()ବର୍ଷପୂର୍ତ୍ତିରେ ବିଜେପି ଅନେକ ଆଭିମୁଖ୍ୟକୁ ନେଇ ଚର୍ଚ୍ଚାରେ ଥିବା ବେଳେ ବିଜେଡିକୁ ନେଇ ବିଜେପି ହିସାବ ଗଣିତ ବଦଳିଛି । ଏଣିକି ୨୪ ବର୍ଷ ନୁହେଁ, ୧୫ ବର୍ଷର ହିସାବ ମାଗିବ ଦଳ । ବିଜେପି ରାଜ୍ୟରେ ଏକାକୀ ଶାସନଭାର ଗ୍ରହଣ କରିବା ଦିନଠୁ ଦଳୀୟ ବିଧାୟକ, ସାଂସଦ , ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଦଳୀୟ ନେତାମାନେ ବିଜେଡି ୨୪ ବର୍ଷ ଶାସନକୁ ନେଇ ସମାଲୋଚନା କରୁଥିଲେ l ହେଲେ ବର୍ଷପୂର୍ତ୍ତି ଏହି ଅଭିଯୋଗ ବଦଳିଯାଇଛି l କାରଣ ୨୦୦୦ ମସିହାରୁ ୨୦୦୯ ଯାଏ ବିଜେଡି ବିଜେପି ମେଣ୍ଟ ସରକାର ଚାଲିଥିଲା ରାଜ୍ୟରେ । ବିଜେପି ବାରମ୍ବାର ୨୪ ବର୍ଷ ଶାସନକୁ ନେଇ ସମାଲୋଚନା କରୁଥିବାରୁ ଉଭୟ ବିଜେଡି ଓ କଂଗ୍ରେସ ଏ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରୁଥିଲେ । କଂଗ୍ରେସ କହୁଥିଲା ବିଜେପି –ବିଜେଡି ଭାଇଭାଇ , ସେମାନେ ମିଳିମିଶି ଓଡିଶାକୁ ଲୁଟ କରିଛନ୍ତି । ଭାଗୁଆଳ ସରକାରେ ବିଜେପି ଓ ବିଜେଡି କାମ କରୁଥିଲେ । କଂଗ୍ରେସର ଅଭିଯୋଗ ହେଉଛି ୨୪ ବର୍ଷ ବିଫଳତାରେ ବିଜେପିର ୯ ବର୍ଷ ଭାଗ ରହିଛି । ସେହିପରି ବିଜେଡି ମଧ୍ୟ ବିଜେପି ଯେତେବେଳେ ୨୪ ବର୍ଷ କଥା କହୁଥିଲା ସେତେବେଳେ ବିଜେଡି ନେତା କହୁଥିଲେ ୯ ବର୍ଷ ଧରି ଆମ ସହ ବିଜେପି ଥିଲା । ତେଣୁ ବିଜେପି ସମୟରେ ଅଧିକ ବିଫଳ ହୋଇଛି ବିଜେଡି ସରକାର ବୋଲି ବିଜେଡି ଓଡ଼ିଶାରେ ଧାରଣା ସୃଷ୍ଟି ହୋଇଥିଲା। ବିଜେପି ରାଜ୍ୟରେ ଏକକ ସରକାର କରିବାର ବର୍ଷପୂର୍ତ୍ତିରେ ଏ ଆଭିମୁଖ୍ୟକୁ ବଦଳାଇଦେଲା ବିଜେପି । ଏଣିକି ବିଜେପି ନେତା ଆଉ ୨୪ ବର୍ଷ ନୁହେଁ, ବିଜେଡିର ୧୫ ବର୍ଷ ଶାସନର ବିଫଳତା ଗାଇବେ । ଏକଥାକୁ ବର୍ଷପୂର୍ତ୍ତିରୁ ଆରମ୍ଭ କରିଛି ଦଳ । ୨୦୦୦୯, ୨୦୧୪, ୨୦୧୯ରେ ବିଜେଡି ସରକାର କଣ ପ୍ରତିଶ୍ରତି ଦେଇଥିଲା ଓ କଣ ପାଳନ କରିଛି ତାହାକୁ ନେଇ ଦଳୀୟ ନେତା ବିଜେଡିକୁ ହିସାବ ମାଗିବା ଆରମ୍ଭ କରିଛନ୍ତି । ତେବେ ବର୍ଷ ପୂର୍ତ୍ତି ପରେ ବିଜେପିର ଆଭିମୁଖ୍ୟ ବଦଳିବା ପରେ ବିଜେଡି ତାର ନୂଆ ଆଭିମୁଖ୍ୟ ବିଜେପି ବିରୋଧରେ କଣ ରଖୁଛି ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।