ନିଗମ ଓ ମନ୍ତ୍ରିମଣ୍ଡଳ : ହେବ ହେବ ବୋଲି ହୋଇପାରୁନି
୧୫ମାସ ହେବ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିପାରିନାହାନ୍ତି । ମୋହନଙ୍କ ନୂଆ ଟିମରେ କିଏ ସ୍ଥାନ ପାଇବେ ଓ କିଏ ବାଦ ପଡିବେ ତାକୁ ନେଇ ଅଙ୍କ ଛିଣ୍ଡୁନାହିଁ । ବେଶ କିଛି ଦିନ ହେବ ଚର୍ଚ୍ଚା ହେଉଛି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ ନିଗମ ବଣ୍ଟନ କରିବେ ମୋହନ। ଏଥିପାଇଁ ଦିଲ୍ଲୀରୁ ଓଡ଼ିଶା ଯାଏ ଚାଲିଛି କସରତ। ତଥାପି ଅଙ୍କ ଚୁଣ୍ଡୁନି। କେତେବେଳେ ନେତୃତ୍ଵ କହୁଛନ୍ତି ଖୁବଶିଘ୍ର ହେବ ତ କେତେବେଳେ କହୁଛନ୍ତି ଠିକ୍ ସମୟରେ ହେବ। କେତେବେଳେ କହୁଛନ୍ତି ପୁଣି ଶୁଭ ସମୟ। ଏହାରି ଭିତରେ ସସସ୍ପେନ୍ସ ଜାରୀ ରହିଛି। ବାରମ୍ବାର ମୂଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି ଦିଲ୍ଲୀ ଗସ୍ତ କରୁଥିବା ବେଳେ ଓଡ଼ିଶା ଦାୟିତ୍ୱରେ ଥିବା ନେତା ପ୍ରଭାରୀ, ସହ ପ୍ରଭାରୀ ମଧ୍ୟ ଘନଘନ ଓଡିଶା ଗସ୍ତରେ ଆସି ବୈଠକ ଓ ଆଲୋଚନା ଜାରୀ ରଖିଛନ୍ତି । ସୋମବାର ବିଜେପି ନେତା ଅରୁଣ ସିଂହ ଓଡିଶା ଗସ୍ତରେ ଆସି ମନ୍ତ୍ରିମଣ୍ଡଳ ଓ ନିଗମ ତାଲିକା ଫାଇନାଲ କରିଥିବା ଚର୍ଚ୍ଚା ହେଉଛି। କାରଣ ରାଜ୍ୟ ବିଜେପି ପ୍ରଭାରୀ ସଂକେତ ଦେଇଛନ୍ତି ଏହି ମାସରେ ସବୁ ଫାଇନାଲ ହେବ। ବିଜେପି ଅନ୍ଦର ମହଲର ସୂଚନା ଅନୁସାରେ
ବିବାଦୀୟ ମନ୍ତ୍ରୀଙ୍କ ଠାରୁ ବିଭାଗ କାଢିନେଇପାରନ୍ତି ମୁଖ୍ୟମନ୍ତ୍ରୀ। ବିଭାଗ ଅଦଳବଦଳ ତାଲିକାରେ ମୋହନଙ୍କ ଟିମର ହେବିଓ୍ବେଟ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପ୍ରଭାତୀ ପରିଡା, ସୁରଜ ସୂର୍ଯ୍ୟବଂଶୀ , କୃଷ୍ଣଚନ୍ଦ୍ର ପାତ୍ର, ରବି ନାୟକ ପ୍ରମୁଖଙ୍କ ନାଁ ଚର୍ଚ୍ଚା ହେଉଛି । ସେହିପରି ମନ୍ତ୍ରିମଣ୍ଡଳରୁ ବାଦ ପଡିବା ତାଲିକାରେ ଗୋକୁଳ ଚନ୍ଦ୍ର ମଲ୍ଲିକ, ପ୍ରଦୀପ ବଳସାମାନ୍ତ, ନିତ୍ୟାନନ୍ଦ ଗଣ୍ଡଙ୍କ ନାଁ ଚର୍ଚ୍ଚାରେ ରହିଛି । ସେହିପରି ମନ୍ତ୍ରିମଣ୍ଡଳରେ ସାମିଲ ହେବା ତାଲିକାରେ ଅଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର, ପ୍ରଶାନ୍ତ ଜଗଦେବ, ଇରାର୍ଷିଶ ଆଚାର୍ଯ୍ୟ, ମନରଂଜନ ଦ୍ୟାନ ସାମନ୍ତରାୟ,ଆଶ୍ରୀତ ପଟ୍ଟନାୟକ, ଅମର ନାୟକ, ପ୍ରକାଶ ସେଠି, ସଂଜଳୀ ମୁର୍ମୁ ଙ୍କ ପ୍ରମୁଖ ନେତାଙ୍କ ନାଁ ଚର୍ଚ୍ଚା ହେଉଛି । ବାଚସ୍ପତି ସୁରୂମା ପାଢୀକୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରିପାରନ୍ତି ମୁଖ୍ୟମନ୍ତ୍ରୀ। ଭାସ୍କର ମଢେଇଙ୍କ ନାଁ ବାଚସ୍ପତି ରେସରେ ରହିଛି । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏହାରି ଭିତରେ ବିଜେପି ରାଜ୍ୟସଭାପତି, ସଂଗଠନ ସମ୍ପାଦକ,ଓ ମୁଖ୍ୟମନ୍ତ୍ରୀ ଯେଉଁମାନେ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ତାଙ୍କ ତାଲିକା ପ୍ରସ୍ତୁତ କରି ଚୁଡାନ୍ତ ତାଲିକା ଦିଲ୍ଲୀରେ ଶୀର୍ଷ ନେତୃତ୍ଵ ମୋହର ମାରିବା ପରେ ଅରୁଣ ସିଂହ ଓଡିଶା ଗସ୍ତ କେବେ ଘୋଷଣା କରିବେ ସେ ନେଇ ଆଲୋଚନା କରିଛନ୍ତି ରାଜ୍ୟ ବିଜେପି ନେତାଙ୍କ ସହ।
- Advertisement -
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy