ଦିନଛୋଟ,ରାତି ବଡ଼, ସଂଧ୍ୟା ଶୀଘ୍ର ହେବା। ଦେହକୁ ହାଲକା ଥଣ୍ଡା ଲାଗିଵା. ପ୍ରକୃତି ଧଳା ଚାଦରେ ସଜେଇ ହେବା। ଥଣ୍ଡା ଭିତରେ ଗରମକୁ ଆପଣାଇଵାର ସମୟରେ ଶୀତର ଆଗମନ । ତା ଭିତରେ ଶୀତୁଆ ସକାଳ ଓ ଶୀତୁଆ ସଂଧ୍ୟାରେ ଗରମ ଚା ର ଆନନ୍ଦ । ସବୁକିଛି ବଦଳୁଥିବା ଭିତରେ ମଣିଷ ପ୍ରକୃତିକୁ ନେଇ ଜୀବନକୁ ଉପଭୋଗ କରେ।
ଶୀତ ଆସିଲେ ଅନେକ କଥା ଆସେ। ଜୀବନ ଶୈଳୀରେ ବି ପରିବର୍ତ୍ତନ ଆଣେ। ସକାଳୁ ବ୍ୟାୟାମ, ତାପରେ ଶୀତୁଆ ପୋଷାକରେ ଚା ଖଟି ମଜାମସ୍ତି କିଏ ମାତିଥାଏ ତ ଅନେକ ସକାଳୁ ନିଦ ଭାଙ୍ଗିବା ପରେ ମଧ୍ୟ ରେଜେଇ ଵା କମ୍ବଳ ଭିତରେ ପଡ଼ିରହିବାକୁ ଭଲ ପାଆନ୍ତି । ଶୀତ ଆନନ୍ଦ ଦିଏ ପୁଣି ଶୀତ କେତେ ଅନୁଭୂତି ଦିଏ ।
ଶୀତକୁ ନେଇ କେତେ କବିତା, କେତେ ଗଳ୍ପ କେତେ କାହାଣୀ । ହେଲେ ଆଜି ଅଛି କି ସେହି ଜାଡ଼ ଶୀତ ଆଉ ସେହି ଶୀତର ଅନୁଭୂତି? ଶୀତ ଆଜି ଏକ ଋତୁର ନାମ ନା ଆଉ କିଛି ।
ଶୀତୁଆ ସକାଳେ ଆଉ ଗାଁରେ କେହି ନିଆଁ ପାଖରେ ବସି ଗରମର ନିଆରା ମଜା ନେଉନାହାନ୍ତି ତ ସଂଧ୍ୟାରେ ବି ସହରରେ ଶୀତର ଆସର ଜମୁନାହିଁ। ଶୀତୁଆ ସକାଳେ ଭାଇ, ଭଉଣୀ ମା,ବାପା ମିଶିକି ହାଲକା ଖରାରେ ଘର ପିଣ୍ଡାରେ କି ଛାତ ଉପରେ ଵାସି ପଖାଳ ଓ ପୋଡାପୋଡି ଖାଇବାର ମଜା ଆଉ ନାହିଁ । ଶୀତ ବଢିଲେ କମ୍ବଳ କି ରେଜେଇ ଭିତରେ ପଶି ରହିବାର ଅଳସପଣ ବି କୁଆଡେ ଗଲାଣି । ଏବେ ତ କିଏ କହୁଛି ଶୀତ ଆଉ ଆଗ ପରି ନାହିଁ , ତ କିଏ କହୁଛି ଶେଷ ବେଳକୁ ଟିକେ ଶୀତ ପଡୁଛି ।
ଶୀତୁଆ ସକାଳେ ସକାଳର କୁହୁଡି ଓ ସଂଧ୍ୟା ରାତିରେ କୁହୁଡି,କାକର ଭରା ପରିବେଶ ଭିତରେ ଅନେକ ସ୍ମୃତି ଓ ଅନୁଭୂତି ସାଉଁଟିଥାଏ ମଣିଷ । ଶୀତ କେମିତି ଆସେ ଆଉ କେମିତି ଯାଏ ତାହାର ସ୍ପର୍ଶ ଓ ଅନୁଭୂତିକୁ କିଏ କଣ କେବେ ଭୁଲି ପାରିବ। ଶୀତଦିନିଆ ଖରା ବି ଭାରୀ ଟାଣ, ଖରାରେ ବସିଲେ ଭାରୀ ଭଲ ଲାଗେ ଆଉ କିଛି ସମୟ ପରେ ସେ ଖରା ପୁଣି କଷ୍ଟ ଦିଏ । ନଡ଼ିଆ ତେଲ ବସିଯିବା,ଗାଡି ଥରକେ ଷ୍ଟାଟ ନହେବା, ସକାଳୁ ଉଠିବାକୁ ଇଚ୍ଛା ନହେବା, ଗରମ ପାଣିରେ ଗାଧେଇବାକୁ ଅଧିକ ଇଚ୍ଛା ହେବା, ଅଧିକ ଚା ପିଇବାକୁ ଇଚ୍ଛା ହେବା. ବୁଲାବୁଲି କରିବାକୁ ଆଗ୍ରହ ବଢିବା. ପ୍ରେମ ସମ୍ପର୍କ ନିବିଡ଼ ହେବା, ଜୀବନରେ କିଛି ନୂଆ କରିବା ପ୍ଲାନ କରିବା, ସୁସ୍ଥ ଜୀବନ ଶୈଳୀପାଇଁ ବ୍ୟାୟାମ ଅଭ୍ୟାସ ଆରମ୍ଭ କରିବା, ଭୋଜି ଭାତ କରିବା ପରେ ଅନେକ ଆଗ୍ରହ ମନରେ ଆଣେ ଶୀତ ।
ପହିଲି ଶୀତ ଆଜି ଧରାକୁ ଛୁଇଁଛି, ମଣିଷ ଦେହକୁ ସ୍ପର୍ଶ କରିଛି. ପ୍ରକୃତିକୁ ସଜେଇ ଦେଇଛି. ସମସ୍ତେ ମତୁଆଲ ହୋଇଛନ୍ତି ଶୀତକୁ ନେଇ । କବି ମନରେ ପ୍ରେମ ଜାଗ୍ରତ ହୋଇଛି । ଶୀତ ପଡ଼ିଲାଣି ସବୁ ମନେ ପଡିଲା ଶୀତର ଆକାର,ପ୍ରକାର ଆଉ ନବକଳେବର।
- Advertisement -
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy