ସମ୍ ଶିଶୁରୋଗ ବିଭାଗ ପକ୍ଷରୁ ୧୬ତମ ଆଇଏପି ଜୋନାଲ (ଇଷ୍ଟଜୋନ୍‌) କୁଇଜ୍ ପ୍ରତିଯୋଗିତା ଆୟୋଜିତ…

() ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗ ପକ୍ଷରୁ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ୧୬ତମ ଆଇଏପି ଜୋନାଲ୍ (ଇଷ୍ଟଜୋନ୍‌) କୁଇଜ୍ ପ୍ରତିଯୋଗିତା ୨୦୨୨ ଆୟୋଜିତ ହୋଇଯାଇଛି ।ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପେଡିଆଟ୍ରିକ୍ ଓଡ଼ିଶା ଶାଖା ଏବଂ ଆଇଏପି ଭୁବନେଶ୍ୱର ଶାଖାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କୁଇଜ୍ ପ୍ରତିଯୋଗିତାରେ ଏମ୍‌ସ ପାଟନା, ଏସ୍‌ଏସ୍‌କେଏମ୍ କୋଲକାତା, ଟିଏମ୍‌ଏଚ୍ ଜାମ୍‌ସେଦପୁର, କିମ୍ସ ଭୁବନେଶ୍ୱର, ନର୍ଥ ବେଙ୍ଗାଲ୍ ଏମ୍‌ସି, ଦିବ୍ରୁଗଡ, ଆସାମର ୬ଟି ଟିମ୍ ଭାଗ ନେବା ସହ ଜୋନାଲ୍ ରାଉଣ୍ଡରେ ଭାଗ ନେଇଥିଲେ ।ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପୁଷ୍ପରାଜ ସାମନ୍ତସିଂହାର, ଆଇଏପି ଓଡ଼ିଶାର ପ୍ରେସିଡେଂଟ ଇଲେକ୍ଟ ଡାକ୍ତର ଏନ୍‌.ଏମ୍‌. ଜେନା ଓ ଜୋନାଲ୍ ସଂଯୋଜକ ଡାକ୍ତର ପି. ସାବତ ଓ ସମ୍ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗର ମୁଖ୍ୟ ଡାକ୍ତର ମମତା ଦେବୀ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଜେ.ବି.କେ ପୃଷ୍ଟି କୁଇଜ୍ ପରିଚାଳନା କରିଥିଲେ । କୁଇଜରେ ବିଚାରକ ଭାବେ ଆସନ ଅଳଙ୍କୃତ କରିଥିଲେ ପ୍ରଫେସର ସରୋଜ ଶତପଥି ଓ ପ୍ରଫେସର ସୁନୀଲ୍ ଅଗ୍ରୱାଲ୍ । ଏହି କୁଇଜ୍ ପ୍ରତିଯୋଗିତାରେ ଏସଏସ୍‌କେଏମ୍ କୋଲକାତା ବିଜୟୀ ହୋଇଥିବା ବେଳେ ଫାଇନାଲ୍ ରାଉଣ୍ଡ ନିମନ୍ତେ ମନୋନୀତ ହୋଇଛନ୍ତି । ଏହି କୁଇଜ ପ୍ରତିଯୋଗିତାକୁ ଡାକ୍ତର ରଚିତା ଷଢ଼ଙ୍ଗୀ, ଡାକ୍ତର ଦେବସ୍ମିତା, ଡାକ୍ତର ବିଭୁ, ଡାକ୍ତର ବ୍ରଜ, ଡାକ୍ତର ଶାଲିନୀ, ଡାକ୍ତର କଳ୍ପନା, ଡାକ୍ତର ଦେବଶ୍ରୀ, ଡାକ୍ତର ସାଗର, ଡାକ୍ତର ନୀତିଶ, ଡାକ୍ତର ଇପ୍‌ସିତା ପରିଚାଳନା କରିଥିଲେ ।

କରମୁକ୍ତ ହେଲା ଚଳଚ୍ଚିତ୍ର‘ଦମନ’…

() ‘ଦମନ’ ଚଳଚ୍ଚିତ୍ର ପ୍ରଦର୍ଶନ କୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

{} ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନ ର ପ୍ରଦର୍ଶନ କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି ।ବାସ୍ତବ ଜୀବନରେ ମାଲକାନଗିରି ର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ବାରେ ଜଣେ ଯୁବ ଡାକ୍ତର ମାନବିକତାର ଯେଉଁ ନୂଆ ଉଦାହରଣ ସ୍ରୁଷ୍ଟି କରିଛନ୍ତି ତାହା ଏ ଚଳଚ୍ଚିତ୍ରର ବିଷୟ ବସ୍ତୁ।ସ୍ୱାସ୍ଥ୍ୟ ବିଭାଗ ସମେତ ସବୁ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ସେବା ମନୋଭାବ କୁ ଆହୁରି ମଜବୁତ୍ କରିବା ଦିଗରେ ଏହା ପ୍ରଭାବିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।Covid ମହାମାରୀ ସମୟରେ ଯେଭଳି ରାଜ୍ଯ ସରକାରଙ୍କ ବିଭିନ୍ନ ବିଭାଗ ସମନ୍ଵୟ ରଖି ସେବା

ଯୋଗାଇଲେ ସେଭଳି କାମକଲେ ଆମେ ଏକ ସୁସ୍ଥ ଓ ସଚେତନ ସାମାଜ ର ବିକାଶ କରି ପାରିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ବିଶ୍ବାସ ପ୍ରକଟ କରିଛନ୍ତି।

ସୋଆ ଏସ୍‌ଏଚ୍‌ଏମ୍‌ରେ ମହିଳାଙ୍କ ନିମନ୍ତେ ରନ୍ଧନ ପ୍ରଶିକ୍ଷଣ ଶିବିର…

() ମହିଳାମାନେ ନିଜେ ସ୍ୱାବଲମ୍ବୀ ହୁଅନ୍ତୁ ଯାହା ଦ୍ୱାରା ଯେକୌଣସି ପ୍ରତିକୁଳ ପରିସ୍ଥିତି ରେ ମଧ୍ୟ ସେମାନେ ଅସହାୟ ହୋଇପଡିବେ ନାହିଁ । ପ୍ରତ୍ୟେକ ମହିଳା ଙ୍କ ନିକଟରେ ରନ୍ଧନ ର କଳା ରହିଛି । ଶ୍ରଦ୍ଧା , ଭକ୍ତି ଓ ନିଷ୍ଠା ର ସହ କାର୍ଯ୍ୟ କଲେ ସେମାନେ ସଫଳ ହୋଇପାରିବେ ବୋଲି କହିଛନ୍ତି ଫୁଡ୍ ଷ୍ଟାର୍ଟ ଅପ୍ “ରୋଜିସ୍ କିଚେନ୍‌” ର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତି ସରୋଜା ଚୌଧୁରୀ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ରେ ମହିଳା ମାନଙ୍କ ନିମନ୍ତେ ବୁଧବାର ଆରମ୍ଭ ହୋଇଥିବା ରନ୍ଧନ ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଶ୍ରୀମତି ଚୌଧୁରୀ ।ଶ୍ରୀମତି ଚୌଧୁରୀ କହିଥିଲେ ଯେ ମହିଳାମାନେ ରନ୍ଧନ ର ପ୍ରଶିକ୍ଷଣ ନେଇ ରୋଜଗାରକ୍ଷମ ହେବା ଆବଶ୍ୟକ ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଶିକ୍ଷା ଓ ଅନୁସନ୍ଧାନ(ସୋଆ)ର ପରୀକ୍ଷା ନିରୀକ୍ଷକ ପ୍ରଫେସର ମଞ୍ଜୁଳା ଦାସ କହିଥିଳେ ଯେ ପରିବାରକୁ ସୁସ୍ଥ ରଖିବା ର ଦାୟିତ୍ୱ ମହିଳାମାନଙ୍କ ହାତରେ ରହିଥାଏ । ବଜାରର ଅସ୍ୱାସ୍ଥ୍ୟକର ଖାଦ୍ୟ ଅପେକ୍ଷା ମହିଳାମାନେ ଘରେ ହାତ ରନ୍ଧା ପୁଷ୍ଟିକର ଖାଦ୍ୟ ରାନ୍ଧିବା ଦ୍ୱାରା ହିଁ ପରିବାରବର୍ଗ ସୁସ୍ଥ ରହିଥାନ୍ତି । ଖାଦ୍ୟ ରାନ୍ଧିବା ବେଳେ ଖାଦ୍ୟପଦାର୍ଥ, ସମୟ ଏବଂ ପୁଷ୍ଟିକର ଖାଦ୍ୟ ଉପରେ ମହିଳାମାନେ ଗୁରୁତ୍ୱ ଦେବା ଉଚିତ୍ ବୋଲି ପ୍ରଫେସର ଦାସ କହିଥିଲେ ।

ବୁଧବାର ନଭେମ୍ବର ୧୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ୧୫ ଦିନ ଧରି ଏହି ପ୍ରଶିକ୍ଷଣ ଶିବିର “ଉଇ କ୍ୟାନ୍ କୁକ୍‌” ପ୍ରତ୍ୟେକ ଦିନ ଦିନ ୨ଟାରୁ ୫ ଟା ଯାଏଁ ଜାରି ରହିବ । ଏହି ଶିବିରରେ ଇଣ୍ଡିଆନ୍‌,କନ୍‌ଟିନେଟଂଟାଲ୍ ଖାଦ୍ୟ ସମେତ ବିଭିନ୍ନ ବେକିଂ ଓ ମକ୍‌ଟେଲ୍ ର ପ୍ରଶିକ୍ଷଣ ମଧ୍ୟ ଦିଆଯିବ । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଏହି ଶିବିରରେ ଭାଗ ନେଇଥିବା ୩୦ ଜଣ ମହିଳା ମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏସଏଚ୍‌ଏମ୍‌ର ଡିନ୍ ଇନ୍‌ଚାର୍ଜ ଡକ୍ଟର ସପନ କୁମାର ସାଢ଼ୁଆଳଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଫ୍ୟାକ୍ଟଲି ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ଆସିଷ୍ଟାଂଟ୍ ପ୍ରଫେସର ସଂଘମିତ୍ରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ବର୍ଷକୁ 50 ହଜାର ଛାତ୍ରଛାତ୍ରୀ ପାଇବେ 100 କୋଟି ଟଙ୍କାର ପୁରସ୍କାର …

() ରାଜ୍ୟସ୍ତରୀୟ ଶିଶୁ ଦିବସ ଉଦଯାପନୀ ସମାରୋହ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ।

ଶିକ୍ଷାରେ ଉତ୍କର୍ଷ ପାଇଁ 5T ରୂପାନ୍ତରିତ ସ୍କୁଲ ତଥା ଅନ୍ୟ ସ୍କୁଲ ମାନଙ୍କ ପାଇଁ ୧୦୦ କୋଟି ଟଙ୍କାର ପୁରସ୍କାର ଘୋଷାଣ ବର୍ଷକୁ ୫୦ ହଜାର ଛାତ୍ରଛାତ୍ରୀ ପାଇବେ ପୁରସ୍କାର।

ସରପଞ୍ଚ, ଶିକ୍ଷକ ,ପୁରାତନ ଛାତ୍ର ଛାତ୍ରୀ ସ୍କୁଲ କମିଟି ବି ପୁରସ୍କୃତ ହେବେ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ମାଧ୍ୟମିକ ଶିକ୍ଷା ପରିଷଦ ପାଇଁ ଡିଜି ଲକର ବ୍ୟବସ୍ଥାର ଶୁଭାରମ୍ଭ।

ସମୟର ଆହ୍ବାନକୁ ସାମ୍‌ନା କରିବା ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବା ହେଉଛି ୫ଟି ରୂପାନ୍ତରର ମୁଖ୍ୟ ଲକ୍ଷ୍ୟ – ମୁଖ୍ୟମନ୍ତ୍ରୀ। 

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି 5T ରୂପାନ୍ତରିତ ସ୍କୁଲ ତଥା ଅନ୍ୟ ସ୍କୁଲ ମାନଙ୍କ୍ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶିକ୍ଷାର ଉତ୍କର୍ଷ ଲାଭ କରୁଥିବା ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ ଓ ପ୍ରଧାନ ଶିକ୍ଷକ, ଶିକ୍ଷକଶିକ୍ଷୟିତ୍ରୀ,ସରପଞ୍ଚ ସ୍କୁଲ ପରିଚାଳନା କମିଟି ତଥା ପୁରାତନ ଛାତ୍ରମାନ ଙ୍କୁ ସେମାନଙ୍କ ଅବଦାନ ପାଇଁ ବର୍ଷକୁ ୧୦୦ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ବ୍ଲକ୍‌, ଜିଲ୍ଲା ଓ ରାଜ୍ୟସ୍ତରରେ ଏହି ପୁରସ୍କାର ପ୍ରଦାନ କରାଯିବ। ୫୦ ହଜାର ଛାତ୍ରଛାତ୍ରୀ, ୧୫୦୦ ପ୍ରଧାନ ଶିକ୍ଷକ ଓ ଶିକ୍ଷକ-ଶିକ୍ଷୟିତ୍ରୀ , ସ୍କୁଲ ପରିଚାଳନା କମିଟି ସରପଞ୍ଚ ପୁରାତନ ଛାତ୍ରମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଆଜି ସ୍ଥାନୀୟ ୟୁନିଟ-୯ ସ୍ଥିତ ସରକାରୀ ହାଇସ୍କୁଲରେ ରାଜ୍ୟସ୍ତରୀୟ ଶିଶୁ ଦିବସ ଉତ୍ସବର ଉଦ୍‌ଯାପନୀ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ପୁରସ୍କାର ଘୋଷଣା କରିଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ମାଧ୍ୟମିକ ଶିକ୍ଷା ପରିଷଦ ପାଇଁ ଡିଜି ଲକର ବ୍ୟବସ୍ଥାର ଶୁଭାରମ୍ଭ ମଧ୍ୟ କରିଛନ୍ତି। ଏହି ଭର୍ଚ୍ୟୁଆଲ ଲକରରେ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ, ମାର୍କସିଟ ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ସୁରକ୍ଷିତ ରହିପାରିବା ସହିତ ସୁବିଧାରେ ଉପଲବ୍‌ଧ ମଧ୍ୟ ହେବ । ଏଥିରେ ଚୋରି ବା ହଜି ଯିବାର କୌଣସି ସମ୍ଭାବନା ରହିବ ନାହିଁ ।

ଉପସ୍ଥିତ ଛାତ୍ରଛ୍ରତ୍ରୀଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ୩ଟି ଗୁରୁତ୍ବପୂର୍ଣ୍ଣ ବିଷୟରେ ପରାମର୍ଶ ଦେଇଥିଲେ। ପ୍ରଥମଟି ହେଉଛି – ସମୟର ଆହ୍ବାନ। ସେ କହିଥିଲେ ଯେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମୟ ହେଉଛି ଗୁରୁତ୍ବପୂର୍ଣ୍ଣ । ଠିକ୍‌ ସମୟରେ ଠିକ୍‌ କାମ କଲେ, ପିଲାମାନେ ଆଗରେ ରହିପାରିବେ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇ କହିଥିଲେ ଯେ ବର୍ତ୍ତମାନ ହେଉଛି ପିଲାମାନଙ୍କର ଜ୍ଞାନ ଅର୍ଜନ କରିବାର ସମୟ। ପାଠ ସହିତ ଖେଳକୁଦ, ନାଚଗୀତ – ସବୁ କ୍ଷେତ୍ରରେ ଉତ୍କର୍ଷ ହାସଲ କରି ନିଜ ପାଇଁ ପରିଚୟ ସୃଷ୍ଟି କରିବାକୁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ ।ଦ୍ବିତୀୟରେ “ପରିବର୍ତ୍ତନ ଅବଶ୍ୟମ୍ଭାବୀ” ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମୟ ସହ ତାଳ ଦେଇ ଆଗକୁ ବଢିବାକୁ ହେବ ଓ ପରିବର୍ତ୍ତନକୁ ଗ୍ରହଣ କରିବାକୁ ହେବ। ସମୟର ଆହ୍ବାନକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇ ସେ କହିଥିଲେ ଯେ ଆମର ୫-ଟି ରୂପାନ୍ତରର ମୁଖ୍ୟ ଲକ୍ଷ୍ୟ ହେଉଛି, ସମୟର ଆହ୍ବାନର ମୁକାବିଲା ପାଇଁ ପିଲା ମାନଙ୍କୁ ପ୍ରସ୍ତୁତ କରିବା। ନିଜ ଭିତରେ ବୈଜ୍ଞାନିକ ମନୋବୃତ୍ତିର ବିକାଶ ପାଇଁ ସେ ପରାମର୍ଶ ଦେଇଥିଲେ।

ତୃତୀୟରେ ପିଲାମାନଙ୍କୁ ଦାୟିତ୍ବବୋଧତା ସଂପର୍କରେ ବୁଝାଇ କହିଥିଲେ ଯେ ତୁମମାନଙ୍କ ଜୀବନ ଗଢିତୋଳିବାରେ ଯେଉଁ ମାନଙ୍କ ଅବଦାନ ରହିଛି, ଯଥା- ଶିକ୍ଷକ, ପରିବାର, ଗୁରୁ ,ନିଜ ଗାଁ ଓ ସ୍କୁଲ – ସେମାନଙ୍କ ପ୍ରତି ନିଜର ଦାୟିତ୍ବ ଓ ସମ୍ମାନକୁ କେବେ ହେଲେ ଭୁଲ ନାହଁ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ କୃତୀତ୍ବ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହିତ ଏକ କଫି ଟେବୁଲ ପୁସ୍ତକ, ମାଗାଜିନ ଓ ମୋ ସ୍କୁଲ ନ୍ୟୁଜ ଲେଟର ଉନ୍ମୋଚନ କରିଥିଲେ ।

ଏହି ଅବସରରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ଓ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାଶ ନିଜ ନିଜର ଅଭିଭାଷଣ ରଖି ଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ । ସ୍କୁଲ ଗୁଡିକର ରୂପାନ୍ତର, ମୋ ସ୍କୁଲ କାର୍ଯ୍ୟକ୍ରମ ଆଦି ରାଜ୍ୟର ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।ଭୁବନେଶ୍ବର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଓ ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ ରାଉତ ପ୍ରମୁଖ ଅଭିଭାଷଣ ଦେଇଥିଲେ ।

ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର-ତଥା-ସଚିବ ଅଶ୍ବଥି ଏସ୍‌ ସ୍ବାଗତ ଭାଷଣ ଦେଇଥିଲେ ଓ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।

ପଦମପୁର ହେବ ଜିଲ୍ଲା: ନବୀନ ଦେଲେ ପ୍ରତିଶ୍ରୁତି…

() ୨୦୨୩ ଡ଼ିସେମ୍ବର ମାସ ସୁଦ୍ଧା ପଦମପୁରକୁ ମିଳିବ ଜିଲ୍ଲାର ମାନ୍ୟତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କ୍ରୟାନୁଷ୍ଠାନ କମିଟିର ଆଲୋଚନା ପରେ ଏପରି ସୂଚନା ଦେଇଛନ୍ତି କମିଟିର ସଦସ୍ୟମାନେ । ପଦମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃ୍ତି ମିଳିଛି ଓ ଆଚରଣ ବିଧି ଲାଗୁ ହୋଇଥିବାରୁ ଜିଲ୍ଲା ଘୋଷଣା ହୋଇପାରିନାହିଁ ବୋଲି କ୍ରୀୟାନୁଷ୍ଠାନ କମିଟିର ସଦସ୍ୟ କହିଛନ୍ତି । ଜିଲ୍ଲା ଗଠନ ନେଇ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନଙ୍କ ଠାରୁ ବଡ଼ ପ୍ରତିଶ୍ରୃତି ମିଳିବା ଖୁସିବ୍ୟସ୍ତ କରିଛନ୍ତି ପଦମପୁରବାସୀ । ଜିଲ୍ଲା ଗଠନ ନେଇ ବିଜେଡ଼ି ତାର ନିର୍ବାଚନୀ ଇସ୍ତାହାରରେ ପ୍ରକାଶ କରିବ ବୋଲି କ୍ରୀୟାନୁଷ୍ଠାନ ସଦସ୍ୟ କହିଛନ୍ତି । ଆଲୋଚନା ପରେ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଂଜନ ପୂଜାରୀ କହିଛନ୍ତି ଯେ ପଦମପୁରକୁ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ଦେବା ପାଇଁ ଆମେ ପ୍ରତିଶୃତିବଦ୍ଧ । ଅର୍ଥମନ୍ତ୍ରୀ କହିଲେ ସ୍ବତନପଦମପୁର ଉପଖଣ୍ଡକୁ ମିଳିବ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା l ୨୦୨୩ ଡ଼ିସେମ୍ବପର ସୁଦ୍ଧା ପଦମପୁରକୁ ମିଳିବ ଜିଲ୍ଲାର ମାନ୍ୟତା । ଏନେଇ କ୍ରୀୟାନୁଷ୍ଠାନ କମିଟିକୁ ପ୍ରତିଶ୍ରୃତି ଦେଇଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘଦିନ ଧରି ପଦମପୁରବାସୀ ଜିଲ୍ଲାମାନ୍ୟତା ନେଇ ଯେଉଁ ଦାବି କରିଆସୁଥିଲେ ତାହା ନବୀନଙ୍କ ସହ ଆଲୋଚନା କରିବା ପରେ ସଫଳ ହୋଇଛି । ଆଚରଣ ବିଧି ଲାଗୁ ହୋଇଥିବାରୁ ବର୍ତ୍ତମାନ ଘୋଷଣା ହୋଇପାରୁନି ବୋଲି କମିଟି ସଦସ୍ୟମାନେ କହିଥିଲେ । ଉପ ନିର୍ବାଚନରେ ବିଜେଡ଼ି ତାର ନିର୍ବାଚନୀ ଇସ୍ତାହାରରେ ପଦମପୁରକୁ ଜିଲ୍ଲା ମାନ୍ୟତା କଥା ପ୍ରକାଶ କରିବ ବୋଲି ସଦସ୍ୟମାନେ କହିଛନ୍ତି । ପଦମପୁରକୁ ଜିଲ୍ଲାର ମାନ୍ୟତା ଦେବା ପାଇଁ ବିଜେଡ଼ି ପୂର୍ବରୁ ପୂଣ୍ଣ ସମର୍ଥନ ଦେଇଆସୁଛି । କ୍ରୀୟାନୁଷ୍ଠାନ କମିଟିର ସହ ଧାରଣା ସ୍ଥଳରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ବିଧାୟକ ସୁଶାନ୍ତ ସିଂହ ଓ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଆଲୋଚନା କରିଥିଲେ ।

ଆଇଆଇଏମ୍‍ସିରେ ଜାତୀୟ ପ୍ରେସ୍‍ ଦିବସ ପାଳିତ “ଗଣମାଧ୍ୟମ ସାକ୍ଷରତା ନିହାତି ଲୋଡ଼ା”…

{} ଆଇଆଇଏମ୍‍ସିରେ ଜାତୀୟ ପ୍ରେସ୍‍ ଦିବସ ପାଳିତ

“ଗଣମାଧ୍ୟମ ସାକ୍ଷରତା ନିହାତି ଲୋଡ଼ା”।

() ସାମ୍ବାଦିକତା ଯଦି ଠିକ୍‍ ଭାବେ କାର୍ଯ୍ୟ କରିବ, ତେବେ ଭାରତୀୟ ପ୍ରେସ୍‍ ପରିଷଦ (ପିସିଆଇ)ର ବିଶେଷ ଭୂମିକା ରହିବ ନାହିଁ । କାରଣ, ପିସିଆଇ ପକ୍ଷରୁ ପୂର୍ବରୁ ସାମ୍ବାଦିକଙ୍କ ପାଇଁ କେତୋଟି ନିୟମାବଳୀ ରହିଛି । କିନ୍ତୁ ଦୁଃଖର କଥା ସେଥିପ୍ରତି ଅନେକ କାର୍ଯ୍ୟରତ ସାମ୍ବାଦିକ ତଥା ଗଣମାଧ୍ୟମ ସଂସ୍ଥା ସଚେତନ ନୁହନ୍ତି । ତେବେ ଗଣମାଧ୍ୟମ ସଂସ୍ଥା ନିଜର ସମସ୍ତ ସାମ୍ବାଦିକଙ୍କୁ ପିସିଆଇର ‘ସାମ୍ବାଦିକତା ନିୟମାବଳୀ’ ନେଇ ସଚେତନ କରାଇବା ଜରୁରୀ ବୋଲି କହିଛନ୍ତି ଆଇଆଇଏମ୍‍ସି, ଜମ୍ମୁର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ରାକେଶ ଗୋସ୍ୱାମୀ ।   ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳରେ ଜାତୀୟ ପ୍ରେସ୍‍ ଦିବସ ପାଳିତ ହୋଇଛି । ଏହି ଅବସରରେ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ ଯୋଗଦେଇ ପ୍ରଫେସର ଗୋସ୍ୱାମୀ କହିଛନ୍ତି, କେବଳ ମୁଦ୍ରିତ ଗଣମାଧ୍ୟମ ନୁହେଁ, ବରଂ ଟେଲିଭିଜନ୍‍ ଓ ସାମାଜିକ ଗଣମାଧ୍ୟମ ପାଇଁ ମଧ୍ୟ ଭିନ୍ନ ଭିନ୍ନ ନିୟମ ରହିଛି । କିନ୍ତୁ, ସାମାଜିକ ଗଣମାଧ୍ୟମରେ ଆଜିକାଲି ଅନେକ ଭୁଲ ତଥ୍ୟ ଆସୁଛି । ତେବେ ଏଥିପାଇଁ ଗଣମାଧ୍ୟମ ସାକ୍ଷରତା, ସୂଚନାର ସାକ୍ଷରତା ତଥା ଡିଜିଟାଲ ସାକ୍ଷରତାର ଆବଶ୍ୟକତା ରହିଛି । ଏହାଦ୍ୱାରା ଉଭୟ ବିଷୟବସ୍ତୁ ପ୍ରସ୍ତୁତକାରୀ ଏବଂ ଦର୍ଶକ ସଚେତନ ହୋଇପାରିବେ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ସେହିପରି ରାଜସ୍ଥାନର ବରିଷ୍ଠ ସାମ୍ବାଦିକ ଅଶୋକ ଚତୁର୍ବେଦୀ କହିଛନ୍ତି, ଗଣମାଧ୍ୟମର ସ୍ୱାଧୀନତା ତଥା ଏହାର ସୁରକ୍ଷା ନେଇ ପିସିଆଇ ଅନେକ କ୍ଷେତ୍ରରେ କୋର୍ଟ ପରି କାର୍ଯ୍ୟ କରୁଛି । ତେବେ ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ଦ୍ରୁତ ବ୍ୟବହାର ଓ ପ୍ରସାର ଫଳରେ ପିସିଆଇର ସ୍ୱରୂପ ଏବଂ ତା’ର ପ୍ରକୃତ କ୍ଷମତା କ’ଣ ହେବା ଉଚିତ ତାହା ସ୍ଥିର ହେବା ଦରକାର । ଏହାସହ ଗଣମାଧ୍ୟମର ନିଜସ୍ୱ ନିୟମାବଳୀ ମଡେଲ୍‍ ବି ରହିବା ଆବଶ୍ୟକ ବୋଲି ସେ କହିଛନ୍ତି ।  ଆଲୋଚନାଚକ୍ରରେ ସମ୍ମାନିତ ବକ୍ତାଭାବେ ଯୋଗଦେଇ ସୁଲେଖକ ତଥା ଶିକ୍ଷାବିତ ସୁବୀର ଘୋଷ କହିଛନ୍ତି, ଦେଶ ଗଠନରେ ଗଣମାଧ୍ୟମର ଏକ ବିଶେଷ ଭୂମିକା ରହିଛି, ତାହା ଭାରତୀୟ ଗଣମାଧ୍ୟମର ଇତିହାସ ପ୍ରମାଣିତ କରିଛି । ଭାରତୀୟ ଗଣମାଧ୍ୟମ ବିଶେଷକରି ଖବରକାଗଜ ଲୋକଙ୍କୁ ଶିକ୍ଷିତ କରିବା, ପ୍ରେରଣା ଯୋଗାଇବା ତଥା ଭୁଲ ଠିକ୍‍ର ନିଷ୍ପତ୍ତି ନେବାର କ୍ଷମତା ଆଦି ଦେଇଆସିଛି । ଭାରତର ସ୍ୱାଧୀନତା ସମୟରେ ସାମ୍ବାଦିକତା ଏକ ପ୍ରମୁଖ ଭୂମିକା ନେଇଥିଲା । ସେସମୟରେ କିଛି ଖବରକାଗଜକୁ ବ୍ରିଟିଶ ସରକାର ବନ୍ଦ କରିଦେଇଥିଲେ, କିଛି ଖବରକାଗଜର ସମ୍ପାଦକ ଓ ସାମ୍ବାଦିକଙ୍କୁ ଜେଲପଠାଇଥିଲେ।

ଏହା ସତ୍ତ୍ୱେ ଗଣମାଧ୍ୟମ ନିଜର କର୍ତ୍ତବ୍ୟ ପଥରୁ ନ ଓହରି କାର୍ଯ୍ୟ କରିଆସିଛି । କେବଳ ସ୍ୱାଧୀନତା କ୍ଷେତ୍ରରେ ନୁହେଁ, ବରଂ ଲୋକଙ୍କ ମନରେ ଥିବା ଅନ୍ଧକାରକୁ ଦୂରେଇ ଆଲୋକ ଦେଖାଉଛି ସାମ୍ବାଦିକତା । ଏସବୁ ଦୃଷ୍ଟିରୁ ଭାରତୀୟ ସାମ୍ବାଦିକତା ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି ବୋଲି ସେ କହିଛନ୍ତି ।  ପ୍ରାରମ୍ଭିକ ବକ୍ତବ୍ୟରେ ଆଇଆଇଏମ୍‍ସି, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ଆଜିର ଦିନରେ ପିସିଆଇକୁ ନେଇ କେତୋଟି ପ୍ରସଙ୍ଗର ଆଲୋଚନା ପ୍ରାସଙ୍ଗିକ । ଏଥିମଧ୍ୟରୁ ପ୍ରଥମେ କୁହାଯାଇପାରେ, ପିସିଆଇ ପରିସରରେ କେବଳ ମୁଦ୍ରିତ ଗଣମାଧ୍ୟମ ଓ ନିଉଜ୍‍ ଏଜେନ୍ସୀ ଆସୁଛି ।

ଏହାର ପରିସରକୁ ଟେଲିଭିଜନ୍‍ ଓ ସାମାଜିକ ଗଣମାଧ୍ୟମ ଆସିପାରିବ କି । ଯଦି ଆସିବ ତେବେ ମିଡିଆ କାଉନ୍ସିଲ ଗଠନ ଓ ତା’ର କାର୍ଯ୍ୟାବଳୀ କ’ଣ ରହିବ । ଦ୍ୱିତୀୟ ପ୍ରସଙ୍ଗ ହେଉଛି, ପିସିଆଇକୁ ଅନେକ ସମୟରେ ‘ଦାନ୍ତ ବିହୀନ ବାଘ’ ବୋଲି ଅନେକେ ଆଖ୍ୟା ଦେଉଛନ୍ତି । ଏହାର କାରଣ, ଗଣମାଧ୍ୟମ ଉପରେ ଓ ସାମ୍ବାଦିକଙ୍କ ସୁରକ୍ଷା ଦିଗରେ ପିସିଆଇର ଏତେଟା ନିୟନ୍ତ୍ରଣ ରହୁନି । ତୃତୀୟ ପ୍ରସଙ୍ଗ ପୁଞ୍ଜି ଏବଂ ଚତୁର୍ଥ ପିସିଆଇର ସାମ୍ବିଧାନିକ ବ୍ୟବସ୍ଥା । ଏସବୁ ଉପରେ ଆଲୋଚନା ହେବା ଦରକାର ବୋଲି ସେ କହିଛନ୍ତି ।

ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ‘ଡିଜିଟାଲ ଯୁଗରେ ଭାରତୀୟ ପ୍ରେସ୍‍ ପରିଷଦ’ ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଇଂରାଜୀ ସାମ୍ବାଦିକତାର ସୃଷ୍ଟି ପାଣ୍ଡେ ଏବଂ ଓଡ଼ିଆ ସାମ୍ବାଦିକତାର ରୁପାଲି ଓଝାଙ୍କୁ ପୁରସ୍କୃତ କରାଯାଇଛି । ଏହାସହ ଦ୍ୱିତୀୟ ସ୍ଥାନରେ ରହିଥିବା ଆଦ୍ୟା ଝା ଏବଂ ମାନସ ରଞ୍ଜନ ପ୍ରଧାନ ଓ ତୃତୀୟ ସ୍ଥାନରେ ରହିଥିବା ସମ୍ବୁଦ୍ଧ ବିଶ୍ୱାସ ଓ ବିଶ୍ୱଜିତ ଗାଈଗାରିଆ ମଧ୍ୟ ପୁରସ୍କୃତ ହୋଇଛନ୍ତି ।  ଆଇଆଇଏମ୍‍ସିର ସହକାରୀ ପ୍ରଫେସର ଭାବନା ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରେସ୍‍ ଦିବସର ଆଭିମୁଖ୍ୟ ତଥା ଏହାର ଇତିହାସ ଉପରେ ଆଲୋଚନା କରିଛନ୍ତି ସହକାରୀ ପ୍ରଫେସର ଡ. ହରି କୃଷ୍ଣ ବେହେରା ।

ଜଙ୍ଗଲ, ପର୍ଯ୍ୟାବରଣ ଆଇନକୁ ଉଲ୍ଲଙ୍ଘନ କରି କାହା ସ୍ୱାର୍ଥରେ କଟକ ଆଗ୍ରାଭେଟ କମ୍ପାନୀଙ୍କୁ ରାଜ୍ୟ ସରକାର ୨୫ ଏକର ଜମିଦେଲେ – କଂଗ୍ରେସ…

() କଟକ ଜିଲ୍ଳା ବାଙ୍କି ତହସିଲର ବାଁରା ଗ୍ରାମ ନିକଟବର୍ତୀ ଅଂଳଚରେ ୨୫.୬୦୦ ଏକର ଜମି ରାଜ୍ୟ ସରକାର ୨୦୨୧ ମସିହା ସେପ୍ଟେମ୍ବର ମାସ ୧୩ ତାରିଖ ଦିନ ପଞ୍ଜାବର ଶ୍ରୀଯୁକ୍ତ ସିଙ୍ଗଲା ନାମକ ଜୈନିକ ବ୍ୟବସାୟୀଙ୍କ କଟକ ଆଗ୍ରାଭେଟ ନାମକ କମ୍ପାନୀକୁ ୬୭ଲକ୍ଷ ୨୧ ହଜାର ୨ଶହ ୨ଟଙ୍କାରେ ୯୦ ବର୍ଷ ପାଇଁ ଇଡକୋ ଦ୍ୱାରା ଜମି ଯୋଗାଯାଇଅଛି ।

ଏଠାରେ କଟକ ଆଗ୍ରାଭେଟ ଏକ ଇଥାନଲ କାରଖାନା ବସାଇବ । ଏହି କାରଖାନାରୁ ୧୨୫ କେଏଲପିଡି ଇଥାନଲ ଉତ୍ପାଦିତ ହେବ ବୋଲି କୁହାଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରକାର ଯୋଗାଇଦେଇଥିବା ଉପରୋକ୍ତ ଜମି ଡମପଡ଼ା ବାଙ୍କି ନିଶିଦ୍ଧାଂଚଳ ଜଙ୍ଗଲକୁ ଲାଗିଛି । ଏହି ଜମି ରାସ୍ତାଦେଇ ହାତିମାନେ ପ୍ରତିଦିନ ଗମନାଗମନ କରନ୍ତି । ମହାନଦୀ ମୂହାଣରୁ ପାଣି ପିଅନ୍ତି । ଏହି ଅଂଚଳକୁ ବହୁ ବିଦେଶାଗତ ସାଇବେରିଆ ଅଂଚଳରୁ ପକ୍ଷୀ ପ୍ରତିବର୍ଷ ଆସନ୍ତି । ତତ୍‌ସହିତ ଏହି ଜମି ସଂଲଗ୍ନ ଅଂଚଳଟିରେ ଭାଲୁ, ହରିଣ, ସମ୍ବର, ଠେକୁଆ, ଗୋଧି, ମୟୁର ଏବଂ ଅଜଗର ଇତ୍ୟାଦି ପଶୁ, ସରିଶୃପ ଓ ପକ୍ଷୀ ମାନଙ୍କର ବାସସ୍ଥଳିତ ଅଟେ । ରାଜ୍ୟ ସରକାର ଏହି ଜମିକୁ ଶିଳ୍ପ ସ୍ଥାପନ ନିମନ୍ତେ ଦେବାବେଳେ ଇଡକୋ, କଟକ ଜିଲ୍ଲା ପ୍ରଶାସନ ବାଙ୍କି ସବ୍‌କଲେକ୍ଟର ତହସିଲଦାର ତଥା ରାଜ୍ୟ ପ୍ରଶାସନର ଜଙ୍ଗଲ ଓ ପର୍ଯ୍ୟାବରଣ ବିଭାଗ ସମସ୍ତ ଆଇନ କାନୁନକ୍ ଉଲ୍ଲଙ୍ଘନ କରି ଶିଳ୍ପପତିଙ୍କ ସ୍ୱାର୍ଥରକ୍ଷା ତଥା ଅନ୍ୟ କିଛି ନିହତ ସ୍ୱାର୍ଥ ଉଦ୍ଦେଶ୍ୟରେ ଏ ଜମିକୁ ହସ୍ତାନ୍ତର କରାଯାଇଅଛି ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବାଙ୍କିର ପୂର୍ବତନ ବିଧାୟକ ତଥା ପୂର୍ବତନ ପ୍ରଦେଶ କଂଗ୍ରେସ ଉପସଭାପତି ଡ. ଦେବାଶିଷ ପଟ୍ଟନାୟକଙ୍କୁ ଗଣମାଧ୍ୟମ ସାମନାରେ ବିଶୋଦଗାର କରିଛନ୍ତି । ଉକ୍ତ ଜମିରେ କଟକ ଆଗ୍ରାଭେଟ କମ୍ପାନୀ ଇଥାନଲ ପ୍ଲାଂଟ ସହିତ ୪ ମେଗାୱାଟର ଏକ ତାପଜ ବିଦ୍ୟୁତକେନ୍ଦ୍ର ସ୍ଥାପନ କରବି । ଯେଉଁଥିପାଇକି ପ୍ରତିଦିନ ୧୮୦ ଟନ କୋଇଲା ଜାଲେଣିରୂପେ ଆବଶ୍ୟକ ପଡ଼ିବ ଫଳରେ କୋଇଲାରୁ ନିର୍ଗତ ଧୂଆଁ, ଧୂଳି ସେ ଅଂଚଳର ଜୈବ ବିବିଧତା ଜଙ୍ଗଲ ଓ ପରିବେଶକୁ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ କରିବ ।

ଏହି କାରଖାନା ଅଂଚଳ ପାଖାପାଖି ନୂଆପଡ଼ା, କୁଆମୋଡ଼ା, ନରାଜ, ମୁଣ୍ଡୁଳି, ଭାଗିପୁର, କଲ୍ୟାଣପୁର ଇତ୍ୟାଦି ବହୁ ଗ୍ରାମବସତି ଅଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଏହି ଶିଳ୍ପପ୍ରତିଷ୍ଠା କରାଯାଉଥିବା ଜାଗାଠାରୁ ଏକ କିଲୋମିଟର ପରିସର ଭିତରେ  ବିଦ୍ୟାଳୟ। ମୁଣ୍ଡୁଳୀ ହାଇସ୍କୁଲ, ସାଇ ଇଂଟରନ୍ୟାସନାଲ ସ୍କୁଲ ଏବଂ କେନ୍ଦ୍ର ସରକାରଙ୍କର ସିଆଇଏସଫ ସଂସ୍ଥା ତଥା ମାତ୍ର ୪ କିମି ଦୂରାରେ ନନ୍ଦନକାନନ ପ୍ରାଣି ଉଦ୍ୟାନ ଅବସ୍ଥିତ । ଖାଲି ସେିତିକି ନୁହେଁ ଓଡ଼ିଶା ହାଇକୋର୍ଟ ଏହି ଯାଗାଠାରୁ ମାତ୍ର ୫ କିଲୋମିଟର ଦୂର । ତେଣୁ ଏଭଳି ଏକ ସମ୍ବେଦନଶୀଳ, ଜନବସତି ତଥା ଜଙ୍ଗଲ ଅଂଚଳରେ ଏଭଳି ଏକ ଶିଳ୍ପ ପ୍ରତିଷ୍ଠାକ ରିବାପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଏହା ତାଙ୍କର କେଉଁ ଦୁରଦୃଷ୍ଟିର ପାରଦର୍ଶିତା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କମ୍ପାନୀ ଉପରୋକ୍ତ ଜମିରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାପୂର୍ବରୁ ପଲ୍ୟୁସନ କଂଟ୍ରୋଲ ବୋର୍ଡରୁ କ୍ଲିୟରାନ୍ସ ଆଣିନାହାନ୍ତି । କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପର୍ଯ୍ୟାବରଣ ମନ୍ତ୍ରଣାଳୟରୁ ଅନୁମତି ପାଇ ନାହାନ୍ତି ଏବଂ ରାଜ୍ୟ ଜଙ୍ଗଲ ଓ ପର୍ଯ୍ୟାବରଣ ମନ୍ତ୍ରଣାଳୟରୁ ଅନୁମତି ପାଇ ନାହାନ୍ତି । ଏପରିକି ଆଇନ ଅନୁସାରେ ଗ୍ରାମସଭା ଡକାନଯାଇ ବିଜୁ ଜନତାଦଳ ସମର୍ଥିିତ ସରପଂଚ ମିଛ ଗ୍ରାମସଭା ହୋଇଥିବାର ପ୍ରଦାନ କରିଛନ୍ତି । ଏ ଅଂଚଳର ଲୋକମାନଙ୍କର ଦାବୀ ଏ ଅଂଚଳର ଜଳବାୟୁ ତଥା ବାୟୁମଣ୍ଡଳ ତଥା ଜୈବବିବିଧତାକୁ ପ୍ରଦ୍ୟୁଷିତ ନକରି ଅନ୍ୟ ଯେଉଁଠାରେ ଶିଳ୍ପାଚଂଳ ଗଢ଼ିଉଠିଛି ସେଠି କଲେ କିଛି କ୍ଷତି ହେବ ନାହିଁ । ଚୌଦ୍ୱାର ଶିଳ୍ପାଂଚଳରେ ହଜାର ହଜାର ଏକର ଲ୍ୟାଣ୍ଡ ଇଡ୍‌କୋ ପାଖରେ ପଡ଼ି ରହିଛି । ସେଠାରେ ଏ ଶିଳ୍ପ ପ୍ରତିଷ୍ଠା

କରାଯାଉ । କଂଗ୍ରେସ ଶିଳ୍ପାୟନରେ ବିରୋଧି ନୁହେଁ କିନ୍ତୁ ପରିବେଶ, ଜଙ୍ଗଲ ଓ ପଶୁପକ୍ଷି ଜୈବବିବିଧତା ଓ ଜନସାଧାରଣଙ୍କ ସ୍ୱାର୍ଥକୁ ଉପେକ୍ଷା କରି ଶିଳ୍ପାୟନକୁ ବିରୋଧ କରେ । ତେଣୁ ସରକାର ଖୋଦ ମୁଖ୍ୟମନ୍ତ୍ରୀ ଏହି ନଷ୍ପତିର ପୂର୍ନବିଚାର କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ନିବଦେନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ପ୍ରବକ୍ତା ମହମ୍ମଦ ହୁସେନ ଓ ରଜନୀ ମହାନ୍ତି ଉପସ୍ଥିତ ଥିଲେ ।

ପୋଢ଼ୁଆଁ ହେବେ ବଡ଼ ଠାକୁର…

() ପୋଢ଼ୁଆଁ ହେବେ ବଡ଼ ଠାକୁର l ମହାପ୍ରଭୁଙ୍କ ପାଇଁ ମାମୁଁ ଘରୁ ଆଜି ସକାଳ ୭ଟା ୩୦ରେ (ନିଆଳି ମାଧବାନନ୍ଦ ଜିଉ) ପୀଠରୁ ଗଲା ଶ୍ରୀମନ୍ଦିର ଅଭିମୁଖେ ପୋଢୁଆଁ ଭାର l

ପୋଢୁଆଁ ସାମଗ୍ରୀ ଗୁଡ଼ିକ ମଧ୍ୟରେ ଅଛି – ଅରୁଆ ଚାଉଳ , ବିରି , ନଡ଼ିଆ , ଗୁଡ଼ , ପାଚିଲା କଦଳି ,ଘିଅ , ଚନ୍ଦନ କାଠ , କର୍ପୂର , ଅଗୁରୁ , ଯାଈଫଳ , ପାନ , ଗୁଆ , ଅଳେଇଚ , ଲବଙ୍ଗ ; ଗୋପାଳବଲ୍ଲଭ ପାଇଁ ବିଭିନ୍ନ ଫଳମୂଳ ଏବଂ ମହାପ୍ରଭୁଙ୍କ ବେଶ ଲାଗି ତୁଳସୀ ଓ ପଦ୍ମଫୁଲ ।
ଯାତ୍ରା ବାଟରେ ପ୍ରାୟ ୮୦ରୁ ଅଧିକ ସଂକୀର୍ତ୍ତନ ଦଳ ଏହି ଶୋଭାଯାତ୍ରାରେ ସାମିଲ ।

ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ଇନ୍‌ପୁଟ୍‌ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

{} ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ଇନ୍‌ପୁଟ୍‌ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

ପୀଡ଼ିତ କୃଷକଙ୍କ ସହାୟତା ପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ୨୦୦ କୋଟି।

() ରାଜ୍ୟର ମରୁଡ଼ି ପ୍ରଭାବିତ ଅଞ୍ଚଳର ପୀଡ଼ିତ ଚାଷୀଙ୍କୁ ୨୦୦ କୋଟି ଟଙ୍କାର ଇନ୍‌ପୁଟ୍‌ ସହାୟତା ରାଶି ପ୍ରଦାନ କରାଯିବ। ଆଜି ଏ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ସମସ୍ତ ଅର୍ଥ ରାଜ୍ୟ ସରକାର ନିଜ ରାଜକୋଷରୁ ପ୍ରଦାନ କରିବେ। ମିଳିଥିବା ରିପୋର୍ଟ ଅନୁଯାୟୀ, ବର୍ଷା ଅଭାବରୁ ରାଜ୍ୟର ୧୨ଟି ଜିଲ୍ଲାର ୬୪ଟି ବ୍ଲକ୍‌ ଏବଂ ୧୫ଟି ପୌରାଞ୍ଚଳରେ ଥିବା ପ୍ରାୟ ୨, ୬୩,୫୬୦ ହେକ୍ଟର ଚାଷଜମିରେ ୩୩ ପ୍ରତିଶତ ବା ତା’ଠାରୁ ଅଧିକ ଫସଲହାନି ହୋଇଛି। ଅଥଚ ଏ ପର୍ଯ୍ୟନ୍ତ ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳର ବହୁସଂଖ୍ୟକ ଚାଷୀ ଫସଲ ବୀମା ରାଶି ପାଇପାରି ନାହାନ୍ତି। ଏ ସଂପର୍କରେ ରାଜ୍ୟ ସରକାର କ୍ରମାଗତ ଭାବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ବୈଷୟିକ ଉପଦେଷ୍ଟା କମିଟିକୁ ଜଣାଇବା ସହ ଅନୁରୋଧ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ।

ଏହି ପରିପ୍ରେକ୍ଷୀରେ ପରିସ୍ଥିତିର ଗମ୍ଭୀରତା ଏବଂ ମରୁଡ଼ି ପୀଡ଼ିତ କୃଷକଙ୍କ ଦାବି ଏବଂ ଜିଲ୍ଲାପାଳମାନେ ଦେଇଥିବା ଫସଲହାନି ରିପୋର୍ଟକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ପୀଡ଼ିତ ଏବଂ ବଞ୍ଚିତ ଚାଷୀଙ୍କୁ ରାଜ୍ୟର ନିଜସ୍ବ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପୀଡ଼ିତ ଚାଷୀଙ୍କୁ ତତ୍କାଳ ସହାୟତା ରାଶି ପ୍ରଦାନ ଲାଗି ଏହିସବୁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ସହାୟତା ରାଶି ସଂର୍ପକରେ ଏସ୍‌ଆର୍‌ସିଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୀଡ଼ିତ ଚାଷୀଙ୍କ କଷ୍ଟ ଦୂର କରିବାକୁ ଏବେ ୨୦୦ କୋଟି ଟଙ୍କାର ଆବଶ୍ୟକତା ରହିଛି ବୋଲି ଆକଳନ କରାଯାଉଛି।

ପାରସ୍ପରିକ ସହଭାଗିତା ନିମନ୍ତେ ସୋଆ ଏବଂ କମଭିଭା ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ….

() ପାରସ୍ପରିକ ସହଭାଗିତା ନିମନ୍ତେ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ କମଭିଭା ଟେକ୍ନିନୋଲୋଜିସ୍ ମଧ୍ୟରେ ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି ।ଡିଜିଟାଲ ପେମେଂଟ, ରିଅଲ୍ ଟାଇମ୍ ମାର୍କେଟିଂ ଏବଂ ଆନାଲିଟିକ୍ସ ଓ ଡିଜିଟାଲ୍ ସଲ୍ୟୁସନ୍ କ୍ଷେତ୍ରରେ ବ୍ୟବହାରକାରୀ ମାନଙ୍କୁ ଅଧିକ ଅଭିଜ୍ଞ କରାଇବା ଲକ୍ଷ୍ୟରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଥିବା ସୋଆର ଉପ-କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି ।ଏହି ଅବସରରେ ସୋଆ ପକ୍ଷରୁ ପ୍ରଫେସର ନନ୍ଦ ଏବଂ କମଭିଭା ଟେକ୍‌ନୋଲୋଜିସ୍ ପକ୍ଷରୁ ମାନବ ସମ୍ବଳ ମୁଖ୍ୟ ଶ୍ରୀମତି ବୈଷ୍ଣବୀ ଶୁକ୍ଳା ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ ।

ଏହି ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ୍ ଏବଂ କମଭିଭା ଟେକ୍‌ନୋଲୋଜିସ୍‌ର ସିଇଓ ଶ୍ରୀ ମନୋଜରଂଜନ ମହାପାତ୍ର ଉପସ୍ଥିତ ଥିଲେ । ଏହି ବୁଝାମଣା ଦ୍ୱାରା ଛାତ୍ରଛାତ୍ରୀ ମାନେ ଆଧୁନିକ ଡିଜିଟାଲ ଟେକ୍‌ନୋଲୋଜିସ୍ ସହ ଜଡିତ ହୋଇପାରିବେ ଏବଂ ଶିଳ୍ପ କ୍ଷେତ୍ରରେ ନୂତନ ସୁଯୋଗ ପାଇବା ନିମନ୍ତେ ଏହା ସେମାନଙ୍କୁ ସହାୟକ ହେବ ବୋଲି ପ୍ରଫେସର ନନ୍ଦ କହିଥିଲେ ।

ସୋଆ ସହିତ କମଭିଭା ଯୋଡି ହୋଇ ଇଂଟନ୍‌ସିପ୍ ପ୍ରୋଗ୍ରାମ ଏବଂ ମିଳିତ ପ୍ରୋଜେକ୍ଟ ପ୍ରସ୍ତୁତ କରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏହି ଅବସରରେ କମ୍ପାନୀର ସିଓଇ ଶ୍ରୀମତି ସୁଚିତ୍ରା ପଟ୍ଟନାୟକ, ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ଆଡିସ୍‌ନାଲ୍ ଡିନ୍‌(ରିସର୍ଚ୍ଚ) ଡକ୍ଟର ପ୍ରିୟବ୍ରତ ପଟ୍ଟନାୟକ, ହେଡ୍‌(ଇଣ୍ଡଷ୍ଟ୍ରି ଏନଗେଜମେନ୍‌ଟ) ଶ୍ରୀ ରିପ୍ତି ରଂଜନ ଦାଶ ଏବଂ ହେଡ୍ (ଟ୍ରେନିଂ) ଶ୍ରୀ ସୁମିତ୍ ମିତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news