ମନମୋହନ, ସୁଜିତ,ଦିଲ୍ଲୀପ ଓ ସଂତୃପ୍ତ ବିଜୟୀ : ହାରିଲେ ଦତ୍ତେଶ୍ବର

- Advertisement -

ଯାହା ଆକଳନ କରାଯାଉଥିଲା ତାହା ହେଲା l ରାଜ୍ୟସଭା ଗଣିତ ସଂଖ୍ୟାରେ ବିଜେପି 3ଟି ଓ ବିଜେଡି ଗୋଟିଏ ଆସନରେ ବିଜୟୀ ଲାଭ କରିଛନ୍ତି l  ରାଜ୍ୟସଭା ନିର୍ବାଚନ ଓଡିଶା ରାଜନୀତିକୁ ନୂଆ ଦିଗ ଦେଇଛି। ବିଜେଡି ଓ କଂଗ୍ରେସ ମେଣ୍ଟକୁ ଝଟକା ଦେଇ ବିଜେପି ସମର୍ଥିତ ଦିଲ୍ଲୀପ ରାୟ ୩୪ ଭୋଟରେ ବିଜୟୀ ଲାଭ କରିଛନ୍ତି। ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ସୁଜିତ୍ କୁମାର ୩୫ ଲେଖାଏଁ ପ୍ରଥମ ପସନ୍ଦ ଭୋଟ ପାଇ ଜିତିଥିବାବେଳେ ବିଜେଡିର ସନ୍ତୃପ୍ତ ମିଶ୍ର ୩୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ଦୀର୍ଘ ଅଢ଼େଇ ଦଶନ୍ଧି ପରେ ରାଜ୍ୟସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ୧୧ଜଣ ବିଧାୟକ କ୍ରସଭୋଟିଂ କରି ଦିଲ୍ଲୀପଙ୍କ ଜିତିବା ମାର୍ଗ ପ୍ରଶସ୍ତ କରି ଇତିହାସର ପୁନରାବୃତ୍ତି କରାଇଛନ୍ତି। ବିଜେପି ନିଜର ଦୁଇ ପ୍ରାର୍ଥୀ ମନମୋହନ ଓ ସୁଜିତଙ୍କ ସପକ୍ଷରେ ଜିତିବା ପାଇଁ ଆବଶ୍ୟକ (୨୯୪୧ ଭୋଟ ମୂଲ୍ୟ)ଠୁ ଢ଼େର ଅଧିକ ଭୋଟ୍ ପକାଇ ମଧ୍ୟ ଦିଲ୍ଲୀପ ରାୟ ବିରୋଧୀଙ୍କ କ୍ରସଭୋଟିଂ ସହାୟତାରେ ଏହି ନିର୍ବାଚନ ଜିତିବାରେ ସକ୍ଷମ ହୋଇଛନ୍ତି।

ବିଧାନସଭା ସୂତ୍ରରୁ ଜଣାପଡ଼ିଛି ଯେ,୪ଟି ରାଜ୍ୟସଭା ଆସନ ପାଇଁ ୫ଜଣ ପ୍ରାର୍ଥୀ ଥିବାରୁ ଆଜି ମତଦାନ ହୋଇଥିଲା। ସମସ୍ତ ୧୪୭ ବିଧାୟକ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ରାଜ୍ୟସଭା ନିର୍ବାଚନ ଗଣିତ ଅନୁସାରେ ପ୍ରତ୍ୟେକ ବିଧାୟକଙ୍କର ଭୋଟ ମୂଲ୍ୟ ୧୦୦ ହୋଇଥିବାବେଳେ ଜଣେ ପ୍ରାର୍ଥୀ ଜିତିବା ନିମନ୍ତେ ପ୍ରଥମ ପସନ୍ଦର ୩୦ ଜଣ ବିଧାୟକ ବା ୨୯୪୧ ଭୋଟ ମୂଲ୍ୟର ସମର୍ଥନ ଆବଶ୍ୟକ। ପ୍ରଥମ ପସନ୍ଦର ଭୋଟ ଭାବେ ବିଜେପିର ମନମୋହନ ସାମଲଙ୍କୁ ୩୫ (ଅର୍ଥାତ୍ ୩୫୦୦ ଭୋଟ ମୂଲ୍ୟ) ଓ ସୁଜିତ୍ କୁମାରଙ୍କୁ ୩୫ (୩୫ଶହ ଭୋଟ ମୂଲ୍ୟ) ବିଧାୟକଙ୍କ ଭୋଟ ମିଳିଥିବାବେଳେ ବିଜେଡିର ସନ୍ତୃପ୍ତ ମିଶ୍ରଙ୍କୁ ୩୧ଖଣ୍ଡ (୩୧୦୦ ଭୋଟ ମୂଲ୍ୟ) ବିଧାୟକଙ୍କ ଭୋଟ ମିଳିଥିଲା। ସେହିପରି ବିଜେଡି-କଂଗ୍ରେସ-ସିପିଆଇଏମ୍ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ୨୩ ଜଣ(୨୩୦୦ ଭୋଟ ମୂଲ୍ୟ) ବିଧାୟକଙ୍କ ଭୋଟ ମିଳିଥିଲା। ବିଜେପି ସମର୍ଥିତ ଦିଲ୍ଲୀପ ରାୟଙ୍କୁ ମଧ୍ୟ ସେହିଭଳି ୨୩ ଜଣ (୨୩୦୦ ଭୋଟ ମୂଲ୍ୟ) ବିଧାୟକଙ୍କ ଭୋଟ ମିଳିଥିଲା।

ତେବେ ଦ୍ୱିତୀୟ ପସନ୍ଦର ଭୋଟ ହିଁ ଦିଲ୍ଲୀପଙ୍କୁ ବୃହତ୍ ବିଜୟ ଆଡ଼କୁ ନେଇଯାଇଥିଲା। ଦ୍ୱିତୀୟ ପସନ୍ଦର ଭୋଟ ଭାବେ ଦିଲ୍ଲୀପଙ୍କ ସପକ୍ଷରେ ଭୋଟ୍ ୧୧୧୮ ମିଳିବା ପରେ ତାଙ୍କର ମୋଟ୍ ଭୋଟ ମୂଲ୍ୟ ୩୪୧୮ ହୋଇଥିଲା। ଆଉ ଡାକ୍ତର ହୋତାଙ୍କୁ ବାଜିମାତ କରି ସେ ବିଜୟୀ ଲାଭ କରିଛନ୍ତି। ଦିଲ୍ଲୀପଙ୍କ ଜିତିବାରେ ବିଜେଡିର ୮ ଓ କଂଗ୍ରେସର ୩ ବିଧାୟକଙ୍କ କ୍ରସଭୋଟିଂ ସହାୟକ ହୋଇଛି।

ବିଜେପି ନିଜର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ପ୍ରଥମ ପସନ୍ଦର ୭୦ଜଣ ବିଧାୟକଙ୍କ ଭୋଟ୍ ଦେଇଦେବା ପରେ ଦିଲ୍ଲୀପଙ୍କ ସପକ୍ଷରେ ମାତ୍ର ୧୨ଜଣ ବିଧାୟକଙ୍କ ପ୍ରଥମ ପସନ୍ଦ ଭୋଟ୍ ରହିଥିଲା। ଆଉ ବିଜେଡି ଓ କଂଗ୍ରେସର ୧୧ଜଣ ବିଧାୟକଙ୍କ ପ୍ରଥମ ପସନ୍ଦ ଭୋଟରେ ଦିଲ୍ଲୀପଙ୍କୁ ୨୩ ଜଣ ବିଧାୟକଙ୍କ ଭୋଟ ମିଳିଥିଲେ ମଧ୍ୟ ଦ୍ୱିତୀୟ ପସନ୍ଦର ଭୋଟଗୁଡ଼ିକ ଦିଲ୍ଲୀପଙ୍କ ପାଖକୁ ଚାଲିଯାଇଥିବାରୁ ସେ ସହଜରେ ୩୪୧୮ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ଆଗକୁ ଏ ଗଣିତ ରାଜ୍ୟ ରାଜନୀତିକୁ ନୂଆ ରୂପଦେବ l

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles