ସଫଳତା ପାଇଛନ୍ତି । ସେ ରାହୁଲ ଗାନ୍ଧିଙ୍କ ଓଡିଶା ଗସ୍ତ ହେଉ ଅବା ଓଡିଶା ବନ୍ଦ ଡାକରା । ସବୁଠାରୁ ବଡ କଥା ହେଉଛି ତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନ ଦୁର୍ବଳ ହୋଇ ରହିଥିବା ବେଳେ ପିସିସି ସଭାପତି ହେବା ୮ ମାସ ପରେ ବି ଭକ୍ତ ଦାସ ଜିଲ୍ଲା ସଭାପତି ବାଛି ପାରୁନାହାନ୍ତି । ଫଳରେ ନା କଂଗ୍ରେସ ତୃଣମୂଳସ୍ତରେ ସଂଗଠିତ ହେଉଛି ନା କାହାର ମନ କାହା ସହ ମିଶୁଛି । କେବଳ ଗଣମାଧ୍ୟମ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ କରି ଦଳ ଚର୍ଚ୍ଚାରେ ରହିଛି ।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_img

Latest Articles