ପୂରଣ ହେଲାନି ସାମ୍ବାଦିକଙ୍କ ଦାବି: ମଇ ଦିବସରେ ଓୟୁଜେର ରାଜ୍ୟବ୍ୟାପୀ ଧାରଣା

0
167

 ସାମ୍ବାଦିକମାନଙ୍କର ବିଭିନ୍ନ ମୌଳିକ ଦାବି ପୂରଣ କରିବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉ ନଥିବାରୁ ଓଡ଼ିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ) ପକ୍ଷରୁ ଗଭୀର କ୍ଷୋଭ ପ୍ରକାଶ କରାଯାଇଛି। ଏଭଳି ଉଦାସୀନତା ପ୍ରତିବାଦରେ ଆସନ୍ତା ମଇ ଦିବସ ଦିନ ରାଜ୍ୟବ୍ୟାପୀ ପ୍ରତିବାଦ ସୂଚକ ଧାରଣା ଦେବା ପାଇଁ ୟୁନିଅନ୍ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ରବିବାର ଦିନ ଓୟୁଜେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଓଡ଼ିଶା ସାମ୍ବାଦିକ ୟୁନିଅନ୍‌ର କର୍ମକର୍ତ୍ତା ଓ ବରିଷ୍ଠ ସଦସ୍ୟମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ପେନ୍‌ସନ୍, ପ୍ରୋଟେକ୍ସନ୍ ଓ ଆକ୍ରିଡେସନ୍ ପ୍ରସଙ୍ଗ ନେଇ ଓୟୁଜେ ଲଗାତାର ଭାବେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲା ବେଳେ ବର୍ତ୍ତମାନ ସୁଦ୍ଧା ଏ ଦିଗରେ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରିବା ଯୋଗୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏଥିରେ ଅଧ୍ୟକ୍ଷତା କରି ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ବିଗତ ନିର୍ବାଚନରେ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇଥିଲାବେଳେ ସାମ୍ବାଦିକମାନଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସିନାହିଁ ବୋଲି ଦର୍ଶାଇଥିଲେ। ନିର୍ବାଚନ ସମୟରେ ସାମ୍ବାଦିକମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ପାଳନ କରିବା ଦିଗରେ କୌଣସି ଆନ୍ତରିକତା ନ ଦେଖାଇବା ସାମ୍ବାଦିକମାନଙ୍କ ପ୍ରତି ପ୍ରତାରଣା ବୋଲି ସେ ଦର୍ଶାଇଥିଲେ। ଦୀର୍ଘ ୧୮ବର୍ଷ ଧରି ରାଜ୍ୟରେ ଅଧିସ୍ୱୀକୃତି କମିଟି ଗଠନ ନ ହେବା, ୧୮ଗୋଟି ରାଜ୍ୟରେ ପେନ୍‌ସନ୍ ମିଳୁଥିଲାବେଳେ ଓଡ଼ିଶାରେ ଏ ଦିଗରେ କୌଣସି ନିଷ୍ପତ୍ତି ନ ହେବା, ରାଜ୍ୟରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ଘଟଣା ବଢିଚାଲିଥିଲାବେଳେ ସରକାର ସାମ୍ବାଦିକ ସୁରକ୍ଷା ଦାବିକୁ ଅଣଦେଖା କରିବା, ମହିଳା ସାମ୍ବାଦିକମାନଙ୍କ ବୃତ୍ତିଗତ ନିରାପତ୍ତା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଓ ଆବେଦନରତ ସଂଖ୍ୟାଧିକ ସାମ୍ବାଦିକଙ୍କୁ ସ୍ୱାସ୍ଥ୍ୟବୀମାର ପରିସରଭୁକ୍ତ ନ କରିବାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ବୋଲି ସେ ଉଲ୍ଲେଖ କରିବା ସହ ଏହାର ପ୍ରତିବାଦରେ ଆସନ୍ତା ମଇ ଦିବସ ଦିନ ସାମ୍ବାଦିକମାନେ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଦର୍ଶାଇଥିଲେ।

ଓୟୁଜେର ସାଧାରଣ ସମ୍ପାଦକ କିଷାନ କୁମାର ରାଉତ ସରକାରଙ୍କ ସାମ୍ବାଦିକ ବିରୋଧୀ ମନୋଭାବକୁ ସମାଲୋଚନା କରିବା ସହ ଆଗାମୀ ଦିନରେ ଓୟୁଜେ ଏହାର ଦୃଢ ପ୍ରତିବାଦ କରିବ ବୋଲି ଦର୍ଶାଇଥିଲେ। ଉପସଭାପତି ସନ୍ତୋଷ କୁମାର ସିଂଦେଓ, କୋଷାଧ୍ୟକ୍ଷ ଅମୂଲ୍ୟ କୁମାର ସ୍ୱାଇଁ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଅକ୍ଷୟ କୁମାର ସାହୁ, ପ୍ରମୋଦ କୁମାର ସାମନ୍ତରାୟ, ସମ୍ପାଦକ ଦେବପ୍ରସାଦ ଦାଶ, ଋତୁରାଜ ସିଂ, ରୂପେଶ କୁମାର ସାହୁ, ଆଦିତ୍ୟ ମେକାପ, ରବୀନ୍ଦ୍ର ମହାକୁଡ଼, ଲୋକନାଥ ସିଂ, ରବୀନ୍ଦ୍ରନାଥ ମଲ୍ଲିକ, ଶୁଭଙ୍କର ଜେନା, ଜୀତେନ୍ଦ୍ର ପଟ୍ଟନାୟକ, ସୁଧାଂଶୁ ପାତ୍ର, ରାଜୀବ ମହାନ୍ତି, ନିରଞ୍ଜନ ପଣ୍ଡା, ସ୍ୱାତୀ ଜେନା ଓ ଚିନ୍ମୟ ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସାମ୍ବାଦିକମାନଙ୍କ ବିଭିନ୍ନ ଦାବି ପୂରଣ ଦିଗରେ ସରକାର ତତ୍ପରତା ପ୍ରକାଶ କରିବାକୁ ଦାବି କରିଥିଲେ।

ଲୋକସେବା ଭବନରେ ପ୍ରବେଶ ବ୍ୟବସ୍ଥାର ସରଳୀକରଣ କରିବା , ପୂର୍ଵ ଘୋଷିତ ସମସ୍ତ ସୁବିଧା ସୁଯୋଗକୁ ଅଧିକୃତଭାବେ ଲାଗୁ କରିବା ଓ କମିଟି ଗଠନ କରି ଆବେଦନକାରୀ ସମସ୍ତ ସାମ୍ବାଦିକଙ୍କୁ ତୁରନ୍ତ ଅଧିସ୍ୟୁକୃତି ପ୍ରଦାନ କରିବାକୁ ବୈଠକରେ ଦାବି କରାଯାଇଥିଲା | ପ୍ରତିବାଦ ସତ୍ୱେ ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା |