ଭୁବନେଶ୍ୱର,୧ା୫: ସାମ୍ବାଦିକମାନଙ୍କୁ ସାମାଜିକ ନିରାପତ୍ତା ପରିସରଭୁକ୍ତ କରିବା ଓ ସେମାନଙ୍କ ଲାଗି ପେନ୍ସନ୍, ପ୍ରୋଟେକ୍ସନ୍ ଓ ଆକ୍ରିଡ଼େସନ୍ର ବ୍ୟବସ୍ଥା କରିବା ପାଇଁ ଦାବି ହୋଇଆସୁଥିଲାବେଳେ ଏ ଦିଗରେ ଏଯାବତ୍ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ରାଜ୍ୟର ଅଗ୍ରଣୀ ସାମ୍ବାଦିକ ସଙ୍ଗଠନ ‘ଓଡ଼ିଶା ସାମ୍ବାଦିକ ୟୁନିଅନ୍’ (ଓୟୁଜେ) ଉଦ୍ବେଗ ପ୍ରକାଶ କରିଛି । ଏହିସବୁ ଦାବି ପ୍ରତି ଗୁରୁତ୍ୱ ନ ଦେଇ ସରକାର ସାମ୍ବାଦିକମାନଙ୍କୁ ନିର୍ମାଣ ଶ୍ରମିକ କାର୍ଡ଼ ଦେବା ସମ୍ପର୍କରେ କରାଯାଇଥିବା ଘୋଷଣାକୁ ଓୟୁଜେ ପ୍ରତ୍ୟାଖ୍ୟାନ କରିଛି ।
ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଗୁରୁବାର ଦିନ ସ୍ଥାନୀୟ ଓୟୁଜେ ଭବନରେ ଆୟୋଜିତ ଶ୍ରମିକ ଦିବସ ଉତ୍ସବରେ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ଉତ୍ସବରେ ଅଧ୍ୟକ୍ଷତା କରି ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି ପେନ୍ସନ୍, ପ୍ରୋଟେକ୍ସନ ଓ ଆକ୍ରିଡ଼େସନ ବାବଦରେ ଓୟୁଜେ ଚଳାଇ ଆସିଥିବା ଆନେ୍ଦାଳନକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯିବ ବୋଲି ସୂଚନା ଦେଇଥିଲେ । ଶ୍ରମିକ ଦିବସ ଅବସରରେ ଓୟୁଜେର ସମସ୍ତ ଜିଲ୍ଲାଶାଖା ପକ୍ଷରୁ ଏହି ମର୍ମରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ଦିଆଯାଇଥିବା ସେ ସୂଚନା ଦେଇଥିଲେ । ଦେଶର ବିଭିନ୍ନ ରାଜ୍ୟରେ ସାମ୍ବାଦିକମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଉ ବୋଲି ବୈଠକରେ ଦାବି କରାଯାଇଥିଲା । ଖୁବ୍ଶୀଘ୍ର ଓୟୁଜେର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତକରି ସାମ୍ବାଦିକମାନଙ୍କ ପ୍ରମୁଖ ଦାବି ଉପରେ ଆାଲୋଚନା କରିବେ ବୋଲି ସଭାପତି ଶ୍ରୀ ମହାନ୍ତି ସୂଚନା ଦେଇଥିଲେ ।
ଓୟୁଜେର ସାଧାରଣ ସମ୍ପାଦକ କମ୍ବୁପାଣି ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଉପସଭାପତି ରାଜେଶ ପଟ୍ଟନାୟକ, ସମ୍ପାଦକ ପ୍ରସନ୍ନ ପାଇକରାୟ, ସଙ୍ଗଠନ ସମ୍ପାଦକ ଋତୁରାଜ ସିଂ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଅକ୍ଷୟ ସାହୁ, କିଷାନ ରାଉତ, ପ୍ରମୋଦ ସାମନ୍ତରାୟ, ଭୁବନେଶ୍ୱର ଶାଖା ସଂଯୋଜକ ଚିନ୍ମୟ ମହାପାତ୍ର, ବରିଷ୍ଠ ସଦସ୍ୟ ଆଦିତ୍ୟ ମେକାପ, ପ୍ରଫୁଲ୍ଲ ମହାନ୍ତି, ଅଜୟ ଦାସ, ଅଶୋକ ଦାସ, ସୁଧାଂଶୁ ଶେଖର ପରିଡ଼ା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ । ଏହି ଅବସରରେ ପହଲଗାଓଁ ମୃତକଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା ।