ବୋଝକୁ ବୁଝ

- Advertisement -

ବୋଝ ମୁଣ୍ଡାଇବା ସହଜ…ହେଲେ ବୋଝ ମୁଣ୍ଡାଇବା ପୂର୍ବରୁ, ଥରେ ବୋଝକୁ ବୁଝିବା ଦରକାର। କାରଣ ବୋଝକୁ ବୁଝିଗଲେ, ବୋଝ ଆଉ ବୋଝ ହୋଇ ରହେନି। ସଂସାରର ସବୁଠୁ ବଡ଼ ବୋଝ ବୋଧେ ପରିବାର। କିଏ କହେ, ପରିବାରର ସବୁ ବୋଝ ବାପା ମୁଣ୍ଡାଇଛନ୍ତି। ତେଣୁ ଅନ୍ୟମାନଙ୍କର କିଛି ଚିନ୍ତା ନାହିଁ।

ହେଲେ ସେଇ ବାପା ଏତେ ବଡ଼ ବୋଝ ମୁଣ୍ଡାଇ କେମିତି ଶାନ୍ତିରେ ଶୋଇପାରନ୍ତି? କେମିତି ନିଜ କ୍ଲାନ୍ତିକୁ ଲୁଚାଇ ପରିବାରକୁ ହସ ବାଣ୍ଟିପାରନ୍ତି? ଏହାର ଉତ୍ତର ଗୋଟେ ପିଲା ସେତେବେଳେ ବୁଝେ, ଯେତେବେଳେ ସେ ନିଜେ ବଡ଼ ହୁଏ।

ଯେତେବେଳେ ସେ ବାପା ହୁଏ, ମାଆ ହୁଏ, ସେତେବେଳେ ଜାଣେ—ବୋଝ କେବଳ ମୁଣ୍ଡକୁ ନୁହେଁ, ମନକୁ ବି ବଦଳାଇଦିଏ।

ସଂସାରର ଯେକୌଣସି ବୋଝ ହେଉ, ତାକୁ ମୁଣ୍ଡାଇବା ପାଇଁ କିଏ ନା କିଏ ଟିକେ ଅଧିକ ପରିଶ୍ରମ କରେ। ଟିକେ ଅଧିକ ତ୍ୟାଗ କରେ। ଟିକେ ଅଧିକ ନଇଁପଡ଼େ। ହେଲେ ସେଇ ବୋଝ ତାକୁ ଯେତିକି ଭାଙ୍ଗେ, ତା’ଠାରୁ ଅଧିକ ଗଢ଼ିଥାଏ।ମଣିଷର ଶରୀର ନଇଁପଡ଼େ, କିନ୍ତୁ ମନ ଶକ୍ତ ହୋଇଯାଏ।ଯିଏ ବୋଝ ମୁଣ୍ଡାଇଛି, ବୋଝର ଓଜନ କେବଳ ସେ ଜାଣେ।

ସୁନିତା ବି ଆଜି ବୋଝକୁ ନେଇ ଭାବୁଥିଲା। ତା’ ଅଫିସର ସହକର୍ମୀ ମନୋଜ…ଆଜି ତା’ ଜୀବନର ଗୋଟେ ବୋଝ ପାଲଟିଛି। ନା, ମନୋଜ ବୋଝ ନୁହେଁ।ବୋଝ ହେଉଛି ସେଇ ସମ୍ପର୍କ, ଯାହାକୁ ସୁନିତା ନିଜେ ବୁଝିପାରୁନି। ବ୍ୟକ୍ତିଗତ ସ୍ୱାଧୀନତାର ବୋଝ କିଏ ମୁଣ୍ଡାଇବ? ସମ୍ପର୍କର ବୋଝ କିଏ ମୁଣ୍ଡାଇବ?ନା ନିଜ ଇଚ୍ଛାରେ ସବୁକିଛି ଛାଡ଼ିଦେବ?ଏହି ଦ୍ୱନ୍ଦ୍ୱରେ ସୁନିତା ଘାଣ୍ଟି ହେଉଥିଲା।ହେଲେ ଗୋଟେ କଥା ସେ ବୁଝିଯାଇଥିଲା—ମନୋଜ ତା’ ପାଇଁ ବୋଝ ନୁହେଁ।

ସେଥିପାଇଁ ଦୁହିଁଙ୍କ ସମ୍ପର୍କ ଅଜବ। ଯେତିକି ଦୂର… ସେତିକି ପାଖ। ଯେତିକି ନୀରବ… ସେତିକି ଗଭୀର। କିଛି ବୋଝକୁ ମୁଣ୍ଡାଇବା ପୂର୍ବରୁ ବୁଝିବାକୁ ପଡ଼େ। କାରଣ ସବୁ ବୋଝ ଛାଡ଼ିଦେବା ପାଇଁ ନୁହେଁ, କିଛି ବୋଝ ଜୀବନକୁ ବୁଝାଇବା ପାଇଁ ଆସେ।

ଆଜି ମୋବାଇଲ ବି ପିଲାଙ୍କ ଜୀବନର ଗୋଟେ ବଡ଼ ବୋଝ।କିନ୍ତୁ ଏହି ବୋଝଟା ପିଲାମାନେ ନିଜେ ବାଛିନାହାନ୍ତି।ଆମେ ତାଙ୍କ ହାତରେ ଦେଇଛୁ।ପିଲାକୁ ସମୟ ଦେବା ବଦଳରେ ମୋବାଇଲ ଦେଇଦେଲୁ।ଗପ କହିବା ବଦଳରେ ସ୍କ୍ରିନ୍ ଦେଖାଇଲୁ।ସାଙ୍ଗ ହେବା ବଦଳରେ ଫୋନ୍‌କୁ ସାଙ୍ଗ କରିଦେଲୁ।ସେତେବେଳେ ଆମେ ଭାବିଲୁ—ପିଲା ଶାନ୍ତ ହୋଇଗଲା, ଆମ ବୋଝ କମିଗଲା।କିନ୍ତୁ ଆମେ ଜାଣିଲୁନି, ଆମର ଗୋଟିଏ ସୁବିଧା ପିଲାର ଜୀବନରେ ଗୋଟିଏ ନୂଆ ବୋଝ ହୋଇ ରହିଗଲା।ପିଲା ବଡ଼ ହେଲା।ମୋବାଇଲ ବି ବଡ଼ ହେଲା।କିନ୍ତୁ ପିଲାଟି ମୋବାଇଲର ବୋଝକୁ ବୁଝିବା ପୂର୍ବରୁ, ସେଥିରେ ଅଭ୍ୟସ୍ତ ହୋଇଗଲା।ଆଉ ଯେତେବେଳେ ସେ ବୋଝକୁ ବୁଝିଲା, ସେତେବେଳେ ମୁକୁଳିବା କଷ୍ଟ ହେଲା।କେତେବେଳେ ଆମେ ଯେଉଁ ଜିନିଷକୁ ଆନନ୍ଦ ଭାବୁ, ସେଇଟା ଧୀରେ ଧୀରେ ଆମର ବୋଝ ହୋଇଯାଏ।ବୋଝକୁ ବୁଝିବା ପୂର୍ବରୁ ଯଦି ଆମେ ବୋଝ ମୁଣ୍ଡାଇନେବା, ତେବେ ଜୀବନରୁ ଅନେକ ଆନନ୍ଦ ଚୁପଚାପ ହଜିଯାଏ।

ଆଉ ଏବେ ଆସିଛି AIର ଯୁଗ।

AI ଆମ ଜୀବନର ଅନେକ ବୋଝକୁ ହାଲୁକା କରୁଛି।କିନ୍ତୁ ଆମେ ପୁଣି ଗୋଟେ ଭୁଲ କରୁଛୁ—ବୁଝିବା ପୂର୍ବରୁ ଗ୍ରହଣ କରୁଛୁ।ସୁବିଧା ଦେଖି ଟେକ୍ନୋଲୋଜି ମୁଣ୍ଡାଇନେଉଛୁ।ପରିଣାମ ନବୁଝି ଦାୟିତ୍ୱ ନେଉଛୁ।ଅନ୍ୟର ଜୀବନ ଦେଖି ନିଜ ଜୀବନର ବୋଝ ବଢ଼ାଉଛୁ।କିନ୍ତୁ ଗୋଟିଏ କଥା ମନେ ରଖିବା ଦରକାର—ଜୀବନର ପ୍ରତ୍ୟେକ ବୋଝ ମୁଣ୍ଡାଇବା ଦରକାର ନାହିଁ।କିଛି ବୋଝକୁ ଛାଡ଼ିବା ଦରକାର।କିଛି ବୋଝକୁ ବାଣ୍ଟିବା ଦରକାର।ଆଉ କିଛି ବୋଝକୁ କେବଳ ବୁଝିବା ଦରକାର।କାରଣ ବୋଝ ଯେତେବେଳେ ବୁଝାଯାଏ,ତା’ର ଓଜନ କମିଯାଏ।ଆଉ ଯେତେବେଳେ ମଣିଷ ନିଜ ବୋଝକୁ ବୁଝିଯାଏ,ସେତେବେଳେ ଦୁନିଆଟା ଟିକେ ଅଧିକ ସୁନ୍ଦର ଲାଗେ।ତେଣୁ—ବୋଝ ମୁଣ୍ଡାଇବା ପୂର୍ବରୁ, ବୋଝକୁ ବୁଝ।କାରଣ ଜୀବନର ସବୁଠୁ ବଡ଼ ବୁଦ୍ଧି ହେଉଛି—କେଉଁ ବୋଝ ମୁଣ୍ଡାଇବାକୁ ହେବ,କେଉଁ ବୋଝ ବାଣ୍ଟିବାକୁ ହେବ,ଆଉ କେଉଁ ବୋଝ ଛାଡ଼ିଦେବାକୁ ହେବ…ତାହା ବୁଝିବା।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_img

Latest Articles