ଧର୍ମେନ୍ଦ୍ରଙ୍କ ପାୱାର ସୋ : ଲିଷ୍ଟ ଫାଇନାଲ

0
169

ବର୍ଷେ ହେବ ମନ୍ତ୍ରିିମଣ୍ଡଳ ସଂପ୍ରସାରଣ, ନିଗମ ବଣ୍ଟନ ଓ ରାଜ୍ୟ ପରିଷଦ ସଦସ୍ୟ ଅଙ୍କ ଛିଣ୍ଡୁନାହିଁ। ଓଡିଶାରୁ ଦିଲ୍ଲୀ ଯାଏ ଚାଲିଛି ବିଜେପିର କସରତ। କେତେବେଳେ ପ୍ରଭାରୀ, ସହ ପ୍ରଭାରୀ ଓଡ଼ିଶା ଆସି ନେତାଙ୍କ ସହ ଆଲୋଚନା କରୁଛନ୍ତି ତ କେତେବେଳେ ରାଜ୍ୟ ସଭାପତି ,ସଙ୍ଗଠନ ସମ୍ପାଦକ ଓ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରୁଛନ୍ତି । ଘନଘନ ବୈଠକ, ଆଲୋଚନା ହେଉଥିଲେ ମଧ୍ଯ ଫଳଶୂନ୍ୟ। ଶେଷରେ କେନ୍ଦ୍ରର ଶୀର୍ଷନେତୃତ୍ଵ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଏକାଠି କରି ବୈଠକ କଲେ । ତିନି ନେତାଙ୍କ ମନ ଏକକରି ଓଡ଼ିଶାରେ ସଙ୍ଗଠନ ଓ ସରକାରକୁ ସାଙ୍ଗରେ ନେଇ ଚାଲିବାକୁ ନେତାଙ୍କୁ ଗୁରୁମନ୍ତ୍ର ଦେଲେ। ଏହାପରେ ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ସରକାରୀ ବାସଭବନରେ ବସି ଆଲୋଚନା କଲେ। ତଥାପି କିଛି ବାକି ରହିଗଲା । ପୁଣି କେନ୍ଦ୍ରରୁ ରାଜ୍ୟ ସଭାପତି ଓ ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀ ଡାକରା ହେଲା। ଆଉ ଏହାପରେ ଫାଇନାଲ ହେଲା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ,ନିଗମ ଓ ରାଜ୍ୟ ପରିଷଦ ତାଲିକା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀ ବାସଭବନରେ ତାଲିକା ପ୍ରସ୍ତୁତ ଚୁଡାନ୍ତ ରୂପରେଖ ଉପରେ ସହମତ ପ୍ରକାଶ ପାଇଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଘରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କଲେ। ଏଥିରେ ମୁଖ୍ୟମନ୍ତ୍ରୀ, ସାଂସଦ ଏକାଠି ହେଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ରାଜନୀତିରେ ବଡ ଚେହେରା ଥିଲେ, ଅଛନ୍ତି ଓ ରହିବେ ବୋଲି ଆଜିର ବିଜେପି ବୈଠକ ପରେ ପୁଣିଥରେ ପ୍ରମାଣିତ ହୋଇଛି। ଗ୍ରହଣ ସପ୍ତାହ ପରେ ଓଡ଼ିଶାରେ ବିଜେପି ସରକାର ଓ ସଙ୍ଗଠନରେ ନବକଳେବର ହେବ ତାହାର ସ୍ପଷ୍ଟ ସଙ୍କେତ ମିଳିଛି ଆଜିର ବୈଠକରେ। ରାଜନୈତିକ ସମୀକ୍ଷକ ଠାରୁ ସାଧାରଣରେ ଗୋଟିଏ ଚର୍ଚ୍ଚା ଓଡିଶା ବିଜେପି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିନା ଗତି ନାହିଁ।