ସରକାରଙ୍କ ବିଫଳତା ଲୁଚାଇବାକୁ ବିଜେପି ବିଧାୟକଙ୍କ ଅବାଂଛିତ ମନ୍ତବ୍ୟ: ବିଜେଡି

- Advertisement -

ସରକାରଙ୍କ ବିଫଳତା ଲୁଚାଇବାକୁ ବିଜେପି ବିଧାୟକଙ୍କ ଅବାଂଛିତ ମନ୍ତବ୍ୟ: ବିଜେଡି
୨୦୨୭ ପଞ୍ଚାୟତ ଓ ୨୦୨୯ ସାଧାରଣ ନିର୍ବାଚନରେ ସଫଳତା ନେଇ ବିଜେଡିର ଦୃଢ଼ୋକ୍ତି
ଡବଲ ଇଞ୍ଜିନ ସରକାର ସମସ୍ତ କ୍ଷେତ୍ରରେ ବିଫଳ ହୋଇଛି
ବାଲି ମାଫିଆଙ୍କୁ ବିଧାୟକ ସରୋଜ ପାଢ଼ୀ ଚାନ୍ଦା ମାଗିବା ଅଡିଓ ଭାଇରାଲ ହୋଇଥିଲା
ବିଜେପି ବିଧାୟକ ସରୋଜ ପାଢ଼ୀ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ପ୍ରତି ଦେଇଥିବା ଅରୁଚିକର ଓ ଅଶାଳୀନ ମନ୍ତବ୍ୟ ଉପରେ ବିଜୁ ଜନତା ଦଳ ପ୍ରତିକି୍ରୟା ଦେଇ, ସରକାରଙ୍କ ବିଫଳତାକୁ ଲୁଚାଇବାକୁ ବିଧାୟକ ଏପରି ଅବାଂଛିତ ମନ୍ତବ୍ୟ ଦେଇଛନ୍ତି ।
ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଶ୍ରୀ ତୁମ୍ବନାଥ ପଣ୍ଡା ଓ ଦଳର ମିଡିଆ ସଂଯୋଜକ ତଥା ମୁଖପାତ୍ର ଡ଼ ଲେନିନ ମହାନ୍ତି, ବିଧାୟକ ସରୋଜ ପାଢ଼ୀ ଓ ବିଜେପି ଉପରେ ବର୍ଷିଥିଲେ । ଶ୍ରୀ ପଣ୍ଡା କହିଥିଲେ ଯେ, ଆସିକା ବିଧାୟକ ବିଭିନ୍ନ ଅସାମାଜିକ କାର୍ଯ୍ୟ ଯଥା ଜୁଆ ଖେଳ ଭଳି ଘୃଣ୍ୟ କାମରେ ଲିପ୍ତ ଥିବା ରେକର୍ଡ ରହିଛି । ୨୦୨୨ ମସିହାରେ ଶ୍ରୀ ପାଢ଼ୀ ଜୁଆ ଖେଳରେ ସମ୍ପୃକ୍ତି ପରେ ନିରୁଦ୍ଦିଷ୍ଟ ହୋଇଯାଇଥିଲେ, ଯାହାପରେ ତାଙ୍କ ପରିବାର ସଦସ୍ୟ ପୋଲିସ୍ରେ ଅଭିଯୋଗ କରିଥିଲେ । ଏହାର କିଛିଦିନ ପରେ ସେ ରାମେଶ୍ୱରରୁ ଉଦ୍ଧାର ହୋଇଥିଲେ । ସେତେବେଳେ ନିଜର ମାନସିକ ସ୍ଥିତି ଠିକ୍ ନଥିବା ସେ ଗଣମାଧ୍ୟମକୁ କହିଥିଲେ । ବିଧାୟକ ହେବା ପରେ, ବାଲି ମାଫିଆଙ୍କ ଠାରୁ ଜୋରଜବରଦସ୍ତି ଚାନ୍ଦା ମାଗୁଥିବାର ଅଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଆସିକା ନିର୍ବାଚନ ମଣ୍ଡଳୀରେ ବିଚ୍ ରାସ୍ତାରେ ବି ସେ ପିସି ମାଗିବା ପାଇଁ ପଛଘୁଞ୍ଚା ଦେଉନାହାନ୍ତି, ଯେଉଁଥିପାଇଁ ପ୍ରତ୍ୟେକ କ୍ଷେତ୍ରରେ ହେଉଥିବା ଦୁର୍ନୀତିରେ ସେ ସିଧାସଳଖ ସମ୍ପୃକ୍ତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହିଭଳି ଜଣେ ବ୍ୟକ୍ତିଙ୍କୁ, ବିଜୁ ଜନତା ଦଳ ଓ ଓଡ଼ିଶାର ଲୋକପି୍ରୟ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଅଶାଳୀନ ଓ ଅରୁଚିକର ମନ୍ତବ୍ୟ ଦେବା ପାଇଁ ବିଜେପି ମନୋନୀତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ।
ଡ଼ ମହାନ୍ତି କହିଥିଲେ ଯେ, ଗତ ୧୪ ମାସରେ ରାଜ୍ୟରେ ବିଜେପି ଶାସନରେ ସମସ୍ତ କ୍ଷେତ୍ରରେ ବିଫଳତା ଶିଖର ଛୁଇଁଛି । ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ଶାସନ ସମୟରେ କେନ୍ଦ୍ରୀୟ ଅନୁଦାନ ବଢ଼ିବା ପରିବର୍ତ୍ତେ ୧୮.୧୯% କମିଛି । ନାରୀ ନିର୍ଯାତନାକୁ ନେଇ ଓଡ଼ିଶା ସମଗ୍ର ଦେଶ ଓ ବିଶ୍ୱରେ ନିନ୍ଦିତ ହୋଇଛି । କୌଣସି ବିକାଶମୂଳକ କାର୍ଯ୍ୟ ହୋଇପାରି ନାହିଁ । ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଓ ଏହାକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ । ବାଲି, ମୋରମ ଭଳି ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣରେ ବିଜେପି ନେତାଙ୍କ ସମ୍ପୃକ୍ତି ଲାଗି ସରକାରୀ ରାଜସ୍ୱ ୧୪୮୫ କୋଟିରୁ ୬୦୦ କୋଟି ଟଙ୍କାକୁ ଖସି ଆସିଛି । ବିଜେପି ଦଳର ଆଭ୍ୟନ୍ତରୀଣ କନ୍ଦଳ ଓ ସରକାର ଚଳାଇବାରେ ଅପାରଗତା ଜଳ ଜଳ ହୋଇ ଦିଶୁଛି । ରାଜ୍ୟର ଶାସନ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ନାହିଁ । ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ ମାନୁନାହାନ୍ତି । ଦୀର୍ଘ ୧୫ ଦିନ ହେଲା ଅମଲା ଆନେ୍ଦାଳନ ଯୋଗୁଁ ରାଜ୍ୟବାସୀ ହନ୍ତସନ୍ତ ହେଉଥିବା ବେଳେ, ରାଜସ୍ୱ ମନ୍ତ୍ରୀ ଏଥିରେ ବିଜେଡିର ସମ୍ପୃକ୍ତି ଅଭିଯୋଗ କରିଛନ୍ତି, ଯାହା ତାଙ୍କ ହତାଶାଭାବର ପରିଚୟ ଦେଉଛି । ଦୀର୍ଘ ୧୪ ମାସ ପରେ ମଧ୍ୟ ରାଜ୍ୟ ମନ୍ତ୍ରିମଣ୍ଡଳରେ ୬ଟି ମନ୍ତ୍ରୀ ପଦ ପୂରଣ ହୋଇପାରୁ ନାହିଁ । ନିଜର ବିଫଳତାକୁ ଲୁଚାଇବାକୁ ଯାଇ ବିଜୁ ଜନତା ଦଳ ଉପରେ ଏହିଭଳି ଅଶାଳୀନ ଓ ଅରୁଚିକର ମନ୍ତବ୍ୟ ଦେବା ପାଇଁ ଉଦ୍ୟମ କରିଛି ବିଜେପି । ଏହା ବିଜେପିର ହତାଶାଭାବର ପରିଚୟ ।
ଡ଼ ମହାନ୍ତି ଆହୁରି କହିଥିଲେ, ବିଜେପି ତରଫରୁ ବାରମ୍ବାର ଭି.କେ ପାଣ୍ଡିଆନଙ୍କୁ ନେଇ ବିଭିନ୍ନ ବିଭ୍ରାନ୍ତିକର ଓ କଟୁ ମନ୍ତବ୍ୟ ପ୍ରଦାନ କରାଯାଉଛି । ଓଡ଼ିଶାବାସୀ ଭଲ ଭାବରେ ଜାଣନ୍ତି ଯେ, ଭି.କେ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରୁ ନୁହଁ । ତେଣୁ ଭି.କେ ପାଣ୍ଡିଆନଙ୍କୁ ନେଇ କୁତ୍ସିତ ରାଜନୀତି ନ ହେଉ ।
ବିଜେଡି ଏକ ସଫଳ ରାଜନୈତିକ ଦଳ ଏବଂ ଏହାର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସର୍ବାଧିକ ଲୋକପି୍ରୟ ନେତା । ବିଜେପିର ଏହିଭଳି କୁତ୍ସିତ ଉଦ୍ୟମକୁ କେବେ ବି ରାଜ୍ୟବାସୀ ଗ୍ରହଣ କରିବେ ନାହିଁ । ୨୦୨୭ ମସିହାରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ଓ ୨୦୨୯ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଜେଡି ସଫଳତା ହାସଲ କରିବ ବୋଲି ଡ଼ ମହାନ୍ତି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_img

Latest Articles