ଗଣତନ୍ତ୍ରର ତାଲା ଖୋଲନ୍ତୁ ସରକାର – ନିରଞ୍ଜନ ପଟ୍ଟନାୟକ

- Advertisement -

ଭୁବନେଶ୍ୱର: ବାତ୍ୟା ଅଞ୍ଚଳ ପରିଦର୍ଶନ କରିବା ପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଥିଲେ । ତାଙ୍କର ନୈତିକ କର୍ତ୍ତବ୍ୟ ସେ କରିଛନ୍ତି । ସେଥିପାଇଁ ପି.ସି.ସି. ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଆଜିର ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ସାଧାରଣ ଲୋକ ହିସାବରେ ଆମେ ଜାଣିପାରିଲୁ ନାହିଁ ବାତ୍ୟାର କ୍ଷୟକ୍ଷତି ନେଇ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କୁ କେତେ କୋଟି ଟଙ୍କା ମାଗିଛନ୍ତି । ଯେମିତି ପଶ୍ଚିମବଙ୍ଗ ସରକାର ୧ ଲକ୍ଷ କୋଟି ଟଙ୍କା ମାଗିଲେ, ସେମିତି ଆମ ସରକାର କେତେ କୋଟି ଟଙ୍କା ମାଗିଲେ ତାହାର ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ନାହିଁ । ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଯେଉଁ ୫୦୦ କୋଟି ଦେଲେ ସରକାର ସେଥିରେ ସନ୍ତୁଷ୍ଟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ପ୍ରକୃତରେ ଦେଖିବାକୁ ଗଲେ ଏହି ବାତ୍ୟାରେ ଆମ ଚାଷୀମାନଙ୍କର, ସେହିପରି ଚାଳଘର କରି ରହିଥିବା ଲୋକଙ୍କ ଭୟାବହ କ୍ଷତି ହେବା ସହ ଆମ ଭିତ୍ତିଭୂମି ଯଥା- ରାସ୍ତା, ଘାଟ, ବିଦ୍ୟୁତ୍ ଇତ୍ୟାଦି ବିପର୍ଯ୍ୟସ୍ତ ହୋଇପଡ଼ିଛି । ସେଥିରେ ବିଶେଷକରି ଆମ ଚାଷୀଭାଇମାନଙ୍କର ଅଦ୍ଭୁତପୂର୍ବ କ୍ଷତି ହୋଇଛି, ସେମାନଙ୍କର କିପରି ଭରଣା କରାଯିବ ସରକାର ଚିନ୍ତା କରିବା ଦରକାର ବୋଲି ସେ ପ୍ରକାଶ କରିଥିଲେ । ଗତ ‘ଫନି’ ରେ କ୍ଷତିଗ୍ରସ୍ତ ହୋଇଥିବା ଖୋର୍ଦ୍ଧା, ପୁରୀ ଇତ୍ୟାଦି ଜିଲ୍ଲା ଲୋକଙ୍କ ଉଜୁଡ଼ି ଯାଇଥିବା ଚାଷ, ଭାଙ୍ଗି ଯାଇଥିବା ଘର ପାଇଁ ଏପର୍ଯ୍ୟନ୍ତ ଆର୍ଥିକ ସହାୟତା ପାଇଲେନାହିଁ । ତେଣୁ ଏସବୁ କଥାକୁ ଦୃଷ୍ଟିରେ ରଖି ସରକାର କାମ କରନ୍ତୁ । ‘ଫନି’ ବେଳେ ମୁଖ୍ୟମନ୍ତ୍ରୀ ମହାଶୟ କିଛି ସ୍ଥାୟୀ ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ । ସେତେବେଳେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ସ୍ଥାୟୀ ସମାଧାନ ପାଇଁ ଖସଡ଼ା ପ୍ରସ୍ତୁତ କରି ଦେବାପାଇଁ । ସେତେବେଳେ ଏହି କଥାଟି ଉଠିଥିଲା, କିନ୍ତୁ ବର୍ତ୍ତମାନ ସୁଦ୍ଧା ଖସଡ଼ା ପ୍ରସ୍ତୁତ କରି ଦେଲେଣି କି ଓ କିଏ ଖସଡ଼ା ପ୍ରସ୍ତୁତ କରି ଦେବ, ସରକାର ବର୍ତ୍ତମାନ ଜଣାଇବା ଦରକାର । ଦୁଃଖ ଓ ପରିତାପର ବିଷୟ ଖସଡ଼ା ପ୍ରସ୍ତୁତ ନ କରି ଖାଲି ଟିଭିରେ କହିବା ପାଇଁ ଏ ବ୍ୟବସ୍ଥା, କାମରେ କିଛି ନୁହଁ । ଓଡ଼ିଶା ଲୋକେ ବାତ୍ୟାରେ ଚଳିବାରେ ଅଭ୍ୟସ୍ତ ଏବଂ ଯେପରି ଭାବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଉଛି, ସେଥିରେ ଲୋକ ସତର୍କ ରହୁଛନ୍ତି । ସେହି ସତର୍କତା ଦୃଷ୍ଟିରୁ ଆମ ରାଜ୍ୟରେ ମୃତ୍ୟୁସଂଖ୍ୟା ବଢୁନାହିଁ । ତେଣୁ ଏହା ଲୋକଙ୍କ ବାହାଦୁରୀ, ଏଥିରେ ସରକାରଙ୍କ କିଛି ବାହାଦୂରୀ ନାହିିଁ । ବର୍ତ୍ତମାନ କରୋନା ପାଇଁ ସାରା ଦେଶ ଓ ରାଜ୍ୟରେ ଯେଉଁ ଭୟାବୟ ପରିସ୍ଥିତି ଦେଖାଦେଲାଣି, ସେଥିପାଇଁ ସରକାର ଦାୟୀ । ପ୍ରଧାନମନ୍ତ୍ରୀ ମହାଶୟ, ବନାରସରେ ମାର୍ଚ୍ଚ ୧୮ରେ ଯେଉଁ କଥା କହିଥିଲେ କି, ମହାଭାରତ ଯୁଦ୍ଧ ୧୮ ଦିନରେ ସରିଥିଲା, ମୁଁ ସେହିପରି ୨୧ ଦିନ ସମୟ ମାଗୁଛି ସାରା ଭାରତବାସୀଙ୍କଠାରୁ ଏ ଦେଶରୁ କରୋନାମୁକ୍ତ କରିବାକୁ । କିନ୍ତୁ ଦୁଃଖ ଓ ପରିତାପର ବିଷୟ, ୨୧ ଦିନରୁ ଯାଇ ୩ ମାସ ହେଲାଣି, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବଢି ଚାଲିଛି । ଏହା କେନ୍ଦ୍ର ଓ ରାଜ୍ୟସରକାରଙ୍କ ଅପାରଗତା ପାଇଁ । ତାହାର କାରଣ, ପ୍ରଥମେ ସରକାର କହିଲେ କିଛି ଅଫିସରମାନେ କରୋନା ମହାମାରୀକୁ ମୁକାବିଲା କରିବାପାଇଁ । ପରବର୍ତ୍ତି ସମୟରେ କହିଲେ ଯେଉଁ ପ୍ରବାସୀମାନେ ଓଡ଼ିଶାକୁ ଫେରିବେ, ସେମାନେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିବେ ଓ ତାଙ୍କ କଥା ସରକାର ବୁଝିବେ । ଏହା ଘୋଷଣା କଲାପରେ ଲୋକେ ଘରମୁହାଁ ହୋଇଗଲେ । ସିଆଡ଼େ ଚାକିରୀ ନାହିଁ, ଖାଇବାକୁ ନାହିଁ, ତେଣୁ ଲୋକେ ଦୁର୍ଦ୍ଦିନରେ ଅଛନ୍ତି । ଏଣୁ ନିଜ ରାଜ୍ୟ ଆସିବା ପାଇଁ ବିକଳ ହୋଇ କିଏ ଚାଲିଚାଲି, କିଏ ସାଇକେଲ୍ରେ, କିଏ ଟ୍ୟାଙ୍କର ମାଧ୍ୟମରେ ଆସିଲେ । ପୁଣି ମଝିରେ ଗୋଟେ ସରକାର କଥା କହିଲେ ନିଜ ରାଜ୍ୟକୁ ପ୍ରବାସୀ ଶ୍ରମିକଙ୍କ ପାଇଁ ରେଳଭଡ଼ା ଖର୍ଚ୍ଚ କେନ୍ଦ୍ର ସରକାର ୮୫ ପ୍ରତିଶତ ଓ ରାଜ୍ୟ ସରକାର ୧୫% ବହନ କରିବେ । ଜାତୀୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶରେ ପ୍ରବାସୀ ଶ୍ରମିକଙ୍କ ରେଳଭଡ଼ା ଖର୍ଚ୍ଚ ସମ୍ପୂର୍ଣ୍ଣ ବହନ କରିବୁ ବୋଲି ପ୍ରସ୍ତାବ ଦେଲୁ । କିନ୍ତୁ ସରକାର ଆମ କଥା ଶୁଣିଲେ ନାହିଁ, ସମୟ ଦେଲେନାହିଁ କି ସହଯୋଗ ମଧ୍ୟ କଲେନାହିଁ । ବର୍ତ୍ତମାନ ଏହି ସ୍ଥିତିରେ ତାଲବନ୍ଦ ଆସ୍ତେଆସ୍ତେ ଖୋଲିବା ଆରମ୍ଭ କଲାଣି । କିନ୍ତୁ ସରକାର ଗଣତନ୍ତ୍ର ତାଲାଟିକୁ କାହିଁକି ବନ୍ଦ କରି ରଖିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପଟ୍ଟନାୟକ । କାରଣ ଯାହା ଦେଖାଯାଉଛି, ପ୍ରଧାନମନ୍ତ୍ରୀ ମୋଦି ମହାଶୟ କାଲି ଯେଉଁ ମିଟିଂ କଲେ, ସେଥିରେ ଆମ ରାଜ୍ୟର କେହି ମନ୍ତ୍ରୀ ନଥିଲେ, କିନ୍ତୁ କେନ୍ଦ୍ରମନ୍ତ୍ରୀ ଥିଲେ । ୧୯୯୯ ମସିହା ମହାବାତ୍ୟା ପରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓଡ଼ିଶା ଗସ୍ତରେ ଆସିଥିଲେ । ସେ ଯେଉଁ ମିଟିଂ କରିଥିଲେ, ସେଥିରେ ସ୍ୱାସ୍ଥ୍ୟ ଓ ଶକ୍ତି ମନ୍ତ୍ରୀ ହିସାବରେ ଆମେ ଯୋଗ ଦେଇଥିଲୁ । କିନ୍ତୁ ଏଠାରେ ଉଭୟ ମୋଦି ଓ ନବୀନ ବୈଜ୍ଞାନିକ ​ କାରଣ ଦର୍ଶାଇ କୌଣସି ରାଜନୈତିକ ଲୋକ, ସାମାଜିକ ଲୋକ, ବରିଷ୍ଠ ଲୋକଙ୍କ ସହିତ ଆଲୋଚନା କରୁନାହାଁନ୍ତି । ତେଣୁ ଏ ଗଣତନ୍ତ୍ରକୁ ଏକ ରକମ ଚାବି ପକାଇ ରଖିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ​ ଦୟାକରି ଗଣତନ୍ତ୍ର ତାଲାକୁ ଖୋଲି ଏବଂ ସମସ୍ତଙ୍କ ସହିତ ଆଲୋଚନା କରି ଯେଉଁ ମହବିପତ୍ତି ଆସୁଛି ବୋଲି ତାକୁ ସାମ୍ନା କରିବାକୁ ପ୍ରସ୍ତୁତ ରୁହନ୍ତୁ । ବର୍ତ୍ତମାନ ଯେଉଁ ପରିସ୍ଥିତି ଦେଇ ଗତି କରୁଛି ବା ପରବର୍ତ୍ତୀ ସମୟରେ ଯେଉଁ ଭୟାବହ ପରିସ୍ଥିତି ହେବ, ଜନସାଧାରଣ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ କ୍ଷମା କରିବେ ନାହିଁ । ଗୋଟେ ଉଦାହଣ ଦେଇ ଶ୍ରୀ ପଟ୍ଟନାୟକ କହିଲେ ୨୦ ବର୍ଷ ଧରି ପ୍ରଚାର କରୁଛନ୍ତି, ଆମେ ଏତେ କୋଠା ଘର କରିଛୁ, ତେବେ ଏବେ ପ୍ରଶ୍ନ ଉଠୁଛି, ଏତେ ଚାଳଘର ଆସିଲା କେଉଁଠୁ । ଯେଉଁ ଚାଳଘରକୁ ସେହି ଚାଳଘର ରହିଛି । ଦୀର୍ଘବର୍ଷ ଧରି ତିଆରି ହେଉଥିବା କୋଠାଘର କାହାକୁ ଦିଆଯାଉଛି ବୋଲି ସରକାର ଉଚ୍ଚ ଦେବା ଉଚିତ୍ । କିଛି ମୁଷ୍ଟିମେୟ ସରକାରୀ ଅଫିସରଙ୍କୁ ଧରି ଏହି ମହାମାରୀ ‘କରୋନା’କୁ ମୁକାବିଲା କରିବା ଅସମ୍ଭବ । ଶାସନ ଏମିତି କରାଯାଏନାହିଁ । ଅନ୍ୟ ରାଜ୍ୟରୁ କିଛି ​ ଶିଖନ୍ତୁ । ବର୍ତ୍ତମାନ ଯେମିତି ଓଡ଼ିଶାରେ ଶାସନ ଚାଲିଛି, ଲୋକେ ହନ୍ତସନ୍ତ ହେଉଛନ୍ତି, ଆହୁରି ମଧ୍ୟ ହେବେ । ଏଣୁ ପି.ସି.ସି. ସଭାପତି ଶ୍ରୀ ପଟ୍ଟନାୟକ ​ ସରକାରଙ୍କୁ ଅନୁରୋଧ କରିଛନ୍ତି, ଶୀଘ୍ର ଗଣତନ୍ତ୍ରର ତାଲା ଖୋଲି ସମସ୍ତଙ୍କ ସହ ଆଲୋଚନା କରି କାର୍ଯ୍ୟ କରିବାକୁ । ନ ହେଲେ ଭୟାବହ ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles