ରୋଗୀମାନେ ଡାକ୍ତରଙ୍କୁ ଭଗବାନ ସଦୃଶ ମାନନ୍ତି: ସୋଆ ଉପସଭାପତି
ପ୍ରତ୍ୟେକ ସଫଳ ଚିକିତ୍ସାର ପ୍ରଚ୍ଛଦପଟ୍ଟରେ ଡାକ୍ତରମାନଙ୍କର ବର୍ଷ ବର୍ଷର ଉତ୍ସର୍ଗ, ନିରନ୍ତର ଜ୍ଞାନ ଆହରଣ ଏବଂ ଅଦୃଶ୍ୟ ତ୍ୟାଗ ରହିଥାଏ । ରୋଗୀମାନେ ଡାକ୍ତରମାନଙ୍କୁ ଭଗବାନ ସଦୃଶ ମାନିଥାନ୍ତି ବୋଲି ମତ ଦେଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ ।
ଜୁଲାଇ ୧ ତାରିଖ ଜାତୀୟ ଡାକ୍ତର ଦିବସ ଅବସରରେ ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ ୧ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ କହିଥିଲେ ଯେ ପ୍ରତ୍ୟେକ ଦିନ ଡାକ୍ତରମାନେ ଯେଉଁ ନିଷ୍ପତି ନିଅନ୍ତି ତାହା ଗଭୀର ଭାବେ ରୋଗୀ ଏବଂ ତାଙ୍କ ପରିବାର ଉପରେ ପ୍ରଭାବ ପକାଇଥାଏ । ତେଣୁ ଡାକ୍ତରମାନେ ରୋଗୀମାନଙ୍କୁ ନିଜର ଆତ୍ମୀୟ ଭଳି ବିବେଚନା କରି ଚିକିତ୍ସା କରନ୍ତୁ ବୋଲି ଶ୍ରୀମତି ଦାସ ଆଶାବ୍ୟକ୍ତ କରିଥିଲେ ।
ଆଇଏମଏସ୍ ଆଣ୍ଡ ସମ ଡାକ୍ତରମାନଙ୍କର ରୋଗୀ ସେବା କ୍ଷେତ୍ରରେ ବେଶ ଖ୍ୟାତି ରହିଥିବା ବେଳେ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ଶ୍ରୀମତି ଦାସ ।
ଏହି ଅବସରରେ ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ଦେଶର ଶ୍ରେଷ୍ଠ ୧୦ ଟି ହସ୍ପିଟାଲ ମଧ୍ୟରେ ପରିଗଣିତ ହେବା ନେଇ ଆଶା ରଖିଥିବା ନିଜ ବକ୍ତବ୍ୟରେ କହିଥିଲେ ।
କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୧ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ ଭାରତ ରତ୍ନ ଡାକ୍ତର ବିଧାନଚନ୍ଦ୍ର ରାୟଙ୍କର ଉଭୟ ଜନ୍ମ ଏବଂ ମୃତ୍ୟୁ ଦିବସକୁ ଜାତୀୟ ଡାକ୍ତର ଦିବସ ଭାବେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ ପକ୍ଷରୁ ଡାକ୍ତରମାନଙ୍କୁ ସମ୍ମାନିତ କରାଯାଇଥିବା ଡିନ୍ କହିଥିଲେ ।
କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୧ର ଆଡିସ୍ନାଲ୍ ଡିନ୍ ପ୍ରଫେସର (ଡାକ୍ତର) ଅଜୟ କୁମାର ଜେନା, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଓ କ୍ୟାମ୍ପସ-୨ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ନିଜ ବକ୍ତବ୍ୟରେ ଡାକ୍ତରମାନଙ୍କର ଉତ୍ସର୍ଗୀକୃତ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।
ଏହି ଅବସରରେ ମେଡିକାଲ୍ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପସନ୍ଦ କରାଯାଇଥିବା ଓ ମନୋନୀତ ହୋଇଥିବା ପ୍ରାୟ ୩୫ ଜଣ ଡାକ୍ତର ଓ ବିଭାଗୀ ମୁଖ୍ୟମାନଙ୍କୁ ଉପସଭାପତି ସମ୍ମାନିତ କରିଥିଲେ ।
ଡାକ୍ତରମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ଦିବସ ପାଳନର ପ୍ରମୁଖ ଆକର୍ଷଣ ରହିଥିଲା । କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ମୁଖ୍ୟ, ପ୍ରଫେସର, ବରିଷ୍ଠ ଡାକ୍ତର ଓ କର୍ମକର୍ତାମାନେ ଉପସ୍ଥିତ ଥିଲେ ।
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy