ବିଦେଶୀ ଖେଳାଳି ଚାଖିବେ ଓଡ଼ିଆ ଖାଦ୍ୟ ମାଣ୍ଡିଆ….

() ବିଦେଶୀ ଖେଳାଳି ଚାଖିବେ ଓଡ଼ିଆ ଖାଦ୍ୟ ମାଣ୍ଡିଆ। ରାଉରକେଲା ବିର୍ଷମୁଣ୍ଡା ଓ କଳିଙ୍ଗ ଷ୍ଟାଡିୟମ୍ ରେ ମାଣ୍ଡିଆ ଖାଦ୍ୟ ବ୍ୟବସ୍ଥା କରାଯାଇଛି। ମାଣ୍ଡିଆ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟକୁ ସେମାନଙ୍କୁ ଉପହାର ସ୍ୱରୂପ ଦିଆଯିବ। ସେମାନଙ୍କୁ ମାଣ୍ଡିଆ ଖାଦ୍ୟ ବି ପରସା ଯିବ। ମିଶନ ଶକ୍ତି ମା ମାନେ ପରସିବେ ମାଣ୍ଡିଆ ଖାଦ୍ୟ। ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି। ଚଳିତ ଥର “ଚାଖ ଲେ ମିଲେଟ ” ସ୍ଲୋଗାନ ଦିଆଯାଇଛି। ବିଶ୍ୱସ୍ତରରେ ମାଣ୍ଡିଆ କୁ ପରିଚିତ କରିବାକୁ ସୁଯୋଗ ଥିବାରୁ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି।

ରଣେନ୍ଦ୍ର ପ୍ରତାପ ସ୍ଵାଇଁ, କୃଷି ମନ୍ତ୍ରୀ।

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍‌ଡିଙ୍କୁ ଶିକ୍ଷାଭାରତୀ ସମ୍ମାନ…

() ସର୍ବଭାରତୀୟ ଶିକ୍ଷା ସଂସ୍ଥା, ସେଂଟର ଫର୍ ଏକ୍ସଲେନ୍ସ ଡେଭେଲପମେଂଟ (ସିଇଡି) ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍‌ଡି ଶ୍ରୀ ପ୍ରୀତମ ନାୟକଙ୍କୁ ଶିକ୍ଷା ଭାରତୀ ସମ୍ମାନ ପ୍ରଦାନ କରାଯାଇଛି । ଉତରପ୍ରଦେଶ ଗୁରୁଗ୍ରାମ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ସିଇଡିର ସଂସ୍ଥାପକ – ସଭାପତି ତଥା ସେଂଟ ଜାଭିଅର୍ ଗ୍ରୁପ୍‌ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡକ୍ଟର ପ୍ରିୟଦର୍ଶୀ ନାୟକ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉତରପ୍ରଦେଶର ପରିବହନ ବିଭାଗ ମନ୍ତ୍ରୀ ଶ୍ରୀ ଦୟାଶଙ୍କର, ମହିଳା କଲ୍ୟାଣ ଓ ଶିଶୁ ବିକାଶ ବିଭାଗର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତି ପ୍ରତିଭା ଶୁକ୍ଳା ପ୍ରମୁଖ ଯୋଗ ଦେଇଥିଲେ ।

ସିଇଡି ଅଧିନରେ ୯୬୦ଟି ସ୍କୁଲ୍ ଓ ୧୨୦୦ ରୁ ଅଧିକ ଉଚ୍ଚ ଶିକ୍ଷାନୁଷ୍ଠାନ ସଦସ୍ୟ ସାମିଲ ଅଛନ୍ତି । ଏହି ଅବସରରେ ଡକ୍ଟର ପ୍ରିୟଦର୍ଶୀ ନାୟକ କହିଥିଲେ ଯେ ସିଇଡି ଜାତୀୟ ଶିକ୍ଷାନୀତିକୁ ୨୦୨୩ରେ ସଂପୂର୍ଣ୍ଣ ଲାଗୁ କରିବାକୁ ସମସ୍ତ ଉଦ୍ୟମ କରିବ । ଫଳରେ ଦେଶର ଉଚ୍ଚ ଶିକ୍ଷାର ମାନ ବୃଦ୍ଧି ପାଇବା ସହ ଶିକ୍ଷାଦାତାଙ୍କୁ ଅଧିକ ସଶକ୍ତ କରାଯାଇପାରିବ । ଦେଶର ପ୍ରଗତି ପାଇଁ ଶିକ୍ଷାର ଗୁଣବତା ବୃଦ୍ଧି ଅତ୍ୟନ୍ତ ଆବଶ୍ୟକ । ଏହା ନ ହେଲେ ଦେଶର ଭବିଷ୍ୟତ ନିର୍ମାଣ କରାଯାଇପାରିବ ନାହିଁ ବୋଲି ସେ କହିଥିଲେ ।ଡ. ପ୍ରିୟଦର୍ଶୀ ନାୟକ କହିଥିଲେ ଯେ, ଭାରତୀୟ ଶିକ୍ଷା ବ୍ୟବସ୍ଥାରେ କ୍ରାନ୍ତିକାରୀ ପ୍ରଗତି ନିମନ୍ତେ ବର୍ତମାନ ଯେଉଁ ସବୁ ଆହ୍ୱାନ ରହିଛି ସେ ସବୁର ଦୃଢ ମୁକାବିଲା କରିବା ଆବଶ୍ୟକ । ଏହା ଫଳରେ ଉଚ୍ଚଶିକ୍ଷାର ମାନରେ ଅଗ୍ରଗତି ଘଟିବ ଏବଂ ଦେଶ ବିଶ୍ୱ ସ୍ତରରେ ଶୀର୍ଷ ସ୍ଥାନରେ ପହଂଚିପାରିବ ।

ଏହି ଅବସରରେ ସୋଆର ପ୍ରୋ-ଚାନ୍‌ସେଲର ପ୍ରଫେସର ଅମିତ ବାନାର୍ଜୀଙ୍କ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନର କୁଳପତି ଓ ଶିକ୍ଷାବିତ୍ ଭାଗ ନେଇଥିଲେ ।

ଯାଜପୁର ମିଶନ ଶକ୍ତି ଭବନ ଉଦ୍‌ଘାଟିତ…

() ମିଶନ ଶକ୍ତି ଗ୍ରୁପକୁ ସୁଧ ରିହାତି 

୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପର ବ୍ୟାଙ୍କ ଖାତାକୁ ଗଲା ୧୨୫ କୋଟି ଟଙ୍କା ସୁଧ ରିହାତି।

ଆଗାମୀ ୫ ବର୍ଷରେ ମିଳିବ ୧୨୦୦ କୋଟି ଟଙ୍କାର ସୁଧ ରିହାତି।

ମା ମାନେ ଆଜି ବିଭିନ୍ନ କ୍ଷେତ୍ରରେ ନିଷ୍ପତ୍ତି ନେଇପାରୁଛନ୍ତି, ଏହା ହିଁ ପ୍ରକୃତ ରୂପାନ୍ତର – ମୁଖ୍ୟମନ୍ତ୍ରୀ।

ମା ମାନଙ୍କୁ ଉଦ୍ୟୋଗୀ ଭାବରେ ଦେଖିବାକୁ ମୁଁ ଚାହେଁ

ମିଶନ ଶକ୍ତି ଆଜି କେବଳ ଏକ ସ୍ଲୋଗାନ ନୁହେଁ, ମା ମାନଙ୍କର ଏହା ଏକ ଜୀବନଧାରା।

ଯାଜପୁର ମିଶନ ଶକ୍ତି ଭବନ ଉଦ୍‌ଘାଟିତ

{} ବିଭିନ୍ନ ଜିଲ୍ଲାରୁ ଆସିଥିବା ମିଶନ ଶକ୍ତି ଗ୍ରୁପର ମା ମାନଙ୍କ ହୁଳହୁଳି ଓ କରତାଳିରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ କନ୍‌ଭେନ ସେଣ୍ଟରରୁ ମିଶନ ଶକ୍ତି ଗ୍ରୁପ ମାନଙ୍କୁ ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ରାଜ୍ୟର ୩୦ଟି ଜିଲ୍ଲାର ୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପଙ୍କ ବ୍ୟାଙ୍କ ଖାତାକୁ ଏହି ସୁଧ ରିହାତି ପ୍ରଦାନ କରାଯାଇଛି । ୨୦୨୨ ଅପ୍ରେଲରୁ ଓ ସେପ୍ଟେମ୍ବର ମଧ୍ୟରେ ମହିଳା ମାନେ ଯେଉଁ ଋଣ ନେଇଥିଲେ, ସେହି ଋଣର ସୁଧ ପରିମାଣ ପ୍ରଦାନ କରାଯାଇଛି । ମାତ୍ର ୬ ମାସରେ ରାଜ୍ୟ ସରକାର ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି । ଉପସ୍ଥିତ ୫ଟି ମିଶନ ଶକ୍ତି ଗ୍ରୁପକୁ ଚେକ୍‌ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ କନ୍‌ଭେନସନ ସେଣ୍ଟରରେ ଉପସ୍ଥିତ ମା ଓ ରାଜ୍ୟର ସବୁ ଜିଲ୍ଲା ଓ ବ୍ଲକ୍‌ରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଡି ହୋଇଥିବା ମା ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ମା ମାନେ ଆଜି ଘରର ଚାରି କାନ୍ଥରୁ ବାହାରି ବ୍ୟବସାୟ ଠାରୁ ଆରମ୍ଭ କରି, ବିକାଶର ବିଭିନ୍ନ କ୍ଷେତ୍ରରେ ନିଷ୍ପତ୍ତି ନେଉଛନ୍ତି । ମା ମାନଙ୍କର ଏହି ନିଷ୍ପତ୍ତି ନେବାର କ୍ଷମତା ହେଉଛି, ପ୍ରକୃତ ରୂପାନ୍ତର । ଆଗାମୀ ଦିନରେ ମା ମାନେ ଆହୁରି ବଡ ବଡ ନିଷ୍ପତ୍ତି ନେବେ ଓ ଓଡିଶାର ରୂପାନ୍ତରରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ବାସ ପ୍ରକଟ କରିଥିଲେ ।  ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତି ଆଜି କେବଳ ଏକ ସ୍ଲୋଗାନ ନୁହେଁ, ଆଜି ଏହା ମା ମାନଙ୍କର ଏକ ଜୀବନଧାରା । ୭୦ ଲକ୍ଷ ମା ମାନଙ୍କର ଏହି ବିରାଟ ଅନୁଷ୍ଠାନ ଆଜି ଓଡିଶା ବିକାଶର ନୂଆ ଇତିହାସ ଲେଖୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମିଶନ ଶକ୍ତି ଗ୍ରୁପ ଗୁଡିକୁ ଶକ୍ତିଶାଳି କରିବା ପାଇଁ ବିଭିନ୍ନ ଘୋଷଣା ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ଜିଲ୍ଲାସ୍ତରୀୟ ଫେଡେରେସନକୁ ଏକ କୋଟି ଟଙ୍କା ଓ ବ୍ଲକ୍‌ ଫେଡେରେସନକୁ ୫୦ ଲକ୍ଷ ଟଙ୍କାର ରିଭଲଭିଂ ଫଣ୍ଡ ଆଦି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ‘ମା ମାନଙ୍କୁ ଉଦ୍ୟୋଗୀ ଭାବରେ ଦେଖିବାକୁ ମୁଁ ଚାହେଁ’। ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କାର ଋଣ ଓ ୧୨୦୦ କୋଟି ଟଙ୍କାର ସୁଧ ରିହାତି ବ୍ୟବସ୍ଥା ହୋଇଛି ବୋଲି ସେ କହିଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯାଜପୁରର ଜିଲ୍ଲାସ୍ତରୀୟ ଫେଡେରେସନ ଭବନକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଥିଲେ ।

ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଏହି ସାମାଜିକ ଓ ଆର୍ଥିକ ସଶକ୍ତିକରଣ କାର୍ଯ୍ୟକ୍ରମ ଆଜି ଏକ ବୈପ୍ଲବିକ ଆନ୍ଦୋଳନରେ ପରିଣତ ହୋଇଛି । ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପାଇବାର ଯେଉଁ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କରିଛନ୍ତି, ତାହା ମା ମାନଙ୍କ ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେ କହିଥିଲେ ।କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇ ମିଶନ ଶକ୍ତି ବିଭାଗ କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ କହିଲେ ଯେ ଆଗରୁ ସୁଧ ରିହାତି ପାଇବା ପାଇଁ ମା ମାନେ ବ୍ୟାଙ୍କକୁ ବାରମ୍ବାର ଯାଉଥିଲେ। ଏବେ ସେ ଅବସ୍ଥା ଆଉ ନାହିଁ। ୫-ଟିରେ ଟେକ୍ଲୋଲୋଜିରେ ବ୍ୟବସ୍ଥା କରାଯାଇ ଖୁବଶୀଘ୍ର ସୁଧ ରିହାତି ହିସାବ କରି ମା ମାନଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଇ ଦିଆଯାଉଛି। ମା ମାନଙ୍କ ପାଇଁ ଯେଉଁ ରିଭଲଭିଂ ଫଣ୍ଡ କରାଯାଇଛି, ତାହା ଏକ ମିନି ବ୍ୟାଙ୍କରେ ପରିଣତ ହେବ ଏବଂ ମା ମାନେ କେବଳ ପାରମ୍ପରିକ ବ୍ୟବସାୟ ନୁହେଁ, ବିଭିନ୍ନ ଆଧୁନିକ ବ୍ୟାବସାୟ ଯଥା – ଫେଶନ ଡିଜାଇନ, କୃଷି ଉଦ୍ୟୋଗ, ବିଉଟି ଓ ୱେଲନେସ୍‌ ଆଦି ବ୍ୟବସାୟ ଯେପରି କରିପାରିବେ, ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ମା ମାନେ ଏବେ ବ୍ୟବସାୟ କରି ନିଜର ପରିଚୟ ନେଇ ଆଗକୁ ବଢିବେ ବୋଲି ସେ କହିଥିଲେ ।

ଓଡିଶା ଜୀବିକା ମିଶନର ସିଇଓ ମାନସୀ ନିମ୍ଭାଲ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର ଉପଦେଷ୍ଟା ଶ୍ରୀମତୀ ଲୋପାମୁଦ୍ରା ବକ୍‌ସିପାତ୍ର, ଡଃ ଗୀତା ବସ୍ତିଆ, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ ।

ଜୁମଲା ବନାମ ଜନସେବା …..

  1. ()ଜନସେବାର ୨୫ ବର୍ଷ ପୂର୍ତ୍ତି ପାଳନ କରୁଛି ବିଜେଡ଼ି । ପୁରୀରେ ୨୬ ତମ ପ୍ରତିଷ୍ଠା ଦିବସ ପାଳନ ପରେ ଏବେ ଜିଲ୍ଲାସ୍ତରରେ ଦଳ ପ୍ରତିଷ୍ଠା ଦିବସ ପାଳନ କରି ଘରେ ଘରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟ ଯୋଜନାରୁ ଯେମିତି କେହି ବଂଚିତ ନହେବେ ତାହା ଉପରେ ଫୋକସ ଦେଇଛି ଦଳ । ସାଢେ ଚାରିକୋଟି ଓଡ଼ିଆ ଯେଉଁ ଆର୍ଶୀବାଦ ଦେଇ ବିଜେଡ଼ିକୁ ସାମାଜିକ ଆନ୍ଦୋଳନରେ ପରିଣତ କରିଛନ୍ତି ତାହାକୁ ଡ଼ବଲ ଋଣ ବିଜେଡ଼ି ତୃଣମୂଳ କର୍ମୀ ଓ ନେତା ଓଡ଼ିଶାବାସୀଙ୍କୁ ତାଙ୍କର ସେବା କରି ସୁଝାଇବା ପାଇଁ ଧର୍ମଶାଳାରେ ଅନୁଷ୍ଠିତ ବିଜେଡ଼ିର ପ୍ରତିଷ୍ଠା ଦିବସରେ ଦଳୀୟ କର୍ମୀ ଓ ନେତାଙ୍କ ସଭା ମଂଚରୁ ଆହ୍ବାନ କରିଛନ୍ତି ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ବିକାଶ ଓ ଓଡ଼ିଶାବାସୀଙ୍କ ସେବା ପାଇଁ ଯେଉଁ ଲକ୍ଷ୍ୟ ନେଇ କାମ କରୁଛନ୍ତି ତାହାକୁ ଦଳୀୟ କର୍ମୀ ଓ ନେତାଙ୍କ ଭଲଭାବରେ ବୁଝି କାମରେ ଆହୁରୀ ଆଗେଇ ନେବାକୁ ସେ ଆହ୍ବାନ ଦେଇଛନ୍ତି । ଉପସ୍ଥିତି କର୍ମୀଙ୍କୁ ପ୍ରଣବ ସେମାନଙ୍କ ଦାୟିତ୍ବ ବୁଝାଇବା ସହ ତୃଣମୂଳସ୍ତରରେ ସଂଗଠନକୁ ଅଧିକ ମଜବୁତ କରି କାମ କରିବାକୁ ଗୁରୁମନ୍ତ୍ରୀ ଦେଇଥିଲେ ।

ଧର୍ମଶାଳାରୁ କେନ୍ଦ୍ର ସରକାରଙ୍କ ଜୁମଲା ପୋଲ ଖୋଲିଛନ୍ତି ପ୍ରଣବ । କେନ୍ଦ୍ରରେ ବିଜେପି ସରକାର ଆସିବା ଦିନରୁ ଏଯାଏ ରାଜ୍ୟବାସୀଙ୍କ ପ୍ରତି କିପରି ଜୁମଲା କରିଛନ୍ତି ତାହା ଦୁଇଟି ଉଦାହରଣ ଦେଇ ଜନତାଙ୍କୁ ବୁଝାଇଥିଲେ ସେ । ଗରିବଙ୍କୁ ଚାଉଳ ଯୋଗାଣ ନେଇ କେନ୍ଦ୍ରମନ୍ତ୍ରୀମାନେ ରାଜନୀତି କରୁଥିବାରୁ ଏହାକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ସେ । ବିଜେପି ନେତାଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ପ୍ରଶ୍ନ କରି ପ୍ରଣବ କହିଛନ୍ତି ଯେ ଏବେ ରାଜ୍ୟରେ ୩କୋଟି ୨୫ ଲକ୍ଷ ଲୋକଙ୍କ ଚାଉଳ ଯୋଗଇ ଦିଆଯାଉଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ନେଇ କଟାକ୍ଷ କରି ପ୍ରଣବ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଅଛନ୍ତି, ଗରିବ ଅଛନ୍ତି , ହେଲେ କଲ୍ୟାଣ କୁଆଡ଼େ ଗଲା ବୋଲି ଧର୍ମଶାଳାରୁ ଦିଲ୍ଲୀକୁ ପ୍ରଶ୍ନ କରିଛନ୍ତି ସେ । ଗରିବ ଲୋକଙ୍କ ଉପରେ କଲ୍ୟାଣ ନକରି କେନ୍ଦ୍ର ସରକାର ଯେଉଁ ଅନ୍ନ କାଟିଦେଇଛନ୍ତି ତାହାର ଜବାବ ରାଜ୍ୟବାସୀ ଆଗାମୀ ଦିନରେ ଦେବେ ବୋଲି କହିଛନ୍ତି । ଗରିବ ପେଟକୁ ଲାତ ମାରିଥିବା ଜୁମଲା ସରକାରଙ୍କୁ ଓଡ଼ିଶାବାସୀ ଜବାବ ଦେବେ ବୋଲି ସେ କହିଥିଲେ । ସେହିପରି ଲୋକଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଆସିଲା କି ନାହିଁ ସେକଥା ମଧ୍ୟ ଉପସ୍ଥିତ ଜନତାକୁ ପଚାରିଥିଲେ ପ୍ରଣବ ।

ଶେଷରେ କର୍ମୀଙ୍କୁ ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନ ନେଇ ଓଡ଼ିଶା ଯେପରି ଆଗେଇ ଚାଲିଛି ସେଥିରେ ସମସ୍ତେ ଅଧିକ ପରିଶ୍ରମ କରିବାକୁ ଆହ୍ବାନ ଦେଇଥିଲେ ।

୫ଜି ଲ୍ୟାବ୍ ପ୍ରତିଷ୍ଠା ନିମନ୍ତେ ସୋଆ ଏବଂ ଜିଓ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ…

() ଏକ ୫ ଜି ଲ୍ୟାବ୍ ପ୍ରତିଷ୍ଠା ଏବଂ ଅପ୍ଟିକାଲ୍ କମ୍ୟୁନିକେସନ୍ ଏବଂ ୬ ଜି ଭଳି ନୂତନ ବୈଷୟିକ ଜ୍ଞାନ କୌଶଳ ପ୍ରସ୍ତୁତି କ୍ଷେତ୍ରରେ ସହଭାଗିତାର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଜିଓ ପ୍ଲାଟଫର୍ମ୍‌ସ ଲିମିଟେଡ୍ (ଜେପିଏଲ୍‌) ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହା ଛଡ଼ା ସୋଆ ଏବଂ ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ୍‌ସ ଅଫ୍ ଇଣ୍ଡିଆ (ଏସ୍‌ଟିପିଆଇ) ମଧ୍ୟରେ ଅନ୍ୟ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ମ୍ୟାନେଜମେଂଟ ଏବଂ ନୂତନ ଜ୍ଞାନ କୌଶଳ କ୍ଷେତ୍ରରେ ସହଭାଗିତା ଦ୍ୱାରା କୁଶଳୀ ମାନବ ସମ୍ବଳ ସୃଷ୍ଟି ନିମନ୍ତେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

ସୋଆ ଅଡିଟୋରିୟମ୍‌ରେ ଓଡ଼ିଶାରେ ୫ ଜି ସେବାର ଶୁଭାରମ୍ଭ ଅବସରରେ ଏହି ଦୁଇଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗୀକରଣ ବିଭାଗ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଓଡ଼ିଶାରେ ୫ ଜି ସେବାର ଶୁଭାରମ୍ଭ ଉତ୍ସବରେ ଏହି ଦୁଇଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଏସ୍‌ଟିପିଆଇର ଡାଇରେକ୍ଟର ଜେନେରାଲ୍ ଶ୍ରୀ ଅରବିନ୍ଦ କୁମାରଙ୍କ ମଧ୍ୟରେ ଗୋଟିଏ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିବା ବେଳେ ୫ ଜି ଲ୍ୟାବ୍ ସମ୍ପର୍କିତ ବୁଝାମଣା ପତ୍ରଟି ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ୍ ଏବଂ ଜେପିଏଲ୍‌ର ସଭାପତି ଡକ୍ଟର ରବି.ପି. ଗାନ୍ଧୀଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା ।

ଜେପିଏଲ୍ ଏବଂ ସୋଆ ମଧ୍ୟରେ ହୋଇଥିବା ବୁଝାମଣା ନେଇ ଜେପିଏଲ୍ ଏବଂ ଏହା ସହ ଅନୁବନ୍ଧିତ ଏବଂ ଗ୍ରୁପ୍‌ର ଅନ୍ୟ କମ୍ପାନୀଗୁଡ଼ିକ ସୋଆ ସହିତ ମିଳିତ ଭାବେ କାମ କରିବେ । ଅତ୍ୟାଧୁନିକ ୫ ଜି ଷ୍ଟାଣ୍ଡାର୍ଡ-୫ ଜି ଷ୍ଟାଣ୍ଡଏଲୋନ୍ (ଏସ୍‌ଏ), ଅପ୍ଟିକାଲ୍ ଫାଇବର୍ ନେଟୱର୍କ୍‌ସ ଇତ୍ୟାଦି କ୍ଷେତ୍ରରେ ଗବେଷଣା ଏବଂ ପ୍ରଶିକ୍ଷଣ ଓ ୫ ଜି ପ୍ଲାଟଫର୍ମରେ ନୂତନ ସେବାର ବିକାଶ ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରିବା ବିଷୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଜେପିଏଲ୍ ସୋଆ ସହିତ “ଜିଓ ଷ୍ଟାଣ୍ଡଏଲୋନ୍ ଟେକ୍ନୋଲୋଜି ଟେଷ୍ଟ ଲ୍ୟାବ” ପ୍ରତିଷ୍ଠା କରିବା ସହିତ ସୋଆର ଗବେଷକମାନଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବ । ସୋଆ ବିଶ୍ୱବିଦ୍ୟାଳୟରେ ଜେପିଏଲ୍ ଏକ ୫ ଜି ଟେଷ୍ଟ ବେଡ୍ ମଧ୍ୟ ପ୍ରତିଷ୍ଠା କରିବା ପ୍ରସ୍ତାବ ରହିଛି ।

ଗତ ସେପ୍ଟେମ୍ବର ୧୫ ତାରିଖରେ ସୋଆ ଗସ୍ତରେ ଆସିଥିବା ଶ୍ରୀ ବୈଷ୍ଣବ ସୋଆ ଭଳି ଆନ୍ତର୍ଜାତୀକ ଖ୍ୟାତି ସମ୍ପନ୍ନ ଅତ୍ୟାଧୁନିକ ବିଶ୍ୱବିଦ୍ୟାଳୟରେ ଏକ ୫ ଜି ଲ୍ୟାବ୍ ପ୍ରତିଷ୍ଠା ଆବଶ୍ୟକ ବୋଲି ମତ ଦେଇ ଏହି ପ୍ରକଳ୍ପ ନିମନ୍ତେ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ୫ ଜି ଟେକ୍ନୋଲୋଜିକୁ ପ୍ରୋତ୍ସାହନ ଦେବା ନିମନ୍ତେ ଆଇଆଇଟି ମାଡ୍ରାସ୍‌ରେ ଏକ ବିଶ୍ୱସ୍ତରୀୟ ୫ ଜି ଲ୍ୟାବ୍ ପ୍ରତିଷ୍ଠା ହୋଇସାରିଛି ବୋଲି ସେ କହିଥିଲେ । ସୋଆ ପକ୍ଷରୁ ଏହି ଲ୍ୟାବ୍‌ର ପ୍ରତିଷ୍ଠା ନିମନ୍ତେ ସମସ୍ତ ପ୍ରକାର ଆନୁସଙ୍ଗିକ ଭିତିଭୂମି ଯୋଗାଇ ଦିଆଯିବ ଏବଂ ପ୍ରଶିକ୍ଷଣ ଓ ବିକାଶମୂଳକ କାର୍ଯ୍ୟ ଦିଗରେ ସମସ୍ତ ସହଯୋଗ କରାଯିବ ।

ସେହିପରି ସୋଆ ଏବଂ ଏସ୍‌ଟିପିଆଇ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ଅନୁଯାୟୀ ଦୁଇଟି ଅନୁଷ୍ଠାନ ମିଳିତ ଭାବେ କୁଶଳୀ ମାନବ ସମ୍ବଳ ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରିବା ସହ ଇନ୍‌ଟର୍ଣ୍ଣସିପ୍‌, ପ୍ଲେସ୍‌ମେଂଟ୍ସ, ଫିଲ୍ଡ ଭିଜିଟ୍ ମିଳିତ କାର୍ଯ୍ୟକ୍ରମ, ପ୍ରକଳ୍ପ ଏବଂ କନସଲ୍‌ଟାନି୍ସ କ୍ଷେତ୍ରରେ ଏହି ବୁଝାମଣା ସାହାଯ୍ୟ କରିବ ।

ବିଶ୍ଵକପ୍ ଜିତିଲେ ପ୍ରତି ଖେଳାଳିଙ୍କୁ ମିଳିବ ୧କୋଟି ଟଙ୍କା…

() ରାଉରକେଲାରେ ବିଶ୍ବର ସର୍ବ ବୃହତ ହକି ଷ୍ଟାଡିଅମ ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ 

ହକିର ସ୍ବର୍ଣ୍ଣକ୍ଷେତ୍ର ସୁନ୍ଦରଗଡରେ ଆଜି ବିଶ୍ବର ସବୁଠାରୁ ବଡ ଷ୍ଟାଡିଅମ ଓଡିଶା ମାଟିର ଗୌରବ ଗାନ କରୁଛି।

ବିଶ୍ଵ କ୍ରୀଡା ଈତିହାସ ରେ ଯୋଡି ହେଲା ସ୍ଵର୍ଣ୍ଣିମ ଅଧ୍ୟାୟ  

ବିଶ୍ଵ କପ୍ ଜିତିଲେ ପ୍ରତି ଭାରତୀୟ ଖେଳାଳି ପାଇବେ ଏକ କୋଟି ଟଙ୍କା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

ସମଗ୍ର ଦେଶକୁ ଓଡିଶାର ସବୁଠାରୁ ଶ୍ରେଷ୍ଠ ଉପହାର – ମୁଖ୍ୟମନ୍ତ୍ରୀ।

{} ସାରା ଓଡିଶା ପାଇଁ ଆଜି ଆନନ୍ଦ ଓ ଉତ୍ସବର ଦିନ। ଖୁସିର ଦିନ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ଠାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିଅମ, ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ଆନୁଷ୍ଠାନିକ ଭାବେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।

ବିଶ୍ଵ କ୍ରୀଡା ଇତିହାସ ରେ ଯୋଡି ହେଲା ଏକ ସ୍ଵର୍ଣ୍ଣିମ ଅଧ୍ୟାୟ।ହକିକୁ ଭଲ ପାଉଥିବା ସମସ୍ତଙ୍କୁ, ଖେଳାଳୀ, ସାଧାରଣ ଜନତା, ଓଡିଶାର ହକିପ୍ରେମୀ ଦେଶର ହକି କ୍ରୀଡାବିତ୍‌ ସମସ୍ତଙ୍କ ଉଦ୍ଦେଶ୍ୟରେ ଏହି ଷ୍ଟାଡିଅମକୁ ମୁଁ ଉତ୍ସର୍ଗ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଏବଂ ହକିକୁ ଭଲ ପାଉଥିବା ସମସ୍ତଙ୍କୁ ହକି ବିଶ୍ଵ କପ୍ ଭବ୍ୟ ଉତ୍ସବରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଥିଲେ। ବିଶ୍ଵ କପ୍ ଜିତିଲେ ପ୍ରତି ଭାରତୀୟ ଖେଳାଳିଙ୍କୁ ଏକ କୋଟି ଟଙ୍କା ଦିଆଯିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।ଉପସ୍ଥିତ ଜନସାଧାରଣ ଓ କ୍ରୀଡାପ୍ରେମୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ହେଉଛି ଓଡିଶାର ସମଗ୍ର ଦେଶକୁ ସବୁଠାରୁ ଶ୍ରେଷ୍ଠ ଉପହାର। ଏହା ଭାରତକୁ ହକି କ୍ଷେତ୍ରରେ ଏକ ବଡ ଶକ୍ତି ଭାବରେ ଗଢି ତୋଳିବ ଏବଂ ଆଗାମୀ ଅନେକ ଦଶକ ପର୍ଯ୍ୟନ୍ତ ହକି ଖେଳରେ ଦେଶ ଏକ ମଜବୁତ ଦଳ ଭାବରେ ପ୍ରତିଷ୍ଠା ଲାଭ କରିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହକିର ସ୍ବର୍ଣ୍ଣକ୍ଷେତ୍ର ସୁନ୍ଦରଗଡରେ ଆଜି ବିଶ୍ବର ସବୁଠାରୁ ବଡ ଷ୍ଟାଡିଅମ ଓଡିଶା ମାଟିର ଗୌରବ ଗାନ କରୁଛି। ଏ ଷ୍ଟାଡିଅମ ସାରା ବିଶ୍ବ ପାଇଁ ହକିର ମୁଖ୍ୟ କେନ୍ଦ୍ର ହୋଇରହିବ ଏବଂ ଦେଶର ପ୍ରମୁଖ ଟିମ୍‌ ମାନଙ୍କୁ ସେମାନଙ୍କ ପ୍ରଦର୍ଶନ ପାଇଁ ସୁଯୋଗ ଦେଇଚାଲିବ। ଆମର ଏହି ଉଦ୍ୟମ ଦେଶର ଯୁବ ଖେଳାଳୀ ମାନଙ୍କୁ ପ୍ରେରଣା ଦେବ ବୋଲି ସେ କହିଥିଲେ। ଦେଶରେ ଅନେକ ଚମ୍ପିଆନ ସୃଷ୍ଟି କରିବ ଏବଂ ଦେଶ ତଥା ରାଜ୍ୟର ଗୌରବ ବୃଦ୍ଧି କରିଚାଲିବ ବୋଲି ସେ କହିଥିଲେ।ମହାପ୍ରଭୁ ଙ୍କ ଆଶୀର୍ବାଦ ଓ ସମସ୍ତଙ୍କ ସଦିଚ୍ଛା ଓ ଭଲପାଇବା ଯୋଗୁ ଆମର ସ୍ବପ୍ନ ସାକାର ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ସବୁକ୍ଷେତ୍ରରେ ଶ୍ରେଷ୍ଠ ହେବାର ଉଦ୍ୟମର ଏହା ପ୍ରତିଫଳନ। ଦେଶର କ୍ରୀଡା ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଏହି ଷ୍ଟାଡିଅମ ଓଡିଶାର ଛବିକୁ ଆହୁରି ଉଜ୍ଜଳ କରିଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ଅନେକ ଯୁଗ ପର୍ଯ୍ୟନ୍ତ ଏହି ଷ୍ଟାଡିଅମ ଆମର ମୁକୁଟମଣି ହୋଇ ହକି ପ୍ରତି ଭାରତୀୟ ମାନଙ୍କର ଭାବାବେଗ ଓ ଭଲପାଇବାକୁ ପରିପ୍ରକାଶ କରିଚାଲିବ। ଏହା ଭାରତୀୟ ହକିର ଏନ୍ତୁଡିଶାଳା ହୋଇ ରହିବ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହାନ ସଂଗ୍ରାମୀ ତଥା କିମ୍ବଦନ୍ତୀ ପୁରୁଷ ବିର୍ସା ମୁଣ୍ଡାଙ୍କ ପ୍ରତି ତାଙ୍କର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।120 କୋଟି ଟଙ୍କା ଖର୍ଚ୍ଚରେ ରେକର୍ଡ ପନ୍ଦର ମାସ ସମୟ ମଧ୍ୟରେ ଏହି ଷ୍ଟାଡିୟମ୍ ନିର୍ମିତ ହୋଇଛି ।ଏହି କାର୍ଯ୍ୟକ୍ରମରେ କ୍ରୀଡା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତ ବେହେରା ,ହକି ଇଣ୍ଡିଆର ସଭାପତି ଶ୍ରୀ ଦିଲୀପ ତିର୍କୀ ,5T ସଚିବ ଶ୍ରୀ ପାଣ୍ଡିଆନ୍ ଓ ହକି ଇଣ୍ଡିଆ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଇଣ୍ଡିଆ A ଓ ଇଣ୍ଡିଆ B team ମଧ୍ୟରେ ଉଦଘାଟନୀ ମ୍ଯାଚ କୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉଦଘାଟନ କରିଥିଲେ।

ମୁଖ୍ୟମନ୍ତ୍ରୀ ଆଜି ରାଉରକେଲାରେ ପହଞ୍ଚିବା ପରେ ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ପରିଦର୍ଶନ କରି ସେଠାରେ ଭାରତୀୟ ହକି ଟିମ୍‌ର ଖେଳାଳୀ ମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ। ଏହାପରେ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ ମେଡିକାଲ କଲେଜ ଉଦ୍‌ଘାଟନ କରିବା ସହିତ ସୁନ୍ଦରଗଡ ପାଇଁ ଅନେକ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ରାଉରକେଲା ସହରରେ ମୋ ବସ୍‌ ଚଳାଚଳର ଶୁଭାରମ୍ଭ ମଧ୍ୟ କରିଥିଲେ। ଏହାପରେ ସେ ହକି ଷ୍ଟାଡିଅମ ଉଦ୍‌ଘାଟନ କରିଥିଲେ।

୨୬ ଦିନିଆ ସୋଆ କପ୍ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ…

() ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ବାର୍ଷିର୍କ କ୍ରୀଡା ଉତ୍ସବ ‘ସୋଆ କପ୍‌’ ବୁଧବାର ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ୨ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଠାରେ ଉଦ୍‌ଘାଟିତ ହୋଇଯାଇଛି । ୨୬ ଦିନ ଧରି ଚାଲିବାକୁ ଥିବା ଏହି ସୋଆ କପ୍‌ରେ ୧୨ ରୁ ଅଧିକ କ୍ରୀଡା ପ୍ରତିଯୋଗିତାରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେବେ ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫୁଟବଲ୍ (ପୁରୁଷ), କ୍ରିକେଟ, ଭଲିବଲ୍ (ପୁରୁଷ), ବାସ୍କେଟବଲ୍‌, ଲନ୍ ଟେନିସ୍‌, ଖୋଖୋ (ପୁରୁଷ), ଥ୍ରୋ ବଲ୍ (ମହିଳା), ଟେବୁଲ୍ ଟେନିସ୍‌, ସଫ୍ଟ ବଲ୍‌, ଚେସ୍ ଏବଂ କବାଡି ଭଳି ପ୍ରତିଯୋଗିତାର ଆୟୋଜନ କରାଯାଇଛି । ସେହିପରି କେବଳ ପୁରୁଷମାନଙ୍କ ପାଇଁ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ରଖାଯାଇଥିବା ବେଳେ ପ୍ରଥମ ଥର ନିମନ୍ତେ ଚଳିତ ବର୍ଷ ଖୋଖୋକୁ ସୋଆ କପ୍‌ରେ ସାମିଲ କରାଯାଇଛି । ସୋଆ କପ୍‌ର ଉଦ୍‌ଘାଟନୀ ଉତ୍ସବରେ ଦୈନିକ ଇଂରାଜୀ ସମ୍ବାଦପତ୍ର ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ଆବାସିକ ସମ୍ପାଦକ ଶ୍ରୀ ଶିବ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ଶ୍ରୀ ମହାନ୍ତି କହିଥିଲେ ଯେ ଭାରତରେ କ୍ରୀଡାକୁ ବହୁତ ବଡ଼ ପ୍ରୋତ୍ସାହନର ଆବଶ୍ୟକତା ରହିଛି । କାରଣ ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ମାତ୍ର ୫.୭ ପ୍ରତିଶତ ଲୋକଙ୍କ ନିକଟରେ କ୍ରୀଡା ବିଷୟରେ ଜ୍ଞାନ ରହିଛି । ଏପରି ସ୍ଥଳେ ଚାଇନାରେ ୧ କୋଟି ଯୁବବର୍ଗ କେବଳ ବ୍ୟାଡମିଂଟନ ଖେଳିବାର ନଜିର ରହିଛି । ତେବେ ଚଳିତ ଅଲିମ୍ପିକ୍‌ରେ କ୍ରୀଡ଼ାରେ ଭାରତର ପ୍ରଦର୍ଶନ ବେଶ ଭଲ ରହିଥିବାରୁ ସେ କହିଛନ୍ତି । ତେବେ ଓଡ଼ିଶା ମଧ୍ୟ କ୍ରୀଡା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଉଥିବା ଶୁଭ ସଂକେତ ବୋଲି ସେ କହିଛନ୍ତି । ଏହି ଅବସରରେ ରାଜ୍ୟ ସ୍ତରୀୟ ଟେବୁଲ୍ ଟେନିସ୍ ଖେଳାଳୀ ଅବିନାଶ ତ୍ରିପାଠୀ ପ୍ରତିଯୋଗୀାମାନଙ୍କ ପକ୍ଷରୁ ଶପଥ ଗ୍ରହଣ କରିଥିଲେ ।

ସୋଆ କପ୍‌ରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌, ସମ୍ ନର୍ସିଂ କଲେଜ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍‌, ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ, ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଲ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡରୀ ଭଳି ଅନୁଷ୍ଠାନର ଛାତ୍ରଛାତ୍ରୀ ଭାଗ ନେଉଛନ୍ତି । ସେହିପରି ଚଳିତ ବର୍ଷ ପ୍ରଥମ ଥର ପାଇଁ ସୋଆର ପ୍ଲସ୍ ଟୁ ସାଇନ୍ସ କଲେଜ (ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହାୟର୍ ସେକେଣ୍ଡାରୀ ଏଜୁକେସନ୍‌)ର ଛାତ୍ରଛାତ୍ରୀମାନେ ଏହି କ୍ରୀଡା ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୋଆର କୁଳପତି ପ୍ରଫେସର ବିଜୟ କୁମାର ସାହୁ, ପ୍ରୋ ଭାଇସ୍ ଚାନ୍‌ସେଲର ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ପ୍ରୋ ଭାଇସ୍ ଚାନ୍‌ସେଲର ତଥା ରେଜିଷ୍ଟ୍ରାର୍ ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଏବଂ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ । ସୋଆର ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନୀତା ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

ଭୁବନେଶ୍ବରର ଅନ୍ୟତମ ଆକର୍ଷଣ କେନ୍ଦ୍ର ହେବ ଶିଖରଚଣ୍ଡୀ ମନ୍ଦିର…

() ଭୁବନେଶ୍ବରର ଅନ୍ୟତମ ଆକର୍ଷଣ କେନ୍ଦ୍ର ହେବ ଶିଖରଚଣ୍ଡୀ ମନ୍ଦିର।

ଶିଖରଚଣ୍ଡୀ ମନ୍ଦିର ଉନ୍ନୟନ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ,ଖର୍ଚ୍ଚ ହେବ ୨୫ କୋଟି।

{} ଶିଖରଚଣ୍ଡୀ ମନ୍ଦିର ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନୟନ କରାଯାଇ ଏହାକୁ ଭୁବନେଶ୍ବର ସହରର ଅନ୍ୟତମ ଆକର୍ଷଣ କେନ୍ଦ୍ର ଭାବରେ ବିକଶିତ କରାଯିବ। ୫୩.୬୪ ଏକର ଅଞ୍ଚଳରେ ଏହି ଉନ୍ନତି କାର୍ଯ୍ୟ କରାଯିବ ଏବଂ ଏଥିପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏହି ମାଷ୍ଟରପ୍ଲାନକୁ ଅନୁମୋଦନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରି ଏହାର ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଉନ୍ନୟନ ଯୋଜନାକୁ ପରିବେଶ ଉପଯୋଗୀ କରିବାପାଇଁ ସେ ପରାମର୍ଶ ଦେଇଥିଲେ।

ଆଜି ସଂଧ୍ୟାରେ ଅନୁଷ୍ଠିତ ଏକ ବୈଠକରେ ବିଡିଏର ଉପାଧ୍ୟକ୍ଷ ଶ୍ରୀ ବଲବନ୍ତ ସିଂହ ଏଥିପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନ ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ। ଏହି ଯୋଜନା ଅନୁଯାୟୀ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳର ୫୩.୬୪ ଏକର ଜମିରେ ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ। ବିଡିଏ ଏହି ଉନ୍ନୟନ କାର୍ଯ୍ୟ କରିବା ସହିତ ଆଗକୁ ମଧ୍ୟ ଏହି ଅଞ୍ଚଳର ପରିଚାଳନା ଦାୟିତ୍ବ ଗ୍ରହଣ କରିବ। ମାଷ୍ଟରପ୍ଲାନ ଅନୁଯାୟୀ ସମୁଦାୟ ଅଞ୍ଚଳକୁ ୪ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ଜୋନ୍‌-୧ରେ ପାର୍କିଂ, ସାଧାରଣ ଲୋକଙ୍କ କ୍ରୀଡା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ସ୍ଥାନର ଉନ୍ନତିକରଣ ଓ ଅନ୍ୟାନ୍ୟ ସୁବିଧାର ବିକାଶ କରାଯିବ। ଜୋନ୍‌-୨ରେ ଭିୟୁ ପଏଣ୍ଟ ଓ ଟ୍ରେକିଂ ରୁଟ ରହିବ। ଜୋନ-୩ ଓ ୪ ରେ ମନୋରଞ୍ଜନ ମୂଳକ କାର୍ଯ୍ୟପାଇଁ ଭିତ୍ତିଭୂମି, କମ୍ୟୁନିଟି ସେଣ୍ଟର, ମୁଖ୍ୟ ମନ୍ଦିରର ଉନ୍ନତିକରଣ, ଦୋକାନ ଗୃହ ଓ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା କରାଯିବ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଏହି ବୈଠକ ପରିଚାଳନା କରିଥିଲେ ।

ଭୁବନେଶ୍ବର ଉତ୍ତର ବିଧାୟକ ଶ୍ରୀ ସୁଷାନ୍ତ ରାଉତ, ଶିଖରଚଣ୍ଡୀ ଆଞ୍ଚଳିକ ସେବା ସଂଘର ସଭାପତି ଶ୍ରୀ କ୍ଷୀତିଶ ତ୍ରିପାଠୀ ଓ ମନ୍ଦିର ପୂଜକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ ଯେ ଶିଖରଚଣ୍ଡୀ ମନ୍ଦିରର ଉନ୍ନୟନ ସ୍ଥାନୀୟ ଜନତାଙ୍କର ବହୁ ଦିନର ଆଶା ଥିଲା। ଆଜି ମୁଖ୍ୟମନ୍ତ୍ରୀ ତାକୁ ପୂରଣ କରିଛନ୍ତି। ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ।

ବୈଠକରେ ଭୁବନେଶ୍ବର ମେୟର ଶ୍ରୀମତୀ ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା ଏବଂ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଓ ପ୍ରମୁଖ ସଚିବ ମାନେ ଯୋଗ ଦେଇଥିଲେ।

ବିଶିଷ୍ଟ ସାମ୍ବାଦିକ ଆଳୟ ମହାନ୍ତି ଙ୍କ ପରଲୋକ…

() ଆଳୟ ମହାନ୍ତିଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

{} ବିଶିଷ୍ଟ ସାମ୍ବାଦିକ ଆଳୟ ମହାନ୍ତି ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ମହାନ୍ତି ଜଣେ ବରିଷ୍ଠ ସାମ୍ବାଦିକ ଭାବରେ ଭୁବନେଶ୍ୱର ଓ ସାରା ଓଡ଼ିଶାରେ ଜଣାଶୁଣା ଥିଲେ। ସାମ୍ବାଦିକ ମାନଙ୍କ ସମସ୍ୟା ସମାଧନ ପାଇଁ ସେ ସବୁବେଳେ ପ୍ରଯତ୍ନ କରୁଥିଲେ। ଏହା ସହିତ ସମାଜ ସେବା ଓ ଚଳଚ୍ଚିତ୍ର ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ସେ ଅନେକ କାମ କରିଛନ୍ତି।

ରୋଗୀ ଓ ଗରୀବ ଲୋକଙ୍କୁ ସହାୟତା କ୍ଷେତ୍ରରେ ସେ ସବୁ ସମୟରେ ଆଗୁଆ ଥିଲେ। ତାଙ୍କ ବିୟୋଗ ସାମ୍ବାଦିକତା ଓ ସମାଜ ସେବା କ୍ଷେତ୍ରରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ଗଭୀର ସମ ବେଦନା ଜଣାଇଛନ୍ତି ।

ଓଡ଼ିଆ ଭାଷା ଓ ସଂସ୍କୃତିକୁ ସୁରକ୍ଷା କରିବା ପାଇଁ ଅଣ୍ଟା ଭିଡ଼ିଲା ଗୃହ….

() ଓଡ଼ିଆ ଭାଷା ଓ ସଂସ୍କୃତିକୁ ସୁରକ୍ଷା କରିବା ପାଇଁ ଅଣ୍ଟା ଭିଡ଼ିଲl ବିଧାନ ସଭାର ଗୃହ କମିଟି l ବାଚସ୍ପତି ଙ୍କ ଅଧକ୍ଷତାରେ ବସିଲା ପ୍ରଥମ ବୈଠକ l ବୈଠକ ପରେ ବାଚସ୍ପିତି ବିକ୍ରମ କେଶରୀ ଆରୁଖ ଙ୍କ ପ୍ରତିକ୍ରିୟା l ଦେଶରେ ବିଭିନ୍ନ ପାନ୍ତରେ ଥିବା ଓଡ଼ିଆ ସ୍କୁଲ ମାନଙ୍କରେ ଶିକ୍ଷକ ପ୍ରୋତ୍ସlହନ ରାଶି ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି l ସୀମାନ୍ତ ଅଂଚଳରେ ଓଡ଼ିଶା ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ବିଭିନ୍ନ କାର୍ଯ କ୍ରମ କରାଯିବ l ସୀମାନ୍ତ ଅଂଚଳରେ ଥିବା ସ୍କୁଲ ଗୁଡିକରେ ଓଡ଼ିଆ ଭାଷା ପ୍ରଚାର ଓ ପ୍ରସାର ପାଇଁ ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତି ଦିଆଯିବ l ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି l

Follow us

20,832FansLike
0FollowersFollow
14,700SubscribersSubscribe

Latest news