ଢେଙ୍କାନାଳ ଆଇଆଇଏମସିରେ ଆଇଆଇଏମସି ମହାନିର୍ଦେଶକ

- Advertisement -

ଢେଙ୍କାନାଳ: ଆସନ୍ତା ବର୍ଷଠାରୁ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ସାମ୍ବାଦିକତା ଓ ଗଣଯୋଗାଯୋଗର ବିଭିନ୍ନ ବିଷୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ ହେବାର ଅଛି । ଏହାସହ ଗବେଷଣାକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଆଇଆଇଏମ୍‍ସି ପରିଦର୍ଶନରେ ଆସି ମହାନିର୍ଦ୍ଦେଶକ କେ.ଏସ୍‍. ଧତ୍ୱାଲିଆ କହିଛନ୍ତି ।
ଗୁରୁବାର ପୂର୍ବାହ୍ଣରେ ଶ୍ରୀ ଧତ୍ୱାଲିଆ ଆଇଆଇଏମ୍‍ସି ଢେଙ୍କାନାଳ କ୍ୟାମ୍ପସ୍‍ରେ ପହଞ୍ଚିବା ପରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି, ସାମ୍ବାଦିକତା କ୍ଷେତ୍ରରେ ଆଇଆଇଏମ୍‍ସି ଛାତ୍ରଛାତ୍ରୀଙ୍କ ଭୂମିକା ବେଶ୍‍ ଗୁରୁତ୍ୱପୂର୍ଣ୍ଣ । ତେବେ ସମାଜର ବିକାଶ ପାଇଁ ଛାତ୍ରଛାତ୍ରୀଙ୍କର ଏକ ବଡ଼ ଦାୟିତ୍ୱ ରହିଛି । ବିଶେଷତଃ ଆଇଆଇଏମ୍‍ସିର ଶିକ୍ଷାର୍ଥୀମାନେ ଲୋକଙ୍କ ପାଖକୁ ଯାଇ ସାମ୍ବାଦିକତା ମାଧ୍ୟମରେ ସେମାନଙ୍କ ସମସ୍ୟାର ସମାଧାନ କରିବା ଦିଗରେ ଉତ୍ସର୍ଗୀକୃତ ହୁଅନ୍ତୁ ବୋଲି ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ଏହାସହ ଛାତ୍ରଛାତ୍ରୀମାନେ ନିଜ ନିଜର ଟ୍ୟାଲେଣ୍ଟ ଦେଖାଇ ସମାଜ ତଥା ପରିବେଶର ହିତ ପାଇଁ କାମ କରନ୍ତୁ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
ସେହିପରି ଆଗାମୀ ଦିନରେ ଆଇଆଇଏମ୍‍ସି ଢେଙ୍କାନାଳରେ ଏକ ଗୋଷ୍ଠୀ ବେତାର କେନ୍ଦ୍ର ଖୋଲାଯିବାକୁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଯାଉଥିବା ସେ ସ୍ପଷ୍ଟ କରିଛନ୍ତି । ଏହାସହ ଭିଡିଓ କନ୍‍ଫରେନ୍ସିଂ ତଥା ଇ-କ୍ଲାସ୍‍ରୁମ୍‍ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀ ଧତ୍ୱାଲିଆ କହିଛନ୍ତି ।
ଏହି ଅବସରରେ ଆଇଆଇଏମ୍‍ସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ଶ୍ରୀ ଧତ୍ୱାଲିଆଙ୍କୁ ସ୍ୱାଗତ କରିବା ପରେ ଆଇଆଇଏମ୍‍ସି ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ଉଦାହରଣ ମାଧ୍ୟମରେ କହିଥିଲେ । ପରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ଶ୍ରୀ ଧତ୍ୱାଲିଆ । ଏହି କାର୍ଯ୍ୟକ୍ରମରେ ସେକ୍ସନ୍‍ ଅଫିସର କେଦାରନାଥ ଜେନା, ସହାୟକ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଧନ୍ୟବାଦ ଦେଇଥିଲେ ସହାୟକ ପ୍ରଫେସର ସମ୍ବିତ ପାଲ ।
ଐତିହାସିକ ପୋଷ୍ଟକାର୍ଡ ଉନ୍ମୋଚିତ
ଏହି ଅବସରରେ ଆଇଆଇଏମ୍‍ସି ଢେଙ୍କାନାଳ ପକ୍ଷରୁ ପ୍ରକାଶିତ ସ୍ୱତନ୍ତ୍ର ଐତିହାସିକ ପୋଷ୍ଟକାର୍ଡ ଉନ୍ମୋଚିତ କରିଛନ୍ତି ମହାନିର୍ଦ୍ଦେଶକ କେ.ଏସ୍‍. ଧତ୍ୱାଲିଆ । ୧୯୪୮ ଜାନୁଆରୀ ୩୧ ତାରିଖରେ ଦେଶ ବିଦେଶର ବିଭିନ୍ନ ଖବରକାଗଜର ପ୍ରଥମ ପୃଷ୍ଠାରେ ପ୍ରକାଶିତ ମହାତ୍ମାଗାନ୍ଧୀଙ୍କ ହତ୍ୟା ସମ୍ପର୍କିତ ଖବରକୁ ଏହି ପୋଷ୍ଟକାର୍ଡରେ ସ୍ଥାନ ଦିଆଯାଇଛି । ପୂର୍ବରୁ ସ୍ୱାଧୀନତା ଦିବସର ପ୍ରଥମ ପୃଷ୍ଠାର ଖବରକାଗଜକୁ ନେଇ ଏକ ପୋଷ୍ଟକାର୍ଡ ସିରିଜ୍‍ ପ୍ରସ୍ତୁତ ହୋଇଥିଲା । ଏହି ପୋଷ୍ଟକାର୍ଡ ବିକ୍ରି ପାଇଁ ମଧ୍ୟ ଉପଲବ୍ଧ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles