ନୂଆପଡା : ସମ୍ମାନ, ସ୍ୱାଭିମାନ ଓ ଆତ୍ମସମ୍ମାନର ଲଢେଇ

0
145

୨୪ ବର୍ଷ ପରେ ରାଜ୍ୟ ଶାସନର ପଟ ପରିବର୍ତନ ହେଲା। ବିଜେଡି ଶାସନରୁ ଗଲା, ଓଡ଼ିଶାରେ ଆରମ୍ଭ ହେଲା ବିଜେପିର ଶାସନ। ୧୬ମାସ ଭିତରେ ଶାସକ ବିଜେପିର ଲୋକପ୍ରିୟତା ସେମିତି କିଛି ବଢ଼ିନାହିଁ। ବରଂ ଲୋକଙ୍କ ମଧ୍ୟରେ ଗୋଟେ କଥା.. ହେ ବିଜେପି ଦ୍ଵାରା କିଛି ହେବନାହିଁ। ୧୬ମାସ ହେବ ସରକାର ସେମିତି କିଛି ବିକାଶ ଓ ଜନକଲ୍ୟାଣ କାମ କରିଛନ୍ତି ବୋଲି ଓଡିଶାବାସୀ ଅନୁଭବ କରିପାରିନାହାନ୍ତି । ହଁ ବିଜେପି ତାର ନିର୍ବାଚନୀ ପ୍ରତିଶ୍ରୁତି ଯାହା ଯେମିତି ୧୬ମାସରେ ପୂରଣ କରିବା କଥା କିଛି କରିଛି। କେତେକ କ୍ଷେତ୍ରରେ କିଛିଟା ପରିବର୍ତ୍ତନ ଆସିଛି। ହେଲେ ଓଡିଶାବାସି ଯାହା ଆଶା କରୁଥିଲେ ବିଜେପି ଶାସନରେ ଏଯାଏ ତାହା ପୂରଣ କରିପାରିନାହିଁ ବିଜେପି। ବରଂ ବିଜେଡିର ଯେଉଁ ସବୁ କାରଣ ପାଇଁ ଲୋକେ ବିଜେଡିକୁ ପ୍ରତ୍ୟାଖାନ କଲେ ବୋଲି ରାଜନୈତିକ ସମୀକ୍ଷକ କହୁଛନ୍ତି , ଠିକ୍ ସେହି ଧାରାରେ ବିଜେପି ଚାଲିଛି। ସାଧାରଣରେ ଗୋଟେ ଚର୍ଚ୍ଚା ହେଉଛି ବିଜେଡି ଓ ବିଜେପି ଶାସନ ମଧ୍ୟରେ ସେମିତି କିଛି ଫରକ୍ ନାହିଁ।

ବିଜେଡି ୨୪ବର୍ଷ ଲମ୍ବା ଶାସନରେ ରହିବା ପରେ ବିରୋଧୀ ଦଳ ଭୂମିକାରେ ଆସିଛି। ହେଲେ ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡି ଶାସକ ବିଜେପି ବିରୋଧରେ ଯେପରି ଆଭିମୁଖ୍ୟ ଗ୍ରହଣ କରିବା କଥା ତାହା କରିପାରୁନାହିଁ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି । ବିଜେପି ବିରୋଧରେ ନୁହେଁ, ବରଂ ଆପୋଷ ବୁଝାମାଣାରେ ରାଜ୍ୟରେ ବିଜେଡି ବିରୋଧୀ ଦଳ ଭୂମିକା ଲିଭାଉଛି ତାହା ସାଧାରଣରେ ଚର୍ଚ୍ଚା ହେଉଛି। ଅଭିଯୋଗ ହେଉଛି ବିଜେଡି ବିଜେପିକୁ ଡରୁଛି। ବିଜେପିର ଶୀର୍ଷ ନେତୃତ୍ଵଙ୍କ ସହ ନବୀନ ପଟ୍ଟନାୟକଙ୍କ ଉତ୍ତମ ସମ୍ପର୍କ ଥିବାରୁ ବିଜେଡିି ଆକ୍ରମକ ଭୂମିକାରେ ଆସି ପାରୁନାହିଁ ବିଜେପି ବିରୋଧରେ ବିଭିନ୍ନ ପ୍ରସଂଗରେ । ହେଲେ ଏକଥା ଶତ ଯେ ଆଜି ବି ବିଜେଡି ସଙ୍ଗଠନ ରାଜ୍ୟରେ ବିଜେପି ଓ କଂଗ୍ରେସ ଠାରୁ ଶକ୍ତିଶାଳୀ।

