ଧରାପୃଷ୍ଟରେ ଜଗତଜନନୀ

0
164

ମା ଆସିଛନ୍ତି । ମନରେ ଜାଗ୍ରତ ହୋଇଛି ଶକ୍ତି, ସାହସ ଓ ସାମର୍ଥ। ସବୁଠି ଖୁସିର ମାହୋଲ । ମା ଙ୍କୁ ସ୍ଵାଗତ କରିବାକୁ ପ୍ରକୃତିରାଣୀ କାଶତଣ୍ଡି ଧଳା ଫର ଫର ହୋଇ ନଦୀକୂଳ, ବିଲ ଓ ରାସ୍ତାଘାଟରେ ପସରା ମେଲାଇ ସ୍ଵାଗତ କରୁଛି । ତାର ଖୁସି ନ କହିଲେ ଭଲ। ଆଜି ମା ଧରାଅବତରଣ କରିବା ପରେ ସବୁଠି ଆନନ୍ଦ ଆଉ ଆନନ୍ଦ। ମା ଥିଲେ ସବୁ ଅଛି। ଦୁଃଖ ସେ ବୁଝିବ, ସବୁ ବିପଦରେ ସାହା ହେବ। ସେ ଦୟାମୟୀ, ଦୟାସାଗର, କୃପାମୟୀ, କରୁଣାଦାୟୀ। ସଭିଙ୍କ ସଂସାରକୁ ଜଗିଛି ମା । ମା ସବୁବେଳେ ଓ ସବୁ ସମୟରେ ଆମର ଦୁଃଖ ଲାଘବ କରେ। ମା ପୁଣି ଆମକୁ ଶିକ୍ଷା ଦିଏ ଓ ଆଗକୁ ବଢିବାକୁ ସାହସ ଜୁଟାଏ । ମା ଆଶିର୍ବାଦ ଥିଲେ ଦୁନିଆରେ ସମସ୍ତେ ବଳବାନ। ତା ଆଖିରେ ସବୁ ସମସ୍ତେ ସମାନ।
ଶାରଦୀୟ ପୂଜା ଆସିଲେ କାହିଁକି କେଜାଣେ ମନରେ ଆଶା ସଂଚାର ହୁଏ। ବହୁତ କିଛି କରିବାର ଇଚ୍ଛା ଶକ୍ତି ପାଇଁ ଜଗତ ଜନନୀ ଯେମିତି ସଭିଙ୍କ ଭିତରେ ଶତ ସାହସ ଭରିଦିଅନ୍ତି । ସେଥିପାଇଁ ତ ମାଙ୍କ ଆଗମନରେ ସବୁଠି ଉତ୍ସବ ମୁଖର। ମା ଲୋ ତୁ ଏ ସଂସାରକୁ ଭଲରେ ଆଗେଇ ନେ। ସଭିଙ୍କ ଭିତରେ ଭଲ ପାଇବା ଓ ସହାନୁଭୂତି ମନୋଭାବ ସୃଷ୍ଟି କରିଦେ । ଭଲମନ୍ଦ ବିଚାର ସବୁବେଳେ ଓ ସବୁ ସମୟରେ ସମସ୍ତଙ୍କ ମନରେ ଉଦଜୀବିତ ହେଉ । ଦୟା, କ୍ଷମାର ବିଶାଳ ହୃଦୟ ସଭିଙ୍କ ଭିତରେ ରହୁ। କୁ ପ୍ରଥା, କୁ ସଂସାର ମା ହରଣକରିନେ । ମା ଭଲ ପାଇବାର ମହାମନ୍ତ୍ର ସମାଜକୁ ବାନ୍ଧିରଖ । ଏତିକି ପ୍ରାର୍ଥନା।