କଂଗ୍ରେସ ୨୪ ବର୍ଷ ହେବ ରାଜ୍ୟରେ ଦୁର୍ବଳ ସ୍ଥିତିରେ ଅଛି। ଦଳ ଭିତରେ ଆଜିର ଦିନରେ ଏକତା ଆସିପାରିନାହିଁ। ହଁ ରାହୁଲ ଗାନ୍ଧିଙ୍କ ଓଡିଶାଗସ୍ତ ଓ ଏଆଇସିସି ଓଡ଼ିଶାକୁ ଫୋକସ କରିବା ପରେ ତୃଣମୂଳ ସ୍ତରରେ କଂଗ୍ରେସ କର୍ମୀ ଟିକେ ମୁଣ୍ଡ ଟେକିଛନ୍ତି । ହେଲେ ଦଳର ମଙ୍ଗୁଆଳ ମାନଙ୍କ ମନ ଏକ ହୋଇନାହିଁ ଆଜି ଯାଏ। ଦଳ ଭିତରେ ଗୋଟିଏ କଥା ଚର୍ଚ୍ଚା ହେଉଛି ଯେ ପିସିସି ସଭାପତି ଏକଲାଚାଲୋ ନୀତିରେ ଦଳକୁ ଚଳାଉଛନ୍ତି । ଯାହା କଂଗ୍ରେସ ନେତାମାନେ ସହଜରେ ହଜମ କରିପାରୁନାହାନ୍ତି । ଦଳର ବଡ ଦୁର୍ବଳତା ହେଉଛି ଦଳର ଭୋଟ ହାର ଆଶା ଠାରୁ ଅଧିକ ତଳକୁ ଖସି ଯାଇଛି। ଏହାସହ ଆର୍ଥିକ୍ ସମ୍ବଳ ବି ଦଳ ପାଇଁ ଆଉ ଗୋଟେ ସମସ୍ୟା ।
ରାଜ୍ୟର ୩ ପ୍ରମୁଖ ଦଳର ଏପରି ସ୍ଥିତି ଭିତରେ ନଭେମ୍ବର ୧୧ତାରିଖରେ ହେବାକୁ ଯାଉଛି ନୂଆପଡା ଉପ ନିର୍ବାଚନ । କଂଗ୍ରେସ ଟିକେଟରୁ ଉପ ନିର୍ବାଚନ ଲଢ଼ିବେ ଘାଷୀରାମ ମାଝୀ । ବିଜେପି ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ଦଳରେ ସାମିଲ କରି ପ୍ରାର୍ଥୀ କରିବ । ବିଜେଡି ଢୋଲକିଆ ଧର୍ମପତ୍ନୀ କିମ୍ବା ଅନ୍ୟ କାହାକୁ ପ୍ରାର୍ଥୀ କରିବ । ତେବେ ନୂଆପଡ଼ା ଉପ ନିର୍ବାଚନରେ ଯେ ତ୍ରିମୁଖି ଲଢ଼େଇ ହେବ ତାହା ଜଳଜଳ କରି ଦିଶିଲାଣି। ହେଲେ ଦିନକୁ ଦିନ ରାଜନୈତିକ ଗଣିତ ଯେମିତି ବଦଳୁଛି କିଏ ନୂଆପଡା ବାଜି ଜିତିବ ସେ ଚିତ୍ର ସ୍ପଷ୍ଟ ହୋଇପାରୁନି । ଆଗକୁ ୩ ପ୍ରମୁଖ ରାଜନୈତିକ ଦଳର ଯୋଦ୍ଧା ମଇଦାନକୁ ଓହ୍ଲାଇବା ପରେ ନୂଆପଡ଼ା ବାସୀ ମନସ୍ଥ କରିବେ କାହାକୁ ବିଧାନସଭା ପଠାଇବେ।